ଭାଦ୍ରଵ ମାସର ଶୁକ୍ଳପକ୍ଷ ଦଶମୀରେ ମକା ପରଵ୍ ହୁଏ । ଏହାକୁ ଅସାପରଵ୍ ଓ ମକା ନୂଆଖାଈ ମଧ୍ୟ କୁହାଯାଏ । ଏହି ପରଵରେ ଦେଶିଆମାନେ ଧାନପତ୍ର, ସାରୁପତ୍ର, କୁମୁଡ଼ାପତ୍ର, ସାରୁ, ନୂଆ ତେନ୍ତୁଳି ଏସବୁକୁ ସିଝେଇ କରି ଭାତ ସଙ୍ଗେ ଚରୁରାନ୍ଧି ଖାଇଥାନ୍ତି । ଏହି ନୂଆଖିଆ ପରେ ଯାଇ ମକା, ନୂଆଧାନ, ନୂଆ ତେନ୍ତୁଳି,
କୁମୁଡ଼ା ଓ ସାରୁ ଇତ୍ୟାଦି ଖୁଆଯାଇ ପାରିଵ । ପ୍ରତି ଘରେ ଵିଧିଵିଧାନ ଅନୁସାରେ
ଆନିଦାଦିମାନଙ୍କର ନାମ ଧରି କରି ବୀରୁ ହୁଏ । କୁକୁଡ଼ା ଥିଵା ଲୋକ କୁକୁଡ଼ା ପୂଜନ୍ତି
ନ ହେଲେ ନଡ଼ିଆ ଭାଙ୍ଗନ୍ତି । ଏଥରେ ଦିଶାରୀ ଲୋଡ଼ା ପଡ଼େ ନାହିଁ । ଏଥିରେ ଘରର ମୁରବୀ ପୂଜା କରନ୍ତି । ଚରୁ ରାନ୍ଧିବା ଦାୟିତ୍ଵ କିନ୍ତୁ ସ୍ତ୍ରୀ ଲୋକମାନଙ୍କର ହୋଇଥାଏ । ଚରୁ ରାନ୍ଧିଵା ପରେ ସମସ୍ତ ଘରଲୋକ ଏକତ୍ର ବସି ଖାଆନ୍ତି । ଘରର ଝିଅ ବିଭା ହୋଇଯାଇଥିଲେ ତଥା କୌଣସି ବାହାର ଲୋକ କୁଣିଆ ଆସିଥିଲେ ସେ ଏହି ଚରୁ ଖାଇବେ ନାହିଁ ବୋଲି ନିୟମ ମଧ୍ୟ ଅଛି । ସାଧାରଣତଃ ଭାଦ୍ରଵ ମାସ ଶୁକ୍ଳ ଦଶମୀରେ ଏହି ପର୍ଵ ପାଳନ କରାଯାଏ କିନ୍ତୁ ଦିଶାରୀମାନଙ୍କ ମତ ଅନୁସାରେ ଵିଭିନ୍ନ ଗାଁରେ ଵିଭିନ୍ନ ତିଥିରେ ଏହା ପାଳିତ ହୋଇଥାଏ।
ଏହି ଅସା ପରଵ୍କୁ ମଧ୍ୟ ନୂଆଖିଆ ପରଵ୍ କୁହାଯାଏ ଯେହେତୁ ଏହି ଦିନ ନୂଆଖିଆ ଯାଇଥାଏ। ନୂଆଶସ୍ୟ ଖାଇଵା ପୂର୍ଵରୁ
ଭୂମିଆ ସଂପ୍ରଦାୟର ଲୋକ ଅସାପର୍ଵ ପାଳନ କରନ୍ତି । ଦିଶାରୀ ଯୋଗ ଠିକ୍ କରି ଗାଁ ପୂଜାରୀକୁ ପର୍ଵପାଳନ କରିବାକୁ ନିର୍ଦ୍ଦେଶ ଦିଏ । ପୂଜାରୀ ମାହେନ୍ଦ୍ର ଲଗ୍ନ ଦେଖି ଧାନକେଣ୍ଡା ପାଚିଲା କ୍ଷେତରୁ ଆଣେ I ପର୍ଵଦନ ପ୍ରତ୍ୟୁଷରୁ ଗାଧୋଇ ଗ୍ରାମ ପୂଜାରୀ
ନୂଆଧାନର ଚାଉଳ ଓ ପୁରୁଣା ଚାଉଳ ମିଶାଇ ଅନ୍ନ ପ୍ରସ୍ତୁତ କରନ୍ତି । ଉକ୍ତ ଅନ୍ନକୁ
ଗ୍ରାମ ଠାକୁରାଣୀଙ୍କୁ ଭୋଗ କରାଯାଏ । ଏହାଛଡ଼ା ଅସା ପର୍ଵଦିନ ପ୍ରତ୍ୟେକ ଘରେ
ତେନ୍ତୁଳି, କୁମୁଡ଼ା, ସାରୁ ଓ କଞ୍ଚାମାଛ ମିଶାଇ ଚରୁ ରନ୍ଧାଯାଏ । ଏହା ଘରର ଇଷ୍ଟ
ଦେଵତାଙ୍କୁ ଅର୍ପଣ କରାଯିଵା ପରେ ଅନ୍ୟମାନେ ଖାଆନ୍ତି । ଏଥିପାଇଁ କୁରେଇ ଗଛର ପତ୍ର ଵ୍ଯଵହାର କରାଯାଏ । ପର୍ଵ ପାଳନର ପରଦିନ ଏହି ଭାତକୁ ମଞ୍ଚା ଉପରେ ରଖାଯାଏ, ଯେପରିକି ତାହା ପକ୍ଷୀମାନଙ୍କର ଆହାର ହୋଇପାରିଵ ।
(ଦେଶିଆ ଜ୍ଞାନକୋଷରୁ ଏହି ତଥ୍ୟ ଗୃହୀତ ହୋଇଛି ।)
No comments:
Post a Comment