ଆମ ଓଡ଼ିଶା ଶବ୍ଦର ଗନ୍ତାଘର । ଏଠି କୋଟି କୋଟି ଶବ୍ଦ ଚଳୁଅଛି କିନ୍ତୁ ସେ ସମସ୍ତ ଶବ୍ଦର ସମ୍ପୂର୍ଣ୍ଣ ସଂଗ୍ରହ ଏଯାଵତ୍ ହୋଇପାରିନାହିଁ । କାଳ ଆଗରେ ପରାଜିତ ଲଭି ଅନେକ ଶବ୍ଦ ଲୁପ୍ତ ମଧ୍ୟ ହୋଇ ଯାଇଛି । ଅନେକ ଓଡ଼ିଆ ଶବ୍ଦ ନିର୍ଦ୍ଧିଷ୍ଟ ଅଞ୍ଚଳରେ ପ୍ରଚଳିତ ଥିଲେ ବି ଓଡ଼ିଆ ସାହିତ୍ୟରେ ପ୍ରୟୋଗ କରାଯାଉନାହିଁ । କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ଏହିପରି ଦଶଗୋଟି ଓଡ଼ିଆ ଶବ୍ଦ ଵିଷୟରେ ଚାଲନ୍ତୁ ଜାଣିଵା ...
#ଅପିଵା— ଏହା ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ଏକ ଜଣାଶୁଣା ଶବ୍ଦ ଏଵଂ ପ୍ରାୟତଃ ସମ୍ମତି,ରାଜି ଓ ଦୋଷ ସ୍ଵୀକାର ଅର୍ଥରେ ପ୍ରୟୋଗ କରାଯାଏ ।
#ଚୁଡ଼ାଚାଉଳ
ଚୁଡ଼ା ଓ ଚାଉଳ ଶବ୍ଦ ଦୁଇଗୋଟି ଖାଦ୍ୟଦ୍ରଵ୍ୟର ନାମ କିନ୍ତୁ ଏହି ଦୁଇଟି ନାମ ଏକାଠି ହେଇ ଦେଵଗଡ଼ରେ ଏକ ସ୍ଵତନ୍ତ୍ର ଅର୍ଥରେ ପ୍ରୟୋଗ କରାଯାଏ । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଵିଦେଶ ଗଲାବେଳେ ଦେଵଗଡ଼ଵାସୀ ଯେଉଁ ଅର୍ଥ ଵା ଧନ ନେଇ ଯାଆନ୍ତି ତାକୁ ଚୁଡ଼ାଚାଉଳ କୁହନ୍ତି । ଏମନ୍ତ କହିଵାର କାରଣ ସମ୍ବଵତଃ ଏହି ଟଙ୍କାରେ ଵିଦେଶକୁ ଗଲେ ପ୍ରଥମେ ଚୁଡ଼ା ଓ ଚାଉଳ କିଣା ଯାଉଥିଲା । ତେଣୁ ଚୁଡ଼ାଚାଉଳ କିଣାଯିଵା ପଇସାକୁ ପରେ ଚୁଡ଼ାଚାଉଳ କୁହାଗଲା ।
#ମଢ଼ି ଓ #ମଢ଼ିଆଳ
ଗଞ୍ଜାମ ଜିଲ୍ଲାରେ ମଢ଼ି ଶବ୍ଦଟି କୃପଣ ଓ ମଇଳା ଅର୍ଥରେ ପ୍ରୟୋଗ କରାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ ଅଛି ସେହିପରି ଅନୁଗୋଳ ଓ ଦେଵଗଡ଼ରେ ଧୋବାମାନଙ୍କୁ ମଢ଼ିଆଳ କୁହାଯାଇଥାଏ ବୋଲି ଏହି ଶବ୍ଦକୋଷରେ ଲିଖିତ ହୋଇଅଛି ।
#ଅପାସ୍ତୁକ
କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ କଟକ ଜିଲ୍ଲାରେ ଏହି ଶବ୍ଦଟି ଅପମାନିତ ଅର୍ଥରେ ପ୍ରୟୋଗ କରାଯାଏ ।
#ଉଛ
କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଜଗତସିଂହପୁର ଜିଲ୍ଲାରେ ବାହାଘର ତଥା ଵ୍ରତଘର ସମୟରେ କରାଯାଉଥିଵା ଶୁଖୁଆବିକା ପର୍ଵକୁ ଉଛ କୁହାଯାଏ । ଏହି ଧରଣର ଏକ ଜାତୀୟ ଉତ୍ସଵ ଵିଵାହ ପରେ ଢେଙ୍କାନାଳରେ ଆୟୋଜିତ ହୁଏ ଯାହାକୁ #ହାଣ୍ଡିଧୁଡ଼ୁକା କୁହାଯାଏ । କେତେକ ଅଞ୍ଚଳରେ ଏହାକୁ ମାଛବିକା ବି କୁହନ୍ତି । ଆଧୁନିକ ଯୁଗରେ ଏସବୁ ପରମ୍ପରା ଧିରେ ଧିରେ ଲୋକେ ଛାଡ଼ି ଦେଲେଣି ।
#ଛେଛରୀ
ଯୋଉ ଲୋକ ଛି ଛି କରାଯିଵାର ଯୋଗ୍ୟ ଅର୍ଥାତ୍ ଯୋଉ ଲୋକ ଅତି ନୀଚ କାର୍ଯ୍ୟ କରିଥାଏ ଵା କରୁଥାଏ ସେଭଳି ନ୍ୟନ ଵ୍ୟକ୍ତିକୁ ସୁନ୍ଦରଗଡ଼ ଜିଲ୍ଲାରେ ଛେଛରୀ କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି ।
#ରସ୍ନାତେଲ
ମାଟି ତଳୁ ବାହାରୁ ଥିଵାରୁ ଓଡ଼ିଶାର କେତେକ ଅଞ୍ଚଳରେ କିରୋସିନିକୁ #ମାଟିତେଲ କୁହାଯାଏ। ତେବେ ସୁନ୍ଦରଗଡ଼ ଜିଲ୍ଲାରେ କିରୋସିନିର ଆଉ ଏକ ନାମ ରସ୍ନାତେଲ ପ୍ରଚଳିତ ବୋଲି କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ।
#ଘରେରହିଵା
ଶାବ୍ଦିକ ଦୃଷ୍ଟିରୁ ଏହାର ସାଧାରଣ ଅର୍ଥ କୌଣସି ଘର ଭିତରେ ରହିଵା କିନ୍ତୁ ପୁରୀ ନୟାଗଡ଼ ଓ ଢେଙ୍କାନାଳ ଆଦି କେତେକ ଜିଲ୍ଲାରେ କନ୍ୟା ପ୍ରଥମ କରି ରଜୋଵତୀ ହେଲେ ତାକୁ ଗୋଟିଏ ବନ୍ଦ ଘରେ ସାତ ଦିନ ପାଇଁ ରଖାଇ ମାତା ମାନଙ୍କ ଦ୍ଵାରା ଗୁପ୍ତରେ ଖାଦ୍ୟ ଓ ଜଳାଦି ପ୍ରଦାନ କରାଯାଏ । ସାତ ଦିନ ହୋଇଯିଵା ପରେ ଏହି ସବୁ ଜିଲ୍ଲାର ଗ୍ରାମାଞ୍ଚଳରେ ଭୋଜିଭାତ କରି ଲୋକଙ୍କଠାରୁ କନ୍ଯା ପାଇଁ ମଙ୍ଗଳ ଆଶିଷ ଲାଭ କରାଯାଏ ।
#ବାତସା
ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ମିଠା ମିଳେ ଯାହାକୁ ବାତସା କୁହାଯାଏ ଏହା ଶୁଣିଲେ ଲାଗେ ସତେ ଯେମିତି ଏହି ମିଠାଟି ମିଠା ମଧ୍ୟରେ ବାଦଶାହ ବୋଲି ୟାକୁ ବାତସା ନାମ ଦିଆଯାଇଛି । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଏହି ମିଠା ଚିନି ଓ ଚାଉଳଚୂନାରେ ପ୍ରସ୍ତୁତ କରାଯାଏ(ବାଲେଶ୍ଵରଵାସୀ ଏହାର ପ୍ରସ୍ତୁତିକରଣ ପ୍ରଣାଳୀ ଜଣାଥିଲେ ଜଣାଇଵାକୁ ଅନୁରୋଧ)
#ଡୁବୁରା
ବୌଦ୍ଧ ଜିଲ୍ଲାରେ ପଚାଶଢ଼ା ଅର୍ଥରେ ଡୁବୁରା ଶବ୍ଦ ଵ୍ୟଵହାର କରାଯାଏ କିନ୍ତୁ ରାୟଗଡ଼ା ଜିଲ୍ଲାରେ ଅତିରିକ୍ତ ଵ୍ୟୟସାଧକ ଵ୍ୟକ୍ତିଙ୍କୁ ଡୁବୁରା କୁହାଯାଏ ।
#ଝଞ୍ଚଣିଆ
ଟାଉଟର ଶବ୍ଦଟି ଏକ ଵୈଦେଶିକ ଶବ୍ଦ କିନ୍ତୁ ଟାଉଟର ଅର୍ଥରେ ବାଲେଶ୍ଵର ଜିଲ୍ଲାରେ ଛଞ୍ଚାଣିଆ ବୋଲି ଏକ ଶବ୍ଦ ଵ୍ୟଵହାର କରାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ...
...
..
.
No comments:
Post a Comment