Friday, June 23, 2023

ଓଡ଼ିଆ କୃଷିଵଚନ ୧

ପୂର୍ଵେ ଓଡ଼ିଶାରେ ଅନେକ କୃଷିଵଚନ ପ୍ରଚଳିତ ଥିଲା । ଗାଆଁର ଲୋକମାନେ ଏହି ସବୁ ପଦଗୁଡ଼ିକୁ ମନେ ରଖି ତତ୍ ଆଧାରରେ ଚାଷକାର୍ଯ୍ୟ କରୁଥିଲେ ‌। ଏ ଦେଶରେ ଚାଷକାର୍ଯ୍ୟ ଵର୍ଷା ଉପରେ ନିର୍ଭରଶୀଳ ଥିଵାରୁ ଅଧିକାଂଶ କୃଷିଵଚନ ଵର୍ଷା ସମ୍ବନ୍ଧୀୟ ହେଉଥିଲା ‌ । ଵର୍ଷା ସମ୍ବନ୍ଧୀୟ ଏହିପରି ଏକ କୃଷିଵଚନର ଉଲ୍ଲେଖ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦୁମୁକାଣି,ଅସରା, ଲିଫିଲିଫି ଓ କୁଣ୍ଡାଝଡ଼ା ଆଦି ଶବ୍ଦ ତଳେ ଅଛି । ତାହା ହେଲା :-

“ଆଠ ଦୁମୁକାଣି ଷୋଳ ଅସରା,
ବତିଶ ଲିଫିଲିଫି ଚଉଷଠୀ କୁଣ୍ଡାଝରା, ତେବେ ଯାଇଁ ଚଷାର ପେଟ ହୁଏ ପୂରା ॥”

କିନ୍ତୁ ଏଠାରେ ଦୁମୁକାଣି,ଲିଫିଲିଫି ଓ କୁଣ୍ଡାଝରା ଅର୍ଥ କ'ଣ ? 


ଦୁମୁକାଣି ଏକ ମୌଳିକ ଓଡ଼ିଆ ଶବ୍ଦ ଏଵଂ ଦୁମ୍ ଦୁମ୍ ଵର୍ଷା ଶବ୍ଦର ଧ୍ଵନ୍ୟାନୁକରଣରୁ ଏ ଶବ୍ଦ ସୃଷ୍ଟି ହୋଇଛି । ଘୋର ବରଷା ଓ ଘୋର ବରଷାର ଅସରାକୁ ଦୁମୁକାଣି କୁହାଯାଏ । ଉପରକୁ ଲମ୍ଫ ଦେଇ ଡେଇଁଵା ବେଳେ ଦୁମ୍ ଦୁମ୍ ଶବ୍ଦ ହୁଏ ବୋଲି ତାକୁ ବି ଦୁମୁକାଣି କୁହାଯାଏ ।‌

 ଓଡ଼ିଆ ଭାଷାରେ ଅସରା ଶବ୍ଦଟି ଅସରନ୍ତି ଅର୍ଥରେ ପ୍ରୟୋଗ କରାଯାଏ । 

“ଅସରା ଏ ବିଭାବରୀ ଆଜ ରାଜପୁରେ”(ରାଧାନାଥ. ଦଶରଥଵିୟୋଗ)

ପୁଣି ଯେଉଁ କୂଅରୁ କେହି ଜଳ ଵ୍ୟଵହାର କରନ୍ତି ନାହିଁ ସେହିପରି ଅଵ୍ୟଵହୃତ କୂଅକୁ ଅସରା କୂଅ କୁହାଯାଏ । ଗୃହର ଯେଉଁ ବାସନ ଵା ଉପକରଣାଦିକୁ କେହି ଵ୍ୟଵହାର କରି ନ ଥାଏ ତାକୁ ମଧ୍ୟ ଅସରା ବାସନ କୁହାଯାଏ । ତେବେ ପ୍ରୋକ୍ତ କୃଷିଵଚନରେ ଵର୍ଷା ଵର୍ଷିଵାର ଏକ ଥର ଵା ଧାରା ବୃଷ୍ଟି ଅର୍ଥରେ ଅସରା ଶବ୍ଦ ପ୍ରୟୋଗ କରାଯାଇଛି ‌‌। ସଂସ୍କୃତ ଭାଷାରେ ଆସାର ଶବ୍ଦଟି ଵିଭିନ୍ନ ଅର୍ଥରେ ଵ୍ୟଵହାର ହେଉଥିଲା ତେବେ ଏହାର ଏକ ଅର୍ଥ ମୁଷଳଧାରାରେ ବୃଷ୍ଟିପାତ ଵା ଜଳଧାରା ପତନ ଥିଲା ଏଵଂ ଏହି ଶବ୍ଦ ସହିତ ଓଡ଼ିଆ ଅସରା ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । 

ସେହିପରି ଝିପିଝିପି ଵର୍ଷା,ଛୋଟ ଛୋଟ ଟୋପାରେ ହେଵା ଵର୍ଷା,ଟୁପୁରୁ ଟୁପୁରୁ ଵା ଝୁପୁରୁ ଝୁପୁରୁ ଵର୍ଷାକୁ ଲିଫିଲିଫା ଓ ଲିଫିଲିଫି ଵର୍ଷା କୁହାଯାଏ । 

ଅତି କ୍ଷୁଦ୍ରକଣାରେ ବର୍ଷିଵାକୁ ଓଡ଼ିଆ ଭାଷାରେ କୁଣ୍ଡା ଛାଡି଼ଵା କୁହାଯାଏ ଏଵଂ ଏହି ଜାତୀୟ ଵର୍ଷାକୁ ଓଡ଼ିଶାର ଲୋକେ କୁଣ୍ଡାଝଡ଼ା ତଥା କୁଣ୍ଡାଝରା ଵର୍ଷା କୁହନ୍ତି । 

ଵର୍ଷା ସହ ଚାଷର ନିଵିଡ଼ ସମ୍ପର୍କ ‌। ଏ କୃଷିଵଚନରେ କେତେ ପରିମାଣରେ ଵର୍ଷା ହେଲେ ଅମଳ ଭଲ ହେଵ ତାର ସୂଚନା ଦିଆଯାଇଛି ।

ଆଷାଢ଼ ଶ୍ରାଵଣ ଦୁଇମାସକୁ ସାଧାରଣ ଭାବେ ଵର୍ଷାଋତୁ କୁହାଯାଉଥିଲେ ମଧ୍ୟ ଏ ଋତୁ ପ୍ରକୃତରେ ଚାରିମାସ ଵା ୧୨୦ ଦିନ। ଵର୍ଷକ ଭିତରେ ଏଇ ୧୨୦ ଦିନ ଵର୍ଷାରୁ ୮ ଦିନ ଦୁମୁକାଣି ବର୍ଷା, ୧୬ ଦିନ ଅସରା ଵର୍ଷା, ୩୨ ଦିନ ଝିପି ଝିପି ଵର୍ଷା ଏଵଂ ୬୪ ଦିନ କୁଣ୍ଡାଝଡା଼ ଵର୍ଷା ହେଲେ ଚାଷ ପାଇଁ ତାହା ଉପଯୋଗୀ ହୋଇଥାଏ। ଏଇ କଥା ସମ୍ଭଵତଃ ଏ କୃଷିଵଚନ ଵା ଚାଷଵାଣୀରେ କୁହାଯାଇଛି।


No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...