Friday, June 2, 2023

ଭାରତରେ ଵିଦେଶୀ ଗଛ

ଵିଗତ ପାଞ୍ଚଶହ ଵର୍ଷ ମଧ୍ଯରେ ଭାରତ ଦେଶରେ ଶତାଧିକ ଵୈଦେଶିକ ପାଦପ ଆଣି ଲଗାଯାଇଛି। ତନ୍ମଧ୍ୟରୁ କିଛି ଗଛ ଵିଷୟରେ ଆଜି ଜାଣିଵା ...

କୃଷ୍ଣଚୂଡ଼ା ଗଛଟି ଭାରତରେ ଗାଆଁ ନଗର ଚାରିଆଡ଼େ ଦେଖାଯାଏ ‌। ତେବେ ଅନେକେ ଭାରତୀୟ ଜାଣିନଥିବେ ଯେ ଏହା ପ୍ରକୃତରେ ଏକ ଵୈଦେଶିକ ଗଛ ଏଵଂ ମୂଳତଃ ମାଡାଗାସ୍କର ଦ୍ଵୀପର ପାଦପ । 
କୃଷ୍ଣଚୂଡ଼ା ଗଛର ଵୈଜ୍ଞାନିକ ନାମ 
Delonix regia ଏଵଂ Delonix ବଂଶର ଗଛ ସାଧାରଣତଃ ମାଡାଗାସ୍କର ଓ ପୂର୍ଵ ଆଫ୍ରିକା ମୂଳର ଗଛ । କୃଷ୍ଣଚୂଡ଼ା Fabaceae କୁଳ ଅନ୍ତର୍ଗତ Caesalpinioideae ଉପକୁଳର Delonix ବଂଶର ଏକ ଗଛ ଅଟଇ । Delonix ବଂଶରେ ଦଶରୁ ଅଧିକ ଜାତିର ଗଛ ଅଛି ଏଵଂ ଏହି ବଂଶର ସମସ୍ତ ଜାତିର ଗଛ ମାଡାଗାସ୍କର ଓ ପୂର୍ଵ ଆଫ୍ରିକା ମୂଳର ଗଛ ଅଟନ୍ତି ‌।



ପୁଟୁସ,ପୁଟିସ,ନାଗୁଆରୀ,ଭୂତିଆରୀ,ଡାହାଣୀମାରୀ,ନାଗଅଇରି,କଣ୍ଟାଗନ୍ଧଗଉରା,ଫୁଲଫୁଟି,ନାଗମାରୀକଣ୍ଟା,ନାଗେରୀ,ପାରାଫୁଲ ଓ ଖୁଦୁକୋଳୀ ଇତ୍ୟାଦି ନାମରେ ଜଣାଶୁଣା Lantana camara ମୂଳତଃ ଆମେରକୀୟ ନାତିଶିତୋଷ୍ଣ ଅଞ୍ଚଳର ଗଛ ଏଵଂ ପନ୍ଦରଶହ ଶତାବ୍ଦୀରୁ ଏଯାଵତ୍ ପ୍ରାୟତଃ ୫୦ରୁ ଅଧିକ ଦେଶରେ ଵ୍ୟାପିଅଛି । ପିଲାମାନେ ଏହାର କଂଚା ଫଳ ଓ ତାଳ ପତ୍ର ଖଣ୍ଡିଏ କିମ୍ବା ଲିଚୁ ପତ୍ର ମିଶାଇ ଚୋବାଇ ପାଟି ନାଲି କରନ୍ତି ।‌ ଏହାର ଶୁଖିଲା ପତ୍ରକୁ ମାଟିରେ ମିଶାଇଲେ ଅତି ଉତ୍କୃଷ୍ଟ ମାନର humus ହୁଏ, ମାଟିର ଉର୍ଵରତା ବଢ଼ାଏ । ଏହାର କାଠିକୁ ଦାନ୍ତକାଠି କରାଯାଏ । ଏହି ଗଛ ଶୁଖି ଗଲେ ବାଡି ବଗିଚାରେ ବାଡ ଦିଆଯାଏ ଏଵଂ ଜାଳେଣି ବି ହୁଏ । ତେବେ ଏ ଗଛ ଯେଉଁଠି ହୁଏ ସେଠାରେ ଅନ୍ୟ ଗଛକୁ ବଢ଼ିଵାକୁ ଦିଏ ନାହିଁ । କେହି କେହି ଏହାକୁ ଅଲାଜୁକି ଗଛ ବି କୁହନ୍ତି କାରଣ ଯେତେ ହାଣିଲେ ,ଓପାଡ଼ିଲେ ବି ଯଦି ଏହାର କୌଣସି ଅଂଶ ଭୂମିରେ ରହିଯାଏ ତହିଁରୁ ପୁଣି ଗଛ ହୋଇଥାଏ ।

Pineapple ଓ ସପୁରୀପଣସ ଭାବରେ ଜଣାଶୁଣା Ananas comosus ମୂଳତଃ ଦକ୍ଷିଣ ଆମେରିକା ମହାଦେଶର ଗଛ ।‌ ଏହା ସପ୍ତଦଶ ଶତାବ୍ଦୀରୁ କ୍ରମେ ସାରା ଵିଶ୍ଵରେ ଚାଷ କରାଯାଉଛି । ଏହା Bromeliaceae କୁଳର ଗଛ ଏଵଂ ଏହି କୁଳରେ ୮୦ଟି ବଂଶ ଓ ୩୭୦୦ରୁ ଅଧିକ ଜାତିର ଗଛ ରହିଛି । Pine cone ଭଳି ଦେଖାଯାଏ ବୋଲି ୟୁରୋପ ଓ ଆମେରିକାରେ ଏହାର ନାମ Pineapple ରଖାଯାଇଥିଲା । ଏହାର ଅନ୍ୟତମ ନାମ Annanasଟି Tupi ଆମେରକୀୟ ଜନଜାତୀୟ ଭାଷାର nanas ଶବ୍ଦରୁ ଗୃହୀତ ହୋଇଛି ‌। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହାର ସପୁରୀ ନାମ ଵୈଦେଶିକ ଶବ୍ଦ ସଫର୍ ଓ ସଫୁରୀ ସହିତ ସମ୍ବନ୍ଧିତ । ସଫର୍‌ ଶବ୍ଦର ଗୋଟିଏ ଅର୍ଥ ଯାତ୍ରା ସେହିପରି ସଫରୀର ଅର୍ଥ ଵିଦେଶାଗତ ।

ପିଜୁଳି, अमरूद ଓ Guava ନାମରେ ଜଣାଶୁଣା Psidium ଜାତୀୟ ଗଛ ଵିଶେଷତଃ Psidium guajava ଭାରତରେ ପଞ୍ଚଦଶ ଶତାବ୍ଦୀ ପରେ ଆସି ପହଞ୍ଚିଲା ପରେ ସାରା ଭାରତରେ ଵ୍ୟାପିଯାଇଛି । ପିଜୁଳି,ବିଜୁଳି,ଜାମ୍ବ,ଜାମି,ଜାମ୍,ମେଗୁଆ,ମେଘୁଆ,ପେଡା,ପିଆରା,ଚାଉଳିଆ,ପେହେଡ଼ା,ମାଯା,ମାୟା,ତାମରସ,ଟମସ,ଟମରସ,ସଇତମ୍ବା,ଜାମ୍ବୀ,ଲେଭୁଆ,ଡାରାଛ,ସଇତମ୍ବା,ବିଦୁର,ବିଦୁଡ଼ି,ବିହି,ମହୁଆ,ପେଢ଼ା,ଲେହୁଆ ଓ ଝିଲିକା ଇତ୍ୟାଦି ଓଡ଼ିଶାରେ ଏହାର ପଚାଶରୁ ଅଧିକ ନାମ ରହିଛି । ଏହା ମୂଳତଃ ଦକ୍ଷିଣ ଓ ଉତ୍ତର ଆମେରିକା ମହାଦେଶର ଗଛ କିନ୍ତୁ ନିଜର ଉତ୍କୃଷ୍ଟ ସ୍ଵାଦ ଯୋଗୁଁ ସାରା ଵିଶ୍ଵରେ ଆଦର ଲାଭ କରିଛି ।

ବିଲାତି ଆଳୁ, ଗୋଲ୍ ଆଳୁ ଵା ଆଳୁ ତଥା Potato ନାମରେ ପରିଚିତ Solanum tuberosum ମୂଳତଃ ଆମେରକୀୟ ପାଦପ ତେବେ ଏହାର ଏକ ପରିଵା ଭାବରେ ସାରା ଵିଶ୍ଵରେ ଲୋକପ୍ରିୟତା ଏହାକୁ ଵିଶ୍ଵଵିଦିତ କରିଛି । ମକା,ଗହମ,ଧାନ ପରେ ଗୋଲ ଆଳୁ ହେଉଛି ମନୁଷ୍ୟମାନଙ୍କ ଦ୍ଵାରା ଭକ୍ଷଣ କରାଯାଉଥିଵା ଚତୁର୍ଥ ସର୍ଵାଧିକ ଖାଦ୍ୟଦ୍ରଵ୍ୟ । ଵର୍ତ୍ତମାନ ପୃଥିଵୀରେ ଏହାର ୫୦୦୦ରୁ ଅଧିକ ଚାଷ କିସମକୁ କୃଷିକ୍ଷେତ୍ରରେ ଚାଷ କରାଯାଉଛି । କ୍ରମାନ୍ଵୟରେ ଚୀନ,ଭାରତ,ୟୁକ୍ରେନ,ଋଷିଆ, ଯୁକ୍ତରାଷ୍ଟ୍ର ଆମେରିକାରେ ଏହାକୁ ସର୍ଵାଧିକ ଚାଷ କରାଯାଏ । ଏହା ପଚଲଘଣ୍ଟା/ପାତଲଘଣ୍ଟା ଵା ବିଲାତି ବାଇଗଣ,ବାଇଗଣ,ଦୁଦୁରା ଜାତୀୟ Solanum ବଂଶର ଗଛ ।



No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...