My Blog List

Showing posts with label ଢେଙ୍କାନାଳ. Show all posts
Showing posts with label ଢେଙ୍କାନାଳ. Show all posts

Thursday, November 24, 2022

ଢ,ଢା,ଢୀ,ଢୁ ଓ ମ,ମା,ମି,ମୁ ; ଢେଙ୍କାନାଳ ମଧୁପୁର ସନ୍ଧି ପ୍ରସଙ୍ଗ

ଢେଙ୍କାନାଳର ଵର୍ତ୍ତମାନ ରାଜବଂଶର ପ୍ରତିଷ୍ଠାତା ଥିଲେ ରାଜା ହରିସିଂହ ଵିଦ୍ୟାଧର । ତାଙ୍କ ପରେ ତାଙ୍କ ପୁତ୍ର ଲୋକନାଥ ରାୟସିଂହ ଭ୍ରମରବର ଢେଙ୍କାନାଳର ଶାସନ ଦାୟିତ୍ୱ ଗ୍ରହଣ କଲେ । ଢେଙ୍କାନାଳ ରାଜା ଲୋକନାଥ (ରାୟସିଂହ) ଭ୍ରମରବରଙ୍କ ଵୀରତ୍ଵ, ଦିଗଵିଜୟ ଓ ସହୃଦୟତାର ଅନେକ କାହାଣୀ ରହିଛି ‌ । 

ମଧୁପୁର ଗଡ଼ ଚଣ୍ଡିଖୋଲ ଓ ଜେନାପୁରର ମଧ୍ୟ ଭାଗରେ ବ୍ରାହ୍ମଣୀ ନଦୀର ପଶ୍ଚିମ ପାଖରେ ଅଵସ୍ଥିତ । ଲୋକନାଥ ଭ୍ରମରବରଙ୍କ ସମୟରେ ଏଠାରେ ଜଣେ ରାଜା ଶାସନ କରୁଥିଲେ । ଢେଙ୍କାନାଳ ରାଜା ପୂର୍ଵ ଦିଗରେ ଦିଗଵିଜୟ କରିଵାକୁ ବାହାରି ଥାଆନ୍ତି । ସେ ମଧୁପୁର ନିକଟରେ ପହଞ୍ଚିଵା ଜାଣି ମଧୁପୁର ରାଜା ଭୟଭୀତ ହେଲେ। ସେ ସମୟରେ ଢେଙ୍କାନାଳ ରାଜ୍ୟର ସୈନ୍ୟଶକ୍ତିକୁ ସାମ୍ନା କରିଵାକୁ ମଧୁପୁର ରାଜାଙ୍କ ପାଖରେ ସେଭଳି ଶକ୍ତିଶାଳୀ ସୈନ୍ଯଵାହିନୀ ନଥିଲା । ତେଣୁ ସେ ବୁଦ୍ଧି ବଳରେ ଏହି ସମସ୍ୟାର ସମାଧାନ କରିଵାକୁ ଚେଷ୍ଟା କଲେ । ମଧୁପୁର ରାଜାଙ୍କ ପାଖରେ ଜଣେ ଵିଦୂଷକ ଥିଲେ ‌। ଉକ୍ତ ଵିଦୂଷକ ରାଜାଙ୍କୁ ଏହି ସମସ୍ୟାର ସମାଧାନ କରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ ଏଵଂ ତାଙ୍କୁ ଢେଙ୍କାନାଳ ରାଜାଙ୍କ ଛାମୁକୁ ଦୂତ ଭାବେ ପଠାଇଵାକୁ ସଵିନୟ ଅନୁରୋଧ କଲେ । 
 ରାଜଆଦେଶ ପାଇ ଚତୁର ଵିଦୂଷକ ମଧୁପୁର ଗଡ଼ର ରାଜଦୂତ ଭାବରେ ସନ୍ଧି କରିଵା ନିମିତ୍ତ ଢେଙ୍କାନାଳ ରାଜାଙ୍କ ନିକଟକୁ ଗଲେ ।
 
ରାଜା ଲୋକନାଥଙ୍କ ଛାମୁରେ ପହଞ୍ଚି ମଧୁପୁର ରାଜଦୂତ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଜଣାଇଲେ “ମଣିମା ! ଆପଣଙ୍କ ରାଇଜର ନାମ ଢେଙ୍କାନାଳ ଏଵଂ ତାହା 'ଢ' ଅକ୍ଷରରୁ ଆରମ୍ଭ ହୋଇଥିଵାରୁ ଢ , ଢା , ଢୀ , ଢୁ । ଆମ ମଧୁପୁରର ଆଦ୍ୟ ଅକ୍ଷର ହେଉଛି 'ମ' ଅର୍ଥାତ୍ ଆମେ ମ , ମା , ମି , ମୁ । ଏହାର ଭାବ ହେଲା ଆପଣ ସିଂହ ସଦୃଢ଼ ଢ , ଢା , ଢୀ ଢୁ କଲାବେଳକୁ ଆମେ ଛେଳି ସଦୃଶ ମ , ମା , ମୀ , ମୁ ହେବ । ଦୟାକରି ଆପଣ ଛାର ମଧୁପୁର ପ୍ରତି କୃପା କରନ୍ତୁ ।”
  
ରାଜଦୂତଙ୍କର ଚାଟୁ ଵାକ୍ୟରେ ପ୍ରୀତ ହୋଇ ଢେଙ୍କାନାଳଧୀଶ୍ଵର ଲୋକନାଥ କହିଲେ 
“ଆମ୍ଭେ ଏହି ସ୍ଥାନରୁ ଫେରି ଯାଉଛୁଁ ।” ତହୁଁ ଢେଙ୍କାନାଳ ରାଜା ମଧୁପୁରଗଡ଼ର ରାଜଦୂତଙ୍କୁ ନିକଟସ୍ଥ ପର୍ଵତରୁ ଦେଖାଇ କହିଲେ “ଏହି ପର୍ଵତ ଆଜିଠାରୁ ଦୁଇ ରାଜ୍ୟ ମଧ୍ୟସ୍ଥ ସୀମା ହେଵ । ମଧୁପୁର ରାଜାଙ୍କୁ ଜଣାଇ ଦେବେ ପର୍ଵତର ପୂର୍ଵ ଦିଗରେ ସେ ନିଶ୍ଚିନ୍ତରେ ଶାସନ କରନ୍ତୁ ।”

କୁହାଯାଏ ଯେଉଁ ସ୍ଥାନରେ ଢେଙ୍କାନାଳ ରାଜ୍ୟର ସେତେବେଳେ ସେନାଛାଉଣୀ ପଡ଼ିଥିଲା ଏଵଂ ଯେଉଁଠାରୁ ଲୋକନାଥ ଫେରି ଆସିଥିଲେ ସେହି ସ୍ଥାନର ନାମ ତତ୍ପରେ ଇଚ୍ଛାପୁର ତଥା ତତ୍ ସନ୍ନିକଟ ପର୍ଵତର ନାମ ନିଶ୍ଚିନ୍ତା ପର୍ଵତ ରଖାଯାଇଥିଲା । ମଧୁପୁର ସନ୍ଧି ଫଳରେ ରାଜା ଲୋକନାଥ ଯେଉଁ ଭୂଖଣ୍ଡ ଲାଭ କଲେ ତାକୁ “ରାୟ ସିଂହ ପ୍ରସାଦ” ପ୍ରଗଣା ଵା ଵିଷ ନାମ ଦେଇ ଢେଙ୍କାନାଳ ରାଜ୍ୟଭୁକ୍ତ କଲେ । 

ଓଡ଼ିଶାରେ ଏକାଧିକ ଗଡ଼ମଧୁପୁର , ମଧୁପୁରଗଡ଼ ଵା ମଧୁପୁର ନାମରେ ସ୍ଥାନ ଥିଵା ଜଣାଯାଏ । ଗୋଟିଏ ଗଡ଼ମଧୁପୁର(୭୫୪୦୩୨) କଟକ ଜିଲ୍ଲାର ନରସିଂହପୁର ନିକଟରେ ମହାନଦୀ କୂଳରେ ଅଵସ୍ଥିତ । 

ଆଉ ଏକ ମଧୁପୁର ପୁରୀ ଜିଲ୍ଲାରେ ଅଵସ୍ଥିତ ,ଏକ ମଧୁପୁର ଦେଵୀ ନଦୀ କୂଳରେ ନୂଆଗଡ଼ ନିକଟରେ ଅଵସ୍ଥିତ । 

ଏଠାରେ ଉଲ୍ଲେଖ ଥିଵା ଗଡ଼ମଧୁପୁର (୭୫୫୦୨୩) ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏଵଂ ଏହି ଗଡ଼ମଧୁପୁରଠାରୁ ପ୍ରାୟ ୭୮ କିମି ଦୂରରେ ଇଚ୍ଛାପୁର(୭୫୯୦୧୫) ବୋଲି ଏକ ଗ୍ରାମ ରହିଛି । ଭାପୁର ଗ୍ରାମ ଓ ସପ୍ତଶଯ୍ୟା ଜଙ୍ଗଲ ମଝିରେ ଏହି ଇଚ୍ଛାପୁର ଗ୍ରାମ ଅଛି । ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏହି ଗଡ଼ମଧୁପୁର ନିକଟରେ ରାୟ ସିଂହ ପ୍ରସାଦ(୭୫୯୦୧୬) ବୋଲି ଏକ ଗ୍ରାମ ମଧ୍ୟ ଅଛି । ଏହି ମଧୁପୁରଗଡ଼ଟି ଯାଜପୁର ଜିଲ୍ଲାରେ ଅଵସ୍ଥିତ ଏଵଂ ଲୋକକଥାରୁ ଜଣାଯାଏ ଯେ ଏହି ମଧୁପୁରଗଡ଼ରେ ଜଣେ ବ୍ରାହ୍ମଣ ରାଜା ମଧୁସୂଦନ ଵିଦ୍ୟାରତ୍ନ ଶାସନ କରୁଥିଲେ । ତେବେ ସେତେବେଳେ ଏହି ରାଜ୍ୟର ନାମ କମାଗଡ଼ ଥିଲା । ପରେ ୧୫୦୨ରେ ଅନ୍ୟ ଜଣେ ରାଜାଙ୍କ ଦ୍ଵାରା ଏ ଅଞ୍ଚଳ ଶାସନାଧୀନ ହେଵାରୁ ଏହି ରାଜ୍ୟର ନାମକରଣ ମଧୁସୂଦନ ଵିଦ୍ୟାରତ୍ନଙ୍କ ସ୍ମୃତିରେ ମଧୁପୁର ରଖାଯାଇଥିଲା । 

•••••••••••••••••••••••••••••••••••
ତଥ୍ୟ ଉତ୍ସ— 
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି
ପୁସ୍ତକ(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର) 
•••••••••••••••••••••••••••••••••••

Saturday, October 22, 2022

କାଇମାଟି,କାଇମାଟିଆ,କାଇପଡ଼ା,କାଇପଦର ଓ ପିଙ୍ଗୁଆ ଗ୍ରାମର ନାମକରଣ ପ୍ରସଙ୍ଗ :


ଢେଙ୍କାନାଳରୁ କପିଳାସ ଆଡକୁ ଗଲାଵେଳେ ଗୋଟାଏ ସ୍ଥାନ ଆସେ କାଇମାଟି । ଏହି ଅଞ୍ଚଳଟି ଢେଙ୍କାନାଳ କପିଳାସ ସଡ଼କର ପୂର୍ଵ ପଟେ ଅଵସ୍ଥିତ ।


ଏହି ଅଞ୍ଚଳର ନାମକରଣ ବଡ଼ କୌତୁହଳପ୍ରଦ କିନ୍ତୁ ଯଥାର୍ଥ ଓ ପ୍ରାମାଣିକ ମଧ୍ୟ। ଢେଙ୍କାନାଳ ଓ କଟକରେ ସାଧାରଣତଃ ଲାଲ୍ ମାଟିକୁ କାଇମାଟି କୁହାଯାଏ । ଏ ଅଞ୍ଚଳରେ ଲାଲମାଟି ପ୍ରଚୁର ପରିମାଣରେ ମିଳୁଥିଵା ହେତୁରୁ ଏଭଳି ନାମକରଣ ହୋଇଅଛି ।

ହେଲେ କାଇମାଟିରେ ଥିଵା କାଇ ଶବ୍ଦର ଅର୍ଥ କ'ଣ ଲାଲ୍ କି ? ଏ ଶବ୍ଦର କୌଣସି ଶାସ୍ତ୍ରୀୟ ରୂପ ରହିଛି କି ? 

ଓଡ଼ିଆ ଭାଷାରେ କାଇ ଏକ ବହୁ ଅର୍ଥବୋଧକ ଶବ୍ଦ ଅଟେ ‌। 

ଜାମୁ,ଆମ୍ବ ଓ କୁସୁମ ଗଛର ପତ୍ରକୁ ଯୋଡ଼ି ବସାବାନ୍ଧି ରହୁଥିଵା ଏକ ଜାତୀୟ ନାଲି ଜନ୍ଦା Oecophylla smaragdinaକୁ ଓଡ଼ିଆ ଭାଷାରେ କାଇ କୁହାଯାଏ ।

“ସେ ସିନାଷ୍ଠ ଫଳ ଆମ୍ବ ତୋଳଇ,
କାଇ କାମଡ଼ାକୁ ଯେ ପାରେ ସହି !!”
        (ଡାକଵଚନ।)

ଏମାନେ ଦେଖିଵାକୁ ଲାଲ୍ ରଙ୍ଗର ବୋଲି ଏମାନଙ୍କର ଓଡ଼ିଆ ନାମ କାଇ ରଖାଯାଇଥିଲା । କାଇମାନେ ଜନ୍ଦାଙ୍କ ପରି ଆକୃତିଵିଶିଷ୍ଟ କିନ୍ତୁ ନାଲିଆ। ଏମାନେ ଜାମୁ,କୁସୁମ ଓ ଆମ୍ବ ଆଦି ଗଛରେ ଥାଆନ୍ତି ଓ ଅଠାଦ୍ବାରା ଗଛପତ୍ରକୁ ଯୋଡ଼ି ଥଳି ଵା ମୁଣି ପରି କରି ସେଥିରେ ବସା କରି ରହନ୍ତି। ଏମାନଙ୍କ କାମୁଡ଼ା ଭାରି ଯନ୍ତ୍ରଣାପ୍ରଦ। ଲୋକେ କାଇ ମାନଙ୍କ ଡିମ୍ବକୁ ବନିଶୀ ପାଇଁ ଚାରା କରି ବନିଶୀକଣ୍ଟାରେ ଫୋଡ଼ି ମାଛ ଧରୁଥିଲେ । ଆଗେ କଳିଙ୍ଗ ଦେଶର କେତେକ ଜନଜାତିର ଲୋକେ ଏମାନଙ୍କ ଡିମ୍ବକୁ ପୋଡ଼ି ଭକ୍ଷଣ କରୁଥିଲେ । 

ସାଜିମାଟି,ଲାଲମାଟି ଓ କେଉଁଠି କେଉଁଠି ପୀତଵର୍ଣ୍ଣ ମୃତ୍ତିକାକୁ କାଇମାଟି କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ କାଇ ଶବ୍ଦ ଓଡ଼ିଆ ଭାଷାର କେତେକ ଶୈଳୀରେ କାହିଁ, କ'ଣ ଓ କେଉଁଠି ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଏ । 

କାଇ ଶବ୍ଦଟି ଲାଲରଙ୍ଗ ଅର୍ଥରେ ଆଗେ ପ୍ରୟୋଗ କରାଯାଉଥିଲା ଯେତେବେଳେ ଓଡ଼ିଶାରେ ଵୈଦେଶିକ ମୂଳର ଲାଲ୍ ଶବ୍ଦ ନାଲି ହୋଇ ପ୍ରଚଳିତ ହୋଇନଥିଲା ‌ । 

ଯୋଗୀନ୍ଦ୍ର ଵିପ୍ରଙ୍କ ଟୀକା ଗୋବିନ୍ଦ ଚନ୍ଦ୍ରରେ ଆମେ କାଇ ଶବ୍ଦକୁ ଈଷତ୍ ଲାଲ୍ ଅର୍ଥରେ ପ୍ରୟୋଗ କରାଯାଇଥିଵା ଦେଖିଥାଉ ...

"କାଇ ଵସ୍ତ୍ର ଦେଖି କୁକୁରେ ବେଢ଼ନ୍ତି ଦେଖିଣ ରାଜା କାତର,
ବାଡ଼ି ଧରି କରି ହାଁ ହାଁ ସେ କରନ୍ତି ଚିତ୍ତ ରଖି ହରିଠାର ।"

ପ୍ରକୃତରେ ଏହି କାଈ ଶବ୍ଦ ସହିତ କପିଳ,କପିଶ,କହରା,କଇରା,କସରା ଆଦି ଶବ୍ଦ ସମୋଦ୍ଧୃତ ବୋଲି ଅନୁମାନ କରାଯାଇପାରେ । ସାଧାରଣତଃ କପିଳ କପିଶ ଶବ୍ଦ ସହିତ ସମୋଦ୍ଧୃତ ଅନେକ ତଦ୍ଭଵ ଓଡ଼ିଆ ଶବ୍ଦ ଆମ ଦେଶରେ ଚଳୁଅଛି।

ଯଥା―
●କହରା ଵା କହଁରା ଓ କହରୀ
●କଇରା ଓ କଇରୀ
●କଇଁରା―କପିଳଵର୍ଣ୍ଣ,ତାମ୍ରଵର୍ଣ୍ଣ
●କଇଁରୀ କଣ୍ଟିଆ(କପିଳଵର୍ଣ୍ଣର କଙ୍କଡା଼ବିଛା)
●କସରା ଓ କସରୀ (ଲାଲ୍ ରଙ୍ଗର ଗୋରୁ ,କପିଳା ଗାଭୀ)
ଇତ୍ୟାଦି ଇତ୍ୟାଦି...

ସାଧାରଣତଃ ନୀଳପୀତ,ମାଟିଆଵର୍ଣ୍ଣ,ପାଉଁଶିଆ ଵର୍ଣ୍ଣକୁ କପିଶ ଵର୍ଣ୍ଣ କୁହାଯାଏ । କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦରୁ ଵିଶେଷ ଭାବେ ଈଷତ୍ ଲାଲରଙ୍ଗକୁ ଦର୍ଶାଇଵା ପାଇଁ କାଇ ,କଇରା ଓ କସରା ଆଦି ଶବ୍ଦ ସୃଷ୍ଟି ହୋଇଅଛି । 


କାଇମାଟି(୭୫୯୦୨୭) ଗ୍ରାମରେ ସର୍ଵତ୍ର ଲାଲମାଟି ମିଳେ । ଏ ଅଞ୍ଚଳରେ କେତେକ ସ୍ଥାନରେ ବାହାରକୁ ମଧ୍ୟ ଲାଲମାଟି ସ୍ପଷ୍ଟ ଭାବରେ ଦେଖାଯାଏ। ଏତେ ପରିମାଣର ଲାଲମାଟି ଥିଵାରୁ ଏହି ଗ୍ରାମକୁ କାଇମାଟି ଭାବେ ନାମିତ କରାଯାଇଛି । କାଇମାଟି ଗ୍ରାମଠାରୁ କିଛି ଦୂରରେ ଭୁବନେଶ୍ୱର ନଗର ପାଖରେ କାଇମାଟିଆ ଓ କାଇମାଟିଆପାଟଣା(୭୫୨୦୫୪)ବୋଲି ଆଉ ଦୁଇଟି ସ୍ଥାନ ଅଛି ଏଵଂ ସେଠାକାର ମାଟି ମଧ୍ୟ ଲାଲ ରଙ୍ଗର ହୋଇଥାଏ।


ଖୋର୍ଦ୍ଧାରୁ ୧୬ ନମ୍ବର ରାଜପଥ ଦେଇ ଜଙ୍କିଆ ଗଲାବେଳେ କାଇପଦର(୭୫୨୦୫୬)ବୋଲି ଗୋଟିଏ ଗାଆଁ ପଡ଼େ । ଏହି ଗାଆଁରେ ମଧ୍ୟ ଲାଲମାଟି ପଦାକୁ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ ‌ । 


ବ୍ରାହ୍ମଣୀ ନଦୀ କୂଳରେ କଳାମାଟିଆ ଓ କାଇପଡ଼ା(୭୫୫୦୧୦) ଗ୍ରାମ
ଲାଗିକରି ରହିଛି । କଳାମାଟିଆ ଗ୍ରାମରେ କଳାମାଟି ବାହାରକୁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ବେଳେ କାଇପଡ଼ାରେ ମାଟି ଲାଲ ମିଶା କଳା ରଙ୍ଗର ହୋଇଥାଏ । 

 ଢେଙ୍କାନାଳରେ ମାଟିର ରଙ୍ଗକୁ ନେଇ ପିଙ୍ଗୁଆ(୭୫୯୦୧୬) ବୋଲି ଆଉ ଏକ ଗ୍ରାମର ନାମକରଣ ମଧ୍ୟ କରାଯାଇଛି । 
ଓଡ଼ିଆ ଭାଷାରେ ପିଙ୍ଗ ଶବ୍ଦର ଵିଭିନ୍ନ ଅର୍ଥ ମଧ୍ୟରେ କପିଶ ବର୍ଣ୍ଣ, ନୀଳ ପୀତ ମିଶ୍ରିତ ଵର୍ଣ୍ଣ,କପିଳ, ମାଟିଆ ଵର୍ଣ୍ଣ, ପିଙ୍ଗଳ ଓ
ପିଙ୍ଗଳଵର୍ଣ୍ଣଯୁକ୍ତ ଆଦି ଅର୍ଥ ରହିଛି । ପିଙ୍ଗୁଆ ଗ୍ରାମର ମାଟି ଈଷତ୍ ହଳଦିଆ ରଙ୍ଗର ହୋଇଥିଵାରୁ ଏଭଳି ନାମକରଣ କରାଯାଇଛି । 


Sunday, August 14, 2022

ଢେଙ୍କାନାଳର କଥା — ଭାଗ ୨ (ବଣିଆପଡ଼ାର ଧୀର ସାମନ୍ତ)

    

ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା — ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ।


ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ "ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି" ପୁସ୍ତକରେ ଏହି ନାମକରଣ ପଛର ଐତିହାସିକ କାରଣ ଲିପିବଦ୍ଧ କରିଛନ୍ତି ।‌ 


ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଏହି ପୁସ୍ତକ ଅନୁସାରେ ପୂର୍ଵେ କରମୂଳ ନଗରୀର ଦକ୍ଷିଣ ପାର୍ଶ୍ଵସ୍ଥିତ ଭୂଖଣ୍ଡ କରମୂଳ ରାଜ୍ୟଭୁକ୍ତ ଥିଲା କିନ୍ତୁ ବଣିଆପଡ଼ାର ଧୀର ସାମନ୍ତମାନେ ଏହି ଭୂଖଣ୍ଡର ଭୂମ୍ୟାଧିକାରୀ ବୋଲାଇ ଆପଣାକୁ ସ୍ଵାଧୀନ ଘୋଷଣା କରିଥିଲେ । ଡମରାଜା କଟକରେ ରାଜତ୍ଵ କରୁଥିଵା ନାଗ ବଂଶୀୟ ରାଜାମାନଙ୍କୁ ପରାସ୍ତ କରି ଧୀର କ୍ଷତ୍ରିୟଵୃନ୍ଦ ଏହି ରାଜ୍ୟ ଅଧିକାର କରିଥିଲେ ହେଁ କରମୂଳ ଅଧିପତିଙ୍କର ସାମନ୍ତ ଭୂମ୍ୟାଧ୍ୟାକାରୀ ରୂପେ ପରିଗଣିତ ହେଉଥିଲେ । କିନ୍ତୁ ପରେ ବଣିଆପଡ଼ାର ଧୀର କ୍ଷତ୍ରିୟ ବଂଶଜ ରାଜାମାନେ କରମୂଳ ରାଜାଙ୍କ ଦୁର୍ଵଳତାର ସୁଯୋଗ ନେଇ ଆପଣା ଅଞ୍ଚଳକୁ ସ୍ଵାଧୀନ ଘୋଷଣା କରିଦେଲେ ।

ଧୀର ରାଜବଂଶର ରାଜନ୍ୟଵୃନ୍ଦ ଶୈଵ ଧର୍ମାବଲମ୍ବୀ ଥିଲେ ବୋଲି ଜଣାଯାଏ । ବଣିଆପଡ଼ାରେ ସ୍ଥିତ ଶୈଵପୀଠ ସ୍ଵପ୍ନେଶ୍ଵର ମନ୍ଦିର ଏହି ବଂଶର କୀର୍ତ୍ତି । ଗଙ୍ଗାଧର ଧୀର ନାମରେ ଏହି ରାଜବଂଶର ଜଣେ ରାଜା ପଞ୍ଚରଥ ଶୈଳୀରେ ବଣିଆପଡ଼ାରେ ସପ୍ନେଶ୍ବର ମନ୍ଦିର ନିର୍ମାଣ କରିଵା ସହିତ ନୀତିନିଯୋଗ ଓ ଯାନିଯାତ୍ରା ନିମିତ୍ତ ଭୂସମ୍ପତ୍ତି ଖଞ୍ଜା କରିଥିଲେ ବୋଲି ମନ୍ଦିର ଗାତ୍ରରେ ଥିଵା ଉଲ୍ଲେଖରୁ ଜଣାଯାଏ । କିନ୍ତୁ ବଣିଆପଡ଼ା ଅଞ୍ଚଳରେ ସପ୍ନେଶ୍ବର ମନ୍ଦିର ଛଡ଼ା ଧୀରବଂଶର ଅନ୍ୟ କୌଣସି କୀର୍ତ୍ତି ଆଵିଷ୍କୃତ ହୋଇନାହିଁ । 


ହରିସିଂହ ବିଦ୍ୟାଧର ବଣିଆପଡ଼ାର ଏହି ଧୀର ସାମନ୍ତମାନଙ୍କୁ କର ଦେବାକୁ ସନ୍ଦେଶ ପଠାଇବାରୁ ଧୀର ସମାନ୍ତ ଚିଟାଉରେ ଲେଖି ପଠାଇଲେ ଯେ "ଵିନା ଯୁଦ୍ଧରେ ଆମ୍ଭେ ଛଦାମ ଦେବୁ ନାହିଁ ।" 

ଏଠାରେ ଛଦାମ ଶବ୍ଦ ସମ୍ବନ୍ଧରେ ସାମାନ୍ୟ ଆଲୋଚନା କରିଦେଲେ ଉଚିତ୍ ହେଵ । 
ଓଡ଼ିଆ ଭାଷାରେ ଏହି ଛଦାମ ଶବ୍ଦଟି ଅନେକ ଅର୍ଥରେ ପ୍ରୟୋଗ କରାଯାଏ । ପୂର୍ଵେ ଏକ ପଇସାର ଚାରିଭାଗରୁ ଏକଭାଗକୁ ଛଦାମ କୁହାଯାଉଥିଲା । ପରେ ଏକ ପଇସି ଦୁଇପଇସି ଇତ୍ୟାଦିର ପ୍ରଚଳନ ବନ୍ଦ ହୋଇଗଲା । ତହୁଁ କେତେକ ଅଞ୍ଚଳରେ ଚାରଣିକୁ ମଧ୍ୟ ଏକଟଙ୍କାର ଚାରିଭାଗରୁ ଭାଗେ ଅଂଶ ହୋଇ ଥିଵାରୁ ଛଦାମ କୁହାଯାଉଥିଲା । ପଇସାର ଚାରିଭାଗର ଭାଗେ ହୋଇଥିଵାରୁ ଛଦାମ ଅତି ଅଳ୍ପ ଅର୍ଥ ପରିମାଣକୁ ବୁଝାଇଥାଏ । ଫଳତଃ ଏହି ଛଦାମ ଶବ୍ଦଟି ଓଡ଼ିଆ ଭାଷାରେ ଅଳ୍ପ ଅର୍ଥରେ ପ୍ରୟୋଗ କରାଯାଏ ପୁଣି ଆଜି ବି ଯାଜପୁର ଜିଲ୍ଲାର କେତେକ ଗ୍ରାମାଞ୍ଚଳରେ "ସାମାନ୍ୟ ଟିକିଏ ମଧ୍ୟ" ଅର୍ଥରେ "ଛଦାମେ" ଶବ୍ଦ ଵ୍ୟଵହୃତ ହୋଇଥାଏ । ସମ୍ଭଵତଃ କ୍ଷୁଦ୍ରମ୍ ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ କାରଣ ଏହା ଏକଦା ଭାରତୀୟ ମୂଦ୍ରାର ସର୍ଵନିମ୍ନ ମୂଲ୍ୟ ଥିଲା । କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ଯେ ଛଦାମ ଶବ୍ଦଟି "ଟଙ୍କାପଇସା" ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ । 

କିନ୍ତୁ ଏଠାରେ ଯୁଦ୍ଧ ଵିନା ଛଦାମ ଦେବୁ ନାହିଁ ଅର୍ଥ ସମ୍ଭଵତଃ ଵିନା ଯୁଦ୍ଧରେ କର ଵା ଧନ ଦେବୁ ନାହିଁ ହୋଇଥାଇପାରେ । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଛଦାମ ଶବ୍ଦର ଅର୍ଥ ସ୍ପଷ୍ଟ କରିନାହାନ୍ତି । ସେ ଯାହା ହେଉ ବଣିଆପଡ଼ାର ଧୀର ସାମନ୍ତମାନଙ୍କଠାରୁ ଏଭଳି ପ୍ରତ୍ୟୁତ୍ତର ପାଇଵାରୁ କ୍ରୁଦ୍ଧ ହୋଇ ହରିସିଂହ ବଣିଆପଡ଼ା ଧୀର ସାମନ୍ତଙ୍କ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଲେ । କିଛି ଦିନ ଉତ୍ତାରୁ ଆଜିର ଗଁଦିଆ ନିକଟରେ ଦୀର୍ଘ ଦଶଦିନ ଧରି ଦୁଇପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିଲା । 

ଏହି ଯୁଦ୍ଧରେ ଧୀର ସାମନ୍ତ ପରାଜିତ ହୋଇ ପଳାୟନ କଲେ ଏଵଂ ପରଵର୍ତ୍ତୀ କାଳରେ ବ୍ରାହ୍ମଣୀ ଉତ୍ତର ତୀରସ୍ଥ ବଳରାମପୁରଠାରେ ଗଡ଼ ନିର୍ମାଣପୂର୍ଵକ ଏକ କ୍ଷୁଦ୍ର ରାଜ୍ୟ ଗଠନ କଲେ । ଏପଟେ 
ହରି ଵିଦ୍ୟାଧରଙ୍କ ବଣିଆ ପଡ଼ା ଅଞ୍ଚଳ ଵିଜୟ ପରେ କରମୂଳ ନଗରୀଠାରୁ କପିଳାସ ପୀଠ ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡ କରମୂଳ ରାଜ୍ୟଧୀନ ହୋଇଥିଲା ।ଏହାଦ୍ଵାରା କରମୂଳ ରାଜ୍ୟ ତାହାର ପୂର୍ଵ ଗୌରଵ ଫେରି ପାଇଥିଲା । 

ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ଏହାପରେ ତାଙ୍କର ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଢେଙ୍କାନାଳରେ ଗଁଦିଆ ନିକଟରେ ଥିଵା ଛଅଗୋଟି ଗ୍ରାମ ଯଥା: ପଦ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦାରେ "ଦା' କାହିଁକି ଲାଗିଛି ତାହା ଉଲ୍ଲେଖ କରିଅଛନ୍ତି । 

ଶ୍ରୀମିଶ୍ରଙ୍କ ଅନୁସାରେ ଧୀର ସାମନ୍ତ ଵିନାଯୁଦ୍ଧରେ ଛଦାମ ଦେଵାକୁ ମନା କରିଥିଵାରୁ କରମୂଳ ରାଜା ହରିଵିଦ୍ୟାଧର ଵିଜିତ ଅଞ୍ଚଳରେ ଛଅ ଗୋଟି ‘ ଦା ’ ଯୁକ୍ତ ଗ୍ରାମ ସ୍ଥାପନ କରାଇଥିଲେ । ସେହି ଗ୍ରାମଗୁଡ଼ିକ ଅଦ୍ୟାଵଧି ମଧ୍ୟ ଵିଦ୍ୟମାନ । ଏ ଅଞ୍ଚଳରେ କିମ୍ବଦନ୍ତୀ ରହିଛି ଯେ ହରିଵିଦ୍ୟାଧର କପିଳାସ ଠାକୁରଙ୍କ କୃପାରୁ ଏହି ଅଞ୍ଚଳ ଜୟଲାଭ କରିଥିଲେ ତେଣୁ ସେ ରାଜା ସେହି ଗ୍ରାମଗୁଡ଼ିକ ଶିଖରେଶ୍ଵରଙ୍କ ସେଵା ପୂଜା ନିମିତ୍ତ ଦାନ କରିଥିଲେ । ଵର୍ତ୍ତମାନ ମଧ୍ୟ ସେହି ଗ୍ରାମମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଦେବୋତ୍ତର ଜମି ରହିଅଛି ବୋଲି ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । 

କିନ୍ତୁ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ଆଦି ଗ୍ରାମ ଛଡ଼ା ନିକଟସ୍ଥ ଯୋରନ୍ଦା ଓ ବାଲି ଯୋରନ୍ଦା ଗ୍ରାମର ନାମ ଶେଷରେ ମଧ୍ୟ ଦା ଵର୍ଣ୍ଣ ଥିଵା ଦୃଷ୍ଟିଗୋଚର ହୋଇଥାଏ । ସେହିପରି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଆମର୍ଦା ବୋଲି ଏକ ଅଞ୍ଚଳ ରହିଛି ଏଵଂ ଓଡ଼ିଶାରେ ଏହି ଭଳି 'ଦା' ପଦଯୁକ୍ତ ଆହୁରି ଗ୍ରାମ ଥାଇପାରେ । 

ଆମର ଗାଆଁ ନାମ ସହିତ ପୁର,ପାଳ, ପାଲି,ପଡ଼ା,ସାହି,ସିଙ୍ଗା,ତୈଳା,ବେରଣା ଓ ପଦର ଆଦି ଯେତେ ଶବ୍ଦ ଯୁକ୍ତ ହୋଇଥାଏ ସେସବୁ ଏକ ଵିଶିଷ୍ଟ ସ୍ଥାନକୁ ଦର୍ଶାଇଥାଏ । ସମ୍ଭଵତଃ ଏହି "ଦା" ପଦଟି ସେହି ଧରଣର ଏକ ଶବ୍ଦ ହୋଇଥାଇପାରେ । 

••••••••••••••••••••••••••
ତଥ୍ୟ ଉତ୍ସ—
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର)
••••••••••••••••••••••••••
  

Tuesday, August 9, 2022

ଢେଙ୍କାନାଳର କଥା — ଭାଗ ୧




ଢେଙ୍କାନାଳର "ଢେଙ୍କାନାଳ ସଦର" ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା—
ବଡ଼ ନାଗେନା,ସାନ ନାଗେନା,ନାଗେନା ରୟତି ଓ ନାଗେନାଵସ୍ତି । ଆତିଣ୍ଡାର ପଶ୍ଚିମ ପାର୍ଶ୍ଵସ୍ଥ ଭୂଖଣ୍ଡରେ ଏହି ପ୍ରାଚୀନ ନାଗନା ନଗରୀ ଅଵସ୍ଥିତ । ଏକଦା ଏଠାରେ ନାଗ ବଂଶୀୟ ରାଜାମାନଙ୍କର ରାଜଧାନୀ ଥିଲା । ସମ୍ରାଟ ଶତ୍ରୁଭଞ୍ଜଙ୍କ ସମୟରେ ଏ ଅଞ୍ଚଳ ଓଡି଼ଶାର ଏକ ସମୃଦ୍ଧ ଓ ମହତ୍ତ୍ଵପୂର୍ଣ୍ଣ ଅଞ୍ଚଳ ପରିଗଣିତ ହେଉଥିଲା ‌।  

 ଗଙ୍ଗ ବଂଶୀ ଶାସକ ଅନଙ୍ଗଭୀମ ଦେଵଙ୍କ ରାଜତ୍ଵ ସମୟରେ ନାଗନାର ଶିଵ ମନ୍ଦିର ନିର୍ମାଣ ହୋଇଥିଲା ।  

କିମ୍ବଦନ୍ତୀ କହେ ଅନଙ୍ଗଭୀମ ଦେଵ ନାଗେନା ଗ୍ରାମ ନିକଟରେ ନିଜ ନାମରେ ଭୀମପୁର ବୋଲି ଏକ ଗ୍ରାମ ସ୍ଥାପନ କରାଇଥିଲେ ଯାହା ଆଜି ଭୂଇଁପୁର ଵା ଭୀଁପୁର ଗ୍ରାମ ନାମରେ ଜଣାଶୁଣା । କେହି କେହି କୁହନ୍ତି ଏହି ଗାଆଁରେ ଅନଙ୍ଗଭୀମ ଦେଵଙ୍କ ଜନ୍ମ ହୋଇଥିଲା । 

ସେହିପରି ଅନଙ୍ଗଭୀମ ଦେଵଙ୍କ ପୁତ୍ର ଲାଙ୍ଗୁଳା ନରସିଂହଦେଵ କପିଳାସ ମନ୍ଦିର ନିର୍ମାଣ କରି ସେଵାପୂଜା ନିମିତ୍ତ ନାଗେନା ଓ ଭୀମପୁର ଵା ଭୀଁପୁର ଜନପଦ ଦାନ କରିଥିଲେ । 

ସେହିଦିନ ଠାରୁ ଏହି ଅଞ୍ଚଳ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନାଧୀନରେ ଅନେକ କାଳ ଯାଏଁ ଥିଲା । 

ତେବେ କାଳକ୍ରମେ କରମୂଳ ରାଜଗାଦୀରେ ଅରାଜକତାର ସୁଯୋଗ ଉଣ୍ଡି ପ୍ରାଚୀନ ନାଗବଂଶର ଜନୈକ ରାଜା ନାଗନା ସନ୍ନିକଟ ରୂପାବଳିଆ ପର୍ବତରେ ଏକ ଗିରିଦୁର୍ଗ ନିର୍ମାଣ କରି ଏହି ଅଞ୍ଚଳରେ କେତେକ ଵର୍ଷ ଶାସନ କଲେ ।

କରମୂଳ ରାଜ୍ୟର ରାଜା ହରିସିଂହ ଵିଦ୍ୟାଧର ସେହି ରୂପାବଳିଆ ପାର୍ବତ୍ୟ ଦୁର୍ଗସ୍ଥିତ ନାଗରାଜାଙ୍କୁ ଅଧୀନତା ସ୍ବୀକାର କରିଵାକୁ ବାର୍ତ୍ତା ପଠାଇଲେ । 

ନାଗରାଜା ଏହାର ପ୍ରତ୍ୟୁତ୍ତରରେ ଲେଖି ପଠେଇଲେ

  ‘ ‘ ହରିସିଂହ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି । ’ ’ 

ସେଇଠୁ ହରିସିଂହ ରାଗି ପାଚି ଅଵିଳମ୍ବେ ରୂପାବଳିଆ ପର୍ଵତ ଘେରାଉକଲେ । 

୧୫୩୯ ଖ୍ରୀଷ୍ଟାବ୍ଦରେ ବଣସିଂହ ଗ୍ରାମ ନିକଟ ରଣ ପ୍ରାଙ୍ଗଣରେ ଦୀର୍ଘ ଛଅଦିନ କାଳ ଯୁଦ୍ଧ ଲାଗିଲା । ଫଳସ୍ଵରୂପ ଏହି ଯୁଦ୍ଧରେ ରୂପାବଳିଆର ନାଗ ରାଜା ପରାସ୍ତ ଓ ନିହତ ହେଲେ । ତହୁଁ ପ୍ରାଚୀନ ନାଗନା ଅଞ୍ଚଳ କରମୂଳ ସାମ୍ରାଜ୍ୟ ଭୁକ୍ତ ହେଲା । 

ଏହି ପ୍ରାଚୀନ ଓ ସମୃଦ୍ଧ ଅଞ୍ଚଳ ରାଜ୍ୟର "ଅପର ଅଙ୍ଗ" ହୋଇଥିଵାରୁ ହରି ଵିଦ୍ୟାଧର ଏ ଭୂଖଣ୍ଡଟିର ନାମ "ଅପଙ୍ଗା" ରଖିଲେ । 

ରୂପାବଳିଆ ନାଗରାଜା ହରିସିଂହଙ୍କୁ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି ବୋଲି କହିଥିବାରୁ କରମୂଳ ଅଧିପତି ଯୁଦ୍ଧ କ୍ଷେତ୍ରରେ ବଣସିଂହ ଓ ନୂଆପଡ଼ା ନାମରେ ଦୁଇଟି ନୂତନ ଗ୍ରାମ ସ୍ଥାପନ କରିଥିଲେ ଏଵଂ ଏହି ଦୁଇଟି ଗ୍ରାମ ଭୂଇଁପୁର ଵା ଭୀଁପୁର ଗ୍ରାମ ନିକଟରେ ଅଵସ୍ଥିତ ।

Friday, August 7, 2020

ସ୍ଵାଧୀନତା ପୂର୍ଵଵର୍ତ୍ତୀ ଢେଙ୍କାନାଳର ଦୁଇଗୋଟି ଗଣଧର୍ଷଣ

ପିଶାଚ ଶଙ୍କରପ୍ରତାପ ଏକ ସମୟରେ ଢେଙ୍କାନାଳର ରାଜା ଥିଲା। ଏ ରାଜାର ଅତ୍ୟାଚାରକୁ ଦେଖିଲେ ଶୁଣିଲେ ତ୍ରେତୟା ଯୁଗର ରାଵଣ ବି ଲାଜରେ ମଥାନତ କରିନେଵ । ଢେଙ୍କାନାଳରେ ନାରୀମାନଙ୍କ ଉପରେ
ସେ କରିଥିଵା ଅତ୍ୟାଚାର ଯୁଗ ଯୁଗ ଧରି ଢେଙ୍କାନାଳର ପ୍ରଜାମାନଙ୍କୁ ଲଜ୍ଜିତ କରୁଥିଵ । ଏ ପିଶାଚ ରାଜଗାଦିରେ ବସିଥିଵା ସମୟରେ  ଦୁଇଗୋଟି ବଳାତ୍କାର ଘଟଣା ଯୋଗୁଁ ସାରା ଵିଶ୍ଵରେ ଢେଙ୍କାନାଳ ବଳାତ୍କାରୀଙ୍କ ନଗରୀ ଭାବେ ଵିଦିତ ହୋଇଥିଲା ।

                              ...ଘଟଣା ୧...
   🔴🔴🔴ଦୁଇଜଣ ହତଭାଗିନୀ ବଙ୍ଗାଳୀ ଲଳନା🔴🔴🔴




  ୧୯୩୩ ମସିହାରେ ଦୁଇଜଣ ବଙ୍ଗାଳୀ ଯୁଵତୀ ତାଳଚେର ଟ୍ରେନରେ ଆସି ଢେଙ୍କାନାଳ ପ୍ଲାଟଫର୍ମରେ ବୁଲୁଥିଲେ । ଢେଙ୍କାନାଳ ନଗରର ଲୋକ ସୁନ୍ଦରୀ  ଓ କଳଙ୍କାର ଆଭୁଷଣରେ ସଜ୍ଜିତ ସେହି ଯୁଵତୀଦ୍ଵୟଙ୍କୁ କୌଣସି ବଡ଼ଘରର କନ୍ଯା ବୋଲି ଭାବିଲି । ଇତିମଧ୍ୟରେ ରାଜା ଶଙ୍କରପ୍ରତାପ ଏ କଥା ଜାଣି ସେମାନଙ୍କୁ ରାଜନଵରକୁ ଡକାଇଲା । ସେମାନେ ସ୍ଵାଧୀନ ପ୍ରଜା ଥିଲେ ତେଣୁ କାହାକୁ କରୁନଥିଲେ । ରାଜା ଶଙ୍କରପ୍ରତାପର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ନିର୍ଭିକ ଭାବରେ ଦେଵା ତାଙ୍କର ବହୁତ ବଡ଼ ଭୁଲ୍ ଥିଲା । ଗୋଜା ରାଜାକୁ ଏକଥା ସହ୍ଯ ହେଲା ନାହିଁ ।

ଯୁଵତୀଦ୍ଵୟଙ୍କ ଗହଣାଗାଣ୍ଠି ଛଡେ଼ଇ ନିଆଯାଇ ସେମାନଙ୍କୁ ସଦର ଥାନାକୁ ପଠେଇ ଦିଆଗଲା । ପିଶାଚ ରାଜାର ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ତତ୍କାଳୀନ ସଦର ଥାନାର ପଶ୍ଚିମ ପାଖରେ ଥିଵା ଖପର ଘରେ ଉଲଗ୍ନ ଅଵସ୍ଥାରେ ପୁରେଇ ଦିଆଗଲା । ରାଜା ଓ ତା ଭାଇ ପଟ୍ଟାୟତ ଥାନାରେ ଉପସ୍ଥିତ ରହି କେତେକ ନିଷ୍ଠୁର ନିର୍ଦ୍ଦୟ ସିପାହୀ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ପାଖକୁ ପଠାଇଲେ । ଏଵେ ତମେ ସେହି ଦୁଇଜଣ ଯୁଵତୀଙ୍କ ଅଵସ୍ଥା କ'ଣ ହୋଇଥିଵ ଚିନ୍ତାକର 😡 ମୋ ମନ ତ ଏଇକଥା ଭାବିଲା ମାତ୍ରେ ହିଁ  କ୍ରୋଧ ଜର୍ଜରିତ ହୋଇଯାଉଛି ।

ସେମାନଙ୍କ ଦୟନୀୟ ଅଵସ୍ଥା ଦେଖି ଯେଉଁମାନେ ବଳାତ୍କାର କରିଵାକୁ  ପଶ୍ଚାତପଦ ହେଲେ ସେମାନଙ୍କୁ ବେତ୍ରାଘାତ ଦେଇ ହାଜତରେ ଅଟକ ରଖାଗଲା । ଥାନାର ଏକ ଫର୍ଲଙ୍ଗ ଦୂର ଅଞ୍ଚଳ ଦୁଇଦିନ ପାଇଁ ଜନଶୂନ୍ଯ ହୋଇଯାଇଥିଲା । ପ୍ରଥମ ଦିନରେ ଅତ୍ୟାଚାରିତ ହେଵାର କେତେକ ଘଣ୍ଟା ପରେ ଯୁଵତୀମାନେ ଅଚେତ ହୋଇଗଲାରୁ ସେମାନେ ମରିଗଲେଣି ବୋଲି ନଗରରେ ଜନରଵ ରଟିଗଲା । ନଗରର ନିକଟସ୍ଥ ଜର୍ଜ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟ ଓ ଉଚ୍ଚ ଵିଦ୍ୟାଳୟ ବନ୍ଦ କରିଦିଆଗଲା । ଥାନାଠାରୁ ଡାକ୍ତରଖାନା ଯାଏଁ ରାଜାର ଶ୍ଵାନଶୃଗାଳମାନେ ଲୋକଙ୍କ ଗତିଵିଧି ଲକ୍ଷ୍ଯ ରଖିଵାକୁ ଜଗିରହିଲେ ।





ଅଚେତ ଯୁବତୀମାନଙ୍କୁ ଭଲ କରିଵାକୁ ଡାକ୍ତର ଡକାହେଲେ । ଡାକ୍ତର ଯୁଵତୀଦ୍ଵୟଙ୍କର ଦୟନୀୟ ଅଵସ୍ଥା ଦେଖି ସେମାନଙ୍କୁ ମୁକ୍ତି ଦେଵାକୁ ରାଜା ନିକଟରେ ପ୍ରାର୍ଥନା କରନ୍ତେ ସେ ପିଶାଚ ଓଲଟି ଡାକ୍ତରଙ୍କୁ ମାଡ଼ ଓ ଜେଲ୍ ଧମକ ଦେଲା ।

ଯୁଢତୀମାନଙ୍କୁ ସେଦିନ ଖାଦ୍ୟ ଦିଆଗଲେ ବି ସେମାନେ ତାହା ଗ୍ରହଣ କଲେନାହିଁ । ଦ୍ଵିତୀୟ ଦିନ ମଧ୍ୟ ରାଜା ଆସି ସେମାନଙ୍କ ଉପରେ ଅତ୍ୟାଚାର କରାଇଲା । କିନ୍ତୁ ଦ୍ଵିତୀୟ ଦିନ ଯୁଵତୀମାନଙ୍କ ଅଵସ୍ଥା ଆହୁରି ଗୁରୁତର ହେଲାରୁ ସେମାନଙ୍କୁ ଡାକ୍ତର ଡକାଇ ପୁଣି ଚିକିତ୍ସା କରାଗଲା । ସେହିଦିନ ମଧ୍ୟ ରାତ୍ରରେ ଯୁଵତୀମାନଙ୍କୁ କୁଆଡେ଼ ନିଆଗଲା ତାହାର କୌଣସି ଆଧିକାରିକ ପ୍ରମାଣ ମିଳେ ନାହିଁ । ତେବେ
ଶୁଣାଯାଏ ସେମାନଙ୍କୁ କଟକ ତୁଳସୀପୁରରେ ଥିଵା ରାଜାଙ୍କ କୋଠିରେ କେତେଦିନ ଚିକିତ୍ସା କରି କଲିକତାରେ ଛାଡି଼ଦିଆଯାଇଥିଲା । ଏହା ମଧ୍ୟ ଶୁଣାଯାଏ ଯେ  ପରେ ସେହି ଦୁଇଜଣ ଯୁଵତୀଙ୍କ ମଧ୍ୟରୁ ଜଣେ ମରିଯାଇଥିଲା ଆଉ ରାଜନୈତିକ ଵିଭାଗରେ ଶଙ୍କରପ୍ରତାପ ଅନେକ ଅସୁଵିଧା ଓ ଅର୍ଥଶ୍ରାଦ୍ଧର ସମ୍ମୁଖୀନ ହୋଇଥିଲା ।

ଏ ଘଟଣା ଘଟିତ ହେଵାପରେ ଅଧିକାଂଶ ରାଜକର୍ମଚାରୀ ଆପଣାର ପିଲାଛୁଆଙ୍କୁ ନିଜ ପାଖରୁ ଵିଦା କରିଦେଇଥିଲେ । ସେତେବେଳେ ଢେଙ୍କାନାଳକୁ ବାହାର ଅଞ୍ଚଳର ଝିଅବୋହୂମାନେ ଆସିଵାକୁ ଭୟ କରୁଥିଲେ ।





                              ...ଘଟଣା — ୨...
       🔵🔵🔵🔵ଅତ୍ଯାଚାରିତା ଲାଵଣ୍ଯା🔵🔵🔵🔵
ଗଞ୍ଜେଇଡିହି ଗ୍ରାମର ଲାଵଣ୍ଯା ନାମ୍ନୀ ଏକ ଷୋଡ଼ଶୀ କନ୍ଯା ବନ୍ଧୁଘର ଯାଉଥିଵାବେଳେ ପିଶାଚ ରାଜାର କୁକୁରଙ୍କ ଦ୍ଵାରା ତାକୁ ନଵରକୁ ଉଠେଇ ନିଆଗଲା । ଏ ସମ୍ବାଦ ଲାଵଣ୍ଯାର ଘର ଲୋକ ଜାଣି ସୁଦ୍ଧା ରାଜା ଭୟରେ ନୀରଵ ରହିଲେ । ଜାତି ଵର୍ଣ୍ଣ ନିର୍ଵିଶେଷରେ ନାନା ଲୋକ ଓ ନଗରଵାସୀଙ୍କୁ ଦିନ ପରେ ଦିନ ଲାଵଣ୍ଯାର ଯୌଵନ ଉପଭୋଗ କରିଵାକୁ ବାଧ୍ଯ କରାଗଲା । ଉପଭୋଗକାରୀଙ୍କ ସଂଖ୍ଯା ଏକଶତରୁ ଅଧିକ ଥିଵା ଜଣାଯାଏ । ପରେ ଲାଵଣ୍ଯାକୁ ମୂଳ କରି ଅର୍ଥାଗମର ପନ୍ଥା ଆଵିଷ୍କାର କରାଗଲା । ଗଞ୍ଜେଇଡିହିରେ ଲାଵଣ୍ଯାର ଭାଇମାନେ ରାଜକର୍ମଚାରୀଙ୍କୁ ଅସହଯୋଗ କଲାରୁ ସେମାନଙ୍କୁ ନଵରକୁ ନେଇ ଆସି ତାଙ୍କ ଆଗରେ ଲାଵଣ୍ଯାକୁ ଠିଆ କରାଇ ଵ୍ଯଙ୍ଗ କରାଯାଇଥିଲା । ଏହି ଲାଵଣ୍ଯା ଦ୍ଵାରା ଅନେକ ଭଦ୍ରଵ୍ଯକ୍ତିଙ୍କ ନାମରେ
ମିଛ ଅଭିଯୋଗ କରାଯାଇ ଦଣ୍ଡିତ ଅପମାନିତ କରାଯାଇଥିଲା । ଲାଵଣ୍ଯା ଦ୍ଵାରା ଏଭଳି କେତେକ ଲୀଳା ଘଟାଇଲାପରେ ତାକୁ ଶେଷରେ ଜେଲ ଖଟାଇ ଦିଆଯାଇଥିଲା । ତାପରେ ଲାଵଣ୍ଯାର ଆଉ କୌଣସି ଖଵର ମିଳେନାହିଁ ।

ସେତେବେଳେ ଢେଙ୍କାନାଳରେ ନାରୀମାନଙ୍କ ଉପରେ ଏଇଭଳି ଅନେକ ଅତ୍ୟାଚାର ହେଉଥିଲା କିନ୍ତୁ ରାଜ୍ଯମଧ୍ଯକୁ ସମ୍ବାଦପତ୍ର ପ୍ରଵେଶ ନିଷେଧାଜ୍ଞା ଥିଵାରୁ ବାହାର ଜଗତକୁ ଏଇଭଳି ଅନେକ ଘଟଣା ଅଛପା ରହିଯାଉଥିଲା ।





(ତଥ୍ୟ— ଭୂଲିବୁ ନାହିଁ , ବ୍ରଜକିଶୋର ଧଳ)

Wednesday, July 1, 2020

ତ୍ରୀଖଣ୍ଡି ମଜୁରା ଓ ଢେଙ୍କାନାଳ ଗଡ଼ଜାତର କଥା

ଢେଙ୍କାନାଳ ଗଡ଼ଜାତରେ ରାଜାଙ୍କୁ ସମ୍ମାନ ଦେଵାର ଏକ ଵିଚିତ୍ର ଵ୍ଯଵସ୍ଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିଯାଏ ଚଳୁଥିଵାର ଜଣାଯାଏ । ଏହି ସମ୍ମାନ ପ୍ରଦର୍ଶନ ପରମ୍ପରାକୁ ସେ ସମୟରେ ତ୍ରୀଖଣ୍ଡି ମଜୁରା କୁହାଯାଉଥିଲା ।

ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହଦୁର ଜଣେ ପ୍ରଜାଵତ୍ସଳ ରାଜପୁରୁଷ ଥିଲେ ଓ ପୁରୀ ଗଜପତି ମହାରାଜାଙ୍କ ପରେ ତାଙ୍କୁ ଦ୍ଵିତୀୟ ମଉଡ଼ମଣି ଭାବେ ଗଣାଯାଉଥିଲା । ଏହାଙ୍କର ଉଚ୍ଚଗୁଣର ଵର୍ଣ୍ଣନା ଚୈତନ୍ଯ ଚରିତାମୃତରେ ଭକ୍ତ ସନ୍ଯାସୀ ପଦ୍ମଚରଣ ଦାସ କରିଯାଇଛନ୍ତି ।

ସୁରପ୍ରତାପଙ୍କୁ ତାଙ୍କ ପ୍ରଜା ସ୍ଵତଃ ଭକ୍ତି କରୁଥିଲେ ତେବେ ତାଙ୍କ ପରଵର୍ତ୍ତୀ ରାଜା ଶଙ୍କର ପ୍ରତାପଙ୍କ ସମୟରେ ଏହି ଭକ୍ତି ବାଧ୍ଯତାମୂଳକ ହୋଇଗଲା । ଏଇ ସମୟର ରାଜଭକ୍ତି ସମ୍ବନ୍ଧୀୟ ଵିଚିତ୍ର ପରମ୍ପରା ତ୍ରୀଖଣ୍ଡି ମଜୁରା ଢେଙ୍କାନାଳ ଗଡ଼ଜାତରେ ପ୍ରଚଳିତ ଥିଲା ।

ତ୍ରୀଖଣ୍ଡି ମଜୁରା ଶବ୍ଦ ଓ ଏହାର ଵିଧି―

ତ୍ରୀଖଣ୍ଡି ମଜୁରା ତିନିଗୋଟି ଚରଣରେ ହେଉଥଲା । ତେଣୁ ଏହାର ଏଭଳି ନାମକରଣ ହୋଇଛି । ଏ ଶବ୍ଦ କ୍ଷେତ୍ରରେ

●ତ୍ରୀ ଶବ୍ଦର ଅର୍ଥ ତିନି ସଂଖ୍ୟକ
●ଖଣ୍ଡ ଶବ୍ଦର ଆମ ଭାଷାରେ ଵିଭିନ୍ନ ଅର୍ଥ ରହିଛି । ତନ୍ମଧ୍ୟରୁ  ଏଠାରେ ଖଣ୍ଡ,ଅଂଶ,ଵିଭକ୍ତ,ଆଚରଣ,
ଧରଣ,ପ୍ରଣାଳୀ ଵା ଵ୍ଯଵହାର ଅର୍ଥରେ ଖଣ୍ଡ ଶବ୍ଦ ପ୍ରୟୋଗ ହୋଇଥାଇପାରେ ।
●ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଜୁରାର ଦୁଇଗୋଟି ଅର୍ଥ ଉଲ୍ଲେଖ କରାଯାଇଛି ।

କ)ପୂର୍ଵରୁ ଦିଆଯାଇଥିଵା ଧନକୁ ପରେ ହିସାବ ସମୟରେ କାଟିଵା ଵା ଭରଣା ଦେଵା

ଖ)ଗଡ଼ଜାତରେ ରାଜାଙ୍କୁ କରାଯିଵା ପ୍ରଣାମ ଵା ଅଭିଵାଦନ
ଢେଙ୍କାନାଳର କଵି ବ୍ରଜନାଥ ବଡ଼ଜେନା ଏଇ ଅର୍ଥରେ ସମରତରଙ୍ଗ ଐତିହାସିକ କାଵ୍ଯରେ ଲେଖିଅଛନ୍ତି

"ମଜୁରକା କରି ହୁକୁମ ପାଇଯାନ୍ତି ସତ୍ବର। "

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମଜୁରା ଶବ୍ଦ ମୂଳତଃ ଆରବୀ ଶବ୍ଦ ଅଟେ ।

ବ୍ରଜକିଶୋର ଧଳ ତାଙ୍କ "ଭୂଲିବୁ ନାହିଁ" ପୁସ୍ତକରେ ତ୍ରୀଖଣ୍ଡି ମଜୁରାର ନିମ୍ନୋକ୍ତ ଵିଧି ଉଲ୍ଲେଖ କରିଅଛନ୍ତି ...

୧)ପ୍ରଜାଜଣକ ରାଜାଙ୍କୁ ପ୍ରଥମେ ହାତଯୋଡି ନତମସ୍ତକ ହେଉଥିଲା ଓ ମୁଣ୍ଡରେ ଦୁଇ ହାତ ଲଗାଉଥିଲା ।

୨)ଦ୍ଵିତୀୟରେ ଦୁଇହାତକୁ ଭୂଇଁରେ ଛୁଉଁଥିଲା ।

୩)ତୃତୀୟରେ ହାତ ଯୋଡି଼ ଛାତିକୁ ଛୁଉଁଥିଲା ।

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଡ଼ଜାତିଆ ମଜୁରା ଵିଷୟରେ ସାମାନ୍ୟ ଭିନ୍ନ ଭାବରେ ଵର୍ଣ୍ଣନା ହୋଇଅଛି ।
ଯଥା–

୧)ମଜୁରା କରିଵା ଲୋକ ରାଜାଙ୍କୁ ଆଗ କରି ମୁଣ୍ଡକୁ ତଳେ ଲଗାଉଥିଲା ।
୨)ପରେ ଆପଣା ହାତକୁ ମୁଣ୍ଡରେ, ବେକରେ ଓ ଶେଷରେ ପେଟରେ ଛୁଆଁଉଥିଲା । ଏଥିର ଅର୍ଥ ଏହିକି ମୁଣ୍ଡ ଛାମୁଙ୍କର ଏ ବେକ ଛାମୁଙ୍କର ଅଟେ ଓ ଏ ପେଟ ଛାମୁଙ୍କ ଅନ୍ନରେ ପାଳିତ ହେଉଅଛି ।

ତେବେ ବ୍ରଜକିଶୋର ଧଳ ମହାଶୟଙ୍କ ଅନୁସାରେ ତ୍ରୀଖଣ୍ଡି ମଜୁରା କରିଵାର ଭାଵାର୍ଥ – ଏ ଦେହ,ଏ ମୁଣ୍ଡ,ଏ ମାଟି ସବୁ ଶ୍ରୀଛାମୁଙ୍କର ମୁଁ ନିମିତ୍ତ ମାତ୍ର ।

ଉଭୟଙ୍କ ଵର୍ଣ୍ଣନା ମଧ୍ୟରେ କେଉଁଟି ଠିକ୍ କେଉଁଟି ଭୁଲ୍ ତାହା ଗବେଷଣା ସାପେକ୍ଷ ତେବେ ରାଜାଙ୍କୁ ମଜୁରା କରିଵା ଵିଧି ନଜାଣି ତାହା ନକଲେ ପ୍ରଜାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉଥିଵା ଶ୍ରୀ ବ୍ରଜକିଶୋର ଧଳ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ବ୍ରଜକିଶୋର ଧଳଙ୍କ ଅନୁସାରେ ଢେଙ୍କାନାଳର ପ୍ରଜା ଏଇ ଭଳି ପ୍ରଥାକୁ ନେଇ ଅତ୍ଯନ୍ତ ଭୟଭୀତ ହେଇ ରହୁଥିଲେ । ବାଟରେ ଗାଡ଼ି ମଟର ଆସୁଥିଵାର ଶବ୍ଦ ଶୁଣିଲାମାତ୍ରେ ଘରେ ପସିଯାଉଥିଲେ କିଂଵା ରାସ୍ତା ଛାଡ଼ି ପଳାଉଥିଲେ । ଶଙ୍କର ପ୍ରତାପଙ୍କ ରାଜଶାସନ କାଳରେ ଢେଙ୍କାନାଳର ପ୍ରଜା ଭଲ ଘରଖଣ୍ଡେ କରିଵାକୁ ସୁଦ୍ଧା ଡରୁଥିଲେ । ଅନ୍ଯାୟ ଅର୍ଥ ସଂଗ୍ରହ ଓ ବେଠୀରେ ଵ୍ଯତିଵ୍ଯସ୍ତ ହୋଇ ଅନେକ ପ୍ରଜା ଅନ୍ଯତ୍ର ଯାଇ କୁଲିଗିରି କରି ଚଳୁଥିଲେ । ସେତେବେଳେ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଢେଙ୍କାନାଳକୁ ନେଇ ଯେଉଁ କେତୋଟି ପ୍ରଵାଦ ଚଳୁଥିଲା ତାହା ସେଇ କଥାକୁ ଆହୁରି ସ୍ପଷ୍ଟ ପ୍ରମାଣିତ କରେ

ଯଥା–
୧)"ଢେଙ୍କାନାଳିଆ ଶାସନ"
ଅତ୍ଯନ୍ତ ପ୍ରଜାପୀଡ଼କ ଶାସନ ଅର୍ଥରେ ଏ ପ୍ରଵାଦ ଵ୍ଯଵହୃତ ହେଉଥିଲା ।
"ସ୍ଵାମୀକୁ ସ୍ତ୍ରୀ କହୁଥିଲା―ତମ ଢେଙ୍କାନାଳିଆ ଶାସନ ଆଉ ସହିବି ନାଇଁ ମୁଁ ବାପ ଘର ଯାଉଚି"

ଢେଙ୍କାନାଳରେ ଶାସନ ଵ୍ଯଵସ୍ଥା କେତେ ନିମ୍ନମାନର ଓ ପ୍ରଜାପୀଡ଼କ ଥିଲା ତାହା ଏହି ଲୋକଵାଣୀରୁ ସ୍ପଷ୍ଟ ହୁଏ ।

୨)"ଢେଙ୍କାନାଳ ! ନିଜ କୀଳା(ଗାଣ_) ନିଜେ ସମ୍ଭାଳ"
ଲୋକେ ଆଜି ବି ଏହି ପ୍ରଵାଦକୁ ଭିନ୍ନଭିନ୍ନ ଭାବେ ଵ୍ଯଵହାର କରୁଅଛନ୍ତି । ଗଞ୍ଜାମରେ ତ ଏଇ ପ୍ରଵାଦକୁ ସବୁଠାରୁ ସୁନ୍ଦର ଭାବେ କୁହନ୍ତି "ଗେଇ ଦେ(ପଳାରେ) କାଳିଆ ଢେଙ୍କାନାଳିଆ" । ଓଡ଼ିଶାର ଆନ ଅଞ୍ଚଳର ଲୋକେ ସତେ ଯେମିତି ଏଇ ପ୍ରଵାଦ ଦ୍ଵାରା ଢେଙ୍କାନାଳିଆଙ୍କୁ କହିଦେଇଥିଲେ ଯେ "ହେ ଢେଙ୍କାନାଳିଆମାନେ ଆମେ ତମକୁ ସାହାଯ୍ୟ କରିନପାରୁ କାରଣ ଆମର ନିଜର ଅଵସ୍ଥା ଦି ଗଣ୍ଡା ବାର ବିଶ୍ଵା ପ୍ରାୟ ଵରଂ ତମେ ତୁମ ଅସୁଵିଧା ଓ କଷ୍ଟ ନିଜେ ସମ୍ଭାଳ ।

୩)"ଯେବେ ଢେଙ୍କାନାଳେ କରିବୁ ଘର,ଦାଣ୍ଡ ଘର ଖଣ୍ଡି ଅଛୁଆଁ କର ।" ଗଡ଼ଜାତରେ ଵିଶେଷତଃ ଢେଙ୍କାନାଳରେ କେମିତି ଅନ୍ଯାୟ ଉପାୟରେ ଲୋକଙ୍କୁ ଲୁଟାଯାଉଥିଲା ତାହା ଏଇ ପ୍ରଵାଦରେ କୁହାଯାଇଛି । ଦାଣ୍ଡଘର ଖଣ୍ଡକ ଅଛୁଆଁ ଅର୍ଥାତ୍ ଛାଆଣି ନକରିଵାକୁ କୁହାଯାଇଛି । ଅର୍ଥାତ୍ ଗଡ଼ଜାତିଆ ଲୋକେ ନିଜକୁ ଦୀନ ଦରିଦ୍ର ଦେଖାଇଵାକୁ ତତ୍କାଳୀନ ସମାଜରେ ବାଧ୍ଯ ହୋଇଥିଲେ ।

୪)"ଢେଙ୍କାନାଳିଆ ଓଲୁ(ଭାଲୁ)"
ଢେଙ୍କାନାଳର ଓ ଗଡ଼ଜାତର ଲୋକଙ୍କ ପ୍ରତି ଘୃଣାଭାଵ ବୃଦ୍ଧି ସମୟରେ ଗଡ଼ଜାତିଆମାନଙ୍କ ଅପାରଗତାକୁ ବଖାଣିଵା ପାଇଁ ଉପକୂଳାଞ୍ଚଳରେ ଗୋଟାଏ କାହାଣୀ ପ୍ରଚଳିତ ହୋଇଥିଲା ।

କାହାଣୀଟି ଏଇଭଳି...

ଦୁଇଜଣ ଗଡ଼ଜାତିଆ ଲୋକ ଲୁଗା ବିକିଵାକୁ ଉପକୂଳକୁ ଆସିଥିଲେ କିନ୍ତୁ ଏଠାକାର ଲୋକଙ୍କ ଚାଲାକୀର ଶିକାର ହୋଇ ମାଗଣାରେ ସେସବୁ ବାଣ୍ଟି ଦେଇଥିଲେ । ରାତିରେ ସେମାନେ କଟକ ନଗର ଦେଇ ଯାଉଥିଵା ଵେଳେ ମଦ ନିଶାରେ ଗୋଟାଏ କୋଠାକୁ ପେଲି ପେଲି ଆପଣା ରାଜ୍ଯକୁ ନେଵାକୁ ଚେଷ୍ଟା କରୁଥିଲେ ଇତ୍ୟାଦି ଇତ୍ୟାଦି...

ତେବେ ସେ ଯାହା ହେଉ ନା କାହିଁକି ତ୍ରୀଖଣ୍ଡି ମଜୁରାରେ କୌଣସି ଵ୍ଯତିକ୍ରମ ହେଲେ ମାଡ଼ଠାରୁ ପ୍ରାଣହାନୀ ଯାଏଁ ଦଣ୍ଡଵିଧାନ ଥିଵାରୁ ଗଡ଼ଜାତର ଲୋକେ ରାଜପୁରୁଷଙ୍କୁ ବାଟରେ ଘାଟରେ ଆସୁଥିଵାର ଜାଣିଲେ ଭୟରେ ପଳାୟନ କରୁଥିଵା ଶ୍ରୀବ୍ରଜକିଶୋର ଧଳ ଉଲ୍ଲେଖ କରିଛନ୍ତି ।

କୁହାଯାଏ ଢେଙ୍କାନାଳ ରାଜା କିଂଵା ତାଙ୍କ ପୁତ୍ର ଭ୍ରାତାଦି ଉଆସରୁ ଢେଙ୍କାନାଳ ବଜାର ଦେଇ ଯାଉଥିଲା ବେଳେ ଲୋକେ ଦରଜା କବାଟ କିଳି ଦେଉଥିଲେ । ଯେଉଁମାନେ ଦୈଵାତ୍ ମୁହାଁମୁହିଁ ହେଉଥିଲେ ସେମାନେ ପ୍ରାଣଭୟରେ ତ୍ରୀଖଣ୍ଡି ମଜୁରା କରିଵାକୁ ବାଧ୍ୟ ହେଉଥିଲେ ।

ଏଭଳି ଅତ୍ଯାଚାର ଯୋଗୁଁ ଢେଙ୍କାନାଳ ଗଡ଼ଜାତକୁ ତତ୍କାଳୀନ ଓଡ଼ିଆ ସମାଜର ମାନ୍ଯଗଣ୍ଯ ଵ୍ଯକ୍ତିଵିଶେଷମାନେ ଆସିଵାକୁ କୁଣ୍ଠାବୋଧ କରୁଥିଲେ ଏମିତିକି ଗଡ଼ଜାତିଆ ପ୍ରଜାଙ୍କର ମୋଗଲବନ୍ଦୀ ଅଞ୍ଚଳରେ ଵାସକରୁଥିଵା ବନ୍ଧୁବାନ୍ଧବମାନେ ବି ସେମାନଙ୍କଠାରୁ ସମ୍ପର୍କ ଛିନ୍ନ କରି ଦେଇଥିଲେ  । କୁହାଯାଏ ଶଙ୍କର ପ୍ରତାପଙ୍କ ଶାସନକାଳରେ ଢେଙ୍କାନାଳ ଉଆସରେ ଏକ ଷୋଡଶୀ କନ୍ଯାର ବଳାତ୍କାର ଉତ୍ତାରୁ ଗଡ଼ଜାତର ଲୋକଙ୍କ ପ୍ରତି ଵିଶେଷତଃ ଢେଙ୍କାନାଳର ଲୋକଙ୍କ ପ୍ରତି ରାଜ୍ୟରେ ଘୃଣାଭାଵ ବୃଦ୍ଧି ପାଇଥିଲା । ଯେଉଁ ରାଜ୍ୟରେ ଝିଅଵୋହୂଙ୍କ ମାନ ସମ୍ମାନକୁ ସ୍ଵୟଂ ରାଜଦରବାରରେ ନିଲାମ କରାଗଲା ସେ ରାଜ୍ୟରେ କିଏ ବା ନିଜର ଝିଅ ଦେଵାକୁ ଚାହିଁଵ ?

ଏଇ ବଳାତ୍କାର ସେ ସମୟରେ ସାରା ଭାରତରେ ଚର୍ଚ୍ଚାର ଵିଷୟ ପାଲଟିଥିଲା । ଏମନ୍ତକି ତତ୍କାଳୀନ ବ୍ରିଟିଶ୍ ପାର୍ଲିଆମେଣ୍ଟର ନାରୀ ସଭ୍ଯା Miss Agatha Harrison ଏ ପାଶଵିକ ଅତ୍ଯାଚାର ସମ୍ବନ୍ଧରେ ପ୍ରମାଣ ସହ ଅଭିଯୋଗ କରିଥିଲେ ହେଁ "ବଡ଼ବଡି଼ଆଙ୍କୁ ଉତ୍ତର ନାହିଁ" ନ୍ଯାୟରେ ଅପରାଧୀମାନେ ଦଣ୍ଡିତ ହୋଇନଥିଲେ ।

ଏହି ନାରୀ ଅତ୍ଯାଚାରର ପ୍ରାରମ୍ଭିକ ଦଣ୍ଡ ଭୋଗିଲା କିଏ ?
ଢେଙ୍କାନାଳ ଓ ଅନ୍ୟ ଗଡ଼ଜାତର ସାଧାରଣ ଲୋକ ଏହାର ଦଣ୍ଡ ଅନେକ ଦିନ ଯାଏଁ ଭୋଗକରିଵାକୁ ବାଧ୍ୟ ହେଲେ ।  ଢେଙ୍କାନାଳ ଓ ଏଠାକାର ପ୍ରଜା ଏଵଂ ସାରା ଗଡ଼ଜାତର ଲୋକ ଅନେକ ଦିନ ଯାଏଁ ଅପମାନର ଶିକାର ହୋଇଥିଲେ ଏଵଂ ଊଣା ଅଧିକେ ଆଜି ବି ହେଉ ଅଛନ୍ତି ।

ଆଜି କାଳଗର୍ଭରେ ରାଜଶାସନ ଧୂଳିସାତ୍ ହୋଇଅଛି କିନ୍ତୁ ରହିଯାଇଛି ସେଇ ଅଯାଗା ଘାଆ ଯାହା ସମସ୍ତଙ୍କୁ ଦେଖେଇ ହୁଏନାହିଁ ସବୁଠି କହି ହୁଏ ନାହିଁ କିନ୍ତୁ ପ୍ରଜାମେଳୀ ଦ୍ଵାରା ତତ୍କାଳୀନ ପ୍ରଜା ସେହି ଅହଂକାରୀ ବଡ଼ବଡି଼ଆଙ୍କର ପରେ ଅଵଶ୍ୟ ଗର୍ଵ ଚୂର୍ଣ୍ଣ କରିଅଛନ୍ତି ।

(ଢେଙ୍କାନାଳ ଗଡ଼ଜାତର ଏଇଭଳି ଅପ୍ରିୟ ସତ୍ୟ ସବୁ ଜାଣିଵାକୁ ଚାହୁଁଥିଲେ ବ୍ରଜକିଶୋର ଧଳଙ୍କ ଭୁଲିବୁ ନାହିଁ ପୁସ୍ତକ ନିଶ୍ଚୟ ପାଠ କରନ୍ତୁ । ପ୍ରୋକ୍ତ ଆଲେଖ୍ୟଟି ଏହି ପୁସ୍ତକ ଆଧାରରେ ପ୍ରସ୍ତୁତ କରାଯାଇଅଛି । ଏ ଵିଷୟରେ ଆପଣଙ୍କ ପାଖରେ ଅଧିକ ତଥ୍ୟ ଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ)