Thursday, November 24, 2022

ଢ,ଢା,ଢୀ,ଢୁ ଓ ମ,ମା,ମି,ମୁ ; ଢେଙ୍କାନାଳ ମଧୁପୁର ସନ୍ଧି ପ୍ରସଙ୍ଗ

ଢେଙ୍କାନାଳର ଵର୍ତ୍ତମାନ ରାଜବଂଶର ପ୍ରତିଷ୍ଠାତା ଥିଲେ ରାଜା ହରିସିଂହ ଵିଦ୍ୟାଧର । ତାଙ୍କ ପରେ ତାଙ୍କ ପୁତ୍ର ଲୋକନାଥ ରାୟସିଂହ ଭ୍ରମରବର ଢେଙ୍କାନାଳର ଶାସନ ଦାୟିତ୍ୱ ଗ୍ରହଣ କଲେ । ଢେଙ୍କାନାଳ ରାଜା ଲୋକନାଥ (ରାୟସିଂହ) ଭ୍ରମରବରଙ୍କ ଵୀରତ୍ଵ, ଦିଗଵିଜୟ ଓ ସହୃଦୟତାର ଅନେକ କାହାଣୀ ରହିଛି ‌ । 

ମଧୁପୁର ଗଡ଼ ଚଣ୍ଡିଖୋଲ ଓ ଜେନାପୁରର ମଧ୍ୟ ଭାଗରେ ବ୍ରାହ୍ମଣୀ ନଦୀର ପଶ୍ଚିମ ପାଖରେ ଅଵସ୍ଥିତ । ଲୋକନାଥ ଭ୍ରମରବରଙ୍କ ସମୟରେ ଏଠାରେ ଜଣେ ରାଜା ଶାସନ କରୁଥିଲେ । ଢେଙ୍କାନାଳ ରାଜା ପୂର୍ଵ ଦିଗରେ ଦିଗଵିଜୟ କରିଵାକୁ ବାହାରି ଥାଆନ୍ତି । ସେ ମଧୁପୁର ନିକଟରେ ପହଞ୍ଚିଵା ଜାଣି ମଧୁପୁର ରାଜା ଭୟଭୀତ ହେଲେ। ସେ ସମୟରେ ଢେଙ୍କାନାଳ ରାଜ୍ୟର ସୈନ୍ୟଶକ୍ତିକୁ ସାମ୍ନା କରିଵାକୁ ମଧୁପୁର ରାଜାଙ୍କ ପାଖରେ ସେଭଳି ଶକ୍ତିଶାଳୀ ସୈନ୍ଯଵାହିନୀ ନଥିଲା । ତେଣୁ ସେ ବୁଦ୍ଧି ବଳରେ ଏହି ସମସ୍ୟାର ସମାଧାନ କରିଵାକୁ ଚେଷ୍ଟା କଲେ । ମଧୁପୁର ରାଜାଙ୍କ ପାଖରେ ଜଣେ ଵିଦୂଷକ ଥିଲେ ‌। ଉକ୍ତ ଵିଦୂଷକ ରାଜାଙ୍କୁ ଏହି ସମସ୍ୟାର ସମାଧାନ କରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ ଏଵଂ ତାଙ୍କୁ ଢେଙ୍କାନାଳ ରାଜାଙ୍କ ଛାମୁକୁ ଦୂତ ଭାବେ ପଠାଇଵାକୁ ସଵିନୟ ଅନୁରୋଧ କଲେ । 
 ରାଜଆଦେଶ ପାଇ ଚତୁର ଵିଦୂଷକ ମଧୁପୁର ଗଡ଼ର ରାଜଦୂତ ଭାବରେ ସନ୍ଧି କରିଵା ନିମିତ୍ତ ଢେଙ୍କାନାଳ ରାଜାଙ୍କ ନିକଟକୁ ଗଲେ ।
 
ରାଜା ଲୋକନାଥଙ୍କ ଛାମୁରେ ପହଞ୍ଚି ମଧୁପୁର ରାଜଦୂତ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଜଣାଇଲେ “ମଣିମା ! ଆପଣଙ୍କ ରାଇଜର ନାମ ଢେଙ୍କାନାଳ ଏଵଂ ତାହା 'ଢ' ଅକ୍ଷରରୁ ଆରମ୍ଭ ହୋଇଥିଵାରୁ ଢ , ଢା , ଢୀ , ଢୁ । ଆମ ମଧୁପୁରର ଆଦ୍ୟ ଅକ୍ଷର ହେଉଛି 'ମ' ଅର୍ଥାତ୍ ଆମେ ମ , ମା , ମି , ମୁ । ଏହାର ଭାବ ହେଲା ଆପଣ ସିଂହ ସଦୃଢ଼ ଢ , ଢା , ଢୀ ଢୁ କଲାବେଳକୁ ଆମେ ଛେଳି ସଦୃଶ ମ , ମା , ମୀ , ମୁ ହେବ । ଦୟାକରି ଆପଣ ଛାର ମଧୁପୁର ପ୍ରତି କୃପା କରନ୍ତୁ ।”
  
ରାଜଦୂତଙ୍କର ଚାଟୁ ଵାକ୍ୟରେ ପ୍ରୀତ ହୋଇ ଢେଙ୍କାନାଳଧୀଶ୍ଵର ଲୋକନାଥ କହିଲେ 
“ଆମ୍ଭେ ଏହି ସ୍ଥାନରୁ ଫେରି ଯାଉଛୁଁ ।” ତହୁଁ ଢେଙ୍କାନାଳ ରାଜା ମଧୁପୁରଗଡ଼ର ରାଜଦୂତଙ୍କୁ ନିକଟସ୍ଥ ପର୍ଵତରୁ ଦେଖାଇ କହିଲେ “ଏହି ପର୍ଵତ ଆଜିଠାରୁ ଦୁଇ ରାଜ୍ୟ ମଧ୍ୟସ୍ଥ ସୀମା ହେଵ । ମଧୁପୁର ରାଜାଙ୍କୁ ଜଣାଇ ଦେବେ ପର୍ଵତର ପୂର୍ଵ ଦିଗରେ ସେ ନିଶ୍ଚିନ୍ତରେ ଶାସନ କରନ୍ତୁ ।”

କୁହାଯାଏ ଯେଉଁ ସ୍ଥାନରେ ଢେଙ୍କାନାଳ ରାଜ୍ୟର ସେତେବେଳେ ସେନାଛାଉଣୀ ପଡ଼ିଥିଲା ଏଵଂ ଯେଉଁଠାରୁ ଲୋକନାଥ ଫେରି ଆସିଥିଲେ ସେହି ସ୍ଥାନର ନାମ ତତ୍ପରେ ଇଚ୍ଛାପୁର ତଥା ତତ୍ ସନ୍ନିକଟ ପର୍ଵତର ନାମ ନିଶ୍ଚିନ୍ତା ପର୍ଵତ ରଖାଯାଇଥିଲା । ମଧୁପୁର ସନ୍ଧି ଫଳରେ ରାଜା ଲୋକନାଥ ଯେଉଁ ଭୂଖଣ୍ଡ ଲାଭ କଲେ ତାକୁ “ରାୟ ସିଂହ ପ୍ରସାଦ” ପ୍ରଗଣା ଵା ଵିଷ ନାମ ଦେଇ ଢେଙ୍କାନାଳ ରାଜ୍ୟଭୁକ୍ତ କଲେ । 

ଓଡ଼ିଶାରେ ଏକାଧିକ ଗଡ଼ମଧୁପୁର , ମଧୁପୁରଗଡ଼ ଵା ମଧୁପୁର ନାମରେ ସ୍ଥାନ ଥିଵା ଜଣାଯାଏ । ଗୋଟିଏ ଗଡ଼ମଧୁପୁର(୭୫୪୦୩୨) କଟକ ଜିଲ୍ଲାର ନରସିଂହପୁର ନିକଟରେ ମହାନଦୀ କୂଳରେ ଅଵସ୍ଥିତ । 

ଆଉ ଏକ ମଧୁପୁର ପୁରୀ ଜିଲ୍ଲାରେ ଅଵସ୍ଥିତ ,ଏକ ମଧୁପୁର ଦେଵୀ ନଦୀ କୂଳରେ ନୂଆଗଡ଼ ନିକଟରେ ଅଵସ୍ଥିତ । 

ଏଠାରେ ଉଲ୍ଲେଖ ଥିଵା ଗଡ଼ମଧୁପୁର (୭୫୫୦୨୩) ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏଵଂ ଏହି ଗଡ଼ମଧୁପୁରଠାରୁ ପ୍ରାୟ ୭୮ କିମି ଦୂରରେ ଇଚ୍ଛାପୁର(୭୫୯୦୧୫) ବୋଲି ଏକ ଗ୍ରାମ ରହିଛି । ଭାପୁର ଗ୍ରାମ ଓ ସପ୍ତଶଯ୍ୟା ଜଙ୍ଗଲ ମଝିରେ ଏହି ଇଚ୍ଛାପୁର ଗ୍ରାମ ଅଛି । ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏହି ଗଡ଼ମଧୁପୁର ନିକଟରେ ରାୟ ସିଂହ ପ୍ରସାଦ(୭୫୯୦୧୬) ବୋଲି ଏକ ଗ୍ରାମ ମଧ୍ୟ ଅଛି । ଏହି ମଧୁପୁରଗଡ଼ଟି ଯାଜପୁର ଜିଲ୍ଲାରେ ଅଵସ୍ଥିତ ଏଵଂ ଲୋକକଥାରୁ ଜଣାଯାଏ ଯେ ଏହି ମଧୁପୁରଗଡ଼ରେ ଜଣେ ବ୍ରାହ୍ମଣ ରାଜା ମଧୁସୂଦନ ଵିଦ୍ୟାରତ୍ନ ଶାସନ କରୁଥିଲେ । ତେବେ ସେତେବେଳେ ଏହି ରାଜ୍ୟର ନାମ କମାଗଡ଼ ଥିଲା । ପରେ ୧୫୦୨ରେ ଅନ୍ୟ ଜଣେ ରାଜାଙ୍କ ଦ୍ଵାରା ଏ ଅଞ୍ଚଳ ଶାସନାଧୀନ ହେଵାରୁ ଏହି ରାଜ୍ୟର ନାମକରଣ ମଧୁସୂଦନ ଵିଦ୍ୟାରତ୍ନଙ୍କ ସ୍ମୃତିରେ ମଧୁପୁର ରଖାଯାଇଥିଲା । 

•••••••••••••••••••••••••••••••••••
ତଥ୍ୟ ଉତ୍ସ— 
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି
ପୁସ୍ତକ(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର) 
•••••••••••••••••••••••••••••••••••

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...