My Blog List

Showing posts with label ରୁଷିଆ. Show all posts
Showing posts with label ରୁଷିଆ. Show all posts

Thursday, February 5, 2026

ଚେରି ବଗିଚାର କାହାଣୀ(The Cherry Orchard)

(ପ୍ରଥମ ଭାଗ—ଆଗମନ)
 ମେ ମାସର ପ୍ରଭାତ । ସୂର୍ଯ୍ୟ ଉଦୟ ହେଉଥିଲା, ଆକାଶ ଗୋଲାପୀ ରଙ୍ଗରେ ରଙ୍ଗେଇ ହୋଇଥିଲା । ରୁଷିଆର ଏକ ପୁରୁଣା ଜମିଦାରୀରେ ଚେରି ଗଛଗୁଡ଼ିକରେ ଧଳା ଧଳା ଫୁଲ ଫୁଟିଥିଲା । ହଜାରେ ଗଛ - ଧାଡ଼ି ଧାଡ଼ି, ଯେତେଦୂର ଆଖି ଯାଏ । ଵସନ୍ତର ସୁଗନ୍ଧରେ ସାରା ଵଗିଚା ମହକୁଥିଲା । ମହୁମାଛି ଫୁଲରେ ଗୁଞ୍ଜରି ଉଠୁଥିଲେ । ପକ୍ଷୀମାନେ କିଚିରିମିଚିରି ଗୀତ ଗାଉଥିଲେ ।

ବୁଢ଼ା ସେଵକ Firs ଘର ସାମ୍ନାରେ ବୁଲୁଥିଲେ । ସେ ଅଶୀ ଵର୍ଷରୁ ଅଧିକ, ଧଳା କେଶ, କୁଞ୍ଚିତ ମୁହଁ । କିନ୍ତୁ ଆଜି ତାଙ୍କର ଆଖିରେ ଏକ ଚମକ ଥିଲା । ସେ ଯୁଵ କିରାଣୀ Dunyashaକୁ ଡାକିଲେ ।

"Dunyasha ! ମାଲିକାଣୀ ଆସୁଛନ୍ତି! ପାଞ୍ଚ ଵର୍ଷ ପରେ ! ସବୁକିଛି ପ୍ରସ୍ତୁତ କରି ରଖ !"

Dunyasha ଦୌଡ଼ୁଥିଲା, ହାତରେ ଫୁଲ, ତା'ର ଆଖିରେ ଉତ୍ତେଜନା । ସେ ଏକ ରୂପସୀ ଯୁଵତୀ, ସର୍ଵଦା ସ୍ୱପ୍ନ ଦେଖୁଥିଲା । "Firs, ମୁଁ ଏତେ ଉତ୍ସାହିତ! ମୁଁ କେବେ ବି Paris ରୁ ଫେରୁଥିଵା କାହାକୁ ଦେଖିନି!"
ଘର ଦ୍ୱାରରେ ଆଉ ଦୁଇଜଣ ଅପେକ୍ଷା କରୁଥିଲେ । Lopakhin - ଚାଳିଶ ଵର୍ଷର ଜଣେ ଧନୀ ଵ୍ୟଵସାୟୀ,ଉଚ୍ଚ ଶରୀର, ଶକ୍ତିଶାଳୀ ହାତ ଓ ସୁନ୍ଦର ଚେହେରା ଯୁକ୍ତ ଵ୍ୟକ୍ତି । ତାଙ୍କର ଜାମା ମହଙ୍ଗା କିନ୍ତୁ ଶୈଳୀହୀନ । ସେ ଉପରକୁ ଉଠିଥିଲେ, କିନ୍ତୁ ତାଙ୍କର ଵ୍ୟଵହାରରେ ଏଵେ ମଧ୍ୟ କୃଷକର ଚିହ୍ନ ଥିଲା ।

ତାଙ୍କ ପାଖରେ ଥିଲେ Dunyashaର ପ୍ରେମିକ Yasha - ପାରିସରୁ ଫେରୁଥିଵା ଏକ ଅହଂକାରୀ ଯୁଵକ ସେଵକ । ସେ ସିଗାରେଟ୍ ପିଉଥିଲା, ଫ୍ରେଞ୍ଚ୍ ଜାମା ପିନ୍ଧିଥିଲା, ସବୁକିଛି ଓ ସମସ୍ତଙ୍କୁ ତୁଚ୍ଛ ଜ୍ଞାନ କରୁଥିଲା ।

Lopakhin ଘଣ୍ଟା ଦେଖୁଥିଲେ । "ରେଳଗାଡ଼ି କେବେ ଆସିଵ? ମୁଁ ବହୁତ ବେଳୁ ଅପେକ୍ଷା କରୁଛି ।" ସେ ନିଜକୁ ନିଜେ କହୁଥିଲେ - "Lyubov Andreyevna! ସେ ମୋତେ ପିଲାଦିନେ କେତେ ସାହାଯ୍ୟ କରିଥିଲେ । ମୋର ବାପା ମାଡ଼ ମାରିଥିଲା, ସେ ମୋର ମୁହଁ ଧୋଇ ଦେଇଥିଲେ, ମୋତେ ଦୟା ଦେଖାଇଥିଲେ । ଆଜି ମୁଁ ତାଙ୍କୁ ସାହାଯ୍ୟ କରିପାରିବି..."

ହଠାତ୍ ଦୂରରୁ ଗାଡ଼ିର ଶବ୍ଦ । Dunyasha ଚିତ୍କାର କଲା - "ଆସିଗଲେ! ସେମାନେ ଆସିଗଲେ!"
ଗାଡ଼ି ଅଟକିଲା । ପ୍ରଥମେ ଓହ୍ଲାଇଲେ Lyubov Andreyevna Ranevskaya - ପଚାଶ ଵର୍ଷର ଜଣେ ସୁନ୍ଦରୀ ମହିଳା, ଧଳା ରଙ୍ଗର ଜାମା, ଆଖିରେ ଲୁହ । ତା'ପରେ ତାଙ୍କ ସତର ଵର୍ଷର କନ୍ୟା Anya - ତାଜା, ନିର୍ଦ୍ଦୋଷ, ଉଜ୍ଜ୍ୱଳ ଆଖି । ତା'ପରେ ଭାଇ Leonid Gayev - ପଚାଶ ଵର୍ଷରୁ ଅଧିକ, ଧୂସର କେଶ, ସୁନ୍ଦର ଜାମା, କିନ୍ତୁ କିଛି ଵାଳସୁଳଭ ଭାଵ ।

Ranevskaya ଘର ଦେଖିଲେ, ଵଗିଚା ଦେଖିଲେ । ତାଙ୍କର ସମସ୍ତ ଶରୀର କମ୍ପିଲା । "ଓ ଭଗଵାନ! ମୋର ଘର! ମୋର ପ୍ରିୟ,ଅତି ଆପଣାର ଜନ୍ମଭୂମି !" ସେ ଘର ଭିତରକୁ ଉତ୍କଣ୍ଠିତ ହୋଇ ପଶିଗଲେ, ପ୍ରତ୍ୟେକ କୋଠରୀକୁ ଦେଖିଲେ, ଆସବାବକୁ ଛୁଇଁଲେ । "ମୋର ପିଲାଦିନର କୋଠରି! ଏଠାରେ ମୁଁ ଶୋଇଥିଲି! ଏଇ ଝରକା ଦେଇ ଵଗିଚା ଦେଖୁଥିଲି!" ସେ ଝରକା ପାଖକୁ ଗଲେ, ଚେରି ଫୁଲ ଦେଖିଲେ । "ଏବେ ମଧ୍ୟ ସବୁକିଛି ଧଳା! ମୋର ପ୍ରିୟ ଵଗିଚା!"

Gayev ମଧ୍ୟ ଭାବୁକ ହୋଇଥିଲେ । ସେ ଏକ ପୁରୁଣା ବୁକ୍‌କେସ୍‌କୁ ଦେଖିଲେ । "ଆହା! ମୋର ପ୍ରିୟ ବୁକ୍‌କେସ୍! ଏକ ଶତାବ୍ଦୀରୁ ଅଧିକ ପୁରୁଣା! ତୁମେ ଏଠାରେ ଠିଆ ହୋଇଛ, ଜ୍ଞାନ ଓ ସଦ୍‌ଭାଵର ପ୍ରତୀକ!" ସେ ଲମ୍ଵା ଭାଷଣ ଦେଵାକୁ ଲାଗିଲେ, କିନ୍ତୁ Anya ତାଙ୍କୁ ଅଟକାଇଲା । "ମାମୁଁ - ଈଶାରା କରି ଚୁପ୍ ରହିଵାକୁ ଅନୁରୋଧ କଲା !"

Lopakhin ଦ୍ୱାର ପାଖରେ ଠିଆ ହୋଇଥିଲେ, ଅପେକ୍ଷା କରୁଥିଲେ । Ranevskaya ତାଙ୍କୁ ଦେଖିଲେ । "Lopakhin! ତୁମେ? ଏତେ ସକାଳୁ?" ସେ ତାଙ୍କୁ ଜାବୁଡ଼ି ଧରିଲେ ।

Lopakhin ଲଜ୍ଜିତ ହୋଇଗଲେ, ଖୁସି ହୋଇଗଲେ । "ହଁ, ମୁଁ ଅପେକ୍ଷା କରୁଥିଲି । ମୁଁ... ମୁଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଵାକୁ ଚାହୁଁଛି ।"

କିନ୍ତୁ ସେହି ମୁହୂର୍ତ୍ତରେ ଆଉ ଅନେକେ ଆସିଲେ । Ranevskayaଙ୍କ ଦତ୍ତକ କନ୍ୟା Varya - ଚଵିଶ ଵର୍ଷ, କଳା ପୋଷାକ, ଗମ୍ଭୀର ମୁହଁ । ସେ ଘର ସମ୍ଭାଳୁଥିଲା, ସର୍ଵଦା ଚିନ୍ତିତ, ସର୍ଵଦା କାମରେ ଵ୍ୟସ୍ତ । ସେ ମାଆଙ୍କୁ ଜାବୁଡ଼ି ଧରିଲା, କାନ୍ଦିଵାକୁ ଲାଗିଲା ।

ଆଉ ଆସିଲେ Anyaର ପୁରୁଣା ଶିକ୍ଷକ Peter Trofimov - ଚବିଶ ଵର୍ଷ, ଚଷମା ପିନ୍ଧିଥିଲେ,କେଶ ତାଙ୍କର ଅସଜଡ଼ା, ଜାମା ପୁରୁଣା । ସେ "ଚିରକାଳୀନ ଛାତ୍ର" - ସର୍ଵଦା ପଢ଼ୁଥିଲା, ସର୍ଵଦା ସ୍ୱପ୍ନ ଦେଖୁଥିଲା, କିନ୍ତୁ କେଵେ କିଛି ପୂରା କରୁନଥିଲା ।

Ranevskaya ତାଙ୍କୁ ଦେଖି ହଠାତ୍ କାନ୍ଦିଵାକୁ ଲାଗିଲେ । "Petya! ତୁମେ? ତୁମେ ମୋର Grish ର ଶିକ୍ଷକ ଥିଲ... ମୋର ପୁଅ..." ସେ ଆଉ କହି ପାରିଲେ ନାହିଁ, କେଵଳ କାନ୍ଦିଲେ ।

Trofimov ମଧ୍ୟ ଭାବୁକ ହୋଇଥିଲେ । "କ୍ଷମା କରନ୍ତୁ... ମୁଁ ଆପଣଙ୍କୁ ଦୁଃଖ ଦେଲି..."

(ଦ୍ଵିତୀୟ ଭାଗ —ଵାସ୍ତଵିକତା)

ଘରଟି କୋଳାହଳରେ କମ୍ପିଉଠୁଥିଲା । ଲୋକମାନେ ଚା ପିଉଥିଲେ, କଥାଵାର୍ତ୍ତା ହେଉଥିଲେ, ହସୁଥିଲେ । କିନ୍ତୁ Lopakhin ଏକ କୋଣରେ ଵସି ଅପେକ୍ଷା କରୁଥିଲେ । ଶେଷରେ ସେ ସାହସ ସଂଗ୍ରହ କରି କହିଲେ ।

"ମ୍ୟାଡାମ୍, Leonid Andreyevich, ମୁଁ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଵାକୁ ଚାହୁଁଛି ।" ସେ ଏକ କାଗଜ ବାହାର କଲେ । "ଆପଣଙ୍କର ଏଷ୍ଟେଟ୍ ଋଣରେ ବୁଡ଼ି ଯାଇଛି । ଆଗଷ୍ଟ ୨୨ ତାରିଖରେ ଏହା ନିଲାମ ହେଵ । ଯଦି ଆପଣ କିଛି କରନ୍ତି ନାହିଁ, ତେଵେ ସବୁକିଛି ହଜିଯିଵ ।"

Ranevskaya ଓ Gayev ଚମକି ଉଠିଲେ । "କଣ? କେମିତି? ଏହା ସମ୍ଭଵ ନୁହେଁ!"

Lopakhin ଧୈର୍ଯ୍ୟର ସହିତ ବୁଝାଇଲେ । "କିନ୍ତୁ ମୋର ଏକ ଯୋଜନା ଅଛି । ଏକ ଉପାୟ ଅଛି ସବୁକିଛି ଵଞ୍ଚାଇଵାର । ଏହି ଚେରି ଵଗିଚାକୁ କାଟି ଦିଅନ୍ତୁ । ଜମିକୁ ଛୋଟ ଛୋଟ ପ୍ଲଟରେ ଵିଭାଜନ କରନ୍ତୁ । ଗ୍ରୀଷ୍ମକାଳୀନ କଟେଜ୍ ନିର୍ମାଣ କରନ୍ତୁ, ଭଡ଼ାରେ ଦିଅନ୍ତୁ । ନଦୀ ପାଖରେ ଜମି - ଲୋକମାନେ ବହୁତ ଟଙ୍କା ଦେବେ । ଆପଣ ଵର୍ଷକୁ ପଚିଶ ହଜାର ରୁବଲ୍ ପାଇଯିଵେ!"

Ranevskaya ଆଖି ଚିଲ୍‌କାଇଲେ । "ଚେରି ବଗିଚା କାଟି ଦେଵା? ଗ୍ରୀଷ୍ମକାଳୀନ କଟେଜ୍? ତୁମେ ଏସବୁ କଣ କହୁଛ, Lopakhin? ମୁଁ ବୁଝିପାରୁନି ।"

Gayev କ୍ରୋଧିତ ହୋଇଗଲେ । "ୟେ କେମିତିକା ଅଵାନ୍ତର କଥା ! ଏହି ବଗିଚା କେଵଳ ଗଛର ସମୂହ ନୁହେଁ! ଏହା ଆମର ପରିଵାରର ଆତ୍ମା! ଏହା ସାରା ପ୍ରଦେଶରେ ଵିଖ୍ୟାତ! ଏନସାଇକ୍ଲୋପିଡିଆରେ ଏହାର ଉଲ୍ଲେଖ ଅଛି! ଏହା ଏକ ଐତିହାସିକ ଧରୋହର!"

Lopakhin ହତାଶ ହୋଇଗଲେ । "କିନ୍ତୁ ଏହି 'ଐତିହାସିକ ଧରୋହର' ଵିକ୍ରି ହୋଇଯିଵ! ଆପଣଙ୍କର କିଛି ରହିଵ ନାହିଁ! ଦୟାକରି ଵାସ୍ତଵିକତା ବୁଝନ୍ତୁ!"

କିନ୍ତୁ ସେମାନେ ଶୁଣୁନଥିଲେ । Ranevskaya କହିଲେ, "ମୁଁ ଥକି ଯାଇଛି । ମୋତେ ଵିଶ୍ରାମ କରିଵାକୁ ଦିଅ । ଆମେ ପରେ ଏ ଵିଷୟରେ କଥା ହେଵା ।"

Lopakhin ଵାହାରକୁ ଗଲେ,ନିରାଶାରେ ମୁଣ୍ଡ ହଲାଇଲେ । "ସେମାନେ ବୁଝୁନାହାଁନ୍ତି! ସେମାନେ ବୁଝିଵେ ନାହିଁ ଯେପର୍ଯ୍ୟନ୍ତ ସବୁକିଛି ନଷ୍ଟ ହୋଇନଯାଏ !"

(ତୃତୀୟ ଭାଗ —ପୁରୁଣା ଜୀଵନ)

ଦିନ ଗଡ଼ିଵାକୁ ଲାଗିଲା । ଘରେ ଜୀଵନ ପୂର୍ଵ ଭଳି ଚାଲିଲା - ଯେମିତି କିଛି ହେଉନି, ଯେମିତି କୌଣସି ବି ସଙ୍କଟ ନାହିଁ ।

Ranevskaya ସକାଳୁ ଵିଳମ୍ବରେ ଉଠୁଥିଲେ, ବଗିଚାରେ ବୁଲୁଥିଲେ, ଅତୀତ ଵିଷୟରେ ଚିନ୍ତା କରୁଥିଲେ । ସେ ନିଜ ପିଲାଦିନ ମନେ ପକାଉଥିଲେ, ନିଜ ମା'ଙ୍କ କଥା ଭାବୁଥିଲେ ଯିଏ ଏଇ ବଗିଚାରେ ବୁଲୁଥିଲେ । ଏଵଂ ତା'ପରେ - Grishaଙ୍କ କଥା ବି ତାଙ୍କର ମନ ପଡ଼ୁଥିଲା । Ranevskayaଙ୍କର ସେଇ ଛୋଟ ପୁଅଟି ସାତ ଵର୍ଷ ଵୟସରେ ଏଇ ପାଖ ନଦୀରେ ବୁଡ଼ି ମରିଯାଇଥିଲା । ସେ ଦିନଟି ସେ କେଵେ ଭୁଲି ପାରୁନଥିଲେ । ଜୁନ୍ ମାସ, ଗରମ ଦିନ । Grisha ନଦୀରେ ଖେଳୁଥିଲା । ହଠାତ୍ ଚିତ୍କାର ଶୁଣାଗଲା । ସେ ଦୌଡ଼ି ଯାଇଥିଲେ, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ପାଣିରେ କେଵଳ Grishaର ଛୋଟ ଟୋପୀ ଭାସୁଥିଲା ।

ସେହି ଦିନ ପରେ ସେ ଏଇଠି ଆଉ ଶାନ୍ତିରେ ରହିପାରିନଥିଲେ । ସବୁକିଛି ତାଙ୍କୁ Grishaର କଥା ମନେ ପକାଇ ଦେଉଥିଲା । ସେ Paris ପଳାଇଯାଇଥିଲେ । ସେଠାରେ ସେ ଜଣେ ଵ୍ୟକ୍ତିଙ୍କୁ ଭେଟିଥିଲେ - ଜଣେ ଯୁଵକ, ସୁନ୍ଦର, କିନ୍ତୁ ନିଷ୍ଠୁର । ସେ ତାଙ୍କ ସହିତ ଭଲ ଵ୍ୟଵହାର କରୁଥିଲା, ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲା, ଅନ୍ୟ ମହିଳାମାନଙ୍କ ସହ ସମ୍ପର୍କ ରଖୁଥିଲା । କିନ୍ତୁ ସେ ତାଙ୍କୁ ଭଲପାଉଥିଲେ - କିମ୍ଵା ଭଲପାଉଥିଵା ଭାବୁଥିଲେ । ସେ ସବୁକିଛି ଜାଣିଥିଲେ, କିନ୍ତୁ ତାଙ୍କୁ ଛାଡ଼ି ପାରୁନଥିଲେ ।

ଶେଷରେ, ଯେତେଵେଳେ ସମସ୍ତ ଟଙ୍କା ସରିଗଲା, ସେ ତାଙ୍କୁ ଛାଡ଼ିଦେଲା । Ranevskaya ଏକ ହୋଟେଲ୍‌ରେ ଏକାକୀ ଵସିଥିଲେ, ଏକ ବୋତଲ ଵିଷ ହାତରେ ଥିଲା । କିନ୍ତୁ ସେହି ମୁହୂର୍ତ୍ତରେ Anya ର ଟେଲିଗ୍ରାମ୍ ଆସିଲା - "ମା, ଫେରି ଆସ । ଆମକୁ ତୁମର ଆଵଶ୍ୟକତା ଅଛି ।" ଏଵଂ ସେ ଫେରି ଆସିଥିଲେ ।

Gayev ଦିନସାରା ବିଲିୟାର୍ଡ଼ ଖେଳୁଥିଲେ - କିନ୍ତୁ କଳ୍ପନାରେ । ସେ ହାତ ହଲାଉଥିଲେ, କହୁଥିଲେ - "Yellow to the corner! Double the red! Cut into the middle pocket!" ସେ ମିଠା ଅଧିକ ଖାଉଥିଲେ - ତାଙ୍କର ପକେଟ୍ ସର୍ଵଦା କାରାମେଲରେ ଭରା ଥିଲା ।

ସେ ମଧ୍ୟ ଲମ୍ଵା ଲମ୍ଵା ଭାଷଣ ଦେଉଥିଲେ - ସୂର୍ଯ୍ୟକୁ, ପ୍ରକୃତିକୁ, ମାନଵତାକୁ । "ହେ ପ୍ରକୃତି! ତୁମେ କେତେ ସୁନ୍ଦର! ତୁମେ ଜୀଵନ ଓ ମୃତ୍ୟୁ ଉଭୟକୁ ଧାରଣ କରୁଛ! ତୁମେ ସୃଷ୍ଟି କରୁଛ ପୁଣି ଵିନାଶ ବି କରୁଛ!" ସମସ୍ତେ ଶୁଣୁଥିଲେ, ଚୁପ୍ ରହୁଥିଲେ, ତା'ପରେ କେହି କହୁଥିଲା - "ମାମୁଁ, ଦୟାକରି ଚୁପ୍ ରୁହନ୍ତୁ!"

Varya ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରୁଥିଲା । ସେଵକମାନଙ୍କର କାର୍ଯ୍ୟ ପ୍ରତି ଦୃଷ୍ଟି ଦେଉଥିଲା, ହିସାବ ରଖୁଥିଲା,ଭଲ ମନ୍ଦ ଦେଖାଶୁଣା କରୁଥିଲା । ତା'ର ଚାବିର ଗୁଚ୍ଛ ବେଲ୍ଟରେ ଝୁଲୁଥିଲା - ସେ ଚାବି ଗୁଚ୍ଛର ଝଣଝଣ ଶବ୍ଦରୁ ଦୂରରୁ ହିଁ ତାହାର ଉପସ୍ଥିତି ଜାଣି ହୋଇଯାଉଥିଲା । ସେ ପ୍ରାର୍ଥନା କରୁଥିଲା, ତୀର୍ଥଯାତ୍ରାର ସ୍ୱପ୍ନ ଦେଖୁଥିଲା । କିନ୍ତୁ ଗଭୀରରେ, ସେ Lopakhinଙ୍କୁ ଭଲପାଉଥିଲା - ଏଵଂ ଅପେକ୍ଷା କରିଥିଲା ଯେ ଦିନେ ସେ ତାକୁ ଵିଵାହ ପ୍ରସ୍ତାଵ ଦେବେ ।

Anya ଓ Trofimov ବଗିଚାରେ ବୁଲୁଥିଲେ, କଥା ହେଉଥିଲେ । Trofimov ତାଙ୍କୁ ବୁଝାଉଥିଲେ - "ଏହି ସୁନ୍ଦର ବଗିଚା ଦେଖ, Anya । କିନ୍ତୁ ଏହା କିପରି ତିଆରି ହୋଇଥିଲା? ଦାସମାନଙ୍କର ପରିଶ୍ରମରେ! ପ୍ରତ୍ୟେକ ଗଛରେ ଏକ ଦାସର ଆତ୍ମା କାନ୍ଦୁଛି । ଏହା ପୁରୁଣା ଶୋଷଣର ପ୍ରତୀକ! ଆମକୁ ନୂଆ ରୁଷିଆ ଗଢ଼ିଵାକୁ ପଡ଼ିଵ - ଏକ ସ୍ୱାଧୀନତା ଓ ସମାନତାର ଦେଶ! ଆମକୁ ପରିଶ୍ରମ କରିଵାକୁ ପଡ଼ିଵ, Anya । ଏହା ମାନଵତାର କର୍ତ୍ତଵ୍ୟ!"

Anya ତାଙ୍କ କଥା ଶୁଣୁଥିଲା,ତା ଆଖିରେ ଏକ ଅଦ୍ଭୁତ ଚମକ ଥିଲା । "ହଁ, Petya! ତୁମେ ଠିକ୍ କହୁଛ! ଆମେ ନୂଆ ବଗିଚା ତିଆରି କରିଵା - ଅଧିକ ସୁନ୍ଦର, ଅଧିକ ଉଜ୍ଜ୍ୱଳ! ଆମେ କାମ କରିଵା, ଅଧ୍ୟୟନ କରିଵା! ଓ Petya, ମୁଁ କେତେ ଖୁସି ଜାଣିଛ ! ୟେ ଜୀଵନ କେତେ ସୁନ୍ଦର ସତେ!"

ସେଵକମାନଙ୍କର ମଧ୍ୟ ନିଜର ଜୀଵନ ଥିଲା । Dunyasha, Yashaକୁ ଭଲପାଉଥିଲା, କିନ୍ତୁ ସେ ତାଙ୍କୁ ତୁଚ୍ଛ ଜ୍ଞାନ କରୁଥିଲା । "ତୁମେ ଗାଁର ଝିଅ," ସେ କହୁଥିଲା । "ତୁମେ Paris ଦେଖିନାହଁ! ତୁମେ କିଛି ବୁଝନି!"

କିରାଣୀ Epihodov - ଜଣେ ଅଦକ୍ଷ, ଦୁର୍ଭାଗ୍ୟଶାଳୀ ଵ୍ୟକ୍ତି - ମଧ୍ୟ Dunyashaକୁ ପ୍ରେମ କରୁଥିଲା । ସେ ତାଙ୍କ ପାଇଁ ଗିଟାର୍ ବଜାଉଥିଲା, କିନ୍ତୁ ସର୍ଵଦା କିଛି ନା କିଛି ଭୁଲ୍ ହେଉଥିଲା । ସେ ସିଡ଼ିରେ ପଡ଼ିଯାଉଥିଲା, ଜିନିଷ ଭାଙ୍ଗୁଥିଲା କିମ୍ବା ହଜିଯାଉଥିଲା । ସେ ସର୍ଵଦା କହୁଥିଲା - "ପ୍ରତିଦିନ ମୋ ଜୀଵନରେ କିଛି ଦୁର୍ଭାଗ୍ୟ ଘଟେ!"

 (ଚତୁର୍ଥ ଭାଗ —ବଗିଚା ପାଖରେ ସନ୍ଧ୍ୟା)

ଜୁନ୍ ମାସର ଏକ ସୁନ୍ଦର ସନ୍ଧ୍ୟା । ସୂର୍ଯ୍ୟାସ୍ତ ହେଇ ଆସୁଥାଇ । ସମସ୍ତେ ବଗିଚା ପାଖରେ ପୁରୁଣା ଚାପେଲ୍ କାଖରେ ବସିଥିଲେ । ଦୂରରୁ ସଙ୍ଗୀତ ଭାସି ଆସୁଥିଲା - କେହି ଅଜ୍ଞାତ ଵ୍ୟକ୍ତି ଗାଉଥିଲା ।

Lopakhin ଆସିଲେ । ସେ ପୁଣି ଚେଷ୍ଟା କଲେ ସେମାନଙ୍କୁ ବୁଝାଇଵାକୁ । "ଦୟାକରି ବୁଝନ୍ତୁ! ଆଉ କେଵଳ ଦୁଇମାସ ବାକି ଅଛି ! ଆଗଷ୍ଟ ୨୨ ତାରିଖ ଆସୁଛି! ଶୀଘ୍ର ନିଷ୍ପତ୍ତି ନିଅନ୍ତୁ!"

Ranevskaya ଉତ୍ତର ଦେଲେ, କିନ୍ତୁ ଅନ୍ୟ କଥା ଵିଷୟରେ । "Lopakhin, ମୋତେ କୁହ - ତୁମେ Varyaକୁ ଵିଵାହ କରିଵ କି? ସେ ତୁମକୁ ବହୁତ ଭଲପାଏ ।"

Lopakhin ଅସହଜ ହୋଇଗଲେ । "ମୁଁ... ମୁଁ ଜାଣେ ନାହିଁ । ସେ ଜଣେ ଭଲ ମହିଳା, କିନ୍ତୁ... ମୁଁ ସର୍ଵଦା କାମରେ ଵ୍ୟସ୍ତ । ମୋର ସମୟ ନାହିଁ ପ୍ରେମ ପାଇଁ!"

"କାମ, କାମ, କାମ!" Gayev କହିଲେ । "ଏହା ହିଁ ସବୁକିଛି ନୁହେଁ, ବାବୁ Lopakhin! ଜୀଵନରେ ଅନ୍ୟ ଜିନିଷ ମଧ୍ୟ ଅଛି - ସଂସ୍କୃତି, କଳା, ସୌନ୍ଦର୍ଯ୍ୟ!"

Lopakhin ହସିଲେ । "ହଁ, ସୌନ୍ଦର୍ଯ୍ୟ ଭଲ । କିନ୍ତୁ ଏହା ଋଣ ପରିଶୋଧ କରି ପାରେନାହିଁ । ପେଟକୁ ଦାନା ଯୋଗାଇପାରେ ନାହିଁ ।‌"

ହଠାତ୍ ଦୂରରୁ ଏକ ଅଦ୍ଭୁତ ଶବ୍ଦ ଶୁଭିଲା - ଯେମିତି କୌଣସି ତାର ଛିଣ୍ଡିଗଲା । ଏକ ଦୁଃଖର, ମରିଯାଉଥିଵା ସ୍ୱର । ସମସ୍ତେ ଚୁପ୍ ହୋଇଗଲେ ।

"ଏହା କଣ ଥିଲା?" Ranevskaya ଫୁସ୍ ଫୁସ୍ କରି ପଚାରିଲେ ।

"ବୋଧହୁଏ କୌଣସି ଖଣିରେ କିଛି ପଡ଼ିଲା," Lopakhin କହିଲେ । "ବହୁତ ଦୂରରେ ଖଣି ଅଛି ।"

କିନ୍ତୁ Ranevskaya କମ୍ପୁଥିଲେ । "ମୋତେ ଏହା ଠିକ୍ ଲାଗୁନାହିଁ। ଏହା ଏକ ଅଶୁଭ ଘଟଣାର ପୂର୍ଵାଭାସ ହୋଇପାରେ !"

Trofimov ଉଠିଲେ । ସେ ସୂର୍ଯ୍ୟାସ୍ତକୁ ଚାହିଁଲେ, ତା'ପରେ ସମସ୍ତଙ୍କୁ ଦେଖିଲେ । "ତୁମେ ଦେଖ, ମାନଵତା ଆଗକୁ ବଢ଼ୁଛି, ଅଧିକ ଶକ୍ତିଶାଳୀ ହେଉଛି । ଆଜି ଯାହା ଆମ ପାଇଁ ଅସମ୍ଭଵ, ଆସନ୍ତାକାଲି ସାଧାରଣ ହେଵ । କିନ୍ତୁ ଆମକୁ କାମ କରିଵାକୁ ପଡ଼ିଵ! ଆମକୁ ସତ୍ୟ ଖୋଜୁଥିଵା ଲୋକମାନଙ୍କୁ ସାହାଯ୍ୟ କରିଵାକୁ ପଡ଼ିଵ!"

"କାମ!" Lopakhin ସହମତ ହେଲେ । "ହଁ, ଆମକୁ କାମ କରିଵାକୁ ପଡ଼ିଵ । କିନ୍ତୁ କେତେ ଲୋକ ପ୍ରକୃତରେ କାମ କରନ୍ତି? ତୁମେ ଦେଖ - ଏଇ ଘରେ, ଏଇ ଏଷ୍ଟେଟ୍‌ରେ କେହି କାମ କରନ୍ତିନାହିଁ! କେଵଳ, ସ୍ୱପ୍ନ ଦେଖନ୍ତି । ହେଣ୍ଡି ମାରନ୍ତି । ବଡ଼ବଡ଼ କଥା କୁହନ୍ତି ! କିନ୍ତୁ କାମ ଘର ଶୂନ ! "

ଏତିକିବେଳେ ସେଠାକୁ ଜଣେ ଭିକାରୀ ଆସିଲା - ଜରାଜୀର୍ଣ୍ଣ ଫଟା ଛିଣ୍ଡା କପଡ଼ା ପିନ୍ଧିଥିଵା କଙ୍କାଳସାର ଗରିବଟି ଭିକ ମାଗିଲା । Ranevskaya ତାଙ୍କୁ ଏକ ସୁନାର ମୁଦ୍ରା ଦେଲେ - ତାଙ୍କର ଶେଷ ଟଙ୍କା । Varya ରାଗିଗଲା । "ମା! ତୁମର ନିଜର ଟଙ୍କା ନାହିଁ! ତୁମେ କାହିଁକି...?"

"କିନ୍ତୁ ସେ ଏତେ ଗରିବ !" Ranevskaya କହିଲେ । "ମୁଁ ଦୁଃଖିତ ତାକୁ ଯେତିକି ସାହାଯ୍ୟ ଅରିଵା କଥା କରିପାରିଲି ନାହିଁ!"

ସୂର୍ଯ୍ୟ ଅସ୍ତ ହୋଇଗଲା । ସମସ୍ତେ ଘରକୁ ଫେରିଲେ । କେଵଳ Anya ଓ Trofimov ରହିଲେ ।

Trofimov ତାଙ୍କୁ କହିଲେ, "Anya, ତୁମେ ଏତେ ସୁନ୍ଦର, ଏତେ ନିଷ୍ପାପ ! ତୁମେ ପୁରୁଣା ଜୀଵନରୁ ଊର୍ଦ୍ଧ୍ୱ! ତୁମେ ଏହି ଘର, ଏହି ବଗିଚା ଛାଡ଼ିପାରିଵ! ତୁମର ସମସ୍ତ ଜୀଵନ ତୁମ ସାମନାରେ ପଡ଼ିଛି!"

Anya ର ଆଖି ଲୁହରେ ଭରିଗଲା । "ହଁ, Petya! ମୁଁ ଏହି ଘରକୁ ଛାଡ଼ିଦେବି ! ମୁଁ ମା'ଙ୍କୁ ବୁଝାଇବି ! ଆମେ ମିଳିତ ଭାଵରେ ନୂଆ ଜୀଵନ ଆରମ୍ଭ କରିଵା!"

(ପଞ୍ଚମ ଭାଗ — ଘର ନିଲାମର ଦିନ)

ଅଗଷ୍ଟ ୨୨ ତାରିଖ । ନିଲାମର ଦିନ । Gayev ଓ Lopakhin ସହରକୁ ଯାଇଥିଲେ ନିଲାମରେ ଯୋଗଦେଵାକୁ ।

ଘରେ Ranevskaya ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ । ଅର୍କେଷ୍ଟ୍ରା ବାଜୁଥିଲା, ଲୋକମାନେ ନାଚୁଥିଲେ । କିନ୍ତୁ ସବୁକିଛି ଅଦ୍ଭୁତ ଲାଗୁଥିଲା -ସତେ ଯେମିତି ତାହା ଵାସ୍ତଵ ନୁହେଁ ଵରଂ କାହାର ଅଵଚେତନ ମନର ଏକ ଅବାଞ୍ଛିତ ସ୍ୱପ୍ନ ଥିଲା । 

Varya କାନ୍ଦୁଥିଲା । "ଏ ପାର୍ଟି କାହିଁକି ହେଉଛି ? ଆଜି ଆମର ଘର ଵିକ୍ରି ହେଉଛି, ଏଵଂ ମା ପାର୍ଟି କରୁଛନ୍ତି! ମୁଁ କିଛି ବୁଝିପାରୁନି କ’ଣ ଏସବୁ ହେଉଛି!"

Ranevskaya ନାଚୁଥିଲେ, ହସୁଥିଲେ, କିନ୍ତୁ ତାଙ୍କର ଆଖିରେ ଆନନ୍ଦ କମ୍ ଚିନ୍ତାର ଝଲକ ଅଧିକ ଥିଲା । ସେ ଵାରମ୍ଵାର ଦ୍ୱାର ଆଡ଼କୁ ଚାହିଁ ରହୁଥିଲେ । "ସେମାନେ କାହିଁକି ଫେରୁନାହାଁନ୍ତି? କଣ ହୋଇଛି? ନିଲାମରେ କଣ ହେଲା?"

Trofimov, Anyaଙ୍କୁ କହିଲେ, "ଏହା ବଦ୍ଧ ପାଗଳାମି ! ଏମାନେ ଵାସ୍ତଵିକତାକୁ ସାମ୍ନା କରିପାରୁନାହାଁନ୍ତି! ସେମାନେ ଅତୀତରେ ପଡ଼ି ରହିଛନ୍ତି!"

ଶେଷରେ ଦ୍ୱାର ଖୋଲିଲା । ବୃଦ୍ଧ Gayev ପ୍ରଵେଶ କଲେ,ସେ କ୍ଳାନ୍ତ ଦେଖାଯାଉଥିଲେ । Gayev କାନ୍ଦୁଥିଲେ, କିଛି କହି ପାରୁନଥିଲେ । ସେ କେଵଳ ହାତ ହଲାଇଲେ ।

"ଭାଇ! କଣ ହେଲା?" Ranevskaya ଚିତ୍କାର କଲେ ।

Gayev ଜଵାଵ ଦେଲେ ନାହିଁ । କାନ୍ଦି କାନ୍ଦି ସେ ନିଜ କୋଠରୀକୁ ଚାଲିଗଲେ । 

ତା'ପରେ Lopakhin ଆସିଲେ । ସେ ଉତ୍ତେଜିତ ଥିଲେ, କ୍ଳାନ୍ତ ଥିଲେ, କିନ୍ତୁ ତାଙ୍କର ଆଖିରେ ଏକ ଅଦ୍ଭୁତ ଚମକ ଥିଲା ।

"Lopakhin!" Ranevskaya ଦୌଡ଼ି ଆସିଲେ । "କଣ ହେଲା? ନିଲାମରେ କିଏ କିଣିଲା?"

Lopakhin ଧୀରେ ଧୀରେ କହିଲେ, ଯେମିତି ଵିଶ୍ୱାସ କରିପାରୁନଥିଲେ । "ମୁଁ କିଣିଲି । ମୁଁ ଏଷ୍ଟେଟ୍ କିଣିଲି । ଚେରି ବଗିଚା ଏବେ ମୋର!"

ଏକ ମୁହୂର୍ତ୍ତର ନୀରଵତା । ତା'ପରେ Lopakhin ହଠାତ୍ ଉଚ୍ଚସ୍ୱରରେ ହସିଵାକୁ ଲାଗିଲେ, ନାଚିଵାକୁ ଲାଗିଲେ ।

"ମୁଁ କିଣିଲି! ମୁଁ କିଣିଲି! ସଂଗୀତ ବଜାଅ! ହଁ ମୁଁ ଆଜି ମନ ଭରି ସଂଗୀତ ଶୁଣିଵାକୁ ଚାହୁଁଛି! ଆସ ସମସ୍ତେ ଦେଖ କିପରି Lopakhin କୁଠାର ନେଇ ଚେରି ବଗିଚାକୁ କାଟିଵ! କିପରି ଗଛଗୁଡ଼ିକ ଗୋଟି ଗୋଟି କରି ହଣା ହୋଇ ପଡ଼ିବେ!"

ସେ ହସିଲେ, କାନ୍ଦିଲେ, ନାଚିଲେ । "ମୋର ବାପା ଓ ଜେଜେବାପା ଏଇ ଘରର ଦାସ ଥିଲେ! ସେମାନଙ୍କୁ ରୋଷେଇ ଘରେ ପଶିଵାକୁ ଦିଆଯାଉନଥିଲା! ମୋର ବାପା ଏଇ ମାଟିରେ କାମ କଲେ, ତାଙ୍କର ପିଠି ବଙ୍କା ହୋଇଗଲା! ଏଵଂ ଏବେ ତାଙ୍କର ପୁଅ - Lopakhin - ସେହି ଦାସ ପୁତ୍ର - ଏହି ଘରର ମାଲିକ! ମୁଁ ଏହି ସବୁଠାରୁ ସୁନ୍ଦର ଜମି କିଣିଲି! ଯେଉଁଠିକୁ ମୋର ବାପା ଓ ଜେଜେବାପା ମଧ୍ୟ ଆସିପାରୁନଥିଲେ!"

ସେ ଏକ ଟେବୁଲରେ ଧକ୍କା ମାରିଲେ, ଏକ ମହମଵତୀ ପଡ଼ିଗଲା । "ମୋର ଆଉ କୌଣସି ଚିନ୍ତା ନାହିଁ! ଏହା ସ୍ୱପ୍ନ ନୁହେଁ, ଏହା ମଦର ପ୍ରଭାଵ ନୁହେଁ, ଏହା କଳ୍ପନା ନୁହେଁ! ଏହା ସତ୍ୟ!"

Ranevskaya ଚଉକିରେ ବସିଥିଲେ ପଡ଼ିଗଲେ, ଅସହାୟ ଭାଵରେ କାନ୍ଦୁଥିଲେ । Varya ନିଜର ଚାବି ଗୁଚ୍ଛ କାଢ଼ି ମଧ୍ୟ ମହଲାକୁ ଫିଙ୍ଗିଦେଲେ, ବାହାରକୁ ଚାଲିଗଲେ ।

Anya ଦୌଡ଼ି ମା'ଙ୍କ ପାଖକୁ ଆସିଲା, ଜାବୁଡ଼ି ଧରିଲା । "ମା! ମା, କାନ୍ଦ ନାହିଁ! ତୁମର ଏବେ ମଧ୍ୟ ଜୀଵନ ଅଛି! ତୁମର ଏବେ ମଧ୍ୟ ଏକ ଭଲ ଓ ଶୁଦ୍ଧ ଆତ୍ମା ଅଛି! ଚାଲ ମା, ଆମେ ଏଠାରୁ ଚାଲିଯିଵା । ଆମେ ଦୂରକୁ ଚାଲି ଯିଵା, ଏଇଠୁ ବହୁତ ଦୂର! ଆମେ ଏକ ନୂଆ ବିଗିଚା ତିଆରି କରିଵା - ଅଧିକ ସୁନ୍ଦର ଏହି ବଗିଚାଠାରୁ ସେ ବଗିଚା ହେଵ ! 

ତୁମେ ନିଜ ଜୀଵନରେ ସେ ଦିନକୁ ବି ଦେଖିଵ, ତୁମେ ବୁଝିଵ ଏଵଂ ଗଭୀର, ଶାନ୍ତ ଆନନ୍ଦ - ତୁମର ଆତ୍ମାରେ ଅଵତରଣ କରିଵ! ଏଵଂ ତୁମେ ବି ସେଦିନ ହସିଵ, ମାଆ !"

Ranevskaya ଉଠିଲେ, Anyaର ହାତ ଛୁଇଁ କହିଲେ। "ହଁ, ତୁମେ ଠିକ୍ କହୁଛ, ମୋର ପ୍ରିୟ । ଆମେ ନିଶ୍ଚୟ ନୂଆ ଜୀଵନ ଆରମ୍ଭ କରିଵା!"

( ଷଷ୍ଠ ଭାଗ - ଵିଦାୟ )

ଅକ୍ଟୋଵର ମାସ । ଶୀତ ଆରମ୍ଭ ହେଲା । ଗଛର ପତ୍ର ଝଡ଼ୁଥିଲା । ଘର ଖାଲି ହେଉଥିଲା ।

ଟ୍ରଙ୍କ୍‌ଗୁଡ଼ିକ ବନ୍ଧା ହୋଇସାରିଥିଲା । ଆସବାବ ଚାଦରରେ ଢଙ୍କା ହୋଇଥିଲା। କାନ୍ଥରୁ ଚିତ୍ରଗୁଡ଼ିକ କାଢ଼ି ଦିଆଗଲା । ସେ ଘର ଏବେ ଅଜଣା ଅଜଣା ଦେଖାଯାଉଥିଲା।

ସମସ୍ତେ ଵିଦାୟ ନେଉଥିଲେ । ସେଵକମାନେ ଚାଲିଯାଉଥିଲେ । Yasha- Paris ଫେରୁଥିଲା, Ranevskaya ସହ । Dunyasha କାନ୍ଦୁଥିଲା - "ତୁମେ ମୋତେ ସାଙ୍ଗରେ ନେଉନାହଁ କାହିଁକି?"

Yasha ନୈରାଶ୍ୟ ମନରେ କହିଲା - "ନା । ତୁମେ ଏଠି ରହିଵାର ଯୋଗ୍ୟ ।"

Epihodov ଆସିଲେ, ଵିଦାୟ ନେଲେ । ସେ ସିଡ଼ିରେ ପଡ଼ିଗଲେ, ଚଷମା ଭାଙ୍ଗିଗଲା । "ଦେଖିଲେ କି? ମୋର ଦୁର୍ଭାଗ୍ୟ ଶେଷ ପର୍ଯ୍ୟନ୍ତ ମୋର ସାଙ୍ଗରେ ଅଛି ଓ ରହିଥିଵ !"

କେଵଳ Lopakhin ଓ Varya ଏକାକୀ ରହିଗଲେ । ସମସ୍ତେ ଭାବୁଥିଲେ ଏ ହେଉଛି ମୁହୂର୍ତ୍ତ - ସେ ତାଙ୍କୁ ଵିଵାହ ପ୍ରସ୍ତାଵ ଦେବେ ।

Lopakhin ଚିନ୍ତିତ ଥିଲେ । "Varya, ତୁମେ... ତୁମେ କେଉଁଠାକୁ ଯାଉଛ?"

"Ragulinsଙ୍କ ପାଖକୁ । ସେମାନଙ୍କର ଘର ଦେଖାଶୁଣା କରିଵାକୁ ଚାକିରି ମିଳିଛି ।" Varya, ଉତ୍ତର ଦେଲେ ।

"ଆହା, ଭଲ । ଭଲ ।" ଏତିକି କହି Lopakhin ଘଣ୍ଟା ଦେଖିଲେ । ତାଙ୍କ ମୁହଁରୁ ପୁଣି ପଦିଏ ବାହାରି ଗଲା "ହଁ, ଭଲ ।"

ତାପରେ ଏକ ଦୀର୍ଘ ନୀରଵତା । ସେମାନେ ଉଭୟ ଅପେକ୍ଷା କରୁଥିଲେ । କିନ୍ତୁ Lopakhin ଶବ୍ଦ ଖୋଜି ପାଇଲେ ନାହିଁ କି ନିଜ ମନ କଥା କହି ପାରିଲେ ନାହିଁ।

"ମୁଁ... ମୋତେ ଯିଵାକୁ ପଡ଼ିଵ,"Lopakhin ଶେଷରେ ଏତିକି ମାତ୍ର କହି ପାରିଲେ ।

Varyaଙ୍କର ଆଖିରେ ଲୁହ ଆସିଗଲା । "ହଁ, ଯାଅ । ସମୟ ହୋଇଯାଉଛି ।"

Lopakhin ବାହାରିଗଲେ । Varya ମହଲାରେ ବସି କାନ୍ଦିଲେ - ଚୁପ୍ଚାପ୍, ଏକାକୀ ଜଣେ ଭଗ୍ନ ହୃଦୟ ଦୁଃଖିନୀ ପରି ।

Trofimov ଓ Anya ଅନ୍ତିମ ଥର ବଗିଚା ବୁଲିଲେ । "ଵିଦାୟ, ପୁରୁଣା ଜୀଵନ!" Trofimov ଚିତ୍କାର କଲେ । "ନମସ୍କାର, ନୂଆ ଜୀଵନ!"

Anya ହସିଲା, ଆଖିରେ ଲୁହ । "ହଁ, ନମସ୍କାର! ଆମେ ଏକ ନୂଆ ବଗିଚା ତିଆରି କରିଵା!"

Ranevskaya ଶେଷ ଥର ଘର ବୁଲିଲେ । ସେ ପ୍ରତ୍ୟେକ କୋଠରୀକୁ ଗଲେ, ପ୍ରତ୍ୟେକ କୋଣକୁ ଦେଖିଲେ । "ଵିଦାୟ, ମୋର ପିଲାଦିନର କୋଠରି । ଵିଦାୟ, ପ୍ରିୟ ଘର ।"

ସେ କାନ୍ଥକୁ ଛୁଇଁଲେ, ଚୁମ୍ଵନ ଦେଲେ । "ଵିଦାୟ, ମୋର ଜୀଵନ । ଵିଦାୟ, ମୋର ଯୌଵନ! ଵିଦାୟ!"

Gayev ଶେଷଥର ନିଜ ପ୍ରିୟ ବୁକ୍‌କେସ୍‌କୁ ଦେଖିଲେ । "ଵିଦାୟ, ପୁରୁଣା ଵନ୍ଧୁ!" ସେ ଦେଖାଗଲେ ପୁଣି କାନ୍ଦିଵା ଆରମ୍ଭ କରିଵେ, କିନ୍ତୁ Anya ଓ Varya ତାଙ୍କୁ ଵାହାରକୁ ନେଇଗଲେ ।

ସମସ୍ତେ ଗାଡ଼ିରେ ଵସିଲେ । ଘୋଡ଼ା ଚାଲିଲା । Ranevskaya ଓ Gayev ଶେଷଥର ଘର ଆଡ଼କୁ ଚାହିଁଲେ ।

"ଵିଦାୟ!" Ranevskaya ଫୁସ୍‌ଫୁସ୍‌ କରି କହିଲେ ।

"ଵିଦାୟ!" Gayev ଉଚ୍ଚ ସ୍ଵରରେ କହିଲେ ।

ଗାଡ଼ି ଦୂରକୁ ଗଲା । ଶବ୍ଦ ଧୀରେ ଧୀରେ କମିଗଲା । ସମସ୍ତେ ଚାଲିଗଲେ ।

(ଶେଷ ଭାଗ)
ଘର ଏବେ ଖାଲି । ସମ୍ପୂର୍ଣ୍ଣ ନୀରଵ । ଦ୍ୱାର ଵନ୍ଦ । ସବୁକିଛି ଶେଷ ।

କିନ୍ତୁ ହଠାତ୍ ଏକ ଶବ୍ଦ । କେହି ଆସୁଛି । ବୁଢ଼ା Firs ଏକ କୋଠରୀରୁ ବାହାରି ଆସିଲେ ।

ସମସ୍ତେ ତାଙ୍କୁ ଭୁଲି ଯାଇଥିଲେ! ସେ ବହୁତ ଦୁର୍ଵଳ ଥିଲେ, ଅସୁସ୍ଥ ଥିଲେ । ସେ ଧୀରେ ଧୀରେ ବୁଲୁଥିଲେ, ଦ୍ୱାର ଖୋଲିଵାକୁ ଚେଷ୍ଟା କରୁଥିଲେ । କିନ୍ତୁ ଦ୍ୱାର ବନ୍ଦ ଥିଲା ।

"ସେମାନେ ଚାଲିଗଲେ," ସେ ମନ ଦୁଃଖରେ କହିଲେ । "ମତେ ଭୁଲିଗଲେ । କିଛି କଥା ନାହିଁ । ମୁଁ ଏଠି ବସିବି । Leonid Andreyevich ନିଶ୍ଚୟ ଶୀତଳ ଓଭରକୋଟ୍ ପିନ୍ଧି ନାହାନ୍ତି । ସେ ହାଲୁକା କୋଟ୍ ନେଇଗଲେ । ଯୁଵକମାନେ! ସେମାନେ କିଛି ବୁଝନ୍ତି ନାହିଁ!"

ସେ ସୋଫାରେ ଶୋଇ ପଡ଼ିଲେ, ଅସଞ୍ଚଳ ଭାବରେ । ପୁଣି ଧୀରେ ଧୀରେ କହିଲେ, ଯେମିତି ନିଜକୁ ନିଜେ କହୁଛନ୍ତି ।

"ଜୀଵନ ବିତିଗଲା । ଯେମିତି ଜିଇଁଵା କଥା ମୁଁ ସେଭଳି ଜିଇଁନି... ମୁଁ ଶୋଇଵି... ମୋ ପାଖରେ ଆଉ ଶକ୍ତି ନାହିଁ... କିଛି ବାକି ନାହିଁ... କିଛି ନାହିଁ..."

ସେ ଅସଞ୍ଚଳ ହୋଇଗଲେ । ଘର ପୁଣି ନୀରଵ ହୋଇଗଲା ।

ତେଣେ ବାହାରେ ଦୂରରୁ ଶବ୍ଦ ଆସିଲା । କୁଠାରର ଆଘାତ । ଠକ୍‌ ଠକ୍‌ ଠକ୍‌ ।

ଚେରି ଗଛଗୁଡ଼ିକ କଟାଯାଉଥିଲା । ଗଛ ପଡ଼ିଵାର ଶବ୍ଦ - ଧଡ଼ାମ୍ ! ପ୍ରଥମେ ଗୋଟିଏ, ତା'ପରେ ଆଉ ଗୋଟିଏ, ତା'ପରେ ଆଉ ଗୋଟିଏ ।

ଠକ୍‌ ଠକ୍‌ ଠକ୍‌ । ଧଡ଼ାମ୍ ! ଠକ୍‌ ଠକ୍‌ ଠକ୍‌ । ଧଡ଼ାମ୍ !

ଏକ ଶତାବ୍ଦୀ ପୁରୁଣା ଗଛ, ଦୁଇ ଶତାବ୍ଦୀ ପୁରୁଣା ଗଛ - ସମସ୍ତ ପଡ଼ୁଥିଲେ । ପୁରୁଣା ଯୁଗ ଶେଷ ହେଉଥିଲା ।

ଏଵଂ ପୁଣି ସେହି ଅଦ୍ଭୁତ ଶବ୍ଦ - ଯେମିତି କୌଣସି ତାର ଛିଣ୍ଡିଗଲା । ଦୂରରୁ, ଆକାଶରୁ, ପୃଥିଵୀରୁ । ଏକ ଦୁଃଖର, ମରିଯାଉଥିଵା ସ୍ୱର । ଧୀରେ ଧୀରେ କ୍ଷୀଣ ହୋଇ ନୀରଵତାରେ ଵିଲୀନ ହୋଇଗଲା ।

ତା'ପରେ ପୁଣି ସେହି କୁଠାରର ଶବ୍ଦ । ଠକ୍‌ ଠକ୍‌ ଠକ୍‌...
ଘର ନୀରଵ । Firs ସୋଫାରେ ଶୋଇଛନ୍ତି, ଅସଞ୍ଚଳ, ଏକାକୀ । ବାହାରେ ଗଛମାନ ହଣା ହୋଇ ଗୋଟିକ ପରେ ଗୋଟିଏ ପଡ଼ୁଛି ।

ଚେରି ଵଗିଚା ଆଉ ନାହିଁ । ଏକ ଯୁଗ ସମାପ୍ତ ହୋଇଗଲା ।

------------××××-------------

 Anton Chekhovଙ୍କର "The Cherry Orchard" ନାଟକଟି ୧୯୦୪ରେ ପ୍ରକାଶିତ ହୋଇଥିଲା ଏଵଂ ଏହା ତାଙ୍କର ଶେଷ ନାଟକ ଥିଲା । The Cherry Orchard କୌଣସି ଏକ ନିର୍ଦ୍ଦିଷ୍ଟ ସତ୍ୟ ଘଟଣା ଉପରେ ସିଧାସଳଖ ଆଧାରିତ ନୁହେଁ । ଏହା ସମ୍ପୂର୍ଣ୍ଣ କାଳ୍ପନିକ ଚରିତ୍ର ଓ ଘଟଣା ଉପରେ ରଚିତ । କିନ୍ତୁ ଏହାର ଥିମ୍ ଓ ପରିଵେଶ ସେତେବେଳେର ରୁଷୀୟ ସମାଜର ଵାସ୍ତଵ ସାମାଜିକ-ଆର୍ଥିକ ପରିଵର୍ତ୍ତନକୁ ଗଭୀର ଭାବେ ପ୍ରତିଫଳିତ କରେ । ଏହି ନାଟକରେ ବର୍ଣ୍ଣିତ ଅଭିଜାତ ପରିଵାରର ଋଣଗ୍ରସ୍ତ ହୋଇ ଜମିଦାରୀ ବିକ୍ରି ହେଵାର ଘଟଣା ସେହି ସମୟରେ ଅର୍ଥାତ୍ ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭର ରୁଷିଆରେ ବହୁ ପରିମାଣରେ ଘଟୁଥିଲା । 

ରୁଷିଆରୁ ୧୮୬୧ରେ ଦାସପ୍ରଥା ଉଚ୍ଛେଦ ପରେ ଅଭିଜାତ ଶ୍ରେଣୀର ଅଵକ୍ଷୟ ଓ ନୂତନ ଧନୀ ଵ୍ୟଵସାୟୀ ଶ୍ରେଣୀର ଉତ୍ଥାନ ଏହାର ମୂଳ ଵିଷୟ ଅଟେ । ଏହି ସାମାଜିକ ପରିଵର୍ତ୍ତନକୁ ନାଟକରେ ଚିତ୍ରଣ କରାଯାଇଛି ।

Anton Chekhovଙ୍କ ନିଜ ଜୀଵନରୁ କିଛି ପ୍ରେରଣା ମିଳିଥିଲା । ତାଙ୍କ ପିତାଙ୍କ ଋଣ ଯୋଗୁଁ ପରିଵାର ଘର ହରାଇଥିଲେ । ପରେ ତାଙ୍କ ମାତା ଏକ ଘର ନିର୍ମାଣ କରିଵା ସମୟରେ ଠିକାଦାରଙ୍କ ଦ୍ୱାରା ପ୍ରତାରିତ ହୋଇ ଋଣଗ୍ରସ୍ତ ହୋଇଥିଲେ । ଏହା ଵ୍ୟତୀତ ତାଙ୍କ ମେଲିଖୋଭୋ ଜମିଦାରୀରେ ଲଗାଇଥିଵା ଚେରି ବଗିଚାକୁ ପରଵର୍ତ୍ତୀ ମାଲିକ କାଟି ଦେଇଥିଲେ, ଯାହା ତାଙ୍କୁ ଵ୍ୟଥିତ କରିଥିଲା । ଏହି ଵ୍ୟକ୍ତିଗତ ଅନୁଭୂତି ନାଟକର ଭାବନାକୁ ପ୍ରଭାଵିତ କରିଥିଲା ସତ, କିନ୍ତୁ ସମ୍ପୂର୍ଣ୍ଣ କାହାଣୀ କିମ୍ବା ଚରିତ୍ରଗୁଡ଼ିକ କୌଣସି ଏକ ଵ୍ୟକ୍ତିଗତ ସତ୍ୟ ଘଟଣାର ପ୍ରତିଚ୍ଛବି ନୁହନ୍ତି । ଏହା ଏକ କାଳ୍ପନିକ ନାଟକ ହୋଇଥିଲେ ମଧ୍ୟ ଏହା ରୁଷିଆର ଐତିହାସିକ ସତ୍ୟତାକୁ ଅତ୍ୟନ୍ତ ସଫଳତାର ସହିତ ଚିତ୍ରଣ କରିଛି । ଏହି କାରଣରୁ ଏହାକୁ ଏକ ଯୁଗର ଅନ୍ତ ଓ ନୂଆ ଯୁଗର ଆରମ୍ଭର ପ୍ରତୀକାତ୍ମକ କାହାଣୀ ଭାବେ ଦେଖାଯାଏ ।

Anton Chekhov ତାଙ୍କର The Cherry Orchard ନାଟକ ମାଧ୍ୟମରେ ସମାଜକୁ ଏକ ଗଭୀର ଓ ବହୁମୁଖୀ ସନ୍ଦେଶ ଦେଇଛନ୍ତି । ଏହା ମୁଖ୍ୟତଃ ସାମାଜିକ ପରିଵର୍ତ୍ତନର ଅନିଵାର୍ଯ୍ୟତା ଓ ତାହାର ଜଟିଳ ପ୍ରଭାଵକୁ ଚିତ୍ରଣ କରିଛି । ରୁଷିଆରେ ଦାସପ୍ରଥା ଉଚ୍ଛେଦ ପରେ ପୁରାତନ ଅଭିଜାତ ଶ୍ରେଣୀର ଅଵକ୍ଷୟ ଓ ନୂତନ ମଧ୍ୟଵର୍ଗର ଉତ୍ଥାନ ଘଟୁଥିଲା । ଚେଖଵ୍ ଦେଖାଇଛନ୍ତି ଯେ ଏହି ପରିଵର୍ତ୍ତନ ଅନିଵାର୍ଯ୍ୟ ଏଵଂ ସମାଜର ଵିକାଶ ପାଇଁ ଆଵଶ୍ୟକ ହେଲେ ମଧ୍ୟ ଏହା ବହୁ ଲୋକଙ୍କୁ ପଛରେ ଛାଡ଼ି ଦିଏ । ପୁରୁଣା ଯୁଗର ଲୋକେ ଯେମିତି Ranevskaya ଓ Gayev ଅତୀତର ସ୍ମୃତି ଓ ପରମ୍ପରାରେ ଆବଦ୍ଧ ରହି ବର୍ତ୍ତମାନର ଵାସ୍ତଵତାକୁ ଅସ୍ୱୀକାର କରନ୍ତି । ଫଳରେ ସେମାନେ ସବୁକିଛି ହରାଇ ଦିଅନ୍ତି । ଅନ୍ୟପକ୍ଷରେ Lopakhin ପରି ନୂଆ ଯୁଗର ପ୍ରତିନିଧି କଠିନ ପରିଶ୍ରମ ଓ ଵ୍ୟଵହାରିକତାରେ ଆଗକୁ ବଢ଼ନ୍ତି ଓ ସଫଳ ହୁଅନ୍ତି । କିନ୍ତୁ ତାଙ୍କର ସଫଳତା ମଧ୍ୟ ଏକ ନିର୍ମମ ଵାସ୍ତଵତା ଆଣିଦିଏ - ପୁରୁଣା ଯୁଗର ସୌନ୍ଦର୍ଯ୍ୟ ଓ ସ୍ମୃତିର ଵିନାଶ । ନାଟକ ମଧ୍ୟରେ ଚେଖଵ୍ କହିଵାକୁ ଚାହୁଁଛନ୍ତି ଯେ ପରିଵର୍ତ୍ତନକୁ ଅଣଦେଖା କରିଵା କିମ୍ବା ଵିରୋଧ କରିଵା ଵୃଥା ଅଟେ । ଏହା ଅନିଵାର୍ଯ୍ୟ ଭାବେ ଆସିଵ । କିନ୍ତୁ ଏହି ପରିଵର୍ତ୍ତନ ସମୟରେ ମାନବିକତା ଓ ସମ୍ବେଦନଶୀଳତା ହରାଇଵା ଉଚିତ୍ ନୁହେଁ । Trofimov ପରି ଯୁଵକ ଭଵିଷ୍ୟତର ଆଶା ଦେଖାନ୍ତି କିନ୍ତୁ ସେ ମଧ୍ୟ ଵାସ୍ତଵରେ ଅଧିକ କାମ କରିଵାକୁ ପଡ଼ିବ ବୋଲି କହନ୍ତି । ନାଟକର ଶେଷରେ ବୁଢ଼ା ସେଵକ Firsଙ୍କୁ ଭୁଲିଯିଵା ଓ ଚେରି ଗଛ କଟାଯିଵା ଦେଖାଇ ଚେଖଵ୍ କହିଛନ୍ତି ଯେ ପୁରୁଣା ଯୁଗର ଅନେକ ଲୋକ ନୂଆ ଦୁନିଆରେ ଅସହାୟ ହୋଇ ରହିଯାଆନ୍ତି । ସମାଜର ପରିଵର୍ତ୍ତନ ସମୟରେ କେହି କେହି ଉଠନ୍ତି କିନ୍ତୁ ଅନେକେ ପଛରେ ପଡ଼ିଯାଆନ୍ତି । ଏହା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଵାର୍ତ୍ତା ନୁହେଁ ଵରଂ ମାନଵ ଜୀଵନର ଅନିଵାର୍ଯ୍ୟ ସତ୍ୟ - ସମୟ ବଦଳେ ଏଵଂ ମଣିଷକୁ ତାହା ସହିତ ତାଳ ଦେଇ ବଦଳିଵାକୁ ହିଁ ପଡ଼େ । ଏମନ୍ତ ନହେଲେ ଦୁଃଖ ଓ ଵିନାଶ ଅଵଶ୍ୟମ୍ଭାଵୀ । ଚେଖଵ୍ ଏହି ପରିଵର୍ତ୍ତନକୁ ନ ହସାଇ ନ କନ୍ଦାଇ କେଵଳ ଦେଖାଇଛନ୍ତି ଯେପରି ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ସେ ସମାଜକୁ କହୁଛନ୍ତି ଯେ ଅତୀତକୁ ଭୁଲି ନ ଯାଇ ତାହାର ଶିକ୍ଷା ନେଇ ଭଵିଷ୍ୟତ ଗଢ଼ିଵାକୁ ହେବ । ଏହି ନାଟକ ଏକ ଯୁଗର ଅନ୍ତ ଓ ନୂଆ ଯୁଗର ଆରମ୍ଭର ଦୁଃଖମୟ କିନ୍ତୁ ଅନିଵାର୍ଯ୍ୟ କାହାଣୀ ଭାବେ ସମାଜକୁ ସଚେତନ କରାଇଛି ।