Showing posts with label କାଳଜୟୀ. Show all posts
Showing posts with label କାଳଜୟୀ. Show all posts

Monday, October 7, 2024

ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)

ଵିଦ୍ୟାଳୟରେ ପଢୁଥିଵା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାମକୃଷ୍ଣ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ଵିପନ୍ନରଉଦ୍ଧାର .....!!!!
ଏହି ପ୍ରବନ୍ଧଟିରେ ୧୯୩୭ ମସିହା ଫେବୃଆରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳଵର୍ତ୍ତୀ ଅଞ୍ଚଳରେ ହୋଇଥିଵା ଏକ ଵିମାନ ଦୁର୍ଘଟଣା ଵିଷୟରେ ଉଲ୍ଲେଖ ଅଛି । ଵିଶ୍ବ ଇତିହାସରେ ସେହି ଦୂର୍ଘଟଣାଟି 
"1937 Airlines of Australia Stinson crash" ନାମରେ ପରିଚିତ ।
ବ୍ରିସବେନରୁ ପାଞ୍ଚଜଣ ଯାତ୍ରୀଙ୍କୁ ନେଇ Stinson model A ପ୍ରକାରର ଏକ ଉଡ଼ାଜାହାଜ ସିଡନୀ ଅଭିମୁଖେ ଯାତ୍ରା କରୁଥିଵା ବେଳେ McPherson Range ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଯାଇଥିଲା ।
McPherson Range ଗିରିଶୃଙ୍ଖଳା Queensland ଏବଂ New South Wales 
ମଧ୍ୟରେ ଅଵସ୍ଥିତ ।
ଵିମାନରେ ମୋଟ ପାଞ୍ଚଜଣ ଯାତ୍ରୀ ତଥା ଦୁଇଜଣ ଵିମାନ ଚାଳକ ଥିଲେ । ଦୁଇଜଣ ଵିମାନଚାଳକଙ୍ଖ ସହ ଦୁଇଜଣ ଯାତ୍ରୀଙ୍କର ଦୂର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ଵର୍ତ୍ତିଯାଇଥିବା ବାକି ତିନିଜଣ ଗୁରୁତର ଆହତ ହୋଇଥିଲେ । ତନ୍ମଧ୍ୟରୁ ଜଣେ ବ୍ରିଟିଶ୍ ନାଗରିକ ନିଜେ ଗୁରୁତର ଆହତ ହୋଇଥିଵା ସତ୍ତ୍ବେ ପାର୍ଵତ୍ଯାଞ୍ଚଳରୁ ସାହାଯ୍ୟ ଆଣିଵାକୁ ଯାଇ ବାଟରେ ହିଁ ମୃତ୍ୟୁ ମୁଖରେ ପଡିଥିଲେ । ନିଖୋଜ ଜାହାଜକୁ ଠାବକରିଵା ହେତୁ ତତ୍କାଳୀନ ସରକାର ୨୮ଟି ଉଡାଜାହାଜ ଅନୁସନ୍ଧାନ କାର୍ଯ୍ୟରେ ଲଗାଇ ମଧ୍ଯ ଵିଫଳ ହୋଇଥିଲେ ।

ଦୂର୍ଘଟଣାକୁ ପାଞ୍ଚଦିନ ହୋଇଯାଇଥିଲା ହେଲେ ଜାହାଜକୁ ତଥାପି ଠାବ କରିପାରିନଥିଲେ ସରକାର । 
ଏମିତି ସମୟରେ ଜଣେ ଅଷ୍ଟ୍ରେଲିଆନ୍ ବୁସମ୍ୟାନ୍ 
Alfonso Bernard O'Reilly (1903–1975) ଦୂର୍ଘଟଣାଗ୍ରସ୍ଥ ଉଡାଜାହାଜଟିକୁ ଖୋଜିଵା ପାଇଁ ଅଣ୍ଟା ଭିଡ଼ିଲେ ।
 ଦୁଇଦିନ ମଧ୍ୟରେ ସେ ଦୂର୍ଗମ ପର୍ଵତାଦିରେ ଖୋଜିି ଖୋଜି 
Lamington Nat ସାଇଟ୍‌ରେ ନିଖୋଜ ଵିମାନକୁ ଠାବ କଲେ । ସେତେବେଳକୁ
ଜୀଵିତ ଵ୍ୟକ୍ତିଦ୍ବୟ ମୂର୍ମୁଷୁପ୍ରାୟ ମୃତ୍ୟୁ ସହ ଲଢ଼ୁଥାନ୍ତି । ବର୍ଣ୍ଣାଢ଼ ଓରିଲି ତାଙ୍କୁ ଖାଦ୍ୟପେୟାଦି ଯୋଗାଇ ପୁଣି ପର୍ଵତ ତଳକୁ ଓହ୍ଲେଇଲେ । ନିକଟସ୍ଥ ଜନବସତିରେ ପହଞ୍ଚିଵା ମାତ୍ରେ ଘୋଡାଟିଏ ଯୋଗାଡ଼ କରି ପାଖ ସହରରେ ଜଣାଇଲାରୁ ଦୁଇଟି ଜୀଵନ ଵର୍ତ୍ତିଗଲା । ଓରିଲିଙ୍କ ଠାରୁ ସୁଚନା ପାଇ ୮୦ରୁ ଅଧିକ ସ୍ବେଚ୍ଛାକର୍ମୀ ପର୍ଵତ ଉପରକୁ ଯାଇ ଜୀଵିତ ଯାତ୍ରୀଦ୍ବୟଙ୍କୁ ରକ୍ଷା କରିଥିଲେ । ପୂର୍ଵେ ଵିଦ୍ୟାଳୟରେ ଏହି ଦୁର୍ଘଟଣା ସମ୍ବନ୍ଧୀୟ 
ଶ୍ରୀରାମକୃଷ୍ଣ ନନ୍ଦଙ୍କର ଯେଉଁ ପ୍ରବନ୍ଧଟି ପଢ଼ାଯାଉଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା...


•ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)•

୧୯୩୭ ମସିହା ଫେବୃୟାରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳଵର୍ତ୍ତୀ ଅଞ୍ଚଳରେ ଗୋଟିଏ ଵିମାନ ଦୁର୍ଘଟଣା ଘଟିଥିଲା । ସେହି ଘଟଣାରେ ଦୁଇଟି ମହନୀୟ ଚରିତ୍ରର ଅପୂର୍ଵ ସାହସ ଓ ଅନୁପମ ମହତ୍ତ୍ଵ ପ୍ରକାଶ ପାଇଅଛି । କାଳକ୍ରମେ ଜଗତ ସେ ଵ୍ୟୋମବିପତ୍ତିକୁ ଭୁଲିଯିଵ , ମାତ୍ର ମାନଵିକତାର ସେ ଉଜ୍ଜ୍ଵଳ ଦୃଷ୍ଟାନ୍ତ ଦୁଇଟିକୁ ଭୁଲିପାରିଵନାହିଁ । 

ବ୍ରିସବେନ୍‌ରୁ ସାତଜଣ ଯାତ୍ରୀ ନେଇ ଉଡ଼ାଜାହାଜଟି ସେଦିନ ସିଡନି ଅଭିମୁଖରେ ବାହାରିଥିଲା , କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଵାରୁ କୌଣସି ଦୁର୍ଘଟଣା ଘଟିଥିଵା ଆଶଙ୍କା କରି ଅଠେଇଶଟି ଵିମାନ ଅନ୍ଵେଷଣ କାର୍ଯ୍ୟରେ ବାହାରିଲେ । ସମୁଦ୍ର କୂଳେକୂଳେ ପ୍ରାୟ ପଚାଶ ମାଇଲ ଵ୍ୟାପୀ ଅଞ୍ଚଳ ଅନୁସନ୍ଧାନ କରି ମଧ୍ୟ ସେ ନିଖୋଜ ଵିମାନର କୌଣସି ସମ୍ବାଦ ପାଇଲେ ନାହିଁ । ଯାତ୍ରୀମାନଙ୍କର ଆତ୍ମୀୟ ସ୍ୱଜନ ଓ ବନ୍ଧୁଵର୍ଗଙ୍କର ଗଭୀର ଉତ୍କଣ୍ଠା , ଘୋର ଵିଷାଦ ଓ ନୈରାଶ୍ୟରେ ପରିଣତ ହେଲା । ନିଉ ସାଉଥ୍ ୱେଲସ୍‌ର ଉତ୍ତର ସୀମାରେ ଜନଵସତିହୀନ ଏକ ରୁକ୍ଷ ମାଳଭୂମି ବହୁଦୂର ପର୍ଯ୍ୟନ୍ତ ଵିସ୍ତୃତ ରହିଅଛି । ନିଵିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳା ଭେଦକରି ସେଠାକୁ ଯିଵା ସାଧାରଣ ମନୁଷ୍ୟର ସାଧ୍ୟାତୀତ । ସେହିଠାରେ ବାର୍ଣ୍ଣାଡ଼ ଓରିଲି ନାମକ ଜଣେ ପଶୁପାଳକ ବାସ କରୁଥିଲେ । ସେ ରେଡ଼ିଓରୁ ଓ ସମ୍ବାଦପତ୍ରରୁ ଉଲ୍ଲେଖିତ ଵିମାନ ଦୁର୍ଘଟଣା ଵିଷୟ ଅବଗତ ହୋଇଥିଲେ । ତାଙ୍କର ଘର ନିକଟରେ ଵିମାନପଥ ଯାଇଥିଵାରୁ ସେ ଏ ସଂପର୍କରେ ଅଧିକ ଆଗ୍ରହୀ ହୋଇ ଵିଭିନ୍ନ ସୂତ୍ରରୁ ମଧ୍ୟ ସମ୍ବାଦ ସଂଗ୍ରହ କରୁଥିଲେ । ତାଙ୍କୁ ସେ ପାର୍ଵତ୍ୟ ଅଞ୍ଚଳର ଅନେକ ଵିଷୟ ଜଣାଥିଲା । ପର୍ଵତ ଶ୍ରେଣୀର ଉଚ୍ଚତା , ମେଘ ଓ ଵାୟୁ ସ୍ରୋତର ଅନିଶ୍ଚିତ ଗତି ଇତ୍ୟାଦି ଵିଷୟ ଵିଚାର କରି ସେ ଅନୁମାନ କଲେ ଯେ ପ୍ରବଳ ତୋଫାନର ଆଵର୍ତ୍ତରେ ପଡ଼ି ଵିମାନଟି – ହୁଏତ ସେଇ ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ କେଉଁଠି ଖସି ପଡ଼ିଥିଵ ଏଵଂ ପାହାଡ଼ ଦେହରେ ପିଟି ହୋଇ ଧ୍ୱଂସ ପାଇଯାଇଥିଵ । ଏହି ସିଦ୍ଧାନ୍ତରେ ଉପନୀତ ହୋଇ ସଙ୍ଗେ ସଙ୍ଗେ ସେ ଏକାକୀ ସେହି ନିଖୋଜ ଵିମାନର ଅନୁସନ୍ଧାନରେ ବାହାରି ପଡ଼ିଲେ । ପର୍ଵତର ପାଦ ଦେଶରୁ କିଛି ଦୂର ଯିଵା ଉତ୍ତାରେ ସେ ଦେଖିଲେ , ଆଉ ବାଟଘାଟର ଚିହ୍ନ ନାହିଁ । ବହୁ କଷ୍ଟରେ ନିଵିଡ଼ ବେତବଣ ଓ ଦୁର୍ଲଘ୍ୟ ଘାଟି ଭିତର ଦେଇ ସେ ପାଞ୍ଚ ମାଇଲ ପଥ ଅତିକ୍ରମ କଲେ । ତାପରେ ରାତ୍ରି ଉପସ୍ଥିତ ହେଲା । ଦେହରେ ଶୀତଵସ୍ତ୍ର ନାହିଁକି ସାଙ୍ଗରେ ସାଥୀ ନାହାନ୍ତି , ଚାରିଆଡ଼େ ଯେପରି ଶ୍ମଶାନର ଶୂନ୍ୟତା । ଏହିପରି ଅସହାୟ ଅଵସ୍ଥାରେ ପାହାଡ଼ ଉପରେ ସେ ଏକାକୀ ସେହି ଭୀଷଣ ରଜନୀ ଅତିଵାହିତ କଲେ । ସକାଳୁ ଓରିଲି ପୁନରାୟ ତାଙ୍କ ଲକ୍ଷ୍ୟ ଅଭିମୁଖେ ଵହିର୍ଗତ ହେଲେ । ଉଜ୍ଜ୍ଵଳ ଦିଵାଲୋକରେ ପର୍ଵତର ଗୋଟିଏ ଉଚ୍ଚ କାନ୍ଥି ଉପରୁ ବହୁଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା । ପଛକୁ ପଛ ଲାଗି ଅନେକ ଗିରିଶୃଙ୍ଗ ଧ୍ୟାନମଗ୍ନ ଋଷିପରି ଆକାଶକୁ ମୁଣ୍ଡ ଟେକି ରହିଥାନ୍ତି । ଵୃକ୍ଷଲତାର ଶ୍ୟାମ ସୌନ୍ଦର୍ଯ୍ୟ କ୍ରମେ ଗାଢ଼ରୁ ଗାଢ଼ତର ହୋଇ ଦୂରକୁ ଦେଖା ଯାଉଥାଏ । ସେ ଚାରିଆଡ଼େ ଆଖି ବୁଲାଉ ବୁଲାଉ ଦେଖିଲେ କିଛି ଦୂର ଉଚ୍ଚରେ ପର୍ଵତର ସେହି ଶୁଦ୍ଧ ସବୁଜ ଆଚ୍ଛାଦନ ଉପରେ ଠାଏ ସତେକି ଗୋଟାଏ ବାଦାମୀ ରଙ୍ଗର ତାଳି ପଡ଼ିଅଛି । ସେଇଟା ଯେ ନିଶ୍ଚୟ ପୋଡ଼ିଯାଇଥିଵା ଗଛପତ୍ରର ଚିହ୍ନ , ଏ ଵିଷୟରେ ଓରିଲିଙ୍କର ସନ୍ଦେହ ରହିଲା ନାହିଁ । କିନ୍ତୁ ଵର୍ଷା ପାଗରେ ନିଆଁ ଲାଗିଲା କିପରି ? ତାଙ୍କର ଧ୍ରୁଵ ଵିଶ୍ଵାସ ହେଲା ହୁଏତ ଵିଦ୍ୟୁତ କିମ୍ବା ପେଟ୍ରୋଲ ନିଆଁରେ ଜଙ୍ଗଲର ସେ ଅଂଶଟା ପୋଡ଼ି ଯାଇଥିଵ । ଓରିଲି ସେହି ସ୍ଥାନଟିକୁ ନିଖୋଜ ଵିମାନର ସମାଧିସ୍ଥଳ ବୋଲି ଅନୁମାନ କରି ସେହି ଦିଗରେ ଅଗ୍ରସର ହେଲେ । ନିଵିଡ଼ ଅରଣ୍ୟ । ଅନାଦି କାଳରୁ ସେ ପାହାଡ଼ ଉପରେ କୌଣସି ମାନଵର ପାଦ ପଡ଼ିଅଛି କି ନାହିଁ ସନ୍ଦେହ । ଘଞ୍ଚ ତରୁଲତା ଓ କଣ୍ଟକାକୀର୍ଣ୍ଣ ଗୁଳ୍ମଜାଲ ତଳେ ଶଢ଼ା ପତ୍ରର ଗାଲିଚା । ଵିଷାକ୍ତ କୀଟ ମକ୍ଷିକାମାନଙ୍କର ଵିରକ୍ତିକର ଉପଦ୍ରଵ । ସ୍ଥାନେ ସ୍ଥାନେ ଵିଶାଳ ଶିଳାଖଣ୍ଡମାନ ପଥରୁଦ୍ଧ କରି ଉଭା ହୋଇଅଛି । କିନ୍ତୁ ଓରିଲି ଦୃଢ଼ପ୍ରତିଜ୍ଞ । ତାଙ୍କର ଅଙ୍ଗପ୍ରତ୍ୟଙ୍ଗ କଣ୍ଟାରେ ଚିରି ହୋଇ ରକ୍ତାକ୍ତ ହୋଇଗଲାଣି । କେଉଁଠି ବୁଦାତଳେ ଗୁରୁଣ୍ଡିଗୁରୁଣ୍ଡି ଯିଵାକୁ ପଡ଼ୁଛି । କେଉଁଠି ଵା ଦ୍ରାକ୍ଷାଲତାକୁ ଧରି ଝୁଲି ଝୁଲି ଶିଳାରୁ ଶିଳାକୁ ଡେଇଁ ପଡ଼ିଵାକୁ ହେଉଛି । ଝାଳ ଲାଗି ଦେହସାରା ପୋଡ଼ିଲାଣି । କିନ୍ତୁ ଵିଶ୍ରାମ ନ କରି ଉନ୍ମାଦଗ୍ରସ୍ତ ପରି ସେ ଅରଣ୍ୟର ସେହି ଦଗ୍‌ଧ ଅଂଶରେ ପହଞ୍ଚିଵାକୁ ଆଗେଇ ଚାଲିଛନ୍ତି । ନିମ୍ନମୁଖୀ ଜଳସ୍ରୋତ ଓ ଦୃଢ଼ପ୍ରତିଜ୍ଞ ସାଧକର କିଏ ଗତିରୋଧ କରିପାରିଵ ? ଆହୁରି ପ୍ରାୟ ଦୁଇ ହଜାର ଫୁଟ ବାକି ଅଛି , ହଠାତ୍ ଏକ ଅଦ୍ଭୁତ ମୂର୍ତ୍ତି ତାଙ୍କର ଦୃଷ୍ଟିପଥାରୂଢ଼ ହେଲା । ସେ ଚମକି ପଡ଼ି କିଛିକ୍ଷଣ ଚାହିଁ ରହିଲେ । ଦେଖିଲେ , ବଣର ଗୋଟିଏ ଉନ୍ମୁକ୍ତ ସ୍ଥାନରେ ଗୋଟାଏ ଗଛକୁ ଆଉଜି ଖଣ୍ଡେ ଶିଳା ଉପରେ ଜଣେ ମନୁଷ୍ୟ ବସିରହିଛି । ଏହି ଦୃଶ୍ୟରେ ସେ ଏତେଦୂର ଅଭିଭୂତ ହୋଇପଡ଼ିଲେ ଯେ ସଙ୍ଗେ ସଙ୍ଗେ ଲୋକଟିକୁ ଡାକ ପକାଇଲେ । କିନ୍ତୁ ତା’ଠାରୁ କୌଣସି ସଙ୍କେତ ଵା ଉତ୍ତର ପାଇଲେ ନାହିଁ । ପରେ ନିକଟକୁ ଯାଇ ଦେଖିଲେ , ସେହି ଲୋକର ଦେହରେ ଗୁରୁତର ଆଘାତର ଚିହ୍ନମାନ ରହିଛି ଏବଂ ତା’ର ପ୍ରାଣଵାୟୁ ବାହାରିଗଲାଣି । ଓରିଲିଙ୍କ ମନର ଭାବ ସହଜରେ ଅନୁମାନ କରାଯାଇପାରେ । ଵିସ୍ମୟ , ଆନନ୍ଦ , ଭୟ ଓ ଵିଷାଦ ତାଙ୍କ ହୃଦୟକୁ ଯୁଗପତ୍ ଅଧିକାର କଲା । ଲୋକଟିକୁ ଦେଖି ସେ ବୁଝିନେଲେ ଏ ସେହି ଵିମାନର ଜଣେ ହତଭାଗ୍ୟ ଯାତ୍ରୀ । ସେଠାରେ ଆଉ ଅଧିକ କାଳଵିଳମ୍ବ ନକରି ସେ ପୋଡ଼ିଯାଇଥିଵା ଗଛପତ୍ରକୁ ଲକ୍ଷ୍ୟ କରି ଚାଲିଲେ । ପୁଣି ସେହିପରି ଅକ୍ଳାନ୍ତ ଅଧ୍ୟଵସାୟ ଓ କ୍ଳେଶକର ସାଧନା । କିଛି ଦୂର ଅଗ୍ରସର ହୋଇ ସେ ଅରଣ୍ୟ ଜାତିମାନଙ୍କ ରୀତିକୁ ଅନୁକରଣ କରି ପାଟିରେ ସୁସୁକାଳି ବଜାଇଲେ । କେତେଥର ଏହି ଡାକ ଦେଲା ପରେ ଗୋଟାଏ ଦିଗରୁ କ୍ଷୀଣ ଉତ୍ତର ଆସୁଥିଵାର ତାଙ୍କୁ ଶୁଣାଗଲା । ଏ ନିଶ୍ଚୟ ମନୁଷ୍ୟର କଣ୍ଠସ୍ୱର ! ତାଙ୍କର ସର୍ଵାଙ୍ଗରେ ତଡ଼ିତ୍ ପ୍ରଵାହ ଖେଳିଗଲା । ସେ ପ୍ରଥମରୁ ଆଶଙ୍କା କରିଥିଲେ ଯେ ଵିମାନଟି ଖସିପଡ଼ିଵା ସଙ୍ଗେ ସଙ୍ଗେ ଆରୋହୀମାନେ ସମସ୍ତେ ପୋଡ଼ି ମରିଥିଵେ , କିନ୍ତୁ ତାଙ୍କର ଵର୍ତ୍ତମାନ ଧାରଣା ହେଲା ଯେପରି ଏକାଧିକ ଵ୍ୟକ୍ତି ଜୀଵିତ ଅଛନ୍ତି । କେତେକ ସମୟ ଉତ୍ତାରେ ଓରିଲି ଲକ୍ଷ୍ୟସ୍ଥଳରେ ପହଞ୍ଚି ଦେଖିଲେ ତାଙ୍କର ଅନୁମାନ ଠିକ୍ । ଗୋଟିଏ ପ୍ରକାଣ୍ଡ ଵୃକ୍ଷ ମୂଳରେ ଵିମାନଟା ଭାଙ୍ଗି ପଡ଼ିଛି । ଭସ୍ମୀଭୂତ ଵିମାନର କେତେକ ଅଂଶ ଇତସ୍ତତଃ ଵିକ୍ଷିପ୍ତ ଭାଵରେ ପଡ଼ିରହିଛି । ଚତୁର୍ଦ୍ଦିଗରେ କେଵଳ ଭସ୍ମ ଓ ଅଙ୍ଗାର । ସେଠାରୁ କିଛିଦୂରରେ ଦୁଇଜଣ ମନୁଷ୍ୟ ଶୋଇଥିଵାର ଦେଖି ଓରିଲି ସେଠାକୁ ଗଲେ । ଦେଖିଲେ , ଜୀଵନ୍ମୃତ ଅଵସ୍ଥାରେ ସେ ଦୁହେଁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଓରିଲିଙ୍କୁ ଦେଖିଵାମାତ୍ରେ ସେମାନଙ୍କ ପିଣ୍ଡରେ ସତେ ଯେପରି ନଵଜୀଵନର ସଞ୍ଚାର ହେଲା । ସେ ଦୁଇଜଣ ସାଙ୍ଘାତିକ ଭାବରେ ଆହତହୋଇ ଅନାହାରରେ ମୃତ୍ୟୁ ସଙ୍ଗେ ସଂଗ୍ରାମ କରି ଏତେ ଦିନ ବଞ୍ଚି ରହିଥିଲେ , ମାତ୍ର ତାଙ୍କ ଶରୀରରେ ଜୀଵନୀଶକ୍ତି ନିଃଶେଷ ପ୍ରାୟ ହୋଇ ଆସିଥିଲା । ଅଵସନ୍ନ , ଅନାହାର କ୍ଳିଷ୍ଟ ଓ ଯନ୍ତ୍ରଣାରେ ଜର୍ଜରିତ ଏହି ଦୁଇଜଣ ଵ୍ୟକ୍ତି ଉତ୍ତୁଙ୍ଗ ପର୍ଵତ ଉପରେ , ଘୋର ଅରଣ୍ୟ ଭିତରେ ଶୀତ ଵର୍ଷା ସହି ନଅ ଦିନ କାଳ ନିଃସହାୟ ଅଵସ୍ଥାରେ କଟାଇଥିଲେ । ଓରିଲିଙ୍କ ଆକସ୍ମିକ ଆଵିର୍ଭାଵ ତାଙ୍କ ମୁମୂର୍ଷୁ ପ୍ରାଣରେ କି ଅପୂର୍ଵ ସାହସ ଓ ଭରସା ଦେଇଥିଵ ତାହା କେଵଳ ଅନୁଭଵର କଥା । ଓରିଲି ସଙ୍ଗେ ସଙ୍ଗେ ଚା ’ ଓ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଦେଲେ ଏଵଂ ସେମାନଙ୍କଠାରୁ ଦୁର୍ଘଟଣାର ସଵିଶେଷ ଵୃତ୍ତାନ୍ତ ଅଵଗତ ହେଲେ । ସାତଜଣ ଯାତ୍ରୀଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଅଵଶିଷ୍ଟ ଯେଉଁ ତିନିଜଣ ଜୀଵିତ ଥିଲେ , ସେମାନଙ୍କ ଭିତରୁ ଜଣେ ଇଂରେଜ ଯୁଵକ ଗୁରୁତର ଭାବରେ ଆହତ ହୋଇଥିଲେହେଁ ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲେ , କିନ୍ତୁ ଆଉ ସେ ଫେରି ନାହାନ୍ତି । ଓରିଲି ଦେଖିଲେ , ତୁରନ୍ତ ଚିକିତ୍ସା ଓ ସେଵାର ଵ୍ୟଵସ୍ଥା ନକଲେ , ସେ ଦୁଇଜଣଙ୍କୁ ବଞ୍ଚାଇ ପାରିଵା ଅସମ୍ଭଵ । ସୁତରାଂ ଵିଳମ୍ବ ନକରି ସେ ପୁଣି ସେହି ପାହାଡ଼ ଜଙ୍ଗଲପୂର୍ଣ୍ଣ ଦୁର୍ଗମ ପଥରେ ଫେରିଲେ । ସେତେବେଳେ ତାଙ୍କ ଶରୀରରେ ଦ୍ଵିଗୁଣ ଵିକ୍ରମ ଓ ମନରେ ଶତଗୁଣ ସାହସ ଜାତ ହୋଇ ତାଙ୍କୁ ସେ ଦୁର୍ଭେଦ୍ୟ ଅରଣ୍ୟରେ ବାଟ କଢ଼ାଇନେଲା । ପାହାଡ଼ତଳେ ଗୋଟିଏ ଛୋଟ ଗ୍ରାମରେ ପହଞ୍ଚି ସେଠାରୁ ଘୋଡ଼ାଟିଏ ମାଗିଆଣି ସେ ନିକଟତମ ସହର ଅଭିମୁଖରେ ପଵନପରି ଛୁଟିଲେ ଏଵଂ ସେଠାରେ ପହଞ୍ଚି ଉତ୍କଣ୍ଠିତ ଜଗତକୁ ତାଙ୍କର ପ୍ରଥମ ସମ୍ବାଦ ଜଣାଇଲେ । ଏହା ପରେପରେ ପ୍ରାୟ ଅଶୀଜଣ ସ୍ଵେଚ୍ଛାସେଵକ ସଙ୍ଗରେ ଡାକ୍ତର ଓ ଔଷଧପତ୍ର ନେଇ ଅତ୍ୟନ୍ତ ଆୟାସ ସହକାରେ ପର୍ଵତ ଉପରୁ ସେଇ ଦୁଇଜଣ ଆହତ ଵ୍ୟକ୍ତିଙ୍କୁ ଉଦ୍ଧାର କରି ଆଣିଲେ । ଓରିଲିଙ୍କ ସାଧନା ସଫଳ ହେଲା । ଜଗତ ନିଶ୍ଚିତ ମୃତ୍ୟୁମୁଖରୁ ଦୁଇଟି ଜୀଵନ ଫେରିପାଇଲା ଏଵଂ ଦୁର୍ଘଟଣାର ଅଜ୍ଞାତ ରହସ୍ୟ ଏହି ପ୍ରକାରେ ଉଦ୍‌ଘାଟିତ ହେଲା । ଆଉ ସେ ଇଂରେଜ ଯୁଵକ ? ପାଦଚିହ୍ନରୁ ତାଙ୍କର ଅସାମାନ୍ୟ ତ୍ୟାଗ ଓ ଵୀରତ୍ଵର କାହାଣୀ ସଂଗୃହୀତ ହୋଇଅଛି । ମରଣକାଳେ ତାଙ୍କୁ କେହି ଦେଖିନାହିଁ । ଵନର ତରୁଲତା ଓ ପର୍ଵତର ଅଚଳ ଶିଳା ତାଙ୍କର ଶେଷଶ୍ୱାସର ସ୍ପର୍ଶ ଅନୁଭବ କରିଥିବେ । ସଙ୍ଗୀଦ୍ଵୟଙ୍କୁ ବଞ୍ଚାଇଵା ପାଇଁ ସେହି ଯୁଵକ ନିଜର ତୀଵ୍ର ଦାହଯନ୍ତ୍ରଣାକୁ ଭୃକ୍ଷେପ ନ କରି ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲେ । ସେ ଲଣ୍ଡନ ସହରର ଜଣେ ଵ୍ୟଵସାୟୀ । ପର୍ଵତ ଉପରୁ ତିନିହଜାର ଫୁଟ ତଳକୁ ଓହ୍ଲାଇ ଜନବସତିକୁ ଆସିଵା କେଡ଼େ କଷ୍ଟସାଧ୍ୟ , ତାହା ତାଙ୍କୁ ଜଣା ନଥିଲା । ଗୋଟିଏ ଝରଣା ପାରହୋଇ , ଶୈବାଳଜଡ଼ିତ ପିଚ୍ଛିଳ ପ୍ରସ୍ତର ଉପରେ ପଡ଼ି ଉଠି , ଦ୍ରାକ୍ଷାଲତାକୁ ଆଶ୍ରୟ କରି ସେ ଚାଲିଥାନ୍ତି । ହଠାତ୍‌ ଗୋଟିଏ ସ୍ଥାନରେ ଗୋଡ଼ ଖସିଯିଵାରୁ ସେ ପଚିଶ ଫୁଟ ତଳକୁ ଗଳି ପଡ଼ିଲେ । କଠିନ ବନ୍ଧୁର ଶିଳାରେ ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା , ଗୋଟିଏ ଆଖି ପଦାକୁ ବାହାରି ପଡ଼ିଲା , ହାତର କଚଟି ଭାଙ୍ଗିଗଲା ଏଵଂ ଯେଉଁ ଟିକକ ଜୀଵନୀ ଶକ୍ତି ଶେଷକୁ ରହିଥିଲା , ସେତକ ମଧ୍ୟ ଲୋପ ପାଇ ଆସିଲା । କିଛିକ୍ଷଣ ହତଜ୍ଞାନ ରହିଵା ପରେ ତାଙ୍କର ବୋଧହୁଏ ସଂଜ୍ଞା ଆସିଛି । ସେ ପୁଣି କିଛି ବାଟ କଷ୍ଟେ ମସ୍ତେ ଆଗେଇ ଯାଇଛନ୍ତି । ସେହିଠାରୁ ପାଦ ଆଉ ଚଳିନାହିଁ । ଗୋଟିଏ ଗଛମୂଳକୁ ଭରାଦେଇ ଵିଶ୍ରାମ ନେଇଛନ୍ତି । ଡବାର ସିଗାରେଟଟିଏ କାଢ଼ି ଅଧେ ଖାଇଛନ୍ତି , ଆଉ ଅଧିକ ହାତରେ ରହିଛି । ପାଟିକୁ ନେଵାକୁ ବଳ ପାଇନାହିଁ ସେତିକି । ତାଙ୍କୁ ଏଇ ଅଵସ୍ଥାରେ ଦୂରରୁ ଦେଖି ଜୀଵିତ ମନେକରି ଓରିଲି ଯେତେବେଳେ ଡାକ ଦେଲେ , ଉତ୍ତର ପାଆନ୍ତେ କୁଆଡୁ । ଵୀର ଯୁଵକ ! ମୃତ୍ୟୁ ତୁମକୁ ଅମର କରିଛି । ଵିଫଳତା ତୁମକୁ ଗୌରଵମଣ୍ଡିତ କରିଛି । ଅଷ୍ଟ୍ରେଲିଆର ସେ ଜନସଞ୍ଚାରହୀନ ପର୍ଵତ ଉପରେ , ଗହନ ଵୃକ୍ଷରାଜିର ଚନ୍ଦ୍ରାତପ ତଳେ , ଯେଉଁ ଶିଳା ଉପରେ ସେ ଇଂରେଜ ଯୁଵକଙ୍କର ପ୍ରାଣଵାୟୁ ବାହାରି ଯାଇଥିଲା , ସେହିଠାରେ ତାଙ୍କର ସମାଧି ନିର୍ମିତ ହେଲା । ସେ ସ୍ଥାନ ଆଜି ମାନଵଜାତିର ଏକ ତୀର୍ଥଭୂମି । 

Friday, September 27, 2024

ଭାଷାକୋଷକାର(ଶଶିଭୂଷଣ ରାୟ)


ସଂସାରରେ ମନୁଷ୍ୟର ଅନେକ ଦିଗ ଥାଏ, ସଂସାରୀକୁ ଅନେକଆଡ଼େ ଵ୍ୟାପୃତ ରହିଵାକୁ ହୁଏ, ଅନେକ କାର୍ଯ୍ୟ କରିଵାକୁ ହୁଏ । କିନ୍ତୁ ପ୍ରହରାଜଙ୍କର ଯେବେ କୌଣସି
ଦିଗ ଥାଏ, ଯେବେ ସେ ସମଗ୍ର ଜୀଵନରେ କିଛି ଆରାଧନା କରିଥାଆନ୍ତି, ତେବେ ତାହା
ଏକମାତ୍ର ଜ୍ଞାନ । ସଂସାରରେ ମୋହର ଯେଉଁ ସମସ୍ତ ଵ୍ୟକ୍ତିଙ୍କ ସହିତ ପରିଚୟ ହୋଇଅଛି,
ସେମାନଙ୍କ ମଧ୍ୟରୁ ଜଣକୁ ପ୍ରହରାଜଙ୍କ ଭଳି ଜ୍ଞାନର ଅନନ୍ୟନିଷ୍ଠ ସେଵକ ଦେଖି ନାହିଁ । ଉତ୍ସାହସମ୍ପନ୍ନ ଯୁଵକର କ୍ଳାନ୍ତି ଅଛି, କିନ୍ତୁ ଶାସ୍ତ୍ରଚିନ୍ତାରେ କିମ୍ବା ସଂସାରର ଯେ କୌଣସି ଜ୍ଞାନଚର୍ଚ୍ଚାରେ ପ୍ରହରାଜଙ୍କର କେବେ କ୍ଲାନ୍ତି ଦେଖିପାରିଛି ବୋଲି ମୋହର ସ୍ମରଣ ହେଉ ନାହିଁ । ତାଙ୍କର ଚିନ୍ତାଶକ୍ତି ଦର୍ଶନରେ ବିସ୍ମିତ ଓ ଅବାକ୍ ହେଵାକୁ ହୁଏ । ମୁଁ ଦେଖିଅଛି,ଶାସ୍ତ୍ରର ସାହାଯ୍ୟ ଗ୍ରହଣ ନ କରି ସୁଦ୍ଧା ସେ କେବଳ ନିଜର ଚିନ୍ତା ପ୍ରଭାଵରେ କୌଣସି ସିଦ୍ଧାନ୍ତରେ ଉପସ୍ଥିତ ହୋଇ ଦୃଢ଼ତା ସହକାରେ କହିଅଛନ୍ତି-ଏହା ଏହିପରି ହେଵ । ପ୍ରହରାଜେ ଯେ ରାଶି ରାଶି ଗ୍ରନ୍ଥ ଅଧୟନ କରନ୍ତି ତାହା ନୁହେଁ, ସେ ଅଳ୍ପ ଅଧ୍ୟୟନ କରନ୍ତି, ମାତ୍ର ଚିନ୍ତା କରନ୍ତି ଅତ୍ୟନ୍ତ ଅଧିକ । କେତେଗୁଡ଼ିଏ ମାତ୍ର ଶବ୍ଦ ଆୟତ୍ତ କରି ସେ ସନ୍ତୁଷ୍ଟ ରହିଵା ଲୋକ ନୁହନ୍ତି । ସେ ଯାହା ଧରିବେ, ତାକୁ ଭାଙ୍ଗି ଗୁଣ୍ଡା କରି ତାହାର ଅନ୍ତଃସ୍ଥଳରେ କିମ୍ବା ମର୍ମସ୍ଥଳରେ ପ୍ରଵେଶ ନ କରି ଵିଶ୍ରାନ୍ତ ହେବେ ନାହିଁ । ଅସଲ ଖାଣ୍ଟି ଦ୍ରଵ୍ୟ ଖୋଜି ବାହାର କରିଵା ହିଁ ତାଙ୍କର ରୀତି । ତାଙ୍କ ହୃଦୟ କୌଣସି ସାମ୍ପ୍ରଦାୟିକ ସଂସ୍କାରରେ କଳୁଷିତ ନୁହେଁ । ପକ୍ଷପାତିତା
ତାହାଙ୍କୁ ସତ୍ୟ ପଥରେ ଅନ୍ଧ କରିଦେଇ ନାହିଁ । ସେ ନିଜର 'କୁ' ଦେଖନ୍ତି, ମାତ୍ର ଅନ୍ୟର 'ସୁ'
ଦେଖନ୍ତି । ମୁଁ ଦେଖିଅଛି, ସେ କୌଣସି ସମ୍ପ୍ରଦାୟର, କୌଣସି ଅନୁଷ୍ଠାନର ଵହିର୍ଭାଗ ନ ଦେଖି ଅନ୍ତର୍ଭାଗରେ ପ୍ରଵିଷ୍ଟ ହୋଇ ତାହାର ତତ୍ତ୍ବ ବୁଝିଵାକୁ ଚେଷ୍ଟା କରନ୍ତି ।
ତାଙ୍କର ସରଳତା ପଞ୍ଚମ ଵର୍ଷୀୟ ଶିଶୁ ଭଳି, ମୁଁ ଏହା ଦେଖିଅଛି ଓ ମୁଗ୍ଧ ହୋଇଅଛି । ତାହାଙ୍କ ଆଚାର ଵ୍ୟଵହାର ସମସ୍ତ ହିଁ ପ୍ରୟୋଜନାନୁସାରେ । ପ୍ରଚଳିତ ପ୍ରଥା ବୋଲି ତାହାଙ୍କ ନିକଟରେ କିଛି ହିଁ ନାହିଁ । ଯେତେଟିକ ପ୍ରୟୋଜନ, ସେ ସେତିକି କରିବେ ଆହାର-ଵିହାର, ଵସନ-ପରିଚ୍ଛଦ ପ୍ରଭୃତି ସର୍ଵତ୍ରହିଁ ତାହାଙ୍କର ଏହି ନିୟମ ଅଵ୍ୟାହତ
ଭାବରେ ଚାଲିଅଛି । ପ୍ରୟୋଜନର ଅତିରିକ୍ତ ସେ କିଛି ହିଁ କରନ୍ତି ନାହିଁ । କୌଣସି ଲେଖାରେ ଶବ୍ଦପ୍ରୟୋଗ ସମ୍ବନ୍ଧରେ ତାହାଙ୍କୁ ଏହି ନିୟମରେ ପରିଚାଳିତ ହେଵା ଦେଖାଯାଏ । ହୃଦୟର ଭାବ ଯଥାଯଥରୂପେ ସୁଵ୍ୟକ୍ତ ହୋଇପାରେ, ଏଭଳି ଶବ୍ଦ ପ୍ରୟୋଗରେ ତାହାଙ୍କ ଭଳି ନିପୁଣ ଲେଖକ ମୁଁ ବୋଧହୁଏ ଦେଖି ନାହିଁ । ଗୋଟିଏ ଗୋଟିଏ କ୍ଷୁଦ୍ର କ୍ଷୁଦ୍ର ଵାକ୍ୟରେ ଭାଵସମ୍ପଦ କିଭଳି ସୁଚାରୁରୂପେ ପ୍ରକାଶିତ ହୁଏ, ଯେଉଁମାନେ ତାହାଙ୍କ ଲେଖା ପଢ଼ିଅଛନ୍ତି, ସେମାନେ ଜାଣନ୍ତି । ଭାଷାକୁ ପରିସ୍ଫୁଟ କରିଵା ସକାଶେ ତାହାଙ୍କର ଏହିପରି ଅନୁରାଗ । ନୂତନ ନୂତନ ଭାବର ପ୍ରକାଶ ସକାଶେ ନଵ ନଵ ଶବ୍ଦ ଉଦ୍ଭାଵନରେ ସୁଦ୍ଧା ତାହାଙ୍କ ଵିଚିତ୍ର ଶକ୍ତିର ପରିଚୟ ମିଳେ । ତାହାଙ୍କ ଉତ୍କଳ କାହାଣୀ,ଦୁନିଆର ହାଲଚାଲ, ବାଇମାହାନ୍ତି ପାଞ୍ଜି, ଆମଘରର ହାଲଚାଲ, ନନାଙ୍କ ବସ୍ତାନି,ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ଜେଜେବାପାଙ୍କ କାହାଣୀ ପ୍ରଭୃତି ରଚନାଵଳୀରେ ଏଥିରେ ଵିଶିଷ୍ଟ ପରିଚୟ ରହିଅଛି । ପ୍ରହରାଜଙ୍କ ରଚନାପ୍ରଣାଳୀର ମୂଳ କେଉଁଠାରେ ଏଵଂ ତାହାଙ୍କର ଅନ୍ତରର ଵୈଶିଷ୍ଟ୍ୟ କଅଣ ? ଏ ପ୍ରଶ୍ନର ଉତ୍ତର ଗୋଟିଏ କଥାରେ ଦିଆଯାଇପାରେ । Sir Walter Scotଙ୍କ ପରି ସେ Wizard of Orissa, ଓଡ଼ିଶାର ଅପୂର୍ବ ଯାଦୁକର । ସେ ସୌନ୍ଦର୍ଯ୍ୟର ଉପାସକ । ସେ ତାଙ୍କ ରଚନାରେ ପ୍ରାୟ ସବୁ ରସର ଅଵତାରଣା କରିଅଛନ୍ତି । କିନ୍ତୁ
ସର୍ଵତ୍ର ତାହାଙ୍କ ଚକ୍ଷୁ ଯାହା ସୁନ୍ଦର ଓ ଶୋଭନ କିମ୍ବା ମନୋରମ, ତାହା ଉପରେ ନିଵଦ୍ଧ ରହିଥାଏ । ଜୀଵନରହସ୍ୟର ଵ୍ୟଖ୍ୟା ସେ ଯାହା କରିଅଛନ୍ତି, ତହିଁରେ ଦୁଃଖକଷ୍ଟର ଦିଗ ଫୁଟିଉଠି ନାହିଁ । ସଂସାରର ଆଚାର ଵ୍ୟଵହାର ଦେଖି ସେ ଵିରକ୍ତ ଓ ଵିଷଣ୍ଣ ନ ହୋଇ ମନୁଷ୍ୟଜୀଵନର ଅତି ହୀନ କଦର୍ଯ୍ୟ ଓ ଅଵନତ ଅଂଶରୁ ସୌନ୍ଦର୍ଯ୍ୟ ଚୟନ କରିଅଛନ୍ତି । ଅତ୍ୟାଚାର, ଅଵିଚାର, ଅନାଚାର ପ୍ରଭୃତି ଏ ଜାତିକୁ କେତେ ଶତାବ୍ଦୀ ହେଲା ଜର୍ଜରିତ କରିଅଛି । ସାମାଜିକ 'କୁ' ପ୍ରଥା ଜାତିର ମେରୁଦଣ୍ଡକୁ ଦୁର୍ଵଳ କରିଅଛି ।ସ୍ୱାର୍ଥପରତା,ନୀଚତା, କାପୁରୁଷତା,ସଂକୀର୍ଣ୍ଣତା ଓ ଅଜ୍ଞତା ପ୍ରଭୃତି ଏ ସବୁରେ ସ୍ପଷ୍ଟ ହୋଇଅଛି । ଏ ସମସ୍ତ ମଧ୍ୟରେ ଥାଇ ସୁଦ୍ଧା ପ୍ରହରାଜେ ଉତ୍କଳର ଅତୀତର ଓ ଵର୍ତ୍ତମାନର ଅନ୍ତରରେ ସୌନ୍ଦର୍ଯ୍ୟର ଖଣି ସଞ୍ଚିତ ଅଛି, କେଵଳ ଏଭଳି ଆଭାସରେ ଓ ଇଙ୍ଗିତରେ ତାହାଙ୍କ ରଚନାଵଳୀ ପୂର୍ଣ୍ଣ କରିଅଛନ୍ତି । ଏଭଳି ସରସତା ଓ ପ୍ରୀତିମୂଳରେ ତାହାଙ୍କର ତୀବ୍ର ସ୍ଵଦେଶାନୁରାଗହିଁ କାରଣରୂପେ ଵିଦ୍ୟମାନ । ଉତ୍କଳୀୟଙ୍କ ମନରେ ପୌରୁଷର ଅଭିମାନ ଜାଗ୍ରତ କରିଵାକୁ ପ୍ରହରାଜେ ଅଗ୍ରଣୀ । ଏ କାଳରେ ଦେଶକୁ ପୁଙ୍ଖାନୁପୁଙ୍ଖ ରୂପେ ଜାଣିଵା ସକାଶେ ଚାରିଆଡ଼େ ଗୋଟିଏ ଆଗ୍ରହ ଦେଖାଯାଉଅଛି ଓ ଦୁଃଖ, ଦୈନ୍ୟ, କଳୁଷ ଓ ଦୌର୍ଵଲ୍ୟ ଦୂରକରି, ପ୍ରକୃତ ସଂସ୍କାର କରିଵା ସକାଶେ କିମ୍ବା ଜାତିକୁ ଉନ୍ନତ କରିଵା ସକାଶେ ବାସନା ଦୃଷ୍ଟ ହେଉଅଛି । ପ୍ରହରାଜଙ୍କ ଯୌଵନ କାଳରେ ଏହା ଅସମ୍ଭଵ ହୋଇଥିଲା । କିନ୍ତୁ ଆଜି ଯେ ଏହା ସାମ୍ଭାଵ୍ୟମଧ୍ୟରେ ଆସିଅଛି, ଏଥ‌ିପାଇଁ ପ୍ରହରାଜେ କୃତଜ୍ଞତାର ଅଧିକାରୀ । ପ୍ରହରାଜଙ୍କ ପ୍ରତିପାଦ୍ୟ ଵିଷୟ ଓ ଭାବରାଶି ଘେନି ତାହାଙ୍କ ରଚନାଗୁଡ଼ିକର ଶିକ୍ଷା ଘେନି ମତଦ୍ଵୈଧ ଥାଇପାରେ, କିନ୍ତୁ ତାହାଙ୍କର ଭାଷା ଓ ରୀତି ଵିଷୟରେ ସହୃଦୟ ସମାଜରେ ଐକମତ୍ୟ ଅଵଶ୍ୟମ୍ଭାବୀ । ଏ ଭାଷାର ତୁଳନା ନାହିଁ କିମ୍ବା ଏ ରୀତିର ଦ୍ୱିତୀୟ ନାହିଁ । ସମ୍ରାଟ୍‌ଙ୍କ ନାମାଙ୍କିତ ରଜତଖଣ୍ଡ ଭଳି ଉତ୍କଳ ସାହିତ୍ୟ ରାଜ୍ୟରେ ଏହି ରୀତିହିଁ
ଚଳିଵ। ଅନ୍ୟ ସମସ୍ତ ମୁଦ୍ରା ଭେଣ୍ଡି, ହୁଏତ ଭେଲ କିମ୍ବା ଓଜନରେ ଭାରୀ ଏଵଂ ଆବାଜରେ ବୋଦକା । ରଚନାର ପ୍ରଧାନ ଗୁଣ ଏଵଂ ପ୍ରଥମ ପ୍ରୟୋଜନ – ସରଳତା ଓ
ସ୍ପଷ୍ଟତା । ଯେଉଁ ରଚନା ଆବାଳବୃଦ୍ଧବନିତା ସମସ୍ତେ ବୁଝିପାରନ୍ତି ଏବଂ ପଢ଼ିଵା ମାତ୍ରେ
ଯାହାର ଅର୍ଥ ବୁଝାଯାଏ, ଅର୍ଥଗୌରବ ଥିଲେ ତାହା ସିନା ସର୍ଵୋତ୍କୃଷ୍ଟ ରଚନା । ପ୍ରହରାଜଙ୍କ ଭାଷା ପାଠକଙ୍କୁ ଆତଙ୍କରେ କଣ୍ଟକିତ କରେ, ଭକ୍ତିରେ ଉଚ୍ଛସିତ କରେ । କେବେ ଅବା ଚନ୍ଦ୍ରିକୋଜ୍ଜ୍ଵଳ ବାସନ୍ତୀ ନିଶୀଥରେ କୋକିଳର କୁହୁରବ ଭଳି ହୃଦୟକୁ ନଵୀନ ସୁଖସ୍ବପ୍ନରେ ବିହ୍ବଳ କରିପକାଏ, କେବେ ଅବା ସକଳବନ୍ଧନଵିହୀନ ଜୀଵନ୍ମୁକ୍ତ ଵୈରାଗୀଙ୍କ ଉଦାସୀନ ଵାଣୀ ଭଳି ଗୃହହରା କରି ଆମ୍ଭମାନଙ୍କ ପ୍ରାଣକୁ ପରପାରର ପଥିକ ଭଳି ଉପେକ୍ଷାର ମନ୍ତ୍ରରେ ମୁଗ୍ଧ କରିଦିଏ । ଏ ଭାଷାବଳରେ ସକଳ ସୁଖର ଆଧାର, ଶାନ୍ତିର ତୀର୍ଥକ୍ଷେତ୍ର ଉତ୍କଳର ଗୃହସ୍ଥ ମନ୍ଦିର ଚକ୍ଷୁ ସମକ୍ଷରେ ଭାସି ଉଠିଥାଏ । ପରନ୍ତୁ ସରଳତା ଓ ସ୍ପଷ୍ଟତା ଗୁଣରୁ ଅତି ଜଟିଳ ପ୍ରତିପାଦ୍ୟ ଵିଷୟକୁ ମଧ୍ୟ ସରସ ଓ ହୃଦୟଗ୍ରାହୀ କରିଅଛି ଏହି ଭାଷା । ଆଧୁନିକ ରୀତିସମସ୍ତରେ ନୂତନତ୍ଵ କିମ୍ବା ଵୈଚିତ୍ର ଥାଇପାରେ, କିନ୍ତୁ ସାର୍ଵଜନୀନ ଉପାଦେୟତ୍ୱ ନ ଥାଏ, ଏଭଳି ପ୍ରସନ୍ନତା କିମ୍ବା ଏଭଳି ଅପ୍ରତିହତ ପରିସ୍ଫୁରଣ ନ ଥାଏ । ପଦପ୍ରୟୋଗରେ ଯେ ଗୋଟିଏ ଅନୁପାତ ରକ୍ଷା କର୍ତ୍ତଵ୍ୟ -ଗୋଟିଏ ସୁଷମାର ଅନୁପାତ ଲକ୍ଷ୍ୟ କରିଵା ଉଚିତ, ପ୍ରହରାଜଙ୍କ ରୀତି ତାହାର ଅଦ୍ବିତୀୟ ନିଦର୍ଶନ । ସେ ମାତ୍ରା, ସେ ସୁଷମା-ରକ୍ଷାର ନିୟମ ସୂତ୍ରାକାରରେ ନିଵଦ୍ଧ କରିଵା କଠିନ । ପ୍ରହରାଜଙ୍କ ପ୍ରତିଭା ପୁସ୍ତକଵର୍ଣ୍ଣିତ ପୁରୁଭୁଜ ଭଳି ଅସଂଖ୍ୟ ବାହୁ ପ୍ରସାରିତ କରି
‘ଭାଷାକୋଷରେ’ ଆମ୍ଭମାନଙ୍କ ଚିନ୍ତାର ଯାଵତୀୟ ଅଙ୍ଗକୁ ଆକ୍ରମଣ କରିଵାକୁ ଉଦ୍ୟତ
ହୋଇଅଛି ।


ଯେଉଁ ଉତ୍କଳଗୌରଵ ପ୍ରକାଣ୍ଡ ଭାଷାକୋଷର ପଵିତ୍ରୋଜ୍ଜ୍ଵଳ ରଶ୍ମି ପ୍ରଭାଵରେ ସାହିତ୍ୟ ଗଗନ ସମୁଜ୍ଜ୍ବଳ, ତାହାର ପରିଚୟ ଅନାଵଶ୍ୟକ । ସାହିତ୍ୟର ମୃତସଞ୍ଜୀଵନୀ ସୁଧାଧାରା
ଵ୍ୟତୀତ ଯେଉଁ ଜାତି ସଞ୍ଜୀଵିତ, ଉଦ୍ଦୀପିତ ଓ ଦେଶାତ୍ମବୋଧରେ ଅନୁପ୍ରାଣିତ ହୋଇ ନ
ପାରେ, ଜାତୀୟ ଜୀଵନ ସଂଗଠନର ପର୍ଯ୍ୟାପ୍ତ ଉପାଦାନ ଗୌରଵଗର୍ଵ ମନୀଷା ଓ
ପ୍ରତିଭାର ଦାନସ୍ଵରୂପ ଏହି ଭାଷାକୋଷରୁ ଯୁଗେ ଯୁଗେ ସ୍ଵଦେଶ ଓ ସ୍ଵଧର୍ମ ମହିମାରେ
ଉଦ୍‌ବୋଧୃତ ହୋଇ ସେ ଜାତି ନିଜକୁ ଧନ୍ୟ ଓ କୃତାର୍ଥ ଜ୍ଞାନ କରୁଥିଵ । ଓଡ଼ିଆ ଭାଷାରେ ଗୋଟିଏ ମହତ୍ ଵ୍ୟାକ୍ୟ ଅଛି ‘ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ’ । ଏହି ଭାଷାକୋଷରେ କଅଣ ନାହିଁ ? ଗ୍ରନ୍ଥକାରଙ୍କର ଵିଗତ ୨୭ ଵର୍ଷ ଵ୍ୟାପୀ ପ୍ରଗାଢ଼ ପରିଶ୍ରମ, ଅଭୂତପୂର୍ଵ ନିଷ୍ଠା, ଉଦ୍ଦୀପନାପୂର୍ଣ୍ଣ ଏକାଗ୍ରତା, ଅସାଧାରଣ କ୍ଷମତା ଏଵଂ ସର୍ଵୋପରି ଐକାନ୍ତିକ ନିଷ୍ପତ୍ତିଶୀଳତା ଏଡ଼େ ବଡ଼ ପ୍ରକାଣ୍ଡ ଗ୍ରନ୍ଥକୁ ସାଫଲ୍ୟମଣ୍ଡିତ କରିଅଛି, ଅତ୍ର ସନ୍ଦେହୋ ନାସ୍ତି । ସବୁଥରେ ହିଁ ତାହାଙ୍କର ଅସାମାନ୍ୟ କୃତିତ୍ଵ ଦେଖି ସମସ୍ତେ ଵିସ୍ମୟ ଅନୁଭବ କରନ୍ତି । ବଡ଼ଲାଟଙ୍କ ଦରବାରରେ ଯାହାଙ୍କର ସମ୍ମାନ, ତାହାଙ୍କଠାରେ ଅତି ଛିଦ୍ର ଓ ନୀଚ ସ୍ତରର ହରିଜନ ସୁଲଭ କାର୍ଯ୍ୟରେ ଦକ୍ଷତା ଦେଖି କିଏ ବିସ୍ମିତ ତଥା ପୁଲକିତ ନ ହେବ ?

ବଙ୍ଗ ଦେଶରେ ଗୋଟିଏ କଥା ଅଛି ‘‘ଜୋତା ସିଲାଇଠାରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ।’’
ପ୍ରହରାଜଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ଦେଖିଲେ କେଉଁ କଥାରେ ସେ ଦକ୍ଷ ନୁହନ୍ତି,
ଏହା ବୁଝି ହେଵ ନାହିଁ । ମୁଗ ଭାଜି ଚକିରେ ରଗଡ଼ି କୁଲାରେ ପାଛୁଡ଼ି ଡାଲି ରାନ୍ଧିଵା,
ବାସନ ମାଜିଵା, ଅଳ୍ପ ବିସ୍ତର ବଢ଼େଇ କାର୍ଯ୍ୟ କରିଵା, ପାନ ଭାଙ୍ଗିଵାଠାରୁ ଘର ଝାଡ଼ି
ପରିଷ୍କାର କରିଵା, କୁକୁର ବିଷ୍ଠା ଗୃହସ୍ତରେ ଉଠାଇନେଵା, ନିଜର ତଥା ଅପରର ପୁରୀଷ
ଉଠାଇଵା, ଗୋଵରର ଘଷି ପାରିଵା ପ୍ରଭୃତି କାର୍ଯ୍ୟରେ ସେ ସବୁବେଳେ ସିଦ୍ଧହସ୍ତ ।
ଏଣେ ବ୍ରାହ୍ମଣୋଚିତ କର୍ମକର୍ମାଣିରେ ସେ ଧୁରନ୍ଧର । ଶିଵ,ଵିଷ୍ଣୁ, କାଳୀ, ଦୁର୍ଗା, ଗଣେଶ,
ସୂର୍ଯ୍ୟଙ୍କର ପୂଜାର ଓ ହୋମର ଉପଯୁକ୍ତ ଵ୍ୟଵସ୍ଥା ଓ ମନ୍ତ୍ରସମୂହ ତାହାଙ୍କର ଏକପ୍ରକାର
କଣ୍ଠସ୍ଥ କହିଲେ ଅତ୍ୟୁକ୍ତି ହେଵ ନାହିଁ । ଗୃହସ୍ଥାଶ୍ରମର ସାନଠାରୁ ବଡ଼ କାର୍ଯ୍ୟରେ ଅସାମାନ୍ୟ ପ୍ରତିଭାଶାଳୀ ହେଲେହେଁ, ତାହାଙ୍କର ହୃଦୟ ମାନଵିକତା ଓ ପ୍ରେମପ୍ରଵଣତାରେ ପରିପୂର୍ଣ୍ଣ ।
ମାନଵର ଭ୍ରାତୃତ୍ଵ ତାହାଙ୍କ ନିକଟରେ କେଵଳ ଗୋଟିଏ ମୁଖୋଚ୍ଚାରିତ ଵାକ୍ୟ ନୁହେଁ
ସଜୀଵ ଓ ସତ୍ୟ ଆଦର୍ଶ ରୂପେ ଵିଦ୍ୟମାନ । ଧନୀ, ନିର୍ଜନ, ଉଚ୍ଚ, ନୀଚ, ସକଳ ଅଵସ୍ଥାର ଲୋକଙ୍କ ସହିତ ସେ ସମାନ ଭାବରେ ମିଶି ସୁଖୀଙ୍କ ସୁଖରେ ସୁଖୀ ହୋଇ ଓ
ଦୁଃଖୀଙ୍କ ଦୁଃଖରେ ନୟନ ଅଶ୍ରୁସିକ୍ତ କରି ନିଜର ମହତ୍ଵ ହୃଦୟର ପରିଚୟ ଦେଵାଦ୍ଵାରା
ସମସ୍ତଙ୍କୁ ମୁଗ୍ଧ କରିଥାଆନ୍ତି । ସେ ଧନୀ ହେଵା ସକାଶେ କେବେହେଁ ଆକାଂକ୍ଷା କରି ନାହାନ୍ତି, ତାଙ୍କ ମତରେ ଅର୍ଥ ସଞ୍ଚୟ କିମ୍ବା ଵ୍ୟଵସାୟ ଵାଣିଜ୍ୟରେ କୃତକାର୍ଯ୍ୟତା ମନୁଷ୍ୟ ଶକ୍ତିର ସତ୍ୟ କିମ୍ବା ପ୍ରକୃତ ପରିଚୟ ନୁହେଁ । ପୃଥ‌ିଵୀରେ ମୁଦ୍ରା ନାମକ ଦ୍ରଵ୍ୟକୁ ସେ ପରମାରାଧ୍ଯ ଵସ୍ତୁ ବୋଲି ମନେ କରନ୍ତି ନାହିଁ । କେଵଳ ଗ୍ରାସାଚ୍ଛାଦନ ସକାଶେ ଓ ପରୋପକାରପାଇଁ ପ୍ରୟୋଜନୀୟ
ଅର୍ଥରେ ସେ ସର୍ଵଦା ସନ୍ତୁଷ୍ଟ । ପରୋପକାର ସକାଶେ ତାହାଙ୍କର ଯତ୍ନସାମାନ୍ୟ ଆୟରୁ ସେ ଅକାତର ଵ୍ୟୟ କରିଵାକୁ କଦାପି କୁଣ୍ଠିତ ନୁହନ୍ତି । ଏହା ତାହାଙ୍କର ପ୍ରାତ୍ୟହିକ କାର୍ଯ୍ୟପ୍ରଣାଳୀ । ତାହାଙ୍କର ସମୁଜ୍ଜ୍ବଳ ମଧୁର ଓ ସର୍ବଚିତ୍ତରଞ୍ଜନ ମୂର୍ତ୍ତି ସର୍ବଦା ମୋ ନେତ୍ରପଥରେ ପ୍ରତିଭାତ । ତାହାଙ୍କର ପ୍ରଶସ୍ତ ଲଲାଟ, ଅସାଧାରଣ ଜ୍ୟୋତିର୍ମୟ ଆକର୍ଶ ଵିଶ୍ରାନ୍ତ ନୟନଦ୍ଵୟ ଏଵଂ ହାସ୍ୟଵିକଶିତ ସ୍ଥୂଳ ଓଷ୍ଠାଧର ମୁଖମଣ୍ଡଳର ଶୋଭା ଵର୍ଦ୍ଧନ କରୁଅଛି । ତାହାଙ୍କର ଓଷ୍ଠାଧର ବି ନିର୍ଗତ ମଧୁମୟ ଵାକ୍ୟ ସତତ ଅସାଧାରଣ ଶକ୍ତିର ଓ
ପ୍ରତ୍ୟୁତ୍ପନ୍ନମତିତ୍ଵର ପରିଚୟ ଦେଇଥାଏ । ସଂସାରଚିନ୍ତା ତାହାଙ୍କର ଉନ୍ନତ ଅନ୍ତଃକରଣରେ କେବେ ଉତ୍କଣ୍ଠାର ସ୍ଥାନ ଗ୍ରହଣ କରେ ନାହିଁ । କୌଣସି ପ୍ରକାର ସାଂସାରିକ ତାପ ଆନନ୍ଦମୟ, ସବୁବେଳେ ସମସ୍ତଙ୍କର ଆନନ୍ଦଵର୍ଦ୍ଧକ ଓ ଚିତ୍ତାକର୍ଷକ ରୂପେ ଵିଵେଚିତ । ତାହାଙ୍କର ଭାଵଵ୍ୟଞ୍ଜକ ମୁଖଶ୍ରୀ ଉଚ୍ଚବଂଶଜାତ ଧୀମାନ୍ ଓ ଆତ୍ମଶକ୍ତିରେ ନିର୍ଭରଶୀଳ ପୁରୁଷପୁଙ୍ଗବ ଭଳି । ତାହାଙ୍କ ଦେହ ଓ ମୁଖମଣ୍ଡଳରେ ଵାର୍ଦ୍ଧକ୍ୟର ଚିହ୍ନ ସୁସ୍ପଷ୍ଟ ଭାବରେ ମୁଦ୍ରିତ ହେଲେ ହେଁ, ଯୁଵଜନସୁଲଭ କାର୍ଯ୍ୟ କରିଵାର
ଶକ୍ତି, ସରସପଣ ଓ ଉତ୍ସାହ ବହୁଳ ପରିମାଣରେ ତାଙ୍କଠାରେ ଆତ୍ମ ପ୍ରକାଶ କରିଅଛି ।’’ ତାଳଚେରର ସ୍ୱନାମଧନ୍ୟ (ଵାର୍ଦ୍ଧକ୍ୟରେ ମଧ୍ୟ କିଶୋରସୁଲଭ କର୍ମଠତାମୟ) ରାଜା ଶ୍ରୀ କିଶୋରଚନ୍ଦ୍ର ହରିଚନ୍ଦନ ଜଗଦେଵ ଆଜିକୁ ୧୩ ଵର୍ଷ ତଳେ ପାଣ୍ଡୁଲିପିମାନଙ୍କ ପାଇଁ ଯେଉଁ ମୁଦ୍ରିତ ଭିକ୍ଷାପତ୍ର ଉତ୍କଳର ସାହିତ୍ୟାନୁରାଗୀ ଲକ୍ଷ୍ମୀକୁମାରମାନଙ୍କଠାକୁ ପ୍ରେରିତ
ହୋଇଥିଲା, ତହିଁରେ ପ୍ରଥମେ ସ୍ବାକ୍ଷର କରିଥିଲେ । ଉତ୍କଳ ସାହିତ୍ୟ ସମାଜର ୧୯୩୯ରେ ହେଵା ଵାର୍ଷିକ ଉତ୍ସଵର ସଭାପତିଙ୍କ ଅଭିଭାଷଣରେ ସେ ଭାଷାକୋଷର ଉଲ୍ଲେଖ କରିଥିଲେ । ୧୯୪୦ ସାଲର ଉତ୍କଳ ସାହିତ୍ୟ ସମାଜର ଵାର୍ଷିକ ଉତ୍ସଵର ପୁରୋଧା କଲିକତା ଵିଶ୍ବଵିଦ୍ୟାଳୟର ଆଚାର୍ଯ୍ୟ ଅଧ୍ୟାପକ ଶ୍ରୀ ପ୍ରିୟରଞ୍ଜନ ସେନ, ଏମ୍.ଏ., ପି.ଆର୍.ଏସ୍.
କାଵ୍ୟତୀର୍ଥ ତାଙ୍କ ଅଭିଭାଷଣରେ ଭାଷାକୋଷ ଉପରେ ତାଙ୍କର ପ୍ରଶଂସା ଓ ଶୁଭକାମନା
ନିମ୍ନୋକ୍ତ ଭାଷାରେ ଅର୍ପଣ କରିଥିଲେ ।

‘‘ଵର୍ତ୍ତମାନ ଯୁଗରେ ଆପଣମାନଙ୍କର ଗୌରଵ କରିଵାର ଵିଷୟ ମୋର ଶ୍ରଦ୍ଧାସ୍ତ୍ରଦ
ବନ୍ଧୁ ଆପଣମାନଙ୍କ ସଭାପତି ଭାଷାଚାର୍ଯ୍ୟ ରାୟବାହାଦୁର ଗୋପାଳଚନ୍ଦ୍ର ପ୍ରହରାଜଙ୍କର
ବହୁବର୍ଷ ଅକ୍ଳାନ୍ତ ପରିଶ୍ରମସମ୍ଭୂତ ଭାଷାକୋଷ ଗ୍ରନ୍ଥ । ବାଇମାହାନ୍ତି ପାଞ୍ଜି ଓ ପୂର୍ଣ୍ଣଚନ୍ଦ୍ର
ଭାଷାକୋଷ ଏହାଙ୍କଠାରେ ଏକତ୍ର ଦେଖାଇଛି ପରିହାସରସିକତା ଓ ଶାବ୍ଦିକଙ୍କ ପାଣ୍ଡିତ୍ୟ ।
ଏହାଙ୍କ ସମ୍ବନ୍ଧରେ କହିଵାକୁ ଗଲେ, ଆମ ବଙ୍ଗର ଶ୍ରୀ ରାଜଶେଖର ବସୁଙ୍କ କଥା
ମନେପଡ଼େ, ଯାହାଙ୍କ ଗଡାଳିକା ଓ ଚଳନ୍ତିକା ଏହି ଦୁଇଟି ଧାରାକୁ ପୁଷ୍ଟ ରଖିଅଛି । ସେ
ଏକାବେଳକେ ଏକୁଟିଆ ହେଲେ ସୁଦ୍ଧା, ଏହି ବୃହତ୍ ଅଭିଧାନ ରଚନା କରି ଓଡ଼ିଶାର ଶବ୍ଦସମ୍ପଦକୁ ସୁସ୍ପଷ୍ଟ କଲେ । ଏହା ମଧ୍ୟ ସେ ଦେଖାଇଅଛନ୍ତି ଯେ, ଓଡ଼ିଶାରେ ଦେଵୀ
ଭାରତୀଙ୍କ ସନ୍ତାନଗଣଙ୍କଦ୍ବାରା ଅସାଧ୍ୟ ସାଧନରେ ସିଦ୍ଧି ସମ୍ଭଵ ହୋଇପାରେ । ଏହାଙ୍କର ସାଧନା ଵର୍ତ୍ତମାନ ଭାରତ ଭାରତୀଙ୍କ ପୂଜାଵେଦୀମୂଳେ ବହୁମୂଲ୍ୟ ଉପାୟନ ବୋଲି ମୁଁ ମନେ କରେ ।”

Sunday, September 8, 2024

ଦୁନିଆର ହାଲଚାଲ ପ୍ରଥମ ଭାଗର କିଛି ଅଂଶ(ସଂଗୃହୀତ)

ଶରତ୍‌କାଳ । ଚାନ୍ଦିନୀ ରାତି ! ଶନିବାର ! ଆମ୍ଭେମାନେ କଟକ ପ୍ରଵାସୀ କଚେରିଆ । ସସ୍ତ୍ରୀକ ଵିଦେଶଵାସ ଆଜି ପର୍ଯ୍ୟନ୍ତ ଭଗଵାନ୍ କପାଳରେ ଲେଖୁ ନାହାନ୍ତି । ଅତଏଵ ଵାଧ୍ୟ ହୋଇ ଶନିଵାର, ରବିଵାର ଦେଖି ଘରକୁ ଜୀଵନ ଵିକଳରେ ପଳାଇଯାଉଁ । ଯାହାହେଉ ରାତି ୧୦ଟା ବେଳ ଯାକେ କଟକରେ ମୂଲ ଲାଗି ରାତି ୧୦ଟା ବେଳେ ଗ୍ରାମକୁ ବାହାରିଲୁଁ (ସିଦ୍ଧେଶ୍ୱରପୁର କଟକଠାରୁ ୧୩ ମାଇଲ ପୂର୍ଵରେ ) କଟକଠାରୁ ସିଦ୍ଧେଶ୍ୱରପୁରର ବଙ୍ଗଳାଠାକୁ ଗୋଟିଏ ପକ୍କା ରାସ୍ତା ପଡ଼ିଛି । ଗାଡ଼ି, ବଗି,ଘୋଡ଼ା, ଶୂନଗାଡ଼ି, ଷ୍ଟିମର, ଡଙ୍ଗା, ନାଳ ନଈ ଆଠକାଳି ବାରମାସୀ ସବୁପ୍ରକାର ଯାତାୟାତର ସୁଵିଧା ଅଛି । ସିଦ୍ଧେଶ୍ୱରପୁର ବଙ୍ଗଳାଠାରୁ ଆମ୍ଭମାନଙ୍କ ଘରକୁ ଯିଵାପାଇଁ ୧ କ୍ୱାର୍ଟରରୁ କିଛି ବେଶି ବାଟ । କଟକ ଡିଷ୍ଟ୍ରିକ୍ଟ ବୋର୍ଡ଼ ଗୋଟିଏ ମାଟି ସଡ଼କ ପକାଇ
ଦେଇ ଅଛନ୍ତି । ଶୁଖିଲାଦିନେ ପ୍ରାୟ ଵର୍ଷକ ମଧ୍ୟରେ ୭୮ ମାସ ସେଵାଟେ ଘୋଡ଼ାଗାଡ଼ି ସ୍ୱଚ୍ଛନ୍ଦରେ ଯାଇପାରେ । ଘୋଡ଼ାଗାଡ଼ି ଯାଇ ଆମ ଦୁଆର ମୁହଁରେ ଲାଗେ । ଵର୍ଷାଦିନେ
ସେ ମାଟିସଡ଼କଟି କର୍ଦ୍ଦମମୟ ହୋଇ ଵିଶେଷ ଅସୁଵିଧାଜନକ ହୋଇପଡ଼େ । ଗ୍ରାମରେ
ଗୋଟିଏ ମାଇନର ସ୍କୁଲ, ଗୋଟିଏ ବାଳିକା ଵିଦ୍ୟାଳୟ, ଗୋଟିଏ ଅତ୍ୟୁଚ୍ଚ-ପାଠଶାଳା,
ଗୋଟିଏ ସଭା ଓ ତତ୍‌ସଂଲଗ୍ନ ଗୋଟିଏ ସାଧାରଣ ପୁସ୍ତକାଗାର ଅଛି । ପକ୍କା ସଡ଼କ
ନିକଟରେ କଟକର ଚାଉଳିଆ ମହାଜନମାନଙ୍କର ଚାଉଳ ଧରିଵା କୋଠି ଛ’ ଗୋଟି ଅଛି । ଵର୍ଷକେ ସେ କୋଠିମାନଙ୍କରେ ଊଣାଅଧିକ ଦୁଇଲକ୍ଷ ଟଙ୍କାର ଚାଉଳ ଧରା
ହୋଇ ଭିନ୍ନ ଭିନ୍ନ ସ୍ଥାନକୁ ପଠାଯାଏ । କ୍ୱାର୍ଟର ମାଇଲ ମାଟି ସଡ଼କଟିକୁ କଟକର ଡିଷ୍ଟ୍ରିକ୍
ବୋର୍ଡ଼ଙ୍କ ଦ୍ବାରା ପକ୍କା କରାଇଵା ନିମନ୍ତେ କେତେକ ମେମ୍ବରଙ୍କ ନିକଟରେ ଅନୁସରଣ
କରିଅଛୁ, ଫଳ ଈଶ୍ଵରାଧୀନ । ଯାହାହେଉ ଦିନକର ସାମାନ୍ୟ ଘଟନା ଏଠାରେ ଲେଖିବୁଁ । ରାତି ୧୧ଟା ବେଳେ ଥାର୍ଡ଼କ୍ଲାସ ଘୋଡ଼ାଗାଡ଼ିରେ କଟକଠାରୁ ରମାନା ହୋଇ ସିଦ୍ଧେଶ୍ଵରପୁର ବଙ୍ଗଳାଠାରେ ରାତି ୧ଟା ବେଳେ ଓହ୍ଲାଇଲୁଁ । ମୋହର ସହଯାତ୍ରୀ ଜଣେ ବନ୍ଧୁଙ୍କୁ ସେ ବଙ୍ଗଳାଠାରେ ଛାଡ଼ି ଦେଇ ସଙ୍ଗରେ ଲଣ୍ଠନଧରା ଚାକରଟିକୁ ନେଇ ମୁଁ ମାଟିସଡ଼କ ବାଟେ ଗ୍ରାମ ଅଭିମୁଖରେ ଗଲି । ପ୍ରାୟ ୨୦୦ ହାତ ଯାଇଛି, ଏହି ସମୟରେ ବାମପାର୍ଶ୍ଵରେ କ୍ୱାର୍ଟର ମାଇଲ ଦୂରରେ ୩୪ ଗୋଟି ଆଲୁଅ ଦେଖାଗଲା । ମନେ ମନେ ପ୍ରଥମେ ଵିଚାରିଲି, ଏହା ଦୂରଵର୍ତ୍ତୀ ଗୋଶକଟ ସଂଲଗ୍ନ ଆଲୋକ । ମୁଁ ଯେଉଁ ରାସ୍ତାରେ ଯାଉଥିଲି କ୍ବାର୍ଟର ମାଇଲ ବାମପାର୍ଶ୍ବରେ ସମାନ୍ତର ଭାବରେ ଗୋଟିଏ ପକ୍କା ସଡ଼କ କନ୍ଦରପୁରଠାରୁ ତାଳଦଣ୍ଡା ଆଡ଼କୁ ଯାଇଅଛି । ବିଚାରିଲି ସେହି ସଡ଼କରେ ପୂର୍ଵଦିଗକୁ ଯାଉଥ‌ିଵା ଗାଡ଼ିର ଆଲୋକ ଦେଖା ଯାଉଅଛି । ସେଠାରେ ଦଣ୍ଡେ ଠିଆ ହୋଇ ସେହି ଆଲୋକଗୁଡ଼ିକ ନିରୀକ୍ଷଣ କଲି । ଦେଖାଲି, ସେ ଆଲୋକଗୁଡ଼ିକ ବେଳେ ବେଳେ ଦ୍ରୁତଗତିରେ ଚାଲୁଅଛି, ବେଳେ ବେଳେ ନିସ୍ତଵ୍ଧ ଭାବରେ ରହି ଯାଉଅଛି, ବେଳେ ବେଳେ ନିଭି ଯାଉଅଛି, ବେଳେ ବେଳେ ଉଜ୍ଜ୍ୱଳତର ଭାବରେ ଜଳୁଅଛି । ବେଳେ ବେଳେ ଵିପରୀତ ଦିଗରେ ଗତି କରୁଅଛି । ସଙ୍ଗରେ ଯାଉଥିଵା ଚାକରଟି ଏକଲୟରେ ତଳକୁ ଚାହିଁ ଲଣ୍ଠନ ଧରି ଆଗେ ଆଗେ ଚାଲିଛି । ତାକୁ ଡାକି ସେ ଆଲୁଅଗୁଡ଼ିକ ଦେଖାଇ ଦେଲି । ଦୁହେଁଯାକ କିଛିକାଳ ଠିଆ ହୋଇ ସେଗୁଡ଼ିକୁ ଚାହିଁଲୁ । ଏହା ଦେଖି ଚାକରଟି ଭୟରେ ଅସ୍ଥିର । ଆଉ ୩୦୦।୪୦୦ ହାତ ଗଲେ ସିଦ୍ଧେଶ୍ଵରପୁର ମାଇନର ସ୍କୁଲ । ମନେ ମନେ ସ୍ଥିର କଲି ଯେ ସ୍କୁଲ ନିକଟକୁ ଯାଇ ସେଠାରେ ଥିଵା ହେଡମାଷ୍ଟର ଓ ହେଡପଣ୍ଡିତଙ୍କୁ ଡାକି ଏଗୁଡ଼ିକ ଦେଖାଇ ଦେବି । ଏହା ଵିଚାରି ସ୍କୁଲ ନିକଟକୁ ଅଗ୍ରସର ହେଲି । ସେତେବେଳେ ରାତି ପ୍ରାୟ ଦେଢ଼ଟା, କୃଷ୍ଣପକ୍ଷ ସପ୍ତମୀ,
ଜହ୍ନ ପଡ଼ିଛି । ସ୍କୁଲ ନିକଟରେ ପହଞ୍ଚି ଦେଖିଲି ଯେ ସ୍କୁଲ ଘର ମଧ୍ୟରେ ଗୋଟିଏ ଆଲୁଅ ଜଳୁଛି । ଝରକାଟି ମେଲା ହୋଇଅଛି, ଝରକା ନିକଟରେ ଦେଖିଲି - ଘର ମଧ୍ୟରେ ଗୋଟି କେତେ ବେଞ୍ଚ ଯୋଡ଼ା ହୋଇ ପଲଙ୍କର କାର୍ଯ୍ୟ କରୁଅଛି । ତହିଁ ଉପରେ ଖଣ୍ଡିଏ ବିଛଣା ପଡ଼ିଅଛି । ବେଞ୍ଚକୁ ଲାଗି ଖଣ୍ଡିଏ ଟେବୁଲ ରହିଅଛି, ସେ ଟେବୁଲ ଉପରେ ଗୋଟିଏ ଲଣ୍ଠନ ଥୁଆ ହୋଇଅଛି । ଲଣ୍ଠନ ନିକଟରେ ଜଣେ ଲୋକ ବସି ନିଵିଷ୍ଟ ଚିତ୍ତରେ କ’ଣ ଲେଖୁଅଛନ୍ତି । ପୂର୍ଵର ଆଲୋକଗୁଡ଼ିକ ଦେଖ‌ିଲା ବେଳୁ ନିର୍ଜନ ରାତିରେ
କଳ୍ପନାଦେଵୀ ତ ପୂର୍ଵରୁ ଜାଲ ଵିସ୍ତାର କରିଥିଲେ । ନିର୍ଜନ ସ୍କୁଲଗୃହ ମଧ୍ୟରେ ଏତେ
ରାତିରେ ଏପରି ଦୃଶ୍ୟ ଦେଖି କଳ୍ପନାଦେଵୀ ଆହୁରି ଟିକିଏ ସରଗରମ ହୋଇ ଉଠିଲେ ।
ଅସୀମ ଵ୍ୟକ୍ତିଙ୍କର ଆନନ୍ଦ ମୁଖର ଗୋଟିଏ ପାଖ ଦେଖି ହଠାତ୍ ଚିହ୍ନି ପାରିଲି ନାହିଁ । ପଞ୍ଜର ନିକଟରେ ଠିଆ ହୋଇ ‘ଆନନ୍ଦ ରହୋ’ ଅଭ୍ୟାସସିଦ୍ଧ ଡାକଟିଏ ଦେଲି ।
ଧ୍ୟାନନିଵିଷ୍ଟ ଵ୍ୟକ୍ତି ଟିକିଏ ଵିରକ୍ତ ହେଲାପରି ବୋଧହେଲା, ଧ୍ୟାନଯୋଗ ଭାଙ୍ଗିଗଲା ।
ସେ ଝରକା ଆଡ଼କୁ ମୁହଁ ଫେରାଇଲେ । ଚାହିଁଦେଲି ସ୍କୁଲସମୂହର ସବଇନ୍‌ସ୍ପେକ୍ଟର
ଶ୍ରୀଯୁକ୍ତ ବାବୁ ନନ୍ଦକିଶୋର ବଳ ବି.ଏ. । ନନ୍ଦକିଶୋରବାବୁ ମୋର ପରମ ବନ୍ଧୁ । ଏପରିକି ମୁଁ ଗ୍ରାମରେ ନ ଥିଵା ସମୟରେ ସେ ସିଦ୍ଧେଶ୍ଵରପୁର ସ୍କୁଲ ପରିଦର୍ଶନ କରିଵାକୁ ଗଲେ ମୋ ଘରଠାକୁ ଯାଇ ପିଲାପିଲିଙ୍କୁ ସଙ୍ଖୁଳି ଆସନ୍ତି । ସେ ମୋ ପାଟି ବାରିପାରି
ଗୋଟିଏ ନମସ୍କାର କରି ସ୍କୁଲରୁ ବାହାରକୁ ଆସିଲେ । ତାହାଙ୍କୁ ସଙ୍ଗରେ ନେଇ ମୁଁ ସ୍କୁଲର ହେଡ଼ମାଷ୍ଟର ଓ ହେଡ଼ପଣ୍ଡିତଙ୍କୁ ଉଠାଇଲି । ଏତେ ରାତି, ସେଥିରେ ପୁଣି ଶରତ୍‌କାଳର ମଧୁର ଶୀତ ! ଏଥିରେ ଗାଢ଼ନିଦ୍ରାଭିଭୂତ । ଏପରି ଅଵସ୍ଥାରେ ଡାକ ଶୁଣି ବିଛଣାରୁ ଧତକିନି ଉଠିଵା କଷ୍ଟ । କିନ୍ତୁ ସେକ୍ରେଟେରୀ ଓ ସ୍କୁଲ ସବ-
ଇସ୍ପେକ୍ଟର * ଙ୍କ ସମନରେ ହାଜର ନ ହେଲେ ଉଆରଣ୍ଟ ବାହାରିଵାର ଅଵଶ୍ୟମ୍ଭାଵୀ,ଏହା ଭାବି ଓ ଅନେକ କାଳର ଚାକିରି ପ୍ରତି ଟିକିଏ ଵିଶେଷ ମାୟା ରଖି ସେମାନେ ଅଗତ୍ୟା ସୁଖଶଯ୍ୟାରୁ ଉଠି ବାହାରକୁ ଆସିଲେ । ସମସ୍ତେ ଯାଇ ମାଟିସଡ଼କ ଉପରେ ଠିଆହୋଇ ପୂର୍ଵଵତ୍ ସେହି ଆଲୁଅଗୁଡ଼ିକ ନିରୀକ୍ଷଣ କରିବାକୁ ଲାଗିଲୁ । ସେ
ଆଲୁଅଗୁଡ଼ିକ କେତେବେଳେ ଏକତ୍ର, କେତେବେଳେ ଭିନ୍ନ ଭିନ୍ନ, କେତେବେଳେ
ବିପରୀତ ଗତିଶୀଳ, କେତେବେଳେ ନିଷ୍ପନ୍ଦ, କେତେବେଳେ ଵିଭିନ୍ନ ଜ୍ୟୋତିର୍ଵିଶିଷ୍ଟ
ହୋଇ ପ୍ରାୟ ଅର୍ଦ୍ଧଘଣ୍ଟା କାଳ ଦେଖାଗଲା । ସେ ସ୍ଥାନକୁ ଯିଵା ନିମନ୍ତେ ମଝିରେ ଜଳପୂର୍ଣ୍ଣ
ଧାନକ୍ଷେତ୍ର । ଅଗତ୍ୟା ଆମ୍ଭେମାନେ ସେ ଆଲୋକ ଜଳୁଥିଵା ଆଡ଼କୁ ଯାଇପାରିଲୁ
ନାହିଁ । ତାହା ଗାଡ଼ି କିମ୍ବା ମନୁଷ୍ୟ ସଂଲଗ୍ନ ଆଲୋକ ନୁହେଁ, ଏହା ଆମ୍ଭମାନଙ୍କର
ଧାରଣା ହେଲା । ଶେଷକୁ ସେଥିରୁ ଯୋଡ଼ିଏ ଆଲୁଅ ନିଭିଗଲା ଓ ଗୋଟିଏ ଆଲୁଅ
ଆମ୍ଭମାନଙ୍କ ଆଡ଼କୁ କିଛିଦୂର ଆସି ଗୋଟିଏ ବାଉଁଶ ଭେଡ଼ା ନିକଟରେ ନିଭି ଗଲା ।
ଆମ୍ଭେମାନେ ଏହି କଥା ଭାବି ଭାବି ସେ ସ୍ଥାନକୁ ଫେରିଲୁ । ନନ୍ଦକିଶୋରବାବୁ ଓ
ମାଷ୍ଟରଦ୍ଵୟଙ୍କୁ ସ୍କୁଲରେ ଛାଡ଼ି ମୁଁ ଘରକୁ ଗଲି ।

ନନ୍ଦକିଶୋରବାବୁ ରଵିଵାର ସକାଳେ କଟକ ଅଭିମୁଖରେ ଯାତ୍ରା କରିଵାର ସ୍ଥିର
କରିଥିଲେ । କିନ୍ତୁ ଅନୁରୋଧ ଭାଙ୍ଗି ନ ପାରି ରଵିଵାର ଦିନ ସିଦ୍ଧେଶ୍ୱରପୁରଠାରେ ରହିଵାର
ସ୍ଥିର କଲେ । ସକାଳଓଳି ସେ ମୋ ଘରେ କୁଳୁହାଁ(କଟକୀ; କୁଣିଆ) ହେଲେ ଓ ଦୁହେଁଯାକ ସୁଖେଦୁଃଖେ କ୍ଷୁଧାଦେଵୀଙ୍କର ତର୍ପଣ କଲୁ । ସନ୍ଧ୍ୟା ସମୟରେ ଗ୍ରାମ ନିକଟସ୍ଥ କନ୍ଦରପୁର ଛକଠାକୁ ନନ୍ଦକିଶୋରବାବୁଙ୍କ ସଙ୍ଗରେ ବୁଲିଵାକୁ ଗଲୁ । ନନ୍ଦକିଶୋରବାବୁଙ୍କ ପରିଧାନ ଲୁଗା, କମିଜ, ଚାଦର, ମୋଜା, ଜୋତା ।
ନିତାନ୍ତ ଦାୟରେ ନ ପଡ଼ିଲେ ପୋଷାକ ପିନ୍ଧିଵାକୁ ମତେ ଵିରକ୍ତି ବୋଧହୁଏ । ନନ୍ଦକିଶୋରବାବୁ ସ୍କୁଲ ଇଲାକାର ହାକିମ ଓ ଵିଶେଷତଃ କନ୍ଦରପୁର ଛକ ତାଙ୍କର ଅପରିଚିତ ସ୍ଥାନ; ଅତଏଵ ସେ ପୋଷାକ ଆଦି ନ ପିନ୍ଧି ପଦାକୁ ବାହାରିଵା ଯୁକ୍ତିଯୁକ୍ତ
ନୁହେଁ । କିନ୍ତୁ ମୋ ପକ୍ଷରେ ଏ ନିୟମଗୁଡ଼ିକ ନ ଖଟିଵାରୁ ମୁଁ ଖଣ୍ଡିଏ ସାଧାରଣ ଈଷତ୍ ମଳିଆ ଲୁଗା ପିନ୍ଧି ଓ କାନ୍ଧରେ ଖଣ୍ଡିଏ ଗାମୁଛା ପକାଇ ତାଙ୍କ ସଙ୍ଗେ ସଙ୍ଗେ କନ୍ଦରପୁର ଛକଠାକୁ ଗଲି । ସଙ୍ଗରେ ସିଦ୍ଧେଶ୍ୱରପୁର ସ୍କୁଲର ହେଡ଼ପଣ୍ଡିତ, ସେକେଣ୍ଡ ପଣ୍ଡିତ ଥିଲେ । ବାଟରେ ସିଦ୍ଧେଶ୍ଵରପୁର ସର୍କଲର ଇନ୍‌ସ୍ପେକିଙ୍ଗ ପଣ୍ଡିତ ଆମ୍ଭମାନଙ୍କୁ ଭେଟିଲେ । କନ୍ଦରପୁର ୧୫।୧୭ ବର୍ଷ ତଳେ କେଵଳ ଖଣ୍ଡିଏମାତ୍ର ମୁଢ଼ି ଉଖୁଡ଼ା ଦୋକାନ ଥିଲା । ଵର୍ତ୍ତମାନ
ସେଠାରେ ଚାଉଳିଆ ଶେଠାମାନଙ୍କର ୫୬ ଗୋଟି କୋଠି, ୨୪ଟି ବଡ଼ ଦୋକାନ,
୧୦।୧୨ଟି ଉଠାଦୋକାନ ହୋଇଅଛି । ୧୦।୧୫ ଵର୍ଷ ତଳେ ଯାହାର ସେଠାରେ ଖଣ୍ଡିଏ ମୁଢ଼ି-ଉଖୁଡ଼ା ଦୋକାନ ଥିଲା, ଆଜି ସେ ସେଠାରେ ଗୋଟିଏ ମଫସଲ ମିଠାଇ ଦୋକାନ ଖୋଲିଅଛି । ସାଉଟି ସାହୁ ଦୋକାନ ନିକଟରେ ପହଞ୍ଚିଲା ମାତ୍ରକେ ସେ ଖଣ୍ଡିଏ ଅଖାପାଲ ଆଣି କେନାଲ ବନ୍ଧ ଉପରେ ବିଛାଇଦେଲା । ଆମ୍ଭେମାନେ ସେହିଠାରେ ବସି ଦୁନିଆର
ହାଲଚାଲ କଥାଭାଷା ହେଉଅଛୁଁ, ଏହି ସମୟରେ ଛକ ଉପରେ ଜଣେ ଆସି କହିଲା ଯେ ଜଣେ ଉଚ୍ଚପଦସ୍ଥ ହାକିମ ଏହି ବାଟେ ବଳଦଗାଡ଼ିରେ ହରିହରପୁର ଅଭିମୁଖରେ ଯାଉଅଛନ୍ତି । ଉପରୋକ୍ତ ହାକିମ ବଙ୍ଗୀୟ ନଵାଗତ ଵ୍ୟକ୍ତି । କିନ୍ତୁ ସଦାଳାପୀ ଓ ଭଦ୍ର । ତାଙ୍କ ସଙ୍ଗେ କେତେକଦିନ ହେଲା ପରିଚୟ ହୋଇଅଛି । ସେ ବଳଦଗାଡ଼ି ମଧ୍ୟରେ ଅନ୍ଧାରରେ ବସିଥିଲେ, ମୁଁ ମଧ୍ୟ ଗାଡ଼ି ପାଖରେ ଅନ୍ଧାରରେ ଠିଆ ହେଲି । ଓଡ଼ିଆ ଭାଷାରେ
ତାଙ୍କୁ ସମ୍ବୋଧନ କରି ଆଜି ରାତ୍ରିଟା ସିଦ୍ଧେଶ୍ଵରପୁର ପର୍ଣ୍ଣ-ବଙ୍ଗଳାରେ ଅତିଵାହିତ
କରିଵାକୁ ଅନୁରୋଧ କଲି । ଏକେ ଓଡ଼ିଆ କଥା, ତା ଉପରେ ମୋର ଲୁଗା ଗାମୁଛା ପୋଷାକ, ତହିଁରେ ପୁଣି ଅନ୍ଧାର ରାତି । ହାକିମମହୋଦୟ ହଠାତ୍ ମତେ ଚିହ୍ନି ନ ପାରି ହିନ୍ଦୀରେ ଉତ୍ତର ଦେଲେ ‘ତୁମ୍ କୋନ୍ ହେ’ । ମୁଁ ମଧ୍ଯ ଟିକିଏ ରଙ୍ଗ କରିବା ପାଇଁ ଉତ୍ତର ଦେଲି ‘ଆଜ୍ଞା ଜଣେ ଅନୁସରଣିଆ ବ୍ରାହ୍ମଣ’ । ସେ ପ୍ରଥମେ ଵିରକ୍ତ ହୋଇ ଗାଡ଼ି ଚଳାଇଵା

ନିମନ୍ତେ ଆଦେଶ ଦେଲେ । ମୁଁ ମୋର ଘନିଷ୍ଠ ପରିଚୟ ଉପରେ ନିର୍ଭର କରି ଗାଡ଼ିକୁ ଓଗାଳିଲି ଏଵଂ କହିଲି “ନା ! ଆପଣଙ୍କୁ ଏଠାରେ ରହିଵାକୁ ହେଵ” । ଏପରି ଧୃଷ୍ଟତାରେ ବାବୁମହୋଦୟ ଵିସ୍ମିତ ହୋଇ ଗାଡ଼ିରୁ ବାହାରି ଆସି ମତେ ଚିହ୍ନିଲେ ଓ ଟିକିଏ ଲଜ୍ଜିତ ହେଵା ପରି ବୋଧ ହେଲା । ଲଜ୍ଜିତ ହେଵାର କିଛି କାରଣ ନାହିଁ ବୋଲି ମୁଁ ଆଶ୍ୱାସନା ଦେଵାରୁ ସେ ଟିକିଏ ଶାନ୍ତ ହେଲେ ଓ ସେଦିନ ଵିଶେଷ ସରକାରୀ କାର୍ଯ୍ୟଵଶତଃ ସେ ମୋ ପିତାଙ୍କ ଆତିଥ୍ୟ ଗ୍ରହଣ କରିପାରିଵା ନାହିଁ ବୋଲି ଦୁଃଷ୍କୃତ ହୋଇ ମୋଠାରୁ ଵିଦାୟ ହେଲେ । ମୁଁ ତାଙ୍କୁ ଵିଦାୟ ଦେଇ ସେଠାରୁ ଆସି ନନ୍ଦକିଶୋରବାବୁ ବସିଥିଵା ସ୍ଥାନରେ ନାଳ ବନ୍ଧ ଉପରେ ବସି ସାଉଟି ସାହୁ ବୁଢ଼ା ସଙ୍ଗେ ଦୁଃଖ ସୁଖ ହେଲି । ଏହି
ସମୟରେ ସିଦ୍ଧେଶ୍ଵରପୁର ସ୍କୁଲର ସେକେଣ୍ଡ ମାଷ୍ଟର ଆସି କହିଲେ ଯେ ବୁଅର ଯୁଦ୍ଧର
Sir Redvers Buller ସେନାପତିଙ୍କ ନିକଟରେ ସର୍ଦ୍ଦାର ଥିଲା- ଏପରି ଜଣେ ଲୋକ
ଏଠାରେ ଗୁଡ଼ିଆ ଦୋକାନରେ ବସିଅଛି । ଉପସ୍ଥିତ ସମସ୍ତଙ୍କ ମନରେ କୌତୂହଳ ଜାତ
ହେଵାରୁ ସେ ଲୋକଙ୍କୁ ଆମ୍ଭମାନଙ୍କ ନିକଟକୁ ଡକାଇଲୁ । ସେ ଲୋକଟିର ଵୟସ ପ୍ରାୟ
୫୦ ଵର୍ଷ, ଶରୀର ବଳିଷ୍ଠ, ମସ୍ତକ ଲଣ୍ଡା, ବେକରେ ମାଳି ଅଛି । ପରିଧାନ ଖଣ୍ଡେ ଲୁଗା ଓ କାନ୍ଧରେ ଖଣ୍ଡେ ଗାମୁଛା । ସେ ଲୋକଟି ଆମ୍ଭମାନଙ୍କ ନିକଟରେ ଆସି ପହଞ୍ଚି ପ୍ରଥମେ ଓଡ଼ିଆ-ହିନ୍ଦୁସ୍ଥାନୀମିଶ୍ରିତ କଥାଵାର୍ତ୍ତା କଲା । କିଛିକ୍ଷଣ ପରେ ପ୍ରକାଶ କଲା ଯେ ସେ
ଇଂରାଜୀ ଲେଖାପଢ଼ା ଜାଣେ ନାହିଁ, କିନ୍ତୁ ଇଂରାଜୀରେ କଥାଵାର୍ତ୍ତା କରିପାରେ ।
ଆମ୍ଭମାନଙ୍କ ସଙ୍ଗେ ଇଂରାଜୀରେ କଥାଵାର୍ତ୍ତା କରିଵା ନିମନ୍ତେ ତାକୁ ଅନୁରୋଧ କରିଵାରୁ ସେ ଇଂରାଜୀରେ କଥାଵାର୍ତ୍ତା ଆରମ୍ଭ କଲା । ତାହାର ଇଂରାଜୀ କହିଵାର କ୍ଷମତା, ସ୍ୱର, accent, pronunciation, fluency ଦେଖି ଆମ୍ଭେମାନେ ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ
ହେଲୁ । ଆମ୍ଭେମାନେ ତାହାର କାହାଣୀ ମଧ୍ୟରେ ଗୋଟିଏ ଲେଖାଏଁ ପ୍ରଶ୍ନ କରୁଥାଉଁ ।
ସେ କହିଵାକୁ ଲାଗିଲା -
ମୋ ଘର ‘ଜଇଶୋଳ’ ନାମକ ଗ୍ରାମରେ । (ଏହି ଗ୍ରାମଟି ସିଦ୍ଧେଶ୍ଵରପୁରଠାରୁ
୩/୪ ମାଇଲ ହେଵ ।) ମୁଁ ପ୍ରଥମେ ଏଠାରୁ ‘କୁଲି’ ହୋଇ କଲିକତାକୁ ଚାଲାଣ ହେଲି ।
ସେଠାରୁ ୩ ଵର୍ଷର ଏଗ୍ରିମେଣ୍ଟରେ ଆଫ୍ରିକାର ବ୍ରିଟିଶ ଗାଏନାକୁ ଗଲି । ୩ ଵର୍ଷ ବଗିଚାରେ
କୁଲିଗିରିର Agreementର ସମୟ ପୂର୍ଣ୍ଣ ହେଵାରୁ କୁଲିଗିରି ଛାଡ଼ି ସାହେବମାନଙ୍କ
ସର୍ଦାରି ଚାକିରି କଲି । ଅନେକ ସାହେବଙ୍କ କ୍ୱାର୍ଟରରେ ସର୍ଦାର (butler) ସ୍ବରୂପ କାର୍ଯ୍ୟ
କଲି । ଶେଷରେ ସେନାପତି Sir Redvers Bullerଙ୍କ ସର୍ଦାର ହେଲି । ତାଙ୍କ ନିକଟରେ
୧୮ ଵର୍ଷ କାଳ ରହିଲି । ସେଠାରେ ମୋର ମାସିକ ଦରମା ଏଠାକାର ୧୫ ଟଙ୍କା ସଙ୍ଗେ ସମାନ ହେଵ । ପ୍ରଥମେ ୧୨ ଟଙ୍କା ଦରମାରେ ଥିଲି, କିନ୍ତୁ ମୋର କାର୍ଯ୍ୟକୁଶଳତାରେ ମହୋଦୟ ସନ୍ତୁଷ୍ଟ ହୋଇ ମୋର ବେତନ ଵୃଦ୍ଧି କଲେ । ବୁଅର ଯୁଦ୍ଧ ସ୍ଥାନରୁ ଆମ୍ଭମାନଙ୍କ ତମ୍ବୁ ଦୁଇ ମାଇଲ ପଛରେ ପଡ଼ିଥାଏ । ସେନାପତିମାନେ ସେଠାକୁ
ଆସି ଚା’, ଜଳପାନ, ଭୋଜନାଦି କରି ପୁନର୍ଵାର ଯୁଦ୍ଧକ୍ଷେତ୍ରକୁ ଯା’ନ୍ତି । ଏକାଦିନକେ ଥରେ ଇଂରେଜମାନଙ୍କ ପକ୍ଷରୁ ୭୦୦୦ ସୈନ୍ୟ ହତ ହୋଇଥିଲେ । ବୁଅର ସାହେବଙ୍କର ଘରେ ଗୋଳା ବାଜିବାରୁ ସେ ଆହତ ହୋଇ ବିଲାତ ଗଲେ ଓ ମତେ ସଙ୍ଗେରେ British Guina ପର୍ଯ୍ୟନ୍ତ ଆଣି ସେଠାରେ ମୋ ନିମନ୍ତେ କଲିକତା ପର୍ଯ୍ୟନ୍ତ ଜାହାଜ ଭଡ଼ା
(ଆନୁମାନିକ ୨୫୦ ଟଙ୍କା) ଦେଇ ଟିକଟ କରି ଦେଲେ । ମୁଁ ଜାହାଜରେ ଆସି କଲିକତାଠାରେ ପହଞ୍ଚିଲି । ୧୦ ମାସ ହେଲା (ଗତ ପୁଷ ମାସରେ) ଏଠାକୁ ଆସିଅଛି । ଆଜି ପର୍ଯ୍ୟନ୍ତ Buller ସାହେବଙ୍କ ତରଫ ଲୋକ ମନିଅର୍ଡ଼ର ଦ୍ବାରା ମୋଠାକୁ ମାସିକ ୩୧ ଟଙ୍କା ଲେଖାଏଁ ପଠାଉ ଅଛନ୍ତି । ମୁଁ ସେଠାରେ ଜଣେ ନିଗ୍ରୋ ଜାତୀୟ ସ୍ତ୍ରୀକୁ ଵିଵାହ କରିଥିଲି । ମୋର ସେଠାରେ ଯୋଡ଼ିଏ ପୁଅ ହୋଇଥିଲା । ମୁଁ ସେ ସ୍ଥାନ ଛାଡ଼ିଲା ବେଳେ ଗୋଟିକର ଵୟସ ୫ ଵର୍ଷ ଆଉ ଗୋଟିକର ଵୟସ ୧୪ ଵର୍ଷ ହୋଇଥିଲା । ମୋ ସ୍ତ୍ରୀକୁ ମୋ ସଙ୍ଗରେ ଏଠାକୁ ଆସିଵା ନିମନ୍ତେ ମୁଁ ଵିଶେଷ ଅନୁରୋଧ କଲି । ସେ କହିଲା ଯେ ତୁମ ଦେଶର ଜଘନ୍ୟ ଜାତିଭେଦ ପ୍ରଥା (nasty custom of caste
system of f your country) ଯୋଗୁଁ ମତେ ସେଠାରେ ଵିଶେଷ କଷ୍ଟ ଭୋଗ କରିଵାକୁ ପଡ଼ିଵ । ମୋ ପିଲାଙ୍କୁ ମଧ୍ୟ ମୋ ସଙ୍ଗରେ ପଠାଇଵାକୁ ସେ ନାରାଜ ହେଲା । ମୁଁ
ଏଠାରେ ଆସି ପ୍ରଥମେ ଏକଘରକିଆ ହୋଇ ରହିଲି । ୨/୩ ମାସ ହେଵ ପଞ୍ଚଗଵ୍ୟ
ପ୍ରାୟଶ୍ଚିର (cowdung water) କରାଇ ମତେ ଜାତିରେ ନେଇ ଅଛନ୍ତି । ବୁଅରମାନେ
ସେଠାରେ ତାଙ୍କ ସ୍ବାଧୀନତା ନିମନ୍ତେ ଯୁଦ୍ଧ କରୁଥିଲେ । ଇଂରେଜମାନେ ବୁଅରମାନଙ୍କଠାରୁ କେତେ ଲକ୍ଷ sterling କ୍ଷତିପୂରଣ ଚାହିଁଥିଲେ, କିନ୍ତୁ ବୁଅରମାନେ ସେଥିରେ ନାରାଜ ହେଲେ । ମୁଁ କଟକରେ କେତେକ ଲୋକଙ୍କୁ ଜାଣେ । Mr. . . ଯେ କି କଟକର ଜଣେ
ପ୍ରଧାନ ଦେଶୀୟ ଵ୍ୟକ୍ତି ଅଟନ୍ତି, ସେ ମୋର ପରିଚିତ ବନ୍ଧୁ (well known friend of
mine) । ବ୍ରିଟିସ ଗାଏନାରେ ଆମ ଦେଶର ଅନେକ ଲୋକ କୁଲିଗିରି କରନ୍ତି (There
are lot of my people in British - Guina.)" । ମଝିରେ ମଝିରେ Negro ଜାତିସୁଲଭ ଇତର ଭାଷା ମଧ୍ୟ ଉକ୍ତ ଲୋକଟି ଵ୍ୟଵହାର କରୁଥିଲା । ଉଦାହରଣସ୍ୱରୂପ ‘I’ ସ୍ଥାନରେ ‘Me’, ‘he’ ସ୍ଥାନରେ ‘she’, 'me go-ing, me coming' ଇତ୍ୟାଦି । କିନ୍ତୁ ତାହାର କଥାଵାର୍ତ୍ତାର କାଇଦା ଓ ସ୍ୱରରେ
ଆମ୍ଭେମାନେ ‘ଚିତ୍ରାର୍ପିତାରମ୍ଭ’ ହୋଇ ରହିଥିଲା । ବେଶି ରାତି ହୋଇ ଯିଵାରୁ ସେ ଲୋକଟି ତା ଗୃହକୁ ଯିବାକୁ ଉଦ୍‌ଵିଗ୍ନ ହେଵାର ଦେଖି ଆମ୍ଭେମାନେ ତାକୁ ଵିଦାୟ ଦେଲୁ ଓ ପୁନର୍ଵାର ଆମ୍ଭମାନଙ୍କ ସଙ୍ଗରେ ଦେଖା କରିଵା ନିମନ୍ତେ ଅନୁରୋଧ କଲୁଁ । ତହୁଁ ସେ କହିଲା, ‘ଯେବେ ତୁମର card ଥାଏ ମତେ ଦିଅ, ନଚେତ୍ ତୁମର କଟକ ଠିକଣା ଲେଖିଦିଅ । ମୁଁ ଆଶାକରେ ଯେ ମୁଁ ତୁମ୍ଭ ସଙ୍ଗେ କଟକରେ ଦେଖା କରିବି (I will be
glad to meet you at Cuttack) । ଏହା କହି ମୋ ଠିକଣା ଲେଖି କାଗଜଟି ଧରି
ସେ ଚାଲିଗଲା । ଲେଖା ଥିଵା କାଗଜ ଖଣ୍ଡିକ ଧରି ସେ ଲୋକଟି ତାହାର ଗନ୍ତବ୍ୟ ପଥ
ଅନୁସରଣ କଲା । ମୋର ବନ୍ଧୁ ନନ୍ଦକିଶୋରବାବୁ ଉକ୍ତ ଲୋକଟିକୁ ଏଥି ମଧ୍ୟରେ ଥରେ
ପଚାରିଥଲେ- ‘ତୁମେ ଗୋଟିଏ ପିଲା ଆଣି ତୁମର ସ୍ତ୍ରୀକୁ ଗୋଟିଏ ପିଲା ଦେଇ ଆସିଲ ନାହିଁ କାହିଁକି ? ସେ ଲୋକଟି ଉତ୍ତର କଲା - ‘ମୋର ସ୍ତ୍ରୀ ମତେ ଵିଦାୟ ଦେଵାକୁ ଆପତ୍ତି କଲା ନାହିଁ, କିନ୍ତୁ ସେ ମୋ ସଙ୍ଗରେ ଆସିଵାକୁ ନିତାନ୍ତ ନାରାଜ ହେଵାରୁ ମୁଁ
ବାଧ୍ୟ ହୋଇ ଆସିଲି । ଆଜିକାଲି ମଝିରେ ମଝିରେ ସେମାନଙ୍କଠାରୁ ମୁଁ ଭାଷା ପାଉଅଛି ।’ ଆଉ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଲା ଯେ ‘ମୁଁ ମୋର ଦେଶର ମାୟା ଛାଡ଼ି ନ ପାରି
ବାହାରି ଆସିଲି ।’ ସେ ଲୋକଟି ଯିଵା ପରେ ଆମ୍ଭେମାନେ ଆଜି ଦିନଟି ବଡ଼ ସୁଖର ଦିନ
ବୋଲି ଭାବିଲୁ । ସେ ଲୋକଟିକୁ ଦେଖି ଆମ୍ଭମାନଙ୍କ ମଧ୍ୟରେ ତଳଲିଖିତ ଵିଷୟଗୁଡ଼ିକ
ସିଦ୍ଧାନ୍ତ ହୋଇଥିଲା
ଇଂରାଜଙ୍କ ସହଵାସରେ ସେ ଲୋକଟିର ମାନସିକ ସ୍ଵାଧୀନତା
ଢେର ବଢ଼ିଅଛି । ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଇଂରାଜୀ କଥା କହିଵା ବେଳେ
ସୁଦ୍ଧା ଆମ୍ଭମାନଙ୍କ ଵାକ୍ୟରୁ ଆମ୍ଭମାନଙ୍କ ଜାତିର ମାନସିକ ପରାଧୀନତା ଜଣାପଡ଼େ । କିନ୍ତୁ
ଇଂରାଜୀ କଥା କହିଲା ବେଳେ ତାର ସ୍ବାଧୀନ ଭାବ ଦେଖି ମୁଁ ଓ ନନ୍ଦକିଶୋରବାବୁ ଵିସ୍ମିତ
ହୋଇ ବସିଥାଉଁ । ଜଣେ ଓଡ଼ିଆ ଗଉଡ଼ ମୁହଁରୁ ଇଂରାଜୀ ଭାଷାରେ "lost of my
people', Mr. ** is a friend of mine', nasty custom of caste system of
your counrty' ଏଗୁଡ଼ିକ ଶୁଣିଵା ପ୍ରଥମେ ସ୍ଵପ୍ନ ପରି ବୋଧ ହେଵ ।
-
ସେ ମନୁଷ୍ୟଟି ଯିଵା ପରେ ଆମ୍ଭମାନଙ୍କ ମନରେ କେତେ ଭାବର ଉଦୟ ହେଲା
ଓ ଲୋକଟି ସଙ୍ଗରେ ପୁନର୍ଵାର ଦେଖା ହେଲେ ଆଫ୍ରିକା ଦେଶଵାସୀ ଓଡ଼ିଆଙ୍କ ଆଚାର-
ଵ୍ୟଵହାର ସମ୍ବନ୍ଧରେ ଓ ବୁଅର ଯୁଦ୍ଧ ସମ୍ବନ୍ଧରେ ଉକ୍ତ ଲୋକଟିକୁ ଜଣାଥିଵା କେତେକ
ଵିଷୟ ବୁଝିବୁଁ ବୋଲି ରହିଲୁ ।
ତେବେ ମୋର ବନ୍ଧୁ ନନ୍ଦକିଶୋରବାବୁଙ୍କର କଵିକଳ୍ପନା ଆଗରୁ କେତେଗୁଡ଼ିଏ
ଚିତ୍ର ଆଙ୍କି ଦେଇଥ‌ିଵାରୁ ସେଗୁଡ଼ିକ ଲେଖିସରଖିଵାର ଉଚିତ ବୋଧ କରୁଁ ।
ଏଠାରୁ ଓଡ଼ିଆମାନେ ଯାଇ ସେଠାରେ ନିଗ୍ରୋମନଙ୍କ ସଙ୍ଗରେ ଵିଵାହ କରି ଘର ଦ୍ଵାର କରି ରହନ୍ତି । ବ୍ରିଟିଶ ଗାଏନା କୁଲିମାନଙ୍କ ମଧ୍ୟରେ ହିନ୍ଦୁସ୍ଥାନୀ (ପଶ୍ଚିମା) ଓ ଓଡ଼ିଆ କୁଲି ଅଧିକ । ସେମାନେ ସେଠାରେ ଓଡ଼ିଆମିଶା ହିନ୍ଦୁସ୍ଥାନୀ ଭାଷା ସୃଷ୍ଟି କରିଅଛନ୍ତି । ସେମାନେ ସେଠାକୁ ଯାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରନ୍ତି । ଏ ଦେଶରେ ସାହେବମାନଙ୍କ ସଙ୍ଗେ ଦେଶୀୟମାନଙ୍କର ଯେଉଁ ସମ୍ପର୍କ, ସେଠାରେ ସମ୍ପର୍କ ତାହା ଅପେକ୍ଷା ଘନିଷ୍ଠତର ଓ ଉଚ୍ଚତର ।

(ମାଇନର ସ୍କୁଲର ସେକ୍ରେଟେରୀ ଗୋପାଳ ଚନ୍ଦ୍ର ପ୍ରହରାଜ ।
* ସବ୍-ଇନିସ୍ପେକ୍ଟର ଅଫ୍ ସ୍କୁଲ୍ସ : ନନ୍ଦକିଶୋର ବଳ ।)

×××××××××××××××××××
୰ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦୁନିଆର ହାଲଚାଲ ପ୍ରଥମ ଭାଗରୁ ଗୃହୀତ 
×××××××××××××××××××

Saturday, September 7, 2024

•ଫକୀରମୋହନଙ୍କ "ଓଡ଼ିଶା ଦୁର୍ଭିକ୍ଷ" ଆଲୋଚନା•

ହଜାର ହଜାର ଵର୍ଷ ଧରି ପୃଥିଵୀ ପୃଷ୍ଠରେ ମନୁଷ୍ୟମାନଙ୍କର ଏକଛତ୍ରଵାଦୀ ଶାସନ ରହିଛି । କିନ୍ତୁ ପୃଥିଵୀର ସବୁଠାରୁ ଶକ୍ତିଶାଳୀ ଓ ବୁଦ୍ଧିମାନ ଜୀଵ ହୋଇ ମଧ୍ୟ ମଣିଷ ଅନେକ ସମୟରେ ପ୍ରକୃତି ପାଖରେ ଅସହାୟ ହୋଇ ଅନ୍ନ ଜଳ ଅଭାଵରୁ ମୃତ୍ୟୁଵରଣ ମଧ୍ୟ କରିଥାଏ । ଵନ୍ୟା, ଵାତ୍ୟା ,ମରୁଡ଼ି ଓ ଦୁର୍ଭିକ୍ଷ ମଣିଷକୁ ଅସହାୟ କରିଦିଏ ଫଳତଃ ଶକ୍ତିଶାଳୀ ମନୁଷ୍ୟ କ୍ଷଣକେ ଅସହାୟ ହୋଇ ମୃତ୍ୟୁ ମୁଖରେ ପଡ଼େ । ଵିଭିନ୍ନ ପ୍ରାକୃତିକ ଵିପର୍ଯ୍ୟୟ ପରି ଦୁର୍ଭିକ୍ଷ ଯୋଗୁଁ ମଧ୍ୟ ଲକ୍ଷ ଲକ୍ଷ ଲୋକେ ମୃତ୍ୟୁଵରଣ କରିଥାନ୍ତି। ହଜାର ହଜାର ଵର୍ଷ ଧରି ମନୁଷ୍ୟମାନେ ଦୁର୍ଭିକ୍ଷର ଶିକାର ହୋଇଥିଵାର ପୌରାଣିକ ତଥା ଐତିହାସିକ ପ୍ରମାଣ ମିଳେ । ମୁଖ୍ୟତଃ ଦୁଇ ପ୍ରକାରର ଦୁର୍ଭିକ୍ଷ ଦେଖାଯାଏ, ପ୍ରାକୃତିକ ଓ ମାନଵକୃତ । ମନୁଷ୍ୟମାନେ ଵର୍ଷେ ଵର୍ଷେ ପ୍ରାକୃତିକ ଦୁର୍ଭିକ୍ଷର ଶିକାର ହୁଅନ୍ତି । ଦେଖାଯାଏ ପ୍ରତି ଅଶି କି ଶହେ ଵର୍ଷ ମଧ୍ୟରେ ବାଉଁଶ ଗଛରେ ଧାନ୍ୟ ହୁଏ ଏଵଂ ହଠାତ୍ ଏତେ ପରିମାଣର ଖାଦ୍ୟ ଵୃଦ୍ଧି ଯୋଗୁଁ ମୂଷାମାନଙ୍କର ସଂଖ୍ୟା ଅହେତୁକ ବଢ଼ିଯାଏ । ଫଳରେ ସେହି ମୂଷାମାନଙ୍କ ଯୋଗୁଁ ମନୁଷ୍ୟାଦି ଅନ୍ୟାନ୍ୟ ଜୀଵମାନେ ଖାଦ୍ୟ ଶସ୍ୟ ଅଭାଵରେ ଅନାହାର ପିଡ଼ିତ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି। ଏହା ପ୍ରାକୃତିକ ଦୁର୍ଭିକ୍ଷର ଗୋଟିଏ ଉଦାହରଣ । ପ୍ରତି କୋଡ଼ିଏ ପଚିଶ ଵର୍ଷରେ ଏଲ୍ ନିନୋ ପ୍ରାକୃତିକ ଜଳଵାୟୁ ଵିପର୍ଯ୍ୟୟ ଚକ୍ର ଯୋଗୁଁ ପୃଥିଵୀର କିଛି ଅଞ୍ଚଳରେ ଭୟଙ୍କର ଵନ୍ୟା ଵାତ୍ୟା ଦେଖାଯାଏ ପୁଣି ଅନ୍ୟ କେତେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ପଡ଼େ । ସେଭଳି ଭୀଷଣ ମରୁଡ଼ି ଯୋଗୁଁ ମଧ୍ୟ ଦୁର୍ଭିକ୍ଷ ହୋଇ ଅନେକ ଲୋକ ମୃତାହତ ହୁଅନ୍ତି । ଶସ୍ୟ ଅମଳ ପୂର୍ଵରୁ ଭୀଷଣ ଵନ୍ୟା ଵାତ୍ୟା ଘଟି ଶସ୍ୟହାନୀ ଘଟିଲେ ବି ଲୋକେ ଦୁର୍ଭିକ୍ଷର ଶିକାର ହୋଇଥାନ୍ତି । ମନୁଷ୍ୟ ଯୋଗୁଁ ମଧ୍ୟ ଦୁର୍ଭିକ୍ଷ ହୋଇଥାଏ। ଅତୀତରେ ବଡ଼ ବଡ଼ ଯୁଦ୍ଧ ହୋଇଛି ଏଵଂ ତତ୍ପରଵର୍ତ୍ତୀ କାଳରେ ଦୁର୍ଭିକ୍ଷ ଯୋଗୁଁ ଲକ୍ଷ ଲକ୍ଷ ଲୋକେ ମରିଛନ୍ତି। ଚୀନରେ ଷାଠିଏ ଦଶକରେ ମାଓ ସେ ତୁଙ୍ଗ୍‌ଙ୍କ କେତେକ ଭୁଲ୍ ନୀତି ଯୋଗୁଁ ଲକ୍ଷ ଲକ୍ଷ ଚୀନିଲୋକେ ମୃତ୍ୟୁଵରଣ କରିଥିଲେ। ମଶା,ମାଛି,ଚଟିଆ ଓ ମୂଷାଙ୍କ ଵିନାଶ ଦ୍ଵାରା ଶସ୍ୟ ରକ୍ଷା ହେଵ ବୋଲି ଵିଚାର କରି ମାଓ ସେ ତୁଙ୍ଗ୍‌ ଚୀନ ଦେଶରେ Four Pests campaign(Four Evils campaign ଓ Chú Sì Hài ନାମରେ ବି ଜଣାଶୁଣା) ଵା ଚାରି କୀଟ ଅଭିଯାନ ଚଳାଇଲେ । ଏଥିରେ ସାଧାରଣ ଜନତାଙ୍କୁ ମଧ୍ୟ ଧନ ଲୋଭ ଦେଖାଇ ସମ୍ପୃକ୍ତ କରାଗଲା । ଲୋକେ ଵିଶେଷତଃ ଚଟିଆମାନଙ୍କୁ ଲକ୍ଷ ଲକ୍ଷ ସଂଖ୍ୟାରେ ମାରିଵାକୁ ଲାଗିଲେ । ଫଳତଃ ଶସ୍ୟକୁ କ୍ଷତି ଘଟାଉଥିଵା ଅନ୍ୟାନ୍ୟ କୀଟଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଗଲା । ଵିଶେଷକରି ଶିକାରୀ ଅଭାଵରୁ ତଥା ଖାଦ୍ୟ ପ୍ରାଚୁର୍ଯ୍ୟ ଯୋଗୁଁ ଝିଣ୍ଟିକାମାନଙ୍କ ସଂଖ୍ୟା ଭୀଷଣ ଭାବେ ଵୃଦ୍ଧିପାଇଲା । ପରଵର୍ତ୍ତୀକାଳରେ ସେଇ ଝିଣ୍ଟିକା ଅଣାୟତ୍ତ ହୋଇ ପଙ୍ଗପାଳ ଦଳ ଗଢ଼ି ଚୀନର ଲକ୍ଷ ଲକ୍ଷ ଏକର୍ ଚାଷ ଜମିର ଶସ୍ୟକ୍ଷେତ୍ରର ଗଛ ନଷ୍ଟ କରିଦେଲେ । ଫଳ ସ୍ଵରୁପ ଚୀନରେ ପନ୍ଦରରୁ ପଞ୍ଚାବନ ନିଉତ(ମିଲିଅନ) ଲୋକେ ଦୁର୍ଭିକ୍ଷର ଶିକାର ହେଲେ । ଚୀନର ଏହି ଦୁର୍ଭିକ୍ଷକୁ Great Chinese Famine ନାମରେ ଜଣାଯାଏ ଯାହା ମାନଵକୃତ ଦୁର୍ଭିକ୍ଷର ବଡ଼ ଉଦାହରଣ। ଦୁର୍ଭିକ୍ଷ କଥା ପଡ଼ିଲେ ଓଡ଼ିଶା, ବିହାର ଓ ବଙ୍ଗରେ ୧୮୬୬ ମସିହାରେ ଦେଖା ଦେଇଥିଵା ନ ଅଙ୍କ ଦୁର୍ଭିକ୍ଷ ମନେ ପଡ଼ିଯାଏ। ଏହା ମଧ୍ୟ ମାନଵକୃତ ଦୁର୍ଭିକ୍ଷର ଗୋଟିଏ ଅନ୍ୟତମ
 ଉଦାହରଣ କହିଲେ ଅତ୍ୟୁକ୍ତି ହେଵ ନାହିଁ।
ଓଡ଼ିଶାରେ ନଅ ଅଙ୍କ ଦୁର୍ଭିକ୍ଷ ପୂର୍ଵରୁ ପ୍ରାୟ ଦୁଇ ହଜାର ଵର୍ଷ ପୂର୍ଵେ ମାନଵକୃତ ଦୁର୍ଭିକ୍ଷ ପଡ଼ିଥିଲା ବୋଲି ଅଶୋକଙ୍କ ଶିଳାଲେଖରୁ ଜଣାଯାଏ। କଳିଙ୍ଗ ଯୁଦ୍ଧ ପରେ ପରେ ତତ୍କାଳୀନ କଳିଙ୍ଗ ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ତହିଁର ଦି ହଜାର ଵର୍ଷ ପରେ ପୁଣି ଓଡ଼ିଶାର ଲୋକେ ୧୮୬୬ ମସିହାରେ ମାନଵୀୟ ତ୍ରୁଟି ଯୋଗୁଁ ଦୁର୍ଭିକ୍ଷର ଶିକାର ହେଲେ । ୧୮୬୬ ମସିହାର ନ ଅଙ୍କ ଦୁର୍ଭିକ୍ଷ ଵିଷୟରେ ଅନେକ ପୁସ୍ତକ ରହିଛି ଏଵଂ ବଙ୍ଗ ଓଡ଼ିଶା ଓ ବିହାରର ଅନେକ ଲେଖକ ଏ ଵିଷୟରେ ଲେଖିଛନ୍ତି। ତେବେ ଫକୀର ମୋହନ ସେନାପତିଙ୍କ ଆତ୍ମଜୀଵନୀରେ ସଂକ୍ଷିପ୍ତ ଆକାରରେ ଓଡ଼ିଶା ଦୁର୍ଭିକ୍ଷ ଶୀର୍ଷକରେ ଯେଉଁ ଛୋଟିଆ ଉପାଖ୍ୟାନଟି ରହିଛି ତାହା ଅତ୍ୟନ୍ତ ମାର୍ମିକ ଓ ବାରମ୍ବାର ପଠନୀୟ ‌। ଫକୀରମୋହନ ସେନାପତି ନଅ ଅଙ୍କ ଦୁର୍ଭିକ୍ଷର ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟମାନଙ୍କ ପରି ସେ ମଧ୍ୟ ନଅଙ୍କ ଦୁର୍ଭିକ୍ଷ ଦ୍ଵାରା ପିଡ଼ିତ ହୋଇଥିଲେ । ନ ଅଙ୍କ ଦୁର୍ଭିକ୍ଷ ସମୟରେ ଫକୀରମୋହନଙ୍କୁ ମାତ୍ର ୨୩ ଵର୍ଷ ହୋଇଥିଲା ଏଵଂ ସେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ । ଫକୀରମୋହନଙ୍କ ଆତ୍ମଜୀଵନୀରେ ଏହି କଥାକୁ ଏମନ୍ତ ଲେଖାଯାଇଅଛି “ମହାତ୍ମା ରେଭରେଣ୍ଡ ଇ, ସି. ବି. ହାଇମ ସାହେବଙ୍କଠାରୁ ସହାନୁଭୂତି ପାଇ ସୁଖ ଆନନ୍ଦ ଉତ୍ସାହ ସହିତ ସ୍କୁଲର କାର୍ଯ୍ୟ କରୁଥାଏଁ । ସ୍କୁଲଛୁଟି ଉତ୍ତାରେ ଅଧିକାଂଶ ସମୟ ସାହିତ୍ୟ ଵିଷୟରେ ତାଙ୍କ ସହିତ ଚର୍ଚ୍ଚା ହୁଏ । ମୁଁ ତାଙ୍କର ଅଧୀନସ୍ଥ କର୍ମଚାରୀ ହେଲେ ମଧ୍ୟ ଉକ୍ତ ମହାତ୍ମା ମୋ ସହିତ ପରମାତ୍ମୀୟ ପରି ଵ୍ୟଵହାର କରୁଥିଲେ । ଓଡ଼ିଆ ଜାତିର ଉନ୍ନତିକାମୀ ଥିଵାରୁ ମୁଁ ତାଙ୍କୁ ଦେଵତା ତୁଲ୍ୟ ଭକ୍ତି କରୁଥିଲି । ଏହି ସମୟରେ
ଖ୍ରୀଷ୍ଟଧର୍ମାଵଲମ୍ବୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥାଏ । ଏହି ଵୃଦ୍ଧିର ଅନ୍ୟତମ ଅଥଵା ଵିଶେଷ କାରଣ ଉତ୍କଳର ଭୀଷଣ ଦୁର୍ଭିକ୍ଷ । [ପୁରୀ ରାଜାଙ୍କ] ନ-ଅଙ୍କରେ (ସନ ୧୮୬୬ ମସିହା) ଏହି ରୋମହର୍ଷଣ ଵ୍ୟାପାର ଘଟିଥିଲା । ସେହି ଭୀଷଣ କାଣ୍ଡ ଆଜିଯାଏ ଲୋକେ ଭୁଲି ପାରିନାହାନ୍ତି । ସେହି ବର୍ଷ ମଧ୍ୟରେ ୩୦ ଲକ୍ଷ ଲୋକ ପ୍ରାଣତ୍ୟାଗ କରିଥିଲେ । ପ୍ରାୟ ଛପଣି ଲୋକଙ୍କ ଵଂଶ ଉଚ୍ଛନ୍ନ ହୋଇ ଯାଇଅଛି । ଅନେକ ମୃତ, ଅଵଶିଷ୍ଟ ଇତସ୍ତତଃ ହୋଇ ଯାଇଅଛନ୍ତି । ସେ ସମୟକୁ ମୋହର ବୟସ ୨୩ ଵର୍ଷ | ବାଲେଶ୍ଵର ମିସନ ସ୍କୁଲର ପ୍ରଧାନ ଶିକ୍ଷକ ଥିଲି । ଆଜକୁ ୫୦ ଵର୍ଷ ଗତ ହୋଇଅଛି; ମାତ୍ର ସେ ସମୟର ଘଟନାଗୁଡ଼ିକ ଯେମନ୍ତ ମୋ ହୃଦୟରେ ସୁସ୍ପଷ୍ଟରୂପେ ଅଙ୍କିତ ହୋଇ ରହିଅଛି ।”

ନ ଅଙ୍କ ଦୁର୍ଭିକ୍ଷ ଯେଉଁ ୧୮୬୬ ମସିହାରେ ହୋଇଥିଲା ସେହି ଵର୍ଷ ପୃଥିଵୀର ଵିଭିନ୍ନ ସ୍ଥାନରେ ଭୀଷଣ ପ୍ରାକୃତିକ ଵିପର୍ଯ୍ୟୟ ହୋଇଥିଵାର ପ୍ରମାଣ ପୁରୁଣା ସମ୍ବାଦପତ୍ରରୁ ଜଣାଯାଏ। ତେବେ ଏସିଆରେ ୧୮୬୬ ଏକ ଉତ୍ତପ୍ତ ଵର୍ଷ ଭାବେ ଉଭା ହୋଇଥିଲା । ସେହି ଵର୍ଷ ଭଲ ଵର୍ଷା ନହେଵାରୁ ଲୋକେ କେମିତି ଭାଦ୍ରଵ ମାସଠାରୁ ଚାଷ ନକରିପାରି କ୍ରମଶଃ ହଇରାଣ ହୋଇଥିଲେ ସେକଥା ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଉଲ୍ଲେଖ କରିଵାକୁ ଯାଇ ଲେଖିଲେ... “ଭାଦ୍ରମାସ ଚାରିଦିନ ଖୁବ୍ ଟାଣ ଅସ୍ରାଏ ପାଣି ଵର୍ଷି ଛାଡ଼ିଗଲା; ଭାଦ୍ର ଉତ୍ତାରେ ଅଶିଣ ପ୍ରଥମରୁ ଲୋକେ ଜଳସକାଶେ କାତର ଭାଵରେ ଆକାଶକୁ ଚାହିଁଵାକୁ ଲାଗିଲେ । କାହାରି ମୁଖରୁ ଆଉ କୌଣସି କଥା ଶୁଣିଵାକୁ ନାହିଁ, କେଵଳ ଜଳ ଜଳ । କାର୍ତ୍ତିକ ମାସ ଆରମ୍ଭରୁ ଲୋକେ ନିତାନ୍ତ ନିରାଶ ହୋଇପଡ଼ିଲେ । ଜଳ ହେଲେ ମଧ୍ୟ ଆଉ ରକ୍ଷା ନାହିଁ । ଧାନଗଛ ମରିଵାକୁ ଲାଗିଲାଣି । ବାଲେଶ୍ଵର ଜିଲ୍ଲାର ଏକମାତ୍ର ଫସଲ ଧାନ,ସେହି ଗୋଟିକ ମାତ୍ର ଫସଲ ପ୍ରତି ଲୋକଙ୍କ ଜୀଵନ ନିର୍ଭର କରେ । ମୋ ଘରଠାରୁ ଅର୍ଦ୍ଧମାଇଲ ଦକ୍ଷିଣକୁ ବାଲେଶ୍ଵର ସହରର ଲୋକଵସତି ଶେଷ । ସେହିଠାରୁ ଦିଗ୍‌‌ଵଳୟ ସୀମା ପର୍ଯ୍ୟନ୍ତ ନିରଵଚ୍ଛିନ୍ନ ଧାନ୍ୟକ୍ଷେତ୍ର । ମଧ୍ୟରେ ମଧ୍ୟରେ ସମୁଦ୍ର ମଧ୍ୟଗତ ଦ୍ବୀପସ୍ବରୂପ ଗୋଟିଏ ଗୋଟିଏ ପୃଥକ୍ ପୃଥକ୍ ଗ୍ରାମ । ସେହି ସମୟରେ ପ୍ରତିଦିନ ପୂର୍ଵାହ୍ନ ୯ ଘଣ୍ଟା ସମୟରେ ସ୍ନାନ କରି ଖଣ୍ଡିଏ କମ୍ବଳା ସନ କାଖରେ ଯାକି ଏକାକୀ ଧାନ ବିଲକୁ ଯାଏଁ, ବିଲ ମଧ୍ୟରେ ଆସନ ପାରି ବସି ଈଶ୍ବରଙ୍କଠାରେ ଲୋକମାନଙ୍କ ରକ୍ଷା ସକାଶେ ପ୍ରାର୍ଥନା କରେ । ଧାନଗଛଗୁଡ଼ିକ ଶୁଖି କୁଟା
ପରି ହୋଇଗଲାଣି । କେତେକ ଧାନ ଅଧାଅଧି ବାହାରି,କେତେ ଵା ସମ୍ପୂର୍ଣ୍ଣରୂପେ ବାହାରି ସାନ ସାନ ଧଳା ଧଳା ଅଣଖୁଆ ଚଅଁର ପରି ଏପାଖ ସେପାଖ ଦୋହରୁ ଥାଏ । ଲୋକେ ଗୋରୁ ଗାଈ ବିଲ ମଧ୍ଯରେ ଛାଡ଼ି ଦେଇଥାନ୍ତି;ମାତ୍ର ଗୋରୁଗୁଡ଼ାକ ଧାନଗଛ ସବୁ ଥରେ ଥରେ ଶୁଙ୍ଘି ଚାଲିଯାନ୍ତି, ଗଛ ଖାନ୍ତି ନାହିଁ ।”

ଏଥିରୁ ଜଣାପଡ଼େ ଯେ ୧୮୬୬ ମସିହାରେ ପ୍ରଥମେ ପ୍ରାକୃତିକ କାରଣରୁ ମରୁଡ଼ି ଭଳି ସ୍ଥିତି ଉପୁଜିଥିଲା ଯାହା ପରଵର୍ତ୍ତୀ କାଳରେ ଦୁର୍ଭିକ୍ଷରେ ପରିଣତ ହୋଇଯାଇଥିଲା । କିଛି ଗଵେଷକ ଅନୁମାନ କରନ୍ତି ଯେ ୧୮୧୫ରେ ଇଣ୍ଡୋନେସିଆର ତାମ୍ବୋରା ପର୍ଵତରେ ହୋଇଥିଵା ଭୟଙ୍କର ଆଗ୍ନେୟ ଉଦ୍ଗିରଣ ଯୋଗୁଁ ତତ୍ପରଵର୍ତ୍ତୀ ଵର୍ଷଗୁଡ଼ିକ ଵିଶ୍ଵତାପନ ଯୋଗୁଁ କ୍ରମଶଃ ଉଷ୍ଣ ହୋଇଥିଲା । ହୁଏତ ଏହି କାରଣରୁ ଵର୍ଷ ୧୮୬୬ରେ ସେତେ ଵର୍ଷା ହୋଇପାରିନଥିଲା । ଆଉ କିଛି ଗଵେଷକ ୧୮୬୬ ମସିହାରେ ଵର୍ଷା ନହେଵା ପଛରେ el nino ଜଳଵାୟୁ ଵିପର୍ଯ୍ୟୟ ଚକ୍ରର ହାତ ଥିଵା ମଧ୍ୟ ଅନୁମାନ କରନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୯୯୯ ଵାତ୍ୟା ଏଲ୍ ନିନୋ ପ୍ରାଵଲ୍ୟ ଵର୍ଷରେ ଘଟିଥିଲା । ସେ ଯାହାହେଉ ମାନଵ ହସ୍ତକ୍ଷେପ ପୂର୍ଵରୁ ଯେ ପ୍ରାକୃତିକ କାରଣରୁ ଲୋକେ ପ୍ରଥମେ ଖାଦ୍ୟ ଓ ଜଳ ନପାଇ ହନ୍ତସନ୍ତ ହୋଇଥିଲେ ସେକଥା ଫକୀରମୋହନଙ୍କ ଆତ୍ମଜୀଵନୀରୁ ସ୍ପଷ୍ଟ ହୋଇଯାଏ। ବନ୍ଦୀର ଆତ୍ମକଥାରେ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାରେ ଵନ୍ୟା ଓ ଦୁର୍ଭିକ୍ଷ ଯୋଗୁଁ କେମିତି ଲୋକେ ସବୁବେଳେ ହନ୍ତସନ୍ତ ହେଉଥିଲେ ସେକଥା ଵର୍ଣ୍ଣନା କରିଯାଇଛନ୍ତି ...

“ଦୁର୍ଭିକ୍ଷ ଵନ୍ୟାର ଚିର ସହଚର, ଏକ ପଛେ ଅନ୍ୟ ଆସେ ନିରନ୍ତର ।
ସହି ସହି ଵନ୍ୟା-ଦୁର୍ଭିକ୍ଷ-ପ୍ରହାର ଉତ୍କଳର କେତେ ପଲ୍ଲୀ ଛାରଖାର ।
କେତେ ଗ୍ରାମ ଶୂନ୍ୟ, କେତେ ଘର ଖାଲି, କେତେ ଶସ୍ୟକ୍ଷେତ୍ରେ ପୂରିଅଛି ବାଲି;
ନିରାଶା ଆତଙ୍କେ ପ୍ରଜା ଅଵସନ୍ନ, ମରୁଛନ୍ତି କେତେ ନ ପାଇଣ ଅନ୍ନ ।”

ଵାସ୍ତଵିକ ଯେବେ ଯେବେ ପ୍ରାକୃତିକ ଵିପର୍ଯ୍ୟୟ ଘଟେ, ଶତ୍ରୁ ଆକ୍ରମଣ ଯୋଗୁଁ ଯୁଦ୍ଧ ଲାଗିଯାଏ,ମହାମାରୀ ଵ୍ୟାପେ ସେବେ ସେବେ ଦୁର୍ଭିକ୍ଷ ଦେଖାଦିଏ । ପରାଧୀନତ୍ଵର ଶିକୁଳିରେ ବନ୍ଧା ଓଡ଼ିଶା ମଧ୍ୟ ମୋଗଲ ମରାଠା ଓ ଇଂରେଜୀ ଶାସନ କାଳରେ ଅନେକ ଥର ଵନ୍ୟା ଵାତ୍ୟାର ଦାଉ ସହିଛି ଓ ନିଜର ସନ୍ତାନ ସନ୍ତତି ହରାଇଛି । ତେବେ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଯେତେ ଦୁର୍ଭିକ୍ଷ ଵନ୍ୟା ଵାତ୍ୟା ଆଦି ଘଟିଛି ତନ୍ମଧ୍ୟରେ ନଅ ଅଙ୍କ ଦୁର୍ଭିକ୍ଷ ଯୋଗୁଁ ସର୍ଵାଧିକ ଲୋକେ ମରିଛନ୍ତି ଏଵଂ ଏକ ଶତାବ୍ଦୀରୁ ଅଧିକ ସମୟକାଳ ଧରି ଓଡ଼ିଆ ଲୋକଙ୍କୁ ଏହାର ଦୁଷ୍ପରିଣାମ ଭୋଗିଵାକୁ ପଡ଼ିଛି । 

ବାଲେଶ୍ୱରର ଜିଲ୍ଲା ସ୍କୁଲରେ ଶିକ୍ଷକତା କରୁଥିଵା ସମୟରେ ଫକୀରମୋହନ ୧୯୬୬ ମସିହାର ନଅ ଅଙ୍କ ଦୁର୍ଭିକ୍ଷକୁ ଅତି ନିକଟରେ ଦେଖିଥିଲେ ତେଣୁ ସେ ତାଙ୍କ ଆତ୍ମଜୀଵନୀରେ ତତ୍କାଳୀନ ସମାଜରେ ଏହାର କିପରି ଭୟଙ୍କର ପ୍ରଭାଵ ପଢ଼ିଥିଲା ତହିଁର ଅତି ଭାଵପୂର୍ଣ୍ଣ ଵର୍ଣ୍ଣନା କରିଅଛନ୍ତି। ଫକୀରମୋହନ ଲେଖଛନ୍ତି ସେତେବେଳେ “ଦିନ ମଜୁରିଆ ମୂଲିଆଗୁଡ଼ାକ କଂସା ପିତ୍ତଳ ଯାହା ଖଣ୍ଡେ ଖଣ୍ଡେ ଥିଲା ବିକିଦେଇ ଯେତେ ଦିନ ଚଳିଲା ଚଳିଲେ । କାର୍ତ୍ତିକ ଶେଷ ସରିକି ଯାହାକୁ ଯେଉଁ ବାଟ ଦିଶିଲା ଘରୁ ବାହାରି ଚାଲିଗଲେ । ସ୍ତ୍ରୀ ପୁରୁଷ, ବାପ ପୁଅ କାହାରି ସହିତ କାହାରି ଭେଟ ନାହିଁ । ଦୁଆର ଦୁଆର ବୁଲି ବୁଲି ଭିକ ମାଗୁଥାନ୍ତି । କାହାଘରେ ଚାଉଳ ଅଛି ଯେ ଭିକ ଦେଵ । ଚାଷବନ୍ଦି ଲୋକେ ଅଵସ୍ଥାନୁସାରେ ପ୍ରଥମେ
କଂସା-ପିତ୍ତଳ, ଗୋରୁଗାଈ, ସୁନାରୂପା ଯାହା ଘରେ ଯାହା ଥିଲା ବିକିବାକି ମାଘ ଫଗୁଣ ଯାଏ ଦାନ୍ତ କାମୁଡ଼ି ଘରେ ପଡ଼ି ରହିଲେ । ସେ ସମୟରେ ବଳଦ ଗୋଟାକର ଦାମ ଧାନ ଗୌଣିକ ଠାରୁ ଚାରି ପାଞ୍ଚ ଗୌଣି, ଗାଈଟାର ଦାମ ଧାନ ଗୌଣିଏ ଦୁଇଗୌଣି । ସୁନା ରୁପା ଓଜନ କରିଵାକୁ ନିକ୍ତି ତୌଲ ନାହିଁ, ପୁଣି ନିକ୍ତି ଖୋଜିଵାକୁ ତର ସହୁନାହିଁ । ଦରଦାମ ବୁଝୁଛି କିଏ ? ଯେତେ ଗୌଣି ଧାନ ଵା ଚାଉଳ ଦେବୁ ଦେ । ଅନେକ ମଧ୍ୟଭଳି ଲୋକେ ଟଙ୍କା ଅଣ୍ଟାରେ ଖୋସି ଗାଁ ଗାଁ କରି ଧାନ ଚାଉଳ ଖୋଜି ବୁଲୁଥାନ୍ତି । ଧାନ ତ ନାହିଁ, ଯାହାର ଯାହାର ଵା ଥିଲା ଲୁଚାଇ ଦେଲେଣି । ଫଗୁଣ ସରିକି ଚାଷବନ୍ଦି ଲୋକ ଅଧିକାଂଶ, କାରିଗର ଶ୍ରେଣୀର ପ୍ରାୟ ସମସ୍ତେ କୁଆଡ଼େ ଛିନ୍ନଭିନ୍ନ ହୋଇ ବୁଣି ପଡ଼ିଲେଣି । ଘାସପତ୍ର ଯେ ଯାହା ପାଇଲା ଚୋବାଉଥାଏ । ତେନ୍ତୁଳି ଗଛରେ କଅଁଳିଆ ପତ୍ର ବାହାରିଵାରୁ ଗୋଟାଏ ଗୋଟାଏ ଗଛରେ ଦଶ କୋଡ଼ିଏ ଜଣ ଲେଖାଏଁ ଚଢ଼ି ମାଙ୍କଡ଼ ପରି ପତ୍ର ସବୁ ଖୁଣ୍ଟି ଖୁଣ୍ଟି ଖାଉଥାନ୍ତି । ଯେଉଁ ଲୋକକୁ ଅନାଅ, ହାଡ଼ ଆଉ ଚମ, ଆଖି ଭିତରକୁ ପଶିଗଲାଣି । ଅନେକ ଭଲ ଭଲ ଘର ଯୁଵତୀ ବୋହୂ ଝିଅ ଦୁଇ ତିନି ହାତ ଲମ୍ବ ଶହେ ଗଣ୍ଠିଳା କନା ଖଣ୍ଡେ ଖଣ୍ଡେ ଅଣ୍ଟାରେ ଭିଡ଼ି ଦେଇ ଦାଣ୍ଡେ ଦାଣ୍ଡେ ବୁଲୁଥାନ୍ତି । ସେମାନଙ୍କର ମାତୃଚିହ୍ନ ଚର୍ମ ଦୁଇଖଣ୍ଡ ଛାତିରେ ଝୁଲୁଥାଏ । କାହାରି କାହାରି କୋଳରେ ଅସ୍ଥି ଚର୍ମମୟ ପିଲା ସେହି ଚର୍ମମୟ ସ୍ତନଟି ମୁହଁରେ ଦେଇ ଝୁଲି ପଡ଼ିଥାଏ । ଶିଶୁଟା ମୃତ କି ଜୀଵିତ ଚିହ୍ନି ହେଉ ନ ଥାଏ । ମା’ଟା ପ୍ରାଣପଣରେ ଛୁଆଟାକୁ ଯାବୁଡ଼ି ଧରିଥାଏ । ଚୈତ୍ରଠାରୁ କ୍ରମଶଃ ମୃତ୍ୟୁସଂଖ୍ୟା
ବଢ଼ିଵାକୁ ଲାଗିଲା,ଦାଣ୍ଡରେ,ଘାଟରେ,ବଣରେ,ପୋଖରୀ ତୁଠରେ ଯହିଁ ଦେଖିଵ ମଡ଼ା ପଡ଼ି ରହିଥାନ୍ତି ।”

ଆହା ! ସେ ସମୟରେ ଓଡ଼ିଆ ଲୋକମାନଙ୍କର ଦୁର୍ଭିକ୍ଷ ଯୋଗୁଁ ଯେଉଁ ଦୁର୍ଗତି ହୋଇଥିଲା ତାହା ଫକୀରମୋହନଙ୍କ ଆତ୍ମଜୀଵନୀରୁ ପଢ଼ିଲେ ସ୍ଵତଃସ୍ପୃତ ଭାବେ ଆଖି ଛଳ ଛଳ ହୋଇଯାଏ । ନିଜ ଯୁଵାଵସ୍ଥାରେ ଦୁର୍ଭିକ୍ଷର ପ୍ରତ୍ୟକ୍ଷଦର୍ଶୀ ହୋଇନଥିଲେ ଫକୀରମୋହନ କ'ଣ ତତ୍କାଳୀନ ଓଡ଼ିଆଙ୍କ ଦୁରଵସ୍ଥାର ଏତାଦୃଶ ଭାଵପୂର୍ଣ୍ଣ ଵର୍ଣ୍ଣନା କରିପାରିଥାନ୍ତେ ? 

ସେହି ଦିନିଆ Thomas Edward Ravenshaw ନାମକ ଜଣେ ଇଂରେଜ ଵ୍ୟକ୍ତି ଓଡ଼ିଶାର ନୂତନ କମିଶନର ନିଯୁକ୍ତ ହେଲେ । ତାଙ୍କ ଓଡ଼ିଶା ଆସିଵାକୁ ସତେ ଅଵା କାଳ ଅନାଇ ବସିଥିଲା । ତେବେ ଫକୀରମୋହନ ଏହାଙ୍କୁ ଉତ୍କଳର ପରମବନ୍ଧୁ ପରମସହାୟ ବୋଲି ଇତ୍ୟାଦି ଉଲ୍ଲେଖ କରିଛନ୍ତି । 

ସେହି ଵର୍ଷ ସେପ୍ଟେମ୍ବର କି ଅକ୍ଟୋବର ମାସରେ ଗବର୍ଣ୍ଣମେଣ୍ଟରୁ କମିଶନର ରେଭେନ୍ସାଙ୍କ ପାଖକୁ ଚିଠି ଆସିଲା । ଫକୀରମୋହନ ସେନାପତିଙ୍କ ଆତ୍ମଜୀଵନୀ ଅନୁସାରେ ଉକ୍ତ ଚିଠିରେ ଲେଖାଥିଲା —“ଅନାଵୃଷ୍ଟି ହେତୁରୁ ଓଡ଼ିଶାରେ ଦୁର୍ଭିକ୍ଷ ଉପସ୍ଥିତ ହେଵାର ଖୁବ୍ ସମ୍ଭାଵନା । ପ୍ରଜାମାନଙ୍କ ରକ୍ଷା ନିମନ୍ତେ ଗଵର୍ଣ୍ଣମେଣ୍ଟଙ୍କ ପକ୍ଷରୁ କୌଣସି ପ୍ରକାର ଉପାୟ ଵିଧାନ କରାଯିଵାର ଆଵଶ୍ୟକ କି ନା ? ଯଦି ପ୍ରୟୋଜନ ହୁଏ, କି ପ୍ରକାର ଉପାୟ ଵିଧାନ କରାଯାଇପାରେ ?”

କମିଶନର ରେଭେନ୍ସା ତ ଓଡ଼ିଶାରେ ନୂଆ ନୂଆ ନିଯୁକ୍ତି ପାଇଥାନ୍ତି ତେଣୁ ସେ ଓଡ଼ିଶାର ସମାଜ ଓ ସମସ୍ୟା ସମ୍ବନ୍ଧରେ ସେତେଟା ଜାଣିନଥିଵା ସ୍ଵାଭାଵିକ କଥା । ତେବେ ଫକୀରମୋହନଙ୍କ ଆତ୍ମଜୀଵନୀରୁ ଜଣାଯାଏ ଯେ ଗଵର୍ଣ୍ଣମେଣ୍ଟଙ୍କ ଚିଠି ଵିଷୟରେ ଆଲୋଚନା ପାଇଁ ରେଭେନ୍ସା ସାହେଵ ଓଡ଼ିଶାରେ କାମ କରୁଥିଵା ସିରସ୍ତଦାର ଓ ପେସ୍କାର ଆଦି ସରକାରୀ କର୍ମଚାରୀଙ୍କର ଏକ ସଭା ବସାଇଥିଲେ । ଏହି ସଭାରେ କେମିତି ମନ୍ଥରା ଶକୁନି ଭଳି ରାଜକର୍ମଚାରୀମାନେ ଭୁଲ୍ ତଥ୍ୟ ଦେଇ କମିଶନରଙ୍କୁ ଠକିଵା ସହିତ ଓଡ଼ିଆ ଜାତିକୁ କାଳ ମୁଖରେ ଫୋପାଡ଼ି ଦେଇଥିଲେ ତାହା ଫକୀରମୋହନଙ୍କ ଆତ୍ମଜୀଵନୀରେ ସାମାନ୍ୟ ଵ୍ୟଙ୍ଗାତ୍ମକ ଢଗରେ ଲେଖା ହୋଇଛି “ଗଵର୍ଣ୍ଣମେଣ୍ଟଙ୍କ ଚିଠିର ଉତ୍ତର ଦେଵା ସକାଶେ କମିଶନର ସାହେବ କଚେରିର ସମସ୍ତ ଅମଲାଙ୍କୁ ବସାଇ ପରାମର୍ଶ କରିଵାକୁ ଲାଗିଲେ । ସିରସ୍ତାଦାର ଦୁଇଜଣ କହିଲେ,“ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଵ– ପଡୁ; କିଛି ଚିନ୍ତା ନାହିଁ । ମଫସଲର ଜମିଦାର ମହାଜନମାନଙ୍କ ଘରେ ଯଥେଷ୍ଟ ଧାନ ମହଜୁଦ ଅଛି, ସେଥିରେ ଵର୍ଷକ ଚଳି ଯାଇପାରେ ।” ସିରସ୍ତାଦାରମାନେ ଯେ ସ୍ଥଳରେ ଏକଥା କହି ସାରିଲେଣି,
ସେମାନଙ୍କର ମନୋରଞ୍ଜନ ସକାଶେ ପେସ୍କାରମାନଙ୍କର ତ କିଛି ବଢ଼ାଇ କହିଵା ଉଚିତ । କମିଶନରୀ ପେସ୍କାର କହିଲେ, ‘ଗୋପାଳପୁର ମୌଜାର ଜମିଦାର ଘରେ ଦଶଟା ମରେଇରେ ପଚାଶ ହଜାର ଛେଲା ଧାନ ମହଜୁଦ୍ ଅଛି; ତାହାଛଡ଼ା ହଜାର ହଜାର ଛେଲା ଧାନ ଖଣି ପଡ଼ିଛି । ଭୀମପୁର ଶାମ ସାହୁ ଘରୁ ନିକୁଛରେ ଚାଳିଶ ହଜାର
ଛେଲା ଧାନ ବାହାରିଵ । ଏହାଛଡ଼ା ଫି' ଗାଁରେ ଛୁଟକୁରିଆ ମହାଜନମାନଙ୍କ ଘରେ ଧାନ ତ ପୂରି ରହିଛି । କେଵଳ ଏମାନେ ମରେଇ ଫିଟାଇ ଦେଲେ ଓଡ଼ିଶାକୁ ଦୁଇମାସ ସମ୍ଭାଳି ନେବେ ।’ ପଲିଟିକେଲ ଇଲାକା ପେସ୍କାର ବାବୁ ପଚାଶ ହଜାର ଛେଲାରୁ ଉଠି ଲକ୍ଷ ଲକ୍ଷ ଛେଲା ଧାନ ଲୋକମାନଙ୍କ ଘରେ ଥିଵାର ହିସାବ ଦେଲେ । ଆଉ ତଳ ଅମଲାମାନେ ଯେଉଁ ହିସାବ ଦେଲେ, ସେଥିରୁ ଜଣାଗଲା,
ଓଡ଼ିଶାରେ ଅସୀମ ଧାନ ମହଜୁଦ ଅଛି, ସେଥ‌ିରେ ଵର୍ଷକ ରକ୍ଷା ପାଇପାରେ । କମିଶନର ସାହେବ ଗଵର୍ଣ୍ଣମେଣ୍ଟଙ୍କୁ ଲେଖିଲେ,
‘ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ; ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି, ସେଥିରେ ଵର୍ଷକ ଚଳିଯାଇ ପାରିଵ ।”

କହିଵା ବାହୁଲ୍ୟ ସେତେବେଳେ ଓଡ଼ିଶାରେ କାର୍ଯ୍ୟ କରୁଥିଵା ଅଧିକାଂଶ ରାଜକର୍ମଚାରୀମାନେ ଅଣଓଡ଼ିଆ ହିଁ ଥିଲେ ତେଣୁ ସେମାନେ ଭଲା ଓଡ଼ିଆ ଲୋକେ ମରିଗଲେ କାହିଁକି ଚିନ୍ତା କରନ୍ତେ ? ଵରଂ ଓଡ଼ିଆ ଲୋକେ ମରିଗଲେ ତାଙ୍କ ଘର ବିଲ ବାଡ଼ି ଅକ୍ତିଆର କରିନେଵାକୁ ଏହି ତଥାକଥିତ ରାଜକର୍ମଚାରୀମାନେ ଅଧିକ ଶ୍ରେୟସ୍କର ମଣିଛନ୍ତି ତେଣୁ ବହୁତ ସମ୍ଭଵ ସେମାନେ କମିଶନରଙ୍କୁ ଓଡ଼ିଶାରେ ଯଥେଷ୍ଟ ଧାନ ଥିଵା ଆଦି ମିଥ୍ୟା କଥା କହିଛନ୍ତି । ଓଡ଼ିଶାରେ ସେସମୟର ଅନେକ ରାଜକର୍ମଚାରୀମାନେ ବଡ଼ ବଡ଼ ଭୂଭାଗ ମାଡ଼ି ବସିଥିଲେ ସେଥିପାଇଁ ତ ଆଜି ଓଡ଼ିଶାର ଅନେକ ଅଞ୍ଚଳରେ ସେହି ଅଣଓଡ଼ିଆଙ୍କ ଵଂଶୋଦ୍ଭଵ ବଡ଼ ବଡ଼ ବଙ୍ଗଳାରେ ରହୁଛନ୍ତି ଆଉ ଶହେରୁ ଅଧିକ ଵର୍ଷ ରହି ବି ନିଜକୁ ଓଡ଼ିଆ ବୋଲି ପରିଚୟ ଦେଵାକୁ କୁଣ୍ଠାବୋଧ କରୁଛନ୍ତି । 

ଅସ୍ତୁ ଫକୀରମୋହନ ସେନାପତି କମିଶନର ରେଭେନ୍ସା ସାହେବ କ'ଣ ଭୁଲ୍ କରିଵା ଯୋଗୁଁ ଦୁର୍ଭିକ୍ଷରେ ଲକ୍ଷାଧିକ ଜନହାନୀ ହୋଇଥିଲା ସେକଥା ଲେଖିଵାକୁ ଭୁଲିଯାଇନାହାନ୍ତି,ସେ ଲେଖିଛନ୍ତି —“କମିଶନର ସାହେବ ବଡ଼ ଭୁଲ୍ କଲେ,ଓଡ଼ିଶାରେ ପ୍ରକୃତ ଏତେ ଧାନ ମହଜୁଦ୍ ଅଛି କି ନାହିଁ, କଥାଟା ଭଲରୂପେ ତଦାରଖ କରିଵା; ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ୍ ଅଛି, ସାଧାରଣ ସଙ୍କଟ ସମୟରେ ସେମାନେ ସେହି ଧାନ ଵିକ୍ରୟ ଵା ଵିତରଣ କରିବେ କି ନାହିଁ, କଥାଟା ଭଲରୂପେ ତଦନ୍ତ କରି ଗଵର୍ଣ୍ଣମେଣ୍ଟଙ୍କୁ ଜଣାଇଵା ଉଚିତ ଥିଲା । ମାତ୍ର ଉତ୍କଳରୁ ୩୦ ଲକ୍ଷ ପର୍ଯ୍ୟନ୍ତ ମହାପ୍ରାଣୀ ଵିନାଶ ଯିଵା ଏଵଂ ସମସ୍ତେ ଲଣ୍ଡଭଣ୍ଡ ହେଵାର ଯେମନ୍ତ ଵିଧିର ଵିଧାନ । ଏ ସ୍ଥଳରେ କମିଶନରଙ୍କୁ ସୁବୁଦ୍ଧି ଆସିଵ କାହୁଁ ?”

ରାଜ୍ୟରେ ସମସ୍ୟା ଉପସ୍ଥିତ ହେଲେ ତହିଁର ସମାଧାନ ପ୍ରଶାସନ ଓ ପ୍ରଶାସକର ପରମ କର୍ତ୍ତଵ୍ୟ । କିନ୍ତୁ ସେତେବେଳର ସଂଖ୍ୟାଗରିଷ୍ଠ ଅଣଓଡ଼ିଆ ସିରସ୍ତଦାର,ପେସ୍କାର ଓ ପଲ୍ଟିକାଲ୍ ଏଜେଣ୍ଟମାନଙ୍କ କଥାକୁ ଆଖିବୁଜି ଵିଶ୍ଵାସ କରି ତଥା ସ୍ଵୟଂ ତୃଣମୂଳ ସ୍ତରରେ ଓଡ଼ିଆ ଓ ଓଡ଼ିଶାର ସମସ୍ୟାକୁ ନଜାଣି ନୂଆ ନୂଆ ଓଡ଼ିଶାକୁ କମିଶନର ହୋଇ ଆସିଥିଵା ଥୋମସ୍ ଏଡୱର୍ଡ୍ ରେଭେନ୍ସା ଯୋଉ ଭୁଲ୍ ନିର୍ଣ୍ଣୟ ନେଲେ ସେଥିପାଇଁ ଲକ୍ଷ ଲକ୍ଷ ଓଡ଼ିଆଙ୍କ ପ୍ରାଣହାନୀ ଘଟିଲା । ଜଣେ ଇଂରେଜ ସରକାରୀ ଵ୍ୟକ୍ତି ହୋଇ ବି ରେଭେନ୍ସାଙ୍କ ଭୁଲ୍ କ'ଣ ଥିଲା ତଥା ସେ ଦୁର୍ଭିକ୍ଷ କାଳରେ କ'ଣ କରିଵା ଉଚିତ ଥିଲା ତାହା ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଉଲ୍ଲେଖ କରିଛନ୍ତି । ପ୍ରକୃତ ପକ୍ଷେ ଦେଖିଵାକୁ ଗଲେ ପ୍ରବନ୍ଧରେ ରେଭେନ୍ସାଙ୍କ ଉଲ୍ଲେଖ ସମୟରେ ପ୍ରଶଂସା ସୂଚକ ଉପମା ଦ୍ଵାରା ସମ୍ବୋଧନ କରି ଶେଷରେ ତାଙ୍କୁ ତାଙ୍କ ଭୁଲ୍ କ'ଣ ଜଣାଇ ଦେଵା ଭଳି ଦୁଃସାହସିକ କାର୍ଯ୍ୟ ଫକୀରମୋହନ ସେନାପତି କରିଯାଇଛନ୍ତି ‌।

ସରକାର ସାହାଯ୍ୟ କରନ୍ତୁ କି ନକରନ୍ତୁ ଓଡ଼ିଶାରେ ଏଣେ ଲକ୍ଷ ଲକ୍ଷ ଲୋକଙ୍କର ଜଳ ଅନ୍ନ ଅଭାଵରୁ ପ୍ରାଣଵାୟୁ ଉଡ଼ି ଯାଉଥାଏ । ସେ ସମୟର ସାମାଜିକ ଚିତ୍ର ପ୍ରଦାନ କରିଵାକୁ ଯାଇ ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଲେଖିଛନ୍ତି —
“ଫଗୁଣ ଆରମ୍ଭଠାରୁ ଲୋକେ ମରିଵାର ଆରମ୍ଭ ହେଲା । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଵାକୁ ଲାଗିଲା । ବାଟ ଘାଟ ତୋଠ ପଡ଼ିଆ ଅରଣ୍ୟ ଯେଉଁଠାକୁ ଯାଅ,ସେଠାରେ ମଡ଼ା ପଡ଼ିଥିଵାର ଦେଖିଵ । କ୍ରମଶଃ ମୃତ ଶରୀରରେ ଦେଶଟା ଯେମନ୍ତ ଛାଇ ହୋଇଗଲା । ଚାଉଳର ଦର ହୋଇଗଲା ଟଙ୍କାକୁ ୧୦ ସେର । କେଵଳ ୩/୪ ଦିନ ସକାଶେ ଟଙ୍କାକୁ ୩ ସେର ହୋଇଥିଲା, ତାହା ମଧ୍ୟ ସହର ମଧ୍ୟରେ ମିଳିଲା ନାହିଁ । ୩/୪ ଦିନ ଉତ୍ତାରେ ରେଙ୍ଗୁନରୁ ଚାଉଳ ଆସିଵାରୁ ଯେଉଁ ଦଶକୁ ସେହି ଦଶସେର ହୋଇଗଲା । ସହର ମଧ୍ୟରେ କିଣିଵାକୁ କଷ୍ଟରେ ଯାହା କିଛି କିଛି ମିଳୁଥିଲା, କିନ୍ତୁ ମଫସଲରେ ଏକାବେଳକେ ଦୁଷ୍ଟ୍ରାପ୍ୟ । ମଫସଲରେ ଯେଉଁ ଯେଉଁ ଲୋକଙ୍କ ଘରେ ଧାନଚାଉଳ ଥିଲା, ସେମାନେ ଲୁଚାଇ ଦେଲେ; ଅଧିକାଂଶ ଲୋକେ ଘର ମଧ୍ୟରେ ଗାତ ଖୋଳି ପୋତି ପକାଇଲେ । ଯେଉଁସବୁ ଲୋକେ ଶସ୍ତା ପାଇ ପରକୁ ପଲ ଗାଈଗୋରୁ କିଣିଥିଲେ, ନିତାନ୍ତ ଆଶ୍ଚର୍ଯ୍ୟର ଵିଷୟ, ସେହିଵର୍ଷ ମଧ୍ୟରେ ସେ ସମସ୍ତ କିଣା ଗୋରୁ ତ ମଲେ,ସେମାନଙ୍କ ସହିତ ମହାଜନମାନଙ୍କ ଘରେ ନିଜର ଯେଉଁ ଗୋରୁ ଗାଈଥିଲେ, ସେ ଗୁଡ଼ାକ ମଧ୍ୟ ମରି ଗଲେ । ଏ
ସମସ୍ତ ପ୍ରତ୍ୟକ୍ଷ ଵିଷୟ, ଅଵିଶ୍ଵାସର କୌଣସି କାରଣ ନାହିଁ । ଯେଉଁସବୁ ଧାନୁଆ ମହାଜନ ଧାନ ବିକି ଘରେ ଟଙ୍କା ପୋତି ପକାଇଥଲେ, ସେ ସମସ୍ତ ଟଙ୍କା ସୁନା କାହିଁ ଉଭେଇ ଗଲା । ଦୁର୍ଭିକ୍ଷ ପୂର୍ଵଵର୍ଷ ଧାନ ଟଙ୍କାକୁ ବାଲେଶ୍ୱରୀ ଓଜନରେ ପ୍ରାୟ ଦେଢ଼ଶ ସେର ଏଵଂ ଚାଉଳ ଟଙ୍କାକୁ ଦେଢ଼ ମହଣ ଥିଲା । ସେହି ଚାଉଳ ଦୁର୍ଭିକ୍ଷ ଵର୍ଷ ଟଙ୍କାକୁ ଦଶସେର ହିସାବରେ ବିକ୍ରୀ ହେଵାର ଏପରି ଦୁର୍ଯୋଗ ଘଟିଥିଲା । କେଵଳ ତାହା ନୁହେଁ – ଗତ ପୂର୍ଵ ପାଞ୍ଚ ସାତ ଵର୍ଷଠାରୁ ଚାଉଳ ବାଲେଶ୍ଵରୀ ୧୦ ସେର ହିସାବରେ ବିକ୍ରି ହୋଇ ଆସୁ ଅଛି । ତେବେ ଦୁର୍ଯୋଗ ଘଟୁ ନାହିଁ କି ସକାଶେ ? ଵର୍ତ୍ତମାନ ପୂର୍ଵଠାରୁ ଟଙ୍କା ଖୁବ୍ ସୁଲଭ । ସମସ୍ତଙ୍କ ହାତରେ ଟଙ୍କା, ଚାଉଳ ସର୍ଵତ୍ର ସୁପ୍ରାପ୍ୟ । ଟଙ୍କା ଦେଲେ ଯେତେବେଳେ ଯେତେ ଇଛା ଧାନ ଚାଉଳ ପାଇ ପାରିଵ । ସେ ସମୟରେ ଚାଉଳ ଓ ଟଙ୍କା ଉଭୟ ଦୁର୍ଲ୍ଲଭ ଥିଲା । ସହସା ଵିଦେଶରୁ ଅଣାଇଵାର ଉପାୟ ମଧ୍ୟ ନଥଲା ।” 

ତେବେ ପ୍ରଶ୍ନ ଉଠେ ଓଡ଼ିଶାରେ ଚାଉଳ ଅଭାଵ କାହିଁକି ହେଲା ? ଯଦି ଗୋଟିଏ ଵର୍ଷ ଵର୍ଷା ହେଲା ନାହିଁ ତେବେ ପୂର୍ଵ ଵର୍ଷର ଚାଉଳ କୁଆଡେ଼ ଗଲା ? ଅନ୍ୟ ଅଞ୍ଚଳରୁ ଚାଉଳ କାହିଁକି ଆସିଲା ନାହିଁ? 

The Case for India(New York. 1930 p.50-53)” ରେ Will Durant Simon ଓ Schuster କାହିଁକି ବ୍ରିଟିଶ୍ ଶାସନ କାଳର ଭାରତରେ ଦଶରୁ ଅଧିକ ବଡ଼ ବଡ଼ ଦୁର୍ଭିକ୍ଷ ପଡ଼ିଥିଲା ତାହାର କାରଣ ଦର୍ଶାଇ କହିଥିଲେ 
“We can now understand why there are famines in India. Their cause, in plain terms, is not the absence of food, but the inability of the people to pay for it. It was hoped the railways would solve the problem...the fact that the worst famines have come since the building of the railways...behind all these, as the fundamental source of the terrible famines in India, lies such merciless exploitation, such unbalanced exploitation of goods, and such brutal collection of high taxes in the very midst of famine....(ଵର୍ତ୍ତମାନ ଆମେ ବୁଝିପାରୁଛୁ ଯେ ଭାରତରେ ଦୁର୍ଭିକ୍ଷ କାହିଁକି ହୁଏ । ସରଳ ଭାଷାରେ କହିଵାକୁ ଗଲେ ଏହାର କାରଣ ଖାଦ୍ୟର ଅଭାବ ନୁହେଁ, ଵରଂ ଲୋକମାନଙ୍କ ପାଖରେ ଖାଦ୍ୟ ପାଇଁ ଟଙ୍କା ହିଁ ନାହିଁ । ଆଶା କରାଯାଉଥିଲା ଯେ ରେଳବାଇ ଏହି ସମସ୍ୟାର ସମାଧାନ କରିଵ କିନ୍ତୁ ରେଳ ନିର୍ମାଣ ପରଠାରୁ ଭାରତରେ ସବୁଠାରୁ ଭୟଙ୍କର ଦୁର୍ଭିକ୍ଷମାନ ଘଟିତ ହୋଇଛି ‌‌। ଭାରତରେ ଏକାଧିକ ଭୟଙ୍କର ଦୁର୍ଭିକ୍ଷର ଉତ୍ସ ହେଲା ଇଂରେଜମାନଙ୍କର ନିଷ୍ଠୁର ଶୋଷଣ, ସାମଗ୍ରୀର ଅସନ୍ତୁଳିତ ଦୋହନ ଏଵଂ ଦୁର୍ଭିକ୍ଷ ପଡ଼ିଥିଲାବେଳେ ନିଷ୍ଠୁର ଉଚ୍ଚ କର ଆଦାୟ।)

ସ୍ପଷ୍ଟ ଯେ ଇଂରେଜ ସରକାରଙ୍କ ଦ୍ଵାରା ଲୋକଙ୍କଠାରୁ ଅସନ୍ତୁଳିତ ଶସ୍ୟାଦି ଦରଵ, ସବୁ ଵର୍ଷ କର ଆକାରରେ ଆଦାୟ କରାଯାଉଥିଲା ଏଵଂ ଏହି ନୀତି ୧୮୬୬ର ଉତ୍ତପ୍ତ ଵର୍ଷାହୀନ ଵର୍ଷରେ ଓଡ଼ିଆ ଜାତି ପାଇଁ ଘାତକ ହୋଇଗଲା । 

ଜାନୁଆରୀ ଫେବୃୟାରୀରେ ଓଡି଼ଶାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଵାରୁ ସମ୍ଭଵତଃ ରେଭେନ୍ସା ନିଜ ଭୁଲ୍ ବୁଝିପାରିଲେ ଏଵଂ ଚାଉଳ ପାଇଁ ଗଵର୍ଣ୍ଣମେଣ୍ଟଙ୍କ ପାଖକୁ ଟେଲିଗ୍ରାମ୍ ଲେଖିଲେ । ମାତ୍ର ଟେଲିଗ୍ରାମ୍ ଯୋଗେ ଉଚ୍ଚ ପଦାଧିକାରୀଙ୍କର ଉତ୍ତର ଆସିଲା “ତୁମ୍ଭେ ଚାଉଳ ପଠାଇଵା ସକାଶେ ଟେଲିଗ୍ରାମ କରି ଅଛ । ମାତ୍ର ଟେଲିଗ୍ରାମରେ ଚାଉଳ ପଠା ଯାଇ ନ ପାରେ ।”

ଓଡ଼ିଶାରେ ନଅ ଅଙ୍କ ଦୁର୍ଭିକ୍ଷ ଇଂରେଜ ସରକାରଙ୍କର ପୁରାତନ ଅର୍ଥନୈତିକ ପଦ୍ଧତି ଅନୁକରଣ ଯୋଗୁଁ ଘଟିଛି ତଥା ଓଡିଶା ଦୁର୍ଭିକ୍ଷ ପାଇଁ ବଙ୍ଗର ତତ୍କାଳୀନ Lieutenantଙ୍କୁ ଦାୟୀ କରି ୟୁନାଇଟେଡ଼ କିଙ୍ଗଡମର ଭୂତପୂର୍ଵ ପ୍ରଧାନମନ୍ତ୍ରୀ Viscount Cranborne ଦୁଇ ଅଗଷ୍ଟ ୧୮୬୭ରେ House of Commonsରେ ଭାଷଣ ଦେଇ କହିଥିଲେ “The Lieutenant Governor of Bengal was to the fullest extent responsible for not having made any preparation against the famine. ... The doctrines of political economy had been worshipped as a sort of "fetish" by officials who, because they believed that in the long run supply and demand would square themselves, seemed to have utterly forgotten that human life was short, and that men could not subsist without food beyond a few days. They mechanically left the laws of political economy to work themselves out while hundreds of thousands of human beings were perishing from famine.(ଦୁର୍ଭିକ୍ଷ ବିରୋଧରେ କୌଣସି ପ୍ରସ୍ତୁତି ନକରିଵା ପାଇଁ ବଙ୍ଗଳାର Lieutenant ସମ୍ପୂର୍ଣ୍ଣ ଭାବେ ଦାୟୀ ଥିଲେ। ... ରାଜନୈତିକ ଅର୍ଥନୀତିର ନୀତିଗୁଡ଼ିକୁ କର୍ତ୍ତୃପକ୍ଷ ଏକ ପ୍ରକାର "ମୂର୍ତ୍ତି" ଭାବରେ ପୂଜା କରୁଥିଲେ, କାରଣ ସେମାନେ ଵିଶ୍ୱାସ କରୁଥିଲେ ଯେ ଦୀର୍ଘକାଳୀନ ଯୋଗାଣ ଓ ଚାହିଦା ଆପଣାଛାଏଁ ପୂର୍ଣ୍ଣ ହୋଇଯିଵ,ମନେହୁଏ, ସେମାନେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି ଯେ ମନୁଷ୍ୟ ଜୀଵନ ଛୋଟ ଏଵଂ ମନୁଷ୍ୟ କିଛି ଦିନରୁ ଅଧିକ ସମୟ ଖାଦ୍ୟ ବିନା ବଞ୍ଚିପାରିଵ ନାହିଁ । ହଜାର ହଜାର ଲୋକ ଦୁର୍ଭିକ୍ଷରେ ମରୁଥିଵା ବେଳେ ସେମାନେ ରାଜନୈତିକ ଅର୍ଥନୀତର ନିୟମଗୁଡ଼ିକୁ ଆପଣାଛାଏଁ କାମକରିଵାକୁ ଛାଡ଼ି ଦେଇଥିଲେ।)”

ତେଣୁ ଏକଥା ସ୍ପଷ୍ଟ ଯେ ଇଂରେଜମାନଙ୍କର ସେତେବେଳର ଉଦାସୀନତା ଯୋଗୁଁ ଓଡ଼ିଶାରେ ଲକ୍ଷାଧିକ ଲୋକ ମରି ହଜିଗଲେ । 
ହେଲେ ଯେତେବେଳେ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ଭଳି ଦୁର୍ଭିକ୍ଷ ମୃତକଙ୍କ ସଂଖ୍ୟା ବଢ଼ିଵାରୁ ଚାରିଆଡ଼ୁ ଚାପ ପାଇ ଇଂରେଜ ସରକାର ରିଲିଫ ସାହାଯ୍ୟ ପଠାଇଵାକୁ ବାଧ୍ୟ ହେଲା । ସେତେବେଳେ ସ୍ଥଳପଥରେ ରିଲିଫ୍ ପଠେଇଵା ସହଜସାଧ୍ୟ ନଥିଲା ତେଣୁ ଜଳପଥ ଦେଇ ରିଲିଫ୍ ପଠାଗଲା । ଫକୀରମୋହନ ଏ ଵିଷୟରେ ଲେଖିଛନ୍ତି — “ଵର୍ତ୍ତମାନ କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ସୁନ୍ଦର ଟ୍ରଙ୍କ ରୋଡ଼ ଵା ବଡ଼ଦାଣ୍ଡ ଦେଖୁଅଛ ସେ ସମୟରେ ସେଥିର ଚିହ୍ନ ମାତ୍ର ଗୋହିରିସ୍ଵରୂପ ଥିଲା । ତାହା ପୁଣି ଅରଣ୍ୟମୟ ଏଵଂ ଚୋର ଡକାଏତରେ ପରିପୂର୍ଣ୍ଣ । ସୁତରାଂ ଉପର ଦାଣ୍ଡରେ ଧାନଚାଉଳ ଆସିଵାର ଉପାୟ ନ ଥିଲା । ନିମକ୍ ମାହାଲ ଉଠି ଯାଇଥିଵାରୁ ବାଲେଶ୍ୱରୀ ସାମୁଦ୍ରିକ ଜାହାଜର ଵଂଶ ବିଲୁପ୍ତ ହୋଇଥିଲା । ବାଲେଶ୍ଵରଵାସୀ କଳଜାହାଜ ନାମକ ଗୋଟାଏ ପଦାର୍ଥ ଅଛି ବୋଲି ନାମ ମାତ୍ର ଶୁଣିଥିଲେ । ତଥାପି ଗଵର୍ଣ୍ଣମେଣ୍ଟ
କଲିକତାରୁ ବଡ଼ ବଡ଼ ମନୋହରି ଜାହାଜ ଭଡ଼ା କରି ରେଙ୍ଗୁନ ଓ ବଙ୍ଗଦେଶରୁ ଚାଉଳ ପଠାଇଵାକୁ ଲାଗିଲେ । ସ୍ଥାନେ ସ୍ଥାନେ ଅନ୍ନଛତ୍ର ସରକାର ତରଫରୁ ଫିଟାଗଲା ।”

ସେକାଳର ସରକାରୀ କାଗଜପତ୍ରରୁ ଜଣାଯାଏ ଯେ ଅନ୍ନଛତ୍ର ଖୋଲିଵା ପାଇଁ ଇଂରେଜ ସରକାର ବାହାରୁ ପ୍ରାୟ ୪୦,୦୦୦ ଟନ୍ ଖାଦ୍ୟ ଶସ୍ୟ ମଗାଇଥିଲେ ପୁଣି ଓଡ଼ିଶାକୁ ୯୫୦୦୦୦୦ ଟଙ୍କାର ରିଲିଫ୍ ପାଣ୍ଠି ମଧ୍ୟ ଦିଆଯାଇଥିଲା । କିନ୍ତୁ ଏସବୁ ସରକାରୀ ସାହାଯ୍ୟ ଦୁର୍ଭିକ୍ଷ ପଡ଼ିଵାର ଛଅ ସାତ ମାସ ପରେ ଆରମ୍ଭ କରାଯାଇଥିଲା । ସେତେବେଳକୁ ଓଡ଼ିଶାର ମହା ମହା ଧନୀ ସୁଦ୍ଧା କାଙ୍ଗାଳି ହୋଇ ଯାଇଥିଲେ ଏଵଂ ସମାଜର ଅତି ଦରିଦ୍ର ଜନ ଦୁର୍ଭାଗ୍ୟରେ ପଡ଼ି ମରି ହଜି ଯାଇଥିଲା । 

ଅନ୍ନସତ୍ର ଶବ୍ଦଟି ଓଡ଼ିଆଙ୍କ ପାଇଁ ନୂଆ ନୁହେଁ କି ଭାରତୀୟ ସଂସ୍କୃତିରେ ଵିରଳ ନୁହେଁ। 

ଏ ଦେଶର ରାଜାମାନେ ମନ୍ଦିରନିର୍ମାଣ, ପୁଷ୍କରିଣୀଖନନ, ଅନ୍ନସତ୍ର ଓ ଜଳସତ୍ର ସ୍ଥାପନ, ଧର୍ମଶାଳା, ପାନ୍ଥନିଵାସ ସ୍ଥାପନ ଏଵଂ ପଥପାର୍ଶ୍ୱରେ ଵୃକ୍ଷାଦି ରୋପଣ ପ୍ରଭୃତି ଜନହିତକର କାର୍ଯ୍ୟଦ୍ୱାରା କୀର୍ତ୍ତି ବଢ଼େ ବୋଲି ଵିଚାର କରୁଥିଲେ । ଵୀରତ୍ୱ ପ୍ରକାଶ କରିଵା, ପାଣ୍ଡିତ୍ୟ ପ୍ରଦର୍ଶନ କରିଵା ପ୍ରଭୃତି ଦ୍ୱାରା ଯଶଃ ହୁଏ ବୋଲି ସେମାନଙ୍କର ଵିଶ୍ବାସ ଥିଲ । ଶାସ୍ତ୍ର କହେ “କୀର୍ତ୍ତି ସତ୍କାର୍ଯ୍ୟପ୍ରଭଵା ଓ ଯଶଃ ସଦ୍ଗୁଣପ୍ରଭଵା। କୀର୍ତ୍ତି ମରଣାନ୍ତସ୍ଥାୟିନୀ ଓ ଯଶଃ ଜୀଵିତକାଳସ୍ଥାୟୀ ॥” 

ତେଣୁ ରାଜା, ଜମିଦାରମାନେ ବହୁ ପୂର୍ଵରୁ ଏ ଦେଶରେ ଜଳସତ୍ର ଅନ୍ନସତ୍ରର ଆୟୋଜନ କରିଥିଲେ । ଉଦାହରଣ ସ୍ୱରୂପ ଅନଙ୍ଗଭୀମ ଦେଵ ଦଶ ହଜାର ଭରଣ ଧାନ ଅନ୍ନସତ୍ରରେ ଯୋଗାଇଥିଵା ଇତିହାସରୁ ଜଣାଯାଏ । ସାରଳା ମହାଭାରତରେ ବି ଅନ୍ନସତ୍ର ଶବ୍ଦର ପ୍ରୟୋଗ ରହିଛି। 

“ଗ୍ରହ ଶାନ୍ତି ମନ୍ତ୍ର ତହିଂ ପଢନ୍ତି ଗଣକେ ଚାରି ଦ୍ୱାରେ ଅନ୍ନଛତ୍ର ଦିଅନ୍ତି ଯେ ଲୋକେ” । 

ଅତଏଵ ଓଡ଼ିଆଙ୍କ ପାଇଁ ଅନ୍ନସତ୍ର ନୂଆ ନଥିଲା କିନ୍ତୁ ଊନବିଂଶ ଶତାଦ୍ଦୀର ଓଡ଼ିଆଙ୍କ ପାଇଁ ଖିରସ୍ତାନୀ ଅନ୍ନସତ୍ର ନିଶ୍ଚୟ ନୂଆ ଥିଲା । 
 
ଯେତେବେଳେ ଗାଆଁର କାଙ୍ଗାଳି ଲୋକେ ସହରରେ ଅନ୍ନସତ୍ର ଲାଗିଛି ବୋଲି ଜାଣିଲେ ସେମାନେ ସହରକୁ ଧାଇଁଲେ କିନ୍ତୁ ଅଧିକାଂଶ ବାଟରେ ମଲେ କିଏ ପହଞ୍ଚି ମଲା ତ ଆଉ କେହି କେହି ଅତିରିକ୍ତ ଅନ୍ନ ଭକ୍ଷଣ କରି ପ୍ରାଣ ହରାଇଲେ । ଫକୀରମୋହନ ସେସମୟର ଇଂରାଜୀ ଅନ୍ନଛତ୍ର ଖାଇ ଲୋକଙ୍କ ଅଵସ୍ଥା କ'ଣ ହୋଇଥିଲା ତାହା ତାଙ୍କ ଆତ୍ମଜୀଵନୀରେ ଏମନ୍ତ ଉଲ୍ଲେଖ କରିଛନ୍ତି - “ଅନ୍ନଛତ୍ରର ନାମ ମଫସଲରେ ପ୍ରଚାରିତ ହେଵା ମାତ୍ରକେ ଅନ୍ନକ୍ଳିଷ୍ଟ କାଙ୍ଗାଳିମାନେ ସହରକୁ ଧାଇଁଲେ । ପନ୍ଦର କୋଡ଼ିଏ ଦିନ ପୂର୍ଵରୁ ଅନ୍ନ ସହିତ ସେମାନଙ୍କର ଭେଟ ନାହିଁ, କଅଁଳ ପତ୍ର ଓ ଅଖାଦ୍ୟ ଫଳମୂଳ ଖାଇ ବଞ୍ଚି ରହିଥିଲେ ଅନ୍ନାଶାରେ ସହରକୁ ଧାଇଁଲେ, ମାତ୍ର ଏତେ ଦୂରକୁ ଆସି ପାରିବେ କିପରି ? ଦଶ ବାର ପଣି ଲୋକ‌ ତ ବାଟରେ ମଲେ, ଯେଉଁମାନେ ଅନ୍ନଛତ୍ର ଯାଏଁ ଆସି ପାରିଲେ, ସେମାନେ କେବଳ ବଖତେ ବଖତେ ଅନ୍ନ ଖାଇ
କେହି ଝାଡ଼ା ଵାନ୍ତିରେ କେହି ଆମାଶୟରେ ମଲେ । ସେମାନଙ୍କ ପେଟ ତ ଶୁଖି ରହିଥିଲା,ଏଣେ ଅନ୍ନ ପାଇଁ ରଙ୍କଣା ହୋଇଥିଲେ, ଭାତ ଦେଖି ଯେ ଯେତେ ପାଇଲା ପେଟେ ପେଟେ ଖାଇ ପକାଇଲା । ହଜମ ଶକ୍ତି ଵିଲୁପ୍ତ,ଏତେ ଭାତ କଣ ପେଟ ସମ୍ଭାଳି ପାରିଵ ? ପରଦିନ ରାତି ନ ପାହୁଣୁ ଝାଡ଼ା ଵାନ୍ତି ଵା ଅନ୍ୟ ବେମାରି ଉପସ୍ଥିତ
ହେଲା । ଦିନେ ଦୁଇଦିନ ମଧ୍ୟରେ ମରି ଶୋଇଲେ । ଶୁଷ୍କ ପେଟ -କାଙ୍ଗାଳି ମାନଙ୍କ ଚିକିତ୍ସା ସକାଶେ ଡାକ୍ତର ଉପସ୍ଥିତ । ସରକାର ବସ୍ତା ବସ୍ତା ସାଗୁଦାନା କଲିକତାରୁ ଅଣାଇ ଅନ୍ନଛତ୍ର ଗୋଦାମରେ ଜମା କରି ରଖିଲେ ।କାଙ୍ଗାଳିମାନଙ୍କୁ ପ୍ରଥମ କେତେଦିନ ଯାଏ ସାଗୁ ଦାନା ଦିଆଯିଵାର ଵ୍ୟଵସ୍ଥା କରାଗଲା; ମାତ୍ର କାହିଁରେ କିଛି ହେଲା ନାହିଁ, ପ୍ରାୟ ସବୁ ଗୁଡ଼ାକ ମଲେ । ଅନ୍ନଛତ୍ରରେ ଚତୁର୍ଦ୍ଦିଗରେ ଏଵଂ ସହରର ଅନ୍ୟାନ୍ୟ ସ୍ଥାନ – ଦାଣ୍ଡରେ ଘାଟରେ ଯେଉଁ ସବୁ ଲୋକ ମରି ପଡ଼ି ରହିଥାନ୍ତି, ସକାଳୁ ମେହେନ୍ତରମାନେ ସେମାନଙ୍କୁ ଉଠାଇ ଶଗଡ଼ରେ ପୂରାଇ ନଦୀକୁ ଫୋପାଡ଼ି ଦିଅନ୍ତି । ମାସେ କି ଦେଢ଼ମାସ ପର୍ଯ୍ୟନ୍ତ
ମେହେନ୍ତରମାନେ ତିନି ଚାରି ଖଣ୍ଡ ମଡ଼ା ବୋଝେଇ ଶଗଡ଼ ନଦୀ ଆଡ଼କୁ ଘେନି ଯାଉଥିଵାର ଲେଖକ ପ୍ରତ୍ୟକ୍ଷ ଦେଖି ଅଛି । ସରକାର ଯେଉଁ ଚାଉଳ ଵିଦେଶରୁ ଅଣାଇଥିଲେ, ଅନ୍ନଛତ୍ର ଖରଚ ବାଦ ଟଙ୍କାକୁ ୧୦ ସେର ଦରରେ ସାଧାରଣରେ ଵିକ୍ରୟ କରିଵାର ଵ୍ୟଵସ୍ଥା କରାଇଥିଲେ । ମାତ୍ର ଯାହାକୁ ଇଚ୍ଛା ତାକୁ କିମ୍ବା ଯେତେ ଇଚ୍ଛା ତେତେ ଵିକ୍ରୟ କରିଵାର ଵ୍ୟଵସ୍ଥା ନଥିଲା । ରିଲିଫ କମିଟି ନିଯୁକ୍ତ ମେମ୍ବରମାନେ ଲୋକ ଦେଖି ସେରେଠାରୁ ଟଙ୍କାକ ପର୍ଯ୍ୟନ୍ତ ଚାଉଳ ଦେଵାର ଟିକଟ ଦେଲେ । ସେହି ଟିକଟ ଦେଖାଇ ଲୋକେ ଗୋଦାମରୁ ଚାଉଳ ନେଉଥିଲେ ।”

ଅନେକ ଦିନ ଭୋକରେ ରହି ହଠାତ୍ ଭୋଜନ ମିଳିଗଲେ ଯଦି ମାତ୍ରାଧିକ ଖାଦ୍ୟ ସେଵନ କରାଯାଏ ତେବେ ମୃତ୍ୟୁର ସମ୍ଭାଵନା ଅଧିକ ଏଵଂ ଡାକ୍ତରୀ ଭାଷାରେ ଏହାକୁ "Refeeding Syndrome" କୁହାଯାଏ । ତତ୍କାଳୀନ ସରକାରୀ କର୍ମଚାରୀମାନେ, ଡାକ୍ତରମାନେ ଯଦି ରିଲିଫ୍ ବଣ୍ଟନ ସମୟରେ ଏଥିପ୍ରତି ଦୃଷ୍ଟି ଦେଇଥାଆନ୍ତେ ତେବେ ଅନେକ ଲୋକ ବଞ୍ଚିଯାଇଥାନ୍ତେ । ତେଣୁ ସେ ସମୟରେ ସରକାରଙ୍କ ଅନ୍ନଛତ୍ର ଯେ ଅନେକାଂଶରେ ଵିଫଳ ହୋଇଥିଲା ତାହା ସହଜେ ଅନୁମେୟ । ଅଵଶ୍ୟ ଅନେକ ଲୋକ ଅନ୍ନଛତ୍ର ଖାଇ ବଞ୍ଚିଯାଇଥିଲେ କିନ୍ତୁ ଖିରସ୍ତାନୀଙ୍କ ହାତରୁ ଖାଦ୍ୟ ଖାଇଥିଵାରୁ ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜ ସେମାନଙ୍କୁ ସମାଜରୁ ଵହିଷ୍କାର କରିଦେଲା । 
ହିନ୍ଦୁ ସମାଜରେ ସ୍ଥାନ ନମିଳିଵାରୁ ଖିରସ୍ତାନୀ ଅନ୍ନଛତ୍ରରୁ ଅନ୍ନ ଖାଇଥିଵା ହିନ୍ଦୁମାନଙ୍କ ମଧ୍ୟରେ ଅନେକେ ପୁଣି ମୃତ୍ୟୁଵରଣ କରିଥିଵା ସ୍ଵାଭାବିକ କଥା । ତେବେ ଧର୍ମାନ୍ତରୀକରଣ ସୁଯୋଗରେ କିଛି ଖିରସ୍ତାନୀ ପାଦ୍ରୀ ଓ ପଠାଣ ମୌଲବୀ କାଙ୍ଗାଳିମାନଙ୍କୁ ନିଜ ସହିତ ନେଇଗଲେ ଖାଇଵାକୁ ଦେଲେ ରହିଵାକୁ ଘର ଦେଲେ ଫଳତଃ ଆଜି ଓଡ଼ିଶାରେ ଆମେ ସେଇମାନଙ୍କ ଧର୍ମାନ୍ତରୀତ ଵଂଶୋଦ୍ଭଵମାନଙ୍କୁ ଦେଖିଵାକୁ ପାଇଥାଉ । ଅନ୍ନଛତ୍ରରୁ ଅନ୍ନ ଖାଇଥିଵା ହିନ୍ଦୁମାନଙ୍କୁ ସେ ସମୟର ହିନ୍ଦୁ ସମାଜ ଛତରଖିଆ ଆଖ୍ୟା ଦେଇଥିଲା ଏଵଂ ପରଵର୍ତ୍ତୀ କାଳରେ ଏହା ଏକ ଗାଳି ଶବ୍ଦରେ ପରିଣତ ହୋଇଯାଇଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଯେ ବାରବୁଲା, ଯାହାର ଜାତିବାରଣ ନାହିଁ,ଯେ ବୁଲି ବୁଲି ଅନ୍ନଛତ୍ରରୁ ଅନ୍ନ ଖାଏ,ଯେ ଯେଉଁଠାରେ ଇଚ୍ଛା ସେଠାରେ ଖାଏ ଏଵଂ ଯେ ମାଗିଖିଆ ଲୋକ ତାକୁ ଓଡ଼ିଆ ଲୋକେ ଛତରଖିଆ କୁହନ୍ତି । ଦୁର୍ଭିକ୍ଷ ଵା ଅକାଳ ସମୟରେ ଅନ୍ନଛତ୍ରକୁ ଖାଦ୍ୟ ଖାଇଥିଵାରୁ କେହି କେହି କାଙ୍ଗାଳିମାନଙ୍କୁ ଅକାଳଛତରା ଓ କେଵଳ ଛତରା ବି କହିଵାକୁ ଲାଗିଲେ ।ସେମାନଙ୍କୁ ନଅଙ୍କିଆ କହି ବି ସମାଜରେ ଅପମାନିତ କରାଗଲା । କାଙ୍ଗାଳି ନରନାରୀମାନଙ୍କୁ ଏମାନଙ୍କ ସମାଜ ଗ୍ରହଣ ନ କରିଵାରୁ ପରଵର୍ତ୍ତୀ କାଳରେ ଜାତିଵିଚାର ନ କରି ଛତରଖିଆ ସଙ୍ଗେ ଛତରଖାଈମାନେ ଗାନ୍ଧର୍ଵ ଵିଵାହ କଲେ ଓ ଏହିପରି ଗୋଟିଏ 'ବାରଜାତିଆ' ସମାଜ ସୃଷ୍ଟି ହେଲା। ଏମାନଙ୍କ ବଂଶଧରମାନଙ୍କ ମଧ୍ୟରେ ବିବାହଦ୍ୱାରା ଆଦାନ ପ୍ରଦାନ ଚଳାଇଲେ ଏଵଂ କ୍ରମଶଃ ହିନ୍ଦୁ ଧର୍ମ ସେମାନଙ୍କୁ ଆପଣାଇନେଲା । ସେସମୟର ଅନେକ କାଙ୍ଗାଳୀ ସ୍ତ୍ରୀଲୋକ ସମାଜରୁ ବାସନ୍ଦ ହେଵାରୁ ପେଟର ଭୋକ ପାଇଁ ନୀଚସମାଜରେ ଵେଶ୍ୟାଵୃତ୍ତି କରିଵାକୁ ବାଧ୍ୟ ହେଲେ ଓ ଅନ୍ଯ କେତେକ ଛତରଖିଆଙ୍କୁ ପାଦ୍ରୀମାନେ ତଥା ମୌଳବୀମାନେ ନୂଆ ଗ୍ରାମମାନ ବସାଇ ଖିରସ୍ତାନୀ ଓ ପଠାଣ ରୂପେ ଧର୍ମାନ୍ତରୀକରଣ କରିଵାରେ ସଫଳ ହୋଇଥିଲେ । ଦୁର୍ଭିକ୍ଷରୁ ଵର୍ତ୍ତିଯାଇଥିଵା କାଙ୍ଗାଳିମାନେ କ'ଣ ଭୁଲ୍ କରିଥିଲେ ଯେ ସେମାନଙ୍କୁ ସେସମୟର ମୌଳିଵାଦୀ ହିନ୍ଦୁ ସମାଜ ଏତେ ବଡ଼ ଦଣ୍ଡ ଦେଇ ଦେଇଥିଲା ? 

ଦୁର୍ଭିକ୍ଷ ପରଵର୍ତ୍ତୀ କାଳରେ କାଙ୍ଗାଳିମାନଙ୍କ ସହିତ କ'ଣ ହୋଇଥିଲା ତାହା ମଧ୍ୟ ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଲେଖିଵାକୁ ପଶ୍ଚାତପଦ ହୋଇନାହାନ୍ତି । ତତ୍ପରେ ଫକୀରମୋହନ ଲେଖିଛନ୍ତି - “ପୃଥ‌ିଵୀରେ କିଛି ଚିରସ୍ଥାୟୀ ନୁହେ । ଦୁର୍ଭିକ୍ଷ ତ ଚାଲିଗଲା। ଦୁର୍ଭିକ୍ଷର ପରଵର୍ଷ କେତେଗୁଡ଼ାଏ ବାଳକ ବାଳିକା ଏଵଂ ମନୁଷ୍ୟ ଦାଣ୍ଡେ ଦାଣ୍ଡେ ବୁଲୁଥିଲେ । ସେମାନେ ଛତ୍ରଖିଆ ବୋଲି ହିନ୍ଦୁସମାଜ ସେମାନଙ୍କୁ ତଡ଼ିଦେଲା । ମାତ୍ର ମିଶନରୀମାନେ ସେମାନଙ୍କୁ ଆଦର ପୂର୍ଵକ କୋଳକୁ ଟେକି ନେଇ ପୁତ୍ର ପରି ପ୍ରତିପାଳନ କଲେ ଏଵଂ ଶିକ୍ଷିତ ଓ ଉପଯୁକ୍ତ କରାଇଵାକୁ ଲାଗିଲେ। ଏହିଠାରେ ହିନ୍ଦୁଧର୍ମ ଓ ଖ୍ରୀଷ୍ଟାନ ଧର୍ମର ପାର୍ଥକ୍ୟ ଜଣାଯାଏ । ଆମ୍ଭମାନଙ୍କ ସମାଜସ୍ଥ ସ୍ୱଧର୍ମଵଲମ୍ବୀ ଲୋକଗୁଡ଼ିଏ ପ୍ରାଣରକ୍ଷା ନିମନ୍ତେ ଅନ୍ୟଲୋକ ହସ୍ତରୁ ଅନ୍ନଗ୍ରହଣ କରିଵାରୁ ଆମ୍ଭେମାନେ ସେମାନଙ୍କୁ ଦୂର ଦୂର କରି ପାଖରୁ ତଡ଼ି ଦେଉଁ, ମାତ୍ର ଦୂରଦେଶୀୟ ଭିନ୍ନ ଧର୍ମାଵଲମ୍ବୀ ଲୋକେ ସେମାନଙ୍କୁ ଆଦର ପୂର୍ଵକ କୋଳକରି ନେଇ
ପ୍ରତିପାଳନ କଲେ ଓ ଉପଯୁକ୍ତ କରାଇଲେ । ଏଥିକୁ ଆମ୍ଭେମାନେ ସାହସ ପୂର୍ଵକ ବୋଲିଵାକୁ ପ୍ରସ୍ତୁତ –ଖ୍ରୀଷ୍ଟାନ ଧର୍ମ ଓ ଜାତି ପତିତପାଵନ । ହିନ୍ଦୁସମାଜ ଯେ ସେ ସମୟରେ ସେ ଛତ୍ରଖିଆମାନଙ୍କୁ ସମାଜରୁ ତଡ଼ି ଦେଇଥିଲା, ଏଥିପାଇଁ ହିନ୍ଦୁଧର୍ମ ଦାୟୀ ନୁହେଁ, ଅଵିଵେକୀ
ସମାଜର ଦୋଷ ଅଟେ । ଦୁରଵସ୍ଥାରେ ପଡ଼ି ପ୍ରାଣରକ୍ଷା ନିମନ୍ତେ ଅତି ନୀଚ ଅସ୍ପୃଶ୍ୟ ଜାତିସୃଷ୍ଟ ଅନ୍ନଗ୍ରହଣ କରିଵା ଦୂଷଣୀୟ ନୁହେଁ ବୋଲି ହିନ୍ଦୁ-ପୁରାଣ-ଶାସ୍ତ୍ରମାନଙ୍କରେ
ସୁସ୍ପଷ୍ଟ ଉଲ୍ଲେଖ ଅଛି । ରାଜର୍ଷି ଵିଶ୍ୱାମିତ୍ର ଏକଦା ପ୍ରାଣରକ୍ଷା ନିମନ୍ତେ ଚଣ୍ଡାଳ ଦ୍ଵାରା ପାକ ହୋଇଥିଵା କୁକୁର ମାଂସ ଭକ୍ଷଣକରି ପୁନର୍ଵାର ମହର୍ଷି ମଣ୍ଡଳୀରେ ସ୍ଥାନଲାଭ କରିଵା ଵିଷୟ ମହାଭାରତରେ ସୁସ୍ପଷ୍ଟ ଉଲ୍ଲେଖ ଅଛି ।”

ଫକୀରମୋହନ "ଓଡ଼ିଶା ଦୁର୍ଭିକ୍ଷ"ର ଶେଷ ଆଡ଼କୁ ଖିରସ୍ତାନୀମାନଙ୍କୁ ପ୍ରଶଂସା କରିଵା ହୁଏତ ଆଜିର କଠୋରପନ୍ଥୀ ହିନ୍ଦୁମାନଙ୍କୁ ଅପସନ୍ଦ ହୋଇପାରେ ତେବେ ସେ ସମୟର ମୌଳିଵାଦୀ ହିନ୍ଦୁ ସମାଜ ହିଁ ସେମିତି ଥିଲା ବୋଲି ଆମକୁ ଅନେକ ଲେଖକଙ୍କ ପୁରୁଣା ବହି ପଢ଼ିଲେ ଜାଣିଵାକୁ ମିଳେ । ଆଜି ହିନ୍ଦୁ ସମାଜରେ ଆଉ ଆଗପରି ସେତେ ଜାତିଆଣ ଭାଵ ନାହିଁ। ସହରରେ ତ ଯିଏ ଯାହା ହାତରୁ ପାଇଲେ ଖାଇ ଦେଉଛନ୍ତି ପିଇ ଦେଉଛନ୍ତି କିନ୍ତୁ ଆଗେ ଏସବୁ ବାରବୁଲା କାର୍ଯ୍ୟ ସମାଜ ମଧ୍ୟରେ ବାରଣ ଥିଲା । ସାବୁନ ଓ ଟୁଥପେଷ୍ଟ ଭଳି ଦରଵ ଵ୍ୟଵହାର କରି ଲୋକେ ଧର୍ମଚ୍ୟୁତ ହେଉଥିଲେ । ଵିଦେଶକୁ ଗଲେ ଧର୍ମଚ୍ୟୁତ ହେଉଥିଲେ । ପଠାଣ କି ଖିରସ୍ତାନୀକୁ ବାହା ହେଵା ତ ଦୂରର କଥା ସେମାନଙ୍କ ସହିତ ଏକ ଥାନରେ ବସି ଖାଇଲେ ଧର୍ମ ଚାଲି ଯାଉଥିଲା । ବିସ୍କୁଟ ଚକୋଲେଟ ଆଦି ଵୈଦେଶିକ ଖାଦ୍ୟ ଦରଵକୁ ସମାଜରେ ବାସନ୍ଦ କରାଯାଇଥିଲା । ସୁରେନ୍ଦ୍ର ମହାନ୍ତିଙ୍କ "ଶତାବ୍ଦୀର ସୂର୍ଯ୍ୟ" ପୁସ୍ତକରୁ ଜଣାଯାଏ ଯେ ମଧୁବାବୁ କଲିକତାରୁ ଫେରି ତାଙ୍କ ଜନ୍ମମାଟି ତାଙ୍କ ଗାଆଁକୁ ଗଲାରୁ ସେ ଗାଆଁର ଲୋକେ ମଧୁବାବୁଙ୍କ ବସିଵା ପାଇଁ ତାଙ୍କରି ଗ୍ରାମସ୍ଥ ଘର ଆଗରେ ଚଟେଇଟିଏ ପକେଇ ଦେଲେ । ସେଇଠି ମଧୁବାବୁ କିଛି ସମୟ ବସି ବାହୁଡାଇଥିଲେ । ଆଜିର ତଥାକଥିତ କଠୋରପନ୍ଥୀ ହିନ୍ଦୁ ଯେତେ କାଠେଇ ଆଣ୍ଠେଇ କୁନ୍ଥେଇ ହିନ୍ଦୁ ହିନ୍ଦୁ ଚିତ୍କାର କରନ୍ତୁ ପଛେ ସେ ସମୟର ହିନ୍ଦୁ ସମାଜରେ ଗୋଟିଏ ଦିନ ବି କଟାଇ ପାରିବେ ଯଦି ବହୁତ ବଡ଼ କଥାଟିଏ ହୋଇଯିଵ । କିନ୍ତୁ ଏହାର ଅର୍ଥ ଏଇଆ ଆଦୌ ନୁହେଁ ଯେ ଖିରସ୍ତାନୀ ସମାଜ କି ଖିରସ୍ତାନୀମାନେ ପୂରା ସୁନାମୁଣ୍ଡା । 

ବ୍ରିଟିଶ ଶାସନର ଆରମ୍ଭରୁ ଅନ୍ତ ଯାଏଁ ଭାରତରେ ଅନେକ ବଡ଼ ବଡ଼ ଦୁର୍ଭିକ୍ଷ ପଡ଼ିଥିଲା ‌। ୧୭୭୦ ବଙ୍ଗ ଦୁର୍ଭିକ୍ଷ ବ୍ରିଟିଶ ଶାସନକାଳର ପ୍ରଥମ ଦୁର୍ଭିକ୍ଷ ଥିଲା , ସେହିପରି ବ୍ରିଟିଶ ଶାସନ ଅନ୍ତ ହେଵାର ଠିକ୍ ଚାରିଵର୍ଷ ପୂର୍ଵରୁ ସେଇ ବଙ୍ଗରେ ୧୯୪୩ରେ ଶେଷ ଥର ପାଇଁ ଦୁର୍ଭିକ୍ଷ ପଡ଼ିଥିଲା । ୧୭୮୩ରୁ ୧୭୮୪ ମଧ୍ୟରେ ଚାଳିଶା ଦୁର୍ଭିକ୍ଷ ଉତ୍ତର ଭାରତର କାଶ୍ମୀର,ରାଜପୁତାନା,ପଞ୍ଜାବ,ଅଵଧ ଆଦି ଅଞ୍ଚଳରେ ହୋଇଥିଲା । ୧୭୯୧ରୁ ୧୭୯୨ରେ ଦୋଜି ବାରା ଦୁର୍ଭିକ୍ଷ ହାଇଦ୍ରାବାଦ, ମହାରାଷ୍ଟ୍ର,ଡେକାନ ଅଞ୍ଚଳ, ଗୁଜରାଟ ଓ ମାରଵାଡ଼ ଅଞ୍ଚଳରେ ହୋଇଥିଲା। ୧୮୩୭ରୁ ୧୮୩୮ରେ ଆଗ୍ରା ଦୁର୍ଭିକ୍ଷ ଯୋଗୁଁ ଆଗ୍ରା, ଦିଲ୍ଲୀ,ଦୋଆଵ୍,ହିସାର୍ ଓ ଜମୁନା ଆଖପାଖର ଲକ୍ଷ ଲକ୍ଷ ଲୋକେ ମୃତ୍ୟୁଵରଣ କରିଥିଲେ । ଦୋଆଵ୍ ଅଞ୍ଚଳରେ ପୁଣି ୧୮୬୦-୬୧ରେ ଉପର ଦୋଆଵ୍ ଦୁର୍ଭିକ୍ଷ ପଡ଼ିଥିଲା। ୧୮୬୫ରୁ ୧୮୬୭ ଯାଏଁ ଓଡ଼ିଶାରେ ନଅ ଅଙ୍କ ଦୁର୍ଭିକ୍ଷ ପଡ଼ିଵାରୁ ପାଞ୍ଚ ନିଉତ ଲୋକ ମରିଥିଲେ। ୧୮୬୮ରୁ ୧୮୭୦ ମଧ୍ୟରେ ରାଜପୁତାନା ଦୁର୍ଭିକ୍ଷ ଯୋଗୁଁ ଆଜମେର୍, ପଶ୍ଚିମ ଆଗ୍ରା ଓ ପୂର୍ଵ ପଞ୍ଜାବର ଲୋକେ ହନ୍ତସନ୍ତ ହୋଇଥିଲେ। ୧୮୭୩-୭୪ରେ ବିହାର ଦୁର୍ଭିକ୍ଷ ଯୋଗୁଁ ଲୋକେ ପୁଣି ଦୁଃଖ ଭୋଗିଲେ । ୧୮୭୬-୭୮ରେ ଦକ୍ଷିଣ ଭାରତୀୟ ଦୁର୍ଭିକ୍ଷ ପଡ଼ିଥିଲା। ବମ୍ବେ ଡେକାନ୍, ବେଙ୍ଗଲ, ୟୁନାଇଟେଡ୍ ପ୍ରୋଭିନ୍ସ, ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଓ ଏହାଵ୍ୟତୀତ ପଞ୍ଜାବର କିଛି ଅଂଶ ବିଶେଷ କରି ବାଗର ଅଞ୍ଚଳରେ ୧୮୯୬-୯୭ରେ ଯେଉଁ ଦୁର୍ଭିକ୍ଷ ଦେଖାଦେଲା Indian famine ଵା ଭାରତୀୟ ଦୁର୍ଭିକ୍ଷ କୁହାଗଲା । ପୁଣି ୧୮୯୯-୧୯୦୦ ବେଳକୁ ଏହି ଅଞ୍ଚଳରେ ଆଉଥରେ ଦୁର୍ଭିକ୍ଷ ହୋଇଥିଲା । ଏତଦଵ୍ୟତୀତ ଇଂରେଜ ଶାସନ ସମୟରେ ପ୍ରତିଵର୍ଷ ଭାରତର କୌଣସି ନା କୌଣସି ଅଞ୍ଚଳରେ ଦୁର୍ଭିକ୍ଷ ଭଳି ସ୍ଥିତି ନିଶ୍ଚୟ ଉପୁଜୁଥିଲା ।‌ କିନ୍ତୁ ୧୯୪୨-୪୩ର ବଙ୍ଗ ଦୁର୍ଭିକ୍ଷ ପରେ ଯେତେବେଳେ ବ୍ରିଟିଶ ଶାସନ ହଟିଗଲା ସେତେବେଳଠାରୁ ଏଯାଵତ୍ ଭାରତରେ ଆଉ କେବେ ବି ବଡ଼ ଧରଣର ଦୁର୍ଭିକ୍ଷ ପଡ଼ିନାହିଁ ‌। ଏହିକଥାର ଉଲ୍ଲେଖ କରି ଲେଖକ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ ତାଙ୍କ ପୁସ୍ତକ The Idea of Justice(୨୦୦୯)ରେ ଲେଖିଛନ୍ତି “Though Indian democracy has many imperfections, nevertheless the political incentives generated by it have been adequate to eliminate major famines right from the time of independence. The last substantial famine in India — the Bengal famine — occurred only four years before the Empire ended. The prevalence of famines, which had been a persistent feature of the long history of the British Indian Empire, ended abruptly with the establishment of a democracy after independence.(ଯଦିଓ ଭାରତୀୟ ଗଣତନ୍ତ୍ରରେ ଅନେକ ତ୍ରୁଟି ରହିଛି, ତଥାପି ଏହା ଦ୍ୱାରା ସୃଷ୍ଟି ହୋଇଥିଵା ରାଜନୈତିକ ପ୍ରୋତ୍ସାହନ ସ୍ୱାଧୀନତା ପରଠାରୁ ବଡ଼ ଦୁର୍ଭିକ୍ଷର ଅନ୍ତ ଘଟାଇଵା ପାଇଁ ଯଥେଷ୍ଟ। ଭାରତରେ ଶେଷ ବଡ଼ ଦୁର୍ଭିକ୍ଷ - ବଙ୍ଗଳାର ଦୁର୍ଭିକ୍ଷ - ଇଂରାଜୀ ଶାସନ ଶେଷ ହେଵାର ମାତ୍ର ଚାରି ଵର୍ଷ ପୂର୍ଵରୁ ଘଟିଥିଲା । ବ୍ରିଟିଶ ଭାରତୀୟ ସାମ୍ରାଜ୍ୟର ଦୀର୍ଘ ଇତିହାସର ଏକ ନିରନ୍ତର ଵୈଶିଷ୍ଟ୍ୟ ଥିଵା ଦୁର୍ଭିକ୍ଷର ପ୍ରକୋପ ସ୍ୱାଧୀନତା ପରେ ଗଣତନ୍ତ୍ର ପ୍ରତିଷ୍ଠା ସହିତ ହଠାତ୍ ଶେଷ ହୋଇଗଲା ।)”

ଏତେ ସବୁ ଦୁର୍ଭିକ୍ଷ ପୁଣି ମଝିରେ ମଝିରେ ଦେଶଵ୍ୟାପୀ ମହାମାରୀ ରୋଗ ଵ୍ୟାପିଵା ପଛରେ ଭାରତୀୟମାନଙ୍କ ଵଂଶଲୋପର ଉଦ୍ଦେଶ୍ୟ ନଥିଲା ବୋଲି କୁହାଯାଇନପାରେ। ସ୍ଵର୍ଗଵାସୀ ଶ୍ରୀ ରାଜୀଵ ଦିକ୍ଷୀତ ସବୁବେଳେ କହୁଥିଲେ ଇଂରେଜମାନେ ଯାହା କରୁଥିଲେ ପଚାଶ ଵର୍ଷ ଆଗରୁ ତହିଁର ଯୋଜନା କରିରଖୁଥିଲେ । ତେଣୁ ହୁଏତ ଇଂରେଜମାନଙ୍କ ଦ୍ଵାରା ଯୋଜନାବଦ୍ଧ ଭାବେ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଭାରତୀୟମାନଙ୍କୁ ମାରି ନିୟନ୍ତ୍ରିତ କରିଵାକୁ ଚେଷ୍ଟା ହୋଇଥିଲା ବୋଲି ଅନେକେ ମନେ କରନ୍ତି । ଯଦି ଏହା ସତ ହୋଇଥାଏ ତେବେ ୟୁରୋପୀୟ ଖିରସ୍ତାନୀମାନଙ୍କୁ ପତିତପାଵନ କହିଵା ଆଦୌ ଯୁକ୍ତିଯୁକ୍ତ ହେଵ ନାହିଁ । ପୁଣି ପୃଥିଵୀ ସାରା ସେ ସମୟରେ ୟୁରୋପୀୟ ଖିରସ୍ତାନୀମାନେ ଆନ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । 

ଇଂରେଜମାନେ ଖିରସ୍ତାନୀ, ୟୁରୋପୀୟ ବି ଅଧିକାଂଶ ଖିରସ୍ତାନୀ। ଅଷ୍ଟ୍ରେଲିଆକୁ ଯାଇ ସେଠାକାର ଷାଠିଏ ହଜାର ଲୋକମାନଙ୍କୁ ପ୍ରତ୍ୟକ୍ଷ ଭାବେ ହତ୍ୟା କରିଵା ଛଡ଼ା ମହାମାରୀ ରୋଗ ସ୍ଥାନୀୟ ଲୋକଙ୍କୁ ଦେଇ ଲକ୍ଷାଧିକ ପ୍ରାଚୀନ ଅଷ୍ଟ୍ରେଲୀୟ ନିଵାସୀଙ୍କୁ ମାରି ଦେଇଥିଲେ । ଅଷ୍ଟ୍ରେଲିଆର ଏହି ଆଦିଵାସୀମାନଙ୍କର ଛୁଆମାନଙ୍କୁ ଚୋରେଇ ନେଇ ନିଜର ଚାକର କରି ରଖୁଥିଲେ ଖିରସ୍ତାନୀ। ଏହା କି ପ୍ରକାରର ପତିତପାବନୀ ଗୁଣ ଥିଲା ? ଉତ୍ତର ଆମେରିକା ମହାଦେଶଦ୍ଵୟରେ ୫୫ ନିଉତ ପ୍ରାଚୀନ ଅଧିଵାସୀଙ୍କୁ ୟୁରୋପୀୟ ଖିରସ୍ତାନୀମାନେ ୧୫୦୦ରୁ ୧୮୦୦ ମଧ୍ୟରେ ମାରି ଦେଇଥିଲେ । ଅଶିରୁ ପଞ୍ଚାନବେ ପ୍ରତିଶତ ଆମେରିକୀୟ ମୂଳନିଵାସୀ ୟୁରୋପୀୟଙ୍କ ଆମେରିକା ଆଗମନର ଦେଢ଼ଶହ ଵର୍ଷ ମଧ୍ୟରେ ହତ୍ୟା, ମହାମାରୀ ଆଦିରେ ପଡ଼ି ମରି ଯାଇଥିଲେ । ସେହିପରି ଆଫ୍ରିକାରୁ କଳା ଲୋକମାନଙ୍କୁ ଗୋରା ଖିରସ୍ତାନୀ ଗୋରୁଙ୍କ ପରି ବାନ୍ଧି ଆମେରିକାରେ ଆଣି ଗଧ ଭଳି ଶତାଧିକ ଵର୍ଷ ଗୋଲାମ କରି ଖଟାଇଥିଲେ । ପ୍ରାୟ ୧୨.୫ ନିଉତ ଆଫ୍ରିକୀୟମାନଙ୍କୁ ସେତେବେଳେ ଖିରସ୍ତାନୀ ଗୋରାମାନେ ଗୋଲାମ କରିଥିଵା ଜଣାଯାଏ । ସେହିପରି ଆଫ୍ରିକାର ଅର୍ଦ୍ଧାଧିକ ଜନଜାତୀୟ ଲୋକଙ୍କୁ ୟୁରୋପୀଦ ଖିରସ୍ତାନୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମାରି ଦେଇଥିଲେ । ଆଜି ବି ଆଫ୍ରିକାର ଅନେକ ଦେଶ ଅନଗ୍ରସର ଓ ଦୁର୍ଭିକ୍ଷ ପ୍ରପୀଡି଼ତ ଏହାର ଗୋଟିଏ ବଡ଼ କାରଣ ଗୋରା ୟୁରୋପୀୟ ଖିରସ୍ତାନୀମାନଙ୍କ ଶୋଷଣ ଓ ଲୁଣ୍ଠନ ଅଟେ । ଏସିଆର ଅନ୍ୟ ଦେଶ କଥା କ'ଣ କହିଵା, କେଵଳ ଭାରତରେ ଇଂରେଜମାନଙ୍କ ଦ୍ଵାରା ପ୍ରତ୍ୟକ୍ଷରେ ଷାଠିଏରୁ ୧୫୦ ନିଉତ ଲୋକ ମୃତ୍ୟୁଵରଣ କରିଥିଲେ। ତାହେଲେ ୟୁରୋପୀୟ ଗୋରା ଖିରସ୍ତାନୀଙ୍କୁ ଫକୀରମୋହନଙ୍କ ଦ୍ଵାରା ପତିତପାଵନ କହିଵା ଯୁକ୍ତିଯୁକ୍ତ ଥିଲା କି ? ଆଜି ସିନା ଇଂରେଜମାନଙ୍କ ଅତ୍ୟାଚାର ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଜାଲରେ ବହି ରୂପରେ ସହଜେ ଉପଲବ୍ଧ କିନ୍ତୁ ଫକୀରମୋହନଙ୍କ ସମୟରେ ଏତେ ସବୁ ତଥ୍ୟ ସହଜରେ ମିଳୁନଥିଲା ତେଣୁ ସେ ଵା କେମିତି ଗୋରା ଖିରସ୍ତାନୀଙ୍କ ଵିଶ୍ଵଵ୍ୟାପୀ ଅତ୍ୟାଚାର ଵିଷୟରେ ଜାଣନ୍ତେ । ଅଵଶ୍ୟ ଧର୍ମାନ୍ତରୀକରଣର ସ୍ଵାର୍ଥ ରଖି ମିସନରୀମାନଙ୍କ ଦ୍ଵାରା ସେତେବେଳେ ହିନ୍ଦୁ କାଙ୍ଗାଳିମାନଙ୍କର ଯତ୍ନ ଓ ସେଵା କରାଯାଇଥିଲା ଏଵଂ ଏକଥା ଫକୀରମୋହନ ନିଜେ ମଧ୍ୟ ଉଲ୍ଲେଖ କରିଛନ୍ତି ତଥାପି ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜକୁ କାଙ୍ଗାଳିମାନଙ୍କ ପ୍ରତି ସହନଶୀଳ ଦୟାଶୀଳ ହେଵାକୁ ଵାର୍ତ୍ତା ଦେଵା ପାଇଁ ଫକୀରମୋହନ ଖିରସ୍ତାନୀ ମିସନରୀମାନଙ୍କର ପ୍ରଶଂସା କରିଥିଵା ଅନୁମାନ କରାଯାଇପାରେ । 

ମୋଟ ଉପରେ କହିଵାକୁ ଗଲେ ଫକୀରମୋହନ ସେନାପତି ତାଙ୍କ ଆତ୍ମଜୀଵନୀରେ "ଓଡ଼ିଶା ଦୁର୍ଭିକ୍ଷ" ପ୍ରସଙ୍ଗରେ ନଅ ଅଙ୍କ ଦୁର୍ଭିକ୍ଷରେ ଲକ୍ଷାଧିକ ଜନହାନୀ ପାଇଁ ପ୍ରକୃତି, ରେଭେନ୍ସା, ସରକାରୀ ଅଣଓଡ଼ିଆ ସିରସ୍ତଦାର,ପେସ୍କାର ଓ ପଲ୍ଟିକାଲ୍ ଏଜେଣ୍ଟ, ସ୍ଥାନୀୟ ଧନୀକ, ସରକାର, ସ୍ଵୟଂ କାଙ୍ଗାଳି,ମୌଳିଵାଦୀ ହିନ୍ଦୁ ସମାଜ ଓ ଛତ୍ର ଲଗାଇଥିଵା ଖିରସ୍ତାନୀ ଇତ୍ୟାଦି ଅନେକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦୋଷୀ କରିଛନ୍ତି । ଅତଏଵ ଫକୀରମୋହନଙ୍କୁ ଏସମସ୍ତ ପକ୍ଷ ମଧ୍ୟରେ
ଗୋଟିଏ ପକ୍ଷର ପକ୍ଷଧର ଭାବିବା ଭୁଲ୍ ଓ ତାଙ୍କ ପ୍ରତି ନିତାନ୍ତ ଅନ୍ୟାୟ ନୁହେଁ କି ?
 













Friday, August 30, 2024

••••ବାଘ ସଙ୍ଗେ ମୁହାଁମୁହିଁ••••


ମୋହନ ମୁଦୁଲି ସାଙ୍ଗରେ ମୋର ଦେଖା ହୋଇଥିଲା ରାମଗିରି ଵନ ଵିଭାଗର ଡାକବଙ୍ଗଳାରେ । ସେ ସେଠାକାର ଚୌକିଦାର । ଵୟସ ତା'ର ଷାଠିଏ ଡେଇଁବଣି। ତେବେ ସରକାରୀ ଖାତାପତ୍ରରେ ଏବେ ବି ତା'ର ପାଞ୍ଚ ସାତ ଵର୍ଷ ଚାକିରୀ ରହିଚି । ଖାକୀ କନାର ଗୋଟିଏ ସାର୍ଟ, ତା' ତଳକୁ ଖଣ୍ଡେ ଅଧ ମଇଳା ଆଠହାତି ଧୋତି ପିନ୍ଧି, ମୁଣ୍ଡରେ ଠେକାଟିଏ ଭିଡ଼ି ସେ ଵିନୀତ ଭାଵରେ ମୋ ଆଗରେ ବସିଥିଲା । ସମୟଟା ଫଗୁଣ ମାସ ହେଵ । ସେଦିନ ଆମେ କୋରାପୁଟର ଜୟପୁର ସହରରୁ ଗୁପ୍ତେଶ୍ଵରଙ୍କର ଶିଵରାତ୍ରୀ ମେଳା ଦେଖିଵାକୁ ଯାଉଥାଉ । କୋଲବ୍ ନଦୀ କୂଳରେ ପାହାଡ଼ ଗୁମ୍ଫାରେ ଗୁପ୍ତେଶ୍ଵର ଶିଵଙ୍କର ଆସ୍ଥାନ । ଘଞ୍ଚ ଜଙ୍ଗଲ ଭିତରେ ବାଘ ଭାଲୁ ମେଳା ମେଳା । ତା’ରି ଭିତରେ ନିଜ ପାଇଁ ସ୍ଥାନ ବାଛି-ନେଇଛନ୍ତି ଦେଵ ଦେଵ ମହାଦେଵ । ଵର୍ଷସାରା କୁଆଡ଼େ ବାଘଟିଏ ତାଙ୍କୁ ଜଗି ରହିଥାଏ । ଏକମାତ୍ର ପୁରୋହିତଙ୍କ ଵ୍ୟତୀତ ଆଉ କେହି ତାଙ୍କ ପାଖକୁ ଯାଆନ୍ତି 
ନାହିଁ । ଶିଵରାତ୍ରୀ ଦିନ କିନ୍ତୁ ସେଇ ନିକାଞ୍ଚନ ଜାଗା ଵିପୁଳ ଜନସମାଗମ ଯୋଗୁ କୋଳାହଳ ମୁଖରିତ ହୋଇଉଠେ । ନଦୀ ପାରିହୋଇ ଆସନ୍ତି ଆନ୍ଧ୍ର ଆଉ ମଧ୍ୟପ୍ରଦେଶର ଅନେକ ଭକ୍ତ । ତାଙ୍କ ସହିତ ଏ ପଟରୁ ମିଶନ୍ତି ଓଡ଼ିଶାର ଲେକେ । ଗୁପ୍ତେଶ୍ଵରଙ୍କ ମହିମାରୁ ଏଇ ଦିନ ବାଘଭାଲୁମାନେ ବି ଜଙ୍ଗଲ ଭିତରକୁ ପଳାଇଥାଆନ୍ତି । ଦୀର୍ଘ ସମୟଯାଏ ମେଳା ଚାଲେ । ଗୁପ୍ତେଶ୍ବର ଯିଵା ବାଟରେ ପଡ଼େ ରାମଗିରି ପାହାଡ଼ । କେତେକଙ୍କ ମତରେ ଏଇଠାରେ ମହାକଵି କାଳିଦାସ ତାଙ୍କର ପ୍ରସିଦ୍ଧ କାଵ୍ୟ ‘ମେଘଦୂତ’ ଲେଖିଥିଲେ । ସବୁଜ ଵନାନୀର ଦିଗନ୍ତଵିସ୍ତାରୀ କୋଳରେ କୂଟଜସୁରଭିତ ଵନ ଝରଣାର କୂଳେ କୂଳେ ଲମ୍ବି ଯାଇଚି ଏଇ ଛୋଟ ପାହାଡ଼ଟି । ତା'ରି ତଳେ ଵନ ଵିଭାଗର ଵିଶ୍ରାମାଗାର । ଗସ୍ତରେ ଆସିଲେ ହାକିମମାନେ ଏଇଠି ରହିଯାଆନ୍ତି । ସେଇଠି ବସି ସେଇ ମେଘୁଆ ଅପରାହ୍ନରେ ମୋହନ ମୁଦୁଲିଠାରୁ ଏ ବଣ ରାଇଜର
କାହାଣୀ ଶୁଣିଥିଲି, ଯାହା ସହିତ ମିଶିଯାଉଥିଲା ତା’ର ନିଜର ଜୀଵନ । ଜଙ୍ଗଲ ଵିଭାଗର ବଡ଼ ସାହେବ ମୋର ବନ୍ଧୁ । ତାଙ୍କରି ଜିପ୍‌ରେ ଗୁପ୍ତେଶ୍ୱର ଯାଉଁ ଯାଉଁ ଆମେ ଏଇଠି ଟିକିଏ ଅଟକି ଯାଇଛୁ । ସେପଟେ ଖାଇଵା
ପିଇଵାର ଉତ୍ତମ ଵ୍ୟଵସ୍ଥା । ତା' ଭିତରେ ମୁଦୁଲି ଯେ କେତେବେଳେ ମୋ
ଭିତରେ ଆଗ୍ରହୀ ଶ୍ରୋତାଟିଏ ଆଵିଷ୍କାର କରିନେଇ ଗପର ପେଡ଼ି ଖୋଲି ଦେଇଚି,ଏ କଥା ମୁଁ ନିଜେ ବି ଜାଣେ ନାହିଁ ।
'' ଧନ୍ୟ କହିଵ ସେ ବିଲେଇ ସାହାବକୁ ! କଲମ ଗାରରେ ମତେ ଏଇଠି
ମୁକରିର କରିଦେଲା।” ମୁଦୁଲି ଯାହାକୁ ‘ବିଲେଇ ସାହାବ' ବୋଲି କହିଲା-
ସେ ବୋଧହୁଏ ଉଇଲିୟମ୍ କି ଆର୍ଥର ବେଲୀ ହେବେ । ରାଜୁଡ଼ା ଶାସନରେ ବଣ ଵିଭାଗର ହାକିମ ଥିଲେ । ବଣ ଵିଭାଗର ହାକିମମାନଙ୍କର ଯେଉଁ ତାଲିକା
ସେ ପେଶ୍ କଲା, ସେଥିରୁ ମୋତେ ଧାରଣା ହେଲା ଯେ, ବେଲୀ ସାହେବ ନିଶ୍ଚେ
ଚଳିତ ଶତାବ୍ଦୀର ତୃତୀୟ ଦଶକ ଆଖପାଖର ହାକିମ ହୋଇଥିବେ । ମୁଁ ଏହାପରେ ମୁଦୁଲିକୁ ପଚାରିଲି, “ଆଚ୍ଛା ମୁଦୁଲି, ଏ ବଣ ଭିତରେ
ଏକୁଟିଆ ରହିଵାକୁ ତମକୁ ଡର ଲାଗେ ନାହିଁ ?” ''ଡର ?'' ମୁଦୁଲି ହୋ ହୋ ହସି ଉଠିଲା । ଶାଳ ବଣରୁ ଦଳେ ପକ୍ଷୀ ଉଡ଼ିଗଲେ । ସେ କହିଲା, ‘ଏମିତି ଦିନ ଯାଇଚି ସାର୍, ଯେତେବେଳେ କି ଏଇ ଡାକବଙ୍ଗଳା ହତା ଭିତରେ ମୋତେ ବାଘ ହାବୁଡ଼ିଚି । ହେଲେ ମୋର ଗୋଟାଏ ରଡ଼ିରେ ଛାନିଆ ହୋଇ ଲଙ୍ଗୁଡ଼ ଜାକି ପଳେଇଵାକୁ ବାଟ ପାଇ ନାହିଁ ! ସରକାରୀ ହୁଦା କାନ୍ଧରେ ପଡ଼ିଥିଲେ ବାଘ ତ ଛାର, ନିଜେ ଯମ ମଧ୍ୟ ଆମ ପାଖରେ ପଶିଵାକୁ 'ଡରିଵ ।'' ହୁଦାର ଏଭଳି କରାମତି ଥିଵାର କଥା ମୋତେ ଜଣା । ମୋହନ ମୁଦୁଲିକୁ କହିଲି, “ତମେ ତା’ହେଲେ ଏଇଠି ଅନେକ ଥର ବାଘ ହାବୁଡ଼ିଚ ?
ବଡ଼ ବଡ଼ ଆଖି କରି ମୁଦୁଲି ଆରମ୍ଭ କଲା, “ତମକୁ ମିଛ, ମତେ ସତ ବାବୁ! ହେଲେ କଥାଟା ପରା କାଲି ପରି ମୋ ଆଖି ଆଗରେ ନାଚି ଯାଉଚି । ଆଗେ କ’ଣ ଥିଲା ଏ ଜାଗା । ଏଠିକି କୋଉ ରାସ୍ତା ଥିଲା ନା ଘାଟ ଥିଲା । ଜଙ୍ଗଲରୁ ଶିକାର
କରିଵାକୁ, ମହାରାଜ ତାଙ୍କ ପିଲଝିଲା, ବନ୍ଧୁ ବାନ୍ଧବଙ୍କୁ ନେଇ କେବେ କେମିତି ଅସନ୍ତି ।
ଆଉ ଆସନ୍ତି ନାଲିଆ ମୁହାଁ ସାହାବମାନେ । ସେମାନଙ୍କ ମେମ୍‌ସାହାବ ଆଉ ବଡ଼ସାନ ବାବାମାନଙ୍କୁ ସାଙ୍ଗରେ ନେଇ । ଏଠି ଖୋଲା ମେଲା ଜାଗାରେ ଘରଟାଏ ତ ଠିଆ କରିଦେଲେ । ପାଚିରି ନା ଫାଚିରି ! ଘର ପଛପଟରୁ ଆରମ୍ଭ ହୋଇଚି
ଜଙ୍ଗଲ ପୁଣି ଏମିତି ସେମିତି ନୁହେଁ ।' ଦିନବେଳେ ବି ଖରପଡ଼ିଵା ମୁସ୍କିଲ୍ । ରାତି ତ ରାତି, ଦିନରେ ବି ବାଘର ରଡ଼ି ଶୁଣିଚି । ସାହାବମାନେ ହାତୀ ଚଢ଼ି ଆସନ୍ତି, ଦିନାକେତେ ଫୂର୍ତ୍ତି କରି ବାହୁଡ଼ି ଯାଆନ୍ତି । ମୁଁ ଯୋଉ ଏକାକୁ ସେଇ ଏକା ।ସେତେବେଳେ ନୂଆ ତ ! କୋଉ ଏ ଦେଶର ଭାଷା ମତେ ଜଣାଥାଏ ଯେ, ଏଠିକାର ଆଦିଵାସୀ ପରଜାମାନଙ୍କ ସାଙ୍ଗରେ କଥାଵର୍ତ୍ତା ହେବି !”

"କିଛିଦିନ ରହିଲା ପରେ ଏଇ ଜଙ୍ଗଲ ପାଇଁ ମନରେ ଗୋଟାଏ ମାୟା ଭରି ଗଲା । ଫଗୁଣ ଚଇତ ମାସରେ ଗଛେ ଗଛେ ନୂଆ ପତର ଭରି ହୋଇଯାଏ । ଶାଳ ଫୁଲର ମହକରେ ମନ ଉଲୁସି ଉଠେ । ସେତିକିବେଳେ ଚାଙ୍ଗୁ ମହୁରୀର ତାଳେ ତାଳେ ପାଦ ପକେଇ ବାହାରି ଆସନ୍ତି ପରଜୁଣୀମାନେ । ସେମାନଙ୍କ ଖୋଷାରେ ନାଲି ହଳଦିଆ ବଣୁଆ ଫୁଲ । ମୁଁ ଘଣ୍ଟା ଘଣ୍ଟା ଧରି ସେମାନଙ୍କ ନାଚ ଦେଖୁଥାଏ, ନିଜକୁ ଭୁଲିଯାଇ । ସତ କହୁଚି ବାବୁ ! କେବେ କେମିତି ଘରକୁ ଗଲେ ସେଠି ମୋର ମନ ମୋଟେ ଲାଗେ ନାହିଁ । ଛାଟିପିଟି ହୋଇସପୁଣି ଏଇଠିକି ପଳେଇ ଆସେ ।” ମୁଁ ଆଶ୍ଚର୍ଯ୍ୟ ହୋଇ ମୁଦୁଲି ଆଡ଼େ ଅନାଇଥିଲି । ବଣ ଵିଭାଗର ଏଇ ଅପାଠୁଆ ଚୌକିଦାରଟି ତେବେ ଜଣେ କବି ! ମୁଦୁଲି ପୁଣି ଆରମ୍ଭ କଲା
''ଚୌକିଦାରର ଘର ତ ତମେ ଦେଖୁଚ ବାବୁ ! ସେଇଠି ମୁଁ ରହୁଥାଏ । ଗାଁ'ରୁ ଆସି ପହଞ୍ଚି ଥାଆନ୍ତି ମୋର ଘରମଣିଷ ଆଉ ପିଲା ତିନୋଟି ।” ମୁଦୁଲି ହାତ ଉଠାଇ ପିଲାମାନଙ୍କର ଵୟସ ଜଣାଇ ଦେଲା । ମୁଁ ଅନୁମାନ କଲି, ବଡ଼ଟି ଆଠ,ଦଶ ଵର୍ଷର ହୋଇଥିଵ । ଆଉ ସାନଟିକୁ ଖୁବ୍ ବେଶିରେ ପାଞ୍ଚ ଛଅ । ମୁଦୁଲି ଆରମ୍ଭ କଲା, “ସେଦିନ ଛାଇ ନେଉଟାଣି ମୁଁ ହାଟରୁ ଫେରୁଥାଏ । ଭୋକରେ ମୋ ପେଟ କଁ କଁ ଡାକୁଥାଏ । କେମିତି ଘରେ ପହଞ୍ଚି ଆଗ ପଖାଳ କଂସା 
ପାଖରେ ବସିବି । ଏଇ କଥା ଭାବୁ ଭାବୁ ମୋ କାନରେ ପଡ଼ିଲା ପିଲାମାନଙ୍କର ପାଟି । ସେମାନେ ମତେ ଦେଖି ଏକା ସାଙ୍ଗରେ ପାଟିକରି ଉଠିଲେ, “ବାପା,ଦେଖିଵ ଆସ, ଗୋଟାଏ ଘୋଡ଼ା କି କ'ଣ ଆମ ଦୁଆରେ ଆସି ବସିଚି ।” “ଘୋଡ଼ା" ମୁଁ ଚକିତ ହେଲି । ସେମାନେ ଗାଁ’ରେ ଥରେ ଅଧେ ଆମ ରଜାଙ୍କ ଘୋଡ଼ା ଅବା ଦେଖିଥିଲେ । ହେଲେ, ଏଠି ଘୋଡ଼ା କୁଆଡ଼ୁ ଆସିଲା ? ତେବେ କଣ ଘୋଡ଼ା ଚଢ଼ି କିଏ ଶିକାରୀ ଆସି ପହଞ୍ଚିଚି ?” “ମଝିଆଟା ତା' ବଡ଼ ଭାଇକି କହୁଥାଏ, "ଦେଖ୍, ତା' ଦିହରେ କେମିତି ଗାର ପଡ଼ିଚି । ଭାଇ, ଆମର ଆକୁ ଆଣିଵା ।” ସାନ ଝିଅଟା ପୁଣି କହୁଥାଏ, 'ମୁଁ
ଆ' ଉପରେ ବସିବି । ପିଲାଙ୍କର ଘୋଡ଼ାକୁ ଦେଖି ମୋ ରକତ ଏଣେ ପାଣି ଫାଟିଯିଵା ଉପରେ । ସତ କହୁଚି ବାବୁ ! ମୁଁ ସାହସ ହାରି ନାଇଁ । ମୋ ଆଖିରେ ଖାଲି ପିଲାମାନେ ନାଚୁଥାଆନ୍ତି । ସେମାନଙ୍କ ଆଡ଼କୁ ଅନାଇ ପଚାରିଲି, ତମ ବୋଉ କାଇଁ ? ବଡ଼ ପୁଅ ଜବାବ ଦେଲା—"ସିଏ ଯାଇଚି ତଳକୁ ପାଣି ଆଣିଵାକୁ” । “ଏତେ ବଡ଼ ବାଘ ଏତେ ଦିନ ଜଙ୍ଗଲରେ ରହିଵା ଭିତରେ ମୁଁ କେବେ ଦେଖିନାଇଁ । ଏଇଠୁ କୋଡ଼ିଏ ହାତ ଛାଡ଼ି, ସେଇ ନିମ ଗଛ ପଛେ, ଯୋଉଠି
ଏବେ ଗାରେଜ ହେଇଚି, ସେଇଠି ବସିଥାଏ ଜଙ୍ଗଲର ରାଜା । ଧୀରେ ଧୀରେ ଲଙ୍ଗୁଡ଼ ପିଟୁଥାଏ । ବାବୁ, ମୋର ତ ପିଳେହି ପାଣି ହୋଇଗଲା । କେମିତି ଛାତି ପଥର କରି ମୁଁ ପାଦେ ପାଦେ ଆଗେଇ ପିଲାମାନଙ୍କ ପାଖରେ ପହଞ୍ଚିଲି ଆଉ ସେମାନଙ୍କୁ ଘର ଆଡ଼କୁ ନେଇ ଘରେ ବନ୍ଦ କରିଦେଲି, ସେ କଥା ତମକୁ ବୁଝେଇ ପାରିବି ନାଇଁ । ମନେହେଉଥାଏ, ଯେମିତି ମୋ ଉପରେ ଗୋଟାଏ ଯୁଗ ବହିଗଲାଣି ! ଯାହାହଉ, ପିଲାମାନଙ୍କୁ ନିରାପଦରେ ରଖିଦେଵା ପରେ ମୋର ସାହସ ଫେରିଆସିଲା । ବାରଣ୍ଡାରେ ଡେରି ହୋଇଥିଲା ଫାର୍ଶାଟାଏ । ସେଇଟାକୁ ହାତରେ ଧରି ମୁଁ ନିଜେ ଏଥର ବାଘର ମୁହାଁମୁହିଁ ହୋଇ ଧରମ ଡାକ ମାରିଲି- ଦେଖ ମାମୁ, ତୁ ଜଙ୍ଗଲର ରାଜା । ଜଙ୍ଗଲକୁ ଚାଲିଯା' । ସେଠି ତୁ ତୋର ବୁଲ୍ ଖା', ପି' । ଏ ସରକାରୀ ବଙ୍ଗଳା । ମୁଁ ଚଉକିଦାର । ଡୁ’ଟୀ ଉପରେ ଅଛି । ଭଲଗତି ଅଛି ତ ଏଠୁ ଚାଲିଯା” ।” ମୁଁ ଜାଣେ, ବାଘ କେବେ ମୁଦୁଲିର କଥାକୁ ଖାତିର କରି ନ ଥିବ । ଆଇନ୍ ନମାନିଲେ ଯେ ଦଣ୍ଡ ଭୋଗିଵାକୁ ପଡ଼େ,ବାଘ ସେ କଥା ଵା ଜାଣିଵ କାହିଁକି । “ଗୋଟାଏ ରଡ଼ି ଛାଡ଼ି ବାଘ ମୋ
ଡାହାଣ ପଟକୁ ଡେଇଁ ପଡ଼ିଲା ।”


ମୁଦୁଲି ଏଥର ଆତ୍ମପ୍ରତ୍ୟୟର ହସ ହସି କହିଲା—"ପୁଅ ମନେ ମନେ ଏକା ସିଆଣା ! ଡାହାଣ ପଟରୁ ମାମୁଙ୍କୁ ଯେ ଶିକାର ଧରିଵାକୁ ସୁଵିଧା ହୁଏ, ସେ କଥା ଏତେଦିନ ଜଙ୍ଗଲରେ ରହି ମୁଁ କ'ଣ ଜାଣି ନ ଥିଲି । ମୁଁ ସାଙ୍ଗେ ସାଙ୍ଗେ ବୁଲି ପଡ଼ିଲି । ଏଥର ବାଘ ଠିକ୍ ମୋ ବାଁ ପଟରେ । କେତେବେଳେ ମୋର ଯବାନ୍ ବେଳ । କେତେବେଳଯାଏ ଆଉ ଏ ହରକତ ସହିଥାଆନ୍ତି । ଠିକ୍ କଲି ଏ ବାଘଟାକୁ ପାନେ ନ ଦେଲେ ଇଏ ଏଠୁ ଘୁଞ୍ଚିବ ନାଇଁ । ଦି ହାତରେ ଫାର୍ଶା ଉଠେଇ ଏଥର ଲଢ଼େଇ ପାଇଁ ତିଆର ହେଇଗଲି।” ମୁଦୁଲି ନିଜେ ଠିଆ ହୋଇପଡ଼ି,ତା'ର ସେତେବେଳର ସ୍ଥିତି ମୋତେ ବୁଝାଇ ଦେଇ କହିଲା–‘ମୋର ଭୀମ ରୂପ ଦେଖି ସେ ଘୁଡ଼ୁ ଘୁଡ଼ୁ ହୋଇ ରଡ଼ି ଛାଡ଼ି ମତେ ଡରାଇଵାକୁ ଲାଗିଲା । ଆରେ ହଟ୍ ! ମୁଁ ହେଲି ସର୍କାରୀ ଲୋକ । ଏଇଥିକି ମୋର ଡରାଣ ପଡ଼ିଚି ! ଠିକ୍ କରିନେଲି ବାବୁ,ଯାହା ହେଉ ପଛେ ବାଘ ସହିତ ମୁଁ ଲଢ଼ିବି । ତେଣୁ ଫାର୍ଶା ଉଠାଇ ତା’ ଆଡ଼କୁ ମାଡ଼ିଗଲି ।”

“ହଠାତ୍ ଢୋ’ କରି ଶବ୍ଦଟାଏ ହେଲା । ବାଘଟା କେମିତି ଚମକି ପଡ଼ିଲା ଆଉ ଆଖି ପିଛୁଡ଼ାକେ ଗୋଟାଏ କାନଫଟା ରଡ଼ି ଛାଡ଼ି ଜଙ୍ଗଲ ଭିତରକୁ ମାରିଲା କୁଦା । ମୁଁ” କଥାଟା ବୁଝିପାରିଲି ନାଇଁ । ମାତ୍ର ଦେଖିଲି ପାଣି ମାଠିଆଟେ ଛିନ୍‌ଛତର ହୋଇ ପଡ଼ିଛି । ପଛକୁ ବୁଲି ଦେଖିଲି,ବୁଲା ବୋଉ ଏଡ଼େ ଏଡ଼େ
ଆଖିରେ ବାଘ ଆଡ଼କୁ ଚାହିଁ ରହିଛି । ଜାଣିଲି, ଏଇଟା ବୁଲା ବୋଉର କାମ ।”
ବୁଲା ବୋଉ କହିଲା—“ତମେ ବାଘ ଆଡ଼କୁ ମାଡ଼ିଯିଵା ଦେଖି ମୁଁ” ଆଉ କ'ଣ କରିଥାନ୍ତି ! ମୁଁ ମୋ ବଳ ଖଟାଇ ବାଘ ଆଡ଼କୁ ଫୋପାଡ଼ିଲି ପାଣି ମାଠିଆଟା” !

“ଦେଖିଲ ବାବୁ, ବାଘ ମଧ୍ୟ ମଣିଷ ପାଖରେ କେମିତି ହାର୍ ମାନେ I”

(ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ଏହି ଵିଷୟଟି ପୂର୍ଵେ ପଢ଼ାଯାଉଥିଲା । ଏହାର ଲେଖକ ଡକ୍ଟର ହେମନ୍ତ କୁମାର ଦାସ ଅଟନ୍ତି 🙏)


Saturday, September 2, 2023

•ପଣ୍ଡିତ ନୀଳକଣ୍ଠ(ଲେଖନୀଚିତ୍ର -୭)•

ପଣ୍ଡିତ ଆସନରେ ବସିଲେ ମଧ୍ୟ ସମସ୍ତେ ଯେ ପଣ୍ଡିତ ହୋଇ ପାରିବେ ନାହିଁ ତହିଁର ପ୍ରକୃଷ୍ଟ ଉଦାହରଣ ସାକ୍ଷାତ ଵିଶ୍ଵନାଥ ଦାସ । ଭାଷା ଜାଣନ୍ତି ବୋଲି ସେ ଯେତେ ବାହାରେ ଦେଖଇ ହୁଅନ୍ତୁ; “ଉପଯାଚନା’’ “ସୌନ୍ଦର୍ଯମୟ" ଆଦି ଯେତେ ନୂଆ ନୂଆ ଶବ୍ଦ ସେ ଗଢ଼ନ୍ତୁ; ଯେତେ ସହିତ୍ୟ କମିଟିରେ ସଭାପତି ହୁଅନ୍ତୁ; ଯେତେଥର ରେଭେନ୍ସା ଗାର୍ଲ ସ୍କୁଲ ଦେଖନ୍ତୁ ଵା ପ୍ରାଇଜ ସଭାରେ ଅଧକ୍ଷ ହୁଅନ୍ତୁ, ତଥାପି ସେ ପଣ୍ତିତ ନୁହନ୍ତି । କାରଣ, ତାଙ୍କର ପାଣ୍ଡିତ୍ୟ ନାହଁ । ଓଡ଼ିଶାରେ ଯେବେ କିଏ ପଣ୍ଡିତ ଥାନ୍ତି, ସେ କେଵଳ ପଣ୍ଡିତ ନୀଳକଣ୍ଠ ଦାସ । ସୁବୋଧ୍ୟକୁ ଅବୋଧ୍ୟ କରିଵାରେ ସରଳକୁ କାଠିନ୍ୟ କରିଵାରେ ସେହି କେଵଳ ସମର୍ଥ । 
ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଏ ଦରିଦ୍ର ଓଡ଼ିଶାର ଲାଳନପାଳନ କର୍ତ୍ତା ଵିଷ୍ଣୁ ବୋଲି ଯେବେ ଧରାଯିଵ ତାଙ୍କର ସହଦେଵତା ବ୍ରହ୍ମା ଓ ମହେଶ୍ଵରଙ୍କ ସ୍ଥାନପୂରଣ ପାଇଁ ପଣ୍ତିତ ନୀଳକଣ୍ଠ ନିଶ୍ଚୟ ମହେଶ୍ଵର ଵା ନୀଳକଣ୍ଠ ହେବେ । କାରଣ ସେ ସଂହାର କର୍ତ୍ତା । “ଯଥାବିର୍ଯ୍ୟା ସ୍ତଥାଙ୍କୁରାଃ” ବୋଲି ଯେ ପ୍ରଵଚନ ତାହା ପାଣିନିଙ୍କ ଭାଷାରେ ଥିଲେ ମଧ୍ୟ ପ୍ରକୃତ ପକ୍ଷେ ଚଷାର ଉକ୍ତି । କାର୍ଯ୍ୟ ନା ଭଷା ପେପର ମଧ୍ୟ ପୋଢେ ସେଥିରୁ ଏହି ପରି ଗଛ ଉଠେ । କାହିଁକି ନା ଚଷା ଯେପରି ମଞ୍ଜି ପୋତେ ସେଥିରୁ ସେହିପରି ଗଛ ଉଠେ । ଏ କଥାର ସତ୍ୟତା ଉତ୍କଳ ପାଣିନି ଦାସ ଅବତଂସ ପଣ୍ଡିତ ନୀଳକଣ୍ଠଙ୍କ ଜୀଵନରେ ପୁରା ପ୍ରତିପାଦିତ ହୋଇଛି। ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରଵାସୀ ଆନନ୍ଦ ଦାସ ଥରେ ଦେଖିଲେ ଯେ ପୋଖରୀରେ ଗୋଟେ ବଡ଼ ମାଛ ପହଁରୁଛି । ତାକୁ ଧରିଵାକୁ ଵ୍ୟାକୁଳ ହୋଇ ଅନ୍ଧ ଭାବରେ ମାଛ ଓ ତାଙ୍କ ଭିତରେ ଥିଵା ଵ୍ୟଵଧାନ କିଆ ବାଡ଼ ଡେଇଁ ଯେତେବେଳେ ପାଣିରେ ଲଥୋକିନା ପଡ଼ିଲେ ମାଛ ଵିଚରା ଚଡ଼କ ପଡ଼ିଲା ଭାବି ଚମ୍ପଟ ଦେଲା । ସାର ହେଲା, ଜୀଵନ ଵ୍ୟାପୀ ଆନନ୍ଦ ଦାସଙ୍କ ଅଣ୍ଟା ବାତ । 
ବାପାଙ୍କ ପରାଜୟର ପ୍ରତିହିଂସା ଵର୍ତ୍ତମାନ ନେଉଛନ୍ତି ସୁପୁତ୍ର ପଣ୍ଡିତ ନୀଳକଣ୍ଠ । ଗୋଟାଏ ସେରିକିଆ ମାଛ ପଳାଇ କେବେ ହୁଏତ ଆତ୍ମରକ୍ଷା କରିଥିଲା,କିନ୍ତୁ ପୁତ୍ର ପୌତ୍ରାଦି କ୍ରମେ ତାର ଲକ୍ଷ ଲକ୍ଷ ତିନି ସେରିଆ, ପାଞ୍ଚ ସେରିଆ ଉତ୍ତରାଧିକାରୀମାନେ ଦିନକେ ଗୋଟିଏ ଦୁଇଟା କରି ପଣ୍ଡିତ ନୀଳକଣ୍ଠଙ୍କ
ଗର୍ଭସାତ୍ ହେଉଛନ୍ତି । ‘Vendetta’ ଉପନ୍ୟାସରେ ପୁଅ ବାପ ପ୍ରତି ଅନ୍ୟାୟର ଯେ ପ୍ରତିହିଂସା ନେଇ ପାରି ନଥିଲା ତା ନେଉଛନ୍ତି ପଣ୍ଡିତ ନୀଳକଣ୍ଠ । ଭଲକଥା,
ସୁପୁତ୍ର ଜାତ ହେଲେ ଏହା ନ ହୋଇ ଆଉ କ’ଣ ହୁଅନ୍ତା । କିନ୍ତୁ ସ୍ବଳ୍ପ ପଣ୍ଡିତ ଗୋଦାଵରୀଶ ଓ ପଣ୍ଡିତମନ୍ୟ କୃଷକ ପ୍ରାଣ ଜମିଦାର ମହତାବ ଯେ ଦୁଇଟା ମାଛ ପାଲଟି ଗଲେ । ପଣ୍ଡିତ ନୀଳକଣ୍ଠ କେଵଳ ‘ମ’କାର ଚକିତ ହୋଇ ମାଛ, ମନୁଷ୍ୟ ପ୍ରଭେଦ ନରଖି କାର୍ଯ୍ୟ କରିଵାର ପଟୁତା ବେଶ୍ ଦେଖାଇଲେ । ସେଥିପାଇଁ ଲେକେ ତାଙ୍କୁ ନାମ ଦେଉଛନ୍ତି ଉତ୍କଳ ଦୁର୍ଵାସା । ଦୁର୍ଵାସାଙ୍କ ସମୟରେ ସ୍ଵହସ୍ତ ପ୍ରସାଦଶୀଳ ଜିଲେଟ୍ ଖୁର ବାହାରି ନଥିଲା । ଆଉ, ବୋଧହୁଏ ଏ ଗାଆଁ ଲୋକେ ସହସ୍ର ଵର୍ଷ ପୂର୍ଵେ ଶ୍ରୀରାମପୁରରେ ତାଙ୍କୁ ବାସନ୍ଦ କରି ରଖିଥିଲେ । ସେଥିପାଇଁ ଦୁର୍ଵାସାଙ୍କ ଦାଢ଼ି
ଶୀତ ଋତୁରେ ତାଙ୍କ ଆଣ୍ଠୁରେ ବାଜୁଥିଲା । ଯେପରିକି ‘ମୋ ନିଶ’ ରଚୟିତା ପଣ୍ଡିତ ନୀଳକଣ୍ଠଙ୍କ ଝୋଟ ରୂପୀ ସୁଶ୍ରୂ କ୍ରମେ ତାଙ୍କ ନାଭି ଡ଼େଇଁଵାକୁ ବସିଲାଣି ।

ପଣ୍ଡିତ ନୀଳକଣ୍ଠଙ୍କ ପେଟରେ ଵିଦ୍ୟାର ଉଗ୍ରତା ଯେତିକି ବେଶି ପାଟିରେ ନିଆଁ’ର ଉଗ୍ରତା ସେତିକି ଅଧିକ । କେହି କେହି ମନେ କରନ୍ତି ତାଙ୍କ ଦାଢ଼ି ମୂଳରେ ଗୋଟିଏ ରୁଲ୍ ବାଡ଼ି ଧରି ଦେଲେ ସେଥିରୁ ହଠାତ୍ ଆମର ଏ କାଗଜ ଖଣ୍ଡିକ ବାହାରି ପଡ଼ିଵ । ‘ନିଆଁଖୁଣ୍ଟା’ର ଯେପରି କାଟତି ହେଲାଣି ହୁଏତ ଦିନେ ମନ୍ତ୍ରୀଙ୍କ ଚପରାସି ରାଧାନାଥ ପଇସାକ ଜାଗାରେ ଚାରିପଇସା ଯାଚି ମଧ୍ୟ ‘ନିଆଁଝୁଣ୍ଟା’ ନପାଇ ଦାସଙ୍କ ବୁଲାବାଡ଼ି ଖଣ୍ଡ ଧରି ଧାଇଁ ଯିବେ ନଵଭାରତ ଅଫିସକୁ ପଣ୍ଡିତଙ୍କ ପାଟିଟା ଖୋଜିଵାକୁ ।

ପଣ୍ଡିତେ ସ୍ତ୍ରୀ ହୋଇଥିଲେ ଆମେ ତାଙ୍କୁ କୁହନ୍ତୁ ନାଗୁଣୀ ‌ କାରଣ, ସେ ଯଦୁ,ମଧୁ,ସୋହନ,ମୋହନ, ପ୍ରାଣନାଥ,ଵ୍ରଜନାଥ ଆଦି ଯେତେ ରାଜନୈତିକ ଛୁଆ ୧୯୩୭ ମସିହାର ଜନନ ଋତୁରେ ପ୍ରସଵ କଲେ ସମସ୍ତେ ଭୂଇଁରେ ପଡ଼ି ଫଣା ଟେକି ତାଙ୍କୁ ଦଂଶିଵାକୁ ଧାଇଁଲେ; ଯାହା ଫଳରେ ପଣ୍ଡିତଙ୍କ ରାଜନୀତି କ୍ଷେତ୍ରରୁ ପଳାଇଵା ବାଟରେ ଏଯାଏଁ ଦୁବ କଅଁଳି ନାହିଁ । ସେଥିପାଇଁ ପଣ୍ଡିତେ ପୂର୍ଵ ଜାଲ ଛିଣ୍ଡାଇ ମିଶ୍ର-ଦାସ ଆଦି ଅମିତ୍ରମାନଙ୍କୁ ମିତ୍ର କରି ରାଜନୀତି କ୍ଷେତ୍ର କର୍ଷଣରେ ଲାଗିଛନ୍ତି ।‌ ନିଜ ପାଣ୍ଡିତ୍ୟର ଖତ ଦେଉଛନ୍ତି। ‘ଲୋକମତ’ରେ ଚିନ୍ତାମଣିଙ୍କ ଦ୍ବାରା ପାଣି ତେଣ୍ଡାଉଛନ୍ତି । ମାତ୍ର ମଲା ଦୁବ କଅଁଳୁ ନାହିଁ । ହାଣ୍ଡି ହାଣ୍ଡି ପାଣି କାଶୀ ଅନୁଗ୍ରହ ପ୍ରାପ୍ତ ଵିଶ୍ଵନାଥଙ୍କ କୁହୁକରେ ବାଷ୍ପ ହୋଇ ଯାଉଛି । ଦାସେ ଶେଯରେ ଶୋଇ ଏକଡ଼ ସେକଡ଼ ଗଡ଼େଇ ତଡ଼େଇ ହେଉଛନ୍ତି । ତଥାପି ନିଦ୍ରା ଦେଵୀ ନୀମଚୌଡ଼ି ସାରୁ ଦୋକାନ ପାଖ ସ୍ଵଦେଶୀ ସର୍କିଟ ହାଉସର ଚନ୍ଦ୍ରଶାଳାରୁ ଓହ୍ଲାଇ ତାଙ୍କ ଆଖି ପତାକୁ ମୁହୂର୍ତ୍ତେ ଅନୁଗ୍ରହ କରୁ ନାହିଁ । ସେଥିପାଇଁ କଳାଦାଢ଼ି ଧଳା ହେଲାଣି ; ଧଳା ଦାନ୍ତ ପାନ ବୋଳରେ କଳା ପାଲଟିଲାଣି, ଖଦଡ଼ ଵସ୍ତ୍ର ପାନଛିଟାରେ ‘ଛିଟ’ ହେଵାକୁ ବସିଲାଣି; ଏଣିକି ଯାହା ଉପରେ କି ଦାଗ ସାଵ୍ୟସ୍ତ କରିଵା ନିମନ୍ତେ ଘର ଭିତରେ ହୁଏ ତ ପ୍ରତିଦିନ ସବଳା ଓ ଅବଳା ମଧ୍ୟରେ ମହାଭାରତ ଯୁଦ୍ଧର ସୁତ୍ରପାତ ହେଵ ।

ଯାହା ହେଉ ନୀଳକଣ୍ଠ ଉତ୍କଳର ଜଣେ ଧନୁର୍ଦ୍ଧର ପୁରୁଷ । କାରଣ ସେ ମନ୍ତ୍ରୀଙ୍କ ନିକଟରେ ଧାରୁଆ ହେଉ ନାହାନ୍ତି କି ମନ୍ତ୍ରୀଙ୍କୁ ଧାରୁଆ କରୁନାହାନ୍ତି । ତାଙ୍କ ନିଜ ମୋଟରରେ ମନ୍ତ୍ରୀ ଥରେ ଚଢ଼ିଲେ ସେ ମନ୍ତ୍ରୀଙ୍କ ମୋଟରରେ ତିନିଥର ଚଢ଼ୁଛନ୍ତି । ମନ୍ତ୍ରୀ ତାଙ୍କ ଘରେ ଥରେ ଖାଇ ଆସିଲେ ତାଙ୍କ ଖଲି ମନ୍ତ୍ରୀଙ୍କ ସର୍କିଟ୍ ହାଉସରେ ସାତ ଥର ପଡ଼ୁଛି ‌। ମନ୍ତ୍ରୀମାନେ ଠିକ୍ କଥାଟିକୁ ବୁଝି ନେଇଛନ୍ତି; କାରଣ , ସେମାନେ ଧାରୁଆ ହୋଇ ରହିଲେ ଆର ଜନ୍ମକୁ ତ ଦାସେ ତିନି ମନ୍ତ୍ରୀଙ୍କ ବାଡ଼ିରେ ତିନିଟା ଲଙ୍କାମରିଚ ଗଛ ହୋଇ ଜନ୍ମ ପାଇବେ । ତା'ର ରାଗ କେତେ ହେଵ କିଏ କଳନା କରିଵ ? 

ହୁଏତ ମନ୍ତ୍ରୀଙ୍କର ମାସକୁ ୫୦୦ ଦରମା ଓ ଟ. ୧୫୦୦ ଗସ୍ତ ଖର୍ଚ୍ଚା ତା'ର ତାପରେ ତରଳି ମୁଣ୍ଡାଏ ମୁଣ୍ଡା ରୂପା ପାଲଟି ଯିଵ । ସେଥିପାଇଁ ମନ୍ତ୍ରୀ ଯେ ଆଗରୁ ବାଟ କାଟୁଛନ୍ତି,ଭଲ । ଚିଲିକା ପଛେ ନିର୍ମାଛ ହେଉ,ଆଇଁସପା ହ୍ରଦ(ଅଂଶୁପା) ଗୋଳି ହୋଇ କାଦୁଅ ପାଲଟୁ, ମନ୍ତ୍ରୀଙ୍କ ଭଣ୍ଡାର ଟଙ୍କା ଗୁଡ଼ାକ ଯେପରି ରୂପା ମୁଣ୍ଡା କି ସୁନା ମୁଣ୍ଡା ନହୁଏ । 

(ଏହା ବହୁ ଵର୍ଷ ତଳେ ନିଆଁଖୁଣ୍ଟାରେ ପ୍ରକାଶିତ ହୋଇଥିଲା)
         ----------×-----------

Monday, August 21, 2023

ମୋ ପିଲାବେଳର କଥା(ରମାଦେଵୀ)

ଆମେ ମୁଜାଫରପୁରରେ ଥାଉ । ରାତି ସାଢ଼େ ଆଠଟାରୁ ନଅଟା ଆମର ଖାଇଵା ବେଳ । ବାପା ଓ ଆମେ ଦୁଇ ଭଉଣୀ ଖାଉଥାଉ । ମା’ ପାଖରେ ବସିଥାଏ । ଗୋଟିଏ ଭାରି ବଡ଼ ଶବ୍ଦ ଶୁଭିଲା । ଦୁଇ ଭଉଣୀ ଚମକି ପଡ଼ିଲୁ କିଛି ଜାଣି ପାରିଲୁ ନାହିଁ । ବାପା କହିଲେ, ‘ଏ ତ ବୋମା ଫୁଟିଵାର ଶବ୍ଦ ।’’ ଏତିକି କହି ସେ ଏପରି ଗମ୍ଭୀର ହୋଇଗଲେ ଯେ ସେ ଦୃଶ୍ୟ ଏବେ ବି ମନେ ପଡ଼ୁଛି । କିଛି ସମୟ ପରେ ଜଣେ ଚପରାସୀ ଆସି ଖଣ୍ଡିଏ ଚିଠି ଦେଲେ । ବାପା ସେ ଚିଠିକୁ ମନେ ମନେ ପଢ଼ି କହିଲେ, ‘‘କିସ୍ ଫୋର୍ଡ ସାହେବ ଚିଠି ଦେଇଛନ୍ତି ।’’ କିଂସ୍ ଫୋର୍ଡ ସାହେବ ବାପାଙ୍କର ଘନିଷ୍ଠ ବନ୍ଧୁ । ଆମେ ବାପାଙ୍କ ସାଙ୍ଗରେ ବରାବର ତାଙ୍କ ଘରକୁ ଯାଉ । ତା’ପରେ ବାପା ମା’ଙ୍କ ସାଙ୍ଗରେ ବୋମା ଫୁଟିଵା ସମ୍ବନ୍ଧରେ କଥାଵାର୍ତ୍ତା ହେଲେ। ଆମ ଘର ପାଖରେ କେତେଘର ବଙ୍ଗାଳୀ ଥାଆନ୍ତି । ସେମାନେ ସରକାରୀ ଚାକିରିଆ ନୁହନ୍ତି । ସେମାନଙ୍କ ଭିତରେ ଯୋଗେଶ ବାବୁ ବୋଲି ଜଣେ ବଡ଼ ଓକିଲ ଥିଲେ । ସେ ବଙ୍ଗାଳୀ କେତେ ଘର ସାଙ୍ଗରେ ଆମର ଭାରି ଭାବ । ସେମାନେ ଆସି ବାପାଙ୍କ ସହିତ କଥାଵାର୍ତ୍ତା କରନ୍ତି । ସେମାନଙ୍କ ଘରର ପିଲାମାନେ ଦେଶବନ୍ଦନା ବୋଲନ୍ତି । ଆମେ ସେମାନଙ୍କଠାରୁ ସେ ଗୀତଗୁଡ଼ିକ ଶିଖିଲୁ । ଆମ ଘରେ ବଙ୍ଗଲକ୍ଷ୍ମୀ ମିଲ୍‌ର ମୋଟା ଲୁଗା ପିନ୍ଧିଵା ଓ ସ୍ଵଦେଶୀ ଦ୍ରଵ୍ୟ ଵ୍ୟଵହାର ପୂରା ଦମ୍‌ରେ ଚାଲିଲା। ଦେଶର ବହୁ ଗୁରୁତ୍ଵପୂର୍ଣ୍ଣ ଖବର ଆମ ଘରେ ଆଲୋଚିତ ହୁଏ । ଆମେ ଶୁଣୁ । ସେତିକିବେଳେ ଅରଵିନ୍ଦଙ୍କ କଥା ମୁଁ ଶୁଣିଥିଲି । ବାପା ତାଙ୍କ ବନ୍ଧୁମାନଙ୍କ ସଙ୍ଗେ ଆଲୋଚନା କରନ୍ତି । କଥାଵାର୍ତ୍ତାରେ ଇଂରାଜୀ ଭାଷାର ଅଧିକ୍ୟ ଥିଲେ ମଧ୍ୟ ଯେତିକି ତା’ ଭିତରେ ହିନ୍ଦୀ ଵା ବଙ୍ଗଳାରେ ଥାଏ, ତାକୁ ଆମେ ମନଦେଇ ଶୁଣୁ । ଉତ୍ତେଜନାର ଵାତାଵରଣ ଭିତରେ ଆମେ ଥାଉ । ଦେଶ ପାଇଁ କାମ କରିଵାକୁ ହେଲେ ଜେଲ୍ ଯିଵାକୁ ହୁଏ, ଫାଶୀ ପାଇଵାକୁ ହୁଏ, ସ୍ଵଦେଶୀ ଜିନିଷ ଵ୍ୟଵହାର କରିଵାକୁ ହୁଏ- ଏ ଧାରଣା ମନରେ ବଦ୍ଧମୂଳ ହେଲା । ଦେଶପ୍ରେମୀମାନଙ୍କ କଥା ଆଲୋଚନା ହେଉଥାଏ । କେତେ ପ୍ରଶଂସା କରାଯାଉଥାଏ । ଧନ୍ୟଧନ୍ୟ କୁହାଯାଉଥାଏ । ତା’ର ପ୍ରଭାଵ ମନ ଉପରେ ପଡ଼ିଲା । ଦେଶ କାମ କଲେ ଏ ସବୁ ମିଳେ । ଅରଵିନ୍ଦଙ୍କ କଥା ମଧ୍ୟ ବହୁତ ଶୁଣିଵାକୁ ମିଳିଲା । ସେତିକିବେଳୁ ଅରଵିନ୍ଦଙ୍କ ପ୍ରଭାବ ମନରେ ଦେଶ କାମ କରିଵାର ଛାପ ପକାଇଲା । ମନେମନେ ତାଙ୍କ ପ୍ରତି ଭକ୍ତି ଆସିଲା । ତାଙ୍କ ଵିଷୟରେ ଅଧ‌ିକ ଜାଣିଵାକୁ ଚେଷ୍ଟା କଲି ।

ଜେଲ ଵିଷୟରେ ଆମର ଧାରଣା ଥାଏ – କାରଣ ବାପା ମଝିରେ ମଝିରେ ଜେଲ୍ ପରିଦର୍ଶନରେ ଯା’ନ୍ତି । ଆମ ଦି’ ଭଉଣୀଙ୍କୁ ସାଙ୍ଗରେ ନିଅନ୍ତି । ବାପା ଅଫିସରେ ରହନ୍ତି । ଅଫିସର ଲୋକ ଆମକୁ ନେଇ ଜେଲ୍ ଭିତର ଦେଖାନ୍ତି । ସେତିକିବେଳେ ଖୁଦିରାମ ଜେଲ୍‌ରେ ଥାଆନ୍ତି । ତାଙ୍କୁ ଫାଶୀ ହୁକୁମ ହେଲା । ଖୁଦିରାମଙ୍କୁ ମୁଁ ଜେଲ୍‌ରେ ଦେଖି ନାହିଁ । ଖୁଦିରାମଙ୍କ ମା’ ଆସିଲେ ପୁଅକୁ ଦେଖିଵା ପାଇଁ । ସମସ୍ତଙ୍କ ମୁହଁରେ ସେହି କଥା । ଖୁଦିରାମଙ୍କ ପ୍ରତି କିମିତି ଗୋଟିଏ ମାୟା ଜମି ଯାଇଥାଏ । ସେ ଫାଶୀ ପାଇବେ ଶୁଣି ମନେମନେ ଭାରି ଦୁଃଖୀ ହେଲି । ବାପାଙ୍କୁ ଅତି ଡରିଡରି କହିଲି, ଆମେ ଖୁଦିରାମଙ୍କୁ ଦେଖନ୍ତେ ।’’ ବାପା ବାରଣ କରି କହିଲେ, ‘ନା...ନା, ତୁମକୁ ଦେଖିଵା ପାଇଁ ଛାଡ଼ିବେ ନାହିଁ ।’’ କେହି ଲୋକ ଫାଶୀ ପାଇଲେ ବାପା ଫାଶୀ ସ୍ଥାନରେ ଉପସ୍ଥିତ ରହିଵା ପାଇଁ ଯାଆନ୍ତି । ତାଙ୍କ ଉପରେ ସେ ଦାୟିତ୍ୱ ଥାଏ। ଭୋର ତିନିଟାରୁ ପୋଷାକ ପିନ୍ଧି ଜେଲଖାନାକୁ ବାହାରନ୍ତି। ଖୁଦିରାମ ଫାଶୀଦିନ ନିକଟ ହେଲା । ଆମେ ତାଙ୍କରି କଥାରୁ ଜାଣିଲୁ ଫାଶୀ ପୂର୍ଵଦିନ ଲୋକକୁ ତା’ ଇଚ୍ଛା କ’ଣ ପଚରାଯାଏ ଓ ସେ ଯାହା କହେ ତାହା ଆଇନସଙ୍ଗତ ହୋଇଥିଲେ ପୂରଣ କରାଯାଏ । ଆଜି ରାତି ପାହାନ୍ତାରେ ଖୁଦିରାମଙ୍କ ଫାଶୀ ହେଵ, ଏ କଥା ମୁହୂର୍ତ୍ତକ ପାଇଁ ମନରୁ ଯାଇ ନଥାଏ । ମନ କ’ଣ ହୋଇଯାଉଥାଏ କାନ୍ଦ ମାଡୁଥାଏ । ମା’କୁ ଯାଇ କହିଲୁ–ସେ ବାପାଙ୍କୁ ମନା କରୁ । ବାପା ଫାଶୀବେଳେ ହାଜର ରହିବାକୁ ନ ଯାଆନ୍ତୁ । ମା’ କହିଲା, ‘ତମେ କୁହ ।’’ ଅତି ଡରି ଡରି ବାପାଙ୍କ ଟେବୁଲ୍ ପାଖରେ ଠିଆହେଲୁ । ଅପା ମତେ ଠାରୁଥାଏ କଥାଟା ମୁଁ କହେ । କେତେ ସମୟ ଠିଆ ହୋଇ ରହିଲାରୁ ବାପା କହିଲେ, ‘କଅଣ କହିଵାକୁ ଆସିଛ କହୁନା ।’’ ସାହସ କରି ମୁଁ ହଠାତ୍ କହିଲି, ‘ଖୁଦିରାମ ଫାଶୀ ବେଳକୁ ତମେ ଯାଅନା ।’’ ବାପା କହିଲେ, ‘ଆଉ କିଏ ଯିଵ ?’’ ତା’ର ଜବାବ ଆମ ପାଖରେ ନଥିଲା। ବାପା ଆମ ମୁଣ୍ଡରେ ହାତ ବୁଲେଇଦେଇ କହିଲେ, ‘‘ମୁଁ ଯିବିନାହିଁ ।’’ ବାପା ଭାରି ଗମ୍ଭୀର ଦେଖାଯାଉଥା’ନ୍ତି । ସେ ଅଧିକାଂଶ ଦିନ ରାତିରେ ମୋକଦ୍ଦମା ରାୟ ଲେଖନ୍ତି । ସେଦିନ ବି ଲେଖୁଥିଲେ । ଯଥା ସମୟରେ ଖୁଦିରାମଙ୍କର ଫାଶୀ ହେଲା । ସକାଳ ହେଵାବେଳକୁ ଖବର ଚାରିଆଡ଼େ ଵ୍ୟାପି ଯାଇଥିଲା । ଆମ ସାହିରେ ଯେପରି ହାଉଆ ହୋଇଥାଏ, ତାହା ମୋର ଵର୍ତ୍ତମାନ ବି ମନେ ପଡୁଛି । ମାତ୍ର ତାହା ଵର୍ଣ୍ଣନା କରିଵାର ଶକ୍ତି ମୋର ନାହିଁ । ସମସ୍ତେ ମନର ଉତ୍ତେଜନା ଲୁଚେଇ ଲୁଚେଇ ପ୍ରକାଶ କରୁଥା’ନ୍ତି। ଧୀରେଧୀରେ ସେ ହାଉଆ ଚାଲିଗଲା । ଅରଵିନ୍ଦଙ୍କ ଉପରେ ସବୁରି ଦୃଷ୍ଟି ରହିଲା । ମୋ’ ମନରୁ ଯେମିତି ଅରଵିନ୍ଦଙ୍କ ଛାପ ଲିଭି ନାହିଁ, ସେମିତି ଆଉ କେତେ ଲୋକଙ୍କ ମନରେ ହୁଏତ ଥ‌ିଵ । ଦେଶ ପାଇଁ ସର୍ଵସ୍ଵ ଦେଵାକୁ ହେଵ– ଏ ଭାଵନା ଆମ ମନରେ ଵିପ୍ଳଵୀ ଅରଵିନ୍ଦ ସୃଷ୍ଟି କରିଥିଲେ । ତାଙ୍କୁ ଦେଖିଵାର ସୌଭାଗ୍ୟ ମୋର ଘଟି ନଥିଲା । ମୁଁ ଗପ ଶୁଣିଵାକୁ ଭାରି ଭଲପାଏ । ମା’ ସନ୍ଧ୍ୟାବେଳେ ପୂଜା ସାରି ଆମକୁ ଗପ କହେ । ରାମାୟଣ, ମହାଭାରତର ଯେତେ ଚରିତ୍ର ପିଲାଙ୍କ ଆଗରେ ଵର୍ଣ୍ଣନା କରାଯାଇପାରେ ସେସବୁ ସେ କହେ । ତା’ଛଡ଼ା ଭାରତର ଐତିହାସିକ ଘଟଣା, ଆନନ୍ଦ ମଠ, ଦେଵୀ ଚୌଧୁରାଣୀ, ରାଣା ପ୍ରତାପ, ରବୀନ୍ଦ୍ରନାଥଙ୍କ ଗପ ମା’ ଆମକୁ ସଞ୍ଜବେଳେ ଘଣ୍ଟାଏ ଶୁଣାଏ । ଖୁଦିରାମଙ୍କ କଥା ଯେମିତି ପଡ଼ିଲା, ସେ ସରଳଭାଵରେ ସେକଥାକୁ, ଵିଶେଷ କରି ଅରଵିନ୍ଦଙ୍କ ଚରିତ୍ର ଏପରି ଵର୍ଣ୍ଣନା କଲା ଯେ, ଆମର ତାଙ୍କପ୍ରତି ଭକ୍ତି ଜାତ ହେଲା । ଆମ ଘରେ ଗୋଟିଏ ଛବିବହି ଥାଏ । ସେ ବହିରେ ପିଲାଙ୍କ ପାଇଁ, ସ୍ତ୍ରୀଲୋକ ତଥା ଗୃହିଣୀଙ୍କ ପାଇଁ ବହୁ ଶିକ୍ଷାପ୍ରଦ କଥା ଛବି ସାଙ୍ଗରେ ଥିଲା । ମା’ ସେ ଛବିଗୁଡ଼ିକ ଦେଖାଏ ଓ ଵିଷୟ ନାଁ କହେ । ରାତିରେ ଯାହା ଶୁଣିଥାଉ ତାହା ପରଦିନ ଲେଖିକରି ମା’କୁ ଦେଖାଉ । ଭୁଲ୍ କଲେ ଵା ଦୋଷ କଲେ ମାଡ଼ ତ ଦୂର କଥା, ମା’ କେବେ ଗାଳି ବି ଦିଏ ନାହିଁ ।


Friday, August 18, 2023

ସ୍ମୃତି ଓ ବିସ୍ମୃତିର ସାରନାଥ


ବାରାଣସୀ ନଗରୀର ଅଦୂରରେ ବୌଦ୍ଧତୀର୍ଥ ଭାଵରେ ଯେଉଁ ସାରନାଥ ଵିଶ୍ବ ଵିଖ୍ୟାତ, ଏକଦା ତାହା ଥିଲା ଏକ ସୁଗମ ଅରଣ୍ୟ । ସୁଗମ କାରଣ ମାରାତ୍ମକ ପ୍ରାଣୀମାନଙ୍କର ନିଵାସ ନ ହୋଇ ସେ ଅରଣ୍ୟ ଥିଲା ହରିଣମାନଙ୍କର ଆଶ୍ରୟ । ଅରଣ୍ୟର ଅଦୂରରେ ଜଣେ ରାଜାଙ୍କର ପ୍ରାସାଦ। ରାଜାଙ୍କର ବୋଧହୁଏ
ଵିଶେଷ କାମଦାମ ନ ଥିଲା, ଅତଏଵ ଦୈନିକ ପୂର୍ଵାହ୍ନରେ ସେ ମୃଗୟା କରିଵାକୁ
ଅରଣ୍ୟକୁ ଆସୁଥିଲେ । ସାଥିରେ ସୈନ୍ୟସାମନ୍ତ ସମେତ ଆସୁଥିଲେ ଶହ ଶହ ପ୍ରଜା । ପ୍ରଜାମାନେ ଅରଣ୍ୟର ଏକ ଵ୍ୟାପକ ଅଂଶ ଘେରାଉ କରି ରାଜା ଓ ତାଙ୍କ ସୈନ୍ୟସାମନ୍ତ ଛକି ରହିଥିଵା ଅଞ୍ଚଳ ଆଡ଼କୁ ମୃଗମାନଙ୍କୁ ତଡ଼ିନେଇଯିବେ । ରାଜା ସ୍ଵୟଂ ଗୋଟାଏ ଯୋଡ଼ାଏ ମୃଗ ଵଧ କରିବେ । ମୃଗମାଂସ ସକାଶେ ତାଙ୍କର ଲୋଭ ଅଦମ୍ୟ । ଅରଣ୍ୟର ଦ୍ବାର ଦେଶରେ ପଡ଼ିଥିଵା ଖଣ୍ଡିଏ ମସୃଣ ଶିଳା ଉପରେ ମୃତ ମୃଗଟି କଟାହେଵା ମଧ୍ୟ ରାଜା ଦେଖିଵେ । ଦିନେ ପ୍ରଜାଵର୍ଗ-ରଚିତ-ବଳୟ ଭିତରେ ବନ୍ଦୀ ମୃଗମାନଙ୍କ ଆଡ଼େ ଅନାଇ କାହା ଉପରକୁ ତୀର ପ୍ରୟୋଗ କରିଵେ, ରାଜା ସେ କଥା ଭାବୁଛନ୍ତି, ତାଙ୍କର ଦୃଷ୍ଟି ଗୋଟିଏ ମୃଗ ଉପରେ ଯାଇ ଅଟକିଗଲା । ତାହା ମୃଗଟିଏ ନା କୌଣସି ଅସାଧାରଣ
ପ୍ରତିଭାସମ୍ପନ୍ନ ଶିଳ୍ପୀ ନିର୍ମିତ ଏକ ହିରଣ୍ମୟ ମୂର୍ତ୍ତି ? ଏଡ଼େ ଉଜ୍ଜ୍ବଳ, ଏଡ଼େ ସୁଦର୍ଶନ,
ଏଡ଼େ ପ୍ରଶାନ୍ତ କୌଣସି ଵଣ୍ୟପ୍ରାଣୀ ହେଵା ସମ୍ଭଵ ? ରାଜା ଧୀରେ ଧୀରେ ସେ ମୃଗଆଡ଼େ ଅଗ୍ରସର ହେଲେ । ମୃଗ ରହିଲା ଅଵିଚଳିତ । ଵିସ୍ମିତ ରାଜା ତାକୁ ପ୍ରଶ୍ନ କଲେ, ‘‘ତୁମେ କିଏ ??’ କହିବା ଵାହୁଲ୍ୟ, ତାକୁ ମୃଗ ବୋଲି ଜାଣୁଥିଵା ସତ୍ତ୍ଵେ ପ୍ରଶ୍ନଟି ସ୍ଵତଃସ୍ଫୁର୍ତ୍ତ ଭାବରେ ଉଚ୍ଚାରିତ ହେଲା ।

-‘‘ ମହାରାଜ ! ମୁଁ ଏ ମୃଗଦଳର ହତଭାଗ୍ୟ ଦଳପତି ।’’

- ‘‘ ତମେ ହତଭାଗ୍ୟ କାହିଁକି ହେଵ ? ଆଜିଠାରୁ ତୁମେ ମୋର ମିତ୍ର !’’

ପାତ୍ରମିତ୍ରଙ୍କ ଆଡ଼େ ଦୃଷ୍ଟିପାତ କରି ରାଜା ଅତଃପର କହିଲେ, ‘‘ଏ ଦଳପତିଙ୍କ
ଦେହରେ ଯେପରି କସ୍ମିନ୍‌କାଳେ ଆଞ୍ଚ ନ ଆସେ !”

-‘‘ମହାରାଜ !’’ ମୃଗ ଦଳପତି କହିଲା, ‘‘ ଆପଣଙ୍କର ଦୈନିକ ଲୋଡ଼ା
ମାତ୍ର ଗୋଟିଏ ମୃଗ । ଆପଣ ଯେତେବେଳେ ତୀର ଉଦ୍ୟତ କରନ୍ତି, ସେତେବେଳେ ଭୀତ ମୃଗମାନେ ପ୍ରାଣ ଵିକଳରେ ଏଣେତେଣେ ଦୌଡ଼ାଦୌଡ଼ି କରି କ୍ଷତବିକ୍ଷତ ହୁଅନ୍ତି । ଜଣେ ଆଉ ଜଣକ ପଛରେ ଆତ୍ମଗୋପନ କରିଵାକୁ ଉଦ୍ୟମ କରିଵା ଫଳରେ ଶୃଙ୍ଗାଘାତରେ ପ୍ରତ୍ୟହ ଏକାଧିକ ମୃଗ ଆହତ ହୁଅନ୍ତି। ମୋର ପ୍ରସ୍ତାଵ, ପ୍ରତିଦିନ ଗୋଟିଏ ଗୋଟିଏ ମୃଗ ଯାଇ ସେ ଶିଳା ଉପରେ ମୁଣ୍ଡ ରଖିଵେ । ଆପଣ ଵା ଆପଣଙ୍କ କର୍ମଚାରୀ ସିଧାସଳଖ ତାକୁ ହାଣିପକାଇଵେ । ଶିକାରଜନିତ କ୍ଳେଶରୁ ବି ଆପଣଙ୍କୁ ଛୁଟି ମିଳିଯିଵ !’’
ଶିକାର ରାଜାଙ୍କ ପାଇଁ କ୍ଳେଶ ପରିବର୍ତ୍ତେ ଆମୋଦର ହେତୁ ଥିଲା, ମଣିଷ
ମନର ଏ ଵିଚିତ୍ର ତଥ୍ୟ ଵା ନିରୀହ ମୃଗକୁ କାହିଁକି ଜ୍ଞାତ ଥିବ ! ରାଜା ହୁଏତ ଟିକିଏ
ଦ୍ଵିଧାକଲେ; କିନ୍ତୁ ସେ ମହାମତି ମୃଗ ଆଖିରେ ନିଜ ଆଖି ପଡ଼ନ୍ତେ ତାଙ୍କ ପାଟିରୁ
ବାହାରିଗଲା, ‘‘ବେଶ୍ ! ତାହାହିଁ ହେଵ ।”
ଅରଣ୍ୟର ସେ ମୁଲକରେ ରାଜକୀୟ ଶିକାର ବନ୍ଦହେଲା । ବଦଳରେ ଘଟିଲା
ପ୍ରତ୍ୟହ ଏକ ଅଭାଵନୀୟ; କିନ୍ତୁ ଅଣନାଟକୀୟ ମୃଗଵଧ । ରାଜାଙ୍କ ମଣୋହି-ସମ୍ପୃକ୍ତ ଜଣେ ଦୁଇଜଣ କର୍ମଚାରୀ ଖଡ୍ଗହସ୍ତେ ପାଷାଣ ଖଣ୍ଡିକ ପାଖରେ ଆସି ଅପେକ୍ଷା କରିଵେ । ଅଦୂରରେ ସମଵେତ ମୃଗୟୂଥଠୁଁ ଵିଦାୟ ନେଇ ଗୋଟିଏ ମୃଗ ଧୀରେ ଧୀରେ ଆସି ସଜଳ ନୟନରେ ଥରେ ଅପେକ୍ଷମାଣ ଖଡ୍‌ଧାରୀଙ୍କୁ ଅନାଇ ଶିର ଅଵନତ କରିଵ ଏଵଂ ପର ମୁହୂର୍ତ୍ତରେ ପ୍ରାଣ ଦେଵ । କେଉଁ ରୀତିରେ ମୃଗମାନେ ପ୍ରତିଦିନର ଵଳି ମନୋନୟନ କରୁଥିଲେ ଜଣାନାହିଁ । ଦିନେ ଗୋଟିଏ ମୃଗୁଣୀର ପାଳି ପଡ଼ିଲା । ସେ ଗୋଟିଏ ପରେ ଗୋଟିଏ ମୃଗକୁ ଵିନୟଭରେ କହିଲା, ‘‘ମୁଁ ଅନ୍ତଃସଜ୍ଜା । ଆଜି ମୋ ବଦଳରେ ଆଉ କେହି ପ୍ରାଣ ଦେଉ । ମୋ ଶାଵକ ଜନ୍ମ ହେଵାର ଦୁଇ ମାସ ପରେ ମୁଁ ଯାଇ ଵଳିପଡ଼ିବି ।’’ ମୃଗୁଣୀ ଯେଉଁମାନଙ୍କ ଆଗରେ ଏ ଆଵେଦନ କରୁଥିଲା, ସେ ସମସ୍ତଙ୍କର ଵଳି ତାରିଖ ସ୍ଥିରୀକୃତ ହୋଇସାରିଥାଏ। ତଥାପି ଦିନକ ଆଗରୁ ମଧ୍ୟ କେହି ପ୍ରାଣତ୍ୟାଗ କରିଵାକୁ ପ୍ରସ୍ତୁତ ନଥିଲେ। ଯୁଥପତି ହିରଣ୍ମୟ ହରିଣଙ୍କ କାନରେ ହଠାତ୍ ମୃଗୁଣୀର ଏ ଆକୁଳ ନିଵେଦନ ପଡ଼ିଲା । ସେ ବାହାରିଆସି କହିଲେ, ‘‘କନ୍ୟା ! ଚିନ୍ତା ନାହିଁ । ତୋ ସ୍ଥାନ ଆଜି ମୁଁ ନେଵାକୁ ପ୍ରସ୍ତୁତ ।’’ ଅଵିଳମ୍ବେ ସେ ଯାଇ ଶିଳା ପାଖରେ ପହଞ୍ଚିଲେ ।ରାଜକର୍ମଚାରୀମାନେ କିନ୍ତୁ ତାଙ୍କୁ ଵଧ କରିଵାକୁ ସାହସ କଲେ ନାହିଁ । କଟୁଆଳଠୁଁ ମନ୍ତ୍ରୀ, ମନ୍ତ୍ରୀଙ୍କଠୁଁ ଯାଇ ଖବର ପହଞ୍ଚିଲା ରାଜାଙ୍କ ପାଖରେ । ରାଜା ଆସି ପହଞ୍ଚିଲେ ଘଟଣାସ୍ଥଳରେ । ହିରଣ୍ମୟ ମୃଗକୁ ଆଉଁସି ସେ ପ୍ରଶ୍ନ କଲେ, ‘‘ମିତ୍ର ! ତୁମର ଜୀଵନ ନେବି, ମୁଁ କ’ଣ ଏଡ଼ିକି ଅଧମ ???
-‘‘ମହାରାଜ ! ମୁଁ କିନ୍ତୁ ନିଜକୁ ବଡ଼ ଅଧମ ମଣିବି, ଯଦି ଅନ୍ତଃସତ୍ତ୍ଵା
ମୃଗୁଣୀଟିକୁ ରକ୍ଷାକରି ନ ପାରିବି ।’’ କହିଲା ଯୁଥପତି ।
- ‘ଆଜି ମୋର ମୃଗମାଂସ ଲୋଡ଼ା ନାହିଁ। ମୃଗଣୀକୁ କେବେ ମଧ୍ୟ ଜୀଵନ
ଦେଵାକୁ ପଡ଼ିଵ ନାହିଁ ।’’ ରାଜା କହିଲେ ।
-‘‘ମହାରାଜ ! ଆପଣଙ୍କ ପ୍ରତି ମୁଁ କୃତଜ୍ଞ । କିନ୍ତୁ ତଥାପି ଅନୁରୋଧ କରୁଛି,
ମୋର ପ୍ରାଣ ନିଅନ୍ତୁ।’’ 
ଯୁଥପତି ଆଵେଦନ କଲେ ।

-‘‘କାହିଁକି ?”’ ପ୍ରଶ୍ନ କଲେ ଵିସ୍ମିତ ରାଜା।
-‘‘ମହାରାଜ ! ଆପଣ ମୋତେ ମିତ୍ର ବୋଲି ସମ୍ବୋଧନ କରି ଯେଉଁ ସମ୍ମାନ
ଦେଇଛନ୍ତି, ସେ ସମ୍ମାନଜନକ ଆସନରେ ଥାଇ ମଧ୍ୟ ମୁଁ ମୋର ଅନୁଗତ ମୃଗମାନଙ୍କୁ
ରକ୍ଷାକରି ପାରିବି ନାହିଁ । ପ୍ରତିଦିନ ଜଣ ଜଣ କରି ବଳିପଡ଼ୁଥିଵାର ଦେଖୁଥିବି, ଏହାଠାରୁ ବଳି ଅଭିଶାପ କ’ଣ ହୋଇପାରେ ? ଏଭଳି ଅଭିଶପ୍ତ ଜୀଵନର ଅଵସାନ ଘଟାଇଲେ ହିଁ ଆପଣ ମୋର ପ୍ରକୃତ ମିତ୍ର ବୋଲି ଜାଣିବି ।”’
ହିରଣ୍ମୟ ମୃଗଙ୍କର ଏ ନିଷ୍କପଟ ଵିଵୃତିରେ ରାଜା କେତେକ ମୁହୂର୍ତ୍ତ ହତବାକ୍
ରହିଲେ। ତା’ପରେ ସେ କହିଲେ, ‘‘ମିତ୍ର ମୃଗରାଜ ! ତୁମର ପ୍ରାଣ ନେଇ ତୁମର
ଯଥାର୍ଥ ମିତ୍ର ହେଵା ଅପେକ୍ଷା ମହତ୍ତର
 ଅନ୍ୟ କୌଣସି ମାର୍ଗରେ କ’ଣ ମୁଁ ତାହା
ହୋଇପାରିବି ନାହିଁ ? ଆଜିଠାରୁ ମୃଗଵଧ ବନ୍ଦ ହେଲା । ଵସ୍ତୁତଃ ମୃଗମାଂସ ପାଇଁ ମୋର ଆଉ ରୁଚି ନାହିଁ ।’?
- ‘‘ଧନ୍ୟଵାଦ ମହାରାଜ ! ତଥାପି ମୋର ହୃଦୟର ଉଦ୍‌ଵେଳନ କମୁନାହିଁ ।
କାରଣ ଆପଣଙ୍କ ପାତ୍ରମିତ୍ର ଏ ଅରଣ୍ୟରେ ଅନ୍ୟାନ୍ୟ ପଶୁପକ୍ଷୀ ଶିକାର କରୁଥିଵେ ଏଵଂ ସେ ଵିକଳ ଦୃଶ୍ୟ ମୋତେ ଦେଖିଵାକୁ ପଡୁଥିଵ ।’’

- ‘‘ହେ ମହାନ୍ ମିତ୍ର ! ଆଜିଠାରୁ ଶିକାର ନିଷିଦ୍ଧ ।’’

ଭାରତର ଅନନ୍ୟ କିମ୍ବଦନ୍ତୀ-ପରମ୍ପରାର ଏହି ଅଜ୍ଞାତ ରାଜପୁରୁଷଙ୍କ ସିଦ୍ଧାନ୍ତ
ଶୁଣି ସେଦିନର ଜନସାଧାରଣ ଵିସ୍ମିତ ହୋଇଥିବେ, କିନ୍ତୁ ଏ କାହାଣୀର ଲିପିକାରମାନଙ୍କ ପାଇଁ ରାଜାଙ୍କ ଆଚରଣରେ କୌଣସି ଆକସ୍ମିକତା ଵା ଵିସ୍ମୟ ନଥିଲା । କାରଣ,ସେ ହିରଣ୍ମୟ ମୃଗ ଥିଲେ ବୋଧିସତ୍ତ୍ଵ-ଗୌତମବୁଦ୍ଧଙ୍କ ଆତ୍ମାର ଏକ ପୂର୍ଵ ଅଵତାର । ପ୍ରଥମ ଦର୍ଶନରୁ ହିଁ ରାଜା ନିଜ ଅଜ୍ଞାତସାରରେ ତାଙ୍କ ଦ୍ବାରା ପ୍ରଭାଵିତ ହେଵାକୁ ଆରମ୍ଭ କରିଥିଲେ। ଅଵଶେଷରେ ଵର୍ଣ୍ଣିତ ଘଟଣାର ସୁଯୋଗ ନେଇ ତାଙ୍କ ଭାଵାନ୍ତରର ସ୍ଫୁରଣ ଘଟିଲା ।
ଅଵିରତ ମୃଦୁ ଵାରିପାତ ଭିତରେ ଆମେ ଯାଇ ସେଦିନର ସେ ଅରଣ୍ୟ, ଆଜିର
ସାରନାଥରେ ପହଞ୍ଚିଵାବେଳକୁ ସୂର୍ଯ୍ୟ ଦେଖା ନ ଦେଲେ ବି ସଦ୍ୟସ୍ନାତ ସକାଳର
ଆଲୋକ ଵାତାବରଣକୁ କମନୀୟ କରିଥାଏ। ଘଟଣା-ବହୁଳ ଏ ସ୍ଥାନ । ଏକଦା ଅରଣ୍ୟ ତା'ପରେ ଜନପଦ । ସାଧାରଣ ଜନପଦଟି ପୁଣି ଦିନେ ଅନନ୍ୟ ବୌଦ୍ଧତୀର୍ଥରେ ପରିଣତ ହେଲା । ଅନନ୍ୟ କାରଣ ଗୌତମ ବୁଦ୍ଧ ଏହିଠାରେ ପ୍ରଥମେ ତାଙ୍କ ବାଣୀ ପ୍ରଦାନ କରିଥିଲେ । ସେ ଆଉ ଏକ ଅଭାବନୀୟ ଦୃଶ୍ୟ ହୋଇଥିଵ ନିଶ୍ଚୟ । ନିକାଞ୍ଚନରେ, ଗୟା ନିକଟଵର୍ତ୍ତୀ ଅଶ୍ୱତ୍‌ଥ ଵୃକ୍ଷ ତଳେ ଗୌତମ ତପସ୍ୟାରତ ଥିଵାବେଳେ ତାଙ୍କ ସିଦ୍ଧି ଅଵଶ୍ୟମ୍ଭାଵୀ ଏଵଂ ସେ ସିଦ୍ଧିର ଆଲୋକରେ ସେମାନେ ବି ଆଲୋକିତ ହେଵେ, ଏହି ଆଶାରେ ପାଞ୍ଚଜଣ ସାଧୁ ତାଙ୍କୁ ଜଗିରହୁଥିଲେ ଓ ତାଙ୍କ ସେଵା ପାଇଁ ପ୍ରସ୍ତୁତ ଥିଲେ । ଗୌତମଙ୍କର ଅଵଶ୍ୟ କୌଣସି ପରିଚର୍ଯ୍ୟାର ପ୍ରୟୋଜନ ନଥିଲା । ତେବେ କୌଣ୍ଡିନ୍ୟ, ଭଦ୍ରକ, ଅଶ୍ଵଜିତ୍, ମହାନାମ ଏଵଂ ଵାସଵ ନାମଧେୟ ସେ ପଞ୍ଚସାଧୁ ଗୌତମଙ୍କ ଚିତ୍ରରେ ସ୍ନେହଭାଵର ଉଦ୍ରେକ କରିଥିଲେ ନିଶ୍ଚୟ ।
 କିନ୍ତୁ ଯେତେବେଳେ ଗୌତମ ହୃଦୟଙ୍ଗମ କଲେ ଯେ ଶରୀରକୁ କ୍ଳେଶ ନ ଦେଇ, ପ୍ରୟୋଜନୀୟ ଖାଦ୍ୟ ଗ୍ରହଣ କରି ତାକୁ ସାଧନାର ମାଧ୍ୟମ କରିଵା ଶ୍ରେୟ ଏଵଂ ଯେତେବେଳେ ଅଦୂର ପଲ୍ଲୀର ଜନୈକା ଵିଵେକୀ ମହିଳା ପରିଵେଷିତ ସୁଖାଦ୍ୟ ତପସ୍ବୀ ଗୌତମ ସାଦରେ ଗ୍ରହଣ କଲେ, ସେତେବେଳେ ସାମାନ୍ୟ ଧ୍ୟାନଧାରଣାର ତରାଜୁରେ ଅସାମାନ୍ୟକୁ ତଉଲିଵାର ଚିରାଚରିତ ଅଭ୍ୟାସ ଅନୁସାରେ ପଞ୍ଚସାଧୁ ସିଦ୍ଧାନ୍ତ କଲେ ଯେ ଗୌତମ ଯୋଗଭ୍ରଷ୍ଟ ହେଲେଣି । ସୁଖାଦ୍ୟ ଭୋଜନ କରି, ନଦୀ ସରୋଵରରେ ସ୍ନାନକରି, କେହି ସତ୍ୟର ସନ୍ଧାନ ପାଇପାରେ ? ପଞ୍ଚସାଧୁ ଅଵଶ୍ୟ ଗୌତମଙ୍କ ସହ ଯୁକ୍ତିତର୍କ କଲେ ନାହିଁ । ସେ ସଦ୍‌ବୁଦ୍ଧି ସେମାନଙ୍କର ଥିଲା । ପଥଭ୍ରଷ୍ଟ ଗୌତମଙ୍କୁ ଵିପଥରେ ଯିଵାକୁ ଛାଡ଼ିଦେଇ ସେମାନେ ବାରାଣସୀ ଉପକଣ୍ଠକୁ ପଳାଇଆସିଲେ। ଗୌତମ କିନ୍ତୁ ବୁଦ୍ଧତ୍ଵ ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ଯେତେବେଳେ ତାଙ୍କ ଉପଲବ୍‌ଧ ସତ୍ୟଦ୍ୱାରା ଜିଜ୍ଞାସୁମାନଙ୍କୁ ସଚେତନ କରିଵାର ପ୍ରେରଣା ଅନୁଭଵ କଲେ, ସେତେବେଳେ ସେ ପ୍ରଥମେ ଏକଦା ଅନୁଗତ ଏହି ପଞ୍ଚସାଧୁଙ୍କୁ ସ୍ମରଣ କଲେ ।
ହୁଏତ ନିଜର ଅନ୍ତର୍ବୋଧଦ୍ଵାରା ପରିଚାଳିତ ହୋଇ ସେ ଚାଲି ଚାଲି ଆସି ସାରନାଥରେ ପହଞ୍ଚିଲେ । ଏ ସ୍ଥାନ ସେତେବେଳେ ଏକ ସର୍ଵସାଧାରଣ ଉଦ୍ୟାନ ତଥା ପଥିକମାନଙ୍କର ଵିଶ୍ରାମସ୍ଥଳ। ସରୋଵର ସମେତ ସେଠାରେ ଥିଲା କେତୋଟି
ପାନ୍ଥଶାଳା । 

ପଞ୍ଚସାଧୁ ସରୋଵର କୂଳରେ ବସିଥିଲେ। ଜଣେ ଚମକିପଡ଼ି କହିଲେ, ‘‘ଦେଖ, ଦେଖ, ଆମ ଆଡ଼େ ଆସୁଛି ସେ କିଏ ?’’
ପାଞ୍ଚଜଣଯାକ ଯଥା-ସତର୍କ ଦୃଷ୍ଟିପାତକଲେ । ସନ୍ଦେହ ରହିଲା ନାହିଁ । ସନ୍ନ୍ୟାସୀ ଗୌତମ ହିଁ ଆସୁଛନ୍ତି । ତାଙ୍କୁ କିଛି ନ କହି ପଳାଇ ଆସିଥିବା ଯୋଗୁଁ ପାଞ୍ଚଜଣଯାକ ଗ୍ଳାନି-ପୀଡ଼ିତ ଥିଲେ । ଗୌତମଙ୍କ ସହ ମୁହାଁମୁହିଁ ନ ହେଵା ହିଁ ସୁଵିଧାଜନକ । ସେମାନେ ତରତରରେ ଉଠିପଡ଼ିଲେ । କିନ୍ତୁ ଚାଲିଵାକୁ ଆରମ୍ଭ କରିଵା ପୂର୍ଵରୁ ଆଉ ଥରେ, ଅସତର୍କ ଭାବରେ, ଆଗନ୍ତୁକଙ୍କ ଆଡ଼େ ଦୃଷ୍ଟିପାତ କଲେ । ଦୃଷ୍ଟି କିନ୍ତୁ ଆଉ ଫେରାଇ ଆଣିପାରିଲେ ନାହିଁ । ପାଦ ବି ଆଗକୁ ଚଳିଲା ନାହିଁ । ସ୍ମିତହସଶୋଭିତ ବୁଦ୍ଧ ନିକଟତର ହୋଇ ଆସିଲେ ।ଯନ୍ତ୍ରଚାଳିତଵତ୍ ପାଞ୍ଚଜଣଯାକ ସାଧୁ ତାଙ୍କୁ ପ୍ରଣିପାତ କଲେ । ପ୍ରଶାନ୍ତ ବୁଦ୍ଧ ସେମାନଙ୍କୁ ଆଲିଙ୍ଗନ କରି ସେଇଠି ବସିପଡ଼ିଲେ । ତାଙ୍କ ଆଗରେ ବସିଲେ ପଞ୍ଚସାଧୁ-ତାଙ୍କର ପ୍ରଥମ କିସ୍ତିର ଶିଷ୍ୟଵର୍ଗ-ପୃଥିବୀର ପ୍ରଥମ ପାଞ୍ଚଜଣ
ବୌଦ୍ଧ ।

ଏହାର କେଇଦିନ ପରେ ଭଦ୍‌ଭ୍ରାନ୍ତ-ପ୍ରାୟ ଦିଶୁଥିଵା ଜଣେ ଯୁଵକ କ୍ଷିପ୍ରଗତିରେ
ଉଦ୍ୟାନ ଅତିକ୍ରମ କରୁଥିଵାବେଳେ ବୁଦ୍ଧଙ୍କୁ ଦେଖିପକାଇ ଅଟକିଗଲେ।

-‘‘ଗତି କୁଆଡ଼େ ?’’ ବୁଦ୍ଧ ପ୍ରଶ୍ନ କଲେ।
‘ହେ ମହାମତି ? ମୁଁ ସେହି ପ୍ରଶ୍ନର ଉତ୍ତର ଲୋଡୁଛି। ମୋର ଗତି କୁଆଡ଼େ ? ଆଉ ସମସ୍ତଙ୍କର ଗତି ଵା କୁଆଡ଼େ ? ଆଜି ମଧ୍ୟରାତ୍ରିରେ ଚେଇଁ ଉଠି ମୋ ଘରର ଚାରିଆଡ଼େ ଅନାଇ ଦେଖିଲି, ସମସ୍ତେ ମୃତପ୍ରାୟ ପଡ଼ିଛନ୍ତି । ପ୍ରଭାତ ହେଲା । ସମସ୍ତେ ଉଠିପଡ଼ି କାମରେ ଲାଗିଗଲେ । ପୁଣି ଯେତେବେଳେ ରାତି ହେବ ସମସ୍ତେ ପୁନର୍ଵାର ମୃତପ୍ରାୟ ପଡ଼ିଯିଵେ ବିଛଣାରେ । ପୁଣି ପ୍ରଭାତ ହେଵ, ପୁଣି ସମସ୍ତେ କାମରେ ଲାଗିଵେ । ଏହାର ଅର୍ଥ କ’ଣ ? ? ?
‘ ଯୁବକ ! ଯାହା ମନରେ ଏ ପ୍ରଶ୍ନ ଉଠିନାହିଁ, ତା ପାଇଁ ଏସବୁର ଅର୍ଥ
ଯାହା ହେଉନା କାହିଁକି, ରହିଛି। ତମ ମନରେ ଯେତେବେଳେ ଏ ପ୍ରଶ୍ନ ଉଠିଛି,
ସେତେବେଳେ ମୋର ଉତ୍ତର ଶୁଣ- ଏସବୁର କିଛି ଅର୍ଥ ନାହିଁ । ଆଶା-ଆକାଂକ୍ଷାଚାଳିତ ମଣିଷ କର୍ମ କରେ । କର୍ମର ବନ୍ଧନରେ ତାକୁ ଵାରମ୍ଵାର ଜନ୍ମ ନେଵାକୁ ହୁଏ । ଆଶାର ଵିନାଶରେ ହିଁ ଏ ଅର୍ଥହୀନ ଜନ୍ମମୃତ୍ୟୁ ପ୍ରଵାହର ସମାପ୍ତି ।’’— କହିଲେ ବୁଦ୍ଧ ।
- ଆଶାର ଵିନାଶ ? ତାହା ସମ୍ଭଵ ?’’
-‘‘ସମ୍ଭଵ । ସେଥିପାଇଁ ଲୋଡ଼ା ସାଧନା ଓ ଶୃଙ୍ଖଳା । ତମେ ଚାହିଁଲେ ସେ ପଦ୍ଧତି ମୁଁ ତୁମକୁ ଶିଖାଇଵାକୁ ପ୍ରସ୍ତୁତ ।’’
ଯଶନାମଧାରୀ ସେ ଯୁଵକ ଶିଷ୍ୟତ୍ୱ ଗ୍ରହଣ କଲେ । ତାଙ୍କ ସନ୍ଧାନରେ ପରଦିନ
ସେଠି ଆସି ପହଞ୍ଚିଲେ ତାଙ୍କ ପିତା- ଜଣେ ଧନୀ ବଣିକ। ସେତେବେଳେ ବୁଦ୍ଧ
ଶିଷ୍ୟମାନଙ୍କୁ କିଛି ବୁଝାଉଥାନ୍ତି । ତାଙ୍କୁ ଲାଗିକରି ବସିଥାନ୍ତି ଯଶ । କିନ୍ତୁ କିମ୍ବଦନ୍ତୀ କହେ, ବଣିକ ନିଜ ପୁତ୍ରକୁ ଦେଖିପାରିଲେ ନାହିଁ । କାରଣ, ବୁଦ୍ଧଙ୍କ ଉପରେ ଆଖି ପଡ଼ିଵାମାତ୍ରେ ସେ ନିର୍ନିମେଷ ଭାଵରେ ତାଙ୍କୁ ହିଁ ଅନାଇରହିଲେ । ବୁଦ୍ଧଙ୍କର ଭାଷଣ ଶେଷ ହୁଅନ୍ତେ ବଣିକ ତାଙ୍କୁ ପ୍ରଣାମ କଲେ, ପରେ ପରେ ତାଙ୍କ ଶିଷ୍ୟତ୍ଵ ଗ୍ରହଣ କଲେ।
କେଇଦିନ ପରେ, ଦିନେ ପାର୍ଶ୍ଵଵର୍ତ୍ତୀ ଜନପଦରୁ ବୁଦ୍ଧ ଉଦ୍ୟାନ ଭିତରକୁ ଲେଉଟି
ଆସୁଛନ୍ତି, ଉଦ୍ୟାନ ଭିତରୁ ଅଣନିଃଶ୍ୱାସୀ ହୋଇ ନିର୍ଗତ ହେଉଥିଵା କେତେଜଣ ତରୁଣଙ୍କ ସହ ସେ ମୁହାଁମୁହିଁ ହୋଇଗଲେ ।
-‘‘କୁଆଡ଼େ ଦୌଡୁଛ ?’’ ବୁଦ୍ଧ ପଚାରିଲେ।
-‘‘ଆମେ ସରୋଵର କୂଳରେ ଭୋଜି କରି ଶୋଇପଡି଼ଥିଲୁ । ଆମକୁ ଆନନ୍ଦ
ଦେଵାପାଇଁ ଜଣେ ନର୍ତ୍ତକୀକୁ ଆଣିଥିଲୁ । ସେ ଆମ ସମ୍ପଦତକ ଧରି ପଳାଇଯାଇଛି ।
ତାକୁ ଧରି ହୃତସମ୍ପଦ ଉଦ୍ଧାର କରିଵାକୁ ଆମେ ଵ୍ୟଗ୍ର ।’’
-‘‘କିନ୍ତୁ ତମ ସମ୍ପଦ ତ ଚୋରି ହୋଇନାହିଁ ???
-‘‘ମାନେ ?’’
-‘‘ମାନେ, ତମ ସମ୍ପଦ ତମଠି ଥିଵାର ମୁଁ ଦେଖିପାରୁଛି ।’’
ତରୁଣମାନେ ନିଜ ନିଜ ଉପରେ ଆଖି ବୁଲାଇ ଆଣିଲେ। ବୁଦ୍ଧ ଥଟ୍ଟା କରୁଛନ୍ତି, ଏକଥା ଭାଵିଵାର ପ୍ରଶ୍ନ ନଥିଲା । ସେମାନେ ଅଵାକ୍ ଢଙ୍ଗରେ ଅନାଇଲେ ।
-‘‘ତୁମ ସମ୍ପଦ ତୁମ ନିଜ ଭିତରେ । ତାକୁ କେହି ଚୋରି କରି ନେଇଯାଇ ପାରେନା । ଶୁଣ, ତୁମ ଆଗରେ ଵର୍ତ୍ତମାନ ଦୁଇଟି ପଥ । ହୁଏତ ତୁମେ ସେ ନର୍ତ୍ତକୀକୁ ଧରିଵା ପାଇଁ ଦୌଡ଼ିଵା; କିମ୍ବା ନିଜ ଭିତରେ ଲୁକ୍‌କାୟିତ ସମ୍ପଦର ସନ୍ଧାନ ପାଇଁ ମୋତେ ଅନୁସରଣ କରିଵ।’’ ଏତକ କହି ବୁଦ୍ଧ ଉଦ୍ୟାନ ଭିତରେ ତାଙ୍କ ଡେରା ଅଭିମୁଖେ ଚାଲିଵାକୁ ଆରମ୍ଭ କଲେ । ମନ୍ତ୍ରମୁଗ୍‌ଧ ଭଳି ତରୁଣମାନେ ତାଙ୍କୁ ଅନୁସରଣ କଲେ । ଯେଉଁଠାରେ ବୁଦ୍ଧଦେଵ ତାଙ୍କ ପ୍ରଥମ ଶିଷ୍ୟଵର୍ଗଙ୍କୁ ଉପଦେଶ ଦେଇଥିଲେ,
ପରମ୍ପରା-ଚିହ୍ନିତ ସେହି ସ୍ଥାନରେ ସମ୍ରାଟ ଅଶୋକ ଏକ ଵିରାଟ ସ୍ତୂପ ନିର୍ମାଣ କରିଥିଲେ । ଆଜି ତାକୁ ‘ଧାମେକ୍ ସ୍ତୂପ’ ବୋଲି କୁହାଯାଏ । ସମ୍ଭଵତଃ ‘ଧର୍ମରାଜିକ’ରୁ ଧାମେକ୍। ଅଵଶ୍ୟ ଅଶୋକ ନିର୍ମିତ ସ୍ତୂପର ଅଵଶେଷ ଉପରେ ପରବର୍ତ୍ତୀ (ଏକାଦଶ ଶତାବ୍ଦୀ) କାଳରେ ସ୍ତୂପ ପୁନଃନିର୍ମିତ ହୋଇଛି। ପଞ୍ଚମ ଶତାବ୍ଦୀରେ ଫାହିଆନ୍ ଓ ସପ୍ତମ ଶତାବ୍ଦୀରେ ହୁଏନ୍‌ସାଂ ସାରନାଥ ଭ୍ରମଣ କରି ଯେଉଁ ଵିଵରଣୀ ରଖାଯାଇଛନ୍ତି, ଆଜିର ଭଗ୍ନାଵଶେଷ ଭିତରେ ସେସବୁ ଚିହ୍ନିବା ଵିଶେଷଜ୍ଞ ଵିନା ଆଉ କାହା ପକ୍ଷରେ ସମ୍ଭଵ ନୁହେଁ । ଵାରମ୍ଵାର ଵିଦେଶୀ ଆକ୍ରମଣକାରୀମାନେ ଏ କ୍ଷେତ୍ର ଧ୍ବଂସ କରିଛନ୍ତି ।
 ଦେଶୀ ଲୁଣ୍ଠନକାରୀମାନଙ୍କ ଅଵଦାନ ବି କମ୍ ନୁହେଁ । ବାରାଣସୀର ଜଗତ୍‌ସିଂହ ନାମକ ଧନିକ ସାରନାଥରୁ ଅମାପ ଶିଳା ନେଇଯାଇ ସାଧାରଣ କୋଠାଘରମାନ ବନାଉଥିଲା । ଜଣେ ଐତିହାସିକ ଲେଖିଛନ୍ତି, ‘‘ଜଗତ୍‌ସିଂହର କୁକର୍ମକୁ ଅମରତ୍ୱ ପ୍ରଦାନ କରିଵା ନିମନ୍ତେ ସେ ନିର୍ମୂଳ କରିଥିଵା ଗୋଟିଏ ସ୍ତୂପର ଅଵଶେଷକୁ ଜନସାଧାରଣ ‘ଜଗତ୍‌ସିଂହ ସ୍ତୂପ’ ବୋଲି କହନ୍ତି !’’ ଯେଉଁଠି ବୁଦ୍ଧ ପ୍ରଥମେ ପଞ୍ଚସାଧୁଙ୍କୁ ଭେଟିଥିଲେ, ଯେଉଁଠି ଵର୍ଷାଦିନେ ସେ ଆଶ୍ରୟ ନେଉଥିଲେ, ସେ ସମସ୍ତ ସ୍ଥାନ ଚିହ୍ନିତ ହୋଇଥିଲା ସୁନ୍ଦର ଶିଳ୍ପ-ମଣ୍ଡିତ ସ୍ମାରକୀଗୃହ ଦ୍ଵାରା । ସେସବୁର ଅଦୂରରେ ଥିଲା ଶ୍ରମଣମାନଙ୍କ ପାଇଁ ଵିରାଟ ଆଶ୍ରୟଶାଳା । ସବୁ କାଳକ୍ରମେ ନିଶ୍ଚିହ୍ନ ଅଥଵା ଚିହ୍ନସର୍ଵସ୍ଵ ମାତ୍ର। ଆମ ସାଧାରଣତନ୍ତ୍ରର ପ୍ରତୀକ ସିଂହ-ଚକ୍ର (ଅଶୋକ ଚକ୍ର) ଏଇଠାରେ ପ୍ରତିଷ୍ଠିତ ହୋଇଥିଲା । ସ୍ଥାନୀୟ ଯାଦୁଘରେ ଵିକ୍ଷତ ଅଵସ୍ଥାରେ ତାହା ସୁରକ୍ଷିତ । ଏ ଅପୂର୍ଵ ଭାସ୍କର୍ଯ୍ୟକୁ ଯେ କିଏ, କାହିଁକି ଓ କିପରି ଵିକଳାଙ୍ଗ କଲା, ସେସବୁ ବଡ଼ ବେଦନାଦାୟକ ପ୍ରଶ୍ନ । ବାରାଣସୀରୁ ଯାଉଥିଲି ଦିଲ୍ଲୀ । ମୋ ଡବାରେ ଥିଲେ ଦୁଇଜଣ ୟୁରୋପୀୟ ପର୍ଯ୍ୟଟକ ଓ ସେମାନଙ୍କର ଜଣେ ଭାରତୀୟ ବନ୍ଧୁ। ଭଙ୍ଗା ଇଂରାଜୀରେ ଦୁଇ ୟୁରୋପୀୟ ପ୍ରଶ୍ନ କରୁଥିଲେ, ‘‘ଯେଉଁ ଭାରତରେ ବୌଦ୍ଧବାଦର ଜନ୍ମ ଓ ଵିକାଶ
ସେଠାରୁ ତାହା ଲୁପ୍ତ ହେଲା କିପରି ???

ଅନର୍ଗଳ ଇଂରାଜୀରେ ଭାରତୀୟ ବନ୍ଧୁ ଉତ୍ତର ଦେଉଥିଲେ । ସାରନାଥର ଭଗ୍ନ
ବୌଦ୍ଧକୀର୍ଭି ସବୁ ଦେଖି ମନ ଯେତିକି ଵିଷଣ୍ଣ ଲାଗିଥିଲା, ଭଦ୍ରଲୋକଙ୍କ କୈଫିୟତରେ ତାହା ଦ୍ବିଗୁଣ ହେଲା । ତାଙ୍କ ଵକ୍ତଵ୍ୟର ମର୍ମ; ‘‘ହିନ୍ଦୁମାନେ ବୌଦ୍ଧମାନଙ୍କୁ ଏମିତି କଲବଲ କଲେ ଯେ ସେମାନେ ସେମାନଙ୍କ ଧର୍ମ ଭୁଲିଗଲେ । ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଧରି ଝିଙ୍କି ଝିଙ୍କି ଗାଁଗହଳ ସହର ନଗରରୁ ନିକାଲିଦେଲେ- ପିଟିପିଟି ବେଦମ୍ କରି ।’’ ମୋ ଵିରକ୍ତି ଏକ ହସର ଅଭିଵ୍ୟକ୍ତି ନେଲା । ଭଦ୍ରଲୋକ ମନେକଲେ ମୁଁ ତାଙ୍କ ଚିତ୍ରକଳ୍ପ ପ୍ରୟୋଗରେ ଚମତ୍କୃତ । ମୋ ଆଡ଼େ ଅନାଇ ସେ ବି ମଧୁର ଭାବରେ ହସି ସମର୍ଥନ ଆଦାୟ କରିଵା ପାଇଁ କହିଲେ, ‘‘ଠିକ୍ ନୁହେଁ ?’’
ମୁଁ କହିଲି, ‘‘ଆପଣ ଏଡ଼େ ଜୀଵନ୍ତ ଭାବରେ ଆପଣଙ୍କ ଐତିହାସିକ ବ୍ୟାଖ୍ୟା
ପରିଵେଷଣ କରୁଛନ୍ତି, ମୋର ମନେହେଲା ଯେଉଁ ବ୍ରାହ୍ମଣଟି ଜଣେ ବୌଦ୍ଧର ଚୁଟିଧରି
ଭିଡ଼ିନେଇଗଲା ଆପଣ ତାହାରି ଅଵତାର । ଅନ୍ତତଃ ଏକ ପୂର୍ବଜନ୍ମରେ ଆପଣ ସେ
ଦୃଶ୍ୟର ସାକ୍ଷୀ ଥିଲେ ।’’ ସେ ଆପ୍ୟାୟିତ ଭାଵରେ କହିଲେ, ‘‘ମୁଁ ଅଵଶ୍ୟ ଇତିହାସ ଅଧ୍ୟାପକ ନୁହେଁ,ତେବେ ଇତିହାସ ପ୍ରତି ମୋର ଆକର୍ଷଣ ତୀଵ୍ର। ବହୁତ ପଢ଼ିଛି।’’
‘‘ନିଶ୍ଚୟ ପଢ଼ିଛନ୍ତି ।’’ ତା’ପରେ ଟିକିଏ ନିର୍ଭୟ ହୋଇ କହିଲି - ୟୁରୋପୀୟମାନେ ଯେମିତି ଶୁଣିନପାରିବେ ସେମିତି ନିମ୍ନ କଣ୍ଠରେ, ‘‘ତେବେ,ଵିଚରା ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଅଣ୍ଡାଳିଵାକୁ ଯାଇ ଵିଷମ ସମସ୍ୟାର ସମ୍ମୁଖୀନ ହୋଇଥିବେ । କାରଣ, ବୌଦ୍ଧମାନେ ମସ୍ତକ ମୁଣ୍ଡନ କରୁଥିଲେ ।’’ଭଦ୍ରଲୋକ ବଡ଼ ଉଦାର । ସେ ଏହାକୁ ଵ୍ୟଙ୍ଗ ଭାବରେ ଗ୍ରହଣ ନକରି ମୋ ସହ କରମର୍ଦ୍ଦନ କଲେ ।
ଅଧଘଣ୍ଟାଏ ପରେ କିନ୍ତୁ ୟୁରୋପୀୟଙ୍କ ଭିତରୁ କମ୍‌ଵୟସ୍କ ଜଣକ ମୋତେ
ପ୍ରଶ୍ନ କଲେ, ‘‘ମୋର ଧାରଣା ଭାରତରୁ ବୌଦ୍ଧବାଦର ଵିଲୋପ ସମ୍ପର୍କରେ
ଆପଣଙ୍କର କିଛି ମତ ଅଛି। ଆମକୁ କହିଵେ ନାହିଁ ?’’
‘‘ଏ ପ୍ରଶ୍ନ ଉପରେ ଵାସ୍ତବିକ ମୁଁ ଚର୍ଚ୍ଚା କରିନାହିଁ । ମୋର ଯାହା ମନେହୁଏ
ବୌଦ୍ଧଧର୍ମ ଭାରତରୁ ଲୁପ୍ତ ହୋଇନାହିଁ। ଯାହାକୁ ହିନ୍ଦୁଧର୍ମ ବୋଲି କୁହାଯାଏ,
ବୌଦ୍ଧଧର୍ମ ତାହାର ଅଙ୍ଗୀଭୂତ ହୋଇଗଲା । ହିନ୍ଦୁଧର୍ମର ଵ୍ୟାପକ ପରିସର ଭିତରେ ବହୁ ମତ, ବହୁ ପଥର ଅଵସ୍ଥାନ-ସହାଵସ୍ଥାନ ଘଟିଛି। ନିର୍ଵାଣ ମାର୍ଗ ହିନ୍ଦୁଧର୍ମର ଅନ୍ୟତମ ଧାରା । ଯେତେବେଳେ ଶଙ୍କରାଚାର୍ଯ୍ୟ ଅନୁରୂପ ଆଭିମୁଖ୍ୟର ପ୍ରସାର କଲେ, ସେତେବେଳେ ବୌଦ୍ଧଵାଦର ସ୍ଵାତନ୍ତ୍ର୍ୟ ବହୁ ପରିମାଣରେ ହ୍ରାସ ହେଲା । 
ହିନ୍ଦୁମାନେ ବୁଦ୍ଧଙ୍କୁ ଵିଷ୍ଣୁଙ୍କର ଅଵତାର ରୂପେ ମାନ୍ୟକରି ବୌଦ୍ଧଦର୍ଶନକୁ ସ୍ବୀକୃତି
ଦେଲେ। ଏସବୁ ଐତିହାସିକ କାରଣ। ତା’ଛଡ଼ା ଗୂଢ଼ କାରଣ ମଧ୍ୟ ରହିଛି ।’’
ହେଲା ।
-‘‘ତାହା କ’ଣ ?’’ ଦୁଇ ପର୍ଯ୍ୟଟକ ମୋର ଶେଷ ମନ୍ତଵ୍ୟକୁ ଏମିତି ସଂକ୍ଷିପ୍ତ
ରହିଵାକୁ ଦେଲେ ନାହିଁ !
-‘‘ସେ କାରଣ ଅତି ମହତ୍ । କର୍ମଜନିତ ଦୁଃଖ, ଜୀଵନ-ଯନ୍ତ୍ରଣା । ଏଥିରୁ ମୁକ୍ତି ଲୋଡ଼ି ନିର୍ଵାଣ ପାଇଁ ଵ୍ୟାକୁଳତା–ଏସବୁର ସତ୍ୟତା ଅଵିସମ୍ବାଦିତ । କିନ୍ତୁ ସମଗ୍ର ସତ୍ୟ ଏହା ନୁହେଁ । ସୃଷ୍ଟି ଯେତେ ଅସତ୍ୟ ମନେହେଲେ ବି ଏହାର ଆଧାର ସତ୍ୟ । ଜୀଵନ ଯେତେ ଯନ୍ତ୍ରଣାଜର୍ଜର ହେଲେ ବି ତା’ର ଆଧାର ଆନନ୍ଦ । ଏହି ପୂର୍ଣ୍ଣ ସତ୍ୟ ଉପରେ ଵୈଦିକ ପରମ୍ପରା ପ୍ରତିଷ୍ଠିତ। ସେ ସତ୍ୟ ଵାରମ୍ବାର ଆମ ଚେତନାକୁ ପ୍ରତ୍ୟାଵର୍ତ୍ତନ କରିଵ ହିଁ କରିଵ ।’’ ଭାରତୀୟ ସହଚର ବୁଝିଲେ କି ନାହିଁ ଜାଣେନା; ଵିଦେଶୀ ଦୁଇଜଣ ବୁଝିଵା
ଭଳି ମନେହେଲା ।

ଭାରତରୁ ବୌଦ୍ଧ ଧର୍ମର ଵିଲୁପ୍ତ କିପରି ହେଲା ବୋଲି ଯେତେ ପ୍ରଶ୍ନ ହୁଏ,
ବୌଦ୍ଧବାଦୀ ବୋଲାଉଥିଵା ଦେଶମାନଙ୍କରେ ବୁଦ୍ଧଦେଵଙ୍କ ଵାଣୀ କେଉଁ ଭାଵରେ ଵା କେତେମାତ୍ରାରେ ଅନୁସୃତ, ସେ ପ୍ରଶ୍ନ ସେତେ ଶୁଣିଵାକୁ ମିଳେ ନାହିଁ । ବୌଦ୍ଧ ଦେଶ ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍କକ୍‌ର ପୁରୁଣା ରାଜପ୍ରାସାଦ ପରିସ ରଭିତରେ ଅଵସ୍ଥିତ ପୃଥିଵୀର ସବୁଠୁଁ ମୂଲ୍ୟଵାନ୍, ଵୈଦୂର୍ଯ୍ୟ-ନିର୍ମିତ- ବୁଦ୍ଧମୂର୍ତ୍ତି-ବହୁପୂଜିତ, ବହୁଵିଖ୍ୟାତ । ସେ ପ୍ରତିମା ଆଗରେ ଭକ୍ତମାନେ ପରଷିଥିଵା ପୂଜାର୍ଘ୍ୟ ଭିତରେ ଯାହା ଦେଖିଲି, ତାହା ଵାସ୍ତଵ ବୋଲି ଵିଶ୍ଵାସ କରିଵାକୁ ସମୟ ଲାଗିଥିଲା : କୁକୁଡା ଓ ଆଉ ଗୋଟିଏ ଯୋଡ଼ିଏ ବଳି !

ସାରନାଥଠାରେ ବି ଲକ୍ଷ୍ୟ କରିଥିଲି ଆଉ ଏକ ଵିଡ଼ମ୍ବନା : ଯେଉଁ ବୁଦ୍ଧ ଜୀଵନର ନଶ୍ବରତା ଓ ଖ୍ୟାତିର ଅସାରତା ଉପରେ ଏତେ ତତ୍ତ୍ଵ ପରିଵେଷଣ କଲେ, ସେହି ବୁଦ୍ଧଙ୍କ ଦେହାବଶେଷ-ସମ୍ବଳିତ ମନ୍ଦିର (ମହାବୋଧି ସମିତି) ନିର୍ମାଣ ପାଇଁ କିଏ କେତେ ଟଙ୍କା ଦେଇଛି, ଆଖିକୁ କର୍କଶ ଦିଶୁଥିଵା ସେ ତାଲିକା ଶଙ୍ଖ ମଲମଲ
ପଥରରେ ଖୋଦାଇ ହୋଇ ମନ୍ଦିରର ଦ୍ବାରଦେଶରେ ଆପଣଙ୍କ ସମ୍ଭ୍ରମ ଉଦ୍ରେକ କରିଵା ମାନସରେ ପ୍ରଦର୍ଶିତ !

(ଏହି ପ୍ରସଙ୍ଗଟି ଶ୍ରୀମନୋଜ ଦାସଙ୍କ ଲିଖିତ ‘ଅନ୍ତରଙ୍ଗ ଭାରତ’ର ଦ୍ୱିତୀୟ ପର୍ଯ୍ୟାୟରୁ
ଆନୀତ । ଏଥିରେ ଗୌତମ ବୁଦ୍ଧଙ୍କର ଲୋକ ପ୍ରସିଦ୍ଧି, ବୌଦ୍ଧପୀଠ ଗୁଡ଼ିକର
ଐତିହାସିକ ଖ୍ୟାତି ଓ ତତ୍ସମ୍ପର୍କିତ ପରିଦୃଷ୍ଟ ସାଧାରଣ ଦୃଷ୍ଟିଭଙ୍ଗୀ ଆଦିର ଵର୍ଣ୍ଣନା କରାଯାଇଛି । ପୂର୍ଵେ ଏହା ଉଚ୍ଚ ବିଦ୍ୟାଳୟର[ଦଶମ ଶ୍ରେଣୀ-୨୦୦୧ରୁ ୨୦୦୬]ଓଡ଼ିଆ ସାହିତ୍ୟ ପାଠ୍ୟକ୍ରମରେ ପଢ଼ାଯାଉଥିଲା)