Friday, September 27, 2024

ଭାଷାକୋଷକାର(ଶଶିଭୂଷଣ ରାୟ)


ସଂସାରରେ ମନୁଷ୍ୟର ଅନେକ ଦିଗ ଥାଏ, ସଂସାରୀକୁ ଅନେକଆଡ଼େ ଵ୍ୟାପୃତ ରହିଵାକୁ ହୁଏ, ଅନେକ କାର୍ଯ୍ୟ କରିଵାକୁ ହୁଏ । କିନ୍ତୁ ପ୍ରହରାଜଙ୍କର ଯେବେ କୌଣସି
ଦିଗ ଥାଏ, ଯେବେ ସେ ସମଗ୍ର ଜୀଵନରେ କିଛି ଆରାଧନା କରିଥାଆନ୍ତି, ତେବେ ତାହା
ଏକମାତ୍ର ଜ୍ଞାନ । ସଂସାରରେ ମୋହର ଯେଉଁ ସମସ୍ତ ଵ୍ୟକ୍ତିଙ୍କ ସହିତ ପରିଚୟ ହୋଇଅଛି,
ସେମାନଙ୍କ ମଧ୍ୟରୁ ଜଣକୁ ପ୍ରହରାଜଙ୍କ ଭଳି ଜ୍ଞାନର ଅନନ୍ୟନିଷ୍ଠ ସେଵକ ଦେଖି ନାହିଁ । ଉତ୍ସାହସମ୍ପନ୍ନ ଯୁଵକର କ୍ଳାନ୍ତି ଅଛି, କିନ୍ତୁ ଶାସ୍ତ୍ରଚିନ୍ତାରେ କିମ୍ବା ସଂସାରର ଯେ କୌଣସି ଜ୍ଞାନଚର୍ଚ୍ଚାରେ ପ୍ରହରାଜଙ୍କର କେବେ କ୍ଲାନ୍ତି ଦେଖିପାରିଛି ବୋଲି ମୋହର ସ୍ମରଣ ହେଉ ନାହିଁ । ତାଙ୍କର ଚିନ୍ତାଶକ୍ତି ଦର୍ଶନରେ ବିସ୍ମିତ ଓ ଅବାକ୍ ହେଵାକୁ ହୁଏ । ମୁଁ ଦେଖିଅଛି,ଶାସ୍ତ୍ରର ସାହାଯ୍ୟ ଗ୍ରହଣ ନ କରି ସୁଦ୍ଧା ସେ କେବଳ ନିଜର ଚିନ୍ତା ପ୍ରଭାଵରେ କୌଣସି ସିଦ୍ଧାନ୍ତରେ ଉପସ୍ଥିତ ହୋଇ ଦୃଢ଼ତା ସହକାରେ କହିଅଛନ୍ତି-ଏହା ଏହିପରି ହେଵ । ପ୍ରହରାଜେ ଯେ ରାଶି ରାଶି ଗ୍ରନ୍ଥ ଅଧୟନ କରନ୍ତି ତାହା ନୁହେଁ, ସେ ଅଳ୍ପ ଅଧ୍ୟୟନ କରନ୍ତି, ମାତ୍ର ଚିନ୍ତା କରନ୍ତି ଅତ୍ୟନ୍ତ ଅଧିକ । କେତେଗୁଡ଼ିଏ ମାତ୍ର ଶବ୍ଦ ଆୟତ୍ତ କରି ସେ ସନ୍ତୁଷ୍ଟ ରହିଵା ଲୋକ ନୁହନ୍ତି । ସେ ଯାହା ଧରିବେ, ତାକୁ ଭାଙ୍ଗି ଗୁଣ୍ଡା କରି ତାହାର ଅନ୍ତଃସ୍ଥଳରେ କିମ୍ବା ମର୍ମସ୍ଥଳରେ ପ୍ରଵେଶ ନ କରି ଵିଶ୍ରାନ୍ତ ହେବେ ନାହିଁ । ଅସଲ ଖାଣ୍ଟି ଦ୍ରଵ୍ୟ ଖୋଜି ବାହାର କରିଵା ହିଁ ତାଙ୍କର ରୀତି । ତାଙ୍କ ହୃଦୟ କୌଣସି ସାମ୍ପ୍ରଦାୟିକ ସଂସ୍କାରରେ କଳୁଷିତ ନୁହେଁ । ପକ୍ଷପାତିତା
ତାହାଙ୍କୁ ସତ୍ୟ ପଥରେ ଅନ୍ଧ କରିଦେଇ ନାହିଁ । ସେ ନିଜର 'କୁ' ଦେଖନ୍ତି, ମାତ୍ର ଅନ୍ୟର 'ସୁ'
ଦେଖନ୍ତି । ମୁଁ ଦେଖିଅଛି, ସେ କୌଣସି ସମ୍ପ୍ରଦାୟର, କୌଣସି ଅନୁଷ୍ଠାନର ଵହିର୍ଭାଗ ନ ଦେଖି ଅନ୍ତର୍ଭାଗରେ ପ୍ରଵିଷ୍ଟ ହୋଇ ତାହାର ତତ୍ତ୍ବ ବୁଝିଵାକୁ ଚେଷ୍ଟା କରନ୍ତି ।
ତାଙ୍କର ସରଳତା ପଞ୍ଚମ ଵର୍ଷୀୟ ଶିଶୁ ଭଳି, ମୁଁ ଏହା ଦେଖିଅଛି ଓ ମୁଗ୍ଧ ହୋଇଅଛି । ତାହାଙ୍କ ଆଚାର ଵ୍ୟଵହାର ସମସ୍ତ ହିଁ ପ୍ରୟୋଜନାନୁସାରେ । ପ୍ରଚଳିତ ପ୍ରଥା ବୋଲି ତାହାଙ୍କ ନିକଟରେ କିଛି ହିଁ ନାହିଁ । ଯେତେଟିକ ପ୍ରୟୋଜନ, ସେ ସେତିକି କରିବେ ଆହାର-ଵିହାର, ଵସନ-ପରିଚ୍ଛଦ ପ୍ରଭୃତି ସର୍ଵତ୍ରହିଁ ତାହାଙ୍କର ଏହି ନିୟମ ଅଵ୍ୟାହତ
ଭାବରେ ଚାଲିଅଛି । ପ୍ରୟୋଜନର ଅତିରିକ୍ତ ସେ କିଛି ହିଁ କରନ୍ତି ନାହିଁ । କୌଣସି ଲେଖାରେ ଶବ୍ଦପ୍ରୟୋଗ ସମ୍ବନ୍ଧରେ ତାହାଙ୍କୁ ଏହି ନିୟମରେ ପରିଚାଳିତ ହେଵା ଦେଖାଯାଏ । ହୃଦୟର ଭାବ ଯଥାଯଥରୂପେ ସୁଵ୍ୟକ୍ତ ହୋଇପାରେ, ଏଭଳି ଶବ୍ଦ ପ୍ରୟୋଗରେ ତାହାଙ୍କ ଭଳି ନିପୁଣ ଲେଖକ ମୁଁ ବୋଧହୁଏ ଦେଖି ନାହିଁ । ଗୋଟିଏ ଗୋଟିଏ କ୍ଷୁଦ୍ର କ୍ଷୁଦ୍ର ଵାକ୍ୟରେ ଭାଵସମ୍ପଦ କିଭଳି ସୁଚାରୁରୂପେ ପ୍ରକାଶିତ ହୁଏ, ଯେଉଁମାନେ ତାହାଙ୍କ ଲେଖା ପଢ଼ିଅଛନ୍ତି, ସେମାନେ ଜାଣନ୍ତି । ଭାଷାକୁ ପରିସ୍ଫୁଟ କରିଵା ସକାଶେ ତାହାଙ୍କର ଏହିପରି ଅନୁରାଗ । ନୂତନ ନୂତନ ଭାବର ପ୍ରକାଶ ସକାଶେ ନଵ ନଵ ଶବ୍ଦ ଉଦ୍ଭାଵନରେ ସୁଦ୍ଧା ତାହାଙ୍କ ଵିଚିତ୍ର ଶକ୍ତିର ପରିଚୟ ମିଳେ । ତାହାଙ୍କ ଉତ୍କଳ କାହାଣୀ,ଦୁନିଆର ହାଲଚାଲ, ବାଇମାହାନ୍ତି ପାଞ୍ଜି, ଆମଘରର ହାଲଚାଲ, ନନାଙ୍କ ବସ୍ତାନି,ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ଜେଜେବାପାଙ୍କ କାହାଣୀ ପ୍ରଭୃତି ରଚନାଵଳୀରେ ଏଥିରେ ଵିଶିଷ୍ଟ ପରିଚୟ ରହିଅଛି । ପ୍ରହରାଜଙ୍କ ରଚନାପ୍ରଣାଳୀର ମୂଳ କେଉଁଠାରେ ଏଵଂ ତାହାଙ୍କର ଅନ୍ତରର ଵୈଶିଷ୍ଟ୍ୟ କଅଣ ? ଏ ପ୍ରଶ୍ନର ଉତ୍ତର ଗୋଟିଏ କଥାରେ ଦିଆଯାଇପାରେ । Sir Walter Scotଙ୍କ ପରି ସେ Wizard of Orissa, ଓଡ଼ିଶାର ଅପୂର୍ବ ଯାଦୁକର । ସେ ସୌନ୍ଦର୍ଯ୍ୟର ଉପାସକ । ସେ ତାଙ୍କ ରଚନାରେ ପ୍ରାୟ ସବୁ ରସର ଅଵତାରଣା କରିଅଛନ୍ତି । କିନ୍ତୁ
ସର୍ଵତ୍ର ତାହାଙ୍କ ଚକ୍ଷୁ ଯାହା ସୁନ୍ଦର ଓ ଶୋଭନ କିମ୍ବା ମନୋରମ, ତାହା ଉପରେ ନିଵଦ୍ଧ ରହିଥାଏ । ଜୀଵନରହସ୍ୟର ଵ୍ୟଖ୍ୟା ସେ ଯାହା କରିଅଛନ୍ତି, ତହିଁରେ ଦୁଃଖକଷ୍ଟର ଦିଗ ଫୁଟିଉଠି ନାହିଁ । ସଂସାରର ଆଚାର ଵ୍ୟଵହାର ଦେଖି ସେ ଵିରକ୍ତ ଓ ଵିଷଣ୍ଣ ନ ହୋଇ ମନୁଷ୍ୟଜୀଵନର ଅତି ହୀନ କଦର୍ଯ୍ୟ ଓ ଅଵନତ ଅଂଶରୁ ସୌନ୍ଦର୍ଯ୍ୟ ଚୟନ କରିଅଛନ୍ତି । ଅତ୍ୟାଚାର, ଅଵିଚାର, ଅନାଚାର ପ୍ରଭୃତି ଏ ଜାତିକୁ କେତେ ଶତାବ୍ଦୀ ହେଲା ଜର୍ଜରିତ କରିଅଛି । ସାମାଜିକ 'କୁ' ପ୍ରଥା ଜାତିର ମେରୁଦଣ୍ଡକୁ ଦୁର୍ଵଳ କରିଅଛି ।ସ୍ୱାର୍ଥପରତା,ନୀଚତା, କାପୁରୁଷତା,ସଂକୀର୍ଣ୍ଣତା ଓ ଅଜ୍ଞତା ପ୍ରଭୃତି ଏ ସବୁରେ ସ୍ପଷ୍ଟ ହୋଇଅଛି । ଏ ସମସ୍ତ ମଧ୍ୟରେ ଥାଇ ସୁଦ୍ଧା ପ୍ରହରାଜେ ଉତ୍କଳର ଅତୀତର ଓ ଵର୍ତ୍ତମାନର ଅନ୍ତରରେ ସୌନ୍ଦର୍ଯ୍ୟର ଖଣି ସଞ୍ଚିତ ଅଛି, କେଵଳ ଏଭଳି ଆଭାସରେ ଓ ଇଙ୍ଗିତରେ ତାହାଙ୍କ ରଚନାଵଳୀ ପୂର୍ଣ୍ଣ କରିଅଛନ୍ତି । ଏଭଳି ସରସତା ଓ ପ୍ରୀତିମୂଳରେ ତାହାଙ୍କର ତୀବ୍ର ସ୍ଵଦେଶାନୁରାଗହିଁ କାରଣରୂପେ ଵିଦ୍ୟମାନ । ଉତ୍କଳୀୟଙ୍କ ମନରେ ପୌରୁଷର ଅଭିମାନ ଜାଗ୍ରତ କରିଵାକୁ ପ୍ରହରାଜେ ଅଗ୍ରଣୀ । ଏ କାଳରେ ଦେଶକୁ ପୁଙ୍ଖାନୁପୁଙ୍ଖ ରୂପେ ଜାଣିଵା ସକାଶେ ଚାରିଆଡ଼େ ଗୋଟିଏ ଆଗ୍ରହ ଦେଖାଯାଉଅଛି ଓ ଦୁଃଖ, ଦୈନ୍ୟ, କଳୁଷ ଓ ଦୌର୍ଵଲ୍ୟ ଦୂରକରି, ପ୍ରକୃତ ସଂସ୍କାର କରିଵା ସକାଶେ କିମ୍ବା ଜାତିକୁ ଉନ୍ନତ କରିଵା ସକାଶେ ବାସନା ଦୃଷ୍ଟ ହେଉଅଛି । ପ୍ରହରାଜଙ୍କ ଯୌଵନ କାଳରେ ଏହା ଅସମ୍ଭଵ ହୋଇଥିଲା । କିନ୍ତୁ ଆଜି ଯେ ଏହା ସାମ୍ଭାଵ୍ୟମଧ୍ୟରେ ଆସିଅଛି, ଏଥ‌ିପାଇଁ ପ୍ରହରାଜେ କୃତଜ୍ଞତାର ଅଧିକାରୀ । ପ୍ରହରାଜଙ୍କ ପ୍ରତିପାଦ୍ୟ ଵିଷୟ ଓ ଭାବରାଶି ଘେନି ତାହାଙ୍କ ରଚନାଗୁଡ଼ିକର ଶିକ୍ଷା ଘେନି ମତଦ୍ଵୈଧ ଥାଇପାରେ, କିନ୍ତୁ ତାହାଙ୍କର ଭାଷା ଓ ରୀତି ଵିଷୟରେ ସହୃଦୟ ସମାଜରେ ଐକମତ୍ୟ ଅଵଶ୍ୟମ୍ଭାବୀ । ଏ ଭାଷାର ତୁଳନା ନାହିଁ କିମ୍ବା ଏ ରୀତିର ଦ୍ୱିତୀୟ ନାହିଁ । ସମ୍ରାଟ୍‌ଙ୍କ ନାମାଙ୍କିତ ରଜତଖଣ୍ଡ ଭଳି ଉତ୍କଳ ସାହିତ୍ୟ ରାଜ୍ୟରେ ଏହି ରୀତିହିଁ
ଚଳିଵ। ଅନ୍ୟ ସମସ୍ତ ମୁଦ୍ରା ଭେଣ୍ଡି, ହୁଏତ ଭେଲ କିମ୍ବା ଓଜନରେ ଭାରୀ ଏଵଂ ଆବାଜରେ ବୋଦକା । ରଚନାର ପ୍ରଧାନ ଗୁଣ ଏଵଂ ପ୍ରଥମ ପ୍ରୟୋଜନ – ସରଳତା ଓ
ସ୍ପଷ୍ଟତା । ଯେଉଁ ରଚନା ଆବାଳବୃଦ୍ଧବନିତା ସମସ୍ତେ ବୁଝିପାରନ୍ତି ଏବଂ ପଢ଼ିଵା ମାତ୍ରେ
ଯାହାର ଅର୍ଥ ବୁଝାଯାଏ, ଅର୍ଥଗୌରବ ଥିଲେ ତାହା ସିନା ସର୍ଵୋତ୍କୃଷ୍ଟ ରଚନା । ପ୍ରହରାଜଙ୍କ ଭାଷା ପାଠକଙ୍କୁ ଆତଙ୍କରେ କଣ୍ଟକିତ କରେ, ଭକ୍ତିରେ ଉଚ୍ଛସିତ କରେ । କେବେ ଅବା ଚନ୍ଦ୍ରିକୋଜ୍ଜ୍ଵଳ ବାସନ୍ତୀ ନିଶୀଥରେ କୋକିଳର କୁହୁରବ ଭଳି ହୃଦୟକୁ ନଵୀନ ସୁଖସ୍ବପ୍ନରେ ବିହ୍ବଳ କରିପକାଏ, କେବେ ଅବା ସକଳବନ୍ଧନଵିହୀନ ଜୀଵନ୍ମୁକ୍ତ ଵୈରାଗୀଙ୍କ ଉଦାସୀନ ଵାଣୀ ଭଳି ଗୃହହରା କରି ଆମ୍ଭମାନଙ୍କ ପ୍ରାଣକୁ ପରପାରର ପଥିକ ଭଳି ଉପେକ୍ଷାର ମନ୍ତ୍ରରେ ମୁଗ୍ଧ କରିଦିଏ । ଏ ଭାଷାବଳରେ ସକଳ ସୁଖର ଆଧାର, ଶାନ୍ତିର ତୀର୍ଥକ୍ଷେତ୍ର ଉତ୍କଳର ଗୃହସ୍ଥ ମନ୍ଦିର ଚକ୍ଷୁ ସମକ୍ଷରେ ଭାସି ଉଠିଥାଏ । ପରନ୍ତୁ ସରଳତା ଓ ସ୍ପଷ୍ଟତା ଗୁଣରୁ ଅତି ଜଟିଳ ପ୍ରତିପାଦ୍ୟ ଵିଷୟକୁ ମଧ୍ୟ ସରସ ଓ ହୃଦୟଗ୍ରାହୀ କରିଅଛି ଏହି ଭାଷା । ଆଧୁନିକ ରୀତିସମସ୍ତରେ ନୂତନତ୍ଵ କିମ୍ବା ଵୈଚିତ୍ର ଥାଇପାରେ, କିନ୍ତୁ ସାର୍ଵଜନୀନ ଉପାଦେୟତ୍ୱ ନ ଥାଏ, ଏଭଳି ପ୍ରସନ୍ନତା କିମ୍ବା ଏଭଳି ଅପ୍ରତିହତ ପରିସ୍ଫୁରଣ ନ ଥାଏ । ପଦପ୍ରୟୋଗରେ ଯେ ଗୋଟିଏ ଅନୁପାତ ରକ୍ଷା କର୍ତ୍ତଵ୍ୟ -ଗୋଟିଏ ସୁଷମାର ଅନୁପାତ ଲକ୍ଷ୍ୟ କରିଵା ଉଚିତ, ପ୍ରହରାଜଙ୍କ ରୀତି ତାହାର ଅଦ୍ବିତୀୟ ନିଦର୍ଶନ । ସେ ମାତ୍ରା, ସେ ସୁଷମା-ରକ୍ଷାର ନିୟମ ସୂତ୍ରାକାରରେ ନିଵଦ୍ଧ କରିଵା କଠିନ । ପ୍ରହରାଜଙ୍କ ପ୍ରତିଭା ପୁସ୍ତକଵର୍ଣ୍ଣିତ ପୁରୁଭୁଜ ଭଳି ଅସଂଖ୍ୟ ବାହୁ ପ୍ରସାରିତ କରି
‘ଭାଷାକୋଷରେ’ ଆମ୍ଭମାନଙ୍କ ଚିନ୍ତାର ଯାଵତୀୟ ଅଙ୍ଗକୁ ଆକ୍ରମଣ କରିଵାକୁ ଉଦ୍ୟତ
ହୋଇଅଛି ।


ଯେଉଁ ଉତ୍କଳଗୌରଵ ପ୍ରକାଣ୍ଡ ଭାଷାକୋଷର ପଵିତ୍ରୋଜ୍ଜ୍ଵଳ ରଶ୍ମି ପ୍ରଭାଵରେ ସାହିତ୍ୟ ଗଗନ ସମୁଜ୍ଜ୍ବଳ, ତାହାର ପରିଚୟ ଅନାଵଶ୍ୟକ । ସାହିତ୍ୟର ମୃତସଞ୍ଜୀଵନୀ ସୁଧାଧାରା
ଵ୍ୟତୀତ ଯେଉଁ ଜାତି ସଞ୍ଜୀଵିତ, ଉଦ୍ଦୀପିତ ଓ ଦେଶାତ୍ମବୋଧରେ ଅନୁପ୍ରାଣିତ ହୋଇ ନ
ପାରେ, ଜାତୀୟ ଜୀଵନ ସଂଗଠନର ପର୍ଯ୍ୟାପ୍ତ ଉପାଦାନ ଗୌରଵଗର୍ଵ ମନୀଷା ଓ
ପ୍ରତିଭାର ଦାନସ୍ଵରୂପ ଏହି ଭାଷାକୋଷରୁ ଯୁଗେ ଯୁଗେ ସ୍ଵଦେଶ ଓ ସ୍ଵଧର୍ମ ମହିମାରେ
ଉଦ୍‌ବୋଧୃତ ହୋଇ ସେ ଜାତି ନିଜକୁ ଧନ୍ୟ ଓ କୃତାର୍ଥ ଜ୍ଞାନ କରୁଥିଵ । ଓଡ଼ିଆ ଭାଷାରେ ଗୋଟିଏ ମହତ୍ ଵ୍ୟାକ୍ୟ ଅଛି ‘ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ’ । ଏହି ଭାଷାକୋଷରେ କଅଣ ନାହିଁ ? ଗ୍ରନ୍ଥକାରଙ୍କର ଵିଗତ ୨୭ ଵର୍ଷ ଵ୍ୟାପୀ ପ୍ରଗାଢ଼ ପରିଶ୍ରମ, ଅଭୂତପୂର୍ଵ ନିଷ୍ଠା, ଉଦ୍ଦୀପନାପୂର୍ଣ୍ଣ ଏକାଗ୍ରତା, ଅସାଧାରଣ କ୍ଷମତା ଏଵଂ ସର୍ଵୋପରି ଐକାନ୍ତିକ ନିଷ୍ପତ୍ତିଶୀଳତା ଏଡ଼େ ବଡ଼ ପ୍ରକାଣ୍ଡ ଗ୍ରନ୍ଥକୁ ସାଫଲ୍ୟମଣ୍ଡିତ କରିଅଛି, ଅତ୍ର ସନ୍ଦେହୋ ନାସ୍ତି । ସବୁଥରେ ହିଁ ତାହାଙ୍କର ଅସାମାନ୍ୟ କୃତିତ୍ଵ ଦେଖି ସମସ୍ତେ ଵିସ୍ମୟ ଅନୁଭବ କରନ୍ତି । ବଡ଼ଲାଟଙ୍କ ଦରବାରରେ ଯାହାଙ୍କର ସମ୍ମାନ, ତାହାଙ୍କଠାରେ ଅତି ଛିଦ୍ର ଓ ନୀଚ ସ୍ତରର ହରିଜନ ସୁଲଭ କାର୍ଯ୍ୟରେ ଦକ୍ଷତା ଦେଖି କିଏ ବିସ୍ମିତ ତଥା ପୁଲକିତ ନ ହେବ ?

ବଙ୍ଗ ଦେଶରେ ଗୋଟିଏ କଥା ଅଛି ‘‘ଜୋତା ସିଲାଇଠାରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ।’’
ପ୍ରହରାଜଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ଦେଖିଲେ କେଉଁ କଥାରେ ସେ ଦକ୍ଷ ନୁହନ୍ତି,
ଏହା ବୁଝି ହେଵ ନାହିଁ । ମୁଗ ଭାଜି ଚକିରେ ରଗଡ଼ି କୁଲାରେ ପାଛୁଡ଼ି ଡାଲି ରାନ୍ଧିଵା,
ବାସନ ମାଜିଵା, ଅଳ୍ପ ବିସ୍ତର ବଢ଼େଇ କାର୍ଯ୍ୟ କରିଵା, ପାନ ଭାଙ୍ଗିଵାଠାରୁ ଘର ଝାଡ଼ି
ପରିଷ୍କାର କରିଵା, କୁକୁର ବିଷ୍ଠା ଗୃହସ୍ତରେ ଉଠାଇନେଵା, ନିଜର ତଥା ଅପରର ପୁରୀଷ
ଉଠାଇଵା, ଗୋଵରର ଘଷି ପାରିଵା ପ୍ରଭୃତି କାର୍ଯ୍ୟରେ ସେ ସବୁବେଳେ ସିଦ୍ଧହସ୍ତ ।
ଏଣେ ବ୍ରାହ୍ମଣୋଚିତ କର୍ମକର୍ମାଣିରେ ସେ ଧୁରନ୍ଧର । ଶିଵ,ଵିଷ୍ଣୁ, କାଳୀ, ଦୁର୍ଗା, ଗଣେଶ,
ସୂର୍ଯ୍ୟଙ୍କର ପୂଜାର ଓ ହୋମର ଉପଯୁକ୍ତ ଵ୍ୟଵସ୍ଥା ଓ ମନ୍ତ୍ରସମୂହ ତାହାଙ୍କର ଏକପ୍ରକାର
କଣ୍ଠସ୍ଥ କହିଲେ ଅତ୍ୟୁକ୍ତି ହେଵ ନାହିଁ । ଗୃହସ୍ଥାଶ୍ରମର ସାନଠାରୁ ବଡ଼ କାର୍ଯ୍ୟରେ ଅସାମାନ୍ୟ ପ୍ରତିଭାଶାଳୀ ହେଲେହେଁ, ତାହାଙ୍କର ହୃଦୟ ମାନଵିକତା ଓ ପ୍ରେମପ୍ରଵଣତାରେ ପରିପୂର୍ଣ୍ଣ ।
ମାନଵର ଭ୍ରାତୃତ୍ଵ ତାହାଙ୍କ ନିକଟରେ କେଵଳ ଗୋଟିଏ ମୁଖୋଚ୍ଚାରିତ ଵାକ୍ୟ ନୁହେଁ
ସଜୀଵ ଓ ସତ୍ୟ ଆଦର୍ଶ ରୂପେ ଵିଦ୍ୟମାନ । ଧନୀ, ନିର୍ଜନ, ଉଚ୍ଚ, ନୀଚ, ସକଳ ଅଵସ୍ଥାର ଲୋକଙ୍କ ସହିତ ସେ ସମାନ ଭାବରେ ମିଶି ସୁଖୀଙ୍କ ସୁଖରେ ସୁଖୀ ହୋଇ ଓ
ଦୁଃଖୀଙ୍କ ଦୁଃଖରେ ନୟନ ଅଶ୍ରୁସିକ୍ତ କରି ନିଜର ମହତ୍ଵ ହୃଦୟର ପରିଚୟ ଦେଵାଦ୍ଵାରା
ସମସ୍ତଙ୍କୁ ମୁଗ୍ଧ କରିଥାଆନ୍ତି । ସେ ଧନୀ ହେଵା ସକାଶେ କେବେହେଁ ଆକାଂକ୍ଷା କରି ନାହାନ୍ତି, ତାଙ୍କ ମତରେ ଅର୍ଥ ସଞ୍ଚୟ କିମ୍ବା ଵ୍ୟଵସାୟ ଵାଣିଜ୍ୟରେ କୃତକାର୍ଯ୍ୟତା ମନୁଷ୍ୟ ଶକ୍ତିର ସତ୍ୟ କିମ୍ବା ପ୍ରକୃତ ପରିଚୟ ନୁହେଁ । ପୃଥ‌ିଵୀରେ ମୁଦ୍ରା ନାମକ ଦ୍ରଵ୍ୟକୁ ସେ ପରମାରାଧ୍ଯ ଵସ୍ତୁ ବୋଲି ମନେ କରନ୍ତି ନାହିଁ । କେଵଳ ଗ୍ରାସାଚ୍ଛାଦନ ସକାଶେ ଓ ପରୋପକାରପାଇଁ ପ୍ରୟୋଜନୀୟ
ଅର୍ଥରେ ସେ ସର୍ଵଦା ସନ୍ତୁଷ୍ଟ । ପରୋପକାର ସକାଶେ ତାହାଙ୍କର ଯତ୍ନସାମାନ୍ୟ ଆୟରୁ ସେ ଅକାତର ଵ୍ୟୟ କରିଵାକୁ କଦାପି କୁଣ୍ଠିତ ନୁହନ୍ତି । ଏହା ତାହାଙ୍କର ପ୍ରାତ୍ୟହିକ କାର୍ଯ୍ୟପ୍ରଣାଳୀ । ତାହାଙ୍କର ସମୁଜ୍ଜ୍ବଳ ମଧୁର ଓ ସର୍ବଚିତ୍ତରଞ୍ଜନ ମୂର୍ତ୍ତି ସର୍ବଦା ମୋ ନେତ୍ରପଥରେ ପ୍ରତିଭାତ । ତାହାଙ୍କର ପ୍ରଶସ୍ତ ଲଲାଟ, ଅସାଧାରଣ ଜ୍ୟୋତିର୍ମୟ ଆକର୍ଶ ଵିଶ୍ରାନ୍ତ ନୟନଦ୍ଵୟ ଏଵଂ ହାସ୍ୟଵିକଶିତ ସ୍ଥୂଳ ଓଷ୍ଠାଧର ମୁଖମଣ୍ଡଳର ଶୋଭା ଵର୍ଦ୍ଧନ କରୁଅଛି । ତାହାଙ୍କର ଓଷ୍ଠାଧର ବି ନିର୍ଗତ ମଧୁମୟ ଵାକ୍ୟ ସତତ ଅସାଧାରଣ ଶକ୍ତିର ଓ
ପ୍ରତ୍ୟୁତ୍ପନ୍ନମତିତ୍ଵର ପରିଚୟ ଦେଇଥାଏ । ସଂସାରଚିନ୍ତା ତାହାଙ୍କର ଉନ୍ନତ ଅନ୍ତଃକରଣରେ କେବେ ଉତ୍କଣ୍ଠାର ସ୍ଥାନ ଗ୍ରହଣ କରେ ନାହିଁ । କୌଣସି ପ୍ରକାର ସାଂସାରିକ ତାପ ଆନନ୍ଦମୟ, ସବୁବେଳେ ସମସ୍ତଙ୍କର ଆନନ୍ଦଵର୍ଦ୍ଧକ ଓ ଚିତ୍ତାକର୍ଷକ ରୂପେ ଵିଵେଚିତ । ତାହାଙ୍କର ଭାଵଵ୍ୟଞ୍ଜକ ମୁଖଶ୍ରୀ ଉଚ୍ଚବଂଶଜାତ ଧୀମାନ୍ ଓ ଆତ୍ମଶକ୍ତିରେ ନିର୍ଭରଶୀଳ ପୁରୁଷପୁଙ୍ଗବ ଭଳି । ତାହାଙ୍କ ଦେହ ଓ ମୁଖମଣ୍ଡଳରେ ଵାର୍ଦ୍ଧକ୍ୟର ଚିହ୍ନ ସୁସ୍ପଷ୍ଟ ଭାବରେ ମୁଦ୍ରିତ ହେଲେ ହେଁ, ଯୁଵଜନସୁଲଭ କାର୍ଯ୍ୟ କରିଵାର
ଶକ୍ତି, ସରସପଣ ଓ ଉତ୍ସାହ ବହୁଳ ପରିମାଣରେ ତାଙ୍କଠାରେ ଆତ୍ମ ପ୍ରକାଶ କରିଅଛି ।’’ ତାଳଚେରର ସ୍ୱନାମଧନ୍ୟ (ଵାର୍ଦ୍ଧକ୍ୟରେ ମଧ୍ୟ କିଶୋରସୁଲଭ କର୍ମଠତାମୟ) ରାଜା ଶ୍ରୀ କିଶୋରଚନ୍ଦ୍ର ହରିଚନ୍ଦନ ଜଗଦେଵ ଆଜିକୁ ୧୩ ଵର୍ଷ ତଳେ ପାଣ୍ଡୁଲିପିମାନଙ୍କ ପାଇଁ ଯେଉଁ ମୁଦ୍ରିତ ଭିକ୍ଷାପତ୍ର ଉତ୍କଳର ସାହିତ୍ୟାନୁରାଗୀ ଲକ୍ଷ୍ମୀକୁମାରମାନଙ୍କଠାକୁ ପ୍ରେରିତ
ହୋଇଥିଲା, ତହିଁରେ ପ୍ରଥମେ ସ୍ବାକ୍ଷର କରିଥିଲେ । ଉତ୍କଳ ସାହିତ୍ୟ ସମାଜର ୧୯୩୯ରେ ହେଵା ଵାର୍ଷିକ ଉତ୍ସଵର ସଭାପତିଙ୍କ ଅଭିଭାଷଣରେ ସେ ଭାଷାକୋଷର ଉଲ୍ଲେଖ କରିଥିଲେ । ୧୯୪୦ ସାଲର ଉତ୍କଳ ସାହିତ୍ୟ ସମାଜର ଵାର୍ଷିକ ଉତ୍ସଵର ପୁରୋଧା କଲିକତା ଵିଶ୍ବଵିଦ୍ୟାଳୟର ଆଚାର୍ଯ୍ୟ ଅଧ୍ୟାପକ ଶ୍ରୀ ପ୍ରିୟରଞ୍ଜନ ସେନ, ଏମ୍.ଏ., ପି.ଆର୍.ଏସ୍.
କାଵ୍ୟତୀର୍ଥ ତାଙ୍କ ଅଭିଭାଷଣରେ ଭାଷାକୋଷ ଉପରେ ତାଙ୍କର ପ୍ରଶଂସା ଓ ଶୁଭକାମନା
ନିମ୍ନୋକ୍ତ ଭାଷାରେ ଅର୍ପଣ କରିଥିଲେ ।

‘‘ଵର୍ତ୍ତମାନ ଯୁଗରେ ଆପଣମାନଙ୍କର ଗୌରଵ କରିଵାର ଵିଷୟ ମୋର ଶ୍ରଦ୍ଧାସ୍ତ୍ରଦ
ବନ୍ଧୁ ଆପଣମାନଙ୍କ ସଭାପତି ଭାଷାଚାର୍ଯ୍ୟ ରାୟବାହାଦୁର ଗୋପାଳଚନ୍ଦ୍ର ପ୍ରହରାଜଙ୍କର
ବହୁବର୍ଷ ଅକ୍ଳାନ୍ତ ପରିଶ୍ରମସମ୍ଭୂତ ଭାଷାକୋଷ ଗ୍ରନ୍ଥ । ବାଇମାହାନ୍ତି ପାଞ୍ଜି ଓ ପୂର୍ଣ୍ଣଚନ୍ଦ୍ର
ଭାଷାକୋଷ ଏହାଙ୍କଠାରେ ଏକତ୍ର ଦେଖାଇଛି ପରିହାସରସିକତା ଓ ଶାବ୍ଦିକଙ୍କ ପାଣ୍ଡିତ୍ୟ ।
ଏହାଙ୍କ ସମ୍ବନ୍ଧରେ କହିଵାକୁ ଗଲେ, ଆମ ବଙ୍ଗର ଶ୍ରୀ ରାଜଶେଖର ବସୁଙ୍କ କଥା
ମନେପଡ଼େ, ଯାହାଙ୍କ ଗଡାଳିକା ଓ ଚଳନ୍ତିକା ଏହି ଦୁଇଟି ଧାରାକୁ ପୁଷ୍ଟ ରଖିଅଛି । ସେ
ଏକାବେଳକେ ଏକୁଟିଆ ହେଲେ ସୁଦ୍ଧା, ଏହି ବୃହତ୍ ଅଭିଧାନ ରଚନା କରି ଓଡ଼ିଶାର ଶବ୍ଦସମ୍ପଦକୁ ସୁସ୍ପଷ୍ଟ କଲେ । ଏହା ମଧ୍ୟ ସେ ଦେଖାଇଅଛନ୍ତି ଯେ, ଓଡ଼ିଶାରେ ଦେଵୀ
ଭାରତୀଙ୍କ ସନ୍ତାନଗଣଙ୍କଦ୍ବାରା ଅସାଧ୍ୟ ସାଧନରେ ସିଦ୍ଧି ସମ୍ଭଵ ହୋଇପାରେ । ଏହାଙ୍କର ସାଧନା ଵର୍ତ୍ତମାନ ଭାରତ ଭାରତୀଙ୍କ ପୂଜାଵେଦୀମୂଳେ ବହୁମୂଲ୍ୟ ଉପାୟନ ବୋଲି ମୁଁ ମନେ କରେ ।”

No comments:

Post a Comment

ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)

ଵିଦ୍ୟାଳୟରେ ପଢୁଥିଵା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାମକୃଷ୍ଣ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ଵିପନ୍ନରଉଦ୍ଧାର .....!!!! ଏହି ପ୍ରବନ୍ଧଟିରେ ୧୯୩୭ ...