My Blog List
Saturday, May 3, 2025
ଭାଷାର ଉତ୍ପତ୍ତି: ଲୋକଗାଥା ଓ ଵୈଜ୍ଞାନିକ ଦୃଷ୍ଟିକୋଣ•
Wednesday, March 29, 2023
ଓଡ଼ିଶାର କାଳ୍ପନିକ ଜୀଵ ଓ କୋକୁଆ
Sunday, March 5, 2023
ଦକ୍ଷିଣ ପଶ୍ଚିମ ଓଡ଼ିଶାର ଗୟଳ ନୃତ୍ୟ
Thursday, November 24, 2022
ଢ,ଢା,ଢୀ,ଢୁ ଓ ମ,ମା,ମି,ମୁ ; ଢେଙ୍କାନାଳ ମଧୁପୁର ସନ୍ଧି ପ୍ରସଙ୍ଗ
Monday, August 8, 2022
ଥେବ୍ସ୍ ନଗର ପ୍ରତିଷ୍ଠାର କାହାଣୀ
Tuesday, July 19, 2022
ପଦ୍ମପୁରର ବୋଡ଼ାସମ୍ବର
Sunday, July 10, 2022
ରାଣୀଗୁମ୍ଫା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ
Wednesday, May 18, 2022
॰॥ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰
ସଂସାରୀ ଲୋକଙ୍କୁ ସାଧୁସନ୍ଥମାନେ ପାଗଳ ବୋଧ ହୁଅନ୍ତି । ବହୁଵର୍ଷ ତଳେ ଉତ୍କଳ ଦେଶରେ ଜଣେ ସାଧୁ ରହୁଥିଲେ ! ସଂସାରକୁ ମାୟା ବୁଝି ତହିଁରେ ପରିଵ୍ୟାପ୍ତ ମୋହ ମାୟା ରାଗ ଦ୍ୱେଷକୁ ଜାଣି ସେ ପ୍ରାୟତଃ ମୌନ ରୁହନ୍ତି । ଏପରିକି ଯେତେବେଳେ କେହି ତାଙ୍କ ପୋଷାକ ଦେଖନ୍ତି ଏଵଂ ଵ୍ୟଙ୍ଗ୍ୟ କରନ୍ତି କିମ୍ବା ତାଙ୍କୁ ପାଗଳ ବୋଲି ଭାବି ପଥର ମାରନ୍ତି ସେ ତିଳେ ମାତ୍ର ଵିଚଳିତ ନହୋଇ ତାହା ଦୈଵ ପରୀକ୍ଷା ମନେ କରି ନୀରଵ ରୁହନ୍ତି ।
ଦିନକର କଥା । ସେହି ସାଧୁଜଣକ ଏକ ଗାଁଆ ଦେଇ ଯାଉଥାନ୍ତି ଦେଖିଲେ ଏକ ଶ୍ଵାନ ତାଙ୍କର ପଶ୍ଚାତଗମନ କରୁଅଛି ।
ଆଗରେ ଗୋଟିଏ ବରଗଛ ଥିଲା ଯେ ସେଠାରେ କିଛି କ୍ଷଣ ଛିଡ଼ା ହେଲେ ଠିକ୍ ସେହି ସମୟରେ ପଛେ ପଛେ ଆସୁଥିଵା କୁକୁରଟି ତାଙ୍କ ପାଖରେ ପହଞ୍ଚି ଲାଙ୍ଗୁଡ଼ ହଲାଇଵାକୁ ଲାଗିଲା ।
ନିଜ ସମ୍ମୁଖରେ ଶ୍ଵାନଟିକୁ ଦେଖି ସେ ମହାତ୍ମାଙ୍କ ମନରେ କି ଭାଵ ଉତ୍ପନ୍ନ ହେଲା କେଜାଣି ସେ ପଛେ ପଛେ ଚାଲି ଆସିଥିଵା ସେହି ଶ୍ଵାନ ଉପରେ ସଵାର ହୋଇ ଭିକ୍ଷାନ୍ନରୁ ପ୍ରାପ୍ତ ଅନ୍ନ ଭକ୍ଷଣ କରିଵାକୁ ଲାଗିଲେ ।
ନିଘିନିଘିଆ ଉପରବେଳାଟାରେ
କିଛି ଲୋକ ସୂର୍ଯ୍ୟତାପରୁ ରକ୍ଷା ପାଇବା ପାଇଁ ସେଠାରେ ଵିଶ୍ରାମ ନେଉଥାନ୍ତି |
ଏହି ଦୃଶ୍ୟ ଦେଖି ସେହି ଲୋକମାନେ ପେଟ ଫଟେଇ ହସିଲେ,ହସି ହସି ଗଡି଼ଗଲେ ।
ସଂସାର ଵୈରାଗୀ ସାଧୁ ତ କାଳେ କାଳେ ରାଗ ଦ୍ଵେଷ ଚିନ୍ତାଶୂନ୍ୟ ହୋଇଥାନ୍ତି, ଏକଚାଲା ମନଭାବୁକା ସଦା ପ୍ରଫୁଲ୍ଲ ହୋଇଥାନ୍ତି ତେଣୁ ବରଗଛ ମୂଳେ ବସି ତାଙ୍କୁ ଦେଖି ହସୁଥିଵା ଲୋକଙ୍କୁ ଦେଖି ସେ ବି ହସିଦେଲେ...
ସେଠି ବସିଥିଵା ସବୁ ଲୋକ ଆଶ୍ଚର୍ଯ୍ୟ !!!
ଶେଷରେ ସାଧୁ କହିଲେ...
“ଵିଷ୍ଣ୍ଯୁପରି ସ୍ଥିତୋ ଵିଷ୍ଣୁଃ
ଵିଷ୍ଣୁ ଖାଦତି ଵିଷ୍ଣଵେ ।
କଥଂ ହସସିରେ ଵିଷ୍ଣୋ
ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥”
Sunday, April 3, 2022
ତଅପୋଇର କାହାଣୀ ମଧ୍ୟରେ ରହିଛି ଓଡ଼ିଶାର ସାଂସ୍କୃତିକ ଇତିହାସର ସଂକ୍ଷିପ୍ତ ଵିଵରଣୀ
ତଅପୋଇର କାହାଣୀ ସମସ୍ତେ ଜାଣିଥିବେ । କିନ୍ତୁ ସେ କାହାଣୀ ଭିତରେ ପରୋକ୍ଷରେ ଓଡ଼ିଶାର ଇତିହାସ ଥିଵା ମୋତେ ଅନୁଭୁତ ହୋଇଥାଏ । ସଂକ୍ଷେପରେ କାହାଣୀଟି ଏମନ୍ତ...
ସାତ ଭାଇରେ ସେ ଗୋଟିଏ ଭଉଣୀ । ତଅପୋଇର ବାପା ଆରପାରିକୁ ଚାଲିଗଲାପରେ ତା ଭାଇମାନେ ମଧ୍ୟ ନୌଵାଣିଜ୍ୟ ହେତୁକ ଜାଭା ବୋର୍ଣ୍ଣିଓ ଲବଙ୍ଗ ଦ୍ଵୀପକୁ ଚାଲିଗଲେ ଏଵଂ ତାକୁ ଛାଡ଼ିଦେଇ ଗଲେ ସାତ ଭାଉଜଙ୍କ ପାଖରେ...
ସାତ ଭାଉଜଙ୍କ ମଧ୍ୟରେ ସବା ସାନ ଭାଉଜଟି ତଅପୋଇକୁ ବହୁତ ସ୍ନେହ କରୁଥିଲା ।
ତଅପୋଇର ଭାଇ ଵଣିଜ କରିଵାକୁ ସାଗରପାରି ଆନ ଦେଶକୁ ଯିଵାପରେ ଗୋଟିଏ ଵିଧଵା ବାହ୍ମୁଣୀ କୌଣସି ଆଡ଼ୁ ଆସି ମିଠା ମିଠା କଥାରେ ଭାଉଜମାନଙ୍କ ମନ ଜିଣି ତାଙ୍କ ଘରେ ରହିଵାକୁ ଲାଗିଲା ।
ସାତ ଭାଉଜ ସେ ଵିଧଵା ବାହ୍ମୁଣୀର ସେଵା କରିଵାକୁ ଲାଗିଲେ କିନ୍ତୁ ସେମାନେ ତାଙ୍କର ନଣନ୍ଦ ତଅପୋଇକୁ ମଧ୍ୟ ସ୍ନେହ କରୁଥାନ୍ତି ।
ବାହ୍ମୁଣୀ ଏହା ସହି ପାରୁନଥାଇ ।
ଧେତ୍ ! ନଣନ୍ଦ ଆଉ ଭାଉଜଙ୍କ ଭିତରେ ପୁଣି ଏତେ ସ୍ନେହ ଭଲପାଇଵା !!!
ସେ ଭେଦବୁଦ୍ଧି ଲଗାଇ ଛଅ ଜଣ ବଡ଼ ଭାଉଜଙ୍କ ମନରେ ତଅପୋଇ ପ୍ରତି ଘୃଣା ଦ୍ଵେଷ ଵୃଦ୍ଧି କରିଵାରେ ସଫଳ ହୋଇଗଲା ।
କିନ୍ତୁ ସାନ ଭାଉଜଟି କେବେବି ତଅପୋଇକୁ ଘୃଣା କରିପାରିଲା ନାହିଁ ଵରଂ ଲୁଚିଛପି ତାକୁ ସାହାଯ୍ୟ କରୁଥିଲା ।
ତଅପୋଇ ଛେଳି ଚରେଇଲା,ମୂଷା ଲେଣ୍ଡି ମିଶା ଭାତ ଖାଇଲା ,ଅସନା ଘରେ ଶୋଇଲା । ଆଗେ ସେ ରାଜକୁମାରୀ ଭଳି ସଜେଇ ହେଉଥାଇ ଏବେ ସେସବୁ ନଥିଲା ।
ଭାଇମାନେ ଫେରି ଆସିଲେ ସେ ନିଜ ଦୁଃଖ ଜଣାଇ ଏ କଷ୍ଟରୁ ମୁକ୍ତି ପାଇଵ ସେଥିପାଇଁ ଦେଵୀ ମଙ୍ଗଳାଙ୍କର ଓଷା କଲା ।
ଦିନେ ଛେଳିଟିଏ ହଜିଵାରୁ ଜଙ୍ଗଲରେ ତଅପୋଇ ତାକୁ ଖୋଜି ବୁଲୁଥିଲା । ଏତିକି ବେଳେ ତା ଭାଇମାନେ ଫେରି ଆସି ପାଖ ବଣରେ କାହାର କ୍ରନ୍ଦନ ଶୁଣିଣ ଦୌଡ଼ି ଆସି ତଅପୋଇକୁ ପାଇଲେ । ଭାଇମାନେ ତଅପୋଇଠାରୁ ସବୁ ଶୁଣିଲେ ଏଵଂ ତାକୁ ବୋଇତକୁ ନେଇଗଲେ ।
ତତ୍ପର ଦିନ ବୋଇତ ବନ୍ଦାଣ ପାଇଁ ସାତ ଭାଉଜ ବୋଇତ ପାଖକୁ ଆସିଲେ । ପ୍ରଥମେ ବୋଇତ ମଧ୍ୟରେ ସ୍ଥିତା ମଙ୍ଗଳା ଦେଵୀଙ୍କ ବନ୍ଦନା କରିଵାକୁ ଏକ ଏକ କରି ଛଅଜଣ ବଡ଼ ଭାଉଜଙ୍କ ନାକ କାଟିଦେଲେ ମାଆ ମଙ୍ଗଳା ଏଵଂ ସବା ସାନ ଭାଉଜଙ୍କୁ ଆଶିର୍ଵାଦ ଦେଇ ଉଭେଇ ଗଲେ ।
ସ୍ଥୂଳ ଭାବରେ ଦେଖିଲେ କାହାଣୀଟି ପୁରାତନ କଳିଙ୍ଗ ଦେଶରେ ନୌଵାଣିଜ୍ୟ ପରମ୍ପରାକୁ ପ୍ରକଟିତ କରୁଥିଵା ସାଧାରଣ ଲୋକକଥା ପରି ଦୃଶ୍ୟ ହୋଇଥାଏ ।
କିନ୍ତୁ ଏ କାହାଣୀ ଭିତରେ କିଛି ଗୂଢ଼ କଥା କୁହାଯାଇଛି ବୋଲି ଭଗଵତ୍ ପ୍ରେରଣାରୁ ମୋହର କେତେକ ଵର୍ଷ ତଳେ ହୃଦବୋଧ ହୋଇଥିଲା ।
କାହାଣୀରେ...
•ବଡ଼ ସାଧଵ ଵା ତଅପୋଇର ପିତା = ଜାତୀୟତାବୋଧ ଓ ଏକତା
•ସାତ ଭାଇ = ଵ୍ୟାପାରୀ ସାଧଵ
•ସାତ ଭାଉଜ = ଓଡ଼ିଶାଳ ରାଜବଂଶ
•ତଅପୋଇ = ସାଧଵ ପରିଵାର
•ଵିଧଵା ବାହ୍ମୁଣୀ = ଉତ୍ତର ଭାରତରୁ ଆସିଥିଵା ଛୁଆଁ ଅଛୁଆଁ ଭେଦଭାଵ ଵୃଦ୍ଧି କରିଥିଵା ମୌଳିଵାଦୀ ବ୍ରାହ୍ମଣ
•ସାନ ଭାଉଜ = ଓଡ଼ିଆ ଜାତି ଏକତା ସପକ୍ଷରେ କାର୍ଯ୍ୟ କରିଥିଵା କୌଣସି ଏକ ରାଜବଂଶ
ଓଡ଼ିଶାରେ ସବୁ ଲୋକମାନଙ୍କ ମଧ୍ୟରେ ଏକତା ଥିଲା ତା'ପରେ ଏମିତି ଏକ ସମୟ ଆସିଲା ଯେତେବେଳେ ଉତ୍ତର ଭାରତରୁ ଜାତିଵାଦୀ ବାହ୍ମୁଣ ଆସିଲେ । ସେମାନେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଜାତିଭେଦ ସୃଷ୍ଟି କଲେ । ଏହି ଜାତୀୟ ବ୍ରାହ୍ମଣ ହିଁ ଜଗନ୍ନାଥ ଦାସଙ୍କ ଭାଗଵତକୁ ତେଲି ଭାଗଵତ କହିଥିଲେ ।
ସେତେବେଳେ ଏହି ଜାତୀୟ ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କୁ ଓଡ଼ିଶାର ତତ୍କାଳୀନ ରାଜାମାନେ ଯାଗା ବାଡ଼ି ଓ ଧନ ଦେଇ ଓଡ଼ିଶାରେ ରଖାଇଥିଲେ । ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦିଆଗଲା ଏଵଂ ଓଡ଼ିଶାର ଉଡ୍ର ଭାଷା,ପାଲୀ ଭାଷା , ସଉରା ଭାଷା ଓ କୁଈ ଭାଷା ଆଦିକୁ ଗୌଣ ମନେ କରାଗଲା ।
ଓଡ଼ିଶାର ଲୋକଙ୍କୁ ଜାତିଭେଦ କରି ବାଣ୍ଟିଦିଆଗଲାବେଳେ ସବୁଠାରୁ ଅଧିକ ଅପମାନର ଶିକାର ହେଲେ ସାଧଵ ପରିଵାରମାନେ । ସାଧଵମାନେ ଵ୍ୟାପାର କରୁଥିଵାରୁ ଏଵଂ ଉତ୍ତର ଭାରତରେ ଵ୍ୟାପାରୀମାନଙ୍କୁ ଵୈଶ୍ୟ ଵିଚାର କରାଯାଇ ଘୃଣା କରାଯିଵାର ପ୍ରଥା ଥିଵାରୁ ସେମାନେ ସମାଜରେ ନୀଚ ହୀନ ନିକୃଷ୍ଟ ଗଣ୍ୟ ହେଲେ ।
ତେବେ ସାଧଵମାନଙ୍କୁ ପ୍ରକାଶ୍ୟ ହେଉ ଵା ଗୁପ୍ତରେ କିଛି ରାଜବଂଶ ସମର୍ଥନ କଲେ । ଓଡ଼ିଶାର ଲୋକେ ମାଆ ମଙ୍ଗଳାଙ୍କୁ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ଘୋଷଣା କରି ସେ ସମୟର ମୌଳିଵାଦୀ ଶକ୍ତି ଵିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ । ଧନ ଥିଲା ସାଧଵଙ୍କ ପାଖରେ ତେଣୁ ସେମାନେ କ୍ରମଶଃ ମୌଳିଵାଦର ସମର୍ଥକ ସାଜିଥିଵା ରାଜାମାନଙ୍କୁ ଧନ ନଦେଵାରୁ ସେମାନଙ୍କର ଶକ୍ତି ହ୍ରାସ ଘଟିଲା । ଶେଷରେ କଳିଙ୍ଗୀ ପ୍ରଜାଙ୍କ ଏକତା ରୂପ ମଙ୍ଗଳାଦେଵୀଙ୍କ ହସ୍ତରେ ମୌଳିଵାଦ ସମର୍ଥକ ରାଜବଂଶମାନଙ୍କର ନାସିକା ଛେଦନ ହୋଇଥିଲା ।
ଆଜି ବି ଆମେ ଦେଖନ୍ତି ଓଡ଼ିଶାର କିଛି ଲୋକେ ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଓଡ଼ିଶାର ନଵଵର୍ଷ ନୁହେଁ ବୋଲି ତୁଚ୍ଛା ଯୁକ୍ତି କରନ୍ତି ।
କିଏ ସେମାନେ ? କୁଆଡ଼ୁ ଆସିଲା ତାଙ୍କ ମନରେ ଓଡ଼ିଆ ଜାତିର ଏକ ପ୍ରାଚୀନ ପର୍ଵ ଵିପକ୍ଷରେ ଏତେ ଦ୍ୱେଷ ?
କାରଣ ସେମାନେ ଜାଣନ୍ତି ଯେ ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ଅଵଶେଷ । ସେମାନେ ଜାଣନ୍ତି ଓଡ଼ିଆ ସାଧଵ କାର୍ତ୍ତିକରେ ଵିଦେଶ ଯାଇ ଵୈଶାଖରେ ଫେରି ଆସୁଥିଲେ । ତାଙ୍କ ଆଗମନର ଉତ୍ସଵ ଏହି ମହା ଵିଷୁଵ ପଣା ସଂକ୍ରାନ୍ତିକୁ ତେଣୁ ସେହି ମୌଳିଵାଦୀମାନେ ତଅପୋଇ କାହାଣୀର ଵିଧଵା ବାହ୍ମୁଣୀ ପରି ସହି ନପାରି ଵିରୋଧ କରୁଛନ୍ତି !
ତଅପୋଇର କାହାଣୀ ମଧ୍ୟରେ ସମ୍ରାଟ ଖାରବେଳଙ୍କ ସମ୍ପୂର୍ଣ୍ଣ ଭାରତ ଵିଜୟଠାରୁ ଆରମ୍ଭ କରି କଳିଙ୍ଗ ସମ୍ରାଟ ଅନନ୍ତ ଵର୍ମା ଗଙ୍ଗଙ୍କ ଦ୍ଵାରା କାଳିଙ୍ଗ୍ୟ ଏକତା ହେତୁକ ପୁରୀ ଶ୍ରୀକ୍ଷେତ୍ରରେ ଭଵ୍ୟ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ ପର୍ଯ୍ୟନ୍ତ ସମୟକାଳସ୍ଥ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ସଂକ୍ଷେପରେ କହି ଦିଆଯାଇଥିଵା ହୃଦବୋଧ ହୋଇଥାଏ ।
Friday, August 27, 2021
ଓଡ଼ିଶାର ନିମକ୍ ହରାମ୍ ଜାଗିରଦାର୍
ମରାଠା ଓ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶା ପରାଧୀନ ଥିଵା ସମୟରେ “ପ୍ରଭୁଙ୍କ ଅପକାର କରିଵା ଯୋଗୁଁ ପ୍ରଭୁଙ୍କ ଵିପକ୍ଷଙ୍କ ଠାରୁ ପୁରସ୍କାର ସ୍ବରୂପ ଜାଗିରି ପାଇଥିଵା ନିମକହରାମ ଭୃତ୍ୟକୁ”, “ନିମକହରାମ୍ ଜାଗିରିଦାର୍” କୁହାଯାଉଥିଲା ।
ମରହଟ୍ଟାଙ୍କର ଅଧିକୃତ କଳିଙ୍ଗୋତ୍କଳ ରାଜ୍ଯର ଚିଲିକା ନିକଟଵର୍ତ୍ତୀ ସୀମାନ୍ତକୁ ରକ୍ଷା କରିଵା ନିମନ୍ତେ ଚିଲିକା ମଧ୍ଯସ୍ଥ ମାଲୁଦ ଦ୍ବୀପକୁ ପ୍ରଥମେ ଜଣେ ବ୍ୟକ୍ତି ଜାଗିରି ସ୍ବରୂପ ପାଇଥିଲା । ୧୮୦୩ ମସିହାରେ ସେହି ମରହଟ୍ଟା ଜାଗିରିଦାର୍ ଇଂରେଜ ସୈନିକମାନଙ୍କୁ ରାସ୍ତା ଛାଡ଼ି ଦେଇ ସକଳ ରହସ୍ଯ ଖୋଲି ଦେଇଥିଵାରୁ ମରହଟ୍ଟାମାନଙ୍କଠାରୁ ସେ ନିମକହରାମ୍ ଜାଗିରଦାର୍ ନାମ ପାଇଥିଲା । ଅର୍ଥାତ୍ ମରାଠାମାନଙ୍କ ଦ୍ଵାରା ପ୍ରଥମେ ଏହି ପଦର ପ୍ରଚଳନ ହେଇଥିଲା ।
୧୮୦୩ ମସିହାରେ ଇଂରେଜ ଜେନେରାଲ ହାରକୋଟ ଖୋର୍ଦ୍ଧା ଆକ୍ରମଣ କଲେ । ହାରକୋଟ୍ ମାଡ୍ରାସଠାରୁ ପୁରୀ ଆସିଵା ନିମନ୍ତେ ନିଜର ସୈନ୍ୟଵାହିନୀ ସହ ସମୁଦ୍ର କୂଳ ବାଟ ଦେଇ ଅଗ୍ରଗତି କରୁଥିଲେ । ଏବେ ବି ମାଡ୍ରାସରେ ଦକ୍ଷିଣ ହାର୍କୋଟ୍ ଏବଂ ଉତ୍ତର ହାର୍କୋଟ୍ ଦୁଇଟି ଜିଲ୍ଲା ତାଙ୍କର ନାମ ଅନୁସାରେ ରହିଛି । ହାରକୋଟ୍ଙ୍କ ଆକ୍ରମଣରେ ସର୍ଵଶେଷରେ ୧୮୦୫ ମସିହା ବେଳକୁ ଓଡ଼ିଶା ଇଂରେଜ ଶାସନାଧୀନ ହେଲା ।
ତେବେ ଜେନେରାଲ ହାରକୋଟ୍ ସମୁଦ୍ର କୂଳ ବାଟରେ ଆସି ମାଲୁଦଠାରେ ପାରିକୁଦରେ ପହଞ୍ଚିଲେ । ଚାରିପଟେ ଚିଲିକା ହ୍ରଦ ଏଵଂ ପାରିକୁଦ ଗୋଟିଏ ଦ୍ଵୀପାଞ୍ଚଳ । ପାରିକୁଦ ଗଡ଼ଠାରୁ ମାଲୁଦ ୧୦ କିଲୋମିଟର ଦୂର । ପ୍ରଥମେ ପାରିକୁଦ ରାଜ୍ୟଟି ବଙ୍କାଡ଼ ଗଡ଼ ଅଧୀନରେ ଥିଲା । ତାହା ଏବେର ବାଣପୁର ।
ବାଣପୁର ବାଣାସୁରର ରାଜଧାନୀ ବୋଲି ପ୍ରଵାଦ ରହିଛି । ପାରିକୁଦ ଇତିହାସ ନାମକ ପୁସ୍ତକରେ ଡାକ୍ତର ରାଧାଚରଣ ପଣ୍ଡା ଲେଖିଛନ୍ତି ଯେ ବଙ୍କାଡ଼ ଗଡ଼ର ରାଜା ଶ୍ରୀହରି ସେଵକ ମାନସିଂହ ଖୋର୍ଦ୍ଧା ରାଜାଙ୍କଦ୍ୱାରା ଆକ୍ରମିତ ହେଵାପରେ ପରାସ୍ତ ହୋଇ ପଳାୟନ କଲେ ।
୧୭୭୧ ଖ୍ରୀଷ୍ଟାବ୍ଦରେ ଶ୍ରୀହରି ସେଵକ ମାନସିଂହ ପାରିକୁଦକୁ ଚାଲି ଆସିଲେ ଓ ଗୁରୁବାଇଠାରେ ନିଜର ନୃସିଂହଗଡ଼ ପ୍ରତିଷ୍ଠା କଲେ । ପରେ ପରେ ୧୭୯୮ ଖ୍ରୀ:ରେ ତାଙ୍କର ସୁପୁତ୍ର ଭାଗିରଥୀ ମାନସିଂହ ନିଜର ରାଜଧାନୀ ପାରିକୁଦ ଗଡ଼କୁ ଉଠାଇ ଆଣିଲେ । ଗୋଟିଏ ଗଉଡ଼ ଗାଈ ଚରାଉଥିବାବେଳେ ଗୋଟିଏ ବଗ, ଛଞ୍ଚାଣକୁ ମାଡ଼ି ବସିଥିଵାର ଦେଖିଲା ଏଵଂ ରାଜାଙ୍କୁ ଏ ଵିଷୟରେ ଖବର ଦେଲା । ତେଣୁ ରାଜା ଭାଗିରଥୀ ମାନସିଂହ ତାଙ୍କର ନୂତନଗଡ଼ ସେଠାରେ ପ୍ରତିଷ୍ଠା କଲେ । ପୁରସ୍କାର ସ୍ବରୂପ ସେହି ଗଉଡ଼ର ନାମରେ ଏ ଗଡ଼ର ନାମ କୃଷ୍ଣପ୍ରସାଦ ଗଡ଼ ନାମରେ ନାମିତ ହେଲା । ଭାଗିରଥୀ ମାନସିଂହ ୧୭୯୮ ଖ୍ରୀଷ୍ଟାବ୍ଦରେ ରାଜବାଟି ନିର୍ମାଣ କରିଥିଲେ ଏବଂ ଭାଗିରଥୀପୁର ଶାସନ ନାମରେ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।
୧୯୦୩ ମସିହାରେ ଜେନେରାଲ ହାର୍କୋଟ୍ ମାଲୁଦ ଅଞ୍ଚଳରେ ସୈନ୍ୟ ନେଇ ପହଞ୍ଚିଲେ । ଚିଲିକାର ମାଲୁଦ ପାଖରେ ଥିଵା ‘କନ୍ଦାଖାଇ’ ଗଣ୍ଡ ସେତେବେଳେ ଗଭୀର ଏବଂ ଵିପଜ୍ଜନକ ଗଣ୍ଡ ଥିଲା । ଏହାକୁ ପାର କରିଦେଵାପାଇଁ ମାଲୁଦ ଅଞ୍ଚଳରେ ମରାଠୀ ଶାସକଙ୍କ ଦ୍ଵାରା ଫତେ ମହମ୍ମଦ ନାମକ ଜଣେ ଵ୍ୟକ୍ତି ନିଯୁକ୍ତ ହୋଇଥାନ୍ତି ।
ଜେନେରାଲ ହାର୍କୋଟ୍ ସେ ସମୟରେ ପୁରୀକୁ ରାସ୍ତା ଜାଣି ପାରୁନଥାନ୍ତି ଏବଂ କୌଣସି ଵ୍ୟକ୍ତି ତାଙ୍କୁ ଏ ଦିଗରେ ସହାୟତା କରିଵା ଲାଗି ଆଗେଇ ଆସୁ ନଥାନ୍ତି ।
ଫଳରେ ଚିଲିକାର ଵିପଦସଙ୍କୁଳ ଵକ୍ଷ ପାର ହେଵା ଓ ପୁରୀ ପହଞ୍ଚିଵା ତାଙ୍କ ପାଇଁ କଠିନ ହୋଇ ପଡ଼ିଥିଲା । ସେହି ସମୟରେ ଫତେ ମହମ୍ମଦ ନାମକ ସେହି ଜାଗିରଦାର୍ ଜେନେରାଲ ହାର୍କୋଟ୍ଙ୍କୁ ଚିଲିକା ପାରି କରାଇ ଦେଵାକୁ ପ୍ରତିଶ୍ରୁତି ଦେଲା ଓ ପୁରୀକୁ ରାସ୍ତା ଦେଖାଇ ଦେଵା ପାଇଁ ରାଜି ହେଲା । କିନ୍ତୁ ସେ ଜେନେରାଲ ହାରକୋଟ୍ଙ୍କ ସମ୍ମୁଖରେ ଏଥିପାଇଁ ଏକ ସର୍ତ୍ତ ରଖିଲା । ସର୍ତ୍ତ ଥିଲା ସେ ହାର୍କୋଟ୍ଙ୍କୁ ପୁରୀକୁ ରାସ୍ତା ଦେଖାଇ ଦେଵ ଏଵଂ ପ୍ରତିବଦଳରେ ସେ ଯେଉଁ ଯେଉଁ ବାଟ ଦେଇ ପୁରୀ ଯିଵେ, ସେଇ ସବୁ ଭୂଭାଗ ତାଙ୍କର ଅର୍ଥାତ୍ ଫତେ ମହମ୍ମଦର ହୋଇଯିଵ ।
ଜେନେରାଲ ହାରକୋଟ୍ ତାଙ୍କ ସର୍ତ୍ତରେ ରାଜି ହେଲେ ଏବଂ ଫତେ ମହମ୍ମଦ ତାଙ୍କୁ ଓ ତାଙ୍କର ସୈନ୍ୟମାନଙ୍କୁ ଚିଲିକା ପାରି କରାଇ ଦେଲା ଓ ପୁରୀ ଅଭିମୁଖରେ ଯାତ୍ରା କରିଵାକୁ ବାଟ ବତାଇ ଦେଲା । ଫଳତଃ ଫତେ ମହମ୍ମଦ ଯେଉଁ ମାହାଲ ଇଂରେଜ ସରକାରଙ୍କଠାରୁ ପାଇଲା ତାହା ନିମକ ହାରାମ ଜାଗିରି ନାମରେ ଖ୍ୟାତ ହେଲା । ଏହି ଘଟଣାର ଇତିଵୃତ୍ତ ସେ ସମୟରେ ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇଥିଲା । ହେଲେ ଫତେ ମହମ୍ମଦ ଏକମାତ୍ର ନିମକ ହରାମ୍ ଜାଗିରଦାର୍ ନଥିଲା କିନ୍ତୁ ସମ୍ଭଵତଃ ସେ ଥିଲା ପ୍ରଥମ ନିମକହରାମ୍ ଜାଗିରଦାର୍ ।
ଫତେ ମହମ୍ମଦର ଵିଶ୍ବାସଘାତକତାରୁ ଇଂରେଜମାନେ ଶିକ୍ଷା କଲେ ଯେ ସମ୍ପୂର୍ଣ୍ଣ ଓଡ଼ିଶା ଅଧିକାର କରିଵାକୁ ହେଲେ ଏ ଅଞ୍ଚଳର ଏହିପରି ଅନ୍ୟ ଅନେକ ବିଶ୍ବାସଘାତକମାନଙ୍କର ଆଵଶ୍ଯକତା ପଡି଼ଵ ।
ଏହିକ୍ରମରେ ୧୮୦୪ ଡିସେମ୍ବର ବେଳକୁ ଖୋରଧା ରାଜ୍ୟର ହଳଦିଆଗଡ଼ର ଜମିଦାର ଭଗବାନ ଵୀରଵର ଜଗଦେବ ଇଂରେଜମାନଙ୍କ ଆନୁଗତ୍ୟ ସ୍ବୀକାର କରି ସେମାନଙ୍କୁ ସାହାଯ୍ୟ କରିଥିଲେ । ଦକ୍ଷିଣ ଖୋରଧାର ବେଗୁନିଆଗଡ଼ ଓ ଝାରଗଡ଼ର ଜମିଦାର ଭୟରେ ଇଂରେଜମାନଙ୍କୁ ସମର୍ଥନ କରିଵାକୁ ଵାଧ୍ୟ ହେଲେ । ବଡ଼ତୋଟା, ଭୀମପୁର, ପଦନପୁରର ବେହେରା, ପ୍ରଧାନମାନେ ଇଂରେଜମାନଙ୍କ ପକ୍ଷ ନେଲେ । ଓଳସିଂହର ସାମନ୍ତ କାନଗୋଈ ଧନଲୋଭରେ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ଏବଂ ପଥ ଦେଖାଇଦେଲେ । ଜଟଣୀ ଅଞ୍ଚଳର କୁଦିଆରୀ ଗ୍ରାମର ଚରଣ ପଟ୍ଟନାୟକ ଇଂରେଜମାନଙ୍କୁ ଖୋର୍ଦ୍ଧା ରାଜ୍ୟର ସମସ୍ତ ଗୁପ୍ତ ତଥ୍ୟ ଯୋଗାଇ ନିମକହାରାମ ଜାଗିରି ପାଇଥିଲା । ଇଂରେଜମାନେ ଚରଣ ପଟ୍ଟନାୟକକୁ ସେ ଅଞ୍ଚଳର ସରବରାକାର ନିଯୁକ୍ତ କଲେ । ମାତ୍ର ୧୮୦୪ ମସିହାରେ ପାଇକମାନେ ଉତ୍ୟକ୍ତ ହୋଇ ଚରଣ ପଟ୍ଟନାୟକର ଘର ଲୁଣ୍ଠନ କରିଵା ସହ ତାକୁ ପୋଡ଼ି ମାରି ଦେଇଥିଲେ । ଏହି ହତ୍ୟା ଅଭିଯୋଗରେ ପରେ ସ୍ଵାଧୀନତା ସଂଗ୍ରାମୀ ଶ୍ରୀପର୍ଶୁରାମ ରାଉତରାୟଙ୍କୁ ଫାଶୀ ଦିଆ ଯାଇଥିଲା।
ଇତିହାସରେ ଆଉଜଣେ ନିମକହାରାମ ଜାଗିରଦାରର କଥା ଲିପିଵଦ୍ଧ । ତାପଙ୍ଗ ଗଡର ଦଳବେହେରା ମାଧଵ ଚନ୍ଦ୍ର ରାଉତରାୟଙ୍କୁ ଧରେଇ ଦେଵାରେ ବିଶେଷ ସାହାଯ୍ୟ କରିଥିଵାରୁ ଇଂରେଜମାନେ “କରଣ ମୌସମ” ନାମକ ଜଣେ ଵ୍ୟକ୍ତିକୁ “ନିମକ ହାରାମ” ଜାଗିର ଦେଇଥିଵା ଜଣାଯାଏ । ଏହି ବିଶ୍ବାସଘାତକତା ଯୋଗୁଁ ତାପଙ୍ଗଗଡ଼ ଇଂରେଜମାନଙ୍କ ଆୟତ୍ତକୁ ଚାଲିଯାଇଥିଲା।
ଦୁଃଖର ଵିଷୟ ଓଡ଼ିଶା ଇତିହାସର ଏହି ତିନି ବିଶ୍ବାସଘାତକ ଫତେ ମହମ୍ମଦ,ଚରଣ ପଟ୍ଟନାୟକ ଓ କରଣ ମୌସମଙ୍କ ମଧ୍ୟରେ ଓଡ଼ିଶାର ଲୋକ କେଵଳ ଚରଣ ପଟ୍ଟନାୟକକୁ ମନେ ରଖିଲେ । ଓଡ଼ିଶାର ଅନେକ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ଯେ କୁଦିଆରୀର ଚରଣ ପଟ୍ଟନାୟକ ହିଁ ଚିଲିକାର ମାଲୁଦ ଅଞ୍ଚଳରେ ଥିଵା କନ୍ଦାଖାଇ ଗଣ୍ଡରୁ ଇଂରେଜମାନଙ୍କୁ ପାର କରେଇ ଦେଇଥିଲେ । ସମ୍ଭଵତଃ ଚରଣ ପଟ୍ଟନାୟକକୁ ଆଗକରି
କନ୍ଦାଖାଇ ଘାଟରେ ଇଂରେଜମାନଙ୍କୁ ପାର କରେଇ ଦେଇଥିଵା ବିଶ୍ବାସଘାତକ ଫତେ ମହମ୍ମଦକୁ ସମସ୍ତ ଓଡ଼ିଆ ଜାତି ଭାଇଚାରା ନାଆଁରେ ଭୁଲିଗଲା । ସେହିପରି ହୋଇପାରେ ଆମ ଐତିହାସିକମାନେ ଶାନ୍ତିପ୍ରିୟ ଜାତିର ଵ୍ୟକ୍ତି ଵିଶେଷ ବୋଲି ଫତେ ମହମ୍ମଦର ନାମ ନେଵାକୁ ଭୟ କରିଥିଲେ । ଅତଏଵ୍ ଚରଣ ପଟ୍ଟନାୟକକୁ ଓଡ଼ିଶାରେ ନିମକ୍ ହରାମ୍ ଜାଗିରଦାର୍ ଭାବେ ସମସ୍ତେ ଜାଣିଲେ କିନ୍ତୁ ଫତେ ମହମ୍ମଦର ବିଶ୍ବାସଘାତକତା ଏମନ୍ତକି ତାହାର ନାମ ସୁଦ୍ଧା ଓଡ଼ିଶାର ଅନେକ ଲୋକ ଜାଣିନାହାନ୍ତି ।