My Blog List

Showing posts with label କିମ୍ବଦନ୍ତୀ. Show all posts
Showing posts with label କିମ୍ବଦନ୍ତୀ. Show all posts

Saturday, May 3, 2025

ଭାଷାର ଉତ୍ପତ୍ତି: ଲୋକଗାଥା ଓ ଵୈଜ୍ଞାନିକ ଦୃଷ୍ଟିକୋଣ•

ପୃଥିଵୀର ଵିଭିନ୍ନ ଦେଶରେ ଅନେକ ଲୋକକଥା ଓ ପୌରାଣିକ ଗାଥା ଅଛି ଯହିଁରେ ଏକାଧିକ ଭାଷାର ଉତ୍ପତ୍ତିକୁ ଏକ ଵିସ୍ତୃତ ଘଟଣା ଵା ଦୈଵୀୟ କାର୍ଯ୍ୟ ସହ ଜଡ଼ିତ କରି ଦେଖାଯାଇଛି ।

 "ଟାୱାର ଅଫ୍ ବାବେଲ" କାହାଣୀଟି

ବାଇବେଲର(ଓଲ୍ଡ ଟେଷ୍ଟାମେଣ୍ଟ) ଜେନେସିସ (ଆଦିପୁସ୍ତକ) ଅଧ୍ୟାୟ ୧୧ରେ ଵର୍ଣ୍ଣନା କରାଯାଇଛି। ଏହି କାହାଣୀ ଅନୁସାରେ, ପୂର୍ଵେ ପୃଥିଵୀର ସମସ୍ତ ଲୋକେ ଗୋଟିଏ ଭାଷାରେ କଥା ହେଉଥିଲେ। ଥରେ ସେମାନେ ଏକତ୍ରିତ ହୋଇ ସ୍ଵର୍ଗରେ ପହଞ୍ଚିଵା ପାଇଁ ଏକ ଵିଶାଳ ମିନାର ନିର୍ମାଣ କରିବାକୁ ଚେଷ୍ଟା କଲେ । ଏହା ଦେଖି ୟହୋବା କ୍ରୋଧିତ ହେଲେ ଏଵଂ ସେମାନଙ୍କ ଭାଷାକୁ ଅନେକ ଭାଗରେ ଵିଭକ୍ତ କରିଦେଲେ। ଫଳସ୍ୱରୂପ, ଲୋକମାନେ ପରସ୍ପରକୁ ବୁଝି ପାରିଲେ ନାହିଁ ଓ ସେମାନେ ମିନାର ନିର୍ମାଣ କାର୍ଯ୍ୟ ଛାଡ଼ି ପୃଥିଵୀର ବିଭିନ୍ନ ସ୍ଥାନକୁ ଚାଲିଗଲେ। ଏହି କାହାଣୀରେ ଅନେକ ଭାଷାର ଉତ୍ପତ୍ତି ଓ ଵିସ୍ତାରକୁ ପ୍ରତୀକାତ୍ମକ ରୂପେ ପ୍ରକାଶ କରାଯାଇଛି।  

ବ୍ରାଜିଲ ଦେଶର Ticuna ଜନଜାତୀୟ ଲୋକମାନେ କୁହନ୍ତି ଯେ ପୂର୍ଵେ ସମସ୍ତ ଲୋକ ଏକ ଗୋଷ୍ଠୀରେ ଥିଲେ ଏଵଂ ଗୋଟିଏ ମାତ୍ର ଭାଷା କହୁଥିଲେ। କିନ୍ତୁ ଦିନେ ସେମାନଙ୍କ ମଧ୍ୟରେ କେହି ଜଣେ ରଖାଯାଇଥିଵା ଦୁଇଟି ହମିଙ୍ଗବର୍ଡ୍ ଅଣ୍ଡା ଖାଇଦେଲା, କିଏ ଖାଇଲା ତାହା ଜଣା ପଡ଼ିଲା ନାହିଁ। କିନ୍ତୁ ଏହି ଘଟଣା ଯୋଗୁଁ ସେହି ମୂଳ ମାନଵଗୋଷ୍ଠୀର ଲୋକେ ପରସ୍ପର ପ୍ରତି ଵିଶ୍ଵାସ ହରାଇଲେ ଏଵଂ ସେମାନେ ବିଭିନ୍ନ ଦଳରେ ଵିଭକ୍ତ ହୋଇ ଦୂର ଦୂରଦୂରାନ୍ତକୁ ଚାଲି ଯାଇ ନୂତନ ଭାଷା ଓ ସଂସ୍କୃତି ସୃଷ୍ଟି କଲେ । ଏହି ଲୋକକଥାଟିରେ ପ୍ରକୃତରେ ଆମାଜନରେ ପ୍ରଚଳିତ ଵିଭିନ୍ନ ଭାଷା କେମିତି ସୃଷ୍ଟି ହୋଇଥିଲା ତାହା ଵର୍ଣ୍ଣିତ ହୋଇଛି । 

ଆଫ୍ରିକାର ଜିମ୍ବାୱେରେ ରହୁଥିଵା ଶୋନା ଜନଜାତି ମଧ୍ୟରେ ମଧ୍ୟ ଏ ଧରଣର ଗୋଟିଏ ଲୋକକଥା ରହିଛି । ଏହି ଲୋକକଥା ଅନୁସାରେ, ଆରମ୍ଭରେ ସମସ୍ତ ଲୋକ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକ ବିରାଟ ବଜ୍ରପାତ ପରେ ସୃଷ୍ଟିକର୍ତ୍ତା ଦେଵତା 'ମୁଜୁ' ଲୋକମାନଙ୍କୁ ପୃଥକ ପୃଥକ ଦେଶକୁ ପଠାଇଲେ। ସେମାନେ ଯେତେବେଳେ ନୂଆ ସ୍ଥାନରେ ପହଞ୍ଚିଲେ, ସେମାନଙ୍କ ମୁହଁରୁ ଦୈଵୀ ପ୍ରେରଣାରେ ଅଜଣା ଶବ୍ଦ ସବୁ ବାହାରିଵାକୁ ଲାଗିଲା। ପରେ ପ୍ରତ୍ୟେକ ମାନଵ ଗୋଷ୍ଠୀ ନିଜ ନିଜର ପରିବେଶ ଅନୁସାରେ ନୂଆ ନୂଆ ଶବ୍ଦ ଗଢ଼ିଲେ ଓ ତାକୁ ଧରି ନୃତନ ଭାଷା ସୃଷ୍ଟି ହେଲା । 

ଭାରତର ସାନ୍ତାଳ ଜନଜାତିର ଏକ କାହାଣୀ ଅନୁସାରେ, ପୂର୍ଵେ ଲୋକମାନେ ଗୋଟିଏ ଭାଷାରେ ହିଁ କଥା ହେଉଥିଲେ। କିନ୍ତୁ ଏକଦା ସୂର୍ଯ୍ୟ ଦେଵତା "ସିଙ୍ଗବୋଙ୍ଗା" ଏକ ଵିରାଟ ଵନ୍ୟା ପଠାଇଲେ। ଵନ୍ୟା ପରେ ଲୋକମାନେ ପାହାଡ଼, ଜଙ୍ଗଲ ଓ ନଦୀକୂଳକୁ ଚାଲି ଗଲେ। ସେମାନେ ଯେଉଁ ସ୍ଥାନକୁ ଗଲେ, ସେଠାରେ ପଶୁପକ୍ଷୀ ଓ ପ୍ରକୃତିର ଶବ୍ଦ ସହ ମିଶି ନୂଆ ଭାଷା ଗଢ଼ି ନେଲେ। ସାନ୍ତାଳମାନେ ମୁଣ୍ଡାଜନଜାତିୟ ସାନ୍ତାଳୀ ଏକ ମୁଣ୍ଡାଭାଷା ଅଟେ ।‌ ଏହି କାହାଣୀଟିରେ ପ୍ରକୃତରେ ମୁଣ୍ଡା ଭାଷାଗୁଡ଼ିକ ଓ ମୁଣ୍ଡା ଜନଜାତିର ଲୋକେ କେମିତି ଭିନ୍ନ ଭିନ୍ନ ହୋଇ ଅନେକ ଭାଷା ଓ ସଂସ୍କୃତି ଗଢ଼ିଥିଲେ ତାହା ପ୍ରକଟିତ ହୋଇଛି । 

ଆଣ୍ଡାମାନର ଆଦିଵାସୀମାନଙ୍କ ମଧ୍ୟରୁ ଆଗୁଗୁ ଜନଜାତିର ଏକ ଲୋକକଥା ଅନୁସାରେ, ପୂର୍ଵେ ପୁଲୁଗା (ଦେବତା) ପ୍ରଥମ ମନୁଷ୍ୟ ଦମ୍ପତିଙ୍କୁ ଏକ ମାତ୍ର ଭାଷା ଦେଇଥିଲେ। କିନ୍ତୁ ସେମାନଙ୍କ ସନ୍ତାନ ବଢ଼ିଵା ସହ ସ୍ଥାନ ଅଭାଵ ହେଲା। ପୁଲୁଗା ସେମାନଙ୍କୁ ଦ୍ୱୀପର ଵିଭିନ୍ନ ଅଞ୍ଚଳକୁ ପଠାଇଲେ ଓ ପ୍ରତ୍ୟେକ ମାନଵଗୋଷ୍ଠୀକୁ ନୂଆ ଭାଷା ଦେଲେ। ଏହି ଵିଭାଜନ ଏତେ ଵିସ୍ତୃତ ହୋଇଗଲା ଯେ ଅନେକ ମାନଵଗୋଷ୍ଠୀ ଵିଭିନ୍ନ ଦିଗକୁ ଯାଇ ଅସଂଖ୍ୟ ଭାଷା ସୃଷ୍ଟି କଲେ। ଏହି ଲୋକଗାଥା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ତଥା ଏହାର ଆଖପାଖ ଅଞ୍ଚଳରେ ଵିଭିନ୍ନ ଭାଷା କିପରି ସୃଷ୍ଟି ହୋଇଥିଲା ସେଇକଥାକୁ ପରୋକ୍ଷରେ ପ୍ରକାଶ କରୁଅଛି ‌।

ମାୟା ସଭ୍ୟତାର ପୁରାଣଗାଥା ଅନୁସାରେ ସୃଷ୍ଟିକର୍ତ୍ତା ଦେଵତା ଇତଜାମନା (Itzamna) ମନୁଷ୍ୟକୁ ଜ୍ଞାନ ଓ ଭାଷା ଦେଇଥିଲେ। ଏକ କାହାଣୀ ଅନୁସାରେ, ପୃଥିଵୀରେ ସମୟ ଓ ସ୍ଥାନ ଅନୁସାରେ ମନୁଷ୍ୟମାନେ ବିଭିନ୍ନ ଦଳରେ ଵିଭକ୍ତ ହେଲେ। ଇତଜାମନା ପ୍ରତ୍ୟେକ ଦଳକୁ ସେମାନଙ୍କ ଜୀଵନଶୈଳୀ ଓ ପରିଵେଶ ଅନୁଯାୟୀ ଅଲଗା ଅଲଗା ଭାଷା ଦେଇଥିଲେ। ଏହି ଵିଭାଜନ ଆମେରିକା ମହାଦେଶର ଅନେକ ଭାଷା ସୃଷ୍ଟିର ଏକ ପ୍ରତୀକାତ୍ମକ ଵ୍ୟାଖ୍ୟା ହୋଇପାରେ।  

ମାଡାଗାସ୍କାରରେ ରହୁଥିଵା ମାଲାଗାସି ଜାତିର ଏକ ଲୋକକଥା ଅନୁସାରେ, ପୂର୍ଵେ ସମସ୍ତ ମନୁଷ୍ୟ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ସୃଷ୍ଟିକର୍ତ୍ତା ଦେଵତା "ଜାନାହାରୀ" ମନୁଷ୍ୟମାନଙ୍କୁ ପରୀକ୍ଷା କରିଵାକୁ ଚାହିଁଲେ। ସେ ଏକ ବିରାଟ ପଵନ ପଠାଇଲେ ଫଳତଃ ଲୋକମାନେ ଦ୍ୱୀପର ଚାରିଆଡ଼େ ଓ ଆଖପାଖ ଅଞ୍ଚଳକୁ ଯିଵାକୁ ଵାଧ୍ୟ ହେଲେ । ଯେତେବେଳେ ସେମାନେ ନୂଆ ସ୍ଥାନରେ ପହଞ୍ଚିଲେ, ଜାନାହାରୀ ପ୍ରତ୍ୟେକ ମାନଵଗୋଷ୍ଠୀକୁ ସେମାନଙ୍କ ପରିଵେଶ ଅନୁସାରେ ଅଲଗା ଭାଷା ଦେଲେ। ଏହା ଅନେକ ଭାଷାର ସୃଷ୍ଟିର କାରଣ ହେଲା ବୋଲି ମାଲଗାହି ଲୋକେ ଵିଶ୍ୱାସ କରନ୍ତି।  

ରୁଷୀୟ ସ୍ଲାଭିକ ପୁରାଣର ଏକ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ପ୍ରାଚୀନ ଭାଷାରେ କଥା ହେଉଥିଲେ, ଯାହା ଵଜ୍ରଦେଵ ପେରୁନ ଦେଇଥିଲେ। କିନ୍ତୁ କାଳକ୍ରମେ ଧର୍ମ ଭ୍ରଷ୍ଟ ହେଵାରୁ ମନୁଷ୍ୟମାନେ ଦେଵତାଙ୍କୁ ଅସମ୍ମାନ କଲେ। କ୍ରୋଧିତ ହୋଇ ପେରୁନ ଏକ ଵିରାଟ ଵଜ୍ରପାତ ସୃଷ୍ଟି କଲେ, ଯାହା ଲୋକମାନଙ୍କୁ ପୃଥିବୀର ବିଭିନ୍ନ ଦିଗକୁ ଛିନ୍ନଭିନ୍ନ କରିଦେଲା। ଯେଉଁଠାରେ ସେମାନେ ପହଞ୍ଚିଲେ, ସେଠାରେ ସେମାନଙ୍କ ଭାଷା ବଦଳି ନୂଆ ରୂପ ନେଲା। ଏହା ଅନେକ ସ୍ଲାଭିକ ଭାଷାର ଉତ୍ପତ୍ତିର ଏକ ପୌରାଣିକ ବ୍ୟାଖ୍ୟା।  

ବ୍ରାଜିଲର ଗୁଆରାନୀ ଲୋକକଥା ଅନୁସାରେ, ସୃଷ୍ଟିକର୍ତ୍ତା ତୁପା ପ୍ରଥମେ ମନୁଷ୍ୟମାନଙ୍କୁ ଏକ ଭାଷା ଦେଇଥିଲେ। କିନ୍ତୁ କାଳକ୍ରମେ ମନୁଷ୍ୟମାନେ ପୃଥିଵୀର ଦୂରଦୂରାନ୍ତର ଜଙ୍ଗଲ, ନଦୀ ଓ ପାହାଡ଼ ମଧ୍ୟରେ ଵ୍ୟାପିଗଲେ । ତହୁଁ 'ତୁପା' ନିଜର ସହାୟକ ପକ୍ଷୀମାନଙ୍କୁ ପଠାଇ ପ୍ରତ୍ୟେକ ଦଳକୁ ନୂଆ ଶବ୍ଦ ଶିଖାଇଲେ। ପ୍ରତ୍ୟେକ ଅଞ୍ଚଳରେ ପକ୍ଷୀଙ୍କ ଗୀତ ଓ ପ୍ରକୃତିର ଧ୍ୱନି ମିଶି ଅନେକ ଭାଷା ସୃଷ୍ଟି ହେଲା। 

ପୃଥିଵୀରେ ସର୍ଵାଧିକ ଭାଷା ଵିଵିଧତା ପାପୁଆ ନ୍ୟୁ ଗିନିରେ ଦେଖାଯାଏ ଏଵଂ ଏ କ୍ଷେତ୍ରରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି ।‌ ପାପୁଆ ନ୍ୟୁ ଗିନିର ଏକ ମେଲାନେସିଆନ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ଏକ ଵିରାଟ ଜ୍ୱାଳାମୁଖୀ ଵିସ୍ଫୋରଣ ହେଲା, ଫଳତଃ ଲୋକମାନେ ଅନେକ ଦ୍ୱୀପ ଓ ଉପତ୍ୟକାକୁ ଚାଲିଗଲେ । ମେଲାନେସିଆନ ଲୋକେ ଵିଶ୍ଵାସ କରନ୍ତି ଯେ ଜ୍ୱାଳାମୁଖୀର ଆତ୍ମା ପ୍ରତ୍ୟେକ ମାନଵଗୋଷ୍ଠୀକୁ ନୂଆ ଶବ୍ଦ ଓ ଉଚ୍ଚାରଣ ଦେଇଥିଲେ,ଫଳରେ ଅନେକ ଭାଷାର ଜନ୍ମ ଦେଇଥିଲା। ଏ ଲୋକଗାଥାଟି ଏହି ଅଞ୍ଚଳରେ ଶତାଧିକ ଭାଷାର ଉତ୍ପତ୍ତିର ଏକ ମିଥକୀୟ ଵ୍ୟାଖ୍ୟା ବୋଲି କୁହାଯାଇପାରେ ।  

କେଲ୍ଟିକ ପୁରାଣର ଏକ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ଭାଷାରେ କଥା ହେଉଥିଲେ । ଉକ୍ତ ଭାଷା ଦେଵୀ ଡାନୁଙ୍କ ଦ୍ୱାରା ମନୁଷ୍ୟମାନଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଏକଦା ମନୁଷ୍ୟମାନେ ଏକ ଵିରାଟ ମିନାର ନିର୍ମାଣ କରିଵାକୁ ଚାହିଁଲେ, ଫଳରେ ଦେଵତାମାନେ ଅସନ୍ତୁଷ୍ଟ ହେଲେ। ଶାସ୍ତି ସ୍ୱରୂପ, ଦେଵତା ଓଗମା (ଜ୍ଞାନ ଓ ଲେଖାର ଦେଵତା) ମନୁଷ୍ୟମାନଙ୍କ ଭାଷାକୁ ଅନେକ ଭାଗରେ ଵିଭକ୍ତ କରି ସେମାନଙ୍କୁ ଦ୍ୱୀପ ଓ ଉପତ୍ୟକାକୁ ଯିଵାକୁ ଵାଧ୍ୟ କଲେ । ଏହି ଲୋକଗାଥାର ସାମଞ୍ଜସ୍ୟ ଓଲ୍ଡ ଟେଷ୍ଟାମେଣ୍ଟର ଟାୱାର ଅଫ୍ ବାବେଲ କାହାଣୀ ସହିତ ରହିଛି ତେବେ ଏହା ଅନେକ କେଲ୍ଟିକ ଭାଷା ଉତ୍ପତ୍ତିର ଏକ ମିଥକୀୟ ଵ୍ୟାଖ୍ୟା ମଧ୍ୟ ହୋଇପାରେ । 

କେନିଆରେ ରହୁଥିଵା ମାସାଇ ଜନଜାତିର ଏକ କାହାଣୀ ଅନୁସାରେ, ସୃଷ୍ଟିକର୍ତ୍ତା ଏଙ୍କାଇ ପ୍ରଥମେ ମନୁଷ୍ୟମାନଙ୍କୁ ଗୋଟିଏ ମାତ୍ର ଭାଷା ଦେଇଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନେ ଅତ୍ୟଧିକ ଗର୍ଵୀ ହେଲେ, ଏଙ୍କାଇ ଏକ ଵିରାଟ ଦୁର୍ଭିକ୍ଷ ପଠାଇଲେ। ଏହି ଦୁର୍ଭିକ୍ଷ ଯୋଗୁଁ ଲୋକମାନେ ଵିଭିନ୍ନ ଅଞ୍ଚଳକୁ ପଳାୟନ କରିଵାକୁ ବାଧ୍ୟ ହେଲେ । ପ୍ରତ୍ୟେକ ଅଞ୍ଚଳରେ ସେମାନେ ସେଠାକାର ପଶୁପକ୍ଷୀ ଓ ପ୍ରକୃତି ଆଧାରରେ ନୂତନ ଶବ୍ଦ ସହ ନୂଆ ଭାଷା ଗଢ଼ି ନେଲେ। ଏହା ଅନେକ ଭାଷାର ଜନ୍ମର କାରଣ ହୋଇଥିଲା ବୋଲି ମାସାଇ ଲୋକେ ଵିଶ୍ଵାସ କରନ୍ତି ।  

 ଇଣ୍ଡୋନେସିଆରେ ଥିଵା ଜାଭା ଦ୍ୱୀପର ଜାଭାନୀଜ ଲୋକମାନଙ୍କ ଏକ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଗୋଟିଏ ଭାଷାରେ ହିଁ କଥା ହେଉଥିଲେ। କିନ୍ତୁ ଏକଦା ସମୁଦ୍ର ଦେବତା ବାରୁଣା ଏକ ଵିରାଟ ଜୁଆର ପଠାଇଲେ, ଯାହା ଲୋକମାନଙ୍କୁ ଵିଭିନ୍ନ ଦ୍ୱୀପକୁ ଭସାଇ ନେଇଗଲା। ପ୍ରତ୍ୟେକ ଦ୍ୱୀପରେ ପହଞ୍ଚିଵା ପରେ ଲୋକମାନେ ସେଠାକାର ପକ୍ଷୀ, ପଶୁ ଓ ପଵନର ଶବ୍ଦ ଆଧାରରେ ନୂଆ ଭାଷା ଗଢ଼ିଲେ। ଏହିପରି ଅନେକ ଦ୍ୱୀପରେ ଅନେକ ଭାଷାର ଜନ୍ମ ହେଲା। ଏହା ଇଣ୍ଡୋନେସିଆର ହଜାର ହଜାର ଦ୍ୱୀପ ଓ ଭାଷାର ଵିଵିଧତାକୁ ପ୍ରତିଫଳିତ କରେ।  

ଉତ୍ତର ଆମେରିକାର ହାଇଡା ଆଦିବାସୀଙ୍କ ଏକ କାହାଣୀ ଅନୁସାରେ, ପୂର୍ବେ ସମସ୍ତ ମନୁଷ୍ୟ ଗୋଟିଏ ହିଁ ଭାଷା କହୁଥିଲେ। କିନ୍ତୁ ଏକଦା ଏକ ଚତୁର ଓ ସୃଷ୍ଟିକାରୀ ଆତ୍ମା Yehl , ମନୁଷ୍ୟମାନଙ୍କ ତୁଲେ ଗମାତ କରି ଏକ ଖେଳ ଖେଳିଲେ। ସେ ସମସ୍ତ ଲୋକଙ୍କୁ ଏକ ଵିରାଟ ଡଙ୍ଗାରେ ଚଢ଼ାଇ ସମୁଦ୍ରରେ ଛାଡ଼ିଦେଲେ। ଯେତେବେଳେ ଡଙ୍ଗା ଭାଙ୍ଗିଗଲା, ଲୋକମାନେ ଵିଭିନ୍ନ ଉପକୂଳରେ ପହଞ୍ଚିଲେ। ତହୁଁ ଦେଵତା Yehl ପ୍ରତ୍ୟେକ ମାନଵଗୋଷ୍ଠୀକୁ ନୂଆ ଶବ୍ଦ ଓ ଧ୍ୱନି ଦେଲେ, ଯାହା ଅନେକ ଭାଷା ସୃଷ୍ଟିର କାରଣ ହେଲା।  

ତିବ୍ଦତୀୟ ଲୋକକଥା ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ସରଳ ଭାଷାରେ କଥା ହେଉଥିଲେ। କିନ୍ତୁ ଯେତେବେଳେ ସେମାନେ ପାହାଡ଼, ଉପତ୍ୟକା ଓ ନଦୀକୂଳକୁ ଵ୍ୟାପିଗଲେ ତାହା ଦେଖି ଦେଵତାମାନେ ସେମାନଙ୍କୁ ସେଠାକାର ପ୍ରକୃତିର ସହଯୋଗୀ ହେଵା ପାଇଁ ନୂଆ ଭାଷା ଦେଲେ। ଏକ କିମ୍ବଦନ୍ତୀରେ, ବୌଦ୍ଧ ଦେବତା ମଞ୍ଜୁଶ୍ରୀ ମନୁଷ୍ୟମାନଙ୍କୁ ଵିଭିନ୍ନ ଅଞ୍ଚଳରେ ଜ୍ଞାନ ପ୍ରକାଶ କରିଵା ପାଇଁ ଅଲଗା ଅଲଗା ଭାଷା ଦେଇଥିଲେ। ଏହା ଅନେକ ଭାଷାର ବିସ୍ତାରକୁ ସୂଚାଇଥାଏ।  

ଫିଲିପାଇନ୍ସର ତାଗାଲଗ ଜାତିର ଏକ କାହାଣୀ ଅନୁସାରେ, ପୂର୍ବେ ମନୁଷ୍ୟମାନଙ୍କ ପାଖରେ ମାତ୍ର ଗୋଟିଏ ହିଁ ଭାଷା ଥିଲା। କିନ୍ତୁ ଏକଦା ସମୁଦ୍ର ଦେଵତା ଲାଗୋନ ଓ ପଵନ ଦେଵତା ହାବାଗାଟ ମଧ୍ୟରେ ଵିଵାଦ ହେଵାରୁ ତହିଁର ପରିଣତି ସ୍ବରୂପ ଏକ ଵିରାଟ ଝଡ଼ ସୃଷ୍ଟି ହେଲା। ଏହି ଝଡ଼ ମନୁଷ୍ୟମାନଙ୍କୁ ହଜାର ହଜାର ଦ୍ୱୀପକୁ ନେଇଗଲା। ପ୍ରତ୍ୟେକ ଦ୍ୱୀପରେ ଲୋକମାନେ ସେଠାକାର ଶବ୍ଦ ଓ ପରିବେଶ ଅନୁସାରେ ନୂଆ ଭାଷା ଗଢ଼ି ନେଲେ। ଏହା ଫିଲିପାଇନ୍ସର ଵିଵିଧ ଭାଷା ସୃଷ୍ଟିର ଏକ ପୌରାଣିକ ଵ୍ୟାଖ୍ୟା ଅଟେ।  

 ଅଷ୍ଟ୍ରେଲୀୟ ଆଦିଵାସୀଙ୍କ ଡ୍ରିମଟାଇମ କାହାଣୀ ଅନୁସାରେ, ସୃଷ୍ଟିର ଆରମ୍ଭରେ ପୂର୍ଵପୁରୁଷ ଆତ୍ମାମାନେ ମନୁଷ୍ୟମାନଙ୍କୁ ପୃଥିଵୀରେ ରଖିଲେ। ପ୍ରତ୍ୟେକ ଆତ୍ମା ନିଜର ଅଞ୍ଚଳରେ ମନୁଷ୍ୟମାନଙ୍କୁ ଏକ ଭାଷା ଦେଇଥିଲେ, ଯାହା ସେମାନଙ୍କ ପାହାଡ଼, ମରୁଭୂମି ଓ ନଦୀର ଶବ୍ଦ ସହ ମିଶିଥିଲା। ଏକ କାହାଣୀରେ, Yurlunggur (Rainbow Serpent) ପୃଥିଵୀରେ ପଥର ଓ ଜଳ ବିଛାଇ ଲୋକମାନଙ୍କୁ ଅଲଗା ଅଲଗା ସ୍ଥାନକୁ ପଠାଇଥିଲେ, ଯାହା ଅନେକ ଭାଷା ସୃଷ୍ଟିର କାରଣ ସାଜିଥିଲା।  

ପଶ୍ଚିମ ଆଫ୍ରିକାର ମାଲୀ ଦେଶରେ ରହୁଥିଵା ଡୋଗନ ଜନଜାତିର ଏକ କାହାଣୀ ଅନୁସାରେ, ସୃଷ୍ଟିକର୍ତ୍ତା ଆମା ପ୍ରଥମେ ମନୁଷ୍ୟମାନଙ୍କ ପାଇଁ ଗୋଟିଏ ମାତ୍ର ଭାଷା ସୃଷ୍ଟି କରିଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନଙ୍କ ଜନସଂଖ୍ୟା ଅତ୍ୟଧିକ ବଢ଼ିଗଲା, ଆମା ନିଜର ସହାୟକ ନମୋଙ୍କୁ ପଠାଇ ଲୋକମାନଙ୍କୁ ବିଭିନ୍ନ ଗାଁ ଓ ଅଞ୍ଚଳରେ ଵିଭକ୍ତ କଲେ। ନମୋ ପ୍ରତ୍ୟେକ ମାନବଗୋଷ୍ଠୀକୁ ନୂଆ ଶବ୍ଦ ଓ ଧ୍ୱନି ଦେଇଥିଲେ, ଯାହା ପରେ ଅନେକ ଭାଷାକୁ ଜନ୍ମ ଦେଇଥିଲା।  

ଜାପାନର ସିନ୍ତୋ ପୁରାଣ ଅନୁସାରେ, ପୃଥିଵୀର ସୃଷ୍ଟି ଦେଵତା ଇଜାନାଗି ଓ ଇଜାନାମିଙ୍କ ସମୟରୁ ଆରମ୍ଭ ହୋଇଥିଲା। ଏକ କାହାଣୀ ଅନୁସାରେ ଯେତେବେଳେ ଦେଵତାମାନେ ଜାପାନର ଦ୍ୱୀପପୁଞ୍ଜଗୁଡ଼ିକ ସୃଷ୍ଟି କଲେ ସେତେବେଳେ ସେମାନେ ମନୁଷ୍ୟମାନଙ୍କୁ ଵିଭିନ୍ନ ଦ୍ଵୀପାଞ୍ଚଳରେ ରଖିଲେ। ପ୍ରତ୍ୟେକ ଦ୍ଵୀପାଞ୍ଚଳରେ ପବନ, ସମୁଦ୍ର ଓ ପ୍ରକୃତିର ଭିନ୍ନ ଶବ୍ଦ ମନୁଷ୍ୟମାନଙ୍କ ଭାଷାକୁ ପ୍ରଭାଵିତ କଲା। ସମୟ ସହ ଏହି ଵିଭିନ୍ନତା ବଢ଼ି ଅନେକ ଭାଷାର ଜନ୍ମ ଦେଲା। ଜାପାନରେ ପ୍ରକୃତି ଓ ଭୌଗୋଳିକ ଵିଭାଜନ ଯୋଗୁଁ ଅନେକ ଭାଷା ସୃଷ୍ଟି ହୋଇଥିଵାର ଏହା ଏକ ସାଂସ୍କୃତିକ ଵ୍ୟାଖ୍ୟା । 

ନାଇଜେରିଆର ଇଗବୋ ଜାତିର ଏକ ଲୋକକଥା ଅନୁସାରେ, ପୂର୍ଵେ ସମସ୍ତ ମନୁଷ୍ୟ ଚୁକୁ (ସର୍ଵୋଚ୍ଚ ଦେଵତା)ଙ୍କ ଦ୍ୱାରା ଦିଆଯାଇଥିବା ଗୋଟିଏ ଦେଵଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ମନୁଷ୍ୟମାନେ ଅତ୍ୟଧିକ ଗର୍ଵୀ ହେଲେ ଓ ଦେଵତାଙ୍କୁ ଅମାନ୍ୟ କଲେ। ଶାସ୍ତି ସ୍ୱରୂପ, ଚୁକୁ ଏକ ଵିରାଟ ଝଡ଼ ପଠାଇଲେ, ଯାହା ଲୋକମାନଙ୍କୁ ଚାରିଆଡ଼େ ଛିନ୍ନଭିନ୍ନ କରିଦେଲା। ଯେତେବେଳେ ସେମାନେ ନୂଆ ସ୍ଥାନରେ ପହଞ୍ଚିଲେ, ସେମାନେ ଦେଵଭାଷାକୁ ଭୁଲିଯାଇଥିଲେ । ପରେ ପ୍ରକୃତିର ଶବ୍ଦଗୁଡ଼ିକର ଅନୁକରଣରେ ମନୁଷ୍ୟମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ସ୍ଵତନ୍ତ୍ର ଶବ୍ଦମାନ ସୃଷ୍ଟି କଲେ ଏଵଂ ତାହା ପରେ ଅନେକ ଭାଷା ସୃଷ୍ଟିର କାରଣ ହେଲା । 

ପେରୁରେ ପୂର୍ଵେ ଗଢ଼ି ଉଠିଥିଵା ଇନ୍‌କା ସଂସ୍କୃତିର ଏକ କାହାଣୀ ଅନୁସାରେ, ସୂର୍ଯ୍ୟ ଦେଵତା ଇନ୍ତି ପ୍ରଥମେ ମନୁଷ୍ୟମାନଙ୍କୁ ଗୋଟିଏ ଭାଷା ଦେଇଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନେ ପୃଥିଵୀରେ ବଂଶ ଵିସ୍ତାର କଲେ, ଇନ୍ତି ନିଜର ପୁତ୍ର ମାଙ୍କୋ କାପାକ୍‌ଙ୍କୁ ପଠାଇ ଲୋକମାନଙ୍କୁ ଵିଭିନ୍ନ ଜାତିରେ ଵିଭକ୍ତ କଲେ। ପ୍ରତ୍ୟେକ ଜାତିକୁ ସେମାନଙ୍କ ପାହାଡ଼, ଉପତ୍ୟକା ଓ ନଦୀ ଅନୁସାରେ ଅଲଗା ଭାଷା ଦିଆଗଲା। ଏହି ଵିଭାଜନ ଅନେକ ଭାଷାର ଉତ୍ପତ୍ତିର କାରଣ ହୋଇଥିଲା ବୋଲି ଇନ୍‌କାମାନେ ବିଶ୍ୱାସ କରୁଥିଲେ।  

ସାଇବେରିଆର ଇଏନେଟ୍ସ ଜନଜାତିର ଏକ କାହାଣୀ ଅନୁସାରେ, ପୂର୍ଵେ ସମସ୍ତ ମନୁଷ୍ୟ ଏକ ପ୍ରାଚୀନ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ଆକାଶରୁ ଗୋଟିଏ ଵିରାଟ ପକ୍ଷୀ (ଦେଵତାଙ୍କ ପ୍ରତୀକ) ଉଡ଼ି ଆସିଲା ଓ ତା’ର ପକ୍ଷରୁ ବହୁତ ପଵନ ସୃଷ୍ଟି ହେଲା। ଏହି ପଵନ ଲୋକମାନଙ୍କୁ ଦୂର ଦୂର ଅଞ୍ଚଳକୁ ଉଡ଼ାଇ ନେଇଗଲା। ଯେତେବେଳେ ସେମାନେ ନୂଆ ସ୍ଥାନରେ ଅଵତରଣ କଲେ, ସେମାନଙ୍କ କଣ୍ଠରୁ ଭିନ୍ନ ଭିନ୍ନ ଶବ୍ଦ ବାହାରିଲା। ଏହିପରି ଅନେକ ମାନଵଗୋଷ୍ଠୀ ଅନେକ ଭାଷା ସୃଷ୍ଟି କଲେ।  

ନିଉଜିଲ୍ୟାଣ୍ଡର ମାଓରୀ ସଂସ୍କୃତିର ଏକ କାହାଣୀ ଅନୁସାରେ, ଆକାଶ ଦେଵତା ରଙ୍ଗି ଓ ପୃଥିଵୀ ଦେଵୀ ପାପାଙ୍କ ସନ୍ତାନମାନେ ପୃଥିଵୀରେ ମନୁଷ୍ୟଙ୍କୁ ସୃଷ୍ଟି କରିଥିଲେ। ସେମାନଙ୍କ ପୁତ୍ର ଟାନେ (ଜଙ୍ଗଲର ଦେଵତା) ମନୁଷ୍ୟମାନଙ୍କୁ ଜୀଵନ ଦେଇଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନେ ଭିନ୍ନ ଭିନ୍ନ ଦ୍ୱୀପପୁଞ୍ଜରେ ନିଜର ବଂଶ ଵିସ୍ତାର କଲେ, ସମୁଦ୍ର ଦେଵତା ଟାଙ୍ଗାରୋଆ ଓ ପଵନ ଦେଵତା ଟାବିରିମାଟେଆ ସେମାନଙ୍କ ଭାଷାକୁ ଵିଭିନ୍ନ ରୂପ ଦେଲେ। ପ୍ରତ୍ୟେକ ଦ୍ୱୀପରେ ନୂଆ ଶବ୍ଦ ଓ ଉଚ୍ଚାରଣ ସୃଷ୍ଟି ହେଲା, ଯାହା ଅନେକ ଭାଷାର ଜନ୍ମ ଦେଇଥିଲା।  

ମଙ୍ଗୋଲୀୟ ଲୋକକଥା ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ଆକାଶର ଦେଵତା ଟେଙ୍ଗ୍ରି ଏକ ଵିରାଟ ଘୂର୍ଣ୍ଣିଝଡ଼ ପଠାଇଲେ। ଏହି ଝଡ଼ ମନୁଷ୍ୟମାନଙ୍କୁ ପୃଥିଵୀର ଚାରିପାଖକୁ ଉଡ଼ାଇ ନେଇଗଲା। ଯେଉଁଠାରେ ସେମାନେ ଅଵତରଣ କଲେ, ସେଠାକାର ପଶୁପକ୍ଷୀ ଓ ପ୍ରକୃତିର ଶବ୍ଦ ସେମାନଙ୍କ ଭାଷାରେ ମିଶିଗଲା। ଏହିପରି ଅନେକ ଅଞ୍ଚଳରେ ଅନେକ ଭାଷା ସୃଷ୍ଟି ହେଲା।

ଵିଶ୍ଵର ଵିଭିନ୍ନ ସଂସ୍କୃତିର ଏ ସମସ୍ତ ଲୋକକଥା ଓ ପୁରାଣକଥା ଅନେକ ଭାଷାର ଉତ୍ପତ୍ତିକୁ ଦୈଵୀୟ କାର୍ଯ୍ୟ, ପ୍ରାକୃତିକ ଘଟଣା ଵା ମାନଵୀୟ ଵିଭାଜନ ସହ ଜୋଡ଼ି ପ୍ରତୀକାତ୍ମକ ଭାବେ ଵ୍ୟାଖ୍ୟା କରେ। ଏହି କାହାଣୀଗୁଡ଼ିକ ଭାଷାଗତ ଵିଵିଧତାର ମୂଳ ଓ ମାନଵ ସମାଜର ଵିସ୍ତାରକୁ ସେମାନଙ୍କ ସାଂସ୍କୃତିକ ଦୃଷ୍ଟିକୋଣରୁ ପ୍ରକାଶ କରେ। 

ପ୍ରୋକ୍ତ ସମସ୍ତ କାହାଣୀଗୁଡ଼ିକ ଲୋକଗାଥା ହୋଇଥିଲେ ବି ତହିଁରେ କିଛି ପରିମାଣରେ ଵୈଜ୍ଞାନିକ ଦୃଷ୍ଟିକୋଣ ରହିଛି । ଅଵଶ୍ୟ ଏହା ସତ୍ୟ ଯେ କୌଣସି ଗୋଟିଏ ମୂଳ ଭାଷାରୁ ପୃଥିଵୀର ସବୁ ଭାଷା ସୃଷ୍ଟି ହୋଇନାହିଁ ଵରଂ ଵିଭିନ୍ନ ଅଞ୍ଚଳରେ ଗୋଟିଏ ଗୋଟିଏ ପ୍ରାଚୀନ ଭାଷାରୁ କ୍ରମେ ଅନେକ ନୂତନ ଭାଷା ଜାତ ହୋଇଅଛି । 

ପୃଥିଵୀରେ ଆଜି ପ୍ରାୟ ୭,୦୦୦ରୁ ଅଧିକ ଭାଷା ଚଳୁଛି। ଏହି ଵିଵିଧତା ମାନବ ସଭ୍ୟତାର ଏକ ଅନନ୍ୟ ଵୈଶିଷ୍ଟ୍ୟ, କିନ୍ତୁ ଏହାର ଉତ୍ପତ୍ତି କିପରି ହେଲା? 

ଵୈଜ୍ଞାନିକ ଦୃଷ୍ଟିକୋଣରୁ, ଅନେକ ଭାଷାର ସୃଷ୍ଟିର ମୂଳ କାରଣ ହେଉଛି ଭୌଗୋଳିକ ଵିଭାଜନ। ପ୍ରୋକ୍ତ ସମସ୍ତ ଲୋକଗାଥା ମଧ୍ୟରେ ଏହି ମୂଳ ତଥ୍ୟ ହିଁ ରହିଛି । 

ପ୍ରାୟ ୧,୫୦୦୦୦ରୁ ୭୦,୦୦୦ ଵର୍ଷ ପୂର୍ଵେ ମାନଵମାନେ ଆଫ୍ରିକାରୁ ଵିଶ୍ୱର ବିଭିନ୍ନ ଅଞ୍ଚଳକୁ ଵ୍ୟାପିଥିଲେ। ପାହାଡ଼, ନଦୀ ଓ ସମୁଦ୍ର ଦ୍ୱାରା ଅଲଗା ହୋଇ ମାନଵଗୋଷ୍ଠୀଗୁଡ଼ିକ ସ୍ୱାଧୀନ ଭାବେ ସେମାନଙ୍କ ଭାଷା ଵିକଶିତ କଲେ। ଭାଷାଵିତ୍ ଡେଭିଡ କ୍ରିଷ୍ଟାଲ ଏହାକୁ ସମର୍ଥନ କରି କହିଛନ୍ତି “Languages diversify because people move apart, lose contact, and adapt to new circumstances.”

ଅର୍ଥାତ୍ “ଭାଷାଵିଵିଧତାର କାରଣ ହେଲା ଲୋକମାନେ ଅଲଗା ଅଲଗା ହୋଇଯାଇ କ୍ରମେ ନୂତନ ସଂସ୍କୃତି ଗଢ଼ିଛନ୍ତି, ପାରସ୍ପରିକ ସମ୍ପର୍କ ହରାଇଛନ୍ତି ତଥା ନୂଆ ପରିସ୍ଥିତି ଅନୁସାରେ ନିଜକୁ ଖାପଖୁଆଇ ଚଳିଛନ୍ତି।"

ଭିନ୍ନ ଭିନ୍ନ ଅଞ୍ଚଳରେ ଵସଵାସ କରିଵାରୁ ଵିଭିନ୍ନ ମାନଵଗୋଷ୍ଠୀ ଭିନ୍ନ ଜୀଵନଶୈଳୀ ଓ ପରମ୍ପରା ଗ୍ରହଣ କଲେ, ଯାହା ସେମାନଙ୍କ ଭାଷାକୁ ପ୍ରଭାଵିତ କଲା। ଏଡୱାର୍ଡ ସାପିର ଏହା ଉପରେ ଜୋର ଦେଇ କହିଛନ୍ତି, "Language is a guide to 'social reality'... The diversity of languages is a reflection of the diversity of human cultures.(ଭାଷା ହେଉଛି 'ସାମାଜିକ ଵାସ୍ତଵତା'ର ଏକ ପଥପ୍ରଦର୍ଶକ... ଭାଷାର ଵିଵିଧତା ମାନଵ ସଂସ୍କୃତିର ଵିଵିଧତାର ପ୍ରତିଫଳନ।” 

ଭାଷାର ପ୍ରାକୃତିକ ଵିଵିର୍ତ୍ତନ ମଧ୍ୟ ଏତାଦୃଶ ଭାଷା ଵିଵିଧତାର ଆଉ ଏକ ମୁଖ୍ୟ କାରଣ। ସମୟ ସହ ଭାଷାର ଶବ୍ଦ, ବ୍ୟାକରଣ ଓ ଉଚ୍ଚାରଣ ବଦଳେ। ଫେର୍ଡିନାଣ୍ଡ ଡି ସସୁର ଏହାକୁ ବ୍ୟାଖ୍ୟା କରି କହିଛନ୍ତି,“Language is a system of signs that evolves over time and differs across communities.(ଭାଷା ହେଉଛି ଠାରସମୂହର ଵ୍ୟଵସ୍ଥା, ଯାହା ସମୟ ସହ ଵିକଶିତ ହୁଏ ଏଵଂ ଵିଭିନ୍ନ ସମ୍ପ୍ରଦାୟରେ ଭିନ୍ନ ହୋଇଥାଏ।)”

ଭିନ୍ନ ଭିନ୍ନ ଭାଷା ସହିତ ସଂସ୍ପର୍ଶ ଓ ମିଶ୍ରଣ, ଭାଷା ଵିଵ ଧତାର ଅନ୍ୟ ଏକ କାରଣ। ଦୁଇ ଵା ତତୋଧିକ ମାନଵଗୋଷ୍ଠୀ ମଧ୍ୟରେ ଵ୍ୟାପାର, ଯୁଦ୍ଧ ତଥା ଵୈଵାହିକ ସମ୍ପର୍କ ମାଧ୍ୟମରେ ଜାତିଗତ ମିଶ୍ରଣ ଘଟିଲେ ଭାଷାରେ ମଧ୍ୟ ମିଶ୍ରଣ ଘଟିଥାଏ । ଆଧୁନିକ ଇଂରାଜୀ ଭାଷା ଜର୍ମାନିକ, ଫ୍ରେଞ୍ଚ ଓ ଲାଟିନର ମିଶ୍ରଣରୁ ଗଢ଼ି ଉଠିଛି। ଅନ୍ୟପକ୍ଷରେ, ସଂସ୍ପର୍ଶ ନ ଥିଲେ ଭାଷା ଅଲଗା ରହି ନିଜସ୍ୱ ପଥରେ ଵିକଶିତ ହୁଏ ।

ମାନବ ମସ୍ତିଷ୍କର ସୃଜନଶୀଳତା ମଧ୍ୟ ଭାଷା ଵିଵିଧତାର ଅନ୍ୟତମ କାରଣ। ଆମେରିକୀୟ ଭାଷାଵିତ୍ ନୋଆମ ଚମ୍‌ସ୍କି କହିଛନ୍ତି,“The human mind is endowed with an innate capacity for language, and diversity arises from the interaction of this capacity with the external environment.(ମାନଵ ମନରେ ଭାଷା ପାଇଁ ଏକ ଜନ୍ମଗତ କ୍ଷମତା ରହିଛି ଏଵଂ ଏହି କ୍ଷମତା ଵାହ୍ୟ ପରିବେଶ ସହ ମିଳିତ ହେଵାରୁ ଭାଷା ଵିଵିଧତା ସୃଷ୍ଟି ହୁଏ।)”

 ଭାଷାଵିତ୍ ସ୍ଟିଭନ ପିଙ୍କର ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି -„Language is an instinct that evolves with human societies, splitting and diversifying as groups separate and innovate.(ଭାଷା ଏକ ପ୍ରବୃତ୍ତି, ଯାହା ମାନଵ ସମାଜ ସହ ଵିକଶିତ ହୁଏ, ମାନଵଗୋଷ୍ଠୀଗୁଡ଼ିକ ଅଲଗା ହେଵା ଓ ନୂଆ ମାନଵ ଗୋଷ୍ଠୀ ସୃଷ୍ଟି ହେଵା ସହିତ ଭାଷାଗୁଡ଼ିକ ମଧ୍ୟ ଵିଭକ୍ତ ଓ ଵିଵିଧ ହୋଇଥାଏ।)” । ମାନଵ ଶିଶୁମାନେ ଜନ୍ମରୁ ଭାଷା ଶିଖିଵାର କ୍ଷମତା ରଖନ୍ତି, ଏଵଂ ଏହି ସୃଜନଶୀଳତା ନୂଆ ଶବ୍ଦ ଗଠନର ମଧ୍ୟ କାରଣ ହୋଇଥାଏ ।

ସମୟକ୍ରମେ ଜନସଂଖ୍ୟାର ବୃଦ୍ଧି ମଧ୍ୟ ଭାଷା ଵିଵିଧତାର ଏକ କାରଣ ହୋଇଥାଏ । ମାନଵ ଜନସଂଖ୍ୟା ବଢ଼ିଵା ସହ ଅଧିକ ଗୋଷ୍ଠୀ ସୃଷ୍ଟି ହେଲେ, ଯାହା ଅଧିକ ଭାଷାର ଜନ୍ମ ଦେଲା। ମେରିଟ ରୁହଲେନ ଏହାକୁ ବ୍ୟାଖ୍ୟା କରି କହିଛନ୍ତି, “All human languages likely stem from a single source, but their diversity reflects the vast migrations and adaptations of early humans(ସମସ୍ତ ମାନଵୀୟ ଭାଷା ସମ୍ଭଵତଃ ଏକ ଏକ ମୂଳ ଉତ୍ସରୁ ଜାତ ହୋଇଛି, କିନ୍ତୁ ସେଗୁଡ଼ିକର ଵିଵିଧତା ପ୍ରାଚୀନ ମାନଵମାନଙ୍କର ଵିସ୍ତୃତ ସ୍ଥାନାନ୍ତରଣ ଓ ଅନୁକୂଳନକୁ ପ୍ରତିଫଳିତ କରେ।)” । ଵୈଜ୍ଞାନିକମାନେ ଵିଶ୍ୱାସ କରନ୍ତି ଯେ ୧,୦୦,୦୦୦ରୁ ୨,୦୦,୦୦୦ ଵର୍ଷ ପୂର୍ଵେ ଆଫ୍ରିକାରେ ଏକ ଆଦିମ ଭାଷା ଉତ୍ପନ୍ନ ହୋଇଥିଲା। ଏହାକୁ ସମର୍ଥନ କରି ମେରିଟ ରୁହଲେନ ପ୍ରୋକ୍ତ ମତ ରଖିଛନ୍ତି । 

କିନ୍ତୁ ଯେମିତିକି ଅନେକ ଲୋକଗାଥାରେ କୁହାଯାଇଛି ଯେ କିଛି ସମୟ ମଧ୍ୟରେ ଦେଵତାମାନେ ଭିନ୍ନ ଭିନ୍ନ ଲୋକଙ୍କୁ ଵିଭିନ୍ନ ଭାଷା ଦେଇଥିଲେ ତାହା ଠିକ୍ ନୁହେଁ । ପ୍ରକୃତରେ ଲକ୍ଷ ଲକ୍ଷ ଵର୍ଷର ଵିଵର୍ତ୍ତନ ଯୋଗୁଁ ମନୁଷ୍ୟମାନେ ଆଜି ଏତେ ସଂଖ୍ୟକ ଭାଷାରେ କଥା ଭାଷା ହେଉଛନ୍ତି । ପ୍ରାୟ ୩,୦୦୦୦୦ ଵର୍ଷ ପୂର୍ଵେ ଆଫ୍ରିକାରେ ଆଧୁନିକ ମାନଵ ଜାତ ହୋଇଥିଲେ। ଏହି ସମୟରେ ମନୁଷ୍ୟର ବାକ୍‌ଯନ୍ତ୍ର (vocal tract) ଏଵଂ ମସ୍ତିଷ୍କ ଏକ ଏପରି ସ୍ତରରେ ଵିକଶିତ ହୋଇଥିଲା ଯେ ମନୁଷ୍ୟମାନେ ଜଟିଳ ଶବ୍ଦ ଓ ଭାଷା ଉଚ୍ଚାରଣ କରିଵାରେ ସକ୍ଷମ ହେଲେ। ମାନଵର ଗଳା (larynx) ନିମ୍ନସ୍ଥ ହେଵା ଦ୍ୱାରା ଏକ ଵୃହତ୍ତର ଫାରିଞ୍ଜିଆଲ୍ କ୍ୟାଭିଟି (pharyngeal cavity) ସୃଷ୍ଟି ହେଲା, ଯାହା ଵିଭିନ୍ନ ଶବ୍ଦ ଉଚ୍ଚାରଣସକରିଵାରେ ସହାୟକ ହେଲା। ଜିଭ ଓ ଓଠର ନମନୀୟତା ବୃଦ୍ଧି ପାଇଲା, ଯାହା ଜଟିଳ ଉଚ୍ଚାରଣ (articulation) ସମ୍ଭଵ କଲା। ଏହି ପରିଵର୍ତ୍ତନ ପ୍ରାୟ ୫,୦୦୦୦୦ ଵର୍ଷ ପୂର୍ଵେ Homo heidelbergensis ଵା ଅନ୍ୟ ପୂର୍ଵଜ ଜାତିରେ ଆରମ୍ଭ ହୋଇଥିଲା ଏଵଂ Homo sapiensରେ ପୂର୍ଣ୍ଣ ଵିକଶିତ ହେଲା। ମସ୍ତିଷ୍କର ଭାଷା ସମ୍ବନ୍ଧୀୟ ଅଞ୍ଚଳ, ଯଥା ବ୍ରୋକାସ୍ (Broca’s area) ଓ ୱେର୍ନିକ୍‌ସ୍ (Wernicke’s area), ଵିକଶିତ ହେଲା, ଯାହା ଭାଷା ବୋଲିଵା ଓ ବୁଝିଵାରେ ସହାୟକ ହେଲା। ମସ୍ତିଷ୍କର ଆକାର ବୃଦ୍ଧି ଓ ନିଉରାଲ୍ ନେଟୱାର୍କର ଜଟିଳତା ମାନଵକୁ ପ୍ରତୀକାତ୍ମକ ଚିନ୍ତନ (symbolic thinking) ଓ ଵାକ୍‌ସଂଯୋଗ (syntax) ଵ୍ୟଵହାର କରିଵାରେ ସକ୍ଷମ କଲା। FOXP2 ଜିନ୍‌ର ମ୍ୟୁଟେସନ, ଯାହା ଭାଷା କ୍ଷମତା ସହ ଜଡ଼ିତ, ପ୍ରାୟ 200,000 ଵର୍ଷ ପୂର୍ଵେ ମାନଵ ପୂର୍ଵଜଙ୍କ ମଧ୍ୟରେ ଵିକଶିତ ହୋଇଥିଲା। ପରେ ମାନଵ ସମାଜରେ ଯୋଗାଯୋଗର ଆଵଶ୍ୟକତା (ଉଦାହରଣ ସ୍ୱରୂପ, ଶିକାର, ସମ୍ପର୍କ ଗଠନ, ଜ୍ଞାନ ଆଦାନ-ପ୍ରଦାନ) ଭାଷାର ଵିକାଶକୁ ଆହୁରି ତ୍ୱରାନ୍ୱିତ କଲା। ପ୍ରାୟ 1.5 ରୁ 2 ମିଲିୟନ ଵର୍ଷ ପୂର୍ଵେ Homo erectusମାନେ କିଛି ମୌଳିକ ଶବ୍ଦ ଵା ଧ୍ୱନି ଉଚ୍ଚାରଣ କରିପାରୁଥିଲେ, କିନ୍ତୁ ଏହା ଜଟିଳ ଭାଷା ନ ଥିଲା। ଆଧୁନିକ ମାନଵମାନେରେ ଜଟିଳ ଭାଷାର ଵ୍ୟଵହାର ପ୍ରାୟ ୧,୦୦୦୦୦ ରୁ ୫୦,୦୦୦ ଵର୍ଷ ପୂର୍ଵେ ଆରମ୍ଭ କରିଥିଲେ ଏଵଂ ମାନଵମାନେ ଆଫ୍ରିକାରୁ ଵିଶ୍ୱର ଅନ୍ୟ ଅଞ୍ଚଳକୁ ଵ୍ୟାପିଥିଲେ। କ୍ରମେ ଭିନ୍ନ ଭିନ୍ନ ଅଞ୍ଚଳରେ ରହି ମାନଵମାନେ ନୂତନ ଭାଷା ସୃଷ୍ଟି କଲେ ଏଵଂ ଉକ୍ତ ଭାଷାଗୁଡି଼କରୁ ପୁଣି ଅନେକ ନୂତନ ଭାଷା ସୃଷ୍ଟି ହେଲା । ଏହିପରି ଭାବେ ପୃଥିଵୀରେ ଅନେକ ଭାଷାପରିଵାର ସୃଷ୍ଟି ହେଲା । 

ପୃଥିଵୀର ବିଭିନ୍ନ ସଂସ୍କୃତିର ଲୋକଗାଥା ଓ ପୁରାଣକଥାଗୁଡ଼ିକ ଅନେକ ଭାଷାର ଉତ୍ପତ୍ତିକୁ ଦୈଵୀୟ କାର୍ଯ୍ୟ, ପ୍ରାକୃତିକ ଘଟଣା ଓ ମାନଵୀୟ ଵିଭାଜନ ସହ ଜୋଡ଼ି ଏକ ପ୍ରତୀକାତ୍ମକ ଵ୍ୟାଖ୍ୟା ପ୍ରଦାନ କରେ। ଏହି କାହାଣୀଗୁଡ଼ିକ ମାନଵ ସମାଜର ଵିସ୍ତାର ଓ ଭାଷାଗତ ଵିଵିଧତାର ମୂଳକୁ ସ୍ଵକୀୟ ସାଂସ୍କୃତିକ ଦୃଷ୍ଟିକୋଣରୁ ପ୍ରକାଶ କରେ। ଅନ୍ୟପକ୍ଷରେ, ଵୈଜ୍ଞାନିକ ଦୃଷ୍ଟିକୋଣ ଭାଷାର ଵିଵିଧତାକୁ ଭୌଗୋଳିକ ଵିଭାଜନ, ପ୍ରାକୃତିକ ଵିଵର୍ତ୍ତନ, ସାଂସ୍କୃତିକ ମିଶ୍ରଣ ତଥା ମାନଵ ମସ୍ତିଷ୍କର ସୃଜନଶୀଳତା ସହ ସମ୍ପର୍କିତ କରେ। ପ୍ରାୟ ୭,୦୦୦ରୁ ଅଧିକ ଭାଷା ସହିତ ପୃଥିଵୀର ଭାଷାଗତ ଵିଵିଧତା ମାନଵ ସଭ୍ୟତାର ଏକ ଅନନ୍ୟ ଵୈଶିଷ୍ଟ୍ୟ ଅଟେ, ଯାହା ମାନଵୀୟ ଇତିହାସର ଵିସ୍ତାର, ଅନୁକୂଳନ ଓ ସୃଜନଶୀଳତାକୁ ପ୍ରତିଫଳିତ କରେ। ଲୋକଗାଥା ଓ ଵୈଜ୍ଞାନିକ ଵ୍ୟାଖ୍ୟା ଉଭୟ ମିଳିତ ଭାବେ ଏହା ପ୍ରମାଣ କରେ ଯେ ଭାଷା କେଵଳ ଯୋଗାଯୋଗର ମାଧ୍ୟମ ନୁହେଁ, ଵରଂ ମାନଵୀୟ ଅଭିଜ୍ଞତା ଓ ସଂସ୍କୃତିର ଏକ ଜୀଵନ୍ତ ପ୍ରତିଛବି ଅଟେ ।

(ଵି.ଦ୍ର : ସମସ୍ତ ତଥ୍ୟ ଅନ୍ତର୍ଜାଲରୁ ଦୀର୍ଘ ଦେଢ଼ ଵର୍ଷ କାଳର ଏଷଣାରୁ ଗୃହୀତ ହୋଇଛି । ଯୋଉମାନେ ଆଜି ଅଵିଵେକୀ ଭାବେ ଭାଷାର ଲିପିରୁ ଗୋଟିଏ ଗୋଟିଏ ଅକ୍ଷରକୁ କାଟି ଦେଵାକୁ ଯୁକ୍ତି କରନ୍ତି ଅଥଵା ଯୋଉମାନେ ଅଵର୍ଗ୍ୟ 'ଵ'କୁ ଅଭଦ୍ର ଭଳି ପେଟକୀଳା 'ବ' କହି ଦିଅନ୍ତି ସେମାନେ ପ୍ରକୃତରେ ଲକ୍ଷାଧିକ ଵର୍ଷର ମାନଵୀୟ ଵିଵର୍ତ୍ତନର ନିଜ ପୂର୍ଵଜଙ୍କ ଶ୍ରମର ହିଁ ଉପହାସ କରୁଅଛନ୍ତି ବୋଲି ହୃଦୟଙ୍ଗମ କରିପାରନ୍ତି ନାହିଁ।)

Wednesday, March 29, 2023

ଓଡ଼ିଶାର କାଳ୍ପନିକ ଜୀଵ ଓ କୋକୁଆ

ଅଳି ଅଝଟ କରୁଥିଵା ଓ କଥା ନମାନି ଦୁଷ୍ଟ ହେଉଥିଵା ପିଲାମାନଙ୍କୁ ଡରାଇ ଆକଟ କରିଵା ନିମନ୍ତେ କଳ୍ପିତ ଭୟଙ୍କର ଜୀଵର ଚିତ୍ରଣ ପୃଥିଵୀରେ ସର୍ଵତ୍ର ଊଣା ଅଧିକେ ହୋଇଅଛି । ଦୁଷ୍ଟ ଛୁଆଙ୍କୁ ଡରେଇ ଵଶ କରିଵାର ଏହା ଏକ ଅଭିନଵ ପନ୍ଥା । ଆଗକାଳରେ ଆଜିକାଲି ଭଳି ଏତେ ଆଲୋକ ଵ୍ୟଵସ୍ଥା ନଥିଲା । ଭୟଙ୍କର ପଶୁ ଓ ଵିଷାକ୍ତ କୀଟପତଙ୍ଗ ରାତିରେ
ଚରାଵୁଲା କରୁଥିଲେ । କାଳେ ପିଲାଏ ଜିଜ୍ଞାସାଵଶତଃ ଵା ବାରଣ ସତ୍ତ୍ୱେ ରାତ୍ର ସମୟରେ ଘରୁ ଵାହାରି ନିଚ୍ଛାଟିଆ ସ୍ଥାନକୁ ଚାଲିନଯାଆନ୍ତୁ ଓ ଵିପଦରେ ନପଡ଼ନ୍ତୁ ସେଥିପାଇଁ ପୃଥିଵୀର ଅଧିକାଂଶ ଦେଶରେ ଏହିଭଳି କାଳ୍ପନିକ ଜୀଵଙ୍କର କଳ୍ପନା କରାଯାଇଛି ।ସାଧାରଣତଃ ଗଳ୍ପ ଓ ଲୋକଗୀତରେ ପିଲାମାନେ ପ୍ରଥମେ ଏଭଳି ଭୟଙ୍କର କାଳ୍ପନିକ ଜୀଵଙ୍କ ଵିଷୟରେ ଜାଣନ୍ତି ଓ ଅଜଣା ସ୍ଥାନ ,ଵସ୍ତୁ ଓ ଵ୍ୟକ୍ତିଙ୍କୁ ଦେଖି ଭୟକରନ୍ତି ।

ଇଂରାଜୀ ଭାଷାଭାଷୀ ଅଞ୍ଚଳରେ ବୋଗିମ୍ୟାନ୍ ଓ ସ୍ୟାକମ୍ୟାନ୍ ଆଦି ଅନେକ କଳ୍ପିତ ଭୟଙ୍କର ଜୀଵଙ୍କ ଵିଷୟରେ କାହାଣୀମାନ ରହିଛି । ସେହିପରି ପର୍ତ୍ତୁଗାଲ୍ ଓ ବ୍ରାଜିଲରେ ଯଥାକ୍ରମେ 'ଏଲ୍ କୋକୋ' ଓ 'ଏ କୋକା' ନାମରେ ଏକ ଅଜଣା ଜୀଵର କଳ୍ପନା କରି ଅଵିଭାଵକମାନେ ପିଲାଙ୍କୁ ଆକଟ କରାଇଥାନ୍ତି । 'ଏଲ୍ କୋକୋ' ନାମକ କଳ୍ପିତ ଜୀଵର ମସ୍ତକ ପଇଡ଼ ଭଳି ଏଵଂ ଏହି ଜୀଵର କଳ୍ପନା ପର୍ତ୍ତୁଗାଲରେ ପଇଡ଼ ଗଛ ଅଣାଯାଇ ଲଗାଯିଵା ପରଠାରୁ ସୃଷ୍ଟି ହୋଇଥିଵା ଗଵେଷକଙ୍କ ମତ । ସେହିପରି ଆରଵ ଦେଶଗୁଡି଼କରେ 'ବାବାଉ', 'ବାଉବାଉ', 'ବାଓବାଓ' ଓ ଜର୍ମାନୀରେ 'ବଜ୍ଜେମ୍ୟାନ',ଆଫଗାନିସ୍ତାନରେ 'ମଦାର ଇ ଅଲ୍' ,ଆଲବିନିଆନ୍ ଅଞ୍ଚଳରେ 'ବୁବା','ଗୋଗୁଲ୍','ଲୁଭିୟା',ଅଜରବୈଜାନ୍ ଅଞ୍ଚଳରେ 'ଦିଭ୍'
,ବୋସନିଆ,କ୍ରୋଏଟିଆ,ସର୍ବିଆ ଓ ମାସେଡୋନିଆରେ
'ବାବାରୋଗା',ସାଇପ୍ରସରେ 'କୁକୁଲାସ୍' ,ଇଜିପ୍ଟରେ 'ଅବୁରିଗଲ୍ ମୁସଲୁଖା' ,ଫିନଲ୍ଯାଣ୍ଡ୍‌ରେ 'ମୁର୍କୁ',ଫ୍ରାନ୍ସରେ 'କ୍ରକମିତୈନ' ଏଵଂ ଗ୍ରୀସ୍ ଦେଶରେ 'ବାବୁଲାସ୍' ଆଦି ନାଆଁ ଶୁଣାଇ ପିଲାଙ୍କୁ ଆକଟ କରାଯାଏ ।

ଓଡ଼ିଶାରେ ମଧ୍ୟ ଏଭଳି ଉଦାହରଣର ଆଦୌ ଅଭାଵ ନାହିଁ । 'କକ','କକଵାୟା','କୋକବାୟା','କକମିଆଁ','କକମିନା','କତର୍ବଘା','କାନକଟା','ଅନ୍ଧାରଗୁଡୁ','ଜୁଜୁ' ଓ 'ବିଜିବିଜିମା' ଆଦି କଳ୍ପିତ ଭୟଙ୍କର ଜୀଵଙ୍କ କାହାଣୀ ଶିଶୁମାନଙ୍କୁ ଡରାଇଵା ନିମନ୍ତେ ଶୁଣାଯାଏ । ସେହିପରି ପୂର୍ଵେ ଛୁଆଧରା ଓ ବନ୍ଧକିରିଆ ନେଇଯିଵ କହି ମଧ୍ୟ ପିଲାଙ୍କୁ ଡରାଇ ଆକଟ କରାଯାଉଥିଲା । ରାୟଗଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ଆମ୍ଵ ପାଚିଲେ
ଆମ୍ଵ ଯେପରି ପିଲାମାନେ ଗଛରୁ ତୋଳି ନନିଅନ୍ତି ସେଥିପାଇଁ 'ଖଙ୍ଗାର' ନାମକ ଏକ କାଳ୍ପନିକ ଜୀଵର ଭୟ ସୃଷ୍ଟି କରାଯାଏ । 

ସାଧାରଣତଃ ଅବୁଝା ଶିଶୁମାନଙ୍କୁ ରାତିରେ ଡରାଇ ଶୁଆଇଵା ପାଇଁ କିମ୍ଵା କୌଣସି ଶିଶୁ ଅବାଧ୍ୟ ହେଲେ ମାତାମାନେ ଏହି ଭୟଦ୍ଯୋତକ ଶବ୍ଦମାନ ଵ୍ୟଵହାର କରନ୍ତି। ପ୍ରକୃତରେ କକ କି କୋକବାୟାକୁ ମାଆ କି ଶିଶୁ କେହି ଦେଖି ନାହାନ୍ତି କିନ୍ତୁ ଶିଶୁମାନଙ୍କ ମଙ୍ଗଳ ହେତୁକ କୌଣସି କିମ୍ଭୁତ କିମାକାର ଭୟଙ୍କର ଜୀଵର ନାମ ନିଅନ୍ତି, ଯେମିତିକି 'କୋକବାୟା' କାନ କାଟି ନେଵ କି ଛୁଆଧରା ନେଇଯିଵ କିମ୍ଵା କକ ଆସିଯିଵ ଇତ୍ୟାଦି କହି ପିଲାଙ୍କୁ ଭୟ ଦେଖାନ୍ତି । 

ଜୁଜୁ,କୋକମିନା ସଦୃଶ କଳ୍ପିତ ଭୟସଞ୍ଚାରକ ମୂର୍ତ୍ତି ଵିଶେଷ ଓ ଭୂତପ୍ରେତାଦି ଭୀତି ସଞ୍ଚାରକ ରୂପ ଅଟେ । ଏହା ସମ୍ଭଵତଃ ସଂସ୍କୃତ 'ଜୁଃ' ଶବ୍ଦ ମୂଳଜ ଯାହାର ଅର୍ଥ ପିଶାଚୀ ଅଟେ । ଯାଜପୁରର ଓ ଏହାର ଆଖପାଖ ଅଞ୍ଚଳରେ "ବିଜି ବିଜିମା" ବୋଲି ଏକ କାଳ୍ପନିକ ଭୟଙ୍କର ଜୀଵର କାହାଣୀ ଶୁଣାଇ ଅବାଧ୍ୟ ପିଲାକୁ ଶାନ୍ତ କରାଉଥିଲେ ‌ । କେତେକ ଅଞ୍ଚଳରେ ମାଆମାନେ ହସ୍ତପଦଵିହୀନ ଏକ କାଳ୍ପନିକ ଜନ୍ତୁର କାହାଣୀ ଶୁଣାଉଥିଲେ ଯେ ଅନ୍ଧାର ରାତିରେ ଭୂମିରେ ଗଡ଼ି ଗଡ଼ି ଆସେ ଏଵଂ ପିଲାଙ୍କୁ ଧରି ନେଇଯାଏ । ଏହି କାଳ୍ପନିକ ଜୀଵକୁ ଗୁଡ଼ଗୁଡି଼,ଅନ୍ଧାରଗୁଡ଼ଗୁଡ଼ି ଓ ଅନ୍ଧାରଗୁଡ଼ି କୁହାଯାଉଥିଲା । 

ସେହିପରି ଓଡ଼ିଶାର ପଶ୍ଚିମାଞ୍ଚଳରେ 'କତର୍ବଘା' ବୋଲି ଏକ କାଳ୍ପନିକ ଜୀଵ ଵିଷୟରେ କାହାଣୀମାନ ପିଲାମାନଙ୍କୁ ଶୁଣାଯାଉଥିଲା । ଏ କାଳ୍ପନିକ ଜୀଵ ଦେଖିଵାକୁ ବାଘ ପରି ଓ ଭୟଙ୍କର ଵୋଲି ଲୋକଵିଶ୍ଵାସ ପ୍ରଚଳିତ। ଏହି ଧରଣର ଆଉ ଏକ କାଳ୍ପନିକ ଜୀଵର କାହାଣୀ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଶୁଣିଵାକୁ ମିଳେ ତାହାର ନାମ 'ଵାଘଡୁମ୍ମା' ଅଟେ । ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ଏହି 'ବାଘଡୁମ୍ମା' ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...
  
 “ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡନାଲି, ଆଖିନାଲି, ଦେହଯାକ ବଡ଼ବଡ଼ ରୁମ । ଲୋକେ କହନ୍ତି କେତେପ୍ରକାର ଶବ୍ଦକରେ ସେ। କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି, ବାଘଡୁମ୍ମା ଡରାଇ ଡରାଇ ଖେଦେ ।”

ଗଡ଼ଜାତ ଅଞ୍ଚଳରେ ପ୍ରେତ,ମୃତ ଵ୍ୟକ୍ତିର ଆତ୍ମା,ଆତ୍ମା, ଅସୁର ଓ ଡାହାଣୀକୁ ଡୁମା ଵା ଡୁମ୍ମା କହିଥାନ୍ତି । ସେହିପରି ଅଵିଭକ୍ତ କୋରାପୁଟର କଥିତ ଦେଶିଆ କୋଟିଆ ଭାଷାରେ ଡୁମ୍ମାର ଅର୍ଥ ଭୂତ ଵା ପ୍ରେତ ଏଵଂ ଏହା ଦେଶିଆ ଓଡ଼ିଆରେ ପ୍ରଚଳିତ ଜନଜାତୀୟ ମୂଳର ଏକ ଓଡ଼ିଆ ଶବ୍ଦ ହୋଇଥିଵା ସମ୍ଭଵ କିମ୍ଵା ତତ୍ସମ 'ଦାନଵ' ଶବ୍ଦର ସ୍ଥାନୀୟ ରୂପ ହୋଇଥାଇପାରେ । ଏଣୁ ବାଘଡୁମ୍ମା ଶବ୍ଦର ଆକ୍ଷରିକ ଅର୍ଥ ବାଘର ଭୂତ ଅଟଇ । ଅଵିଭକ୍ତ କୋରାପୁଟ ଅଞ୍ଚଳରେ ଲୋକଵିଶ୍ଵାସ ରହିଛି ଯେ ଯେଉଁମାନେ ଵଣଜଙ୍ଗଲରେ ବାଘର ଆକ୍ରମଣରେ ମରିଯାଆନ୍ତି, ସେମାନଙ୍କର ଆତ୍ମା ‘ବାଘଡୁମ୍ମା’ ହୋଇଯାଏ । ସେହିପରି ବାଘ ଦ୍ଵାରା ନିହତ ହୋଇଥିଵ ମଣିଷର ଶଵକୁ କୋରାପୁଟରେ 'ବାଗ୍‌ମଡ଼ା' କୁହାଯାଏ । ଆଗକାଳରେ କୌଣସି ଲୋକ ବାଘ ହାବୁଡ଼ରେ ପଡ଼ି ମୃତ୍ୟୁଵରଣ କଲେ ତାର ଶଵକୁ ଜଙ୍ଗଲରେ ହିଁ ପୋତି ଦିଆଯାଉଥିଲା। କାଳେ ଡୁମ୍ମା ହୋଇ ସେ ମୃତାତ୍ମା ଜୀଵିତଲୋକଙ୍କୁ ହଇରାଣ କରିଵ ବୋଲି ଶଵ ପୋତାଯାଇଥିଵା ସ୍ଥାନରେ ଲୁହାକଣ୍ଟା ପିଟାଯିଵାର ଚଳଣି ଥିଲା । କୁହାଯାଏ ବାଘଡୁମ୍ମା କାହାଠେଇଁ ଲାଗିଲେ ସେ ଲୋକ ସହଜରେ ଭଲ ହେଉନଥିଲା । କେତେକ ବାଘଡୁମ୍ମା ଲାଗିଥିଵା ଲୋକ ଝାଡ଼ାଵାନ୍ତିରେ ମୃତ୍ୟୁଵରଣ କରୁଥିଲେ । ଏହାର ପ୍ରତିକାରସ୍ଵରୂପ ସ୍ଥାନୀୟ ଲୋକେ ଗୁଣିଆ, ଦିଶାରୀ ଵା ଗୁରୁମାଈ ପ୍ରଭୃତିଙ୍କୁ ଡାକି ଝଡ଼ାଫୁଙ୍କା, ମନ୍ତ୍ରପାଠ ଇତ୍ୟାଦି କରିଵା ସହ ଡୁମାପୂଜା ମଧ୍ୟ କରିଥିଲେ । ପୂର୍ଵାଞ୍ଚଳରେ ସେହିପରି ଗାଈ ରୂପରେ ହାଡ଼ବାଇ ନାମକ ଏକ କାଳ୍ପନିକ ପ୍ରେତ ବୁଲିଵାର ଲୋକଵିଶ୍ଵାସ ରହିଛି । ଓଡ଼ିଶାର ପଶ୍ଚିମାଞ୍ଚଳରେ ପିଲାମାନଙ୍କୁ ଡରାଇଵା ପାଇଁ ସ୍ତ୍ରୀଲୋକମାନେ ଆଗେ ଏକ କାଳ୍ପଳିକ ରାକ୍ଷସୀର ଉଲ୍ଲେଖ କରୁଥିଲେ ଯାହାକୁ “କୁଲାଏର୍ ବୁଢ଼ୀ” କୁହାଯାଉଥିଲା । ଏ ବୁଢ଼ୀ ପିଲାଙ୍କୁ ମିଠା ମିଠା କଥା କହି ମିଠେଇ ଦେଇ ନେଇଯାଏ କହି ପିଲାଙ୍କୁ ଆକଟ କରାଯାଉଥିଲା । ଅନ୍ୟ କେତେକ ଅଞ୍ଚଳରେ ସେହିପରି କଞ୍ଚାଖାଇ ଡାହାଣୀର କାହାଣୀ ଶୁଣାଇ ପିଲାଙ୍କୁ ଅଭିଭାଵକମାନେ ଆକଟ କରାଉଥିଲେ । କଞ୍ଚାଖାଇ ଏକ ଭୟଙ୍କର ଡାହାଣୀ ଏଵଂ ୟେ କଞ୍ଚା ମାଂସ ଓ ଵିଷ୍ଠା ଖାଏ ଵୋଲି ପ୍ରଵାଦ ରହିଛି । ପିଲାମାନଙ୍କୁ ଭୟ ଦେଖାଇଵା ପାଇଁ ସ୍ତ୍ରୀ ଲୋକଙ୍କ କଳ୍ପନା ଦ୍ୱାରା ଚିତ୍ରିତ ଆଉ ଏକ ରାକ୍ଷସ ହେଉଛି 'କାନକଟା' । ଏ ରାକ୍ଷସ ଅଳି ଅଝଟା ଝଗଡ଼ା କରୁଥିଵା ଅବୁଝା ପିଲାମାନଙ୍କ କାନକୁ ଛୁରିରେ କାଟି ନିଏ ବୋଲି ମାଆ ମାନେ ଶିଶୁଙ୍କୁ କହି ଡରାଉଥିଲେ । ଦୁଷ୍ଟ ପିଲାଙ୍କୁ ଛୁଆଧରା , ଛୁଆଧରା ବାୟା, ଅଖା ଧରା ବାଇଆ ଓ ବନ୍ଧକିରିଆ ଆଦି ନେଇଯାଆନ୍ତି କହି ମଧ୍ୟ ପିଲାଙ୍କୁ ଆୟତ୍ତ କରାଯାଉଥିଲା । କେତେକ ଅଞ୍ଚଳରେ ଵାଵନାଭୁତ ଗଛ ମୂଳରେ ରୁହନ୍ତି ଏଵଂ ରାତିରେ ବୁଲୁଥିଵା ପିଲାଙ୍କୁ ଧରି ନିଅନ୍ତି କହି ମାଆମାନେ ପିଲାମାନଙ୍କୁ ରାତିରେ ଵାଡି଼ଆଡ଼େ ଵୁଲିଵାକୁ ଵାରଣ କରିଥାନ୍ତି । ଖୁଆଇଲାଵେଳେ ଖାଉନଥିଵା କକ,କକୁଆ,କୋକମିନା ଆସି ନେଇଯିଵ କହି ବାଆଁରେଇ ମାଆମାନେ ପିଲାମାନଙ୍କୁ ଖାଦ୍ୟ ଖୁଆଉଥିଲେ । 

ଓଡ଼ିଆ ସାହିତ୍ୟରେ "କୁହୁକମଣ୍ତଳ ଚଢ଼େଇ,ଶରଭ,ଗଣ୍ଡଭୈରଵ, ନଵଗୁଞ୍ଜର,ଶିୟାଳି,ହୁମା ଚଢ଼େଇ,ଜଳମାନୁଷ ଓ ପାପପୁରୁଷ ଭଳି ଅନେକ କାଳ୍ପନିକ ଜୀଵଙ୍କର କାହାଣୀମାନ ରହିଛି । ପୁରାଣ ଆଦିରେ ଲେଖା ଅଛି ଯେ, ଶରଭ ଅଷ୍ଟପାଦ, ଊର୍ଦ୍ଧ୍ୱନୟନ ଓ ଊର୍ଦ୍ଧ୍ୱପାଦ ଚତୁଷ୍ଟୟଯୁକ୍ତ ତଥା ଏ ଜୀଵ ସିଂହକୁ ମାରିଵାକୁ ସମର୍ଥ। ଵୈଦେହୀଶ ଵିଳାସରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି କାଳ୍ପନିକ ଜୀଵର ଉଲ୍ଲେଖ କରିଛନ୍ତି ‌ । 

“ବଳଵନ୍ତ ହେଲେ ଯଥା କେଶରୀ, 
ଵଧେ ଗଜାଦି ଶରଭକୁ ଡରି।”

ସେହିପରି ଓଡ଼ିଆ କାହାଣୀରେ ଵର୍ଣ୍ଣିତ ଏକ ଵୃହତ୍ କାଳ୍ପନିକ ପକ୍ଷୀ ହେଉଛି ଗଣ୍ଡଭୈରଵ। ଏହାର ଦୁଇଟି ଥଣ୍ଟ ଓ ଚାରିଟି (ମତାନ୍ତରରେ ଦୁଇଟି) ଗୋଡ଼ ଅଛି। ଏ ପ୍ରତି ଗୋଡ଼ରେ ଓ ପ୍ରତି ଥଣ୍ଟରେ ଗୋଟିଏ ଗୋଟିଏ ହାତୀ ତଳୁ ଉଠାଇ ନେଇ ଉଡ଼ି ପାରେ ଵୋଲି ଲୋକଵିଶ୍ଵାସ ଅଛି । 

ସେହି ଧରଣର ଆଉ ଏକ କଳ୍ପିତ ଭୟଙ୍କର 
ଜୀଵର କଳ୍ପନା ଓଡ଼ିଆ ଜାତିରେ ଵହୁ ପ୍ରାଚୀନ କାଳରୁ ରହିଛି ଏଵଂ ଏ ଅଜଣା ଜୀଵର ନାଆଁ ଶୁଣିଲେ ପିଲା ତ ପିଲା ଵୟସ୍କ ଲୋକେ ସୁଦ୍ଧା ଡରୁଥିଲେ ଏଵଂ ଆଜି ବି ଗ୍ରାମାଞ୍ଚଳରେ ଏ କଳ୍ପିତ ଜୀଵର କାହାଣୀ ଊଣା ଅଧିକେ ଶୁଣାଯାଏ । 

ସେହି ଅଦୃଷ୍ଟ କାଳ୍ପନିକ ଭୟଙ୍କର ଜୀଵଟି ହେଉଛି କୋକୁଆ । ଲୋକଵିଶ୍ଵାସ ରହିଛି ଯେ ପ୍ରଳୟକାଳ ଆସିଲେ ଵା ଗୋଟିଏ ଅଞ୍ଚଳ ଵିଶେଷରେ ଅନେକ ଲୋକଙ୍କୁ ଦୁର୍ଭାଗ୍ୟ ଭୋଗ ହେଲେ କୋକୁଆ ଆସେ । କିନ୍ତୁ ଏହି ଭୟଦ୍ଯୋତକ ଜୀଵକୁ ଆଜିଯାଏଁ କେହି ଦେଖିନାହାନ୍ତି ତେଵେ ଅଜଣା ପକ୍ଷୀର ରାଵ କିମ୍ଵା ପଶୁ ଦେଖିଲେ ଭୟରେ କୌଣସି ଅଞ୍ଚଳର ସମସ୍ତ ଲୋକେ ଅସ୍ଥିର ହୁଅନ୍ତି । ଗୋଟିଏ ଗ୍ରାମରେ ଅନେକ ଲୋକ ଅଜଣା କାରଣରୁ ମୃତ୍ୟୁଵରଣ କଲେ ବି କୋକୁଆ ଭୟ ଦେଖାଦିଏ ।


ସାରଳା ଦାସ ତାଙ୍କର ସାରଳା ମହାଭାରତର ମୁଷଳୀ ପର୍ଵରେ ଏହି 'କୋକୁଆ' ନାମକ ଅଜ୍ଞାତ ଭୟଙ୍କର ଜୀଵ ଵିଷୟରେ ଲେଖି ଏହାକୁ ସର୍ଵପରିଚିତ କରାଇଅଛନ୍ତି । ଯଥା—

“ଶୁଣ ହୋ ରାଜନ ଭାଳିଣ ଶ୍ରୀକୃଷ୍ଣ ଯେ ରଞ୍ଚିଲେକ ଉପାୟେ ।
ଦ୍ଵରିକା ଭୁଵନ କଇଂ ଲାଗିଲାକ କୋକୁଆ ଭୟେ ॥
ଅଦଭୁତେ ଶୁଭିଲା ଅଇଲା କୋକୁଆ । ଦ୍ଵାରିକା ଲୋକଯାକ ହୋଇଲେ ଅଚାଭୁଆ ॥
ଭୟେଣ କଅଁଳା ପୋୟେ ରହନ୍ତି ଭିତରେ । ଯାଇଣ ପଶନ୍ତି କେହୁ ମାତାଙ୍କ କୋଡ଼ରେ ॥
କୋକୁଆ ଭୟେ ବୋଲି ସମସ୍ତେ ହେଲେ କହି ।
ବାଳ ପୋୟେ ଲୁଚିଲେ ଘର କୋଣେ ଯାଇ ॥
ଦଶ ଵିଂଶ ପଞ୍ଚାଶ ଲୋକେ ଦେଖି କରି ଭାଳି । 
କୋକୁଆ ବୋଲିଣ ସେ କେମନ୍ତ ମହାବଳୀ ।  
ଦେଵକୀ ପଚାରିଲେ ଶୁଣ ହୋ ଵସୁଦେଵ ।

କୋକୁଆ ବୋଲି କରି ସେ ଅଟଇ କେଵଣ ଜୀଵ ॥
ଗୋଵିନ୍ଦ ବୋଇଲେ ମା ଗୋ ସତେ ସେ ଅଟଇ କୋକୁଆ ।
ଅପାର କାଳରୁ ତ ଶୁଣିଲା ଅଛି ୟେହା ॥

ଚାରିଯୁଗ ଯାକେ ଥାଇ ସ୍ଵର୍ଗପୁରେ ।
ଆମ୍ଭର ପୁରକୁ ଡରେ ଆସି ନୁଆରିଲା ॥ 

ଥରେ କଳିଯୁଗ ପ୍ରଵେଶ ହୋଇଲାକ ଯହୁଁ । ତେଣୁ କରି ଦ୍ଵାରିକାକୁ ଅଇଲାକ ତହୁଁ ॥

ଯୋଜନେ ଯୋଜନେ ଭୁଜ ତାର ସପତଗୋଟି ଆଖି ।
ଅନ୍ତରୀକ୍ଷେ ଉଡୁଥାଇ ଅଛଇ ତାର ନଵପଚ୍ଛୀ ॥

ଯୋଜନେ ଯୋଜନେ ତୁଣ୍ଡ ତାର ପାଞ୍ଚ ଯୋଜନ ଗର୍ଭ । 
ତିରୀ ପୁରୁଷ ନ ଯାଇ ପଡ଼ିଲେ ଭକ୍ଷଇ ସର୍ଵ ॥

ଶ୍ରୀକୃଷ୍ଣ ମୁଖରୁ ଯହୁ ଶୁଣିଲେ ୟେସନେକ ଵାଣୀ ।
ଲାଗିଲା ମହାଭୟେ ସମସ୍ତେ ତହିଂ ଶୁଣି ॥ 

ଦିଵସେ କୋକୁଆ ବୋଲି ଦେଖନ୍ତି ସ୍ଵପନେ ।
ଅଦଭୁତେ ଡରି ପଡ଼ି ତିଆଂନ୍ତି ସର୍ଵ ଜନେ ॥ 

କେ ବୋଲଇ ମତେ ଗୋ କୋକୁଆ ଗିଳୁଥିଲା ।
କେ ବୋଲଇ କାହାକୁ କେଣେ ଗିଳିଗଲା ॥ 

କେ ବୋଇଇ ଅନ୍ତରୀକ୍ଷେ ଉଡ଼ିଗଲା ଧରି । କେ କାହାକୁ ତ ଆଉ ନୁଆରିଲେ ବାରି ॥
 ଶୁଣ ହୋ ରାଜନ ଦ୍ଵାରିକାପୁର ଲୋକେ କାହାକଇଂ ନକରନ୍ତି ଶଙ୍କା ।
  କୋକୁଆ ଭୟ ବୋଲି ସର୍ଵେ ହୋଇଲେ ତାଟକା ॥”

×××××××××××××××××××××

“ଭୟଙ୍କର ରୁପ କାଳପୁରୁଷ ଗୋଟିଏ ।
ଦ୍ୱାରକା ନଗର ମଧ୍ୟେ ପରଵେଶ ହୁଏ ॥ସର୍ଵଦା ଵୁଲଇ ସେହି ସବୁଙ୍କ ମନ୍ଦିରେ ।
କେହି ଦେଖି ନପାରଇ ତାକୁ ନୟନରେ ॥
ସେ କାଳପୁରୁଷ ଦେଖି ପ୍ରଭୁ ଭଗଵାନ ।
ଭାବିଲେ ଏଥର କାଳ କଲା ଆଗମନ ॥
ଏଥର ନିଶ୍ଚୟ ସର୍ଵେ ଵିନାଶ ହୋଇବେ ।
ଶୀଘ୍ର ଵିନାଶ ଉପାୟ ଲଗାଇଵା ଏବେ ॥
ଏହା କହିଣ ଶ୍ରୀକୃଷ୍ଣ ଦୂତଙ୍କୁ ଡକାଇ।ବୋଇଲେ ବେଗେ ଘୋଷଣା ନଗ୍ରେ ଦିଅଯାଇ ॥
ବୋଳିଵ କୋକୁଆ ଏକ ଭୟଙ୍କର ଜୀଵ।
ନଗ୍ରେ ପଶିଲାଣି ଏଵେ ସବୁକୁ ଖାଇଵ ॥”

ମହାଭାରତରେ 'କୋକୁଆ' ପ୍ରସଙ୍ଗର ଉଲ୍ଲେଖ ସାରଳା ଦାସଙ୍କର ଏହା ମୌଳିକ ପ୍ରୟୋଗ କାରଣ ମୂଳ ମହାଭାରତରେ ଏଭଳି କୌଣସି କଥା ଥିଵା ଜଣାଯାଏ ନାହିଁ । ତେବେ କୋକୁଆ ଶବ୍ଦ ସାରଳା ମହାଭାରତରେ ଵ୍ୟଵହାର ହୋଇଥିଵାରୁ ଏହା ବହୁ ପ୍ରାଚୀନ କାଳରୁ ଓଡ଼ିଆ ଭାଷାରେ ପ୍ରଚଳିତ ବୋଲି କୁହାଯାଇପାରେ । ହେଲେ 'କକ','କୋକମିନା' ଵା 'କକମିନା','କକଵାୟା' ଓ 'କକମିଆଁ' ଭଳି ଏ 'କୋକୁଆ' ଶବ୍ଦ ଯେ କୌଣସି ଏକ 
ଶବ୍ଦରୁ ସୃଷ୍ଟି ହୋଇଥିଵ ତାହା ଅନୁମାନ କରାଯାଇପାରେ । 

ପୂର୍ଵେ ଭାଷାଵିଦମାନେ ଅନୁମାନ କରୁଥିଲେ ଯେ ପର୍ତ୍ତୁଗୀଜମାନଙ୍କ ଭାଷାରୁ 'କୋକୁଆ' ଶବ୍ଦ ଆସି ଓଡ଼ିଆ ଭାଷାରେ ପ୍ରଚଳିତ ହୋଇଥାଇପାରେ । ପର୍ତ୍ତୁଗୀଜ୍ ଓ ସ୍ପାନିସ୍ ଭାଷାରେ ପ୍ରଚଳିତ ଥିଵା ଓ ଏମାନଙ୍କ ଦ୍ଵାରା ପୂର୍ଵେ ପରାଧୀନ ଦକ୍ଷିଣ ଆମେରିକା, ଉତ୍ତର ଆମେରିକା ତଥା ଆଫ୍ରିକାର କେତେକ ଦେଶରେ ବୋଗିମରୟାନ୍ ଭଳି ଏକ ଅଜଣା ଭୟଙ୍କର ଜୀଵର କଳ୍ପନା  
'ଏଲ୍ କୋକୋ','କୋକା','କୁକୁୟ','କୁକୋ',
'କୁକୁ','କୁକୁଈ' ଆଦି ଵିଭିନ୍ନ ନାମରେ ନାମିତ କରାଯାଇଛି । 'କୋକୋ' ଵା 'କୁକୁୟ' ଶବ୍ଦଟି ଏହି ଅର୍ଥରେ ପ୍ରଥମେ ଉତ୍ତର ପର୍ତ୍ତୁଗାଲ ଓ ଗୈଲିସିଆରେ ପ୍ରୟୋଗ ହୋଇଥିଵା ଜଣାଯାଏ । the Real Academia Española ଅନୁସାରେ କୋକୋ ଶବ୍ଦଟି ଗାଲିସୀୟ ଓ ପର୍ତ୍ତୁଗୀଜ ଭାଷା ମୂଳର 'côco'ଶବ୍ଦର ଏକ ରୂପ ଏଵଂ ଏହାର ମୂଳ ଶବ୍ଦର ଅର୍ଥ ଥିଲା 'coconut' ଵା 'ନଡ଼ିଆ' । ତେବେ ଏହି 'କୋକୋ' ଶବ୍ଦଟି ସ୍ପାନିଶ୍ ଭାଷାର କଥିତ ଶୈଳୀରେ ମନୁଷ୍ୟ ମୁଣ୍ଡ ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ ।‌ ପୁନଶ୍ଚ ଏ ଭାଷାରେ 'କୋକୋ 'ଶବ୍ଦର ଆଉ ଏକ ଅର୍ଥ "skull" ଵା ଖପୁରୀ । "Cocos nucifera" ଵା 'ନଡି଼ଆ' ମୂଳତଃ ଭାରତଵର୍ଷ ଅର୍ଥାତ୍ ଭାରତ ଉପମହାଦ୍ଵୀପ ଓ ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ ଅଞ୍ଚଳର ଵୃକ୍ଷ। ସମୁଦ୍ରଦ୍ଵାରା ଏହା ସାରା ଵିଶ୍ଵରେ ଵ୍ୟାପିଯାଇଛି । ଯେତେଵେଳେ ପଇଡ଼ ଵା ନଡ଼ିଆ ୟୁରୋପରେ ପହଞ୍ଚିଲା ତାହାକୁ ମନୁଷ୍ୟ ମୁଣ୍ଡ ଵା ଖପୁରୀ ଵିଚାର କରି coconut ନାମ ଦିଆଯାଇଥିଲା ମାତ୍ର ପର୍ତ୍ତୁଗୀଜମାନେ ଓଡ଼ିଶାରେ ଷୋହଳଶହ ଶତାବ୍ଦୀ ପରେ ଆସି ପଦାର୍ପଣ କରିଥିଲେ ଏଵଂ ସାରଳା ମହାଭାରତ ତାଙ୍କ ଆଗମନର ଵହୁତ ପୂର୍ଵରୁ ତେରଶହ ଶତାବ୍ଦୀରୁ ପନ୍ଦରଶହ ଶତାବ୍ଦୀ ମଧ୍ୟରେ ରଚିତ ହୋଇଥିଵାରୁ ପର୍ତ୍ତୁଗୀଜ୍ ମୂଳରୁ ଓଡ଼ିଆ ଭାଷାରେ କୋକୁଆ ଶବ୍ଦ ଆସି ଚଳିଥିଵା ଵିଶ୍ଵାସଯୋଗ୍ୟ ନୁହେଁ । 

କୋକୁଆ କିଏ, ତା’ର ଜନ୍ମ କୋଉଠି ?
କୋକୁଆ କେମିତି ଦେଖାଯାଏ ? ଏହାର ଉତ୍ତର ସ୍ପଷ୍ଟ ଯେ ତାକୁ କେହି ସ୍ଵଚକ୍ଷୁରେ ଦେଖି ନାହାନ୍ତି ମାତ୍ର ତା’ର ରୂପ ଅତି ଭୟଙ୍କର ଏକଥା ସମସ୍ତେ ଶୁଣିଅଛନ୍ତି।
ଭାଗଵତ କଥାଵାଚକମାନେ କୁହନ୍ତି କୋକୁଆର ସ୍ରଷ୍ଟା ନିଶ୍ଚୟ ସାରଳା ଦାସ। ସାରଳା ଦାସ କୋକୁଆକୁ କାଳର ପ୍ରତୀକ ଭାବେ ଉପସ୍ଥାପିତ କରିଛନ୍ତି । ପ୍ରତ୍ୟେକ ଵ୍ୟକ୍ତିର କାଳ ଆସିଲେ ତା ମନରେ ସୃଷ୍ଟି ହେଉଥିଵା ଭୟ ହିଁ ଏହି କୋକୁଆ । କାଳ ପୂରିଯାଇଥିଵା ଜୀଵ ଯୋଉ ଭୟର ଅନୁଭଵ କରୁଥାଏ ତାହା ଆଉ କିଏ ଶୁଣିପାରେ ନାହିଁ,ଦେଖିପାରେ ନାହିଁ କି ଅନୁଭଵ କରିପାରେ ନାହିଁ । ତା ମନରେ ଜାତ ହେଉଥିଵା ସେହି ଅଜଣା ଅଦେଖା ଅଵର୍ଣ୍ଣନୀୟ ଭୟ ହିଁ କୋକୁଆ । କାଳର ରୂପ ଅତ୍ୟନ୍ତ ଵିସ୍ମୟକର ତାକୁ କେଵଳ ଜଣେ କାଳ ପୂରି ଆସିଲାଵେଳେ ଅନୁଭଵ କରିପାରେ । ସାରଳା ମହାଭାରତର କଥା ଅନୁସାରେ ଶ୍ରୀକୃଷ୍ଣ କୋକୁଆ ଗୁଜଵର ସ୍ରଷ୍ଟା ତେଣୁ କଥାଵାଚକମାନେ କୁହନ୍ତି ସେହି ଶ୍ରୀକୃଷ୍ଣ ହିଁ ମହାକାଳ, ରହସ୍ୟର ପ୍ରତୀକ ତେଣୁ ସିଏ ହିଁ ‘କୋକୁଆ’ ଅଟନ୍ତି । ‘କୋକୁଆ’ ଆଉ କିଛି ନୁହେଁ 'କଳିକାଳ, କଳ୍‌କିବୋଧର ଭାଵ ଅଟଇ ‌। ଶହ ଶହ ଵର୍ଷ ତଳେ ସାରଳା ଦାସ ନିଜର ମୌଳିକ କାହାଣୀ ମାଧ୍ୟମରେ କାଳର ଵା ପ୍ରକୃତିର ଏହି ଗୁମରକୁ ସ୍ପଷ୍ଟ କରି ଦେଇଥିଲେ । 

ଓଡ଼ିଶାରେ କିଛି ଭାଷାଵିଦଙ୍କ ଅନୁସାରେ 
କୋକୁଆ ଶବ୍ଦଟି ଦୁଇଗୋଟି ଶବ୍ଦ "କୋ ଏଵଂ କୁଆ"କୁ ନେଇ ଗଠିତ ହୋଇଛି। 
କୋ ଶବ୍ଦଟି ଓଡ଼ିଆ ଭାଷାରେ କୋଉ ଵା କେଉଁ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କୁଆ ଏକ କଳା ରଙ୍ଗର ଭାରତୀୟ ପକ୍ଷୀ ଏଵଂ କା କା ଆଦି ଶବ୍ଦ ଉଚ୍ଚାରଣ କରିଥାଏ ଵୋଲି ଏହାର ନାମ କୁଆ ତଥା କାଉ ରଖାଯାଇଛି । ଓଡ଼ିଶାରେ ସାଧାରଣତଃ କାକ ଭଳି କୌଣସି ଏକ ପକ୍ଷୀକୁ କୋକୁଆ ବୋଲି ସନ୍ଦେହ କରାଯାଉଥିଵା ଦୃଶ୍ୟ ହୋଇଥାଏ । ପୁନଶ୍ଚ ଗ୍ରାମାଞ୍ଚଳର ଲୋକେ କୁହନ୍ତି ଏହି ପକ୍ଷୀଟି କୁକୁ କୁକୁ କୁଆ କୁଆ ଶବ୍ଦ କରିଥାଏ ‌ । ସାରଳା ମହାଭାରତରେ ମଧ୍ୟ କୋକୁଆ ନାମକ ଭୟଙ୍କର ଜୀଵକୁ ଆକାଶରେ ଉଡୁ଼ଥିଵା ନଵପକ୍ଷଧାରୀ ପକ୍ଷୀ ରୂପେ ଵର୍ଣ୍ଣନା କରାଯାଇଛି । 

“ଯୋଜନେ ଯୋଜନେ ଭୁଜ ତାର ସପତଗୋଟି ଆଖି ।
ଅନ୍ତରୀକ୍ଷେ ଉଡୁଥାଇ ଅଛଇ ତାର ନଵପଚ୍ଛୀ ॥”

ତେଣୁ ଏଠାକାର କିଛି ଵୁଦ୍ଧିଜୀଵି ଏହି ସବୁ ଲୋକଵିଶ୍ଵାସ ଆଧାରରେ ଅନୁମାନ କରନ୍ତି ଯେ ପୂର୍ଵକାଳରେ ଓଡ଼ିଶାରେ ଭୟଙ୍କର ମାରାତ୍ମକ ରୋଗ ଵ୍ୟାପିଲେ ଵା ଭୀଷଣ ଵନ୍ୟା ଵାତ୍ୟା ଅଥଵା ଅକାରଣ କଳିଗୋଳ ଓ ଅଜ୍ଞାତ କାରଣରୁ ଅନେକ ଘରେ ନିଆଁ ଲାଗିଵା ଇତ୍ୟାଦି କାର୍ଯ୍ୟ ପାଇଁ କୋକୁଆକୁ ଦାୟୀ କରାଯାଉଥିଲା । ଏଭଳି ଦୁଃସମୟରେ ଗ୍ରାମାଞ୍ଚଳରେ କୌଣସି ଏକ ଅଜଣା ପକ୍ଷୀ କୁ କୁ କିମ୍ଵା କୁଆ କୁଆ ରାଵ କରିଵା ଯୋଗୁଁ ତାକୁ ଏଥିପାଇଁ ଦାୟୀ କରାଯାଇ କୋକୁଆ ଭଳି ଏକ ଭୟଙ୍କର ଜୀଵର ନାମକରଣ ହୋଇଅଛି ବୋଲି ଅନେକେ ଵିଶ୍ଵାସ କରନ୍ତି । ଭାରତରେ କାଉ,କୋଇଲି,ଚଷାପୁଅ ତଥା ଚକ୍ରଵାକ୍ ପକ୍ଷୀ ଆଦି କିଛି ପକ୍ଷୀ "କୁ,କା,କୁଆଂ" ଆଦି ରାଵ କରିଥାନ୍ତି । ସଂସ୍କୃତ ଭାଷାରେ ଚକ୍ରଵାକ୍ ପକ୍ଷୀକୁ କୋକ କୁହାଯାଏ । 

ଗୀତଗୋଵିନ୍ଦରେ ଏହି ଚକ୍ରଵାକ ପକ୍ଷୀ ଅର୍ଥରେ କୋକ ଶବ୍ଦ ପ୍ରୟୋଗ କରାଯାଇଛି 

“କୋକାନାଂ କରୁଣସ୍ଵନେନ ସଦୃଶୀ ଦୀର୍ଘା ମଦଭ୍ଯର୍ଥନା”

ଇଂରାଜୀ ଭାଷାରେ ଚକ୍ରଵାକ ପକ୍ଷୀକୁ ruddy shelduck ଓ Brahminy duck କୁହାଯାଏ ଏଵଂ ଏହାର ଵୈଜ୍ଞାନିକ ନାମ Tadorna ferruginea ଅଟେ । ଏହି ପକ୍ଷୀଟିର ଭାରତଵର୍ଷ ଓ ଏହାର ଆଖପାଖ ଅଞ୍ଚଳ ହେଉଛି ମୂଳ ଭୂଖଣ୍ଡ ତଥା ଏମାନେ କୁଆଂ କୁଆଂ ଵା କଉଆଂ କଉଆଂ ରାଵ କରିଥାନ୍ତି । ଫଳତଃ ଅନୁମାନ କରାଯାଇପାରେ ଯେ ଏମାନଙ୍କର ଏଭଳି ରାଵ କରିଵା ଯୋଗୁଁ ଏମାନଙ୍କୁ କୋକ କୁହାଯାଉଥିଲା । ତେଣୁ କେତେକ ଅନୁମାନ କରନ୍ତି ଯେ କୋକୁଆ ଶବ୍ଦର ସୃଷ୍ଟି ନିଶ୍ଚୟ ଗୋଟିଏ ପକ୍ଷୀର ରାଵ ଓ ତତ୍ ସମ୍ଵନ୍ଧୀୟ ଲୋକଵିଶ୍ଵାସ ଯୋଗୁଁ ହୋଇଥିଲା ।  

ଆଉ କିଛି ଲୋକଙ୍କ ମତରେ କୋକୁଆ ଶବ୍ଦଟି ଓଡ଼ିଆ ଶବ୍ଦ "କୋକେଇ" ସହିତ ସମ୍ଵନ୍ଧିତ । ଶଵକୁ ଶ୍ମଶାନ ବୋହିନେଵା ନିମନ୍ତେ ଛଅ ଖଣ୍ଡ କାଠରେ ତିଆରି କରାଯିଵା ନିଶୁଣି ଭଳି ଦେଖାଯିଵା ଏକପ୍ରକାରର ବୁହାଯାନକୁ ଆମ ଭାଷାରେ କୋକେଇ କୁହାଯାଏ । ବଡ଼ ବଡ଼ ଦୁଇ ଖଣ୍ଡି ବାଉଁଶ ଉପରେ ଚାରି ଖଣ୍ଡି ଛୋଟ ବାଉଁଶ ଆଡ଼ବାଗରେ ପାଳଦଉଡ଼ିରେ ବାନ୍ଧି କୋକେଇ ତିଆରି କରନ୍ତି ‌। ଏଥିରେ ବଡ଼ ସାନ କରି ଛଅଖଣ୍ଡ ବାଉଁଶ ଲାଗିଥାଏ। କୋକୁଆ ନାମକ ଅଦ୍ଭୁତ ଅଜଣା ଜୀଵ ଯୋଗୁଁ ଗାଆଁକୁ ଗାଆଁ ଵିସୂଚିକା ଭଳି ମାରାତ୍ମକ ରୋଗ କିମ୍ଵା ଵନ୍ୟା ଵାତ୍ୟା,ଅଗ୍ନି ଉତ୍ପାତ ଯୋଗୁଁ ଖାଲି ହେଇଯାଉଥିଲା ‌ବୋଲି ଲୋକଵିଶ୍ଵାସ ଥିଲା । ମଣିଷ ମଲେ କୋକେଇରେ ବୁହା ହୁଅନ୍ତି ତେଣୁ ଯୋଉ ଜୀଵ ଯୋଗୁଁ ଗାଆଁଗଣ୍ଡା କୋକେଇମୟ ହୋଇଯାଏ ତାକୁ କୋକୁଆ କୁହାଯାଏ ବୋଲି କେତେକ ଅନୁମାନ କରନ୍ତି ‌ । ଓଡ଼ିଆ ଭାଷାରେ କୋକେଇକୁ 'କକୁଆ' ମଧ୍ୟ କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ । କିନ୍ତୁ ଏହି କୋକେଇ ଶବ୍ଦର ମୂଳ କ'ଣ ତାହା ଅସ୍ପଷ୍ଟ ।‌

ପୁଣି କିଛି ଲୋକେ କୁହନ୍ତି ଯେ ଶାସ୍ତ୍ରୀୟ 'କୋକଃ' ଶବ୍ଦ ସହିତ ଏହି କୋକୁଆ ଶବ୍ଦ ସମୋଦ୍ଧୃତ । ଏ ଦେଶରେ 'ଵୃକ' ଵା 'ବିଲୁଆ'କୁ ମଧ୍ୟ 'କୋକ' କୁହାଯାଉଥିଲା । । 

ଯଥା ରାମାୟଣର “ ୫ । ୨୬ । ୯ ।” ରେ ଏହି ଶବ୍ଦର ଵିଲୁଆ ଅର୍ଥରେ ଏମନ୍ତ ପ୍ରୟୋଗ ହୋଇଅଛି

 “ଵନେ ଯୂଥପରିଭ୍ରଷ୍ଟା ମୃଗୀ କୋକୈରିଵାର୍ଦ୍ଦିତା” ॥ 
 
ଓଡ଼ିଶାରେ ପିଲାଙ୍କୁ ଡରାଇଵା ପାଇଁ "କକ" ଶବ୍ଦ ଵ୍ୟଵହୃତ ହୁଏ । ପୁଣି ମାତାମାନେ କୁକୁରକୁ ଦେଖେଇ କୁହନ୍ତି ଖାଇଦେ ନୋହିଲେ "କକ" ନେଇଯିଵ । 
ପୂର୍ଵେ କଥିତ ହୋଇଛି ଯେ ସଂସ୍କୃତରେ କୋକ ଶବ୍ଦର ଏକ ଅର୍ଥ 'କୁହ୍ଲିଆ' ଵା 'ବିଲୁଆ' ଯିଏ ଦେଖିଵାକୁ କୁକୁର ପରି କିନ୍ତୁ ଏହି ବିଲୁଆ ଜୀଵଟି ଜଙ୍ଗଲୀ ହୋଇଥିଵାରୁ ହିଂସ୍ର ଓ ପିଲାମାନଙ୍କୁ ଆକ୍ରମଣ ମଧ୍ୟ କରିପାରନ୍ତି । ପୂର୍ଵକାଳରେ ବିଲୁଆମାନେ ପ୍ରାୟ ଗାଁଗଣ୍ଡାରେ ପଶି ସୁଯୋଗ ପାଇଲେ ଗୃହପାଳିତ ପଶୁଠାରୁ ଛୋଟପିଲା ଯାଏଁ ଯାହା ପାଉଥିଲେ ନେଇଯାଉଥିଲେ ।ଫଳତଃ ସେମାନଙ୍କଠାରୁ ପିଲାଙ୍କୁ ସାଵଧାନ କରାଇଵାପାଇଁ ଓଡ଼ିଶାରେ 'କକ','କକମିନା' ଓ 'କୋକମିନା' ଆଦି ଭୟଙ୍କର ଜୀଵଙ୍କ କଳ୍ପନା କରାଯାଇଥିଵା ସମ୍ଭଵ । 

ବିଲୁଆକୁ ପାଶ୍ଚାତ୍ୟ ସଂସ୍କୃତିରେ ମନୁଷ୍ୟର ଅଵିଶ୍ଵାସୀ ଵନ୍ଧୁ ତଥା କୁକୁରକୁ ଵିଶ୍ଵସ୍ତ ଵନ୍ଧୁ ଭାଵେ ଅଭିହିତ କରାଯାଇଛି । ବିଲୁଆ ହେଉ ଵା ହେଟାବାଘ ଏମାନେ ସୁଯୋଗ ପାଇଲେ ମାନଵ ଶିଶୁକୁ ଘରୁ ସୁଦ୍ଧା ଉଠେଇ ନେଉଥିଲେ । ପୂର୍ଵେ ରାତିରେ ଏତେ ଆଲୋକ ନଥିଲା ତେଣୁ ଏମାନଙ୍କର ଭୟ ଅଧିକ ରହୁଥିଲା । ଶାସ୍ତ୍ରୀୟ 'କୋକ' ଶବ୍ଦ ସହିତ 'କକ','କକମିନା','କକଵାୟା' ଓ 'କୋକୁଆ' ଆଦି ଶବ୍ଦର ସମ୍ପର୍କ ଥାଇପାରେ କିନ୍ତୁ କୋକୁଆ ଭୟ କ'ଣ ହୋଇଥିଵ ? 

 ଅଜଣା ଅଜ୍ଞାତ କାରଣରୁ ସମାଜରେ ସୃଷ୍ଟି ହେଉଥିଵା ଭୀଷଣ ଭୟକୁ ଆଜିକାଲି 'କୋକୁଆ ଭୟ' ଵୋଲାଯାଉଅଛି । କିନ୍ତୁ ଏହି 'କୋକୁଆ ଓ 'କୋକୁଆ ଭୟ'ର ବିଲୁଆମାନଙ୍କ ସହିତ କି ସମ୍ଵନ୍ଧ ଥାଇପାରେ ?

ବିଲୁଆମାନେ ସାଧାରଣତଃ ଜଙ୍ଗଲରେ ରୁହନ୍ତି କିନ୍ତୁ ସେମାନେ ଵଣର ଏକମାତ୍ର ମାଂସଭକ୍ଷୀ ନୁହନ୍ତି । ଜଙ୍ଗଲରେ ବାଘ ସିଂହ ଚିତା ଅଧିକ ଖାଦ୍ୟ ପାଇଯାଆନ୍ତି । ଵର୍ଷେ ଵର୍ଷେ ଖାଦ୍ୟ ଅଭାଵ ହେଲେ ବିଲୁଆମାନେ ଏକାଠି ହୋଇ ଗୋଷ୍ଠୀରେ ଶିକାର କରିଵା ଆରମ୍ଭ କରିଦିଅନ୍ତି । ଏହାକୁ ଇଂରାଜୀରେ 'Pack' କୁହାଯାଏ । କେବେ କେବେ ଏଭଳି ଗୋଷ୍ଠୀରେ ୩୦୦ରୁ ୪୦୦ଟି ବିଲୁଆ ଯୋଗ ଦେଵାଯୋଗୁଁ ସେ ଗୋଷ୍ଠୀ ବହୁତ ଵିଶାଳ ହୋଇଯାଏ । ତାହାକୁ 'Super Pack' କୁହାଯାଏ । ଯେତେଵେଳେ ବିଲୁଆମାନେ 'SuperPack' ଗଠନ କରନ୍ତି ସେମାନେ ସାଧାରଣ ବିଲୁଆଙ୍କ ଅପେକ୍ଷା ଅନେକଗୁଣ ଅଧିକ ହିଂସ୍ର ହୋଇଯାଆନ୍ତି । ସେତେଵେଳେ ତାଙ୍କର ସାମ୍ନା ବାଘ ଭାଲୁ ବି କରିଵାକୁ ଡରନ୍ତି ଆଉ ମଣିଷ ଓ କୁକୁରଙ୍କ କଥା କିଏ ପଚାରୁଛି । 

ବିଲୁଆମାନେ ଏବେ ବି ଵିଶ୍ଵର ଅନେକ ସ୍ଥାନରେ SuperPack ଗଠନ କରି ଖାଦ୍ୟ ପାଇଁ ଅନ୍ୟ ଜୀଵଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି । ଏମନ୍ତକି ଅନେକ କ୍ଷେତ୍ରରେ ଏଥିପାଇଁ ମାନଵମାନେ ମଧ୍ୟ ଆକ୍ରମଣ ଓ ମୃତ୍ୟୁର ଶିକାର ହୋଇଛନ୍ତି । ବିଲୁଆଙ୍କ ପରି ଆଫ୍ରିକାରେ ଜଙ୍ଗଲୀକୁକୁରଙ୍କ ସାମୁହିକ ଦଳ ଆକ୍ରମଣ କରି ଅନେକ ଜୀଵଙ୍କୁ ହତ୍ୟା କରନ୍ତି। 

ଏଣୁ ସମ୍ଭଵତଃ 'କୋକୁଆ' ଶବ୍ଦଟି 'କୋକ' ଵା ବିଲୁଆ ଓ ଜଙ୍ଗଲୀକୁକୁରଙ୍କ ସହିତ ସମ୍ଵନ୍ଧିତ ହୋଇଥାଇପାରେ ଏଵଂ କୋକୁଆ ଭୟ ସମ୍ଭଵତଃ ଵିଲୁଆଙ୍କର ଅତୀଵ ହିଂସ୍ର SuperPack ଗୋଷ୍ଠୀଗଠନ କରିଵା ଯୋଗୁଁ ସୃଷ୍ଟି ହୋଇଥିଵା ଜନଜୀଵନ ନାଶର ଜନସୃତି ଭାଵେ ପ୍ରଚଳିତ ହୋଇଅଛି । 

ହୋଇଥାଇପାରେ ଯେ ଆଜକୁ ଶହ ଶହ ଵର୍ଷ ପୂର୍ଵେ ଓଡ଼ିଶାର ଜଙ୍ଗଲରେ ଖାଦ୍ୟାଭାଵ ଯୋଗୁଁ ବିଲୁଆ ଵା ଜଙ୍ଗଲୀକୁକୁରମାନେ SuperPack ଗଠନକରି ରାତ୍ରିର ଅନ୍ଧକାରରେ ମାନଵ ଜନଵସତି ଉପରେ ଭୀଷଣ ଆକ୍ରମଣ କରିଥିଵେ ଏଵଂ ସେଥିପାଇଁ ମନୁଷ୍ୟମାନେ ଵିଲୁଆଙ୍କର ସେହି କୋକ ନାମରୁ 'କକ','କକମିନା','କକବାୟା' ଓ ସେମାନଙ୍କର SuperPack ଅଵସ୍ଥାକୁ 'କୋକୁଆ' ନାମ ଦେଇଥିଵେ । ପରେ ଜନସମାଜରେ ପ୍ରଚଳିତ 'କୋକୁଆ' ଶବ୍ଦଟି ସାରଳା ମହାଭାରତରେ ଵ୍ୟଵହାର ହେଵା ଯୋଗୁଁ ଏହା ଓଡ଼ିଶାରେ ଅଧିକ ଜଣାଶୁଣା ହୋଇଥିଵ ‌। 

ସାରଳା ଦାସ ସେହି ଅଦ୍ଭୁତ ଅଦୃଷ୍ଟ ଭୟଙ୍କର ଜୀଵ 'କୋକୁଆ'କୁ ନିଜ ସାହିତ୍ୟରେ ସ୍ଥାନ ଦେଇ ଅମର କରିଦେଇ ଯାଇଛନ୍ତି। କିନ୍ତୁ ସେ କୋକୁଆକୁ ଆଜିଯାଏଁ କେହି ଦେଖି ନାହାନ୍ତି । ଆଗେ ଵେଳେଵେଳେ ଯେତେଵେଳେ ମହାମାରୀ ଵ୍ୟାପୁଥିଲା ଓ ଶହ ଶହ ଲୋକ ମରିଯାଉଥିଲେ ସେତେଵେଳେ ସାରଳା ମହାଭାରତର କଥା ମନେପକେଇ କୌଣସି ନିରୀହ ଅଳ୍ପ ଦୃଶ୍ୟ ପ୍ରଜାତିର ପକ୍ଷୀକୁ ମାରି ଟଙ୍ଗେଇ ଦେଉଥିଲେ । ଏମିତି କରିଵାର ଅଭିପ୍ରାୟ ଲୋକଙ୍କ ମନରେ ଵିଶ୍ଵାସ ରହିଵ,ଲୋକେ ଡରିବେ ନାହିଁ କି ଅଯଥା ଧୈର୍ଯ୍ୟ ହରାଇବେ ନାହିଁ ।  

ଆଦିମକାଳରୁ ପ୍ରାଚୀନ ମାନଵ କାଳ୍ପନିକ ଜୀଵର କଳ୍ପନା କରି ଆସିଛି । ପ୍ରାୟତଃ ସବୁ ଦେଶରେ ସମଗ୍ର ମାନଵଜାତିରେ ଏଵଂ ସବୁ ଅଞ୍ଚଳରେ ଏଭଳି ଜୀଵଙ୍କ କାହାଣୀମାନ ଶୁଣିଵାକୁ ମିଳିଥାଏ ।
କାଳ୍ପନିକ ଜୀଵଙ୍କର କଳ୍ପନାର ମୂଳ ଉଦ୍ଦେଶ୍ୟ ଥିଲା ଅଵାଧ୍ୟ ଶିଶୁ, କିଶୋର ଓ ଯୁଵକମାନଙ୍କୁ ହିଂସ୍ର ଜୀଵଜନ୍ତୁ ତଥା ଅଜଣା ଵିପଦରୁ ଦୂରେଇ ରଖି ଭଵିଷ୍ୟତ ପିଢ଼ିକୁ ସୁରକ୍ଷିତ ରଖିଵା ତେଵେ ସେ କେଵଳ କାହାଣୀ ଗଢ଼ି ଵସିଯାଇନଥିଲା ଵରଂ ନିଜ ଭଵିଷ୍ୟତ ପିଢ଼ିକୁ ଵଞ୍ଚାଇଵାକୁ ଉଦ୍ୟମ ମଧ୍ୟ କରିଥିଲା ‌ । ପ୍ରାଚୀନକାଳର ଭୟଙ୍କର ପରିଵେଶ ମଧ୍ୟରେ ବଢ଼ି ମଣିଷ ତା ସହିତ ଖାପଖୁଆଇ ଚଳିଵାର କଳା ଵିକଶିତ କରି ଆଜି ଏତେଟା ଵାସ୍ତୁଵାଦୀ ଓ ସାମାଜିକ ଉନ୍ନତି କରିପାରିଛି ।

••••••••••••••••••••••••••

Sunday, March 5, 2023

ଦକ୍ଷିଣ ପଶ୍ଚିମ ଓଡ଼ିଶାର ଗୟଳ ନୃତ୍ୟ

ଆମର ଯେମିତି ଦକ୍ଷିଣ ଓଡ଼ିଶାରେ ବାଘନାଚ ଅଛି ଠିକ୍ ସେହିପରି ଦକ୍ଷିଣ ପଶ୍ଚିମ ଓଡ଼ିଶାରେ କୋୟା, ଗଣ୍ଡ ଆଦି ଜନଜାତୀୟ ଗୋଷ୍ଠୀଙ୍କର ବେଣ୍ଟଯାତ୍ରା (ଚୈତ୍ର ପର୍ଵ) କାଳରେ ଆୟୋଜିତ ହୋଇଥାଏ ଗୟଳ ନୃତ୍ୟ । 


ବାଘକୁ ଦୂରଚଳଭାଷ, ଦୂରଦର୍ଶନ ଓ ନନ୍ଦନକାନନରେ ସମସ୍ତେ ଦେଖିଥିବେ କିନ୍ତୁ ଗୟଳ ବୋଇଲେ ଅଧୁନା ଅନେକ ଲୋକ ଜାଣିନପାରନ୍ତି ତେଣୁ ଏ ଜୀଵ ଵିଷୟରେ ସାମାନ୍ୟ ଆଲୋଚନା କରିନେଵା ଉଚିତ୍ ହେଵ । 

 ଗାଈ ଵା ଗାଭୀକୁ bos ସ୍ତନ୍ୟପାୟୀ ବଂଶରେ ରଖାଯାଇଛି । ଏହି bos ବଂଶକୁ ଅନେକ ଉପବଂଶରେ ଵିଭକ୍ତ କରାଯାଇଛି ଏଵଂ ତନ୍ମଧ୍ୟରେ Bos ଉପବଂଶରେ ଭାରତୀୟ ଗୃହପାଳିତ ଗାଈ, ଆଫ୍ରିକୀୟ ଗାଈ,ଜେବୁ ଗାଈ ଓ ଟାଉରିନ୍ ଗାଈ ଥିଲାବେଳେ Bibos ଉପବଂଶରେ ଜଙ୍ଗଲୀ ଗୟଳ ଗୟଳ(Bos gaurus), ଗୃହପାଳିତ ଗୟଳ(Bos frontalis)ଙ୍କୁ ରଖାଯାଇଛି । 

ଗୃହପାଳିତ ଗୟଳ ଓ ଜଙ୍ଗଲୀ ଗୟଳ ଓଡ଼ିଶା,ବଙ୍ଗ, ଉତ୍ତର ପୂର୍ଵ ଭାରତ, ମିଆଁମାର ଓ ଚୀନରେ ଦେଖାଯାଆନ୍ତି । ଏମାନଙ୍କୁ ଓଡ଼ିଶାରେ ଗଏଳ,ଗଇଳ,ଗୟଳ ଓ ଗୃହପାଳିତ ଗୟଳର ଵୈଜ୍ଞାନିକ ନାମ Bos frontalis ହୋଇଥିଲା ବେଳେ 
ଜଙ୍ଗଲୀ ଗୟଳର ଵୈଜ୍ଞାନିକ ନାମ Bos gaurus ଅଟେ । ମଇଁଷିମାନଙ୍କର ଶିଙ୍ଗ ଚେପଟା କିନ୍ତୁ ଗୟଳମାନଙ୍କ ଶିଙ୍ଘ ଗୋଲ ହୋଇଥାଏ ।

 ଓଡ଼ିଆ ସାହିତ୍ୟରେ ଗୟଳମାନଙ୍କର ବହୁ ସ୍ଥାନରେ ଉଲ୍ଲେଖ କରାଯାଇଛି । 

ଓଡ଼ିଆ ଭାଗଵତର ତୃତୀୟ ସ୍କନ୍ଧରେ ଵିଭିନ୍ନ ଜୀଵଙ୍କ ସହ ଗୟଳର ନାମୋଲ୍ଲେଖ ଥିଵା ଦେଖାଯାଏ ...

"ଚକୋର ଚକ୍ରଵାକ ଵାଣୀ ।
ଅତି ଗଭୀର ପରିମାଣି ॥
ଗୟଳ ଶଲ୍ଲକ କୁଞ୍ଜର ।
କୁରଙ୍ଗ ହରିଣ ଶୂକର ॥"

ପୁଣି ଚତୁର୍ଥ ସ୍କନ୍ଧରେ ମଧ୍ୟ ଗୟଳ ଶବ୍ଦ ଏମନ୍ତ ଵ୍ଯଵହୃତ ହୋଇଛି

" ଵରାହ ଗୟଳ ହରିଣ ।
ଶଶା ମହିଷ ପଶୁଗଣ ॥
ମେଧ୍ୟ ଅମେଧ୍ୟ ପଶୁ ଯେତେ ।
ଇତ୍ୟାଦି ଜୀଵ ଯେ ଵନସ୍ତେ ॥”

ସେହିପରି ସାରଳା ମହାଭାରତରେ ଆମେ ଗୟଳର ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାଆନ୍ତି ...

"ଵନ ଜୀଵମାନେ ପଳାଵନ୍ତି ଡରେ କୁତୂହୋଳେ
ଗଣ୍ଡା ଗୟଳ ହରଷେ ଧରଇ ବ୍ରିକୋଦର ॥"

ଶଶି ଶେଣା କାଵ୍ଯରେ ଵିଭିନ୍ନ ପ୍ରକାରର ଜୀଵଜନ୍ତଙ୍କ ଵର୍ଣ୍ଣନା ରହିଛି 

“ସିଂହ ଗଜ ଶଶା ମୃଗ ଶାର୍ଦ୍ଦୂଳ ।
ହରିଣ ଵରେହା ଗଣ୍ଡା ଗୟଳ ।
ମଇଁଷି ଘୋଡା ଫକୋଷ ଵଳେୟା ।
କପି ଖୁରାଣ୍ଟି କସ୍ତୂରୀ ଶାଳେୟା ।
ଶଅମ୍ବର ଶଶା । 
ଶୃଗାଳ ନେଉଳ ନେପାଳ ମୂଷା ॥”

ଉଭୟ ଗୃହପାଳିତ ଗୟଳ ଓ ଜଙ୍ଗଲୀ ଗୟଳଙ୍କ ମଧ୍ୟରେ କେତେକ ସାଦୃଶ୍ୟ ରହିଛି ତେବେ ଓଡ଼ିଶାର ଜନଜାତୀୟ ଲୋକେ ଜଙ୍ଗଲୀ ଗୟଳ Bos gaurusକୁ ଶିକାର କରୁଥିଲେ ‌। 

ବହୁଵର୍ଷ ପୂର୍ଵରୁ କୋଇତୁର,ଗଣ୍ଡ ଓ କୋୟା ଆଦି ଜନଜାତୀୟ ଗୋଷ୍ଠୀଙ୍କ ମଧ୍ୟରେ 
ଗୋଟିଏ ଲୋକଵିଶ୍ବାସ ଥିଲା ଯେ ଵନ୍ୟପଶୁ ଶିକାର କରି ସେହି ପଶୁର ରକ୍ତ ଦାର୍ଣ୍ଣିମାତା
ଵା ଧରିତ୍ରୀଙ୍କୁ ସମର୍ପଣ କଲେ ଭଲ ଵର୍ଷା ହୁଏ ଓ ମାଟି ମା’ ଭଲ ଫସଲ ଦିଅନ୍ତି ‌‌। 

ଏହି ଲୋକଵିଶ୍ଵାସକୁ ମୂଳକରି କୋଇତୁର, କୋୟା,ଗଣ୍ଡମାନଙ୍କର ପୂର୍ଵ ପୁରୁଷମାନେ ଥରେ ଚୈତ୍ର ପର୍ଵ ପାଳନ କରି ଶିକାରକୁ ଗଲେ । ପ୍ରଥମେ ସେମାନେ ଗୋଟିଏ ଗୟଳକୁ ଶିକାର କଲେ । ସେହି ଶିକାର ହୋଇଥିଵା ଗୟଳକୁ ବଣୁଆ
ଫୁଲର ମାଳ, କଅଁଳ ପତ୍ରର ଡାଳରେ ମଣ୍ଡଣି କରି କାନ୍ଧେଇକି ଗ୍ରାମ ଦେଵୀଙ୍କ ନିକଟରେ ବାଜା ବଜାଇ ମହା ଆନନ୍ଦରେ ବୁଢ଼ାବୁଢ଼ୀ ପିଲାଛୁଆଙ୍କୁ ନଚାଇଲେ । ଏହି ନୃତ୍ୟ ଅତି ଚମତ୍କାର ଦିଶିଲା ଏଵଂ ମନ ଆକର୍ଷକ ହେଲା । ଏହାପରେ ସେମାନେ ଯେତେଥର ଶିକାରକୁ ଗଲେ ଭଲ ଶିକାର ସବୁଦିନ ପାଇଲେ ।

ତେଣୁ ସେହିଦିନଠାରୁ ଭଲ ଶିକାର ମିଳିଵା ଆଶା ଓ ଵିଶ୍ବାସରେ ଚୈତ୍ର ପର୍ଵ ଶେଷ ଦିନ ଗୟଳର ଛାଞ୍ଚକରି ଗୟଳ ଶିଙ୍ଗ ଯୋଡ଼ି ଏମାନଙ୍କ ଜନଜାତୀୟ ଗାଁଆରେ ଲୋକେ ଲୋକ ନାଚନ୍ତି । 

ସେହିଦିନଠାରୁ ବାଉଁଶ
ପାତିଆରେ ଟୋକେଇବୁଣି ତହିଁରେ ଦୁଇଗୋଟି ଗୟଳ ଶିଙ୍ଗ ଯୋଡ଼ି ସେଥିରେ ଲାଲ ଓ କଳା ଆଦି ରଙ୍ଗବେରଙ୍ଗର କନା ବେଢ଼ାଇ, ଦୁଇ ପାର୍ଶ୍ଵରେ ଧଳା ପୋହଳା ଵା
କଉଡ଼ିର ମାଳ ବାନ୍ଧି କାଠ ମାଦଳ ଅଥଵା ଗୁଡ଼ରା ଵାଦ୍ୟର ନିନାଦ ସହ ନାଚ କରନ୍ତି ।


ସେହି ଗୟଳ ଶିଙ୍ଗ ବନ୍ଧା ଟୋକେଇ ମଧ୍ୟରେ ମୟୁରପୁଚ୍ଛ କିମ୍ବା କଳାବଣ କୁକୁଡ଼ାର
ଘନକୃଷ୍ଣ ଉଜ୍ଜ୍ଵଳ ପର ଖୋସା ଯାଇଥାଏ ।
ଆଜିକାଲି ଟୋକେଇ ପରିଵର୍ତ୍ତେ କପଡ଼ା ମଧ୍ୟ ଵ୍ୟଵହୃତ ହେଉଅଛି । ପୁରୁଷମାନେ ଲାଲ କିମ୍ବା କଳା ଲୁଗା ପିନ୍ଧି
ନାଚ କରନ୍ତି ଏଵଂ ସେମାନଙ୍କ ପାର୍ଶ୍ବରେ ସ୍ତ୍ରୀମାନେ ଝୁମୁକା ବାଡ଼ି ଧରି ନୃତ୍ୟ କରନ୍ତି ।
ସଂପ୍ରତି ଏହି ଗୟଳ ନୃତ୍ୟ ମାଲକାନଗିରି ଜିଲ୍ଲାର କୋୟା, ନବରଙ୍ଗପୁର ଜିଲ୍ଲାର
ଗଣ୍ଡ ତଥା ଛତିଶଗଡ଼ର ଗୋଣ୍ଡାମାନଙ୍କର ସର୍ଵଶ୍ରେଷ୍ଠ ନୃତ୍ୟଭାବେ ସର୍ଵଭାରତୀୟସ୍ତରରେ ମାନ୍ୟତା ଲାଭ କରିଛି । 


ତେବେ ଆଜି ବି ଓଡ଼ିଶାର ଅନେକେ ଗୟଳ ନୃତ୍ୟ ଵିଷୟରେ ଜାଣିପାରିନାହାନ୍ତି । ଏକ ସୀମିତ ଅଞ୍ଚଳରେ ଓ ନିର୍ଦ୍ଧିଷ୍ଟ ଜନଗୋଷ୍ଠୀ ମଧ୍ୟରେ ଆୟୋଜିତ ହେଉଥିଵାରୁ ବାଘନାଚ ପରି ଗୟଳ ନୃତ୍ୟ ସେତେଟା ଲୋକପ୍ରିୟ ହୋଇପାରିନାହିଁ । 

•••••••••••••••••••••••••••
ତଥ୍ୟ ଉତ୍ସ: ଦେଶିଆ ଜ୍ଞାନକୋଷ 
••••••••••••••••••••••••••••

Thursday, November 24, 2022

ଢ,ଢା,ଢୀ,ଢୁ ଓ ମ,ମା,ମି,ମୁ ; ଢେଙ୍କାନାଳ ମଧୁପୁର ସନ୍ଧି ପ୍ରସଙ୍ଗ

ଢେଙ୍କାନାଳର ଵର୍ତ୍ତମାନ ରାଜବଂଶର ପ୍ରତିଷ୍ଠାତା ଥିଲେ ରାଜା ହରିସିଂହ ଵିଦ୍ୟାଧର । ତାଙ୍କ ପରେ ତାଙ୍କ ପୁତ୍ର ଲୋକନାଥ ରାୟସିଂହ ଭ୍ରମରବର ଢେଙ୍କାନାଳର ଶାସନ ଦାୟିତ୍ୱ ଗ୍ରହଣ କଲେ । ଢେଙ୍କାନାଳ ରାଜା ଲୋକନାଥ (ରାୟସିଂହ) ଭ୍ରମରବରଙ୍କ ଵୀରତ୍ଵ, ଦିଗଵିଜୟ ଓ ସହୃଦୟତାର ଅନେକ କାହାଣୀ ରହିଛି ‌ । 

ମଧୁପୁର ଗଡ଼ ଚଣ୍ଡିଖୋଲ ଓ ଜେନାପୁରର ମଧ୍ୟ ଭାଗରେ ବ୍ରାହ୍ମଣୀ ନଦୀର ପଶ୍ଚିମ ପାଖରେ ଅଵସ୍ଥିତ । ଲୋକନାଥ ଭ୍ରମରବରଙ୍କ ସମୟରେ ଏଠାରେ ଜଣେ ରାଜା ଶାସନ କରୁଥିଲେ । ଢେଙ୍କାନାଳ ରାଜା ପୂର୍ଵ ଦିଗରେ ଦିଗଵିଜୟ କରିଵାକୁ ବାହାରି ଥାଆନ୍ତି । ସେ ମଧୁପୁର ନିକଟରେ ପହଞ୍ଚିଵା ଜାଣି ମଧୁପୁର ରାଜା ଭୟଭୀତ ହେଲେ। ସେ ସମୟରେ ଢେଙ୍କାନାଳ ରାଜ୍ୟର ସୈନ୍ୟଶକ୍ତିକୁ ସାମ୍ନା କରିଵାକୁ ମଧୁପୁର ରାଜାଙ୍କ ପାଖରେ ସେଭଳି ଶକ୍ତିଶାଳୀ ସୈନ୍ଯଵାହିନୀ ନଥିଲା । ତେଣୁ ସେ ବୁଦ୍ଧି ବଳରେ ଏହି ସମସ୍ୟାର ସମାଧାନ କରିଵାକୁ ଚେଷ୍ଟା କଲେ । ମଧୁପୁର ରାଜାଙ୍କ ପାଖରେ ଜଣେ ଵିଦୂଷକ ଥିଲେ ‌। ଉକ୍ତ ଵିଦୂଷକ ରାଜାଙ୍କୁ ଏହି ସମସ୍ୟାର ସମାଧାନ କରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ ଏଵଂ ତାଙ୍କୁ ଢେଙ୍କାନାଳ ରାଜାଙ୍କ ଛାମୁକୁ ଦୂତ ଭାବେ ପଠାଇଵାକୁ ସଵିନୟ ଅନୁରୋଧ କଲେ । 
 ରାଜଆଦେଶ ପାଇ ଚତୁର ଵିଦୂଷକ ମଧୁପୁର ଗଡ଼ର ରାଜଦୂତ ଭାବରେ ସନ୍ଧି କରିଵା ନିମିତ୍ତ ଢେଙ୍କାନାଳ ରାଜାଙ୍କ ନିକଟକୁ ଗଲେ ।
 
ରାଜା ଲୋକନାଥଙ୍କ ଛାମୁରେ ପହଞ୍ଚି ମଧୁପୁର ରାଜଦୂତ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଜଣାଇଲେ “ମଣିମା ! ଆପଣଙ୍କ ରାଇଜର ନାମ ଢେଙ୍କାନାଳ ଏଵଂ ତାହା 'ଢ' ଅକ୍ଷରରୁ ଆରମ୍ଭ ହୋଇଥିଵାରୁ ଢ , ଢା , ଢୀ , ଢୁ । ଆମ ମଧୁପୁରର ଆଦ୍ୟ ଅକ୍ଷର ହେଉଛି 'ମ' ଅର୍ଥାତ୍ ଆମେ ମ , ମା , ମି , ମୁ । ଏହାର ଭାବ ହେଲା ଆପଣ ସିଂହ ସଦୃଢ଼ ଢ , ଢା , ଢୀ ଢୁ କଲାବେଳକୁ ଆମେ ଛେଳି ସଦୃଶ ମ , ମା , ମୀ , ମୁ ହେବ । ଦୟାକରି ଆପଣ ଛାର ମଧୁପୁର ପ୍ରତି କୃପା କରନ୍ତୁ ।”
  
ରାଜଦୂତଙ୍କର ଚାଟୁ ଵାକ୍ୟରେ ପ୍ରୀତ ହୋଇ ଢେଙ୍କାନାଳଧୀଶ୍ଵର ଲୋକନାଥ କହିଲେ 
“ଆମ୍ଭେ ଏହି ସ୍ଥାନରୁ ଫେରି ଯାଉଛୁଁ ।” ତହୁଁ ଢେଙ୍କାନାଳ ରାଜା ମଧୁପୁରଗଡ଼ର ରାଜଦୂତଙ୍କୁ ନିକଟସ୍ଥ ପର୍ଵତରୁ ଦେଖାଇ କହିଲେ “ଏହି ପର୍ଵତ ଆଜିଠାରୁ ଦୁଇ ରାଜ୍ୟ ମଧ୍ୟସ୍ଥ ସୀମା ହେଵ । ମଧୁପୁର ରାଜାଙ୍କୁ ଜଣାଇ ଦେବେ ପର୍ଵତର ପୂର୍ଵ ଦିଗରେ ସେ ନିଶ୍ଚିନ୍ତରେ ଶାସନ କରନ୍ତୁ ।”

କୁହାଯାଏ ଯେଉଁ ସ୍ଥାନରେ ଢେଙ୍କାନାଳ ରାଜ୍ୟର ସେତେବେଳେ ସେନାଛାଉଣୀ ପଡ଼ିଥିଲା ଏଵଂ ଯେଉଁଠାରୁ ଲୋକନାଥ ଫେରି ଆସିଥିଲେ ସେହି ସ୍ଥାନର ନାମ ତତ୍ପରେ ଇଚ୍ଛାପୁର ତଥା ତତ୍ ସନ୍ନିକଟ ପର୍ଵତର ନାମ ନିଶ୍ଚିନ୍ତା ପର୍ଵତ ରଖାଯାଇଥିଲା । ମଧୁପୁର ସନ୍ଧି ଫଳରେ ରାଜା ଲୋକନାଥ ଯେଉଁ ଭୂଖଣ୍ଡ ଲାଭ କଲେ ତାକୁ “ରାୟ ସିଂହ ପ୍ରସାଦ” ପ୍ରଗଣା ଵା ଵିଷ ନାମ ଦେଇ ଢେଙ୍କାନାଳ ରାଜ୍ୟଭୁକ୍ତ କଲେ । 

ଓଡ଼ିଶାରେ ଏକାଧିକ ଗଡ଼ମଧୁପୁର , ମଧୁପୁରଗଡ଼ ଵା ମଧୁପୁର ନାମରେ ସ୍ଥାନ ଥିଵା ଜଣାଯାଏ । ଗୋଟିଏ ଗଡ଼ମଧୁପୁର(୭୫୪୦୩୨) କଟକ ଜିଲ୍ଲାର ନରସିଂହପୁର ନିକଟରେ ମହାନଦୀ କୂଳରେ ଅଵସ୍ଥିତ । 

ଆଉ ଏକ ମଧୁପୁର ପୁରୀ ଜିଲ୍ଲାରେ ଅଵସ୍ଥିତ ,ଏକ ମଧୁପୁର ଦେଵୀ ନଦୀ କୂଳରେ ନୂଆଗଡ଼ ନିକଟରେ ଅଵସ୍ଥିତ । 

ଏଠାରେ ଉଲ୍ଲେଖ ଥିଵା ଗଡ଼ମଧୁପୁର (୭୫୫୦୨୩) ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏଵଂ ଏହି ଗଡ଼ମଧୁପୁରଠାରୁ ପ୍ରାୟ ୭୮ କିମି ଦୂରରେ ଇଚ୍ଛାପୁର(୭୫୯୦୧୫) ବୋଲି ଏକ ଗ୍ରାମ ରହିଛି । ଭାପୁର ଗ୍ରାମ ଓ ସପ୍ତଶଯ୍ୟା ଜଙ୍ଗଲ ମଝିରେ ଏହି ଇଚ୍ଛାପୁର ଗ୍ରାମ ଅଛି । ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏହି ଗଡ଼ମଧୁପୁର ନିକଟରେ ରାୟ ସିଂହ ପ୍ରସାଦ(୭୫୯୦୧୬) ବୋଲି ଏକ ଗ୍ରାମ ମଧ୍ୟ ଅଛି । ଏହି ମଧୁପୁରଗଡ଼ଟି ଯାଜପୁର ଜିଲ୍ଲାରେ ଅଵସ୍ଥିତ ଏଵଂ ଲୋକକଥାରୁ ଜଣାଯାଏ ଯେ ଏହି ମଧୁପୁରଗଡ଼ରେ ଜଣେ ବ୍ରାହ୍ମଣ ରାଜା ମଧୁସୂଦନ ଵିଦ୍ୟାରତ୍ନ ଶାସନ କରୁଥିଲେ । ତେବେ ସେତେବେଳେ ଏହି ରାଜ୍ୟର ନାମ କମାଗଡ଼ ଥିଲା । ପରେ ୧୫୦୨ରେ ଅନ୍ୟ ଜଣେ ରାଜାଙ୍କ ଦ୍ଵାରା ଏ ଅଞ୍ଚଳ ଶାସନାଧୀନ ହେଵାରୁ ଏହି ରାଜ୍ୟର ନାମକରଣ ମଧୁସୂଦନ ଵିଦ୍ୟାରତ୍ନଙ୍କ ସ୍ମୃତିରେ ମଧୁପୁର ରଖାଯାଇଥିଲା । 

•••••••••••••••••••••••••••••••••••
ତଥ୍ୟ ଉତ୍ସ— 
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି
ପୁସ୍ତକ(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର) 
•••••••••••••••••••••••••••••••••••

Monday, August 8, 2022

ଥେବ୍ସ୍ ନଗର ପ୍ରତିଷ୍ଠାର କାହାଣୀ

ପ୍ରାଚୀନ Phoenicia ନଗରରେ Cadmus ନାମରେ ଜଣେ ରାଜକୁମାର ଥିଲେ ( ଏହି Phoenicia ନଗରକୁ ଲେବାନନ ଦେଶରେ ଚିହ୍ନଟ କରାଯାଇଛି) । 

ତାଙ୍କର ଭଉଣୀ Europaଙ୍କୁ Zeus ଅପହରଣ କରିଵାରୁ ସେ ନିଜର ଭଉଣୀକୁ ଫେରାଇ ଆଣିଵାକୁ ବାହାରି ପଡି଼ଲେ । ବହୁ କଷ୍ଟ ସ୍ବୀକାର ପୂର୍ଵକ ନାନା ଦୁଃଖ କଷ୍ଟ ସହି ସେ ଆଗକୁ ଆହୁରି ଆଗକୁ ବଢ଼ିଚାଲିଲେ । 

ବାଟରେ ଭଵିଷ୍ୟତଵାଣୀ ହେଲା 
ହେ Cadmus ! ତୁମେ ଏହି ଵିପଦପୂର୍ଣ୍ଣ ପଥ ମଧ୍ୟରେ ଯଦି କୌଣସି ଵିଚିତ୍ର ଚିହ୍ନ ଯୁକ୍ତ ଗାଭୀ ଦେଖ ତେବେ ସେହି ଗାଈ ଯେଉଁ ସ୍ଥାନରେ ଶୋଇଵା ଦେଖିଵ ସେଠାରେ ନିଶ୍ଚୟ ଗୋଟିଏ ନଗର ପ୍ରତିଷ୍ଠା କରିଵ । 

ରାଜକୁମାର Cadmus ଲେବାନନର Phoeniciaରୁ ଗ୍ରୀସ୍ ଦେଶର ଏକ ଜନଶୂନ୍ୟ ଅଞ୍ଚଳରେ ଆସି ପହଞ୍ଚିଲେ । 

ଗ୍ରୀସ ଦେଶ ଦେଇ ଯାଉଥିଵା ବେଳେ ସେ ଏକ ସ୍ଥାନରେ ଏକ ଵିଚିତ୍ର ଵର୍ଣ୍ଣା ଓ ଚିହ୍ନଯୁକ୍ତ ଗାଭୀ ଦେଖିଲେ । 

ତାଙ୍କର ଆକାଶଵାଣୀ କଥା ମନେ ପଡ଼ିଲା । ତେଣୁ Cadmus ସେ ଗାଈଟି ପଛରେ ଚାଲିଲେ । କିଛି ଦୂର ଯାଇ ଗାଈଟି ଏକ ସ୍ଥାନରେ ଶୋଇପଡି଼ଲା । Cadmus ସେ ସ୍ଥାନକୁ ଚିହ୍ନଟ କରି ସେଠାରେ ନଗର ପ୍ରତିଷ୍ଠା କରିଵାକୁ ମନେ ମନେ ସ୍ଥିର କଲେ । ସେ ନିଜର ଅନୁଚରମାନଙ୍କୁ ସେ ସ୍ଥାନରେ ଜଳ ଓ ଖାଦ୍ୟ ତଥା ସୁଵିଧା ଅସୁଵିଧା ଜାଣିଵାପାଇଁ ନିର୍ଦ୍ଦେଶ ଦେଲେ ।

 Cadmusଙ୍କ ଅନୁଚରମାନଙ୍କ ମଧ୍ୟରେ କେତେକ ନିକଟସ୍ଥ ଗୁମ୍ଫାରେ ଏକ ଡ୍ରାଗନ ହସ୍ତରେ ନିହତ ହେଲେ । ସେମାନଙ୍କ ଆର୍ତ୍ତଚିତ୍କାର Cadmus ଶୁଣିପାରିଲେ । ସେ ଦେଵୀ ଏଥିନାଙ୍କୁ ପ୍ରାର୍ଥନା କରି ସେହି ଦେଵୀଙ୍କ ସାହାଯ୍ୟ ତଥା ପରାମର୍ଶ ବଳରେ ନିଜର ଅସ୍ତ୍ରଶସ୍ତ୍ର ଧରି ଡ୍ରାଗନ୍ ସହିତ ଯୁଦ୍ଧ କରି ତାକୁ ମାରିଦେଲେ । ଡ୍ରାଗନ ମରି ଯିଵାରୁ ତାହାର ଦାନ୍ତଗୁଡ଼ିକୁ ଗୋଟିଏ ସ୍ଥାନରେ ପୋତି ଦିଆଗଲା । ଫଳରେ ଦାନ୍ତ ପୋତା ଯାଇଥିଵା ସ୍ଥାନରୁ ଅନେକ ଶକ୍ତିଶାଳୀ ପୁରୁଷ ଜାତ ହେଲେ ।

 ସେମାନେ ହାଵଭାଵରୁ ହିଂସ୍ର ଜଣାପଡ଼ୁଥିଲେ । ରାଜକୁମାର Cadmus ଏକାବେଳକେ ଏତେ ସଂଖ୍ୟକ ଵୀରମାନଙ୍କୁ ଦେଖି ସାଵଧାନତାର ଏକ ସ୍ଥାନରେ ଲୁଚିଗଲେ ଏଵଂ ମନରେ କିସ ଗୋଟେ ଵିଚାର କରି ସେମାନଙ୍କ ଉପରକୁ ପଥରଟିଏ ମାରିଦେଲେ । 

 
ଡ୍ରାଗନ ଦାନ୍ତରୁ ଜାତ ଶକ୍ତିଶାଳୀ ପୁରୁଷମାନେ ପଥର ମାଡ଼ ପାଇଁ ନିଜ ନିଜ ଭିତରେ ବାଡ଼ାବାଡି଼ ହୋଇଗଲେ ଏଵଂ ସେମାନଙ୍କ ଭୀଷଣ ରଣସଂଗ୍ରାମ ଯୋଗୁଁ ଚତୁର୍ଦିଗ ପ୍ରକମ୍ପିତ ହେଵାକୁ ଲାଗିଲା। ଶେଷରେ ସେମାନଙ୍କ ମଧ୍ୟରୁ ମାତ୍ର ପାଞ୍ଚଜଣ ଜୀଵିତ ବଞ୍ଚିଲେ ଏଵଂ ସେମାନଙ୍କୁ Cadmus ସହଜରେ ହରାଇ ଦେଲେ ।

 ତହୁଁ ପୂର୍ଵୋକ୍ତ ଗାଈଟି ଯେଉଁ ସ୍ଥାନରେ ଆସି ଶୋଇପଡି଼ଥିଲା ସେଠାରେ 
ରାଜକୁମାର Cadmus ଗୋଟିଏ ନଗର ସ୍ଥାପନ କଲେ ଏଵଂ ତାହାର ନାମ Thebes ରଖିଲେ । ଏହି Thebes ନଗର ଆଜିକାଲି ଗ୍ରୀସ୍ ଦେଶରେ Thiva ନଗର ଭାବେ ଵିଦ୍ୟମାନ । 


(ଆମ ଦେଶରେ ଵିଶେଷତଃ ଓଡ଼ିଶାରେ ତାଳଚେର,ବୋଡ଼ାସମ୍ବର ଭଳି କେତେକ ନଗର ପ୍ରତିଷ୍ଠାର କାହାଣୀ ଏହି ଧରଣର ହୋଇଥିଵା ଦେଖାଯାଏ । ୧୯୯୦ ଜାନୁଆରୀ ମାସରେ ପ୍ରକାଶିତ ଜହ୍ନମାମୁଁ ପତ୍ରିକା(ହିନ୍ଦୀ)ରେ Cadmusଙ୍କ ଵିଷୟରେ ଏହିପରି ଏକ କାହାଣୀ ପ୍ରକାଶିତ ହୋଇଥିଲା )

Tuesday, July 19, 2022

ପଦ୍ମପୁରର ବୋଡ଼ାସମ୍ବର

ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳର ଏକ ଗ୍ରାମର ନାମ ହେଉଛି ବୋଡ଼ାସମ୍ବର କିନ୍ତୁ
ପୂର୍ଵେ ବୋଡ଼ାସମ୍ବର ଏକ ଐତିହ୍ୟପୂର୍ଣ୍ଣ ଜମିଦାରୀ ଅଞ୍ଚଳ ଥିଲା ।


 ଏହା ୮୪୧ ଵର୍ଗମାଇଲ ତଥା ୪୭୬ଟି ଗ୍ରାମ ମଧ୍ଯରେ ଵ୍ୟାପ୍ତ ଥିଲା । ବୋଡ଼ାସମ୍ବରର ଦକ୍ଷିଣରେ ୧୦୪୪.୦୮ ମିଟର ଉଚ୍ଚତା ବିଶିଷ୍ଟ ଗନ୍ଧମାର୍ଦ୍ଦନ ପର୍ଵତମାଳା ଅଵସ୍ଥିତ, ପୂର୍ଵ ସୀମାରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର, ପଶ୍ଚିମ ଦିଗରେ ନୂଆପଡ଼ା ଜିଲ୍ଲା, ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ଫୁଲଝର ଅଞ୍ଚଳ ଅଵସ୍ଥିତ । ଅଧୁନା ଏ ଅଞ୍ଚଳ ସୀମିତ ହୋଇ ବରଗଡ଼ ଜିଲ୍ଲାର ପଦ୍ମପୁର ନଗରଠାରୁ ୧୮ କି.ମି ଦୂରରେ ବୋଡ଼ାସମ୍ବର ଗ୍ରାମ ଭାବେ ଵିଦ୍ୟମାନ । ଇଂରାଜୀରେ ଏ ଅଞ୍ଚଳର ନାମ Borasambar ଲେଖାଯାଉଛି ଏଵଂ ଏଠିକାର ପିନ୍ କୋଡ଼ ହେଲା ୭୬୮୦୩୯ । ଏହି ଅଞ୍ଚଳଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୩୫୦ କି.ମି ଦୂରରେ ଅଵସ୍ଥିତ। 

କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ଵୀର ବାରଭାଇ ବେଣ୍ଟକାର ଅରଣ୍ୟ ଭିତରେ ପରିଭ୍ରମଣ କରୁକରୁ ଏହି ଜମିଦାରୀ ଅଞ୍ଚଳ ପ୍ରତିଷ୍ଠା କରିଥିଲେ ।

ବୋଡ଼ାସମ୍ବର , ପଦ୍ମପୁର ଉପଖଣ୍ଡର ଐତିହ୍ୟପୂର୍ଣ୍ଣ ଅଞ୍ଚଳ ଵିଵେଚିତ ହୋଇଥାଏ । ଅରଣ୍ୟ ଦ୍ୱାରା ଆଚ୍ଛାଦିତ ଏହି ଗ୍ରାମ ବୋଡ଼ାସମ୍ବର ଗଡ଼ଜାତର କେନ୍ଦ୍ରସ୍ଥଳୀ ଥିଲା ।

କୁହାଯାଏ ବୋଡ଼ାସମ୍ବରରେ ବିଞ୍ଜାଲ,କନ୍ଧ,ଶବର ତଥା ଗଣ୍ଡ ଜାତିର ମୁଖିଆମାନେ ଅନେକ ସଂଖ୍ୟାରେ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟଗୁଡ଼ିଏ ପ୍ରତିଷ୍ଠା କରିଥିଲେ । 

ବିଂଝାଲମାନଙ୍କ ଦ୍ଵାରା କଥିତ କିମ୍ବଦନ୍ତୀ ଅନୁସାରେ ଏମାନଙ୍କ ପୂର୍ଵପୁରୁଷ ବାରଭାଇ ବେଣ୍ଟକାର । ପ୍ରତ୍ୟେକ ଭ୍ରାତା କେତେଗୁଡ଼ିଏ ଗ୍ରାମକୁ ନେଇ ପ୍ରଶାସନିକ ଖଣ୍ଡର ଶାସନ ଭାର ଗ୍ରହଣ କରିଥିଲେ ।

ବାରଭାଇଙ୍କ ମଧ୍ୟରେ ସୂର୍ଯ୍ୟ ବରିହା ଥିଲେ ଜ୍ୟେଷ୍ଠ ଭ୍ରାତା । ‘ଶ୍ରୀ ନୃସିଂହ ମାହାତ୍ମ୍ୟ’ ଅନୁଯାୟୀ ସୂର୍ଯ୍ୟ ବରିହା ହେଉଛନ୍ତି ବୋଡ଼ାସମ୍ବର ଗଡ଼ଜାତର ପ୍ରଥମ ରାଜା ।

 ୧୮୯୯ ମସିହାରେ ଲାଲ ରାଜେନ୍ଦ୍ର ସିଂହ ବରିହା ରାଜ୍ୟର ଶାସନ ଭାର ବହନ କରିଥିଲେ । ଶାସନର ଗୁରୁତ୍ଵକୁ ଉପଲବ୍ଧି କରି ସେ ପଦ୍ମପୁରକୁ ରାଜଧାନୀ ରୂପେ ବାଛିଥିଲେ । ବୋଡ଼ାସମ୍ବର ଏକ ଶୃଙ୍ଖଳିତ, ଐତିହ୍ୟ ସମ୍ପନ୍ନ,ଶକ୍ତିଶାଳୀ ତଥା କ୍ଷମତାପୂର୍ଣ୍ଣ ଗଡ଼ଜାତ ଅଞ୍ଚଳ ରୂପେ ସୁଖ୍ୟାତି ବହନ କରିଥିଲା । 
 

ବୋଡ଼ାସମ୍ବର ନାମକରଣ ପଛରେ କିମ୍ବଦନ୍ତୀମୂଳକ ଆଖ୍ୟାନ ରହିଛି । ବାରଭାଇ ବେଣ୍ଟକାର ଶିକାର ଉଦ୍ଦେଶ୍ୟରେ ନିଘଞ୍ଚ ଅରଣ୍ୟ ଭିତରେ ବୁଲୁଥିଲା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ଚମକି ପଡ଼ିଲେ । 

ଶ୍ଵେତ ଵରାହ ଓ ଶ୍ଵେତ ଶଶା ଭିତରେ ମରଣାନ୍ତକ ଲଢ଼େଇ ଚାଲିଥିଲା । ଜ୍ୟେଷ୍ଠ ଭ୍ରାତା ପ୍ରଵଳ ସିଂ ଶର ନିକ୍ଷେପ କଲେ । ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ଵରାହ ଶଶକ ସହ ପୂର୍ଵ ଦିଗକୁ ଗଲା । ଶୁଣାଯାଏ ସ୍ଵୟଂ ଜଗନ୍ନାଥ ଵରାହ ରୂପ ଧାରଣ କରିଥିଲେ । 


ମାୟାଧର ପ୍ରଭୁ ଵରାହ ରୂପୀ ଜଗନ୍ନାଥ ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଏଵଂ ଯାଉଁଳା କବାଟଟିକୁ ବନ୍ଦ କରିଦେଲେ । ଫଳତଃ ଶ୍ରୀମନ୍ଦିରର ମୁଖ୍ୟ ଦରଜାରେ ଶରଟି ଲାଖି ରହିଲା । ସମସ୍ତ ମଲ୍ଲଯୋଦ୍ଧା ଆପ୍ରାଣ ଉଦ୍ୟମ କଲେ ସୁଦ୍ଧା ଶରଟିକୁ ବାହାର କରି ପାରିଲେନି । 

ବାରଭାଇ ବେଣ୍ଟକାର ପୁରୀରେ ପହଞ୍ଚି ନିଜର ଶରଟିକୁ ଅନାୟସରେ ଚିହ୍ନି ପାରିଲେ । ମହାରାଜାଙ୍କର ଅନୁମତିକ୍ରମେ ଶରଟିକୁ ବାହାର କରି ବଳଶାଳୀର ପରିଚୟ ଦେଇଥିଲେ । ସନ୍ତୁଷ୍ଟ ହୋଇ ମହାରାଜ କହିଲେ ‘ତୁମେ ଗନ୍ଧମାର୍ଦ୍ଦନର ପାଦଦେଶରେ ଥିବା ‘ମଣିଦାକାନନ’ ରେ ନିଜ ଗଡ଼ ସ୍ଥାପନ କର । ଏକ ଵରାହ ଵା ବାର୍ହା ପଛରେ ଧାବନ କରି କ୍ଷତ୍ରିୟ ଧର୍ମ ପାଳନ କରିଥିବାରୁ ତୁମକୁ ‘ବରିହା’ ଉପାଧି ପ୍ରଦାନ କରାଗଲା ।’ 


ଗଜପତିଙ୍କ ଠାରୁ ମେଲାଣି ନେଇ ବାଟରେ ଲୁହୁରା କନ୍ୟା ସୁଲୋଚନାକୁ ପ୍ରବଳ ସିଂ ଵିଵାହ କଲେ । ମଣିଦାକାନନରେ ରାଜ୍ୟ ପ୍ରତିଷ୍ଠା କରି ଵସଵାସ କଲେ । ଜଙ୍ଗଲରେ ଭ୍ରମଣ କରୁଥିଲାବେଳେ ବାରଭାଇ ବେଣ୍ଟକାର ଵିଚିତ୍ର ଦୃଶ୍ୟର ଅଵଲୋକନରେ ଆତ୍ମହରା ହୋଇପଡ଼ିଲେ ।

 ବୁଡ଼ା(ବୋଡ଼ା)ସାପଟିଏ ଵିରାଟ ସମ୍ବରକୁ ଆକ୍ରମଣ କରୁଥିଲାବେଳେ ଦୁହିଁଙ୍କ ଉପରକୁ ଶର ନିକ୍ଷେପ କଲେ । ସାପଟି ସମ୍ପୂର୍ଣ୍ଣ ରୂପେ ସମ୍ବରକୁ ଗିଳି ପଳାୟନ କରୁଥିଲେ ମଧ୍ୟ ସମ୍ବରର ମୁନିଆଁ ଶିଙ୍ଘରେ ଆକ୍ରାନ୍ତ ହୋଇ ସେଠି ଟଳି ପଡିଲା । ଏ ସ୍ଥାନଟି ବୀର ମାଟି । ଶତ୍ରୁ ହେଲେ ବି ପରାସ୍ତ ହୋଇପାରେ ଅନାୟସରେ । ଏମନ୍ତ ବିଚାରି ବାରଭାଇ ବେଣ୍ଟକାର ଗଡ଼ ତିଆରିଲେ । ‘ନୃସିଂହ ମାହାତ୍ମ୍ୟ’ ରେ ଲିଖୁତ ଅଛି – 
 
"ବିଂଝାଲ ରାଜାଙ୍କ ସେହି ମୁଖ୍ୟଗଡ଼ ହେଲା ରାଜବୋଡାରେ ସେ ଗଡ଼ ବିଖ୍ୟାତ ହୋଇଲା ।
 ଅରଣ୍ୟ କଟାଇ ତହିଁ ଗ୍ରାମ ବସାଇଲେ ସେଦିନୁ ସମସ୍ତେ ବୁଡ଼ା ସମ୍ବର ବୋଇଲେ ।"
 
ମଶିଦାକାନନର ନାମ ପରିବର୍ତ୍ତିତ ହୋଇ ବୁଡ଼ାସମ୍ବର/ ବୋଡ଼ାସମ୍ବର ବୋଲି ନାମିତ ହେଲା । 

ଏବେ ବି ପଦ୍ମପୁର ଉପଖଣ୍ଡକୁ ବୋଡ଼ାସମ୍ବର ବୋଲି କୁହାଯାଉଛି । 

ତେବେ ଏହା ତ ପୌରାଣିକ ଵା କିମ୍ବଦନ୍ତୀ ମୂଳକ ମତ କିନ୍ତୁ ଐତିହାସିକଙ୍କ ମତାନୁଯାୟୀ ବୁଡ଼ାସମ୍ବର ଵା ବୋଡ଼ାସମ୍ବର ଶବ୍ଦର ମୂଳ ସମ୍ଭଵତଃ ବୁଦ୍ଧ ସମ୍ବତ୍ସର । 

ବୁଦ୍ଧ ଶବ୍ଦକାଳ କ୍ରମେ ପରିଵୃତ୍ତ ହୋଇ ବୁଡା ହୋଇଛି । ସମ୍ବତ୍ସର ଶବ୍ଦରୁ ସମ୍ବଅର ଵା ସମ୍ବର ହୋଇ ବୁଡ଼ାସମ୍ବର ଵା ବୋଡ଼ାସମ୍ବରର ନାମକରଣ ହୋଇଥିବାର ପ୍ରମାଣ ମିଳେ । 

ବୋଡ଼ାସମ୍ବରରେ ମାର୍ଜାର କେଶରୀ ଵୈଷ୍ଣଵ ଧର୍ମର ଦେଵତା ପୂଜା ଦେଖିଵାକୁ ମିଳେ । ଏ ଅଞ୍ଚଳ ବୌଦ୍ଧଧର୍ମ ସାଧନାର ପୀଠ ଥିଲା । ଗନ୍ଧଗିରି/ଗନ୍ଧମାର୍ଦନ ଗିରିର ପାଦଦେଶରେ ବୁଦ୍ଧସମ୍ବତ୍ସର ଵୈଶାଖ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିଲା । କାଳକ୍ରମେ ଜନଵସତି ସ୍ଥାପନ ହେଵା ସହ ଏହି ସ୍ଥାନର ନାଁ ବୋଡ଼ାସମ୍ବର ହୋଇଥିଵାର ଜଣାପଡ଼େ ।


ଆଜି ବୋଡ଼ାସମ୍ବରର ନାମ ଏକ ଗ୍ରାମ ମଧ୍ୟରେ ସୀମିତ ହୋଇଯାଇଥିଲେ ବି ପଦ୍ମପୁର ନଗରର ଵିଭିନ୍ନ ସ୍ଥାନରେ ବୋଡ଼ା ଓ ସମ୍ବରର ଲଢ଼ାଇକୁ ପ୍ରତିମା ରୂପେ ସ୍ଥାପନା କରାଯାଇଛି ପୁଣି 
ପଦ୍ମପୁର ଅଞ୍ଚଳର ସ୍ଥାନୀୟ ପ୍ରତୀକ ହୋଇଯାଇଛି ବୋଡ଼ା ଓ ସମ୍ବର ଲଢ଼ାଇ । ଏହା ସୂଚାଇ ଦିଏ ଯେ ଏକଦା ଏ ପଦ୍ମପୁର ଅଞ୍ଚଳଟି ବୋଡ଼ାସମ୍ବର ନାମରେ କଥିତ ହେଉଥିଲା । 

••••••••••••••••••••••••
ଆଲେଖ୍ୟ—ଶିଶିର ସାହୁ ମନୋଜ 
କନ୍ତିଓ ପୁଟସାହି, ଢେଙ୍କାନାଳ 
•••••••••••••••••••••••••

Sunday, July 10, 2022

ରାଣୀଗୁମ୍ଫା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ

ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ ( ଫଳକ ନମ୍ବର . ୨ ) କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ ।

“ଥରେ ସିଂହପଥର ରାଜା ସପରିଵାର ଵନଵିହାର କରି ଶେଷରେ ଅରଣ୍ୟ ମଧ୍ୟରେ ଥିଵା ଏକ ପଦ୍ମ ପୋଖରୀକୁ ସ୍ନାନ କରିଵା ପାଇଁ ଆସିଲେ । ତାହା ପୂର୍ଵରୁ ଏକ ଦନ୍ତାହାତୀ କେତେକ ହସ୍ତିନୀଙ୍କ ସହ ଉକ୍ତ ପୋଖରୀର ପଦ୍ମଵନରେ ଉନ୍ମୁକ୍ତ ହୋଇ କ୍ରୀଡ଼ା କରୁଥାନ୍ତି । ରାଜା ହସ୍ତୀପଲକୁ ତଡ଼ିଵା ନିମନ୍ତେ ଉଦ୍ୟମ କରିଵାରୁ ଦନ୍ତା ବଳଟି କ୍ରୁଦ୍ଧ ହୋଇ ତାଙ୍କୁ ଆକ୍ରମଣ କଲା । ସେ ସାହସର ସହିତ ତାଙ୍କର ସମ୍ମୁଖୀନ ହେଲେ ଏଵଂ ଉଭୟ ଦଳ ମଧ୍ୟରେ କିଛକାଳ ଖଣ୍ଡଯୁଦ୍ଧ ଚାଲିଲା । ସେତେବେଳେ ରାଜନନ୍ଦିନୀ ନିଜ ଜୀଵନକୁ ଭ୍ରୂକ୍ଷେପ ନକରି ହସ୍ତୀ ସମ୍ମୁଖକୁ ଆସି ତାହା ଉପରକୁ ନିଜର ଅଙ୍ଗାଭରଣମାନ ନିକ୍ଷେପ କଲେ । ହସ୍ତୀଟି କ୍ଷତଵିକ୍ଷତ ହୋଇ ପଛଘୁଞ୍ଚା ଦେଲା , ମାତ୍ର ସେହି ସଂଘର୍ଷରେ ରାଜ ପୁରୁଷ ସାଂଘାତିକ ଭାଵରେ ଆହତ ହେଲେ । ରାଜ ଜେମା ତାଙ୍କୁ ନିକଟସ୍ଥ ଏକ ଗିରିଗୁହାକୁ ଶୁଶ୍ରୂଷା ନିମନ୍ତେ ଘେନିଗଲେ ।

 ହସ୍ତୀଦଳ ସହ ସଂଘର୍ଷ ଚାଲିଥିଵା ସମୟରେ କେତେଜଣ ମହିଳା ଭୟବିହ୍ଵଳା ହୋଇ ଇତସ୍ତତଃ ପଳାୟନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଵା ରାଜାଙ୍କର ଏକ ଅନୁଚରୀ ଜଣେ ପ୍ରଭାଵଶାଳୀ ଵ୍ୟକ୍ତିଙ୍କ ଗୁପ୍ତଚରୀ ରୂପେ କାର୍ଯ୍ୟ କରୁଥିଵା ଅନୁମିତ ହୁଏ । ରାଜ କନ୍ୟାଙ୍କୁ ଲାଭ କରିଵା ନିମନ୍ତେ ସେହି ପୁରୁଷଙ୍କର ବହୁଦିନରୁ ଗୁପ୍ତ ଅଭିଳାଷ ଥିଲା ଏଵଂ ଅନ୍ତଃପୁରର ସେହି ପରିଚାରକା ଥିଲା ତାଙ୍କ ଉଦ୍ଦେଶ୍ୟ ପୂରଣର ସହକାରିଣୀ । 

ସେହି ଲମ୍ଫଟ ପୁରୁଷ ଗୁପ୍ତଚରୀ ଠାରୁ ରାଜାଙ୍କର ଦୁରାଵସ୍ଥା ସମ୍ପର୍କରେ ସମ୍ବାଦ ପାଇଵା ମାତ୍ରେ ରାଜକନ୍ୟାକୁ ଲାଭ କରିଵା ଲାଳସାରେ ଅସ୍ଥିର ହୋଇ ଉଠିଲେ । ଗୁପ୍ତଚରୀ ତାଙ୍କୁ ପଥ କଢ଼ାଇ ଗିରିଗୁହାକୁ ନେଇଗଲା । ସେଠାରେ ସେ ରାଜପୁରୁଷଙ୍କୁ ଆହତ ଓ ଅସହାୟ ଅଵସ୍ଥାରେ ଦେଖି ନିର୍ମମ ଭାବେ ହତ୍ୟା କଲା ଏଵଂ ରାଜକନ୍ୟାଙ୍କୁ ଅପହରଣ କରିଵା ନିମନ୍ତେ ବଳପ୍ରୟୋଗ କଲା ।

 ସେହି ଵୀରତରୁଣୀ ନିଜ ସମ୍ମାନ ରକ୍ଷା ନିମନ୍ତେ ମୃତ ପିତାଙ୍କର ଅସ୍ତ୍ରଧରି ତାଙ୍କର ପ୍ରତିରୋଧ କଲେ । ମାତ୍ର ଅଳ୍ପକାଳ ପରେ ସେ ଦ୍ବନ୍ଦ୍ବ ଯୁଦ୍ଧରେ ପରାଭୂତା ମନ୍ଦିନୀ ହେଲେ । ସୌଭାଗ୍ୟ ଵଶତଃ ସେତେବେଳେ ଖାରବେଳ ସଦଳବଳେ ସେହି ଅରଣ୍ୟରେ ପାରିଧି ଵିଜେ କରିଥାନ୍ତି । 

ସମ୍ରାଟଙ୍କର ସେନା କୋଳାହଳରେ ଵନଭୂମି ହଠାତ୍ ମୁଖରିତ ହୋଇ ଉଠିଲା । ସେହି ଲମ୍ପଟ ପୁରୁଷ ଭୟଭୀତ ହୋଇ ରାଜଜେମାଙ୍କୁ ଅରଣ୍ୟରେ ଏକାକିନୀ ଛାଡ଼ି ପଳାୟନ କଲେ । 

ଇତ୍ୟଵସରରେ ଖାରବେଳଙ୍କ ଦ୍ଵାରା ଶରଵିଧ ହୋଇ ଦ୍ରୁତଗାମୀ ମୃଗଟିଏ ନିକଟସ୍ଥ ଏକ ଵୃକ୍ଷ ମୂଳରେ ଟଳି ପଡ଼ିଲା । ସମ୍ରାଟ ଅଶ୍ଵପୃଷ୍ଠରୁ ଅଵତରଣ କରି ନିଜେ ସେହି ଆହତ ମୃଗ ଆଡ଼କୁ ଅଗ୍ରସର ହେଲେ । ନିକଟକୁ ଯାଇ ଦେଖିଲେ , ଜଣେ ତରୁଣୀ ଵୃକ୍ଷ ଶାଖାରେ ବସି ଆଶ୍ରୟ ପ୍ରାର୍ଥନା କରୁଛନ୍ତି । ତାଙ୍କର ପରିଚୟ ଲାଭ କରି ଖାରବେଳ ତାଙ୍କୁ ଅଭୟ ପ୍ରଦାନ କଲେ ଏଵଂ ଆଦର ସହ ନିଜ ପ୍ରାସାଦକୁ ଘେନି ଆସିଲେ । ସିଂହପଥ ରାଜକନ୍ୟାକୁ ଉଦ୍ଧାର କରି ଆଣିଥିଵା ଉପଲକ୍ଷରେ ରାଜାଧାନୀ କଳିଙ୍ଗ ନଗରୀରେ ନୃତ୍ୟଗୀତ ସହ ଵିଵିଧ ଉତ୍ସଵ ଆୟୋଜିତ ହୋଇଥିଲା । ଖୋଦିତ ଚିତ୍ରରେ ଖାରବେଳ ନିଜେ ସେହି ନଵାଗତା ରାଜକନ୍ୟାଙ୍କୁ ପାଖରେ ବସାଇ ନୃତ୍ୟ ସଂଗୀତ ଉପଭୋଗ କରୁଥିଵାର ଦେଖାଯାନ୍ତି । ଚିତ୍ରାବଳୀର ସର୍ଵଶେଷ ଅଂଶରେ ସମ୍ରାଟ ସେହି ରାଜକନ୍ୟାଙ୍କ ସହିତ ଵିଵାହ ବନ୍ଧନରେ ଆଵଦ୍ଧ ହୋଇ ପ୍ରମୋଦ ଉଦ୍ୟାନରେ ଵିହାର କରୁଥିଵାର ଦୃଶ୍ୟ ଦେଖିଵାକୁ ମିଳେ । ରାଣୀଗୁମ୍ଫାର ତଳ ମହଲାର ଡ଼ାହାଣ ପାର୍ଶ୍ଵରେ ଖୋଦିତ ଏକ ଚିତ୍ରାଵଳୀରେ ସମ୍ରାଟ ଖାରବେଳ ଉଭୟ ରାଣୀଙ୍କ ମଧ୍ୟରେ ଉପଵିଷ୍ଟ ହୋଇଥିଵା ଦେଖାଯାନ୍ତି । ଅନେକ ଚିତ୍ରାଵଳୀକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଖାରବେଳଙ୍କ ସହ ଉଭୟ ମହିଷୀ ଵିଭିନ୍ନ ଅଵସରରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ହେଉଥିଲେ । ସମ୍ବଵତଃ ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ ରାଜତ୍ଵର ଚତୁର୍ଦ୍ଦଶ ଵର୍ଷରେ ଗଢ଼ା ହୋଇଥିଲା , କାରଣ ଏଥିରେ ରାଜତ୍ଵର ତ୍ରୟୋଦଶ ଵର୍ଷ ପର୍ଯ୍ୟନ୍ତ କାର୍ଯ୍ୟକଳାପର ଵର୍ଷାନୁଵର୍ଷ ଵିଵରଣୀ ମିଳିଥାଏ । ତାର ପରଵର୍ତ୍ତୀ ଇତିହାସ ଆଜି ମଧ୍ୟ ଅନ୍ଧକାର ମଧ୍ୟରେ ରହିଛି । ଏଣୁ ଖାରବେଳ ସର୍ଵମୋଟ କେତେ ଵର୍ଷ ରାଜତ୍ଵ କରିଥିଲେ ଏଵଂ କେତେ ଵର୍ଷ ଜୀଵିତ ଥିଲେ ତାହା କୁହାଯାଇପାରୁନାହିଁ ।”

ନୀଳକଣ୍ଠ ଦାସ ତାଙ୍କ "ଖାରବେଳ" ଦୀର୍ଘ କଵିତାରେ ସେହି ଚିତ୍ରାଵଳୀକୁ ଭିନ୍ନ ରୂପରେ ପ୍ରକାଶ କରିଛନ୍ତି ।ପଣ୍ଡିତ ନୀଳକଣ୍ଠ ତାଙ୍କର "ଖାରବେଳ" କାଵ୍ଯରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି । 

ନୀଳକଣ୍ଠଙ୍କର "ଖାରବେଳ" କାଵ୍ଯର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅଵସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ । 

ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି ଅଞ୍ଚଳ ଭାବେ ଚିହ୍ନଟ କରାଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui । 

ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ । 

ଖାରବେଳ ପ୍ରଥମେ "ପଟଳ"ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥି କରିଵାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ। 

ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ "ଧୂସି" । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି "ଧୂସି"ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା । 

ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିଵା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ 'ଧୂସି' ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯଵାହିନୀରେ ଯୋଗ ଦେଇଥିଲେ। 

ଏହି ସମୟରେ ଦତ୍ତିମ(ଡିମେଟ୍ରିୟସ୍; କାଵ୍ଯରେ ନୀଳକଂଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ । 

ସେନାପତି "ଧୂସି" ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ। 

ଏହାପରେ ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାଵ୍ୟର ମିଳନାତ୍ମକ ସମାପ୍ତି ଘଟିଛି । 

ଦତ୍ତିମ ଵା ଡିମେଟ୍ରିୟସ୍'ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ । ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାଵଳୀରେ ଧୂସିଙ୍କର ଵୀରତାର କଥା ରହିଛି ବୋଲି କେତେକ ଗଵେଷକଙ୍କ ମତ । ସମ୍ଭଵତଃ ପଂଡିତ ନୀଳକଂଠ ଏଇ ଚିତ୍ରାଵଳୀ ସହ ଇତିହାସର ସମ୍ମିଶ୍ରଣରେ କାହାଣୀଟି ସୃଷ୍ଟି କରିଅଛନ୍ତି ।

Wednesday, May 18, 2022

॰॥ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰


ସଂସାରୀ ଲୋକଙ୍କୁ ସାଧୁସନ୍ଥମାନେ ପାଗଳ ବୋଧ ହୁଅନ୍ତି ‌ । ବହୁଵର୍ଷ ତଳେ ଉତ୍କଳ ଦେଶରେ ଜଣେ ସାଧୁ ରହୁଥିଲେ ! ସଂସାରକୁ ମାୟା ବୁଝି ତହିଁରେ ପରିଵ୍ୟାପ୍ତ ମୋହ ମାୟା ରାଗ ଦ୍ୱେଷକୁ ଜାଣି ସେ ପ୍ରାୟତଃ ମୌନ ରୁହନ୍ତି । ଏପରିକି ଯେତେବେଳେ କେହି ତାଙ୍କ ପୋଷାକ ଦେଖନ୍ତି ଏଵଂ ଵ୍ୟଙ୍ଗ୍ୟ କରନ୍ତି  କିମ୍ବା ତାଙ୍କୁ ପାଗଳ ବୋଲି ଭାବି ପଥର ମାରନ୍ତି ସେ ତିଳେ ମାତ୍ର ଵିଚଳିତ ନହୋଇ ତାହା ଦୈଵ ପରୀକ୍ଷା ମନେ କରି ନୀରଵ ରୁହନ୍ତି  ।

ଦିନକର କଥା ।  ସେହି ସାଧୁଜଣକ ଏକ ଗାଁଆ ଦେଇ ଯାଉଥାନ୍ତି ଦେଖିଲେ  ଏକ ଶ୍ଵାନ ତାଙ୍କର ପଶ୍ଚାତଗମନ କରୁଅଛି ।
ଆଗରେ ଗୋଟିଏ ବରଗଛ ଥିଲା ଯେ ସେଠାରେ କିଛି କ୍ଷଣ ଛିଡ଼ା ହେଲେ ଠିକ୍ ସେହି ସମୟରେ ପଛେ ପଛେ ଆସୁଥିଵା କୁକୁରଟି ତାଙ୍କ ପାଖରେ ପହଞ୍ଚି ଲାଙ୍ଗୁଡ଼ ହଲାଇଵାକୁ ଲାଗିଲା ।

ନିଜ ସମ୍ମୁଖରେ ଶ୍ଵାନଟିକୁ ଦେଖି ସେ ମହାତ୍ମାଙ୍କ ମନରେ କି ଭାଵ ଉତ୍ପନ୍ନ ହେଲା କେଜାଣି ସେ ପଛେ ପଛେ ଚାଲି ଆସିଥିଵା ସେହି ଶ୍ଵାନ ଉପରେ ସଵାର ହୋଇ ଭିକ୍ଷାନ୍ନରୁ ପ୍ରାପ୍ତ ଅନ୍ନ ଭକ୍ଷଣ କରିଵାକୁ ଲାଗିଲେ ।

ନିଘିନିଘିଆ ଉପରବେଳାଟାରେ
କିଛି ଲୋକ ସୂର୍ଯ୍ୟତାପରୁ ରକ୍ଷା ପାଇବା ପାଇଁ ସେଠାରେ ଵିଶ୍ରାମ ନେଉଥାନ୍ତି |
ଏହି ଦୃଶ୍ୟ ଦେଖି ସେହି ଲୋକମାନେ ପେଟ ଫଟେଇ ହସିଲେ,ହସି ହସି ଗଡି଼ଗଲେ ।

ସଂସାର ଵୈରାଗୀ ସାଧୁ ତ କାଳେ କାଳେ ରାଗ ଦ୍ଵେଷ ଚିନ୍ତାଶୂନ୍ୟ ହୋଇଥାନ୍ତି, ଏକଚାଲା ମନଭାବୁକା ସଦା ପ୍ରଫୁଲ୍ଲ ହୋଇଥାନ୍ତି ତେଣୁ ବରଗଛ ମୂଳେ ବସି ତାଙ୍କୁ ଦେଖି ହସୁଥିଵା ଲୋକଙ୍କୁ ଦେଖି ସେ ବି ହସିଦେଲେ...

ସେଠି ବସିଥିଵା ସବୁ ଲୋକ ଆଶ୍ଚର୍ଯ୍ୟ !!!

ଶେଷରେ ସାଧୁ କହିଲେ...

“ଵିଷ୍ଣ୍ଯୁପରି ସ୍ଥିତୋ ଵିଷ୍ଣୁଃ
ଵିଷ୍ଣୁ ଖାଦତି ଵିଷ୍ଣଵେ ।
କଥଂ ହସସିରେ ଵିଷ୍ଣୋ
ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥”

Sunday, April 3, 2022

ତଅପୋଇର କାହାଣୀ ମଧ୍ୟରେ ରହିଛି ଓଡ଼ିଶାର ସାଂସ୍କୃତିକ ଇତିହାସର ସଂକ୍ଷିପ୍ତ ଵିଵରଣୀ

ତଅପୋଇର କାହାଣୀ ସମସ୍ତେ ଜାଣିଥିବେ । କିନ୍ତୁ ସେ କାହାଣୀ ଭିତରେ ପରୋକ୍ଷରେ ଓଡ଼ିଶାର ଇତିହାସ ଥିଵା ମୋତେ ଅନୁଭୁତ ହୋଇଥାଏ । ସଂକ୍ଷେପରେ କାହାଣୀଟି ଏମନ୍ତ...

ସାତ ଭାଇରେ ସେ ଗୋଟିଏ ଭଉଣୀ । ତଅପୋଇର ବାପା ଆରପାରିକୁ ଚାଲିଗଲାପରେ ତା ଭାଇମାନେ ମଧ୍ୟ ନୌଵାଣିଜ୍ୟ ହେତୁକ ଜାଭା ବୋର୍ଣ୍ଣିଓ ଲବଙ୍ଗ ଦ୍ଵୀପକୁ ଚାଲିଗଲେ ଏଵଂ ତାକୁ ଛାଡ଼ିଦେଇ ଗଲେ ସାତ ଭାଉଜଙ୍କ ପାଖରେ...

ସାତ ଭାଉଜଙ୍କ ମଧ୍ୟରେ ସବା ସାନ ଭାଉଜଟି ତଅପୋଇକୁ ବହୁତ ସ୍ନେହ କରୁଥିଲା ।

ତଅପୋଇର ଭାଇ ଵଣିଜ କରିଵାକୁ ସାଗରପାରି ଆନ ଦେଶକୁ ଯିଵାପରେ ଗୋଟିଏ ଵିଧଵା ବାହ୍ମୁଣୀ କୌଣସି ଆଡ଼ୁ ଆସି ମିଠା ମିଠା କଥାରେ ଭାଉଜମାନଙ୍କ ମନ ଜିଣି ତାଙ୍କ ଘରେ ରହିଵାକୁ ଲାଗିଲା ।

ସାତ ଭାଉଜ ସେ ଵିଧଵା ବାହ୍ମୁଣୀର ସେଵା କରିଵାକୁ ଲାଗିଲେ କିନ୍ତୁ ସେମାନେ ତାଙ୍କର ନଣନ୍ଦ ତଅପୋଇକୁ ମଧ୍ୟ ସ୍ନେହ କରୁଥାନ୍ତି ।

ବାହ୍ମୁଣୀ ଏହା ସହି ପାରୁନଥାଇ ।
ଧେତ୍ ! ନଣନ୍ଦ ଆଉ ଭାଉଜଙ୍କ ଭିତରେ ପୁଣି ଏତେ ସ୍ନେହ ଭଲପାଇଵା !!!

ସେ ଭେଦବୁଦ୍ଧି ଲଗାଇ ଛଅ ଜଣ ବଡ଼ ଭାଉଜଙ୍କ ମନରେ ତଅପୋଇ ପ୍ରତି ଘୃଣା ଦ୍ଵେଷ ଵୃଦ୍ଧି କରିଵାରେ ସଫଳ ହୋଇଗଲା ।
କିନ୍ତୁ ସାନ ଭାଉଜଟି କେବେବି ତଅପୋଇକୁ ଘୃଣା କରିପାରିଲା ନାହିଁ ଵରଂ ଲୁଚିଛପି ତାକୁ ସାହାଯ୍ୟ କରୁଥିଲା ।

ତଅପୋଇ ଛେଳି ଚରେଇଲା,ମୂଷା ଲେଣ୍ଡି ମିଶା ଭାତ ଖାଇଲା ,ଅସନା ଘରେ ଶୋଇଲା । ଆଗେ ସେ ରାଜକୁମାରୀ ଭଳି ସଜେଇ ହେଉଥାଇ ଏବେ ସେସବୁ ନଥିଲା ।

ଭାଇମାନେ ଫେରି ଆସିଲେ ସେ ନିଜ ଦୁଃଖ ଜଣାଇ ଏ କଷ୍ଟରୁ ମୁକ୍ତି ପାଇଵ ସେଥିପାଇଁ ଦେଵୀ ମଙ୍ଗଳାଙ୍କର ଓଷା କଲା ।

ଦିନେ ଛେଳିଟିଏ ହଜିଵାରୁ ଜଙ୍ଗଲରେ ତଅପୋଇ ତାକୁ ଖୋଜି ବୁଲୁଥିଲା । ଏତିକି ବେଳେ ତା ଭାଇମାନେ ଫେରି ଆସି ପାଖ ବଣରେ କାହାର କ୍ରନ୍ଦନ ଶୁଣିଣ ଦୌଡ଼ି ଆସି  ତଅପୋଇକୁ ପାଇଲେ ।  ଭାଇମାନେ ତଅପୋଇଠାରୁ ସବୁ ଶୁଣିଲେ ଏଵଂ ତାକୁ ବୋଇତକୁ ନେଇଗଲେ ।

ତତ୍ପର ଦିନ ବୋଇତ ବନ୍ଦାଣ ପାଇଁ ସାତ ଭାଉଜ ବୋଇତ ପାଖକୁ ଆସିଲେ । ପ୍ରଥମେ ବୋଇତ ମଧ୍ୟରେ ସ୍ଥିତା ମଙ୍ଗଳା ଦେଵୀଙ୍କ ବନ୍ଦନା କରିଵାକୁ ଏକ ଏକ କରି ଛଅଜଣ ବଡ଼ ଭାଉଜଙ୍କ ନାକ କାଟିଦେଲେ ମାଆ ମଙ୍ଗଳା ଏଵଂ ସବା ସାନ ଭାଉଜଙ୍କୁ ଆଶିର୍ଵାଦ ଦେଇ ଉଭେଇ ଗଲେ ।

ସ୍ଥୂଳ ଭାବରେ ଦେଖିଲେ କାହାଣୀଟି ପୁରାତନ କଳିଙ୍ଗ ଦେଶରେ ନୌଵାଣିଜ୍ୟ ପରମ୍ପରାକୁ ପ୍ରକଟିତ କରୁଥିଵା ସାଧାରଣ ଲୋକକଥା ପରି ଦୃଶ୍ୟ ହୋଇଥାଏ ।

କିନ୍ତୁ ଏ କାହାଣୀ ଭିତରେ କିଛି ଗୂଢ଼ କଥା କୁହାଯାଇଛି ବୋଲି ଭଗଵତ୍ ପ୍ରେରଣାରୁ ମୋହର କେତେକ ଵର୍ଷ ତଳେ ହୃଦବୋଧ ହୋଇଥିଲା ।



କାହାଣୀରେ...

•ବଡ଼ ସାଧଵ ଵା ତଅପୋଇର ପିତା = ଜାତୀୟତାବୋଧ ଓ ଏକତା

•ସାତ ଭାଇ = ଵ୍ୟାପାରୀ ସାଧଵ

•ସାତ ଭାଉଜ = ଓଡ଼ିଶାଳ ରାଜବଂଶ

•ତଅପୋଇ = ସାଧଵ ପରିଵାର

•ଵିଧଵା ବାହ୍ମୁଣୀ = ଉତ୍ତର ଭାରତରୁ ଆସିଥିଵା ଛୁଆଁ ଅଛୁଆଁ ଭେଦଭାଵ ଵୃଦ୍ଧି କରିଥିଵା ମୌଳିଵାଦୀ ବ୍ରାହ୍ମଣ

•ସାନ ଭାଉଜ = ଓଡ଼ିଆ ଜାତି ଏକତା ସପକ୍ଷରେ କାର୍ଯ୍ୟ କରିଥିଵା କୌଣସି ଏକ ରାଜବଂଶ

ଓଡ଼ିଶାରେ ସବୁ ଲୋକମାନଙ୍କ ମଧ୍ୟରେ ଏକତା ଥିଲା ତା'ପରେ ଏମିତି ଏକ ସମୟ ଆସିଲା ଯେତେବେଳେ ଉତ୍ତର ଭାରତରୁ ଜାତିଵାଦୀ ବାହ୍ମୁଣ ଆସିଲେ । ସେମାନେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଜାତିଭେଦ ସୃଷ୍ଟି କଲେ । ଏହି ଜାତୀୟ ବ୍ରାହ୍ମଣ ହିଁ ଜଗନ୍ନାଥ ଦାସଙ୍କ ଭାଗଵତକୁ ତେଲି ଭାଗଵତ କହିଥିଲେ ।

ସେତେବେଳେ ଏହି ଜାତୀୟ ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କୁ ଓଡ଼ିଶାର ତତ୍କାଳୀନ ରାଜାମାନେ ଯାଗା ବାଡ଼ି ଓ ଧନ ଦେଇ ଓଡ଼ିଶାରେ ରଖାଇଥିଲେ । ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦିଆଗଲା ଏଵଂ ଓଡ଼ିଶାର ଉଡ୍ର ଭାଷା,ପାଲୀ ଭାଷା , ସଉରା ଭାଷା ଓ କୁଈ ଭାଷା ଆଦିକୁ ଗୌଣ ମନେ କରାଗଲା ।

ଓଡ଼ିଶାର ଲୋକଙ୍କୁ ଜାତିଭେଦ କରି ବାଣ୍ଟିଦିଆଗଲାବେଳେ ସବୁଠାରୁ ଅଧିକ ଅପମାନର ଶିକାର ହେଲେ ସାଧଵ ପରିଵାରମାନେ । ସାଧଵମାନେ ଵ୍ୟାପାର କରୁଥିଵାରୁ ଏଵଂ ଉତ୍ତର ଭାରତରେ ଵ୍ୟାପାରୀମାନଙ୍କୁ ଵୈଶ୍ୟ ଵିଚାର କରାଯାଇ ଘୃଣା କରାଯିଵାର ପ୍ରଥା ଥିଵାରୁ ସେମାନେ ସମାଜରେ ନୀଚ ହୀନ ନିକୃଷ୍ଟ ଗଣ୍ୟ ହେଲେ ।

ତେବେ ସାଧଵମାନଙ୍କୁ ପ୍ରକାଶ୍ୟ ହେଉ ଵା ଗୁପ୍ତରେ କିଛି ରାଜବଂଶ ସମର୍ଥନ କଲେ । ଓଡ଼ିଶାର ଲୋକେ ମାଆ ମଙ୍ଗଳାଙ୍କୁ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ଘୋଷଣା କରି ସେ ସମୟର ମୌଳିଵାଦୀ ଶକ୍ତି ଵିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ । ଧନ ଥିଲା ସାଧଵଙ୍କ ପାଖରେ ତେଣୁ ସେମାନେ କ୍ରମଶଃ ମୌଳିଵାଦର ସମର୍ଥକ ସାଜିଥିଵା ରାଜାମାନଙ୍କୁ ଧନ ନଦେଵାରୁ ସେମାନଙ୍କର ଶକ୍ତି ହ୍ରାସ ଘଟିଲା । ଶେଷରେ କଳିଙ୍ଗୀ ପ୍ରଜାଙ୍କ ଏକତା ରୂପ ମଙ୍ଗଳାଦେଵୀଙ୍କ ହସ୍ତରେ ମୌଳିଵାଦ ସମର୍ଥକ ରାଜବଂଶମାନଙ୍କର ନାସିକା ଛେଦନ ହୋଇଥିଲା ।

ଆଜି ବି ଆମେ ଦେଖନ୍ତି ଓଡ଼ିଶାର କିଛି ଲୋକେ ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଓଡ଼ିଶାର ନଵଵର୍ଷ ନୁହେଁ ବୋଲି ତୁଚ୍ଛା ଯୁକ୍ତି କରନ୍ତି ।

କିଏ ସେମାନେ ? କୁଆଡ଼ୁ ଆସିଲା ତାଙ୍କ ମନରେ ଓଡ଼ିଆ ଜାତିର ଏକ ପ୍ରାଚୀନ ପର୍ଵ ଵିପକ୍ଷରେ  ଏତେ  ଦ୍ୱେଷ ?

କାରଣ ସେମାନେ ଜାଣନ୍ତି ଯେ ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ଅଵଶେଷ । ସେମାନେ ଜାଣନ୍ତି ଓଡ଼ିଆ ସାଧଵ କାର୍ତ୍ତିକରେ ଵିଦେଶ ଯାଇ ଵୈଶାଖରେ ଫେରି ଆସୁଥିଲେ । ତାଙ୍କ ଆଗମନର ଉତ୍ସଵ ଏହି ମହା ଵିଷୁଵ ପଣା ସଂକ୍ରାନ୍ତିକୁ ତେଣୁ ସେହି ମୌଳିଵାଦୀମାନେ ତଅପୋଇ କାହାଣୀର ଵିଧଵା ବାହ୍ମୁଣୀ ପରି ସହି ନପାରି ଵିରୋଧ କରୁଛନ୍ତି !

ତଅପୋଇର କାହାଣୀ ମଧ୍ୟରେ ସମ୍ରାଟ ଖାରବେଳଙ୍କ ସମ୍ପୂର୍ଣ୍ଣ ଭାରତ ଵିଜୟଠାରୁ ଆରମ୍ଭ କରି କଳିଙ୍ଗ ସମ୍ରାଟ ଅନନ୍ତ ଵର୍ମା ଗଙ୍ଗଙ୍କ ଦ୍ଵାରା କାଳିଙ୍ଗ୍ୟ ଏକତା ହେତୁକ ପୁରୀ ଶ୍ରୀକ୍ଷେତ୍ରରେ ଭଵ୍ୟ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ ପର୍ଯ୍ୟନ୍ତ ସମୟକାଳସ୍ଥ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ସଂକ୍ଷେପରେ କହି ଦିଆଯାଇଥିଵା ହୃଦବୋଧ ହୋଇଥାଏ ।

Friday, August 27, 2021

ଓଡ଼ିଶାର ନିମକ୍ ହରାମ୍ ଜାଗିରଦାର୍


ମରାଠା ଓ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶା ପରାଧୀନ ଥିଵା ସମୟରେ “ପ୍ରଭୁଙ୍କ ଅପକାର କରିଵା ଯୋଗୁଁ ପ୍ରଭୁଙ୍କ ଵିପକ୍ଷଙ୍କ ଠାରୁ ପୁରସ୍କାର ସ୍ବରୂପ ଜାଗିରି ପାଇଥିଵା ନିମକହରାମ ଭୃତ୍ୟକୁ”, “ନିମକହରାମ୍ ଜାଗିରିଦାର୍” କୁହାଯାଉଥିଲା ।

ମରହଟ୍ଟାଙ୍କର ଅଧିକୃତ କଳିଙ୍ଗୋତ୍କଳ ରାଜ୍ଯର ଚିଲିକା ନିକଟଵର୍ତ୍ତୀ ସୀମାନ୍ତକୁ ରକ୍ଷା କରିଵା ନିମନ୍ତେ ଚିଲିକା ମଧ୍ଯସ୍ଥ ମାଲୁଦ ଦ୍ବୀପକୁ ପ୍ରଥମେ ଜଣେ ବ୍ୟକ୍ତି ଜାଗିରି ସ୍ବରୂପ ପାଇଥିଲା । ୧୮୦୩ ମସିହାରେ ସେହି ମରହଟ୍ଟା ଜାଗିରିଦାର୍ ଇଂରେଜ ସୈନିକମାନଙ୍କୁ ରାସ୍ତା ଛାଡ଼ି ଦେଇ ସକଳ ରହସ୍ଯ ଖୋଲି ଦେଇଥିଵାରୁ ମରହଟ୍ଟାମାନଙ୍କଠାରୁ ସେ ନିମକହରାମ୍ ଜାଗିରଦାର୍ ନାମ ପାଇଥିଲା । ଅର୍ଥାତ୍ ମରାଠାମାନଙ୍କ ଦ୍ଵାରା ପ୍ରଥମେ ଏହି ପଦର ପ୍ରଚଳନ ହେଇଥିଲା ।

୧୮୦୩ ମସିହାରେ ଇଂରେଜ ଜେନେରାଲ ହାରକୋଟ ଖୋର୍ଦ୍ଧା ଆକ୍ରମଣ କଲେ । ହାରକୋଟ୍ ମାଡ୍ରାସଠାରୁ ପୁରୀ ଆସିଵା ନିମନ୍ତେ ନିଜର ସୈନ୍ୟଵାହିନୀ ସହ ସମୁଦ୍ର କୂଳ ବାଟ ଦେଇ ଅଗ୍ରଗତି କରୁଥିଲେ । ଏବେ ବି ମାଡ୍ରାସରେ ଦକ୍ଷିଣ ହାର୍‌କୋଟ୍ ଏବଂ ଉତ୍ତର ହାର୍‌କୋଟ୍ ଦୁଇଟି ଜିଲ୍ଲା ତାଙ୍କର ନାମ ଅନୁସାରେ ରହିଛି । ହାରକୋଟ୍‌ଙ୍କ ଆକ୍ରମଣରେ ସର୍ଵଶେଷରେ ୧୮୦୫ ମସିହା ବେଳକୁ ଓଡ଼ିଶା ଇଂରେଜ ଶାସନାଧୀନ ହେଲା ।

ତେବେ ଜେନେରାଲ ହାରକୋଟ୍ ସମୁଦ୍ର କୂଳ ବାଟରେ ଆସି ମାଲୁଦଠାରେ ପାରିକୁଦରେ ପହଞ୍ଚିଲେ । ଚାରିପଟେ ଚିଲିକା ହ୍ରଦ ଏଵଂ ପାରିକୁଦ ଗୋଟିଏ ଦ୍ଵୀପାଞ୍ଚଳ । ପାରିକୁଦ ଗଡ଼ଠାରୁ ମାଲୁଦ ୧୦ କିଲୋମିଟର ଦୂର । ପ୍ରଥମେ ପାରିକୁଦ ରାଜ୍ୟଟି ବଙ୍କାଡ଼ ଗଡ଼ ଅଧୀନରେ ଥିଲା । ତାହା ଏବେର ବାଣପୁର ।

ବାଣପୁର ବାଣାସୁରର ରାଜଧାନୀ ବୋଲି ପ୍ରଵାଦ ରହିଛି । ପାରିକୁଦ ଇତିହାସ ନାମକ ପୁସ୍ତକରେ ଡାକ୍ତର ରାଧାଚରଣ ପଣ୍ଡା ଲେଖିଛନ୍ତି ଯେ ବଙ୍କାଡ଼ ଗଡ଼ର ରାଜା ଶ୍ରୀହରି ସେଵକ ମାନସିଂହ ଖୋର୍ଦ୍ଧା ରାଜାଙ୍କଦ୍ୱାରା ଆକ୍ରମିତ ହେଵାପରେ ପରାସ୍ତ ହୋଇ ପଳାୟନ କଲେ ।

୧୭୭୧ ଖ୍ରୀଷ୍ଟାବ୍ଦରେ ଶ୍ରୀହରି ସେଵକ ମାନସିଂହ ପାରିକୁଦକୁ ଚାଲି ଆସିଲେ ଓ ଗୁରୁବାଇଠାରେ ନିଜର ନୃସିଂହଗଡ଼ ପ୍ରତିଷ୍ଠା କଲେ । ପରେ ପରେ ୧୭୯୮ ଖ୍ରୀ:ରେ ତାଙ୍କର ସୁପୁତ୍ର ଭାଗିରଥୀ ମାନସିଂହ ନିଜର ରାଜଧାନୀ ପାରିକୁଦ ଗଡ଼କୁ ଉଠାଇ ଆଣିଲେ । ଗୋଟିଏ ଗଉଡ଼ ଗାଈ ଚରାଉଥିବାବେଳେ ଗୋଟିଏ ବଗ, ଛଞ୍ଚାଣକୁ ମାଡ଼ି ବସିଥିଵାର ଦେଖିଲା ଏଵଂ ରାଜାଙ୍କୁ ଏ ଵିଷୟରେ ଖବର ଦେଲା । ତେଣୁ ରାଜା ଭାଗିରଥୀ ମାନସିଂହ ତାଙ୍କର ନୂତନଗଡ଼ ସେଠାରେ ପ୍ରତିଷ୍ଠା କଲେ । ପୁରସ୍କାର ସ୍ବରୂପ ସେହି ଗଉଡ଼ର ନାମରେ ଏ ଗଡ଼ର ନାମ କୃଷ୍ଣପ୍ରସାଦ ଗଡ଼ ନାମରେ ନାମିତ ହେଲା । ଭାଗିରଥୀ ମାନସିଂହ ୧୭୯୮ ଖ୍ରୀଷ୍ଟାବ୍ଦରେ ରାଜବାଟି ନିର୍ମାଣ କରିଥିଲେ ଏବଂ ଭାଗିରଥୀପୁର ଶାସନ ନାମରେ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।

୧୯୦୩ ମସିହାରେ ଜେନେରାଲ ହାର୍‌କୋଟ୍ ମାଲୁଦ ଅଞ୍ଚଳରେ ସୈନ୍ୟ ନେଇ ପହଞ୍ଚିଲେ ।  ଚିଲିକାର ମାଲୁଦ ପାଖରେ ଥିଵା ‘କନ୍ଦାଖାଇ’ ଗଣ୍ଡ ସେତେବେଳେ ଗଭୀର ଏବଂ ଵିପଜ୍ଜନକ ଗଣ୍ଡ ଥିଲା । ଏହାକୁ ପାର କରିଦେଵାପାଇଁ ମାଲୁଦ ଅଞ୍ଚଳରେ ମରାଠୀ ଶାସକଙ୍କ ଦ୍ଵାରା ଫତେ ମହମ୍ମଦ ନାମକ ଜଣେ ଵ୍ୟକ୍ତି ନିଯୁକ୍ତ ହୋଇଥାନ୍ତି ।

ଜେନେରାଲ ହାର୍‌କୋଟ୍ ସେ ସମୟରେ ପୁରୀକୁ ରାସ୍ତା ଜାଣି ପାରୁନଥାନ୍ତି ଏବଂ କୌଣସି ଵ୍ୟକ୍ତି ତାଙ୍କୁ ଏ ଦିଗରେ ସହାୟତା କରିଵା ଲାଗି ଆଗେଇ ଆସୁ ନଥାନ୍ତି ।

ଫଳରେ ଚିଲିକାର ଵିପଦସଙ୍କୁଳ ଵକ୍ଷ ପାର ହେଵା ଓ ପୁରୀ ପହଞ୍ଚିଵା ତାଙ୍କ ପାଇଁ କଠିନ ହୋଇ ପଡ଼ିଥିଲା । ସେହି ସମୟରେ ଫତେ ମହମ୍ମଦ ନାମକ ସେହି ଜାଗିରଦାର୍ ଜେନେରାଲ ହାର୍‌କୋଟ୍‌ଙ୍କୁ ଚିଲିକା ପାରି କରାଇ ଦେଵାକୁ ପ୍ରତିଶ୍ରୁତି ଦେଲା ଓ ପୁରୀକୁ ରାସ୍ତା ଦେଖାଇ ଦେଵା ପାଇଁ ରାଜି ହେଲା । କିନ୍ତୁ ସେ ଜେନେରାଲ ହାରକୋଟ୍‌ଙ୍କ ସମ୍ମୁଖରେ ଏଥିପାଇଁ ଏକ ସର୍ତ୍ତ ରଖିଲା । ସର୍ତ୍ତ ଥିଲା ସେ ହାର୍‌କୋଟ୍‌ଙ୍କୁ ପୁରୀକୁ ରାସ୍ତା ଦେଖାଇ ଦେଵ ଏଵଂ  ପ୍ରତିବଦଳରେ ସେ ଯେଉଁ ଯେଉଁ ବାଟ ଦେଇ ପୁରୀ ଯିଵେ, ସେଇ ସବୁ ଭୂଭାଗ  ତାଙ୍କର ଅର୍ଥାତ୍ ଫତେ ମହମ୍ମଦର ହୋଇଯିଵ ।

ଜେନେରାଲ ହାରକୋଟ୍ ତାଙ୍କ ସର୍ତ୍ତରେ ରାଜି ହେଲେ ଏବଂ ଫତେ ମହମ୍ମଦ ତାଙ୍କୁ ଓ ତାଙ୍କର ସୈନ୍ୟମାନଙ୍କୁ ଚିଲିକା ପାରି କରାଇ ଦେଲା ଓ ପୁରୀ ଅଭିମୁଖରେ ଯାତ୍ରା କରିଵାକୁ ବାଟ ବତାଇ ଦେଲା  ।  ଫଳତଃ ଫତେ ମହମ୍ମଦ ଯେଉଁ ମାହାଲ ଇଂରେଜ ସରକାରଙ୍କଠାରୁ ପାଇଲା ତାହା ନିମକ ହାରାମ ଜାଗିରି ନାମରେ ଖ୍ୟାତ ହେଲା । ଏହି ଘଟଣାର ଇତିଵୃତ୍ତ ସେ ସମୟରେ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଥିଲା । ହେଲେ ଫତେ ମହମ୍ମଦ ଏକମାତ୍ର ନିମକ ହରାମ୍ ଜାଗିରଦାର୍ ନଥିଲା କିନ୍ତୁ ସମ୍ଭଵତଃ ସେ ଥିଲା ପ୍ରଥମ ନିମକହରାମ୍ ଜାଗିରଦାର୍ ‌।

ଫତେ ମହମ୍ମଦର ଵିଶ୍ବାସଘାତକତାରୁ ଇଂରେଜମାନେ ଶିକ୍ଷା କଲେ ଯେ ସମ୍ପୂର୍ଣ୍ଣ ଓଡ଼ିଶା ଅଧିକାର କରିଵାକୁ ହେଲେ ଏ ଅଞ୍ଚଳର ଏହିପରି ଅନ୍ୟ ଅନେକ ବିଶ୍ବାସଘାତକମାନଙ୍କର ଆଵଶ୍ଯକତା ପଡି଼ଵ ।

ଏହିକ୍ରମରେ ୧୮୦୪ ଡିସେମ୍ବର ବେଳକୁ ଖୋରଧା ରାଜ୍ୟର ହଳଦିଆଗଡ଼ର ଜମିଦାର ଭଗବାନ ଵୀରଵର ଜଗଦେବ ଇଂରେଜମାନଙ୍କ ଆନୁଗତ୍ୟ ସ୍ବୀକାର କରି ସେମାନଙ୍କୁ ସାହାଯ୍ୟ କରିଥିଲେ । ଦକ୍ଷିଣ ଖୋରଧାର ବେଗୁନିଆଗଡ଼ ଓ ଝାରଗଡ଼ର ଜମିଦାର ଭୟରେ ଇଂରେଜମାନଙ୍କୁ ସମର୍ଥନ କରିଵାକୁ ଵାଧ୍ୟ ହେଲେ । ବଡ଼ତୋଟା, ଭୀମପୁର, ପଦନପୁରର ବେହେରା, ପ୍ରଧାନମାନେ ଇଂରେଜମାନଙ୍କ ପକ୍ଷ ନେଲେ । ଓଳସିଂହର ସାମନ୍ତ କାନଗୋଈ ଧନଲୋଭରେ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ଏବଂ ପଥ ଦେଖାଇଦେଲେ । ଜଟଣୀ ଅଞ୍ଚଳର କୁଦିଆରୀ ଗ୍ରାମର ଚରଣ ପଟ୍ଟନାୟକ ଇଂରେଜମାନଙ୍କୁ ଖୋର୍ଦ୍ଧା ରାଜ୍ୟର ସମସ୍ତ ଗୁପ୍ତ ତଥ୍ୟ ଯୋଗାଇ ନିମକହାରାମ ଜାଗିରି ପାଇଥିଲା । ଇଂରେଜମାନେ ଚରଣ ପଟ୍ଟନାୟକକୁ ସେ ଅଞ୍ଚଳର ସରବରାକାର ନିଯୁକ୍ତ କଲେ । ମାତ୍ର  ୧୮୦୪ ମସିହାରେ ପାଇକମାନେ ଉତ୍ୟକ୍ତ ହୋଇ ଚରଣ ପଟ୍ଟନାୟକର ଘର ଲୁଣ୍ଠନ କରିଵା ସହ ତାକୁ ପୋଡ଼ି ମାରି ଦେଇଥିଲେ ।  ଏହି ହତ୍ୟା  ଅଭିଯୋଗରେ ପରେ ସ୍ଵାଧୀନତା ସଂଗ୍ରାମୀ ଶ୍ରୀପର୍ଶୁରାମ ରାଉତରାୟଙ୍କୁ ଫାଶୀ ଦିଆ ଯାଇଥିଲା।

ଇତିହାସରେ ଆଉଜଣେ ନିମକହାରାମ ଜାଗିରଦାରର କଥା ଲିପିଵଦ୍ଧ ।  ତାପଙ୍ଗ ଗଡର ଦଳବେହେରା ମାଧଵ ଚନ୍ଦ୍ର ରାଉତରାୟଙ୍କୁ ଧରେଇ ଦେଵାରେ ବିଶେଷ ସାହାଯ୍ୟ କରିଥିଵାରୁ ଇଂରେଜମାନେ “କରଣ ମୌସମ” ନାମକ ଜଣେ ଵ୍ୟକ୍ତିକୁ “ନିମକ ହାରାମ” ଜାଗିର ଦେଇଥିଵା ଜଣାଯାଏ । ଏହି ବିଶ୍ବାସଘାତକତା ଯୋଗୁଁ  ତାପଙ୍ଗଗଡ଼ ଇଂରେଜମାନଙ୍କ ଆୟତ୍ତକୁ ଚାଲିଯାଇଥିଲା।

ଦୁଃଖର ଵିଷୟ ଓଡ଼ିଶା ଇତିହାସର ଏହି ତିନି ବିଶ୍ବାସଘାତକ ଫତେ ମହମ୍ମଦ,ଚରଣ ପଟ୍ଟନାୟକ ଓ କରଣ ମୌସମଙ୍କ ମଧ୍ୟରେ ଓଡ଼ିଶାର ଲୋକ କେଵଳ ଚରଣ ପଟ୍ଟନାୟକକୁ ମନେ ରଖିଲେ । ଓଡ଼ିଶାର ଅନେକ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ଯେ କୁଦିଆରୀର ଚରଣ ପଟ୍ଟନାୟକ ହିଁ ଚିଲିକାର ମାଲୁଦ ଅଞ୍ଚଳରେ ଥିଵା କନ୍ଦାଖାଇ ଗଣ୍ଡରୁ ଇଂରେଜମାନଙ୍କୁ ପାର କରେଇ ଦେଇଥିଲେ । ସମ୍ଭଵତଃ ଚରଣ ପଟ୍ଟନାୟକକୁ ଆଗକରି
କନ୍ଦାଖାଇ ଘାଟରେ ଇଂରେଜମାନଙ୍କୁ ପାର କରେଇ ଦେଇଥିଵା  ବିଶ୍ବାସଘାତକ ଫତେ ମହମ୍ମଦକୁ ସମସ୍ତ ଓଡ଼ିଆ ଜାତି ଭାଇଚାରା ନାଆଁରେ ଭୁଲିଗଲା । ସେହିପରି ହୋଇପାରେ ଆମ ଐତିହାସିକମାନେ ଶାନ୍ତିପ୍ରିୟ ଜାତିର ଵ୍ୟକ୍ତି ଵିଶେଷ ବୋଲି ଫତେ ମହମ୍ମଦର ନାମ ନେଵାକୁ ଭୟ କରିଥିଲେ । ଅତଏଵ୍ ଚରଣ ପଟ୍ଟନାୟକକୁ ଓଡ଼ିଶାରେ ନିମକ୍ ହରାମ୍ ଜାଗିରଦାର୍ ଭାବେ ସମସ୍ତେ ଜାଣିଲେ କିନ୍ତୁ ଫତେ ମହମ୍ମଦର ବିଶ୍ବାସଘାତକତା ଏମନ୍ତକି ତାହାର ନାମ ସୁଦ୍ଧା ଓଡ଼ିଶାର ଅନେକ ଲୋକ ଜାଣିନାହାନ୍ତି ।