Friday, August 27, 2021

ଓଡ଼ିଶାର ନିମକ୍ ହରାମ୍ ଜାଗିରଦାର୍


ମରାଠା ଓ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶା ପରାଧୀନ ଥିଵା ସମୟରେ “ପ୍ରଭୁଙ୍କ ଅପକାର କରିଵା ଯୋଗୁଁ ପ୍ରଭୁଙ୍କ ଵିପକ୍ଷଙ୍କ ଠାରୁ ପୁରସ୍କାର ସ୍ବରୂପ ଜାଗିରି ପାଇଥିଵା ନିମକହରାମ ଭୃତ୍ୟକୁ”, “ନିମକହରାମ୍ ଜାଗିରିଦାର୍” କୁହାଯାଉଥିଲା ।

ମରହଟ୍ଟାଙ୍କର ଅଧିକୃତ କଳିଙ୍ଗୋତ୍କଳ ରାଜ୍ଯର ଚିଲିକା ନିକଟଵର୍ତ୍ତୀ ସୀମାନ୍ତକୁ ରକ୍ଷା କରିଵା ନିମନ୍ତେ ଚିଲିକା ମଧ୍ଯସ୍ଥ ମାଲୁଦ ଦ୍ବୀପକୁ ପ୍ରଥମେ ଜଣେ ବ୍ୟକ୍ତି ଜାଗିରି ସ୍ବରୂପ ପାଇଥିଲା । ୧୮୦୩ ମସିହାରେ ସେହି ମରହଟ୍ଟା ଜାଗିରିଦାର୍ ଇଂରେଜ ସୈନିକମାନଙ୍କୁ ରାସ୍ତା ଛାଡ଼ି ଦେଇ ସକଳ ରହସ୍ଯ ଖୋଲି ଦେଇଥିଵାରୁ ମରହଟ୍ଟାମାନଙ୍କଠାରୁ ସେ ନିମକହରାମ୍ ଜାଗିରଦାର୍ ନାମ ପାଇଥିଲା । ଅର୍ଥାତ୍ ମରାଠାମାନଙ୍କ ଦ୍ଵାରା ପ୍ରଥମେ ଏହି ପଦର ପ୍ରଚଳନ ହେଇଥିଲା ।

୧୮୦୩ ମସିହାରେ ଇଂରେଜ ଜେନେରାଲ ହାରକୋଟ ଖୋର୍ଦ୍ଧା ଆକ୍ରମଣ କଲେ । ହାରକୋଟ୍ ମାଡ୍ରାସଠାରୁ ପୁରୀ ଆସିଵା ନିମନ୍ତେ ନିଜର ସୈନ୍ୟଵାହିନୀ ସହ ସମୁଦ୍ର କୂଳ ବାଟ ଦେଇ ଅଗ୍ରଗତି କରୁଥିଲେ । ଏବେ ବି ମାଡ୍ରାସରେ ଦକ୍ଷିଣ ହାର୍‌କୋଟ୍ ଏବଂ ଉତ୍ତର ହାର୍‌କୋଟ୍ ଦୁଇଟି ଜିଲ୍ଲା ତାଙ୍କର ନାମ ଅନୁସାରେ ରହିଛି । ହାରକୋଟ୍‌ଙ୍କ ଆକ୍ରମଣରେ ସର୍ଵଶେଷରେ ୧୮୦୫ ମସିହା ବେଳକୁ ଓଡ଼ିଶା ଇଂରେଜ ଶାସନାଧୀନ ହେଲା ।

ତେବେ ଜେନେରାଲ ହାରକୋଟ୍ ସମୁଦ୍ର କୂଳ ବାଟରେ ଆସି ମାଲୁଦଠାରେ ପାରିକୁଦରେ ପହଞ୍ଚିଲେ । ଚାରିପଟେ ଚିଲିକା ହ୍ରଦ ଏଵଂ ପାରିକୁଦ ଗୋଟିଏ ଦ୍ଵୀପାଞ୍ଚଳ । ପାରିକୁଦ ଗଡ଼ଠାରୁ ମାଲୁଦ ୧୦ କିଲୋମିଟର ଦୂର । ପ୍ରଥମେ ପାରିକୁଦ ରାଜ୍ୟଟି ବଙ୍କାଡ଼ ଗଡ଼ ଅଧୀନରେ ଥିଲା । ତାହା ଏବେର ବାଣପୁର ।

ବାଣପୁର ବାଣାସୁରର ରାଜଧାନୀ ବୋଲି ପ୍ରଵାଦ ରହିଛି । ପାରିକୁଦ ଇତିହାସ ନାମକ ପୁସ୍ତକରେ ଡାକ୍ତର ରାଧାଚରଣ ପଣ୍ଡା ଲେଖିଛନ୍ତି ଯେ ବଙ୍କାଡ଼ ଗଡ଼ର ରାଜା ଶ୍ରୀହରି ସେଵକ ମାନସିଂହ ଖୋର୍ଦ୍ଧା ରାଜାଙ୍କଦ୍ୱାରା ଆକ୍ରମିତ ହେଵାପରେ ପରାସ୍ତ ହୋଇ ପଳାୟନ କଲେ ।

୧୭୭୧ ଖ୍ରୀଷ୍ଟାବ୍ଦରେ ଶ୍ରୀହରି ସେଵକ ମାନସିଂହ ପାରିକୁଦକୁ ଚାଲି ଆସିଲେ ଓ ଗୁରୁବାଇଠାରେ ନିଜର ନୃସିଂହଗଡ଼ ପ୍ରତିଷ୍ଠା କଲେ । ପରେ ପରେ ୧୭୯୮ ଖ୍ରୀ:ରେ ତାଙ୍କର ସୁପୁତ୍ର ଭାଗିରଥୀ ମାନସିଂହ ନିଜର ରାଜଧାନୀ ପାରିକୁଦ ଗଡ଼କୁ ଉଠାଇ ଆଣିଲେ । ଗୋଟିଏ ଗଉଡ଼ ଗାଈ ଚରାଉଥିବାବେଳେ ଗୋଟିଏ ବଗ, ଛଞ୍ଚାଣକୁ ମାଡ଼ି ବସିଥିଵାର ଦେଖିଲା ଏଵଂ ରାଜାଙ୍କୁ ଏ ଵିଷୟରେ ଖବର ଦେଲା । ତେଣୁ ରାଜା ଭାଗିରଥୀ ମାନସିଂହ ତାଙ୍କର ନୂତନଗଡ଼ ସେଠାରେ ପ୍ରତିଷ୍ଠା କଲେ । ପୁରସ୍କାର ସ୍ବରୂପ ସେହି ଗଉଡ଼ର ନାମରେ ଏ ଗଡ଼ର ନାମ କୃଷ୍ଣପ୍ରସାଦ ଗଡ଼ ନାମରେ ନାମିତ ହେଲା । ଭାଗିରଥୀ ମାନସିଂହ ୧୭୯୮ ଖ୍ରୀଷ୍ଟାବ୍ଦରେ ରାଜବାଟି ନିର୍ମାଣ କରିଥିଲେ ଏବଂ ଭାଗିରଥୀପୁର ଶାସନ ନାମରେ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।

୧୯୦୩ ମସିହାରେ ଜେନେରାଲ ହାର୍‌କୋଟ୍ ମାଲୁଦ ଅଞ୍ଚଳରେ ସୈନ୍ୟ ନେଇ ପହଞ୍ଚିଲେ ।  ଚିଲିକାର ମାଲୁଦ ପାଖରେ ଥିଵା ‘କନ୍ଦାଖାଇ’ ଗଣ୍ଡ ସେତେବେଳେ ଗଭୀର ଏବଂ ଵିପଜ୍ଜନକ ଗଣ୍ଡ ଥିଲା । ଏହାକୁ ପାର କରିଦେଵାପାଇଁ ମାଲୁଦ ଅଞ୍ଚଳରେ ମରାଠୀ ଶାସକଙ୍କ ଦ୍ଵାରା ଫତେ ମହମ୍ମଦ ନାମକ ଜଣେ ଵ୍ୟକ୍ତି ନିଯୁକ୍ତ ହୋଇଥାନ୍ତି ।

ଜେନେରାଲ ହାର୍‌କୋଟ୍ ସେ ସମୟରେ ପୁରୀକୁ ରାସ୍ତା ଜାଣି ପାରୁନଥାନ୍ତି ଏବଂ କୌଣସି ଵ୍ୟକ୍ତି ତାଙ୍କୁ ଏ ଦିଗରେ ସହାୟତା କରିଵା ଲାଗି ଆଗେଇ ଆସୁ ନଥାନ୍ତି ।

ଫଳରେ ଚିଲିକାର ଵିପଦସଙ୍କୁଳ ଵକ୍ଷ ପାର ହେଵା ଓ ପୁରୀ ପହଞ୍ଚିଵା ତାଙ୍କ ପାଇଁ କଠିନ ହୋଇ ପଡ଼ିଥିଲା । ସେହି ସମୟରେ ଫତେ ମହମ୍ମଦ ନାମକ ସେହି ଜାଗିରଦାର୍ ଜେନେରାଲ ହାର୍‌କୋଟ୍‌ଙ୍କୁ ଚିଲିକା ପାରି କରାଇ ଦେଵାକୁ ପ୍ରତିଶ୍ରୁତି ଦେଲା ଓ ପୁରୀକୁ ରାସ୍ତା ଦେଖାଇ ଦେଵା ପାଇଁ ରାଜି ହେଲା । କିନ୍ତୁ ସେ ଜେନେରାଲ ହାରକୋଟ୍‌ଙ୍କ ସମ୍ମୁଖରେ ଏଥିପାଇଁ ଏକ ସର୍ତ୍ତ ରଖିଲା । ସର୍ତ୍ତ ଥିଲା ସେ ହାର୍‌କୋଟ୍‌ଙ୍କୁ ପୁରୀକୁ ରାସ୍ତା ଦେଖାଇ ଦେଵ ଏଵଂ  ପ୍ରତିବଦଳରେ ସେ ଯେଉଁ ଯେଉଁ ବାଟ ଦେଇ ପୁରୀ ଯିଵେ, ସେଇ ସବୁ ଭୂଭାଗ  ତାଙ୍କର ଅର୍ଥାତ୍ ଫତେ ମହମ୍ମଦର ହୋଇଯିଵ ।

ଜେନେରାଲ ହାରକୋଟ୍ ତାଙ୍କ ସର୍ତ୍ତରେ ରାଜି ହେଲେ ଏବଂ ଫତେ ମହମ୍ମଦ ତାଙ୍କୁ ଓ ତାଙ୍କର ସୈନ୍ୟମାନଙ୍କୁ ଚିଲିକା ପାରି କରାଇ ଦେଲା ଓ ପୁରୀ ଅଭିମୁଖରେ ଯାତ୍ରା କରିଵାକୁ ବାଟ ବତାଇ ଦେଲା  ।  ଫଳତଃ ଫତେ ମହମ୍ମଦ ଯେଉଁ ମାହାଲ ଇଂରେଜ ସରକାରଙ୍କଠାରୁ ପାଇଲା ତାହା ନିମକ ହାରାମ ଜାଗିରି ନାମରେ ଖ୍ୟାତ ହେଲା । ଏହି ଘଟଣାର ଇତିଵୃତ୍ତ ସେ ସମୟରେ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଥିଲା । ହେଲେ ଫତେ ମହମ୍ମଦ ଏକମାତ୍ର ନିମକ ହରାମ୍ ଜାଗିରଦାର୍ ନଥିଲା କିନ୍ତୁ ସମ୍ଭଵତଃ ସେ ଥିଲା ପ୍ରଥମ ନିମକହରାମ୍ ଜାଗିରଦାର୍ ‌।

ଫତେ ମହମ୍ମଦର ଵିଶ୍ବାସଘାତକତାରୁ ଇଂରେଜମାନେ ଶିକ୍ଷା କଲେ ଯେ ସମ୍ପୂର୍ଣ୍ଣ ଓଡ଼ିଶା ଅଧିକାର କରିଵାକୁ ହେଲେ ଏ ଅଞ୍ଚଳର ଏହିପରି ଅନ୍ୟ ଅନେକ ବିଶ୍ବାସଘାତକମାନଙ୍କର ଆଵଶ୍ଯକତା ପଡି଼ଵ ।

ଏହିକ୍ରମରେ ୧୮୦୪ ଡିସେମ୍ବର ବେଳକୁ ଖୋରଧା ରାଜ୍ୟର ହଳଦିଆଗଡ଼ର ଜମିଦାର ଭଗବାନ ଵୀରଵର ଜଗଦେବ ଇଂରେଜମାନଙ୍କ ଆନୁଗତ୍ୟ ସ୍ବୀକାର କରି ସେମାନଙ୍କୁ ସାହାଯ୍ୟ କରିଥିଲେ । ଦକ୍ଷିଣ ଖୋରଧାର ବେଗୁନିଆଗଡ଼ ଓ ଝାରଗଡ଼ର ଜମିଦାର ଭୟରେ ଇଂରେଜମାନଙ୍କୁ ସମର୍ଥନ କରିଵାକୁ ଵାଧ୍ୟ ହେଲେ । ବଡ଼ତୋଟା, ଭୀମପୁର, ପଦନପୁରର ବେହେରା, ପ୍ରଧାନମାନେ ଇଂରେଜମାନଙ୍କ ପକ୍ଷ ନେଲେ । ଓଳସିଂହର ସାମନ୍ତ କାନଗୋଈ ଧନଲୋଭରେ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ଏବଂ ପଥ ଦେଖାଇଦେଲେ । ଜଟଣୀ ଅଞ୍ଚଳର କୁଦିଆରୀ ଗ୍ରାମର ଚରଣ ପଟ୍ଟନାୟକ ଇଂରେଜମାନଙ୍କୁ ଖୋର୍ଦ୍ଧା ରାଜ୍ୟର ସମସ୍ତ ଗୁପ୍ତ ତଥ୍ୟ ଯୋଗାଇ ନିମକହାରାମ ଜାଗିରି ପାଇଥିଲା । ଇଂରେଜମାନେ ଚରଣ ପଟ୍ଟନାୟକକୁ ସେ ଅଞ୍ଚଳର ସରବରାକାର ନିଯୁକ୍ତ କଲେ । ମାତ୍ର  ୧୮୦୪ ମସିହାରେ ପାଇକମାନେ ଉତ୍ୟକ୍ତ ହୋଇ ଚରଣ ପଟ୍ଟନାୟକର ଘର ଲୁଣ୍ଠନ କରିଵା ସହ ତାକୁ ପୋଡ଼ି ମାରି ଦେଇଥିଲେ ।  ଏହି ହତ୍ୟା  ଅଭିଯୋଗରେ ପରେ ସ୍ଵାଧୀନତା ସଂଗ୍ରାମୀ ଶ୍ରୀପର୍ଶୁରାମ ରାଉତରାୟଙ୍କୁ ଫାଶୀ ଦିଆ ଯାଇଥିଲା।

ଇତିହାସରେ ଆଉଜଣେ ନିମକହାରାମ ଜାଗିରଦାରର କଥା ଲିପିଵଦ୍ଧ ।  ତାପଙ୍ଗ ଗଡର ଦଳବେହେରା ମାଧଵ ଚନ୍ଦ୍ର ରାଉତରାୟଙ୍କୁ ଧରେଇ ଦେଵାରେ ବିଶେଷ ସାହାଯ୍ୟ କରିଥିଵାରୁ ଇଂରେଜମାନେ “କରଣ ମୌସମ” ନାମକ ଜଣେ ଵ୍ୟକ୍ତିକୁ “ନିମକ ହାରାମ” ଜାଗିର ଦେଇଥିଵା ଜଣାଯାଏ । ଏହି ବିଶ୍ବାସଘାତକତା ଯୋଗୁଁ  ତାପଙ୍ଗଗଡ଼ ଇଂରେଜମାନଙ୍କ ଆୟତ୍ତକୁ ଚାଲିଯାଇଥିଲା।

ଦୁଃଖର ଵିଷୟ ଓଡ଼ିଶା ଇତିହାସର ଏହି ତିନି ବିଶ୍ବାସଘାତକ ଫତେ ମହମ୍ମଦ,ଚରଣ ପଟ୍ଟନାୟକ ଓ କରଣ ମୌସମଙ୍କ ମଧ୍ୟରେ ଓଡ଼ିଶାର ଲୋକ କେଵଳ ଚରଣ ପଟ୍ଟନାୟକକୁ ମନେ ରଖିଲେ । ଓଡ଼ିଶାର ଅନେକ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ଯେ କୁଦିଆରୀର ଚରଣ ପଟ୍ଟନାୟକ ହିଁ ଚିଲିକାର ମାଲୁଦ ଅଞ୍ଚଳରେ ଥିଵା କନ୍ଦାଖାଇ ଗଣ୍ଡରୁ ଇଂରେଜମାନଙ୍କୁ ପାର କରେଇ ଦେଇଥିଲେ । ସମ୍ଭଵତଃ ଚରଣ ପଟ୍ଟନାୟକକୁ ଆଗକରି
କନ୍ଦାଖାଇ ଘାଟରେ ଇଂରେଜମାନଙ୍କୁ ପାର କରେଇ ଦେଇଥିଵା  ବିଶ୍ବାସଘାତକ ଫତେ ମହମ୍ମଦକୁ ସମସ୍ତ ଓଡ଼ିଆ ଜାତି ଭାଇଚାରା ନାଆଁରେ ଭୁଲିଗଲା । ସେହିପରି ହୋଇପାରେ ଆମ ଐତିହାସିକମାନେ ଶାନ୍ତିପ୍ରିୟ ଜାତିର ଵ୍ୟକ୍ତି ଵିଶେଷ ବୋଲି ଫତେ ମହମ୍ମଦର ନାମ ନେଵାକୁ ଭୟ କରିଥିଲେ । ଅତଏଵ୍ ଚରଣ ପଟ୍ଟନାୟକକୁ ଓଡ଼ିଶାରେ ନିମକ୍ ହରାମ୍ ଜାଗିରଦାର୍ ଭାବେ ସମସ୍ତେ ଜାଣିଲେ କିନ୍ତୁ ଫତେ ମହମ୍ମଦର ବିଶ୍ବାସଘାତକତା ଏମନ୍ତକି ତାହାର ନାମ ସୁଦ୍ଧା ଓଡ଼ିଶାର ଅନେକ ଲୋକ ଜାଣିନାହାନ୍ତି ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...