ଲକ୍ଷାଧିକ ଵର୍ଷ ତଳର କଥା । ଗୋଟିଏ ବାଘ ଓ ତାର ସ୍ତ୍ରୀ ବାଘୁଣି ସୁନ୍ଦରଵନରେ ରହୁଥିଲେ । ଥରେ ସୁନ୍ଦରଵନରେ ସମୁଦ୍ରବଢି଼ ହେଵାରୁ ସେମାନେ ପୂର୍ଵକୁ ଚାଲିଆସି ମୟୂରଭଞ୍ଜଠାରୁ ଗୋଦାଵରୀ ନଦୀ ପଠା ପର୍ଯ୍ୟନ୍ତ ଵିସ୍ତୃତ ଗଡ଼ଜାତର ଜଙ୍ଗଲରେ ରହିଵାକୁ ଲାଗିଲେ । ଗଡ଼ଜାତର ସେ ଜଙ୍ଗଲରେ ମଧ୍ୟ ଅନେକ ବାଘ ଥିଲେ କିନ୍ତୁ ସୁନ୍ଦରଵନର ବାଘମାନଙ୍କଠାରୁ ସେମାନଙ୍କ ଆଚାର ଵିଚାର ଭିନ୍ନ ଥିଲା । କ୍ରମେ ଉଭୟ ଜାତୀୟ ବାଘ ଗଡ଼ଜାତର ଜଙ୍ଗଲରେ ଏକାକୀ ଵାସ କରିଵାକୁ ଲାଗିଲେ ।
ସୁନ୍ଦରଵନର ବାଘମାନଙ୍କର ଏଠାରେ ବଂଶଵୃଦ୍ଧି ହେଵାକୁ ଲାଗିଲା କିନ୍ତୁ ସେମାନେ ନିଜକୁ ଗଡ଼ଜାତର ବାଘ ବୋଲି ମନ ହୃଦୟରେ କେବେବି ମାନୁନଥାନ୍ତି । ଉପରେ ଉପରେ ନିଜକୁ ଗଡ଼ଜାତିଆ ବାଘର ପରିଚୟ ଦେଉଥିଲେ ହେଁ ମନ ଭିତରେ ଗଡ଼ଜାତର ମୂଳନିଵାସୀ ବାଘଙ୍କ ପ୍ରତି ତାଙ୍କର ଅହେତୁକ ଦ୍ଵେଷ ଭାଵ ଭରିରହିଥିଲା ।
ସମୟ ଗଡି଼ଚାଲିଲା । କ୍ରମେ ଅନ୍ୟାନ୍ୟ ଅଞ୍ଚଳରୁ ଆହୁରି ଅନେକ ଜାତୀୟ ବାଘ ଯଥା—କଲରାପତରିଆ,ହେଟା ,ଚିତା ଆଦି ସେଠାକୁ ଆସି ରହିଵାକୁ ଲାଗିଲେ । ଏତେ ଜାତୀୟ ବାଘ ଏକତ୍ର ରହିଵାରୁ ଵିଜାତୀୟ ସଂଘର୍ଷ ଉପୁଜିଲା । ସେମାନେ ଦି-ଦଳରେ ଵିଭାଜିତ ହେଲେ । ଏକପକ୍ଷରେ ସ୍ଥାନୀୟ ଗଡ଼ଜାତିଆଆ ବାଘ ଥିଵାବେଳେ ଅନ୍ୟ ପକ୍ଷରେ ଵିଦେଶୀ ବାଘଙ୍କ ବଂଶଜ ସୁନ୍ଦରୀ ବାଘ, କଲରାପତରିଆ ଓ ହେଟା ଆଦି ରହିଲେ ।
ଯେତେବେଳେ କେଵଳ ଗଡ଼ଜାତର ସ୍ଥାନୀୟ ବାଘ ଗଡ଼ଜାତରେ ଵାସ କରୁଥିଲେ ସେତେବେଳେ ସେମାନେ ଥିଲେ ଅପ୍ରତିଦ୍ଵନ୍ଦୀ ,ଦୁର୍ଭେଦ୍ୟ ଓ ଅପରାଜେୟ କିନ୍ତୁ ପରଵର୍ତ୍ତୀକାଳରେ ଵିଦେଶାଗତ ଵିଭିନ୍ନ ଜାତୀୟ ବାଘ ଆସି ସେଠାରେ ରହିଵାରୁ ସେହି ନଵାଗତ ବାଘ ତାଙ୍କ ପରଵର୍ତ୍ତୀ ପିଢ଼ି ନିଜକୁ ଗଡ଼ଜାତିଆ ବାଘ ବୋଲି ସହଜେ ସ୍ଵୀକାର କରିଵାକୁ କୁଣ୍ଠାବୋଧ କଲେ ।
ଏଣେ ହିମାଚଳଠାରୁ ପଶ୍ଚିମ ଭାରତ ଯାଏଁ ସିଂହମାନଙ୍କର ଏକଚାଟିଆ ରାଜତ୍ଵ ଚାଲୁଥାଇ କିନ୍ତୁ ସିଂହମାନେ ବାଘମାନଙ୍କ ସହିତ ପାରିପାରୁନଥିଵାରୁ ମୟୂରଭଞ୍ଜଠାରୁ ଗୋଦାଵରୀ ପର୍ଯ୍ୟନ୍ତ ଅଞ୍ଚଳକୁ ସେତେ ଅଧିକାର କରିପାରିନଥିଲେ । ଅଵଶ୍ୟ କିଛି ସିଂହ ଗଡ଼ଜାତର ଆଖପାଖ ଅଞ୍ଚଳରେ ସ୍ଥାୟୀଭାଵରେ ଵାସ କଲେ ।
ଵିଦେଶାଗତ ଵିଭିନ୍ନ ଜାତୀୟ ବାଘ ଓ ସିଂହ ମୟୁରଭଞ୍ଜଠାରୁ ଗୋଦାଵରୀ ପର୍ଯ୍ୟନ୍ତ ପରିଵ୍ୟାପ୍ତ ଗଡ଼ଜାତ ଅଞ୍ଚଳରେ ରହିଵାକୁ ଲାଗିଵାରୁ ସେହି ଦେଶର ପୂର୍ଵ ଜାତୀୟତାକୁ ସହଜରେ ଗ୍ରହଣ କରୁନଥାନ୍ତି ।
ଏମନ୍ତ ସମୟରେ ହିମାଳୟର ଉତ୍ତର ପାଖରୁ ଅନେକ ଗଧିଆ ଆସି ହିମାଳୟର ସମ୍ପୂର୍ଣ୍ଣ ଦକ୍ଷିଣ ଭାଗକୁ କ୍ରମଶଃ ଵ୍ୟାପିଵାରେ ଲାଗିଲେ । ସେମାନେ ଯେଉଁ ଅଞ୍ଚଳକୁ ଗଲେ ନିଜର ଆଧିପତ୍ୟ ଵିସ୍ତାର କଲେ । ଦଳ ଦଳ ହୋଇ ଶିକାର କରୁଥିଵାରୁ ହୈମଵତଵର୍ଷର ବାଘ ସିଂହ ଆଦି ହିଂସ୍ରଜନ୍ତୁମାନେ ଏମାନଙ୍କୁ ସହଜେ ହରାଇ ପାରୁନଥାନ୍ତି ।
ତଥାପି ଗଡ଼ଜାତର ବାଘ ଅନେକ ଵର୍ଷ ଯାଏଁ ସେମାନଙ୍କର ମୁକାବିଲା କଲେ କିନ୍ତୁ ସେମାନଙ୍କ ଉପରେ ଦାସର୍ଵଦା ତିନିପଟରୁ ଆକ୍ରମଣ ହେଉଥାଏ । ଵିଦେଶାଗତ ବାଘମାନଙ୍କ ମଧ୍ୟରୁ କେତେକ ବାଘଜାତୀୟ ଜୀଵ ସ୍ଥାନୀୟ ଗଡ଼ଜାତିଆ ବାଘଙ୍କୁ ମନେ ମନେ ଘୃଣା କରୁଥିଵାରୁ ବିଶ୍ବାସଘାତକତା କରୁଥାନ୍ତି ।
ଶେଷରେ ପୂର୍ଵର ସୁନ୍ଦରଵନ ଅଞ୍ଚଳର କିଛି ସୁନ୍ଦରୀ ବାଘଙ୍କ ଆକ୍ରମଣ ଯୋଗୁଁ ଗଡ଼ଜାତିଆ ବାଘମାନେ ଶହ ଶହ ଵର୍ଷ ଧରି ପରାଧୀନ ହୋଇ ରହିଲେ । ଉତ୍ତରର ସିଂହ,ପୂର୍ଵର ସୁନ୍ଦରୀ ବାଘ,ଵିଦେଶାଗତ ଗଧିଆ ଓ ଅନ୍ୟାନ୍ୟ ହେଟା,ଚିତା ଆଦି ବାଘ ଜାତିମାନେ ସ୍ଥାନୀୟ ଗଡ଼ଜାତିଆ ବାଘଙ୍କର ଶହ ଶହ ଵର୍ଷ ଧରି ଆର୍ଥିକ ସାମାଜିକ ସାଂସ୍କୃତିକ ଶୋଷଣ କରିଚାଲିଲେ ।
ଶେଷକୁ ଷାଠିଏ ସତୁରୀ ହଜାର ଵର୍ଷ ପୂର୍ଵେ ଆଉ ଦଳେ ଅତି ବୁଦ୍ଧିଆ ଶିକାରୀ ଜୀଵଙ୍କର ଆଗମନ ହେଲା । ସେମାନେ ଦେଖିଲେ ଏ ଅଞ୍ଚଳର ସବୁ ଶିକାରୀ ଜୀଵ ପରସ୍ପରର ଶତ୍ରୁ ତେଣୁ ସେମାନେ ସେମାନଙ୍କ ମଧ୍ୟରେ ଆହୁରି ଵିଵାଦ ବଢା଼ଇଵାକୁ ଚେଷ୍ଟା କରି ସଫଳ ହେଲେ ।
ତଥାପି ଗଡ଼ଜାତର ବାଘମାନଙ୍କ ବଂଶ ଲୋପ ନପାଇ ଭୀଷଣ ସଂଘର୍ଷ ଓ ଉଦମ୍ୟ ଚେଷ୍ଟା ଯୋଗୁଁ ସେ ଅଞ୍ଚଳରେ ସେମାନେ ହିଁ ମୁଖ୍ୟ ଜାତି ଭାବେ ବଞ୍ଚି ରହିଲେ । ସେମାନଙ୍କ ପୂର୍ଵଜଙ୍କ ଅନେକ ଭୂଭାଗ ଅନ୍ୟ ବାଘ ସିଂହ ଜାତୀୟ ହିଂସ୍ର ଜୀଵମାନେ ମାଡି଼ବସିଲେ ତାଙ୍କ ପୂର୍ଵଜଙ୍କ ଗୁମ୍ପା ଓ କୀର୍ତ୍ତି ଚୋରାଇଵାକୁ ଚେଷ୍ଟା କଲେ ବି ସେମାନେ ତାହା ହେଵାକୁ ଦେଲେ ନାହିଁ ।
ଗଡ଼ଜାତରେ ସ୍ଥାନୀୟ ବାଘମାନଙ୍କର ରାଜତ୍ଵ ସିନା ବଞ୍ଚି ରହିଲା କିନ୍ତୁ ଵିଦେଶାଗତ ଅନ୍ୟ ହିଂସ୍ରଜୀଵଙ୍କ ହୃଦୟରେ ଗଡ଼ଜାତିଆ ଜାତୀୟତା କେବେ ଜାଗ୍ରତ ହୋଇପାରିଲା ନାହିଁ ।
ସେମାନେ ଆଜି ବି ନିଜର ପିତୃଭୂମିକୁ ହୃଦୟରୁ ଅନେକାନେକ ଭଲ ପାଆନ୍ତି କିନ୍ତୁ ଗଡ଼ଜାତର ଜଙ୍ଗଲରେ ରହୁଥିଵାରୁ ନିଜର ଵିଜାତୀୟ ଚିନ୍ତାଧାରା ଓ ପରିଚୟ ଗୁପ୍ତ ରଖି ଉଚିତ୍ ସମୟ ଉଣ୍ଡି ଆକ୍ରମଣ କରନ୍ତି ।
ଏହି ଵିଦେଶୀ ହିଂସ୍ରଜନ୍ତୁମାନେ ଯେତେବେଳେ ସୁଯୋଗ ମିଳେ ଗଡ଼ଜାତିଆ ବାଘଙ୍କ ମାତୃଭୂମି ମୟୂରଭଞ୍ଜଠାରୁ ଗୋଦାଵରୀ ପର୍ଯ୍ୟନ୍ତ ଵିସ୍ତୃତ ଵନଭୂମିରେ ନିଆଁ ଲଗେଇ ଦିଅନ୍ତି ।
ଵିଦେଶାଗତ ହିଂସ୍ରଜୀଵମାନେ ଗଡ଼ଜାତରେ ରହି ଗଡ଼ଜାତିଆ ବାଘଙ୍କୁ କୁହନ୍ତି ଆମେ ଆଗ ଵ୍ୟାଘ୍ର ଜାତି, ଆମର ଜାତୀୟତା ପ୍ରଥମେ ଵ୍ୟାଘ୍ର ଜାତୀୟତା ତାପରେ ଆମେ ସିଂହ,ଚିତା ,କଲରାପତ୍ରିଆ,ସୁନ୍ଦରୀ ବାଘ , ମୟୂରଭଞ୍ଜିଆ ବାଘ କି ଆଉ କିଛି ।
କିନ୍ତୁ ସେହି ଵିଦେଶାଗତ ବାଘମାନେ ପଶ୍ଚାତଭାଗରେ ଗଡ଼ଜାତର ଵିସ୍ତୃତ ଵନଭୂମି ଓ ତହିଁରେ ଵସଵାସ କରୁଥିଵା ସ୍ଥାନୀୟ ଗଡ଼ଜାତିଆ ବାଘଙ୍କ ପ୍ରତି ଦ୍ଵେଷଭାଵ ରଖି ସର୍ଵଥା ଷଡ଼ଯନ୍ତ୍ରରେ ଲିପ୍ତ ରହିଥାନ୍ତି ।
ସ୍ଥାନୀୟ ଗଡ଼ଜାତିଆ ବାଘ ଓ ଵିଦେଶାଗତ ଗଧିଆ,ଚିତା,ହେଟା ତଥା ସୁନ୍ଦରୀ ବାଘଙ୍କ ମଧ୍ୟରେ ଏ ସଂଘର୍ଷ ଆଜି ବି ଶୀତଳ ଯୁଦ୍ଧ ଭାବେ ହେଉ ପଛେ ଲାଗି ରହିଛି । କିନ୍ତୁ ଗଡ଼ଜାତର ବାଘମାନେ କାଳର ଆହ୍ଵାନକୁ ବୁଝି ଏକଜୁଟ ନହେଲେ ସେମାନଙ୍କର ସ୍ଵାତନ୍ତ୍ର୍ୟ ଗଡ଼ଜାତର ଜଙ୍ଗଲରେ ନିଶ୍ଚୟ ଲୁପ୍ତ ପାଇଵ ।
ହେ ଗଡ଼ଜାତିଆ ବାଘମାନେ ଆଉ କେତେ ଦିନ ଜାଣି ଶୋଇଵ ହେ ଵୀରମାନେ ?
No comments:
Post a Comment