ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ "ଦେହରେ ଚନ୍ଦନ ବୋଳି ହେଵା" କିନ୍ତୁ ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର ଵିଶେଷ ହୀରା,ଲୀଳା ଓ ମାଣିକ୍ୟ ଚିତା ଉଲାଗି ହୋଇଥାଏ ତାହା ଆଜିର ଦିନରେ ଲାଗି ହେଉଥିଵାରୁ ଶ୍ରାଵଣ ଅମାଵାସ୍ୟାର ନାମକରଣ ଚିତାଲାଗି ଅମାଵାସ୍ୟା ହୋଇଅଛି ।
ଠାକୁରମାନେ ଏହି ରତ୍ନଖଚିତ ସୁନାଚିତାମାନ ଏହିଦିନ ଶ୍ରୀମନ୍ଦିରର ରତ୍ନବେଦୀରେ ପିନ୍ଧନ୍ତି ଏଵଂ ତାହା ଅତ୍ୟନ୍ତ ଦୁର୍ମୂଲ୍ୟ ଅଟଇ । ଶ୍ରୀଜଗନ୍ନାଥଙ୍କ ରତ୍ନଚିତାକୁ ‘ହୀରାଚିତା’ କୁହାଯାଏ । ଏହି ଚିତା ମଝିରେ ନାୟକ ଭାବରେ ଗୋଟିଏ ବଡ଼ ହୀରା ଖଞ୍ଜା ଯାଇଛି। ତାହାର ରଙ୍ଗ ଧଳା ହୋଇଥିବାରୁ ତାହାର ଅନ୍ୟନାମ ‘ଧଳାଚିତା’। ଶ୍ରୀବଳଭଦ୍ରଙ୍କ ରତ୍ନଚିତାକୁ ‘ନୀଳାଚିତା’ କୁହାଯାଏ । ସେଥିରେ ନାୟକ ଭାବରେ ଗୋଟିଏ ବଡ଼ ମର୍କତ ମଣି ଖଞ୍ଜା ଯାଇଥାଏ । ଏହି ନୀଳାଚିତା ସବୁଜ ରଙ୍ଗର ହୋଇଥାଏ ଏଵଂ ଏହି ରତ୍ନଚିତାରେ ଗୋଟିଏ ନୀଳା ଖଚିତ ହେଉଥିଵାରୁ ଏହାକୁ ‘ନୀଳାଚିତା’ କୁହାଯାଏ । ଦେଵୀ ସୁଭଦ୍ରାଙ୍କ ରତ୍ନଚିତାକୁ ‘ମାଣିକ୍ୟଚିତା’ ଓ ‘ନାଲିଚିତା’ କହିଥାନ୍ତି । ଶ୍ରୀବଳଭଦ୍ରଙ୍କ ରତ୍ନଚିତା ପରି ଏହି ମାଣିକ୍ୟଚିତାରେ ମଧ୍ୟ ନାୟକ ଭାଵରେ ରହିଛି ଗୋଟିଏ ବଡ଼ ମର୍କତ ମଣି ।
ସ୍ନାନପୂର୍ଣ୍ଣମୀରେ ସ୍ନାନବେଦୀରେ ଠାକୁରମାନେ ସ୍ନାନ କରିଵାବେଳେ ଏହି ରତ୍ନଖଚିତ ସୁନାଚିତା ସେମାନଙ୍କର ମସ୍ତକରେ ଥାଏ। କିନ୍ତୁ ହାତୀବେଶ ଉଲାଗି ହୋଇ ଅଣସର ଘରକୁ ଯିଵା ପରେ ସେହି ଚିତାଯାକ ଓହ୍ଲାଇ ଆଣି ସୁରକ୍ଷିତ ରଖିଦିଆଯାଏ । ଅଣସର ପରେ ନଵ ଯୌଵନ ଦର୍ଶନ , ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଵା ବେଳେ, ସେମାନଙ୍କର ମସ୍ତକରେ ସ୍ବତନ୍ତ୍ର ଭାବରେ ସୋଲରେ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ଚିତା ଲାଗି କରାଯାଏ। ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ଲେଉଟିଵା ପରେ ମଧ୍ୟ ଏହି ରତ୍ନଚିତା ଲାଗି କରାଯାଇନଥାଏ । ଚିତାଲାଗି ଅମାବାସ୍ୟା ଦିନ ହିଁ ଏହା ଲାଗି କରାଯାଏ। ଏହିକାରଣରୁ ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତାଲାଗି ଅମାଵାସ୍ୟା କହିଥାନ୍ତି ।
ଶ୍ରାଵଣ ମାସର ଅମାଵାସ୍ୟା ତିଥିକୁ ‘ଚିତଉ ଅମାଵାସ୍ୟା’ ମଧ୍ୟ କହିଥାନ୍ତି କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଓ ‘ଘିଉଡି ପିଠା’ ଭୋଗ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଧରଣର ଭୋଗକୀ ପର୍ଵଣି ଭୋଗ କହିଥାନ୍ତି ।
ସାଧାରଣତଃ ବଡ଼ ଦେଉଳରେ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ ଭୋଗ ଲାଗି ଥାଏ ।
ଓଡ଼ିଶାର ଗୃହସ୍ଥମାନେ ମଧ୍ୟ ଏହିଦିନ ଚିତଉ ପିଠା କରି ଇଷ୍ଟଙ୍କୁ ଭୋଗ କରାଯାଏ । କେତେକ ଅଞ୍ଚଳରେ ଏହି ପିଠା ଧାନ କ୍ଷେତରେ ଓ ପୋଖରୀ ଗାଡ଼ିଆରେ ଗେଣ୍ଡାମାନଙ୍କୁ ମଧ୍ୟ ଦିଆଯାଏ । ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ଗେଣ୍ତା- ଶାମୁକାଙ୍କ ଦେଵତା ଗେଣ୍ତେଇଶୁଣୀଙ୍କୁ ଚିତଉ ଅମଵାସ୍ଯା ଦିନ ଚିତଉ ପିଠା ଦେଲେ ଗେଣ୍ଡାମାନେ ମନୁଷ୍ୟମାନଙ୍କୁ କାମୁଡି଼ବେ ନାହିଁ ।
ଓଡ଼ିଶାର କେତେକ ଗ୍ରାମାଞ୍ଚଳରେ ଆଜି ମଧ୍ୟ ସ୍ତ୍ରୀଲୋକମାନେ ପୋଖରୀ ତୁଠକୁ ଯାଇ ଗେଣ୍ତେଇଶୁଣୀଙ୍କ ନାମ ଧରି ଖଣ୍ତେ ପିଠା ପାଣିକୁ ପକେଇ ଦେଇ ଆସନ୍ତି । ଗେଣ୍ତେଇଶୁଣୀ ଚିତଉ ପିଠା ଲାଞ୍ଚ ଖାଇ ପିଷ୍ଟକଦାତ୍ରୀ ଓ ତାଙ୍କର ଆତ୍ମୀଯମାନଙ୍କ ଗୋଡ଼କୁ କାଟିବେ ନାହିଁ ଏହି ଆଶା ଓ ଵିଶ୍ଵାସ ଘେନି ବହୁ ପ୍ରାଚୀନ କାଳରୁ ଗେଣ୍ଡାମାନଙ୍କୁ ଚିତାଲାଗି ଅମାଵାସ୍ୟା ଦିନ ଚିତଉପିଠା ଦେଵାର ପ୍ରଥା ଚଳି ଆସୁଅଛି । କେତେକ ଅଞ୍ଚଳରେ ଏହାକୁ ସ୍ଵତନ୍ତ୍ର ଭାବେ "ଗେଣ୍ଡେଇକଟା ଓଷା" ମଧ୍ୟ କୁହାଯାଏ । ସେହିପରି ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ଵକୁ "ଗେଣ୍ଡାକଟା ଅମାଵାସ୍ୟା" କୁହାଯାଏ ।
ପୋଖରୀରେ ଗେଣ୍ଡେଇଶୁଣୀଙ୍କୁ ପିଠା ଅର୍ପଣ କରି ଓଡ଼ିଶାର ମହିଳାମାନେ ଗେଣ୍ଡେଇଶୁଣୀଙ୍କ ଉଦ୍ଦେଶ୍ୟରେ କୁହନ୍ତି...
“ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ,
ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ,
ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।”
ଵୈଜ୍ଞାନିକ ଦୃଷ୍ଟିକୋଣରୁ ବର୍ଷାଋତୁର ଆରମ୍ଭ ସମୟରେ ଗେଣ୍ଡାମାନଙ୍କର ପ୍ରଜନନର ଋତୁ । ବର୍ଷା ଋତୁ ଧାନ ଫସଲର ଅଭିବୃଦ୍ଧିର ସମୟ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାଵନାକୁ ଏଡ଼େଇଵା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସାଯାଇଥାଏ । ସମ୍ଭଵତଃ ଏହିକାରଣରୁ ପୂର୍ଵକାଳରେ ଧାନଗଛର ସୁରକ୍ଷା ନିମନ୍ତେ ଆମ ପୂର୍ଵଜ ଏଭଳି ଏକ ସାଂସ୍କୃତିକ ପଦକ୍ଷେପ ଗ୍ରହଣ କରିଥିଲେ ।
ଆଜି ଓଡ଼ିଶାର ନଗରାଞ୍ଚଳର, ସୀମାନ୍ତ ଓଡ଼ିଶାର ଲୋକ ପାଶ୍ଚାତ୍ୟାଭିମୁଖୀ ହୋଇ ଏଵଂ ଉତ୍ତର ଓ ଦକ୍ଷିଣ ଭାରତୀୟ ଲୋକଙ୍କ ପରମ୍ପରାଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଶାର ମୌଳିକ ଖାଦ୍ୟ ଓ ସଂସ୍କୃତିଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି । ଏଭଳି ଓଡ଼ିଆ ବଂଶୋଦ୍ଭଵ ସମ୍ଭଵତଃ ନିଜ ଜୀଵନରେ କେବେ ଚିତଉ ପିଠା ଦେଖି ନଥିବେ କି ଖାଇ ନଥିବେ । ତେବେ ଚିତଉ ପିଠା କରିଵାର ଵିଧି ସହଜ । ଚାଉଳକୁ ବାଟି ପିଠଉ କରି ସେଥିରେ ନଡ଼ିଆ ମିଶାଇ ସେହି ପିଠଉକୁ ନିଆଁଉପରେ ପଲମ ଵା ତେଲଉଣିରେ ଢ଼ାଳି ତା ଉପରେ ଗୋଟିଏ ସରା ଘୋଡ଼ାଇ ଦିଆଯାଏ ଏଵଂ ସରା ଉପରେ ପାଣିଛିଞ୍ଚାଯାଏ । ଏ ପିଠା ବାଷ୍ପଦ୍ବାରା ସିଦ୍ଧ ହୋଇଥାଏ ଫଳତଃ ଏହାର ଦେହଯାକ ଛିଦ୍ରଯୁକ୍ତ ହୋଇଥାଏ ଓ ଉପର ପାଖ ଫୁଲିଯାଏ । କେହି କେହି ଗୃହରେ ଚିତଉ ପିଠା କଲାବେଳେ ତହିଁରେ ଗୁଡ଼ ଓ ଦୁଗ୍ଧ କିଂଵା ଦଧି ଆଦି
ମଧ୍ୟ ମିଶାଇଥାନ୍ତି । ଚିତଉ ପିଠାର ନାମଟି ତତ୍ସମ ଚିତ୍ର , ଚିତ୍ରକ ଵା ଚତ୍ରଗୂ ଶବ୍ଦ ସହ ସମ ମୂଳରୁ ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।ଚିତ୍ର ଶବ୍ଦର ଏକ ଅର୍ଥ ଚିହ୍ନ ଵା ଦାଗ ଓ ଛାପିଛାପିକିଆ ଚିହ୍ନ ଏଵଂ ଯେଉଁଥିରେ ଏଭଳି ଦାଗ ଥାଏ ତାକୁ ଚିତ୍ରକ କୁହାଯାଏ । ଚିତଉ ପିଠାରେ ଫୋଡ଼ାଫୋଡ଼ି ଦାଗ ହୋଇଥିଵାରୁ ଏଭଳି ନାମକରଣ ହୋଇଥିଵା ସମ୍ଭଵ । ଚିତାଲାଗି ଅମାଵାସ୍ୟା ଛଡ଼ା ଏହି ଚିତଉ ପିଠା କୌଣସି ସ୍ତ୍ରୀ ଗର୍ଭଵତୀ ହେଲେ ଗର୍ଭସଞ୍ଚାରର ସାତମାସ ପରେ ତାହାର ବାପଘରୁ ଓ ବନ୍ଧୁବାନ୍ଧବମାନଙ୍କ ଘରୁ ଶଙ୍ଖୁଳା ଭାବେ ପଠାଯାଇଥାଏ । ଗର୍ଭିଣୀର ଭକ୍ଷଣେଚ୍ଛା ଯୋଗୁଁ ସାଦରୁ , ସ୍ଵାଦିଷ୍ଟ ଖାଦ୍ୟ ଦିଆଯାଉଥିଵାରୁ ସ୍ବାଦରୁ କିଂଵା ଶ୍ରଦ୍ଧାରେ ଦିଆଯାଇଥାଏ ବୋଲି ଶାଧଖିଆ ତଥା କେତେକ ଅଞ୍ଚଳରେ ମୁଖ୍ୟତଃ ଚିତଉପିଠା ଦିଆଯାଉଥିଵାରୁ ଏହି ଶଙ୍ଖୁଳା ଭାରକୁ 'ଚିତଉଖିଆ' କୁହାଯାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଶ୍ରାଵଣମାସର ଚିତଉ ଅମାଵାସ୍ଯା ଦିନ ସମ୍ବଲପୁର ଅଞ୍ଚଳରେ କାଦୋବରିଷ୍ଟ ନାମରେ ଗୋଟିଏ ପର୍ଵ ପାଳନ କରାଯାଉଥିଲା ଏଵଂ ସମ୍ଭଵତଃ ଏ ପର୍ଵ ଅଧୁନା ଲୁପ୍ତ ।
ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳଗୁଡ଼ିକରେ ଶ୍ରାଵଣ ମାସର ଉଁଆସକୁ "ଟଣ୍ଡେଇମାନଙ୍କର ରାଏତ୍" ବୋଲି ମଧ୍ୟ କୁହାଯାଏ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଡାହାଣୀମାନଙ୍କୁ ଟଣେଇ,ଅଵିଭକ୍ତ ହୀରାଖଣ୍ଡରେ ଟଣ୍ଟେଇ,ଟଣ୍ଡେଇ ଓ ଟଣ୍ଢେଇଁ ଆଦି କୁହାଯାଏ । ସମ୍ଭଵତଃ ନକାରାତ୍ମକ ଶକ୍ତି ବଳରେ ଜୀଵକୁ ନିଜପାଖକୁ ଟାଣି ଆଣିପାରୁଥିଵାରୁ କିଂଵା ତଣ୍ଟିରେ ପାଟି ଲଗାଇ ରକ୍ତ ପିଉଥିଵାରୁ ଡାହାଣୀମାନଙ୍କର ଏଭଳି ନାମକରଣ ହୋଇଛି ।
ଲୋକଵିଶ୍ଵାସ ଅନୁସାରେ ପଶ୍ଚିମ ଓଡ଼ିଶା ଵିଶେଷତଃ କୁଆଁରୀ ପାଟଣା ଵା ଆଧୁନିକ ପାଟଣାଗଡ଼ ଏକଦା ଗୁଣି ଗାରେଡ଼ି ତନ୍ତ୍ର ସାଧନା ପାଇଁ ଖ୍ୟାତ ଥିଲା । ଏଠାରେ କେତୋଟି ନିର୍ଦ୍ଧିଷ୍ଟ ତିଥିରେ ଵିଶେଷ ତନ୍ତ୍ର ସାଧନା ହେଉଥିଲା ତନ୍ମଧ୍ୟରୁ ଶ୍ରାଵଣ ଅମାଵାସ୍ୟା ଅନ୍ୟତମ । ଏଣୁ ଶ୍ରାଵଣ ଅମାଵାସ୍ୟାର ରାତ୍ରିକୁ ଗୁଣି ଗାରେଡି, ଡ଼ାହାଣି ବିଦ୍ୟା ତନ୍ତ୍ର ସାଧାନାର ସିଦ୍ଧି ପ୍ରାପ୍ତିର ନିଶାରାତି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଜି ବି ଵିଶ୍ୱାସ ରହିଛି । ଚତାଲାଗି ଅମାଵାସ୍ୟା ଦିନ ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳ ଗୁଡ଼ିକରେ ଗ୍ରାମଦେଵୀ ପୂଜା କରାଯାଇଥାଏ ଏଵଂ ପୁରାତନ ପ୍ରଥା ଅନୁସାରେ ଗ୍ରାମଦେଵୀଙ୍କ ନିକଟରେ ଚିତାଲାଗି ଅମାବାସ୍ୟା ଦିନ ବୋଦା, କୁକୁଡ଼ା, ପାରା ଆଦି ବଳି ଦିଆଯାଏ । ସ୍ଥାନୀୟ ଲୋକେ ଚାଷ କାମ ସାରିଵା ପରେ ଭଲ ଚାଷ ଅମଳ ତଥା ଗ୍ରାମରେ ସୁଖ ଶାନ୍ତି ବଜାୟ ରଖିଵାକୁ ନେଇ ଗ୍ରାମଦେଵୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଏ ଅଞ୍ଚଳରେ ଶ୍ରାଵଣ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇଵା ଗଉଡ଼ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ବ୍ୟକ୍ତିଙ୍କ ଘରେ ଖୋସିଯାଏ। ଲୋକ ଵିଶ୍ବାସ ଅଛି ଯେ, ଏହା ଦ୍ବାରା ଗ୍ରାମବାସୀମାନେ କୁଶଳରେ ରହନ୍ତି।
ତେବେ ଉତ୍ତର ଭାରତୀୟଙ୍କ ପ୍ରଭାଵରେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ତଥା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆ ବଂଶୋଦ୍ଭଵମାନେ ଶ୍ରାଵଣ ଅମାଵାସ୍ୟାକୁ
ହରିଏଲ୍ ଉଆଁସ,ହରିଆଲି ଉଆଁସ ଵା ହରେଇଲି ଉଆଁସ ଭାବେ ପାଳିଥାଆନ୍ତି ଏଵଂ ଏହାକୁ ସେମାନେ ହରିଆଲି ଉଆଁସ କହିଥାନ୍ତି । ଅଦ୍ୟପି ଉତ୍ତର ଭାରତୀୟମାନେ ହରିଆଲୀ ଅମାବାସ୍ୟା ଭାବେ ଶ୍ରାଵଣ ଅମାଵାସ୍ୟାକୁ ଵିଧିଵଧ ଭାବେ ପାଳିଥାନ୍ତି । ଶ୍ରାଵଣ ଅମାଵାସ୍ୟା ଦିନ ବୃକ୍ଷ ରୋପଣ କରିଵା ପରମ୍ପରା ଉତ୍ତର ଭାରତରେ ପ୍ରଚଳିତ ହୋଇଆସୁଛି । ଵୃକ୍ଷରୋପଣ ଦ୍ଵାରା ସବୁଜିମା ଵୃଦ୍ଧି ଏହି ପର୍ଵର ମୂଳ ଉଦ୍ଦେଶ୍ୟ ହୋଇଥିଵାରୁ ଏହାକୁ ଏହି କାରଣରୁ ହରିଆଲୀ ଅମାଵାସ୍ୟା କୁହାଯାଏ । ହରିଆଲୀ ଅମାଵାସ୍ୟାରେ ପିପ୍ପଳ(ଅଶ୍ୱତ୍ଥ), ବଟବୃକ୍ଷ, ଆମ୍ବ, ନିମ୍ଵ ଏବଂ ଶମୀ ଆଦି ପାଞ୍ଚୋଟି ମହାନ୍ ବୃକ୍ଷକୁ ରୋପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପାଞ୍ଚଵୃକ୍ଷରେ ଆଧ୍ୟାତ୍ମିକ ଗୁଣ ଭରିରହିଥିଵାରୁ ହିନ୍ଦୁମାନେ ଦେଵତୁଲ୍ୟ ପୂଜାକରନ୍ତି ।
ଶ୍ରାଵଣ ଅମାଵାସ୍ୟା ଏକ କୃଷିଭିତ୍ତିକ ପର୍ଵ । ଧାନ ଗଛର ରକ୍ଷା ହେତୁକ ଗେଣ୍ଡାମାନଙ୍କୁ ଚିତଉପିଠା ଅର୍ପଣ କରିଵା ହେଉ,ଭଲ ଅମଳ ପାଇଁ ଦେଵୀ ଉପାସନା କରାଯିଵା ହେଉ ଵା ପାଞ୍ଚଗୋଟି ପଵିତ୍ର ଵୃକ୍ଷ ରୋପଣ ହେଉ ଏ ପର୍ଵ ପରୋକ୍ଷରେ ପ୍ରକୃତି ଉପାସନାର ଵାର୍ତ୍ତା ଦେଇଥାଏ ।
🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠
No comments:
Post a Comment