ଵିଷ୍ଣୁ ଶର୍ମାଙ୍କୁ ନମସ୍କାରାନ୍ତେ...🙏🙏🙏
ଆଶ୍ଚର୍ଯ୍ୟଭରା ଡବଡବ ଆଖୁରେ ବଡ଼ପାଟିଟିକୁ ମେଲାକରି ଅନାଇଥିଲା ଗଙ୍ଗଦତ୍ତ ତାର ଏ ନୂଆ ସଂସାରକୁ। ନାନା ଧରଣର ଜୀଵଜନ୍ତୁ, ରଙ୍ଗବେରଙ୍ଗର ଚଢ଼େଇ, କିସମ୍ କିସମର ପ୍ରଜାପତି। ମାଳେ ବଗ ତା’ ପାଖଦେଇ ଉଡ଼ିଗଲାବେଳେ ଏକ ଅଜଣା ଭୟରେ ସେ ଡେଇଁଯାଉଥିଲା ଗୋଟାଏ ସାରୁଗଛ ମୂଳକୁ। ବଗମାନେ ଡେଣା ଝାଡ଼ିଝାଡ଼ି ଦୂରାନ୍ତକୁ ଉଡ଼ିଗଲେ। ଭୟରହିତ ମନ ନେଇ ଗଙ୍ଗଦତ୍ତ ପୁଣି ଥରେ ମଜ୍ଜିଗଲା ତାର ଅସରନ୍ତି ଅନୁଶୋଚନାରେ।
କୂଅକୁ ଆଉ ଫେରିଵନି ବୋଲି ଭଦ୍ର ଗୋଧି ହାତରେ ପ୍ରିୟଦର୍ଶନ ପାଖକୁ ସନ୍ଦେଶ ପଠାଇଦେଲା ପରେ ସେ ଏଥର କଣ କରିଵ, ଅନେକ ସମୟ ଯାଏଁ କିଛି ଭାବିପାରି ନ ଥିଲା। ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ କେହି ନାହାନ୍ତି। କୁଆଡ଼େ ଅଵା ସେ ଯିବ। ଏକୋଇର ବଳା ଯମୁନା ଦତ୍ତକୁ ଯେଉଁଦିନ ପ୍ରିୟଦର୍ଶନ ଖାଇଗଲା କାନ୍ଦିକାନ୍ଦି ଆଖି ଫୁଲାଇ ଦେଇଥିଲା ତା' ସ୍ତ୍ରୀ ବେଙ୍ଗୁଲୀ ରାଣୀ। ଶେଷରେ ପରାମର୍ଶ ଦେଇଥିଲା ଯେ ଗଙ୍ଗଦତ୍ତକୁ ଏବେ କୌଣସିମତେ କୂଅରୁ ଖସିଯିଵାକୁ ହେବ କିଛି ଗୋଟାଏ ବାହାନା କରି । ବାହାନାଟି ମଧ୍ୟ ଦର୍ଶାଇ ଦେଇଥିଲା ସିଏ। ‘ ଉପରକୁ ଯାଇ ଅନ୍ୟ ବେଙ୍ଗମାନଙ୍କୁ କୂଅ ଭିତରକୁ ଡାକିଆଣିବି’ ଶୁଣିଲେ ସାପ ହୁଏତ ଖୁସିରେ ରାଜି ହୋଇଯିଵ । ଗଙ୍ଗଦତ୍ତ କିନ୍ତୁ ସେ ପ୍ରସ୍ତାଵ ପ୍ରଥମେ ଗ୍ରହଣ କରି ନ ଥିଲା । ବେଙ୍ଗୁଲୀ ରାଣୀକୁ ଅସହାୟା ଅଵସ୍ଥାରେ କୂଅଭିତରେ ଛାଡ଼ିଦେଇ ପ୍ରାଣ ଭୟରେ ପଳାଇଯିଵ ଗଙ୍ଗଦତ୍ତ। ବେଙ୍ଗୁଲୀରାଣୀର କିନ୍ତୁ ସେଇ ଏକା ଜିଦ୍ - ତା’ ପାଇଁ ଗଙ୍ଗଦତ୍ତର ଚିନ୍ତା କରିଵା ଅନୁଚିତ। ‘ମୋ କଥା ଚିନ୍ତା କରନି, ମୁଁ କେଉଁ ଫାଟ ସନ୍ଧିରେ ଏମିତି ଗଳିଯିବି ଯେ ପ୍ରିୟଦର୍ଶନ ଯେତେ ଦରାଣ୍ଡିଲେ ବି ମୋତେ ଖୋଜି ପାଇଵନି’ – କହିଥିଲା ସିଏ । ଯୁକ୍ତିରେ ଜୋର ମଧ୍ୟ ଥିଲା ଯଥେଷ୍ଟ । ପ୍ରଜାଗଣଙ୍କ ଧ୍ଵଂସ ପରେ କୂଅରେ ବେଙ୍ଗରାଜ୍ୟ ବୋଲି ଅବଶେଷ ଆଉ କିଛି ନଥିଲେ ମଧ୍ୟ ଗଙ୍ଗଦତ୍ତର ଥିଲା ରାଜୋଚିତ ଏକ ପୃଥୁଳ ଶରୀର। ସେ ଶରୀର ନେଇ ସେ କେଉଁଠି ଅଵା ଲୁଚନ୍ତା ! “ତମେ ମୋତେ ପ୍ରତ୍ୟହ ଗୋଟିଏ ଲେଖା ବେଙ୍ଗ ଖାଇଵାକୁ ଦେବ” ବୋଲି ପ୍ରତିଶ୍ରୁତିଦେଇ କୂଅ ଭିତରକୁ ଡାକି ଆଣିଥିଲ। ଏବେ ଖାଇଵାବେଳ ଗଡ଼ିଗଲାଣି, କଣ ଖାଇଵାକୁ ଦେଉଛ ?”
ପଚାରିଦେଲା ପରେ ‘କାହାକୁ ଦେଉଛ ?”
ବୋଲି ପଚାରି ‘ ଆବ୍ବେ କାହାକୁ ଦେଉଛୁ’ ?
କହି ପ୍ରିୟଦର୍ଶନ ଯଦି ତମର ତୋଟି ଧରିଦିଏ" - ବେଙ୍ଗୁଲୀ ରାଣୀର ଯୁକ୍ତିରେ ଥିଲା ଅନେକ ଜୋର୍। ବେଙ୍ଗୁଲୀରାଣୀ ସତରେ କେଡ଼େ ଛୋଟ। ଛୋଟଛୋଟ ଆଖି ତୁଳନାରେ ତାର ପାଟି ଟିକିଏ ବଡ଼ ଦେଖାଯାଏ ସିନା; ପେଟ ଯେମିତି ଚେପ୍ଟା, ଅଣ୍ଟା ବି ସେମିତି ସରୁ। ଯମୁନାଦତ୍ତର ମୃତ୍ୟୁ ପରେ ସେ ଏବେ ଆହୁରି ପାତଳୀ ହୋଇଯାଇଛି। ହୁଏତ ପ୍ରିୟଦର୍ଶନ ଦେଖି ନ ପାରିଲା ଭଳି କେଉଁ ଫାଟସନ୍ଧିରେ ଲୁଚିଯିଵ । ଗଙ୍ଗଦତ୍ତ ଶେଷରେ ବାହାନା କରି ଦୂର ଅହି ପାଖରୁ ଖସିଆସିଥିଲା। ଗଙ୍ଗଦତ୍ତ ଫେରିବନି କି କୌଣସି ବେଙ୍ଗ କୂଅକୁ ଆସିଵେନି ଜାଣିଲା ପରେ ବୁଭୁକ୍ଷିତ ଦୁଷ୍ଟ ପ୍ରିୟଦର୍ଶନ ଯଦି କୂଅ ଚାରିଆଡ଼େ ବେଙ୍ଗ ଦରାଣ୍ଡିବାକୁ ଯାଇ ତା ସ୍ତ୍ରୀକୁ...
ଦୁଃଖ ଏବଂ ଶୋକରେ ମ୍ରିୟମାଣ ହୋଇ ଗଙ୍ଗଦର ସେହି ସାରୁଗଛ ମୂଳରେ ଢୁଳେଇପଡ଼ିଥିଲା। ଯେତେବେଳେ ତାର ନିଦ ଭାଙ୍ଗିଲା ସେ ଦେଖିଲା ସୂର୍ଯ୍ୟଦେଵ ଏବେ ବି ଆକାଶରେ ପଇଁତରା ମାରୁଛନ୍ତି। ନିଜ ଗୃହ-ସଂସାର କଥା ଭୁଲିଯାଇ ପ୍ରଥମକରି ଏକ ନୂତନ ଜଗତକୁ ଆଶ୍ଚର୍ଯ୍ୟଭରା ଆଖରେ ଅନାଇଥୁଲା ଗଙ୍ଗଦତ୍ତ। ସୂର୍ଯ୍ୟଦେଵଙ୍କୁ ଆଗରୁ ଯେ ସେ ଦେଖିନି, ତା’ ନୁହେଁ । କୂଅ ଉପରର ଛତାପରି ଛାତରେ ସୂର୍ଯ୍ୟ କିଛି ସମୟ ଦେଖାଦେଇ ଭିତରକୁ ଉଙ୍କିମାରନ୍ତି । ସେଇ ଛତା ଯେ ଏତେ ବଡ଼ ଆଉ ସୂର୍ଯ୍ୟଦେବ ଦିନସାରା ତହିଁରେ ଘୂରି ବୁଲୁଥାନ୍ତି ତାହା ତା’ କଳ୍ପନାର ଵହିର୍ଭୂତ ଥିଲା। ପ୍ରିୟଦର୍ଶନକୁ ଡାକି ନେଲାବେଳେ ସେ ଥିଲା କ୍ରୋଧରେ ଅନ୍ଧ - ଆକାଶକୁ ଦେଖି ମଧ୍ୟ ଦେଖି ନ ଥିଲା। ଦିନର ଶେଷରେ ସୂର୍ଯ୍ୟ ଗୋଟିଏ ପାଚିଲା ଡିମ୍ବିରୀ ପରି ଡଉଲଡାଉଲ ହୋଇ ଦିଗନ୍ତରେ ଡୁବିଗଲେ। ଆକାଶ ରଙ୍ଗ ବଦଳାଇବାକୁ ଲାଗିଲା। ଆକାଶର ଏ ରଙ୍ଗବଦଳା ସ୍ଵଭାଵ ମଧ୍ୟ ଆଗରୁ ସେ କୂଅ ଭିତରେ ଥିବା ବେଳେ ଦେଖିଥିଲା ଏବଂ ଥରେ ବେଙ୍ଗୁଲୀ ରାଣୀ ସଙ୍ଗରେ ଖୁସି ଗପ କଲାବେଳେ ମହୀ କେମିତି କ୍ଷଣକ୍ଷଣକେ ଆନ ହୁଏ, ସେ କଥା ବୁଝାଇଵାକୁ ଚେଷ୍ଟା କରିଥିଲା। କୁଆଡ଼େ ଗଲା ସେ ସୁଖର ସଂସାର – ଦୀର୍ଘଶ୍ବାସ ଛାଡ଼ିଥିଲା ଗଙ୍ଗଦତ୍ତ।
ହଠାତ୍ ସେ ଦେଖିଲା ଆକାଶର ରଙ୍ଗୀନ ଘୋଡ଼ଣି ଉହାଡ଼ରୁ କୁନିତାରାମାନେ ଗୋଟାକ ପରେ ଗୋଟାଏ ଉଙ୍କିମାରି ସାରା ଆକାଶକୁ ଛାଇଦେଲେଣି। ମୁଗ୍ଧ ଚକିତ ନୟନରେ ସେମାନଙ୍କୁ ଅନାଇ ଉପରକୁ ଉହୁକି କେତୋଟି ତାରାଙ୍କୁ ଗିଳି ପକାଇଵାକୁ ଚାହିଁଥିଲା ସିଏ। କିଛିକାଳ ଡିଆଁଡେଇଁ କଲାପରେ ସେ ବୁଝିନେଲା ଯେ ଏ ଜୁଳୁଜୁଳିଆ ପୋକଗୁଡ଼ିକ ଅତିଉଚ୍ଚରେ। ଦିଗ୍ଵଳୟରେ ଆକାଶ ଯେଉଁଠି ପୃଥିବୀ ସଙ୍ଗରେ ମିଳାଇଯାଇଛି ସେଇଠି। ଏ ଭିତରୁ କେତେଟାକୁ ସହଜରେ ଧରିନେଇ ପାରିଵ ଭାବି ଦ୍ବିଗୁଣିତ ଉତ୍ସାହରେ ଦିଗ୍ବଳୟ ଆଡ଼କୁ ଡେଇଁଗଲା ଗଙ୍ଗଦତ୍ତ । ତଡ଼ାଗ ତଟରେ ଗୋଟିଏ ବଡ଼ କାଠଗଣ୍ଡି; ଆଉ ସେ କାଠଗଣ୍ଡି ଉପରେ ବସିଛନ୍ତି କେତୋଟି ସମପୋଷାକଧାରୀ ବଡ଼ବେଙ୍ଗ । ତଡ଼ାଗ ଭିତରୁ ଛୋଟ ବଡ଼ ବେଙ୍ଗଙ୍କ ଧାଡ଼ି ଛୁଟିଛି ସେମାନଙ୍କ ପାଖକୁ। ତଡ଼ାଗ ମଝିରେ ଇତସ୍ତତଃ ମୁଣ୍ଡଟେକି ଠିଆ ହୋଇଛନ୍ତି କେତୋଟି ଥୁଣ୍ଟାଗଛ। ସେ ଥୁଣ୍ଟା ଗଛମାନଙ୍କ ଉପରେ ବସିଥିଲେ ବିଭିନ୍ନ ପୋଷାକରେ ଆଵୃତ କେତେ ବୃଦ୍ଧ ତଥା ସାନବଡ଼ ବେଙ୍ଗ । କ୍ରମାଗତ କେଁ-କଟର କରୁଥିଲେ ସେମାନେ । ଗଙ୍ଗଦତ୍ତର ମନେହେଲା ସେ ବେଙ୍ଗଙ୍କ ସ୍ଵର୍ଗ-ରାଜ୍ୟରେ ପହଞ୍ଚିଯାଇଛି । ପୂର୍ଵ ସୁକୃତ, ସୌଭାଗ୍ୟ, ପୂର୍ଵଜନ୍ମର ତପସ୍ୟା ଏବଂ ପ୍ରାରବ୍ଧ ହିଁ କଢ଼ାଇ ଆଣିଛି କୂଅରୁ ଏ ସ୍ଵର୍ଗ-ରାଜ୍ୟକୁ। ଖୁସିରେ ଡିଆଁଟିଏ ମାରି ଚଢ଼ାଗ ଭିତରକୁ ପଶିଯିଵା ପାଇଁ ଉଦ୍ୟତ ହେଲାବେଳେ ହିଁ ଗୋଟିଏ ଗୁଳ୍ମ ତଳୁ ହଠାତ୍ ବାହାରି ଆସି ତାର ବାଟ ଓଗାଳିଥିଲେ ତିନିଜଣ ଧୂସର ବେଙ୍ଗ। ସେମାନେ ଦେଖାଯାଉଥିଲେ ହୃଷ୍ଟପୁଷ୍ଟ ଏବଂ ଵଳିଷ୍ଠ । “ଆପଣଙ୍କ ଭିସା ଏବଂ ପାସ୍ପୋର୍ଟ ?” ପଚାରିଥିଲା ଜଣେ । ପ୍ରଶ୍ନ କ’ଣ ବୁଝି ନ ପାରି ପାଟି ମେଲାକରିଦେଲା ଗଙ୍ଗଦତ୍ତ । “ଆପଣଙ୍କ ଢଙ୍ଗରଙ୍ଗରୁ ଜଣାପଡୁଛି ଆପଣ ଏ ତଡ଼ାଗ ରାଜ୍ୟର ବାସିନ୍ଦା ନୁହନ୍ତି – ଅନ୍ୟ କେଉଁ ରାଜ୍ୟରୁ ଆସିଛନ୍ତି” - କହିଥିଲା ଆଉ ଜଣେ ।
“ ଏ ରାଜ୍ୟରେ ପଶିଵାକୁ ହେଲେ ଆମ ସରକାରଙ୍କ ଅନୁମତିପତ୍ର ଲୋଡ଼ା ଏବଂ ସେ ପତ୍ର ଵିନା ରାଜ୍ୟରେ ପଶିଵାକୁ ଦୁଃସାହସ କରନ୍ତୁନି।’ - ଚେତାଵନୀ ଶୁଣାଇଦେଲା ତୃତୀୟ ଧୂସର ବେଙ୍ଗ।
କିଛି ବୁଝି ନ ପାରି ଵିସ୍ତାରିତ ନେତ୍ରରେ ଗୋଟାକ ପରେ ଗୋଟାଏ ଧୂସର ବେଙ୍ଗକୁ ଅନାଇଥିଲା ଗଙ୍ଗଦତ୍ତ ଏଵଂ ଅନୁମତି ପତ୍ର କ’ଣ କିଛି ବୁଝିପାରୁନି ବୋଲି ଗୁଣୁଗୁଣେଇଥିଲା ।
“ଅନଭିଜ୍ଞ, ଆତ୍ମକୈନ୍ଦ୍ରିକ ଏବଂ ଗାଉଁଲି ବେଙ୍ଗଟିଏ”- ଟିପ୍ପଣୀ କାଟିଥିଲେ ପ୍ରଥମ ଧୂସର ବେଙ୍ଗ ।
“ରାଜନୈତିକ, ସାମ୍ବିଧାନିକ ଏବଂ ଵହିର୍ଜାଗତିକ ଵ୍ୟାପାର ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଏକ କୂପମଣ୍ଡୁକ” – ପରିହାସ କରିଥିଲେ ଦ୍ଵିତୀୟ ବେଙ୍ଗ।
“ଚେହେରାରୁ କିନ୍ତୁ ମନେ ହେଉଛି ସମ୍ଭ୍ରାନ୍ତ ଏବଂ ଧନୀ। ଶିଳ୍ପପତି, ମିଲ୍ମାଲିକ କିଂଵା ଜମିଦାର ଶ୍ରେଣୀୟ ହୋଇଥିଵ’’ ଧୀରେ ଧୀରେ ସୂଚାଇ ଥିଲେ ତୃତୀୟ ବେଙ୍ଗ ।
“ଅନୁମତିପତ୍ର ନ ଦେଖାଇଵା ପର୍ଯ୍ୟନ୍ତ ଶିମୁଳି ଗଛ ତଳେ ରହିବ’’ ନିଷ୍ପତ୍ତି ଶୁଣାଇ ଦେଇ ଫେରିଗଲେ ଧୂସର ବେଙ୍ଗମାନେ ଏଵଂ ତଡ଼ାଗ ତଟରେ ଥିଵା ବିଶାଳ ଶାଳ୍ମଳୀତରୁ ମୂଳକୁ ଵିଷାଦିତ ମନରେ ଘୁଞ୍ଚିଯାଇଥିଲା କିଂକର୍ତ୍ତଵ୍ୟଵିମୂଢ଼ ଗଙ୍ଗଦତ୍ତ।
ନାନା ଦିଗରୁ ନାନା ଦେଶରୁ ଆସି ରୁଣ୍ଡ ହୋଇଥିଵା ଚଢ଼େଇମାନେ ଗଛରେ ବସି କୋଳାହଳ ଏବଂ ଚଁ-ଚାଁ କରୁଥିଲେ। କିନ୍ତୁ ସେ କାକଳି ମୂର୍ଚ୍ଛନା ଉପଭୋଗ କରିଵା ଅଵସ୍ଥାରେ ଗଙ୍ଗଦତ୍ତ ନ ଥିଲା।
ପୁଣିଥରେ ଭାଵନା ଜାଲରେ ଛନ୍ଦି ହୋଇ ଯାଇଥିଲା ସିଏ – ଭାବୁଥିଲା ଏ ଧୂସର ବେଙ୍ଗମାନଙ୍କ କଥା। ଗୋଟାଏ ଗୋଟାଏ ଧୂସର ବେଙ୍ଗକୁ ପାଟିରେ ଟେକିଧରି କଚାଡ଼ି ଦେଵାକୁ ତାର ଇଚ୍ଛା ହେଉଥିଲା; କିନ୍ତୁ ସେମାନେ ଥିଲେ ଏକାଧାରରେ ତିନ୍। ଠିକ୍ ଏମିତି ହୋଇଥିଲା ସେଦିନ। କୂଅ ଭିତରେ ହଠାତ୍ ତାକୁ ବାଟ ଓଗାଳିଥିଲେ ଏପରି ତିନିଜଣ ବଳିଷ୍ଠ ବେଙ୍ଗ। ଗଙ୍ଗଦତ୍ତର ଦେହରକ୍ଷୀ ଡରରେ ଛାନିଆ ହୋଇ ପଳାଇଗଲା। ଏକୁଟିଆ ଗଙ୍ଗଦତ୍ତ ସେ ତିନିଙ୍କୁ ପାରିଲାନି। ତା’ ଖୁଡ଼ୁତା ପୁଅ ଭାଇର ଗୁଣ୍ଡା ଥିଲେ ସେମାନେ । ଠିକ୍ବେଳେ ଯମୁନାଦତ୍ତ ପହଞ୍ଚି ନ ଥିଲେ ସେମାନେ ହୁଏତ ଗଙ୍ଗଦତ୍ତକୁ ପ୍ରାଣରେ ମାରିଦେଇଥାନ୍ତେ । କୂଅର ଅର୍ଦ୍ଧେକ ଅଂଶ ଦାବୀ କରୁଥିଲା ସେ ଖୁଡ଼ୁତା ପୁଅ। ‘ଗୋଡ଼ର କନିଷ୍ଠ ଆଙ୍ଗୁଳି ପ୍ରମାଣେ ବି କୂଅର ଅଂଶ ଦେବନି' - ଶୁଣାଇ ଦେଇଥିଲା ଗଙ୍ଗଦତ୍ତ । ତା'ପରେ ସେ ଦଳ ଉପଦ୍ରଵ ଆରମ୍ଭ କରିଦେଲେ । ନିଜେ ତ କୌଣସି ଭେଟି କିମ୍ବା ସଲାମୀ ଦେଲେନି, ବେଠି ବିଗାରି କରିଵାକୁ ମନା କରିଦେଲେ, ଅନ୍ୟମାନେ ଆଣିଥିଵା ରାଜାଙ୍କ ପ୍ରାପ୍ୟ ଉପଢୌକନମାନ ଛଡ଼ାଇନେଲେ। “ଜୋର ଯାହାର ମୂଲକ ତାର’’ ବୋଲି କୂଅ ମଝିରେ ଘୋଷଣା କଲେ ଏବଂ ଅତ୍ୟାଚାରୀ ଖାମଖିଆଲୀ ରାଜାଙ୍କୁ ହଟାଅ ବୋଲି ଧ୍ଵନିମାନ ଦେଲେ।
ଅଵସ୍ଥା ଅସମ୍ଭାଳ ହେଵା ଦେଖି ଗଙ୍ଗଦତ୍ତ ପ୍ରିୟଦର୍ଶନ ସର୍ପ ସଙ୍ଗରେ ବନ୍ଧୁତା କରି ତାକୁ କୂଅ ଭିତରକୁ ଡାକି ଆଣିଥିଲା। ସେଇ ବନ୍ଧୁ ଦିନେ ଯେ ତା’ ଅଲିଅଳ ପୁଅ ଯମୁନାଦତ୍ତକୁ ବି ଖାଇଦେଵ ସେ କଳ୍ପନା, ସେ କରନ୍ତା ଅଵା କିପରି ?
ଗଙ୍ଗଦତ୍ତର ଆଖୁରୁ ଲୁହର ଧାର ଗଡି଼ଵାକୁ ଆରମ୍ଭ କରିଥିଲା ଏବଂ ସେଇ ମୁହୂର୍ତ୍ତରେ ଦେଖାଦେଇଥିଲେ ଏଇ ବାଟୋଇ କାଠବେଙ୍ଗ । ଶୋକାକୁଳ ଗଙ୍ଗଦତ୍ତକୁ ଶାଳ୍ମଳୀ ମୂଳରେ ଏପରି ଧକଉଥିଵା ଦେଖି ନାତି ବୃଦ୍ଧ ବାଟୋଇ ପାଖକୁ ଆସି ଦୁଃଖର କାରଣ ପଚାରିସାରିଲା ପରେ ‘‘ଏଇ କଥାକୁ ନାଆ ପେଲିଦେଲି କଲିକତାକୁ’’ ବୋଲି ଗୀତ ଯୋଡ଼ିଦେଲେ ଏବଂ ପରାମର୍ଶ ଦେଲେ ଯେ ସେ ତିନିଜଣ ଧୂସର ବେଙ୍ଗଙ୍କୁ ଦୁଇଟା ଲେଖାଁଏ କେରାଣ୍ଡି, କାଠଗଣ୍ଡିର କୋରଡ଼ରେ ବାସ କରୁଥିବା ଵିଭାଗୀୟ ମନ୍ତ୍ରୀଙ୍କୁ ଗୋଟିଏ ଶିଶୁ କଙ୍କି ଏବଂ ତିନି-ଚାରୋଟି ରୋହୀ ଭାକୁର ଯାଆଁଳ ଭେଟିଦେଲେ କଥା ତୁଟିଯିଵ । ଏସବୁ ସେ କେଉଁଠୁ ପାଇଵ ତାର ମୀମାଂସା ମଧ୍ୟ କରିଦେଇଥିଲେ କାଠ ବେଙ୍ଗ ମହାଶୟ।
କହିଲେ - ‘‘ମୁଁ ତମକୁ ତଡ଼ାଗର ଗୋଟାଏ ନିରାପଦ କୋଣକୁ ନେଇଯିବି। ତମେ ରାତିରେ ସମସ୍ତେ ଶୋଇଗଲାବେଳେ ମନଇଚ୍ଛା କେରାଣ୍ଡି ଆଉ ରୋହୀ ଭାକୁର ଯାଆଁଳ ଧରି ତମ ପାଟି କୋଥଳୀରେ ଭର୍ତ୍ତିକରି ଦେଵ । ପାହାନ୍ତିଆ ବେଳକୁ ମୁଁ ତମ ପାଖରେ ପହଞ୍ଚିଯିବି। ତମେ ତା’ପରେ ଶିଶୁକଙ୍କି ଧରି କାଠଗଣ୍ଡି କୋରଡ଼ ପାଖରେ...’’ ବାକୀ ଅଂଶ ସେ ଥରିଥରି କହିଲେ । ଏ ଗଛମୂଳେ ରାତି କଟାଇଵା ମଧ୍ୟ ନିରାପଦ ନୁହେଁ... ଭାଲୁ ଆଉ ଶିଆଳମାନେ ଏ ଗଛତଳମାନଙ୍କରେ କେମିତି ବେଙ୍ଗ ଖୋଜି ମାଟି ରାମ୍ପୁଡ଼ନ୍ତି, ପେଚା ଆଉ ଡାହୁକମାନେ କେମିତି ଥରକୁ ଥର ଝାମ୍ପ ମାରନ୍ତି, ସେ ଦୃଶ୍ୟ ସେ ନିଜେ ଗଛ ଡାଳ ସନ୍ଧିରୁ ଲକ୍ଷ୍ୟ କରିଥିଵା କଥା ଶୁଣାଇଦେଇ ଯେପରି ଭାବରେ ହସି ଆଗ ଦୁଇ ଗୋଡ଼ ଘଷିଲେ, ଗଙ୍ଗଦତ୍ତ ତାର ମର୍ମ ବୁଝି ଜଣାଇଦେଲା ଯେ ସେ ତାଙ୍କୁ ମଧ୍ୟ ଦିଓଟି ଭଲ କେରାଣ୍ଡି ଦେବ । ଯଥା ସମୟରେ କାଠବେଙ୍ଗ ଏବଂ ଗଙ୍ଗଦତ୍ତଙ୍କ ବନ୍ଧୁତା ଘନିଷ୍ଠ ବନ୍ଧୁତ୍ଵରେ ପରିଣତ ହେଲା ଏବଂ କାଠବେଙ୍ଗ ଏ ବେଙ୍ଗ ରାଜ୍ୟର ଇତିବୃତ୍ତି ଶୁଣାଉଥିଲେ। ବିଶାଳ ହ୍ରଦରେ କେଉଁ ଅଜଣା କାଳରୁ ଵସଵାସ କରିଆସୁଥିଵା ବେଙ୍ଗମାନଙ୍କର ଵିଭିନ୍ନ ରଙ୍ଗ; ଚାଲିଚଳନର ଢଙ୍ଗ, ଵିଭିନ୍ନ କେଁ କଟର୍ ସ୍ଵର ଇତ୍ୟାଦି ଏ ରାଜ୍ୟର ବେଙ୍ଗମାନଙ୍କୁ ଗୃହ କଳହ, ଗୋଷ୍ଠୀ ଵିଵାଦରେ ସର୍ବଦା ଲିପ୍ତ ରଖୁଥିଲା। ଫଳରେ ତଡ଼ାଗଟି ଏକ ହେଲେ ମଧ୍ୟ ତାର ଵିଭିନ୍ନ ଅଞ୍ଚଳରେ ଵିଭିନ୍ନ କିସମର ବେଙ୍ଗମାନେ ରହିଵାକୁ ଭଲ ପାଉଥିଲେ। ବେଳେବେଳେ ଗୋଟିଏ ଦଳ ଅନ୍ୟ ଦଳକୁ ଵିନାଶ କରିଵା ଆଶାରେ ବାହାରିଆ ବେଙ୍ଗ ଶତ୍ରୁଙ୍କୁ ଆମନ୍ତ୍ରଣ କରି ଆଣୁଥିଲେ। ବେଙ୍ଗଙ୍କ ଏ ରାଜ୍ୟରେ କେବେ ମାନସରୋବରର ହଂସ ତ କେବେ ହଂସରାଳିଙ୍କ ରାଜତ୍ଵ ଥିଲା। ଶେଷରେ ଦେଖାଦେଲେ ଧଳା ବଗ। ହଂସ ହଂସରାଳିଙ୍କ ପରି ଏମାନେ ପାଣିରେ ଵସଵାସ କଲେନି, କିମ୍ବା ପାଣି ପାଖରେ ଅଣ୍ଡା ଦେଲେନି। ତଡ଼ାଗ ରାଜ୍ୟର ବାସିନ୍ଦା ନହୋଇ ଗଛମାନଙ୍କ ଉପରେ ରହିଲେ ଏବଂ ବେଙ୍ଗମାନଙ୍କୁ ଖାଇଵାକୁ ଲାଗିଲେ। ରାଜ୍ୟର ଦୁର୍ଦ୍ଦିନରେ ଦେଖାଦେଲେ ଏକ ହାଡୁଆ ଦୁର୍ଵଳିଆ ବେଙ୍ଗ । ସେ ମାଛ କଇଁଛ ବେଙ୍ଗ କଙ୍କଡ଼ା ସମସ୍ତଙ୍କୁ ଏକଜୁଟ କଲେ; ଆଉ କହିଲେ - ’‘ତମେ ମାଛ ସବୁ ବାହାରେ ପହଁରି ବୁଲୁଛ, ବେଙ୍ଗ ସବୁ ଥୁଣ୍ଟା ଗଛ ଉପରେ ଚଢ଼ି ନାଚୁଛ, ଫଳରେ ବଗମାନେ ତମକୁ ଦେଖିପାରୁଛନ୍ତି, ଆଉ ସୁଯୋଗ ଉଣ୍ଡି ଗୋଟାଏ ଗୋଟାଏ ଉଠାଇ ନେଉଛନ୍ତି । ତମେ ସମସ୍ତେ ଯଦି ଅକାତପାଣିରେ ଏମିତି ଡୁବି ରହନ୍ତ ଯେ ଏମାନେ ତମର ସନ୍ଧାନ ବି ପାଆନ୍ତେନି – ସେମାନେ ନ ଖାଇ ଭୋକ ଉପାସରେ ରହନ୍ତେ, ଆଉ ଶେଷରେ ବାଧ୍ୟ ହୋଇ ଏ ତଡ଼ାଗ ରାଜ୍ୟ ଛାଡ଼ିଯାନ୍ତେ। ବେଙ୍ଗମାନେ ସେ କଥା ଶୁଣିଲେ ଏବଂ ହାଡୁଆ ବେଙ୍ଗଙ୍କ କଥାମତେ ଏକଜୁଟ ହୋଇ ପାଣି ଭିତରେ ଡୁବି ରହିଲେ। ଫଳରେ ବଗମାନେ ଯେତେବେଳେ ଦେଖିଲେ ଯେ କୂଳରେ ବସିରହି ଆଉ ଲାଭ ନାହିଁ, ସେମାନେ ଯେଉଁଠୁ ଆସିଥିଲେ ସେଠିକି ଉଡ଼ିଗଲେ । କାଁ ଭାଁ ଓ ଖଣ୍ଡିଏ ଦିଖଣ୍ଡ ଅଞ୍ଚଳ ଛାଡ଼ିଦେଲେ ତଡ଼ାଗ ରାଜ୍ୟ ଏକ ହେଲା। ସେଦିନରୁ ଏ ବେଙ୍ଗମାନେ ତାଙ୍କ ରାଜ୍ୟ ଚଳାଇଵା ପାଇଁ ନିଜ ଭିତରୁ ପ୍ରତିନିଧ୍ଵ ବାଛନ୍ତି ଆଉ ଯେଉଁ ଦଳରୁ ବେଶୀ ପ୍ରତିନିଧ୍ଵ ଆସନ୍ତି, ସେ ଦଳ କାଠଗଣ୍ଡିରେ ବସି ଶାସନକରେ। ଏଠାରେ କାଠବେଙ୍ଗଙ୍କ କଣ୍ଠ ଵାଷ୍ପରୁଦ୍ଧ ହୋଇ ଆସୁଥିଵା ପରି ମନେ ହେଲା। କହିଲେ – ଦେଖାଛନା ସେ ଥୁଣ୍ଟାଗଛମାନଙ୍କୁ ? ସେଇଠି ବିରୋଧୀ ଦଳସବୁ ବସିଛନ୍ତି । ଆଉ ଏ ସରକାର ଅପାରଗ ବୋଲି ରାତିଦିନ କହୁଛନ୍ତି। ସେମାନେ କୁଆଡ଼େ କାଠଗଣ୍ଡିରେ ବସିଲେ ଅଵସ୍ଥା ବଦଳିଯିଵ । କାଠଗଣ୍ଡିୱାଲେ କହନ୍ତି ଯେ, ତାଙ୍କ ଅମଳରେ ପଙ୍କ ଯେମିତି ବଢ଼ିଛି ଦଳ ଶୈବାଳ ସେମିତି ବଢ଼ିଛି । ଥୁଣ୍ଟାଗଛିଆମାନେ କହୁଛନ୍ତି - ଏମିତି କଲେ ଧୀରେ ଧୀରେ ତଡ଼ାଗ ପଙ୍କରେ ପୋତି ହୋଇଯିଵ । ନୂଆ ନୂଆ ଅଂଶ ତଡ଼ାଗରୁ ଵିଚ୍ଛିନ୍ନ ହୋଇଯିଵ ଏଵଂ ତଡ଼ାଗ ହେଵ ଖଣ୍ଡ ବିଖଣ୍ଡ । ତାପରେ କାଠବେଙ୍ଗ ଯୋଡ଼ିଦେଲେ – ଏ ବିରୋଧୀଦଳମାନେ କାଠଗଣ୍ଡିରେ ବସନ୍ତୁ, ଦେଖିଵେ ଵିଶେଷ କିଛି ତଫାତ ହେଵନି, ସେମାନେ ମଧ୍ୟ ଏମିତି ବିଦେଶୀଙ୍କ ପାଖରୁ କେରାଣ୍ଡି ମାଗିଵେ। “ତମପରି ଵଦାନ୍ୟ ଵ୍ୟକ୍ତିମାନେ ଚାନ୍ଦା ନ ଦେଲେ, ଆମର ପାଣ୍ଠି ହେଵ କେମିତି ଯେ, ଆମେ ଆମର ‘ଭୋଟର’ ୱାଲାଙ୍କୁ ଦେବୁ’ - କହି ଦି’ଟା କେରାଣ୍ଡି ବଦଳରେ ଦଶଟି ମାଗିଵେ; ଆଉ ଏକାଥରକେ ନ ଦେଇ ଥରକୁ ଥର ଦେଲେ ବି ଚଳିଵ ବୋଲି ଶୁଣାଇଦେଵେ। ଗଙ୍ଗଦତ୍ତ ଦି'ଚାରିଥର କ୍ଲିକ୍ କ୍ରୁକ୍ କରି କାଠବେଙ୍ଗର କଥାକୁ ସମର୍ଥନ କରିଥିଲା। କିଛିକାଳ ଗଙ୍ଗଦତ୍ତର ତଡ଼ାଗାବସ୍ଥାନ ବେଶ୍ ଶାନ୍ତିପୂର୍ଣ୍ଣ ଥିଲା।
ଯଥାସମୟରେ ସେ କିନ୍ତୁ ବୁଝିପାରିଥିଲା ଯେ ଦୂରଗଛମାନଙ୍କୁ ସନ୍ଧ୍ୟାବେଳେ ଆସି ପାହାନ୍ତିଆରେ ଦୂରକୁ ଉଡ଼ିଯାଉଥିଵା କେତେ ବଗ ଏଥର ସକାଳେ ଉଡ଼ିଯିଵା ପୂର୍ଵରୁ ତଡ଼ାଗ କୂଳର ସେ ଥୁଣ୍ଟା ଗଛମାନଙ୍କୁ ଏବଂ କାଠଗଣ୍ଡିକୁ ଲକ୍ଷ୍ୟ କରୁଛନ୍ତି। ଗଙ୍ଗଦତ୍ତ ଏକଥା ମଧ୍ୟ ଲକ୍ଷ୍ୟ କରିଥିଲା ଯେ, ପାଖ ଅଞ୍ଚଳରେ ଥିଵା ଗୋଟାଏ ଥୁଣ୍ଟାଗଛ ଉପରେ କଣ୍ଟିଆ ବଗଟିଏ ବରାବର ବସିରହୁଛି, ଆଉ କୁଆଡ଼ିକି ଯାଉନି। ତାର ତେଣୁ ଆଶଙ୍କା ହେଉଥିଲା ଯେ ଥୁଣ୍ଟାଗଛର ବେଙ୍ଗ ଡିଆଁଡେଇଁ ଏବଂ କାଠଗଣ୍ଡିକୁ ଚାଲିଥିଵା ବେଙ୍ଗଙ୍କ ସୁଅ ବନ୍ଦ ନ ହେଲେ ଦିନେ ନା ଦିନେ ଏ ତଡ଼ାଗ ରାଜ୍ୟରେ ମଧ୍ୟ କଣ୍ଟିଆବଗ ଦେଖାଦେଵ ଏବଂ ସେ ବଗ କିଏ କାଠଗଣ୍ଡିଆ କିଏ ଥୁଣ୍ଟାଗଛିଆ ବିଵେଚନା ନ କରି ସମସ୍ତଙ୍କୁ ବାଛିବାଛି ଗିଳି ପକାଇଢ।
ଯେଉଁଦିନ କାଠଗଣ୍ଡି ଉପରେ ସତକୁ ସତ ଗୋଟାଏ କଣ୍ଟିଆବଗ ଓହ୍ଲାଇ ପଡି଼ଲା ଏଵଂ ପରେ ପରେ କେତେ ଧୂସର ବଗ ଥୁଣ୍ଟା ଗଛମାନଙ୍କ ଉପରେ ଓହ୍ଲାଇ କୋରଡ଼ ଖୋଜିଵାକୁ ଆରମ୍ଭ କଲେ ସେଇ ରାତିରେ ଅନ୍ୟମାନଙ୍କ ଅଲକ୍ଷିତରେ ଗଙ୍ଗଦତ୍ତ ତଡ଼ାଗରାଜ୍ୟରୁ ବାହାରିଗଲା।
ଅତି ବିପଦସଙ୍କୁଳ ଥିଲା ଗଙ୍ଗଦତ୍ତର ଏ ନୂତନ ଯାତ୍ରା। କିନ୍ତୁ ଜୀଵନର ଅନେକ ଅନୁଭୂତି ନେଇ ସେ ହୋଇସାରିଥିଲା ପୋଖତ। ତାର ମନ ଏବଂ ବୁଦ୍ଧି କୌଣସି କୂପ ଅଙ୍କିତ ସୀମାରେ ସୀମିତ ନ ଥିଲା। ବୁଦ୍ଧି ଏବେ ଥିଲା ଵିଚକ୍ଷଣତା ଏଵଂ ଚତୁରତାରେ ପୂର୍ଵ ପ୍ରସ୍ତୁଟିତ । ସେ ଖୋଜି ବୁଲୁଥିଲା ଏକ ସଂସାର, ଯେଉଁଠି ବେଙ୍ଗମାନଙ୍କ ଭିତରେ ସାନବଡ଼ ଭେଦଭାଵ ନଥିବ, ସମସ୍ତେ ଥିବେ ସମାନ, ସମସ୍ତଙ୍କ ପାଇଁ ଖାଦ୍ୟ ଥିବ ପ୍ରଚୁର। ସମସ୍ତେ ଥିବେ ଭାଇଭାଇ। ଦିନେ ସେ ହାବୁଡ଼ିଗଲା ତାର ସ୍ଵପ୍ନର ସେମିତି ଏକ ରାଜ୍ୟରେ। ରାଜ୍ୟର ବାସିନ୍ଦାକୁ ଦେଖୁ ସେ ଚମତ୍କୃତ ହୋଇଯାଇଥିଲା। ସବୁବେଙ୍ଗ ସମାନ ଦିଶୁଥିଲେ। ସମସ୍ତେ ଦୃଷ୍ଟପୁଷ୍ଟ, କିଏ ବେଙ୍ଗ କିଏ ବେଙ୍ଗୁଲୀ ଜାଣିବା ବି କଷ୍ଟ ।
କେତୋଟି ସୁନ୍ଦର ବେଙ୍ଗ(ହୁଏତ ବେଙ୍ଗୁଲୀ ହୋଇଥିବେ) ଆକର୍ଷଵିସ୍ତାରୀ ହସ ହସି ଆଖିଡୋଳା ବୁଲାଇ ଆଣି ଆହ୍ବାନ ଦେଲେ - ‘ଆସ ଆଗନ୍ତୁକ, ଆସ।’ ଗଙ୍ଗଦତ୍ତ ଅତି ଆନନ୍ଦରେ ସେମାନଙ୍କ ଭିତରକୁ ଡେଇଁପଡ଼ିଥିଲା। ଖାଦ୍ୟ ଥିଲା ସେ ରାଜ୍ୟରେ ପ୍ରଚୁର – ଯାହାର ଯେତେ ଦରକାର । କାମଧନ୍ଦା ପରେ ରାଜ୍ୟଟି କମ୍ପିଉଠୁଥିଲା ଗାନବାଜଣା, କୁସ୍ତି କସରତ, ନୃତ୍ୟ କ୍ରୀଡ଼ାରେ। ଆନନ୍ଦଵିଭୋର ଗଙ୍ଗଦତ୍ତ ଧୀରେଧୀରେ ତା’ ବେଙ୍ଗୁଲୀ ରାଣୀକୁ ଭୁଲିଆସୁଥିବା ବେଳେ ଦିନେ ହଠାତ୍ ଦେଖାଦେଲେ ଦଳେ ମଣିଷ।
ଜାଲ ପକାଇ ଗୁଡ଼ିଏ ବେଙ୍ଗକୁ ଧରିନେଲେ। ଗଙ୍ଗଦତ୍ତ ଥିଲା ସେମାନଙ୍କ ଭିତରେ। ଜଣେ ଗଙ୍ଗଦତ୍ତକୁ ନିରେଖି ଚାହିଁଲା। ଆଉ ତା’ ପଛଗୋଡ଼ ଦି'ଟା ଟେକିଧରି ପାଟିକଲା - “ ଡକ୍ଟର ସାହେବ, ଦେଖନ୍ତୁ ଏ ବେଙ୍ଗକୁ - କେମିତି ଗୋଟାଏ ହାଇବ୍ରିଡ୍। ଏ ତ ଆମର ବେଙ୍ଗ ନୁହେଁ, କେଉଁଠୁ ଆସିଛି କେଜାଣି ? " ଡକ୍ଟର ସାହେବ ଗଙ୍ଗଦତ୍ତକୁ ତନ୍ନତନ୍ନ କରି ନିରୀକ୍ଷଣ କଲେ। ଵିଜାତୀୟ ବୋଲି ରାୟ ଦେଲା ପରେ କହିଲେ - “ତା’ ଗୋଡ଼ର ମାଂସପେଶୀ ସବୁ ଦେଖୁଛ ନା ? କେତେ ଟାଣ-ମାଂସ; ନିଶ୍ଚୟ ଚେରୁଆ ଲାଗୁଥିଵ। ଆମର ସେ ‘ଜି’ ନମ୍ବର ଟେଙ୍କ୍'ରେ ଯେଉଁ ଜାତିଆ ପାଟ ବେଙ୍ଗସବୁ ଅଛନ୍ତି, ସେମାନଙ୍କ ଜଙ୍ଘର ମାଂସପେଶୀ ନିହାତି ନରମ। ଏ ବେଙ୍ଗକୁ ସେ ଟେଙ୍କ୍'ରେ ଛାଡ଼ିଦେଲ – ଦେଖିଵା ଏସିଆନ୍ ବ୍ରିଡର ଗୋଡ଼ସବୁ ଆରବ ଦେଶମାନଙ୍କରେ ଭଲ ବିକ୍ରୀ ହେଵ । ସେମାନେ ବେଶୀ ନରମ ଫ୍ରଗ୍ସ ଲେଗ୍ ପସନ୍ଦ କରନ୍ତିନି।”
ଗଙ୍ଗଦତ୍ତ ଜି ନମ୍ବର ଟେଙ୍କରେ ଛଡ଼ାହେଲା କ୍ଷଣି ସେ ଟେଙ୍କର ବେଙ୍ଗୁଲୀମାନେ ତାକୁ ଘେରିଗଲେ। କି ସୁନ୍ଦର ହଳଦିଆ ପାଟପରି ସେମାନଙ୍କ ଦେହ। ବେଙ୍ଗୁଲୀଟିଏ ତାର ଲହୁଣୀପରି ଦେହ ଗଙ୍ଗଦତ୍ତର ଦେହରେ ଘଷି ଦେଲାରୁ ଗଙ୍ଗଦର ଶୀତେଇ ଉଠିଥିଲା। ଘଣ୍ଟା ଘଣ୍ଟା ଧରି ବେଙ୍ଗୁଲୀମାନେ ଏ ନୂଆ ବେଙ୍ଗ ପାଖରୁ ଘୁଞ୍ଚିଲେନି । ନୃତ୍ୟଗୀତ ସହ ନାନା ଅଙ୍ଗଭଙ୍ଗୀ କଲେ। ଗଙ୍ଗଦତ୍ତ କିନ୍ତୁ ଏବେ ଥିଲା ନିର୍ଲିପ୍ତ । ରାତି ପ୍ରାୟ ସରିଆସିଵା ଉପରେ।
ବେଙ୍ଗୁଲୀମାନେ କିଏ କେଉଁଠି ଢୁଳେଇଵାକୁ ଆରମ୍ଭ କରିଛନ୍ତି । ଗଙ୍ଗଦର ଖସି ଆସିଥିଲା ଟେଙ୍କରୁ - ଲୁହା ଜାଲିର ଗୋଟାଏ ବଡ଼ ଛିଦ୍ରରେ ସଙ୍କୁଚିତ କରିଦେଇଥିଵା ନିଜ ଦେହକୁ କୌଣସିମତେ ଠେଲିଦେଇ।
ତାପରେ ଅନବରତ କୁଦା ମାରିଥିଲା ସିଏ। ତାର ମନେହେଉଥିଲା ସତେ ଯେମିତି ତାକୁ ଧରିଵା ପାଇଁ କେହି ଜଣେ ପଛରୁ ଗୋଡ଼ାଇଛି। ତା’ ବେଙ୍ଗୁଲୀ ରାଣୀକୁ ପୁଣି ଥରେ ଦେଖିଵା ପାଇଁ ଗଙ୍ଗଦତ୍ତର ମନରେ ଜାଗି ଉଠିଥିଲା ଏକ ଅଦମନୀୟ ଆକାଂକ୍ଷା ତଥା ଵାସନା।
ପ୍ରିୟଦର୍ଶନକୁ ତାର ଆଉ ଡର ନ ଥିଲା। ସେ ଚାହୁଁ ନ ଥିଲା ତଡ଼ାଗ ରାଜ୍ୟ କିଂଵା ଅନ୍ୟ କେଉଁ ରାଜ୍ୟର ସ୍ଵପ୍ନିଳ ପରିବେଶ – ସେ ଚାହୁଁ ନ ଥିଲା କୌଣସି କୂପରାଜ୍ୟ। ଫେରିଯିଵାକୁ ସେ ଚାହୁଁଥିଲା ତା’ ନିଜ ଜନ୍ମସ୍ଥାନକୁ - ତା ବେଙ୍ଗୁଲୀ ରାଣୀ ପାଖକୁ।
ମରିଲେ ମରିବ ପଛକେ, ସେଇଠିକି ସେ ଏବେ ଯିଵ, ଆଉ ତା' ବେଙ୍ଗୁଲୀ ରାଣୀକୁ ଭେଟିଵ । କେତେ ଦୂର ସେ ଡେଇଁଯାଇଥିଲା ଏବଂ କ୍ରମାଗତ କେତେଦିନ, ସେ ଜାଣିପାରିନି। ଦିନେ କିନ୍ତୁ ସେ ପହଞ୍ଚିଲା ଗୋଟାଏ କୂପ ପାଖରେ। ଆଉ କୂଅ ପାଖରେ ଥିଲା କେତୋଟି ସାରୁଗଛ। କୂଅରେ କିନ୍ତୁ ଥିଲା ନଳଟିଏ ଏବଂ ସେ ନଳରେ ଧାଡ଼ି ହୋଇ କେତେ ବେଙ୍ଗ ଲଟକି ବସିଥିଲେ। କାହିଁକି କେଜାଣି, ଗଙ୍ଗଦତ୍ତର ମନେହେଲା ଯେ ଏଇଟା ହିଁ ତା’ କୂଅ। ଵ୍ୟଗ୍ରତାର ସହିତ ବେଙ୍ଗମାନଙ୍କୁ ତା’ ବେଙ୍ଗୁଲୀ ରାଣୀ କଥା ସେ ପଚାରିଥିଲା।
କେହି କିଛି କହି ନ ପାରି ଖାଲି ମୁହଁ ଚୁହାଁ ଚୁହିଁ ହେଲେ। ପ୍ରିୟଦର୍ଶନ କଥା ପଚାରିବାରେ ଜଣେ କହିଲା - ସାପଟିଏ ଏ କୂଅରୁ ମରାହୋଇଛି; କିନ୍ତୁ ସେ ସାପ ପ୍ରିୟଦର୍ଶନ କି ନୁହେଁ ସେ କଥା ସେମାନେ କହିପାରିଵେନି। ଆକାଶ ମେଘାଚ୍ଛନ୍ନ ଥିଲା। ଗଙ୍ଗଦତ୍ତ ଥିଲା ଅତ୍ୟନ୍ତ ଶାନ୍ତ ଓ ଵିଷର୍ଣ୍ଣ ।
ବେଙ୍ଗୁଲୀ ରାଣୀ ଜୀଵନରେ ଅଛି ନା ନାହିଁ ସେ ଥିଲା ସନ୍ଦିହାନ।ଏ ଦୁଃଖୀ ବେଙ୍ଗ ପାଖକୁ କେତୋଟି ବେଙ୍ଗ ଧୀରେ ଧୀରେ ଘୁଞ୍ଚିଆସୁଥୁଲେ – ହୁଏତ ଦୁଃଖର କାରଣ ଜାଣିଵା ନିମନ୍ତେ । ସମବେଦନା ଜଣାଇ ମେଘ ଏଥର ଵରଷିଵାକୁ ଆରମ୍ଭ କରିଦେଇଥିଲା – ଟୁପୁରୁ ଟାପୁରୁ। ଗଙ୍ଗଦତ୍ତ ଗୋଟିଏ ସାରୁଗଛ ମୂଳକୁ ଘୁଞ୍ଚିଗଲା।
ଆକାଶକୁ ଅନାଇ ଵେଦନାର ଏକ କରୁଣ ଲହର ଛାଡ଼ିଲା - “ବେଙ୍ଗୁଲୀ ରାଣୀ ହୋ...’’ ପାଖରେ ଥିଵା ଅନ୍ୟ ବେଙ୍ଗମାନେ ମଧ୍ୟ ସମଵେଦନା ଜଣାଇ ଵିଭିନ୍ନ ସ୍ଵରରେ ଡାକିଲେ - “ବେଙ୍ଗୁଲୀ ରାଣୀ ହୋ...।’’
କୂପ ଭିତରୁ ଅଥଵା ବାହାରୁ କୌଣସି ଜବାଵ ମିଳିଲାନି। ଵର୍ଷାର ଧାରା ଥିଲା ଏବେ ମୂଷଳ । ଗଙ୍ଗଦତ୍ତ ପୁଣି ଡାକିଲା - ‘‘ବେଙ୍ଗୁଲୀ ରାଣୀ ହୋ... ।”
ଏଥର କିନ୍ତୁ ମନେହେଲା କେହି ଜଣେ ଉତ୍ତର ଦେଇଛି -
‘‘ ବେଙ୍ଗ ରଜା କି ହେ... ।”
ଗଙ୍ଗଦତ
ତ ଚମକି ଉଠିଥିଲା। ଦୂର ପର୍ଵତର କେଉଁ ପ୍ରତିଧ୍ଵନି ନୁହେଁ ତ ଏ ପାଲଟା ଡାକ । ପୁଣି ସେ ଡାକିଲା - ‘‘ ବେଙ୍ଗୁଲୀ ରାଣୀ ହୋ... ।”
ଦୂରର ଉତ୍ତର ଏବେ ସ୍ପଷ୍ଟ - ‘‘ବେଙ୍ଗ ରଜା କି ହେ... ।” ‘‘ ବେଙ୍ଗୁଲୀ ରାଣୀ ହୋ...’' ‘‘ବେଙ୍ଗ ରଜା କି ହେ..'’ ଗଙ୍ଗଦତ୍ତ ପାଗଳ ପରି ଡେଇଁଗଲା ଯେଉଁ ଦିଗରୁ ଉତ୍ତର ଆସୁଥିଲା ସେ ଦିଗକୁ। ଵର୍ଷାର ଅଵିଶ୍ରାନ୍ତ ଝର୍ଝରକୁ ଭେଦ କରି ଦୂରାନ୍ତରୁ ଭାସି ଆସିଲାବେଳେ ସ୍ଵର ଏଵଂ ପ୍ରତିସ୍ଵର ହୋଇଯାଇଥିଲେ ଏକୀଭୂତ।
କ୍ରମାଗତ ଶୁଭୁଥିଲା ‘‘ହେ... ହୋ...ହେ...ହୋ।’’
ଗାଳ୍ପିକ—©ଭୁଵନେଶ୍ଵର ବେହେରା
(ଵି:ଦ୍ର— ଗାଳ୍ପିକ ଭୁଵନେଶ୍ଵର ବେହେରା ଗଙ୍ଗଦତ୍ତର ପ୍ରତ୍ୟାଵର୍ତ୍ତନ ଗଳ୍ପରେ ବେଙ୍ଗମାନଙ୍କର ଯେଉଁ ତଡା଼ଗ ରାଜ୍ୟ କଥା କହିଛନ୍ତି ତାହା ସମ୍ଭଵତଃ ଆଧୁନିକ ଭାରତ ଦେଶ ଓ ଏହାର ଵର୍ତ୍ତମାନ ସ୍ଥିତିକୁ ମନରେ ରଖି ସେ ଗଳ୍ପରେ ଉକ୍ତ ତଡା଼ଗର ଵର୍ଣ୍ଣନା କରିଛନ୍ତି । ସେହିପରି ତଡା଼ଗ ରାଜ୍ୟର ଧଳା କଣ୍ଟିଆ ବଗ ସମ୍ଭଵତଃ ଵୈଦେଶିକ ଶାସକ ହୋଇପାରନ୍ତି । )
No comments:
Post a Comment