My Blog List

Showing posts with label ରଜ. Show all posts
Showing posts with label ରଜ. Show all posts

Thursday, June 16, 2022

କଳିଙ୍ଗ ଦେଶରେ ଦୋଳି,ଦୋଳିଗୀତ ଓ ଲୋକଵିଶ୍ଵାସ

ଦୋଳି ଓ ଦୋଳିଖେଳ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ । ଆଗେ ଓଡ଼ିଶାରେ ସାଧାରଣତଃ ରଜ ଓ ଦୋଳ ପର୍ଵରେ ଦୋଳି ଖେଳା ଯାଉଥିଲା । ଏ ଦେଶରେ ଦୋଳ ଉତ୍ସଵ ସମୟରେ ଦୋଳମଣ୍ଡପରେ ଲୋକେ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାନ୍ତି ଏଵଂ ଲୋକମାନେ ନିଜେ ରଜପର୍ଵରେ ଦୋଳି ଖେଳିଥାନ୍ତି । 

ଦୋଳି ଏକ ଓଡ଼ିଆ ଶବ୍ଦ ଏଵଂ ଓଡ଼ିଆ ଭାଷାର କ୍ରିୟା ଶବ୍ଦ ଦୋଳେଇଵା ମଧ୍ୟରେ ଥିଵା ମୂଳ ଓଡ଼ିଆ ଧାତୁ ଶବ୍ଦ ଦୋଳି ଧାତୁରୁ ସୃଷ୍ଟି ହୋଇଅଛି । ସଂସ୍କୃତ କ୍ରିୟା ଦୁଳ୍ ଧାତୁ ସହିତ ଓଡ଼ିଆ ଦୋଳି ଧାତୁ,ଦୋଳ ଓ ଦୋଳେଇଵା ଆଦି ଶବ୍ଦ ସମୋଦ୍ଧୃତ । ଓଡ଼ିଶାରେ ଦୋଳେଇଵା ଵା "to swing" ଅର୍ଥରେ ଆହୁରି ଅନେକ କ୍ରିୟା ଶବ୍ଦ ପ୍ରଚଳିତ । ଯଥା —

•ଉକୁଚି ହେଵା
(କେତେକ ଅଞ୍ଚଳରେ ଉକୁଚି ଦେଵା କ୍ରିୟା ଦୋଳିକୁ ପଟା ଓ ଦଉଡ଼ି ଗୁଡ଼ାଇ ଗଛରେ ଖୋସିଵା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ) 

•ଓଳମିଵା/ଓଳମି ହେଵା — ତଳକୁ ଲମ୍ବିଵା ଓ ଦୋଳିଵା
(ସଂସ୍କୃତ ଅଵଲମ୍ବନ ସହିତ ସମୋଦ୍ଧୃତ ତଥା ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ବୋଲି ଭାଷାକୋଷରେ କଥିତ ହୋଇଛି)

•ଓହଳିଵା—
(ଝୁଲିବା ଲମ୍ବିବା ଦୋଳିବା ଆଦି ଅର୍ଥରେ ଏ ଶବ୍ଦ ଵ୍ୟଵହାର କରାଯାଇଥାଏ)

•ଝୁଲିଵା 
(ଏ କ୍ରିୟା ଶବ୍ଦଟି ଲଟକିବା,ତଳକୁ ଲମ୍ବି ଦୋହଲିଵା,ଫାସି ଲଟକାଇ ହେଵା ଵା ଫାସି ଘେନିଵା,ଢଳିଵା,ଇତସ୍ତତଃ ଦୋଳାୟମାନ ହେଵା,ଓହୋଳିପଡ଼ିଵା ଓ ଦୋଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳିଵା
(ଏ କ୍ରିୟା ଶବ୍ଦଟି ଉଭୟ ଝୁଲିଵା ଓ ହଲିଵା ଅର୍ଥରେ ପ୍ରୟୋଗ ହୋଇଥାଏ)

•ଲଟକିଵା/ନଟକିଵା/ଲଡ଼କିଵା
(ଝୁଲିଵା,ଦୋଳିଵା ଓ ଝୁଲି ପଡି଼ଵା ଅର୍ଥଜ ଶବ୍ଦ)

•ଲୁଳିଵା
(ଏ ଶବ୍ଦଟି ଝୁଲିଵା, ଲଟକିଵା,ଦୋହଲିଵା,କ୍ଳାନ୍ତ ହେଵା, ଥକିଯିଵା,ମଉଳିଵା, ମ୍ଲାନହେଵା,ଝାଉଁଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳି ପହଞ୍ଚାଇଵା( a swing)
(ଅନ୍ୟ ଵ୍ୟକ୍ତିକୁ ଦୋଳାରେ ଝୁଲାଇଵା)

•ପେଙ୍ଗିଵା/ପେଙ୍ଗା ମାରିଵା
(ସଂ—ପ୍ରେଙ୍ଖା = ଝୁଲିଵା/
ଗୋଡ଼ ଓ ବାହୁଦ୍ବାରା ବଳ ପ୍ରୟୋଗ କରି ନିଜେ ଦୋଳି ପହଞ୍ଚାଇ ହେଵା ଵା ଖେଳିଵା)

ଏତଦଵ୍ୟତୀତ ଏ ଦେଶରେ ଅନେକ ଜାତୀୟ ଦୋଳି ପ୍ରଚଳିତ ଯଥା — ଦଉଡ଼ି ଦୋଳି,ଡଙ୍ଗା ଦୋଳି, ଚକ୍ରି ଦୋଳି,
ପଟାଦୋଳି, ବାଉଁଶ ଦୋଳି,ରାମ ଦୋଳି ଓ ବାକ୍ସ ଦୋଳି ଇତ୍ୟାଦି ଇତ୍ୟାଦି



ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦୋଳି ଶବ୍ଦର ବହୁଳ ପ୍ରୟୋଗ ହୋଇ ଳଥିଵା ଦେଖାଯାଏ । 

ଓଡ଼ିଆ ଲିଖିତ ସାହିତ୍ୟରେ ଦୋଳି :

ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗଵତର ଦଶମ ସ୍କନ୍ଧରେ ଦୋଳି ଶବ୍ଦର ପ୍ରୟୋଗ ଏମନ୍ତ ହୋଇଅଛି...

“ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । 
ଦୋଳି କରନ୍ତି କୁତୁହଳେ ॥”

କଵି ବଳରାମ ଦାସ ଜଗମୋହନ ରାମାୟଣରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି...

"ରତ୍ନସିଂହାସନେ ନେତର ଯେ ଦୋଳି ପାରି । ଵିଜୟ ନାରାୟଣ ବଡିମାପଣ ଛାଡି଼ ॥" 

ସେହିପରି କଵି ଦୀନକୃଷ୍ଣ ଦାସ(୧୬୫୦–୧୭୧୦) ତାଙ୍କ ରସକଲ୍ଲୋଳ କାଵ୍ୟରେ ମଧ୍ୟ ଦୋଳି ଶବ୍ଦ ପ୍ରୟୋଗ ପୂର୍ଵକ ଲେଖିଛନ୍ତି

"କନକର ଦୀପାଵଳୀ ଚାରି ପାରୁଶରେ ଜାଳି
ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।
କର୍ପୂର ଚନ୍ଦନ ଛରା ପକାଇ ସେ ପୁର ତୋରା
କରାଇ, ଅଳକାପୁରତୋରା ଖଞ୍ଜିଲେ ।
କନ୍ୟା ଖମ୍ବେ ଖଟାଇ ଦୋଳି
କୁମାରଙ୍କୁ ଶୁଆଇ ଦେଲେ ହୁଳହୁଳି ॥”

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାଵଣ୍ଯଵତୀ କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରାଯାଇ ଲେଖାଅଛି

"ସୂତିକାଗୃହରେ ଯେତେ ଵିଧି ଶେଷ କଲେ । ଦଶ ବିଂଶ ଦିନେ ଦୋଳି ଶୟନ ବିହିଲେ ଯେ ।”

ସେହିପରି କଵି ଵୈଦେହୀଶ ଵିଳାସ କାଵ୍ୟରେ ମଧ୍ୟ ଦୋଳି ଶବ୍ଦର ପ୍ରୟୋଗ କରି ପଦେ ରଚନା କରିଛନ୍ତି

"ବଡିମା-ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି। 
ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି॥"

ଗୋପୀନାଥ ଦାସଙ୍କ ଖୁଦୁରୁକୁଣୀ ଓଷାଗୀତରେ ଆମେ ଦୋଳି ଶବ୍ଦ ଥିଵା ଦେଖିଵାକୁ ପାଇଥାନ୍ତି 

"ଭୋଜନ କରାଇଵ ଆଣି । 
କ‌ହି ଅପୂର୍ଵ ରସଵାଣୀ ॥
ଦୋଳିରେ ଦୋଳି ପଞ୍ଚାଇଵ । 
ନିମିଷେ ହେଳା ନ କରିଵ ॥

ସମାନ କଥା କଵି ଦୁଷ୍କର ନାୟକ ଖୁଦୁରୁକୁଣୀ ଗୀତ ଓ ତଅପୋଇ ଉପାଖ୍ୟାନରେ ଏମନ୍ତ ଉଲ୍ଲେଖ କରିଛନ୍ତି

"ବେଳ ଜାଣି ଅନ୍ନ କୁଙ୍କୁମ ଲେପନ ପାନ ଭାଙ୍ଗି ଦେଵ, ଦୋଳି ଖେଳାଇଵ, 
ଖଟେ ଶୁଆଇଵ, କଟୁ ନ କହିଵ”

ଆଗେ ସାଧାରଣତଃ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ କାଵ୍ୟ କଵିତାରେ ଦୋଳିଖେଳ ଵିଷୟରେ ଉଲ୍ଲେଖ ରହୁଥିଲା । କିନ୍ତୁ ଊନବିଂଶ ଶତାବ୍ଦୀ ପରଠାରୁ ଓଡ଼ିଆ କଵି ଲେଖକମାନେ ସାଧାରଣ ଜନତାଙ୍କ ଜୀଵନଯାପନ ଉପରେ ସାହିତ୍ୟ ଲେଖିଵାରେ ଵ୍ରତୀ ହେଲେ । ତେଣୁ ଓଡ଼ିଆ ଲୋକଙ୍କ ଗାଉଁଲି ଦୋଳିଖେଳ କଥାମାନ ସାହିତ୍ୟରେ ସ୍ଥାନ ପାଇଵାକୁ ଲାଗିଲା...

ରାଧାନାଥ ରାୟ ଉଷା କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି

"ଅସଂଖ୍ୟ କଳାପୀ ଵର୍ଣ୍ଣୋଜ୍ଜ୍ୱଳ ଚାରୁ-କଳପ ତୋଳି, ଵ୍ରତ‌ତୀ-ଦୋଳାରେ ଖେଳୁଥିଲେ ତ‌ହିଁ ଅନିଳେ ଦୋଳି”

କ୍ରମେ ଓଡ଼ିଆ ସାହିତ୍ୟରେ ଶିଶୁଗୀତ ରଚନାର ପରମ୍ପରା ଆରମ୍ଭ ହେଲା ଏଵଂ ବାଳକ ଵାଳିକା ତଥା କିଶୋର କିଶୋରୀଙ୍କର ପ୍ରିୟ ଦୋଳି ଖେଳର ଉଲ୍ଲେଖ ସେସବୁ ସାହିତ୍ୟରେ ସ୍ଥାନ ପାଇଲା

କଵା ନନ୍ଦକିଶୋର ବଳ ହୋଓରେ ବାଇଆ ହୋ” ଶିଶୁଗୀତରେ ଲେଖିଛନ୍ତି...

“କୋଳି ଖାଉ ଥାଉ ଶିଆରି ଲଟାରେ କୃଷ୍ଣ ଖେଳୁଥିବେ ଦୋଳି ଶିଆରି ବଣରେ ବାଇଆ ବସା ଗୋ ! ହୋଓରେ ବାଇଆ ହୋଓ !”

ସେହିଭଳି ଉଦୟନାଥ ଷଡ଼ଙ୍ଗୀ ତାଙ୍କ ଶିଶୁ କଵିତା "ଦୋଳି ଖେଳ"ରେ ଆଉ ପାଦେ ଆଗେଇ ଯାଇ ଲେଖିଲେ...

“ଦୋଳିରେ ଦୋଳି ପଵନ ଦୋଳି 
ଦୋଳି ଖେଳିଵା ଆସ
ଗଛର ଡାଳେ ଦୋଳିଟି ଝୁଲେ
ତଳେ କଅଁଳ ଘାସ”

ବହୁତ ପରେ ମାଗୁଣୀ ମହାପାତ୍ର(ଏହାଙ୍କର ୧୯୫୨ ମସିହାରେ ଦୋଳିଗୀତ ପ୍ରକାଶିତ)ଙ୍କ ଭଳି କିଛି ଉଦ୍ୟମୀ ଓଡ଼ିଆ ପ୍ରାଚୀନ କାଳରୁ କଥିତ ଓଡ଼ିଆ ଭାଷାର ଲୋକ ସାହିତ୍ୟରେ ପ୍ରଚଳିତ କେତେକ ମୁଖ୍ୟ ମୁଖ୍ୟ ରଜଦୋଳି ଗୀତକୁ ସଂଗ୍ରହ କରି ପ୍ରକାଶ କରିଥିଲେ। ପ୍ରକୃତରେ ଏମାନେ ରଚୟିତା ନଥିଲେ ଵରଂ ସମାଜର କଥିତ ଭାଷାରେ ପ୍ରଚଳିତ ଲୋକ ସାହିତ୍ୟକୁ ସଂଗ୍ରହ କରି ନିଜ ଅନୁସାରେ ବଦଳାଇ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କେହି କେହି ମାଗୁଣି ମହାପ୍ରାତ୍ରଙ୍କ ୧୯୫୨ ମସିହାରେ ପ୍ରକାଶିତ ପୁସ୍ତକକୁ ଦେଖି ଭାବନ୍ତି ଯେ ସେ ରଜ ଦୋଳି ଗୀତର ସୃଷ୍ଟିକର୍ତ୍ତା ମାତ୍ର ତାଙ୍କର ସେଭଳି ଭାବି ମତଵ୍ୟକ୍ତ କରିଵା ଠିକ୍ ନୁହେଁ ‌ । ମାଗୁଣି ମହାପାତ୍ର ଯେ କି ଆଜକୁ ସତୁରୀ ଵର୍ଷ ତଳେ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଦେଇଥିଲେ ତାହା କ'ଣ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା ଯେ ୧୯୫୦ରୁ ୧୯୮୦-୯୦ ଯାଏଁ ରେଡ଼ିଓ,ଟିଵି, ସମ୍ବାଦପତ୍ର ପହଞ୍ଚି ନଥିଵା ବଣ ଜଙ୍ଗଲ ଘେରା ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚି ଗଲା ?
ପୁନଶ୍ଚ ସତୁରୀ ଵର୍ଷ ମଧ୍ୟରେ ମାଗୁଣି ମହାପାତ୍ରଙ୍କ ଦ୍ଵାରା ସଂଗୃହୀତ କେତେଗୋଟି ଲୋକଗୀତ ଆଧାରରେ ସହସ୍ର ସହସ୍ର ଲକ୍ଷ ଲକ୍ଷ ରଜଦୋଳି ଗୀତ ବୌଦ୍ଧ, ସୋନପୁର,ଦେଵଗଡ଼ଠାରୁ ପୁରୀ ଯାଏଁ ବାଲେଶ୍ଵରଠାରୁ ଗଞ୍ଜାମ ତଥା ସିଂହଭୂମି ଯାଏଁ ସୃଷ୍ଟି ହୋଇଯାଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ ‌ । ନିଶ୍ଚୟ ତାଙ୍କର ବହୁ ପୂର୍ଵରୁ ଓଡ଼ିଶାରେ ରଜଦୋଳି ଗୀତ କଥିତ ଓଡ଼ିଆ ଭାଷାରେ ସୃଷ୍ଟି ହୋଇ ଚଳୁଥିଲା ଏଵଂ ତନ୍ମଧ୍ୟରେ କେତେକ ଵିଶିଷ୍ଟ ଗୀତକୁ ମାଗୁଣି ମହାପାତ୍ର ସଂଗ୍ରହ କରି ନିଜ ଶୈଳୀରେ ଲେଖି ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୧୯୩୨ ମସିହାରେ ସଂକଳିତ ହୋଇ ପ୍ରକାଶ ପାଇଥିଲା ମାଗୁଣି ମହାପାତ୍ରଙ୍କ ରଜଗୀତ ବହି ପ୍ରକାଶ ହେଵାର ୧୫-୧୮ ଵର୍ଷ ପୂର୍ଵରୁ ସେଥିରେ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ପ୍ରଚଳିତ "ପରା(ପଡ଼ା/ସାହି)" ଶବ୍ଦ ତଳେ ସମ୍ବଲପୁରୀ ଓଡ଼ିଆରେ ପୂର୍ଵେ ପ୍ରଚଳିତ ଥିଵା ଏକ ଦୋଳୀଗୀତ ଉଲ୍ଲେଖ କରାଯାଇଛି...

"କାଁଚି କାଁଚି କାଁଚି, 
ଆମରି 'ପରା'କୁ ନ ଯିବୁ ନାଚି। 
ପୁଣ୍ଡା ତଲେ ଦେବି ଖାଁଚି।"

ଏଥିରୁ ଜଣାଯାଏ ଯେ ମାଗୁଣି ମହାପାତ୍ରଙ୍କ ବହୁ ପୂର୍ଵରୁ କେଵଳ ଉପକୂଳ ଓଡ଼ିଶା ହିଁ ନୁହେଁ ଵରଂ ଅଵିଭକ୍ତ ସମ୍ବଲପୁର ଜିଲ୍ଲା ଯାଏଁ ମଧ୍ୟ ଦୋଳୀ ଗୀତ ପ୍ରଚଳିତ ଥିଲା । ଆମ ଓଡ଼ିଶାରେ ଅଞ୍ଚଳ ଭେଦରେ ସହସ୍ରାଧିକ ଦୋଳିଗୀତ ପ୍ରଚଳିତ । 
ନିମ୍ନରେ କେତେକ ଜଣାଶୁଣା ଦୋଳିଗୀତ ପ୍ରଦତ୍ତ ହେଲା...

"ଵନସ୍ତେ ଡାକିଲା ଗଜ, 
ଵରଷକେ ଥରେ ଆସିଛି ରଜ ଲୋ, 
ଘେନି ନୂଆ ସଜବାଜ ।"

"ଦୋଳି ଉଡ଼େ ସାଇଁ ସାଇଁ ସଙ୍ଗାତ ଲୋ
ଦୋଳି ଉଡ଼େ ସାଇଁ ସାଇଁ
ମୋ ଭାଇ ଯୁଦ୍ଧରୁ ଫେରିଵା ପାଇଁ ଲୋ 
ଦୁଆରେ ବସିଛି ଚାହିଁ ।"

"କଳିଙ୍ଗ ଅଙ୍ଗ ଜିଣିଵ ସଙ୍ଗାତ ଲୋ , 
କଳିଙ୍ଗ ଅଙ୍ଗ ଜିଣିଵ
ହାତୀ ଘୋଡ଼ା ଚଢ଼ି ପଟୁଆର କରି ଭାଇ ମୋର ଆସୁଥିଵ ।"

"ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ତୋ ଭାଇ ମୁଣ୍ଡରେ ଜଟ ।"

"ଦୋଳି ପଟା ଖେଳୁଥିଲି ଲୋ
ଦୋଳି ପଟା ଖେଳୁ ଥିଲି
ବାପା ଡାକି ଦେଲେ ଯଶୋଦା
ବୋଲି 
ହାତ ଧୋଇ ଭାତ ଦେଲି ଲୋ 
ହାତ ଧୋଇ ଭାତ ଦେଲି...।"

"ଗଛ ଦୋଳି ପଟା ଦୋଳି ସଙ୍ଗାତ ଲୋ
ଫୁଲ ଦୋଳି ଲୁଗା ଦୋଳି
କୋଳି ଖାଇ ଖାଇ ଦୋଳି
ଖେଳୁଥିଲେ ଦେଖିବେ ମାଇପେ ଭଳି ।"

"ପିତା ଶାଗ ବୁଦି ବୁଦି, 
ଭାଇ କାହା ସଙ୍ଗେ କଲେ ପୀରତି କଲା ଲୋ, 
ହାତୁ ଦେଇ ସୁନା ମୁଦି । "

"ଅରୁଆ ଚାଉଳ ଖିରି
ଝୁଣ୍ଟିଆ ଶବଦେ କମ୍ପାଇ ଦେଲା
ଏଇବାଟେ ଗଲା ଗୋରୀ"

"ଜାମୁ କୋଳି କଳା କଳା
ଦୋଳି ନ ବସୁଣୁ ବେଗ ତୁ 
ପଳା ଲୋ  
ଚାହିଁ ଥିବେ ଗଳା ମାଳା ।"

"ଆମ୍ୱୁଲ ମାଠିଆ ପେଟ
ଵରଷେ ଜଗିଲି ଗାଧୁଆ ତୁଠ
ଦିନେ ନ ପାଇଲି ଭେଟ"

"ଲାଜକୁରୀ ନୂଆ ଵୋହୂ
ସଙ୍ଗାତ ଲୋ  
ଲାଜକୁରୀ ନୂଆ
ବୋହୁ
ହୁଳହୁଳି ଦେବ କଣରେ ଥାଇ ଲୋ
ଜଳେ ଦୀପ ଦାଉ ଦାଉ ।"

"ଝଟ ଝଟଦୋଳି ଝୁଲା ସଙ୍ଗାତ ଲୋ ଝଟ ଝଟ ଝୁଲା ଦୋଳି
ଭାଇ ବନ୍ଦିଵା ମୋ ହୋଇଛି ପାଳି ଲୋ ନୂଆ‌ଵୋହୂ କଲା କଳି।"

"କୂଅରେ ପଡି଼ଲା ଇଟା
ଜୁଆଳି ବାଡିରେ ଭାଙ୍ଗିବ ଅଣ୍ଟାଲୋ
ଶିଖାଇବି ଧାନକୁଟା ।"

"ଆଖୁବାଡ଼ି ଖସଖସ
ଯାଦୁଆ ଡାକୁଛି ଯାଦୁଆଣୀକୁ
ରମ୍ପାରମ୍ପି ହେଵା ଆସ"

"ଆଠଗଡ଼ ବୋଇରାଣୀ
ଶୁଖିଲା ନଡି଼ଆ ପଇଡ ପାଣି
ବୁଢୀ଼ ଦିନେ ଭୁଆଷୁଣୀ"

"ଆଳି ରାଇଜର କେନ୍ଦୁ
ଆଳିଆ ଲେଖାରେ ବାଳିଆ ବନ୍ଧୁ
କେତେ ଲହରେଇ କାନ୍ଦୁ"

"କାଉ ବେକରେ ମାଳି
ତିନିଘର କଳି ଲଗେଇ ଦେଲା
ଏଇ ସରୁମୁହିଁ କାଳି"

"ଖଡୁ ଭଲକରି ମାଜ
ରାଜା ତ ଜାଣିଲେ,
ରାଇଜ ଜାଣିଲା
ଆଉ କାହିଁପାଇଁ ଲାଜ ।"

"ସାତଥର ଗଲି ଗଙ୍ଗା
ଥରେ ଚାଲିଗଲି ଚନ୍ଦରଭାଗା ଲୋ
ମୁହଁ ପଡି଼ଗଲା ରଙ୍ଗା"

"ପଛକଥା ମନେ ନାହିଁକି
ତାଳଗଛ ମୂଳେ ମାଡ଼ ମାରିଥିଲୁ
ବାଇଗଣ ପୋଡା ପାଇଁକି ।"

"ଚୋର ପଳେଇଲା ଖରେ
ଗହ୍ଲେଇନାନୀର ଧନୁଆ କଣ୍ଠି
ଛିଡି ପଡି଼ଗଲା ତଳେ ।"

"ଦୋଳିଆ ଭାଇରେ ଦୋଳିଆ ଭାଇ ,
ଦୋଳି ପହଞ୍ଚାଇ ଦେ
ଦୋଳିରେ ଯେତେକ କଉଡ଼ି ଅଛି
ସବୁ ପଛେ ଗଣି ନେ ।"

"ବିଲ ବରଗଛ ଛାଇ
ପରିହାସ ଛଳେ ଦେଲି ମୁଁ କହି
ମୋ ଗୁଣ୍ଠୁଣୀ ହାତୀ ଲୋ
ହସ ଖେଳେ ଦିନ ଯାଉ ବହି ।"

"ବଣରେ ଲାଗିଲା ନିଆଁ
ପିଠିରେ ଲଗାଇ ଦେବି ମୁଁ ଚିଆଁ
ମୋ ଭଉଣୀ ମାନେ ହୋ
କାହିଁ ନପାଇଵ ତୁମେ ରାହା ।"

"ନଈ ଅତଡା଼ରେ ଦୁବ
ଏକା ଗଲେ ସିନା ସରମ ହେଵ ଲୋ
ସଙ୍ଗେ ଯିବେ ଗଜାମୂଗ ।"

"ବାହାଲ‌ ଉପରେ ଲେମ୍ବୁ
ମରିଗଲେ‌ ପିଲା ପାଉଁଶ ‌ହେବୁ
ଏ ସୁଖ କାହୁଁ ‌ପାଇବୁ ?"

"ବାଉଁଶ ସରୁ ପଵନ
ଯେପରି ବହୁଛି ଥଣ୍ଡା
ପଵନ ଲୋ
ସେହିପରି ଆମ୍ଭ ମନ ।"

"ରାଶିରୁ ଛାଡ଼ିଲା ଚୋପା, 
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, 
ମଥାରେ ସିନ୍ଦୂର ଟୋପା ।"

"ମାଧୋଇ ଅଣ୍ଟାରେ ଗୋଠ
ଏଇ ଗୋଠ ଲାଗି ଯିବି କଟକ ଲୋ 
ଆଣିବି ସୁନା ମୁକୁଟ ।"

"ଉଡ଼ିଲା ଶୁଆ ନାହାକା, 
ଦୋଳିଟା କାହିଁକି ଲାଗୁଛି ଏକା ଲୋ, 
କାହା ଵିନା ଏକା ଏକା ।"

"ଅଦିନେ ଜହ୍ନି ରାଇତା
ଚନ୍ଦ୍ରମା ମୁଖଟି ଶୁଖି ଯାଇଛି ଲୋ
କହୁ ନାହାନ୍ତି ସେ କଥା ।"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି ।" 

"ଇଙ୍କର ବଣର ଘାସ
‌ଦିନେ ଦେଖା ନାହିଁ  
କାଳେ ଦେଖା ନାହିଁ
ଆଜି ବଡ଼ ଵିଶୁଆସ ।"

"ପଣସ ପାଚିଲା ଵନେ, 
ଵନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, 
ମନକଥା କିଏ ଜାଣେ ।"

"ଢିଙ୍କିରେ କୁଟିଲି ଗୋଲମରିଚ ଲୋ
ପାଆରେ ମାପିଲି ଘିଅ 
ଉପର ସାହିକି ଝିଅ ନଦେଵ ଲୋ
ମାରିବେ ଜାଉଁଳି ଡିହ ।"

"ଶଙ୍ଖ ମଲମଲ ଗିନା, 
ଦରଦ ଜାଣେଲୋ ଦରଦୀ ସିନା ଲୋ, 
ବଣିଆ ଚିହ୍ନେଟି ସୁନା ।"

"ବାରିକି ସୁନ୍ଦର କଦଳୀ ଗଛ ଲୋ
ପିଢାକୁ ସୁନ୍ଦର ପୋଇ
ଘରକୁ ସୁନ୍ଦର
ଦେଈ ଭାରିଜା‌ ଲୋ
ରଗଡି଼ଵ ମୁଗଜାଇ ।"

"ନିମ୍ବର ବୁକେ ଚନ୍ଦନ, 
ଦେଵତା ଗଢ଼ାଇଲା ନାରୀ ଜୀଵନ ଲୋ, 
ଦେଲା ତହିଁ ଯଉଵନ ।"

"ଢମଣା ଛାଡ଼ିଲା କାତି, 
ପୁରୁଷ ସିନାଲୋ ଭ୍ରମର ଜାତି ଲୋ, 
ନୂଆ ଖୋଜୁଥାନ୍ତି ନିତି ।"

"ପାକେଲା ବାଉଁଶ ବାଡ଼ି
ହସି କଥା କହ କୁସୁମ କଢି଼ ଗୋ
ଚାକିରୀ ଆସିଛି ଛାଡି଼।"

"ଭଲେ ଆସିଛ କି ମନ୍ଦେ ଆସିଛ
କୁମ୍ଭ ଧରି ଗୋଡ଼ ଧୁଅ
ତୁମରି ଭାରିଜା ପଦାରେ ଅଛନ୍ତି
କରମ ଆଦରି ଶୁଅ।"

"ବଣ ଭୁଆଁ ଛାଡେ ରଡି
ଘଡି଼ ଘଡି଼ ମା' ଡାକିବ ନାହିଁ ଲୋ ,
ଦୋଳିରୁ ଯିବି ମୁଁ ପଡ଼ି ।"

"ଚାନ୍ଦରେ କଳଙ୍କ ଚିହ୍ନ, 
ନଵ ଯଉଵନି କିଆଁ ଗୁମାନ ଲୋ, 
ଆସିଲେଣି ଜୀଵ ଧନ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଦୋଳି ଦଉଡ଼ି ସାଜେ
ଯେଉଁ ପରଵତେ ବାଜେଣି ବାଜେଲୋ
ଗଙ୍ଗା ବାଲି ଖଡ଼ୁ ମାଜେ ।"

"ସାହାଡ଼ା ଗଛର ଛାଇ, 
ସେଦିନ କଥାକି ତୋ ମନେ ନାଇଁ ଲୋ, 
ଏତେ ଆନମନା କାହିଁପାଇଁ ।"

"ଦୋଳି ମୁଣ୍ଡେ ଦେଲି ଜଉ
ଏଇ ଜଉ ଟିକ ସଂସାରେ ଥାଉ ଲୋ
ଦୋଳି ଖେଳି ଦିନ ଯାଉ ।"

"ପର୍ଵତ ଶିଖରେ ଧାନ ଉସାଁଇଲି 
ମୟୂର ଖାଇଲା ଖୁଣ୍ଟି
ଆଣେଲୋ ଏବେ 
ଝୁମୁକି ଝାଣ୍ଟି ମୟୂର
ଗଲାଣି ଉଠି ।"

"ଖୋସାରେ ଖୋସିଲି ଫୁଲ, 
କେତେ ଦେଖାଉଛୁ ନୁଖୁରା ଗେଲରେ, 
ଭାଙ୍ଗି ଦେବି ତୋର ଗାଲ ।"

"ନଈର ଶୁଖିଲା ବାଲି, 
କେତେ ଫୁଲି ହେଉ ପୁଚୁକିଗାଲି ଲୋ, 
ଦେଖାଉଛୁ କେତେ ବେଲି ।"

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରଜା ।"

"କେଲୁଣୀ ରାନ୍ଧୁଛି ଖେଚୁଡ଼ି ଭାତ
ଖେଚୁଡ଼ି ଭାତ ଲୋ 
କେଳା ବୋଲୁଅଛି ଗୀତ ।"

"ଲୁଚିଗଲା ମେଘେ ଚାନ୍ଦ, 
ଦୋଳି କଟକଟ କରେ ଶବଦ ଲୋ, 
ଵହନ୍ତେ ପଵନ ମନ୍ଦ ।"

"ଦୋଳି ହୁଏ ରଟରଟ, 
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, 
ଦିଶୁଥାଏ ଝଟଝଟ ।"

"ପରଵତେ ଜଳେ ନିଆଁ, 
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, 
ପୁଣି ହେଵ ବାଆଁ ଡାଁ ।"

"ଦୋଳି ମୁଣ୍ଡି କଟ‌କଟ
ଯେବେ ମୋ ଭାଇନା ବାହା
ହୋଇ ଯିବୁ
ଆଣିବି ଫୁଲ ମୁକୁଟ ।"

"ଉତୁରି ପଡ଼ିଲା ଦୁଧ, 
ଉଙ୍କି ମାରି ମାରି ଅନାଉ ଥାଏ ଲୋ, 
ନନ୍ଦର ଉଦିଆ ଚାନ୍ଦ ।"

"ଛତରା ବଜାର ହାଟ, 
ଛକି ବସିଥିଵ ଚଗଲା କାହ୍ନୁଲୋ, 
ଛନ୍ଦରେ ମାଗିଵ ଘାଟ ।"

"ଥୋଡ଼ମଞ୍ଜା କଲି ରାଇ, 
କଣ ନ କଲେ କଳା କହ୍ନାଇ ଲୋ, 
ମୁହଁକୁ ଯା ନ ଅନାଇ ।"

"କରମଙ୍ଗା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ସାଉଁଟିଲି ବିଲ ଘଷି, 
କିମ୍ପାଇଁ ରାଧିକା ବସିଲା ରୁଷି ଲୋ, 
ଫୁଲ ଶେଜ ହେଲା ବାସି ।"

"କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ, 
ଭାଇ ଵିଦେଶୁ ନଇଲେ ବୋଲି ।"

"ଗରଜେ କଳା ବଉଦ, 
ମୋତେ ତ ବରଷ ହେଲା ଚଉଦ ଲୋ, 
ଗଲାଣି ପିଲା ସୁଆଦ ।"

"ବଇଁଶୀ ବାଜିଲା କୁଞ୍ଜେ, 
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, 
ଛୋଟ କଲେ ଛାଟ ବାଜେ ।"

"ଲାଞ୍ଜ ଟେକିଗଲା ବାଘ, 
ମନେ ରଖିଥିବୁ ସାଙ୍ଗ
ନଇଁ ଚାଲୁଥିବୁ ବଡ଼ଙ୍କ ଆଗେ ଲୋ, 
ଲାଗିଵ ନାହିଁଟି ଦାଗ ।"

"ଛତୁ ଫୁଟେ ଵରଷାରେ
ମାରୁଛୁ ହାତ ନିଶରେ, 
ଛତରାଟା କେତେ ଛଇ ଦେଖାଉ ରେ, 
ଅଛି କି ତୋ ଭରସାରେ ।"

"କରଡ଼ି ଖସିଲା ଆମ୍ବ, 
ପର କାହୁଁ ଘର ପରାଣୀ ହେବେ ରେ, 
ମନ ଜାଣି ଖଞ୍ଜି ଦେଵ ।"

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ଅଦିନେ ପଣସ ସିଠା, 
ଵଚନରେ ଯାର ନ ଥାଏ ମିଠା ଲୋ, 
ସେଟା ବାଡ଼ ପକା କଣ୍ଟା । "

"ପାହାନ୍ତି ରାବିଲେ ପେଚା, 
ଯିଏ ହୋଇଥିଵ ସିଂହର ବଚା ଲୋ, 
ନ ଦେଵ ପଛଘୁଞ୍ଚା ।"

"ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ, 
ମତେ କଲା ଲୋକହସା ।"

"ଜାରା ମାରିଦେଲା ବାଣ, 
ଯାହାଠାରେ ଯାର ମିଶିଛି ମନ ଲୋ, 
ସେହି ଜାଣେ ତାର ଗୁଣ ।"

"କାଟି ଗଲି କଳାଦୁବ, 
ଝିଅ ଜନମରେ ଏତିକି ଲାଭ ଲୋ, 
ବନ୍ଧୁ ଘର ଅରଜିଵ ।"

"କାଳୀଗାଇ ଦୁଧ କ୍ଷୀରି, 
ନୂଆ ପୀରତିରେ ମଉଜ ଭାରି ଗୋ, 
ପୁରୁଣାଟି ନିମ୍ବ ପରି ।"

"ଆମ୍ବ ପତ୍ର ଗହଳିଆ, 
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ, 
ତୋଫା ହେଵଟି ଧୁଳିଆ ।"

"ଥିରି ଥିରି ଚାଲେ ହାତୀ, 
ଥୟ ନ ହେଉଛି କିମ୍ପା ଏ ଛାତି ଲୋ, 
ଥକା ଦୋଳି ହେଲା ରାତି ।"

"ପାଚିଲା ଆମ୍ୱ ପଣସ, 
ଆସ ଭାଇମାନେ ଦୋଳିରେ ବସ, 
ନ କରି ମନ ଵିରସ l"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି । "

"ଘୋଡା଼ ଗୋଡ଼ ଠାକୁ ଠାକୁ, 
ଆମେ ଯାଇଥିଲୁ ତୁମ ଗାଆଁକୁ, 
ନ କହିଲ ବସିଵାକୁ l"

"ଚାଳରେ ବସିଲା ବଣି, 
ରାଧା ଚାଲିଗଲେ ଯମୁନା ପାଣି, 
କୃଷ୍ଣ କଥା ମନ ଜାଣି l "

"ଚିରିଲି ବାଉଁଶ ବତା, 
ଉପରେ ବନ୍ଦୁଛି ସୂର୍ଯ୍ୟ ଦେଵତା, 
ତଳେ ବନ୍ଦେ ଵସୁମାତା l "

"ଜୟ ମା କିଚେକେଶ୍ୱରୀ, 
ତଵ ପାଦପଦ୍ମେ କରି ଗୁହାରୀ, 
ରଖ ମତେ ଦୟାକରି l"

"ଜାମୁକୋଳି ନଦବଦ, 
ଯିଏ ଖାଉଛନ୍ତି ହାଣ୍ଡିଆ ମଦ, 
ତା ସଙ୍ଗେ ପୀରତି ମନ୍ଦ l"

"ଥୋଡମଞ୍ଜା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଫୁଲ ଖୋସିଲି କାନରେ, 
ବରଷକେ ରଜ ଆସିଛି ଥରେ, 
ଦୋଳି ଖେଳିଵା ସାଙ୍ଗରେ l "

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରାଜା ।"

"ବାଡିର ବାଡିଆ ଗବ, 
ମରି ହଜିଗଲେ ପାଉଁଶ ହେବ, 
ଏ ଭାବ କାହୁଁ ପାଇଵ ? "

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ମଦରଙ୍ଗା ଶାଗ ରାଇ, 
ପଖାଳ ଭାତକୁ ଚିଲିକା ଶୁଖୁଆ, 
ମାଣିକ ପାଟଣା ଦହି ।"

"ଶାଗ ଖରଡିଲି ଡାଙ୍ଗେ, 
ଶାଶୁ ଗାଳିଦେଲେ ନଣନ୍ଦ କହିଲେ, 
କାଲି ଯିବି ଭାଇ ସଙ୍ଗେ । "

"ସଜନା ଗଛର ଅଠା, 
ତତେ କହିଥିଲି ଗୁପତ କଥା ଲୋ, 
ଦାଣ୍ଡେ କଲୁ ହଟହଟା । "

ଦୋଳିକୁ ନେଇ ପ୍ରଚଳିତ ଲୋକଵିଶ୍ଵାସ:

ଦୋଳି ସମ୍ବନ୍ଧୀୟ ଅନେକ ଲୋକଵିଶ୍ଵାସ ଓଡ଼ିଶାରେ ପ୍ରଚଳିତ । ଯଥା—

(କ) ବେଙ୍ଗ ସମ୍ବନ୍ଧୀୟ ଲୋକଵିଶ୍ଵାସ 

କଥିତ ଅଛି ଯେ ରଜପର୍ଵରେ ଦୋଳି ନଖେଳିଲେ କାଠ ବେଙ୍ଗ ହୋଇ ଜନ୍ମ ଲଭିଵାକୁ ହୁଏ । ଦୋଳି ଖେଳିଵାକୁ ମନା କରୁଥିଵା ଅବୁଝା ପିଲାଏ ନିଜ ସଂସ୍କୃତି ପରମ୍ପରାକୁ ପାଳନ କରନ୍ତୁ ସେଥିପାଇଁ ଭୟମିଶ୍ରିତ ଏଭଳି ଏକ ଲୋକଵିଶ୍ଵାସର ପ୍ରଚଳନ ହୋଇଥିଵା ସମ୍ଭଵ । 

(ଖ)ସର୍ପ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଆମ ଓଡ଼ିଶାର ରଜୋତ୍ସଵ ସମୟରେ ତିନିଦିନ କାଳ ଓ ତତ୍ପରେ କେତେକ ଦିନ ଯାଏଁ ପିଲାଏ ସକାଳ ଦ୍ବିପହର ଓ ଅପରାହ୍ନରେ ଦୋଳି ଖେଳିଥାନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଵାକୁ ବାରଣ କରାଯାଇଥାଏ । କାରଣ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଲେ ଦୋଳିର ଦଉଡ଼ି ସାପରେ ପରିଣତ ହୋଇଯାଏ । 

ଆଧୁନିକ ଯୁଗରେ କେହି କେହି ଏହାକୁ ଅନ୍ଧଵିଶ୍ଵାସ ବୋଲି ଅଭିହିତ କରୁଅଛନ୍ତି କିନ୍ତୁ ଏହି ଲୋକଵିଶ୍ଵାସ ପଛରେ ଥିଵା ଵୈଜ୍ଞାନିକ କାରଣକୁ ସେମାନେ ଉପଲଵ୍ଧି କରିନାହାନ୍ତି । 

ସାଧାରଣତଃ ଵର୍ଷାଋତୁ ସମୟରେ ଗଛମାନଙ୍କରେ ଵିଷାକ୍ତ ସର୍ପମାନେ ଵିଚରଣ କରିଥାନ୍ତି । ଲାଉଡଙ୍କିଆ,ଡାଳୁଆଗୋଖର ଆଦି ଅନେକ ସର୍ପ ଵୃକ୍ଷରେ ରହିଵାକୁ ବୁଲିଵାକୁ ପସନ୍ଦ କରନ୍ତି ‌ । ରାତ୍ରୀସମୟରେ ସେମାନେ ଦୋଳିର ଦଉଡ଼ି ଉପରକୁ ଚାଲି ଆସିଵା ଅସମ୍ଭଵ ନୁହେଁ ‌ । 

ନିଶ୍ଚୟ ପୂର୍ଵେ ଆମ ସମାଜରେ ଅନେକ ପିଲା ବଡ଼ ଲୋକଙ୍କ ଆକଟ ନମାନି ସନ୍ଧ୍ୟା ଵା ରାତିରେ ଗଛ ଡାଳରେ ବନ୍ଧାଥିଵା ଦୋଳି ଖେଳି ସରରପ ଦଂଶନର ଶିକାର ହୋଇଥିବେ ଯାହା ଫଳରେ ଏଭଳି ଏକ ଲୋକଵିଶ୍ଵାସ ସୃଷ୍ଟି ହୋଇଥିଵ । 

(ଗ) ଡାହାଣୀ/ ପିଶାଚୁଣୀ /ବ୍ରହ୍ମରାକ୍ଷସ /ଓଥରା ଆଦି ଅଶରୀରୀ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସନ୍ଧ୍ୟାରେ ଦୋଳି ଖେଳ ବନ୍ଦ କରି ଦୋଳିକୁ ସେଇମିତି ନ ଓହଳେଇ ଉକୁଚି ଦେଵା(ଖୋସି ଦେଵା)ର ପରମ୍ପରା ପ୍ରଚଳିତ । କୁହାଯାଏ ରାତିରେ ଦୋଳିକୁ ଓହଳେଇ ଛାଡ଼ି ଆସିଲେ ସେଥିରେ ମୃତ ଆତ୍ମାମାନେ ବସି ଦୋଳି ଖେଳନ୍ତି । ଆଉ କେତେକ ଅଞ୍ଚଳରେ ରାତିରେ ଦୋଳି ଖେଳିଲେ ଓଥରା ଓ ବ୍ରହ୍ମରାକ୍ଷସ ଇତ୍ୟାଦି ଅତୃପ୍ତ ଆତ୍ମାଙ୍କ ଯୋଗୁଁ ଡାଳ ଭାଙ୍ଗିଵା ତଥା ପ୍ରାଣ ନାଶ ହେଵାର ଲୋକଵିଶ୍ଵାସ ପ୍ରଚଳିତ । ସାଧାରଣତଃ ଗଛ ଦୋଳି କୌଣସି ମଟକା ଦୁର୍ଵଳ ଗଛଶାଖାରେ ବନ୍ଧାଯାଇଥିଲେ ଭାର ନ ସହିପାରି ଭାଙ୍ଗିଯାଏ । ଆଗକାଳରେ ରାତିରେ ଦୋଳି ଖେଳୁଥିଵା ସମୟରେ ଗଛର ଡାଳ ଭାଙ୍ଗି ପଡି଼ଗଲେ ଆଜି ଭଳି ହଠାତ୍ ଚିକିତ୍ସା ହୋଇପାରୁନଥିଲା । ତେଣୁ ରାତିରେ ଅଶୀରୀରୀମାନଙ୍କ ନାମରେ ଭୟ ଦେଖାଇ ଦୋଳି ଖେଳିଵାକୁ ବାରଣ କରାଯାଉଥିଲା । ପ୍ରକୃତରେ ରଜ ଏମିତି ଏକ ପର୍ଵ ଯାହା ଵିଷୟରେ ଯେତେ ଲେଖିଲେ ବି ସରିଵ ନାହିଁ । ତେବେ ସେ ଯାହା ହେଉ ରଜ ପର୍ଵ ,ଦୋଳି ଓ ଦୋଳି ଗୀତ ସମ୍ବନ୍ଧୀୟ ଆହୁରି ଗହନ ଗଵେଷଣା ଆଵଶ୍ୟକ ।


Wednesday, June 15, 2022

ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"

"ରଜପର୍ଵ"ର ନାମ ମଧ୍ୟରେ 'ରଜ' ଶବ୍ଦଟି ଥିଵାରୁ ଓଡ଼ିଶାର କିଛି ଲୋକଙ୍କୁ ରଜୋତ୍ସଵର ରଜ ନାମଟି ଅଶ୍ଳୀଳ ବୋଧ ହେଉଅଛି । "ରଜସ୍ଵଳା" କଥାଟି କିଛି ଲୋକଙ୍କ ମନକୁ ପାଉନାହିଁ । କେହି କେହି ଵିଚ୍ଛିନ୍ନତାଵାଦୀ ଏହାକୁ ଭିତ୍ତିକରି ପ୍ରତିଵର୍ଷ ଉତ୍ତର, ଦକ୍ଷିଣ,ପୂର୍ଵ ତଥା ମଧ୍ୟ ଓଡ଼ିଶାର ଲୋକଙ୍କୁ ଅପମାନିତ କରୁଛନ୍ତି । 

ପୃଥିଵୀର କୋଉ ନାରୀ ହୋଇଅଛି ଯିଏ ଵିନା ରଜସ୍ଵଳାରେ ସନ୍ତାନ ଉତ୍ପତ୍ତି କରିଛି ?

ସୁଶ୍ରୁତଙ୍କ ସୂତ୍ରସ୍ଥାନର ଚତୁର୍ଦ୍ଦଶ ଅଧ୍ଯାୟରେ କୁହାଯାଇଛି

“ରଞ୍ଜିତାସ୍ତେଜସା ତ୍ଵାପଃ ଶରୀରସ୍ଥେନ ଦେହିନାମ୍ ।
ଅଵ୍ଯାପନ୍ନାଃ ପ୍ରସନ୍ନେନ ରକ୍ତମିତ୍ଯଭିଧୀୟତେ ॥
ରସାଦେଵ ସ୍ତ୍ରିୟା ରକ୍ତଂ ରଜଃସଂଜ୍ଞଂ ପ୍ରଵର୍ତ୍ତତେ ।
ତଦ୍ବର୍ଷାଦ୍ବାଦଶାଦୂର୍ଦ୍ଧ୍ଵଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ 
ନାରୀଣାଂ ରଜସି ଚୋପଚୀୟମାନେ ଶନୈଃ ଶନୈଃ ସ୍ତନଗର୍ଭାଶୟଯୋନ୍ଯଭିଵୃଦ୍ଧିର୍ଭଵତି । 

ସେହିପରି ଵାଭଟଙ୍କର ଶାରୀରସ୍ଥାନ ପ୍ରଥମ ଅଧ୍ଯାୟରେ ଉଲ୍ଲେଖ ଅଛି

“ମାସି ମାସି ରଜଃସ୍ତ୍ରୀଣାଂ ରସଜଂ ସ୍ରଵତି ତ୍ର୍ଯହମ୍ । 
ଵତ୍ସରାଦ୍ଦ୍ଵାଦଶାଦୂର୍ଦ୍ଧଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ ”

ତେଣୁ ରଜସ୍ଵଳା ଵିନା କୌଣସି ନାରୀ ସନ୍ତାନ ଉତ୍ପତ୍ତି କରିପାରିଵା ଅସମ୍ଭଵ । 
ପୃଥିଵୀମାତା ନାରୀ ଭାଵରେ କଳ୍ପିତା । ସାରା ଵିଶ୍ଵରେ ମାଟିକୁ ମାଆ କଳ୍ପନା କରାଯାଇଛି । ଏ କଳ୍ପନା ପୁଣି କପୋଳକଳ୍ପିତ ନୁହେଁ ଵରଂ ଆଧ୍ୟାତ୍ମିକ ଓ ଵୈଜ୍ଞାନିକ । 



 କେତେକ ସଭ୍ୟତାକୁ ଛାଡ଼ି ଦେଲେ ପୃଥିଵୀର ପ୍ରାୟ ୯୦% ଭାଗ ସଭ୍ୟତାରେ ପ୍ରକୃତିକୁ ଵା ପୃଥିଵୀକୁ ମାତା ରୂପରେ କଳ୍ପନା କରି Mother Nature ଵା Mother earth ଭାବେ ଅଭିହିତ କରାଯାଇଛି। 

ପ୍ରାଚୀନ ଇଜିପ୍ଟରେ ପୃଥିଵୀକୁ Geb ତଥା ଆକାଶକୁ Nut ରୂପେ କଳ୍ପନା କରାଯାଇଥିଲା । ଇଜିପ୍ଟର ଲୋକେ ପୃଥିଵୀକୁ ଦେଵ ଓ ଆକାଶକୁ ଦେଵୀ କଳ୍ପନା କରିଥିଲେ । ଏ ଅଞ୍ଚଳରେ ଜଳାଭାଵ ଉତ୍କଟ ଥିଲା ଏଵଂ ଆକାଶରୁ ଵର୍ଷା ହେଵା ଫଳରେ ସେମାନଙ୍କର ଜୀଵନଧାରଣ ସମ୍ଭଵ ହୋଇପାରୁଥିଲା ବୋଲି ସେମାନେ ଭୂମିକୁ ପୁରୁଷ ତଥା ଆକାଶକୁ ସ୍ତ୍ରୀ କଳ୍ପନା କରିଥିଲେ । 

ଇଜିପ୍ଟର ପ୍ରାଚୀନ ସଭ୍ୟତାକୁ ଛାଡ଼ି ଦେଲେ ପ୍ରାଚୀନ ଆମେରିକୀୟ ମାୟା- ଇନକା- ଆଜଟେକ୍ ସଭ୍ୟତା , ଅଧିକାଂଶ ଆଫ୍ରିକୀୟ ଜନଜାତୀୟ ସଭ୍ୟତା,ପ୍ରାଚୀନ ଗ୍ରୀକ୍-ରୋମାନ୍ ସଭ୍ୟତା, ପ୍ରାଚୀନ ଜର୍ମାନ୍-ନୋର୍ସ୍ ସଭ୍ୟତା,ପ୍ରାଚୀନ ଭାରତୀୟ ସଭ୍ୟତା ତଥା ପ୍ରାଚୀନ ଚୀନ ଦେଶୀୟ ସଭ୍ୟତାରେ ପୃଥିଵୀ ଵା ଭୂମିକୁ ଦେଵୀ ତଥା ମାତା ରୂପରେ କଳ୍ପନା କରାଯାଇଥିଲା । 


ପ୍ରାଚୀନ ଆମେରିକୀୟ ଲୋହିତ ଜନଜାତି Aztec ମାନେ ପୃଥିଵୀକୁ Tonantzin କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ଆମ ମାଆ” ସେହିପରି Inca ଜାତୀୟ ଲୋକେ ପୃଥିଵୀକୁ Pachamama(ମାତା ପୃଥିଵୀ) କହୁଥିଲେ । ଚୀନ ଦେଶରେ ପୃଥିଵୀଙ୍କୁ Hou Tu ଓ Di Mu ନାମରେ ଦେଵୀ ରୂପରେ କଳ୍ପନା କରି ପୂଜା କରାଯାଉଥିଲା । ଭୀଏତନାମୀ ଲୋକେ ପୃଥିଵୀକୁ ଦେଵୀ Mẫu Địa ନାମରେ ଆରାଧନା କରୁଥିଲେ । ଆଫ୍ରିକାର ଘାନା ଦେଶର Bono ଜନଜାତିର ଲୋକେ ପୃଥିଵୀକୁ Asase Ya , Asase Yaa, Asaase Yaa , Asaase Afu ଓ 
Aberewaa ଆଦି ନାମରେ ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକେ ସ୍ପେନ ଓ ଫ୍ରାନ୍ସ ଦେଶରେ ଵସଵାସ କରନ୍ତି । ସେମାନେ ପୂର୍ଵେ ପୃଥିଵୀକୁ Amalur,Ama Lur or Ama Lurra ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଯେ ପୃଥିଵୀମାତା Amalur ଉଭୟ Ekhi(ସୂର୍ଯ୍ୟ) ଓ Ilazki(ଚନ୍ଦ୍ର) ଙ୍କ ଜନ୍ମଦାତ୍ରୀ । ଆଜି ବି Amalur ଦେଵୀଙ୍କୁ Basqueମାନେ ମାତୃଦିଵସ ଉପଲକ୍ଷେ ମନେ ପକାଇଥାନ୍ତି । ଗ୍ରୀକ୍‌ମାନେ ପୃଥିଵୀକୁ Gaia ଦେଵୀ ଭାବରେ ପୂଜା କରୁଥିଲେ ସେହିପରି ରୋମାନମାନେ ପୃଥିଵୀକୁ ଦେଵୀ Terra ଆଖ୍ୟା ଦେଇଥିଲେ । ସେଇଥିପାଇଁ ଆଜି ବି କେତେକ science fiction ଚଳଚ୍ଚିତ୍ରରେ ପୃଥିଵୀକୁ Terra ଅଭିହିତ କରାଯାଏ । ନୋର୍ସମାନେ ପୃଥିଵୀକୁ Jörð (Jord) ଦେଵୀ ରୂପରେ କଳ୍ପନା କରି ପୂଜୁଥିଲେ । ସେହିପରି ମଙ୍ଗୋଲୀୟ ଓ ତୁର୍କ ଦେଶର ଲୋକେ ପୃଥିଵୀକୁ ଦେଵୀ Umay (Eje), ଲିଥୁଆନିଆର ଲୋକେ ଦେଵୀ Žemyna,Māoriମାନେ ଦେଵୀ - Papatūānuku,Latvian ଲୋକେ ଦେଵୀ Zemes māte ଓ Māra 
 ଏଵଂ ଆରବ ଦେଶରେ ପ୍ରାକ୍ ଆରବୀୟ ଦେଵୀ alllat ରୂପେ ପୂଜାର୍ଚ୍ଚନା କରୁଥିଲେ । ଭାରତ ଵର୍ଷରେ ପୃଥିଵୀମାତାଙ୍କୁ ମହୀମାତା,ଭୂଦେଵୀ,ବସୁମତୀ, ଶକ୍ତି,ପ୍ରକୃତି, ଗାୟତ୍ରୀ ତଥା ଗୋମାତା ରୂପରେ ଜଣେ ଦେଵୀ ଭାବେ ଭିନ୍ନ ଭିନ୍ନ ପନ୍ଥରେ କଳ୍ପନା କରାଯାଇଛି । ଗୋଣ୍ଡୀମାନେ ଭୀମାଲଙ୍କୁ ପୃଥିଵୀ ଧାରଣକାରୀ ଦେଵ ତଥା ପୃଥିଵୀମାତାଙ୍କୁ ଭୂମ ଵା ଭୂମା ଅଭିହିତ କରିଅଛନ୍ତି । ଓଡ଼ିଶାର ଜନଜାତୀୟ ଅଞ୍ଚଳରେ ପୃଥିଵୀମାତା ଧରଣୀପେନୁ ଭାବେ ପୂଜା ପାଆନ୍ତି । 



ଅତଏଵ ଓଡ଼ିଶାର ଲୋକେ ପୃଥିଵୀକୁ ମାତା କଳ୍ପନା କରି ରଜୋତ୍ସଵ ପାଳନ କରିଵା କୌଣସି ଦିଗରୁ ଅଯୁକ୍ତିଯୁକ୍ତ ଅଵୈଜ୍ଞାନିକ ନୁହେଁ । 

ଯେହେତୁ ପୃଥିଵୀର ଅଧିକାଂଶ ଭୂଭାଗରେ ପୃଥିଵୀମାତା ନାରୀ ରୂପରେ କଳ୍ପିତା ଏଵଂ ଏ ଚରାଚର ପୃଥିଵୀରେ ତାଙ୍କର କୀଟଠାରୁ ମାନଵ ଯାଏଁ ଶୈଵାଳଠାରୁ ଦ୍ରୁମଯାଏଁ ଅସଂଖ୍ୟ ସନ୍ତାନ ସନ୍ତତି ତେଣୁ ସେ ପୁତ୍ରଵତୀ ମାତା ରଜୋଵତୀ ନହେଲେ ଏତେ ସନ୍ତାନ ଜାତ ହେବେ କି ?

ଏହି ଵିଚାରକୁ ଗ୍ରହଣ କରି ଓଡ଼ିଶାର ଲୋକେ ରଜପର୍ଵର କଳ୍ପନା କରିଅଛନ୍ତି । 

ତେବେ କେଵଳ ଓଡ଼ିଶାରେ ନୁହେଁ ଦକ୍ଷିଣ ଭାରତର ତାମିଲନାଡୁ, କର୍ଣାଟକ ତଥା କେରଳର ମଧ୍ୟ ଭାଗରେ ଵସଵାସ କରୁଥିଵା ତୁଲୁ ଭାଷୀ ଲୋକେ ମଧ୍ୟ ପୃଥିଵୀମାତା ତିନି ଦିନ ଧରି ରଜସ୍ଵଳା ହେଵାର ଵିଶ୍ଵାସ କରନ୍ତି ଏଵଂ ଫେବୃଆରୀ ୧୦ରୁ ଫେବୃଆରୀ ୧୪ ମଧ୍ୟରେ ଧରଣୀମାତାଙ୍କୁ ଆରାଧନା କରିଵା ହେତୁକ ಕೆಡ್ಡಸ(keḍḍasa) ଵା Keddaso ନାମରେ ଏକ ତ୍ରିଦିଵସୀୟ ପର୍ଵ ପାଳିଥାଆନ୍ତି । 

 ନାରୀମାନଙ୍କର ରଜଃସ୍ରାଵ ତିନିଦିନ ପର୍ଯ୍ୟନ୍ତ ହୁଏ ଓ ଚତୁର୍ଥଦିନ ରଜୋନିଵୃତ୍ତି ହୋଇଥାଏ । ଚତୁର୍ଥ ଦିଵସରେ ଋତୁ ସ୍ନାନାନନ୍ତର ପ୍ରଥମେ ପତିଙ୍କ ମୁଖ ଅଵଲୋକନ କରିଵା ଉଚିତ୍ କାରଣ ଋତୁସ୍ନାନର ଅଵ୍ୟଵହିତପରେ ଯେଉଁ ରୂପ ଦର୍ଶନ କରାଯାଏ ତଦନୁରୂପ ସନ୍ତାନ ଗର୍ଭରେ ଜନ୍ମେ ବୋଲି ଭାରତଵର୍ଷରେ ଲୋକଵିଶ୍ଵାସ ପ୍ରଚଳିତ। ଋତୁସ୍ରାଵ ହେଵା ପ୍ରକ୍ରିୟା ପ୍ରାକୃତିକ ଏଵଂ ଏଥିରେ ଲଜ୍ଜାବୋଧର କୌଣସି ସ୍ଥାନ ନାହିଁ । ପ୍ରକୃତି ଓ ପ୍ରକୃତିର ସମସ୍ତ ପ୍ରତିରୂପ ମଧ୍ୟରେ ଏହି ପ୍ରକ୍ରିୟା ସମଦୃଶ୍ଯ ହୁଏ ‌। 
 
ଭାରତୀୟ ଆଧ୍ୟାତ୍ମ ଶାସ୍ତ୍ରରେ ନାରୀକୁ ପ୍ରକୃତିଠାରୁ ଜାତ ଉଲ୍ଲେଖ କରାଯାଇଛି । ପୃଥିଵୀର ଜୀଵନୀଶକ୍ତି ହେଉଛି ପ୍ରକୃତି ।ଏହି ପ୍ରକୃତି ପ୍ରତ୍ୟେକ ଜୀଵିତ ଵସ୍ତୁ ମଧ୍ୟରେ ରହିଛି । ପ୍ରକୃତିର ଉପସ୍ଥିତି ଵିନା କୌଣସି ଗ୍ରହରେ ଜୀଵନ ଜାତ ହେଵା ଅସମ୍ଭଵ । ଏହି ପ୍ରକୃତିକୁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଵିଚାର କରାଯାଇପାରେ । ମଙ୍ଗଳଗ୍ରହରେ Geographical ସକ୍ରିୟତା ନଥିଵାରୁ ସେଠାରେ Biographical ସକ୍ରିୟତା ସମ୍ଭଵ ହୋଇପାରିନାହିଁ । ଏ ଉଭୟ ପ୍ରକାରର ସକ୍ରିୟତାକୁ ହିଁ ସାମୁହିକ ଭାଵରେ ‘ପ୍ରକୃତି’ କୁହାଯାଇଛି । କୌଣସି ଗ୍ରହରେ ଜୀଵ ସୃଷ୍ଟି ପାଇଁ ଏ ଉଭୟ ତତ୍ତ୍ଵ ନିତାନ୍ତ ଆଵଶ୍ୟକ ‌। 


ତେଣୁ ଯେମିତି ନାରୀ ତିନିଦିନ ଋତୁମତୀ ହୋଇଥାଏ ଠିକ୍ ସେହିପରି ପୃଥିଵୀମାତା ଵା ପ୍ରକୃତି ତିନିଦିନ କାଳ ଋତୁମତୀ ହେଵା କଳ୍ପନା କରାଯାଇଛି । 

ତାହେଲେ ରଜପର୍ଵର ନିର୍ଦ୍ଧିଷ୍ଟ ତିନିଦିନ କେଉଁ ଆଧାରରେ ନିର୍ଣ୍ଣୟ କରାଗଲା ? 
 
ଭାରତଵର୍ଷରେ ଵର୍ଷାକାଳକୁ ଚର୍ତୁମାସ୍ୟା କୁହାଯାଏ ଯାହା ଆଷାଢ଼ ମାସରୁ ଆରମ୍ଭ ହୋଇ ଆଶ୍ଵିନ ମାସ ଯାଏଁ ଚାରିମାସ ରହିଥାଏ । ଆଷାଢ଼ ମାସର ଠିକ୍ ଏକଦିନ ପୂର୍ଵରୁ ରଜପର୍ଵର ପ୍ରଥମ ଦିନ ପହିଲି ରଜ ପାଳନ ହୋଇଥାଏ । ମଧ୍ୟମ ଦିଵସ ହେଉଛି ରଜ ସଂକ୍ରାନ୍ତି ଏହିଦିନକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ । 

ଏହି ଦିଵସତ୍ରୟରେ ଭାରତଵର୍ଷର କଳିଙ୍ଗ ଦେଶରେ ହଳ, ପୃଥିଵୀଖନନ, ଵୀଜବପନାଦି କୃଷିକର୍ମ ନିଷିଦ୍ଧ ହୋଇଥାଏ । ଵୃଷମାସର ଶେଷଦିନକୁ 'ପହିଲିରଜ' ଓ ମିଥୁନ ମାସର ସଂକ୍ରାନ୍ତି ଦିନକୁ ଭୂଇଁନଅଣ ଓ ମିଥୁନ ମାସର ଦ୍ବିତୀୟ ଦିନକୁ 'ଠାକୁରାଣୀ ଗାଧୁଆ' ବୋଲାଯାଏ। ପୃଥିଵୀ ରଜସ୍ବଳା ହେଵା ପରେ ମିଥୁନ ଦ୍ବିତୀୟ ଦିନ ଶୁଦ୍ଧି ସ୍ନାନ କରିଵାର ଶାସ୍ତ୍ରରେ ଲେଖାଅଛି। ଆମ ଦେଶରେ ହିନ୍ଦୁ ସ୍ତ୍ରୀମାନେ ପୃଥିଵୀମାତା ଆରାମ କରନ୍ତି ବୋଲି ସେମାନେ ନିଜେ ମଧ୍ୟ ତାଙ୍କ ପ୍ରକୃତି ଶକ୍ତିର ଅଂଶ ହୋଇଥିଵାରୁ ସମସ୍ତ ନାରୀଜାତିର ସମ୍ମାନାର୍ଥେ ଏ ତିନିଦିନ ରାନ୍ଧନ୍ତି ନାହିଁ ଏଵଂ ଭୂମି ଉପରେ ଖାଲି ଗୋଡ଼ରେ ଚାଲନ୍ତି ନାହିଁ ତଥା ଦୋଳି ଖେଳି ଉତ୍ସଵରୂପେ ଏହି ତିନିଦିନକୁ ପଳିଥାଆନ୍ତି।

ପୁନଶ୍ଚ ଅଧୁନା ସମାଜ ମଧ୍ୟରେ କେହି କେହି ରଜପର୍ଵରେ ଥିଵା ରଜ ଶବ୍ଦକୁ ଧରି ଯୁକ୍ତି ବାଢ଼ନ୍ତି ଯେ ଏ ପର୍ଵର ଏଭଳି ନାମକରଣ ଅଵୈଜ୍ଞାନିକ ମାତ୍ର ସେମାନେ ରଜ ଶବ୍ଦର ସୂକ୍ଷ୍ମ ଶବ୍ଦାନୁଶୀଳନ କରିନଥିଵାରୁ ଏଭଳି ମନ୍ତଵ୍ୟ ଦେଇ ପରୋକ୍ଷରେ ନିଜର ଅଜ୍ଞତା ତଥା ହୀନମାସିକତାର ହିଁ ପରିଚୟ ଦେଇଥାନ୍ତି ‌ । 

ତେବେ ଅନ୍ୟମାନଙ୍କର ଆକ୍ଷେପର ଶିକାର ହୋଇ ଉପକୂଳ ଓଡ଼ିଶାର କେତେକ ଲୋକ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରିଵାକୁ ଯାଇ ମତ ଦେଉଛନ୍ତି...

ର+ଜ=ରଜ
‘ର’ ର ଅର୍ଥ ସଂସାର, 
ଜ’ ର ଅର୍ଥ ଯୋଚିଵା

କିନ୍ତୁ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ
ଯଥା—
‘ର’ ର ଅର୍ଥ ରଚନା
‘ଜ’ ର ଅର୍ଥ ଜଳ

ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ ମନୋଜ୍ଞ, ଚିତ୍ତାକର୍ଷକ ଲାଗୁଥିଲେ ହେଁ ନିରୁକ୍ତି ଵ୍ଯାଖ୍ଯା ପରି ବୈଜ୍ଞାନିକ ଓ ପ୍ରାମାଣିକ ନୁହେଁ । 'ର' ଆଉ 'ଜ' ମିଶି ରଜ ଶବ୍ଦ ସୃଷ୍ଟି ହୋଇଛି ବୋଲି ମତ ଦେଵା ଶବ୍ଦତତ୍ତ୍ଵ ଦୃଷ୍ଟିରୁ ଅଵୈଜ୍ଞାନିକ ଓ ଭାରତୀୟ ନିରୁକ୍ତି ତତ୍ତ୍ଵର ଵିପରୀତ ଆଚରଣ । 

ଅନେକଙ୍କ ମତରେ ଆମ ସମାଜରେ ଏହି ତିନି ଦିନ ପୃଥିଵୀ ରଜସ୍ଵଳା ହେଵାର କଳ୍ପନା କରାଯାଇଥିଲା ବୋଲି ଏହି ପର୍ଵର ନାମକରଣ ରଜ ହୋଇଅଛି ।

"ପଣ୍ଡିତ ସର୍ଵସ୍ଵ" ଗ୍ରନ୍ଥରେ ପୃଥିଵୀମାତା ରଜସ୍ବଳା ହେଵାର ପ୍ରମାଣ ଵାକ୍ଯ ଅଛି ଏଵଂ ତାହା ହେଲା

“ଵୃଷାନ୍ତେ ମିଥୁନସ୍ଯାଦୈ ତଦ୍ଦ୍ବିତୀୟ ଦିନ ତ୍ରୟଂ ।
ରଜସ୍ବଳା ସ୍ଯାତ୍ ପୃଥିଵୀ କୃଷିକର୍ମଵିଗର୍ହିତଂ ॥

ହଳାନାଂ ଵାହନଂ ଚୈଵ ଵୀଜାନାଂ ଵପନଂ ତଥା । 
ତାଵଦେଵ ନ କୁର୍ଵୀତ ଯାଵତ୍ ପୃଥ୍ବୀ ରଜସ୍ବଳା ॥

ପୃଥ୍ବୀ ରଜସ୍ବଳାଯାଵତ୍ ଖନନଂ ଛେଦନଂ ତ୍ଯଜେତ୍ ।
ଅନ୍ଯ କର୍ମାଣି କୁର୍ଵାତ ପୈତ୍ରଂ ଦୈଵଂ ନମାନୁଷଂ ॥”

କିନ୍ତୁ ରଜ ଶବ୍ଦର ଅର୍ଥ କେଵଳ ରଜସ୍ଵଳା ନୁହେଁ ଵରଂ ଏହାର ବହୁ ଵିଧ ଅର୍ଥ ରହିଛି ।

ତିନିଗୋଟି ପ୍ରକୃତି ଵା ଗୁଣ ରହିଛି ସେହି ତାହା ହେଲା ସତ୍ତ୍ଵ,ରଜ,ତମ ଏଵଂ ତନ୍ମଧ୍ୟରେ ‘ରଜ’ ଗୁଣ ସୃଷ୍ଟିତତ୍ତ୍ଵର ଧ୍ଯୋତକ । 

‘ରଜ’ ତତ୍ତ୍ଵ ଯୋଗୁଁ ଜୀଵ ସୃଷ୍ଟି ସମ୍ଭଵ ହୁଏ । ଵର୍ଷାଋତୁ ଆଗମନ ସହ ପୃଥିଵୀରେ ଅନେକ କୀଟ ପତଙ୍ଗ ଓ କ୍ଷୁଦ୍ର ଵିଶାଳ ପାଦପ ଜାତ ହୋଇଥାନ୍ତି । ରଜ ପର୍ଵ ସମୟରେ ଓଡ଼ିଶାରେ ଵର୍ଷାରମ୍ଭ ଘଟେ ଏଵଂ କଳିଙ୍ଗ ଦେଶରେ ନଵ ପାଦପ ଓ କୀଟପତଙ୍ଗାଦି ଜାତ ହୋଇଥାନ୍ତି । ଏ କଥା ସମସ୍ତେ ମାନିଵେ ଯେ ପୃଥିଵୀର ଅନ୍ଯତମ ଶ୍ରେଷ୍ଠ ରାଷ୍ଟ୍ର ଭାରତଵର୍ଷର ଅଧିକାଂଶଭାଗରେ ହେଉଥିଵା ଵର୍ଷା ହିମାଳୟ ପରି ଵିଶାଳ ପର୍ଵତମାଳା ଯୋଗୁଁ ମୌସୁମୀ ଵାୟୁ ପ୍ରଭାଵରୁ ହୋଇଥାଏ । 
ଭାରତଵର୍ଷରେ ମୌସୁମୀର ଆଗମନ ହୁଏ ଜୁନ୍ ମାସର ୫ରୁ ୨୦ ଦିନାଙ୍କ ମଧ୍ୟରେ ଆଉ ରଜପର୍ଵ ବି ପାଳିତ ହୋଇଥାଏ ଏହି ଜୁନ୍ ମାସର ୧୩ରୁ ୧୬ ଦିନାଙ୍କ ମଧ୍ୟରେ । ତେଣୁ ଭାରତୀୟ ଜଳଵାୟୁ ଵିଶେଷତଃ କଳିଙ୍ଗ ଦେଶର ଜଳଵାୟୁ ଆଧାରରେ ଭାରତରେ ରଜପର୍ଵର କଳ୍ପନା କରାଯାଇଛି ଫଳତଃ ଏ ପର୍ଵ ସମୟରେ ପୃଥିଵୀରେ ଵିଶେଷତଃ କଳିଙ୍ଗ ଦେଶରେ ରଜଗୁଣ ଵୃଦ୍ଧି ପାଉଥିଵାରୁ ଏହି ପର୍ଵର ନାମ ରଜପର୍ଵ ହୋଇଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ "ପୁଷ୍ପ ପରାଗ" ଅଟେ । ରଜ ଶବ୍ଦକୁ ସଂସ୍କୃତ ଭାଗଵତରେ ପରାଗ ଅର୍ଥରେ ପ୍ରୟୋଗ କରାଯାଇଛି...
  
“ପଦ୍ମକୋଶରଜୋ ଦିକ୍ଷୁ ଵିକ୍ଷିପତ୍ପଵନୋତ୍ସଵମ୍ ॥ ”
(ଭାଗଵତ । ୪ । ୨୪ । ୨୨ ।) 

ରଜ ପର୍ଵ ସମୟରେ ଓ ତତ୍ପରେ ଅନେକ ଵୃକ୍ଷରେ ପୁଷ୍ପ ଫୁଟେ ଏଵଂ ତହିଁରେ ମହୁମାଛି ତଥା ପ୍ରଜାପତିଙ୍କ ଦ୍ଵାରା ପରାଗ ସଙ୍ଗମ ଯୋଗୁଁ ସେ ଫୁଲ କ୍ରମଶଃ ଫଳ ଓ ଵୀଜରେ ପରିଣତ ହୋଇଥାଏ । ଏ ଦୃଷ୍ଟିରୁ ମଧ୍ୟ ଏହି ପର୍ଵରୁ ରଜପର୍ଵ କୁହାଯିଵା ସମୀଚିନ ହୃଦବୋଧ ହେଉଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ଆକାଶ ତଥା ପାଣି ଵା ଜଳ । ଋକଵେଦରେ ଜଳ ଅର୍ଥରେ ରଜ ଶବ୍ଦର ଵ୍ୟଵହାର ରହିଛି...

 “ଵିୟତ୍ତିରୋଧରୁଣମଚ୍ଯୁତଂ ରଜୋତିଷ୍ଠିପୋ ଦିଵ ଆତାସୁ ବର୍ହଣା । ”
(ଋଗ୍ଵେଦେ । ୧ । ୫୬ । ୫ ।)

ଆମେ ସମସ୍ତେ ଜାଣନ୍ତି ଯେ ରଜପର୍ଵ ସମୟରେ କଳିଙ୍ଗ ଦେଶରେ ମୌସୁମୀ ଆଗମନ ଯୋଗୁଁ ଵର୍ଷା ହୋଇଥାଏ । ଏହି ସମୟରେ ଵର୍ଷାଜଳ ପ୍ରାପ୍ତ ହେଉଥିଵାରୁ ଏ ପର୍ଵକୁ ରଜପର୍ଵ କୁହାଯିଵା ମଧ୍ୟ ଯୁକ୍ତିଯୁକ୍ତ ଅଟେ । 

ରଜ ଶବ୍ଦର ଆଉ ଏକ ଅର୍ଥ ରେଣୁ ଵା ଧୂଳି । ଏହି ଅର୍ଥରେ ଚରଣରଜ ଭଳି ଶବ୍ଦ ସୃଷ୍ଟି ହୋଇଅଛି ପୁନଶ୍ଚ ଶାସ୍ତ୍ରରେ ମଧ୍ୟ ରଜ ଶବ୍ଦ ରେଣୁ ଅର୍ଥରେ ଵ୍ୟଵହୃତ ।‌

“ପାଦାହତଂ ଯଦୁତ୍ଥାଯ ମୂର୍ଦ୍ଧାନମଧିରୋହତି ।
ସ୍ଵସ୍ଥାଦେଵାପମାନେଽପି ଦେହିନସ୍ତଦ୍ବସଂ ରଜଃ ॥ ”
(ମାଘେ । ୨ । ୪୬ ।)

ସାଧାରଣତଃ ରଜପର୍ଵ ସମୟରେ ଵର୍ଷା ହେଵାରୁ ପୂର୍ଵେ ଗ୍ରୀଷ୍ମଋତୁରେ ଆକାଶରେ ଉଡ଼ିବୁଲୁଥିଵା ଧୂଳିକଣା ଵର୍ଷାଜଳ ସହିତ ମିଶି ତଳକୁ ଚାଲି ଆସେ । ଫଳରେ ଆକାଶ ନିର୍ମଳ ତଥା ଵାୟୁ ସ୍ଵଚ୍ଛ ହୋଇଯାଏ । ଏଭଳି ସମୟରେ ରଜ ପର୍ଵ ପାଳିତ ହୋଇଥାଏ । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ଭୁଵନ ଵା ପୃଥିଵୀମାତା । ଭୁଵନ ଶବ୍ଦର ଏକ ଅର୍ଥ ଚଉଦ ବ୍ରହ୍ମାଣ୍ଡ,ଆନ ଏକ ଅର୍ଥ ଜଳ ମଧ୍ୟ ଅଟଇ । ଗୃହ ତଥା ଜୀଵକୁ ମଧ୍ୟ ଭୁଵନ କୁହାଯାଏ । ସ୍ଵୟଂ ଧରଣୀମାତାଙ୍କୁ ଆରାଧନା କରିଵାର ପର୍ଵ ହେଉଛି ରଜପର୍ଵ ଏଵଂ ଯେହେତୁ ତାଙ୍କର ଏକ ନାମ "ରଜ" ତେଣୁ ସେହି ନାମ ଆଧାରରେ ଏହି ପର୍ଵର ରଜ ନାମକରଣ କରାଯାଇଛି। 

ହଳ କରାହୋଇଥିଵା କ୍ଷେତକୁ ରଜ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ପ୍ରକୃତରେ ଆଗକାଳରେ ରଜ ପୂର୍ଵରୁ ବିଲରେ ହଳ କରି କୃଷକ ଵର୍ଷାକୁ ଅନାଇ ରହୁଥିଲା ଏଵଂ ଵର୍ଷା ଆଗମନ ପରେ କୃଷିକ୍ଷେତ୍ରରେ ଲାଗିପଡୁ଼ଥିଲା । ରଜ ପର୍ଵ ପୂର୍ଵରୁ କୃଷିକ୍ଷେତ୍ରକୁ ହଳ କରି ସେଥିରେ ଥିଵା ମାଟିକୁ ପିଟି ଗୁଣ୍ଡ କରି ଖେତକୁ ଚାଷୋପଯୋଗୀ କରିଥାଏ କୃଷକ । ଦକ୍ଷିଣ ପଶ୍ଚିମ ଓଡ଼ିଶାର "ଢେଲାପିଟଣା ପର୍ଵ" ଏହି କୃଷି ପ୍ରକ୍ରିୟାର ଏକ ସାଂସ୍କୃତିକ ରୂପ ।
 
ସେହିପରି ରଜ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା "ବାଦଲ ,ପ୍ରକାଶ, ଵାଷ୍ପ,ପାଉଁଶ ଓ ରାତ୍ରୀ" । 

ରଜଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥଗୁଡି଼କର ଵ୍ଯଵହାରରେ କଳିଙ୍ଗ ଦେଶର ରଜପର୍ଵ ସମୟର ଚିତ୍ର ଆଙ୍କାଯାଇପାରେ...

ଯଥା—
“ଵର୍ଷାଋତୁର ଆଗମନରେ 
ଆକାଶରେ ବାଦଲମାନେ ଜଳ ଵର୍ଷା କରୁଅଛନ୍ତି । 

ଵର୍ଷାକାଳ ଆସିଵା ଦେଖି ଚାଷୀମାନେ ବିଲରେ ହଳ କରୁଅଛନ୍ତି । 

ଵର୍ଷାଋତୁର ଆଗମନରେ ବୃକ୍ଷରେ ନଵ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତାହାର ପରାଗ ଓ ଵାସ ଚାରିଆଡ଼େ ଖେଳିଯାଇଛି ।

ଗ୍ରୀଷ୍ମକାଳୀନ "ଧୂଳି ଉଡ଼ିଵା ପ୍ରକ୍ରିୟା" ଵର୍ଷା ହେଵା ଯୋଗୁଁ ବନ୍ଦ ହୋଇଯାଇଛି ଫଳରେ ଚାରିଆଡ଼େ ସ୍ଵଚ୍ଛ ନିର୍ମଳ ପରିଵେଶ ଦୃଷ୍ଟିଗୋଚର ହେଉଅଛି ।



 ଏଭଳି ସୁନ୍ଦର ପରିଵେଶରେ ରଜପର୍ଵର ଆଗମନ ହୋଇଗଲାରୁ କଳିଙ୍ଗରେ ସର୍ଵତ୍ର ସଜବାଜ ଆରମ୍ଭ ହୋଇଯାଇଛି,ଏଠାକାର ଭୁଵନମାନ ଚଳଚଞ୍ଚଳ ଵ୍ଯସ୍ତଵହୁଳ ହୋଇଉଠିଛି ।”

ପୁଣି ରଜ ଶବ୍ଦର ସୂକ୍ଷ୍ମ ନିରୁକ୍ତିତତ୍ତ୍ଵ ଆଧାରରେ ମଧ୍ୟ ଏହାର ଵ୍ୟାଖ୍ୟା କରାଯାଇପାରେ । 'ରଜ' ଶବ୍ଦକୁ ସଂସ୍କୃତ ଧାତୁଶବ୍ଦ ‘ରନ୍ଜ ଵା ରଞ୍ଜ୍’ ଧାତୁରୁ ନିଷ୍ପନ୍ନ କରଯାଇଛି । 

ଏ ଧାତୁଶବ୍ଦରୁ ନିମ୍ନଲିଖିତ ଅର୍ଥରେ ରକ୍ତ,ରଙ୍ଗ ଆଦି ଶହ ଶହ ଶବ୍ଦ ନିଷ୍ପନ୍ନ ହୋଇଅଛି

•ରଙ୍ଗକରିଵା; ରଙ୍ଗାଇଵା
•ଆସକ୍ତ ହେଵା; ଅନୁରକ୍ତ ହେଵା
•ରଞ୍ଜିତ ହେଵା; ରଙ୍ଗାଯିଵା
•ନାଲି ପଡ଼ିଵା
•ପ୍ରଣୟାସକ୍ତ ହେଵା
•ଆନନ୍ଦିତ ହେଵା
•ସନ୍ତୁଷ୍ଟ ହେଵା

ଆମ ପ୍ରାକୃତିକ ପର୍ଵ ‘ରଜ’ ସମୟରେ ବି
ପୃଥିବୀ ସବୁଜ ରଙ୍ଗରେ ରଙ୍ଗେଇଯାଏ, ଵର୍ଷା କାଳ ଆଗମନ ଯୋଗୁଁ ରଜଗୁଣରେ ବୃଦ୍ଧି ହେତୁ
ଚାରିଆଡ଼େ ସର୍ଵପ୍ରାଣିଙ୍କ ମନରେ ଅନୁରକ୍ତି,କାମନା ବୃଦ୍ଧି ପାଏ,ଜଗତଯାକରେ ସୁଖ ସନ୍ତୋଷ ଓ ଆନନ୍ଦମୟ ପରିଵେଶର ଆଗମନ ହୁଏ ।


ଏହା ହେଉଛି ରଜ ଶବ୍ଦ ଓ ରଜପର୍ଵ ମଧ୍ଯରେ ଥିଵା ପ୍ରାକୃତିକ ଗୂଢା଼ର୍ଥ ଯାହା ଏ ପର୍ଵର ମହାନତା ପ୍ରକଟ କରିଥାଏ । 

ତେଣୁ ଯଦି କେହି ରଜପର୍ଵକୁ ନେଇ ଓଡ଼ିଶାଵାସୀଙ୍କୁ ଵ୍ୟଙ୍ଗ୍ୟ କରୁଅଛି ତାହା ତାହାର ଅଜ୍ଞାନତା ଛଡ଼ା ଆଉ କ'ଣ ହୋଇପାରେ । 

ଯିଏ ରଜ ଶବ୍ଦର ନିରୁକ୍ତି ଜାଣିନାହିଁ,ରଜ ପର୍ଵର ତାତ୍ତ୍ଵିକ ଵୈଜ୍ଞାନିକ ଦିଗ ହୃଦୟଙ୍ଗମ କରିନାହିଁ କି ନାରୀଜାତି ତଥା ପ୍ରକୃତିମାତା ଵା ମାଟିମାଆର ସମ୍ମାନ କରିଵା ଶିଖିନାହିଁ କେଵଳ ସେହି ଅମାନଵୀୟ ଵ୍ୟକ୍ତି ହିଁ ରଜ ପର୍ଵକୁ ହୀନ ଦୃଷ୍ଟିରେ ଦେଖି ଓଡି଼ଶାଵାସୀଙ୍କୁ ଟାପରା କରିପାରେ । ନାରୀଜାତିକୁ ସମ୍ମାନ ଦେଇ ଜାଣିଥିଵା ପ୍ରତ୍ୟେକ ମାନଵ ରଜପର୍ଵ ଭଳି ଏକ ଶ୍ରେଷ୍ଠ ଵୈଜ୍ଞାନିକ ପର୍ଵର ମହତ୍ତ୍ଵ ନିଶ୍ଚିତ ଉପଲଵ୍ଧି କରିପାରେ । 

••••••••••••••••••••••

Sunday, June 12, 2022

“ବାଥୁଡ଼ୀ ଜନଜାତିରେ ରଜୋତ୍ସଵ ଓ ଦୋଳିଗୀତ”


ବାଥୁଡି ଓଡ଼ିଶାର ଅନ୍ୟତମ ଜନଜାତି  ।
ଏମାନଙ୍କର ମୂଳ ମାତୃଭାଷା ବାଥୁଡ଼ୀ ଓଡ଼ିଆ ।  ଓଡିଶାର ଉତ୍ତର ପଶ୍ଚିମାଞ୍ଚଳର ଏମାନେ ଅଧିଵାସୀ । କେଵଳ ଓଡ଼ିଶା ନୁହେଁ ଵରଂ ବାଥୁଡି ସମ୍ପ୍ରଦାୟର ଲୋକେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ଵସଵାସ କରୁଥିଵା ଜଣାଯାଏ ।

୨୦୧୧ ମସିହା ଜନଗଣନା ଅନୁସାରେ ସେମାନଙ୍କ ଜନସଂଖ୍ୟା ପ୍ରାୟ ୨୨୦,୮୫୯ ବୋଲି ଦର୍ଶାଯାଇଛି । ସେମାନଙ୍କୁ ଭାରତ ସରକାର ଏକ ଅନୁସୂଚିତ ଜନଜାତି ଭାଵରେ ଶ୍ରେଣୀଭୁକ୍ତ କରିଛନ୍ତି ।

ଵିଶେଷତଃ ବାଥୁଡି ସମ୍ପ୍ରଦାୟ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ପଞ୍ଚପୀର ମାଳଭୂମି ଓ ଶିମିଳିପାଳର ଜଙ୍ଗଲ ପରିସର , ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳ ତଥା କେନ୍ଦୁଝର ଜିଲ୍ଲାରେ ଵସଵାସ କରନ୍ତି । 

ବାଥୁଡ଼ୀମାନେ ଵିଶ୍ୱାସ କରନ୍ତି ଯେ,ସେମାନେ ବ୍ରହ୍ମାଙ୍କ ବାହୁରୁ ଉତ୍ପନ୍ନ । ତେଣୁ ଏମାନେ ବାଥୁଡ଼ୀ ବୋଲାଇଲେ ।
ବାଥୁଡି ସଂପ୍ରଦାୟର ଆଉ କେତେକ ଲୋକ ମତ ଦିଅନ୍ତି ଯେ , ବାସୁଳି ଵା ଵସୁମାତାଙ୍କର ବାର ପୁତ୍ର ଥିଲେ , ସେହି ପୁତ୍ରଙ୍କ ନାମ ଅନୁସାରେ ବାରଟି ବଂଶ ରହିଥିଲା । ଵସୁମାତା ଵା ବାସୁଳିଙ୍କ ସନ୍ତାନ ହୋଇଥିଵାରୁ ଏମାନେ କାଳକ୍ରମେ ବାଥୁଡ଼ୀ ଵିଦିତ ହେଲେ ।

କଥିତ ହୁଏ ପରଵର୍ତ୍ତୀ ସମୟରେ ବଂଶ ବୃଦ୍ଧି ହେଵାରୁ ବାଥୁଡି ବାର ଭାଇ ପୁଣି ୫୨ ବଂଶରେ ବିଭକ୍ତ ହେଲେ ।

ବାଥୁଡି ସଂପ୍ରଦାୟର ଲୋକମାନଙ୍କର ଆରାଧ୍ୟ ଦେଵତାଙ୍କ ମଧ୍ୟରେ ବଡାମ,ମହାଵୀର , ବାରଖଣ୍ଡା ବାଉନାଵୀର , ବାସୁଳି , ବାଉଳାଶୁଣି , ବଡ଼ପାଟ , ଵନଦୁର୍ଗା ଆଦି ଦେଵାଦେଵୀ ପ୍ରଧାନ । 

ନିମ୍ନରେ ବାଥୁଡ଼ୀ ଜନଜାତିର କେତେକ ଜଣାଶୁଣା ବଂଶ ଓ ବନ୍ଧନୀ ମଧ୍ୟରେ ଗୋତ୍ରର ନାମୋଲ୍ଲେଖ କରାଗଲା...

•ଗୋତ୍ର(ବଂଶ )
•ଶଙ୍ଖିଆଳ(ପାଣିପୋକ)
•ପଧୁରିଆ(ହସ୍ତୀ,ପରାଶର)
•ଖଣ୍ଡେଇ(ସାଲୁକ, କୁଶ , ନାଗେଶ୍ବର) •ମଢେଇ(ଗଣେଷ , ନାଗେଶ୍ବର)
•ପରିହାଳ (ଧାନଫୁଲ)
•ନାଇକ (ନାଗେଶ୍ବର)
•ଗାଆଣ (ପାଣିପୋକ)
•ରଣଶିଆ(ସାଲୁକ)
•କୁଅଁର(କୁଶ)
•ବିଶ୍ବାଳ(କୁଶ)
•ପାତ୍ର(ପାର୍ଷିଆଳ , ପାଣିପୋକ)
•ଜାମୁଡ଼ିଆ(ସାଲୁକ)
•କୁମ୍ଭାରିଆ(ଧାନଫୁଲ)
•ଗିରି (ଧାନଫୁଲ)
•ଝରିଆଳ (ନେତ)
•ମାଟିଆଣ (ନାଗେଶ୍ବର)
      
  ବାଥୁଡ଼ୀମାନଙ୍କ ମଧ୍ୟରେ ଅଧିକାଂଶ "ବାଥୁଡ଼ୀ ଓଡ଼ିଆ ଶୈଳୀ"ରେ  କଥାଭାଷା ହୋଇଥାନ୍ତି ଏଵଂ କିଛି ବାଥୁଡ଼ୀ ଲୋକ ହୋ ତଥା କୁଡ଼ମଲୀ ଶୈଳୀରେ ଭାଷାରେ ମଧ୍ୟ କଥାଵାର୍ତ୍ତା  କରିଥାନ୍ତି ।

ବାଥୁଡି ସଂପ୍ରଦାୟରେ ପାଳନ କରାଯାଉଥିଵା ଵିଭିନ୍ନ ପର୍ଵପର୍ଵାଣି ମଧ୍ୟରୁ ରଜ ପର୍ଵ ଅନ୍ୟତମ । ବାଥୁଡି ସମ୍ପ୍ରଦାୟ ପକ୍ଷରୁ ରଜ ପର୍ଵକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ରଜପର୍ଵରେ ସେମାନେ ବାସୁକୀ ଵସୁମତାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ରଜ ପର୍ଵ ସାଧାରଣତଃ ତିନିଦିନ ଧରି ପାଳନ କରାଯାଇଥାଏ ।
ବାଥୁଡ଼ୀ ଭାଷାରେ ରଜପର୍ଵର ପ୍ରଥମ ଦିନକୁ ପାଣି ବୁହା ରଜ, ଦ୍ଵିତୀୟ ଦିନକୁ ରଜ ଓ ଶେଷ ଦିନକୁ ରଜ ବାସୀ କୁହାଯାଏ ।  ଏହି ତିନି ଦିନ ବାଥୁଡ଼ୀମାନେ ଅନ୍ୟ ଓଡ଼ିଆମାନଙ୍କ ପରି କୃଷି କାର୍ଯ୍ୟରୁ ନିଜକୁ ନିଵୃତ୍ତ ରଖିଥାନ୍ତି। ଏହା ପରେ ଆରମ୍ଭ ହୁଏ କୃଷି କାମ।

ବାଥୁଡି ସଂପ୍ରଦାୟର ରଜ ପର୍ଵରେ ବୋଲାଯାଉଥିଵା ରଜ ଦୋଳିଗୀତ ହେଉଛି ମୁଖ୍ୟ ଆକର୍ଷଣ ।  ଦୋଳି ଖେଳ ସମୟରେ ସେମାନେ ଢାଙ୍ଗୁଆ - ଢାଙ୍ଗୁଳି, ସାଙ୍ଗସାଥି , ପ୍ରେମିକ-ପ୍ରେମିକାମାନଙ୍କୁ ଲକ୍ଷ୍ୟକରି ବିଭିନ୍ନ ପ୍ରକାର ଗୀତ ବୋଲିଥାନ୍ତି । ଏମାନଙ୍କର ରଜ ଦୋଳିଗୀତ ଗୁଡିକ ବହୁ ରାଗରାଗିଣୀ ଯୁକ୍ତ, ସ୍ବର ମଧୁର ଓ ଭାବ ସରସ ।
ଏହିସବୁ ଦୋଳୀଗୀତରେ ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଜୀଵନର ପ୍ରେମ-ଵିରହ , ଆନନ୍ଦ-ଉଲ୍ଲାସ , ଆମୋଦ-ପ୍ରମୋଦ , ଅଭାଵ-ଅନଟନ , ଦୁଃଖ ଦାରିଦ୍ର୍ୟର ଚିତ୍ର ପ୍ରସ୍ଫୁଟିତ ହୋଇଥାଏ ।

ନିମ୍ନରେ ବାଥୁଡ଼ୀ ଓଡ଼ିଆର କେତେକ ରଜଦୋଳୀ ଗୀତ ପ୍ରଦତ୍ତ ହେଲା...

"କବାଟରେ ଦୁଇକାନି
ତୋ ଦେହ ଛୁଇଁଲେ ପାତଳି ଲୋ
ମୋ ଦେହ ହାନି
ବାଜିଯିବ ନୁଗା କାନି ।"

"ବାଟରେ ଡେଙ୍ଗା କୁଳୁଚି
ନ ପାଇ ଭାଇ ତତେ ମରୁଛି ,
ତତେ ମରୁଛି ହେ
ନଯାଇ ପ୍ରାଣ ରହିଛି ।"

"ଦାଣ୍ଡେ ଦାଣ୍ଡେ ହଂସ ,
ମତେ ଦେଖି ପାତଳି ଲୋ
କି ନାଗି ହଁସ
ନାଗିଯିଵ ତିରି ଦୋଷ ।”

"ବାଡ଼ରେ ରୋଇଲି ବେତ
ପ୍ରଥମେ ବନ୍ଦିଲି ଗ୍ରାମ ଦେବତୀଙ୍କୁ
ଏ ଦଣ୍ଡବତ
ଅନୁକୂଳ ହେଲା ଏ ଗୀତ ।"

"ଆହାରେ ସଙ୍ଗାତ ମିତ
ଓଡ଼ିଶାର ଠାକୁର ଜଗତର ନାଥ
ଜଗତର ନାଥ ହୋ
ସଭିଏଁ ଗାଆନ୍ତି ଗୀତ ।"

"ଗୋଡରେ ଲେଖିଲି ହଂସ
ମୋତେ ଛାଡି଼ କାନ୍ତ ଯିବେ ଵିଦେଶ
ଯିବେ ଵିଦେଶ ହୋ
ସବୁ ହେବ ମୋର ଵିଷ ।”

"ଶୂନ୍ୟରେ ଉଡ଼ଇ ଶାରୀ
ଦୁଇଚାରି ଦିନେ ଆସିବି ଫେରି
ଆସିବି ଫେରି ହୋ
ରହିଥିବୁ ଦେହ ଧରି ।"

"ବେଲ ଗଡେ଼ ରାଇ ଗଡେ଼
ତତେ ଯେତେବେଳେ ମନରେ ପଡେ଼ ମନରେ ପଡେ଼ ହୋ
  ଦୁଇ ଆଖି ଲୁହ ଗଡେ଼ ।"
 
"ଛାଇନି ପତର ଛତା
ରହ କହିଦେବି ଦୁଃଖର କଥା
ଦୁଃଖର କଥା ହୋ
ଶୁଣିନେ ଖାଇଵ ମଥା ।"

"ବାଳିରି ବାଳିଆ ଗେବ
ଦିନୁ ଦିନୁ ଭାଇରେ ହେନୁ ଗରିବ
ହେନୁ ଗରିବ ହୋ
ଆଉ କି ରଖିବ ଭାବ ।"

ନିଜକୁ ଵସୁମାତା ବାସୁଳିଙ୍କର ସନ୍ତାନ ମନେ କରୁଥିଵାରୁ ପ୍ରକୃତି ମାତାଙ୍କର ଆରାଧନର ପର୍ଵ 'ରଜପର୍ଵ'କୁ ବାଥୁଡ଼ୀ ଜନଜାତିରେ ଏକ ମହତ୍ତ୍ୱପୂର୍ଣ୍ଣ ପର୍ଵ ଭାବେ ଵିଚାର କରାଯାଏ ।

ପୂର୍ଵ , ଦକ୍ଷିଣ ଓ ମଧ୍ୟ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରଜ ପର୍ଵ ଅନ୍ୟତମ ପ୍ରଧାନ ପର୍ଵ ଅଟଇ ଏଵଂ କେଵଳ ଓଡ଼ିଆମାନେ ହିଁ ନୁହେଁ ଏହାର ବାଥୁଡ଼ୀ ,କୁଡ଼ମଲୀ ଆଦି ଵିଭିନ୍ନ ଜନଜାତି ତଥା ଜୁଆଙ୍ଗ ଓ ଭୂୟାଁ ପରି କଳିଙ୍ଗୀ ଜନଜାତିଙ୍କ ମଧ୍ୟରେ ବି ରଜପର୍ଵ ପାଳନ କରିଵାର ପରମ୍ପରା ରହିଛି ।