ଦୋଳି ଓ ଦୋଳିଖେଳ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ । ଆଗେ ଓଡ଼ିଶାରେ ସାଧାରଣତଃ ରଜ ଓ ଦୋଳ ପର୍ଵରେ ଦୋଳି ଖେଳା ଯାଉଥିଲା । ଏ ଦେଶରେ ଦୋଳ ଉତ୍ସଵ ସମୟରେ ଦୋଳମଣ୍ଡପରେ ଲୋକେ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାନ୍ତି ଏଵଂ ଲୋକମାନେ ନିଜେ ରଜପର୍ଵରେ ଦୋଳି ଖେଳିଥାନ୍ତି ।
ଦୋଳି ଏକ ଓଡ଼ିଆ ଶବ୍ଦ ଏଵଂ ଓଡ଼ିଆ ଭାଷାର କ୍ରିୟା ଶବ୍ଦ ଦୋଳେଇଵା ମଧ୍ୟରେ ଥିଵା ମୂଳ ଓଡ଼ିଆ ଧାତୁ ଶବ୍ଦ ଦୋଳି ଧାତୁରୁ ସୃଷ୍ଟି ହୋଇଅଛି । ସଂସ୍କୃତ କ୍ରିୟା ଦୁଳ୍ ଧାତୁ ସହିତ ଓଡ଼ିଆ ଦୋଳି ଧାତୁ,ଦୋଳ ଓ ଦୋଳେଇଵା ଆଦି ଶବ୍ଦ ସମୋଦ୍ଧୃତ । ଓଡ଼ିଶାରେ ଦୋଳେଇଵା ଵା "to swing" ଅର୍ଥରେ ଆହୁରି ଅନେକ କ୍ରିୟା ଶବ୍ଦ ପ୍ରଚଳିତ । ଯଥା —
•ଉକୁଚି ହେଵା
(କେତେକ ଅଞ୍ଚଳରେ ଉକୁଚି ଦେଵା କ୍ରିୟା ଦୋଳିକୁ ପଟା ଓ ଦଉଡ଼ି ଗୁଡ଼ାଇ ଗଛରେ ଖୋସିଵା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ)
•ଓଳମିଵା/ଓଳମି ହେଵା — ତଳକୁ ଲମ୍ବିଵା ଓ ଦୋଳିଵା
(ସଂସ୍କୃତ ଅଵଲମ୍ବନ ସହିତ ସମୋଦ୍ଧୃତ ତଥା ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ବୋଲି ଭାଷାକୋଷରେ କଥିତ ହୋଇଛି)
•ଓହଳିଵା—
(ଝୁଲିବା ଲମ୍ବିବା ଦୋଳିବା ଆଦି ଅର୍ଥରେ ଏ ଶବ୍ଦ ଵ୍ୟଵହାର କରାଯାଇଥାଏ)
•ଝୁଲିଵା
(ଏ କ୍ରିୟା ଶବ୍ଦଟି ଲଟକିବା,ତଳକୁ ଲମ୍ବି ଦୋହଲିଵା,ଫାସି ଲଟକାଇ ହେଵା ଵା ଫାସି ଘେନିଵା,ଢଳିଵା,ଇତସ୍ତତଃ ଦୋଳାୟମାନ ହେଵା,ଓହୋଳିପଡ଼ିଵା ଓ ଦୋଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)
•ଦୋଳିଵା
(ଏ କ୍ରିୟା ଶବ୍ଦଟି ଉଭୟ ଝୁଲିଵା ଓ ହଲିଵା ଅର୍ଥରେ ପ୍ରୟୋଗ ହୋଇଥାଏ)
•ଲଟକିଵା/ନଟକିଵା/ଲଡ଼କିଵା
(ଝୁଲିଵା,ଦୋଳିଵା ଓ ଝୁଲି ପଡି଼ଵା ଅର୍ଥଜ ଶବ୍ଦ)
•ଲୁଳିଵା
(ଏ ଶବ୍ଦଟି ଝୁଲିଵା, ଲଟକିଵା,ଦୋହଲିଵା,କ୍ଳାନ୍ତ ହେଵା, ଥକିଯିଵା,ମଉଳିଵା, ମ୍ଲାନହେଵା,ଝାଉଁଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)
•ଦୋଳି ପହଞ୍ଚାଇଵା( a swing)
(ଅନ୍ୟ ଵ୍ୟକ୍ତିକୁ ଦୋଳାରେ ଝୁଲାଇଵା)
•ପେଙ୍ଗିଵା/ପେଙ୍ଗା ମାରିଵା
(ସଂ—ପ୍ରେଙ୍ଖା = ଝୁଲିଵା/
ଗୋଡ଼ ଓ ବାହୁଦ୍ବାରା ବଳ ପ୍ରୟୋଗ କରି ନିଜେ ଦୋଳି ପହଞ୍ଚାଇ ହେଵା ଵା ଖେଳିଵା)
ଏତଦଵ୍ୟତୀତ ଏ ଦେଶରେ ଅନେକ ଜାତୀୟ ଦୋଳି ପ୍ରଚଳିତ ଯଥା — ଦଉଡ଼ି ଦୋଳି,ଡଙ୍ଗା ଦୋଳି, ଚକ୍ରି ଦୋଳି,
ପଟାଦୋଳି, ବାଉଁଶ ଦୋଳି,ରାମ ଦୋଳି ଓ ବାକ୍ସ ଦୋଳି ଇତ୍ୟାଦି ଇତ୍ୟାଦି
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦୋଳି ଶବ୍ଦର ବହୁଳ ପ୍ରୟୋଗ ହୋଇ ଳଥିଵା ଦେଖାଯାଏ ।
ଓଡ଼ିଆ ଲିଖିତ ସାହିତ୍ୟରେ ଦୋଳି :
ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗଵତର ଦଶମ ସ୍କନ୍ଧରେ ଦୋଳି ଶବ୍ଦର ପ୍ରୟୋଗ ଏମନ୍ତ ହୋଇଅଛି...
“ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ ।
ଦୋଳି କରନ୍ତି କୁତୁହଳେ ॥”
କଵି ବଳରାମ ଦାସ ଜଗମୋହନ ରାମାୟଣରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି...
"ରତ୍ନସିଂହାସନେ ନେତର ଯେ ଦୋଳି ପାରି । ଵିଜୟ ନାରାୟଣ ବଡିମାପଣ ଛାଡି଼ ॥"
ସେହିପରି କଵି ଦୀନକୃଷ୍ଣ ଦାସ(୧୬୫୦–୧୭୧୦) ତାଙ୍କ ରସକଲ୍ଲୋଳ କାଵ୍ୟରେ ମଧ୍ୟ ଦୋଳି ଶବ୍ଦ ପ୍ରୟୋଗ ପୂର୍ଵକ ଲେଖିଛନ୍ତି
"କନକର ଦୀପାଵଳୀ ଚାରି ପାରୁଶରେ ଜାଳି
ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।
କର୍ପୂର ଚନ୍ଦନ ଛରା ପକାଇ ସେ ପୁର ତୋରା
କରାଇ, ଅଳକାପୁରତୋରା ଖଞ୍ଜିଲେ ।
କନ୍ୟା ଖମ୍ବେ ଖଟାଇ ଦୋଳି
କୁମାରଙ୍କୁ ଶୁଆଇ ଦେଲେ ହୁଳହୁଳି ॥”
କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାଵଣ୍ଯଵତୀ କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରାଯାଇ ଲେଖାଅଛି
"ସୂତିକାଗୃହରେ ଯେତେ ଵିଧି ଶେଷ କଲେ । ଦଶ ବିଂଶ ଦିନେ ଦୋଳି ଶୟନ ବିହିଲେ ଯେ ।”
ସେହିପରି କଵି ଵୈଦେହୀଶ ଵିଳାସ କାଵ୍ୟରେ ମଧ୍ୟ ଦୋଳି ଶବ୍ଦର ପ୍ରୟୋଗ କରି ପଦେ ରଚନା କରିଛନ୍ତି
"ବଡିମା-ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି।
ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି॥"
ଗୋପୀନାଥ ଦାସଙ୍କ ଖୁଦୁରୁକୁଣୀ ଓଷାଗୀତରେ ଆମେ ଦୋଳି ଶବ୍ଦ ଥିଵା ଦେଖିଵାକୁ ପାଇଥାନ୍ତି
"ଭୋଜନ କରାଇଵ ଆଣି ।
କହି ଅପୂର୍ଵ ରସଵାଣୀ ॥
ଦୋଳିରେ ଦୋଳି ପଞ୍ଚାଇଵ ।
ନିମିଷେ ହେଳା ନ କରିଵ ॥
ସମାନ କଥା କଵି ଦୁଷ୍କର ନାୟକ ଖୁଦୁରୁକୁଣୀ ଗୀତ ଓ ତଅପୋଇ ଉପାଖ୍ୟାନରେ ଏମନ୍ତ ଉଲ୍ଲେଖ କରିଛନ୍ତି
"ବେଳ ଜାଣି ଅନ୍ନ କୁଙ୍କୁମ ଲେପନ ପାନ ଭାଙ୍ଗି ଦେଵ, ଦୋଳି ଖେଳାଇଵ,
ଖଟେ ଶୁଆଇଵ, କଟୁ ନ କହିଵ”
ଆଗେ ସାଧାରଣତଃ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ କାଵ୍ୟ କଵିତାରେ ଦୋଳିଖେଳ ଵିଷୟରେ ଉଲ୍ଲେଖ ରହୁଥିଲା । କିନ୍ତୁ ଊନବିଂଶ ଶତାବ୍ଦୀ ପରଠାରୁ ଓଡ଼ିଆ କଵି ଲେଖକମାନେ ସାଧାରଣ ଜନତାଙ୍କ ଜୀଵନଯାପନ ଉପରେ ସାହିତ୍ୟ ଲେଖିଵାରେ ଵ୍ରତୀ ହେଲେ । ତେଣୁ ଓଡ଼ିଆ ଲୋକଙ୍କ ଗାଉଁଲି ଦୋଳିଖେଳ କଥାମାନ ସାହିତ୍ୟରେ ସ୍ଥାନ ପାଇଵାକୁ ଲାଗିଲା...
ରାଧାନାଥ ରାୟ ଉଷା କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି
"ଅସଂଖ୍ୟ କଳାପୀ ଵର୍ଣ୍ଣୋଜ୍ଜ୍ୱଳ ଚାରୁ-କଳପ ତୋଳି, ଵ୍ରତତୀ-ଦୋଳାରେ ଖେଳୁଥିଲେ ତହିଁ ଅନିଳେ ଦୋଳି”
କ୍ରମେ ଓଡ଼ିଆ ସାହିତ୍ୟରେ ଶିଶୁଗୀତ ରଚନାର ପରମ୍ପରା ଆରମ୍ଭ ହେଲା ଏଵଂ ବାଳକ ଵାଳିକା ତଥା କିଶୋର କିଶୋରୀଙ୍କର ପ୍ରିୟ ଦୋଳି ଖେଳର ଉଲ୍ଲେଖ ସେସବୁ ସାହିତ୍ୟରେ ସ୍ଥାନ ପାଇଲା
କଵା ନନ୍ଦକିଶୋର ବଳ ହୋଓରେ ବାଇଆ ହୋ” ଶିଶୁଗୀତରେ ଲେଖିଛନ୍ତି...
“କୋଳି ଖାଉ ଥାଉ ଶିଆରି ଲଟାରେ କୃଷ୍ଣ ଖେଳୁଥିବେ ଦୋଳି ଶିଆରି ବଣରେ ବାଇଆ ବସା ଗୋ ! ହୋଓରେ ବାଇଆ ହୋଓ !”
ସେହିଭଳି ଉଦୟନାଥ ଷଡ଼ଙ୍ଗୀ ତାଙ୍କ ଶିଶୁ କଵିତା "ଦୋଳି ଖେଳ"ରେ ଆଉ ପାଦେ ଆଗେଇ ଯାଇ ଲେଖିଲେ...
“ଦୋଳିରେ ଦୋଳି ପଵନ ଦୋଳି
ଦୋଳି ଖେଳିଵା ଆସ
ଗଛର ଡାଳେ ଦୋଳିଟି ଝୁଲେ
ତଳେ କଅଁଳ ଘାସ”
ବହୁତ ପରେ ମାଗୁଣୀ ମହାପାତ୍ର(ଏହାଙ୍କର ୧୯୫୨ ମସିହାରେ ଦୋଳିଗୀତ ପ୍ରକାଶିତ)ଙ୍କ ଭଳି କିଛି ଉଦ୍ୟମୀ ଓଡ଼ିଆ ପ୍ରାଚୀନ କାଳରୁ କଥିତ ଓଡ଼ିଆ ଭାଷାର ଲୋକ ସାହିତ୍ୟରେ ପ୍ରଚଳିତ କେତେକ ମୁଖ୍ୟ ମୁଖ୍ୟ ରଜଦୋଳି ଗୀତକୁ ସଂଗ୍ରହ କରି ପ୍ରକାଶ କରିଥିଲେ। ପ୍ରକୃତରେ ଏମାନେ ରଚୟିତା ନଥିଲେ ଵରଂ ସମାଜର କଥିତ ଭାଷାରେ ପ୍ରଚଳିତ ଲୋକ ସାହିତ୍ୟକୁ ସଂଗ୍ରହ କରି ନିଜ ଅନୁସାରେ ବଦଳାଇ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କେହି କେହି ମାଗୁଣି ମହାପ୍ରାତ୍ରଙ୍କ ୧୯୫୨ ମସିହାରେ ପ୍ରକାଶିତ ପୁସ୍ତକକୁ ଦେଖି ଭାବନ୍ତି ଯେ ସେ ରଜ ଦୋଳି ଗୀତର ସୃଷ୍ଟିକର୍ତ୍ତା ମାତ୍ର ତାଙ୍କର ସେଭଳି ଭାବି ମତଵ୍ୟକ୍ତ କରିଵା ଠିକ୍ ନୁହେଁ । ମାଗୁଣି ମହାପାତ୍ର ଯେ କି ଆଜକୁ ସତୁରୀ ଵର୍ଷ ତଳେ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଦେଇଥିଲେ ତାହା କ'ଣ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା ଯେ ୧୯୫୦ରୁ ୧୯୮୦-୯୦ ଯାଏଁ ରେଡ଼ିଓ,ଟିଵି, ସମ୍ବାଦପତ୍ର ପହଞ୍ଚି ନଥିଵା ବଣ ଜଙ୍ଗଲ ଘେରା ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚି ଗଲା ?
ପୁନଶ୍ଚ ସତୁରୀ ଵର୍ଷ ମଧ୍ୟରେ ମାଗୁଣି ମହାପାତ୍ରଙ୍କ ଦ୍ଵାରା ସଂଗୃହୀତ କେତେଗୋଟି ଲୋକଗୀତ ଆଧାରରେ ସହସ୍ର ସହସ୍ର ଲକ୍ଷ ଲକ୍ଷ ରଜଦୋଳି ଗୀତ ବୌଦ୍ଧ, ସୋନପୁର,ଦେଵଗଡ଼ଠାରୁ ପୁରୀ ଯାଏଁ ବାଲେଶ୍ଵରଠାରୁ ଗଞ୍ଜାମ ତଥା ସିଂହଭୂମି ଯାଏଁ ସୃଷ୍ଟି ହୋଇଯାଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ । ନିଶ୍ଚୟ ତାଙ୍କର ବହୁ ପୂର୍ଵରୁ ଓଡ଼ିଶାରେ ରଜଦୋଳି ଗୀତ କଥିତ ଓଡ଼ିଆ ଭାଷାରେ ସୃଷ୍ଟି ହୋଇ ଚଳୁଥିଲା ଏଵଂ ତନ୍ମଧ୍ୟରେ କେତେକ ଵିଶିଷ୍ଟ ଗୀତକୁ ମାଗୁଣି ମହାପାତ୍ର ସଂଗ୍ରହ କରି ନିଜ ଶୈଳୀରେ ଲେଖି ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୧୯୩୨ ମସିହାରେ ସଂକଳିତ ହୋଇ ପ୍ରକାଶ ପାଇଥିଲା ମାଗୁଣି ମହାପାତ୍ରଙ୍କ ରଜଗୀତ ବହି ପ୍ରକାଶ ହେଵାର ୧୫-୧୮ ଵର୍ଷ ପୂର୍ଵରୁ ସେଥିରେ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ପ୍ରଚଳିତ "ପରା(ପଡ଼ା/ସାହି)" ଶବ୍ଦ ତଳେ ସମ୍ବଲପୁରୀ ଓଡ଼ିଆରେ ପୂର୍ଵେ ପ୍ରଚଳିତ ଥିଵା ଏକ ଦୋଳୀଗୀତ ଉଲ୍ଲେଖ କରାଯାଇଛି...
"କାଁଚି କାଁଚି କାଁଚି,
ଆମରି 'ପରା'କୁ ନ ଯିବୁ ନାଚି।
ପୁଣ୍ଡା ତଲେ ଦେବି ଖାଁଚି।"
ଏଥିରୁ ଜଣାଯାଏ ଯେ ମାଗୁଣି ମହାପାତ୍ରଙ୍କ ବହୁ ପୂର୍ଵରୁ କେଵଳ ଉପକୂଳ ଓଡ଼ିଶା ହିଁ ନୁହେଁ ଵରଂ ଅଵିଭକ୍ତ ସମ୍ବଲପୁର ଜିଲ୍ଲା ଯାଏଁ ମଧ୍ୟ ଦୋଳୀ ଗୀତ ପ୍ରଚଳିତ ଥିଲା । ଆମ ଓଡ଼ିଶାରେ ଅଞ୍ଚଳ ଭେଦରେ ସହସ୍ରାଧିକ ଦୋଳିଗୀତ ପ୍ରଚଳିତ ।
ନିମ୍ନରେ କେତେକ ଜଣାଶୁଣା ଦୋଳିଗୀତ ପ୍ରଦତ୍ତ ହେଲା...
"ଵନସ୍ତେ ଡାକିଲା ଗଜ,
ଵରଷକେ ଥରେ ଆସିଛି ରଜ ଲୋ,
ଘେନି ନୂଆ ସଜବାଜ ।"
"ଦୋଳି ଉଡ଼େ ସାଇଁ ସାଇଁ ସଙ୍ଗାତ ଲୋ
ଦୋଳି ଉଡ଼େ ସାଇଁ ସାଇଁ
ମୋ ଭାଇ ଯୁଦ୍ଧରୁ ଫେରିଵା ପାଇଁ ଲୋ
ଦୁଆରେ ବସିଛି ଚାହିଁ ।"
"କଳିଙ୍ଗ ଅଙ୍ଗ ଜିଣିଵ ସଙ୍ଗାତ ଲୋ ,
କଳିଙ୍ଗ ଅଙ୍ଗ ଜିଣିଵ
ହାତୀ ଘୋଡ଼ା ଚଢ଼ି ପଟୁଆର କରି ଭାଇ ମୋର ଆସୁଥିଵ ।"
"ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ତୋ ଭାଇ ମୁଣ୍ଡରେ ଜଟ ।"
"ଦୋଳି ପଟା ଖେଳୁଥିଲି ଲୋ
ଦୋଳି ପଟା ଖେଳୁ ଥିଲି
ବାପା ଡାକି ଦେଲେ ଯଶୋଦା
ବୋଲି
ହାତ ଧୋଇ ଭାତ ଦେଲି ଲୋ
ହାତ ଧୋଇ ଭାତ ଦେଲି...।"
"ଗଛ ଦୋଳି ପଟା ଦୋଳି ସଙ୍ଗାତ ଲୋ
ଫୁଲ ଦୋଳି ଲୁଗା ଦୋଳି
କୋଳି ଖାଇ ଖାଇ ଦୋଳି
ଖେଳୁଥିଲେ ଦେଖିବେ ମାଇପେ ଭଳି ।"
"ପିତା ଶାଗ ବୁଦି ବୁଦି,
ଭାଇ କାହା ସଙ୍ଗେ କଲେ ପୀରତି କଲା ଲୋ,
ହାତୁ ଦେଇ ସୁନା ମୁଦି । "
"ଅରୁଆ ଚାଉଳ ଖିରି
ଝୁଣ୍ଟିଆ ଶବଦେ କମ୍ପାଇ ଦେଲା
ଏଇବାଟେ ଗଲା ଗୋରୀ"
"ଜାମୁ କୋଳି କଳା କଳା
ଦୋଳି ନ ବସୁଣୁ ବେଗ ତୁ
ପଳା ଲୋ
ଚାହିଁ ଥିବେ ଗଳା ମାଳା ।"
"ଆମ୍ୱୁଲ ମାଠିଆ ପେଟ
ଵରଷେ ଜଗିଲି ଗାଧୁଆ ତୁଠ
ଦିନେ ନ ପାଇଲି ଭେଟ"
"ଲାଜକୁରୀ ନୂଆ ଵୋହୂ
ସଙ୍ଗାତ ଲୋ
ଲାଜକୁରୀ ନୂଆ
ବୋହୁ
ହୁଳହୁଳି ଦେବ କଣରେ ଥାଇ ଲୋ
ଜଳେ ଦୀପ ଦାଉ ଦାଉ ।"
"ଝଟ ଝଟଦୋଳି ଝୁଲା ସଙ୍ଗାତ ଲୋ ଝଟ ଝଟ ଝୁଲା ଦୋଳି
ଭାଇ ବନ୍ଦିଵା ମୋ ହୋଇଛି ପାଳି ଲୋ ନୂଆଵୋହୂ କଲା କଳି।"
"କୂଅରେ ପଡି଼ଲା ଇଟା
ଜୁଆଳି ବାଡିରେ ଭାଙ୍ଗିବ ଅଣ୍ଟାଲୋ
ଶିଖାଇବି ଧାନକୁଟା ।"
"ଆଖୁବାଡ଼ି ଖସଖସ
ଯାଦୁଆ ଡାକୁଛି ଯାଦୁଆଣୀକୁ
ରମ୍ପାରମ୍ପି ହେଵା ଆସ"
"ଆଠଗଡ଼ ବୋଇରାଣୀ
ଶୁଖିଲା ନଡି଼ଆ ପଇଡ ପାଣି
ବୁଢୀ଼ ଦିନେ ଭୁଆଷୁଣୀ"
"ଆଳି ରାଇଜର କେନ୍ଦୁ
ଆଳିଆ ଲେଖାରେ ବାଳିଆ ବନ୍ଧୁ
କେତେ ଲହରେଇ କାନ୍ଦୁ"
"କାଉ ବେକରେ ମାଳି
ତିନିଘର କଳି ଲଗେଇ ଦେଲା
ଏଇ ସରୁମୁହିଁ କାଳି"
"ଖଡୁ ଭଲକରି ମାଜ
ରାଜା ତ ଜାଣିଲେ,
ରାଇଜ ଜାଣିଲା
ଆଉ କାହିଁପାଇଁ ଲାଜ ।"
"ସାତଥର ଗଲି ଗଙ୍ଗା
ଥରେ ଚାଲିଗଲି ଚନ୍ଦରଭାଗା ଲୋ
ମୁହଁ ପଡି଼ଗଲା ରଙ୍ଗା"
"ପଛକଥା ମନେ ନାହିଁକି
ତାଳଗଛ ମୂଳେ ମାଡ଼ ମାରିଥିଲୁ
ବାଇଗଣ ପୋଡା ପାଇଁକି ।"
"ଚୋର ପଳେଇଲା ଖରେ
ଗହ୍ଲେଇନାନୀର ଧନୁଆ କଣ୍ଠି
ଛିଡି ପଡି଼ଗଲା ତଳେ ।"
"ଦୋଳିଆ ଭାଇରେ ଦୋଳିଆ ଭାଇ ,
ଦୋଳି ପହଞ୍ଚାଇ ଦେ
ଦୋଳିରେ ଯେତେକ କଉଡ଼ି ଅଛି
ସବୁ ପଛେ ଗଣି ନେ ।"
"ବିଲ ବରଗଛ ଛାଇ
ପରିହାସ ଛଳେ ଦେଲି ମୁଁ କହି
ମୋ ଗୁଣ୍ଠୁଣୀ ହାତୀ ଲୋ
ହସ ଖେଳେ ଦିନ ଯାଉ ବହି ।"
"ବଣରେ ଲାଗିଲା ନିଆଁ
ପିଠିରେ ଲଗାଇ ଦେବି ମୁଁ ଚିଆଁ
ମୋ ଭଉଣୀ ମାନେ ହୋ
କାହିଁ ନପାଇଵ ତୁମେ ରାହା ।"
"ନଈ ଅତଡା଼ରେ ଦୁବ
ଏକା ଗଲେ ସିନା ସରମ ହେଵ ଲୋ
ସଙ୍ଗେ ଯିବେ ଗଜାମୂଗ ।"
"ବାହାଲ ଉପରେ ଲେମ୍ବୁ
ମରିଗଲେ ପିଲା ପାଉଁଶ ହେବୁ
ଏ ସୁଖ କାହୁଁ ପାଇବୁ ?"
"ବାଉଁଶ ସରୁ ପଵନ
ଯେପରି ବହୁଛି ଥଣ୍ଡା
ପଵନ ଲୋ
ସେହିପରି ଆମ୍ଭ ମନ ।"
"ରାଶିରୁ ଛାଡ଼ିଲା ଚୋପା,
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ,
ମଥାରେ ସିନ୍ଦୂର ଟୋପା ।"
"ମାଧୋଇ ଅଣ୍ଟାରେ ଗୋଠ
ଏଇ ଗୋଠ ଲାଗି ଯିବି କଟକ ଲୋ
ଆଣିବି ସୁନା ମୁକୁଟ ।"
"ଉଡ଼ିଲା ଶୁଆ ନାହାକା,
ଦୋଳିଟା କାହିଁକି ଲାଗୁଛି ଏକା ଲୋ,
କାହା ଵିନା ଏକା ଏକା ।"
"ଅଦିନେ ଜହ୍ନି ରାଇତା
ଚନ୍ଦ୍ରମା ମୁଖଟି ଶୁଖି ଯାଇଛି ଲୋ
କହୁ ନାହାନ୍ତି ସେ କଥା ।"
"ପାଚିଲା ଭଇଁଚ କୋଳି,
ବେକରେ ନାଇଚି ଗଜରା ମାଳି ଲୋ,
ଝୁଲାଅ ରଜର ଦୋଳି ।"
"ଇଙ୍କର ବଣର ଘାସ
ଦିନେ ଦେଖା ନାହିଁ
କାଳେ ଦେଖା ନାହିଁ
ଆଜି ବଡ଼ ଵିଶୁଆସ ।"
"ପଣସ ପାଚିଲା ଵନେ,
ଵନ ପୋଡ଼ିଗଲେ ଦୁନିଆ ଜାଣେ ଲୋ,
ମନକଥା କିଏ ଜାଣେ ।"
"ଢିଙ୍କିରେ କୁଟିଲି ଗୋଲମରିଚ ଲୋ
ପାଆରେ ମାପିଲି ଘିଅ
ଉପର ସାହିକି ଝିଅ ନଦେଵ ଲୋ
ମାରିବେ ଜାଉଁଳି ଡିହ ।"
"ଶଙ୍ଖ ମଲମଲ ଗିନା,
ଦରଦ ଜାଣେଲୋ ଦରଦୀ ସିନା ଲୋ,
ବଣିଆ ଚିହ୍ନେଟି ସୁନା ।"
"ବାରିକି ସୁନ୍ଦର କଦଳୀ ଗଛ ଲୋ
ପିଢାକୁ ସୁନ୍ଦର ପୋଇ
ଘରକୁ ସୁନ୍ଦର
ଦେଈ ଭାରିଜା ଲୋ
ରଗଡି଼ଵ ମୁଗଜାଇ ।"
"ନିମ୍ବର ବୁକେ ଚନ୍ଦନ,
ଦେଵତା ଗଢ଼ାଇଲା ନାରୀ ଜୀଵନ ଲୋ,
ଦେଲା ତହିଁ ଯଉଵନ ।"
"ଢମଣା ଛାଡ଼ିଲା କାତି,
ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
ନୂଆ ଖୋଜୁଥାନ୍ତି ନିତି ।"
"ପାକେଲା ବାଉଁଶ ବାଡ଼ି
ହସି କଥା କହ କୁସୁମ କଢି଼ ଗୋ
ଚାକିରୀ ଆସିଛି ଛାଡି଼।"
"ଭଲେ ଆସିଛ କି ମନ୍ଦେ ଆସିଛ
କୁମ୍ଭ ଧରି ଗୋଡ଼ ଧୁଅ
ତୁମରି ଭାରିଜା ପଦାରେ ଅଛନ୍ତି
କରମ ଆଦରି ଶୁଅ।"
"ବଣ ଭୁଆଁ ଛାଡେ ରଡି
ଘଡି଼ ଘଡି଼ ମା' ଡାକିବ ନାହିଁ ଲୋ ,
ଦୋଳିରୁ ଯିବି ମୁଁ ପଡ଼ି ।"
"ଚାନ୍ଦରେ କଳଙ୍କ ଚିହ୍ନ,
ନଵ ଯଉଵନି କିଆଁ ଗୁମାନ ଲୋ,
ଆସିଲେଣି ଜୀଵ ଧନ ।"
"ପୋଖରୀ ତୁଠ ପଥର,
ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
ଆଖି ଥିଲା ଏଣେ ତୋର ।"
"ଦୋଳି ଦଉଡ଼ି ସାଜେ
ଯେଉଁ ପରଵତେ ବାଜେଣି ବାଜେଲୋ
ଗଙ୍ଗା ବାଲି ଖଡ଼ୁ ମାଜେ ।"
"ସାହାଡ଼ା ଗଛର ଛାଇ,
ସେଦିନ କଥାକି ତୋ ମନେ ନାଇଁ ଲୋ,
ଏତେ ଆନମନା କାହିଁପାଇଁ ।"
"ଦୋଳି ମୁଣ୍ଡେ ଦେଲି ଜଉ
ଏଇ ଜଉ ଟିକ ସଂସାରେ ଥାଉ ଲୋ
ଦୋଳି ଖେଳି ଦିନ ଯାଉ ।"
"ପର୍ଵତ ଶିଖରେ ଧାନ ଉସାଁଇଲି
ମୟୂର ଖାଇଲା ଖୁଣ୍ଟି
ଆଣେଲୋ ଏବେ
ଝୁମୁକି ଝାଣ୍ଟି ମୟୂର
ଗଲାଣି ଉଠି ।"
"ଖୋସାରେ ଖୋସିଲି ଫୁଲ,
କେତେ ଦେଖାଉଛୁ ନୁଖୁରା ଗେଲରେ,
ଭାଙ୍ଗି ଦେବି ତୋର ଗାଲ ।"
"ନଈର ଶୁଖିଲା ବାଲି,
କେତେ ଫୁଲି ହେଉ ପୁଚୁକିଗାଲି ଲୋ,
ଦେଖାଉଛୁ କେତେ ବେଲି ।"
"ବାଜିଲା ତେଲିଙ୍ଗି ବାଜା,
ରସିକ ଯେ ଜାଣେ ସ୍ନେହର ମଜା ରେ,
ସେ ସିନା ମୋ ମନ ରଜା ।"
"କେଲୁଣୀ ରାନ୍ଧୁଛି ଖେଚୁଡ଼ି ଭାତ
ଖେଚୁଡ଼ି ଭାତ ଲୋ
କେଳା ବୋଲୁଅଛି ଗୀତ ।"
"ଲୁଚିଗଲା ମେଘେ ଚାନ୍ଦ,
ଦୋଳି କଟକଟ କରେ ଶବଦ ଲୋ,
ଵହନ୍ତେ ପଵନ ମନ୍ଦ ।"
"ଦୋଳି ହୁଏ ରଟରଟ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ,
ଦିଶୁଥାଏ ଝଟଝଟ ।"
"ପରଵତେ ଜଳେ ନିଆଁ,
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ,
ପୁଣି ହେଵ ବାଆଁ ଡାଁ ।"
"ଦୋଳି ମୁଣ୍ଡି କଟକଟ
ଯେବେ ମୋ ଭାଇନା ବାହା
ହୋଇ ଯିବୁ
ଆଣିବି ଫୁଲ ମୁକୁଟ ।"
"ଉତୁରି ପଡ଼ିଲା ଦୁଧ,
ଉଙ୍କି ମାରି ମାରି ଅନାଉ ଥାଏ ଲୋ,
ନନ୍ଦର ଉଦିଆ ଚାନ୍ଦ ।"
"ଛତରା ବଜାର ହାଟ,
ଛକି ବସିଥିଵ ଚଗଲା କାହ୍ନୁଲୋ,
ଛନ୍ଦରେ ମାଗିଵ ଘାଟ ।"
"ଥୋଡ଼ମଞ୍ଜା କଲି ରାଇ,
କଣ ନ କଲେ କଳା କହ୍ନାଇ ଲୋ,
ମୁହଁକୁ ଯା ନ ଅନାଇ ।"
"କରମଙ୍ଗା କଲି ରାଇ,
ମଥୁରାକୁ ଗଲେ କଳା କହ୍ନାଇ ଲୋ,
କଣ୍ଟ ଦେଇ ଗଲେ କାହିଁ ।"
"ସାଉଁଟିଲି ବିଲ ଘଷି,
କିମ୍ପାଇଁ ରାଧିକା ବସିଲା ରୁଷି ଲୋ,
ଫୁଲ ଶେଜ ହେଲା ବାସି ।"
"କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ,
ଭାଇ ଵିଦେଶୁ ନଇଲେ ବୋଲି ।"
"ଗରଜେ କଳା ବଉଦ,
ମୋତେ ତ ବରଷ ହେଲା ଚଉଦ ଲୋ,
ଗଲାଣି ପିଲା ସୁଆଦ ।"
"ବଇଁଶୀ ବାଜିଲା କୁଞ୍ଜେ,
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
ଛୋଟ କଲେ ଛାଟ ବାଜେ ।"
"ଲାଞ୍ଜ ଟେକିଗଲା ବାଘ,
ମନେ ରଖିଥିବୁ ସାଙ୍ଗ
ନଇଁ ଚାଲୁଥିବୁ ବଡ଼ଙ୍କ ଆଗେ ଲୋ,
ଲାଗିଵ ନାହିଁଟି ଦାଗ ।"
"ଛତୁ ଫୁଟେ ଵରଷାରେ
ମାରୁଛୁ ହାତ ନିଶରେ,
ଛତରାଟା କେତେ ଛଇ ଦେଖାଉ ରେ,
ଅଛି କି ତୋ ଭରସାରେ ।"
"କରଡ଼ି ଖସିଲା ଆମ୍ବ,
ପର କାହୁଁ ଘର ପରାଣୀ ହେବେ ରେ,
ମନ ଜାଣି ଖଞ୍ଜି ଦେଵ ।"
"ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ,
ମୁଣ୍ଡି ଝାଡୁ ଖାଲି ପଣେ ।"
"ଅଦିନେ ପଣସ ସିଠା,
ଵଚନରେ ଯାର ନ ଥାଏ ମିଠା ଲୋ,
ସେଟା ବାଡ଼ ପକା କଣ୍ଟା । "
"ପାହାନ୍ତି ରାବିଲେ ପେଚା,
ଯିଏ ହୋଇଥିଵ ସିଂହର ବଚା ଲୋ,
ନ ଦେଵ ପଛଘୁଞ୍ଚା ।"
"ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ,
ମତେ କଲା ଲୋକହସା ।"
"ଜାରା ମାରିଦେଲା ବାଣ,
ଯାହାଠାରେ ଯାର ମିଶିଛି ମନ ଲୋ,
ସେହି ଜାଣେ ତାର ଗୁଣ ।"
"କାଟି ଗଲି କଳାଦୁବ,
ଝିଅ ଜନମରେ ଏତିକି ଲାଭ ଲୋ,
ବନ୍ଧୁ ଘର ଅରଜିଵ ।"
"କାଳୀଗାଇ ଦୁଧ କ୍ଷୀରି,
ନୂଆ ପୀରତିରେ ମଉଜ ଭାରି ଗୋ,
ପୁରୁଣାଟି ନିମ୍ବ ପରି ।"
"ଆମ୍ବ ପତ୍ର ଗହଳିଆ,
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ,
ତୋଫା ହେଵଟି ଧୁଳିଆ ।"
"ଥିରି ଥିରି ଚାଲେ ହାତୀ,
ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
ଥକା ଦୋଳି ହେଲା ରାତି ।"
"ପାଚିଲା ଆମ୍ୱ ପଣସ,
ଆସ ଭାଇମାନେ ଦୋଳିରେ ବସ,
ନ କରି ମନ ଵିରସ l"
"ପାଚିଲା ଭଇଁଚ କୋଳି,
ବେକରେ ନାଇଚି ଗଜରା ମାଳି ଲୋ,
ଝୁଲାଅ ରଜର ଦୋଳି । "
"ଘୋଡା଼ ଗୋଡ଼ ଠାକୁ ଠାକୁ,
ଆମେ ଯାଇଥିଲୁ ତୁମ ଗାଆଁକୁ,
ନ କହିଲ ବସିଵାକୁ l"
"ଚାଳରେ ବସିଲା ବଣି,
ରାଧା ଚାଲିଗଲେ ଯମୁନା ପାଣି,
କୃଷ୍ଣ କଥା ମନ ଜାଣି l "
"ଚିରିଲି ବାଉଁଶ ବତା,
ଉପରେ ବନ୍ଦୁଛି ସୂର୍ଯ୍ୟ ଦେଵତା,
ତଳେ ବନ୍ଦେ ଵସୁମାତା l "
"ଜୟ ମା କିଚେକେଶ୍ୱରୀ,
ତଵ ପାଦପଦ୍ମେ କରି ଗୁହାରୀ,
ରଖ ମତେ ଦୟାକରି l"
"ଜାମୁକୋଳି ନଦବଦ,
ଯିଏ ଖାଉଛନ୍ତି ହାଣ୍ଡିଆ ମଦ,
ତା ସଙ୍ଗେ ପୀରତି ମନ୍ଦ l"
"ଥୋଡମଞ୍ଜା କଲି ରାଇ,
ମଥୁରାକୁ ଗଲେ କଳା କହ୍ନାଇ ଲୋ,
କଣ୍ଟ ଦେଇ ଗଲେ କାହିଁ ।"
"ପୋଖରୀ ତୁଠ ପଥର,
ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
ଆଖି ଥିଲା ଏଣେ ତୋର ।"
"ଫୁଲ ଖୋସିଲି କାନରେ,
ବରଷକେ ରଜ ଆସିଛି ଥରେ,
ଦୋଳି ଖେଳିଵା ସାଙ୍ଗରେ l "
"ବାଜିଲା ତେଲିଙ୍ଗି ବାଜା,
ରସିକ ଯେ ଜାଣେ ସ୍ନେହର ମଜା ରେ,
ସେ ସିନା ମୋ ମନ ରାଜା ।"
"ବାଡିର ବାଡିଆ ଗବ,
ମରି ହଜିଗଲେ ପାଉଁଶ ହେବ,
ଏ ଭାବ କାହୁଁ ପାଇଵ ? "
"ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ,
ମୁଣ୍ଡି ଝାଡୁ ଖାଲି ପଣେ ।"
"ମଦରଙ୍ଗା ଶାଗ ରାଇ,
ପଖାଳ ଭାତକୁ ଚିଲିକା ଶୁଖୁଆ,
ମାଣିକ ପାଟଣା ଦହି ।"
"ଶାଗ ଖରଡିଲି ଡାଙ୍ଗେ,
ଶାଶୁ ଗାଳିଦେଲେ ନଣନ୍ଦ କହିଲେ,
କାଲି ଯିବି ଭାଇ ସଙ୍ଗେ । "
"ସଜନା ଗଛର ଅଠା,
ତତେ କହିଥିଲି ଗୁପତ କଥା ଲୋ,
ଦାଣ୍ଡେ କଲୁ ହଟହଟା । "
ଦୋଳିକୁ ନେଇ ପ୍ରଚଳିତ ଲୋକଵିଶ୍ଵାସ:
ଦୋଳି ସମ୍ବନ୍ଧୀୟ ଅନେକ ଲୋକଵିଶ୍ଵାସ ଓଡ଼ିଶାରେ ପ୍ରଚଳିତ । ଯଥା—
(କ) ବେଙ୍ଗ ସମ୍ବନ୍ଧୀୟ ଲୋକଵିଶ୍ଵାସ
କଥିତ ଅଛି ଯେ ରଜପର୍ଵରେ ଦୋଳି ନଖେଳିଲେ କାଠ ବେଙ୍ଗ ହୋଇ ଜନ୍ମ ଲଭିଵାକୁ ହୁଏ । ଦୋଳି ଖେଳିଵାକୁ ମନା କରୁଥିଵା ଅବୁଝା ପିଲାଏ ନିଜ ସଂସ୍କୃତି ପରମ୍ପରାକୁ ପାଳନ କରନ୍ତୁ ସେଥିପାଇଁ ଭୟମିଶ୍ରିତ ଏଭଳି ଏକ ଲୋକଵିଶ୍ଵାସର ପ୍ରଚଳନ ହୋଇଥିଵା ସମ୍ଭଵ ।
(ଖ)ସର୍ପ ସମ୍ବନ୍ଧୀୟ ଲୋକଵିଶ୍ଵାସ
ଆମ ଓଡ଼ିଶାର ରଜୋତ୍ସଵ ସମୟରେ ତିନିଦିନ କାଳ ଓ ତତ୍ପରେ କେତେକ ଦିନ ଯାଏଁ ପିଲାଏ ସକାଳ ଦ୍ବିପହର ଓ ଅପରାହ୍ନରେ ଦୋଳି ଖେଳିଥାନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଵାକୁ ବାରଣ କରାଯାଇଥାଏ । କାରଣ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଲେ ଦୋଳିର ଦଉଡ଼ି ସାପରେ ପରିଣତ ହୋଇଯାଏ ।
ଆଧୁନିକ ଯୁଗରେ କେହି କେହି ଏହାକୁ ଅନ୍ଧଵିଶ୍ଵାସ ବୋଲି ଅଭିହିତ କରୁଅଛନ୍ତି କିନ୍ତୁ ଏହି ଲୋକଵିଶ୍ଵାସ ପଛରେ ଥିଵା ଵୈଜ୍ଞାନିକ କାରଣକୁ ସେମାନେ ଉପଲଵ୍ଧି କରିନାହାନ୍ତି ।
ସାଧାରଣତଃ ଵର୍ଷାଋତୁ ସମୟରେ ଗଛମାନଙ୍କରେ ଵିଷାକ୍ତ ସର୍ପମାନେ ଵିଚରଣ କରିଥାନ୍ତି । ଲାଉଡଙ୍କିଆ,ଡାଳୁଆଗୋଖର ଆଦି ଅନେକ ସର୍ପ ଵୃକ୍ଷରେ ରହିଵାକୁ ବୁଲିଵାକୁ ପସନ୍ଦ କରନ୍ତି । ରାତ୍ରୀସମୟରେ ସେମାନେ ଦୋଳିର ଦଉଡ଼ି ଉପରକୁ ଚାଲି ଆସିଵା ଅସମ୍ଭଵ ନୁହେଁ ।
ନିଶ୍ଚୟ ପୂର୍ଵେ ଆମ ସମାଜରେ ଅନେକ ପିଲା ବଡ଼ ଲୋକଙ୍କ ଆକଟ ନମାନି ସନ୍ଧ୍ୟା ଵା ରାତିରେ ଗଛ ଡାଳରେ ବନ୍ଧାଥିଵା ଦୋଳି ଖେଳି ସରରପ ଦଂଶନର ଶିକାର ହୋଇଥିବେ ଯାହା ଫଳରେ ଏଭଳି ଏକ ଲୋକଵିଶ୍ଵାସ ସୃଷ୍ଟି ହୋଇଥିଵ ।
(ଗ) ଡାହାଣୀ/ ପିଶାଚୁଣୀ /ବ୍ରହ୍ମରାକ୍ଷସ /ଓଥରା ଆଦି ଅଶରୀରୀ ସମ୍ବନ୍ଧୀୟ ଲୋକଵିଶ୍ଵାସ
ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସନ୍ଧ୍ୟାରେ ଦୋଳି ଖେଳ ବନ୍ଦ କରି ଦୋଳିକୁ ସେଇମିତି ନ ଓହଳେଇ ଉକୁଚି ଦେଵା(ଖୋସି ଦେଵା)ର ପରମ୍ପରା ପ୍ରଚଳିତ । କୁହାଯାଏ ରାତିରେ ଦୋଳିକୁ ଓହଳେଇ ଛାଡ଼ି ଆସିଲେ ସେଥିରେ ମୃତ ଆତ୍ମାମାନେ ବସି ଦୋଳି ଖେଳନ୍ତି । ଆଉ କେତେକ ଅଞ୍ଚଳରେ ରାତିରେ ଦୋଳି ଖେଳିଲେ ଓଥରା ଓ ବ୍ରହ୍ମରାକ୍ଷସ ଇତ୍ୟାଦି ଅତୃପ୍ତ ଆତ୍ମାଙ୍କ ଯୋଗୁଁ ଡାଳ ଭାଙ୍ଗିଵା ତଥା ପ୍ରାଣ ନାଶ ହେଵାର ଲୋକଵିଶ୍ଵାସ ପ୍ରଚଳିତ । ସାଧାରଣତଃ ଗଛ ଦୋଳି କୌଣସି ମଟକା ଦୁର୍ଵଳ ଗଛଶାଖାରେ ବନ୍ଧାଯାଇଥିଲେ ଭାର ନ ସହିପାରି ଭାଙ୍ଗିଯାଏ । ଆଗକାଳରେ ରାତିରେ ଦୋଳି ଖେଳୁଥିଵା ସମୟରେ ଗଛର ଡାଳ ଭାଙ୍ଗି ପଡି଼ଗଲେ ଆଜି ଭଳି ହଠାତ୍ ଚିକିତ୍ସା ହୋଇପାରୁନଥିଲା । ତେଣୁ ରାତିରେ ଅଶୀରୀରୀମାନଙ୍କ ନାମରେ ଭୟ ଦେଖାଇ ଦୋଳି ଖେଳିଵାକୁ ବାରଣ କରାଯାଉଥିଲା । ପ୍ରକୃତରେ ରଜ ଏମିତି ଏକ ପର୍ଵ ଯାହା ଵିଷୟରେ ଯେତେ ଲେଖିଲେ ବି ସରିଵ ନାହିଁ । ତେବେ ସେ ଯାହା ହେଉ ରଜ ପର୍ଵ ,ଦୋଳି ଓ ଦୋଳି ଗୀତ ସମ୍ବନ୍ଧୀୟ ଆହୁରି ଗହନ ଗଵେଷଣା ଆଵଶ୍ୟକ ।
No comments:
Post a Comment