Wednesday, June 15, 2022

ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"

"ରଜପର୍ଵ"ର ନାମ ମଧ୍ୟରେ 'ରଜ' ଶବ୍ଦଟି ଥିଵାରୁ ଓଡ଼ିଶାର କିଛି ଲୋକଙ୍କୁ ରଜୋତ୍ସଵର ରଜ ନାମଟି ଅଶ୍ଳୀଳ ବୋଧ ହେଉଅଛି । "ରଜସ୍ଵଳା" କଥାଟି କିଛି ଲୋକଙ୍କ ମନକୁ ପାଉନାହିଁ । କେହି କେହି ଵିଚ୍ଛିନ୍ନତାଵାଦୀ ଏହାକୁ ଭିତ୍ତିକରି ପ୍ରତିଵର୍ଷ ଉତ୍ତର, ଦକ୍ଷିଣ,ପୂର୍ଵ ତଥା ମଧ୍ୟ ଓଡ଼ିଶାର ଲୋକଙ୍କୁ ଅପମାନିତ କରୁଛନ୍ତି । 

ପୃଥିଵୀର କୋଉ ନାରୀ ହୋଇଅଛି ଯିଏ ଵିନା ରଜସ୍ଵଳାରେ ସନ୍ତାନ ଉତ୍ପତ୍ତି କରିଛି ?

ସୁଶ୍ରୁତଙ୍କ ସୂତ୍ରସ୍ଥାନର ଚତୁର୍ଦ୍ଦଶ ଅଧ୍ଯାୟରେ କୁହାଯାଇଛି

“ରଞ୍ଜିତାସ୍ତେଜସା ତ୍ଵାପଃ ଶରୀରସ୍ଥେନ ଦେହିନାମ୍ ।
ଅଵ୍ଯାପନ୍ନାଃ ପ୍ରସନ୍ନେନ ରକ୍ତମିତ୍ଯଭିଧୀୟତେ ॥
ରସାଦେଵ ସ୍ତ୍ରିୟା ରକ୍ତଂ ରଜଃସଂଜ୍ଞଂ ପ୍ରଵର୍ତ୍ତତେ ।
ତଦ୍ବର୍ଷାଦ୍ବାଦଶାଦୂର୍ଦ୍ଧ୍ଵଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ 
ନାରୀଣାଂ ରଜସି ଚୋପଚୀୟମାନେ ଶନୈଃ ଶନୈଃ ସ୍ତନଗର୍ଭାଶୟଯୋନ୍ଯଭିଵୃଦ୍ଧିର୍ଭଵତି । 

ସେହିପରି ଵାଭଟଙ୍କର ଶାରୀରସ୍ଥାନ ପ୍ରଥମ ଅଧ୍ଯାୟରେ ଉଲ୍ଲେଖ ଅଛି

“ମାସି ମାସି ରଜଃସ୍ତ୍ରୀଣାଂ ରସଜଂ ସ୍ରଵତି ତ୍ର୍ଯହମ୍ । 
ଵତ୍ସରାଦ୍ଦ୍ଵାଦଶାଦୂର୍ଦ୍ଧଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ ”

ତେଣୁ ରଜସ୍ଵଳା ଵିନା କୌଣସି ନାରୀ ସନ୍ତାନ ଉତ୍ପତ୍ତି କରିପାରିଵା ଅସମ୍ଭଵ । 
ପୃଥିଵୀମାତା ନାରୀ ଭାଵରେ କଳ୍ପିତା । ସାରା ଵିଶ୍ଵରେ ମାଟିକୁ ମାଆ କଳ୍ପନା କରାଯାଇଛି । ଏ କଳ୍ପନା ପୁଣି କପୋଳକଳ୍ପିତ ନୁହେଁ ଵରଂ ଆଧ୍ୟାତ୍ମିକ ଓ ଵୈଜ୍ଞାନିକ । 



 କେତେକ ସଭ୍ୟତାକୁ ଛାଡ଼ି ଦେଲେ ପୃଥିଵୀର ପ୍ରାୟ ୯୦% ଭାଗ ସଭ୍ୟତାରେ ପ୍ରକୃତିକୁ ଵା ପୃଥିଵୀକୁ ମାତା ରୂପରେ କଳ୍ପନା କରି Mother Nature ଵା Mother earth ଭାବେ ଅଭିହିତ କରାଯାଇଛି। 

ପ୍ରାଚୀନ ଇଜିପ୍ଟରେ ପୃଥିଵୀକୁ Geb ତଥା ଆକାଶକୁ Nut ରୂପେ କଳ୍ପନା କରାଯାଇଥିଲା । ଇଜିପ୍ଟର ଲୋକେ ପୃଥିଵୀକୁ ଦେଵ ଓ ଆକାଶକୁ ଦେଵୀ କଳ୍ପନା କରିଥିଲେ । ଏ ଅଞ୍ଚଳରେ ଜଳାଭାଵ ଉତ୍କଟ ଥିଲା ଏଵଂ ଆକାଶରୁ ଵର୍ଷା ହେଵା ଫଳରେ ସେମାନଙ୍କର ଜୀଵନଧାରଣ ସମ୍ଭଵ ହୋଇପାରୁଥିଲା ବୋଲି ସେମାନେ ଭୂମିକୁ ପୁରୁଷ ତଥା ଆକାଶକୁ ସ୍ତ୍ରୀ କଳ୍ପନା କରିଥିଲେ । 

ଇଜିପ୍ଟର ପ୍ରାଚୀନ ସଭ୍ୟତାକୁ ଛାଡ଼ି ଦେଲେ ପ୍ରାଚୀନ ଆମେରିକୀୟ ମାୟା- ଇନକା- ଆଜଟେକ୍ ସଭ୍ୟତା , ଅଧିକାଂଶ ଆଫ୍ରିକୀୟ ଜନଜାତୀୟ ସଭ୍ୟତା,ପ୍ରାଚୀନ ଗ୍ରୀକ୍-ରୋମାନ୍ ସଭ୍ୟତା, ପ୍ରାଚୀନ ଜର୍ମାନ୍-ନୋର୍ସ୍ ସଭ୍ୟତା,ପ୍ରାଚୀନ ଭାରତୀୟ ସଭ୍ୟତା ତଥା ପ୍ରାଚୀନ ଚୀନ ଦେଶୀୟ ସଭ୍ୟତାରେ ପୃଥିଵୀ ଵା ଭୂମିକୁ ଦେଵୀ ତଥା ମାତା ରୂପରେ କଳ୍ପନା କରାଯାଇଥିଲା । 


ପ୍ରାଚୀନ ଆମେରିକୀୟ ଲୋହିତ ଜନଜାତି Aztec ମାନେ ପୃଥିଵୀକୁ Tonantzin କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ଆମ ମାଆ” ସେହିପରି Inca ଜାତୀୟ ଲୋକେ ପୃଥିଵୀକୁ Pachamama(ମାତା ପୃଥିଵୀ) କହୁଥିଲେ । ଚୀନ ଦେଶରେ ପୃଥିଵୀଙ୍କୁ Hou Tu ଓ Di Mu ନାମରେ ଦେଵୀ ରୂପରେ କଳ୍ପନା କରି ପୂଜା କରାଯାଉଥିଲା । ଭୀଏତନାମୀ ଲୋକେ ପୃଥିଵୀକୁ ଦେଵୀ Mẫu Địa ନାମରେ ଆରାଧନା କରୁଥିଲେ । ଆଫ୍ରିକାର ଘାନା ଦେଶର Bono ଜନଜାତିର ଲୋକେ ପୃଥିଵୀକୁ Asase Ya , Asase Yaa, Asaase Yaa , Asaase Afu ଓ 
Aberewaa ଆଦି ନାମରେ ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକେ ସ୍ପେନ ଓ ଫ୍ରାନ୍ସ ଦେଶରେ ଵସଵାସ କରନ୍ତି । ସେମାନେ ପୂର୍ଵେ ପୃଥିଵୀକୁ Amalur,Ama Lur or Ama Lurra ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଯେ ପୃଥିଵୀମାତା Amalur ଉଭୟ Ekhi(ସୂର୍ଯ୍ୟ) ଓ Ilazki(ଚନ୍ଦ୍ର) ଙ୍କ ଜନ୍ମଦାତ୍ରୀ । ଆଜି ବି Amalur ଦେଵୀଙ୍କୁ Basqueମାନେ ମାତୃଦିଵସ ଉପଲକ୍ଷେ ମନେ ପକାଇଥାନ୍ତି । ଗ୍ରୀକ୍‌ମାନେ ପୃଥିଵୀକୁ Gaia ଦେଵୀ ଭାବରେ ପୂଜା କରୁଥିଲେ ସେହିପରି ରୋମାନମାନେ ପୃଥିଵୀକୁ ଦେଵୀ Terra ଆଖ୍ୟା ଦେଇଥିଲେ । ସେଇଥିପାଇଁ ଆଜି ବି କେତେକ science fiction ଚଳଚ୍ଚିତ୍ରରେ ପୃଥିଵୀକୁ Terra ଅଭିହିତ କରାଯାଏ । ନୋର୍ସମାନେ ପୃଥିଵୀକୁ Jörð (Jord) ଦେଵୀ ରୂପରେ କଳ୍ପନା କରି ପୂଜୁଥିଲେ । ସେହିପରି ମଙ୍ଗୋଲୀୟ ଓ ତୁର୍କ ଦେଶର ଲୋକେ ପୃଥିଵୀକୁ ଦେଵୀ Umay (Eje), ଲିଥୁଆନିଆର ଲୋକେ ଦେଵୀ Žemyna,Māoriମାନେ ଦେଵୀ - Papatūānuku,Latvian ଲୋକେ ଦେଵୀ Zemes māte ଓ Māra 
 ଏଵଂ ଆରବ ଦେଶରେ ପ୍ରାକ୍ ଆରବୀୟ ଦେଵୀ alllat ରୂପେ ପୂଜାର୍ଚ୍ଚନା କରୁଥିଲେ । ଭାରତ ଵର୍ଷରେ ପୃଥିଵୀମାତାଙ୍କୁ ମହୀମାତା,ଭୂଦେଵୀ,ବସୁମତୀ, ଶକ୍ତି,ପ୍ରକୃତି, ଗାୟତ୍ରୀ ତଥା ଗୋମାତା ରୂପରେ ଜଣେ ଦେଵୀ ଭାବେ ଭିନ୍ନ ଭିନ୍ନ ପନ୍ଥରେ କଳ୍ପନା କରାଯାଇଛି । ଗୋଣ୍ଡୀମାନେ ଭୀମାଲଙ୍କୁ ପୃଥିଵୀ ଧାରଣକାରୀ ଦେଵ ତଥା ପୃଥିଵୀମାତାଙ୍କୁ ଭୂମ ଵା ଭୂମା ଅଭିହିତ କରିଅଛନ୍ତି । ଓଡ଼ିଶାର ଜନଜାତୀୟ ଅଞ୍ଚଳରେ ପୃଥିଵୀମାତା ଧରଣୀପେନୁ ଭାବେ ପୂଜା ପାଆନ୍ତି । 



ଅତଏଵ ଓଡ଼ିଶାର ଲୋକେ ପୃଥିଵୀକୁ ମାତା କଳ୍ପନା କରି ରଜୋତ୍ସଵ ପାଳନ କରିଵା କୌଣସି ଦିଗରୁ ଅଯୁକ୍ତିଯୁକ୍ତ ଅଵୈଜ୍ଞାନିକ ନୁହେଁ । 

ଯେହେତୁ ପୃଥିଵୀର ଅଧିକାଂଶ ଭୂଭାଗରେ ପୃଥିଵୀମାତା ନାରୀ ରୂପରେ କଳ୍ପିତା ଏଵଂ ଏ ଚରାଚର ପୃଥିଵୀରେ ତାଙ୍କର କୀଟଠାରୁ ମାନଵ ଯାଏଁ ଶୈଵାଳଠାରୁ ଦ୍ରୁମଯାଏଁ ଅସଂଖ୍ୟ ସନ୍ତାନ ସନ୍ତତି ତେଣୁ ସେ ପୁତ୍ରଵତୀ ମାତା ରଜୋଵତୀ ନହେଲେ ଏତେ ସନ୍ତାନ ଜାତ ହେବେ କି ?

ଏହି ଵିଚାରକୁ ଗ୍ରହଣ କରି ଓଡ଼ିଶାର ଲୋକେ ରଜପର୍ଵର କଳ୍ପନା କରିଅଛନ୍ତି । 

ତେବେ କେଵଳ ଓଡ଼ିଶାରେ ନୁହେଁ ଦକ୍ଷିଣ ଭାରତର ତାମିଲନାଡୁ, କର୍ଣାଟକ ତଥା କେରଳର ମଧ୍ୟ ଭାଗରେ ଵସଵାସ କରୁଥିଵା ତୁଲୁ ଭାଷୀ ଲୋକେ ମଧ୍ୟ ପୃଥିଵୀମାତା ତିନି ଦିନ ଧରି ରଜସ୍ଵଳା ହେଵାର ଵିଶ୍ଵାସ କରନ୍ତି ଏଵଂ ଫେବୃଆରୀ ୧୦ରୁ ଫେବୃଆରୀ ୧୪ ମଧ୍ୟରେ ଧରଣୀମାତାଙ୍କୁ ଆରାଧନା କରିଵା ହେତୁକ ಕೆಡ್ಡಸ(keḍḍasa) ଵା Keddaso ନାମରେ ଏକ ତ୍ରିଦିଵସୀୟ ପର୍ଵ ପାଳିଥାଆନ୍ତି । 

 ନାରୀମାନଙ୍କର ରଜଃସ୍ରାଵ ତିନିଦିନ ପର୍ଯ୍ୟନ୍ତ ହୁଏ ଓ ଚତୁର୍ଥଦିନ ରଜୋନିଵୃତ୍ତି ହୋଇଥାଏ । ଚତୁର୍ଥ ଦିଵସରେ ଋତୁ ସ୍ନାନାନନ୍ତର ପ୍ରଥମେ ପତିଙ୍କ ମୁଖ ଅଵଲୋକନ କରିଵା ଉଚିତ୍ କାରଣ ଋତୁସ୍ନାନର ଅଵ୍ୟଵହିତପରେ ଯେଉଁ ରୂପ ଦର୍ଶନ କରାଯାଏ ତଦନୁରୂପ ସନ୍ତାନ ଗର୍ଭରେ ଜନ୍ମେ ବୋଲି ଭାରତଵର୍ଷରେ ଲୋକଵିଶ୍ଵାସ ପ୍ରଚଳିତ। ଋତୁସ୍ରାଵ ହେଵା ପ୍ରକ୍ରିୟା ପ୍ରାକୃତିକ ଏଵଂ ଏଥିରେ ଲଜ୍ଜାବୋଧର କୌଣସି ସ୍ଥାନ ନାହିଁ । ପ୍ରକୃତି ଓ ପ୍ରକୃତିର ସମସ୍ତ ପ୍ରତିରୂପ ମଧ୍ୟରେ ଏହି ପ୍ରକ୍ରିୟା ସମଦୃଶ୍ଯ ହୁଏ ‌। 
 
ଭାରତୀୟ ଆଧ୍ୟାତ୍ମ ଶାସ୍ତ୍ରରେ ନାରୀକୁ ପ୍ରକୃତିଠାରୁ ଜାତ ଉଲ୍ଲେଖ କରାଯାଇଛି । ପୃଥିଵୀର ଜୀଵନୀଶକ୍ତି ହେଉଛି ପ୍ରକୃତି ।ଏହି ପ୍ରକୃତି ପ୍ରତ୍ୟେକ ଜୀଵିତ ଵସ୍ତୁ ମଧ୍ୟରେ ରହିଛି । ପ୍ରକୃତିର ଉପସ୍ଥିତି ଵିନା କୌଣସି ଗ୍ରହରେ ଜୀଵନ ଜାତ ହେଵା ଅସମ୍ଭଵ । ଏହି ପ୍ରକୃତିକୁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଵିଚାର କରାଯାଇପାରେ । ମଙ୍ଗଳଗ୍ରହରେ Geographical ସକ୍ରିୟତା ନଥିଵାରୁ ସେଠାରେ Biographical ସକ୍ରିୟତା ସମ୍ଭଵ ହୋଇପାରିନାହିଁ । ଏ ଉଭୟ ପ୍ରକାରର ସକ୍ରିୟତାକୁ ହିଁ ସାମୁହିକ ଭାଵରେ ‘ପ୍ରକୃତି’ କୁହାଯାଇଛି । କୌଣସି ଗ୍ରହରେ ଜୀଵ ସୃଷ୍ଟି ପାଇଁ ଏ ଉଭୟ ତତ୍ତ୍ଵ ନିତାନ୍ତ ଆଵଶ୍ୟକ ‌। 


ତେଣୁ ଯେମିତି ନାରୀ ତିନିଦିନ ଋତୁମତୀ ହୋଇଥାଏ ଠିକ୍ ସେହିପରି ପୃଥିଵୀମାତା ଵା ପ୍ରକୃତି ତିନିଦିନ କାଳ ଋତୁମତୀ ହେଵା କଳ୍ପନା କରାଯାଇଛି । 

ତାହେଲେ ରଜପର୍ଵର ନିର୍ଦ୍ଧିଷ୍ଟ ତିନିଦିନ କେଉଁ ଆଧାରରେ ନିର୍ଣ୍ଣୟ କରାଗଲା ? 
 
ଭାରତଵର୍ଷରେ ଵର୍ଷାକାଳକୁ ଚର୍ତୁମାସ୍ୟା କୁହାଯାଏ ଯାହା ଆଷାଢ଼ ମାସରୁ ଆରମ୍ଭ ହୋଇ ଆଶ୍ଵିନ ମାସ ଯାଏଁ ଚାରିମାସ ରହିଥାଏ । ଆଷାଢ଼ ମାସର ଠିକ୍ ଏକଦିନ ପୂର୍ଵରୁ ରଜପର୍ଵର ପ୍ରଥମ ଦିନ ପହିଲି ରଜ ପାଳନ ହୋଇଥାଏ । ମଧ୍ୟମ ଦିଵସ ହେଉଛି ରଜ ସଂକ୍ରାନ୍ତି ଏହିଦିନକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ । 

ଏହି ଦିଵସତ୍ରୟରେ ଭାରତଵର୍ଷର କଳିଙ୍ଗ ଦେଶରେ ହଳ, ପୃଥିଵୀଖନନ, ଵୀଜବପନାଦି କୃଷିକର୍ମ ନିଷିଦ୍ଧ ହୋଇଥାଏ । ଵୃଷମାସର ଶେଷଦିନକୁ 'ପହିଲିରଜ' ଓ ମିଥୁନ ମାସର ସଂକ୍ରାନ୍ତି ଦିନକୁ ଭୂଇଁନଅଣ ଓ ମିଥୁନ ମାସର ଦ୍ବିତୀୟ ଦିନକୁ 'ଠାକୁରାଣୀ ଗାଧୁଆ' ବୋଲାଯାଏ। ପୃଥିଵୀ ରଜସ୍ବଳା ହେଵା ପରେ ମିଥୁନ ଦ୍ବିତୀୟ ଦିନ ଶୁଦ୍ଧି ସ୍ନାନ କରିଵାର ଶାସ୍ତ୍ରରେ ଲେଖାଅଛି। ଆମ ଦେଶରେ ହିନ୍ଦୁ ସ୍ତ୍ରୀମାନେ ପୃଥିଵୀମାତା ଆରାମ କରନ୍ତି ବୋଲି ସେମାନେ ନିଜେ ମଧ୍ୟ ତାଙ୍କ ପ୍ରକୃତି ଶକ୍ତିର ଅଂଶ ହୋଇଥିଵାରୁ ସମସ୍ତ ନାରୀଜାତିର ସମ୍ମାନାର୍ଥେ ଏ ତିନିଦିନ ରାନ୍ଧନ୍ତି ନାହିଁ ଏଵଂ ଭୂମି ଉପରେ ଖାଲି ଗୋଡ଼ରେ ଚାଲନ୍ତି ନାହିଁ ତଥା ଦୋଳି ଖେଳି ଉତ୍ସଵରୂପେ ଏହି ତିନିଦିନକୁ ପଳିଥାଆନ୍ତି।

ପୁନଶ୍ଚ ଅଧୁନା ସମାଜ ମଧ୍ୟରେ କେହି କେହି ରଜପର୍ଵରେ ଥିଵା ରଜ ଶବ୍ଦକୁ ଧରି ଯୁକ୍ତି ବାଢ଼ନ୍ତି ଯେ ଏ ପର୍ଵର ଏଭଳି ନାମକରଣ ଅଵୈଜ୍ଞାନିକ ମାତ୍ର ସେମାନେ ରଜ ଶବ୍ଦର ସୂକ୍ଷ୍ମ ଶବ୍ଦାନୁଶୀଳନ କରିନଥିଵାରୁ ଏଭଳି ମନ୍ତଵ୍ୟ ଦେଇ ପରୋକ୍ଷରେ ନିଜର ଅଜ୍ଞତା ତଥା ହୀନମାସିକତାର ହିଁ ପରିଚୟ ଦେଇଥାନ୍ତି ‌ । 

ତେବେ ଅନ୍ୟମାନଙ୍କର ଆକ୍ଷେପର ଶିକାର ହୋଇ ଉପକୂଳ ଓଡ଼ିଶାର କେତେକ ଲୋକ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରିଵାକୁ ଯାଇ ମତ ଦେଉଛନ୍ତି...

ର+ଜ=ରଜ
‘ର’ ର ଅର୍ଥ ସଂସାର, 
ଜ’ ର ଅର୍ଥ ଯୋଚିଵା

କିନ୍ତୁ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ
ଯଥା—
‘ର’ ର ଅର୍ଥ ରଚନା
‘ଜ’ ର ଅର୍ଥ ଜଳ

ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ ମନୋଜ୍ଞ, ଚିତ୍ତାକର୍ଷକ ଲାଗୁଥିଲେ ହେଁ ନିରୁକ୍ତି ଵ୍ଯାଖ୍ଯା ପରି ବୈଜ୍ଞାନିକ ଓ ପ୍ରାମାଣିକ ନୁହେଁ । 'ର' ଆଉ 'ଜ' ମିଶି ରଜ ଶବ୍ଦ ସୃଷ୍ଟି ହୋଇଛି ବୋଲି ମତ ଦେଵା ଶବ୍ଦତତ୍ତ୍ଵ ଦୃଷ୍ଟିରୁ ଅଵୈଜ୍ଞାନିକ ଓ ଭାରତୀୟ ନିରୁକ୍ତି ତତ୍ତ୍ଵର ଵିପରୀତ ଆଚରଣ । 

ଅନେକଙ୍କ ମତରେ ଆମ ସମାଜରେ ଏହି ତିନି ଦିନ ପୃଥିଵୀ ରଜସ୍ଵଳା ହେଵାର କଳ୍ପନା କରାଯାଇଥିଲା ବୋଲି ଏହି ପର୍ଵର ନାମକରଣ ରଜ ହୋଇଅଛି ।

"ପଣ୍ଡିତ ସର୍ଵସ୍ଵ" ଗ୍ରନ୍ଥରେ ପୃଥିଵୀମାତା ରଜସ୍ବଳା ହେଵାର ପ୍ରମାଣ ଵାକ୍ଯ ଅଛି ଏଵଂ ତାହା ହେଲା

“ଵୃଷାନ୍ତେ ମିଥୁନସ୍ଯାଦୈ ତଦ୍ଦ୍ବିତୀୟ ଦିନ ତ୍ରୟଂ ।
ରଜସ୍ବଳା ସ୍ଯାତ୍ ପୃଥିଵୀ କୃଷିକର୍ମଵିଗର୍ହିତଂ ॥

ହଳାନାଂ ଵାହନଂ ଚୈଵ ଵୀଜାନାଂ ଵପନଂ ତଥା । 
ତାଵଦେଵ ନ କୁର୍ଵୀତ ଯାଵତ୍ ପୃଥ୍ବୀ ରଜସ୍ବଳା ॥

ପୃଥ୍ବୀ ରଜସ୍ବଳାଯାଵତ୍ ଖନନଂ ଛେଦନଂ ତ୍ଯଜେତ୍ ।
ଅନ୍ଯ କର୍ମାଣି କୁର୍ଵାତ ପୈତ୍ରଂ ଦୈଵଂ ନମାନୁଷଂ ॥”

କିନ୍ତୁ ରଜ ଶବ୍ଦର ଅର୍ଥ କେଵଳ ରଜସ୍ଵଳା ନୁହେଁ ଵରଂ ଏହାର ବହୁ ଵିଧ ଅର୍ଥ ରହିଛି ।

ତିନିଗୋଟି ପ୍ରକୃତି ଵା ଗୁଣ ରହିଛି ସେହି ତାହା ହେଲା ସତ୍ତ୍ଵ,ରଜ,ତମ ଏଵଂ ତନ୍ମଧ୍ୟରେ ‘ରଜ’ ଗୁଣ ସୃଷ୍ଟିତତ୍ତ୍ଵର ଧ୍ଯୋତକ । 

‘ରଜ’ ତତ୍ତ୍ଵ ଯୋଗୁଁ ଜୀଵ ସୃଷ୍ଟି ସମ୍ଭଵ ହୁଏ । ଵର୍ଷାଋତୁ ଆଗମନ ସହ ପୃଥିଵୀରେ ଅନେକ କୀଟ ପତଙ୍ଗ ଓ କ୍ଷୁଦ୍ର ଵିଶାଳ ପାଦପ ଜାତ ହୋଇଥାନ୍ତି । ରଜ ପର୍ଵ ସମୟରେ ଓଡ଼ିଶାରେ ଵର୍ଷାରମ୍ଭ ଘଟେ ଏଵଂ କଳିଙ୍ଗ ଦେଶରେ ନଵ ପାଦପ ଓ କୀଟପତଙ୍ଗାଦି ଜାତ ହୋଇଥାନ୍ତି । ଏ କଥା ସମସ୍ତେ ମାନିଵେ ଯେ ପୃଥିଵୀର ଅନ୍ଯତମ ଶ୍ରେଷ୍ଠ ରାଷ୍ଟ୍ର ଭାରତଵର୍ଷର ଅଧିକାଂଶଭାଗରେ ହେଉଥିଵା ଵର୍ଷା ହିମାଳୟ ପରି ଵିଶାଳ ପର୍ଵତମାଳା ଯୋଗୁଁ ମୌସୁମୀ ଵାୟୁ ପ୍ରଭାଵରୁ ହୋଇଥାଏ । 
ଭାରତଵର୍ଷରେ ମୌସୁମୀର ଆଗମନ ହୁଏ ଜୁନ୍ ମାସର ୫ରୁ ୨୦ ଦିନାଙ୍କ ମଧ୍ୟରେ ଆଉ ରଜପର୍ଵ ବି ପାଳିତ ହୋଇଥାଏ ଏହି ଜୁନ୍ ମାସର ୧୩ରୁ ୧୬ ଦିନାଙ୍କ ମଧ୍ୟରେ । ତେଣୁ ଭାରତୀୟ ଜଳଵାୟୁ ଵିଶେଷତଃ କଳିଙ୍ଗ ଦେଶର ଜଳଵାୟୁ ଆଧାରରେ ଭାରତରେ ରଜପର୍ଵର କଳ୍ପନା କରାଯାଇଛି ଫଳତଃ ଏ ପର୍ଵ ସମୟରେ ପୃଥିଵୀରେ ଵିଶେଷତଃ କଳିଙ୍ଗ ଦେଶରେ ରଜଗୁଣ ଵୃଦ୍ଧି ପାଉଥିଵାରୁ ଏହି ପର୍ଵର ନାମ ରଜପର୍ଵ ହୋଇଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ "ପୁଷ୍ପ ପରାଗ" ଅଟେ । ରଜ ଶବ୍ଦକୁ ସଂସ୍କୃତ ଭାଗଵତରେ ପରାଗ ଅର୍ଥରେ ପ୍ରୟୋଗ କରାଯାଇଛି...
  
“ପଦ୍ମକୋଶରଜୋ ଦିକ୍ଷୁ ଵିକ୍ଷିପତ୍ପଵନୋତ୍ସଵମ୍ ॥ ”
(ଭାଗଵତ । ୪ । ୨୪ । ୨୨ ।) 

ରଜ ପର୍ଵ ସମୟରେ ଓ ତତ୍ପରେ ଅନେକ ଵୃକ୍ଷରେ ପୁଷ୍ପ ଫୁଟେ ଏଵଂ ତହିଁରେ ମହୁମାଛି ତଥା ପ୍ରଜାପତିଙ୍କ ଦ୍ଵାରା ପରାଗ ସଙ୍ଗମ ଯୋଗୁଁ ସେ ଫୁଲ କ୍ରମଶଃ ଫଳ ଓ ଵୀଜରେ ପରିଣତ ହୋଇଥାଏ । ଏ ଦୃଷ୍ଟିରୁ ମଧ୍ୟ ଏହି ପର୍ଵରୁ ରଜପର୍ଵ କୁହାଯିଵା ସମୀଚିନ ହୃଦବୋଧ ହେଉଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ଆକାଶ ତଥା ପାଣି ଵା ଜଳ । ଋକଵେଦରେ ଜଳ ଅର୍ଥରେ ରଜ ଶବ୍ଦର ଵ୍ୟଵହାର ରହିଛି...

 “ଵିୟତ୍ତିରୋଧରୁଣମଚ୍ଯୁତଂ ରଜୋତିଷ୍ଠିପୋ ଦିଵ ଆତାସୁ ବର୍ହଣା । ”
(ଋଗ୍ଵେଦେ । ୧ । ୫୬ । ୫ ।)

ଆମେ ସମସ୍ତେ ଜାଣନ୍ତି ଯେ ରଜପର୍ଵ ସମୟରେ କଳିଙ୍ଗ ଦେଶରେ ମୌସୁମୀ ଆଗମନ ଯୋଗୁଁ ଵର୍ଷା ହୋଇଥାଏ । ଏହି ସମୟରେ ଵର୍ଷାଜଳ ପ୍ରାପ୍ତ ହେଉଥିଵାରୁ ଏ ପର୍ଵକୁ ରଜପର୍ଵ କୁହାଯିଵା ମଧ୍ୟ ଯୁକ୍ତିଯୁକ୍ତ ଅଟେ । 

ରଜ ଶବ୍ଦର ଆଉ ଏକ ଅର୍ଥ ରେଣୁ ଵା ଧୂଳି । ଏହି ଅର୍ଥରେ ଚରଣରଜ ଭଳି ଶବ୍ଦ ସୃଷ୍ଟି ହୋଇଅଛି ପୁନଶ୍ଚ ଶାସ୍ତ୍ରରେ ମଧ୍ୟ ରଜ ଶବ୍ଦ ରେଣୁ ଅର୍ଥରେ ଵ୍ୟଵହୃତ ।‌

“ପାଦାହତଂ ଯଦୁତ୍ଥାଯ ମୂର୍ଦ୍ଧାନମଧିରୋହତି ।
ସ୍ଵସ୍ଥାଦେଵାପମାନେଽପି ଦେହିନସ୍ତଦ୍ବସଂ ରଜଃ ॥ ”
(ମାଘେ । ୨ । ୪୬ ।)

ସାଧାରଣତଃ ରଜପର୍ଵ ସମୟରେ ଵର୍ଷା ହେଵାରୁ ପୂର୍ଵେ ଗ୍ରୀଷ୍ମଋତୁରେ ଆକାଶରେ ଉଡ଼ିବୁଲୁଥିଵା ଧୂଳିକଣା ଵର୍ଷାଜଳ ସହିତ ମିଶି ତଳକୁ ଚାଲି ଆସେ । ଫଳରେ ଆକାଶ ନିର୍ମଳ ତଥା ଵାୟୁ ସ୍ଵଚ୍ଛ ହୋଇଯାଏ । ଏଭଳି ସମୟରେ ରଜ ପର୍ଵ ପାଳିତ ହୋଇଥାଏ । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ଭୁଵନ ଵା ପୃଥିଵୀମାତା । ଭୁଵନ ଶବ୍ଦର ଏକ ଅର୍ଥ ଚଉଦ ବ୍ରହ୍ମାଣ୍ଡ,ଆନ ଏକ ଅର୍ଥ ଜଳ ମଧ୍ୟ ଅଟଇ । ଗୃହ ତଥା ଜୀଵକୁ ମଧ୍ୟ ଭୁଵନ କୁହାଯାଏ । ସ୍ଵୟଂ ଧରଣୀମାତାଙ୍କୁ ଆରାଧନା କରିଵାର ପର୍ଵ ହେଉଛି ରଜପର୍ଵ ଏଵଂ ଯେହେତୁ ତାଙ୍କର ଏକ ନାମ "ରଜ" ତେଣୁ ସେହି ନାମ ଆଧାରରେ ଏହି ପର୍ଵର ରଜ ନାମକରଣ କରାଯାଇଛି। 

ହଳ କରାହୋଇଥିଵା କ୍ଷେତକୁ ରଜ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ପ୍ରକୃତରେ ଆଗକାଳରେ ରଜ ପୂର୍ଵରୁ ବିଲରେ ହଳ କରି କୃଷକ ଵର୍ଷାକୁ ଅନାଇ ରହୁଥିଲା ଏଵଂ ଵର୍ଷା ଆଗମନ ପରେ କୃଷିକ୍ଷେତ୍ରରେ ଲାଗିପଡୁ଼ଥିଲା । ରଜ ପର୍ଵ ପୂର୍ଵରୁ କୃଷିକ୍ଷେତ୍ରକୁ ହଳ କରି ସେଥିରେ ଥିଵା ମାଟିକୁ ପିଟି ଗୁଣ୍ଡ କରି ଖେତକୁ ଚାଷୋପଯୋଗୀ କରିଥାଏ କୃଷକ । ଦକ୍ଷିଣ ପଶ୍ଚିମ ଓଡ଼ିଶାର "ଢେଲାପିଟଣା ପର୍ଵ" ଏହି କୃଷି ପ୍ରକ୍ରିୟାର ଏକ ସାଂସ୍କୃତିକ ରୂପ ।
 
ସେହିପରି ରଜ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା "ବାଦଲ ,ପ୍ରକାଶ, ଵାଷ୍ପ,ପାଉଁଶ ଓ ରାତ୍ରୀ" । 

ରଜଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥଗୁଡି଼କର ଵ୍ଯଵହାରରେ କଳିଙ୍ଗ ଦେଶର ରଜପର୍ଵ ସମୟର ଚିତ୍ର ଆଙ୍କାଯାଇପାରେ...

ଯଥା—
“ଵର୍ଷାଋତୁର ଆଗମନରେ 
ଆକାଶରେ ବାଦଲମାନେ ଜଳ ଵର୍ଷା କରୁଅଛନ୍ତି । 

ଵର୍ଷାକାଳ ଆସିଵା ଦେଖି ଚାଷୀମାନେ ବିଲରେ ହଳ କରୁଅଛନ୍ତି । 

ଵର୍ଷାଋତୁର ଆଗମନରେ ବୃକ୍ଷରେ ନଵ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତାହାର ପରାଗ ଓ ଵାସ ଚାରିଆଡ଼େ ଖେଳିଯାଇଛି ।

ଗ୍ରୀଷ୍ମକାଳୀନ "ଧୂଳି ଉଡ଼ିଵା ପ୍ରକ୍ରିୟା" ଵର୍ଷା ହେଵା ଯୋଗୁଁ ବନ୍ଦ ହୋଇଯାଇଛି ଫଳରେ ଚାରିଆଡ଼େ ସ୍ଵଚ୍ଛ ନିର୍ମଳ ପରିଵେଶ ଦୃଷ୍ଟିଗୋଚର ହେଉଅଛି ।



 ଏଭଳି ସୁନ୍ଦର ପରିଵେଶରେ ରଜପର୍ଵର ଆଗମନ ହୋଇଗଲାରୁ କଳିଙ୍ଗରେ ସର୍ଵତ୍ର ସଜବାଜ ଆରମ୍ଭ ହୋଇଯାଇଛି,ଏଠାକାର ଭୁଵନମାନ ଚଳଚଞ୍ଚଳ ଵ୍ଯସ୍ତଵହୁଳ ହୋଇଉଠିଛି ।”

ପୁଣି ରଜ ଶବ୍ଦର ସୂକ୍ଷ୍ମ ନିରୁକ୍ତିତତ୍ତ୍ଵ ଆଧାରରେ ମଧ୍ୟ ଏହାର ଵ୍ୟାଖ୍ୟା କରାଯାଇପାରେ । 'ରଜ' ଶବ୍ଦକୁ ସଂସ୍କୃତ ଧାତୁଶବ୍ଦ ‘ରନ୍ଜ ଵା ରଞ୍ଜ୍’ ଧାତୁରୁ ନିଷ୍ପନ୍ନ କରଯାଇଛି । 

ଏ ଧାତୁଶବ୍ଦରୁ ନିମ୍ନଲିଖିତ ଅର୍ଥରେ ରକ୍ତ,ରଙ୍ଗ ଆଦି ଶହ ଶହ ଶବ୍ଦ ନିଷ୍ପନ୍ନ ହୋଇଅଛି

•ରଙ୍ଗକରିଵା; ରଙ୍ଗାଇଵା
•ଆସକ୍ତ ହେଵା; ଅନୁରକ୍ତ ହେଵା
•ରଞ୍ଜିତ ହେଵା; ରଙ୍ଗାଯିଵା
•ନାଲି ପଡ଼ିଵା
•ପ୍ରଣୟାସକ୍ତ ହେଵା
•ଆନନ୍ଦିତ ହେଵା
•ସନ୍ତୁଷ୍ଟ ହେଵା

ଆମ ପ୍ରାକୃତିକ ପର୍ଵ ‘ରଜ’ ସମୟରେ ବି
ପୃଥିବୀ ସବୁଜ ରଙ୍ଗରେ ରଙ୍ଗେଇଯାଏ, ଵର୍ଷା କାଳ ଆଗମନ ଯୋଗୁଁ ରଜଗୁଣରେ ବୃଦ୍ଧି ହେତୁ
ଚାରିଆଡ଼େ ସର୍ଵପ୍ରାଣିଙ୍କ ମନରେ ଅନୁରକ୍ତି,କାମନା ବୃଦ୍ଧି ପାଏ,ଜଗତଯାକରେ ସୁଖ ସନ୍ତୋଷ ଓ ଆନନ୍ଦମୟ ପରିଵେଶର ଆଗମନ ହୁଏ ।


ଏହା ହେଉଛି ରଜ ଶବ୍ଦ ଓ ରଜପର୍ଵ ମଧ୍ଯରେ ଥିଵା ପ୍ରାକୃତିକ ଗୂଢା଼ର୍ଥ ଯାହା ଏ ପର୍ଵର ମହାନତା ପ୍ରକଟ କରିଥାଏ । 

ତେଣୁ ଯଦି କେହି ରଜପର୍ଵକୁ ନେଇ ଓଡ଼ିଶାଵାସୀଙ୍କୁ ଵ୍ୟଙ୍ଗ୍ୟ କରୁଅଛି ତାହା ତାହାର ଅଜ୍ଞାନତା ଛଡ଼ା ଆଉ କ'ଣ ହୋଇପାରେ । 

ଯିଏ ରଜ ଶବ୍ଦର ନିରୁକ୍ତି ଜାଣିନାହିଁ,ରଜ ପର୍ଵର ତାତ୍ତ୍ଵିକ ଵୈଜ୍ଞାନିକ ଦିଗ ହୃଦୟଙ୍ଗମ କରିନାହିଁ କି ନାରୀଜାତି ତଥା ପ୍ରକୃତିମାତା ଵା ମାଟିମାଆର ସମ୍ମାନ କରିଵା ଶିଖିନାହିଁ କେଵଳ ସେହି ଅମାନଵୀୟ ଵ୍ୟକ୍ତି ହିଁ ରଜ ପର୍ଵକୁ ହୀନ ଦୃଷ୍ଟିରେ ଦେଖି ଓଡି଼ଶାଵାସୀଙ୍କୁ ଟାପରା କରିପାରେ । ନାରୀଜାତିକୁ ସମ୍ମାନ ଦେଇ ଜାଣିଥିଵା ପ୍ରତ୍ୟେକ ମାନଵ ରଜପର୍ଵ ଭଳି ଏକ ଶ୍ରେଷ୍ଠ ଵୈଜ୍ଞାନିକ ପର୍ଵର ମହତ୍ତ୍ଵ ନିଶ୍ଚିତ ଉପଲଵ୍ଧି କରିପାରେ । 

••••••••••••••••••••••

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...