My Blog List

Showing posts with label କ୍ଷୁଦ୍ରଗଳ୍ପ. Show all posts
Showing posts with label କ୍ଷୁଦ୍ରଗଳ୍ପ. Show all posts

Sunday, June 9, 2024

ଶନିଦଶା

ଜଣେ ସ୍ତ୍ରୀଲୋକ ତା ପୁଅର ଵିଵାହ ପାଇଁ ଝିଅ ଠିକ୍ କରିଵାକୁ ପଡ଼ୋଶୀ ଗାଆଁକୁ ଯାଇଥିଲେ। ଝିଅଘର ଏଣେ ନିଜ ଝିଅ ପାଇଁ ଚିକିରିଆ ବର ଉଣ୍ଡୁଥାନ୍ତି । ଝିଅର ଯୋଗ୍ୟତା ବୋଇଲେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ । ଝିଅଘରକୁ ପୁଅର ମାଆ ଯାଇଥିଲା,ତାକୁ ଝିଅର ମାଆ କହିଲା ମୋ ଝିଅ ଯେମିତି ତା ଶାଶୁଘରେ ଖଟିଵନି ତାକୁ ଦୃଷ୍ଟିରେ ରଖି ମୁଁ ଵର ଉଣ୍ଡୁଚି । ତମେ ମୋତେ ପ୍ରତିଶ୍ରୁତି ଦିଅ ଯେ ତମ ଘରେ ମୋ ଝିଅ ଖଟିଵନି ବୋଲେ ମୁଁ ତୁମ ପୁଅ ହାତରେ ମୋ ଝିଅକୁ ଦେବି । ପୁଅର ମାଆ ଵିଚାରି କରେ କ'ଣ 🙄 ସହଜେ ଆଜିକାଲି ପ୍ରେମ ବିନା ଝିଅ ମିଳିଵା କଷ୍ଟ,ଜ୍ଞାତି ପରିଚିତ ବି ସେ ପ୍ରେମ ଭୟରେ କାହାର ବାହାଘର ଠିକ୍ କରାଉନାହାନ୍ତି କି ମଧ୍ୟସ୍ଥି ହେଉନାହାନ୍ତି । ପୁଅ ସୁନ୍ଦର ଡଉଲ ହେଲେ କ'ଣ ହେଵ ପୈତୃକ ସଂପତ୍ତି କହିଲେ ଛୋଟିଆ ବାଡ଼ି(ବାରି) ଖଣ୍ଡେ ଆଉ ବିଲ ଦି ଚାରିଖଣ୍ଡ ଅଛି । ଵର ଜଣକ ସରକାରଙ୍କ ଚାକର ହୋଇଥିଲେ ଅଵା ଆଶାଟିଏ ଥାଆନ୍ତା କିନ୍ତୁ ସେ ଗୋଟେ ସାଧାରଣ ବେସରକାରୀ ସଂସ୍ଥାର ନିମ୍ନ ବେତନ ପ୍ରାପ୍ତ କର୍ମଚାରୀ ତେଣୁ ତାକୁ ଝିଅ କିଏ ଦେଵ ? 
ବାଧ୍ୟ ହୋଇ ପୁଅର ମାଆ ଝିଅର ମାଆ ସର୍ତ୍ତରେ ରାଜି ହୋଇଗଲା ‌। ବାହାଘର ହେଲା,ଵୈଦେଶିକ ଶୈଳୀରେ ରିସପସନ୍ ହେଲା ଆଉ ଵର କନ୍ୟା ଦିଟା ସିଂହାସନରେ ରାଜା ରାଣୀ ଭଳି ବସି ମେଞ୍ଚେ ଫୋଟୋ ଉଠେଇ ଫେସବୁକରେ ଢାଳି ଗଦେଇ ଦେଲେ । 

ହେଲେ ସେଇଦିନ ରାତିରେ ହେଲା କାଣ୍ଡ । କାଣ୍ଡ କ'ଣ ହେଲା ଜାଣିଵା ଆଗରୁ ତା ପଛର କାହାଣୀ ଜାଣିନେଵା ଉଚିତ୍ ହେଵ । 
କଥା କ'ଣ କି ଝିଅର ଜଣେ ଅନ୍ୟ ଜାତିର ପ୍ରେମିକ ଥିଲା ଯିଏ କୋଟା ଯୋଗୁଁ ସରକାରୀ ଚାକିରୀ ପାଇଥିଲା । ସରକାରୀ ଚାକିରୀ ପାଇ ସରକାରୀ ଦଳର ଭକ୍ତ ହୋଇ ସେ ଭ୍ରଷ୍ଟାଚାର ବଳରେ ଚାରି ମହଲା ପିଟି ଦେଇଛି ଆଉ ଏଣେ ଗଦା ଗଦା ଟଙ୍କା ବି ରଖିଛି । ହଁ ତା ରୂପଟା ସିନା ସିନ୍ଧିଖୋଳା ଚୋର ପରି କିନ୍ତୁ ଏ ଦେଶରେ ଵର ସନ୍ଧାନ ତଥା ପ୍ରେମ କରିଵା ସମୟରେ ଵର ଓ ପ୍ରେମିକର ଵୟସ କି ଚର୍ମରଙ୍ଗ ନୁହେଁ ଵରଂ ଧନ ଓ ଚାକିରୀ ଦେଖାଯାଏ । ଝିଅର ମାଆ କିନ୍ତୁ ଜାତି ଭିନ୍ନ ଯୋଗୁଁ ୟେ ଟୋକାକୁ ପସନ୍ଦ କରୁନଥିଲା ତେଣୁ ବହେ ଧନ ଓ ବଡ଼ ସରକାରୀ ଚାକିରୀ ଥାଇ ବି ଝିଅ ଦେଉନଥିଲା । ହେଲେ ଝିଅର ମନ ତ ଟୋକାଠିଁ ଲାଖିଛି । ବାହା ହେଲେ ପ୍ରତିଦିନ କେମିତି ଦଶ ପଟ ଶାଢ଼ୀ ପିନ୍ଧିଵ,ଷୋହଳ ରଙ୍ଗର ଲିପିଷ୍ଟିକି ଲଗେଇଵ ଓ ପଚିଶ ହଳ ହାଇ ହିଲି ପିନ୍ଧି ପଚାଶ ଲଖିଆ ଗାଡ଼ିରେ ନଗର ବୁଲିଵ ଝିଅ ସେଇ ସପନ ଦେଖୁଥାଏ । 

କିନ୍ତୁ ଦୈଵ ଦୁର୍ଯୋଗକ୍ରମେ ଝିଅର ବାହାଘର ତାହାରି ଜାତିର ଜଣେ ଟୋକା ସହିତ ହୋଇଗଲା ‌। ବାହାଘର ପରେ ଝିଅ ତିନି ଦିନ କ'ଣ କରିଵ ବୋଲି ବହୁତ ଭାବିଲା । ଶେଷରେ ତୃତୀୟ ଦିନ ବାଥରୁମ ଭିତରୁ ତା ଚାକିରିଆ ପ୍ରେମିକ ପାଖକୁ ଫୋନ୍ ଗଲା । 
ଚତୁର୍ଥୀ ଦିନ ରିସେପନ୍ ପରେ ଵର କନ୍ୟାଙ୍କ ମିଳନ ହୋଇଥାନ୍ତା କିନ୍ତୁ କନ୍ୟାଟି କୌଶଳରେ ଵରକୁ କ'ଣ ଗୋଟେ ଶୁଙ୍ଘେଇ ଦେଲା ଆଉ ସେଠୁ ରାତି ଅଧିଆ ଚାରିଟା କବାଟ ଖୋଲି ପ୍ରେମିକ ତୁଲେ ପଳାଇ ଗଲା । 

ଏ ଘଟଣା ଵର୍ଷେ ପାଖାପାଖି ହୋଇଗଲାଣି। ଚଉଠି ରାତିରେ ଵିଵାହିତା ସ୍ତ୍ରୀ ଛାଡ଼ି ପଳେଇଥିଵା ଟୋକାଟି ଆଉ ଗୋଟାଏ ଝିଅକୁ ବାହା ହେଇ ଛୁଆଟେ କାଢ଼ି ଦେଲାଣି କିନ୍ତୁ ତା ସ୍ତ୍ରୀ କିଛି କାମ କରୁନି ଵରଂ ପୁଅର ମାଆ ହିଁ କୂଅ ନଳକୂଅରୁ ପାଣି ଆଣୁଛି ଘର ଓଳାଉଛି ଭାତ ରାନ୍ଧୁଛି ଇତ୍ୟାଦି ଇତ୍ୟାଦି ୩୦୯ କାମ କରୁଛି ।

ଏପଟେ ଯୋଉ ଝିଅଟି ଚଉଠି ରାତିରେ ଅଜାତି ପ୍ରେମିକ ତୁଲେ ପଳାଇଥିଲା ତା ଚାକିରିଆ ପ୍ରେମିକର ଏବେ ଶନିଦଶା ପଡ଼ିଛି । ଶନି ଦଶା ବୋଲେ ଏଇଆ ଯେ ୨୫ ଵର୍ଷର ସରକାର ବଦଳି ନୂଆ ଦଳର ସରକାର ଆସିଵାରୁ ଭ୍ରଷ୍ଟାଚାରୀଙ୍କ ଉପରେ ଘନ ଘନ କାର୍ଯ୍ୟାନୁଷ୍ଠାନ ହେଉଛି । ଏ ଅଜାତି ପ୍ରେମିକ ମହାଶୟ ବି ଦଶ ଵର୍ଷ ହେଲା ବହୁତ ଅଧର୍ମ ବିତ୍ତ ସାଉଁଟିଥିଲେ ପୁଣି ପୂର୍ଵ ଶାସକ ଦଳର ପ୍ରଶଂସକ ସମର୍ଥକ ତେଣୁ ଏବେ ନୂଆ ସରକାରର ୟାଙ୍କ ଉପରେ କୋପ ଦୃଷ୍ଟି ପଡ଼ିଛି । 

ଗାଆଁରେ ବି ଏ କଥା ଇତି ମଧ୍ୟରେ ଶୁଣାଗଲାଣି । ଲୋକେ କୁହାକୁହି ହେଉଛନ୍ତି ଦଶ ଵର୍ଷ ତଳେ ଯୋଉ ଶନି ଦଶା ଝିଅର ଵର ଉପରେ ପଡ଼ିଥିଲା ସେଇ ଶନି ଦଶା ଏବେ ଝିଅର ପ୍ରେମିକ ଉପରେ ପଡ଼ିଛି । ମୁଁ ଶୁଣିଲାରୁ କହିଲି ହଉ ପଡ଼ୁ ପଡ଼ୁ ସବୁ ଭ୍ରଷ୍ଟାଚାରୀଙ୍କ ଉପରେ ଶନିଦଶା ପଡ଼ିଲେ ହିଁ ଦେଶର ମଙ୍ଗଳ ଯେ...

(କଳ୍ପିତ...)

Monday, June 26, 2023

ଶୁଭ ଅଶୁଭ

ଗୋଟିଏ ରାଜନୈତିକ ଦଳର ସଦସ୍ୟଙ୍କର ଜଣେ ସାହିତ୍ୟିକ ବନ୍ଧୁ ଥିଲେ । ଉଭୟ ବନ୍ଧୁ ମଝିରେ ମଝିରେ ରାଜଧାନୀରେ ଭେଟାଭେଟି ହୋଇ ଯାଆନ୍ତି । ଥରେ ଦୁଇ ବନ୍ଧୁ ଚାଆ ଦୋକାନରେ ଚାଆ ପିଇସାରି ବାହରକୁ ବାହାରୁ ଥାଆନ୍ତି ଏତିକିବେଳେ ଗୋଟେ କଳା ବିଲେଇଟେ ସେପଟ ଦେଇକି ଚାଲିଗଲା । ରାଜନୀତିଆ ବନ୍ଧୁ ମୁହଁ ଶୁଖେଇ ଦେଲେ । ତାଙ୍କର ପଦୁଅଁ ଫୁଲ ମିତାନ ମଉଡ଼ା କିମ୍ପାଇଁ ଶୁଖିଗଲା ବୋଲି ସାହିତ୍ୟିକ ପଚାରି ଦେଲେ । ବିରକ୍ତି ପ୍ରକାଶ କରି ରାଜନୀତିଆ ବନ୍ଧୁ କହିଲେ, ଧେତ୍... ବଡ଼ ଜାଟି ଆକ୍କା, ଦେଖୁନା ମଣିଷ ଗାଧୋଇ ପାଧୋଇ ଘରୁ କେତେ କଷ୍ଟରେ ଆସିଥିଲା ଏଇଁଲେ ବାଟ ଘାଟ ମାରା ହେଇଗଲା ! ସେ କଳା ବିଲେଇଗୁଡ଼ା ବଡ଼ ଅଶୁଭ ,ଅଲଖେଣିଆ ଏବେ ଦେଖିଵ କିଛି ନା କିଛି ମନ୍ଦ ଘଟଣା ନିଶ୍ଚୟ ଘଟିଵ । 

ସତକୁ ସତ ତା ପରଦିନ ଦେଶରେ ଗୋଟେ ବଡ଼ ଧରଣର ରେଳ ଦୁର୍ଘଟଣା ହୋଇଗଲା । କିଛି ଦିନ ପରେ ସାହିତ୍ୟିକ ଓ ରାଜନୈତିକ ବନ୍ଧୁ ପୁଣି ଚାଆ ଦୋକାନରେ କଥା ହେଉଥାନ୍ତି । 

ସାହିତ୍ୟିକ କହିଲେ— ବୁଝିଲ ବନ୍ଧୁ ତୁମେ ଠିକ୍ କହୁଥିଲ ଶୁଭ ଅଶୁଭ ବୋଲି ନିଶ୍ଚେ କିଛି ଗୋଟାଏ ଅଛି ! ଦେଖୁନା ସେଦିନ କଳା ବିଲେଇଟିଏ ତୁମ ବାଟ କାଟି ଚାଲିଗଲା ବୋଲି ତା ପରଦିନ କେଡ଼େ ବଡ଼ ଦୁର୍ଘଟଣାଟେ ହୋଇଗଲା । ଚାଆ ଦୋକାନୀ ଗାଉଁଲି ଲୋକ ସେ ସାହିତ୍ୟିକଙ୍କ କଥା କାଟି କହିଲା ନା ମ ସେହି ଅମୁକ ଦଳର ସମୁକ ନେତା ଏ ଦେଶ ପାଇଁ ଅଶୁଭ ! ଦେଖୁନା କୋଡ଼ିଏ ଵର୍ଷ ତଳେ ସେ ଯେତେବେଳେ ଆମ ପ୍ରଦେଶର ମନ୍ତ୍ରୀ ଥିଲେ ଏଠି ଦୁଇ ଵର୍ଷ ଭିତରେ ଚକ୍ରଵାତ, ସୁନାମି ଆଉ ଭୂମିକମ୍ପ ହୋଇଯାଇଥିଲା ଆଉ ଏଥର ଦେଶର ମନ୍ତ୍ରୀ ହେଵାରୁ ଅମୁକେଇ ଦେଶ ସହିତ ଆମ ଦେଶର ଝଗଡ଼ା ହେଉଛି,ଉଡ଼ାଜାହାଜ ଓ ରେଳ ଦୁର୍ଘଟଣା ହେଉଛି ପୁଣି ରୋଗ ଵୈରାଗରେ ଲକ୍ଷ ଲକ୍ଷ ଲୋକ ବି ମରୁଛନ୍ତି...! 

ରାଜନୀତିଆ ବନ୍ଧୁ ଏକଥା ଶୁଣି ସାମାନ୍ୟ ଵିଵ୍ରତ ହୋଇ କହିଲେ... ”ନା ନା ଏ କ୍ଷେତ୍ରରେ ଆମେ ଅମୁକେଇ ନେତାଙ୍କୁ ଅଶୁଭ କହିପାରିଵା ନାହିଁ । କାରଣ ସେ ଆମ ଗଙ୍ଗା ଭଳି ପଵିତ୍ର ଓ ଗାଈ ପରି ସରଳିଆ ସାଧୁ ସଚ୍ଚୋଟ ଦଳର ନେତା । 
ସବୁ ଭୁଲ୍ ସେଇ କଳା ବିଲେଇଟାର ସେ ହିଁ ଅଶୁଭ ଆଉ ତାହାରି ଯୋଗୁଁ ସେ ରେଳ ଦୁର୍ଘଟଣା ଘଟିଥିଲା ...”
...
..
.
(ଏହି ଲେଖାଟି ସହିତ କୌଣସି ରାଜନୈତିକ ଦଳ, ସାମ୍ପ୍ରତିକ ଘଟଣା ସହିତ କିଛି ବି ସମ୍ପର୍କ ନାହିଁ । ଏହା ସମ୍ପୂର୍ଣ୍ଣ କାଳ୍ପନିକ ଏଵଂ କେଵଳ ହାସ୍ୟରସ ଯୁକ୍ତ ଆଲେଖ୍ୟ। ତେଣୁ ପାରିଲେ କେଵଳ ହସନ୍ତୁ, ଉଡ଼ନ୍ତା ତୀର ମନେ କରି ଛାତିରେ ଧରିଲେ ଆପଣଙ୍କ ହିଆ ଵିଦୀର୍ଣ୍ଣ ହେଵ ଆମ୍ଭର ନୁହେଁ 👻🙏)

Friday, June 23, 2023

ପୂର୍ଣ୍ଣିମା(ଖ଼ଲୀଲ୍ ଜ଼ିବ୍ରାନ)

ସେହି ନଗରରେ ପୂର୍ଣ୍ଣିମାର ଚନ୍ଦ୍ରମା ତା'ର ଅପରୂପ ସୌନ୍ଦର୍ଯ୍ୟ ସହିତ ଉଦୟ ହେଵା ମାତ୍ରେ ସମସ୍ତ କୁକୁରମାନେ ତାକୁ ଦେଖି ଭୁକିଵାକୁ ଲାଗିଲେ ।
କେଵଳ ଗୋଟିଏ କୁକୁର ନ ଭୁକି ଅନ୍ୟ କୁକୁରମାନଙ୍କୁ ଗମ୍ଭୀର ସ୍ୱରରେ କହିଲା, "ଚନ୍ଦ୍ରମାର ନିଦ୍ରା ଭାଙ୍ଗିଵ ନାହିଁ କି ତୁମ୍ଭେମାନେ ତାକୁ ଭୁକି ସ୍ଵର୍ଗରୁ ମର୍ତ୍ତ୍ୟକୁ ଆଣିପାରିଵ ନାହିଁ । "

ସେହି ସମୟରେ ସମସ୍ତ କୁକୁର ଭୁକିବା ବନ୍ଦ କରିଦେଲେ ଏଵଂ ହଠାତ୍ ଏକ ଅଦ୍ଭୁତ ନୀରଵତା ଦେଖାଦେଲା । ମାତ୍ର ଯୋଉ କୁକୁରଟି ଅନ୍ୟ କୁକୁରମାନଙ୍କୁ ଚୁପ୍ ରହିଵାକୁ କହିଥିଲା ସେହି କୁକୁରଟି ସାରା ରାତି ଭୁକି ଚାଲିଥିଲା ଏଵଂ ଅନ୍ୟ କୁକୁରମାନଙ୍କୁ ଚୁପ୍ ରହିଵାକୁ ଉପଦେଶ ଦେଉଥିଲା ।

(ଖ଼ଲୀଲ୍ ଜ଼ିବ୍ରାନଙ୍କ କାହାଣୀ the full moonର ଓଡ଼ିଆ ଭାଵାନୁଵାଦ ; ମୂଳ କାହାଣୀ ନିମ୍ନରେ ପ୍ରଦତ୍ତ ହୋଇଛି) 

The Full Moon

The full moon rose in glory upon the town, and all the dogs of that town began to bark at the moon.

Only one dog did not bark, and he said to them in a grave voice, "Awake not stillness from her sleep, nor bring you the moon to the earth with your barking."

Then all the dogs ceased barking, in awful silence. But the dog who had spoken to them continued barking for silence, the rest of the night.

© ଖ଼ଲୀଲ୍ ଜ଼ିବ୍ରାନ


Friday, January 27, 2023

ଭୁଲ୍ ବୁଝାମଣା


ଗଡ଼ଜାତିଆ ଟୁକେଲ ଗୁଟେ ବାଲେଶ୍ଵରିଆ ଟୁକା ସାଁଘେ ଵାହା ହେଲା । ଶ୍ଵଶୁରଘରେ ଟୁକା ଛେନା ତରକାରୀ ମାଗିଲାରୁ ତାକୁ ଟୁକେଲ ଗୋବର ଘସି ରାନ୍ଧି ବାଢ଼ିଦେଲା । 
ବାଲେଶ୍ଵରରେ ନିଇତି ସକାଳେ ସନ୍ଧ୍ୟାରେ ଟୁକା ତୁଣ-ଭୁଜା ଖାଉଥିଲା ଅଥଚ ଗଡ଼ଜାତିଆ ଝୀ କେ ଚାହାରେ ଭୁଜା ମିଶାଇକରି ଖାଏଵାରକେ ଭଲ ଲାଗେ । 

ଦିନେ ତାଙ୍କ ଘରେ ଭୁଜା ସରି ଯାଇଥିଲା । ସେଇଠୁ ଗଡ଼ଜାତିଆଣୀ କହିଲା, "ଭୁଜା ସରି ଯାଇଛେଁ ; ଛୁଚା ତୁନ୍ ଖାଏଵ କାଁଏ ?”

ବାଲେଶ୍ଵରିଆ ଵର ବୋଇଲା, "ଏ ବାପ ! ସେଦିନ ଗୋବର ଘସି ତରକାରୀ ରାନ୍ଧିଥିଲ, ଦେଇକି ଆଜି ଏରକଁ କିସ ଛୁଚା ତରକାରୀ ଖୁଆଇଵ ?"
. 
କଥା କ'ଣ ବୁଝିଵାକୁ କିଛି ଦିନ ଲାଗିଗଲା ।
. 
ପ୍ରକୃତରେ ଗଡ଼ଜାତରେ ଛୁଚା ଅର୍ଥାତ୍ ତୁଚ୍ଛା (ଖାଲି) କିନ୍ତୁ ବାଲେଶ୍ଵରିଆ ଓଡ଼ିଆ ଶୈଳୀରେ ଛୁଚା ବୋଇଲେ 'ଚୁଚୁନ୍ଦ୍ରା' । ତେଣୁ ଛୁଚା ତରକାରୀ ମାନେ ଗଡ଼ଜାତିଆଣୀ ଚୁଚୁନ୍ଦ୍ରା ତରକାରୀ ରାନ୍ଧିଥିଵ ବୋଲି ଟୁକା ଭାଵିଲା । 

ବୁଝିଲା ପରେ, ବାଲେଶ୍ଵରିଆ ଟୁକା କହିଲା, ସେଦିନ ତୁମ କଥା ଶୁଣିକିନା ମୁଁ ଏକାବେଳେକେ ରାଗିକି 'ନିଆଁ-ବାଣ୍' ହୋଇଯାଇଥିଲି ।
ଟୁକେଲ୍ କହିଲା, "ଈ ବୁଆ ଗୋ ! ତୁମର୍ ସେନେ ନିଆଁ ଲାଗିଗଲା କାଏଁ ?!"

...

Saturday, September 17, 2022

ମୂକ ଵଧିର

କଳିଙ୍ଗର ରାଜଧାନୀ ସିଂହପୁରରେ ମଦନ ଏକ ବିପଣୀ ଖୋଲିଥିଲା କିନ୍ତୁ ହଠାତ୍ କଳିଙ୍ଗ ଦେଶ ଉପରେ ଆକ୍ରମଣ ହୋଇଗଲାରୁ ରାଜଧାନୀରେ ଆର୍ଥିକ ତଥା ରାଜନୈତିକ ଅସ୍ଥିରତା ଯୋଗୁଁ ତାହାର ବେପାର ବୁଡି଼ଗଲା । ତହୁଁ ସେ ନିଜ ଗ୍ରାମ ହରିହରପୁରକୁ ବାହୁଡି଼ ଅଇଲା।

କିଛି ଦିନ ପରେ ତାଙ୍କ ଗାଆଁକୁ ତା ସାନମାମୁ ଦ୍ଵିତୀୟା ଓଷା ଭାର ନେଇ ଆସିଲେ । ମଦନର ମାମୁ ଜଣେ ବଡ଼ ଜଣାଶୁଣା ରାଜକର୍ମଚାରୀ ଥିଲେ ଏଵଂ ତାଙ୍କରି ସହାୟତା ଯୋଗୁଁ ମଦନ ରାଜଧାନୀରେ ବିପଣିଟିଏ ଖୋଲିଥିଲା । ଏବେ ବିପଣିରେ ଲାଗିଥିଵା ଅର୍ଥ ଚାଲିଯିଵା ଯୋଗୁଁ ମଦନ ଉପରେ ତା ମାମୁଙ୍କର ଭିତିରିଆ ରାଗଟିକେ ଥିଲା । 

ସେ ଯାହା ହେଉ ମାମୁଙ୍କୁ ଭେଟିଵାରୁ ମଦନ ତାଙ୍କୁ ଯୁହାରେ ହେଲା ଓ ଭଲ ମନ୍ଦ ପଚାରି ବୁଝିଲା। 

କଥା ପ୍ରସଙ୍ଗରେ ମଦନର ମାମୁ ତାକୁ ପଚାରିଲେ 

—ଆଉ କେବେ ଯାଉଛୁ ?

ସେ କହିଲା ଏବେ ତ ଆସିଛି ଦେଖାଯାଉ କୋଉ ପାଣି କୁଆଡ଼କୁ ଯାଉଛି ...! 

ମାମୁ—ତଥାପି ? 

ମଦନ—ହଁ କିଛି ଦିନ ଭିତରେ 
ଆଉ ଥରେ ସିଂହପୁର ଗଡ଼କୁ ଯିବି ତାପରେ କମ୍ଭୁକଟକକୁ ଯାଇ ଜଣେ କଵିଙ୍କୁ ଭେଟି ତାଙ୍କ ପାଖରେ କିଛି ଦିନ ରହିଵାର ଅଛି !!!

ମାମୁ—ସେଠାରେ କି କାମ ?

ମଦନ —ନା ସେମିତି କିଛି ନାହିଁ, କିଛି ଲୋକଙ୍କୁ ଭେଟିଵାର ଅଛି ଵିଶେଷକରି କିଛି କଵିଙ୍କ ସହିତ କାଵ୍ୟଚର୍ଚ୍ଚା ହେଵ ! ଆଉ କିଛି ନୁହେଁ !!!

ମାମୁ—ସେମାନେ କ'ଣ ତୋତେ ଖାଇଵାକୁ ଦେବେ ? ଆରେ ଆସିକି ବାହା ସାହା ହେଵାର ଵୟସ ହେଲାଣି ତଥାପି ସେ କାଵ୍ୟ କଵିତା ଶାସ୍ତ୍ରାଦି ଭିତରେ ମାତିଛୁ ? ଆଉ କେତେଦିନ ଏଇମିତି ପିଲାଳିଆମି କରୁଥିବୁ ?

ମଦନ ପ୍ରଥମେ ଭାବୁଥିଲା ତା ମାମୁ ତାହାର ମଙ୍ଗଳ ହେତୁକ ଏତେ କଥା କହିଛନ୍ତି କିନ୍ତୁ ପରେ ସେ ହୃଦୟଙ୍ଗମ କଲା ଯେ ତାହାର ମାମୁ ତାକୁ ଧନ ମାନ ସମ୍ମାନ ଓ କ୍ଷମତା ନଥିଵାରୁ ନ୍ୟୁନ ହୀନ ଵିଚାର କରି ଏଭଳି କହିଛନ୍ତି । 

ଏଣୁ ଯଥାଶୀଘ୍ର ନିଜ ଗ୍ରାମ ତ୍ୟାଗକରି ମଦନ ଯଜ୍ଞପୁର ନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲା । ବାଟରେ ଥକା ଲାଗିଵାରୁ ଗୋଟିଏ ପୋଖରୀ ପାଖ ଏକ ଗଛରେ ଘୋଡ଼ାକୁ ବାନ୍ଧି ଗାଧୋଇଵାକୁ ଲାଗିଲା ।

ଏତିକିବେଳେ ଆଉ ଜଣେ ଲୋକ ସେହି ପୋଖରୀକୁ ଗାଧୋଇଵାକୁ ଆସିଲା । ସେହି ଲୋକଟି ଯେଉଁ ଗଛରେ ମଦନ ନିଜ ଘୋଡ଼ା ବାନ୍ଧିଥିଲା ସେଇ ଗଛରେ ନିଜ ଘୋଡ଼ାକୁ ବାନ୍ଧିଵାକୁ ଉଦ୍ୟତ ହୁଅନ୍ତେ ମଦନ ବଡ଼ ପାଟିରେ ତାକୁ କହିଲା "ହଇକିୟେ ଭାଇ ! ସେ ଘୋଡ଼ାଟା ମୋ ଘୋଡ଼ା ଆଉ ବହୁତ ଦୁଷ୍ଟ , ସେ ଗଛରେ ତମେ ତମ ଘୋଡ଼ା ନବାନ୍ଧି ଅନ୍ୟ ଗଛରେ ବାନ୍ଧ ‌। ”

ଦ୍ଵିତୀୟ ଲୋକଟି ମଦନର କଥାକୁ ସେତେ ଗୁରୁତ୍ଵ ନଦେଇ ଯୋଉ ଗଛରେ ମଦନ ନିଜ ଘୋଡ଼ା ବାନ୍ଧିଥିଲା ସେଇ ଗଛରେ ହିଁ ଆପଣା ଘୋଡ଼ା ବାନ୍ଧି ପୋଖରୀ ଭିତରକୁ ଚାଲିଆସିଲା । 

ମଦନର ଘୋଡ଼ା ତ ଦୁଷ୍ଟ ଥିଲା ଦ୍ଵିତୀୟ ଲୋକଟିର ଘୋଡ଼ା ତା ସହ ଲାଗିଵାରୁ ମଦନର ଘୋଡ଼ା ତାକୁ ମାରି ଦେଲା ...

ଦ୍ଵିତୀୟ ଲୋକଟି ଯେମିତି ଘୋଡ଼ା ଝଗଡ଼ା ଦେଖିଛି ହାଁ ହାଁ କହି ଗଛ ପାଖକୁ ଦୌଡ଼ିଗଲା ବେଳକୁ ତାହାର ଘୋଡ଼ା ଆଉ ଜୀଵନରେ ନଥିଲା । 

ଦ୍ଵିତୀୟ ଲୋକଟି ମଦନକୁ ଘୋଡ଼ା ମରିଵା ହେତୁ ଦାୟୀ କରି ତାଠୁ କ୍ଷତିପୂରଣ ଦାବି କଲା ହେଲେ ମଦନ ତା କଥା ଆଦୌ ଶୁଣିଲା ନାହିଁ । 


ସେଠୁ ସେମାନେ ଦୁଇଜଣ ସେ ଗାଆଁର ନ୍ୟାୟାଧିକାରୀଙ୍କ ପାଖକୁ ଗଲେ । ନ୍ୟାୟାଧିକାରୀ ପାଖରେ ପହଞ୍ଚିଯିଵାରୁ ଦ୍ଵିତୀୟ ଲୋକଟି ମଦନ ଉପରେ ନାନା ଦୋଷ ଲଗାଇ ତା ଘୋଡ଼ା ମରିଵା ହେତୁ ଦାୟୀ କରି କହି ଚାଲିଥାଏ । 

ଶେଷରେ ନ୍ୟାୟାଧିକାରୀ ମଦନକୁ ପଚାରିଲେ “ଆଚ୍ଛା ବାବୁ ! ତୁମେ ନିଜ ସମର୍ଥନରେ କିଛି କହିଵ କି ?” 

ମଦନ ହଠାତ୍ ବୁଝିପାରିଲା ନାହିଁ କ'ଣ କହିଵ ସେ କେଵଳ ଚାରିଆଡ଼କୁ ବଲ ବଲ କରି ଚାହୁଁଥାଏ” 

ସେଇଠୁ ନ୍ୟାୟାଧିକାରୀ ଵିରକ୍ତ ହୋଇ ବୋଇଲେ

“ଆରେ ୟେ ଲୋକଟିତ ଜଣେ ମୁକ କାଲ ଵ୍ୟକ୍ତି ଜଣାପଡ଼ୁଛି ଆଉ ତମେ ୟା ଉପରେ ଦୋଷାରୋପ କରୁଛ ?”

ଦ୍ଵିତୀୟ ଵ୍ୟକ୍ତିଟି ଆଉ ସହିପାରିଲା ନାହିଁ କହୁ କହୁ କହିଦେଲା 

“ୟେ ପୁଣି ମୁକ ଵଧିର ? ଆହେ ୟେ ପରା ନିଜେ ମୁଁ ଗଛରଜ ଘୋଡ଼ା ବାନ୍ଧୁଥିଵା ବେଳେ ଚିଲ୍ଲେଇକରି କହୁଥିଲା ମୋ ଘୋଡ଼ା ଦୁଷ୍ଟ ତୁମେ ଅନ୍ୟ ଗଛରେ ନିଜ ଘୋଡ଼ା ବାନ୍ଧ” 

କିନ୍ତୁ ନ୍ଯାୟାଧିକାରୀକୁ ତା କଥା ଵିଶ୍ଵାସ ହେଲାନାହିଁ ତେଣୁ ସେ ମଦନକୁ ନିର୍ଦ୍ଦୋଷ ଘୋଷଣା କଲେ । ସେଇଠୁ ମଦନ ଯଜ୍ଞପୁର ଆଡ଼କୁ ଘୋଡ଼ା ଝପଟାଇ ଚାଲିଗଲା...

(ଵି.ଦ୍ର :—ଜହ୍ନମାମୁଁ ପତ୍ରିକାରେ ପ୍ରକାଶିତ ଏକ ଗଳ୍ପକୁ ଉତ୍କଳୀୟ ଶୈଳୀରେ ଲେଖିଦେଇଛି । ମୂଳ ଗଳ୍ପଟି ୧୯୭୮ ହିନ୍ଦୀ ଚନ୍ଦାମାମା ଜାନୁଆରୀ ସଂଖ୍ୟାର ଏଵଂ ନାମ ଥିଲା मूक आदमी । ପ୍ରକୃତରେ ଏହା ସତ୍ୟଘଟଣାକୁ ଗଳ୍ପର ରୂପ ଦେଵାର ଏକ ନିରର୍ଥକ ପ୍ରୟାସ ମାତ୍ର...🙄 )

Wednesday, May 18, 2022

॰॥ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰


ସଂସାରୀ ଲୋକଙ୍କୁ ସାଧୁସନ୍ଥମାନେ ପାଗଳ ବୋଧ ହୁଅନ୍ତି ‌ । ବହୁଵର୍ଷ ତଳେ ଉତ୍କଳ ଦେଶରେ ଜଣେ ସାଧୁ ରହୁଥିଲେ ! ସଂସାରକୁ ମାୟା ବୁଝି ତହିଁରେ ପରିଵ୍ୟାପ୍ତ ମୋହ ମାୟା ରାଗ ଦ୍ୱେଷକୁ ଜାଣି ସେ ପ୍ରାୟତଃ ମୌନ ରୁହନ୍ତି । ଏପରିକି ଯେତେବେଳେ କେହି ତାଙ୍କ ପୋଷାକ ଦେଖନ୍ତି ଏଵଂ ଵ୍ୟଙ୍ଗ୍ୟ କରନ୍ତି  କିମ୍ବା ତାଙ୍କୁ ପାଗଳ ବୋଲି ଭାବି ପଥର ମାରନ୍ତି ସେ ତିଳେ ମାତ୍ର ଵିଚଳିତ ନହୋଇ ତାହା ଦୈଵ ପରୀକ୍ଷା ମନେ କରି ନୀରଵ ରୁହନ୍ତି  ।

ଦିନକର କଥା ।  ସେହି ସାଧୁଜଣକ ଏକ ଗାଁଆ ଦେଇ ଯାଉଥାନ୍ତି ଦେଖିଲେ  ଏକ ଶ୍ଵାନ ତାଙ୍କର ପଶ୍ଚାତଗମନ କରୁଅଛି ।
ଆଗରେ ଗୋଟିଏ ବରଗଛ ଥିଲା ଯେ ସେଠାରେ କିଛି କ୍ଷଣ ଛିଡ଼ା ହେଲେ ଠିକ୍ ସେହି ସମୟରେ ପଛେ ପଛେ ଆସୁଥିଵା କୁକୁରଟି ତାଙ୍କ ପାଖରେ ପହଞ୍ଚି ଲାଙ୍ଗୁଡ଼ ହଲାଇଵାକୁ ଲାଗିଲା ।

ନିଜ ସମ୍ମୁଖରେ ଶ୍ଵାନଟିକୁ ଦେଖି ସେ ମହାତ୍ମାଙ୍କ ମନରେ କି ଭାଵ ଉତ୍ପନ୍ନ ହେଲା କେଜାଣି ସେ ପଛେ ପଛେ ଚାଲି ଆସିଥିଵା ସେହି ଶ୍ଵାନ ଉପରେ ସଵାର ହୋଇ ଭିକ୍ଷାନ୍ନରୁ ପ୍ରାପ୍ତ ଅନ୍ନ ଭକ୍ଷଣ କରିଵାକୁ ଲାଗିଲେ ।

ନିଘିନିଘିଆ ଉପରବେଳାଟାରେ
କିଛି ଲୋକ ସୂର୍ଯ୍ୟତାପରୁ ରକ୍ଷା ପାଇବା ପାଇଁ ସେଠାରେ ଵିଶ୍ରାମ ନେଉଥାନ୍ତି |
ଏହି ଦୃଶ୍ୟ ଦେଖି ସେହି ଲୋକମାନେ ପେଟ ଫଟେଇ ହସିଲେ,ହସି ହସି ଗଡି଼ଗଲେ ।

ସଂସାର ଵୈରାଗୀ ସାଧୁ ତ କାଳେ କାଳେ ରାଗ ଦ୍ଵେଷ ଚିନ୍ତାଶୂନ୍ୟ ହୋଇଥାନ୍ତି, ଏକଚାଲା ମନଭାବୁକା ସଦା ପ୍ରଫୁଲ୍ଲ ହୋଇଥାନ୍ତି ତେଣୁ ବରଗଛ ମୂଳେ ବସି ତାଙ୍କୁ ଦେଖି ହସୁଥିଵା ଲୋକଙ୍କୁ ଦେଖି ସେ ବି ହସିଦେଲେ...

ସେଠି ବସିଥିଵା ସବୁ ଲୋକ ଆଶ୍ଚର୍ଯ୍ୟ !!!

ଶେଷରେ ସାଧୁ କହିଲେ...

“ଵିଷ୍ଣ୍ଯୁପରି ସ୍ଥିତୋ ଵିଷ୍ଣୁଃ
ଵିଷ୍ଣୁ ଖାଦତି ଵିଷ୍ଣଵେ ।
କଥଂ ହସସିରେ ଵିଷ୍ଣୋ
ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥”

Thursday, March 10, 2022

ନୀଳଵର୍ଣ୍ଣ ଶୃଗାଳର କାହାଣୀ

ନୀଳଵର୍ଣ୍ଣ ସେ ନିଜେ ମାଖି ନଥିଲା ଵରଂ ତାହା ତ ତା'ର ଜନ୍ମ କାଳରୁ ଥିଲା । ହଁ ସେ ନୀଳଵର୍ଣ୍ଣ ଶୃଗାଳଟି ଏକ ଵର୍ଣ୍ଣସଙ୍କର ଥିଲା କିନ୍ତୁ ଏଥିରେ ତାର ଵା ଦୋଷ କ'ଣ ?

ଶ୍ଵାନ ଓ ଶୃଗାଳର ସନ୍ତାନ ଥିଲା ସେ କିନ୍ତୁ ଶୃଗାଳ ସମାଜ  କାଳେ ଘୃଣା ଚକ୍ଷୁରେ ଦେଖିବ  ତେଣୁ ତା ମାଆ ତାକୁ ଏକ ଗୁମ୍ଫା ମଧ୍ୟରେ ଲୁଚେଇ ରଖିଥିଲା । କ୍ରମେ ନୀଳଵର୍ଣ୍ଣ ଶୃଗାଳ ବଡ଼ ହେଵାକୁ ଲାଗିଲା । ପଦାକୁ ବାହାରି ଚାରିଆଡ଼ ବୁଲି ଦେଖିଵାକୁ ତାର ବଡ଼ ମନ ହେଲା ।

ତା ମାଆ କିନ୍ତୁ ଆକଟ କରେ ବାହାରକୁ ଯାଆନାରେ ବାପ ଏବେ ସେ ସମୟ ଆସିନି ।
ଦିନେ ମାଆର କଥା ନମାନି ନୀଳଵର୍ଣ୍ଣ ଶୃଗାଳଟି ପଦାକୁ ବାହାରି ଖଣ୍ଡେ ଦୂର ଯାଏଁ ବୁଲିଲା । ଅନ୍ୟ ଶୃଗାଳମାନେ ତାକୁ ଦେଖି ଭୟରେ ଚିତ୍କାର କଲେ ଆଉ ଦଳବଦ୍ଧ ହୋଇ ମାରି ପକେଇଵାକୁ ଉଦ୍ଯତ୍ତ ହେଲେ ।
ବଡ଼ କଷ୍ଟରେ ସେ ଯେନତେନ ପ୍ରକାରେ ଗୁମ୍ଫା ଭିତରକୁ ପଳାଇ ଆସିଲା । ଶୃଗାଳ ମାନଙ୍କ ପ୍ରତି ତାହାର ଦ୍ୱେଷ ଓ ଘୃଣା ହେଲା । ସେମାନେ ତାହାର ଜାତିଭାଇ ହୋଇଥିଲେ ହେଁ ସେ ସେମାନଙ୍କୁ ନିଜର ଭାବୁନଥିଲା ।

ଦିନ ଗଡି଼ଚାଲିଲା । ନୀଳଵର୍ଣ୍ଣ ଶୃଗାଳ ମଧ୍ୟ ବଡ଼ ହେଵାକୁ ଲାଗିଲା । ତେବେ ସେ ଯେତିକି ଯେତିକି ବଡ଼ ହେଉଥାଇ ଶୃଗାଳ ଜାତିପ୍ରତି ତାହାର ଘୃଣା ମଧ୍ୟ ବଢି଼ଚାଲିଥାଇ ।

ଦିନେ ରାତିରେ ନୀଳଵର୍ଣ୍ଣ ଶୃଗାଳ ସେ ଜଙ୍ଗଲ ଛାଡ଼ି ଅନ୍ୟ ଏକ ଜଙ୍ଗଲକୁ ଚାଲିଗଲା ।

ନୂଆ ଜଙ୍ଗଲରେ ଶ୍ଵାନମାନଙ୍କର ଶାସନ ଥିଲା । ଶ୍ଵାନମାନେ ସେ ନୀଳଵର୍ଣ୍ଣ ଶୃଗାଳକୁ ଦେଖି ପ୍ରଥମେ ଡରିଗଲେ କିନ୍ତୁ କିଛି ବୁଦ୍ଧିଆ ଶ୍ଵାନ ସାହସ କରି ତା ପାଖକୁ ଗଲେ ଏଵଂ ଆଦର ସତ୍କାର ସହ କୁଶଳ ମଙ୍ଗଳ ପୁଚ୍ଛାକଲେ ।

ନୀଳଵର୍ଣ୍ଣ ଶୃଗାଳକୁ ଏତେ ଆଦର ସତ୍କାର ମିଳନଥିଲା । ନିଜ ପିତୃରାଜ୍ୟରେ ଏତାଦୃଶ ସମ୍ମାନ ଆଦର ପାଇ ସେ ଗଦ୍ ଗଦ୍ ହୋଇଗଲା ।

ଶ୍ଵାନମାନେ ନୀଳଵର୍ଣ୍ଣ ଶୃଗାଳଠାରୁ ତା ମାତୃଦେଶ ଵିଷୟରେ ସବୁ ଶୁଣିଲେ । ସେମାନେ ନୀଳଵର୍ଣ୍ଣ ଶୃଗାଳକୁ ସାହାଯ୍ୟ କରିଵାକୁ ପ୍ରତିଶ୍ରୁତି ଦେଲେ ।

ତହୁଁ ନୀଳଵର୍ଣ୍ଣ ଶୃଗାଳ ନିଜ ମାତୃଦେଶ ଶୃଗାଳ ରାଇଜକୁ ଫେରିଲା ଏଵଂ ତା ପରି ଆଉ କେହି ଅଛନ୍ତି କି ନାହିଁ ଉଣ୍ଡିଵାକୁ ଲାଗିଲା । କେତେକ ଦିନ ମଧ୍ୟରେ ଆଉ ଦୁଇ ଚାରିଜଣ ତାହାରି ପରି ବର୍ଣ୍ଣଶଙ୍କର ଶୃଗାଳ ମିଳିଗଲେ ।

ସେଇଠୁ ଆରମ୍ଭ ହେଲା ଦେଶଵ୍ୟାପୀ ଵିଦ୍ରୋହ । ଶୃଗାଳଵନର ଶ୍ଵାନଦେଶ ସହିତ ଲାଗିକରିଥିଵା ଭୂମିକୁ କଳେ ବଳେ କୌଶଳେ ନିଜର ବୋଲି ଦାବୀ କରି ଶୃଗାଳମାନଙ୍କୁ ଅପମାନିତ କରିଵା ଓ ହରାଇଵା ଥିଲା ସବୁ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଲକ୍ଷ୍ୟ ‌ ।

ଏପଟେ ଶ୍ଵାନମାନେ ମଧ୍ୟ ଶୃଗାଳମାନଙ୍କୁ ଶୃଗାଳଵନରୁ ମାରି ତଡି଼ଵାକୁ ଗୁପ୍ତରେ ଯୋଜନା କରିଥାଆନ୍ତି । ଶ୍ଵାନଦେଶରେ ଖାଦ୍ୟାଭାଵ ତଥା ଶ୍ଵାନବଂଶ ବୃଦ୍ଧି ଯୋଗୁଁ ଵିସ୍ତୃତ ଭୂଭାଗର ଆଵଶ୍ୟକତା ରହିଵା ସ୍ଵାଭିଵିକ କଥା ।

ଶ୍ଵାନମାନେ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ସାହାଯ୍ୟ କରିବେ କହି ଶୃଗାଳଵନ ଉପରେ ଆକ୍ରମଣ କରିଦେଲେ । ଏହି ଭୀଷଣ ଯୁଦ୍ଧରେ “ଘର ଢିଙ୍କି କୁମ୍ଭୀର” ନୀଳଵର୍ଣ୍ଣ ଶୃଗାଳ ଓ ତା’ପରି ଅନ୍ୟ ଅନେକ ଵର୍ଣ୍ଣସଙ୍କର ଶୃଗାଳମାନେ ନିଜ ପିତୃଦେଶୀୟ ଶ୍ଵାନମାନଙ୍କୁ ସହଯୋଗ କଲେ ।

ଫଳତଃ ଘରଭଙ୍ଗା ଜାତିଦ୍ରୋହୀ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଯୋଗୁଁ ସମଗ୍ର ଶୃଗାଳ ଜାତି କ୍ଷତିଗ୍ରସ୍ତ ହେଲା । କେତେନାକେତେ ଶୃଗାଳ ହତ ହେଲେ କେତେ ଆହତ ହେଲେ ଏଵଂ ବଞ୍ଚିଯାଇଥିଵା ଶୃଗାଳମାନେ ଉକ୍ତ ଵନ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଲେ ।

ଯୁଦ୍ଧ ଶେଷ ହେଲାରୁ ନୀଳଵର୍ଣ୍ଣ ଶୃଗାଳ ଓ ତାହାର ଅନ୍ୟ ଵର୍ଣ୍ଣସଙ୍କର ଶୃଗାଳ ବନ୍ଧୁମାନେ ଵିଜୟ ଗର୍ଵରେ ନାଚିଵାକୁ ଲାଗିଲେ ।

ଭୋଜୀର ଆୟୋଜନ ହେଲା । ଶ୍ଵାନଦେଶରୁ ସେ ଦେଶର ପୁରଖା ଶ୍ଵାନନେତାମାନେ ଵିଜିତ ଶୃଗାଳ ଦେଶକୁ ନୀରିକ୍ଷଣ କରିଵାକୁ ଆସିଲେ ।

ନୀଳଵର୍ଣ୍ଣ ଶୃଗାଳ ସମେତ ସବୁ ଵର୍ଣ୍ଣସଙ୍କର ଶୃଗାଳମାନେ ସେତେବେଳକୁ ମାଂସ ଖାଇ ଆନନ୍ଦ ଵିଭୋର ହୋଇ ପଡି଼ଥାନ୍ତି ।

ଶ୍ଵାନଦେଶର ନେତାମାନେ ସେମାନଙ୍କୁ ଦେଖି ପରସ୍ପର ସହିତ ଆଲୋଚନା କରୁଥାଆନ୍ତି...

“ଆମ ଲକ୍ଷ୍ୟ ତ ପୂରଣ ହେଇଗଲା ! ଏ ଜାରଜଗୁଡ଼ା ଆଉ କି କାମରେ ଆସିବେ ?”

ଆଉ ଜଣେ ଶ୍ଵାନନେତା କହିଲା
ଏମାନଙ୍କୁ ଦାସ କରି ରଖିହୁଅନ୍ତା କିନ୍ତୁ ଏମାନେ ବିଶ୍ବାସଘାତକ । ଯୋଉମାନେ ଆପଣା ସ୍ଵାର୍ଥଲାଭ ହେତୁ ନିଜ ଜାତି ସହିତ ଵିଶ୍ଵାସଘାତ କରିଛନ୍ତି ସେମାନେ କେବେ ଵିଶ୍ଵାସପାତ୍ର ହେବେ କି ...?

ମୁଖ୍ୟ ଶ୍ଵାନନେତା ସବୁ ଶୁଣୁଥାନ୍ତି...

ତାପରେ ଶ୍ଵାନସୈନ୍ୟମାନଙ୍କୁ ଆଦେଶ ହେଲା...

ଜାରଜ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ମାରି ତଡି଼ଦିଅ ଆଉ ଵିରୋଧ କଲେ ସେମାନଙ୍କୁ ବନ୍ଦୀ କର...

Monday, January 10, 2022

🔵କାକଵନ ଗୃହଯୁଦ୍ଧ କଥା🔵


ଗୋଟିଏ ଜଙ୍ଗଲରେ ସବୁପ୍ରକାରର ପକ୍ଷୀ ଥିଲେ ବି କାଉମାନଙ୍କର ସଂଖ୍ୟା ସବୁ ପକ୍ଷୀମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ଥିଲା ଫଳତଃ ମନୁଷ୍ୟମାନେ ଉକ୍ତ ଵନକୁ କାକଵନ ନାଆଁ ଦେଇଥିଲେ ।

ସେ ଵନରେ ଵିଭିନ୍ନ ଜାତିର ପଶୁ ପକ୍ଷୀ କୀଟ ପତଙ୍ଗ ଥିଲେ ହେଁ ସର୍ଵାଧିକ କା କା ରାଵର ଗୁଞ୍ଜରଣ  ତଥା ସର୍ଵତ୍ର କାଉଙ୍କ ଉପସ୍ଥିତି ଯୋଗୁଁ ଜଙ୍ଗଲ ବାହାରେ ରହୁଥିଵା ମଣିଷମାନେ ସେ ଜଙ୍ଗଲକୁ କାଉମାନଙ୍କର ଜଙ୍ଗଲ ଭାବରେ ଜାଣିଥିଲେ ।

କାଉମାନେ ମନେ ମନେ ଚାହୁଁଥିଲେ ଯେ ସାରା ଜଙ୍ଗଲଟା ଯାକର ଜୀଵ କେଵଳ କା କା କରନ୍ତୁ । ସେମାନେ ଯେମିତି ଡାଳରେ ଥଣ୍ଟ ଘସନ୍ତି ସେମିତି ଥଣ୍ଟ ଘସନ୍ତୁ ଇତ୍ୟାଦି ।

କାଉମାନଙ୍କୁ ନିଜ କଳାରଙ୍ଗ ସବୁଠାରୁ ସୁନ୍ଦର ଲାଗୁଥିଲା । କା କା ରାଵଙ୍କୁ ସେ ଵେଦଧ୍ଵନି ମନେ କରୁଥିଲେ ଏଵଂ ତାଙ୍କର ଗଛ ଡାଳରେ ଥଣ୍ଟ ଘସା ହିଁ ସର୍ଵାଧିକ ଵୈଜ୍ଞାନିକ ବୋଲି ସେମାନେ ଵିଚାର କରୁଥିଲେ ।

ମୟୁରପୁଚ୍ଛକୁ ଦେଖି କାକମାନେ କାକା ରାବି ଟାପରା କରୁଥିଲେ , କୋଇଲି ନିଜ ଭଉଣୀ ହେଇ ସୁଦ୍ଧା କା କା ନରାବି କୁ କୁ ରାବୁଥିଵାରୁ ତାଙ୍କର ଵେଦ ଅଶୁଦ୍ଧ ହୋଇଯାଏ । କୋଇଲିକୁ ଯୋଉଠେ ଦେଖନ୍ତି ତାକୁ ମାରି ଗୋଡା଼ନ୍ତି । ପେଚାଟା କାଉମାନଙ୍କର ଦୌରାତ୍ମ୍ୟ ସହିନପାରି ରାତିରେ ବାହାରିଵା ଆରମ୍ଭ କରିଦେଲାଣି ।‌ ଅନ୍ୟାନ୍ୟ ସମସ୍ତ ପଶୁ ପକ୍ଷୀ କାଉମାନଙ୍କର ଅତ୍ୟାଚାର ସହି ସହି ବଡ଼ କଷ୍ଟରେ କାଳାତିପାତ କରୁଥାନ୍ତି ।

କାଉମାନଙ୍କର ସଂଖ୍ୟା ଅଧିକ ଥିଵାରୁ ସେମାନଙ୍କ ଜାତିରେ ନେତାମାନେ ହିଁ ପକ୍ଷୀ ସମାଜର ଉଚ୍ଚ ଆସନରେ ବସୁଥିଲେ । ଅଧିକାଂଶ କାକନେତା ଚାହୁଁଥିଲେ ଯେ ଅନ୍ତତଃ ବଣର ସବୁ ପକ୍ଷୀ କା କା ରାଵ କରନ୍ତୁ । କି କୁ ଚିଁ ଚିଁ ଚେଁ ଚେଁ କିଚିର ମିଚିରି
ଆଦି ଶହେ ପ୍ରକାରର ରାଵ ଥିଲେ ବି ସେସବୁ କାକମାନେ ବୁଝିପାରୁନଥିଲେ ଏଵଂ ଅନ୍ୟାନ୍ୟ ପକ୍ଷୀମାନଙ୍କର ଡାଳପତ୍ରରେ ଥଣ୍ଟଘସା ସଂକେତ ବୁଝିପାରୁନଥିଵାରୁ କାଉମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡୁ଼ଥିଲା ।

ଥରେ ଡାମରାକାଉଟିଏ ପକ୍ଷୀସମାଜର ସର୍ଵୋଚ୍ଚନେତା ଭାବେ ନିର୍ଵାଚିତ ହେଲା ‌ । କିଛି ଦିନ ମଧ୍ୟରେ ସେ ଆଦେଶ ଦେଇ ଦେଲା ଯେ ଏଣିକି କା କା ରାଵ ସବୁ ପକ୍ଷୀମାନଙ୍କର ଜାତୀୟ ବୋବାଳି ହୋଇଗଲା ‌ । ଏବଠାରୁ ସବୁ ପକ୍ଷୀ ତାଙ୍କ ବସା ପାଖରେ ନିଜ ମାଆଠାରୁ ଶିଖିଥିଵା ବୋବାଳି ଚିଁ ଚିଁ ଚୁଁଚୁଁ ଆଦି କରିପାରିବେ କିନ୍ତୁ ନିଜ ବସାରୁ ବାହାରକୁ ବାହାରି ଅନ୍ୟ ଥାନକୁ ଗଲାବେଳେ ଅନ୍ୟ ପକ୍ଷୀ ସହିତ କଥା ହେଲାବେଳେ କେଵଳ କା କା କରି ହିଁ ବୋବେଇବେ ।

ସବୁ କାଉମାନେ ଯେମିତି ଘୋଷଣା ଶୁଣିଲେ ଉକ୍ତ ନେତା ଡାମରାକାଉ ପ୍ରଶଂସାରେ ପୋତି ପକେଇଲେ । ଏଣେ ଅନ୍ୟ ପକ୍ଷୀମାନେ ବଡ଼ ଅଡ଼ୁଆରେ ପଡି଼ଲେ ‌ । ଏବେ କ'ଣ କରାଯିଵ ? ସବୁ ପକ୍ଷୀ ତ ଆଉ କା କା ରାବି ପାରିବେନି କି ବୁଝିପାରେନି । ପକ୍ଷୀସମାଜର ଅନ୍ୟ ଜାତୀୟ ପକ୍ଷୀମାନେ ଏହି ଆଇନର ଭୀଷଣ ଵିରୋଧ କଲେ କିନ୍ତୁ କାଉମାନେ ତାଙ୍କର ଗୃଧ ,ଛଞ୍ଚାଣ, ଚିଲ ଆଦି ଜାତିଭାଇଙ୍କୁ ହାତକରି ସେହି ପକ୍ଷୀ ଆନ୍ଦୋଳନକୁ ନିର୍ମମ ଭାବରେ ଦମନ କଲେ ।

ପକ୍ଷୀମାନଙ୍କର ଜଙ୍ଗଲରେ ଏଣିକି କାଉମାନଙ୍କର
ଶାସନ ଥିଲା । କାଉମାନଙ୍କର କା କା ବୋବାଳି ସବୁ ପକ୍ଷୀ ବୋବାଉଥିଲେ । ଯେଉଁ ପକ୍ଷୀମାନେ ଏହି ନିୟମ ଅମାନ୍ୟ କରି ଚିଁ ଚିଁ କିଚିରି ମିଚିରି ବୋବେଇଲା ତାକୁ ଦେଶଦ୍ରୋହୀ ଆଖ୍ୟା ଦେଇ ଜଙ୍ଗଲରୁ ତଡ଼ି ଦିଆଯାଉଥିଲା ।

ଜଙ୍ଗଲର ଦକ୍ଷିଣ ଭାଗରେ ଗୋଟିଏ ବଡ଼ ଦିଘିଟିଏ ଥିଲା କିନ୍ତୁ ସେପଟେ କାଉମାନଙ୍କର ବସା ଅଳ୍ପ । ଜଙ୍ଗଲର ଦକ୍ଷିଣାଞ୍ଚଳରେ ବଗ ଓ ହଂସମାନଙ୍କର ବସା ଅଧିକ ଥିଲା । ସେମାନେ କାଉମାନଙ୍କର ଆଇନକୁ ମାନୁନଥିଲେ । ଯୋଉ କାଉ ସେମାନଙ୍କୁ କା କା ରାଵର ଜ୍ଞାନ ଦେଇ ଦେଶଦ୍ରୋହୀ ଅଭିହିତ କରୁଥିଲା ବଗ ଓ ହଂସମାନେ ମିଶି ତାକୁ ଖୁମ୍ଫି ଖୁମ୍ପି ତଡ଼ି ଦେଉଥିଲେ । ଏହା ଧିରେ ଧିରେ ଆଞ୍ଚଳିକ ଵୈଷାମ୍ୟରେ ପରିଣତ ହେଲା । କାଉମାନେ ମଣିଷମାନଙ୍କ ଗାଆଁରୁ ନିଆଁ ଆଣି ହଂସ ଓ ବଗଙ୍କ ଘର ଉପରେ ପକେଇ ତାଙ୍କୁ ମାରିଦେଵାକୁ ଚେଷ୍ଟା କଲେ । ଏପଟେ ବଗମାନଙ୍କର ଏକତ୍ର ଆକ୍ରମଣରେ ଅନେକ କାଉ ଜୀଵନ ହାରିଲେ ।

ଜଙ୍ଗଲ ରାଇଜଟା ଭିତରେ ଅଳ୍ପଦିନ ଭିତରେ ଗୃହ ଯୁଦ୍ଧ ଲାଗିଗଲା । ଗୋଟିଏ ପଟରେ ବଗ ଓ ଅନ୍ୟାନ୍ୟ ପକ୍ଷୀ ଥିଲାବେଳେ ଅନ୍ୟ ପକ୍ଷରେ କାଉ,ଚିଲ ,ଶାଗୁଣାମାନେ ତାଙ୍କୁ ପ୍ରତିହତ କରିଵାକୁ ଚେଷ୍ଟା କରୁଥିଲେ ।

ଏହି ଗୃହଯୁଦ୍ଧ ଅନେକ ଦିନ ଯାଏଁ ଚାଲିଲା । ପକ୍ଷୀସମାଜର ଅନେକ ମରିଲେ କିନ୍ତୁ ବଣଭୁଆଦିଙ୍କୁ ଢେର୍ ଖାଦ୍ୟ ମିଳିଲା । ଶେଷରେ କାଉମାନେ ହାରିଗଲେ ଏଵଂ ଏହା ସହ ପକ୍ଷୀସମାଜ ମଧ୍ୟରେ ଥିଵା ସୌହାର୍ଦ୍ଦ୍ୟ ମଧ୍ୟ ଲୋପପାଇଗଲା । କୁହାଯାଏ ସେହିଦିନଠାରୁ ପକ୍ଷୀମାନେ ଅଲଗା ଅଲଗା ସମାଜରେ ରହିଵା ପସନ୍ଦ କରନ୍ତି । କାଉମାନେ ସବୁପକ୍ଷୀଙ୍କଠାରୁ ଶୋଚନୀୟ ପରାଜୟ ଵରଣ କରିଥିଵାରୁ ଯେକୌଣସି ପକ୍ଷୀକୁ ଦେଖିଲେ ମାରିଗୋଡା଼ନ୍ତି ।

(କାହାଣୀ ଭାବୁଛନ୍ତି କି 🙃 ଭାରତରେ ମଧ୍ୟ ସବୁ ଅହିନ୍ଦୀଭାଷୀଙ୍କ ଉପରେ ହିନ୍ଦୀକୁ ରାଷ୍ଟ୍ରଭାଷା କହି ଲଦିଵାକୁ ଚେଷ୍ଟା କଲେ ସେହି ପକ୍ଷୀରାଜ୍ୟ ଭଳି ସମସ୍ୟା ସୃଷ୍ଟି ହୋଇପାରେ ଯେ ! ମନେ ରଖନ୍ତୁ ପ୍ରଥମେ ମାତୃଭାଷା ପରେ ଆଉ ଯେତେ ଭାଷା । )

Sunday, January 9, 2022

ସ୍ଵର୍ଣ୍ଣଗର୍ତ୍ତର କାହାଣୀ

ପିଙ୍ଗଳପ୍ରିୟ ନାମରେ ଜଣେ ରାଜା କନକଦେଶରେ ରାଜତ୍ଵ କରୁଥିଲେ ଏଵଂ ତାଙ୍କର ସବୁଠାରୁ ପ୍ରିୟ ରଙ୍ଗ ଥିଲା ହଳଦିଆ ରଙ୍ଗ । ତାଙ୍କ ରାଜପ୍ରସାଦ ପିଙ୍ଗଳଵର୍ଣ୍ଣ, ତାଙ୍କ ଶରୀର ମଧ୍ୟ ପିଙ୍ଗଳଵର୍ଣ୍ଣର ଥିଲା । ସେ ହଳଦିଆ ରଙ୍ଗର ଖାଦ୍ୟ ଖାଉଥିଲେ, ହଳଦିପାଣିରେ ଗାଧୋଉଥିଲେ, ହଳଦିଆ ଵସ୍ତ୍ରାଭୂଷଣ ପିନ୍ଧୁଥିଲେ,ହଳଦୀ ରଙ୍ଗର ପୁଷ୍ପମାଳା  ଧାରଣ କରୁଥିଲେ ଆଉ ହଳଦିଆ ରଙ୍ଗର ସୁନା ତାଙ୍କର ଅତି ପ୍ରିୟ ଥିଲା ।

କଥିତ ଅଛି ଯେ ସେ ଏତେ ମାତ୍ରାରେ ହଳଦିଆ ଦ୍ରବ୍ୟର ସେଵନ କଲେ ଯେ ତାଙ୍କ ଵିଷ୍ଠା,କେଶ,ଶରୀର ସବୁ ପିଙ୍ଗଳ ଵା ହଳଦି ରଙ୍ଗର ହୋଇଯାଇଥିଲା ।

ରାଜାଙ୍କ ସେଵକମାନେ ରାଜାଙ୍କର ଯାଵତୀୟ ଵର୍ଜ୍ୟଵସ୍ତୁ ଏକଠାଁରେ ବଡ଼ ଗର୍ତ୍ତ ଖୋଳି ପକାଇ ଦିଅନ୍ତି । ରାଜାଙ୍କ ଦିହର ହଳଦୀ ଧୁଆ ପାଣିଠାରୁ ରାଜାଙ୍କ ଵିଷ୍ଠାଯାଏଁ ସବୁକିଛି ସେହି ଗର୍ତ୍ତରେ ପକେଇ ଦିଆଯାଏ ।

ଉକ୍ତ ରାଜାଙ୍କର ରାଜସେଵକମାନେ ଵର୍ଜ୍ୟଵସ୍ତୁ ଫିଙ୍ଗାଯିଵା ଗର୍ତ୍ତଟି ଵିଷୟରେ ବାହାର ଲୋକଙ୍କ ଆଗରେ କହିଵା ବେଳେ ଅତିରଞ୍ଜିତ କରି ଵର୍ଣ୍ଣନା କଲେ । କେହି କେହି ରାଜସେଵକ ଗପୁ ଗପୁ କହିଦେଲେ ରାଜାଙ୍କର ଯୋଉ ସୁନାରୁ ମନ ଛାଡି଼ଯାଏ ତାକୁ ମଧ୍ୟ ଆମେ ସେହି ଗର୍ତ୍ତରେ ପକାଇ ଦେଉ ‌। ସେ ଗର୍ତ୍ତରେ ତ ଗଦା ଗଦା ସ୍ଵର୍ଣ୍ଣାଳଙ୍କାର ପଡି଼ଛି । ରାଜଦଣ୍ଡ ଭୟରେ କେହି ଗୋଟାନ୍ତି ନାହିଁ ‌।

କାଳକ୍ରମେ ସେହି ରାଜାଙ୍କ ଦେହାଵସାନ ହୋଇଗଲା କିନ୍ତୁ ଉକ୍ତ ଦେଶରେ ରାଜାଙ୍କର ଵର୍ଜ୍ୟଵସ୍ତୁ ପଡୁ଼ଥିଵା ଗର୍ତ୍ତଟି ଗୋଟିଏ କିମ୍ବଦନ୍ତୀରେ ଜୀଵନ୍ତ ହୋଇ ରହିଲା ।

ଫଳତଃ କେତେକ ଵର୍ଷ ମଧ୍ୟରେ ସେଇ ରାଜ୍ୟରେ ଗୋଟିଏ କିମ୍ବଦନ୍ତୀ ସୃଷ୍ଟି ହୋଇଗଲା । କିମ୍ବଦନ୍ତୀ ଅନୁସାରେ ପିଙ୍ଗଳପ୍ରିୟ ରାଜାଙ୍କ ପାଖରେ ଅମାପ ସ୍ଵର୍ଣ୍ଣ ସମ୍ପତ୍ତି ଥିଲା ଏଵଂ ଯେତେବେଳେ ରାଜାଙ୍କର କୌଣସି ସ୍ଵର୍ଣ୍ଣ ସମ୍ବନ୍ଧିତ ଵସ୍ତୁ ପ୍ରତି ଆସକ୍ତି କମିଯାଉଥିଲା ସେ ଉକ୍ତ ସ୍ଵର୍ଣ୍ଣଦରଵକୁ ନଵର ମଧ୍ୟରେ ଏକ ଗର୍ତ୍ତରେ ପକାଇ ଦେଇ ଦେଉଥିଲେ ।

ଶହ ଶହ ଵର୍ଷ ଧରି ଏହି ଜନସୃତି ଲୋକ ମୁଖରେ ବଞ୍ଚି ରହିଥିଲା । ପଚାଶ ଦଶକରେ ପିଙ୍ଗଳପ୍ରିୟ ଓ ତାଙ୍କର ସ୍ଵର୍ଣ୍ଣପ୍ରେମକୁ ନେଇ ଵିଭିନ୍ନ କଵିତା ଗଳ୍ପ ଲେଖାଗଲା । ଫଳତଃ ଅନେକ ଗଵେଷକ ସେହି ଗର୍ତ୍ତ ଉଣ୍ଡିଵାରେ ଲାଗିପଡି଼ଲେ । ତେବେ ପଚାଶଵର୍ଷ ବିତିଗଲେ ହେଁ ଗର୍ତ୍ତ ସମ୍ବନ୍ଧରେ କୌଣସି ଆଖିଦୃଶିଆ ତଥ୍ୟ ମିଳିଲା ନାହିଁ ।

କନକ ଦେଶକୁ ଲାଗି ସମ୍ବଳଦେଶ । ସେଠାକାର କିଛି ଲୋକେ ନିଜକୁ ମନେ ମନେ କନକଦେଶଵାସୀ ଭାବୁଥାନ୍ତି କାରଣ ପିଙ୍ଗଳପ୍ରିୟଙ୍କ ଶାସନକାଳରେ ତାଙ୍କ ଅଞ୍ଚଳର କିଛି ଅଂଶ କନକଦେଶରେ ଥିଲା । ସେମାନେ ମନେକଲେ ହୁଏତ ସେହି ଗର୍ତ୍ତଟି ତାଙ୍କ ଅଞ୍ଚଳରେ କୋଉଠି ଅଛି ‌ । ବହୁତ ଯାଗାରେ ଖୋଳାଖୋଳି ହେଲା । ରାଷ୍ଟ୍ରୀୟ ଇତିହାସ ଗଵେଷଣା ସଂସ୍ଥାନକୁ ଚିଠି ଲେଖି ସେମାନେ ଏଥିରେ ସାହାଯ୍ୟ କରିଵାକୁ ଅନୁରୋଧ କଲେ । ଫଳତଃ ରାଷ୍ଟ୍ରୀୟ ଗଵେଷଣା ସଂସ୍ଥା ସେମାନଙ୍କୁ ଉତ୍ତରରେ ଜଣେଇ ଦେଲେ ଯେ ସମ୍ବଳଦେଶରେ କନକ ଦେଶର ଗର୍ତ୍ତ ଥିଵାର କୌଣସି ପ୍ରମାଣ ମିଳିଵ ନାହିଁ । କନକ ଦେଶ , ପିଙ୍ଗଳପ୍ରିୟ ରାଜାଙ୍କ ସ୍ଵର୍ଣ୍ଣଗର୍ତ୍ତ କିମ୍ବଦନ୍ତୀ ମାତ୍ର ।   ସେ ଵା ତାଙ୍କ ବଂଶଜ ସମ୍ବଳଦେଶର ଶାସକ ଥିଲେ କି ନାହିଁ ସେ ସମ୍ବନ୍ଧରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ମିଳେ ନାହିଁ ।

ଏହାର କିଛି ଵର୍ଷପରେ କଳକପ୍ରଦେଶରେ ହିଁ ଗୋଟିଏ ଭଙ୍ଗା ରାଜ ଉଆସ ଭିତରେ ପୋତା ପଡି଼ଥିଵା ଏକ ବଡ଼ ଗାତ ମିଳିଲା କିନ୍ତୁ ସେଥିରେ ସୁନା କି ରୂପା କିଛି ନଥିଲା । ଵୈଜ୍ଞାନିକମାନେ ଗାତ ଭିତରର ମାଟିକୁ ପରୀକ୍ଷା କରି ଜାଣିଲେ ତାହା ରାଜପୁରୁଷମାନଙ୍କର ମଳମୂତ୍ରାଦି ଫିଙ୍ଗାଯାଉଥିଵା ଗୋଟିଏ ବଡ଼ ଗାଡ଼ ମାତ୍ର ଥିଲା ।

ଆମ ଓଡ଼ିଶାରେ ଦଳେ ଵିଚ୍ଛନ୍ନତାଵାଦୀ ଏହିପରି ଗୋଟିଏ କିମ୍ବଦନ୍ତୀଙ୍କୁ ଧରି ଵିଭାଜନର ଗୀତ ଗାନ କରୁଛନ୍ତି । ଏମାନଙ୍କର ପରିଣତି ମଧ୍ୟ ଶେଷରେ ଵିଷ୍ଠାଗର୍ତ୍ତ ଲାଭ ଛଡ଼ା ଆଉ କିଛି ହେଵ ନାହିଁ ‌ ।

Monday, June 7, 2021

କୁକୁର ଓ କଙ୍କଡ଼ା

ଜଣେ ଲୋକ ତା କୁକୁରକୁ ଧରି ମାଛହାଟକୁ ଯାଇଥାଏ । ମାଛର ଵାସ୍ନା ପାଇ କୁକୁରର ଆନନ୍ଦ କହିଲେ ନସରେ ।‌

ଲୋକଟା ଗୋଟିଏ ମାଛ ଦୋକାନ ପାଖରେ ଠିଆହେଲା । ତା କୁକୁର ଦୋକାନକୁ ପଛକରି ଠିଆ ହେଇଥାଏ ଏଵଂ ଚାରିଆଡ଼ୁ ଆସୁଥିଵା ମାଂସମାଛର ଵାସ୍ନା ଆଘ୍ରାଣ କରି କରି ଖୁସି ହେଉଥାଏ ।

କୁକୁରର ଲାଞ୍ଜଟା ଭୂଲ୍'ରେ କଙ୍କଡ଼ା ବୋଝ ଉପରେ   ହଲୁଥାଏ । କଙ୍କଡ଼ାଟିଏ କୁକୁର ଲାଞ୍ଜଟା ଉପରେ ଚଢି଼ଗଲା ଆଉ କୁକୁରର ଟିରିକି ପାଖରେ ପହଞ୍ଚିଵାରୁ କଅଁଳିଆ ମାଂସ ପାଇ ରୁଟ୍'କିନା କାମୁଡ଼ି ଦେଲା ।

କୁକୁରଟା ତ ଵାସ୍ନାର ମାୟାରେ ମୋହିତ ହୋଇଯାଇଥାଏ । ଯେମିତି କଙ୍କଡ଼ା ତା ଗାଣ୍ଡିକୁ ଚାବି ଦେଇଛି ତାର ଏକାବେଳକେ ହଣ୍ଡଲପାଣି ।  ଭୋ ଭୋ ହୋଇ ଗୋଟାଏ ଡିଆଁ ମାରିଲା ଯେ  ଦଶ ହାତରେ ପଡି଼ଲା ।

ମାଛ ଦୋକାନୀଟା କୁକୁର ପିଚାରେ କଙ୍କଡ଼ା ଦେଖି କୁକୁର ଆଣିଥିଵା ଲୋକକୁ କହିଲା — ତମ କୁକୁରକୁ ଟିକେ ଡାକ ଡାକ...

ସେଇଠୁ ଲୋକଟା ଚିଡି଼ଯାଇ କହୁଛି— ଖୋ ରେ ! କାଇଁ ତୁ ତୋ କଙ୍କଡ଼ାକୁ ଡାକୁନୁ ...

Monday, November 9, 2020

ବଡ଼ଜାତିଆ ଝିଅ

ଝିଅଟି ଜାତିରେ ଗୁଡ଼ିଆ କିନ୍ତୁ ରାଜଜେମା ପରିକା ସୁନ୍ଦର ! କାର୍ଯ୍ଯାଳୟରେ କାର୍ଯ୍ଯ କରୁଥିଲେ ହେଁ ବାପଛେଉଣ୍ଡ ଝିଅଟି ମାଆର ଦୃଢ଼ ଆକଟରେ ବଡ଼ ହୋଇଛି ! ବିଧବା ମାଆ ସହିତ ରହି ଝିଅଟି ଟୋକାଙ୍କଠୁ ବର୍ତ୍ତିବାକୁ ନାନା ଉପାୟ ଶିଖିଯାଇଛି ! କାର୍ଯ୍ଯାଳୟରେ ବିଭିନ୍ନ ଜାତିର ଯୁବକ କାମ କରୁଛନ୍ତି ତେବେ ସେହି କାର୍ଯ୍ଯାଳୟରେ ପ୍ରିୟବ୍ରତ ପଣ୍ଡା ବ୍ଯତିତ ଅନ୍ଯ ସମସ୍ତ ବ୍ରାହ୍ମଣ ଜାତିର ବ୍ଯକ୍ତିମାନଙ୍କର ବିବାହ ହୋଇ ସାରିଛି ! 

ଓଡ଼ିଶାରେ ଜାତି ନଦେଖି ବି ପ୍ରେମ ହୁଏ କିନ୍ତୁ ବିବାହ ବେଳେ ଜାତି ପ୍ରସଙ୍ଗ ନିଶ୍ଚୟ ଉଠି ହିଁ ଥାଏ !  ସାଧାରଣତଃ ଏଇଥିପାଇଁ ଆମ ରାଜ୍ଯର ଅନେକ ଯୁବକ ଯୁବତୀ ନିଜ ଜାତିମଧ୍ଯରେ ମନ ଦିଆ ନିଆକୁ ଅଧିକ ସୁଖ ମଣନ୍ତି ! ଝିଅଟି ଓଡ଼ିଆଙ୍କର ଏହି ଜାତୀୟ ଗୁଣକୁ ଠିକ୍ ଠାଉରେଇ ପାରିଥିଲା ତେଣୁ ସେ କାର୍ଯ୍ଯାଳୟରେ ଯୋଗ ଦେବା ଦିନ ହିଁ ନିଜକୁ ବ୍ରାହ୍ମଣ ଜାତିର ବୋଲି କିଛି ଲୋକଙ୍କୁ ପରିଚୟ ଦେଇଦେଲା ! 

ଫଳତଃ ଅଧିକାଂଶ ନିମ୍ନ ଜାତିର ଯୁବକ ତା'କୁ ପଟେଇବାର ଚେଷ୍ଟାରୁ ବିରତ ତହିଲେ ! ଏଣେ ପ୍ରିୟ ପଣ୍ଡାବାବୁ ଯେମିତି ବି ହେଉ ଏହି ନବାଗତା କନ୍ଯାକୁ ପ୍ରେମ ଫାସରେ ଫସେଇବାର ନାନାଦି ଉପାୟମାନ ଅବଲମ୍ବନ କଲେ !  ଜଣେ ଗଡ଼ଜାତିଆ ପିଲାକୁ କିନ୍ତୁ ଝିଅ ଉପରେ କାହିଁକି କେଜାଣି ଭାରି ସନ୍ଦେହ ହେଲା ! ଝିଅର ଉପନାମ ଯଦି "ସାହୁ"  ସେ ପୁଣି ବ୍ରାହ୍ମଣ କେମିତି ହେବ ତେବେ ଅନୁସନ୍ଧାନ କରି ଜାଣିଲା ଯେ କେତେକ ସାହୁ ଉପନାମଧାରୀ ବ୍ରାହ୍ମଣ ବି ଅଛନ୍ତି ! 

ଗୋଟାଏ ପଟେ ବ୍ରାହ୍ମଣ ଟୋକା ଝିଅକୁ ପଟେଇବାର ଚେଷ୍ଟାରେ ଲାଗିଥିବା ବେଳେ ଏପଟେ ଗଡ଼ଜାତିକା ଟୋକାଟା ଝିଅର ସତ କାଢ଼ିବାକୁ ଲାଗିପଡ଼ିଲା ! ପ୍ରାୟ ତିନିମାସ ପରେ ଝିଅର ବାହାଘର ଠିକ୍ ହେଲା ! ପଣ୍ଡାବାବୁ ମନ ଦୁଃଖରେ କେବଳ  ଭୋଜିଟା ପାଇଁ ଝିଅର ବାହାଘର ଦିନ ତା' ଗାଆଁକୁ ଯାଇଥିଲେ ! ଭୋଜି ଖାଇ ପଣ୍ଡେ ଘରକୁ ବାହୁଡ଼ୁଥାନ୍ତି ଜଣେ ଗାଆଁଲୋକ କହୁଥିବାର ଶୁଣିଲେ "ଜାଣିଲ ! ବଡ଼ ଘରେ ବାହାଘର ହୋଇଛି କି ସୌଭାଗ୍ଯ ଦେଖ ! ପିଲାଟା ଜାତିରେ ଗୁଡ଼ିଆ ସିନା କିନ୍ତୁ ସରକାରଙ୍କ ପାଖ ଲୋକ ! କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ! ଆମ ଗୁଡ଼ିଆ ଜାତିରେ ଏମିତି ବରଟେ ଯୁଟିବା ଏତେ ସହଜ କି ନା ?" 

ପଣ୍ଡାବାବୁ ଏସବୁ ଦେଖି ଶୁଣି ହତବାକ୍ ହୋଇଗଲେ ! ସେ ରାଗିବେ ନା ହସିବେ କିଛି ବୁଝିପାରିଲେ ନାହିଁ ! ଏତିକି ବେଳେ କାର୍ଯ୍ଯାଳୟର ସେହି ଗଡ଼ଜାତିଆ ଟୋକାଟା ସହ ପଣ୍ଡାବାବୁଙ୍କର ଦେଖା ହେଲା ! ପଣ୍ଡେ ଝିଅ କଥା କହିଲାରୁ ଇଏ କହିଲା କିହୋ ଗୋସେଇଁ ସେକଥା ମୁଇଁ ଆଘରୁ ଜାଣିଥିଲି ହୋ ହେଲେ ତମେ ତ ପ୍ରେମରେ ଭୋଳ ଥିଲ ମୋ କଥାକୁ ଆରମିନ୍ତି ଭାବିଥାନ୍ତ ନା ଆଉ ! ହଉ ମ ଯାହା ହେଲା ଅଏନ୍ ହେଲା ବୋ ମିଛେଇ ଝିଅକୁ ବାହା ହେଇନ ଭଲ କରିଛ ଯେ ! "  
(ଏହା ସତ୍ଯ ଘଟଣା ସହ କଳ୍ପନାର ସମ୍ମିଶ୍ରଣ ମାତ୍ର,)

ବିଦେଶୀ ବିଲୁଆ,ବନ୍ଯଶ୍ବାନ ଓ କୁକୁରଙ୍କର ଇତିହାସ କଥା


ଲକ୍ଷ ଲକ୍ଷ ବର୍ଷ ତଳେ ହିମାଳୟର ପାଦଦେଶରେ ବନ୍ଯଶ୍ବାନ ଓ ଶ୍ବାନ ଏକାଠି ରହୁଥିଲେ ! ସେତେବେଳେ ଉଭୟଙ୍କ ମଧ୍ଯରେ ସେତେ ଭେଦାଭେଦ ନଥିଲା ! ଶ୍ବାନଙ୍କ ପୂର୍ବଜମାନେ କୌଶଳୀ ଥିଲେ ତେଣୁ ହିମାଳୟର ଗୁମ୍ଫାରେ ବାସ କରୁଥିବା ଆମ ପୂର୍ବଜଙ୍କ ଖାଦ୍ଯ ମଧ୍ଯ ଚୋରୀ କରିନେଉଥିଲେ ! ଏଣେ ବନ୍ଯଶ୍ବାନମାନେ ଏମନ୍ତ କରିବାକୁ ପସନ୍ଦ କରୁନଥିଲେ ! ସେମାନେ ଜଙ୍ଗଲ ମଧ୍ଯରେ ଶିକାର କରି ହିଁ ବଞ୍ଚିରହୁଥିଲେ  ! କ୍ରମେ ବିଶ୍ବରେ ଭୀଷଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶେଷ ଶୀତ ଯୁଗର ଆରମ୍ଭ ହେଲା ! ଆମେରିକାର ବୃହତ୍ତ ହ୍ରଦ ଅଞ୍ଚଳର ଥଣ୍ଡା ଜଳ ଆଟଲାଣ୍ଟିକ ମହାସାଗରରେ ମିଶିବାରୁ ଏହି ମହାସମୁଦ୍ରର ମଧ୍ଯଭାଗରୁ ୟୁରୋପ ଯାଏଁ ପ୍ରବାହିତ ହେଉଥିବା ଏକ ଉଷ୍ମ ସାଗରସ୍ରୋତ ଶୀତଳ ହୋଇଗଲା ! ଫଳତଃ ୟୁରୋପର ଅନେକ ଜୀବଙ୍କ ଭଳି ବିଭିନ୍ନ ଜାତୀୟ ୟୁରୋପୀୟ ବିଲୁଆ ବି ଏସିଆ ମହାଦେଶକୁ ପଳାଇ ଆସିଲେ ! କିଛି ବୈଦେଶିକ ବିଲୁଆ ହିନ୍ଦକୁଶ୍ ପର୍ବତ ପାର ହୋଇ ଭାରତକୁ ପଶି ଆସିଲେ ! ସେମାନେ ଏଠାରେ କେତେକ ଦିନ ରହି ଦେଶୀୟ ବନ୍ଯଶ୍ବାନଙ୍କୁ ଘୃଣା କଲେ ! ସେତେବେଳକୁ ବନ୍ଯଶ୍ବାନମାନେ ବିଲୁଆଙ୍କଠାରୁ କେତେକାଂଶରେ ଭିନ୍ନ ଦେଖାଯାଉଥାନ୍ତି ! ବିଲୁଆଙ୍କ ଲାଞ୍ଜ ରୋମମୟ କିନ୍ତୁ ବନ୍ଯଶ୍ବାନଙ୍କର ଲାଞ୍ଜ ଅପେକ୍ଷାକୃତ ଛୋଟ ଥିଲା ! ତେବେ ଶ୍ବାନଙ୍କ ଲାଞ୍ଜରେ ଲୋମ ନଥିବାରୁ ସେମାନେ ଆହୁରି ଆକର୍ଷଣୀୟ ଥିଲେ ! ଶ୍ବାନମାନେ ବିଦେଶୀ ବିଲୁଆ ଓ ବନ୍ଯଶ୍ବାନଙ୍କ ଅପେକ୍ଷା ଅଳ୍ପ ହିଂସ୍ର ଥିଲେ ଏବଂ ଏହା ତାଙ୍କୁ ଭବିଷ୍ଯତରେ ମନୁଷ୍ଯର ପ୍ରଥମ ବନ୍ଧୁ କରିପାରିଥିଲା ! ତେବେ ବିଦେଶୀ ବିଲୁଆ ଶହ ଶହ ବର୍ଷ ଭାରତରେ ରହି କ୍ରମେ ନିଜକୁ ଦେଶୀୟ ବନ୍ଯଶ୍ବାନ ବୋଲି ବିଚାର କରିବା ଆରମ୍ଭ କରିଦେଇଥାନ୍ତି ! ସେମାନଙ୍କ ମଧ୍ଯରେ ସାମାଜିକ ପାରିବାରିକ ସମ୍ପର୍କ ସ୍ଥାପନ ହେବା ଆରମ୍ଭ ହେଲା ! ଏହା ଭିତରେ କିଛି ବିଦେଶୀ ବିଲୁଆଙ୍କ ବଂଶଜ ଦେଖିଲେ ବନ୍ଯଶ୍ବାନ ଓ ଶ୍ବାନ ଭିନ୍ନ ଦେଖାଯାଉଛନ୍ତି ! ଏହି ଲୋମହୀନ ଶ୍ବାନମାନେ ଇତିମଧ୍ଯରେ ଅବାନ୍ତର ଓ ଶାନ୍ତିପ୍ରିୟ ହରଣ କୌଶଳ ବି ଶିଖିଗଲେଣି ! ଏଇଭଳି କେତେ ଅଞ୍ଚଳରେ ବିଦେଶୀ ବିଲୁଆଙ୍କ ବଂଶଜ ବନ୍ଯଶ୍ବାନଙ୍କ ଦଳର ମୁଖିଆ ହେଲେ ! ସେମାନେ କୁକୁରଙ୍କ ପ୍ରତି ବଣୁଆ କୁକୁରଙ୍କ ମନରେ ବିଷ ମଞ୍ଜି ପୋତିବା ଆରମ୍ଭ କରିଦେଲେ ! ଏହି ଘୃଣାରୂପି ବିଷ କ୍ରମେ ଏକ ଛୋଟିଆ ଅଞ୍ଚଳରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ବନ୍ଯଶ୍ବାନ ଜାତିରେ ବସା ବାନ୍ଧି ରହିଗଲା ! ବନ୍ଯଶ୍ବାନମାନେ ୟୁରୋପୀୟ ବିଲୁଆଙ୍କ ସ୍ଥାନୀୟ ନାମ କୁହ୍ଲିଆକୁ ଗ୍ରହଣ କରିନେଇ ଆପଣା ଜାତିର ନୂଆ ନାମକରଣ କଲେ ! ସେମାନେ ଶ୍ବାନମାନଙ୍କୁ ଭୀଷଣ ଅପମାନ ଓ ନିର୍ଯାତନା ଦେଲେ ତଥାପି ଶ୍ବାନମାନେ ବନ୍ଯଶ୍ବାନଙ୍କୁ ଆପଣ ଭାଇ ବୋଲି ଜାଣିଥିବାରୁ ସେମାନଙ୍କ ସହିତ ମିଳିମିଶି ରହୁଥାନ୍ତି ! ବିଦେଶୀ ବିଲୁଆ ଯେଉଁମାନେ ଶ୍ବାନ ଓ ବନ୍ଯଶ୍ବାନଙ୍କ ଦଳର ମୁଖିଆ ଥିଲେ ସେମାନେ ଏ ଉଭୟ ଜାତିକୁ ଭିନ୍ନେ କରିବା ପାଇଁ ପାରୁ ପର୍ଯ୍ଯନ୍ତ ଚେଷ୍ଟାକଲେ ! ଫଳରେ ଉକ୍ତ ଶ୍ବାନଦେଶରେ ଭୀଷଣ ଗୃହଯୁଦ୍ଧ ହେଲା ଓ ବିଦେଶୀମାନେ ଶ୍ବାନଜାତିକୁ ବାଣ୍ଟିବାରେ ସଫଳ ହେଲେ ! ବିଲୁଆ ଓ ବନ୍ଯଶ୍ବାନ ଏବେ ନିଜ ଜାତିକୁ କୁହ୍ଲିଆ ପରିଚୟ ଦେଉଥାନ୍ତି ଏବଂ ଜଙ୍ଗଲରେ ତାଙ୍କର ସମ୍ପୂର୍ଣ୍ଣ ଶାସନ ହୋଇଗଲା ! ଏପଟେ ସାଧାରଣ ଶ୍ବାନମାନେ ନିଜ ଆତ୍ମୀୟଙ୍କ ବର୍ବରତାକୁ ଅଙ୍ଗେ ନିଭେଇ ମନୁଷ୍ଯ ରହୁଥିବା ନିମ୍ନ ପାହାଡ଼ିଆ ଅଞ୍ଚଳରେ ରହିବାକୁ ଲାଗିଲେ ! ଧୀରେ ଧୀରେ ମନୁଷ୍ଯମାନେ ଏହି ସାଧାରଣ ଶ୍ବାନଙ୍କୁ ପାଳି ପୃଥ୍ବୀ ଜୟୀ ହୋଇପାରିଛନ୍ତି ! କିନ୍ତୁ ବନ୍ଯଶ୍ବାନ ? ହାୟ ! ସେମାନେ ଅଧୁନା ବିଦେଶୀ ବିଲୁଆଙ୍କ ଶିକାର ହେଉଛନ୍ତି ଏବଂ ଜଙ୍ଗଲରେ ଏହି ବିଦେଶୀ ବିଲୁଆମାନେ ଏମାନଙ୍କୁ ଡରେଇ ରଖିଛନ୍ତି ! ଶ୍ବାନମାନେ କିନ୍ତୁ ବିଲୁଆ ତଥା ବନ୍ଯଶ୍ବାନଙ୍କ ଦଗା ଓ ସେ ଭୀଷଣ ଗୃହଯୁଦ୍ଧର କାହାଣୀ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଶୁଣେଇ ଆସିଛନ୍ତି ! ସେଇଥିପାଇଁ ତ କୁହ୍ଲିଆଟିଏ କି କୋକିଟିଏ ଗାଁରେ ପଶିଗଲେ ପଞ୍ଝାଏ କୁକୁର ତାକୁ ମାରିଦେବାକୁ ଚେଷ୍ଟା କରନ୍ତି ! ଯୁଗ ବଦଳିଛି କିନ୍ତୁ ବିଲୁଆ ଓ ବନ୍ଯଶ୍ବାନ ନିଜକୁ କୁହ୍ଲିଆ ବୋଲି ଭିନ୍ନ ପରିଚୟ ଦେଉଥିଲେ ହେଁ ମନୁଷ୍ଯମାନେ ସେ ସମସ୍ତଙ୍କୁ dog family ବା ଶ୍ବାନ ପରିବାରରେ ରଖିଛନ୍ତି ! ବିଲୁଆମାନେ ଶତଚେଷ୍ଟା କରି ମଧ୍ଯ ଏ ମହାନ ଶ୍ବାନପରିବାରକୁ ମନୁଷ୍ଯର ବୈଜ୍ଞାନିକ ଦୃଷ୍ଟିରେ ବାଣ୍ଟିପାରିନାହାନ୍ତି କାରଣ

 "ସତକୁ ଲୁଚାଯାଇପାରେ,ଅର୍ଦ୍ଧସତ୍ଯ କରାଯାଇପାରେ କିନ୍ତୁ ନଷ୍ଟ କରାଯାଇପାରେନା"
©ଶିଶିର ସାହୁ ମନୋଜ

Saturday, April 11, 2020

ଚୋରର ହାତ ଓ ମନ୍ତ୍ରୀର ଜିଭ

ଜଣେ ରାଜା ସାଧାରଣ ଵେଶ ପୋଷାକ ପିନ୍ଧି ଦେଶରେ ଗୁପ୍ତରୂପେ ବୁଲୁଥାଆନ୍ତି ।

ଯାଉ ଯାଉ ବାଟରେ ଦେଖିଲେ ବହୁତ ଗଧ ଶୃଙ୍ଖଳିତ ଭାଵେ ଚାଲୁଥାଆନ୍ତି ଆଉ ଜଣେ ଧୋବା ଲୋକ ତାକୁ ଅଡେ଼ଇ ନେଉଥାଏ ।

ରାଜା ସେ ଲୋକକୁ ପଚାରିଲେ,
ଏ ଗଧମାନେ ତମକଥା  କେମିତି ମାନି ସିଧା  ଚାଲୁଛନ୍ତି ଏଣେତେଣେ ଯାଉନାହାନ୍ତି ?

ଧୋବାଜଣକ ଉତ୍ତର ଦେଲା,
"ଯୋଉ ଗଧଟା ଅନ୍ୟ ଆଡେ଼ ଯିଵାକୁ ଚେଷ୍ଟା କରୁଛି ତାକୁ ମୁଁ ଏଇ ଠେଙ୍ଗିଣିରେ ପାହାରେ ଦଉଚି,ତେଣୁ ସମସ୍ତେ ଗୋଟାଏ ଦାଣ୍ଡିବାଟରେ ସଳଖ ଚାଲୁଛନ୍ତି,ଅମାନିଆ ହେଉନାହାନ୍ତି”

ରାଜା ନିଜର ପ୍ରକୃତ ପରିଚୟ ଦେଇ କହିଲେ, "ମୁଁ ଏ ଦେଶର ରଜା ତମେ ଏ ଦେଶରେ ଵିଶୃଙ୍ଖଳା କରୁଥିଵା ଲୋକଙ୍କୁ ଏଇଭଳି ସାବାଡ଼ କରିପାରିଵ କି ?”

ଧୋବାଜଣକ ରାଜାଙ୍କ ପ୍ରସ୍ତାଵରେ ରାଜି ହେଇଗଲା ।

ଧୋବାଲୋକଟି ରାଜଧାନୀକୁ ଅଇଲାରୁ ରାଜା ତାକୁ ଦେଶର ମୁଖ୍ୟ ନ୍ଯାୟାଧୀଶ ବନେଇ ଦେଲେ ।

ଦିନେ ଗୋଟାଏ ଚୋରର ଦଣ୍ଡଵିଚାର ହେଵାକୁ ଆସିଲା । ନୂଆ ମୁଖ୍ୟ ଵିଚାରପତି ଆଦେଶ ଦେଲେ ଏ ଚୋରର ଦୁଇ ହାତ କାଟି ଦିଆଯାଉ ...

ରାଜଘାତକଜଣକ ମନ୍ତ୍ରୀଙ୍କ ଆଡ଼କୁ ଅନେଇଲେ ଆଉ ନୂଆ ଵିଚାରପତିଙ୍କ କାନପାଖରେ ଯାଇ କହିଲେ,

ଆଜ୍ଞା,"ଏ ଲୋକଟା ମନ୍ତ୍ରୀଙ୍କର ଜଣେ ଵିଶ୍ଵସ୍ତ ଲୋକ” !

ନୂଆ ଵିଚାରପତି ଆହୁରି ଦୃଢ଼ ସ୍ଵରରେ କହିଲେ,
“ଏହି ଚୋରର ଶୀଘ୍ର ହାତ କଟାଯାଉ, ଏ ଆଦେଶ ପାଳନରେ ଏତେ ଵିଳମ୍ଵ କାହିଁକି ହେଉଛି ଯେ ?

ଏତେ ସମୟ ଚୁପ୍ ବସିଥିଵା ମନ୍ତ୍ରୀ ଏଵେ ଆସନରୁ ଉଠିପଡ଼ି ତାଉ ଦେଇ କହିଲେ, “ଏ ଲୋକ ଆମ୍ଭର ପାଖଲୋକ ତାକୁ ଶୀଘ୍ର ଆର୍ଥିକ ଦଣ୍ଡ ଦେଇ ଛାଡ଼ି ଦିଆଯାଉ”

ନୂଆ ଵିଚାରପତି ଆଉଥରେ କହିଲେ ,
" ଏ ଚୋରର ହାତ ଓ ମନ୍ତ୍ରୀର ଜିଭ କାଟି ଦିଆଯାଉ"
😂😂😂
ଆଉ ତାପରେ ସେଇ ଗୋଟିଏ ନ୍ଯାୟ ଯୋଗୁଁ ଦେଶରେ ସବୁଲୋକ ସିଧା ହେଇଗଲେ ।

ଆମ ଦେଶରେ ଵର୍ତ୍ତମାନ ଏଇଭଳି ନିୟମ ହେଵା ଉଚିତ୍ । ଯୋଉ ବାୟୋ ଟେରିରିଷ୍ଟ ଛେପ ପକାଉଛି ତା ଜିଭ କାଟିଦିଆଯାଉ ଯୋଉ ଵିଶୃଙ୍ଖଳିତ ଲୋକମାନେ, ସମାଜର ହିତପାଇଁ ଅହରହ ଜଗି ରହୁଥିଵା ପୋଲିସ ଓ ଅକ୍ଳାନ୍ତ ପରିଶ୍ରମ କରୁଥିଵା ଡାକ୍ତରଙ୍କୁ ପଥର ମାରୁଛନ୍ତି,ସେମାନଙ୍କ ଉପରେ ହାତ ଉଠାଉଛନ୍ତି ସେମାନଙ୍କ ହାତ କାଟିଦିଆଯାଉ ।

ଦେଖିଵେ ବହୁତ ଲୋକ ସିଧା ବାଟକୁ ଚାଲିଆସିଵେ...

Thursday, April 9, 2020

ଅୟଂ କଃ

ଦିନେ ପଣ୍ଡିତ ସଦାଶିବ  ଶିରୋମଣିଙ୍କ ଗୃହରେ ସଂସ୍କୃତ ଜାଣିନଥିବା ଜଣେ  ବ୍ରାହ୍ମଣ ଙ୍କ ସହ କଥୋପକଥନ କରୁଥାନ୍ତି ।

ଏମନ୍ତ ସମୟରେ ଗଦାଧର ଭାରତୀ ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ”(ଏ କିଏ)  !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ​ କଥା ହେଲା ଏବଂ ବିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର  ଅର୍ଥ ବୁଝି ନପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣି ଙ୍କୁ
ପଚାରିଲେ,

ପଣ୍ଡିତେ “ଅୟଂ କଃ” କଥା ର ଅର୍ଥ କଣ କି ?

ଶିରୋମଣି- ସେ କଥାରୁ କଣ୍ ମିଳିବ ତୁନି ହୁଅ,ଯା !

ହଳଧର-କାହିଁକି ?

ଶିରୋମଣି- ସେ ବଡ଼ ମନ୍ଦକଥା । ଏପରି ଖରାପ ଗାଳି ଆଉ ନାହିଁ । କିନ୍ତୁ ପଣ୍ଡିତ ଲୋକ କହିତ ପକେଇଲେଣି,ସେ କଥା ଧଇଲେ ଆଉ କଣ୍ ହେବ ?

ହଳଧର - ଚୋପା ନା ! ତା ପଣ୍ଡିତପଣିଆ  ତା ଘରେ । ମୁଁ ତାକୁ ଛାଡ଼ିବି ?

ଏହା କହି ହଳଧର ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼ଗଲେ ଆଉ ତାଙ୍କ ପାଖରେ ପହଞ୍ଚି ତାଙ୍କୁ କହିଵା ଆରମ୍ଭ କରିଦେଲେ...

“ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!”

ଆମ ଦେଶରେ ହଳଧରଙ୍କ ଭଳି ବହେ ଲୋକ ଅଛନ୍ତି । ସେମାନେ ସତ୍ଯ ନଜାଣି ଏଵଂ କଥାର ମର୍ମ ନବୁଝି ଝଗଡା଼କରିଵାକୁ ବାହାରି ପଡ଼ନ୍ତି ।

Sunday, March 1, 2020

ଉପଦେଶ


ଗୋଟିଏ ଛୋଟ ଦେଶର ଏକ ଅଖ୍ଯାତ ପଲ୍ଲୀରେ  ଜଣେ ଲୋକପ୍ରିୟ ସିଦ୍ଧ ଥିଲେ |  ସେ ମହାତ୍ମା ମାସରେ ତିନିଥର ମହାନଗର ପରିଦର୍ଶନ କରୁଥିଲେ |

ସେଠାର ବଡ଼ହାଟକୁ ଯାଇ ସେ ପରସ୍ପରକୁ ଟଙ୍କା ଦ୍ଵାରା ସାହାଯ୍ୟ କରିଵାକୁ ଉପଦେଶ ଦେଉଥିଲେ ।  ସମସ୍ତେ ତାଙ୍କୁ ଜଣେ ଶାନ୍ତ ଶିଷ୍ଟ ଲୋକ ଭାଵେ ଜାଣିଥିଲେ ଏଵଂ ନିଜର ନିଆରା ଉପଦେଶ ପାଇଁ ସେ ଜଣାଶୁଣା ଥିଲେ |

ଦିନେ ସନ୍ଧ୍ୟାରେ ଉକ୍ତ ନଗରସ୍ଥ ହାଟକୁ ତିନି ଜଣ ଲୋକ ଆସିଥିଲେ ।  ସେତେଵେଳକୁ ସିଦ୍ଧ ଵ୍ଯକ୍ତି ଜଣକ ଭଗଵାନଙ୍କ ଵନ୍ଦନା ଶେଷ କରି ବସିଥାଆନ୍ତି । ଆଗନ୍ତୁକମାନଙ୍କୁ ଦେଖି ସିଦ୍ଧଵ୍ଯକ୍ତି ତାଙ୍କୁ ସ୍ୱାଗତ କଲେ ।

ତହୁଁ ଆଗନ୍ତୁକମାନେ ସିଦ୍ଧଙ୍କୁ ପଚାରିଲେ,

"ଆମେ ଶୁଣିଅଛୁ ତୁମ୍ଭେ ଟଙ୍କା ଦ୍ଵାରା ପରସ୍ପରକୁ ସାହାଯ୍ୟ କର ବୋଲି ଉପଦେଶ ଦେଉଛ । ପୁଣି ତୁମେ ଏହି ଉପଦେଶ କେଵଳ ଧନୀମାନଙ୍କୁ ହିଁ  ଦେଇଥାଅ,ଦରିଦ୍ର ଜନତାଙ୍କୁ ତୁମେ କେଵେ ବି ଏମନ୍ତ ଉପଦେଶ ଦିଅନାହିଁ । ତୁମର ଖ୍ୟାତି ଯୋଗୁଁ ତୁମେ ନିଶ୍ଚିତ ଭାଵରେ ଜଣେ ବଡ଼ ଧନୀ ହୋଇସାରିଛ ତେଣୁ, ଵର୍ତ୍ତମାନ ତୁମ ପାଖରେ ଥିଵା ସମସ୍ତ ଟଙ୍କା ଆମକୁ ଦିଅ । ଆମେମାନେ ବହୁତ ଦରିଦ୍ର, ଆମକୁ ଅର୍ଥର ବଡ଼ ଅଭାଵ ପଡି଼ଛି  । "

ସିଦ୍ଧ କହିଲେ,
ମୋ ପାଖରେ ଏହି ଶଯ୍ୟା, ସେଇ ଖଟ ଆଉ ପାଣିଗରାଟିଏ  ଛଡା଼ ଅନ୍ୟ କିଛି ବି ନାହିଁ। ଯଦି ଆପଣମାନେ ଆଵଶ୍ୟକ ମନେକରନ୍ତି ତେଵେ ଏସବୁ ନେଇପାରନ୍ତି । ମୋ ପାଖରେ ସୁନା କି ରୂପା ନାହିଁ ନା ଟଙ୍କା ପଇସା ଅଛି ଯେ ଆପଣମାନଙ୍କୁ ଦେଇପାରିବି ।"

ଏହା ଶୁଣି ଦୁଇଜଣ ଆଗନ୍ତୁକ ସିଦ୍ଧଙ୍କୁ  ହୀନଦୃଷ୍ଟିରେ ଅନାଇ ଅନାଇ ଫେରିଗଲେ |  କିନ୍ତୁ ଜଣେ ଆଗନ୍ତୁକ ଵ୍ଯକ୍ତି, ସିଦ୍ଧଙ୍କ ନିକଟରେ ତଥାପି ଠିଆ ହୋଇଥାଏ ।

କିଛି କ୍ଷଣ ପରେ ସେ ସିଦ୍ଧଙ୍କୁ କହିଲା,
"ଠକ ! ଖଣ୍ଟ !! ତୁ ଲୋକମାନଙ୍କୁ ସେହି କଥା ସବୁ ଉପଦେଶ କରୁ, ଯାହାକୁ ତୁ ନିଜେ ନିଜ ଜୀଵନରେ କେଵେ କାର୍ଯ୍ୟକାରୀ କରିନାହୁଁ କି କେଵେ କରିପାରିବୁନାହିଁ।"

(ଲେଵାନନ୍ ଦେଶର ଗାଳ୍ପିକ ଖଲୀଲ ଜିବ୍ରାନ୍'ଙ୍କର ଏକ ଗଳ୍ପର ଓଡ଼ିଆ ଭାଵାନୁଵାଦ)