ଗୋଟିଏ ଛୋଟ ଦେଶର ଏକ ଅଖ୍ଯାତ ପଲ୍ଲୀରେ ଜଣେ ଲୋକପ୍ରିୟ ସିଦ୍ଧ ଥିଲେ | ସେ ମହାତ୍ମା ମାସରେ ତିନିଥର ମହାନଗର ପରିଦର୍ଶନ କରୁଥିଲେ |
ସେଠାର ବଡ଼ହାଟକୁ ଯାଇ ସେ ପରସ୍ପରକୁ ଟଙ୍କା ଦ୍ଵାରା ସାହାଯ୍ୟ କରିଵାକୁ ଉପଦେଶ ଦେଉଥିଲେ । ସମସ୍ତେ ତାଙ୍କୁ ଜଣେ ଶାନ୍ତ ଶିଷ୍ଟ ଲୋକ ଭାଵେ ଜାଣିଥିଲେ ଏଵଂ ନିଜର ନିଆରା ଉପଦେଶ ପାଇଁ ସେ ଜଣାଶୁଣା ଥିଲେ |
ଦିନେ ସନ୍ଧ୍ୟାରେ ଉକ୍ତ ନଗରସ୍ଥ ହାଟକୁ ତିନି ଜଣ ଲୋକ ଆସିଥିଲେ । ସେତେଵେଳକୁ ସିଦ୍ଧ ଵ୍ଯକ୍ତି ଜଣକ ଭଗଵାନଙ୍କ ଵନ୍ଦନା ଶେଷ କରି ବସିଥାଆନ୍ତି । ଆଗନ୍ତୁକମାନଙ୍କୁ ଦେଖି ସିଦ୍ଧଵ୍ଯକ୍ତି ତାଙ୍କୁ ସ୍ୱାଗତ କଲେ ।
ତହୁଁ ଆଗନ୍ତୁକମାନେ ସିଦ୍ଧଙ୍କୁ ପଚାରିଲେ,
"ଆମେ ଶୁଣିଅଛୁ ତୁମ୍ଭେ ଟଙ୍କା ଦ୍ଵାରା ପରସ୍ପରକୁ ସାହାଯ୍ୟ କର ବୋଲି ଉପଦେଶ ଦେଉଛ । ପୁଣି ତୁମେ ଏହି ଉପଦେଶ କେଵଳ ଧନୀମାନଙ୍କୁ ହିଁ ଦେଇଥାଅ,ଦରିଦ୍ର ଜନତାଙ୍କୁ ତୁମେ କେଵେ ବି ଏମନ୍ତ ଉପଦେଶ ଦିଅନାହିଁ । ତୁମର ଖ୍ୟାତି ଯୋଗୁଁ ତୁମେ ନିଶ୍ଚିତ ଭାଵରେ ଜଣେ ବଡ଼ ଧନୀ ହୋଇସାରିଛ ତେଣୁ, ଵର୍ତ୍ତମାନ ତୁମ ପାଖରେ ଥିଵା ସମସ୍ତ ଟଙ୍କା ଆମକୁ ଦିଅ । ଆମେମାନେ ବହୁତ ଦରିଦ୍ର, ଆମକୁ ଅର୍ଥର ବଡ଼ ଅଭାଵ ପଡି଼ଛି । "
ସିଦ୍ଧ କହିଲେ,
ମୋ ପାଖରେ ଏହି ଶଯ୍ୟା, ସେଇ ଖଟ ଆଉ ପାଣିଗରାଟିଏ ଛଡା଼ ଅନ୍ୟ କିଛି ବି ନାହିଁ। ଯଦି ଆପଣମାନେ ଆଵଶ୍ୟକ ମନେକରନ୍ତି ତେଵେ ଏସବୁ ନେଇପାରନ୍ତି । ମୋ ପାଖରେ ସୁନା କି ରୂପା ନାହିଁ ନା ଟଙ୍କା ପଇସା ଅଛି ଯେ ଆପଣମାନଙ୍କୁ ଦେଇପାରିବି ।"
ଏହା ଶୁଣି ଦୁଇଜଣ ଆଗନ୍ତୁକ ସିଦ୍ଧଙ୍କୁ ହୀନଦୃଷ୍ଟିରେ ଅନାଇ ଅନାଇ ଫେରିଗଲେ | କିନ୍ତୁ ଜଣେ ଆଗନ୍ତୁକ ଵ୍ଯକ୍ତି, ସିଦ୍ଧଙ୍କ ନିକଟରେ ତଥାପି ଠିଆ ହୋଇଥାଏ ।
କିଛି କ୍ଷଣ ପରେ ସେ ସିଦ୍ଧଙ୍କୁ କହିଲା,
"ଠକ ! ଖଣ୍ଟ !! ତୁ ଲୋକମାନଙ୍କୁ ସେହି କଥା ସବୁ ଉପଦେଶ କରୁ, ଯାହାକୁ ତୁ ନିଜେ ନିଜ ଜୀଵନରେ କେଵେ କାର୍ଯ୍ୟକାରୀ କରିନାହୁଁ କି କେଵେ କରିପାରିବୁନାହିଁ।"
(ଲେଵାନନ୍ ଦେଶର ଗାଳ୍ପିକ ଖଲୀଲ ଜିବ୍ରାନ୍'ଙ୍କର ଏକ ଗଳ୍ପର ଓଡ଼ିଆ ଭାଵାନୁଵାଦ)
No comments:
Post a Comment