Thursday, March 10, 2022

ନୀଳଵର୍ଣ୍ଣ ଶୃଗାଳର କାହାଣୀ

ନୀଳଵର୍ଣ୍ଣ ସେ ନିଜେ ମାଖି ନଥିଲା ଵରଂ ତାହା ତ ତା'ର ଜନ୍ମ କାଳରୁ ଥିଲା । ହଁ ସେ ନୀଳଵର୍ଣ୍ଣ ଶୃଗାଳଟି ଏକ ଵର୍ଣ୍ଣସଙ୍କର ଥିଲା କିନ୍ତୁ ଏଥିରେ ତାର ଵା ଦୋଷ କ'ଣ ?

ଶ୍ଵାନ ଓ ଶୃଗାଳର ସନ୍ତାନ ଥିଲା ସେ କିନ୍ତୁ ଶୃଗାଳ ସମାଜ  କାଳେ ଘୃଣା ଚକ୍ଷୁରେ ଦେଖିବ  ତେଣୁ ତା ମାଆ ତାକୁ ଏକ ଗୁମ୍ଫା ମଧ୍ୟରେ ଲୁଚେଇ ରଖିଥିଲା । କ୍ରମେ ନୀଳଵର୍ଣ୍ଣ ଶୃଗାଳ ବଡ଼ ହେଵାକୁ ଲାଗିଲା । ପଦାକୁ ବାହାରି ଚାରିଆଡ଼ ବୁଲି ଦେଖିଵାକୁ ତାର ବଡ଼ ମନ ହେଲା ।

ତା ମାଆ କିନ୍ତୁ ଆକଟ କରେ ବାହାରକୁ ଯାଆନାରେ ବାପ ଏବେ ସେ ସମୟ ଆସିନି ।
ଦିନେ ମାଆର କଥା ନମାନି ନୀଳଵର୍ଣ୍ଣ ଶୃଗାଳଟି ପଦାକୁ ବାହାରି ଖଣ୍ଡେ ଦୂର ଯାଏଁ ବୁଲିଲା । ଅନ୍ୟ ଶୃଗାଳମାନେ ତାକୁ ଦେଖି ଭୟରେ ଚିତ୍କାର କଲେ ଆଉ ଦଳବଦ୍ଧ ହୋଇ ମାରି ପକେଇଵାକୁ ଉଦ୍ଯତ୍ତ ହେଲେ ।
ବଡ଼ କଷ୍ଟରେ ସେ ଯେନତେନ ପ୍ରକାରେ ଗୁମ୍ଫା ଭିତରକୁ ପଳାଇ ଆସିଲା । ଶୃଗାଳ ମାନଙ୍କ ପ୍ରତି ତାହାର ଦ୍ୱେଷ ଓ ଘୃଣା ହେଲା । ସେମାନେ ତାହାର ଜାତିଭାଇ ହୋଇଥିଲେ ହେଁ ସେ ସେମାନଙ୍କୁ ନିଜର ଭାବୁନଥିଲା ।

ଦିନ ଗଡି଼ଚାଲିଲା । ନୀଳଵର୍ଣ୍ଣ ଶୃଗାଳ ମଧ୍ୟ ବଡ଼ ହେଵାକୁ ଲାଗିଲା । ତେବେ ସେ ଯେତିକି ଯେତିକି ବଡ଼ ହେଉଥାଇ ଶୃଗାଳ ଜାତିପ୍ରତି ତାହାର ଘୃଣା ମଧ୍ୟ ବଢି଼ଚାଲିଥାଇ ।

ଦିନେ ରାତିରେ ନୀଳଵର୍ଣ୍ଣ ଶୃଗାଳ ସେ ଜଙ୍ଗଲ ଛାଡ଼ି ଅନ୍ୟ ଏକ ଜଙ୍ଗଲକୁ ଚାଲିଗଲା ।

ନୂଆ ଜଙ୍ଗଲରେ ଶ୍ଵାନମାନଙ୍କର ଶାସନ ଥିଲା । ଶ୍ଵାନମାନେ ସେ ନୀଳଵର୍ଣ୍ଣ ଶୃଗାଳକୁ ଦେଖି ପ୍ରଥମେ ଡରିଗଲେ କିନ୍ତୁ କିଛି ବୁଦ୍ଧିଆ ଶ୍ଵାନ ସାହସ କରି ତା ପାଖକୁ ଗଲେ ଏଵଂ ଆଦର ସତ୍କାର ସହ କୁଶଳ ମଙ୍ଗଳ ପୁଚ୍ଛାକଲେ ।

ନୀଳଵର୍ଣ୍ଣ ଶୃଗାଳକୁ ଏତେ ଆଦର ସତ୍କାର ମିଳନଥିଲା । ନିଜ ପିତୃରାଜ୍ୟରେ ଏତାଦୃଶ ସମ୍ମାନ ଆଦର ପାଇ ସେ ଗଦ୍ ଗଦ୍ ହୋଇଗଲା ।

ଶ୍ଵାନମାନେ ନୀଳଵର୍ଣ୍ଣ ଶୃଗାଳଠାରୁ ତା ମାତୃଦେଶ ଵିଷୟରେ ସବୁ ଶୁଣିଲେ । ସେମାନେ ନୀଳଵର୍ଣ୍ଣ ଶୃଗାଳକୁ ସାହାଯ୍ୟ କରିଵାକୁ ପ୍ରତିଶ୍ରୁତି ଦେଲେ ।

ତହୁଁ ନୀଳଵର୍ଣ୍ଣ ଶୃଗାଳ ନିଜ ମାତୃଦେଶ ଶୃଗାଳ ରାଇଜକୁ ଫେରିଲା ଏଵଂ ତା ପରି ଆଉ କେହି ଅଛନ୍ତି କି ନାହିଁ ଉଣ୍ଡିଵାକୁ ଲାଗିଲା । କେତେକ ଦିନ ମଧ୍ୟରେ ଆଉ ଦୁଇ ଚାରିଜଣ ତାହାରି ପରି ବର୍ଣ୍ଣଶଙ୍କର ଶୃଗାଳ ମିଳିଗଲେ ।

ସେଇଠୁ ଆରମ୍ଭ ହେଲା ଦେଶଵ୍ୟାପୀ ଵିଦ୍ରୋହ । ଶୃଗାଳଵନର ଶ୍ଵାନଦେଶ ସହିତ ଲାଗିକରିଥିଵା ଭୂମିକୁ କଳେ ବଳେ କୌଶଳେ ନିଜର ବୋଲି ଦାବୀ କରି ଶୃଗାଳମାନଙ୍କୁ ଅପମାନିତ କରିଵା ଓ ହରାଇଵା ଥିଲା ସବୁ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଲକ୍ଷ୍ୟ ‌ ।

ଏପଟେ ଶ୍ଵାନମାନେ ମଧ୍ୟ ଶୃଗାଳମାନଙ୍କୁ ଶୃଗାଳଵନରୁ ମାରି ତଡି଼ଵାକୁ ଗୁପ୍ତରେ ଯୋଜନା କରିଥାଆନ୍ତି । ଶ୍ଵାନଦେଶରେ ଖାଦ୍ୟାଭାଵ ତଥା ଶ୍ଵାନବଂଶ ବୃଦ୍ଧି ଯୋଗୁଁ ଵିସ୍ତୃତ ଭୂଭାଗର ଆଵଶ୍ୟକତା ରହିଵା ସ୍ଵାଭିଵିକ କଥା ।

ଶ୍ଵାନମାନେ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ସାହାଯ୍ୟ କରିବେ କହି ଶୃଗାଳଵନ ଉପରେ ଆକ୍ରମଣ କରିଦେଲେ । ଏହି ଭୀଷଣ ଯୁଦ୍ଧରେ “ଘର ଢିଙ୍କି କୁମ୍ଭୀର” ନୀଳଵର୍ଣ୍ଣ ଶୃଗାଳ ଓ ତା’ପରି ଅନ୍ୟ ଅନେକ ଵର୍ଣ୍ଣସଙ୍କର ଶୃଗାଳମାନେ ନିଜ ପିତୃଦେଶୀୟ ଶ୍ଵାନମାନଙ୍କୁ ସହଯୋଗ କଲେ ।

ଫଳତଃ ଘରଭଙ୍ଗା ଜାତିଦ୍ରୋହୀ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଯୋଗୁଁ ସମଗ୍ର ଶୃଗାଳ ଜାତି କ୍ଷତିଗ୍ରସ୍ତ ହେଲା । କେତେନାକେତେ ଶୃଗାଳ ହତ ହେଲେ କେତେ ଆହତ ହେଲେ ଏଵଂ ବଞ୍ଚିଯାଇଥିଵା ଶୃଗାଳମାନେ ଉକ୍ତ ଵନ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଲେ ।

ଯୁଦ୍ଧ ଶେଷ ହେଲାରୁ ନୀଳଵର୍ଣ୍ଣ ଶୃଗାଳ ଓ ତାହାର ଅନ୍ୟ ଵର୍ଣ୍ଣସଙ୍କର ଶୃଗାଳ ବନ୍ଧୁମାନେ ଵିଜୟ ଗର୍ଵରେ ନାଚିଵାକୁ ଲାଗିଲେ ।

ଭୋଜୀର ଆୟୋଜନ ହେଲା । ଶ୍ଵାନଦେଶରୁ ସେ ଦେଶର ପୁରଖା ଶ୍ଵାନନେତାମାନେ ଵିଜିତ ଶୃଗାଳ ଦେଶକୁ ନୀରିକ୍ଷଣ କରିଵାକୁ ଆସିଲେ ।

ନୀଳଵର୍ଣ୍ଣ ଶୃଗାଳ ସମେତ ସବୁ ଵର୍ଣ୍ଣସଙ୍କର ଶୃଗାଳମାନେ ସେତେବେଳକୁ ମାଂସ ଖାଇ ଆନନ୍ଦ ଵିଭୋର ହୋଇ ପଡି଼ଥାନ୍ତି ।

ଶ୍ଵାନଦେଶର ନେତାମାନେ ସେମାନଙ୍କୁ ଦେଖି ପରସ୍ପର ସହିତ ଆଲୋଚନା କରୁଥାଆନ୍ତି...

“ଆମ ଲକ୍ଷ୍ୟ ତ ପୂରଣ ହେଇଗଲା ! ଏ ଜାରଜଗୁଡ଼ା ଆଉ କି କାମରେ ଆସିବେ ?”

ଆଉ ଜଣେ ଶ୍ଵାନନେତା କହିଲା
ଏମାନଙ୍କୁ ଦାସ କରି ରଖିହୁଅନ୍ତା କିନ୍ତୁ ଏମାନେ ବିଶ୍ବାସଘାତକ । ଯୋଉମାନେ ଆପଣା ସ୍ଵାର୍ଥଲାଭ ହେତୁ ନିଜ ଜାତି ସହିତ ଵିଶ୍ଵାସଘାତ କରିଛନ୍ତି ସେମାନେ କେବେ ଵିଶ୍ଵାସପାତ୍ର ହେବେ କି ...?

ମୁଖ୍ୟ ଶ୍ଵାନନେତା ସବୁ ଶୁଣୁଥାନ୍ତି...

ତାପରେ ଶ୍ଵାନସୈନ୍ୟମାନଙ୍କୁ ଆଦେଶ ହେଲା...

ଜାରଜ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ମାରି ତଡି଼ଦିଅ ଆଉ ଵିରୋଧ କଲେ ସେମାନଙ୍କୁ ବନ୍ଦୀ କର...

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...