Monday, March 21, 2022

ତିନି ସଙ୍ଗାତ କଥା


ଏକ ଜଙ୍ଗଲରେ ହରିଣ ଓ  କାଉ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା । ବିଲୁଆ ଏହା ଦେଖି ସହି ପାରୁନଥାଇ ‌।  ହରିଣ ସହିତ  କାଉ ଥିଵାରୁ ହରିଣକୁ ମାରିଵା ସହଜ ନଥିଲା କାରଣ ସେହି  କାଉଟା କାଉ ପଲ୍ଲଙ୍କ ମୁଖିଆ ଥିଲା ତେଣୁ କାଉମାନଙ୍କ ଆକ୍ରମଣ ଭୟରେ ସିଂହ ଵ୍ୟାଘ୍ର ମଧ୍ୟ  ଉକ୍ତ ହରିଣଠାରୁ ଦୂରେଇ ରହୁଥିଲେ ।

ବିଲୁଆ କେମିତି କଳେ ବଳେ କୌଶଳେ ହରିଣ ଓ କାଉ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗି ହରିଣକୁ ମାରି ଖାଇଵ ଏହି ଵିଚାର କରିଵାକୁ ଲାଗିଲା ।

ହରିଣ ଓ କାଉ ଉଭୟେ ପରସ୍ପରର ପରମମିତ୍ର ଥିଲେ ଏଵଂ ବିଲୁଆ ଏକ ହିଂସ୍ରଜନ୍ତୁ ହୋଇଥିଵାରୁ ହରିଣ ତାକୁ ଵିଶ୍ଵାସ କରୁନଥିଲା ।

ବିଲୁଆ ବହୁତ ବୁଦ୍ଧିଆ ଜୀଵ । ହରିଣ ସହ ମିତ୍ରତା କରିଵାକୁ ବିଲୁଆ ଅନେକ ପ୍ରୟାସ କଲା ହେଲେ ପ୍ରଥମେ ପ୍ରଥମେ ସଫଳ ହୋଇପାରିଲା ନାହିଁ ।‌

ବିଲୁଆ ମନେ ମନେ ଭାବିଲା ଯେ ଯେତେଦିନ ଯାଏଁ ମୁଁ ଏ ହରିଣ ସହ ସାମାଜିକ ସମ୍ପର୍କ ସ୍ଥାପନ ନକରିଛି ଇଏ ମୋତେ ଵିଶ୍ଵାସ କରିଵ ନାହିଁ ।

ବିଲୁଆର ଚାରିଗୋଟି ଛୁଆ ଜନମିଥିଲେ ଏଵଂ ହରିଣର ମଧ୍ୟ ଦୁଇଗୋଟି ଛୁଆ ଥିଲେ । ବିଲୁଆ ନିଜର ପରିଵାର ଘେନି ହରିଣର ଗୃହ ପାଖରେ ରହିଵାକୁ ଲାଗିଲା । ଫଳତଃ ବିଲୁଆ ଓ ହରିଣର ଛୁଆମାନେ ପରସ୍ପର ସହିତ ଖେଳିଵାକୁ ଲାଗିଲେ ଏଵଂ ସେମାନଙ୍କ ମଧ୍ୟରେ ସ୍ଵଭାଵତଃ ବନ୍ଧୁତା ହୋଇଗଲା ।

ବିଲୁଆ ନିଜ ପିଲାମାନଙ୍କୁ କାଉ ମାନଙ୍କ ଵିରୋଧରେ ନାନା କାହାଣୀ ଶୁଣାଇ ସେମାନଙ୍କ ମତିଭ୍ରମ କରିଦେଲା । କାଉମାନେ କେମିତି ହରିଣ ଓ ବିଲୁଆଙ୍କ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗିଦେଇଥିଲେ ସେକଥା ବିଲୁଆ ତାହାର ଛୁଆଙ୍କୁ ପ୍ରାୟତଃ କହୁଥିଲା ।

କାଉମାନେ ସର୍ଵଭକ୍ଷୀ ହୋଇଥିଵାରୁ କେମିତି ଜଙ୍ଗଲର ଫଳ ମୂଳ ଓ ମାଂସ ସବୁ ଖାଇ ଦେଇ ହରିଣ ଓ ବିଲୁଆମାନଙ୍କୁ ଭୁଆଁ ବୁଲେଇ ରଖିଛନ୍ତି ସେ କଥା ମଧ୍ୟ କହିଲା ।
ଅନେକ ଵର୍ଷ ବିତିଗଲା ଏଵଂ ବିଲୁଆର ଆଶା କେଵଳର ଆଶାରେ ରହିଗଲା । ସେ କେବେ ବି ହରିଣକୁ ଖାଇପାରିଲା ନାହିଁ ସତ କିନ୍ତୁ ହରିଣ ଓ କାଉ ମଧ୍ୟରେ ଭେଦ ଭାଵ ବଢ଼ାଇଵା ଯୋଜନା ଛାଡି଼ଲା ନାହିଁ ।

ବିଲୁଆର ଛୁଆମାନେ ନିଜ ହରିଣ ସାଙ୍ଗମାନଙ୍କ ସହିତ ଖେଳ ଓ ବୁଲାବୁଲି ସମୟରେ ନିଜ ବାପଠାରୁ କାଉମାନଙ୍କ ସମ୍ବନ୍ଧରେ ଶୁଣିଥିଵା କଥା ଵିଷୟରେ ଆଲୋଚନା କରୁଥିଲେ । ଧିରେ ଧିରେ ବୁଢ଼ା ବିଲୁଆ ଦ୍ଵାରା ପ୍ରଚାରିତ କଥାକୁ ସେ ଜଙ୍ଗଲର ସବୁ ନହେଲେ ମଧ୍ୟ ଅନେକ ହରିଣମାନେ  ଵିଶ୍ଵାସ କରିଵାକୁ ଲାଗିଲେ ।

କ୍ରମେ ହରିଣ ଓ କାଉମାନଙ୍କ ମଧ୍ୟରେ ଭେଦଭାଵ ବୃଦ୍ଧି ପାଇଲା ଏଵଂ ସେମାନଙ୍କ ମଧ୍ୟରେ ଆଉ ପୂର୍ଵ ସୌହାର୍ଦ୍ଦ୍ୟ ରହିଲା ନାହିଁ ।

ଥରେ ଭାରତଵର୍ଷରେ ଭୀଷଣ ମରୁଡ଼ି ପଡି଼ଵାରୁ ଏହାର ପ୍ରଭାଵ ଉକ୍ତ ଜଙ୍ଗଲ ଉପରେ ମଧ୍ୟ ଦେଖାଦେଲା । ଅନେକ ଵୃକ୍ଷ ପତ୍ର ପୁଷ୍ପ ଫଳହୀନ ହେଵାରୁ ଖାଦ୍ୟର ଘୋର ଅଭାଵ ହେଲା ।

ସର୍ଵଭକ୍ଷୀ ଜୀଵ ହୋଇଥିଵାରୁ ଏହି ମରୁଡ଼ି ଜନିତ ଖାଦ୍ୟାଭାଵ ପାଇଁ ଉଭୟ ହରିଣ ଓ ବିଲୁଆମାନେ କାଉମାନଙ୍କୁ ଦୋଷ ଦେଵାକୁ ଲାଗିଲେ । କାଉମାନେ ମଧ୍ୟ ନିର୍ଦ୍ଦୋଷ ବୋଲି ଅନେକ ଥର ଯୁକ୍ତି କରି ନୟାନ୍ତ ହେଵାରୁ ହରିଣଙ୍କୁ ତାଙ୍କ ବାଟରେ ଛାଡ଼ି ନିଜ କଥା ବୁଝିଲେ ।

ବିଲୁଆମାନେ ତ ସ୍ଵଭାଵତଃ ମାଂସଭକ୍ଷକ । ଖାଦ୍ୟ ଅଭାଵ ହେଵାରୁ ସେମାନଙ୍କ ମନରେ  ତାଙ୍କ ପୂର୍ଵଜଙ୍କ ସେହି ପ୍ରାଚୀନ ସ୍ଵଭାଵ ସ୍ଵତଃ ଜାତ ହେଲା । ଶାରୀରିକ ଓ ମାନସିକ ଭୋକ ସମୟରେ ମନୁଷ୍ୟ ପରି ବୁଦ୍ଧିମାନ ଜୀଵ ମଧ୍ୟ ଧର୍ମ କର୍ମ ଭୁଲି ଅନ୍ୟାଚାର କରିଵାକୁ ପଛାଏ ନାହିଁ । ଅତଃ ବିଲୁଆମାନେ ଉକ୍ତ ପ୍ରାଚୀନ ହିଂସ୍ର ସ୍ଵଭାଵର ଵଶଵର୍ତ୍ତୀ ହୋଇ ଅନେକ ହରିଣଙ୍କୁ ଆକ୍ରମଣ କରି ସେମାନଙ୍କୁ ଖାଇଗଲେ ।‌

(ଏହି କାହାଣୀଟି ଓଡ଼ିଶା ମଧ୍ୟରେ ଵର୍ତ୍ତମାନ ବୃଦ୍ଧି ପାଉଥିଵା ଆଞ୍ଚଳିକଵାଦ ଓ ଆଞ୍ଚଳିକଵାଦୀଙ୍କୁ ଉପଲକ୍ଷ୍ଯ କରି ଲିଖିତ ହୋଇଅଛି । ତେବେ ଏ କାହାଣୀଟି ହିତୋପଦେଶର ମୃଗ ଓ କାକ ସମ୍ବନ୍ଧୀୟ ଏକ ଗଳ୍ପର ଅନୁକରଣରେ ଲିଖିତ । ହିତୋପଦେଶର ଉକ୍ତ କାହାଣୀ ଅନୁସାରେ ମୃଗ ଓ କାକ ବନ୍ଧୁ ଥିଲେ । ମୃଗ ସହିତ ଶୃଗାଳ ମିଠା ମିଠା କଥା କହି ବନ୍ଧୁତା କରିଥିଲା ଏଵଂ କାକ ଏହାକୁ ପ୍ରଥମେ ଵିରୋଧ କରି ପରେ ଶୃଗାଳର ଯୁକ୍ତିରେ ପରାସ୍ତ ହୋଇ ଶେଷରେ ଗ୍ରହଣ କରିଥିଲା ।  ଦିନେ ଏକ କୃଷକଦ୍ଵାରା ପକାଇଯାଇଥିଵା ଜାଲରେ ମୃଗ ପଡି଼ଯିଵାରୁ ଶୃଗାଳ ମାଂସ ଲୋଭରେ ତାକୁ ଉଦ୍ଧାର ନକରି ତାହାର ମରଣକୁ ଅପେକ୍ଷା କରି ଲୁଚି ବସି ରହିଲା । କାକ ସନ୍ଧ୍ୟାରେ ବନ୍ଧୁ ନଫେରିଵା ଦେଖି ଚାରିଆଡ଼େ ଉଣ୍ଡାଉଣ୍ଡି କରି ସେହି କୃଷିକ୍ଷେତ୍ରରେ ପହଞ୍ଚି ମୃଗକୁ ଜାଲରେ ପଡି଼ଥିଵାର ଦେଖିଲା । କାକଟି ତାହାର ବନ୍ଧୁ ମୃଗକୁ କହିଲା କୃଷକ ଆସିଵା ସମୟରେ ସେ ମରିଵାର ମିଛ ଅଭିନୟ କରି ପଡି଼ରହିଵ ଏଵଂ ତାହାର କା କା ରାଵ ଶୁଣିଲା ମାତ୍ରେ ଉଠି ପଳାୟନ କରିଵ । ବଡିଭୋରରେ କୃଷକ ଜାଲ ପଡି଼ଥିଵା ସ୍ଥାନରେ ମୃଗଟିଏ ମରି ପଡି଼ଥିଵା ଦେଖି ତାକୁ ଜାଲରୁ ବାହାର କରିଵାକୁ ଉଦ୍ୟନ୍ତ ହୁଅନ୍ତେ କାକ ରାବି ଦେଵାରୁ ମୃଗ ଝଟ୍ ଉଠି ପଳାୟନ କଲା । କୃଷକ ଏହା ଦେଖି କ୍ରୋଧଵଶତଃ ଏକ ଠେଙ୍ଗା ତାହା ଉପରକୁ ନିକ୍ଷେପ କରିଵା ଯୋଗୁଁ ତାହା ଯାଇ ଶୃଗାଳ ମସ୍ତକରେ ବାଜିଲା ଏଵଂ ସେଇଠି ହିଁ ଉକ୍ତ ଶୃଗାଳର ମୃତ୍ୟୁ ହୋଇଯାଇଥିଲା)•

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...