Sunday, April 3, 2022

ତଅପୋଇର କାହାଣୀ ମଧ୍ୟରେ ରହିଛି ଓଡ଼ିଶାର ସାଂସ୍କୃତିକ ଇତିହାସର ସଂକ୍ଷିପ୍ତ ଵିଵରଣୀ

ତଅପୋଇର କାହାଣୀ ସମସ୍ତେ ଜାଣିଥିବେ । କିନ୍ତୁ ସେ କାହାଣୀ ଭିତରେ ପରୋକ୍ଷରେ ଓଡ଼ିଶାର ଇତିହାସ ଥିଵା ମୋତେ ଅନୁଭୁତ ହୋଇଥାଏ । ସଂକ୍ଷେପରେ କାହାଣୀଟି ଏମନ୍ତ...

ସାତ ଭାଇରେ ସେ ଗୋଟିଏ ଭଉଣୀ । ତଅପୋଇର ବାପା ଆରପାରିକୁ ଚାଲିଗଲାପରେ ତା ଭାଇମାନେ ମଧ୍ୟ ନୌଵାଣିଜ୍ୟ ହେତୁକ ଜାଭା ବୋର୍ଣ୍ଣିଓ ଲବଙ୍ଗ ଦ୍ଵୀପକୁ ଚାଲିଗଲେ ଏଵଂ ତାକୁ ଛାଡ଼ିଦେଇ ଗଲେ ସାତ ଭାଉଜଙ୍କ ପାଖରେ...

ସାତ ଭାଉଜଙ୍କ ମଧ୍ୟରେ ସବା ସାନ ଭାଉଜଟି ତଅପୋଇକୁ ବହୁତ ସ୍ନେହ କରୁଥିଲା ।

ତଅପୋଇର ଭାଇ ଵଣିଜ କରିଵାକୁ ସାଗରପାରି ଆନ ଦେଶକୁ ଯିଵାପରେ ଗୋଟିଏ ଵିଧଵା ବାହ୍ମୁଣୀ କୌଣସି ଆଡ଼ୁ ଆସି ମିଠା ମିଠା କଥାରେ ଭାଉଜମାନଙ୍କ ମନ ଜିଣି ତାଙ୍କ ଘରେ ରହିଵାକୁ ଲାଗିଲା ।

ସାତ ଭାଉଜ ସେ ଵିଧଵା ବାହ୍ମୁଣୀର ସେଵା କରିଵାକୁ ଲାଗିଲେ କିନ୍ତୁ ସେମାନେ ତାଙ୍କର ନଣନ୍ଦ ତଅପୋଇକୁ ମଧ୍ୟ ସ୍ନେହ କରୁଥାନ୍ତି ।

ବାହ୍ମୁଣୀ ଏହା ସହି ପାରୁନଥାଇ ।
ଧେତ୍ ! ନଣନ୍ଦ ଆଉ ଭାଉଜଙ୍କ ଭିତରେ ପୁଣି ଏତେ ସ୍ନେହ ଭଲପାଇଵା !!!

ସେ ଭେଦବୁଦ୍ଧି ଲଗାଇ ଛଅ ଜଣ ବଡ଼ ଭାଉଜଙ୍କ ମନରେ ତଅପୋଇ ପ୍ରତି ଘୃଣା ଦ୍ଵେଷ ଵୃଦ୍ଧି କରିଵାରେ ସଫଳ ହୋଇଗଲା ।
କିନ୍ତୁ ସାନ ଭାଉଜଟି କେବେବି ତଅପୋଇକୁ ଘୃଣା କରିପାରିଲା ନାହିଁ ଵରଂ ଲୁଚିଛପି ତାକୁ ସାହାଯ୍ୟ କରୁଥିଲା ।

ତଅପୋଇ ଛେଳି ଚରେଇଲା,ମୂଷା ଲେଣ୍ଡି ମିଶା ଭାତ ଖାଇଲା ,ଅସନା ଘରେ ଶୋଇଲା । ଆଗେ ସେ ରାଜକୁମାରୀ ଭଳି ସଜେଇ ହେଉଥାଇ ଏବେ ସେସବୁ ନଥିଲା ।

ଭାଇମାନେ ଫେରି ଆସିଲେ ସେ ନିଜ ଦୁଃଖ ଜଣାଇ ଏ କଷ୍ଟରୁ ମୁକ୍ତି ପାଇଵ ସେଥିପାଇଁ ଦେଵୀ ମଙ୍ଗଳାଙ୍କର ଓଷା କଲା ।

ଦିନେ ଛେଳିଟିଏ ହଜିଵାରୁ ଜଙ୍ଗଲରେ ତଅପୋଇ ତାକୁ ଖୋଜି ବୁଲୁଥିଲା । ଏତିକି ବେଳେ ତା ଭାଇମାନେ ଫେରି ଆସି ପାଖ ବଣରେ କାହାର କ୍ରନ୍ଦନ ଶୁଣିଣ ଦୌଡ଼ି ଆସି  ତଅପୋଇକୁ ପାଇଲେ ।  ଭାଇମାନେ ତଅପୋଇଠାରୁ ସବୁ ଶୁଣିଲେ ଏଵଂ ତାକୁ ବୋଇତକୁ ନେଇଗଲେ ।

ତତ୍ପର ଦିନ ବୋଇତ ବନ୍ଦାଣ ପାଇଁ ସାତ ଭାଉଜ ବୋଇତ ପାଖକୁ ଆସିଲେ । ପ୍ରଥମେ ବୋଇତ ମଧ୍ୟରେ ସ୍ଥିତା ମଙ୍ଗଳା ଦେଵୀଙ୍କ ବନ୍ଦନା କରିଵାକୁ ଏକ ଏକ କରି ଛଅଜଣ ବଡ଼ ଭାଉଜଙ୍କ ନାକ କାଟିଦେଲେ ମାଆ ମଙ୍ଗଳା ଏଵଂ ସବା ସାନ ଭାଉଜଙ୍କୁ ଆଶିର୍ଵାଦ ଦେଇ ଉଭେଇ ଗଲେ ।

ସ୍ଥୂଳ ଭାବରେ ଦେଖିଲେ କାହାଣୀଟି ପୁରାତନ କଳିଙ୍ଗ ଦେଶରେ ନୌଵାଣିଜ୍ୟ ପରମ୍ପରାକୁ ପ୍ରକଟିତ କରୁଥିଵା ସାଧାରଣ ଲୋକକଥା ପରି ଦୃଶ୍ୟ ହୋଇଥାଏ ।

କିନ୍ତୁ ଏ କାହାଣୀ ଭିତରେ କିଛି ଗୂଢ଼ କଥା କୁହାଯାଇଛି ବୋଲି ଭଗଵତ୍ ପ୍ରେରଣାରୁ ମୋହର କେତେକ ଵର୍ଷ ତଳେ ହୃଦବୋଧ ହୋଇଥିଲା ।



କାହାଣୀରେ...

•ବଡ଼ ସାଧଵ ଵା ତଅପୋଇର ପିତା = ଜାତୀୟତାବୋଧ ଓ ଏକତା

•ସାତ ଭାଇ = ଵ୍ୟାପାରୀ ସାଧଵ

•ସାତ ଭାଉଜ = ଓଡ଼ିଶାଳ ରାଜବଂଶ

•ତଅପୋଇ = ସାଧଵ ପରିଵାର

•ଵିଧଵା ବାହ୍ମୁଣୀ = ଉତ୍ତର ଭାରତରୁ ଆସିଥିଵା ଛୁଆଁ ଅଛୁଆଁ ଭେଦଭାଵ ଵୃଦ୍ଧି କରିଥିଵା ମୌଳିଵାଦୀ ବ୍ରାହ୍ମଣ

•ସାନ ଭାଉଜ = ଓଡ଼ିଆ ଜାତି ଏକତା ସପକ୍ଷରେ କାର୍ଯ୍ୟ କରିଥିଵା କୌଣସି ଏକ ରାଜବଂଶ

ଓଡ଼ିଶାରେ ସବୁ ଲୋକମାନଙ୍କ ମଧ୍ୟରେ ଏକତା ଥିଲା ତା'ପରେ ଏମିତି ଏକ ସମୟ ଆସିଲା ଯେତେବେଳେ ଉତ୍ତର ଭାରତରୁ ଜାତିଵାଦୀ ବାହ୍ମୁଣ ଆସିଲେ । ସେମାନେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଜାତିଭେଦ ସୃଷ୍ଟି କଲେ । ଏହି ଜାତୀୟ ବ୍ରାହ୍ମଣ ହିଁ ଜଗନ୍ନାଥ ଦାସଙ୍କ ଭାଗଵତକୁ ତେଲି ଭାଗଵତ କହିଥିଲେ ।

ସେତେବେଳେ ଏହି ଜାତୀୟ ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କୁ ଓଡ଼ିଶାର ତତ୍କାଳୀନ ରାଜାମାନେ ଯାଗା ବାଡ଼ି ଓ ଧନ ଦେଇ ଓଡ଼ିଶାରେ ରଖାଇଥିଲେ । ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦିଆଗଲା ଏଵଂ ଓଡ଼ିଶାର ଉଡ୍ର ଭାଷା,ପାଲୀ ଭାଷା , ସଉରା ଭାଷା ଓ କୁଈ ଭାଷା ଆଦିକୁ ଗୌଣ ମନେ କରାଗଲା ।

ଓଡ଼ିଶାର ଲୋକଙ୍କୁ ଜାତିଭେଦ କରି ବାଣ୍ଟିଦିଆଗଲାବେଳେ ସବୁଠାରୁ ଅଧିକ ଅପମାନର ଶିକାର ହେଲେ ସାଧଵ ପରିଵାରମାନେ । ସାଧଵମାନେ ଵ୍ୟାପାର କରୁଥିଵାରୁ ଏଵଂ ଉତ୍ତର ଭାରତରେ ଵ୍ୟାପାରୀମାନଙ୍କୁ ଵୈଶ୍ୟ ଵିଚାର କରାଯାଇ ଘୃଣା କରାଯିଵାର ପ୍ରଥା ଥିଵାରୁ ସେମାନେ ସମାଜରେ ନୀଚ ହୀନ ନିକୃଷ୍ଟ ଗଣ୍ୟ ହେଲେ ।

ତେବେ ସାଧଵମାନଙ୍କୁ ପ୍ରକାଶ୍ୟ ହେଉ ଵା ଗୁପ୍ତରେ କିଛି ରାଜବଂଶ ସମର୍ଥନ କଲେ । ଓଡ଼ିଶାର ଲୋକେ ମାଆ ମଙ୍ଗଳାଙ୍କୁ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ଘୋଷଣା କରି ସେ ସମୟର ମୌଳିଵାଦୀ ଶକ୍ତି ଵିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ । ଧନ ଥିଲା ସାଧଵଙ୍କ ପାଖରେ ତେଣୁ ସେମାନେ କ୍ରମଶଃ ମୌଳିଵାଦର ସମର୍ଥକ ସାଜିଥିଵା ରାଜାମାନଙ୍କୁ ଧନ ନଦେଵାରୁ ସେମାନଙ୍କର ଶକ୍ତି ହ୍ରାସ ଘଟିଲା । ଶେଷରେ କଳିଙ୍ଗୀ ପ୍ରଜାଙ୍କ ଏକତା ରୂପ ମଙ୍ଗଳାଦେଵୀଙ୍କ ହସ୍ତରେ ମୌଳିଵାଦ ସମର୍ଥକ ରାଜବଂଶମାନଙ୍କର ନାସିକା ଛେଦନ ହୋଇଥିଲା ।

ଆଜି ବି ଆମେ ଦେଖନ୍ତି ଓଡ଼ିଶାର କିଛି ଲୋକେ ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଓଡ଼ିଶାର ନଵଵର୍ଷ ନୁହେଁ ବୋଲି ତୁଚ୍ଛା ଯୁକ୍ତି କରନ୍ତି ।

କିଏ ସେମାନେ ? କୁଆଡ଼ୁ ଆସିଲା ତାଙ୍କ ମନରେ ଓଡ଼ିଆ ଜାତିର ଏକ ପ୍ରାଚୀନ ପର୍ଵ ଵିପକ୍ଷରେ  ଏତେ  ଦ୍ୱେଷ ?

କାରଣ ସେମାନେ ଜାଣନ୍ତି ଯେ ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ଅଵଶେଷ । ସେମାନେ ଜାଣନ୍ତି ଓଡ଼ିଆ ସାଧଵ କାର୍ତ୍ତିକରେ ଵିଦେଶ ଯାଇ ଵୈଶାଖରେ ଫେରି ଆସୁଥିଲେ । ତାଙ୍କ ଆଗମନର ଉତ୍ସଵ ଏହି ମହା ଵିଷୁଵ ପଣା ସଂକ୍ରାନ୍ତିକୁ ତେଣୁ ସେହି ମୌଳିଵାଦୀମାନେ ତଅପୋଇ କାହାଣୀର ଵିଧଵା ବାହ୍ମୁଣୀ ପରି ସହି ନପାରି ଵିରୋଧ କରୁଛନ୍ତି !

ତଅପୋଇର କାହାଣୀ ମଧ୍ୟରେ ସମ୍ରାଟ ଖାରବେଳଙ୍କ ସମ୍ପୂର୍ଣ୍ଣ ଭାରତ ଵିଜୟଠାରୁ ଆରମ୍ଭ କରି କଳିଙ୍ଗ ସମ୍ରାଟ ଅନନ୍ତ ଵର୍ମା ଗଙ୍ଗଙ୍କ ଦ୍ଵାରା କାଳିଙ୍ଗ୍ୟ ଏକତା ହେତୁକ ପୁରୀ ଶ୍ରୀକ୍ଷେତ୍ରରେ ଭଵ୍ୟ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ ପର୍ଯ୍ୟନ୍ତ ସମୟକାଳସ୍ଥ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ସଂକ୍ଷେପରେ କହି ଦିଆଯାଇଥିଵା ହୃଦବୋଧ ହୋଇଥାଏ ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...