Thursday, April 7, 2022

ମଧୁବାବୁଙ୍କ ଶେଷ ସମୟ କେମିତି ଥିଲା ?


ମଧୁବାବୁଙ୍କର ଶେଷ ଜୀଵନରେ ଅର୍ଥାଭାଵ ଦେଖା ଦେଇଥିଲା ।  ଅଦାଲତ ଵିଚାରରେ ଦେଉଳିଆ ହେଵା ଆଦି ଘଟଣା ଘଟିତ ହୋଇଥିଲା ।

ଦେଶର ଜାତୀୟ ଜୀଵନର ଉନ୍ନତି ପାଇଁ, ଶିଳ୍ପ ପ୍ରସାର ପାଇଁ ଵିଶେଷତଃ ଉତ୍କଳ ଟ୍ୟାନେରୀ ପାଇଁ ଟଙ୍କା ଖରଚ କରି ସେ ଦେଉଳିଆ ହେଲେ ।

ପୁନଶ୍ଚ  ଟଙ୍କା ପଇସା ଵିଷୟରେ ମଧୁବାବୁ ସବୁ ଦିନେ ଉଦାର ଓ ଉଦାସୀନ ଥିଲେ; ଉତ୍କଳ ସମ୍ମିଳନୀ ପାଇଁ ଟଙ୍କା ଵ୍ୟୟ ହେଉଥିଲା ହେଲେ ସେଥିପାଇଁ ଦିନେ ହେଲେ କାହାରିକୁ ସେ ପଇସା ପାଇଁ ହାତ ପତାଇ ନ ଥିଲେ ।

ପ୍ରଜାପ୍ରତିନିଧି ସଭାର ଖର୍ଚ୍ଚ, ଵନ୍ୟାପ୍ରପୀଡ଼ିତ ଅଞ୍ଚଳକୁ ସାହାଯ୍ୟ, ‘ଦ ଓଡ଼ିଆ’ ନାମକ ଇଂରାଜୀ ସମ୍ବାଦପତ୍ର ଇତ୍ୟାଦି ଅନୁଷ୍ଠାନ ଓ ଅନ୍ୟାନ୍ୟ ଲୋକହିତକର କାର୍ଯ୍ୟ ପାଇଁ ଟଙ୍କା ଅଵଶ୍ୟକ ହେଉଥିଲା, ସେଥିଲାଗି ସେ ଦିନେ ବି କାହାର ଦ୍ବାରସ୍ଥ ହୋଇ ନ ଥିଲେ ।

ମଧୁବାବୁ ଯେଉଁମାନଙ୍କୁ ଅତି ଵିଶ୍ଵାସ କରୁଥିଲେ, ସେମାନେ ସୁଦ୍ଧା ନିଜର ସ୍ଵାର୍ଥ ସାଧନ ଲାଗି ତାଙ୍କର ଟଙ୍କା ଆତ୍ମସାତ୍ କରିଥିଵା ଜଣାଯାଏ । 

ସେ ସମୟରେ ଆଜିକାଲି ପରି ଏତେ ନୋଟ୍‌ର ପ୍ରଚଳନ ନଥିଲା, ଲୋକେ ସୂତା ଵା ଛଣପଟରେ ତିଆରି ବଡ଼ ବଡ଼ ତୋଡ଼ାରେ ଟଙ୍କା ପୂରଇ ରଖୁଥିଲେ ।

ଗୋଟାଏ ଲୁହା ସିନ୍ଧୁକରେ ତାଙ୍କର ଟଙ୍କା ତୋଡ଼ାଯାକ ରହୁଥିଲା ‌ ।  ତେବେ ଅନେକ ସମୟରେ ମେଜ ଉପରେ ଚାବି ଛଡ଼ିଦେଇ ହୁଏତ କଚେରକି କିମ୍ବା ବୁଲିଵାକୁ ଚାଲିଯାଉ ଥିଲେ । ଏଥୁରୁ ସହଜରେ ଅନୁମାନ କରାଯାଇ ପାରେ ଯେ ତାଙ୍କ ଟଙ୍କା କଉଡ଼ି କିପରି ହରଣଚାଲ ହେଉଥିଲା ।

ସେ ପୁଣି ଏପରି ଉଦାର ଥିଲେ ଯେ, ଗୋଟିଏ ଶହେ ଟଙ୍କିଆ ନୋଟ ଭଙ୍ଗାଇଵାକୁ ଦେଲେ, ଚାକର ସେଥିରୁ କୋଡ଼ିଏ ୪ଙ୍କା ଖରଚ କରି ଅଶି ଟଙ୍କା ଫେରାଇ ଦେଲାବେଳକୁ ଵିରକ୍ତ ହୋଇ କହୁଥିଲେ ‘‘ତୋତେ କଣ ମୁଁ ବାକି ବାକି ମାଗିଲି ? ତୋ ପାଖରେ ବାକି ଟଙ୍କାତକ ଥିଲେ କ'ଣ ହେଵ ନାହିଁ ?”

କିନ୍ତୁ ସେ ଟଙ୍କା ଆଉ କେବେ ମାଗନ୍ତି ନାହିଁ । ସେ ଟଙ୍କା ଚାକର ପାଖରେ ସେହିପରି ରହିଲା, ଆଉ ସେ କଥା ତାଙ୍କର ମନେ ରହେ ନାହିଁ । ଏପରି କ୍ଲବରେ ମଧ୍ୟ ବହୁତ ଟଙ୍କା ଉଡ଼ିଯାଏ ।

ସେ ଦେଉଲିଆ ହେଲାପରେ କହୁଥିଲେ, ‘ମୁଁ ଜଣେ ଦରିଦ୍ରର ସନ୍ତାନ ଥିଲି; ମୁଁ ପୃଥିଵୀରେ ଜନ୍ମ ହେଲା ବେଳେ ସଙ୍ଗରେ ଟଙ୍କା ପଇସା ନେଇ ଆସି ନ ଥିଲି; ମୁଁ ଫେରଗଲା ବେଳକୁ ମୋର କେହି ନାହିଁ, ଯାହାପାଇଁ ଟଙ୍କା କଉଡ଼ି ରଖିଯିବି । ଖାଲି ହାତରେ ଭୁଲଯିବି । ସେଥିପାଇଁ ଚିନ୍ତା କଣ ?”

ତାଙ୍କର ମୃତ୍ୟୁ ପୂର୍ଵଦିନ ସୁଦ୍ଧା ଭୁଲ୍ ଵଶତଃ ଗୋଟାଏ ବ୍ୟାଙ୍କରେ ସାମାନ୍ୟ ଏକଶହ ଚଉଷଠୀ ଟଙ୍କା ରହି ଯାଇଥିଲା । ଏ କଥା ତାଙ୍କର ମନେ ନ ଥିଲା; କିନ୍ତୁ ଯେଉଁମାନେ ତାହା ଜାଣିଥିଲେ, ସେ ଟଙ୍କା ପାଇବାର ପ୍ରତିନିଧି ନିଯୁକ୍ତିପତ୍ର ମୃତ୍ୟୁର କେତେକ ଘଣ୍ଟା ପୂର୍ଵରୁ ସ୍ବାକ୍ଷର କରାଇନେଲେ ।

ସେ ଦୀର୍ଘ ନିଶ୍ଵାସଟିଏ ପକାଇଲେ ମାତ୍ର । ଏହି ଘଟଣାର କେତେକ ଘଣ୍ଟା ପରେ ସମ୍ପୂର୍ଣ୍ଣ ଭାବରେ କପର୍ଦ୍ଦକଶୂନ୍ୟ ହେଲା ଉତ୍ତାରୁ ତାଙ୍କର ପ୍ରାଣଵାୟୁ ବାହାର ଗଲା ।

(ଚିତ୍ର ଓ ତଥ୍ୟ ନଵକିଶୋର ଦାସଙ୍କ ଲିଖିତ ଉତ୍କଳ ଗୌରଵ ମଧୁସୂଦନ ପୁସ୍ତକରୁ ସଂଗୃହୀତ)

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...