Sunday, April 10, 2022

କଳାମାଣିକରେ


••••••••••••••••••••••••••


ଧୀରେ ଘେନ କାନନରେ କୃଷ୍ଣ ଵିଳମ୍ବିତ, 
ଵାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। 

କଳାମାଣିକ ରେ ||୧||


ନିଧନ ସଙ୍ଖାଳି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା । 

କଳାମାଣିକ ରେ ॥୨|| 

ମୋ ଜୀଵ ଜୀଵନ ତୁହି ନୟନ ପ୍ରତିମା, ତୋତେ କି ପାସୋରି ହେଵ, ମୋର ସୁଖ ସୀମା !

 କଳାମାଣିକ ରେ ।୩।
 ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁପାଇଁ ସାରୁ !
 କଳାମାଣିକ ରେ ॥୪॥
ଵୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, 
ହୃଦତାପ ଵିନାଶନେ ତୁ ହରିଚନ୍ଦନ।

 କଳାମାଣିକ ରେ ॥୫॥
 ଗୋଟିକା, ଅଧାମ, ସର ନ ରୁଚଇ ତୋତେ, 
 ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ !
 କଳାମାଣିକ ରେ ।୬। 
ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ଵଳ ଦେଖି କାହିଁ ପଶିବଇଁ ମୁହିଁ !

 କଳାମାଣିକ ରେ ॥ ୭ ॥ 
ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ,
 ବାର ବାର ବାରୁଥାଇ ଯିଵା ପାଇଁ ଵନେ ! 
କଳାମାଣିକ ରେ ||୮|| 

ନିଶାଚର ମାତିଵାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ଵନକୁ କାହିଁକି ! 

କଳାମାଣିକ ରେ ॥୯॥ 

ଝାଳ ବହୁଥିଵ ଅଙ୍ଗୁ ଲାଗି, 
ଝାଞ୍ଜି ଖରା, ଶ୍ରମ ପାଇ ତରୁତଳେ ବସିଥିବୁ ପରା ! 

କଳାମାଣିକ ରେ ।।୧୦|| 

ନେଲୁ ନାହିଁ କାହିଁ ପାଇଁ ତୋ’ କଠାଉ ଛତା, 
ଵନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।

 କଳାମାଣିକ ରେ ॥୧୧॥ 
କାନ ଡେରିଥାଇ ଏକା ତୋ’ ବେଣୁ ଗୀତକୁ, 
ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ! 

କଳାମାଣିକ ରେ ॥୧୨॥

•••••••••••••••••••••••••••

‘କଳାମାଣିକରେ’ କଵିତାଟି ଵିଦଗ୍ଧ ଚିନ୍ତାମଣି କାଵ୍ୟର ସତଷଠି ଛାନ୍ଦରୁ ଅଣାଯାଇଛି । ଏଥିରେ ଶ୍ରୀକୃଷ୍ଣ ସନ୍ଧ୍ୟାସମୟରେ ଗାଈଗୋଠ ଧରି ଫେରିଵାରେ ଵିଳମ୍ବ ହେଵାରୁ ମାତା ଯଶୋଦାଙ୍କ ମନରେ ଵ୍ୟସ୍ତତା ଦେଖା ଦେଇଛି । ଏହି କଵିତାରେ ଵାତ୍ସଲ୍ୟମୟୀ ମାତୃହୃଦୟର ଆଵେଗକୁ ସୁନ୍ଦରଭାବେ ଵର୍ଣ୍ଣନା କରାଯାଇଛି । 

       • "କଵି ପରିଚୟ" •
ଅଭିମନ୍ୟୁ ସାମନ୍ତସିଂହାର : ଓଡ଼ିଆ ସାହିତ୍ୟର ରୀତିଯୁଗୀୟ କଵିମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତସିଂହାର ଜଣେ ପ୍ରମୁଖ ସ୍ରଷ୍ଟା । ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିଵାରରେ ସେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ଅଭିମନ୍ୟୁ ସରଳ ଗାଉଁଲୀ ଭାଷାରେ ସୁନ୍ଦର କଵିତା ରଚନା କରୁଥିଲେ । ପରେ ସେ ରାଧାକୃଷ୍ଣଙ୍କ ଲୀଳାକୁ ଆଧାର କରି କାଵ୍ୟ କଵିତାମାନ ରଚନା କରିଥିଲେ । ଵିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସଵତୀ, ସୁଲକ୍ଷଣା, ବାଘଗୀତ, ଚଢ଼େଇଗୀତ, ବୋଲେ ହୁଁ ଟି ଇତ୍ୟାଦି ତାଙ୍କର କେତୋଟି ଲୋକପ୍ରିୟ ସୃଷ୍ଟି ।

(ସଂଗ୍ରହ : ବହୁ ଵର୍ଷ ଧରି ଏହି କଵିତାଟି ସପ୍ତମ ଶ୍ରେଣୀରେ ପଢ଼ାଯାଉଅଛି । )

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...