ଭାରତୀୟ ନଵଵର୍ଷ ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ସମୟରେ ପାଳିତ ହୁଏ ।
ମହାଵିଷୁଵ ସଂକ୍ରାନ୍ତି ଵା ପଣା ସଂକ୍ରାନ୍ତି (ଏପ୍ରିଲ ୧୩ /୧୪ ତାରିଖ) କୁ ନଵଵର୍ଷ ରୂପେ କେଉଁ କେଉଁ ଅଞ୍ଚଳରେ ପାଳନ କରାଯାଏ ?
ଭାରତରେ ମେଷ ସଂକ୍ରାନ୍ତି କୁ ନଵଵର୍ଷ ଭାବେ ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ ପାରମ୍ପରିକ ପର୍ଵ ଭାବେ ପାଳିଥାନ୍ତି ।
ଭାରତର ଵିଭିନ୍ନ ଅଞ୍ଚଳରେ ଏହି ନଵଵର୍ଷ ପର୍ଵର ନାମ ମଧ୍ୟ ଭିନ୍ନ ଭିନ୍ନ
ଯଥା—
●Buisu — ତ୍ରୀପୁରାର ପାରମ୍ପରିକ ନଵଵର୍ଷ
●ବିଖୁ ଵା ବିଖାଉତି = କୁମାଉନ୍
ଅଞ୍ଚଳ(ଉତ୍ତରାଖଣ୍ଡ)
●ବିଷୁ=ତୁଲୁ ନଵଵର୍ଷ (ତାମିଳନାଡୁ଼)
●ରଙ୍ଗୋଲୀ ବିହୁ=ଆସାମ ନଵଵର୍ଷ
●ଏଦମାୟର ଓଣ୍ଡ ଵା ଵିଷୁ ଚଙ୍ଗ୍ରାନ୍ଦି
= କୋଡ଼ଵା ନଵଵର୍ଷ
●ମହାଵିଷୁଵ ପଣାସଂକ୍ରାନ୍ତି=ଓଡ଼ିଶାଞ୍ଚଳ
●ଜୁରଶୀତଳ=ମୈଥିଳୀ ନଵଵର୍ଷ(ନେପାଳ, ଭାରତ)
●ପୋହେଲା ବୈଶାଖ=ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳରେ ଵସଵାସ କରୁଥିଵା ବଙ୍ଗାଳୀ ସନାତନୀଙ୍କ ନଵଵର୍ଷ
●ପୁଥାଣ୍ଡୁ =ତାମିଳନାଡୁ଼
●ଵିଷୁ = କେରଳ
●Sangken = ଅରୁଣାଚଳ ପ୍ରଦେଶର Khamti, Singpho, Khamyang ଓ Tangsa ଜନଜାତି ତଥା ଆସାମର Tai Phake, Tai Aiton ଓ Turung ଜନଜାତିର ପାରମ୍ପରିକ ନଵଵର୍ଷ
●Bwisagu = ଆସାମର ବୋଡୋ ଜନଜାତିର ପାରମ୍ପରିକ ନଵଵର୍ଷ
●Bizhu/Bizu = ମିଜୋରାମ, ତ୍ରିପୁରା ଓ ବଙ୍ଗଳାଦେଶରେ ଵସଵାସ କରୁଥିଵା
ଚକମା ଜନଜାତିର ପାରମ୍ପରିକ ନଵଵର୍ଷ
●Bisu = ତୁଲୁନାଡୁ଼ ଅଞ୍ଚଳର ତୁଲଭାଷୀମାନଙ୍କର ପାରମ୍ପରିକ ନଵଵର୍ଷ
●ଵୈଶାଖୀ = ପଞ୍ଜାବୀ ନଵଵର୍ଷ(ପଞ୍ଜାବ,ହରିଆଣା ଓ ଭାରତ ବାହାରେ ଵସଵାସ କରୁଥିଵା ପଞ୍ଜାବୀଭାଷୀ ହିନ୍ଦୁ ତଥା ସିଖ୍ ଆଦି ସନାତନୀମାନଙ୍କର ନଵଵର୍ଷ)
କେଵଳ ଭାରତ ହିଁ ନୁହେଁ ଭାରତ ବାହାରେ ଭାରତୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଏଵଂ ପୂର୍ଵେ କଳିଙ୍ଗ ଦେଶର ଉପନିଵେଶ ଥିଵା ଅନେକ ଦେଶରେ ମଧ୍ଯ ମେଷ ସଂକ୍ରାନ୍ତିକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ...
ଯଥା—
●Thingyan = ବର୍ମାର ନଵଵର୍ଷ
●Choul Chnam Thmey/ Moha Sangkran = କାମ୍ଵୋଡି଼ଆର ନଵଵର୍ଷ
●Aluth Avurudda=ସିଂହଳୀ ନଵଵର୍ଷ
●Pi Mai = ଲାଓସ୍ ଦେଶର ପାରମ୍ପରିକ ନଵଵର୍ଷ
●Songkran=ଥାଇଲାଣ୍ଡ ର ନଵଵର୍ଷ
●Pōshuǐ jié=Dai ଜନଜାତିର ନଵଵର୍ଷ(ଚୀନରେ ଏହା Water-sprinkling festival ଭାବରେ ଜଣାଶୁଣା)
ଯଥାର୍ଥରେ ଦକ୍ଷିଣ ଏସିଆର ଅନେକ ଦେଶର ପାରମ୍ପରିକ ନଵଵର୍ଷ ହୋଇଥିଵାରୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ନଵଵର୍ଷ ମଧ୍ଯ କୁହାଯାଇଥାଏ ।
ମେଷ ସଂକ୍ରାନ୍ତି ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,
ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।
ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି ।
ଉଲ୍ଲେଖଯୋଗ୍ୟ ଯେ ଆମ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ପାଳିତ ହେଵାର ପ୍ରଥା ରହିଛି ।
●ଜଳ ଵିଷୁଵ ସଂକ୍ରାନ୍ତି
●ମହା ଵିଷୁଵ ସଂକ୍ରାନ୍ତି
ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ ମେଷ ସଂକ୍ରାନ୍ତି, ଚଡ଼କ ସଂକ୍ରାନ୍ତି,ଠେକିବସା ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ ।
ଵୈଜ୍ଞାନିକମାନେ ପୃଥିଵୀ ମଧ୍ୟରେ କେତେକ କାଳ୍ପନିକ ରେଖା, ବିନ୍ଦୁ, ଵୃତ୍ତର କଳ୍ପନା କରିଛନ୍ତି ଏଵଂ ସେହି କଳ୍ପନାର ପ୍ରାଚୀନ ମୂଳ ଆଧାର ଭାରତୀୟ ଭୌଗୋଳିକ ଜ୍ଞାନ।
କ୍ରାନ୍ତିଵୃତ୍ତ (Ecliptic) ଓ ନିରକ୍ଷଵୃତ୍ତ (Equator) ଏହି ଦୁଇଟି ଵୃତ୍ତ ଦୁଇଟି କାଳ୍ପନିକ ବିନ୍ଦୁ ସୃଷ୍ଟି କରିଥାନ୍ତି । ସେହି ଦୁଇ ବିନ୍ଦୁକୁ ମହାଵିଷୁଵ ଓ ଜଳଵିଷୁଵ ବିନ୍ଦୁ କୁହାଯାଏ । ଯେତେବେଳେ ମହାଵିଷୁଵ ବିନ୍ଦୁ ଉପରେ ସୌର କେନ୍ଦ୍ର ବିନ୍ଦୁ ସ୍ପର୍ଶ କରେ, ସେତେବେଳେ ମହାଵିଷୁଵ ସଂକ୍ରାନ୍ତି ହୁଏ ।
ମେଷମାସରେ
ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି । ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ । ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ,ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ ।
ଓଡ଼ିଶାର ନୌଵାଣିଜ୍ୟ ପରମ୍ପରା ସହିତ ମେଷ ସଂକ୍ରାନ୍ତି ଵା ମହା ଵିଷୁଵ ପଣା ସଂକ୍ରାନ୍ତିର ଏକ ଵିଶିଷ୍ଟ ସମ୍ପର୍କ ରହିଛି ।
ସାଧଵମାନେ କାର୍ତ୍ତିକ ମାସରେ ନୌଵାଣିଜ୍ୟ କରିଵାକୁ ଦରିଆ ପାରି ଦେଶକୁ ଯାଇ ଵୈଶାଖ ମାସରେ ସ୍ଵଦେଶ ଫେରି ଆସୁଥିଲେ । ଫଳତଃ କେଵଳ ଓଡ଼ିଶା ନୁହେଁ ପୂର୍ଵେ ଯେଉଁ ଯେଉଁ ସ୍ଥାନରେ କଳିଙ୍ଗୀମାନଙ୍କର ଶାସନ ଓ ଉପନିଵେଶ ଥିଲା ସେହି ସେହି ସ୍ଥାନରେ ଵୈଶାଖ ମାସକୁ ମହତ୍ତ୍ୱପୂର୍ଣ୍ଣ ଵିଚାର କରାଯାଇଥିଲା ।
ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଦଣ୍ଡନୃତ୍ୟ, ଝାମୁ ଯାତ୍ରା, ଶକ୍ତିପୀଠରେ ଉପାସନା (ତାରିଣୀ, ସମଲେଶ୍ୱରୀ, ସାରଳା, ଚଣ୍ଡୀ ଇତ୍ୟାଦି), ଜଳଦାନ ଏକ ପ୍ରକାରେ ଆୟୋଜିତ ହୁଏ, ଯାହାକି ଉଡ୍ର ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିକୁ ପ୍ରତିପାଦିତ କରେ ।
ଆମ "ମହା ଵିଷୁଵ ପଣା ସଂକ୍ରାନ୍ତି"
●ଋତୁଚକ୍ରର ଠିକ୍ ଆରମ୍ଭରେ ପାଳିତ ହୁଏ ଅର୍ଥାତ୍ ଗ୍ରୀଷ୍ମଋତୁର ଆରମ୍ଭ ସହିତ ଆମର ନଵଵର୍ଷ ଆରମ୍ଭ ହୋଇଥାଏ ।
●ଆମ୍ବ,ବେଲ ଭଳି ଭାରତୀୟ ଫଳ ଓ ପୁଷ୍ପରେ ଵନ ଉପଵନ ଭରିଯାଏ
●ଵର୍ଷ ଆରମ୍ଭ ସହିତ ସୂର୍ଯ୍ୟ ପ୍ରଖର ହୁଅନ୍ତି ଏଵଂ ନଵଵର୍ଷରେ କର୍ମଠ ହେଵା ଲାଗି ଶକ୍ତି ପ୍ରଦାନ କରନ୍ତି
●ତୁଳସୀ ଭଳି ପଵିତ୍ର ଵୃକ୍ଷ ପରେ ଠେକି ବସା ଯାଇ ଜଳଦାନ କରିଵା ସହ ଲୋକଙ୍କୁ ପଣା ପାନ କରାଇ ଭଵିଷ୍ୟତରେ ରୌଦ୍ରତ୍ରାପରୁ ରକ୍ଷା ହେତୁ ଲକ୍ଷଣାର୍ଥ ଉପଦେଶ ଦେଵା ଭଳି ଏକମାତ୍ର ଭାରତୀୟ ସନତନୀ ନଵଵର୍ଷ ହେଉଛି ଆମ ମହା ଵିଷୁଵ ପଣା ସଂକ୍ରାନ୍ତି !
ଅନେକେ ପ୍ରଶ୍ନ କରନ୍ତି ଭାରତରେ ଏଵଂ ଭାରତ ବାହାରେ ଏତେ ସଂଖ୍ୟକ ସନାତନୀମାନେ ମେଷ ସଂକ୍ରାନ୍ତିକୁ ନିଜର ନଵଵର୍ଷ ବୋଲି କେମିତି ଗ୍ରହଣ କରିନେଲେ ?
ସେମାନେ ଚୈତ୍ର ପୂର୍ଣିମାକୁ ଵର୍ଷାନ୍ତ ଦିଵସ ଧରି ଵୈଶାଖ କୃଷ୍ଣ ପକ୍ଷ ପ୍ରତିପଦରୁ ଗଣନା ଆରମ୍ଭ କଲେ ନାହିଁ କାହିଁକି ?
ଏହି ପ୍ରଶ୍ନର ଉତ୍ତର ପ୍ରାଜ୍ଞ ଶ୍ରୀଳଶ୍ରୀମାନ ଶ୍ରୀସନତ୍ ଦାସ ମହାଭାଗ ଥରେ ଏମନ୍ତ ଭାବରେ ଦେଇଥିଲେ...
“ଆଦିକାଳରୁ କୃଷ୍ଣ ପକ୍ଷ ଜଗଦ୍-ବନ୍ଧନର ପ୍ରତୀକ ଏଵଂ ଵର୍ଷାନ୍ତ ଦିଵସ ଭାବରେ ପୂର୍ଣିମା ତିଥି କଦାଚିତ୍ ଗ୍ରହଣଯୁକ୍ତ ହୋଇ ପରଦିନ ଦିଵାର୍ଦ୍ଧ ପର୍ଯ୍ଯନ୍ତ ସକଳଵିଧ ଦେଵନୀତି ଓ ଶୁଭକର୍ମରେ ଵ୍ୟାଘାତ ଘଟିଵାର ଭୟ ରହିଵ ।
ସେ ଦୃଷ୍ଟିରୁ ସଂକ୍ରାନ୍ତି ଏପରି ଏକ ଵଳଵାନ୍ ଦିଵସ ଯେଉଁ ଦିନ କି ପରାଗ/ଗ୍ରହଣର ଭୟ ନାହିଁ ଏବଂ ଭଗଵାନ୍ ସୂର୍ଯ୍ୟ ନାରାୟଣ ମୀନ ରାଶି ଅତିକ୍ରମଣ କରି ମହାକାଶରେ ମେଷ ରାଶି ମଣ୍ଡନ କରୁଛନ୍ତି ।ସଂକ୍ରାନ୍ତି ପୁନଶ୍ଚ କୃଷ୍ଣ ପକ୍ଷର ଦୁଃଖ ଵା ଶୁକ୍ଳ ପକ୍ଷର ସୁଖ ଭଳି ଦ୍ବୈତ ସ୍ଥିତିର ଊର୍ଦ୍ଧ୍ବରେ ଆନନ୍ଦମୟ ଏକ ମହତ୍ତର ତେଜୋପୂର୍ଣ୍ଣ ଜୀଵନର ସଂକେତ ଵହନ କରେ । ସୁତରାଂ ମହାଵିଷୁଵ ସଂକ୍ରାନ୍ତି
ସର୍ଵଭାରତୀୟ ନଵବର୍ଷ-ପ୍ରଥମଦିଵସ
ହେଵାକୁ ସର୍ଵଥା ଯୋଗ୍ଯ ।”
(ଚିତ୍ରରେ ଲିଖିତ ସୂର୍ଯ୍ୟଙ୍କ ଗତିକୁ ସୂର୍ଯ୍ୟଙ୍କର ଆପେକ୍ଷିକ ଗତି ଅର୍ଥାତ୍ "motion of sun relative to earth" ବୋଲି ପଢ଼ିବାକୁ ଅନୁରୋଧ)
●●●●●●●●●●●●●●●●●●
ତଥ୍ୟ—
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଅନ୍ତର୍ଜାଲ
ଵୈଦ୍ୟଶ୍ରୀ ଦେଵାଶିଷ ଜ୍ୟୈଷ୍ଠୀ ମହାଶୟ
ଶ୍ରୀଳଶ୍ରୀମାନ୍ ଶ୍ରୀ Sanatkumar Das ମହାଭାଗ
ଚିତ୍ର—
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
●●●●●●●●●●●●●●●●●
No comments:
Post a Comment