୧୮୬୫ରେ ରାଧାନାଥ ରାୟ, ଫକୀରମୋହନ ସେନାପତି ଓ ମଧୁସୂଦନ ଦାସ ଏହି ତିନିହେଁ ବାଲେଶ୍ଵର ଜିଲ୍ଲାରେ ରହୁଥିଲେ ।
ଫକୀରମୋହନ ତାଙ୍କ ଆତ୍ମଜୀବନୀରେ ଏ ଵିଷୟରେ ଏମନ୍ତ ଲେଖିଛନ୍ତି
"ବାଲେଶ୍ୱରରେ ମୋତିଗଞ୍ଜ ବଜାରର ଦକ୍ଷିଣ ପ୍ରାନ୍ତରେ ଗୋଟିଏ ପୁଷ୍କରିଣୀର ନାମ ଗଡ଼ଗଡ଼ିଆ । ବାବୁ ମଧୁସୂଦନ ସେ ସମୟରେ ବାଲେଶ୍ୱର ଜିଲ୍ଲା ସ୍କୁଲ୍ର ତୃତୀୟ ଶିକ୍ଷକ ଥିଲେ । ଗ୍ରୀଷ୍ମ କାଳରେ ଆମ୍ଭେମାନେ ପ୍ରାୟ ପ୍ରତିଦିନ ପରସ୍ପର କଥୋପକଥନ ଓ ଵାୟୁ ସେଵନ ନିମନ୍ତେ ଉକ୍ତ ପୁଷ୍କରିଣୀର ଘାଟରେ ଏକତ୍ରିତ ହେଉଥିଲୁ । ପିତାଙ୍କ ଭୟରେ ରାଧାନାଥ ଦିଵାଲୋକର ପ୍ରକାଶରେ ଆମ୍ଭମାନଙ୍କ ସହିତ ଆସି ବସିପାରନ୍ତି ନାହିଁ । ଦିନେଦିନେ ସନ୍ଧ୍ୟା ଉତ୍ତାରେ ଆସି ପହଞ୍ଚି ଯାଆନ୍ତି । କିନ୍ତୁ ମଧୁସୂଦନ ପ୍ରତ୍ୟହ ଆସି ଆମ ଦଳରେ ମିଶୁଥିଲେ । ସେହି ତରୁଣ ଵୟସରେ ମଧ୍ୟ ତାହାଙ୍କର ଉଚ୍ଚାକାଂକ୍ଷା ଵିଷୟରେ ଶୁଣି ଆମ୍ଭେମାନେ ସ୍ତମ୍ଭୀତ ହୋଇଯାଇଥିଲୁ । ସେ ସେଠାରୁ କର୍ମ ତ୍ୟାଗ କରି କଲକତା ଚାଲି ଯାଇଥିଲେ ।"
ମଧୁସୂଦନ ଦାସ ୧୮୬୬ରେ କଲିକତା ଚାଲିଯାଇଥିଲେ । ଏ ଵିଷୟରେ ମଧୁସୂଦନ ତାଙ୍କ ନିଜସ୍ୱ ଵକ୍ତଵ୍ୟରେ ଥରେ ଉଲ୍ଲେଖ କରିଥିଲେ...
"ଆମ୍ଭେମାନେ କଟକ କଲିଜିଏଟ୍ ସ୍କୁଲ୍ରେ ପଢ଼ିଲାବେଳେ ଇଂରାଜୀ ଓ ବଂଗଳା ବହି ପଢ଼ୁଥିଲୁ, କାରଣ ସବୁତକ ମାଷ୍ଟର ବଙ୍ଗାଳୀ । ସେତେବେଳେ ସେମାନେ ଓଡ଼ିଆରେ କଥା କହୁ ନଥିଲେ । ଆମର ଓଡ଼ିଆ ପାଠ୍ୟ ପୁସ୍ତକ ମଧ୍ୟ ନଥିଲା । ତେଣୁ ଆମେ କେତେକ ଓଡ଼ିଆ ପିଲାଙ୍କ ମନରେ ଭାବ ଆସିଲା ଯେ, ଓଡ଼ିଆ ପାଠ୍ୟ ପୁସ୍ତକ ଥାଆନ୍ତା ଓ ଓଡ଼ିଆ ମାଷ୍ଟର ଥାଆନ୍ତେ କି ? ଯାହାହେଉ ମୁଁ ପାଶ୍ କରି ଉଚ୍ଚଶିକ୍ଷାପାଇଁ ଇଚ୍ଛା ପ୍ରକାଶ କରି ବାପାଙ୍କୁ କହିଲି । ସେ ମନାକରି କହିଲେ, "ଡେପୁଟି ହୁଅ ।"
ମୁଁ ତାଙ୍କ କଥା ନମାନି ଚାଲିଚାଲି ବାଲେଶ୍ୱର ଗଲି ଓ ଜିଲ୍ଲାସ୍କୁଲ୍ ମାଷ୍ଟର ହେଲି । ସେଠି ହେଡ଼୍ ପଣ୍ଡିତ କାନ୍ତିଚନ୍ଦ୍ର ବନ୍ଦୋପାଧ୍ୟାୟ ଓଡ଼ିଆ ବିଦ୍ୱେଷୀ ଥିଲେ । ସେ କହୁଥିଲେ, ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ । ଫକୀରମୋହନ ସେନାପତି ଭର୍ଣ୍ଣାକୁଲାର ପଢ଼ି ଗୋଟିଏ ପ୍ରାଇମେରୀ ସ୍କୁଲ୍ ଶିକ୍ଷକ ଥିଲେ । ସେ ଓଡ଼ିଆ ଭାଷାପ୍ରେମୀ ଥାଇ ବାଲେଶ୍ୱରରେ ଆନ୍ଦୋଳନ ଚଳାଇଲେ । ସେ ମୋଠାରୁ ପାଞ୍ଚ ବର୍ଷ ବଡ଼ ଥିଲେ ଓ ମୁଁ ତାଙ୍କ ସହିତ ଯୋଗ ଦେଵାରୁ କାନ୍ତିଚନ୍ଦ୍ର ମୋ ଉପରେ ବିରକ୍ତ ହେଲେ । ତା'ପରେ ସବ୍ ରେଜେଷ୍ଟ୍ରି ଅଫିସରେ ଚାକିରି କଲି । କାନ୍ତିଚନ୍ଦ୍ରଙ୍କ ବନ୍ଧୁ ସେଠି ହେଡ଼୍ କିରାଣି ଥାଇ ମୋତେ ବଦନାମରେ ପକାଇବାକୁ ଚେଷ୍ଟା କଲେ । ମୁଁ ତାଙ୍କର ଦୌରାତ୍ମ୍ୟ ଓ ଷଡ଼ଯନ୍ତ୍ର ସହି ନପାରି ଚାକିରି ଛାଡ଼ି କଲିକତା ଗଲି ।”
ମଧୁସୂଦନ ଦାସ ଯୋଉଵର୍ଷ ଓଡ଼ିଶା ଛାଡ଼ି ଦେଲେ ସେହି ଵର୍ଷ ୧୮୬୬ ଥିଲା ଏଵଂ ଦୁର୍ଭାଗ୍ୟକୁ ସେହି ବର୍ଷଠାରୁ ଲାଗ୍ ଲାଗ୍ ତିନି ଵର୍ଷ ଧରି ମରୁଡ଼ି ପଡି଼ଲା । ଏ ଜାତିର
ଏକ ଚତୁର୍ଥାଂଶ ଲୋକ ମୃତ୍ୟୁ ମୁଖରେ ପଡ଼ିଲେ ଅନେକେ ଦରିଦ୍ର ହୋଇଗଲେ ।
କିଛି ଲୋକ ଜୀଵନ ଵିକଳରେ ଖ୍ରୀଷ୍ଟିଆନ ଆଉ ମୁସଲମାନମାନଙ୍କ ହାତରୁ ଅନ୍ନ ଗ୍ରହଣ କଲେ ବୋଲି ଧନାଢ୍ୟ ହିନ୍ଦୁ ସମାଜ ତାଙ୍କୁ ଛତରଖିଆ ଘୋଷିତ କରି ଜାତିଚ୍ୟୁତ କରିଦେଲେ ।
କିନ୍ତୁ ନଅ ଅଙ୍କ ଦୁର୍ଭିକ୍ଷ ଓଡ଼ିଆ ଜାତିକୁ ଚେତେଇ ଦେଇ ଗଲା ଉଠେଇ ଦେଇ ଜଗାଇ ଦେଲା । ଫଳତଃ ଉତ୍କଳଦୀପିକା ପତ୍ରିକା ପ୍ରକାଶ ପାଇ ଓଡ଼ିଆ ଜାତିକୁ ସଂଗଠିତ କରିଵାରେ ଲାଗିଗଲା ।
ସେହିପରି ୧୮୭୦ରେ ଗଞ୍ଜାମର ରସଲକୁଣ୍ଡା (ଭଞ୍ଜନଗର)ଠାରେ ପ୍ରଥମ ପ୍ରତିଵାଦର ଗୁଞ୍ଜରଣ ଶୁଭିଥିଲା । ନଅ ଅଙ୍କ ଦୁର୍ଭିକ୍ଷ ସମୟରେ ଏଣେ ବଙ୍ଗାଳୀମାନେ ଓଡ଼ିଆ ଭାଷା ମାରି ଦେଵାକୁ ଚକ୍ରାନ୍ତ କରୁଥାନ୍ତି ।
୧୮୬୭-୬୮ ସାଲରେ ଓଡ଼ିଶାର ମୂଳ ଭୂଖଣ୍ଡ ବାଲେଶ୍ୱରର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନ ବିରୋଧରେ ଫକୀରମୋହନଙ୍କ ଦ୍ୱାରା ସଞ୍ଚାଳିତ ଜନଜାଗରଣକୁ କଲେକ୍ଟର ବୀମସ୍ ସାହେବଙ୍କର ଅକୁଣ୍ଠ ସମର୍ଥନ ଆଉ କମିଶନର ରେଭେନ୍ସା ସାହେବଙ୍କର ସମୟୋପଯୋଗୀ ଦୃଢ଼ ପଦକ୍ଷେପ ଫଳରେ,୧୮୬୯ରେ ଓଡ଼ିଆ ଭାଷା ନିଜର ମାନ୍ୟତା ଫେରିପାଇଲା ।
ତେବେ ଵହିରାଗତ ବଙ୍ଗାଳୀ, ତେଲେଙ୍ଗା ଓ ବିହାରୀ କର୍ମଚାରୀଙ୍କ ପକ୍ଷପାତିତା ଯୋଗୁଁ ଵିଖଣ୍ଡିତ ଓଡ଼ିଆ ଜାତି ପ୍ରତିଵାଦ କରିଵାର ସ୍ୱରଟି ପ୍ରାୟତଃ ହରାଇ ବସିଥିଲା ।
କେତେକ ଵର୍ଷ ପରେ ମଧୁସୂଦନ କଲିକତାରୁ ଓଡ଼ିଶାକୁ ଏକ କ୍ରାନ୍ତିକାରୀ ନୂତନ ଯୁଗର ଵାର୍ତ୍ତାବହ ରୂପରେ ଫେରିଆସିଥିଲେ ।
୧୮୮୨ରେ ଉତ୍କଳ ସଭାଗଠନ କରି, ତାହାରି ମାଧ୍ୟମରେ ମଧୁସୂଦନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଲାଗି ତତ୍କାଳୀନ ବଙ୍ଗର ଗଭର୍ଣ୍ଣରଙ୍କ ସମକ୍ଷରେ
ଦାବି ଉପସ୍ଥାପନ କରିଥିଲେ ।
୧୮୮୭ରେ ଓଡ଼ିଆ ଜାତିର ସ୍ନାୟୁକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନାକୁ ଇଂରେଜୀ ସରକାରଙ୍କୁ ହସ୍ତାନ୍ତର କରିଵାର ହୀନ ଚକ୍ରାନ୍ତକୁ ଆଇନଗତ ସଂଗ୍ରାମରେ ପ୍ରତିହତ କରି, ସ୍ମରଣାତୀତ ଯୁଗରୁ ପ୍ରଚଳିତ ଥିବା ଗଜପତି ବଂଶର ପରମ୍ପରାକୁ ମଧୁସୂଦନ ଆଉ ଥରେ ସଂସ୍ଥାପିତ କରିଥିଲେ ।
ସେତେବେଳେ ତ ମଧୁସୂଦନଙ୍କ ଯୋଗୁଁ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ରକ୍ଷା ପାଇଯାଇଥିଲେ ହେଲେ ଆଜି ଲକ୍ଷ ଲକ୍ଷ ତଥାକଥିତ ଧର୍ମଧ୍ଵଜାଧାରୀ ହିନ୍ଦୁ ସିଂହ ସିଂହୀ ଆଉ ଷଣ୍ଢଙ୍କର ଅହେତୁକ ପ୍ରାଦୃଭାଵ ଅନ୍ତର୍ଜାଲରେ ଥାଇ ମଧ୍ୟ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ବେଆଇନ ଖନନ ଚାଲିଛି ।
ମଧୁସୂଦନ ଦାସ ଖ୍ରୀଷ୍ଟିଆନ ହୋଇଯାଇଥିଲେ ବୋଲି ତାଙ୍କୁ ତଥାକଥିତ ବେହିଆ ହିନ୍ଦୁମାନେ କେଵଳ ଗାଳି ଦେଇ ଜାଣନ୍ତି କିନ୍ତୁ ରାଜରାସ୍ଥାକୁ ଓହ୍ଲାଇ ୟା ଵିରୁଦ୍ଧରେ ଜନ ଆନ୍ଦୋଳନ କରୁପାରୁନାହାନ୍ତି କ'ଣ ପାଇଁ ?
No comments:
Post a Comment