Sunday, July 10, 2022

ରାଣୀଗୁମ୍ଫା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ

ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ ( ଫଳକ ନମ୍ବର . ୨ ) କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ ।

“ଥରେ ସିଂହପଥର ରାଜା ସପରିଵାର ଵନଵିହାର କରି ଶେଷରେ ଅରଣ୍ୟ ମଧ୍ୟରେ ଥିଵା ଏକ ପଦ୍ମ ପୋଖରୀକୁ ସ୍ନାନ କରିଵା ପାଇଁ ଆସିଲେ । ତାହା ପୂର୍ଵରୁ ଏକ ଦନ୍ତାହାତୀ କେତେକ ହସ୍ତିନୀଙ୍କ ସହ ଉକ୍ତ ପୋଖରୀର ପଦ୍ମଵନରେ ଉନ୍ମୁକ୍ତ ହୋଇ କ୍ରୀଡ଼ା କରୁଥାନ୍ତି । ରାଜା ହସ୍ତୀପଲକୁ ତଡ଼ିଵା ନିମନ୍ତେ ଉଦ୍ୟମ କରିଵାରୁ ଦନ୍ତା ବଳଟି କ୍ରୁଦ୍ଧ ହୋଇ ତାଙ୍କୁ ଆକ୍ରମଣ କଲା । ସେ ସାହସର ସହିତ ତାଙ୍କର ସମ୍ମୁଖୀନ ହେଲେ ଏଵଂ ଉଭୟ ଦଳ ମଧ୍ୟରେ କିଛକାଳ ଖଣ୍ଡଯୁଦ୍ଧ ଚାଲିଲା । ସେତେବେଳେ ରାଜନନ୍ଦିନୀ ନିଜ ଜୀଵନକୁ ଭ୍ରୂକ୍ଷେପ ନକରି ହସ୍ତୀ ସମ୍ମୁଖକୁ ଆସି ତାହା ଉପରକୁ ନିଜର ଅଙ୍ଗାଭରଣମାନ ନିକ୍ଷେପ କଲେ । ହସ୍ତୀଟି କ୍ଷତଵିକ୍ଷତ ହୋଇ ପଛଘୁଞ୍ଚା ଦେଲା , ମାତ୍ର ସେହି ସଂଘର୍ଷରେ ରାଜ ପୁରୁଷ ସାଂଘାତିକ ଭାଵରେ ଆହତ ହେଲେ । ରାଜ ଜେମା ତାଙ୍କୁ ନିକଟସ୍ଥ ଏକ ଗିରିଗୁହାକୁ ଶୁଶ୍ରୂଷା ନିମନ୍ତେ ଘେନିଗଲେ ।

 ହସ୍ତୀଦଳ ସହ ସଂଘର୍ଷ ଚାଲିଥିଵା ସମୟରେ କେତେଜଣ ମହିଳା ଭୟବିହ୍ଵଳା ହୋଇ ଇତସ୍ତତଃ ପଳାୟନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଵା ରାଜାଙ୍କର ଏକ ଅନୁଚରୀ ଜଣେ ପ୍ରଭାଵଶାଳୀ ଵ୍ୟକ୍ତିଙ୍କ ଗୁପ୍ତଚରୀ ରୂପେ କାର୍ଯ୍ୟ କରୁଥିଵା ଅନୁମିତ ହୁଏ । ରାଜ କନ୍ୟାଙ୍କୁ ଲାଭ କରିଵା ନିମନ୍ତେ ସେହି ପୁରୁଷଙ୍କର ବହୁଦିନରୁ ଗୁପ୍ତ ଅଭିଳାଷ ଥିଲା ଏଵଂ ଅନ୍ତଃପୁରର ସେହି ପରିଚାରକା ଥିଲା ତାଙ୍କ ଉଦ୍ଦେଶ୍ୟ ପୂରଣର ସହକାରିଣୀ । 

ସେହି ଲମ୍ଫଟ ପୁରୁଷ ଗୁପ୍ତଚରୀ ଠାରୁ ରାଜାଙ୍କର ଦୁରାଵସ୍ଥା ସମ୍ପର୍କରେ ସମ୍ବାଦ ପାଇଵା ମାତ୍ରେ ରାଜକନ୍ୟାକୁ ଲାଭ କରିଵା ଲାଳସାରେ ଅସ୍ଥିର ହୋଇ ଉଠିଲେ । ଗୁପ୍ତଚରୀ ତାଙ୍କୁ ପଥ କଢ଼ାଇ ଗିରିଗୁହାକୁ ନେଇଗଲା । ସେଠାରେ ସେ ରାଜପୁରୁଷଙ୍କୁ ଆହତ ଓ ଅସହାୟ ଅଵସ୍ଥାରେ ଦେଖି ନିର୍ମମ ଭାବେ ହତ୍ୟା କଲା ଏଵଂ ରାଜକନ୍ୟାଙ୍କୁ ଅପହରଣ କରିଵା ନିମନ୍ତେ ବଳପ୍ରୟୋଗ କଲା ।

 ସେହି ଵୀରତରୁଣୀ ନିଜ ସମ୍ମାନ ରକ୍ଷା ନିମନ୍ତେ ମୃତ ପିତାଙ୍କର ଅସ୍ତ୍ରଧରି ତାଙ୍କର ପ୍ରତିରୋଧ କଲେ । ମାତ୍ର ଅଳ୍ପକାଳ ପରେ ସେ ଦ୍ବନ୍ଦ୍ବ ଯୁଦ୍ଧରେ ପରାଭୂତା ମନ୍ଦିନୀ ହେଲେ । ସୌଭାଗ୍ୟ ଵଶତଃ ସେତେବେଳେ ଖାରବେଳ ସଦଳବଳେ ସେହି ଅରଣ୍ୟରେ ପାରିଧି ଵିଜେ କରିଥାନ୍ତି । 

ସମ୍ରାଟଙ୍କର ସେନା କୋଳାହଳରେ ଵନଭୂମି ହଠାତ୍ ମୁଖରିତ ହୋଇ ଉଠିଲା । ସେହି ଲମ୍ପଟ ପୁରୁଷ ଭୟଭୀତ ହୋଇ ରାଜଜେମାଙ୍କୁ ଅରଣ୍ୟରେ ଏକାକିନୀ ଛାଡ଼ି ପଳାୟନ କଲେ । 

ଇତ୍ୟଵସରରେ ଖାରବେଳଙ୍କ ଦ୍ଵାରା ଶରଵିଧ ହୋଇ ଦ୍ରୁତଗାମୀ ମୃଗଟିଏ ନିକଟସ୍ଥ ଏକ ଵୃକ୍ଷ ମୂଳରେ ଟଳି ପଡ଼ିଲା । ସମ୍ରାଟ ଅଶ୍ଵପୃଷ୍ଠରୁ ଅଵତରଣ କରି ନିଜେ ସେହି ଆହତ ମୃଗ ଆଡ଼କୁ ଅଗ୍ରସର ହେଲେ । ନିକଟକୁ ଯାଇ ଦେଖିଲେ , ଜଣେ ତରୁଣୀ ଵୃକ୍ଷ ଶାଖାରେ ବସି ଆଶ୍ରୟ ପ୍ରାର୍ଥନା କରୁଛନ୍ତି । ତାଙ୍କର ପରିଚୟ ଲାଭ କରି ଖାରବେଳ ତାଙ୍କୁ ଅଭୟ ପ୍ରଦାନ କଲେ ଏଵଂ ଆଦର ସହ ନିଜ ପ୍ରାସାଦକୁ ଘେନି ଆସିଲେ । ସିଂହପଥ ରାଜକନ୍ୟାକୁ ଉଦ୍ଧାର କରି ଆଣିଥିଵା ଉପଲକ୍ଷରେ ରାଜାଧାନୀ କଳିଙ୍ଗ ନଗରୀରେ ନୃତ୍ୟଗୀତ ସହ ଵିଵିଧ ଉତ୍ସଵ ଆୟୋଜିତ ହୋଇଥିଲା । ଖୋଦିତ ଚିତ୍ରରେ ଖାରବେଳ ନିଜେ ସେହି ନଵାଗତା ରାଜକନ୍ୟାଙ୍କୁ ପାଖରେ ବସାଇ ନୃତ୍ୟ ସଂଗୀତ ଉପଭୋଗ କରୁଥିଵାର ଦେଖାଯାନ୍ତି । ଚିତ୍ରାବଳୀର ସର୍ଵଶେଷ ଅଂଶରେ ସମ୍ରାଟ ସେହି ରାଜକନ୍ୟାଙ୍କ ସହିତ ଵିଵାହ ବନ୍ଧନରେ ଆଵଦ୍ଧ ହୋଇ ପ୍ରମୋଦ ଉଦ୍ୟାନରେ ଵିହାର କରୁଥିଵାର ଦୃଶ୍ୟ ଦେଖିଵାକୁ ମିଳେ । ରାଣୀଗୁମ୍ଫାର ତଳ ମହଲାର ଡ଼ାହାଣ ପାର୍ଶ୍ଵରେ ଖୋଦିତ ଏକ ଚିତ୍ରାଵଳୀରେ ସମ୍ରାଟ ଖାରବେଳ ଉଭୟ ରାଣୀଙ୍କ ମଧ୍ୟରେ ଉପଵିଷ୍ଟ ହୋଇଥିଵା ଦେଖାଯାନ୍ତି । ଅନେକ ଚିତ୍ରାଵଳୀକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଖାରବେଳଙ୍କ ସହ ଉଭୟ ମହିଷୀ ଵିଭିନ୍ନ ଅଵସରରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ହେଉଥିଲେ । ସମ୍ବଵତଃ ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ ରାଜତ୍ଵର ଚତୁର୍ଦ୍ଦଶ ଵର୍ଷରେ ଗଢ଼ା ହୋଇଥିଲା , କାରଣ ଏଥିରେ ରାଜତ୍ଵର ତ୍ରୟୋଦଶ ଵର୍ଷ ପର୍ଯ୍ୟନ୍ତ କାର୍ଯ୍ୟକଳାପର ଵର୍ଷାନୁଵର୍ଷ ଵିଵରଣୀ ମିଳିଥାଏ । ତାର ପରଵର୍ତ୍ତୀ ଇତିହାସ ଆଜି ମଧ୍ୟ ଅନ୍ଧକାର ମଧ୍ୟରେ ରହିଛି । ଏଣୁ ଖାରବେଳ ସର୍ଵମୋଟ କେତେ ଵର୍ଷ ରାଜତ୍ଵ କରିଥିଲେ ଏଵଂ କେତେ ଵର୍ଷ ଜୀଵିତ ଥିଲେ ତାହା କୁହାଯାଇପାରୁନାହିଁ ।”

ନୀଳକଣ୍ଠ ଦାସ ତାଙ୍କ "ଖାରବେଳ" ଦୀର୍ଘ କଵିତାରେ ସେହି ଚିତ୍ରାଵଳୀକୁ ଭିନ୍ନ ରୂପରେ ପ୍ରକାଶ କରିଛନ୍ତି ।ପଣ୍ଡିତ ନୀଳକଣ୍ଠ ତାଙ୍କର "ଖାରବେଳ" କାଵ୍ଯରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି । 

ନୀଳକଣ୍ଠଙ୍କର "ଖାରବେଳ" କାଵ୍ଯର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅଵସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ । 

ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି ଅଞ୍ଚଳ ଭାବେ ଚିହ୍ନଟ କରାଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui । 

ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ । 

ଖାରବେଳ ପ୍ରଥମେ "ପଟଳ"ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥି କରିଵାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ। 

ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ "ଧୂସି" । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି "ଧୂସି"ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା । 

ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିଵା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ 'ଧୂସି' ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯଵାହିନୀରେ ଯୋଗ ଦେଇଥିଲେ। 

ଏହି ସମୟରେ ଦତ୍ତିମ(ଡିମେଟ୍ରିୟସ୍; କାଵ୍ଯରେ ନୀଳକଂଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ । 

ସେନାପତି "ଧୂସି" ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ। 

ଏହାପରେ ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାଵ୍ୟର ମିଳନାତ୍ମକ ସମାପ୍ତି ଘଟିଛି । 

ଦତ୍ତିମ ଵା ଡିମେଟ୍ରିୟସ୍'ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ । ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାଵଳୀରେ ଧୂସିଙ୍କର ଵୀରତାର କଥା ରହିଛି ବୋଲି କେତେକ ଗଵେଷକଙ୍କ ମତ । ସମ୍ଭଵତଃ ପଂଡିତ ନୀଳକଂଠ ଏଇ ଚିତ୍ରାଵଳୀ ସହ ଇତିହାସର ସମ୍ମିଶ୍ରଣରେ କାହାଣୀଟି ସୃଷ୍ଟି କରିଅଛନ୍ତି ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...