Thursday, July 14, 2022

“ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଏଵଂ ଓଡ଼ିଆ ଜନସମାଜରେ ତହିଁର ପ୍ରତିଫଳନ”

ଷୋଡଶପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି

  “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । 
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ । 
ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥ ” 

ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଓ ମାତୃତୁଲ୍ୟା ମହିଳା ହେଲେ

•ସ୍ତନ୍ୟପାନ କରାଇଥିଵା ମାତା
•ଗର୍ଭଧାରଣ କରିଥିଵା ମାତା
•ପାଳନ ପୋଷଣ କରିଥିଵା ମାତା
•ଗୁରୁଙ୍କ ପତ୍ନୀ
•ଅଭୀଷ୍ଟଦେଵପତ୍ନୀ
•ପିତାଙ୍କ ପତ୍ନୀ(ସାବତ ମାଆ)
•ପିତାଙ୍କ କନ୍ୟା(ସାବତ ଭଗିନୀ)
•ନିଜର ଭଗିନୀ
•ନିଜ ପୁତ୍ରର ପତ୍ନୀ
•ପ୍ରିୟାପ୍ରସୂ ଅର୍ଥାତ୍ ନିଜ ଝିଅ
•ମାତାଙ୍କ ମାଆ ଵା ଆଈ
•ପିତାଙ୍କ ମାଆ ଵା ଜେଜେମାଆ
•ଭାଇର ପତ୍ନୀ
•ମାତାଙ୍କ ଭଗିନୀ/ମାଉସୀ
•ପିତାଙ୍କ ଭଗିନୀ/ପିଉସୀ ମାଆ
•ମାତୁଳାନୀ ଵା ମାଇଁ

ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା...

ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି । 

 ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ,ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଦେଵୀମାନଙ୍କୁ ମାତା ସମ୍ବୋଧନ କରିଵା ପରମ୍ପରା ଭାରତରେ ସର୍ଵତ୍ର ପ୍ରଚଳିତ କିନ୍ତୁ ଓଡ଼ିଶାରେ ଏହା ସର୍ଵାଧିକ ଦୃଶ୍ୟ ହୋଇଥାଏ । 

ଓଡ଼ିଶାରେ ମାଈଁ,ମମା ଵା ମାମା,ବଡ଼ମାଆ,ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ଆବୋଉ ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । 

ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ,ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା । 

ମାତୁର୍ମାତା ଵା ମାଆର ମାଆ ମାତୃତୁଲ୍ୟ ବୋଲି ତ ଓଡ଼ିଆ ଭାଷାରେ ପୂର୍ଵେ ମାତାକୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଉଥିଵା ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା । 

ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା,ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ । 

ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) । 

ପ୍ରିୟାପ୍ରସୂଃ ଅର୍ଥାତ୍ ଝିଅକୁ ସ୍ନେହରେ ଓଡ଼ିଶାରେ ମାଆ ବୋଲି ସମ୍ବୋଧନ କରାଯାଏ । ଝିଅକୁ ପୂର୍ଵ ଉପାନ୍ତ ତଥା ଉତ୍ତର ଓଡ଼ିଶାରେ ସ୍ନେହରେ ବୁଢ଼ି ତଥା ପଶ୍ଚିମ ଓଡ଼ିଶାରେ ବୁଈ ସମ୍ବୋଧନ କରାଯାଏ । ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ । 

ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ ।

ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । 

ଓଡ଼ିଶା ସେହି ରାଜ୍ୟ ଯେଉଁଠି ଛୋଟ ଛୋଟ କନ୍ୟାମାନଙ୍କୁ ମଧ୍ୟ ସ୍ନେହରେ "ମାଆ" ସମ୍ବୋଧନ କରାଯାଏ , ଓଡ଼ିଶାର ଗଞ୍ଜାମରେ ଵୟସ୍କ ମହିଳାଙ୍କୁ ଆଦର ସହକାରେ "ମାଆ" ସମ୍ବୋଧନ କରାଯାଏ ପୁଣି ଓଡ଼ିଶା ମଧ୍ୟ ସେହି ରାଜ୍ୟ ଯେଉଁଠି ଜାତୀୟ ପୁରସ୍କାର ପ୍ରାପ୍ତ କଵି ଵିଶେଷ ଦାଣ୍ଡରେ ଡାକବାଜି ଲଗାଇ ମାତା ଵା ମାଆ ଶବ୍ଦର ଅନ୍ୟତମ ପ୍ରତିଶବ୍ଦ "ବୋଉ" ଶବ୍ଦର ଚୀରହରଣ କରନ୍ତି” । ସବୁ ସ୍ଥାନରେ “ଭଲ ଓ ମନ୍ଦ” ଉଭୟ ପ୍ରକାର ଲୋକେ ଵସଵାସ କରନ୍ତି। ଵୟସ୍କ ମହିଳାଙ୍କୁ ଓ ଛୋଟ ବାଳିକାଙ୍କୁ ମାଆ ସମ୍ବୋଧନ କରିଵା ଜାତିରେ କିଛି ଅଭଦ୍ର ଜାତ ହୋଇଯାଇଛନ୍ତି ଯୋଉମାନେ ବୋଉ ଶବ୍ଦକୁ ତାତ୍ସଲ୍ୟ କରି ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଓ ନାରୀଜାତିର ଅପମାନ କରନ୍ତି । 

ଓଡ଼ିଆ ଜାତି ମହିଳାଙ୍କୁ ସମ୍ମାନ ଦେଵାରେ ସାରା ଭାରତ ମଧ୍ୟରେ ଅଗ୍ରଣୀ କିନ୍ତୁ କିଛି ଦୁଷ୍ଟ ଲୋକଙ୍କ ଯୋଗୁଁ ଆଜି ଓଡ଼ିଶାରେ ମହିଳା ଓ ମହିଳାଙ୍କୁ ସମ୍ବୋଧନ କରାଯିଵା ସମ୍ବୋଧନଵାଚକ ଶବ୍ଦ ଲାଞ୍ଛିତ , ଅପମାନିତ । 

© ଶିଶିର ସାହୁ ମନୋଜ

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...