ଅଳି ଅଝଟ କରୁଥିଵା ଓ କଥା ନମାନି ଦୁଷ୍ଟ ହେଉଥିଵା ପିଲାମାନଙ୍କୁ ଡରାଇ ଆକଟ କରିଵା ନିମନ୍ତେ କଳ୍ପିତ ଭୟଙ୍କର ଜୀଵର ଚିତ୍ରଣ ପୃଥିଵୀରେ ସର୍ଵତ୍ର ଊଣା ଅଧିକେ ହୋଇଅଛି । ଦୁଷ୍ଟ ଛୁଆଙ୍କୁ ଡରେଇ ଵଶ କରିଵାର ଏହା ଏକ ଅଭିନଵ ପନ୍ଥା । ଆଗକାଳରେ ଆଜିକାଲି ଭଳି ଏତେ ଆଲୋକ ଵ୍ୟଵସ୍ଥା ନଥିଲା । ଭୟଙ୍କର ପଶୁ ଓ ଵିଷାକ୍ତ କୀଟପତଙ୍ଗ ରାତିରେ
ଚରାଵୁଲା କରୁଥିଲେ । କାଳେ ପିଲାଏ ଜିଜ୍ଞାସାଵଶତଃ ଵା ବାରଣ ସତ୍ତ୍ୱେ ରାତ୍ର ସମୟରେ ଘରୁ ଵାହାରି ନିଚ୍ଛାଟିଆ ସ୍ଥାନକୁ ଚାଲିନଯାଆନ୍ତୁ ଓ ଵିପଦରେ ନପଡ଼ନ୍ତୁ ସେଥିପାଇଁ ପୃଥିଵୀର ଅଧିକାଂଶ ଦେଶରେ ଏହିଭଳି କାଳ୍ପନିକ ଜୀଵଙ୍କର କଳ୍ପନା କରାଯାଇଛି ।ସାଧାରଣତଃ ଗଳ୍ପ ଓ ଲୋକଗୀତରେ ପିଲାମାନେ ପ୍ରଥମେ ଏଭଳି ଭୟଙ୍କର କାଳ୍ପନିକ ଜୀଵଙ୍କ ଵିଷୟରେ ଜାଣନ୍ତି ଓ ଅଜଣା ସ୍ଥାନ ,ଵସ୍ତୁ ଓ ଵ୍ୟକ୍ତିଙ୍କୁ ଦେଖି ଭୟକରନ୍ତି ।
ଇଂରାଜୀ ଭାଷାଭାଷୀ ଅଞ୍ଚଳରେ ବୋଗିମ୍ୟାନ୍ ଓ ସ୍ୟାକମ୍ୟାନ୍ ଆଦି ଅନେକ କଳ୍ପିତ ଭୟଙ୍କର ଜୀଵଙ୍କ ଵିଷୟରେ କାହାଣୀମାନ ରହିଛି । ସେହିପରି ପର୍ତ୍ତୁଗାଲ୍ ଓ ବ୍ରାଜିଲରେ ଯଥାକ୍ରମେ 'ଏଲ୍ କୋକୋ' ଓ 'ଏ କୋକା' ନାମରେ ଏକ ଅଜଣା ଜୀଵର କଳ୍ପନା କରି ଅଵିଭାଵକମାନେ ପିଲାଙ୍କୁ ଆକଟ କରାଇଥାନ୍ତି । 'ଏଲ୍ କୋକୋ' ନାମକ କଳ୍ପିତ ଜୀଵର ମସ୍ତକ ପଇଡ଼ ଭଳି ଏଵଂ ଏହି ଜୀଵର କଳ୍ପନା ପର୍ତ୍ତୁଗାଲରେ ପଇଡ଼ ଗଛ ଅଣାଯାଇ ଲଗାଯିଵା ପରଠାରୁ ସୃଷ୍ଟି ହୋଇଥିଵା ଗଵେଷକଙ୍କ ମତ । ସେହିପରି ଆରଵ ଦେଶଗୁଡି଼କରେ 'ବାବାଉ', 'ବାଉବାଉ', 'ବାଓବାଓ' ଓ ଜର୍ମାନୀରେ 'ବଜ୍ଜେମ୍ୟାନ',ଆଫଗାନିସ୍ତାନରେ 'ମଦାର ଇ ଅଲ୍' ,ଆଲବିନିଆନ୍ ଅଞ୍ଚଳରେ 'ବୁବା','ଗୋଗୁଲ୍','ଲୁଭିୟା',ଅଜରବୈଜାନ୍ ଅଞ୍ଚଳରେ 'ଦିଭ୍'
,ବୋସନିଆ,କ୍ରୋଏଟିଆ,ସର୍ବିଆ ଓ ମାସେଡୋନିଆରେ
'ବାବାରୋଗା',ସାଇପ୍ରସରେ 'କୁକୁଲାସ୍' ,ଇଜିପ୍ଟରେ 'ଅବୁରିଗଲ୍ ମୁସଲୁଖା' ,ଫିନଲ୍ଯାଣ୍ଡ୍ରେ 'ମୁର୍କୁ',ଫ୍ରାନ୍ସରେ 'କ୍ରକମିତୈନ' ଏଵଂ ଗ୍ରୀସ୍ ଦେଶରେ 'ବାବୁଲାସ୍' ଆଦି ନାଆଁ ଶୁଣାଇ ପିଲାଙ୍କୁ ଆକଟ କରାଯାଏ ।
ଓଡ଼ିଶାରେ ମଧ୍ୟ ଏଭଳି ଉଦାହରଣର ଆଦୌ ଅଭାଵ ନାହିଁ । 'କକ','କକଵାୟା','କୋକବାୟା','କକମିଆଁ','କକମିନା','କତର୍ବଘା','କାନକଟା','ଅନ୍ଧାରଗୁଡୁ','ଜୁଜୁ' ଓ 'ବିଜିବିଜିମା' ଆଦି କଳ୍ପିତ ଭୟଙ୍କର ଜୀଵଙ୍କ କାହାଣୀ ଶିଶୁମାନଙ୍କୁ ଡରାଇଵା ନିମନ୍ତେ ଶୁଣାଯାଏ । ସେହିପରି ପୂର୍ଵେ ଛୁଆଧରା ଓ ବନ୍ଧକିରିଆ ନେଇଯିଵ କହି ମଧ୍ୟ ପିଲାଙ୍କୁ ଡରାଇ ଆକଟ କରାଯାଉଥିଲା । ରାୟଗଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ଆମ୍ଵ ପାଚିଲେ
ଆମ୍ଵ ଯେପରି ପିଲାମାନେ ଗଛରୁ ତୋଳି ନନିଅନ୍ତି ସେଥିପାଇଁ 'ଖଙ୍ଗାର' ନାମକ ଏକ କାଳ୍ପନିକ ଜୀଵର ଭୟ ସୃଷ୍ଟି କରାଯାଏ ।
ସାଧାରଣତଃ ଅବୁଝା ଶିଶୁମାନଙ୍କୁ ରାତିରେ ଡରାଇ ଶୁଆଇଵା ପାଇଁ କିମ୍ଵା କୌଣସି ଶିଶୁ ଅବାଧ୍ୟ ହେଲେ ମାତାମାନେ ଏହି ଭୟଦ୍ଯୋତକ ଶବ୍ଦମାନ ଵ୍ୟଵହାର କରନ୍ତି। ପ୍ରକୃତରେ କକ କି କୋକବାୟାକୁ ମାଆ କି ଶିଶୁ କେହି ଦେଖି ନାହାନ୍ତି କିନ୍ତୁ ଶିଶୁମାନଙ୍କ ମଙ୍ଗଳ ହେତୁକ କୌଣସି କିମ୍ଭୁତ କିମାକାର ଭୟଙ୍କର ଜୀଵର ନାମ ନିଅନ୍ତି, ଯେମିତିକି 'କୋକବାୟା' କାନ କାଟି ନେଵ କି ଛୁଆଧରା ନେଇଯିଵ କିମ୍ଵା କକ ଆସିଯିଵ ଇତ୍ୟାଦି କହି ପିଲାଙ୍କୁ ଭୟ ଦେଖାନ୍ତି ।
ଜୁଜୁ,କୋକମିନା ସଦୃଶ କଳ୍ପିତ ଭୟସଞ୍ଚାରକ ମୂର୍ତ୍ତି ଵିଶେଷ ଓ ଭୂତପ୍ରେତାଦି ଭୀତି ସଞ୍ଚାରକ ରୂପ ଅଟେ । ଏହା ସମ୍ଭଵତଃ ସଂସ୍କୃତ 'ଜୁଃ' ଶବ୍ଦ ମୂଳଜ ଯାହାର ଅର୍ଥ ପିଶାଚୀ ଅଟେ । ଯାଜପୁରର ଓ ଏହାର ଆଖପାଖ ଅଞ୍ଚଳରେ "ବିଜି ବିଜିମା" ବୋଲି ଏକ କାଳ୍ପନିକ ଭୟଙ୍କର ଜୀଵର କାହାଣୀ ଶୁଣାଇ ଅବାଧ୍ୟ ପିଲାକୁ ଶାନ୍ତ କରାଉଥିଲେ । କେତେକ ଅଞ୍ଚଳରେ ମାଆମାନେ ହସ୍ତପଦଵିହୀନ ଏକ କାଳ୍ପନିକ ଜନ୍ତୁର କାହାଣୀ ଶୁଣାଉଥିଲେ ଯେ ଅନ୍ଧାର ରାତିରେ ଭୂମିରେ ଗଡ଼ି ଗଡ଼ି ଆସେ ଏଵଂ ପିଲାଙ୍କୁ ଧରି ନେଇଯାଏ । ଏହି କାଳ୍ପନିକ ଜୀଵକୁ ଗୁଡ଼ଗୁଡି଼,ଅନ୍ଧାରଗୁଡ଼ଗୁଡ଼ି ଓ ଅନ୍ଧାରଗୁଡ଼ି କୁହାଯାଉଥିଲା ।
ସେହିପରି ଓଡ଼ିଶାର ପଶ୍ଚିମାଞ୍ଚଳରେ 'କତର୍ବଘା' ବୋଲି ଏକ କାଳ୍ପନିକ ଜୀଵ ଵିଷୟରେ କାହାଣୀମାନ ପିଲାମାନଙ୍କୁ ଶୁଣାଯାଉଥିଲା । ଏ କାଳ୍ପନିକ ଜୀଵ ଦେଖିଵାକୁ ବାଘ ପରି ଓ ଭୟଙ୍କର ଵୋଲି ଲୋକଵିଶ୍ଵାସ ପ୍ରଚଳିତ। ଏହି ଧରଣର ଆଉ ଏକ କାଳ୍ପନିକ ଜୀଵର କାହାଣୀ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଶୁଣିଵାକୁ ମିଳେ ତାହାର ନାମ 'ଵାଘଡୁମ୍ମା' ଅଟେ । ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ଏହି 'ବାଘଡୁମ୍ମା' ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...
“ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡନାଲି, ଆଖିନାଲି, ଦେହଯାକ ବଡ଼ବଡ଼ ରୁମ । ଲୋକେ କହନ୍ତି କେତେପ୍ରକାର ଶବ୍ଦକରେ ସେ। କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି, ବାଘଡୁମ୍ମା ଡରାଇ ଡରାଇ ଖେଦେ ।”
ଗଡ଼ଜାତ ଅଞ୍ଚଳରେ ପ୍ରେତ,ମୃତ ଵ୍ୟକ୍ତିର ଆତ୍ମା,ଆତ୍ମା, ଅସୁର ଓ ଡାହାଣୀକୁ ଡୁମା ଵା ଡୁମ୍ମା କହିଥାନ୍ତି । ସେହିପରି ଅଵିଭକ୍ତ କୋରାପୁଟର କଥିତ ଦେଶିଆ କୋଟିଆ ଭାଷାରେ ଡୁମ୍ମାର ଅର୍ଥ ଭୂତ ଵା ପ୍ରେତ ଏଵଂ ଏହା ଦେଶିଆ ଓଡ଼ିଆରେ ପ୍ରଚଳିତ ଜନଜାତୀୟ ମୂଳର ଏକ ଓଡ଼ିଆ ଶବ୍ଦ ହୋଇଥିଵା ସମ୍ଭଵ କିମ୍ଵା ତତ୍ସମ 'ଦାନଵ' ଶବ୍ଦର ସ୍ଥାନୀୟ ରୂପ ହୋଇଥାଇପାରେ । ଏଣୁ ବାଘଡୁମ୍ମା ଶବ୍ଦର ଆକ୍ଷରିକ ଅର୍ଥ ବାଘର ଭୂତ ଅଟଇ । ଅଵିଭକ୍ତ କୋରାପୁଟ ଅଞ୍ଚଳରେ ଲୋକଵିଶ୍ଵାସ ରହିଛି ଯେ ଯେଉଁମାନେ ଵଣଜଙ୍ଗଲରେ ବାଘର ଆକ୍ରମଣରେ ମରିଯାଆନ୍ତି, ସେମାନଙ୍କର ଆତ୍ମା ‘ବାଘଡୁମ୍ମା’ ହୋଇଯାଏ । ସେହିପରି ବାଘ ଦ୍ଵାରା ନିହତ ହୋଇଥିଵ ମଣିଷର ଶଵକୁ କୋରାପୁଟରେ 'ବାଗ୍ମଡ଼ା' କୁହାଯାଏ । ଆଗକାଳରେ କୌଣସି ଲୋକ ବାଘ ହାବୁଡ଼ରେ ପଡ଼ି ମୃତ୍ୟୁଵରଣ କଲେ ତାର ଶଵକୁ ଜଙ୍ଗଲରେ ହିଁ ପୋତି ଦିଆଯାଉଥିଲା। କାଳେ ଡୁମ୍ମା ହୋଇ ସେ ମୃତାତ୍ମା ଜୀଵିତଲୋକଙ୍କୁ ହଇରାଣ କରିଵ ବୋଲି ଶଵ ପୋତାଯାଇଥିଵା ସ୍ଥାନରେ ଲୁହାକଣ୍ଟା ପିଟାଯିଵାର ଚଳଣି ଥିଲା । କୁହାଯାଏ ବାଘଡୁମ୍ମା କାହାଠେଇଁ ଲାଗିଲେ ସେ ଲୋକ ସହଜରେ ଭଲ ହେଉନଥିଲା । କେତେକ ବାଘଡୁମ୍ମା ଲାଗିଥିଵା ଲୋକ ଝାଡ଼ାଵାନ୍ତିରେ ମୃତ୍ୟୁଵରଣ କରୁଥିଲେ । ଏହାର ପ୍ରତିକାରସ୍ଵରୂପ ସ୍ଥାନୀୟ ଲୋକେ ଗୁଣିଆ, ଦିଶାରୀ ଵା ଗୁରୁମାଈ ପ୍ରଭୃତିଙ୍କୁ ଡାକି ଝଡ଼ାଫୁଙ୍କା, ମନ୍ତ୍ରପାଠ ଇତ୍ୟାଦି କରିଵା ସହ ଡୁମାପୂଜା ମଧ୍ୟ କରିଥିଲେ । ପୂର୍ଵାଞ୍ଚଳରେ ସେହିପରି ଗାଈ ରୂପରେ ହାଡ଼ବାଇ ନାମକ ଏକ କାଳ୍ପନିକ ପ୍ରେତ ବୁଲିଵାର ଲୋକଵିଶ୍ଵାସ ରହିଛି । ଓଡ଼ିଶାର ପଶ୍ଚିମାଞ୍ଚଳରେ ପିଲାମାନଙ୍କୁ ଡରାଇଵା ପାଇଁ ସ୍ତ୍ରୀଲୋକମାନେ ଆଗେ ଏକ କାଳ୍ପଳିକ ରାକ୍ଷସୀର ଉଲ୍ଲେଖ କରୁଥିଲେ ଯାହାକୁ “କୁଲାଏର୍ ବୁଢ଼ୀ” କୁହାଯାଉଥିଲା । ଏ ବୁଢ଼ୀ ପିଲାଙ୍କୁ ମିଠା ମିଠା କଥା କହି ମିଠେଇ ଦେଇ ନେଇଯାଏ କହି ପିଲାଙ୍କୁ ଆକଟ କରାଯାଉଥିଲା । ଅନ୍ୟ କେତେକ ଅଞ୍ଚଳରେ ସେହିପରି କଞ୍ଚାଖାଇ ଡାହାଣୀର କାହାଣୀ ଶୁଣାଇ ପିଲାଙ୍କୁ ଅଭିଭାଵକମାନେ ଆକଟ କରାଉଥିଲେ । କଞ୍ଚାଖାଇ ଏକ ଭୟଙ୍କର ଡାହାଣୀ ଏଵଂ ୟେ କଞ୍ଚା ମାଂସ ଓ ଵିଷ୍ଠା ଖାଏ ଵୋଲି ପ୍ରଵାଦ ରହିଛି । ପିଲାମାନଙ୍କୁ ଭୟ ଦେଖାଇଵା ପାଇଁ ସ୍ତ୍ରୀ ଲୋକଙ୍କ କଳ୍ପନା ଦ୍ୱାରା ଚିତ୍ରିତ ଆଉ ଏକ ରାକ୍ଷସ ହେଉଛି 'କାନକଟା' । ଏ ରାକ୍ଷସ ଅଳି ଅଝଟା ଝଗଡ଼ା କରୁଥିଵା ଅବୁଝା ପିଲାମାନଙ୍କ କାନକୁ ଛୁରିରେ କାଟି ନିଏ ବୋଲି ମାଆ ମାନେ ଶିଶୁଙ୍କୁ କହି ଡରାଉଥିଲେ । ଦୁଷ୍ଟ ପିଲାଙ୍କୁ ଛୁଆଧରା , ଛୁଆଧରା ବାୟା, ଅଖା ଧରା ବାଇଆ ଓ ବନ୍ଧକିରିଆ ଆଦି ନେଇଯାଆନ୍ତି କହି ମଧ୍ୟ ପିଲାଙ୍କୁ ଆୟତ୍ତ କରାଯାଉଥିଲା । କେତେକ ଅଞ୍ଚଳରେ ଵାଵନାଭୁତ ଗଛ ମୂଳରେ ରୁହନ୍ତି ଏଵଂ ରାତିରେ ବୁଲୁଥିଵା ପିଲାଙ୍କୁ ଧରି ନିଅନ୍ତି କହି ମାଆମାନେ ପିଲାମାନଙ୍କୁ ରାତିରେ ଵାଡି଼ଆଡ଼େ ଵୁଲିଵାକୁ ଵାରଣ କରିଥାନ୍ତି । ଖୁଆଇଲାଵେଳେ ଖାଉନଥିଵା କକ,କକୁଆ,କୋକମିନା ଆସି ନେଇଯିଵ କହି ବାଆଁରେଇ ମାଆମାନେ ପିଲାମାନଙ୍କୁ ଖାଦ୍ୟ ଖୁଆଉଥିଲେ ।
ଓଡ଼ିଆ ସାହିତ୍ୟରେ "କୁହୁକମଣ୍ତଳ ଚଢ଼େଇ,ଶରଭ,ଗଣ୍ଡଭୈରଵ, ନଵଗୁଞ୍ଜର,ଶିୟାଳି,ହୁମା ଚଢ଼େଇ,ଜଳମାନୁଷ ଓ ପାପପୁରୁଷ ଭଳି ଅନେକ କାଳ୍ପନିକ ଜୀଵଙ୍କର କାହାଣୀମାନ ରହିଛି । ପୁରାଣ ଆଦିରେ ଲେଖା ଅଛି ଯେ, ଶରଭ ଅଷ୍ଟପାଦ, ଊର୍ଦ୍ଧ୍ୱନୟନ ଓ ଊର୍ଦ୍ଧ୍ୱପାଦ ଚତୁଷ୍ଟୟଯୁକ୍ତ ତଥା ଏ ଜୀଵ ସିଂହକୁ ମାରିଵାକୁ ସମର୍ଥ। ଵୈଦେହୀଶ ଵିଳାସରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି କାଳ୍ପନିକ ଜୀଵର ଉଲ୍ଲେଖ କରିଛନ୍ତି ।
“ବଳଵନ୍ତ ହେଲେ ଯଥା କେଶରୀ,
ଵଧେ ଗଜାଦି ଶରଭକୁ ଡରି।”
ସେହିପରି ଓଡ଼ିଆ କାହାଣୀରେ ଵର୍ଣ୍ଣିତ ଏକ ଵୃହତ୍ କାଳ୍ପନିକ ପକ୍ଷୀ ହେଉଛି ଗଣ୍ଡଭୈରଵ। ଏହାର ଦୁଇଟି ଥଣ୍ଟ ଓ ଚାରିଟି (ମତାନ୍ତରରେ ଦୁଇଟି) ଗୋଡ଼ ଅଛି। ଏ ପ୍ରତି ଗୋଡ଼ରେ ଓ ପ୍ରତି ଥଣ୍ଟରେ ଗୋଟିଏ ଗୋଟିଏ ହାତୀ ତଳୁ ଉଠାଇ ନେଇ ଉଡ଼ି ପାରେ ଵୋଲି ଲୋକଵିଶ୍ଵାସ ଅଛି ।
ସେହି ଧରଣର ଆଉ ଏକ କଳ୍ପିତ ଭୟଙ୍କର
ଜୀଵର କଳ୍ପନା ଓଡ଼ିଆ ଜାତିରେ ଵହୁ ପ୍ରାଚୀନ କାଳରୁ ରହିଛି ଏଵଂ ଏ ଅଜଣା ଜୀଵର ନାଆଁ ଶୁଣିଲେ ପିଲା ତ ପିଲା ଵୟସ୍କ ଲୋକେ ସୁଦ୍ଧା ଡରୁଥିଲେ ଏଵଂ ଆଜି ବି ଗ୍ରାମାଞ୍ଚଳରେ ଏ କଳ୍ପିତ ଜୀଵର କାହାଣୀ ଊଣା ଅଧିକେ ଶୁଣାଯାଏ ।
ସେହି ଅଦୃଷ୍ଟ କାଳ୍ପନିକ ଭୟଙ୍କର ଜୀଵଟି ହେଉଛି କୋକୁଆ । ଲୋକଵିଶ୍ଵାସ ରହିଛି ଯେ ପ୍ରଳୟକାଳ ଆସିଲେ ଵା ଗୋଟିଏ ଅଞ୍ଚଳ ଵିଶେଷରେ ଅନେକ ଲୋକଙ୍କୁ ଦୁର୍ଭାଗ୍ୟ ଭୋଗ ହେଲେ କୋକୁଆ ଆସେ । କିନ୍ତୁ ଏହି ଭୟଦ୍ଯୋତକ ଜୀଵକୁ ଆଜିଯାଏଁ କେହି ଦେଖିନାହାନ୍ତି ତେଵେ ଅଜଣା ପକ୍ଷୀର ରାଵ କିମ୍ଵା ପଶୁ ଦେଖିଲେ ଭୟରେ କୌଣସି ଅଞ୍ଚଳର ସମସ୍ତ ଲୋକେ ଅସ୍ଥିର ହୁଅନ୍ତି । ଗୋଟିଏ ଗ୍ରାମରେ ଅନେକ ଲୋକ ଅଜଣା କାରଣରୁ ମୃତ୍ୟୁଵରଣ କଲେ ବି କୋକୁଆ ଭୟ ଦେଖାଦିଏ ।
ସାରଳା ଦାସ ତାଙ୍କର ସାରଳା ମହାଭାରତର ମୁଷଳୀ ପର୍ଵରେ ଏହି 'କୋକୁଆ' ନାମକ ଅଜ୍ଞାତ ଭୟଙ୍କର ଜୀଵ ଵିଷୟରେ ଲେଖି ଏହାକୁ ସର୍ଵପରିଚିତ କରାଇଅଛନ୍ତି । ଯଥା—
“ଶୁଣ ହୋ ରାଜନ ଭାଳିଣ ଶ୍ରୀକୃଷ୍ଣ ଯେ ରଞ୍ଚିଲେକ ଉପାୟେ ।
ଦ୍ଵରିକା ଭୁଵନ କଇଂ ଲାଗିଲାକ କୋକୁଆ ଭୟେ ॥
ଅଦଭୁତେ ଶୁଭିଲା ଅଇଲା କୋକୁଆ । ଦ୍ଵାରିକା ଲୋକଯାକ ହୋଇଲେ ଅଚାଭୁଆ ॥
ଭୟେଣ କଅଁଳା ପୋୟେ ରହନ୍ତି ଭିତରେ । ଯାଇଣ ପଶନ୍ତି କେହୁ ମାତାଙ୍କ କୋଡ଼ରେ ॥
କୋକୁଆ ଭୟେ ବୋଲି ସମସ୍ତେ ହେଲେ କହି ।
ବାଳ ପୋୟେ ଲୁଚିଲେ ଘର କୋଣେ ଯାଇ ॥
ଦଶ ଵିଂଶ ପଞ୍ଚାଶ ଲୋକେ ଦେଖି କରି ଭାଳି ।
କୋକୁଆ ବୋଲିଣ ସେ କେମନ୍ତ ମହାବଳୀ ।
ଦେଵକୀ ପଚାରିଲେ ଶୁଣ ହୋ ଵସୁଦେଵ ।
କୋକୁଆ ବୋଲି କରି ସେ ଅଟଇ କେଵଣ ଜୀଵ ॥
ଗୋଵିନ୍ଦ ବୋଇଲେ ମା ଗୋ ସତେ ସେ ଅଟଇ କୋକୁଆ ।
ଅପାର କାଳରୁ ତ ଶୁଣିଲା ଅଛି ୟେହା ॥
ଚାରିଯୁଗ ଯାକେ ଥାଇ ସ୍ଵର୍ଗପୁରେ ।
ଆମ୍ଭର ପୁରକୁ ଡରେ ଆସି ନୁଆରିଲା ॥
ଥରେ କଳିଯୁଗ ପ୍ରଵେଶ ହୋଇଲାକ ଯହୁଁ । ତେଣୁ କରି ଦ୍ଵାରିକାକୁ ଅଇଲାକ ତହୁଁ ॥
ଯୋଜନେ ଯୋଜନେ ଭୁଜ ତାର ସପତଗୋଟି ଆଖି ।
ଅନ୍ତରୀକ୍ଷେ ଉଡୁଥାଇ ଅଛଇ ତାର ନଵପଚ୍ଛୀ ॥
ଯୋଜନେ ଯୋଜନେ ତୁଣ୍ଡ ତାର ପାଞ୍ଚ ଯୋଜନ ଗର୍ଭ ।
ତିରୀ ପୁରୁଷ ନ ଯାଇ ପଡ଼ିଲେ ଭକ୍ଷଇ ସର୍ଵ ॥
ଶ୍ରୀକୃଷ୍ଣ ମୁଖରୁ ଯହୁ ଶୁଣିଲେ ୟେସନେକ ଵାଣୀ ।
ଲାଗିଲା ମହାଭୟେ ସମସ୍ତେ ତହିଂ ଶୁଣି ॥
ଦିଵସେ କୋକୁଆ ବୋଲି ଦେଖନ୍ତି ସ୍ଵପନେ ।
ଅଦଭୁତେ ଡରି ପଡ଼ି ତିଆଂନ୍ତି ସର୍ଵ ଜନେ ॥
କେ ବୋଲଇ ମତେ ଗୋ କୋକୁଆ ଗିଳୁଥିଲା ।
କେ ବୋଲଇ କାହାକୁ କେଣେ ଗିଳିଗଲା ॥
କେ ବୋଇଇ ଅନ୍ତରୀକ୍ଷେ ଉଡ଼ିଗଲା ଧରି । କେ କାହାକୁ ତ ଆଉ ନୁଆରିଲେ ବାରି ॥
ଶୁଣ ହୋ ରାଜନ ଦ୍ଵାରିକାପୁର ଲୋକେ କାହାକଇଂ ନକରନ୍ତି ଶଙ୍କା ।
କୋକୁଆ ଭୟ ବୋଲି ସର୍ଵେ ହୋଇଲେ ତାଟକା ॥”
×××××××××××××××××××××
“ଭୟଙ୍କର ରୁପ କାଳପୁରୁଷ ଗୋଟିଏ ।
ଦ୍ୱାରକା ନଗର ମଧ୍ୟେ ପରଵେଶ ହୁଏ ॥ସର୍ଵଦା ଵୁଲଇ ସେହି ସବୁଙ୍କ ମନ୍ଦିରେ ।
କେହି ଦେଖି ନପାରଇ ତାକୁ ନୟନରେ ॥
ସେ କାଳପୁରୁଷ ଦେଖି ପ୍ରଭୁ ଭଗଵାନ ।
ଭାବିଲେ ଏଥର କାଳ କଲା ଆଗମନ ॥
ଏଥର ନିଶ୍ଚୟ ସର୍ଵେ ଵିନାଶ ହୋଇବେ ।
ଶୀଘ୍ର ଵିନାଶ ଉପାୟ ଲଗାଇଵା ଏବେ ॥
ଏହା କହିଣ ଶ୍ରୀକୃଷ୍ଣ ଦୂତଙ୍କୁ ଡକାଇ।ବୋଇଲେ ବେଗେ ଘୋଷଣା ନଗ୍ରେ ଦିଅଯାଇ ॥
ବୋଳିଵ କୋକୁଆ ଏକ ଭୟଙ୍କର ଜୀଵ।
ନଗ୍ରେ ପଶିଲାଣି ଏଵେ ସବୁକୁ ଖାଇଵ ॥”
ମହାଭାରତରେ 'କୋକୁଆ' ପ୍ରସଙ୍ଗର ଉଲ୍ଲେଖ ସାରଳା ଦାସଙ୍କର ଏହା ମୌଳିକ ପ୍ରୟୋଗ କାରଣ ମୂଳ ମହାଭାରତରେ ଏଭଳି କୌଣସି କଥା ଥିଵା ଜଣାଯାଏ ନାହିଁ । ତେବେ କୋକୁଆ ଶବ୍ଦ ସାରଳା ମହାଭାରତରେ ଵ୍ୟଵହାର ହୋଇଥିଵାରୁ ଏହା ବହୁ ପ୍ରାଚୀନ କାଳରୁ ଓଡ଼ିଆ ଭାଷାରେ ପ୍ରଚଳିତ ବୋଲି କୁହାଯାଇପାରେ । ହେଲେ 'କକ','କୋକମିନା' ଵା 'କକମିନା','କକଵାୟା' ଓ 'କକମିଆଁ' ଭଳି ଏ 'କୋକୁଆ' ଶବ୍ଦ ଯେ କୌଣସି ଏକ
ଶବ୍ଦରୁ ସୃଷ୍ଟି ହୋଇଥିଵ ତାହା ଅନୁମାନ କରାଯାଇପାରେ ।
ପୂର୍ଵେ ଭାଷାଵିଦମାନେ ଅନୁମାନ କରୁଥିଲେ ଯେ ପର୍ତ୍ତୁଗୀଜମାନଙ୍କ ଭାଷାରୁ 'କୋକୁଆ' ଶବ୍ଦ ଆସି ଓଡ଼ିଆ ଭାଷାରେ ପ୍ରଚଳିତ ହୋଇଥାଇପାରେ । ପର୍ତ୍ତୁଗୀଜ୍ ଓ ସ୍ପାନିସ୍ ଭାଷାରେ ପ୍ରଚଳିତ ଥିଵା ଓ ଏମାନଙ୍କ ଦ୍ଵାରା ପୂର୍ଵେ ପରାଧୀନ ଦକ୍ଷିଣ ଆମେରିକା, ଉତ୍ତର ଆମେରିକା ତଥା ଆଫ୍ରିକାର କେତେକ ଦେଶରେ ବୋଗିମରୟାନ୍ ଭଳି ଏକ ଅଜଣା ଭୟଙ୍କର ଜୀଵର କଳ୍ପନା
'ଏଲ୍ କୋକୋ','କୋକା','କୁକୁୟ','କୁକୋ',
'କୁକୁ','କୁକୁଈ' ଆଦି ଵିଭିନ୍ନ ନାମରେ ନାମିତ କରାଯାଇଛି । 'କୋକୋ' ଵା 'କୁକୁୟ' ଶବ୍ଦଟି ଏହି ଅର୍ଥରେ ପ୍ରଥମେ ଉତ୍ତର ପର୍ତ୍ତୁଗାଲ ଓ ଗୈଲିସିଆରେ ପ୍ରୟୋଗ ହୋଇଥିଵା ଜଣାଯାଏ । the Real Academia Española ଅନୁସାରେ କୋକୋ ଶବ୍ଦଟି ଗାଲିସୀୟ ଓ ପର୍ତ୍ତୁଗୀଜ ଭାଷା ମୂଳର 'côco'ଶବ୍ଦର ଏକ ରୂପ ଏଵଂ ଏହାର ମୂଳ ଶବ୍ଦର ଅର୍ଥ ଥିଲା 'coconut' ଵା 'ନଡ଼ିଆ' । ତେବେ ଏହି 'କୋକୋ' ଶବ୍ଦଟି ସ୍ପାନିଶ୍ ଭାଷାର କଥିତ ଶୈଳୀରେ ମନୁଷ୍ୟ ମୁଣ୍ଡ ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ । ପୁନଶ୍ଚ ଏ ଭାଷାରେ 'କୋକୋ 'ଶବ୍ଦର ଆଉ ଏକ ଅର୍ଥ "skull" ଵା ଖପୁରୀ । "Cocos nucifera" ଵା 'ନଡି଼ଆ' ମୂଳତଃ ଭାରତଵର୍ଷ ଅର୍ଥାତ୍ ଭାରତ ଉପମହାଦ୍ଵୀପ ଓ ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ ଅଞ୍ଚଳର ଵୃକ୍ଷ। ସମୁଦ୍ରଦ୍ଵାରା ଏହା ସାରା ଵିଶ୍ଵରେ ଵ୍ୟାପିଯାଇଛି । ଯେତେଵେଳେ ପଇଡ଼ ଵା ନଡ଼ିଆ ୟୁରୋପରେ ପହଞ୍ଚିଲା ତାହାକୁ ମନୁଷ୍ୟ ମୁଣ୍ଡ ଵା ଖପୁରୀ ଵିଚାର କରି coconut ନାମ ଦିଆଯାଇଥିଲା ମାତ୍ର ପର୍ତ୍ତୁଗୀଜମାନେ ଓଡ଼ିଶାରେ ଷୋହଳଶହ ଶତାବ୍ଦୀ ପରେ ଆସି ପଦାର୍ପଣ କରିଥିଲେ ଏଵଂ ସାରଳା ମହାଭାରତ ତାଙ୍କ ଆଗମନର ଵହୁତ ପୂର୍ଵରୁ ତେରଶହ ଶତାବ୍ଦୀରୁ ପନ୍ଦରଶହ ଶତାବ୍ଦୀ ମଧ୍ୟରେ ରଚିତ ହୋଇଥିଵାରୁ ପର୍ତ୍ତୁଗୀଜ୍ ମୂଳରୁ ଓଡ଼ିଆ ଭାଷାରେ କୋକୁଆ ଶବ୍ଦ ଆସି ଚଳିଥିଵା ଵିଶ୍ଵାସଯୋଗ୍ୟ ନୁହେଁ ।
କୋକୁଆ କିଏ, ତା’ର ଜନ୍ମ କୋଉଠି ?
କୋକୁଆ କେମିତି ଦେଖାଯାଏ ? ଏହାର ଉତ୍ତର ସ୍ପଷ୍ଟ ଯେ ତାକୁ କେହି ସ୍ଵଚକ୍ଷୁରେ ଦେଖି ନାହାନ୍ତି ମାତ୍ର ତା’ର ରୂପ ଅତି ଭୟଙ୍କର ଏକଥା ସମସ୍ତେ ଶୁଣିଅଛନ୍ତି।
ଭାଗଵତ କଥାଵାଚକମାନେ କୁହନ୍ତି କୋକୁଆର ସ୍ରଷ୍ଟା ନିଶ୍ଚୟ ସାରଳା ଦାସ। ସାରଳା ଦାସ କୋକୁଆକୁ କାଳର ପ୍ରତୀକ ଭାବେ ଉପସ୍ଥାପିତ କରିଛନ୍ତି । ପ୍ରତ୍ୟେକ ଵ୍ୟକ୍ତିର କାଳ ଆସିଲେ ତା ମନରେ ସୃଷ୍ଟି ହେଉଥିଵା ଭୟ ହିଁ ଏହି କୋକୁଆ । କାଳ ପୂରିଯାଇଥିଵା ଜୀଵ ଯୋଉ ଭୟର ଅନୁଭଵ କରୁଥାଏ ତାହା ଆଉ କିଏ ଶୁଣିପାରେ ନାହିଁ,ଦେଖିପାରେ ନାହିଁ କି ଅନୁଭଵ କରିପାରେ ନାହିଁ । ତା ମନରେ ଜାତ ହେଉଥିଵା ସେହି ଅଜଣା ଅଦେଖା ଅଵର୍ଣ୍ଣନୀୟ ଭୟ ହିଁ କୋକୁଆ । କାଳର ରୂପ ଅତ୍ୟନ୍ତ ଵିସ୍ମୟକର ତାକୁ କେଵଳ ଜଣେ କାଳ ପୂରି ଆସିଲାଵେଳେ ଅନୁଭଵ କରିପାରେ । ସାରଳା ମହାଭାରତର କଥା ଅନୁସାରେ ଶ୍ରୀକୃଷ୍ଣ କୋକୁଆ ଗୁଜଵର ସ୍ରଷ୍ଟା ତେଣୁ କଥାଵାଚକମାନେ କୁହନ୍ତି ସେହି ଶ୍ରୀକୃଷ୍ଣ ହିଁ ମହାକାଳ, ରହସ୍ୟର ପ୍ରତୀକ ତେଣୁ ସିଏ ହିଁ ‘କୋକୁଆ’ ଅଟନ୍ତି । ‘କୋକୁଆ’ ଆଉ କିଛି ନୁହେଁ 'କଳିକାଳ, କଳ୍କିବୋଧର ଭାଵ ଅଟଇ । ଶହ ଶହ ଵର୍ଷ ତଳେ ସାରଳା ଦାସ ନିଜର ମୌଳିକ କାହାଣୀ ମାଧ୍ୟମରେ କାଳର ଵା ପ୍ରକୃତିର ଏହି ଗୁମରକୁ ସ୍ପଷ୍ଟ କରି ଦେଇଥିଲେ ।
ଓଡ଼ିଶାରେ କିଛି ଭାଷାଵିଦଙ୍କ ଅନୁସାରେ
କୋକୁଆ ଶବ୍ଦଟି ଦୁଇଗୋଟି ଶବ୍ଦ "କୋ ଏଵଂ କୁଆ"କୁ ନେଇ ଗଠିତ ହୋଇଛି।
କୋ ଶବ୍ଦଟି ଓଡ଼ିଆ ଭାଷାରେ କୋଉ ଵା କେଉଁ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କୁଆ ଏକ କଳା ରଙ୍ଗର ଭାରତୀୟ ପକ୍ଷୀ ଏଵଂ କା କା ଆଦି ଶବ୍ଦ ଉଚ୍ଚାରଣ କରିଥାଏ ଵୋଲି ଏହାର ନାମ କୁଆ ତଥା କାଉ ରଖାଯାଇଛି । ଓଡ଼ିଶାରେ ସାଧାରଣତଃ କାକ ଭଳି କୌଣସି ଏକ ପକ୍ଷୀକୁ କୋକୁଆ ବୋଲି ସନ୍ଦେହ କରାଯାଉଥିଵା ଦୃଶ୍ୟ ହୋଇଥାଏ । ପୁନଶ୍ଚ ଗ୍ରାମାଞ୍ଚଳର ଲୋକେ କୁହନ୍ତି ଏହି ପକ୍ଷୀଟି କୁକୁ କୁକୁ କୁଆ କୁଆ ଶବ୍ଦ କରିଥାଏ । ସାରଳା ମହାଭାରତରେ ମଧ୍ୟ କୋକୁଆ ନାମକ ଭୟଙ୍କର ଜୀଵକୁ ଆକାଶରେ ଉଡୁ଼ଥିଵା ନଵପକ୍ଷଧାରୀ ପକ୍ଷୀ ରୂପେ ଵର୍ଣ୍ଣନା କରାଯାଇଛି ।
“ଯୋଜନେ ଯୋଜନେ ଭୁଜ ତାର ସପତଗୋଟି ଆଖି ।
ଅନ୍ତରୀକ୍ଷେ ଉଡୁଥାଇ ଅଛଇ ତାର ନଵପଚ୍ଛୀ ॥”
ତେଣୁ ଏଠାକାର କିଛି ଵୁଦ୍ଧିଜୀଵି ଏହି ସବୁ ଲୋକଵିଶ୍ଵାସ ଆଧାରରେ ଅନୁମାନ କରନ୍ତି ଯେ ପୂର୍ଵକାଳରେ ଓଡ଼ିଶାରେ ଭୟଙ୍କର ମାରାତ୍ମକ ରୋଗ ଵ୍ୟାପିଲେ ଵା ଭୀଷଣ ଵନ୍ୟା ଵାତ୍ୟା ଅଥଵା ଅକାରଣ କଳିଗୋଳ ଓ ଅଜ୍ଞାତ କାରଣରୁ ଅନେକ ଘରେ ନିଆଁ ଲାଗିଵା ଇତ୍ୟାଦି କାର୍ଯ୍ୟ ପାଇଁ କୋକୁଆକୁ ଦାୟୀ କରାଯାଉଥିଲା । ଏଭଳି ଦୁଃସମୟରେ ଗ୍ରାମାଞ୍ଚଳରେ କୌଣସି ଏକ ଅଜଣା ପକ୍ଷୀ କୁ କୁ କିମ୍ଵା କୁଆ କୁଆ ରାଵ କରିଵା ଯୋଗୁଁ ତାକୁ ଏଥିପାଇଁ ଦାୟୀ କରାଯାଇ କୋକୁଆ ଭଳି ଏକ ଭୟଙ୍କର ଜୀଵର ନାମକରଣ ହୋଇଅଛି ବୋଲି ଅନେକେ ଵିଶ୍ଵାସ କରନ୍ତି । ଭାରତରେ କାଉ,କୋଇଲି,ଚଷାପୁଅ ତଥା ଚକ୍ରଵାକ୍ ପକ୍ଷୀ ଆଦି କିଛି ପକ୍ଷୀ "କୁ,କା,କୁଆଂ" ଆଦି ରାଵ କରିଥାନ୍ତି । ସଂସ୍କୃତ ଭାଷାରେ ଚକ୍ରଵାକ୍ ପକ୍ଷୀକୁ କୋକ କୁହାଯାଏ ।
ଗୀତଗୋଵିନ୍ଦରେ ଏହି ଚକ୍ରଵାକ ପକ୍ଷୀ ଅର୍ଥରେ କୋକ ଶବ୍ଦ ପ୍ରୟୋଗ କରାଯାଇଛି
“କୋକାନାଂ କରୁଣସ୍ଵନେନ ସଦୃଶୀ ଦୀର୍ଘା ମଦଭ୍ଯର୍ଥନା”
ଇଂରାଜୀ ଭାଷାରେ ଚକ୍ରଵାକ ପକ୍ଷୀକୁ ruddy shelduck ଓ Brahminy duck କୁହାଯାଏ ଏଵଂ ଏହାର ଵୈଜ୍ଞାନିକ ନାମ Tadorna ferruginea ଅଟେ । ଏହି ପକ୍ଷୀଟିର ଭାରତଵର୍ଷ ଓ ଏହାର ଆଖପାଖ ଅଞ୍ଚଳ ହେଉଛି ମୂଳ ଭୂଖଣ୍ଡ ତଥା ଏମାନେ କୁଆଂ କୁଆଂ ଵା କଉଆଂ କଉଆଂ ରାଵ କରିଥାନ୍ତି । ଫଳତଃ ଅନୁମାନ କରାଯାଇପାରେ ଯେ ଏମାନଙ୍କର ଏଭଳି ରାଵ କରିଵା ଯୋଗୁଁ ଏମାନଙ୍କୁ କୋକ କୁହାଯାଉଥିଲା । ତେଣୁ କେତେକ ଅନୁମାନ କରନ୍ତି ଯେ କୋକୁଆ ଶବ୍ଦର ସୃଷ୍ଟି ନିଶ୍ଚୟ ଗୋଟିଏ ପକ୍ଷୀର ରାଵ ଓ ତତ୍ ସମ୍ଵନ୍ଧୀୟ ଲୋକଵିଶ୍ଵାସ ଯୋଗୁଁ ହୋଇଥିଲା ।
ଆଉ କିଛି ଲୋକଙ୍କ ମତରେ କୋକୁଆ ଶବ୍ଦଟି ଓଡ଼ିଆ ଶବ୍ଦ "କୋକେଇ" ସହିତ ସମ୍ଵନ୍ଧିତ । ଶଵକୁ ଶ୍ମଶାନ ବୋହିନେଵା ନିମନ୍ତେ ଛଅ ଖଣ୍ଡ କାଠରେ ତିଆରି କରାଯିଵା ନିଶୁଣି ଭଳି ଦେଖାଯିଵା ଏକପ୍ରକାରର ବୁହାଯାନକୁ ଆମ ଭାଷାରେ କୋକେଇ କୁହାଯାଏ । ବଡ଼ ବଡ଼ ଦୁଇ ଖଣ୍ଡି ବାଉଁଶ ଉପରେ ଚାରି ଖଣ୍ଡି ଛୋଟ ବାଉଁଶ ଆଡ଼ବାଗରେ ପାଳଦଉଡ଼ିରେ ବାନ୍ଧି କୋକେଇ ତିଆରି କରନ୍ତି । ଏଥିରେ ବଡ଼ ସାନ କରି ଛଅଖଣ୍ଡ ବାଉଁଶ ଲାଗିଥାଏ। କୋକୁଆ ନାମକ ଅଦ୍ଭୁତ ଅଜଣା ଜୀଵ ଯୋଗୁଁ ଗାଆଁକୁ ଗାଆଁ ଵିସୂଚିକା ଭଳି ମାରାତ୍ମକ ରୋଗ କିମ୍ଵା ଵନ୍ୟା ଵାତ୍ୟା,ଅଗ୍ନି ଉତ୍ପାତ ଯୋଗୁଁ ଖାଲି ହେଇଯାଉଥିଲା ବୋଲି ଲୋକଵିଶ୍ଵାସ ଥିଲା । ମଣିଷ ମଲେ କୋକେଇରେ ବୁହା ହୁଅନ୍ତି ତେଣୁ ଯୋଉ ଜୀଵ ଯୋଗୁଁ ଗାଆଁଗଣ୍ଡା କୋକେଇମୟ ହୋଇଯାଏ ତାକୁ କୋକୁଆ କୁହାଯାଏ ବୋଲି କେତେକ ଅନୁମାନ କରନ୍ତି । ଓଡ଼ିଆ ଭାଷାରେ କୋକେଇକୁ 'କକୁଆ' ମଧ୍ୟ କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ । କିନ୍ତୁ ଏହି କୋକେଇ ଶବ୍ଦର ମୂଳ କ'ଣ ତାହା ଅସ୍ପଷ୍ଟ ।
ପୁଣି କିଛି ଲୋକେ କୁହନ୍ତି ଯେ ଶାସ୍ତ୍ରୀୟ 'କୋକଃ' ଶବ୍ଦ ସହିତ ଏହି କୋକୁଆ ଶବ୍ଦ ସମୋଦ୍ଧୃତ । ଏ ଦେଶରେ 'ଵୃକ' ଵା 'ବିଲୁଆ'କୁ ମଧ୍ୟ 'କୋକ' କୁହାଯାଉଥିଲା । ।
ଯଥା ରାମାୟଣର “ ୫ । ୨୬ । ୯ ।” ରେ ଏହି ଶବ୍ଦର ଵିଲୁଆ ଅର୍ଥରେ ଏମନ୍ତ ପ୍ରୟୋଗ ହୋଇଅଛି
“ଵନେ ଯୂଥପରିଭ୍ରଷ୍ଟା ମୃଗୀ କୋକୈରିଵାର୍ଦ୍ଦିତା” ॥
ଓଡ଼ିଶାରେ ପିଲାଙ୍କୁ ଡରାଇଵା ପାଇଁ "କକ" ଶବ୍ଦ ଵ୍ୟଵହୃତ ହୁଏ । ପୁଣି ମାତାମାନେ କୁକୁରକୁ ଦେଖେଇ କୁହନ୍ତି ଖାଇଦେ ନୋହିଲେ "କକ" ନେଇଯିଵ ।
ପୂର୍ଵେ କଥିତ ହୋଇଛି ଯେ ସଂସ୍କୃତରେ କୋକ ଶବ୍ଦର ଏକ ଅର୍ଥ 'କୁହ୍ଲିଆ' ଵା 'ବିଲୁଆ' ଯିଏ ଦେଖିଵାକୁ କୁକୁର ପରି କିନ୍ତୁ ଏହି ବିଲୁଆ ଜୀଵଟି ଜଙ୍ଗଲୀ ହୋଇଥିଵାରୁ ହିଂସ୍ର ଓ ପିଲାମାନଙ୍କୁ ଆକ୍ରମଣ ମଧ୍ୟ କରିପାରନ୍ତି । ପୂର୍ଵକାଳରେ ବିଲୁଆମାନେ ପ୍ରାୟ ଗାଁଗଣ୍ଡାରେ ପଶି ସୁଯୋଗ ପାଇଲେ ଗୃହପାଳିତ ପଶୁଠାରୁ ଛୋଟପିଲା ଯାଏଁ ଯାହା ପାଉଥିଲେ ନେଇଯାଉଥିଲେ ।ଫଳତଃ ସେମାନଙ୍କଠାରୁ ପିଲାଙ୍କୁ ସାଵଧାନ କରାଇଵାପାଇଁ ଓଡ଼ିଶାରେ 'କକ','କକମିନା' ଓ 'କୋକମିନା' ଆଦି ଭୟଙ୍କର ଜୀଵଙ୍କ କଳ୍ପନା କରାଯାଇଥିଵା ସମ୍ଭଵ ।
ବିଲୁଆକୁ ପାଶ୍ଚାତ୍ୟ ସଂସ୍କୃତିରେ ମନୁଷ୍ୟର ଅଵିଶ୍ଵାସୀ ଵନ୍ଧୁ ତଥା କୁକୁରକୁ ଵିଶ୍ଵସ୍ତ ଵନ୍ଧୁ ଭାଵେ ଅଭିହିତ କରାଯାଇଛି । ବିଲୁଆ ହେଉ ଵା ହେଟାବାଘ ଏମାନେ ସୁଯୋଗ ପାଇଲେ ମାନଵ ଶିଶୁକୁ ଘରୁ ସୁଦ୍ଧା ଉଠେଇ ନେଉଥିଲେ । ପୂର୍ଵେ ରାତିରେ ଏତେ ଆଲୋକ ନଥିଲା ତେଣୁ ଏମାନଙ୍କର ଭୟ ଅଧିକ ରହୁଥିଲା । ଶାସ୍ତ୍ରୀୟ 'କୋକ' ଶବ୍ଦ ସହିତ 'କକ','କକମିନା','କକଵାୟା' ଓ 'କୋକୁଆ' ଆଦି ଶବ୍ଦର ସମ୍ପର୍କ ଥାଇପାରେ କିନ୍ତୁ କୋକୁଆ ଭୟ କ'ଣ ହୋଇଥିଵ ?
ଅଜଣା ଅଜ୍ଞାତ କାରଣରୁ ସମାଜରେ ସୃଷ୍ଟି ହେଉଥିଵା ଭୀଷଣ ଭୟକୁ ଆଜିକାଲି 'କୋକୁଆ ଭୟ' ଵୋଲାଯାଉଅଛି । କିନ୍ତୁ ଏହି 'କୋକୁଆ ଓ 'କୋକୁଆ ଭୟ'ର ବିଲୁଆମାନଙ୍କ ସହିତ କି ସମ୍ଵନ୍ଧ ଥାଇପାରେ ?
ବିଲୁଆମାନେ ସାଧାରଣତଃ ଜଙ୍ଗଲରେ ରୁହନ୍ତି କିନ୍ତୁ ସେମାନେ ଵଣର ଏକମାତ୍ର ମାଂସଭକ୍ଷୀ ନୁହନ୍ତି । ଜଙ୍ଗଲରେ ବାଘ ସିଂହ ଚିତା ଅଧିକ ଖାଦ୍ୟ ପାଇଯାଆନ୍ତି । ଵର୍ଷେ ଵର୍ଷେ ଖାଦ୍ୟ ଅଭାଵ ହେଲେ ବିଲୁଆମାନେ ଏକାଠି ହୋଇ ଗୋଷ୍ଠୀରେ ଶିକାର କରିଵା ଆରମ୍ଭ କରିଦିଅନ୍ତି । ଏହାକୁ ଇଂରାଜୀରେ 'Pack' କୁହାଯାଏ । କେବେ କେବେ ଏଭଳି ଗୋଷ୍ଠୀରେ ୩୦୦ରୁ ୪୦୦ଟି ବିଲୁଆ ଯୋଗ ଦେଵାଯୋଗୁଁ ସେ ଗୋଷ୍ଠୀ ବହୁତ ଵିଶାଳ ହୋଇଯାଏ । ତାହାକୁ 'Super Pack' କୁହାଯାଏ । ଯେତେଵେଳେ ବିଲୁଆମାନେ 'SuperPack' ଗଠନ କରନ୍ତି ସେମାନେ ସାଧାରଣ ବିଲୁଆଙ୍କ ଅପେକ୍ଷା ଅନେକଗୁଣ ଅଧିକ ହିଂସ୍ର ହୋଇଯାଆନ୍ତି । ସେତେଵେଳେ ତାଙ୍କର ସାମ୍ନା ବାଘ ଭାଲୁ ବି କରିଵାକୁ ଡରନ୍ତି ଆଉ ମଣିଷ ଓ କୁକୁରଙ୍କ କଥା କିଏ ପଚାରୁଛି ।
ବିଲୁଆମାନେ ଏବେ ବି ଵିଶ୍ଵର ଅନେକ ସ୍ଥାନରେ SuperPack ଗଠନ କରି ଖାଦ୍ୟ ପାଇଁ ଅନ୍ୟ ଜୀଵଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି । ଏମନ୍ତକି ଅନେକ କ୍ଷେତ୍ରରେ ଏଥିପାଇଁ ମାନଵମାନେ ମଧ୍ୟ ଆକ୍ରମଣ ଓ ମୃତ୍ୟୁର ଶିକାର ହୋଇଛନ୍ତି । ବିଲୁଆଙ୍କ ପରି ଆଫ୍ରିକାରେ ଜଙ୍ଗଲୀକୁକୁରଙ୍କ ସାମୁହିକ ଦଳ ଆକ୍ରମଣ କରି ଅନେକ ଜୀଵଙ୍କୁ ହତ୍ୟା କରନ୍ତି।
ଏଣୁ ସମ୍ଭଵତଃ 'କୋକୁଆ' ଶବ୍ଦଟି 'କୋକ' ଵା ବିଲୁଆ ଓ ଜଙ୍ଗଲୀକୁକୁରଙ୍କ ସହିତ ସମ୍ଵନ୍ଧିତ ହୋଇଥାଇପାରେ ଏଵଂ କୋକୁଆ ଭୟ ସମ୍ଭଵତଃ ଵିଲୁଆଙ୍କର ଅତୀଵ ହିଂସ୍ର SuperPack ଗୋଷ୍ଠୀଗଠନ କରିଵା ଯୋଗୁଁ ସୃଷ୍ଟି ହୋଇଥିଵା ଜନଜୀଵନ ନାଶର ଜନସୃତି ଭାଵେ ପ୍ରଚଳିତ ହୋଇଅଛି ।
ହୋଇଥାଇପାରେ ଯେ ଆଜକୁ ଶହ ଶହ ଵର୍ଷ ପୂର୍ଵେ ଓଡ଼ିଶାର ଜଙ୍ଗଲରେ ଖାଦ୍ୟାଭାଵ ଯୋଗୁଁ ବିଲୁଆ ଵା ଜଙ୍ଗଲୀକୁକୁରମାନେ SuperPack ଗଠନକରି ରାତ୍ରିର ଅନ୍ଧକାରରେ ମାନଵ ଜନଵସତି ଉପରେ ଭୀଷଣ ଆକ୍ରମଣ କରିଥିଵେ ଏଵଂ ସେଥିପାଇଁ ମନୁଷ୍ୟମାନେ ଵିଲୁଆଙ୍କର ସେହି କୋକ ନାମରୁ 'କକ','କକମିନା','କକବାୟା' ଓ ସେମାନଙ୍କର SuperPack ଅଵସ୍ଥାକୁ 'କୋକୁଆ' ନାମ ଦେଇଥିଵେ । ପରେ ଜନସମାଜରେ ପ୍ରଚଳିତ 'କୋକୁଆ' ଶବ୍ଦଟି ସାରଳା ମହାଭାରତରେ ଵ୍ୟଵହାର ହେଵା ଯୋଗୁଁ ଏହା ଓଡ଼ିଶାରେ ଅଧିକ ଜଣାଶୁଣା ହୋଇଥିଵ ।
ସାରଳା ଦାସ ସେହି ଅଦ୍ଭୁତ ଅଦୃଷ୍ଟ ଭୟଙ୍କର ଜୀଵ 'କୋକୁଆ'କୁ ନିଜ ସାହିତ୍ୟରେ ସ୍ଥାନ ଦେଇ ଅମର କରିଦେଇ ଯାଇଛନ୍ତି। କିନ୍ତୁ ସେ କୋକୁଆକୁ ଆଜିଯାଏଁ କେହି ଦେଖି ନାହାନ୍ତି । ଆଗେ ଵେଳେଵେଳେ ଯେତେଵେଳେ ମହାମାରୀ ଵ୍ୟାପୁଥିଲା ଓ ଶହ ଶହ ଲୋକ ମରିଯାଉଥିଲେ ସେତେଵେଳେ ସାରଳା ମହାଭାରତର କଥା ମନେପକେଇ କୌଣସି ନିରୀହ ଅଳ୍ପ ଦୃଶ୍ୟ ପ୍ରଜାତିର ପକ୍ଷୀକୁ ମାରି ଟଙ୍ଗେଇ ଦେଉଥିଲେ । ଏମିତି କରିଵାର ଅଭିପ୍ରାୟ ଲୋକଙ୍କ ମନରେ ଵିଶ୍ଵାସ ରହିଵ,ଲୋକେ ଡରିବେ ନାହିଁ କି ଅଯଥା ଧୈର୍ଯ୍ୟ ହରାଇବେ ନାହିଁ ।
ଆଦିମକାଳରୁ ପ୍ରାଚୀନ ମାନଵ କାଳ୍ପନିକ ଜୀଵର କଳ୍ପନା କରି ଆସିଛି । ପ୍ରାୟତଃ ସବୁ ଦେଶରେ ସମଗ୍ର ମାନଵଜାତିରେ ଏଵଂ ସବୁ ଅଞ୍ଚଳରେ ଏଭଳି ଜୀଵଙ୍କ କାହାଣୀମାନ ଶୁଣିଵାକୁ ମିଳିଥାଏ ।
କାଳ୍ପନିକ ଜୀଵଙ୍କର କଳ୍ପନାର ମୂଳ ଉଦ୍ଦେଶ୍ୟ ଥିଲା ଅଵାଧ୍ୟ ଶିଶୁ, କିଶୋର ଓ ଯୁଵକମାନଙ୍କୁ ହିଂସ୍ର ଜୀଵଜନ୍ତୁ ତଥା ଅଜଣା ଵିପଦରୁ ଦୂରେଇ ରଖି ଭଵିଷ୍ୟତ ପିଢ଼ିକୁ ସୁରକ୍ଷିତ ରଖିଵା ତେଵେ ସେ କେଵଳ କାହାଣୀ ଗଢ଼ି ଵସିଯାଇନଥିଲା ଵରଂ ନିଜ ଭଵିଷ୍ୟତ ପିଢ଼ିକୁ ଵଞ୍ଚାଇଵାକୁ ଉଦ୍ୟମ ମଧ୍ୟ କରିଥିଲା । ପ୍ରାଚୀନକାଳର ଭୟଙ୍କର ପରିଵେଶ ମଧ୍ୟରେ ବଢ଼ି ମଣିଷ ତା ସହିତ ଖାପଖୁଆଇ ଚଳିଵାର କଳା ଵିକଶିତ କରି ଆଜି ଏତେଟା ଵାସ୍ତୁଵାଦୀ ଓ ସାମାଜିକ ଉନ୍ନତି କରିପାରିଛି ।
••••••••••••••••••••••••••
No comments:
Post a Comment