ପିଲାମାନେ କଙ୍କି ଧରିଵାକୁ ସୁଖପାଆନ୍ତି। ସେମାନଙ୍କୁ ତହିଁରୁ ନିଵର୍ତ୍ତାଇବା ପାଇଁ ଓଡ଼ିଶାରେ ଵୟସ୍କମାନେ ସେମାନଙ୍କୁ
“କଙ୍କିଧରଣ ମାଆ ମରଣ”
ପ୍ରଵଚନ କହୁଥିଲେ । କଙ୍କି ଧଇଲେ ମା ମରିଯିଵ ଜାଣି କିଛି ପିଲା ଶଙ୍କିଯାଇ ଏଥିରୁ ନିଵୃତ ହେଉଥିଲେ । ନବେ ଦଶକ ଯାଏଁ ପିଲାମାନଙ୍କର ଖେଳପଡ଼ିଆ ଥିଲା ପ୍ରିୟ ସ୍ଥାନ । ବାହାରେ ବୁଲି ବୁଲି କଙ୍କି ଧରିଵା ଗୋଟିଏ ସୁଖକର ଖେଳ ଥିଲା । କଖାରୁ ଵା ବୋଇତାଳୁ ଗଛର ଦୁଇଗୋଟି ପତ୍ର ଦି ହାତରେ ଧରି କିମ୍ବା ହାତକୁ ବୁଲାଇ ପିଲାଏ ଵିଭିନ୍ନ ଜାତିର କଙ୍କି ଧରୁଥିଲେ । ଗୋଟିଏ ଦିନରେ ଶହ ଶହ କଙ୍କି ଏଥିଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିଲେ । ପିଲାମାନେ କଙ୍କି ମୁଣ୍ଡ ପୋତିଲେ ତାହା ସୁନା, ଟଙ୍କା ଵା ବାଟି ହୋଇଯିଵ ବୋଲି ଭାବି ଗୋଟିଏ ଦିନରେ ଅନେକ କଙ୍କି ଧରୁଥିଲେ । କେହି କେହି ବାଳକ ବାଳିକା କଙ୍କି ଧରି ତାହାର ଲାଞ୍ଜରେ ସୁତୁଲି ବାନ୍ଧି ଉଡ଼ାଉଥିଲେ । କେହି କେହି ଦୁଷ୍ଟ ବାଳକ କଙ୍କିର ପକ୍ଷ ଛେଦନ କରି ଯାତନା ଦେଉଥିଲେ । ଏସବୁ କାର୍ଯ୍ୟରୁ ପିଲାମାନଙ୍କୁ ନିଵୃତ କରିଵା ପାଇଁ “କଙ୍କିଧରଣ ମାଆ ମରଣ” ପ୍ରଵଚନର ଆଵିଷ୍କାର ଓଡ଼ିଶାରେ ହୋଇଥିଲା ।
ଆଜି ଏ ପ୍ରଵଚନ ଶୁଣିଲେ ହୁଏତ ଉଚ୍ଚଶିକ୍ଷିତ ଲୋକେ ଭାବିବେ ଆଗକାଳରେ ଲୋକମାନେ କେତେ ଅନ୍ଧଵିଶ୍ଵାସୀ ଥିଲେ ଏଵଂ ନିଜ ପିଲାମାନଙ୍କୁ ମଧ୍ୟ ଅନ୍ଧଵିଶ୍ୱାସ ଦ୍ଵାରା ଆକଟ କରାଉଥିଲେ । କିନ୍ତୁ ଏଭଳି ଵିଚାରୁଥିଵା ଲୋକେ “କଙ୍କିଧରଣ ମାଆ ମରଣ” ଓଡ଼ିଆ ପ୍ରଵଚନ ମଧ୍ୟରେ ଲୁଚି ରହିଥିଵା ଲୌକିକ ଵିଜ୍ଞାନଟିକୁ ହୃଦୟଙ୍ଗମ କରିପାରିନାହାନ୍ତି ବୋଲି ସେମାନଙ୍କୁ ବୁଝିଵାକୁ ହେଵ ।
ବାଳଵୟସରେ ପିଲାଏ ଯାହା କରନ୍ତି ତାହାର ପ୍ରଭାଵ ତାଙ୍କର ପରଵର୍ତ୍ତୀ ଜୀଵନରେ ପଡି଼ଥାଏ । ବାଳୁତ ଵୟସରେ ନିରୀହ ଜୀଵମାନଙ୍କୁ କଷ୍ଟ ଦେଉଥିଵା ବାଳକ ବାଳିକା ସେମାନଙ୍କ ପରଵର୍ତ୍ତୀ ଜୀବନକାଳରେ ନିଷ୍ଠୁର ହୃଦୟ ହୋଇ ବଡ଼ ଜୀଵ ଏମନ୍ତକି ମନୁଷ୍ୟମାନଙ୍କୁ ହତ୍ୟା କରିଵାକୁ ମଧ୍ୟ ପଛାନ୍ତି ନାହିଁ । ତେଣୁ ପିଲାମାନଙ୍କର ଭଵିଷ୍ୟତ ସୁରକ୍ଷିତ କରିଵା ପାଇଁ ତତ୍କାଳୀନ ଯୁଗର ଵୟସ୍କମାନେ ଏଭଳି ଏକ ପ୍ରଵଚନର ସୃଷ୍ଟି କରିଥିଲେ । ପୁଣି ଏହି ପ୍ରଵଚନର ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଵିଚାର କରାଯାଇପାରେ । କଙ୍କିମାନେ ସାଧାରଣତଃ ମଶାମାନଙ୍କର ଶିକାରୀ ଭାବେ ଜଣାଶୁଣା ଏଵଂ ସେମାନେ ତାଙ୍କ ଜୀଵନର ପ୍ରତ୍ୟେକ ସ୍ତରରେ ମଶାମାନଙ୍କର ଶିକାର କରିଥାନ୍ତି । କଙ୍କିମାନଙ୍କୁ ପିଲାମାନେ ଶତଶତ ସଂଖ୍ୟାରେ ମାରିଲେ ସେମାନଙ୍କର ବଂଶ ହ୍ରାସ ଘଟିଵ ଫଳତଃ ମଶାବଂଶ ବୃଦ୍ଧି ଘଟିଵ । ଗୋଟିଏ କଙ୍କି ଦିନକୁ ତିରିଶରୁ ଶହେ ପର୍ଯ୍ୟନ୍ତ ମଶା ଖାଇପାରେ ଏଵଂ ତାହାର ଜୀଵନକାଳ ମଧ୍ୟରେ ସେ ଏହିପରି ହଜାର ହଜାର ମଶା ଖାଇଥାଏ ।
ହୁଏତ ଏକଥା ତତ୍କାଳୀନ ଲୋକମାନେ ପ୍ରତ୍ୟକ୍ଷଭାବେ ଅନୁଭଵ କରିଥିବେ ଯେତେବେଳେ କଙ୍କିମାନଙ୍କର ସଂଖ୍ୟା ହ୍ରାସ ଘଟିଵା ଯୋଗୁଁ ମଶାସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥିଵ । ସମ୍ଭଵତଃ ଏ ଦିଗରୁ ମଧ୍ୟ ବୁଝି ଵିଚାରି ଲୋକମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନକୁ ପ୍ରଚଳନ କରାଇ ପିଲାଙ୍କୁ କଙ୍କି ମାରିଵାକୁ ଆକଟ କରିଵା ଆରମ୍ଭ କରିଦେଇଥିଲେ । ଆଜି ପରି ସେ ଯୁଗରେ ମେଲେରିଆ ରୋଗର ନିରାକରଣ ପାଇଁ ସେତେ ସୁଵିଧା ସୁଯୋଗ ନଥିଲା ଏଣୁ କଙ୍କି ସଂଖ୍ୟା ହ୍ରାସ ପାଇଵା ଯୋଗୁଁ ମଶାସଂଖ୍ୟାରେ ବୃଦ୍ଧି ଘଟି ମେଲେରିଆ ପରି ରୋଗ ସମାଜରେ ଭୀଷଣ ରୂପେ କାୟାଵିସ୍ତାର କରିଵାର ସମ୍ଭାଵନା ବଢ଼ିଯାଉଥିଲା । ମେଲେରିଆ ଦ୍ଵାରା ପିଲାମାନଙ୍କର ମାଆ ବି ମରିଯାଇପାରେ ଏଵଂ ମଶାଙ୍କୁ ଖାଉଥିଵା କଙ୍କିକୁ ନମାରିଲେ ସେ ବଞ୍ଚି ରହିଵ ଏକଥା ସମ୍ଭଵତଃ ଓଡ଼ିଶାର ତତ୍କାଳୀନ ଲୋକେ ହୃଦୟଙ୍ଗମ କରିପାରିଥିଲେ ସେଥିପାଇଁ ସେମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନ ଗଢ଼ିଥିବେ ।
ଅଵଶ୍ଯ ଆଜିକାଲିର ପିଲାଏ ଆଉ କଙ୍କି ଧରୁନାହାନ୍ତି । ସେମାନଙ୍କର ଖେଳପଡ଼ିଆ ପ୍ରତି ଆଉ ଆଗ୍ରହ ନାହିଁ ଵରଂ ମୋବାଇଲ ଖଣ୍ଡେ ପାଇଗଲେ ସେଥିରେ ଛୋଟାଭୀମ,ନଟିଆ ଦେଖୁଛନ୍ତି କିମ୍ବା ଖେଳୁଛନ୍ତି । ଏହା କଙ୍କିମାନଙ୍କ ପାଇଁ ଶୁଭଙ୍କର ଵିଶେଷକରି ଏହି ଘଡ଼ିସନ୍ଧି କାଳରେ ଯେତେବେଳେ ପୃଥିଵୀର ଅନେକ ଜୀଵ କ୍ରମଶଃ ମାନଵଙ୍କ ଦ୍ଵାରା ଜଳ,ମୃତ୍ତିକା,ଵାୟୁ ,ଆଲୋ ଓ ଧ୍ଵନି ପ୍ରଦୂଷଣ ଯୋଗୁଁ ଲୁପ୍ତ ହୋଇଯାଉଛନ୍ତି । ହେଲେ ଵିଗତ ଦଶନ୍ଧିରେ କଙ୍କିମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି ଏଵଂ ଏଥିପାଇଁ ପିଲାମାନେ ନୁହେଁ ଵରଂ ଵୟସ୍କ ଲୋକମାନେ ଦାୟୀ ଅଟନ୍ତି । ଗୋଟିଏ ଯୁଗ ଥିଲା ଓଡ଼ିଶାର ଵୟସ୍କମାନେ କଙ୍କିମାନଙ୍କର ସଂସାର ପ୍ରତି ଥିଵା ଉପକାରିତାକୁ ବୁଝି “କଙ୍କିଧରଣ ମାଆ ମରଣ” ପ୍ରଵଚନ ସୃଷ୍ଟି କରିଥିଲେ କିନ୍ତୁ ଏ ଯୁଗରେ ଵୟସ୍କମାନେ ଅଜାଣତରେ ସେମାନଙ୍କର ବଂଶନାଶ କରିଚାଲିଛନ୍ତି । ଶସ୍ୟାଦିରେ ଦିଆଯିଵା କିଟନାଶକ ଓ ଆଵଶ୍ୟକତାଠାରୁ ଅଧିକ ରସାୟନିକ ସାର ଵ୍ୟଵହାର ଯୋଗୁଁ ମୃତ୍ତିକା ଓ ଜଳ ଦୂଷିତ ହୋଇଛି । ସେହି ଦୂଷିତ ଵିଷାକ୍ତ ଜଳରେ ମଶାଙ୍କୁ ଖାଇଯାଉଥିଵା କଙ୍କିମାନଙ୍କ ଭଳି ଶିକାରୀ ଜୀଵମାନଙ୍କର ବଂଶ ବଢି଼ପାରୁନାହିଁ । ସେଥିପାଇଁ ତ ନବେ ଦଶକଯାଏଁ ଗ୍ରାମାଞ୍ଚଳରେ ମଶାମାନଙ୍କର ସଂଖ୍ୟା କମ୍ ରହୁଥିବାବେଳେ ଏବେ ପ୍ରାୟତଃ ଅଧିକାଂଶ ଗ୍ରାମ ନଗରାଞ୍ଚଳରେ ବାରମାସ ଯାକ ମଶା ଦେଖିଵାକୁ ମିଳୁଛନ୍ତି । ଆଜି ହୁଏତ ମନୁଷ୍ୟ ଵିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି କରିପାରିଛି କିନ୍ତୁ ସେ ଏଥିଯୋଗୁଁ ସ୍ଵେଚ୍ଛାଚାରୀ ବି ହୋଇଯାଇଛି । ଏଣୁ ଯୋଉ “କଙ୍କିଧରଣ ମାଆ ମରଣ” ପ୍ରଵଚନ ଆଗେ ପିଲାମାନଙ୍କୁ ଶୁଣାଇ କଙ୍କି ଧରିଵାରୁ ନିଵୃତ କରାଯାଉଥିଲା ଆଜି ସେହି ପ୍ରଵଚନଟି ବଡ଼ଲୋକଙ୍କୁ ବୁଝାଇଵାକୁ ମଧ୍ୟ ଆଵଶ୍ୟକ ହୋଇପଡ଼ିଛି ।
ପୂର୍ଵେ ପିଲାମାନଙ୍କୁ କଙ୍କି ଧରଣ ମାଆ ମରଣ କହି ଆକଟ କରାଯାଇପାରିଥିଲା କିନ୍ତୁ ଆଜିକାଲିର ଵୟସ୍କମାନଙ୍କୁ କଙ୍କି ମାରଣରୁ କିଭଳି ନିଵୃତ କରାଇଵା ?
No comments:
Post a Comment