ଅଜୋକ(ଅନ୍ୟନାମ : ଅଦ୍ୟୋକ୍ , ନାଇଜୋକ୍) ଏମାନଙ୍କର ମୁଖ୍ୟ ଦେଵତା । ଓଟୁହୋ ଲୋକେ ଵିଶ୍ଵାସ କରନ୍ତି ଯେ ସର୍ଵଶକ୍ତିମାନ 'ଅଜୋକ୍' ନିଜର ପ୍ରତିରୂପ ଭାବେ ମନୁଷ୍ୟମାନଙ୍କୁ ସୃଷ୍ଟି କରିଥିଲେ ।
ଲୋଟୁକୋ ପୌରାଣିକ କଥା ଅନୁଯାୟୀ 'ଆଜୋକ୍' ମାନବ ଜାତି ପାଇଁ ଏକ ପରୋପକାରୀ ଦେଵତା ଭାବରେ ଜଣାଶୁଣା କିନ୍ତୁ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ମନୁଷ୍ୟମାନେ ପ୍ରାର୍ଥନା ଏଵଂ ଵଳିଦାନ ମାଧ୍ୟମରେ ତାଙ୍କର ପୂଜା କରୁଥାନ୍ତି। ନିଜର ପୂଜା ବନ୍ଦ ହେଲେ 'ଅଜୋକ୍' ଅସହିଷ୍ଣୁ ହୋଇଯାଆନ୍ତି ଏଵଂ ନାନା ଵିଘ୍ନ ସୃଷ୍ଟି କରନ୍ତି ବୋଲି 'Otuho' ଜନଜାତିର ଲୋକେ ଵିଶ୍ଵାସ କରୁଥିଲେ ।
ଆମ ଭାରତୀୟ ପୁରାଣଗାଥାଗୁଡ଼ିକରେ ମଧ୍ୟ 'ଦେଵରାଜ ଇନ୍ଦ୍ର' ଯଜ୍ଞ ନହେଲେ ରୁଷ୍ଟ ହେଵା ଏଵଂ ଓଡ଼ିଶାର ଜନଜାତୀୟ ଲୋକଙ୍କ ମଧ୍ୟରେ 'ଦର୍ଣ୍ଣି ପେନୁ'ଙ୍କୁ ଵଳି ନଦେଲେ ସେ ରାଗି ମରୁଡ଼ି କରିଵା ଆଦି ଲୋକଵିଶ୍ଵାସ ପ୍ରଚଳିତ ଥିଲା ।
ମୃତ୍ୟୁ କିପରି ଜୀବଜନ୍ତୁଙ୍କ ପାଇଁ ଏକ ସ୍ଥାୟୀ ଅଵସ୍ଥା ପାଲଟିଗଲା ତାହା ଲୋଟୁକୋ ପୁରାଣଗାଥାର ଏକ କାହାଣୀରେ ଉଲ୍ଲେଖ କରାଯାଇଛି ।
କୁହାଯାଏ ଯେ ସୃଷ୍ଟିର ପ୍ରଥମ ସ୍ତ୍ରୀ ଓ ପୁରୁଷଠାରୁ ଜନ୍ମିତ ପ୍ରଥମ ଶିଶୁର କୌଣସି କାରଣରୁ ମୃତ୍ୟୁ ଘଟିଥିଲା ଏଵଂ ଜଗତର ପ୍ରଥମ ସ୍ତ୍ରୀ ଜଣକ ନିଜ ଶିଶୁଟିକୁ ପୁର୍ନଜୀଵିତ କରିଵା ପାଇଁ ଅଜୋକ୍ଙ୍କ ସାହାଯ୍ୟ ଲୋଡ଼ିଥିଲା । ଆଜୋକ ସେ ଶିଶୁକୁ ବଞ୍ଚାଇ ଦେଲେ,କିନ୍ତୁ ସେ ସ୍ତ୍ରୀଲୋକର ସ୍ୱାମୀ ଅର୍ଥାତ୍ ଜଗତର ପ୍ରଥମ ପୁରୁଷକୁ ମହିଳା ଜଣକ ଏ ଵିଷୟରେ କିଛି ନପଚାରି ଅଜୋକ୍ଙ୍କୁ ସାହାଯ୍ୟ ମାଗିଥିଲେ ।
ଯେତେବେଳେ ପୁରୁଷଜଣକ ଏକଥା ଜାଣିଲା ସେ ଏଥିରେ ଭୀଷଣ ରାଗିଗଲା । ଜଗତର ପ୍ରଥମ ପୁରୁଷଟି ବୋଧହୁଏ ଵିଚାର କରିଥିଵ ମୁଁ ବି ଅମର,ମୋର ମୃତ୍ୟୁ ହେଵାର ନାହିଁ ! ମୁଁ କ'ଣ ମଲା ପିଲାଟାକୁ ଜିଆଁଇ ଦେଇ ପାରିନଥାନ୍ତି ଯେ ଏ ଅଭାଗିନୀ ପରପୁରୁଷ ପାଖକୁ ସାହାଯ୍ୟ ମାଗିଵାକୁ ଗଲା !!!
କ୍ରୋଧ ମଣିଷକୁ ଅନ୍ଧ କରିଦିଏ । ଥରେ ମନୁଷ୍ୟ କ୍ରୋଧର ଵଶଵର୍ତ୍ତୀ ହେଲେ ତାକୁ ନୀତି ଅନୀତି କିଛି ଦିଶେ ନାହିଁ । ତେଣୁ ଲୋକଟି କ୍ରୋଧାନ୍ଧ ହୋଇ ନିଜ ପତ୍ନୀଠାରୁ ପ୍ରତିଶୋଧ ନେଵାକୁ ପର୍ନଜୀଵିତ ଶିଶୁଟିକୁ ହତ୍ୟା କରିଦେଲା(ପୁରାଣର ଅନ୍ୟ ଏକ ସଂସ୍କରଣରେ ପୁରୁଷଜଣକ ନିଜ ପତ୍ନୀକୁ ମଧ୍ୟ ସେ ହତ୍ୟା କରିଥିଲା ବୋଲି କଥିତ ହୋଇଥାଏ)।
ଅଜୋକ୍ଙ୍କ ସମ୍ମୁଖରେ ଏସବୁ ଅଭାଵନୀୟ ଘଟଣା ଘଟିତ ହୋଇଗଲା ଏଵଂ ସେ ଅଵାକ୍ ହୋଇ ଏ ଘଟଣା ଦେଖୁଥାଆନ୍ତି । ଆଜୋକ୍ ପ୍ରଥମେ ମନୁଷ୍ୟମାନଙ୍କୁ ଅମର କରିଵା ପାଇଁ ଯୋଜନା କରିଥିଲେ, କିନ୍ତୁ ଯାହା ଘଟିଗଲା ତାହା ଦେଖିଵା ପରେ ସେ ପୃଥିଵୀକୁ ସଦାସର୍ଵଦା ପାଇଁ ତ୍ୟାଗକରିଵା ସହ ଘୋଷଣା କଲେ ଯେ ଆଜିଠାରୁ ମନୁଷ୍ୟାଦି ସବୁ ଜୀଵଙ୍କର ଜନ୍ମ ହୋଇଥିଲେ ମୃତ୍ୟୁ ମଧ୍ୟ ନିଶ୍ଚୟ ହେଵ । ବୋଧହୁଏ ପିତା ହାତରେ ସନ୍ତାନର ହତ୍ୟା ଦେଖି ଅଜୋକ୍ ବୁଝିଯାଇଥିଲେ ଯେ ଏ ଦୁଇଗୋଡ଼ିଆ ମନୁଷ୍ୟମାନଙ୍କୁ ଅମରତ୍ଵ ଦେଵା ଉଚିତ୍ ନୁହେଁ । ତେଣୁ ସେ ସେହିଦିନଠାରୁ ପୃଥିଵୀରୁ ଦୂରେଇଯାଇ ଆକାଶରେ ଅଵସ୍ଥାନ କଲେ । ଅଜୋକଙ୍କୁ ଓଟୋହୁ ଲୋକେ ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରିଛନ୍ତି । ଆମ ଭାରତଵର୍ଷର ଦେଵରାଜ ଇନ୍ଦ୍ରଙ୍କୁ ସେହିପରି ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରାଯାଇଛି ।
ତେବେ ଆଫ୍ରିକୀୟ ଲୋକମାନଙ୍କ ପୁରାଣଗାଥା ଅପେକ୍ଷା ଭାରତୀୟ ଲୋକଙ୍କର ପୁରାଣଗାଥା ଅଧିକ ସମୃଦ୍ଧ। ତେଣୁ ଵିଭିନ୍ନ ଗାଥାରେ ଇନ୍ଦ୍ରଙ୍କୁ
ଆକାଶ,ଵିଜୁଳି,ଜଳଵାୟୁ,ତୋଫାନ, ନଦୀର ଜଳପ୍ରଵାହ,ଵର୍ଷା ଓ ଯୁଦ୍ଧ ଆଦିର ଅଧିଷ୍ଠାତା ଦେଵ ଭାଵେ ଚିତ୍ରଣ କରାଯାଇଛି । ଭାରୋପୀୟ ଦେଵତା ସମୂହଙ୍କ ମଧ୍ୟରେ ଜୁପିଟର,ପେରୁନ୍,ପେରୁକୂନସ୍,ଜାଲମୋକ୍ସିସ୍,ତାରାନିସ୍,ଜିୟସ୍ ଓ ଥୋର୍ଙ୍କ ଶକ୍ତି , ସାମର୍ଥ୍ୟ ଓ ଗାଥା ସହିତ ଇନ୍ଦ୍ରଙ୍କର ଶକ୍ତିସାମର୍ଥ୍ୟ ଓ କଥାର କେତେକ ସମାନତା ଦେଖିଵାକୁ ମିଳିଥାଏ ।
“ଇନ୍ଦତୋତି । ଇଦି ପରମୈଶ୍ଵର୍ଯ୍ଯେ ତସ୍ମାତ୍ ରନ୍- ପ୍ରତ୍ଯୟଃ”
ଯେ ସ୍ଵର୍ଗରେ ଆଧିପତ୍ୟ ଵିସ୍ତାର କରିଛନ୍ତି ଓ ପରମ ଐଶ୍ଵର୍ଯ୍ୟଶାଳୀ ସେ ଇନ୍ଦ୍ର ଅଟନ୍ତି । ସେ ଅଦିତି କଶ୍ୟପଙ୍କର ପୁତ୍ର,ଶଚୀଦେଵୀଙ୍କ ପତି,ଜୟନ୍ତ,ଋଷଭ ଓ ମୀଢ୍ଵାଂଶ୍ଚଙ୍କର ପିତା ଅଟନ୍ତି । ଇନ୍ଦ୍ରଙ୍କ ଅସ୍ତ୍ର ଵଜ୍ର,ଵାହନ ଐରାଵତ,ପୁରୀ ଅମରଵାତୀ ଓ ଵନର ନାମ ନନ୍ଦନ ଵା ନନ୍ଦନକାନନ ଅଟେ ।
ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ ଅଛି । ମରୁତ୍ଵାନ୍ ,ମଘଵା ,ଵିଡୋଜା,ପାକଶାସନ,ଵୃଦ୍ଧଶ୍ରଵା,ସୁନାସୀର,ପୁରୁହୂତ,ପୁରନ୍ଦର,ଜିଷ୍ଣୁ ,ଲେଖର୍ଷମ,ଶକ୍ର,ଶତମନ୍ଯୁ,ଦିଵସ୍ପତି,ସୁତ୍ରାମା,ଗୋତ୍ରଭିତ୍,ଵଜ୍ରୀ,ଵାସଵ,ଵୃତ୍ରହା,ଵୃଷା,ଵାସ୍ତୋସ୍ପତି,ସୁରପତି,ବଳାରାତି,ଶଚୀପତି,ଜମ୍ଭଭେଦୀ, ହରିହୟ,ସ୍ଵାରାଟ୍, ନମୁଚିସୂଦନ,ସଂକ୍ରନ୍ଦନ,ଦୁଶ୍ଚ୍ଯଵନ, ତୁରାଷାଟ୍,ମେଘଵାହନ,ଆଖଣ୍ଡଳ,ସହସ୍ରାକ୍ଷ,ଋଭୁକ୍ଷା,ମହେନ୍ଦ୍ର,କୌଶିକ,ପୂତକ୍ରତୁ, ଵିଶ୍ଵମ୍ଭର,ପୁରଦଂଶା,ଶତଧୃତି,ପୃତନାଷାଡ୍,ଅହିଦ୍ଵିଷ,ଵଜ୍ରପାଣି,ଦେଵରାଜ,ପର୍ଵ୍ଵତାରି,ପର୍ଯ୍ଯଣ୍ଯ,ଦେଵତାଧିପ,ନାକନାଥ,ପୂର୍ବ୍ବଦିକ୍ପତି,ପୁଲୋମାରି,ଅର୍ହ,ପ୍ରାଚୀନଵର୍ହି ଓ ତପସ୍ତକ୍ଷ ଆଦି ଇନ୍ଦ୍ରଙ୍କର ଅନେକ ନାମ ଭାରତୀୟ ପୁରାଣଶାସ୍ତ୍ରରେ ପଢି଼ଵାକୁ ମିଳିଥାଏ ।
ଗୋଟିଏ ପଟେ ପୃଥିଵୀର ଅନ୍ୟାନ୍ୟ ସଭ୍ୟତାର ପୁରାଣଗାଥାରେ କଥିତ ଦେଵତାମାନଙ୍କର ରାଜାଙ୍କର ଗୋଟିଏ ଦୁଇଗୋଟି ନାମ ଥିଲାବେଳେ ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ କ'ଣ ସୂଚାଇ ଥାଏ ?
ଭାରତୀୟ ସଭ୍ୟତା ଅତି ପୁରାତନ , ଭାରତୀୟମାନଙ୍କ ପୁରାଣଗାଥା ଅନ୍ୟ ଦେଶର ଗାଥା-କଥା ଅପେକ୍ଷା ସମୃଦ୍ଧ, ସଂସ୍କୃତ ପୁରାଣ ସାହିତ୍ୟାଦି କ୍ଷେତ୍ରରେ ଭାରତ ଅନ୍ୟ ଦେଶଠାରୁ ସର୍ଵାଗ୍ରେ ସର୍ଵଶ୍ରେଷ୍ଠ ଥିଲା । ପୁଣି ୟୁରୋପ ତଥା ଆଫ୍ରିକାରେ ରହୁଥିଵା ଲୋକଙ୍କ ମୂଳ ଧର୍ମ ସେଠାକୁ ଯାଇ ପ୍ରଚଳିତ ଖିରସ୍ତାନୀ ଓ ମୁସଲିମ ଧର୍ମ ଯୋଗୁଁ ଉଧେଇ ପାରିନଥିଲାବେଳେ ୨୦୦୦ ଵର୍ଷରୁ ଅଧିକ ସମୟକାଳ ଧରି ଵୈଦେଶିକ ଆକ୍ରମଣ ସହି ମଧୂ ଭାରତରେ ପୌରାଣିକ କଥା ଗାଥା ଉପାଖ୍ୟାନର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଲା । ପ୍ରକୃତରେ ଆମ ଦେଶର “ସମସ୍ତ ଭାଷା, ସଂସ୍କୃତି, ସାହିତ୍ୟ, ଖାଦ୍ୟ,ଵସ୍ତ୍ର,ଜୀଵନଶୈଳୀ,ଚଳଣି, ପରମ୍ପରା, ନୃତ୍ୟ ଓ ସଂଗୀତ” ଆଦି ଏତେ ସମୃଦ୍ଧ ଵୈଜ୍ଞାନିକ ଓ ଶ୍ରେଷ୍ଠ ଯେ ଵିଦେଶୀମାନେ ଶହ ଶହ ଵର୍ଷ ଧରି ଭାରତୀୟଙ୍କୁ ପରାଧୀନ କରି ରଖିଥିଲେ ବି ସେମାନଙ୍କର ସମ୍ପୂର୍ଣ୍ଣ ଧର୍ମାନ୍ତରୀକରଣ କରିପାରିନଥିଲେ।
No comments:
Post a Comment