(କ)ଚୈତ୍ର ପ୍ରତିପଦା —
ମରାଠୀ,ତେଲୁଗୁ, କଶ୍ମୀରୀ, କର୍ଣ୍ଣାଟକୀ ଲୋକଙ୍କ ପାରମ୍ପରିକ ନଵଵର୍ଷ । ମହାରାଷ୍ଟ୍ରରେ ଏହାକୁ ଗୁଡି଼ ପଡ଼ଵା, ଅଵିଭକ୍ତ ତେଲୁଗୁ ଦେଶରେ ଉଗାଦୀ ତଥା କର୍ଣ୍ଣାଟକରେ ୟୁଗାଦୀ କୁହାଯାଏ । ବାଲି ଦ୍ଵୀପରେ ଏହି ଦିନକୁ Nyepi ଭାବରେ ସ୍ଥାନୀୟ ହିନ୍ଦୁମାନେ ପାଳିଥାଆନ୍ତି । କାଶ୍ମୀର ହିନ୍ଦୁମାନେ ଏହି ଦିନକୁ ସେମାନଙ୍କର ନଵଵର୍ଷ ଭାବେ Navreh ନାମରେ ପାଳିଥାଆନ୍ତି । ସିନ୍ଧି ହିନ୍ଦୁମାନଙ୍କର ମଧ୍ୟ ଏହା ପାରମ୍ପରିକ ନଵଵର୍ଷ ଏଵଂ cheti chand ନାମରେ ଏହି ପର୍ଵକୁ ସିନ୍ଧିମାନେ ପାଳନ କରିଥାନ୍ତି । ସେହିପରି ମଣିପୁରରେ କେତେକ ଅଞ୍ଚଳରେ Sajibu Nongma Panbaକୁ ନଵଵର୍ଷ ଭାବେ ପାଳନ କରାଯାଏ ଯାହା ମୈତେଇ କ୍ୟାଲେଣ୍ଡର ଅନୁସାରେ ଚୈତ୍ର ଦ୍ଵିତୀୟା ଦିନ ପାଳିତ ହୋଇଥାଏ ।
(ଖ)ଚୈତ୍ର ନଵରାତ୍ର
ବିହାର,ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ଚୈତ୍ର ନଵରାତ୍ରର ଶେଷ ଦିନ ରାମ ନଵମୀକୁ ପାରମ୍ପରିକ ନଵଵର୍ଷ ଵିଚାର କରାଯାଇଥାଏ । ଏହି ସବୁ ଅଞ୍ଚଳରେ ଚୈତ୍ର ନଵରାତ୍ରୀ ଏଵଂ ଵିଶେଷତଃ ରାମ ନଵମୀ ଦିନଟିକଙ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଵିଵେଚନା କରାଯାଏ । ଭଗଵାନ ରାମଚନ୍ଦ୍ରଙ୍କ ଜନ୍ମଠାରୁ ନୂତନ ଵର୍ଷର ଆରମ୍ଭ ଗଣନା କରାଯିଵାର ପରମ୍ପରା ହିନ୍ଦୀ ଭାଷା ବେଲ୍ଟରେ ଅଧିକ ଲୋକପ୍ରିୟ ଯେହେତୁ ଏ ଅଞ୍ଚଳରେ ରାମଙ୍କର ଓ ରାମରାଜ୍ୟର ପ୍ରଭାଵ ସର୍ଵାଧିକ ପଡି଼ଥିଲା ତେଣୁ ଏସବୁ ଅଞ୍ଚଳରେ ରାମନଵମୀକୁ ପାରମ୍ପରିକ ନଵଵର୍ଷ ଭାବେ ଗ୍ରହଣ କରାଯାଇଛି ।
(ଗ)ଵିଷୁଵ ସଂକ୍ରାନ୍ତି/ମେଷ ସଂକ୍ରାନ୍ତି
ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ପାରମ୍ପରିକ ନଵଵର୍ଷ ଭାବେ ଜଣାଯାଏ ।
ପଞ୍ଜାଵରେ ଏହା ଵୈଶାଖୀ ନାମରେ ପରିଚିତ ଥିଲାବେଳେ ଏହା ନେପାଳର ଆଧିକାରିକ ନଵଵର୍ଷ ଭାବେ ମଧ୍ୟ ପରିଚିତ ।
ଆସାମରେ ବୋହାଗ ବିହୁ ,Tai Phake, Tai Aiton, ଓ Turung ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଵିଭିନ୍ନ ଜନଜାତିର ଲୋକେ ପାଳିଥାଆନ୍ତି । ନେପାଳରେ ଵୈଶାଖ ଏକ ଗାତେ ଵା ବିସକେତ୍ ଯାତ୍ରା ,ବଙ୍ଗାଳୀ ହିନ୍ଦୁମାନଙ୍କ ମଧ୍ୟରେ ପୋହେଲା ବୈଶାଖ୍ ନାମରେ ମହା ଵିଷୁଵ ପଣା ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୋଇଥାଏ । ସଙ୍ଗକେନ୍;ଖାମତି;ସିଂହଫୋ;ଖାମ୍ୟାଙ୍ଗ୍ ଓ ତାଙ୍ଗ୍ସା ନାମରେ ଅରୁଣାଚଳ ପ୍ରଦେଶରେ ଏହା ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୁଏ । ବୋଡୋଲ୍ୟାଣ୍ଡ ଅଞ୍ଚଳର ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି Bwisagu ନାମରେ ପାରମ୍ପରିକ ନଵଵର୍ଷ ରୂପେ ପାଳିତ ହୋଇଥାଏ । ତ୍ରିପୁରାର ହିନ୍ଦୁମାନେ Buisu ନାମରେ ଏଵଂ ମିଜୋରାମର ଚକମାମାନେ
Bizhu ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ପାଳିଥାଆନ୍ତି । ପୂର୍ଵଭାରତରେ ଓଡ଼ିଆ ଲୋକମାନଙ୍କର ଏହା ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୁଏ । ମୈଥିଳୀଭାଷୀ ଜୁର୍ ଶୀତଲ ନାମରେ ମାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳିଥାନ୍ତି । ସେହିପରି ଦକ୍ଷିଣ ଭାରତରେ ତାମିଲମାନେ ପୁଥାଣ୍ଡୁ,ମଳ଼ୟାଳମ଼ ଭାଷୀ ଵିଷୁ,ତୁଲୁଭାଷୀ ଵିଷୁ ନାମରେ ମହା ଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବରେ ପାଳନ କରିଥାନ୍ତି । ଭାରତ ବାହାରେ ଶ୍ରୀଲଙ୍କାରରେ Aluth Avurudda, ମିଆଁମାରରେ Thingyan,ଲାଓସରେ
Pi Mai, ଥାଇଲାଣ୍ଡରେ
Songkran, କାମ୍ବୋଡିଆରେ
Choul Chnam Thmey ଵା Moha Sankranti ଓ ଚୀନ ଦେଶର ୟେନାନ୍ ରାଜ୍ୟରେ
Water-Sprinkling Festival ଭାବେ ମହାଵିଷୁଵ ପଣା ସଂକ୍ରାନ୍ତି ପାଳିତ ହୁଏ। ଏହି ସବୁ ଅଞ୍ଚଳରେ ଵିଶେଷକରି ବୌଦ୍ଧମାନେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳି ଥାଆନ୍ତି । ଭାରତ ଭିତରେ ଓ ଭାରତ ବାହାରେ ସର୍ଵାଧିକ ଲୋକପ୍ରିୟ ସନାତନୀ ନଵଵର୍ଷ ହେଉଛି ମହା ଵିଷୁଵ ପଣା ସଂକ୍ରାନ୍ତି ।
(ଘ)Losoong
ସିକିମରେ ସାଧାରଣତଃ ଭୁଟିଆ,ଲେପଚା ଆଦି କେତେକ ଜନଜାତୀୟ ଲୋକେ ଆମର ନୂଆଖାଇ ଭଳି ଏକ ପର୍ଵ Losoongକୁ ତାଙ୍କର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରିଥାନ୍ତି । ଏହି ପର୍ଵ ଚାଷ କାମ ଅମଳ ହୋଇ ସାରିଵା ପରେ ନୂଆଖାଇ ଭଳି ପାଳିତ ହୋଇଥାଏ ।
(ଙ)Galdan Namchot
ଲଦାଖରେ ସନାତନୀ ବୌଦ୍ଧମାନଙ୍କର ପାରମ୍ପରିକ ନଵଵର୍ଷ ଭାବେ
Galdan Namchot ପାଳିତ ହୋଇଥାଏ । ତିବତ୍ତରେ ବୌଦ୍ଧ ଧର୍ମର ଅନ୍ଯତମ ଗୁରୁ ଭାବେ ଜଣାଶୁଣା Je Tsongkhapa (1357–1419 AD)ଙ୍କ ନିର୍ଵାଣ ଦିନଟିକୁ ମନେ ରଖିଵାକୁ ପରେ ପରେ ଏହି ଦିନଠାରୁ ଵର୍ଷଗଣନା ଆରମ୍ଭ ହୋଇଥିଲା । ନେପାଳ,ଚୀନ, ତିବତ୍ତ ଓ ମଙ୍ଗୋଲିଆର ଅନେକ ବୌଦ୍ଧମାନେ ଏହି ଦିନଟିକୁ ନଵଵର୍ଷ ଭାବେ ପାଳନ କରିଥାନ୍ତି ।
(ଚ)ଆଷାଢି଼ ବିଜ୍
ଆଷାଢ଼ ମାସ ପ୍ରଥମ ଦିନକୁ ଗୁଜରାଟର କଚ୍ଛରେ ନଵଵର୍ଷ ଭାବେ ପାଳନ କରାଯାଏ । ଏହାକୁ କଚ୍ଛ ଅଞ୍ଚଳରେ ashadhi bij କୁହାଯାଇଥାଏ । ଏ ଵର୍ଷ ଗ୍ରେଗରୀୟ କ୍ୟାଲେଣ୍ଡର ଅନୁସାରେ ୧୯ ଜୁନରେ ଏହି ପର୍ଵ ପାଳିତ ହେଵାକୁ ଯାଉଛି ।
(ଛ)ବାଳି ପ୍ରତିପଦା
ଗୁଜରାଟୀ ଓ ମାରୁୱାଡ଼ୀମାନଙ୍କ ନଵଵର୍ଷ ଦୀପାଵଳିର ଚତୁର୍ଥ ଦିନ କାର୍ତ୍ତିକ ମାସର ପ୍ରଥମ ଦିନ ବାଳି ପ୍ରତିପଦାଠାରୁ ଆରମ୍ଭ ହୋଇଥାଏ । ଏହାକୁ Bestu Varas, Varsha Pratipada,Bali Padwa ମଧ୍ୟ କୁହାଯାଏ । ଏହାକୁ ଵ୍ଯାପାରୀମାନଙ୍କର ନଵଵର୍ଷ ବି କୁହାଯାଏ କାରଣ ଦୀପାଵଳି ପୂର୍ଵରୁ ଦୋକାନକୁ ସଫାସୁତୁରା କରି ପୁରୁଣା ଖାତାରୁ ହିସାବ କିତାବ ସାରି ଏହି ଦିନଠାରୁ ସାରା ଭାରତରେ ଵ୍ୟାପାରୀମାନେ ନୂଆ ଖାତା ଚଳାଇଥାଆନ୍ତି ।
(ଜ)ଚିଙ୍ଗମ୍ - କେରଳୀ ନଵଵର୍ଷ
Kolla Varsham ପଞ୍ଜିକା ଅନୁସାରେ ଏ ଵର୍ଷ କେରଳୀ ନଵଵର୍ଷ chingam ପୌଷମାସ ପୁତ୍ରଦା ଏକଦଶୀ ତିଥିରେ କେରଳୀ ନଵଵର୍ଷ ପାଳିତ ହେଵାକୁ ଯାଉଛି । ୮୨୫ ଖ୍ରୀଷ୍ଟାବ୍ଦରେ ଏହି Kolla Varsham ପଞ୍ଜିକାର ପ୍ରଚଳନ କେରେଳରେ ହୋଇଥିଲା । କେରଳରେ ଦୁଇଜାତୀୟ କ୍ୟାଲେଣ୍ଡର ଵ୍ୟଵହାର ହୋଇଥାଏ । Medam Varsham ମଲାୟଲୀ ପଞ୍ଜିକା ଅନୁସାରେ ଵିଷୁ ଵା ମହା ଵିଷୁଵ ସଂକ୍ରାନ୍ତି ହେଉଛି କେରଳୀ ନଵଵର୍ଷ ସେହିପରି Kolla Varsham ପଞ୍ଜିକା ଅନୁସାରେ chingam ହେଉଛି ମଳୟାଳ଼ମୀ ନଵଵର୍ଷ । ସୌରରାଶି ଓ ସୌରମାସ ସିଂହର ନାମାନୁସାରେ chingam ହୋଇଅଛି । ପ୍ରକୃତରେ ସିଂହର ପରିଵୃତ୍ତ ରୂପ chingam ଅଟେ ।
(ଝ) ଉତ୍କଳୀୟ ନଵଵର୍ଷ ସୁନିଆଁ
ଓଡ଼ିଆ ନଵଵର୍ଷ ହେଉଛି ମହା ଵିଷୁଵ ପଣା ସଂକ୍ରାନ୍ତି ଏଵଂ ଏହା ପ୍ରାୟତଃ ଦୁଇହଜାର ଵର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହେଉଛି । ତେବେ ସୁନିଆକୁ ଉତ୍କଳୀୟ ନଵଵର୍ଷ ଅଭିହିତ କରାଯାଏ ।
ଭାଦ୍ରମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ଉତ୍କଳୀୟ ନଵଵର୍ଷ ସୁନିଆଁ ଦିନ ଉତ୍କଳୀୟ ସନ୍ ଓ ପୁରୀ ରାଜାଙ୍କ ଅଙ୍କର ପରିଵର୍ତ୍ତନ ହୋଇଥାଏ । ଏ ଦିନ ଆଗେ ଓଡ଼ିଶାର ରାଜା ଓ ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ ଵା ସନ ଆରମ୍ଭ ହେଉଥିଲା । ରାଜା ଓ ଜମିଦାରମାନେ ସେ ଦିନ ସିରସ୍ତା ପୂଜା କରୁଥିଲେ ଏବଂ ପ୍ରଜାମାନେ ଜମିଦାରଙ୍କୁ ଭେଟି ଓ ସଲାମି ଦେଉଥିଲେ । ପୂର୍ଵତନ ରାଜାଙ୍କ ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା (ସୁନିଆଁ) କଟାଯାଇ ନୂଆ ରାଜାଙ୍କ ନାମାଙ୍କିତ ନୂତନ ମୁଦ୍ରା ଚଳିଵା ଵିଧିରୁ ଏହି ଶବ୍ଦର ସୃଷ୍ଟି ହୋଇଅଛି ।
ଆଗେ ସ୍ୱର୍ଣ୍ଣମୁଦ୍ରା, ମଉଡ଼ ଵା ମୋହରକୁ ସୁନିଆ କୁହାଯାଉଥିଲା । ଗଞ୍ଜାମର କଵି କୃଷ୍ଣ ସିଂହଙ୍କ କୃଷ୍ଣ ମହାଭାରତରେ ସୁନିଆ ଶବ୍ଦଟି ସ୍ଵର୍ଣ୍ଣମୋହର ଅର୍ଥରେ ପ୍ରୟୋଗ କରାଯାଇଛି ।
ସହସ୍ରେ ସୁନିଆରେ ଶିକାଟାଏ ଅଛି,
ସରୁ ରତ୍ନମାନଙ୍କେ ଭୁଷିତ ହୋଇଛି। (କୃଷ୍ଣସିଂହ, ମହାଭାରତ, ସଭା। )
ନାଗର ଘେନି ଯେବେ ଅସିବ ସୁନିଆ, ତେବେ ତାକୁ ଦେଖିଲେ ହୋଇବି ମୁଁ ନିଆଁ। (କୃଷ୍ଣସିଂହ, ମହାଭାରତ, ଶାନ୍ତି।)
ଉତ୍କଳୀୟ ସନ୍ ଓ ପୁରୀ ରାଜାଙ୍କ ମାସ ଓ ଦିଵସର ଗଣନା ସୌର ମାସର ଗଣନା କ୍ରମେ ହୁଏ କିନ୍ତୁ ସନ ଵା ଅଙ୍କ ଚାନ୍ଦ୍ର ଭାଦ୍ରମାସର ଦ୍ୱାଦଶୀଠାରୁ ଗଣନା କରାଯାଏ। ଏହି 'ସୁନିଆ' ପୂଜା ଓ ଗଣନା ଓଡ଼ିଶାର ଵିଶେଷତ୍ୱ। ଏହା ଉତ୍କଳୀୟମାନଙ୍କର ସ୍ଵତନ୍ତ୍ର ନଵ ବର୍ଷାରମ୍ଭ ଉତ୍ସଵ । ଆଜକୁ ପ୍ରାୟ ୧୪୦୦ରୁ ୧୫୦୦ ଵର୍ଷ ତଳେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା ।
ଭାରତରେ ହିନ୍ଦୁମାନଙ୍କର ଚୈତ୍ର ପ୍ରତିପଦା,
ରାମନଵମୀ,ମହାଵିଷୁଵ ପଣା ସଂକ୍ରାନ୍ତି,
ଆଷାଢ଼ି ବିଜ୍,ବେସ୍ତୁ ବରସ୍,ଚିଙ୍ଗମ୍ ଓ
ସୁନିଆଁ ଭଳି ସାତଗୋଟି ପାରମ୍ପରିକ ନଵଵର୍ଷ ଅଛି । ଏଥିମଧ୍ୟରୁ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଭାରତରେ ହିନ୍ଦୁ ,ସିଖ୍ ଓ ବୌଦ୍ଧ ତଥା ଭାରତ ବାହାରେ ଶ୍ରୀଲଙ୍କା,ବ୍ରହ୍ମଦେଶ,ଲାଓସ, ଭିଏତନାମ, କାମ୍ବୋଡି଼ଆ ଓ ଚୀନ(ପଶ୍ଚିମ) ଆଦି ଦେଶର ବୌଦ୍ଧ ମାନେ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରିଥାନ୍ତି । ସେଥିପାଇଁ ମହାବିଷୁବ ପଣା ସଂକ୍ରାନ୍ତିକୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ନଵଵର୍ଷ ମଧ୍ୟ କୁହାଯାଏ।
ଯଦି କେଵଳ ଚୈତ୍ର ପ୍ରତିପଦା ହିଁ ହିନ୍ଦୁ ନଵଵର୍ଷ ତାହେଲେ ବାକି ସବୁ ହିନ୍ଦୁ ନଵଵର୍ଷଗୁଡି଼କୁ କ'ଣ ମୁସ୍ଲିମ ଓ ଖ୍ରୀଷ୍ଟିଆନ ନଵଵର୍ଷ କହିଵା କି ?
No comments:
Post a Comment