Wednesday, March 1, 2023

ମୂର୍ଖ କିଏ

ବହୁତ ଦିନ ତଳର କଥା । ଗୋଟେ ଗାଁରେ ଦି ଜଣ ସାହୁ ମଇତ୍ର ଥିଲେ। ଥରେ ଦିହେଁ ନିଜ ସେଵକମାନଙ୍କ ଵିଷୟରେ କଥା ଲାଗିଥାନ୍ତି ଆରି ଉଭୟେ ପରସ୍ପରର ଭୃତ୍ୟମାନଙ୍କୁ ମୂର୍ଖ ବୋଲୁଥାଆନ୍ତି । ତହୁଁ ଦୁହେଁ ଵିଚାର କଲେ ଯେ କାହାର ସେଵକ ମହାମୂର୍ଖ,ଏହାର ପରୀକ୍ଷା କରିନେଲେ ବନେ ହୁଅନ୍ତା । ତାପରଦିନ ସେ ଦିଜଣ ସାହୁକାର ନିଜ ନିଜର ସେଵକଙ୍କୁ ଡାକିଲେ ।

ଜଣେ ସାହୁକାର ତା’ ବୁତିକୁ କିଛି ଟଙ୍କା ଦେଇ କହିଲା, "ଆରେ, ତୁଇ ପାଖ ହାଟକୁ ଯାଇ ହୀରା ହାରଟେ ଘିନି ଆଇବୁ ଯା ତ ! ” ଏହା ଶୁଣି ବୁତି ଜଣକ ଚାଲିଗଲା ବେଳେ କହିଗଲା, "ଆଜ୍ଞା, ମୁଇଁ ଏଭେ ଯାଇ ଘିନି ଆଣୁଛି । "

ଆର ସାହୁକାର ଜଣକ ତା ଭୃତ୍ୟକୁ ଡାକ ଦେଲେ, "ବେ ଛୁଆ ! ଆରେ ସେଠି ସେ ଆଗଡ଼ ପାଖରେ କିସ କରୁଚୁ କିନା ? କିରେ ଟିକେ ତୋଟାକୁ ଯାଇ ଦେଖ୍ ତ ସେଠି ମୁଁ ଅଛି ନା ନାଇଁ !”

ଅନୁଚରମାନେ ଯେ ଯେଝା କାମରେ ଚାଲିଯିଵା ପରେ ଦୁଇ ସାହୁକାର ତାଙ୍କ ଭୃତ୍ୟମାନଙ୍କର ମୂର୍ଖତା ଦେଖି ବହେ ହସିଲେ । 


ହୀରା ହାର ପାଇଁ ପଠେଇଥିଵା ସାହୁକାରର ବୁତି ଜଣକ ହାର ଆଣିଵାକୁ ଚକକୁ ଗଲା ଓ ଆର୍ ଗୁଡ଼େ କିନ୍ଦ୍ରିଲା । ବୁଲି ବୁଲି ତା ପାଦ ଘୁଲେଇଲା ହେଲେ କେଣେ ବି ଗହଣା କାଣ୍ଡି ଖୋଲା ହୋଇଥିଵା ଦେଖିଵାକୁ ପାଇଲା ନାହିଁ । ଆର ଭୃତ୍ୟଟି ତୋଟାକୁ ଯାଇ ତା ସାହୁକୁ ବହୁତ ଉଣ୍ଡାଉଣ୍ଡି କରି ନପାଇଵାରୁ ପେଟେ ଫଳ ଖାଇ ଫେରିଲା । ବାଟରେ ଉଭୟ ସେଵକ ଭେଟାଭେଟି ହେଲେ ।

"ଆମ ଗୋସିଆଁ ବଡ଼ ମୂର୍ଖ ନୋହିଲେ ଏ ଅଵାରଟାରେ ମୋତେ ହୀରାର ମାଳ କିଣିଵାକୁ ପଠେଇ ନଥାନ୍ତେ ? ଆଜି
ରଇଵାର'ନେ ହାଟ ଵିପଣି ସବୁ ବନ୍ଦ ଆଏ,ସେ ଇଟା ନାଇଁ ଜାନସନ୍ କାଏଁ ? "ଜଣେ ସେଵକ କହିଲା"

"ଆମ ସାଆନ୍ତେ କିସ ଊଣା ମୂର୍ଖ କି ?" ସେ ତୋଟାରେ ଅଛନ୍ତି କି ନାହିଁ,ତୋଟାଳକୁ ଡାକି ପଚାରି ଦେଇଥିଲେ ଜାଣିପାରିନଥାନ୍ତେ କିନା ମୋତେ ତୁଛାଟାକୁ ପଠେଇଛନ୍ତି।” 
ଆର ସେଵକ ଜଣକ କହିଲା ।

•••••••••••••••••••••••••••
ଶବ୍ଦାର୍ଥ:-
•କଥା ଲାଗିଵା— କଥାଵାର୍ତ୍ତା ହେଵା
•ଆରି— ଆଉ, ଏଵଂ,ଆର୍
•ବନେ— ଭଲ,ଉତ୍ତମ
•ଘିନିଵା—କିଣିଵା
•ଘିନିଆଣିଵା—କୌଣସି ସ୍ଥାନକୁ ଯାଇ କୌଣସି ଵସ୍ତୁକୁ ଆଣିଵା
•ଚକ — ବଜାର,ହାଟ
•କିନ୍ଦ୍ରିଵା— ବୁଲିଵା(ସଂ କେନ୍ଦ୍ର)
•କାଣ୍ଡି— ଦୋକାନ(ସଂ କାଣ୍ଡ)
•ଘୁଲେଇଵା— ପାଦ ବିନ୍ଧା ହେଵା(ଘୋଳେଇଵା)
•ଆଗଡ଼— ଫାଟକ
•କିନା— ଟି,କି
•ରଇଵାର— ରଵିଵାର
•ନେ—ରେ
•ଵିପଣି— ଦୋକାନ
•ଇଟା— ଏଇଟା,ଏହା
•କାଏଁ— କି
•ଗୋସିଆଁ— ମାଲିକ(ଗୋସାଇଁ)
•ବୁତି — ଚାକର(ସଂ-ଭୃତି)
•ସାଆନ୍ତ— ମାଲିକ
•ତୋଟାଳ— ତୋଟା,ବଗିଚା ଜଗୁଆଳି 
•ସାହୁ— ମହାଜନ ଵା ଧନୀକ,ମାଲିକ
•ତୁଛା— ତୁଚ୍ଛା,ବେକାର
••••••••••••••••••••••••••
{ଵି:ଦ୍ର— ଚାହିଁଥିଲେ ଚାକର,ମାଲିକ, ଦୋକାନ , ବଗିଚା ଭଳି ଵୈଦେଶିକ ଶବ୍ଦ ପ୍ରୟୋଗ କରି ଏହି ଗଳ୍ପକୁ ଲେଖିପାରିଥାନ୍ତି କିନ୍ତୁ ଇଚ୍ଛା ହେଲା ସବୁ ଅଞ୍ଚଳର ହଜି ଯାଉଥିଵା ଶବ୍ଦ ସମୂହର ଵ୍ୟଵହାର ଦ୍ଵାରା କିଛି ନୂଆ ପ୍ରୟୋଗ କରି ଦେଖିଵା କେମିତି ହେଉଛି ! ଗଳ୍ପଟି (ହିନ୍ଦୀ) ଜହ୍ନମାମୁଁର ୧୯୭୪ ଵର୍ଷ ଜୁଲାଇ ମାସରେ ପ୍ରକାଶିତ ହୋଇଥିଲା ଏଵଂ ସେ ଗଳ୍ପର କାହାଣୀରେ କେତେକ ପରିଵର୍ତ୍ତନ କରାଯାଇଛି ।}
•••••••••••••••••••••••••••

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...