ଆଞ୍ଚଳିକତାଵାଦୀଙ୍କୁ ପାଳି ଆତଙ୍କଵାଦୀରେ ପରିଵର୍ତ୍ତିତ କରିଦିଅନ୍ତି । ପଞ୍ଜାଵରେ ଅକାଳୀ ଦଳର ନାମଡାକ ବଢି଼ଲାରୁ କଂଗ୍ରେସ ଏତେ ଡରିଗଲା ଯେ ସେ ଅକାଳୀମାନଙ୍କୁ ପରାସ୍ତ କରିଵାର ପନ୍ଥା ଅନ୍ଵେଷଣରେ ଲାଗିପଡି଼ଲା । ସେତେବେଳେ ଅକାଳୀମାନଙ୍କର ଶକ୍ତି ଉତ୍ତରୋତ୍ତର ଵୃଦ୍ଧି ପାଇଵାରେ ଲାଗିଥିଲା ଏହା କଂଗ୍ରେସ ପାଇଁ ଗୋଟିଏ ବଡ଼ ସମସ୍ଯା ହୋଇଯାଇଥିଲା ।
କୁହାଯାଏ କଂଗ୍ରେସର ଜ୍ଞାନୀ ଜୈଲ୍ ସିଂହ ଓ ସଞ୍ଜୟ ଗାନ୍ଧୀ ଭଳି ବଡ଼ ନେତାଙ୍କ ପରୋକ୍ଷ ସମର୍ଥନରେ ଜଣେ କଠର ଶିଖ୍ ନେତାର ଉଦୟ ହେଲା । ସେ ଵ୍ଯକ୍ତି ଆଉ କେହି ନୁହେଁ ଦମଦମୀ ଟକସାଲ୍'ର ମୁଖ୍ୟ "ଜରନୈଲ୍ ସିଂହ ଭିଣ୍ଡ୍ରେୱାଲେ" ! କିଛି ଦିନ ତଳେ ବିଜେପିର ଜଣେ ନେତା ଭିଣ୍ଡ୍ରେୱାଲେକୁ ସନ୍ଥ ଅଭିହିତ କରିଥିଲେ ଏଵଂ ତାଙ୍କ ଭଳି ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି ଯୋଉମାନେ ସମାନ ଵିଚାର ପୋଷଣ କରନ୍ତି । ତେବେ ଭିଣ୍ଡ୍ରେୱାଲେର କାମ ସନ୍ଥ ଭଳି ଆଦୌ ନଥିଲା । ପ୍ରକୃତ ସନାତନୀ ସନ୍ଥ କେବେ ହିନ୍ଦୁ ଶିଖ୍ ଭେଦଭାଵ କରନ୍ତି ନାହିଁ ।
କିନ୍ତୁ ଭିଣ୍ଡ୍ରେୱାଲେ ଯୋଗୁଁ ଶିଖ୍ମାନଙ୍କ ମଧ୍ୟରେ ଵିଚ୍ଛନ୍ନତାଵାଦର ଜନ୍ମ ହୋଇନଥିଲା ତାହା ତ ବହୁତ ପୂର୍ଵରୁ ତାଙ୍କ ମଧ୍ଯରେ ରହିଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବାମପନ୍ଥୀମାନଙ୍କ ଦ୍ଵାରା ପ୍ରଥମେ ଏହା ଆଧିକାରିକ ଭାବେ ପ୍ରକଟିତ ହୋଇଥିଲା । ଦ୍ଵିତୀୟ ଵିଶ୍ଵଯୁଦ୍ଧପରେ ଜଣେ ବଙ୍ଗାଳୀ ବଂଶୋଦ୍ଭଵ ପଞ୍ଜାବଵାସୀ ଵ୍ଯକ୍ତି ଗଙ୍ଗାଧର ଅଧିକାରୀ ଦ୍ଵାରା ପ୍ରଥମେ "ଶିଖ୍ ହୋମଲ୍ୟାଣ୍ଡ" ପାଇଁ ଦାବି କରାଯାଇଥିଲା । ଚର୍ଚ୍ଚିତ ପତ୍ରକାର ଓ ଲେଖକ ଖୁଶଵନ୍ତ ସିଂ ତାଙ୍କ ପୁସ୍ତକ "ଶିଖୋଂ କି ଇତିହାସ"ରେ ଲେଖିଛନ୍ତି "ଶିଖ୍ମାନଙ୍କର "ଅଲଗା ଦେଶ"ର ସ୍ଵପ୍ନ ଆରମ୍ଭରୁ ହିଁ ରହିଥିଲା । ଶିଖ୍ ମାନଙ୍କ ପ୍ରତ୍ୟହ ପ୍ରାର୍ଥନା ପରେ କରାଯାଉଥିଵା ଗୁରୁ ଗୋଵିନ୍ଦ ସିଂଙ୍କର ଉଦ୍ଘୋଷ "ରାଜ୍ କରେଗା ଖାଲସା" ସବୁବେଳେ ସେ ସ୍ଵପ୍ନକୁ ବଞ୍ଚାଇ ରଖିଥିଲା ।
୧୯୨୦ ମସିହାରେ ବ୍ରିଟିଶ ଶାସନକାଳରେ ଶିଖ୍ମାନଙ୍କର ଧାର୍ମିକ ସଂଗଠନର ରାଜନୈତିକ ପକ୍ଷ ଭାବରେ ଅକାଲୀ ଦଳ ଗଠନ କରାଯାଇଥିଲା । ଯେତେବେଳେ ସ୍ଵାଧୀନତା ପରେ ଭାଷା ଭିତ୍ତିରେ ରାଜ୍ୟଗୁଡି଼କର ପୁନର୍ଗଠନର ପ୍ରସ୍ତାଵ ରଖାଯାଇଥିଲା, ସେତେବେଳେ ଶିଖ୍ମାନଙ୍କ ପକ୍ଷରୁ ଶିଖ୍ ବହୁଳ ରାଷ୍ଟ୍ର ଗଠନ ପାଇଁ ଦାବି ହୋଇଥିଲା। କିନ୍ତୁ ତାଙ୍କର ଏହି ଦାବି ଏକ ଲୋକପ୍ରିୟ ଦାବି ନୁହେଁ ଏଵଂ କେଵଳ କିଛି ସଂସ୍ଥା ହିଁ ଏଭଳି ଦାବି କରୁଛନ୍ତି ବୋଲି ଦର୍ଶାଇ ଏହାକୁ ଅଗ୍ରାହ୍ୟ କରାଯାଇଥିଲା ।
ସେତେବେଳେ ଯେଉଁ ଶିଖ୍ ରାଜ୍ୟର ମାନଚିତ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲେ ସେଥିରେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏଵଂ ରାଜଧାନୀ ଦିଲ୍ଲୀର ଵର୍ତ୍ତମାନର ଅଂଶ ମଧ୍ୟ ଥିଲା । ପ୍ରସ୍ତାଵିତ ସେହି ସମଗ୍ର ଭୂଭାଗରେ ଶିଖମାନଙ୍କ ସଂଖ୍ୟା ହିନ୍ଦୁମାନଙ୍କ ତୁଳନାରେ କମ୍ ଥିଲା। ଶିଖମାନେ ଵିଶ୍ୱାସ କରୁଥିଲେ ଯେ ପଞ୍ଜାଵର ସମ୍ବଳ ଉପରେ ପଞ୍ଜାଵର ପ୍ରଥମ ଅଧିକାର ରହିଛି। ଏଭଳି ପରିସ୍ଥିତିରେ ଦେଶରେ ନିର୍ମାଣ ହେଉଥିଵା ଡ୍ୟାମ୍ ଏଵଂ କେନାଲ ଉପରେ ସେମାନଙ୍କୁ ଅଧିକ ଅଧିକାର ଏବଂ ସ୍ଵାଧୀନତା ଦିଆଯିଵା ଉଚିତ୍।
୧୯୫୬ ମସିହାରେ ହିମାଚଳକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା କିନ୍ତୁ ପଞ୍ଜାଵକୁ ଏକ ପୃଥକ ରାଜ୍ୟ ଭାବରେ ଘୋଷଣା କରିଵାକୁ କେନ୍ଦ୍ର ସରକାରଙ୍କୁ ଆହୁରି ୧୦ ବର୍ଷ ସମୟ ଲାଗିଥିଲା। ୧୯୬୫ରେ ଭାରତ-ପାକିସ୍ଥାନ ଯୁଦ୍ଧ ପରେ ପଞ୍ଜାଵ ଏଵଂ ହରିୟାଣା ଗଠନ କରାଯାଇଥିଲା। ଅଲଗା ଅଲଗା ରାଜ୍ୟ ପାଇଁ ଶିଖ୍ମାନଙ୍କର ଦୀର୍ଘ ଦିନର ଆଶା ପୂରଣ ହେଲା। ସେତେବେଳେ ଯେହେତୁ ଧର୍ମ ଆଧାରରେ ନୁହେଁ, ଭାଷା ଆଧାରରେ ପଞ୍ଜାଵ ଗଠନ ପାଇଁ ଅକାଳୀ ଦଳ ଏହି ଦାବି କରିଥିଲେ ତେଣୁ କେନ୍ଦ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିଥିଲେ। ଏହି ଆଂଶିକ ସଫଳତା ସିଖ୍ କଠୋରପନ୍ଥୀମାନଙ୍କ ମନରେ ସ୍ଵତନ୍ତ୍ର ଶିଖ୍ ଦେଶ ଗଠନ କରିଵାର ଆଶା ସଞ୍ଚାର କରିଥିଲା । ୧୯୬୫ ପରେ ପଞ୍ଜାଵର ପ୍ରଵାସୀମାନେ ଵିଦେଶ ଯାଇଥିଲେ (ବ୍ରିଟେନ, କାନାଡା ଏଵଂ ଆମେରିକା) ଏଵଂ ଵିଦେଶ ଭୂମିରେ ୧୯୭୦ରେ ଖାଲିସ୍ତାନ ଆନ୍ଦୋଳନ ଆରମ୍ଭ ହୋଇଥିଲା |
"ଜଗଜିତ୍ ସିଂ ଚୌହାନ" ପରି କିଛି ନେତା ଖାଲିସ୍ତାନକୁ ଵିଦେଶୀ ମାଟିରେ ପୃଥକ ଦେଶ ଭାବରେ ଘୋଷଣା କରିଵା ସହ ସେଠାରେ ସେହି ସ୍ଵଘୋଷିତ ଦେଶର ମାନଚିତ୍ର,ମୁଦ୍ରା,ପତକା ମଧ୍ୟ ପ୍ରଚଳନ କରିଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ ଅକାଳୀ ଦଳ ଖାଲିସ୍ତାନ ଦାବି ସମର୍ଥନ କରିନଥିଲା । ଅକାଳୀ ଦଳ ସ୍ଵାଧୀନତା ଚାହୁଁଥିଲା କିନ୍ତୁ ଅଲଗା ଦେଶ ଦାବି କରିନଥିଲେ। ଶେଷରେ
୧୯୭୩ ଓ ୧୯୭୮ରେ ଅକାଳୀ ଦଳ ଦ୍ଵାରା "ଆନନ୍ଦପୁର ସାହିବ୍"ରେ "ଅଲଗା ଶିଖ୍ ରାଜ୍ୟ" ସମେତ ଆହୁରି ଅନେକ ପ୍ରସ୍ତାଵ ଅନୁମୋଦନ କରାଯାଇଥିଲା ।
୧୯୭୩ରେ ଆନନ୍ଦପୁର ସାହିବରେ ଅନୁମୋଦିତ ହୋଇଥିଵା ଏହି ସଂକଳ୍ପକୁ ସମସ୍ତେ ଭୁଲି ଯାଇଥିଲେ, କିନ୍ତୁ ୧୯୮୨ ମସିହାରେ ଜର୍ଣ୍ଣେଲ ସିଂ ଭଣ୍ଡ୍ରେୱାଲା ଏହାକୁ ପୁନର୍ଵାର ଚର୍ଚ୍ଚାକୁ ଅଣାଇଦେଇଥିଲା ।
ଭିଣ୍ଡ୍ରେୱାଲେ ଗୋଟିଏ ଦରିଦ୍ର ଜାଟ୍ ପରିଵାରରେ ଜନ୍ମ ହୋଇଥିଲା ଓ ଛୋଟବେଳୁ ସେ ଓ ତା ଜାତି ପଞ୍ଜାଵରେ କାହିଁକି ଏତେ ଗରିବ ସେହି କଥା ତା ମନକୁ ଆନ୍ଦୋଳିତ କରିଥିଲା । ମାତ୍ର ସାତ ଵର୍ଷ ଵୟସରେ ତାକୁ ତାହାର ମାତାପିତା ଦମ୍ଦମୀ ଟକସାଲକୁ ସମର୍ପଣ କରିଦେଇଥିଲେ । ସେହି ବାଳକ ଅଵସ୍ଥାରୁ ସେ ଶିଖ୍ ଧର୍ମ ସମ୍ବନ୍ଧିତ ଜ୍ଞାନ ଅର୍ଜନ କରିଵାକୁ ଲାଗିଲା । ଅଳ୍ପଦିନ ମଧ୍ୟରେ ସେ ସବୁ ଵୟୋଵୃଦ୍ଧ ଶିଖ୍ଗୁରୁମାନଙ୍କର ପ୍ରିୟ ହୋଇଯାଇଥିଲା । ତାହାର କଠରପଣ , ରୋକଠୋକ୍ କଥା କହିଦେଵାର ପ୍ରଵୃତ୍ତି ଓ ହିଂସ୍ରସ୍ଵଭାଵ ଶିଖ୍ମାନଙ୍କୁ ଆକର୍ଷିତ କରୁଥିଲା ।
୧୯୭୭ରେ ଜରନୈଲ୍ ସିଂହ ଭିଣ୍ଡ୍ରେୱାଲେକୁ ଦମ୍ଦମୀ ଟକସାଲ୍'ର ଅଧ୍ୟକ୍ଷ ଚୟନ କରାଗଲାପରେ ତାହାର ରାଜନୈତିକ ଓ ସାମାଜିକ ଶକ୍ତି ଅଧିକ ହୋଇଗଲା । ସେତେବେଳକୁ ନିରଙ୍କାରୀମାନଙ୍କ ସହ ଦମଦମୀ ଟକସାଲ ସମର୍ଥକମାନଙ୍କର ସିଧାସଳଖ ଵିଵାଦ ହୋଇଥିଲା। ଶିଖମାନେ ପାରମ୍ପାରିକ ଭାବରେ ଵିଶ୍ଵାସ କରନ୍ତି ଯେ ଗୁରୁ ଗ୍ରନ୍ଥ ସାହିବ ହେଉଛି ଏକାଦଶ ତଥା ଶେଷ ଗୁରୁ ଯିଏ ଅନନ୍ତକାଳ ପାଇଁ ରହିବେ। ଗୁରୁ ଗୋଵିନ୍ଦ ସିଂଙ୍କ ପରେ ଅନ୍ୟ କେହି ଗୁରୁ ପଦ ଗ୍ରହଣ କରିପାରିବେ ନାହିଁ। ନିରଙ୍କରୀ ଶିଖ୍ମାନେ ଏଥିରେ ଵିଶ୍ୱାସ କରନ୍ତି ନାହିଁ |
କଥା ବେଶି ବିଗିଡ଼ି ଶେଷକୁ ୧୯୭୮ ମସିହାରେ ଵୈଶାଖୀ ଦିନ ଶିଖ୍ ଓ ନିରଙ୍କାରୀ ଶିଖ୍ଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଫଳତଃ ତେର ଜଣ ନିରଙ୍କାରୀ ପ୍ରାଣ ହରାଇଲେ ଏଵଂ ଏହା ପରେ ପଞ୍ଜାଵ ସବୁଦିନ ପାଇଁ ବଦଳିଗଲା ।
ତେବେ ଦମଦମୀ ଟକସାଲ୍'ର ଅଧ୍ୟକ୍ଷ ହେଲାପରେ ଭିଣ୍ଡ୍ରେୱାଲେ ଅଘୋଷିତ ରାଜା ଭଳି ସମ୍ପୂର୍ଣ୍ଣ ପଞ୍ଜାବ ଉପରେ ଶାସନ କରିଵାକୁ ଲାଗିଲା । ପଞ୍ଜାବରେ ହିନ୍ଦୁ ଓ ସିଖ୍ ଭିନ୍ନ ଭିନ୍ନ ଜାତି ଓ ହିନ୍ଦୁମାନଙ୍କୁ ଅତ୍ଯାଚାରୀ ବୋଲି ଭିଣ୍ଡ୍ରେୱାଲେ ନିଜର ଵିଭିନ୍ନ ଭାଷଣରେ ପ୍ରଚାର କଲା ।
ଭିଣ୍ଡ୍ରେୱାଲେ ଠିକ୍ ହିଟଲର୍ ଭଳି ଶିଖ୍ ମାନଙ୍କୁ ନିଶା ଓ ମାଂସଠାରୁ ଦୂରେଇ ରହିଵାକୁ ନିର୍ଦ୍ଦେଶ ଦେଇଥିଲା । ତାହାର ଦ୍ଵେଷପୂର୍ଣ୍ଣ ଭାଷଣ ଯୋଗୁଁ ପଞ୍ଜାବରେ ଜାତିଗତ ହିଂସା ଵୃଦ୍ଧିପାଇଵାରେ ଲାଗିଲା ଓ ପ୍ରତିଦିନ କେଉଁଠି ନା କେଉଁଠି ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି ହେଉଥିଲା । ହିନ୍ଦୁମାନଙ୍କ ଘର ଜଳାଇଵା ସେମାନଙ୍କୁ ବାଟରେ ଗୁଳିମାରି ହତ୍ଯା କରିଵା ,ଗାଈ କାଟିଵା ଓ ଗୋମାଂସ ମନ୍ଦିର ମଧ୍ୟରେ ପକାଇଵା ଆଦି ଅନେକ ନୃଶଂସ କୃତ୍ଯ ଭିଣ୍ଡ୍ରେୱାଲେ ସମର୍ଥକ ଘଟାଇଥିଲେ । ଭିଣ୍ଡ୍ରେୱାଲେ ନିଜ ଭାଷଣରେ ହିନ୍ଦୁମାନଙ୍କୁ "ଟୋପିଵାଲା" କହୁଥିଲା ଏଵଂ ଏହା ତାହାର ହିନ୍ଦୁମାନଙ୍କ ପ୍ରତି ସାଙ୍କେତିକ ଆକ୍ଷେପ ଥିଲା ।
୧୯୮୦ରେ "ପଞ୍ଜାବ କେଶରୀ" ଦ୍ଵାରା ହିନ୍ଦୀ-ପଞ୍ଜାବୀ ଭାଷାଵିଵାଦ ସୃଷ୍ଟି ହେଲା । ପଞ୍ଜାବ କେଶରୀ ମାଧ୍ୟମରେ ବାରମ୍ବାର ହିନ୍ଦୀକୁ ମାତୃଭାଷା ଭାବେ ଵ୍ଯଵହାର କରିଵା ପାଇଁ ପଞ୍ଜାବୀମାନଙ୍କ ଉପରେ ଚାପପ୍ରୟୋଗ କରାଯାଉଥିଲା । କିନ୍ତୁ ଯେତେବେଳେ ପଞ୍ଜାବ କେଶରୀ ଭିଣ୍ଡ୍ରେୱାଲେ ଵିପକ୍ଷରେ ଲେଖିଵା ଆରମ୍ଭ କଲା ସେତେବେଳେ ସେ ନିଜର ସମର୍ଥକଙ୍କ ଦ୍ଵାରା ଏହି ସମ୍ବାଦପତ୍ରର ମୁଖିଆ ଲାଲା ଜଗତ ନାରାୟଣଙ୍କୁ କାର୍ରେ ଯାଉଥିଵା ସମୟରେ ମରେଇ ଦେଇଥିଲା ।
ଏହି ହତ୍ୟାକାଣ୍ଡ ପରେ ପୋଲିସ ଭିଣ୍ଡରାଵାଲେକୁ ଦୋଷୀ ଜାଣି ବି ବାନ୍ଧିପାରିନଥିଲା କାରଣ ସେତେବେଳକୁ ସେ ହିଁ ପଞ୍ଜାବର ସର୍ଵେସର୍ଵା ହୋଇଯାଇଥିଲା । କିଛି ଦିନ ପରେ ସ୍ଵୟଂ ଭିଣ୍ଡ୍ରେୱାଲେ ପୋଲିସକୁ ଆସି ତାକୁ ଗିରଫ କରିଵାକୁ ରାଜା ଭଳି ଆଦେଶ ଦେଇଥିଲା । ଗିରଫ ହେଲା ପରେ ବି ତା ଵିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାରଣ କଂଗ୍ରେସର ହାତ ସେତେବେଳେ ଭିଣ୍ଡ୍ରେୱାଲେ ସହିତ ରହିଥିଲା ।
ହିନ୍ଦୀ-ପଞ୍ଜାବୀ ଵିଵାଦରେ ପଞ୍ଜାଵ କେଶରୀର ମାଲିକକୁ ହତ୍ୟା ମାମଲାରେ ଭିଣ୍ଡ୍ରେୱାଲେକୁ ପୋଲିସ ଗିରଫ କରିଥିଲା । ଭିଣ୍ଡ୍ରେୱାଲେ ଗିରଫ ହେଵା ଯୋଗୁଁ ତାହାର ସମର୍ଥକମାନେ ପାଗଳ ହୋଇଗଲେ ଏଵଂ ଯେକୌଣସି ଉପାୟରେ ତାକୁ ମୁକଳେଇଵାକୁ ଆପ୍ରାଣ ଉଦ୍ୟମ କଲେ । ୧୯୭୮ ମସିହାରୁ ଗଠିତ ହୋଇସାରିଥିଵା ଶିଖ୍ ଆତଙ୍କଵାଦୀ ସଂଗଠନ "ଦଳ ଖାଲସା" ନେତୃତ୍ୱରେ ପାଞ୍ଚଜଣ ଶିଖ୍ ଆତଙ୍କଵାଦୀ ୨୯ ସେପ୍ଟେମ୍ବର ୧୯୮୧ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଫ୍ଲାଇଟ୍ ୪୨୩କୁ ହାଇଜ୍ୟାକ୍ କରିନେଇ ପାକିସ୍ତାନର ଲାହୋର ଵିମାନବନ୍ଦରରେ ରଖିଦେଇଥିଲେ । ଶିଖ୍ ଆତଙ୍କଵାଦୀମାନଙ୍କର ଦାବି ଥିଲା ଜରନୈଲ ସିଂ ଭିଣ୍ଡ୍ରେୱାଲେର ଜେଲ୍ରୁ ମୁକ୍ତି ତଥା ପାଞ୍ଚ ଲକ୍ଷ ଡଲାର ଟଙ୍କା । ସେତେବେଳେ ସେହି ଉଡ଼ାଜାହଜରେ ୧୧୧ଜଣ ଯାତ୍ରୀ ଓ ଛଅଜଣ କର୍ମଚାରୀ ଥିଲେ । ଅଵଶ୍ୟ ଏହି ଯୋଜନାରେ ଶିଖ୍ ଆତଙ୍କଵାଦୀମାନେ ସଫଳ ହୋଇପାରିନଥିଲେ ଏଵଂ ପାକିସ୍ତାନରେ ଆଜୀଵନ କାରାଵରଣ ଦଣ୍ଡ ଭୋଗିଲେ(ଅକ୍ଷୟ କୁମାରର ଏକ ମହିମାମଣ୍ଡନ ଚଳଚ୍ଚିତ୍ରରେ ଓଲଟା ଏହାକୁ ପାକିସ୍ତାନୀ ଆତଙ୍କଵାଦୀଙ୍କ କାର୍ଯ୍ୟକଳାପ ବୋଲି ଦର୍ଶାଯାଇଛି) ।
ସେ ଯାହା ହେଉ ରାଜ୍ୟ ତଥା ଦେଶରେ ଭିଣ୍ଡ୍ରେୱାଲେ ଗିରଫ ହେଵାକୁ ନେଇ ଶିଖ୍ମାନଙ୍କ ଦ୍ଵାରା ଉଗ୍ର ଵିରୋଧକୁ ଦୃଷ୍ଟିରେ କିଛି ଦିନ ପରେ ତାକୁ ମୁକ୍ତ କରାଯାଇଥିଲା।
କିନ୍ତୁ ଏହି ଘଟଣା ପରେ ଶିଖ୍ ରାଜନୀତିରେ ହଠାତ୍ ଭିଣ୍ଡ୍ରେୱାଲେର ପ୍ରତିପତ୍ତି ବଢି଼ଯାଇଥିଲା । ଆମ ଦେଶରେ ଅପରାଧୀମାନେ ଜିଅଲ ଗଲାପରେ ପରେ ସେମାନଙ୍କ ନାଆଁ ପ୍ରତିଷ୍ଠା ବଢ଼ିଯାଏ ତେଣୁ ଭିଣ୍ଡ୍ରେୱାଲେ ମଧ୍ୟ ଲୋକପ୍ରିୟତା ଲାଭ କଲା ଓ ତାହାର କଠୋର ଅନୁଗାମୀମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଲା | ଏହି ପରିପ୍ରେକ୍ଷୀରେ, ଥରେ ଭୀନ୍ଦ୍ରନୱାଲ ଅନୌପଚାରିକ ଭାବରେ ଏହି ଜେଲ୍ ଯିଵା ଵିଷୟରେ ମତ ଦେଇଥିଲା “ମୁଁ ଯେଉଁ କାମ ବହୁ ଵର୍ଷ ଚେଷ୍ଟା କରି ମଧ୍ୟ କରି ପାରି ନଥିଲି ତାହା ସେଇ ଦୁଇ ଦିନ ଜେଲରେ ରହିଵା ଦ୍ୱାରା ସହଜରେ ହୋଇପାରିଥିଲା ।
୧୯୮୨ ମସିହାରେ, ଭିଣ୍ଡ୍ରେୱାଲେ ଓ ଅକାଳୀ ଦଳର ଲୋକଙ୍କ ମଧ୍ୟରେ ମିଳିତ ଭାବରେ କାର୍ଯ୍ୟ କରିଵାକୁ ଏକ ଚୁକ୍ତିନାମା ହୋଇଥିଲା । ଅକାଳୀ ଦଳର ସନ୍ଥ ହରଚାନ୍ଦ ସିଂ ଲଙ୍ଗୋୱାଲ ଓ ଭିଣ୍ଡ୍ରେୱାଲେଙ୍କ ମଧ୍ୟରେ ଚୁକ୍ତି ପରେ ଧର୍ମଗୁରୁ ମୋର୍ଚ୍ଚା ଆରମ୍ଭ ହୋଇଥିଲା। ଯାହାର ମୂଳ ଉଦ୍ଦେଶ୍ୟ ଥିଲା ୧୯୭୩ର ଆନନ୍ଦପୁର ସାହେବ ରିଜୋଲ୍ୟୁସନର ଦାବି ପୂରଣ କରିଵା ।
ଏହି ରାଜନୈତିକ ଚୁକ୍ତି ହୋଇଗଲା ପରେ ଶିଖ୍ମାନେ ୧୯୮୨ମସିହାରେ ଦିଲ୍ଲୀରେ ଆୟୋଜିତ ହେଵାକୁ ଥିଵା ନଵମ ଏସୀୟ ଖେଳକୁ ଵ୍ୟାହତ କରିଵାର ଯୋଜନା ରଖିଥିଲେ । ଫଳତଃ ପଞ୍ଜାଵରୁ ହରିୟାଣା ଓ ଦିଲ୍ଲୀ ଅଭିମୁଖେ ଆସୁଥିଵା ସମସ୍ତ ଶିଖମାନଙ୍କର ଗାଡ଼ି,ଦରଵ ଓ ଅଙ୍ଗ ଵସ୍ତ୍ରାଦିକୁ ନିରୀକ୍ଷଣ କରି ଛଡ଼ା ଯାଉଥିଲା । କିଛି ଅଵସରପ୍ରାପ୍ତ ଶିଖ୍ ସେନା ଅଧିକାରୀ ମଧ୍ୟ ଏଥିର ଶିକାର ହେଆଥିଲା। ଏଥିଯୋଗୁଁ ଶିଖମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ଏଣେ ଭିଣ୍ଡ୍ରେୱାଲେର ଦ୍ଵେଷପୂର୍ଣ୍ଣ ଭାଷଣ ଯୋଗୁଁ ପଞ୍ଜାବରେ ଜାତିଗତ ହିଂସା ଵୃଦ୍ଧିପାଇଵାରେ ଲାଗିଲା ଓ ପ୍ରତିଦିନ କେଉଁଠି ନା କେଉଁଠି ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି ହେଉଥିଲା । ହିନ୍ଦୁମାନଙ୍କ ଘର ଜଳାଇଵା ସେମାନଙ୍କୁ ବାଟରେ ଗୁଳିମାରି ହତ୍ଯା କରିଵା ଇତ୍ୟାଦି କୁକାର୍ଯ୍ୟ ହେଵାକୁ ଲାଗିଲା ।
ସେତେବେଳକୁ ଭିଣ୍ଡ୍ରେୱାଲେ ,କଂଗ୍ରେସ ହାତରୁ ସମ୍ପୂର୍ଣ୍ଣ ଭାବରେ ଚାଲିଗଲାରୁ ରାଜ୍ୟରେ କ୍ଷମତାରେ ଥିଵା କଂଗ୍ରେସ ସରକାର ଏହି ଶିଖ୍ ଆନ୍ଦୋଳନକୁ ରୋକିବା ପାଇଁ କଠିନ ଚେଷ୍ଟା କରିଥିଲା। ଫଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟି ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଥିଲେ ଏଵଂ ପ୍ରାୟ ୩୦ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା।
୧୯୮୩ ମସିହା ବେଳକୁ ସମସ୍ୟା ଆହୁରି ଗୁରୁତର ହେଵାକୁ ଲାଗିଥିଲା । କିଛି ପୋଲିସ ଅଧିକାରୀ ଏହି ଆନ୍ଦୋଳନକୁ ପ୍ରତିହତ କରିଵାକୁ ଯାଇ ଅତ୍ୟାଚାରର ଶିକାର ମଧ୍ୟ ହୋଇଥିଲେ । ସେହିଵର୍ଷ ତଥାକଥିତ ଧର୍ମଯୁଦ୍ଧ ମୋର୍ଚ୍ଚା ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଵି ଆଇପିଏସ୍ ଅଧିକାରୀ ଶ୍ରୀ ଏ.ଏସ୍. ଅଟୱାଲଙ୍କୁ ସ୍ଵର୍ଣ୍ଣ ମନ୍ଦିର ପାହାଚ ନିକଟରେ ହତ୍ୟା କରାଯାଇଥିଲା। ପୋଲିସମାନଙ୍କ ମଧ୍ୟରେ ଭଣ୍ଡ୍ରେୱାଲେକୁ ନେଇ ଏତେ ଭୟ ସୃଷ୍ଟି ହୋଇଥିଲା ଯେ କୌଣସି ପୋଲିସ କର୍ମଚାରୀ ଶ୍ରୀ ଅଟୱାଲଙ୍କ ଶଵକୁ ସେଠାରୁ ନେଵାକୁ ସହଜରେ ରାଜି ହୋଇନଥିଲେ । ପ୍ରାୟ ତିନି ଚାରି ଘଣ୍ଟା ପର୍ଯ୍ୟନ୍ତ ଆପଇଏସ ଅଧିକାରୀଙ୍କ ଶଵ ସେହି ମନ୍ଦିର ପାହାଚ ନିକଟରେ ସ୍ଥିର ହୋଇ ପଡ଼ିରହିଥିଲା ।
ଏହି ହତ୍ୟାକାଣ୍ଡ ଯୋଗୁଁ ହିନ୍ଦୁ ଓ ଶିଖ୍ମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଵିଵାଦ ଭୀଷଣ ରୂପ ଧାରଣ କଲା । ଅକ୍ଟୋବର ୧୯୮୩ରେ ବସ୍ରେ ଯାତ୍ରା କରୁଥିଵା ହିନ୍ଦୁଲୋକଙ୍କ ଉପରେ ଶିଖ୍ ଆତଙ୍କଵାଦୀମାନେ ଆକ୍ରମଣ କରିଵାରୁ ଛଅଜଣ ହିନ୍ଦୁ ମୃତ୍ୟୁଵରଣ କରିଥିଲେ । ସମସ୍ୟା ଅତି ଉତ୍କଟ ହେଵା ଦେଖି କଂଗ୍ରେସ ସରକାର ପଞ୍ଜାଵରେ ରାଷ୍ଟ୍ରପତି ଶାସନ ଲଗାଇଦେଲା ଏଵଂ ତତ୍କାଳୀନ ପଞ୍ଜାଵ ମୁଖ୍ୟମନ୍ତ୍ରୀ ଦରବାରା ସିଂଙ୍କ ନେତୃତ୍ଵାଧୀନ ସରକାରକୁ ଭାଙ୍ଗିଦିଆଗଲା ।
ଏହାର କେତେକ ଦିନ ପରେ ଭିଣ୍ଡ୍ରେୱାଲେ ଓ ତାହାର ସମର୍ଥକମାନେ ହରମନ୍ଦର ସାହେବ କମ୍ପ୍ଲେକ୍ସ ଭିତରେ ଅସ୍ତ୍ର ସଂଗ୍ରହ କରିଵା ଆରମ୍ଭ କରିଦେଲେ ଏଵଂ ସେଠାରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଆସି ଠୁଳ ହେଵାକୁ ଲାଗିଲା । ଡିସେମ୍ବର ୧୫, ୧୯୮୩ରେ, ଭଣ୍ଡ୍ରେୱାଲେ ଓ ତାହାର ସମର୍ଥକମାନେ ଅକାଲ ତାଖତ୍କୁ ନିଜ ଅକ୍ତିଆରକୁ ନେଇଗଲେ ।
ଶ୍ରୀମତି ଇନ୍ଦିରା ଗାନ୍ଧୀ, ଭିଣ୍ଡ୍ରେୱାଲେ ସମ୍ମୁଖରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ଅକାଳୀ ଦଳ ସେତେବେଳେ ସରକାରଙ୍କ ପ୍ରସ୍ତାଵକୁ ଗ୍ରହଣ କରିନେଇଥିଲା କିନ୍ତୁ ଭିଣ୍ଡ୍ରେୱାଲେ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଥିଲା। ରାଜନୈତିକ କ୍ଷମତା ଲାଭ କରିଵା ପାଇଁ ଅକାଳୀଦଳ ପ୍ରସ୍ତାଵ ଗ୍ରହଣ କରୁଛି ବୋଲି ଆକ୍ଷେପ କରିଵା ସହିତ ଭିଣ୍ଡ୍ରେୱାଲେ ଏଥିପାଇଁ ଭାରତ ସରକାରଙ୍କ ପ୍ରସ୍ତାଵକୁ ଗ୍ରହଣ କରୁନାହିଁ ବୋଲି ସ୍ପଷ୍ଟ ଭାବରେ ଜଣାଇ ଦେଲା ।
ହିନ୍ଦୁ ଓ ଶିଖମାନଙ୍କ ମଧ୍ୟରେ ବଢ଼ୁଥିଵା ଵିଵାଦ ତଥା ଜନସାଧାରଣ ,ମନ୍ଦିର ଓ ଗୁରୁଦ୍ୱାରା ଉପରେ ଆକ୍ରମଣ ଦେଖି ସମଗ୍ର ପଞ୍ଜାବରେ ଜୁନ୍ ୧, ୧୯୮୪ରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଅପରେସନ୍ ବ୍ଲୁ ଷ୍ଟାରର ପାଞ୍ଚ ମାସ ପୂର୍ଵରୁ ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଥିଲେ। ତେଣୁ ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଵା ପୂର୍ଵରୁ ପଞ୍ଜାଵକୁ ଆସିଵା ଏଵଂ ଯିଵା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପଞ୍ଜାଵ ଦ୍ଵାରା ସଂଯୁକ୍ତ ରେଳ, ବାୟୁ ଓ ସଡ଼କ ପଦକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦିଆଗଲା । ଟେଲିଫୋନ,ଟେଲିଗ୍ରାମ୍ ଓ ଚିଠି ଦ୍ଵାରା କୌଣସି ପ୍ରକାରର ଵାର୍ତ୍ତା ପଠାଇଵା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପଞ୍ଜାଵକୁ ଭାରତୀୟ ସେନା ନିଜ ନିୟନ୍ତ୍ରଣକୁ ନେଇଥିଲା ଏଵଂ ସାମ୍ବାଦିକମାନଙ୍କୁ ମଧ୍ୟ ଅମୃତସର ଛାଡିଦେଵାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। କର୍ଫ୍ୟୁ ଲଗାଇଵା ସହିତ ଜୁନ୍ ୧ରେ ଶ୍ରୀମତି ଇନ୍ଦିରା ଗାନ୍ଧୀ ରେଡିଓରେ ନିଜର ଭାଷଣ ଦେଇ ଆଲୋଚନା ପାଇଁ ସବୁବେଳେ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।
ଜୁନ୍ ୩ରେ ପଞ୍ଚମ ଶିଖ ଗୁରୁଙ୍କ ଶହୀଦ ଦିଵସ, ତେଣୁ ସେହି ଦିନ ଅନ୍ୟଦିନ ଅପେକ୍ଷା ସ୍ଵର୍ଣ୍ଣ ମନ୍ଦିରରେ ଭିଡ଼ ଅଧିକ ଥିଲା । ପୋଲିସ ଏଵଂ ସରକାରୀ ତନ୍ତ୍ରଦ୍ଵାରା ଲୋକମାନଙ୍କୁ ସ୍ଵର୍ଣ୍ଣମନ୍ଦିରରୁ ବାହାରି ଯିଵାକୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଭିଣ୍ଡ୍ରେୱାଲେ ଓ ତାହାର ସମର୍ଥକମାନେ ସାଧାରଣ ଜନତାମାନଙ୍କୁ ମନ୍ଦିର ପରିସରରୁ ବାହାରକୁ ଯିଵାକୁ ଦେଇ ନଥିଲେ। ବୋଧହୁଏ ସେମାନଙ୍କ ଉଦ୍ଦେଶ୍ୟ କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ହେଲେ ଏହି ଲୋକମାନଙ୍କୁ ଢାଲ ଭାଵରେ ଵ୍ୟଵହାର କରିଵା ତେଣୁ ସ୍ଵର୍ଣ୍ଣମନ୍ଦିରରେ ଅନେକ ଲୋକ ବନ୍ଦୀ ହୋଇରହିଲେ ।
ଅସ୍ତ୍ରଶସ୍ତ୍ର ଵ୍ୟଵହାର କରିଵା ଏଵଂ ସାମରିକ ଵାହିନୀର ମୁକାବିଲା ପାଇଁ ଭିଣ୍ଡ୍ରେୱାଲେର ସମର୍ଥକମାନେ ତାଲିମ ପାଇଥିଲେ। ଭିଣ୍ଡ୍ରେୱାଲେର ଅନ୍ୟତମ ସମର୍ଥକ ଶାହବେଗ ସିଂ ବାଂଲାଦେଶର ମୁକ୍ତି ଵାହିନୀର ଲୋକଙ୍କୁ ପାକିସ୍ତାନୀ ସେନାର ମୁକାବିଲା ପାଇଁ ତାଲିମ ଦେଇଥିଲା। ଏଣୁ ଶାହବେଗ ସେହି ଅଭିଜ୍ଞତାକୁ ଭିଣ୍ଡ୍ରେୱାଲେର ସମର୍ଥକମାନଙ୍କୁ ତାଲିମ ଦେଵା ପାଇଁ ଉପଯୋଗ କରିଥିଲା।
ମେଜର ଜେନେରାଲ ଶ୍ରୀକୁଲଦୀପ ସିଂ ବରାରଙ୍କୁ ଅପରେସନ୍ ବ୍ଲୁ ଷ୍ଟାରର ନେତୃତ୍ୱ ଦିଆଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ମୁଖ୍ୟ ଯୁଦ୍ଧ ୫ ଜୁନ୍ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା । ହରମିନ୍ଦର ସାହିବଙ୍କୁ ଯେମିତି କୌଣସି ପ୍ରକାରେ କ୍ଷତି ନହୁଏ ସେଥିପ୍ରତି ଧ୍ୟାନ ରଖିଵାକୁ ସେନାକୁ ପୂର୍ଵରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ପ୍ରଥମେ ପ୍ରଥମେ ସେନାକୁ କୌଣସି ଧାରଣା ନଥିଲା ଯେ ଆତଙ୍କଵାଦୀଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଆତଙ୍କଵାଦୀମାନଙ୍କ ପାଖରେ ଆଣ୍ଟି ଟ୍ୟାଙ୍କ ଗନ୍, ରକେଟ୍ ଲଞ୍ଚର୍, ମେସିନ୍ ଗନ୍ ଥିଲା ଏଵଂ ସେମାନଙ୍କୁ ସୁରକ୍ଷିତ ଓ ଉପଯୁକ୍ତ ସ୍ଥାନରେ ମୁତାୟନ କରାଯାଇଥିଲା ।
ଆରମ୍ଭରେ ଯେତେବେଳେ ବହୁ ସଂଖ୍ୟକ ସୈନିକ ଆହତ ହେଲେ, ମେଜର ଜେନେରାଲ ଶ୍ରୀବରାର ତାଙ୍କର ରଣନୀତି ବଦଳାଇ ଆକାଳୀ ତଖ୍ତ୍ ଉପରେ ଆକ୍ରମଣ କରିଵାକୁ ଟ୍ୟାଙ୍କର୍ ମଗାଇଥିଲେ। ଏହି ଟାଙ୍କ୍ୟଗୁଡି଼କ ଦ୍ଵାରା ରାତିରେ ଆଲୋକ ଵ୍ୟଵସ୍ଥା କରି ଭିଣ୍ଡ୍ରେୱାଲେ ଓ ତା’ ସମର୍ଥକମାନଙ୍କୁ ଟାର୍ଗେଟ କରିଵା ପାଇଁ ଵ୍ୟଵହୃତ ହେଲା, କିନ୍ତୁ ଯେତେବେଳେ ଏହା କାମ ଦେଇନଥିଲା, ସେତେବେଳେ ଅକାଲ୍ ତଖ୍ତ୍ ଉପରେ ଟ୍ୟାକ୍ ଦ୍ଵାରା ଗୋଳାଵରରଷଣ କରାଯାଇଥିଲା ଫଳରେ ଏହି ଭୀଷଣ ଆକ୍ରମଣ ଯୋଗୁଁ ଭିଣ୍ଡ୍ରେୱାଲେର ମୃତ୍ୟୁ ହୋଇଯାଇଥିଲା । ପରେ ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଅକାଲ ତାଖ୍ତ ଉପରେ ଟ୍ୟାଙ୍କରୁ ୮୦ରୁ ଅଧିକ ଗୋଳାଵର୍ଷଣ ହୋଇଥିଲା ।
ଏହି ଆକ୍ରମଣରେ ଅକାଲ ତଖ୍ତ ଓ ପୁସ୍ତକାଳୟର ବହୁତ କ୍ଷୟକ୍ଷତି ହୋଇଥିଲା। ଅପରେସନ ବ୍ଲୁଷ୍ଟାର୍ ସମାପ୍ତ ହେଵା ପରେ, ଯେତେବେଳେ ସ୍ଵର୍ଣ୍ଣ ମନ୍ଦିର କମ୍ପ୍ଲେକ୍ସ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ସେଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଥିଲା । ସରକାରୀ ଆକଳନ ଅନୁଯାୟୀ, ଅପରେସନ୍ ବ୍ଲୁ ଷ୍ଟାର ସମୟରେ ଭାରତୀୟ ସେନାର ୮୩ ଜଣ ସୈନିକ ଶହୀଦ ହୋଇଥିଲେ ଏଵଂ ଏଥି ଯୋଗୁଁ ୨୪୮ ଜଣ ଆହତ ହୋଇଥିଲେ। ତେବେ ଅପରେସନ ବ୍ଲୁଷ୍ଟାର୍ ଯୋଗୁଁ ୫୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ଏଵଂ ତନ୍ମଧ୍ୟରେ ଭିଣ୍ଡ୍ରେୱାଲେ ବି ଥିଲା । କିନ୍ତୁ ଅପରେସନ ବ୍ଲୁଷ୍ଟାର୍ ସମାପ୍ତ ହେଲାପରେ ମଧ୍ୟ ଅନେକ ଦିନ ଯାଏଁ ପଞ୍ଜାଵରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଲାଗିରହିଥିଲା ।
ଶିଖ୍ମାନଙ୍କୁ ସେମାନଙ୍କର ଆଞ୍ଚଳିକଵାଦୀ ଚିନ୍ତାଧାରା ପାଇଁ ଆହୁରି ଭୀଷଣ ଦଣ୍ଡ ଭୋଗିଵା ବାକି ଥିଲା ।
ଓଡ଼ିଶାରେ ଏକ ବିରାଟ ନିର୍ଵାଚନୀ ପ୍ରଚାର ପରେ ଶ୍ରୀମତି ଇନ୍ଦିରା ଗାନ୍ଧୀ ୩୦ ଅକ୍ଟୋବର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ । ତା’ପର ଦିନ ଅକ୍ଟୋବର ୩୧ ସକାଳ ନଅଟା ବାଜି ୩୦ ମିନିଟ୍ରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇଜଣ ଶିଖ୍ ଅଙ୍ଗରକ୍ଷକ ବେଅନ୍ତ ସିଂ ଓ ସତବନ୍ତ ସିଂ ଗୁଳି କରି ହତ୍ୟା କରିଥିଲେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୩୦ରୁ ଅଧିକ ଗୁଳି ମାରି ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ନିର୍ମମ ଭାବେ ହତ୍ୟା କରି ଉଭୟ ଶିଖ୍ ଅଙ୍ଗରକ୍ଷକ ଅପରେସନ ବ୍ଲୁଷ୍ଟାର୍'ର ପ୍ରତିଶୋଧ ନେଇଥିଲେ । କଂଗ୍ରେସ ନିଜର ରାଜନୈତିକ ଲାଭ ପାଇଁ ଯେଉଁ ଭିଣ୍ଡ୍ରେୱାଲେକୁ ଅକାଳୀଦଳ ଵିପକ୍ଷରେ ଛିଡ଼ା କରାଇଥିଲା ତାହାର କୁଫଳ ସ୍ଵରୂପ ଇନ୍ଦିରା ଗାନ୍ଧୀଙ୍କୁ ନିଜ ପ୍ରାଣ ହରାଇଵାକୁ ପଡି଼ଥିଲା । ଆଜି ଯେମିତି ଭାରତୀୟ ଜନତା ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପାଗଳ ସେତେବେଳେ ଶ୍ରୀମତି ଇନ୍ଦିରା ଗାନ୍ଧୀ ମଧ୍ୟ ଲୋକଙ୍କର ଲୋକପ୍ରିୟ ନେତ୍ରୀ ଥିଲେ । ତାଙ୍କର ଏଭଳି ନିର୍ମମ ହତ୍ୟା କରାଯିଵା ଜାଣି ଶୁଣି ଲୋକେ ଭାଙ୍ଗପଡି଼ଲେ । ସେଦିନ ଦ୍ଵିପହର ୨ଟା ବାଜି ୨୩ ମିନିଟରେ ଆଧିକାରିକ ଭାବରେ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ମୃତ ଘୋଷଣା କରିଦିଆଗଲା ।
ଇନ୍ଦିରା ଗାନ୍ଧୀଙ୍କୁ ଦେଖିଵାକୁ ହଜାର ହଜାର ଲୋକେ ଶୋକାକୁଳ ହୋଇ ଦିଲ୍ଲୀ ଏମ୍ସ ସମ୍ମୁଖରେ ଛିଡ଼ା ହୋଇଥାନ୍ତି । କ୍ରୋଧିତ ଦୁଃଖିତ ଲୋକମାନଙ୍କୁ ସମ୍ଭାଳିଵାକୁ ଲାଠିଚାର୍ଜ ମଧ୍ୟ କରାଗଲା । ତଥାପି ଲୋକେ ନିଜ ପ୍ରିୟ ନେତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥାନ୍ତି ।
ଏତିକିବେଳେ ରାଷ୍ଟ୍ରପତି ଜ୍ଞାନୀ ଜୈଲ୍ ସିଂ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ଦେଖିଵାକୁ କାର୍ ଯୋଗେ ସେଠାକୁ ଆସିଵାରୁ ଉତ୍ୟକ୍ତ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଦେଲେ ।
ଏହା ଏକ ବଡଧରଣର ଵିପତ୍ତିର ପୂର୍ଵାଭାସ ମାତ୍ର ଥିଲା । ଲୋକମାନେ କାନ୍ଦୁଥିଲେ, ଚିତ୍କାର କରୁଥିଲେ ସେମାନେ ଵିଶ୍ଵାସ କରିପାରୁନଥିଲେ ଯେ ଆମେରିକା ଇଂଲଣ୍ଡ ଚୀନ ପାକିସ୍ତାନକୁ ଏକାକୀ ପରାସ୍ତ କରିପାରିଥିଵା ଶ୍ରୀମତି ଇନ୍ଦିରାଙ୍କୁ ବି କୌଣସି ଶକ୍ତି ପରାସ୍ତ କରିପାରେ । ସେହି ଲୋକମାନେ ଯେତେବେଳେ କାନ୍ଦି କାନ୍ଦି କ୍ଳାନ୍ତ ହୋଇଗଲେ ତାଙ୍କ ଦୁଃଖର ସ୍ଥାନ କ୍ରୋଧ ନେଇଗଲା । ଏହି କ୍ରୋଧ ପରଵର୍ତ୍ତୀ ସମୟରେ କିପରି ଭୀଷଣ ରୂପ ଧାରଣ କରିଵାକୁ ଯାଉଛି ସେ ଵିଷୟରେ କାହାରିକୁ କୌଣସି ଧାରଣା ନଥିଲା ।
କିନ୍ତୁ ଦିଲ୍ଲୀ ଛଡ଼ା ସେତେବେଳଯାଏଁ ଭାରତର ଅନ୍ୟ ଅଞ୍ଚଳରେ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିଵା ଵିଷୟରେ କୌଣସି ସମ୍ବାଦ ପ୍ରଚାରିତ ହୋଇନଥିଲା । କେଵଳ ଦିନ ୧୧ଟାରେ ଦୁଇଜଣ ଶିଖ୍ ଅଙ୍ଗରକ୍ଷକଙ୍କ ଦ୍ଵାରା ଇନ୍ଦିରା ଗାନ୍ଧୀଙ୍କୁ ଆକ୍ରମଣ କରାଯାଇଥିଵା ସମ୍ବାଦ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିଲା। ତେବେ ପ୍ରଥମେ ବିବିସି ଦ୍ଵାରା ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ସମ୍ପଦ ପ୍ରଚାରିତ ହୋଇଥିଲା ଫଳତଃ ସାରା ଵିଶ୍ଵରେ ଚହଳ ପଡି଼ଗଲା । କିନ୍ତୁ ସେହିଦିନ ଅର୍ଥାତ୍ ଅକ୍ଟୋବର ୩୧, ୧୯୮୪ର ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ, ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓରେ ଶ୍ରୀମତି ଇନ୍ଦିରାଙ୍କ ହତ୍ୟା ଖବର ଆସି ନଥିଲା ।
୩୧ ଅକ୍ଟୋବରର ସକାଳୁ ଆରମ୍ଭ କରି ସନ୍ଧ୍ୟା ଭିତରେ ବହୁତ କିଛି ବଦଳି ଯାଇଥିଲା । ଦିଲ୍ଲୀ AIIMS ସମ୍ମୁଖରେ ସ୍ଥିତି ଗମ୍ଭୀର ହେଵାକୁ ଲାଗିଥିଲା । ଶିଖମାନେ ମଧ୍ୟ ସେଠାକୁ ଶହ ଶହ ସଂଖ୍ୟାରେ ଆସିଥିଲେ । ସେମାନେ ମଧ୍ୟ ଅନ୍ୟ ଲୋକଙ୍କ ସହିତ ଇନ୍ଦିରା ଗାନ୍ଧୀ "ଅମର ରାହେ"ର ସ୍ଲୋଗାନ ଦେଉଥିଲେ, କିନ୍ତୁ ଧୀରେ ଧୀରେ ସେମାନେ AIIMSରୁ ଓହରିଯିଵାକୁ ଆରମ୍ଭ କରିଦେଲେ । କାରଣ ଶିଖ୍ମାନେ ଧିରେ ଧିରେ ଜାଣିଵାକୁ ପାଇଲେ ଯେ ଶ୍ରୀମତି ଇନ୍ଦିରାଙ୍କୁ ତାଙ୍କରି ଶିଖ ସମ୍ପ୍ରଦାୟର ଦୁଇଜଣ ଅଙ୍ଗରକ୍ଷକ ଅପରେସନ ବ୍ଲୁଷ୍ଟାର୍' ପାଇଁ ହତ୍ୟା କରିଛନ୍ତି। ସ୍ଲୋଗାନର ଶୈଳୀରେ ମଧ୍ୟ ପରିଵର୍ତ୍ତନ ହେଵାକୁ ଲାଗିଲା। ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂଙ୍କ କାର ଉପରେ ପଥର ଆକ୍ରମଣ ପରେ ଏହି ସ୍ଲୋଗାନଗୁଡ଼ିକର ପ୍ରତିଧ୍ୱନୀ AIIMS ର ଆଖପାଖ ଅଞ୍ଚଳରେ ମଧ୍ୟ ବ୍ୟାପିଗଲା।
କ୍ରମେ ଏହି ମାନଵୀୟ ଉନ୍ମାଦନା ଆକ୍ରୋଶର ଵହ୍ନି ରୂପେ ଜଳିଉଠିଲା ଏଵଂ ଦିଲ୍ଲୀର ଵିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା
ଆରମ୍ଭ ହୋଇଯାଇଥିଲା । ଅକ୍ଟୋବର ଏକତିରିଶି ୧୯୮୪ରୁ ନଭେମ୍ବର ତିନି ୧୯୮୪ ଯାଏଁ ଦିଲ୍ଲୀରୁ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇ ସାରା ଭାରତରେ ଵ୍ୟାପଗଲା । ଶିଖ୍ମାନଙ୍କ ଉପରେ ପ୍ରଥମ ଆକ୍ରମଣ ନଭେମ୍ବର ୧ ସକାଳୁ ପୂର୍ଵ ଦିଲ୍ଲୀରେ ହୋଇଥିଲା ଏଵଂ ଏହି ସାମ୍ପ୍ରଦାୟିକ ହିଂସାକାଣ୍ଡ ସାରା ଦିଲ୍ଲୀରେ ଓ ପରେ ସାରା ଭାରତରେ ଵ୍ୟାପି ଯାଇଥିଲା । ସରକାରୀ ତନ୍ତ୍ରର ଆଧିକାରିକ ସଂଖ୍ୟା ଅନୁସାରେ ଏହି ଦଙ୍ଗା ଯୋଗୁଁ ମୋଟ୍ ୩୩୫୦ ଲୋକ ମରିଥିଵା କୁହାଯାଉଥିଵା ବେଳେ ସ୍ଵାଧୀନ ଉତ୍ସରୁ ଜଣାଯାଏ ଯେ ସାରା ଭାରତରେ ଆଠରୁ ସତର ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଏହି ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ଯେଉଁ ଲୋକମାନେ ମଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ନିମ୍ନଵିତ୍ତ,ନିମ୍ନ ମଧ୍ୟଵିତ୍ତ ଓ ମଧ୍ୟଵିତ୍ତ ସମାଜର ଲୋକ ଥିଲେ । ଏହି ଦଙ୍ଗା ଆଦୌ ହୋଇନଥାନ୍ତା ଯଦି ଶିଖ୍ମାନେ ଆଞ୍ଚଳିକଵାଦୀ ହୋଇନଥାନ୍ତେ କି ଉତ୍ତର ଭାରତୀୟ ହିନ୍ଦୀଭାଷୀ ହିନ୍ଦୀ ଭାଷାକୁ ପଞ୍ଜାଵର ଲୋକଙ୍କ ଉପରେ ଲଦିଵାକୁ ଚେଷ୍ଟା କରିନଥାନ୍ତେ ।
ଦିଲ୍ଲୀରେ ହଜାର ହଜାର ଲୋକ ଆଦୌ ମରିନଥାନ୍ତେ ଯଦି କଂଗ୍ରେସ ନିଜର ରାଜନୈତିକ ଅଭିସନ୍ଧି ପାଇଁ ଭିଣ୍ଡ୍ରେୱାଲେ ଭଳି ସର୍ପକୁ ଦୁଗ୍ଧ ପାନ କରାଇ ପାଳିନଥାନ୍ତା । ଆଞ୍ଚଳିକଵାଦ ସଦାସର୍ଵଦା ଗୋଟିଏ ଦେଶ, ଗୋଟିଏ ଜାତି ଵା ଏକ ଦେଶରେ ଅଶାନ୍ତି ଓ ଅନଗ୍ରସର ସ୍ଥିତି ସୃଷ୍ଟିର କାରଣ ହୋଇଥାଏ । ଆମ ଓଡ଼ିଶାରେ ମଧ୍ୟ ଆଞ୍ଚଳିକଵାଦୀଙ୍କୁ କେଵଳ ରାଜନୈତିକ ସ୍ଵାର୍ଥ ଲାଭ ପାଇଁ କେତେକ ଜାତୀୟ ଦଳ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାହାଯ୍ୟ ସହଯୋଗ କରୁଛନ୍ତି । ବୋଧହୁଏ ଏ ଦେଶର ତଥାକଥିତ ରାଜନୈତିକ ଦଳ ,ନେତାମାନେ ତଥା ବୁଦ୍ଧିଜୀଵୀମାନେ ୧୯୭୮ରୁ ୧୮୮୪ ଯାଏଁ ଭାରତରେ ହୋଇଥିଵା ଶିଖ୍ ହିନ୍ଦୁ ସାମ୍ପ୍ରଦାୟିକ ହିଂସାକାଣ୍ଡରୁ କିଛି ବି ଶିଖିପାରିନାହାନ୍ତି ।
No comments:
Post a Comment