Thursday, March 30, 2023

ବୋଉ : ଶବ୍ଦ ଗୋଟିଏ କଥା ଅନେକ

#ବୋଉ : #ଶବ୍ଦ_ଗୋଟିଏ_କଥା_ଅନେକ...

ବୋଉ ଶବ୍ଦ ଗୋଟିଏ ଵିରଳ ନିଆରା ସୁନ୍ଦର ଭାଵପୂର୍ଣ୍ଣ ଶବ୍ଦ । ତେବେ କିଛି ଵର୍ଷ ହେଲା ବୋଉ ଶବ୍ଦକୁ ନେଇ ଅଯଥା ଵିଵାଦ ସୃଷ୍ଟି କରିଵାକୁ ଚେଷ୍ଟା କରାଯାଉଛି ‌। ଧ୍ଵନିତତ୍ତ୍ଵ  ଓ ଶବ୍ଦତତ୍ତ୍ଵ ଵିଷୟରେ କିଛି ନଜାଣି କେତେକ ମୂର୍ଖ ଲୋକ କଟକିଏ ଉପକୂଳିଏ 'ବୋଉ' ଶବ୍ଦଟି କୁଆଡ଼ୁ ଆଣିଲେ ବୋଲି ପଚାରୁଛନ୍ତି । ସେମାନଙ୍କ ଅନୁସାରେ ପୃଥିଵୀରେ ସମସ୍ତେ ନିଜ ମାତାଙ୍କୁ ମାଆ,ମାମା,ଅମ୍ମି ସମ୍ବୋଧନ କରନ୍ତି ଏଵଂ ଏହା ସଂସ୍କୃତ ଭାଷାର ଶବ୍ଦ। ହେଲେ କଟକିଏ ବୋଉ ଶବ୍ଦ କୁଆଡ଼ୁ ଆଣିଲେ ? 



ତେବେ ପୃଥିଵୀରେ ସବୁ ଅଞ୍ଚଳରେ ସବୁ ଭାଷାରେ ମାଆମାନଙ୍କୁ ପିଲାଏ ମାଆ,ମାତା ସମ୍ବୋଧନ କରନ୍ତି ନାହିଁ । ଅନେକ ଭାଷାରେ ଭିନ୍ନ ଭିନ୍ନ ଵର୍ଣ୍ଣ ଆଦ୍ୟରୁ ମାତା ସମ୍ବୋଧନ ପାଇଁ ଶବ୍ଦ ରହିଛି । ତନ୍ମଧ୍ୟରୁ ଵର୍ଗ୍ୟ 'ବ' ଵର୍ଣ୍ଣ ଆଦ୍ୟରେ ମାତାଙ୍କୁ ସମ୍ବୋଧନ କରାଯିଵା ପୃଥିଵୀର ଅଳ୍ପ କେତେକ ଭାଷାରେ ହିଁ ପ୍ରଚଳିତ । 

ବ୍ରାଜିଲର mura ଭାଷାପରିଵାରର Pirahã ଭାଷାରେ  ମାଆଙ୍କୁ baíxi ସମ୍ବୋଧନ କରାଯାଏ । ଏ ଭାଷାକୁ ବୋଲୁଥିଵା ଲୋକେ ଏବେ ପୃଥିଵୀରେ ୪୦୦ରୁ କମ୍ ଲୋକ ଅଛନ୍ତି । 

ଆମେରିକାରେ କଥିତ ଲୋହିତ ଭାରତୀୟମାନଙ୍କର Na-Dene ଭାଷା ପରିଵାରର Apache ଭାଷାର ଅନେକ କଥିତ ଶୈଳୀ ରହିଛି ତନ୍ମଧ୍ୟରୁ 
Chiricahuaରେ ମାଆଙ୍କୁ -má ସମ୍ବୋଧନ କରାଯାଏ 
କିନ୍ତୁ Western Apache ଭାଷାରେ ମାଆଙ୍କୁ ପିଲାଏ  bimaa ଓ bąą ସମ୍ବୋଧନ କରିଥାନ୍ତି । 

ଋଷିଆ ଓ ଏହାର ଆଖପାଖ ଦେଶରେ ପ୍ରଚଳିତ Northeast Caucasian ଭାଷା ପରିଵାରର ଅନ୍ୟତମ ଭାଷା Avar ଭାଷାରେ ମାଆଙ୍କୁ  ପିଲାଏ эбел (ebel), баба (baba) ଓ буба (buba) ସମ୍ବୋଧନ କରିଥାନ୍ତି । 

ଭାରତୀୟ ରାଜ୍ୟ ଆସାମର ସିନୋ ତିବତ୍ତୀୟ ଭାଷା ପରିଵାରର ବୋଡ଼ୋ ଭାଷା ବୋଲୁଥିଵା ଲୋକେ ନିଜ ମାଆଙ୍କୁ 
आइ ଓ बिमा ସମ୍ବୋଧନ କରନ୍ତି ।‌

Austronesian ଭାଷା ପରିଵାରର 
Brunei Malay ଭାଷାରେ ମାଆଙ୍କୁ ପିଲାଏ babu ଓ mama ସମ୍ବୋଧନ କରନ୍ତି । 

ସିନୋ ତିବତ୍ତୀୟ ଭାଷା ପରିଵାରର 
Min Nan ଭାଷାରେ ମାଆଙ୍କୁ  ପିଲାଏ  母親/母亲 (bó-chhin, bú-chhin) ଓ  阿母 (a-bó)   ଡାକିଥାନ୍ତି ‌ ।

Austronesian ଭାଷାପରିଵାରର Sundanese ଭାଷାରେ ମାଆଙ୍କୁ biang ଓ indung ସମ୍ବୋଧନ କରାଯାଏ । ସେହିପରି ଏହି ଭାଷାପରିଵାରର Javanese ଓ ମାଳୟ ଭାଷାରେ ମାଆଙ୍କୁ ପିଲାଏ ibu ଡାକିଥାନ୍ତି । 

ଅନ୍ୟ ଏକ Austronesian ଭାଷା Indonesianରେ ମାଆଙ୍କୁ ibu ଓ bunda ସମ୍ବୋଧନ କରାଯାଏ । 

Austroasiatic ଭାଷା ପରିଵାରର Vietnamese ଭାଷାରେ ମାଆଙ୍କୁ mẹ , má , mạ , mệ , mợ , bầm, u, nạ , đẻ ଓ cái  ସମ୍ବୋଧନ କରାଯାଇଥାଏ ।

ଅଷ୍ଟ୍ରେଲିଆ ମହାଦେଶର ଏକ ଜନଜାତୀୟ ଭାଷାପରିଵାର Pama–Nyunganର 
Turrbal ଭାଷାର ଗୋଟିଏ ଶୈଳୀ 
Yagaraରେ ମାଆଙ୍କୁ budang ସମ୍ବୋଧନ କରାଯାଉଥିଲା । 

Niger–Congo ଭାଷାପରିଵାର ମୂଳର ଜାମ୍ବିଆ ଦେଶରେ କଥିତ ହେଉଥିଵା ଏକ ଭାଷା Bemba ଭାଷାରେ  ମାଆଙ୍କୁ Bamama [Bamaa] ସମ୍ବୋଧନ କରାଯାଏ । 

ଭାରୋପୀୟ ଭାଷାପରିଵାରରେ ଓଡ଼ିଆ ଏମିତି ଏକ ଭାଷା ଯା ପାଖରେ ଵର୍ଗ୍ୟ ’ବ’ ଆଦ୍ୟରୁ ମାତାଙ୍କୁ ସମ୍ବୋଧନ କରିଵା ପାଇଁ ନିଆରା ଶବ୍ଦଟିଏ ଅଛି ’ବୋଉ’ । ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ ବୋଲି ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ତମ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ଅଵଶ୍ୟ ଓଡ଼ିଆ ଓ ଅହମିଆରେ ବୋଉ ତଥା ବୌ ଶବ୍ଦ ପ୍ରଚଳନ ହେଉ ଵା ପୃଥିଵୀର ପ୍ରୋକ୍ତ ଭାଷାଗୁଡି଼କରେ ପ୍ରଚଳିତ ଵର୍ଗ୍ୟ ’ବ’ ଵର୍ଣ୍ଣ ଆଦ୍ୟର ମାତାଙ୍କୁ ସମ୍ବୋଧନ କରାଯିଵା ଵିରଳ,ନିଆରା ଓ ସ୍ଵତନ୍ତ୍ର ପଦଵାଚ୍ୟ ହୋଇପାରେ । 

ଓଡ଼ିଆ ଭାଷାରେ ବୋଉ ଶବ୍ଦ ପ୍ରଚଳନ ତେଣୁ ଅତ୍ୟନ୍ତ ଵିରଳ କହିଲେ ଅତ୍ୟୁକ୍ତି ହେଵ ନାହିଁ । କିନ୍ତୁ କଳିଙ୍ଗର କେଵଳ ଓଡ଼ିଆ ଭାଷାରେ ହିଁ ଲୋକମାନେ ମାଆଠାରୁ ସ୍ଵତନ୍ତ୍ର ବୋଉ ଭଳି ଏକ ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରୁଛନ୍ତି ବୋଲି ଭାବିଵା ଠିକ୍ ନୁହେଁ କାରଣ ଆମ ଓଡ଼ିଶାର ଅନେକ ଦେଶୀୟ ଜନଜାତୀୟ ଭାଷାରେ ମାତାଙ୍କୁ ଆହୁରି କେତେକ ସ୍ଵତନ୍ତ୍ର ସମ୍ବୋଧନଵାଚକ ଶବ୍ଦ ଦ୍ଵାରା ପିଲାଏ ଡାକିଥାନ୍ତି । 


ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ ।ଓରାଓଁରେ ଆୟାଙ୍ ,କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ,କୁଈ ତଥା କୁଭି ଭାଷାରେ ଆଜି ଓ କୋୟା ଭାଷାରେ ମାଆଙ୍କୁ ୟାୟା ଓ ୟାୱା ଡକାଯାଏ। ଗୋଣ୍ଡୀ ଭାଷାରେ ୟାୟା,ଦେଶିଆ ଓଡ଼ିଆରେ ଆୟା,ବଣ୍ଡା ଭାଷାରେ ୟଂ ଓ ଇୟଂ,ଭୁଂଜିଆରେ ଓୟା 
,ସଉରାରେ ୟାଙ୍,ସାଦ୍ରୀରେ ଆୟୋ,
ସାନ୍ତାଳୀରେ ଏଙ୍ଗା ଓ ଅୟୋ,ଡିଡାୟୀରେ ଇଆଁଙ୍ଗ୍,ପରଜୀ ଭାଷାରେ ଇୟ୍'ୟା 
ତଥା ଭତ୍ରୀ- ହଲଵୀ ଓଡ଼ିଆଶୈଳୀରେ ମାତାଙ୍କୁ ଆୟା ସମ୍ବୋଧନ କରାଯାଇଥାଏ ‌ । ନିଜ ମାତାକୁ ମାଆ ଶବ୍ଦ ନକରି ଏକ ସ୍ଵତନ୍ତ୍ର ମୌଳିକ ଶବ୍ଦ ଦ୍ବାରା ଡାକିଵାରୁ ଏମାନେ ହୀନ ହୋଇଗଲେ କି ? 

'ବୋଉ' କ'ଣ ଓଡ଼ିଆ ଭାଷାରେ ଆଗେ ମାଆଙ୍କୁ ଆସାମୀ ଓ ମରାଠୀ ଭାଷା ଭଳି ଆଈ ମଧ୍ୟ ସମ୍ବୋଧନ କରାଯାଉଥିଲା ବୋଲି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦର ମାତା ଅର୍ଥରେ ପ୍ରୟୋଗରୁ ସ୍ପଷ୍ଟ ହୋଇଥାଏ ।  ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଏହି ଆଈ ଶବ୍ଦଟି ସମ୍ଭଵତଃ କଳିଙ୍ଗ ଦେଶୀୟ ଜନଜାତୀୟ ଭାଷା ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଏଇ ଯେମିତି...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ  ଏହି  ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ ତେଣୁ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । ଏ ସମସ୍ତ ସମ୍ବୋଧନ ସ୍ନେହ ସମ୍ବୋଧନ ଏଥିରେ କୌଣସି ଅଶ୍ଳୀଳତା ଅଛି ବୋଲି ଵିଚାର କରିଵା କେଵଳ ନିଜର ମାନସିକ ଵିକଳାଙ୍ଗତାକୁ ପ୍ରଚ୍ଛନ୍ନ ଭାବେ ପ୍ରକାଶ କରିଵା ଛଡ଼ା ଆଉ କିଛି ନୁହେଁ । 

ବୋଉ ଶବ୍ଦକୁ ନେଇ ଉପକୂଳଵାସୀଙ୍କୁ ଏ  ପ୍ରଶ୍ନ କରାଯିଵାରୁ ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ ।  ତହିଁପରେ ବୋଉ ଶବ୍ଦର  ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କେତେକଙ୍କ ମତରେ ବୋଉ ଶବ୍ଦଟି ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଶବ୍ଦ ଏଵଂ ଅନେକ ଵର୍ଷ ଯାଏଁ ଏହା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ଥିଲା କିନ୍ତୁ ସାହିତ୍ୟରେ ସ୍ଥାନ ପାଇ ଲୋକପ୍ରିୟ ହୋଇଅଛି । ଆଷ୍ଟ୍ରୋଏସୀୟ ମୂଳର ଭାଷା ଇଣ୍ଡୋନେସିଆ,ଜାଭାଭାଷା ଓ ମାଳୟ ଭାଷାରେ ଏବେ ବି ବୁ,ବୋ,ଇବୋ ଭଳି ଶବ୍ଦ ମାଆଙ୍କୁ ସମ୍ବୋଧନ ପାଇଁ ଵ୍ୟଵହୃତ ହୋଇଥାଏ ।‌ ଆଉ କେତେକଙ୍କ ଅନୁସାରେ ବୋଉ ଶବ୍ଦଟି ଵୋହୂ ଶବ୍ଦର ରୂପାନ୍ତରଣ ମାତ୍ର । ପିଲାଟିଏ ଆଗରେ ଶାଶୁ ନିଜ ଵୋହୂକୁ ଵହୂ,ଵଉ ଡାକିଵା ଶୁଣି ପିଲାଟି ତହିଁର ଅନୁକରଣରେ ବଉ ଓ ବୋଉ ଡାକିଵା ଆରମ୍ଭ କରିଛି । ଆଉ କିଛି ଲୋକେ ସଂସ୍କୃତ ଭାଷାରେ ଏ ବୋଉ ଶବ୍ଦର  ଉତ୍ସ ଉଣ୍ଡିଵାକୁ ଯାଇ ଏହାକୁ ତତ୍ସମ ବନ୍ଧୁ ଶବ୍ଦର ଅପଭ୍ରଂଶ ରୂପ ବୋଲି ମଧ୍ୟ ପ୍ରମାଣିତ କରିଵାକୁ ଚେଷ୍ଟା କରିଛନ୍ତି । ଏ ଦେଶରେ ସାଧାରଣତଃ ସଂସ୍କୃତକୁ ବ୍ରାହ୍ମଣମାନେ ନିଜର ଵେଦପାଠ, ଶାସ୍ତ୍ରରଚନା ଓ ଧାର୍ମିକ କର୍ମକାଣ୍ଡ ମଧ୍ୟରେ ହଜାର ହଜାର ଵର୍ଷ ଧରି ବଞ୍ଚାଇ ରଖିଛନ୍ତି । ସଂସ୍କୃତ ଦିନେ ଏ ଦେଶର ରାଷ୍ଟ୍ରଭାଷା ଥିଲା ଏଵଂ ଓଡ଼ିଶାର ବ୍ରାହ୍ମଣମାନଙ୍କ ମଧ୍ୟରେ ଵିଶେଷତଃ ବୋଉ ତଥା ନନା ଡାକ ପ୍ରଚଳିତ । ତେଣୁ ହୁଏତ ବ୍ରାହ୍ମଣ ପରିଵାର ମଧ୍ୟରେ ଆଗେ ମାଆଙ୍କୁ ବନ୍ଧୁ ଡାକୁଥିବେ ଏଵଂ ଏହି ଶବ୍ଦରୁ ପରେ ବୋଉ ଶବ୍ଦ ସୃଷ୍ଟି ହୋଇଥିଵ । କିନ୍ତୁ ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ମହାଶୟଙ୍କ ଅନୁସାରେ ଓଡ଼ିଆ ସମ୍ବୋଧନର ପ୍ରଥମ ଅକ୍ଷର ‘ବ’ ହେଵାର ଏକ ଵିଶେଷ ଧ୍ଵନିତାତ୍ତ୍ଵିକ କାରଣ ରହିଛି ଯାହାକୁ ଅନେକେ ବୁଝିନପାରି ପ୍ରୋକ୍ତ ସମସ୍ତ ମତ ପ୍ରଦାନ କରିଛନ୍ତି।  ଶିଶୁଟିଏ ପିଇଵା ପାଇଁ ଓଠକୁ ସଞ୍ଚାଳନ କରେ; ତେଣୁ ଓଷ୍ଠ୍ୟ ଵର୍ଗର ‘ବ’ ଅକ୍ଷର ସହ ସ୍ଵରଵର୍ଣ୍ଣର ପ୍ରୟୋଗରେ, ପରିଵାର ସଦସ୍ୟଙ୍କୁ ଡାକେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାକୁ child babbling ଆଖ୍ୟା ଦେଇଛନ୍ତି । ଏହି ‘ବ’ ଅକ୍ଷରଟି ଅନୁନାସିକ ହେଲେ ‘ମ’ ଓ ‘ନ’ ଉତ୍ପନ୍ନ ହୁଏ । ଏଣୁ, ଧ୍ବନିତତ୍ତ୍ବରେ ‘ବୁଆ’, ‘ବୋଉ’ ଶବ୍ଦ ‘ପିତା’, ‘ମାଆ’ ତୁଳନାରେ ମୌଳିକ ଅଟେ । 

ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି ।  ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g(ଗୋସେଇଁ ମାଆ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■h (ହା ହା ―ଜାପାନୀ; ମାଆ)
■j (ଯା= ମାତା(ସଂ), ଜେଜେ,ଜେଜି/ଜେଈ/ଜେପା/ଜେଜ)

ପୁଣି ଫୋନୋଲୋଜିକାଲ୍ ଵିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ,fu(ମାତା-ହଙ୍ଗେରୀ),S,W, v(ଵାଲଦେନ୍), θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ । ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ତଥା ତ ଵର୍ଗର ତ,ଦ,ନ ଆଦି ଵର୍ଣ୍ଣ ହୋଇଥାଏ । 

ବୋଉ ଶବ୍ଦଟି Child babblingରୁ ସୃଷ୍ଟି ହୋଇଥିଵାର ଅନେକ ପ୍ରମାଣ ରହିଛି ।‌ ପ୍ରଥମତଃ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଵର୍ଗ୍ୟ ❝ବ❞ ଓ ❝ମ❞ ଵର୍ଣ୍ଣ ଆଦ୍ୟର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଏଵଂ ପିଲାମାନେ ଦୁଗ୍ଧପାନ ସମୟରେ child babbling ଯୋଗୁଁ ସର୍ଵାଧିକ ମ ଓ ବ ଧ୍ଵନି ହିଁ ଉତ୍ପନ୍ନ କରିଥାନ୍ତି । ଫଳତଃ ଏହି ଦୁଇଗୋଟି ଵର୍ଣ୍ଣରେ ସର୍ଵାଧିକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ହୋଇଅଛି । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ପିତାଙ୍କୁ ବୁଆ, ଦୁହିତା ଵା କନ୍ୟାକୁ ବୁଇ, ମାଁଙ୍କୁ ବୋଉ ଏଵଂ ଜେଜେମା ଆଈମାଆଙ୍କୁ ବେଈ ସମ୍ବୋଧନ ଏବେ ମଧ୍ୟ ପ୍ରଚଳିତ । ଏହି ଶବ୍ଦଗୁଡ଼ିକର ପ୍ରଥମ ଅକ୍ଷର 'ବ' ଅଟେ ଏଵଂ ଦ୍ୱିତୀୟ ଅକ୍ଷରଟି ସ୍ୱରଵର୍ଣ୍ଣ ଅଟେ l
 ଓଷ୍ଠ୍ୟ ଵର୍ଗର ଘୋଷ, ଅଳ୍ପପ୍ରାଣ ଅକ୍ଷରଟି 'ବ' ଅଟେ, ଏହି ଵର୍ଗର ଅଧିକ ପ୍ରାଣ ଵା ନିଶ୍ୱାସ ଆଵଶ୍ୟକ କରୁଥିଵା ମହାପ୍ରାଣ 'ଭ' ଓ ଅନୁନାସିକ ଵର୍ଣ୍ଣ 'ମ' ଅଟେ, ପୁନଶ୍ଚ ପିତା ଶବ୍ଦର 'ତ' ଅକ୍ଷରଟି ଦନ୍ତ୍ୟ ଵର୍ଗର ହୋଇଥିଵାରୁ 'ବ' ଅକ୍ଷରରେ ଆରମ୍ଭ ହେଉଥିଵା ଉପରୋକ୍ତ ଓଡ଼ିଆ ସମ୍ବୋଧନଗୁଡ଼ିକରେ  ଧ୍ୱନିତାତ୍ତ୍ୱିକ ମୌଳିକତା ଅଧିକ ରହିଛି ‌। ଆମ ଭାଷାରେ ଵର୍ଗ୍ୟ 'ବ' ଆଦ୍ଯର ଅନେକ ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଯହିଁର ସୂଚୀଟିଏ ଏଠାରେ ପ୍ରଦାନ କରିଦିଆଗଲା । 

•ବବା/ବାବା— ବଡ଼ବାପା(ଗଡ଼ଜାତ)
•ବୋଉମାଆ— ଦେଠେଇ,ଜେଠେଇ(ଗଞ୍ଜ,ଗଜ)
•ବଡ଼ମାଆ— ବଡ଼ବାପା ଵା ବବାଙ୍କ ସ୍ତ୍ରୀ
•ବଚା—ପୁଅ,ଛୋଟ ପିଲାକୁ ସମ୍ବୋଧନ (ଗଡ଼ଜାତ)
ଓଡ଼ିଆରେ ଢଗ ଅଛି...

“ଆଇଲେ ବାବା ଅମିନ ବଚା 
କର ଚରଚା ଦେ ଖରଚା ନେ ପାରଚା। 
ଅଇଲେ ଅମିନ ମାଇଲେ ମେଖ 
ବାରହାଣ୍ଡିଆଙ୍କୁ କରୁଛି ଭୋକ। 
ଅମିନ ଗାଆଁରେ ମାଇଲେ ମେଖ 
ପୋଲା ଖିଆଙ୍କର ମଲାଟି ଭେକ।”

ବଚା ଶବ୍ଦ ହିନ୍ଦୀରେ ବଚ୍ଚା ରୂପେ ପ୍ରଚଳିତ ଏଵଂ ଏହା ମୂଳତଃ ତତ୍ସମ ଵତ୍ସ ସହିତ ସମୋଦ୍ଧୃତ। ସୀମାନ୍ତ ଗଡ଼ଜାତ ଅଞ୍ଚଳରେ ବଚା ଶବ୍ଦ ପ୍ରୟୋଗ କରାଯାଏ ତେବେ ଉପକୂଳରେ କେତେକ ନିର୍ଦ୍ଦିଷ୍ଟ ଜାତି ଓ ଵିଶେଷ ପରିସ୍ଥିତିରେ ଏହା ପ୍ରୟୋଗ ହେଉଥିଵା ଦେଖାଯାଏ । 

•ବଡ଼୍‌ମା—ମାଆଙ୍କ ବଡ଼ ଭଉଣୀ(ଦ.ପ. ଓ.)
•ବଡ଼ପା— ବଡ଼ବାପା/ବବା(ଗଞ୍ଜାମ)
•ବଡ଼ଦା— ବଡ଼ ଭାଇ(ନୂଆପଡ଼ା)
•ବଡ଼ବା— ଦଦେଇ,ବଡ଼ବାପା(କୋ)
•ବଡ଼ବୋଉ— ବଡ଼ମାଆ(ଗଞ୍ଜାମ)
•ବଡୁ—ବଡ଼ବାପା,ଦଦେଇ,ମଉସା,ସାନ ଭାଇର ପୁଅ,ପିଉସା(ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରଚଳିତ)
•ବଡୁ଼ପୁଅ— ସାନଭାଇର ପୁଅ(ବୌଦ୍ଧ)
•ବଡ଼େଇ—ବଡ଼ବାପାଙ୍କ ପତ୍ନୀ
•ବପା— ବାପା(ସୁ), ବାପାଙ୍କ ସାନଭାଇ(ନୂଆ)
•ବପ୍ପା— ବାପା(ମାଲକାନଗିରି)
•ବଫା—ବାପା(କଳାହାଣ୍ଡି)
•ବବା—ବାବାର ବଡ଼ ଭାଇ, ବାପାଙ୍କ ବଡ଼ଭାଇ,ଦଦେଇ(କ, ଢେ, ଗଡ଼ଜାତ)
•ବହନି— ଭଉଣୀ(ଗଡ଼ଜାତ)
•ବହିନ— ଭଉଣୀ(ସୁ,ମ)
•ବହ/ବହୂ(ବୋହୂ)—ପୁଅର ସ୍ତ୍ରୀ(ଗଡ଼ଜାତ)
•ବହେନ୍—ଭଉଣୀ(ଗଡ଼ଜାତ)
•ବାଆ/ବା— ବାପା
•ବାଇ— ବଡ଼ଭଉଣୀ,ଜେଜେମାଆ(ଗଡ଼ଜାତ),ଅଳ୍ପଵୟସ୍କା ବାଳିକା ଓ କନ୍ଯାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ବୋଧନ ଭାବେ ବାଇ ଶବ୍ଦ ପ୍ରୟୋଗ ହୁଏ ଏଵଂ ଏହା ଓଡ଼ିଶା ତଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନରେ ସ୍ତ୍ରୀଜାତିକୁ ଵିଭିନ୍ନ ଅର୍ଥରେ ସମ୍ବୋଧନ କରାଯାଉଥିଵା ଶବ୍ଦ ଅଟଇ । 
•ବା/ବାଆ— ବାପା
•ବାଵା— ବାପା(କଟକ)
•ବାୱା—ଭେଣୋଇ(ରାୟଗଡ଼ା; କଥିତ ଓଡ଼ିଆ ଶବ୍ଦକୋଷ)
•ବାପା—ପିତା, ଜେଜେବାପା(କେତେକ ଅଞ୍ଚଳରେ ପ୍ରଚଳିତ), ଗଞ୍ଜାମ ଜିଲ୍ଲାରେ ଵୟସ୍କ ଵୃଦ୍ଧଙ୍କୁ ସମ୍ମାନାର୍ଥେ ମଉସା ପରିଵର୍ତ୍ତେ ବାପା ସମ୍ବୋଧନ କରାଯାଏ,ପୁଅ ତଥା ଅଳ୍ପଵୟସ୍କ ବାଳକକୁ ସ୍ନେହ ସମ୍ବୋଧନ
•ବାବା—ବଡ଼ବାପା,ପୁଅକୁ ସ୍ନେହ ସମ୍ବୋଧନ
•ବାବୁ—ଅଳ୍ପଵୟସ୍କ ବାଳକ ତଥା ପୁଅଙ୍କୁ ସମ୍ବୋଧନ କରାଯାଇଥାଏ 
ଯଥା— “ଆରେ ବାବୁ ଶ୍ୟାମଘନ” ...
•ବୁଆ— ବାପା,ଛୋଟ ବାଳକ ଓ ପୁତ୍ରକୁ କରାଯିଵା ସମ୍ବୋଧନ ‌।
•ବୁଆରି— ଵୋହୂ,ଵଧୂ(କୋରାପୁଟ, ନଵରଙ୍ଗପୁର)
•ବୁଇ— ସାନଝିଅକୁ ସମ୍ବୋଧନ (ଗଡ଼ଜାତ)
•ବୁଢ଼ା/ବୁଢ଼ୀ—ସାନପୁଅ ଓ ଝିଅମାନଙ୍କୁ କରାଯିଵା ସ୍ନେହ ସମ୍ବୋଧନ (ଉତ୍ତର ଓଡ଼ିଶା ତଥା ଉପାନ୍ତ ଓଡ଼ିଶାରେ ସାନପୁଅ ତଥା ସାନଝିଅମାନଙ୍କୁ ଲୋକେ ସ୍ନେହରେ ଯଥାକ୍ରମେ ବୁଢ଼ା,ବୁଡ଼ା ଓ ବୁଢ଼ୀ,ବୁଡ଼ୀ ସମ୍ବୋଧନ କରିଥାନ୍ତି)
•ବୁପା— ବାପା(ଢେଙ୍କାନାଳ; କ୍ଵଚିତ୍ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ)
•ବୁବା— ବାପା(କେନ୍ଦୁ),ବଡ଼ବାପା(କନ୍ଧ)
•ବୁହାରି—ଵୋହୂ(କନ୍ଧମାଳ, ସୁଵର୍ଣ୍ଣପୁର)
•ବୁହିନ୍—ଭଉଣୀ(ଗଡ଼ଜାତ)
•ବୁହେନ—ଭଉଣୀ(ଗଡ଼ଜାତ)
•ବେଈ—ଜେଜେମାଆ,ଆଈ,ବଡ଼ଭଉଣୀ(ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଏହି ବେଈ ଶବ୍ଦଟି ଵିଭିନ୍ନ ଅର୍ଥରେ ପ୍ରଚଳିତ । କଥିତ ଓଡ଼ିଆ ଶବ୍ଦକୋଷରେ ବେଈ ଶବ୍ଦ କଳାହାଣ୍ଡି ଜିଲ୍ଲାରେ ଚଳୁଥିଵା ଉଲ୍ଲେଖ ଅଛି)
•ବେଟା— କେହି କେହି କୁହନ୍ତି ଵର୍ତ୍ତମାନ ଯୁଗରେ ହିନ୍ଦୀ ପ୍ରଭାଵିତ  ନଗରଵାସୀ ଓଡ଼ିଆମାନେ ପୁଅ ,ଛୋଟ ବାଳକମାନଙ୍କୁ ବେଟା ସମ୍ବୋଧନ କରୁଛନ୍ତି । କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଢଗରେ ମଧ୍ୟ ବେଟା ଶବ୍ଦର ପ୍ରୟୋଗ ଦେଖାଯାଏ । 
ଯଥା 
“ଘରେ ନ ଥାଏ ଭୁର୍ଭୁଜା 
ବେଟା କରୁଥାଏ ଦୁର୍ଗାପୂଜା ॥”

କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ 
ବେଟା ଶବ୍ଦ ପ୍ରୟୋଗ କରିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଳାମେଲିଵା ଶବ୍ଦ ତଳେ ଉଲ୍ଲେଖ କରାଯାଇଛି ...

“ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା 
ରହ ରହ ବୋଇଲେ ମେଲିଣ ଗଳାଟା” । 

ଭାଷାକୋଷ ଅନୁସାରେ ବେଟା ଶବ୍ଦ ତତ୍ସମ ବଟୁ ଶବ୍ଦର ତଦ୍ଭଵ ରୂପ ଏଵଂ ବଟୁ ଶବ୍ଦର ଏକ ଅର୍ଥ ବାଳକ । 

•ବୋଉ— ଓଡ଼ିଶାର କେତେକ ପରିଵାରରେ ଵିଶେଷତଃ ବ୍ରାହ୍ମଣ ଓ ଖଣ୍ଡାୟତ ପରିଵାରରେ ମାଆଙ୍କୁ ବୋଉ ତଥା ଜେଜେମାଆଙ୍କୁ ମାଆ ଡାକିଵାର ପରମ୍ପରା ପ୍ରଚଳିତ । ଗଡ଼ଜାତରେ  ଓଡ଼ିଆ ଭାଉଜ ଓ ଵଧୂ ଅର୍ଥଜ ଵୋହୂ ଶବ୍ଦ ପରିଵୃତ୍ତ ହୋଇ ଵହୂ,ଵଉ ଓ ଵୋଉ ରୂପେ ପ୍ରଚଳିତ । ଓଡ଼ିଆ ଭାଷାରୁ ଅଵର୍ଗ୍ୟ ‘ଵ’ର ଉଚ୍ଚାରଣ ଓ ଲିଖନ ଉଠିଯାଇଥିଵାରୁ ଵଧୂ ସହିତ ସମୋଦ୍ଧୃତ ଵୋହୂ ଅର୍ଥଜ ନୂଆଵୋଉ,ଵଉ,ଵୋଉ 
ଆଦି ଶବ୍ଦଗୁଡ଼ିକୁ ନୂଆବୋଉ,ବଉ ଓ ବୋଉ ଲେଖାଯିଵାରୁ ମାତା ଅର୍ଥରେ ସମ୍ବୋଧନ ହେଉଥିଵା ଵର୍ଗ୍ୟ ବ ଯୁକ୍ତ ବୋଉ ଶବ୍ଦକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ ।  

ବୋପା—ବାପା
ଏ ଶବ୍ଦର ସମ୍ବୋଧନଵାଚକ ଶବ୍ଦରୂପରେ ପ୍ରୟୋଗ କେଵଳ ଅତି ସ୍ନେହ କିଂଵା କ୍ରୋଧାନ୍ୱିତ କାଳରେ ହୋଇଥାଏ । ବେଳେ ବେଳେ କେତେକ ଲୋକ ଛୋଟବାଳକଙ୍କୁ ସମ୍ବୋଧନାର୍ଥ ବୋପା  ଶବ୍ଦ ପ୍ରୟୋଗ କରିଥାନ୍ତି । ଏହି ଶବ୍ଦଟି ଓଡ଼ିଶାର ପଶ୍ଚିମାଞ୍ଚଳରେ ଯାଇ ବୁଆ ରୂପେ ପ୍ରଚଳିତ ହୋଇଥିଵାର ମତ ରହିଛି ସେହିପରି ଢେଙ୍କାନାଳୀ ଓଡ଼ିଆରେ ବୋପା ଶବ୍ଦଟି ବୁପା ରୂପେ ଚଳୁଅଛି । ପ୍ରୋକ୍ତ ସମ୍ବନ୍ଧଵାଚକ ଶବ୍ଦ ସୂଚୀରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାରେ ଵର୍ଗ୍ଯ 'ବ'ରୁ ସ୍ତ୍ରୀଲୋକଙ୍କୁ ସମ୍ବୋଧନ କରାଯିଵା ବେଇ,ବାଇ ଓ ବୁଇ ଭଳି  ଶବ୍ଦ ରହିଛି ତେଣୁ ବୋଉ ଶବ୍ଦ ମଧ୍ୟ ରହିଵା ଅସମ୍ଭଵ ନୁହେଁ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ 'ମ' ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

 Finnish ଭାଷାରେ  “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ  “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ  “Anne,” “Ana”  “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ  нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି ।  ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।  ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane (   ننه   ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ 'ମ' ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ପୁଣି ଯଦି ଘରର ଵୋହୂକୁ ମାତୃଵତ୍ ଵିଚାର କରି ତାହାର କେହି କେହି ଶଶୁର,ଦିଅର ”ଵଉ ,ଵଉମାଆ” ସମ୍ବୋଧନ କରିଦେଲା ତାହା ଏକ ସମ୍ମାନ ସୂଚକ ସ୍ନେହ ସମ୍ବୋଧନ ବୋଲାଯିଵ ନା ଅଶ୍ଳୀଳ ସମ୍ବୋଧନ ଵିଦିତ ହେଵ ? ଘରର ଵୋହୂ ଅର୍ଥାତ୍ ବଡ଼ଭାଇଙ୍କର ସ୍ତ୍ରୀ ଦିଅର ପାଇଁ ଏଵଂ ପୁତ୍ରର ପତ୍ନୀ ଶଶୁର ପାଇଁ ମାତା ସମାନ ନୁହେଁ କି ? 

କେଵଳ ଭାରତରେ ହିଁ ନୁହେଁ ଚୀନ ଦେଶରେ ମାତାଙ୍କୁ ଵିଭିନ୍ନ ଭାଷାରେ 
母親 (móuhchàn),媽媽 (màhmà) ,阿母 (a mā) ,母親 (mu1-cin1),媽媽 (ma5-ma3),阿母 (a1-me1),母親 (mǔqīn), 
妈妈 [媽媽] (māma) ,母親 (bó-chhin),阿母 (a-bó) ଓ 俺娘 (án-niâ) ଆଦି ସମ୍ବୋଧନ କରିଥାନ୍ତି ।  ଉଲ୍ଲେଖଯୋଗ୍ୟ ଯେ ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ପୁଣି ଚୀନଦେଶୀୟ ଭାଷାଗୁଡି଼କରେ ପ୍ରଚଳିତ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । ଯଥା—

•ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 
•Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 
•Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 
•ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó  ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ  ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଓଡ଼ିଆଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

ତାପରେ ଆମ ମହାକଵି ସଂସ୍କୃତଭାଷା କାନ୍ଧରେ ବନ୍ଧୁକ ରଖି ଓଡ଼ିଆ ଭାଷା ଉପରେ ବୋଉ ଶବ୍ଦ ଘେନି ଆକ୍ରମଣ କରିଥିଲେ । ସେ କହିଥିଲେ ସଂସ୍କୃତ ଭାଷାରେ ମାତା,ମାତୃ ଶବ୍ଦ ଅଛି କିନ୍ତୁ ବୋଉ ଶବ୍ଦ ନାହିଁ । ହେଲେ ସଂସ୍କୃତ ଭାଷା ଏତେ ସଂକୀର୍ଣ୍ଣ ନିକୃଷ୍ଟ ଭାଷା ନୁହେଁ ଯେ କେଵଳ ମାତୃ ଶବ୍ଦ ମଧ୍ୟରେ ଏହାର ଶବ୍ଦର ଶବ୍ଦ ସମ୍ଭାର ସୀମିତ । 

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ।  ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଵୈଜ୍ଞାନିକ ମାନକ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବୋଉ,ବୌ,ବାଈ,ବୁଈ ଓ ବେଈ ଭଳି ସମ୍ବୋଧନଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

ଯୋଉମାନେ କହୁଛନ୍ତି କଟକିଆ ଉପକୂଳିଆଙ୍କ ବୋଉ ଶବ୍ଦ ଅଶାଳୀନ ସେମାନେ ନିଜେ ଅଶାଳୀନ । ଓଡ଼ିଶାରେ ଉଭୟ ମାଆ ଆଉ ବୋଉ ଶବ୍ଦର ପ୍ରଚଳନ ଅଛି ଵରଂ ଉପକୂଳିଆ ମାଆ ଶବ୍ଦକୁ ଯେତିକି ସମ୍ମାନର ସହିତ ଵ୍ୟଵହାର କରନ୍ତି ସାରା ଵିଶ୍ଵରେ କେହି କରୁନଥିବେ ।‌ ଷୋଡ଼ଶପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ  ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି

  “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । 
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ । 
ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥ ” 

ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା...

ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି । 
ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ,ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଓଡ଼ିଶାରେ ମାଈଁ,ମମା ଵା ମାମା,ବଡ଼ମାଆ,ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ଆବୋଉ  ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ,ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା ।  ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା ।  ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା,ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ । ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି  ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) ।  ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଛଡ଼ା ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ ।  ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ ।
ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ ।  ଓଡ଼ିଆ ଜାତି ମହିଳାଙ୍କୁ ସମ୍ମାନ ଦେଵାରେ ସାରା ଭାରତ ମଧ୍ୟରେ ଅଗ୍ରଣୀ କିନ୍ତୁ କିଛି ଦୁଷ୍ଟ ଲୋକଙ୍କ ଯୋଗୁଁ ଆଜି ଓଡ଼ିଶାରେ ମହିଳା ଓ ମହିଳାଙ୍କୁ ସମ୍ବୋଧନ କରାଯିଵା 'ବୋଉ' ଭଳି ସମ୍ବୋଧନଵାଚକ ଶବ୍ଦ ଲାଞ୍ଛିତ , ଅପମାନିତ । 
       •••••••×•••••••

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...