The Great Human Odyssey ନାମରେ ଖ୍ୟାତ ମାନଵଜାତିର ଏହି ମହାଭିନିଷ୍କ୍ରମଣ ପଛରେ କୌଣସି ଗୋଟିଏ କାରଣ ନଥିଲା ଵରଂ ଏହା ଥିଲା ପ୍ରକୃତିର ଚାପ ଏଵଂ ଜୈଵିକ ଵିଵର୍ତ୍ତନର ଏକ ରୋଚକ ସମ୍ମିଶ୍ରଣ।
ସେହି ସମୟରେ ପୃଥିଵୀର ଜଳଵାୟୁରେ ଏକ ଵଡ଼ ପରିଵର୍ତ୍ତନ ଦେଖା ଦେଇଥିଲା। ଆଫ୍ରିକାରେ ଜଙ୍ଗଲ ପରିମାଣ କମିଵାକୁ ଲାଗିଲା ଏଵଂ ତା’ ସ୍ଥାନରେ ସୃଷ୍ଟି ହେଲା ଵିଶାଳ ଘାସ ପଡ଼ିଆ ଵା ସାଭାନା। ଜଙ୍ଗଲରେ ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇଁ ଫଳମୂଳ ଖାଇ ଵଞ୍ଚୁଥିଵା ଜୀଵଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ଥିଲା। କିନ୍ତୁ Homo erectus ପାଇଁ ଏହା ଏକ ସୁଯୋଗ ପାଲଟିଗଲା। ଖୋଲା ପଡ଼ିଆରେ ଦୂରକୁ ଯିଵା ପାଇଁ ସେମାନେ ନିଜ ଶରୀରକୁ ସେହି ଅନୁସାରେ ଖାପଖୁଆଇ ପ୍ରସ୍ତୁତ କଲେ। ଯେତେବେଳେ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟର ଅଭାଵ ଦେଖାଦେଲା, ସେମାନେ ପ୍ରକୃତିର ନିର୍ଦ୍ଦେଶରେ ନୂଆ ଚାରଣଭୂମିର ସନ୍ଧାନରେ ଆଗକୁ ବଢ଼ିଵାକୁ ବାଧ୍ୟ ହେଲେ।
ହୋମୋ ଏରେକ୍ଟସ୍ ମାନେ କେଵଳ ଶାକାହାରୀ ନଥିଲେ, ସେମାନେ ଖାଦ୍ୟାଭାଵ ଯୋଗୁଁ ମାଂସାହାରୀ ହେଵାକୁ ମଧ୍ୟ ବାଧ୍ୟ ହୋଇଥିଲେ। ସେହି ସମୟରେ ଵିଶାଳକାୟ ତୃଣଭୋଜୀ ପଶୁମାନେ ଖାଦ୍ୟ ଓ ଜଳ ଅନ୍ୱେଷଣରେ ଏକ ମହାଦେଶରୁ ଅନ୍ୟ ମହାଦେଶକୁ ଯାତ୍ରା କରୁଥିଲେ। ଆମର ଏହି ପୂର୍ଵଜମାନେ ସେହି ପଶୁମାନଙ୍କ ପଛେ ପଛେ ଶିକାର ପାଇଁ ବାହାରି ପଡ଼ିଲେ। ପଶୁମାନେ ଯେଉଁଆଡ଼େ ଗଲେ Homo erectus ମଧ୍ୟ ସେହି ବାଟରେ ଆଗକୁ ଵଢ଼ିଲେ। ଏହି ପ୍ରକ୍ରିୟାରେ ସେମାନେ ଜାଣିକରି କିମ୍ବା ଅଜାଣତରେ ଆଫ୍ରିକାର ସୀମା ପାର ହୋଇ ଏସିଆର ଦ୍ୱାରଦେଶରେ ତଥା ୟୁରୋପରେ ପହଞ୍ଚିଗଲେ।
ପ୍ରଵାସୀ ଜୀଵନ ଆପଣାଇଵା ପଛରେ ସେମାନଙ୍କର ଶାରୀରିକ ଗଠନ ଏକ ବଡ଼ ବାଧ୍ୟବାଧକତା ଥିଲା। ସେମାନଙ୍କ ଗୋଡ଼ ଲମ୍ଵା ଥିଲା, ଯାହା ସେମାନଙ୍କୁ ଦୀର୍ଘ ପଥ ଅତିକ୍ରମ କରିଵାରେ ସାହାଯ୍ୟ କରୁଥିଲା। ଏହା ସହିତ ସେମାନେ ପଥରରେ ସୁନ୍ଦର କୁରାଢ଼ି ତିଆରି କରିଵା ଶିଖିଥିଲେ। ଏହି ଵୈଷୟିକ ଜ୍ଞାନ ସେମାନଙ୍କୁ ଯେକୌଣସି ନୂଆ ପରିଵେଶରେ ଵଞ୍ଚିଵା ପାଇଁ ସାହସ ଦେଲା। ଯେତେବେଳେ ଜଣେ ଜୀଵ ପାଖରେ ନିଜକୁ ରକ୍ଷା କରିଵା ପାଇଁ ଅସ୍ତ୍ର ଏଵଂ ଯିଵା ପାଇଁ ଶକ୍ତିଶାଳୀ ଗୋଡ଼ ଥାଏ, ସେତେବେଳେ ସେ ସ୍ଥାୟୀ ଭାବେ ରହିଵା ଅପେକ୍ଷା ନୂଆ ସ୍ଥାନ ଖୋଜିଵାକୁ ଅଧିକ ପସନ୍ଦ କରେ।
Homo erectus ପୃଥିଵୀର ପ୍ରଥମ ଜୀଵ ଯୋଉମାନେ ଅଗ୍ନିର ଵ୍ୟଵହାର ଜାଣିଲେ। ଅଗ୍ନି ସେମାନଙ୍କୁ ଶୀତଳ ପରିଵେଶରେ ବଞ୍ଚିଵାର ଶକ୍ତି ଦେଲା। ଆଫ୍ରିକାର ଉଷୁମ ପରିଵେଶ ଛାଡ଼ି ଯେତେବେଳେ ସେମାନେ ଉତ୍ତର ଦିଗକୁ ଗଲେ, ସେଠାରେ ପ୍ରଵଳ ଶୀତ ଥିଲା। ଯଦି ସେମାନଙ୍କ ପାଖରେ ଅଗ୍ନି ନଥାନ୍ତା ତେବେ ସେମାନେ ବହୁତ ସମ୍ଭଵ ଶୀତଳ ପରିଵେଶରେ ମରିଯାଇଥାନ୍ତେ। କିନ୍ତୁ ଅଗ୍ନି ସାହାଯ୍ୟରେ Homo erectusମାନେ ୟୁରୋପ ଓ ଏସିଆର କଠିନ ଜଳଵାୟୁକୁ ସାମ୍ନା କରିପାରିଲେ।
ଶେଷରେ, ଯେକୌଣସି ଜୀଵର ମୂଳ ଲକ୍ଷ୍ୟ ହେଉଛି ନିଜର ଵଂଶ ଵିସ୍ତାର କରିଵା। ଯେତେବେଳେ ଗୋଟିଏ ସ୍ଥାନରେ ଜନସଂଖ୍ୟା ବଢ଼ିଲା, ସେତେବେଳେ ସମ୍ଵଳ ପାଇଁ କନ୍ଦଳ ସୃଷ୍ଟି ହେଲା। ଏହି ସଂଘର୍ଷରୁ ଵଞ୍ଚିଵା ପାଇଁ ଦଳର କିଛି ସଦସ୍ୟ ନୂଆ ଅଞ୍ଚଳକୁ ଯିଵାକୁ ଵାଧ୍ୟ ହେଲେ। ଏହିପରି ଭାବେ, ଖାଦ୍ୟର ଅଭାଵ, ଶିକାରର ପିଛା କରିଵା, ଶାରୀରିକ ସକ୍ଷମତା ଏଵଂ ନୂତନ ଉଦ୍ଭାଵନର ବଳରେ Homo erectusମାନେ ଆଫ୍ରିକାରୁ ବାହାରି ସାରା ଵିଶ୍ୱକୁ ନିଜର ଘର ଭାବେ ଗଢ଼ିଵାକୁ ଯାତ୍ରା ଆରମ୍ଭ କଲେ। ଏହି ଯାତ୍ରା ହିଁ ଆଜିର ଆଧୁନିକ ମାନଵ ସଭ୍ୟତାର ମୂଳଦୁଆ ପକାଇଥିଲା।
ସମଗ୍ର ପୂର୍ଵ, ଦକ୍ଷିଣ ଓ ଉତ୍ତର ଆଫ୍ରିକାରେ Homo erectusମାନେ ଵସତି ସ୍ଥାପନ କରିଵା ସହିତ ଆଫ୍ରିକାରୁ ବାହାରି ଏସିଆ ଓ ୟୁରୋପର ଵିଭିନ୍ନ ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ଵ୍ୟାପିଥିଲେ । Homo erectusମାନେ ସବୁଠାରୁ ଦୂରକୁ ଯାତ୍ରା କରିଥିଲେ। ପୂର୍ଵରେ ଚୀନ୍ ଏଵଂ ଦକ୍ଷିଣ-ପୂର୍ଵରେ ଇଣ୍ଡୋନେସିଆର ଜାଭା ଦ୍ଵୀପ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏହା ଵ୍ୟତୀତ ଭାରତୀୟ ଉପମହାଦେଶରେ ମଧ୍ୟ Homo erectusମାନଙ୍କର ଅସ୍ତିତ୍ଵ ଥିଲା। ଏସିଆର ଆଧୁନିକ ଇସ୍ରାଏଲ୍ ଏଵଂ ଜୋର୍ଡାନ ଭଳି ମଧ୍ୟପ୍ରାଚ୍ୟ ଅଞ୍ଚଳରେ ମଧ୍ୟ Homo erectusମାନେ ରହୁଥିଲେ। ପଶ୍ଚିମରେ ୟୁରୋପର ଜର୍ଜିଆ (ଡମାନିସି), ସ୍ପେନ୍ ଏଵଂ ଇଟାଲୀ ଭଳି ଦକ୍ଷିଣ ୟୁରୋପୀୟ ଅଞ୍ଚଳରେ Homo erectusମାନଙ୍କର ଅଵଶେଷ ମିଳିଛି।
ଆଫ୍ରିକାର ସାଭାନା ପଡ଼ିଆରୁ ଯେଉଁ ଯାତ୍ରା Homo erectus ଆରମ୍ଭ କରିଥିଲେ, ତାହା ମାନଵ ଵିଵର୍ତ୍ତନର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା। ଆମର ଏହି ପ୍ରାଚୀନ ପୂର୍ଵଜମାନେ ଵିଭିନ୍ନ ମହାଦେଶରେ ବିଛେଇ ହୋଇ ରହିଵା ପରେ, ପୃଥିଵୀର ଭିନ୍ନ ଭିନ୍ନ ଜଳଵାୟୁ ଓ ପରିଵେଶ ସେମାନଙ୍କୁ ନୂଆ ନୂଆ ରୂପରେ ଗଢ଼ିଵାକୁ ଲାଗିଲା। ଏହା ଏମିତି ଏକ ସମୟ ଥିଲା, ଯେତେବେଳେ ପୃଥିଵୀର କେଉଁଠି ପ୍ରଵଳ ବରଫପାତ ହେଉଥିଲା ବେଳେ ଆଉ କେଉଁଠି ଘଞ୍ଚ ଜଙ୍ଗଲର ରାଜୁତି ଥିଲା। ଏହି ପରିଵେଶର ଚାପରେ Homo erectusଙ୍କ ପରେ ଏକାଧିକ ମାନଵଜାତିର ଉଦ୍ଭଵ ହେଲା, ଯେଉଁମାନଙ୍କ କାହାଣୀ କୌଣସି ରୋମାଞ୍ଚକର ଉପନ୍ୟାସଠାରୁ କମ୍ ନୁହେଁ।
ଏହି କ୍ରମରେ ପ୍ରଥମେ Homo heidelbergensis ସୃଷ୍ଟି ହୁଅନ୍ତି । ଯେହେତୁ ଏମାନେ Homo neanderthalensis ଓ Homo sapiensଙ୍କର ସାଧାରଣ ପୂର୍ଵଜ ଥିଲେ ତେଣୁ Homo heidelbergensisଙ୍କୁ ଆଜିର ଆଧୁନିକ ମଣିଷ ଏଵଂ ନିଏଣ୍ଡରଥାଲ୍ଙ୍କ ମଧ୍ୟରେ ଏକ ଯୋଗସୂତ୍ର ବୋଲି ଧରାଯାଏ। ଆଜିଠାରୁ ପ୍ରାୟ ୬ ଲକ୍ଷ ଵର୍ଷ ପୂର୍ଵେ ଆଫ୍ରିକା ଓ ୟୁରୋପରେ ଦେଖାଦେଇଥିଵା ଏହି ପ୍ରଜାତି ଅତ୍ୟନ୍ତ ସାହସୀ ଥିଲେ। ସେମାନେ କେଵଳ ପଥର ନୁହେଁ ଵରଂ କାଠର ଲମ୍ଵା ବର୍ଚ୍ଛା ତିଆରି କରି ଵିଶାଳକାୟ ପଶୁଙ୍କୁ ଶିକାର କରିଵା ଶିଖିଥିଲେ। Homo heidelbergensis ପ୍ରଥମ Homo ଜାତି ଥିଲେ ଯୋଉମାନେ ଘର କରିଵା ଶିଖିଥିଲେ । ତହୁଁ ଏମାନଙ୍କର ଗୋଟିଏ ଗୋଷ୍ଠୀ ୟୁରୋପରେ ରହି Homo neanderthalensis ପାଲଟିଗଲେ ଏଵଂ ଆଉ ଗୋଟିଏ ଗୋଷ୍ଠୀ ଆଫ୍ରିକାରେ ରହି ପରଵର୍ତ୍ତୀ ସମୟରେ ଆଧୁନିକ ମଣିଷ ଵା Homo sapiensରେ ପରିଣତ ହେଲେ।
ୟୁରୋପର ପ୍ରଵଳ ଶୀତ ଓ ବରଫାଵୃତ ଅଞ୍ଚଳରେ ଯେଉଁ ପ୍ରଜାତି ନିଜର ପରାକ୍ରମ ଦେଖାଇଥିଲେ, ସେମାନେ ହେଲେ Homo neanderthalensis । ପ୍ରାୟ ୪ ଲକ୍ଷ ଵର୍ଷ ପୂର୍ବେ ଉଦ୍ଭଵ ହୋଇଥିଵା ଏହି ଲିଏଣ୍ଡରଥାଲ୍ ମାନଵମାନେ ଶାରୀରିକ ଭାବେ ଅତ୍ୟନ୍ତ ବଳିଷ୍ଠ ଥିଲେ। ସେମାନଙ୍କର ନାକ ଚଉଡ଼ା ଓ ଶରୀର ଛୋଟ ଥିଲା, ଯାହା ସେମାନଙ୍କୁ ଶୀତରୁ ରକ୍ଷା କରୁଥିଲା। ଏମାନେ ପ୍ରଥମ କରି ସମାଜରେ ମୃତଦେହକୁ ସମ୍ମାନର ସହ ସତ୍କାର କରିଵା ଏଵଂ ପଥରର ଅତି ସୂକ୍ଷ୍ମ ଅସ୍ତ୍ରଶସ୍ତ୍ର ତିଆରି କରିଵାର କଳା ଜାଣିଥିଲେ। ସେହି ସମୟରେ ଏସିଆର ତିବ୍ବତୀୟ ମାଳଭୂମି ଓ ସାଇବେରିଆର ପାହାଡ଼ିଆ ଅଞ୍ଚଳରେ ରହୁଥିଲେ Homo Denisovans । Homo Denisovansମାନେ Homo neanderthalensisଙ୍କ ସମ୍ପର୍କୀୟ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅଲଗା ପରିଵେଶରେ ରହି ନିଜକୁ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଅକ୍ସିଜେନ୍ କମ୍ ଥିଵା ଅଞ୍ଚଳରେ ଵଞ୍ଚିଵା ପାଇଁ ଅଭ୍ୟସ୍ତ କରିସାରିଥିଲେ।
ପୃଥିଵୀର ଅନ୍ୟ ଏକ କୋଣରେ, ଅର୍ଥାତ୍ ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ଵୀପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିଲା। ସେଠାରେ ରହୁଥିଵା ମାନଵଜାତି Homo floresiensis ଵା 'ହୋବିଟ୍' ନାମରେ ଜଣାଗଲେ। ସୀମିତ ଖାଦ୍ୟ ଓ ଦ୍ଵୀପର ପରିଵେଶ ଯୋଗୁଁ "Island Dwarfism" ହେତୁ ଵିଵର୍ତ୍ତନ କ୍ରମରେ ଏମାନଙ୍କ ଉଚ୍ଚତା ମାତ୍ର ସାଢ଼େ ତିନି ଫୁଟ୍ ହୋଇଯାଇଥିଲା। ଏହା ପ୍ରମାଣ କରେ ଯେ ପ୍ରକୃତି ମଣିଷକୁ କିଭଳି ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ରୂପ ଦେଇପାରେ।
ପ୍ରାୟ ୩ ଲକ୍ଷ ଵର୍ଷ ପୂର୍ଵେ ଆଫ୍ରିକାର ମାଟିରୁ ଆମର ନିଜ ଜାତି Homo Sapiens ସୃଷ୍ଟି ହେଲେ । ବିଜ୍ଞାନ ଭାଷାରେ ଆମେ ୩ ଲକ୍ଷ ଵର୍ଷ ତଳର ଏହି Homo Sapiens ମଣିଷଙ୍କୁ "Archaic" କହିଥାଉ ଏଵଂ ଆଜିର homo Sapiensଙ୍କୁ Anatomically Modern କୁହାଯାଏ । ୩ ଲକ୍ଷ ବର୍ଷ ତଳର Homo Sapiensମାନଙ୍କର ଚେହେରା ଆମଠାରୁ ଟିକେ ଭିନ୍ନ ଥିଲା। ସେମାନଙ୍କ ଆଖି ଉପରେ ଥିଵା ହାଡ଼ ଵା Brow ridges ଅଧିକ ମୋଟା ଓ ବାହାରକୁ ବାହାରିଥିଲା। ମୁହଁ ଟିକେ ବଡ଼ ଏଵଂ କପାଳ ପଛକୁ ଢଳି ରହିଥିଲା। ସବୁଠାରୁ ବଡ଼ କଥା ହେଉଛି, ସେମାନଙ୍କର ଆଜିର ମଣିଷ ଭଳି ସ୍ପଷ୍ଟ 'ଥୋଡ଼ି' ଵା Chin ନଥିଲା। ୩ ଲକ୍ଷ ଵର୍ଷ ତଳେ Homo Sapiensଙ୍କ ମସ୍ତିଷ୍କର ଆକାର ପ୍ରାୟ ଆମ ଭଳି ଥିଲେ ମଧ୍ୟ ଏହାର ଆକୃତି ଲମ୍ବାଳିଆ ଵା Oblong ଥିଲା। ଅର୍ଥାତ୍ ମସ୍ତିଷ୍କର କିଛି ଅଂଶ, ଯାହା ଜଟିଳ ଚିନ୍ତାଧାରା ପାଇଁ ଦାୟୀ, ତାହା ସେତେ ଵିକଶିତ ହୋଇନଥିଲା। ୩ ଲକ୍ଷ ବର୍ଷ ତଳର Homo Sapiensମାନେ ସାଧାରଣ ପଥର ଅସ୍ତ୍ର ଵ୍ୟଵହାର କରୁଥିଲେ। ସେମାନଙ୍କ ଜୀଵନ ମୁଖ୍ୟତଃ ଖାଦ୍ୟ ସଂଗ୍ରହ ତଥା ବଞ୍ଚିଵା ମଧ୍ୟରେ ସୀମିତ ଥିଲା। ସେମାନେ ସେତେବେଳେ ଆଜିର ମାନଵଙ୍କ ପରି କଥା ଭାଷା ହୋଇପାରୁନଥିଲେ କି କଳା କାରୁକାର୍ଯ୍ୟ ଵିକଶିତ କରି ନଥିଲେ । Homo Sapiensମାନେ ଆରମ୍ଭରେ ଅନ୍ୟାନ୍ୟ ମାନଵଜାତି ଭଳି ଏକ ସାମାନ୍ୟ ଜଙ୍ଗଲୀ ମାନଵଜାତି ଵା ବଣମଣିଷ ହିଁ ଥିଲେ । ଏହିପରି ଭାବରେ ଅନେକ ହଜାର ଵର୍ଷ ବିତିଗଲା ।
ତେବେ ଆଜକୁ ପ୍ରାୟ ପ୍ରାୟ ୭୪,୦୦୦ ଵର୍ଷ ପୂର୍ଵେ ମାନଵ ଇତିହାସରେ ଏମିତି ଏକ ଘଟଣା ଘଟିଥିଲା, ଯାହା କେଵଳ ମଣିଷ ନୁହେଁ ଵରଂ ସାରା ପୃଥିଵୀର ଜୀଵଜଗତକୁ ଦୋହଲାଇ ଦେଇଥିଲା।
ପ୍ରାୟ ୭୪,୦୦୦ ଵର୍ଷ ପୂର୍ଵେ ଇଣ୍ଡୋନେସିଆର ସୁମାତ୍ରା ଦ୍ଵୀପରେ Mount Toba ନାମକ ଏକ ପର୍ଵତରେ ବିଶାଳକାୟ ଆଗ୍ନେୟ ଉଦ୍ଗିରଣ ହୋଇ ମହାଵିସ୍ଫୋରଣ ଘଟିଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଏହାକୁ ଗତ ୨୫ ଲକ୍ଷ ଵର୍ଷର ସବୁଠାରୁ ବଡ଼ ଵିସ୍ଫୋରଣ ଭାବରେ ଗଣନା କରାଯାଏ। ଏହି ଵିସ୍ଫୋରଣରୁ ବାହାରିଥିଵା ପାଉଁଶ ଓ ଗନ୍ଧକଯୁକ୍ତ ଗ୍ୟାସ୍ ଆକାଶକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼େଇ ଦେଇଥିଲା। ସୂର୍ଯ୍ୟ କିରଣ ପୃଥିଵୀକୁ ଆସିପାରିଲା ନାହିଁ। ଫଳରେ ପୃଥିଵୀର ତାପମାତ୍ରା ହଠାତ୍ କମିଗଲା ଏଵ ପୃଥିବୀ ଏକ 'ଆଗ୍ନେୟ ଶୀତ'ର କଵଳରେ ପଡ଼ିଗଲା। ଅନେକ ଗଛଲତା ମରିଗଲେ, ଵର୍ଷା ବନ୍ଦ ହୋଇଗଲା ଏଵଂ ଶାକାହାରୀ ପଶୁମାନେ ଖାଦ୍ୟ ନପାଇ ପ୍ରାଣ ହରାଇଲେ।
ଵିସ୍ଫୋରଣ ହୋଇଥିଵା ସ୍ଥାନ ଅର୍ଥାତ୍ ଇଣ୍ଡୋନେସିଆର ଆଖପାଖରେ ଥିଵା ପ୍ରାୟ ସମସ୍ତ ଜୀଵଜନ୍ତୁ ସେହି ସମୟରେ ନିଶ୍ଚିହ୍ନ ହୋଇଯାଇଥିଲେ। ସେଠାରେ ରହୁଥିଵା Leopardର ଏକ ନିର୍ଦ୍ଦିଷ୍ଟ ଜାତି ସେହି ସମୟରେ ସୁମାତ୍ରାରୁ ଵିଲୁପ୍ତ ହୋଇଯାଇଥିଲା।
ଵିସ୍ଫୋରଣ ପରେ ହୋଇଥିଵା "ଆଗ୍ନେୟ ଶୀତ" ଯୋଗୁଁ ଦକ୍ଷିଣ-ପୂର୍ଵ ଏସିଆର ଅନେକ ବଡ଼ ବଡ଼ ଗଛ ଏଵଂ ଜଙ୍ଗଲ ନଷ୍ଟ ହୋଇଯାଇଥିଲା। ଏହି କାରଣରୁ ଜଙ୍ଗଲ ଉପରେ ନିର୍ଭର କରୁଥିଵା ଅନେକ କୀଟପତଙ୍ଗ ଓ ପକ୍ଷୀଙ୍କ ପ୍ରଜାତି ଵିଲୁପ୍ତ ହେଵାର ଆଶଙ୍କା କରାଯାଏ।
କିନ୍ତୁ ଟୋବା ଵିସ୍ଫୋରଣ ଯୋଗୁଁ ଅନେକ ଜୀଵଜାତି ସମ୍ପୂର୍ଣ୍ଣ ବିଲୁପ୍ତ ହୋଇନଥିଲେ କାରଣ ଏହା ଅଳ୍ପ କେତେକ ଦଶନ୍ଧି ପାଇଁ ପୃଥିଵୀକୁ ପ୍ରଭାଵିତ କରିଥିଲା। ତେଣୁ ଜୀଵଜନ୍ତୁମାନେ Refugia ଵା ସୁରକ୍ଷିତ ସ୍ଥାନଗୁଡ଼ିକରେ ବଞ୍ଚି ରହିଥିଲେ ଏଵଂ ପରିଵେଶ ସୁଧୁରିଵା ପରେ ପୁଣି ବଂଶ ଵିସ୍ତାର କରିଥିଲେ।
ତେବେ ଟୋବା ବିସ୍ଫୋରଣ ଯୋଗୁଁ ତତ୍କାଳୀନ ସମୟରେ ଅନେକ ଜୀଵମାନଙ୍କର ସଂଖ୍ୟା ଏତେ କମିଗଲା ଯେ ସେମାନେ "ବଂଶଗତ ସଙ୍କଟ"ର ସମ୍ମୁଖୀନ ହେଲେ।
ଏହି ସମୟରେ ପୂର୍ଵ ଆଫ୍ରିକାର ଚିମ୍ପାଞ୍ଜିମାନଙ୍କର ସଂଖ୍ୟା ହ୍ରାସ ପାଇଥିଲା। କେନ୍ଦ୍ରୀୟ ଆଫ୍ରିକାର ଗରିଲାମାନଙ୍କ ମଧ୍ୟରେ ମଧ୍ୟ ବଂଶଗତ ପରିଵର୍ତ୍ତନ ଦେଖାଦେଇଥିଲା। DNA ପରୀକ୍ଷାରୁ ଜଣାପଡ଼େ ଯେ ପ୍ରାୟ ୭୦-୭୫ ହଜାର ଵର୍ଷ ତଳେ ଭାରତୀୟ ବାଘ ଓ ବୋର୍ଣ୍ଣିଆର ଓରାଙ୍ଗୁଟାନ୍ ଭଳି ପଶୁମାନଙ୍କ ସଂଖ୍ୟା ମଧ୍ୟ ଅତି ମାତ୍ରାରେ କମିଯାଇଥିଲା।
ଵିଜ୍ଞାନୀମାନଙ୍କର ଏକ ଗୋଷ୍ଠୀ ମନେକରନ୍ତି ଯେ ଟୋବା ଵିସ୍ଫୋରଣ ପରଵର୍ତ୍ତୀ ଜଳଵାୟୁ ପରିଵର୍ତ୍ତନ ହିଁ ପରୋକ୍ଷରେ ନିଏଣ୍ଡରଥାଲ୍ ଓ ହୋମୋ ଏରେକ୍ଟସ୍ ମାନଙ୍କର ଵିଲୁପ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା। ସେମାନେ ବଦଳୁଥିବା ପରିଵେଶ ସହ ନିଜକୁ ଖାପଖୁଆଇ ପାରିଲେ ନାହିଁ, ଯାହାଫଳରେ ଆଗାମୀ କିଛି ହଜାର ଵର୍ଷ ମଧ୍ୟରେ ସେମାନେ ଵିଲୁପ୍ତ ହୋଇଗଲେ।
ଵିଜ୍ଞାନୀମାନଙ୍କ ମତରେ, ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେତେବେଳେ ଆଫ୍ରିକାରେ ରହୁଥିଵା ଆମ ପୂର୍ଵଜ ହୋମୋ ସାପିଏନ୍ସମାନଙ୍କ ସଂଖ୍ୟା ମାତ୍ର ୧,୦୦୦ ରୁ ୧୦,୦୦୦ ପ୍ରଜନନକ୍ଷମ ଵ୍ୟକ୍ତିଙ୍କ ମଧ୍ୟରେ ସୀମିତ ହୋଇଗଲା। ଅର୍ଥାତ୍ ଆମ ପୂର୍ଵଜ ଵିଲୁପ୍ତ ହେବାର ଅତି ନିକଟରେ ଥିଲେ। ଏହି ଅଵସ୍ଥାକୁ Genetic Bottleneck କୁହାଯାଏ। ଆଜି ସାରା ଵିଶ୍ୱର ମଣିଷମାନଙ୍କ DNA ମଧ୍ୟରେ ଯେଉଁ ଅତି ସାମାନ୍ୟ ପାର୍ଥକ୍ୟ ଦେଖାଯାଏ, ତାହା ପ୍ରମାଣ କରେ ଯେ ଆମେ ସମସ୍ତେ ସେହି କିଛି ଶହ ବଞ୍ଚିଯାଇଥିଵା ମଣିଷଙ୍କର ବଂଶଧର ଅଟନ୍ତି ।
ଏହି ମହାଵିପତ୍ତି ପରେ ଆଫ୍ରିକାର ପରିଵେଶ ଆଉ ପୂର୍ଵଭଳି ରହିଲା ନାହିଁ। ଖାଦ୍ୟ ଓ ଜଳର ଘୋର ସଙ୍କଟ ଦେଖାଦେଲା। ତେବେ ବଞ୍ଚି ରହିଵାର ଜିଦ୍ ମଣିଷକୁ ଆଫ୍ରିକାର ସୀମା ପାର କରିଵାକୁ ବାଧ୍ୟ କଲା।
ଆଜକୁ ପ୍ରାୟ ୬୦,୦୦୦ ରୁ ୭୦,୦୦୦ ଵର୍ଷ ପୂର୍ଵେ, ଯେତେବେଳେ ସମୁଦ୍ରର ଜଳସ୍ତର କମ୍ ଥିଲା ସେତେବେଳେ Homo Sapiensମାନଙ୍କର ଏକ ଛୋଟ ଦଳ 'ଲାଲ ସାଗର' ଅତିକ୍ରମ କରି ଆରବ ଉପଦ୍ଵୀପ ଦେଇ ଏସିଆ ଓ ୟୁରୋପ ଆଡ଼କୁ ବାହାରି ପଡ଼ିଲେ।
କୁହାଯାଏ ଯେ ଏହି ସଙ୍କଟ ସମୟରେ ମଣିଷର ମସ୍ତିଷ୍କରେ ଏକ ପ୍ରକାର 'ବୌଦ୍ଧିକ ଵିସ୍ଫୋରଣ' ଘଟିଲା। ସେମାନେ ନୂଆ ଭାଷା, ଯୋଗାଯୋଗ ଓ ଜଟିଳ ରଣନୀତି ଶିଖିଲେ, ଯାହା ସେମାନଙ୍କୁ ଦୂର ଦେଶର ଅଜଣା ପରିଵେଶରେ ବଞ୍ଚିଵାରେ ସାହାଯ୍ୟ କଲା।
ସେହି ସମୟରେ ପୃଥିଵୀରେ ନିଏଣ୍ଡରଥାଲ୍ ଓ ଡେନିସୋଭାନସ୍ ମଧ୍ୟ ଥିଲେ। କିନ୍ତୁ ହୋମୋ ସାପିଏନ୍ସମାନଙ୍କର ପରସ୍ପର ମଧ୍ୟରେ ଥିଵା ସାମାଜିକ ସହଯୋଗ ତଥା ନୂତନ ପରିଵେଶରେ ଖାପଖୁଆଇ ଚଳିଵାର କ୍ଷମତା ସେମାନଙ୍କୁ ସବୁଠାରୁ ଆଗରେ ରଖିଲା।
ସତୁରୀ ହଜାର ଵର୍ଷ ତଳର ସେହି ପ୍ରଳୟ ମଣିଷକୁ ମାରିଵା ପାଇଁ ଆସିଥିଲା, କିନ୍ତୁ ସେହି ସଙ୍କଟ ହିଁ ମଣିଷକୁ ଏକ 'ଵିଶ୍ୱବ୍ୟାପୀ ଜାତି' (Global Species) ଭାବେ ଗଢ଼ି ତୋଳିଲା। ଯଦି ସେଦିନ ସେହି ବିପର୍ଯ୍ୟୟ ଆସିନଥାନ୍ତା, ହୁଏତ ଆଜି ମଣିଷ ଜାତି କେଵଳ ଆଫ୍ରିକାର କୌଣସି ଏକ କୋଣରେ ସୀମିତ ହୋଇ ରହିଥାନ୍ତା।
କିନ୍ତୁ ମଣିଷମାନଙ୍କର ପ୍ରଵାସ ସତୁରୀ ହଜାର ଵର୍ଷ ତଳେ ସୀମିତ ହୋଇ ରହିଲା ନାହିଁ । ସେମାନେ ସାରା ଵିଶ୍ଵରେ ଵ୍ୟାପିଗଲେ । Homo Sapiensମାନେ ଲୋହିତ ସାଗର (Red Sea) ଅତିକ୍ରମ କରି ପ୍ରଥମେ ଆରବ ଦ୍ୱୀପକଳ୍ପରେ ପହଞ୍ଚିଥିଲେ। ସେହି ସମୟରେ ଆରବ ଅଞ୍ଚଳ ଓ ମଧ୍ୟ-ପ୍ରାଚ୍ୟରେ ଜଳବାୟୁ ପରିଵର୍ତ୍ତନ ଯୋଗୁଁ ସମ୍ବଳର ଅଭାବ ଦେଖାଦେଇଥିଲା। ତେଣୁ କେତେକ ହଜାର ଵର୍ଷ ମଧ୍ୟରେ Homo Sapiensମାନଙ୍କର ଏକ ଦଳ ପୂର୍ଵକୁ ଗତି କଲେ । ଆଜକୁ ପ୍ରାୟ ୫୦,୦୦୦ରୁ ୬୦୦୦୦ ଵର୍ଷ ପୂର୍ଵେ Homo Sapiensମାନେ ଦକ୍ଷିଣ ଏସିଆର ଉପକୂଳ ଦେଇ ଆଗକୁ ବଢ଼ିଲେ। ଏହି ସମୟରେ ସେମାନେ ଭାରତୀୟ ଉପମହାଦେଶରେ ପ୍ରଵେଶ କରିଥିଲେ। ଭାରତର ଭୌଗୋଳିକ ସ୍ଥିତି ଓ ନଦୀଗୁଡ଼ିକର ଉପସ୍ଥିତି ମଣିଷ ରହିଵା ପାଇଁ ଅଧିକ ଅନୁକୂଳ ଥିଲା। ଭାରତରେ ପ୍ରଵେଶ କରିଵା ପରେ ସେମାନଙ୍କୁ ପ୍ରଚୁର ମିଠା ପାଣି (ନଦୀ), ଘଞ୍ଚ ଜଙ୍ଗଲ ଓ ଶିକାର ପାଇଁ ପର୍ଯ୍ୟାପ୍ତ ପଶୁପକ୍ଷୀ ମିଳିଥିଲେ। ଵିଶେଷ କରି ନର୍ମଦା ଉପତ୍ୟକା ଓ ଦକ୍ଷିଣ ଭାରତର କେତେକ ଅଞ୍ଚଳ ଆଦିମ ମଣିଷ Homo Sapiensମାନଙ୍କ ପାଇଁ ସବୁଠାରୁ ନିରାପଦ ସ୍ଥାନ ପାଲଟିଥିଲା। ଭାରତରେ କିଛି ହଜାର ଵର୍ଷ ମଧ୍ୟରେ ଜନସଂଖ୍ୟା ଏତେ ମାତ୍ରାରେ ଵୃଦ୍ଧି ପାଇଲା ଯେ ପୁଣି ଖାଦ୍ୟ ଓ ସମ୍ବଳର ଅଭାବ ପରିଲକ୍ଷିତ ହେଲା । ତେଣୁ Homo Sapiensମାନେ ପୁଣି ପ୍ରଵାସ କରିଵାକୁ ବାଧ୍ୟ ହେଲେ । ଭାରତରୁ ଗୋଟିଏ ଶାଖା ଉତ୍ତରକୁ ଗଲା ଏଵଂ ପାରସ୍ୟ ଦେଇ ୟୁରୋପ ଚାଲିଗଲା । ଭାରତରୁ ଆଉ ଏକ ଶାଖା ପୂର୍ଵ ଭାରତରୁ ଉତ୍ତର ପୂର୍ଵ ଭାରତ ଦେଇ ଚୀନ ଗଲା ପୁଣି ଉତ୍ତର ପୂର୍ଵ ଭାରତ ତଥା ଦକ୍ଷିଣ ପୂର୍ଵ ଏସିଆରୁ ଏକ ଶାଖା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ ତଥା ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପହଞ୍ଚିଲା । ଭାରତରୁ ଆଉ ଏକ ଶାଖା ତିବ୍ବତ ଗଲା ଏଵଂ ତିବ୍ବତରୁ ମଧ୍ୟ ଏସିଆ ତଥା ସାଇବେରିଆ ଦେଇ ୧୫,୦୦୦ ରୁ ୨୦,୦୦୦ ଵର୍ଷ ପୂର୍ଵେ ବେରିଂ ଷ୍ଟ୍ରେଟ୍ ପାର ହୋଇ Homo Sapiensମାନେ ଆମେରିକା ମହାଦେଶରେ ପହଞ୍ଚିଲେ ।
ଏପଟେ ଆରବ ଉପଦ୍ୱୀପରୁ Homo Sapiensମାନଙ୍କର ଗୋଟିଏ ଶାଖା ପ୍ରାୟ ୪୫,୦୦୦ ରୁ ୪୦,୦୦୦ ଵର୍ଷ ପୂର୍ଵେ ୟୁରୋପ ଏବଂ ମଧ୍ୟ ଏସିଆକୁ ଯାଇଥିଲେ। ସେଠାରେ ସେମାନଙ୍କର ସାକ୍ଷାତ ପୂର୍ଵରୁ ଵସଵାସ କରୁଥିଵା 'ନିଆଣ୍ଡରଥାଲ୍ମାନଙ୍କ ସହ ହୋଇଥିଲା। ଏହିପରି ଭାବରେ ମଣିଷମାନେ ଅର୍ଥାତ୍ Homo Sapiensମାନେ ଆଜକୁ ୧୫୦୦୦ ପୂର୍ଵେ ସାରା ପୃଥିଵୀର ଵ୍ୟାପି ଯାଇଥିଲେ ।
ମଣିଷ ଓ ତାଙ୍କ ପୂର୍ଵଜମାନେ ଲକ୍ଷ ଲକ୍ଷ ଵର୍ଷ ଧରି ପ୍ରଵାସୀ ଜୀଵନଯାପନ କରୁଥିଲେ କିନ୍ତୁ ଆଜକୁ ପ୍ରାୟ ୧୦୦୦୦ରୁ ୧୨୦୦୦ ଵର୍ଷ ତଳେ ମାନଵ ସମାଜରେ ଏମିତି କେତେକ ପରିଵର୍ତ୍ତନ ଦେଖାଦେଲା ଯାହା ମଣିଷମାନଙ୍କୁ ନିଜର ପ୍ରଵାସୀ ଜୀଵନ ତ୍ୟାଗକରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ହେଵାକୁ ବାଧ୍ୟ କରିଥିଲା ।
ମଣିଷର ପ୍ରଵାସୀ ଜୀଵନର ଅନ୍ତ ଘଟାଇଵାରେ କୃଷି ହିଁ ସବୁଠାରୁ ବଡ଼ କାରଣ ଥିଲା। ଯାଯାଵର ଜୀଵନରେ ମଣିଷକୁ ଖାଦ୍ୟ ପାଇଁ ପ୍ରତିଦିନ ସଂଘର୍ଷ କରିଵାକୁ ପଡ଼ୁଥିଲା। କିନ୍ତୁ ଯେତେବେଳେ ସେ ଜାଣିଲା ଯେ ମଞ୍ଜି ବୁଣିଲେ ଗଛ ହୁଏ ଏଵଂ ସେଥିରୁ ପ୍ରଚୁର ଶସ୍ୟ ମିଳେ, ସେତେବେଳେ ତାକୁ ଆଉ ଶିକାର ପାଇଁ ମାଇଲ ମାଇଲ ବାଟ ଦୌଡ଼ିଵାକୁ ପଡ଼ିଲା ନାହିଁ। ଚାଷ ଜମି ଏମିତି ଏକ ଜିନିଷ ଯାହାକୁ ସାଙ୍ଗରେ ନେଇ ଯାଇ ହେଵ ନାହିଁ। ଶସ୍ୟ ବଢ଼ିଵା ଏଵଂ ତାକୁ ଅମଳ କରିଵା ପାଇଁ ମଣିଷକୁ ମାସ ମାସ ଧରି ଗୋଟିଏ ଜାଗାରେ ରହିଵାକୁ ପଡ଼ିଲା। ଏହିଠାରୁ ହିଁ 'ସ୍ଥାୟୀ ଘର'ର ଧାରଣା ଜନ୍ମ ନେଲା।
ଶୀତଯୁଗ ପର୍ଯ୍ୟନ୍ତ ପ୍ରଵାସୀ ଜୀଵନରେ ମଣିଷ ପଶୁଙ୍କ ପଛରେ ଦୌଡ଼ୁଥିଲା, କିନ୍ତୁ ଏହି ସମୟରେ ସେ ପଶୁଙ୍କୁ ନିଜ ପାଖରେ ରଖିଵା ଶିଖିଗଲା। ମଣିଷ ଶେଷ ଶୀତଯୁଗ ସମୟରେ ପ୍ରଥମେ କୁକୁରକୁ ଗୃହପାଳିତ କଲା । କୁକୁର ସେତେବେଳେ ମଣିଷମାନଙ୍କୁ ଶିକାରରେ ସାହାଯ୍ୟ କରିଵା ତଥା ହିଂସ୍ରଜନ୍ତୁଙ୍କଠାରୁ ରକ୍ଷା ଓ ସତର୍କ କରିଵା ପାଇଁ ପାଳିତ ହେଉଥିଲା । କୁକୁରକୁ ପାଳିଵା ଯୋଗୁଁ ହିଂସ୍ର ଜୀବଜନ୍ତୁପୂର୍ଣ୍ଣ ତତ୍କାଳୀନ ପୃଥିଵୀରେ ଅଧିକ ସୁରକ୍ଷିତ ହେଲା ଏଵଂ କୁକୁରର ସୁରକ୍ଷା ଓ ସାହାଯ୍ୟ ବଳରେ ଗାଈଗୋରୁ, ଛେଳି ଓ ମେଣ୍ଢା ଆଦି ଜୀଵଙ୍କୁ ଆୟତ୍ତ କରି ଗୃହପାଳିତ କଲା । ଏହି ଜୀଵମାନଙ୍କୁ ପାଳନ କରିଵା ଦ୍ଵାରା ମଣିଷକୁ ସ୍ଥାୟୀ ଭାବେ ମାଂସ, କ୍ଷୀର ଓ ଚମଡ଼ା ମିଳିଲା। ପଶୁମାନଙ୍କୁ ଚରାଇବା ପାଇଁ ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ରହିଵି ସୁଵିଧାଜନକ ହେଲା। କିନ୍ତୁ ସେତେବେଳେ ମଣିଷମାନେ ଦେଖିଲେ କେତେକ ଘାସ ଜାତୀୟ ଗଛର ଅନ୍ନ ଭକ୍ଷଣୀୟ ଅଟେ । ସେମାନେ ତହୁଁ ସେହି ଅନ୍ନଯୋଗ୍ୟ ଶସ୍ୟଗୁଡି଼କୁ ଚାଷ କରିଵା ଆରମ୍ଭ କରିଥିଲେ ।
ଆଜକୁ ପ୍ରାୟ ୧୧,୭୦୦ ଵର୍ଷ ପୂର୍ଵେ ପୃଥିଵୀରେ 'ହିମ ଯୁଗ'ର ଅନ୍ତ ଘଟିଲା। ପୃଥିଵୀର ତାପମାତ୍ରା ବଢ଼ିଲା ଏଵୟ୍ଯ ପାଣିପାଗ ଅଧିକ ସ୍ଥିର ହେଲା। ଏହି ଅନୁକୂଳ ପରିଵେଶ ବହୁ ସଂଖ୍ୟାରେ ଶସ୍ୟ ଉତ୍ପାଦନ ପାଇଁ ସୁଯୋଗ ଦେଲା, ଯାହା ମଣିଷକୁ ଗୋଟିଏ ଅଞ୍ଚଳରେ ଦୀର୍ଘକାଳ ରହିଵାକୁ ପ୍ରେରିତ କଲା।ଯାଯାଵର ଜୀଵନରେ ଛୋଟ ପିଲାଙ୍କୁ ଧରି ଯାତ୍ରା କରିବା କଷ୍ଟକର ଥିଲା । ଯେତେବେଳେ ମଣିଷ ସ୍ଥାୟୀ ଭାବେ ରହିଵା ଆରମ୍ଭ କଲା ସେତେବେଳେ ଶିଶୁମାନଙ୍କ ସଂଖ୍ୟା ବଢ଼ିଵାକୁ ଲାଗିଲା ।ଜନସଂଖ୍ୟା ବଢ଼ିଵା ଯୋଗୁଁ ଛୋଟ ଛୋଟ ପରିଵାର ମିଶି ଗ୍ରାମ ଗଢ଼ିଲେ। ମଣିଷମାନେ ନିଜକୁ ସୁରକ୍ଷିତ ରଖିଵା ପାଇଁ ଏଵଂ ପରସ୍ପରକୁ ସାହାଯ୍ୟ କରିଵା ପାଇଁ ମାନଵ ସମାଜ ଗଢ଼ି ଏକାଠି ରହିଲେ। ଏହି ଏକତା ହିଁ ସରସ୍ୱତୀ ନଦୀ ସଭ୍ୟତା, ମେସୋପୋଟାମିଆ ସଭ୍ୟତା,ହୋୟାଙ୍ଗହୋ ସଭ୍ୟତା ଓ ନୀଳନଦୀ ସଭ୍ୟତା ଆଦି ନଦୀକୂଳ ସଭ୍ୟତାଗୁଡ଼ିକର ମୂଳଦୁଆ ପକାଇଲା।
ମଣିଷର ପ୍ରଵାସୀ ଜୀଵନର ଅନ୍ତ ହେଵା ପରେ ହିଁ କଳା, ସଂସ୍କୃତି, ପ୍ରଶାସନ ଓ ଧର୍ମ ଭଳି ଜଟିଳ ଵିଷୟଗୁଡ଼ିକର ବିକାଶ ହେଲା। ଆଜି ଆମେ ଯେଉଁ ସହର ଓ ସଭ୍ୟତାରେ ବଞ୍ଚୁଛେ, ତାହା ସେହିଦିନ ହିଁ ଆରମ୍ଭ ହୋଇଥିଲା ଯେଉଁଦିନ ଜଣେ ପୂର୍ଵଜ ପ୍ରଥମ କରି ଚାଷ ଜମି ପାଖରେ ନିଜର ସ୍ଥାୟୀ କୁଡ଼ିଆଟିଏ ତିଆରି କରିଥିଲା।
ଲକ୍ଷ ଲକ୍ଷ ଵର୍ଷ ତଳେ ଆଫ୍ରିକାର ସାଭାନା ପଡ଼ିଆରୁ ଆରମ୍ଭ ହୋଇଥିଵା ମାନଵ ଓ ତାଙ୍କ ପୂର୍ଵଜଙ୍କର ସେହି ମହାଯାତ୍ରା ଆଜି ଏକ ନୂଆ ମୋଡ଼ରେ ଆସି ପହଞ୍ଚିଛି। ଯେଉଁ ଚପଳତା ଓ କୌତୂହଳ ମଣିଷକୁ ସମୁଦ୍ରର ଜଳସ୍ତର କମିଵା ସମୟରେ ଲୋହିତ ସାଗର ପାର କରାଇଥିଲା, ସେହି ସମାନ ପ୍ରଵୃତ୍ତି ଆଜି ତାକୁ ଆକାଶର ନୀଳ ସୀମା ପାର କରି ଅନନ୍ତ ନକ୍ଷତ୍ରପୁଞ୍ଜ ଆଡ଼କୁ ଟାଣି ନେଉଛି। ପ୍ରକୃତରେ ଦେଖିଵାକୁ ଗଲେ, ମାନଵଜାତିର ପ୍ରଵାସୀ ଜୀବନର ଏକ ନୂଆ ଏଵଂ ଅପେକ୍ଷାକୃତ ଜଟିଳ ଅଧ୍ୟାୟ ଏବେ 'ମହାକାଶ' କ୍ଷେତ୍ରରେ ଉନ୍ମୋଚିତ ହେଵାକୁ ଯାଉଛି।
ଆଜିର ମଣିଷ ପାଇଁ ପୃଥିଵୀର ସୀମା ଧୀରେ ଧୀରେ ସଙ୍କୁଚିତ ମନେ ହେଉଛି। ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରିଵାର ସ୍ୱପ୍ନ ହେଉ କିମ୍ବା ଚନ୍ଦ୍ରକୁ ଏକ ମଧ୍ୟଵର୍ତ୍ତୀ କେନ୍ଦ୍ର ଭାବେ ଵ୍ୟଵହାର କରିଵାର ଯୋଜନା, ଏସବୁ ସେହି ପୁରୁଣା 'ପ୍ରଵାସୀ ମାନସିକତା'ର ଆଧୁନିକ ରୂପ ମାତ୍ର। ଯେମିତି ହୋମୋ ଏରେକ୍ଟସ୍ ଅଗ୍ନିର ଵ୍ୟଵହାର କରି ଶୀତଳ ୟୁରୋପକୁ ଜୟ କରିଥିଲେ, ଆଜିର ହୋମୋ ସାପିଏନ୍ସ ସେମିତି ରକେଟ୍ ଵିଜ୍ଞାନ ଓ କୃତ୍ରିମ ବୁଦ୍ଧିମତା (AI) ସାହାଯ୍ୟରେ ମହାକାଶର ଶୂନ୍ୟତା ଓ ପ୍ରତିକୂଳ ପରିଵେଶକୁ ଜୟ କରିଵାକୁ ପ୍ରୟାସ କରୁଛି।
କିନ୍ତୁ ପ୍ରଶ୍ନ ଉଠେ—କ’ଣ ମଣିଷ ଏଥିରେ ସଫଳ ହୋଇପାରିଵ କି ?
ଇତିହାସ ସାକ୍ଷୀ ଅଛି, ମଣିଷ ସେତେବେଳେ ସଫଳ ହୋଇଛି ଯେତେବେଳେ ପ୍ରକୃତି ତାକୁ ଏକ ଭୟଙ୍କର ସଙ୍କଟ ଆଡ଼କୁ ଠେଲି ଦେଇଛି। ଟୋବା ଵିସ୍ଫୋରଣରୁ ବଞ୍ଚିଯାଇଥିଵା ସେହି ମୁଷ୍ଟିମେୟ ପୂର୍ଵଜଙ୍କ ଜିଦ୍ ଆମ DNA ରେ ଆଜି ବି ଅଛି। ଯଦିଓ ମହାକାଶର ଦୂରତା ବିଶାଳ ଏବଂ ସମ୍ବଳ ସୀମିତ, ତଥାପି ମଣିଷର 'ସୃଜନଶୀଳ ଵିସ୍ଫୋରଣ' ଓ 'ସାମାଜିକ ଏକତା' ତାକୁ ପୁଣି ଥରେ ଏକ 'ଅନ୍ତରୀକ୍ଷ ସଭ୍ୟତା' ଭାବେ ଗଢ଼ିତୋଳିଵାର ସମ୍ଭାବନା ରଖେ।
ମାନଵ ଵିଵର୍ତ୍ତନର ଏହି ରୋମାଞ୍ଚକର ଉପନ୍ୟାସ ଏବେ ବି ସମାପ୍ତ ହୋଇନାହିଁ। ଆଫ୍ରିକାର ସେହି ପ୍ରଥମ ପାଦଚିହ୍ନଠାରୁ ଚନ୍ଦ୍ରପୃଷ୍ଠର ନୀଲ୍ ଆର୍ମଷ୍ଟ୍ରଙ୍ଗଙ୍କ ପାଦଚିହ୍ନ ପର୍ଯ୍ୟନ୍ତ, ମଣିଷ କେଵଳ ଘର ବଦଳାଇ ଚାଲିଛି। ହୁଏତ ଆଗାମୀ କିଛି ହଜାର ଵର୍ଷ ପରେ, କୌଣସି ଏକ ଦୂର ଗ୍ରହର ପାଠାଗାରରେ ବସି ଆମର ଭଵିଷ୍ୟତ ପିଢ଼ି ପଢ଼ୁଥିବେ—କିଭଳି ସେମାନଙ୍କର ପୂର୍ଵଜମାନେ ପୃଥିଵୀ ନାମକ ଏକ କ୍ଷୁଦ୍ର ନୀଳ ଗ୍ରହରୁ ବାହାରି ସାରା ବ୍ରହ୍ମାଣ୍ଡକୁ ନିଜର ଘର ବୋଲି ଭାବିଵାକୁ ସାହସ କରିଥିଲେ।
ପ୍ରଵାସୀ ଜୀଵନରୁ ସ୍ଥାୟୀ ଜୀଵନ ଏଵଂ ପୁଣି ଥରେ ସ୍ଥାୟୀ ଜୀଵନରୁ ଏକ 'ଅନ୍ତରୀକ୍ଷ ଯାଯାଵର' ହେଵାର ଏହି ଚକ୍ର ହିଁ ମାନଵ ସଭ୍ୟତାର ପ୍ରକୃତ ପରିଚୟ। ଆମେ ବଞ୍ଚିଵା ପାଇଁ ନୁହେଁ ଵରଂ ନୂଆ ଦିଗ୍ଵଳୟକୁ ଖୋଜିଵା ପାଇଁ ହିଁ ଜନ୍ମ ହୋଇଛେ। ଭଵିଷ୍ୟତରେ ଅନ୍ତରୀକ୍ଷର ଏହି ପ୍ରଵାସୀ ଯାତ୍ରା ସଫଳ ହେଵ କି ନାହିଁ, ତାହା କେଵଳ ସମୟ କହିଵ, କିନ୍ତୁ ମଣିଷର ଚେଷ୍ଟା କେବେ ହେଲେ ବି ଅଟକିଵ ନାହିଁ।
•••••••••••••••••••••••••••••••••••••
ତଥ୍ୟ ଉତ୍ସ:
1.Sapiens: A Brief History of Humankind(Yuval Noah Harari)
2.The Journey of Man: A Genetic Odyssey(Spencer Wells)
3.Out of Eden ( Stephen Oppenheimer)
4.Guns, Germs, and Steel(Jared Diamond)
5.Who We Are and How We Got Here (David Reich)
6.The World Before Us(Tom Higham)
7.The Sixth Extinction(Elizabeth Kolbert)
8.Lone Survivors: How We Came to Be the Only Humans on Earth(Chris Stringer)
9.Kindred: Neanderthal Life, Love, Death and Art (Rebecca Wragg Sykes)
10.The Great Transition(David Anthony)
••••••••••••••••••••••••••••••••••••••
No comments:
Post a Comment