Monday, November 14, 2022

ଵୈଦେଶିକ ମସଲା ଶବ୍ଦର ଓଡ଼ିଆ ପ୍ରତିଶବ୍ଦ


'ମସଲା' ଶବ୍ଦଟିକୁ ଆମେ ଆମ ଦୈନନ୍ଦିନ ଜୀଵନରେ ବହୁଳ ଭାବରେ ଵିଭିନ୍ନ ଅର୍ଥରେ ଵ୍ୟଵହାର କରନ୍ତି କିନ୍ତୁ ଏହି ମସଲା ଶବ୍ଦଟି ପ୍ରକୃତରେ ଏକ ଵୈଦେଶିକ ଶବ୍ଦ । ମୂଳତଃ ଏହା ଏକ ପାର୍ସୀ ଶବ୍ଦ مصالح‎ (maṣālih)ରୁ ନିଆଯାଇଛି।ସେହିପରି ପାର୍ସୀ ଭାଷାରେ مصالح(maṣālih)‎ ଶବ୍ଦଟି ଆରବିକ صَلَحَ‎ (ṣalaḥa, “be fit, usable”) ଶବ୍ଦକୁ ନେଇ ସୃଷ୍ଟି ହୋଇଛି ‌। 

ଓଡ଼ିଆ ଭାଷାରେ ଵିଶେଷତଃ ନିଷ୍ଠାନ ଵା spices ଅର୍ଥରେ ମସଲା ଶବ୍ଦ ଵ୍ୟଵହୃତ ହୋଇଥାଏ ତେବେ ଏ ଶବ୍ଦର ଆହୁରି ଅନେକ ଅର୍ଥରେ ଵ୍ୟଵହାର ରହିଛି ‌ । ଯଥା— 

କ)ମାଛ ଧରିଵା ପାଇଁ ଵ୍ୟଵହୃତ ଚାରା

ଖ)ଘର ତିଆରିରେ ଲାଗିଵା ବାଲି ଓ ସିମେଣ୍ଟର ମିଶ୍ରଣ 

ଗ)ତମାଖୁ ଵା ଧୂଆଁ ପତ୍ରର ଗୁଣ୍ଡା ସଙ୍ଗେ ଧନିଆ ଓ ପାନମହୁରୀ ଆଦି ମିଶାଯାଇ ପାନ ସଙ୍ଗେ ଖିଆଯିଵା ଗୁଣ୍ଡି

ଘ)ବୁଦ୍ଧି ଵା ମଗଜ(ଲକ୍ଷଣାର୍ଥ)

ଙ)ଦକ୍ଷତା(ଲକ୍ଷଣାର୍ଥ)

ତେବେ ପ୍ରଶ୍ନ ଉଠେ ଯଦି "ମସଲା" ଏକ ଵୈଦେଶିକ ଶବ୍ଦ ଏଵଂ ମୂଳତଃ ମୁସଲିମମାନଙ୍କ ଦ୍ଵାରା ପ୍ରଦତ୍ତ ଶବ୍ଦ ତାହେଲେ ତିନି ସହସ୍ରାଧିକ ଵର୍ଷ ପୁରାତନ ଓଡ଼ିଆ ତଥା ସଂସ୍କୃତ ଭାଷାରେ କ'ଣ ମସଲା ଅର୍ଥଜ କୌଣସି ଶବ୍ଦ ପୂର୍ଵେ ଚଳୁଥିଲା କି ?

ହଁ ଚଳୁଥିଲା କିନ୍ତୁ ଵୈଦେଶିକ ମସଲା ଶବ୍ଦର ବହୁଳ ଭାବରେ ପ୍ରୟୋଗ ଯୋଗୁଁ ଆମ ଦେଶର ମସଲା ଅର୍ଥଜ ଶବ୍ଦଗୁଡ଼ିକ ଅଧୁନା ଅପ୍ରଚଳିତ ହୋଇଯାଇଛି । 

ପ୍ରାଚୀନ ଭାରତରେ ମସଲାକୁ ସମ୍ବାର(ଏଥିରୁ ଦାକ୍ଷିଣାତ୍ୟର ସାମ୍ବର ତୁଣର ନାମକରଣ କରାଯାଇଛି),ନିଷ୍ଠାନ,ପରିଵ୍ୟୟ ଇତ୍ୟାଦି କୁହାଯାଉଥିଲା । ଭାରତରେ ଏକ ଜାତୀୟ ମସଲାକୁ ତ୍ରିଜାତ କୁହାଯାଉଥିଲା ଏଥିରେ ତିନିପ୍ରକାରର ଗନ୍ଧଦ୍ରଵ୍ୟ ମିଶୁଥିଲା ସେହିଭଳି ତ୍ରିକଟୁ,ପଞ୍ଚକୋଳ,ଶ୍ଲେଷ୍ମଘ୍ନୀ,ଚତୁରୁଷଣ,କଟୁତ୍ରୟ ଭଳି ନାନାଜାତୀୟ ଗନ୍ଧଦ୍ରଵ୍ୟ ମିଶ୍ରିତ ମସଲାର ନାମକରଣ ‌ହୋଇଥିଲା । 

ପ୍ରକୃତରେ ଭାରତରେ ଯେହେତୁ ଵିଭିନ୍ନ ପ୍ରକାରର ମସଲା ଯଥା ହଳଦୀ,ଅଦା,ପିଆଜ,ରସଣ ଆଦି ପାଇଁ ଵିଭିନ୍ନ ନାମ ଥିଲା ତେଣୁ ଏସବୁର ସାମୁହିକ ମିଶ୍ରଣର ନାମକରଣ କରିଵାକୁ ଲୋକେ ସେତେଟା ଆଗ୍ରହ ପ୍ରକାଶ କରିନଥିଲେ । ତେବେ ତଥାପି ସମ୍ବାର,ନିଷ୍ଠାନ ଭଳି ଏକାଧିକ ଶବ୍ଦ ଭାରତରେ ମସଲା ଅର୍ଥରେ ପ୍ରଚଳିତ ଥିଲା ପୁଣି ଭିନ୍ନ ଭିନ୍ନ ଗନ୍ଧଦ୍ରଵ୍ୟ ଯୁକ୍ତ ମସଲାର ମଧ୍ୟ ଭିନ୍ନ ଭିନ୍ନ ନାମକରଣ କରାଯାଇଥିଲା । 

 ଆଗେ କଞ୍ଚା ମସଲାର ଵ୍ୟଵହାର ଅଧିକ ଥିଲା ତେବେ ଯୁଗ ବଦଳିଲା ଲୋକେ ଧିରେ ଧିରେ ଶୁଖିଲା ଗୁଣ୍ଡ ମସଲା ମଧ୍ୟ ଵ୍ୟଵହାର କରିଵାକୁ ଲାଗିଲେ କିନ୍ତୁ ବଟା ମସଲାର ଆଦର ବିଂଶ ଶତାବ୍ଦୀର ନବେ ଦଶକ ଯାଏଁ ଭାରତୀୟମାନଙ୍କର ପ୍ରଥମ ପସନ୍ଦ ଥିଲା । ଆଜି ମଧ୍ୟ ଭାରତରେ ବଟା ମସଲାକୁ ଲୋକେ ଅଧିକ ମହତ୍ତ୍ଵ ଦିଅନ୍ତି କିନ୍ତୁ ହାଟ ଵିପଣିରେ କ୍ରମେ ଗୁଣ୍ଡ ମସଲାର ଚାହିଦା ବଢ଼ିଛି ଏଵଂ ପ୍ଲାଷ୍ଟିକ ଜରିରେ ପ୍ଯାକ୍ ହୋଇ ବିକ୍ରି ହେଉଥିଵା ଗୁଣ୍ଡ ମସଲାକୁ ଲୋକେ ଏବେ ଅଧିକ ପରିମାଣରେ କିଣୁଛନ୍ତି ।

ଓଡ଼ିଶାରେ ମୁସଲମାନମାନଙ୍କ ଆଗମନ ପୂର୍ଵରୁ ଶିଳରେ ବଟା ଯାଇଥିଵା ମସଲାକୁ ବାଟଣ,ବାଟଣା ଓ ବାଟେଣା କୁହାଯାଉଥିଲା ‌।‌କେତେକ ଅଞ୍ଚଳରେ ଏହି ବଟା ମସଲାକୁ ଫୁଟଣା/ଫୁଟୁଣା/ଫୁଟା ମଧ୍ୟ କୁହାଯାଉଥିଲା । କେତେକ ଅଞ୍ଚଳରେ ଲୋକେ ଗୋଟାମସଲାକୁ ହାଣ୍ଡିଫୁଟା ବି କହୁଥିଲେ ‌ । ଉତ୍ତର ଓଡ଼ିଶାରେ ହାଣ୍ଡିଫୁଟା ମସଲାକୁ ସ୍ଥାନୀୟ ଲୋକେ ସୁମୁରା କହୁଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ପୁଣି କେତେକ ଅଞ୍ଚଳରେ ତିଅଣରେ ଦିଆଯାଉଥିଵା ମସଲାବଟା ପାଣିକୁ ପିଠୁଆର କହୁଥିଲେ । ଗଡ଼ଜାତ ଓଡ଼ିଶା ତଥା ପଶ୍ଚିମ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରେ ମସଲାକୁ ବେଶବାର କୁହାଯାଉଥିଲା । କେଵଳ ସୋରିଷ ବଟାକୁ ବେସର କୁହାଯାଉଥିଲା । 

ପ୍ରାଚୀନ କାଳରେ ଓଡ଼ିଶାରେ ମସଲା ବିକ୍ରି ପାଇଁ ସ୍ଵତନ୍ତ୍ର ସାଧଵଗୋଷ୍ଠୀ ସୃଷ୍ଟି ହୋଇଥିଲେ ସେମାନଙ୍କୁ ଗନ୍ଧବଣିକ ଓ ପୋଟଳି ବଣିଆ କୁହାଯାଉଥିଲା । ନାନା ଗନ୍ଧଦ୍ରଵ୍ୟ(ମସଲା) ବିକ୍ରି କରୁଥିଲେ ବୋଲି ଏମାନଙ୍କୁ ଲୋକେ ଗନ୍ଧବଣିକ କହୁଥିଲେ । ଏକ ସମୟରେ ସମସ୍ତପ୍ରକାରର ଔଷଧାଦି ମସଲାକୁ ସାମୁହିକ ଭାବରେ ଗନ୍ଧଦ୍ରଵ୍ୟ କୁହାଯାଉଥିଲା । ଏହି ଗନ୍ଧବଣିକମାନେ ମସଲା ଆଦିର ପୋଟଳା ବାନ୍ଧି ଗରାଖକୁ ଦେଉଥିଲେ ବୋଲି ଏମାନଙ୍କୁ ପୋଟଳି ବଣିକ କୁହାଯାଉଥିଲା । ଆଜି ଯେଉଁ ପ୍ଲାଷ୍ଟିକ ପୁଡ଼ିଆରେ ମସଲା ବିକ୍ରିର ପରମ୍ପରା ଚଳୁଛି ତହିଁର ପରମ୍ପରା ଭାରତରେ ଵିଶେଷତଃ ଓଡ଼ିଶାରେ ଏହି ଗନ୍ଧବଣିକ ଵା ପୋଟଳି ବଣିଆମାନେ ହିଁ ଥିଲେ । ଏମାନେ ଵିଦେଶରେ ତଥା ଦେଶ ମଧ୍ୟରେ ମସଲା ବିକ୍ରି କରୁଥିଲେ । 

ପ୍ରାଚୀନ କାଳରେ ପୋଟଳି ବଣିକଠାରୁ କିଣିଥିଵା ଗୁଣ୍ଡ ମସଲାକୁ ଧନିକ ଲୋକେ ଅନେକ ଘରା ଥିଵା ରୂପାର ପାତ୍ର ଵା ଚାଙ୍ଗୁଡ଼ାରେ ରଖୁଥିଲେ ତାକୁ ଚଉଘରା କୁହାଯାଉଥିଲା । 

ଓଡ଼ିଶାରେ ପିଠଉ ଭଳି ପାଣିଆ ପାଣିଆ ମସଲପାଣିକୁ ପିଠୁଆର କୁହାଯାଉଥିଲା । 

ଯେଉଁ କଞ୍ଚା ମସଲାକୁ ଶିଳରେ ବଟାଯାଇ ପ୍ରସ୍ତୁତ ହେଉଥିଲା ତାକୁ ବାଟଣ,ବାଟଣା ଓ ବାଟେଣା କୁହାଯାଉଥିଲା । 

ତରକାରୀ ଆଦି ଘିଅ ଵା ତେଲରେ ବଘାରିଵା ପାଇଁ ଵ୍ୟଵହୃତ ଏହି ଜାତୀୟ ମସଲାକୁ କୋଉଠି କୋଉଠି ଫୁଟା,ଫୁଟଣା ଓ ଫୁଟୁଣା କୁହାଯାଉଥିଲା । 

ଏହି ଗୋଟାମସଲାକୁ ହାଣ୍ଡିରେ ତେଲ ସହିତ ବଘାରିଵା ସମୟରେ ଫୁଟ୍ ଫୁଟ୍ ଶବ୍ଦ କରେ ବୋଲି ତାକୁ ଓଡ଼ିଶାରେ ଲୋକେ ହାଣ୍ଡିଫୁଟା କହୁଥିଲେ ଏଵଂ ପରେ ମସଲା ଶବ୍ଦର ଆଗମନ ପରେ ଏହାକୁ ହାଣ୍ଡି ମସଲା କୁହାଗଲା । ପ୍ରକୃତରେ ହାଣ୍ଡିଫୁଟା ମସଲା ବଟା ଯାଉନଥିଲା ଵରଂ ଗୋଟା ତିଅଣରେ ପଡ଼ୁଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ତିଅଣ ବଘାରିଵା ପାଇଁ ନିଆଁ ଉପରେ ସ୍ଥାପିତ ହାଣ୍ଡିରେ ଘିଅ ଵା ତେଲ ଦେଇ ସେ ତେଲ ଜାରିହେଵାପରେ ସେଥିରେ ଗୋଟା ସୋରିଷ, ଲଙ୍କାମରିଚ, ମେଥି, ପାନମହୁରୀ, କଳାଜୀରା ଓ ଜୀରାଆଦି ମସଲା ଦେଇ ଫୁଟାଯାଉଥିଲା ଏଵଂ ଏହି ଗୋଟା ମସଲାକୁ ହିଁ ହାଣ୍ଡିଫୁଟା କୁହାଯାଉଥିଲା । କେହି କେହି ଏହି ଜାତୀୟ ମସଲାକୁ ଅବଟା ମସଲା କହୁଥିଲେ । ଉତ୍ତର ଓଡ଼ିଶାରେ ହାଣ୍ଡିଫୁଟା ମସଲାକୁ ଲୋକେ ସୁମୁରା କହୁଥିଲେ । ଓଷଧି ଦ୍ରଵ୍ୟ ମିଶ୍ରିତ କୁଟା ମସଲାକୁ ଓଡ଼ିଶାରେ ମଥାଘଷା ଓ ସୁନ୍ଦା(ସୁଗନ୍ଧା ?) କହୁଥିଲେ । ଏହି ମଥାଘଷା ଵା ସୁନ୍ଦା ଔଷଧ ରୂପେ ଵ୍ୟଵହୃତ ହେଉଥିଲା । ଏହିପରି Sauce ଜାତୀୟ ଖାଦ୍ୟଦ୍ରଵ୍ଯକୁ ଆଗେ ଓଡ଼ିଶାରେ ଚଟୁଣୀ କୁହାଯାଉଥିଲା । 


ଆମ ପାଖରେ ମସଲା ପାଇଁ ବାଟଣା(ବାଟଣ,ବାଟେଣା),ଫୁଟଣା(ଫୁଟା,ଫୁଟୁଣା),ହାଣ୍ଡିଫୁଟା,ସୁମୁରା ,ବେଶବର ଓ ପିଠୁଆର ଭଳି ଅନେକ ଶବ୍ଦ ଥିଲା ବେଳେ ମସଲା ଶବ୍ଦ ଆସି ପ୍ରଚଳିତ ହେଵାରୁ ଏସବୁ ଶବ୍ଦ କ୍ରମେ ନଗରାଞ୍ଚଳ ଓ ଶେଷରେ ଗ୍ରାମାଞ୍ଚଳରୁ ଲୁପ୍ତ ହୋଇଗଲାଣି । 

କିନ୍ତୁ ଏତେ ସବୁ ଶବ୍ଦ ଥାଇ ମଧ୍ୟ ଓଡ଼ିଶାରେ ପାର୍ସୀ ମୂଳର ଵୈଦେଶିକ ମସଲା ଆସି କେମିତି ପ୍ରଚଳିତ ହୋଇପାରିଥିଲା ? 

ଏଠାରେ ବୁଝିଵାକୁ ହେଵ ଯେ ଭାରତରେ ଗୁଣ୍ଡ ମସଲା ଅପେକ୍ଷା ବଟାମସଲାର ପ୍ରୂଚଳନ ଅଧିକ ଥିଲା କାରଣ ଆମ ଦେଶରେ ସବୁ ପ୍ରକାରର ମସଲା କଞ୍ଚା ମିଳିଯାଏ କିନ୍ତୁ ଭାରତୀୟ ମସଲାକୁ ମଧ୍ୟପ୍ରାଚ୍ୟ ତଥା ୟୁରୋପୀୟ ଲୋକେ ଗୁଣ୍ଡ କରି ଅଧିକ ଵ୍ୟଵହାର କରୁଥିଲେ । 

ସମ୍ଭଵତଃ ଓଡ଼ିଆ ଭାଷାରେ ପ୍ରଥମେ ପ୍ରଥମେ କେଵଳ ଗୁଣ୍ଡ ମସଲାକୁ ହିଁ ମସଲା କୁହାଯାଉଥିଲା ଯହିଁରେ ନାନା ଜାତୀୟ ଗନ୍ଧଦ୍ରଵ୍ୟ ମିଶ୍ରିତ ହେଉଥିଲା ପରେ ଲୋକେ ବଟାମସଲାକୁ ମଧ୍ୟ ମସଲା କହିଵାକୁ ଲାଗିଲେ ଫଳତଃ ଅଧୁନା ସବୁ ଜାତୀୟ ଗନ୍ଧଦ୍ରଵ୍ୟର ମିଶ୍ରଣକୁ(ବଟା ଓ ଗୁଣ୍ଡ ଉଭୟ) କେଵଳ ମସଲା କୁହାଯାଉଛି । 

ଭାରତୀୟମାନଙ୍କ ଦ୍ଵାରା ଵିଶ୍ଵ ଭାରତୀୟ ଔଷଧାଦି ଗନ୍ଧଦ୍ରଵ୍ୟଗୁଡ଼ିକ ସହିତ ପ୍ରାଚୀନ କାଳରୁ ପରିଚିତ ହୋଇଥିଲା । ଭାରତୀୟ ଗନ୍ଧଦ୍ରଵ୍ୟ ଯୋଗୁଁ ମଧ୍ୟ ପ୍ରାଚ୍ୟ ତଥା ୟୁରୋପୀୟ ଦେଶଗୁଡ଼ିକରେ ଲୋକେ ଭଲ ଖାଦ୍ୟ 
ଖାଉଥିଲେ ନିରୋଗ ରହୁଥିଲେ । ତେବେ ଏହା ଏକ ନିଷ୍ଠୁର ସତ୍ୟ ଯେ ପ୍ରତିଦାନ ସ୍ବରୂପ ମଧ୍ୟପ୍ରାଚ୍ୟ ତଥା ୟୁରୋପୀୟ ଜାତିମାନେ ପ୍ରାଚୀନ ଭାରତୀୟଙ୍କୁ ଦେଲେ ଗନ୍ଧଦ୍ରଵ୍ୟ ପାଇଁ ତାଙ୍କର ମସଲା ଓ spices ଭଳି ଶବ୍ଦ ତଥା ଭାରତ ଉପରେ ଘନ ଘନ ଆକ୍ରମଣର କଷଣ । ମାନଵ ଇତିହାସରେ କୃତଘ୍ନତାର ଏହାଠାରୁ ବଡ଼ ଉଦାହରଣ ଆଉ କୋଉଠି ଦେଖିଵାକୁ ମିଳେନାହିଁ । ତଥାପି ଭାରତୀୟମାନେ ଵିଶ୍ଵଵାଶୀଙ୍କଠାରୁ ନାନା ଅନ୍ୟାୟ ଅତ୍ୟାଚାର କଷଣ ଵିଶ୍ବାସଘାତକତା ସହି ମଧ୍ୟ ପ୍ରାଚୀନ କାଳରୁ ଏଯାଵତ୍ ଵସୁଧୈଵ କୁଟୁମ୍ବକମ୍‌'ର ମନ୍ତ୍ର ଵିଶ୍ଵରେ ଗାଇ ଚାଲିଛନ୍ତି । 

•••••••••••••••••••••••••••
ଶିଶିର ସାହୁ ମନୋଜ
କନ୍ତିଓ ପୁଟସାହି(ପାରିମାଳ)
ଫୋନ— 9328629910
ତଥ୍ୟ ଉତ୍ସ— ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, କଥିତ ଓଡ଼ିଆ ଶବ୍ଦକୋଷ, ସଂସ୍କୃତ କଳ୍ପଦ୍ରୁମ, ହିନ୍ଦୀ ଶବ୍ଦସାଗର,Hayyim persian English dictionary, ଓଡ଼ିଆ ଲୋକ ସାଂସ୍କୃତି ଶବ୍ଦକୋଷ ଇତ୍ୟାଦି)

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...