୧୯୬୬ ମସିହାରେ ଆମେରିକୀୟ ମନୋଵିଜ୍ଞାନୀ ଜ୍ୟାକ୍ ଵ୍ରେହମ୍ (Jack W. Brehm) ଏହି ସିଦ୍ଧାନ୍ତକୁ ପ୍ରଥମେ ଵୈଜ୍ଞାନିକ ଭାବରେ ପ୍ରସ୍ତୁତ କରିଥିଲେ। ତାଙ୍କର ମୌଳିକ ଗ୍ରନ୍ଥ "A Theory of Psychological Reactance" ଏହି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଵ୍ୟସ୍ତ ହୋଇଛି। ବ୍ରେହମ୍ଙ୍କ ଅନୁସାରେ, ମଣିଷ କେତେକ ନିର୍ଦ୍ଦିଷ୍ଟ ଵ୍ୟଵହାରକୁ ସ୍ୱାଧୀନ ଭାବେ କରିଵାର ଅଧିକାର ରଖିଥାଏ ଏଵଂ ଏହି ସ୍ୱାଧୀନତାକୁ ନିଜର ଏକ ମୌଳିକ ଅଧିକାର ବୋଲି ଵିଚାର କରିଥାଏ। ଯେତେବେଳେ ଏହି ସ୍ୱାଧୀନତା ଉପରେ ବାଧା ଦେଖାଦିଏ ସେତେବେଳେ ତାହା ମନରେ ଏକ ମାନସିକ ଚାପ ସୃଷ୍ଟି ହୁଏ ଯାହାକୁ 'ପ୍ରତିଘାତ' କୁହାଯାଏ।
ଏହି ପ୍ରତିଘାତର ତୀଵ୍ରତା ମୁଖ୍ୟତଃ ତିନୋଟି କାରକ ଉପରେ ନିର୍ଭର କରେ। ପ୍ରଥମତଃ, ସେହି ସ୍ୱାଧୀନତାର ମହତ୍ତ୍ୱ - ଯଦି ସେହି ଵିଶେଷ କାର୍ଯ୍ୟ କିମ୍ଵା ନିଷ୍ପତ୍ତି ଵ୍ୟକ୍ତି ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ତେବେ ପ୍ରତିଘାତ ମଧ୍ୟ ଅଧିକ ତୀଵ୍ର ହେଵ। ଦ୍ୱିତୀୟତଃ, ବାଧାର ପରିମାଣ ଏଵଂ ପ୍ରକୃତି - ସ୍ୱାଧୀନତା ସମ୍ପୂର୍ଣ୍ଣରୂପେ ହରାଇଯିଵା ଅପେକ୍ଷା ଆଂଶିକ ସୀମିତ ହେଲେ ପ୍ରତିଘାତ କମ୍ ହୋଇଥାଏ। ତୃତୀୟତଃ,ବାଧା ଦେଵାର ଢଙ୍ଗ - ଯଦି ଵାଧା ଅତ୍ୟଧିକ ଆକ୍ରମଣାତ୍ମକ କିମ୍ଵା ଅନ୍ୟାୟପୂର୍ଣ୍ଣ ମନେହୁଏ ତେବେ ପ୍ରତିଘାତ ଵୃଦ୍ଧି ପାଏ।
"ନିଷିଦ୍ଧ ଫଳ ପ୍ରଭାଵ" ଵା Forbidden Fruit Effect" ଏହି "ମନୋଵୈଜ୍ଞାନିକ ପ୍ରତିଘାତ" ଵା Psychological Reactanceର ଏକ ଲୋକପ୍ରିୟ ଏଵଂ ସହଜବୋଧ୍ୟ ଉଦାହରଣ ଅଟେ। ଏହି ନାମକରଣ ବାଇବେଲର ଏକ ପ୍ରସିଦ୍ଧ କାହାଣୀରୁ ଅନୁପ୍ରାଣିତ ହୋଇ ରଖାଯାଇଛି ।
ବାଇବେଲରେ ଵର୍ଣ୍ଣିତ ସୃଷ୍ଟିର ଆରମ୍ଭ କାହାଣୀ ଅନୁଯାୟୀ, ପରମେଶ୍ୱର ପୃଥିଵୀକୁ ସୃଷ୍ଟି କରିଵା ପରେ ପ୍ରଥମ ମଣିଷ Adamଙ୍କୁ ମାଟିରୁ ସୃଷ୍ଟି କରିଥିଲେ। ତାଙ୍କୁ ଏକ ସୁନ୍ଦର ଉଦ୍ୟାନରେ ରଖାଗଲା ଯାହାକୁ ଇଡେନ୍ ଉଦ୍ୟାନ କୁହାଯାଏ। ସେହି ସ୍ୱର୍ଗୀୟ ଉଦ୍ୟାନରେ ସମସ୍ତ ପ୍ରକାରର ଫଳଵୃକ୍ଷ ଥିଲା ଏଵଂ Adam ସେଠାରେ ସୁଖରେ ରହୁଥିଲେ। ପରମେଶ୍ୱର ଦେଖିଲେ ଯେ Adam ଏକାକୀ ରହୁଛନ୍ତି, ତେଣୁ ତାଙ୍କ ପାଇଁ ଏକ ସାଥୀ ସୃଷ୍ଟି କରିଵାକୁ ନିଷ୍ପତ୍ତି ନେଲେ। Adam ଯେତେବେଳେ ଗଭୀର ନିଦ୍ରାରେ ଥିଲେ, ପରମେଶ୍ୱର ତାଙ୍କର ଏକ ପଞ୍ଜର ହାଡ଼ରୁ ପ୍ରଥମ ନାରୀ Eveଙ୍କୁ ସୃଷ୍ଟି କରିଲେ। ଏହିପରି Adam ଓ Eve ସେହି ଇଡେନ୍ ଉଦ୍ୟାନରେ ଏକାଠି ରହିବାକୁ ଲାଗିଲେ।
ପରମେଶ୍ୱର ସେମାନଙ୍କୁ କହିଥିଲେ ଯେ ଉଦ୍ୟାନର ସମସ୍ତ ଫଳ ଖାଇପାରିଵେ, କିନ୍ତୁ ଉଦ୍ୟାନର ମଧ୍ୟଭାଗରେ ଥିଵା ଜ୍ଞାନଵୃକ୍ଷର ଫଳ କେବେବି ଖାଇବେ ନାହିଁ। ଯଦି ସେମାନେ ସେହି ଫଳ ଖାଇବେ ତେବେ ସେମାନେ ମୃତ୍ୟୁର ସମ୍ମୁଖୀନ ହେବେ।
କିନ୍ତୁ ଅନ୍ୟ ସମସ୍ତ ପ୍ରାଣୀଙ୍କ ଅପେକ୍ଷା ଅଧିକ ଚତୁର ଏକ ଦୁଷ୍ଟ ସର୍ପ¹ ଥିଲା ଯେ ସିଏ Eveଙ୍କ ନିକଟକୁ ଆସି କହିଲା, "ତୁମେ ସେହି ଫଳ ଖାଇଲେ ମରିଵ ନାହିଁ। ବରଂ ତୁମର ଆଖି ଖୋଲିଯିଵ ଏଵଂ ତୁମେ ପରମେଶ୍ୱରଙ୍କ ପରି ଜ୍ଞାନୀ ହୋଇଯିଵ। ତୁମେ ଭଲ ଏବଂ ମନ୍ଦର ଜ୍ଞାନ ପାଇଵ।"
ସର୍ପର କଥାରେ ପ୍ରଭାଵିତ ହୋଇ Eve ସେହି ନିଷିଦ୍ଧ ଫଳକୁ ଦେଖିଲେ। ଫଳଟି ଅତି ସୁନ୍ଦର ଏଵଂ ଆକର୍ଷଣୀୟ ଲାଗୁଥିଲା। ଜ୍ଞାନ ପାଇଵାର ଲୋଭରେ Eve ସେହି ଫଳ ତୋଳି ଖାଇଲେ ଏଵଂ Adam ଙ୍କୁ ମଧ୍ୟ ଦେଲେ। Adam ମଧ୍ୟ ସେହି ଫଳ ଖାଇଲେ। ଫଳ ଖାଇବା ମାତ୍ରେ ସେମାନଙ୍କର ଆଖି ଖୋଲିଗଲା ଏଵଂ ସେମାନେ ଅନୁଭଵ କଲେ ଯେ ସେମାନେ ନଗ୍ନ ଅଛନ୍ତି। ଲଜ୍ଜା ଓ ଅପରାଧବୋଧ ଯୋଗୁଁ ସେମାନେ ପତ୍ର ସିଲେଇ ନିଜକୁ ଆଵୃତ କଲେ। ଯେତେବେଳେ ପରମେଶ୍ୱର ଉଦ୍ୟାନକୁ ଆସିଲେ, Adam ଓ Eve ତାଙ୍କୁ ଦେଖି ଭୟରେ ଲୁଚିଗଲେ। ପରମେଶ୍ୱର ସେମାନଙ୍କର ଅଵାଧ୍ୟତା ଜାଣି ଅତ୍ୟନ୍ତ ଦୁଃଖିତ ହେଲେ। ସେ Adam ଓ Eveଙ୍କୁ ଇଡେନ୍ ଉଦ୍ୟାନରୁ ବାହାର କରିଦେଲେ। ଏହା ପରଠାରୁ Adam ଓ Eve ପୃଥିଵୀରେ କଠିନ ପରିଶ୍ରମ କରି ଜଵନଯାପନ କଲେ। ତେଣୁ ବାଇବେଲରେ Adam ଓ Eveଙ୍କୁ ଜ୍ଞାନ ଵୃକ୍ଷର ଫଳ ଖାଇଵାକୁ ମନା କରାଯାଇଥିଲା, କିନ୍ତୁ ଏହି ନିଷେଧ ହିଁ ସେହି ଫଳକୁ ଅଧିକ ଆକର୍ଷଣୀୟ ଏଵଂ ଇଚ୍ଛନୀୟ କରିଦେଇଥିଲା।²
ଅତଃ "ନିଷିଦ୍ଧ ଫଳ ପ୍ରଭାଵ" (Forbidden Fruit Effect) ଏଵଂ "ମନୋଵୈଜ୍ଞାନିକ ପ୍ରତିଘାତ" (Psychological Reactance) ମଧ୍ୟରେ ଏକ ଗଭୀର ଏବଂ ସିଧାସଳଖ ସମ୍ପର୍କ ରହିଛି। ଏହି ଦୁଇଟି ଧାରଣା ମନୋଵିଜ୍ଞାନରେ ଏକାଠି ବ୍ୟାଖ୍ୟା କରାଯାଏ କାରଣ ମନୁଷ୍ୟର ସ୍ୱାଧୀନତା ଉପରେ କୌଣସି ବାଧା ଆସିଲେ ତାହା ପ୍ରତିକ୍ରିୟା ସୃଷ୍ଟି କରିଥାଏ ଏଵଂ ସେହି ପ୍ରତିକ୍ରିୟା ଦ୍ୱାରା ନିଷିଦ୍ଧ ଵସ୍ତୁ ଅଧିକ ଆକର୍ଷଣୀୟ ହୋଇପଡ଼େ।
ନିଷିଦ୍ଧ ଫଳ ପ୍ରଭାଵ ପ୍ରାୟତଃ ମନୋଵୈଜ୍ଞାନିକ ପ୍ରତିଘାତର ଏକ ପରିଣାମ ଵା ପ୍ରକାଶ ଅଟେ । ଯେତେବେଳେ କୌଣସି ଵସ୍ତୁକୁ ନିଷିଦ୍ଧ କରାଯାଏ ସେତେବେଳେ ଵ୍ୟକ୍ତିର ସ୍ୱାଧୀନତା ଉପରେ ଆଘାତ ଲାଗେ ଏଵଂ ପ୍ରତିଘାତ ସୃଷ୍ଟି ହୁଏ। ଏହି ପ୍ରତିଘାତ ଵ୍ୟକ୍ତିକୁ ସେହି ନିଷିଦ୍ଧ ଵସ୍ତୁକୁ ଅଧିକ ମୂଲ୍ୟବାନ ଭାବିଵାକୁ ପ୍ରେରଣା ଦିଏ ଏଵଂ ତାହାକୁ ପ୍ରାପ୍ତ କରିବାର ଇଚ୍ଛା ବଢ଼ାଇଦିଏ। ଅର୍ଥାତ୍ ପ୍ରତିଘାତ ହେଉଛି ମୂଳ କାରଣ ଏବଂ ନିଷିଦ୍ଧ ଫଳ ପ୍ରଭାବ ହେଉଛି ତାହାର ଦୃଶ୍ୟମାନ ଫଳାଫଳ।
କେତେକ ଗଵେଷଣାରେ ଦେଖାଯାଇଛି ଯେ ଯେତେବେଳେ କୌଣସି ଵ୍ୟକ୍ତିଙ୍କୁ ଅନ୍ୟ ଆକର୍ଷଣୀୟ ଵ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ଦେଵାରୁ ଅଜାଣତରେ ବାଧା ଦିଆଯାଏ ସେତେବେଳେ ସେହି ଵ୍ୟକ୍ତିମାନଙ୍କ ପ୍ରତି ଆଗ୍ରହ ବଢ଼ିଯାଏ ଏଵଂ ସମ୍ପର୍କରେ ଅସନ୍ତୋଷ ବଢ଼େ – ଏହାକୁ "forbidden fruit hypothesis" ବୋଲି କୁହାଯାଏ ଏଵଂ ଏହା ସିଧାସଳଖ ମନୋଵୈଜ୍ଞାନିକ ପ୍ରତିଘାତ ସହିତ ଜଡ଼ିତ। ଏହିପରି ଅନେକ ପରିସ୍ଥିତିରେ ଦେଖାଯାଏ ଯେ ନିଷିଦ୍ଧତା ସୃଷ୍ଟି କରିଵା ଦ୍ୱାରା ଵିରୋଧୀ ପ୍ରତିକ୍ରିୟା ସୃଷ୍ଟି ହୁଏ ଏଵଂ ତାହା ପ୍ରତିଘାତର ମାଧ୍ୟମରେ ନିଷିଦ୍ଧ ଫଳକୁ ଅଧିକ ଲୋଭନୀୟ କରିଥାଏ।
ଏହି "ନିଷିଦ୍ଧ ଫଳ ପ୍ରଭାଵ" ଆମ ଦୈନନ୍ଦିନ ଜୀଵନରେ ଅନେକ କ୍ଷେତ୍ରରେ ଦେଖାଯାଏ। ଯେତେବେଳେ କୌଣସି ଵସ୍ତୁ, ସୂଚନା କିମ୍ଵା ଅଭିଜ୍ଞତାକୁ ନିଷିଦ୍ଧ କିମ୍ଵା ସୀମିତ କରାଯାଏ, ତାହା ସ୍ୱାଭାଵିକଭାବେ ଅଧିକ ଆକର୍ଷଣୀୟ ଓ ମୂଲ୍ୟଵାନ ମନେହୁଏ। ଉଦାହରଣସ୍ୱରୂପ, ଯେଉଁ ପୁସ୍ତକଗୁଡ଼ିକୁ ନିଷିଦ୍ଧ କରାଯାଏ ସେଗୁଡ଼ିକ ପ୍ରାୟତଃ ଅଧିକ ଲୋକପ୍ରିୟ ହୋଇଯାଆନ୍ତି। ଚଳଚ୍ଚିତ୍ର ଯଦି ଵୟସ ସୀମା ସହିତ ପ୍ରଦର୍ଶିତ ହୁଏ, ତେବେ ସେହି ସୀମା ତଳେ ଥିଵା ଦର୍ଶକମାନେ ତାକୁ ଦେଖିଵାକୁ ଅଧିକ ଉତ୍ସୁକ ହୁଅନ୍ତି।
କିନ୍ତୁ ଏହି ପ୍ରଭାଵ କେଵଳ ଵସ୍ତୁଗତ ଜିନିଷ ମଧ୍ୟରେ ସୀମିତ ନୁହେଁ। ସାମାଜିକ ସମ୍ପର୍କରେ ମଧ୍ୟ ଏହା ଦେଖାଯାଏ। ଯେତେବେଳେ ପିତାମାତା କୌଣସି ନିର୍ଦ୍ଦିଷ୍ଟ ଵ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଵାକୁ ନିଜ ସନ୍ତାନକୁ ମନା କରନ୍ତି, ପ୍ରାୟତଃ ସେହି ସମ୍ପର୍କ ଅଧିକ ଆକର୍ଷଣୀୟ ଲାଗିଥାଏ। ଏହା "ରୋମିଓ ଓ ଜୁଲିଏଟ୍ ପ୍ରଭାଵ"⁴ ନାମରେ ମଧ୍ୟ ଜଣାଶୁଣା ଏଵଂ ଏହି ପ୍ରଭାଵ କ୍ଷେତ୍ରରେ ପାରିଵାରିକ ଵିରୋଧ ସତ୍ତ୍ୱେ ପ୍ରେମ ଅଧିକ ଗଭୀର ହୋଇଥାଏ।
ତେବେ ମନୋଵୈଜ୍ଞାନିକ ପ୍ରତିଘାତ ଵା Psychological Reactance କେଵଳ ମାତ୍ର ଏକ ମାନସିକ ଵିଶେଷତ୍ୱ ନୁହେଁ, ଵରଂ ଏହା ମାନଵ ଵିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟ ଅଟଇ । ଵିଵର୍ତ୍ତନଗତ ମନୋଵିଜ୍ଞାନର ଦୃଷ୍ଟିକୋଣରୁ ଦେଖିଲେ, ଏହି ପ୍ରଵୃତ୍ତି ମାନଵ ଜାତିର ଵଞ୍ଚିଵା ଓ ସମୃଦ୍ଧି ପାଇଁ ଅତ୍ୟନ୍ତ ଆଵଶ୍ୟକ ସାଵ୍ୟସ୍ତ ହୋଇଛି।
ଆମର ପୂର୍ଵପୁରୁଷମାନେ ଜଙ୍ଗଲ ଓ ପ୍ରାକୃତିକ ପରିଵେଶରେ ଵଞ୍ଚିଥିଲେ ଯେଉଁଠାରେ ସ୍ୱାଧୀନ ନିଷ୍ପତ୍ତି ନେଵାର କ୍ଷମତା ଅଧିକାଂଶତଃ ଜୀଵନ ଓ ମରଣର ପ୍ରଶ୍ନ ହୋଇଯାଉଥିଲା। କେଉଁ ଖାଦ୍ୟ ସୁରକ୍ଷିତ, କେଉଁଠାରେ ଆଶ୍ରୟ ନେଵା, କେତେବେଳେ ପଳାଇଵା କିମ୍ଵା ଲଢ଼ିଵା - ଏସବୁ ନିଷ୍ପତ୍ତି ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ନେଵାକୁ ପଡ଼ୁଥିଲା। ଯଦି କୌଣସି ଵାହ୍ୟ ଶକ୍ତି କିମ୍ଵା ସାମାଜିକ ନିୟମ ଏହି ଵ୍ୟକ୍ତିଗତ ନିଷ୍ପତ୍ତି ନେଵାର କ୍ଷମତାକୁ ଅତ୍ୟଧିକ ସୀମିତ କରିଦେଉଥିଲା ତେବେ ତାହା ଅନେକ ସମୟରେ ଵ୍ୟକ୍ତି ଓ ଗୋଷ୍ଠୀର ଵଞ୍ଚିଵା ପାଇଁ ଵିପଜ୍ଜନକ ହୋଇଯାଉଥିଲା। ଅନ୍ୟାନ୍ୟ ଜୀଵଙ୍କ ଅପେକ୍ଷା ଏକ ଦୁର୍ଵଳ ଜୀଵ ହୋଇଥିଵାରୁ ତଥା ଅତ୍ୟନ୍ତ ବୁଦ୍ଧିମାନ ହୋଇଥିଵାରୁ ମାନଵଜାତି ମଧ୍ୟରେ ଏହା ଅଧିକ ସମ୍ବେଦନଶୀଳ ଵିଷୟ ଥିଲା ।
ଏହି କାରଣରୁ, ସ୍ୱାଧୀନତା ରକ୍ଷା କରିଵାର ପ୍ରଵୃତ୍ତି ଵିଵର୍ତ୍ତନଗତ କାରଣ ଯୋଗୁଁ ଏକ ସୁରକ୍ଷା ପ୍ରଣାଳୀ ରୂପରେ ଵିକଶିତ ହୋଇଛି। ଯେଉଁ ଵ୍ୟକ୍ତିମାନେ ନିଜର ସ୍ୱାଧୀନତାକୁ ରକ୍ଷା କରିଵାରେ ଅଧିକ ସଫଳ ଥିଲେ, ସେମାନେ ଵଞ୍ଚିଵା ଓ ଵଂଶଵୃଦ୍ଧି କରିଵା ହେତୁ ଅଧିକ ସୁଯୋଗ ପାଇଥିଲେ। ଏହିପରି, ପୀଢ଼ୀ ପରେ ପୀଢ଼ୀ ହଜାର ହଜାର ପୀଢ଼ିଧରି ଏହି ଵୈଶିଷ୍ଟ୍ୟ ଶକ୍ତିଶାଳୀ ହୋଇଅଛି। ଏହି ମନୋଵୈଜ୍ଞାନିକ ପ୍ରତିଘାତ ଆଜି ମଧ୍ୟ ମଣିଷକୁ ଅତ୍ୟଧିକ ନିୟନ୍ତ୍ରଣ, ଶୋଷଣ ଏଵଂ କ୍ଷମତାର ଦୁରୁପୟୋଗରୁ ରକ୍ଷା କରିଵାରେ ସହାୟକ ହୋଇଥାଏ। ଏହା ଵ୍ୟକ୍ତିଗତ ସ୍ୱାଧୀନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନଵ ଅଧିକାର ରକ୍ଷା କରିଵାର ଏକ ପ୍ରାକୃତିକ ପ୍ରଣାଳୀ ଭାଵରେ କାର୍ଯ୍ୟ କରେ।
ମନୋଵୈଜ୍ଞାନିକ ପ୍ରତିଘାତ ଵିଭିନ୍ନ ଵୟସରେ ଭିନ୍ନ ଭିନ୍ନ ରୂପରେ ପ୍ରକାଶ ପାଏ। ଶିଶୁମାନେ ମଧ୍ୟ ବହୁତ କମ୍ ଵୟସରୁ ହିଁ ଏହି ପ୍ରତିଘାତ ପ୍ରଦର୍ଶନ କରିଵା ଆରମ୍ଭ କରନ୍ତି। ଦୁଇ-ତିନି ଵର୍ଷ ଵୟସରେ ଶିଶୁମାନେ ପ୍ରାୟତଃ "ନା" କହିଵା ଆରମ୍ଭ କରନ୍ତି ଏଵଂ ନିଜର ଇଚ୍ଛା ପ୍ରକାଶ କରିଵାକୁ ଚେଷ୍ଟା କରନ୍ତି। ଏହା ସେମାନଙ୍କର ସ୍ୱାଧୀନତା ଏଵଂ ଆତ୍ମପରିଚୟ ଵିକଶିତ ହେଵାର ଏକ ସଙ୍କେତ ଅଟେ।
ପିତାମାତା ଏଵଂ ଅଭିଭାଵକମାନେ ଏହି ପର୍ଯ୍ୟାୟରେ ପ୍ରାୟତଃ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି। ଯେତେବେଳେ ସେମାନେ ଶିଶୁମାନଙ୍କୁ କିଛି କରିଵାକୁ ମନା କରନ୍ତି, ଶିଶୁମାନେ ଠିକ୍ ସେହି କାମଟିକୁ କରିଵାକୁ ଅଧିକ ଆଗ୍ରହୀ ହୋଇପଡ଼ନ୍ତି। ଉଦାହରଣସ୍ୱରୂପ, ଯଦି କୌଣସି ଖେଳନାକୁ ସ୍ପର୍ଶ କରିଵାକୁ ଵା ପାଟିରେ ପୂରେଇଵାକୁ ମନା କରାଯାଏ, ତେବେ ସେହି ଖେଳନା ପ୍ରତି ଶିଶୁର ଆଗ୍ରହ ଵୃଦ୍ଧି ପାଏ ଏଵଂ ସେ ବାରମ୍ବାର ତାକୁ ଧରିଵାକୁ କିମ୍ବା ପାଟିରେ ପୂରେଇଵାକୁ ଚେଷ୍ଟା କରେ ।
କିଶୋର ଏଵଂ ଯୁଵାଵସ୍ଥାରେ ଏହି ପ୍ରତିଘାତ ଆହୁରି ତୀଵ୍ର ରୂପ ଧାରଣ କରେ । ଏହି ସମୟରେ କିଶୋର-କିଶୋରୀ ତଥା ଯୁଵକ-ଯୁଵତୀମାନେ ନିଜର ପରିଚୟ ଖୋଜିଵା ଏଵଂ ସ୍ୱାଧୀନତା ପ୍ରତିଷ୍ଠା କରିଵାର ପ୍ରକ୍ରିୟାରେ ଥାଆନ୍ତି। ପିତାମାତା କିମ୍ଵା ସମାଜ ଦ୍ୱାରା ଲଗାଯାଇଥିଵା ନିୟମ ଏଵଂ ସୀମା ପ୍ରତି ସେମାନେ ପ୍ରାୟତଃ ଵିରୋଧ କରନ୍ତି। କିଶୋରମାନଙ୍କୁ ଯଦି କୌଣସି ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିଵାକୁ, ନିର୍ଦ୍ଦିଷ୍ଟ ସଙ୍ଗୀ ରଖିଵାକୁ, କିମ୍ଵା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରେ ଯୋଗଦେଵାକୁ ମନା କରାଯାଏ, ସେମାନେ ପ୍ରାୟତଃ ଏହାର ଵିରୋଧରେ ଵିଦ୍ରୋହ କରନ୍ତି। ଏଥିଯୋଗୁଁ ବେଳେବେଳେ ସେମାନେ ଭୁଲ୍ ନିଷ୍ପତ୍ତି ନେଇଯାଆନ୍ତି ଯାହା ସେମାନଙ୍କ ଜୀଵନ ପ୍ରତି କ୍ଷତିକାରକ ସାଵ୍ୟସ୍ତ ହୁଏ ।
ଏହି ପ୍ରତିଘାତ କିଶୋରମାନଙ୍କ ଵିକାଶର ଏକ ସାଧାରଣ ଏଵଂ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ସେମାନଙ୍କୁ ନିଜର ମତାମତ ଗଠନ କରିଵା, ସ୍ୱାଧୀନ ଚିନ୍ତା କରିଵା ଏଵଂ ନିଜର ନିଷ୍ପତ୍ତି ନେଵାରେ ସହାୟତା କରେ। ତଥାପି, ଏହା ପିତାମାତା ଏଵଂ ସନ୍ତାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱର କାରଣ ମଧ୍ୟ ହୋଇପାରେ।
ମନୋଵୈଜ୍ଞାନିକ ପ୍ରତିଘାତ ଵ୍ୟକ୍ତିଗତ ସ୍ତରରୁ ବାହାରି ସାମାଜିକ ଏଵଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରେ। ଇତିହାସ ଏହାର ଅନେକ ଉଦାହରଣରେ ପରିପୂର୍ଣ୍ଣ ରହିଛି।
ସରକାର ଯେତେବେଳେ ଅତ୍ୟଧିକ କଡ଼ା ନିୟମ ପ୍ରଣୟନ କରେ କିମ୍ଵା ଜନସାଧାରଣଙ୍କ ସ୍ୱାଧୀନତା ଉପରେ ଅଯଥା ବାଧା ସୃଷ୍ଟି କରେ, ତେବେ ଜନସାଧାରଣଙ୍କ ମଧ୍ୟରେ ଵିରୋଧ,ଵିଦ୍ରୋହ ଓ ପ୍ରତିକ୍ରିୟା ସୃଷ୍ଟି ହୁଏ। ନିଷେଧାଜ୍ଞା ଯୁଗରେ ଆମେରିକାରେ ମଦ ନିଷିଦ୍ଧ କରିଵାର ଫଳ ସ୍ୱରୂପ ଅଵୈଧ ମଦ ଵ୍ୟଵସାୟର ଵୃଦ୍ଧି ହୋଇଥିଲା । ସେନସରସିପ୍ ଓ ସୂଚନା ସୀମିତକରଣ ପ୍ରାୟତଃ ଲୋକଙ୍କୁ ସେହି ସୂଚନା ପାଇଵାକୁ ଅଧିକ ଆଗ୍ରହୀ କରିଦିଏ।
ସ୍ୱାଧୀନତା ଆନ୍ଦୋଳନ, ଗଣତାନ୍ତ୍ରିକ ଵିପ୍ଳଵ ଏଵଂ ମାନଵାଧିକାର ସଂଗ୍ରାମ ସବୁ ମନୋଵୈଜ୍ଞାନିକ ପ୍ରତିଘାତର ଵୃହତ୍ ସାମାଜିକ ଅଭିଵ୍ୟକ୍ତି। ଯେତେବେଳେ ଜନସାଧାରଣଙ୍କ ମୌଳିକ ସ୍ୱାଧୀନତା ଉପରେ ଆକ୍ରମଣ ହୁଏ, ସେମାନେ ତାକୁ ପୁନଃପ୍ରତିଷ୍ଠା କରିଵାକୁ ଏକତ୍ରିତ ହୁଅନ୍ତି।
ଭାରତର ସ୍ୱାଧୀନତା ସଂଗ୍ରାମ ଏହାର ଏକ ଉଜ୍ଜ୍ୱଳ ଉଦାହରଣ। ଵ୍ରିଟିଶ ଶାସନ ଦ୍ୱାରା ଲଗାଯାଇଥିଵା ଅନ୍ୟାୟପୂର୍ଣ୍ଣ ନିୟମ ଏଵଂ ସୀମାଵଦ୍ଧତା ଭାରତୀୟମାନଙ୍କର ସ୍ୱାଧୀନତା ପାଇଵାର ଇଚ୍ଛାକୁ ଆହୁରି ପ୍ରଜ୍ୱଳିତ କରିଥିଲା। ଲଵଣ ସତ୍ୟାଗ୍ରହ ଏହାର ଏକ ପ୍ରତୀକାତ୍ମକ ଉଦାହରଣ ଅଟେ । ଲଵଣ ତିଆରି ଉପରେ କଠୋର କଟକଣା ଯୋଗୁଁ ୧୮୮୮ରେ ପ୍ରଥମେ କଟକଠାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଶାନ୍ତିପ୍ରିୟ ଵିରୋଧ ସଭା ହୋଇଥିଲା କିନ୍ତୁ ସେତେବେଳେ କଂଗ୍ରେସ ଏହାକୁ ଆଞ୍ଚଳିକ ସମସ୍ୟା କହି ଧ୍ୟାନ ଦେଇନଥିଲା । ବହୁତ ପରେ ଯେତେବେଳେ ଏହି ସମସ୍ୟା ଦେଶଵ୍ୟାପୀ ଵିକଟ ରୂପ ନେଲା ସେତେବେଳେ ଏହା ପ୍ରତିରୋଧର ମାଧ୍ୟମ ହୋଇଥିଲା।
ପୁଣି ଦେଖାଯାଏ ଯେ ଵ୍ୟଵସାୟୀ ଏଵଂ ଵିପଣନକାରୀମାନେ ମନୋଵୈଜ୍ଞାନିକ ପ୍ରତିଘାତର ଏହି ସିଦ୍ଧାନ୍ତକୁ ନିଜର ଉତ୍ପାଦ ଵିକ୍ରୟ ଵଢ଼ାଇଵା ପାଇଁ ଵ୍ୟଵହାର କରନ୍ତି। ସୀମିତ ସଂସ୍କରଣ, ସୀମିତ ସମୟ, କେଵଳ ଚୟନିତ ଗ୍ରାହକଙ୍କ ପାଇଁ - ଏହି ସବୁ କୌଶଳ ମୂଳତଃ କୃତ୍ରିମ ସୀମା ସୃଷ୍ଟି କରି ଗ୍ରାହକଙ୍କ ଇଚ୍ଛା ଵଢ଼ାଇଥାଏ। "କେଵଳ ସଦସ୍ୟଙ୍କ ପାଇଁ" କିମ୍ଵା "କେଵଳ VIP ଗ୍ରାହକଙ୍କ ପାଇଁ" ଭଳି ଲେବଲ୍ ଲଗାଇ ଉତ୍ପାଦକୁ ଅଧିକ ଆକର୍ଷଣୀୟ କରାଯାଏ। ଏକ୍ସକ୍ଲୁସିଵିଟି ଵା ଵିଶେଷତ୍ୱ ସୃଷ୍ଟି କରି ଗ୍ରାହକମାନେ ଅନୁଭଵ କରନ୍ତି ଯେ ସେମାନଙ୍କର ପସନ୍ଦ ସୀମିତ ହୋଇଯାଉଛି, ଯାହା ସେମାନଙ୍କର କିଣିଵାର ଇଚ୍ଛାକୁ ଵଢ଼ାଇଥାଏ। ଵିଜ୍ଞାପନରେ "ଯାହା ଆପଣ ପାଇପାରିବେ ନାହିଁ" ଭଳି ଵାର୍ତ୍ତା ପ୍ରଦାନ କରି ମନୋଵୈଜ୍ଞାନିକ ପ୍ରତିଘାତ ସୃଷ୍ଟି କରାଯାଏ। କେତେକ ବ୍ରାଣ୍ଡ ଜାଣିଶୁଣି ଵିଵାଦାତ୍ମକ କିମ୍ଵା ନିଷିଦ୍ଧ ପ୍ରସଙ୍ଗ ଉଠାନ୍ତି କାରଣ ସେମାନେ ଜାଣନ୍ତି ଯେ ଏହା ଅଧିକ ଆଗ୍ରହ ଏଵଂ ଆଲୋଚନା ସୃଷ୍ଟି କରିଵ।
ତଥାପି, ଏହି କୌଶଳ ସର୍ଵଦା ସଫଳ ହୁଏ ନାହିଁ। ଯଦି ଗ୍ରାହକମାନେ ବୁଝିଯାଆନ୍ତି ଯେ ସେମାନଙ୍କୁ ମନସ୍ତାତ୍ତ୍ୱିକ ଭାବେ ନିୟନ୍ତ୍ରଣ କରିଵାକୁ ଚେଷ୍ଟା କରାଯାଉଛି, ତେବେ ସେମାନେ ଵିରକ୍ତ ହୋଇ ବ।ବ୍ରାଣ୍ଡଠାରୁ ଦୂରେଇ ଯାଇପାରନ୍ତି।
ସେହିପରି ସ୍ୱାସ୍ଥ୍ୟ ସେଵା ଏଵଂ ଶିକ୍ଷା କ୍ଷେତ୍ରରେ ମନୋଵୈଜ୍ଞାନିକ ପ୍ରତିଘାତ ବୁଝିଵା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଡାକ୍ତର ରୋଗୀଙ୍କୁ ଅତ୍ୟଧିକ କଡ଼ା ନିର୍ଦ୍ଦେଶ ଦିଅନ୍ତି କିମ୍ଵା ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଅତ୍ୟଧିକ ସୀମାଵଦ୍ଧ କରନ୍ତି ସେତେବେଳେ ପ୍ରାୟତଃ ଵିରୋଧାତ୍ମକ ପ୍ରତିକ୍ରିୟା ଦେଖାଯାଏ। ସ୍ୱାସ୍ଥ୍ୟ କ୍ଷେତ୍ରରେ, ରୋଗୀମାନଙ୍କୁ ଯଦି ସେମାନଙ୍କର ଚିକିତ୍ସା ସମ୍ଵନ୍ଧରେ ନିଷ୍ପତ୍ତି ନେଵାର ସୁଯୋଗ ଦିଆଯାଏ ତେବେ ସେମାନେ ଚିକିତ୍ସା ପ୍ରତି ଅଧିକ ପ୍ରତିଵଦ୍ଧ ହୁଅନ୍ତି। ଏହାର ଵିପରୀତରେ, ଯଦି ଡାକ୍ତର କେଵଳ ଆଦେଶ ଦିଅନ୍ତି ଏଵଂ ରୋଗୀଙ୍କର ମତାମତ ଶୁଣନ୍ତି ନାହିଁ, ତେବେ ରୋଗୀମାନେ ପ୍ରାୟତଃ ସେହି ନିର୍ଦ୍ଦେଶାଵଳୀ ପାଳନ କରିଵାରେ ଅନିଚ୍ଛା ପ୍ରକାଶ କରିଥାନ୍ତି। ଧୂମପାନ ଵିରୋଧୀ ଅଭିଯାନର ଅଧ୍ୟୟନ ଦର୍ଶାଇଛି ଯେ ଅତ୍ୟଧିକ ଭୟ ଦେଖାଇଵା କିମ୍ଵା ଆଦେଶାତ୍ମକ ଭାଷା ଵ୍ୟଵହାର କରିଵା ପ୍ରାୟତଃ ଵିପରୀତ ଫଳାଫଳ ଦେଇଥାଏ। ଯୁଵକମାନେ ଏହାକୁ ନିଜର ସ୍ୱାଧୀନତା ଉପରେ ଆକ୍ରମଣ ଭାବରେ ଦେଖନ୍ତି ଏଵଂ ଅଧିକ ଵିଦ୍ରୋହୀ ହୋଇପଡ଼ନ୍ତି। ଶିକ୍ଷା କ୍ଷେତ୍ରରେ, ଅତ୍ୟଧିକ କଡ଼ା ନିୟମ ଏଵଂ ସୀମାଵଦ୍ଧତା ମଧ୍ୟ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଏଵଂ ଆଗ୍ରହକୁ ହ୍ରାସ କରିପାରେ। ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଏଵଂ ପସନ୍ଦର ସୁଯୋଗ ଦିଆଯାଏ ସେତେବେଳେ ସେମାନେ ଅଧିକ ପ୍ରେରିତ ଏଵଂ ଜଡ଼ିତ ହୁଅନ୍ତି।
ଯଦିଓ ମନୋଵୈଜ୍ଞାନିକ ପ୍ରତିଘାତ ଏକ ପ୍ରାକୃତିକ ଏଵଂ ଅନେକ କ୍ଷେତ୍ରରେ ଉପକାରୀ ପ୍ରଵୃତ୍ତି ତେବେ ଏହାର କେତେକ ନକାରାତ୍ମକ ପରିଣାମ ମଧ୍ୟ ଦେଖାଯାଏ। କେତେକ ପରିସ୍ଥିତିରେ ଏହା ଅଯୌକ୍ତିକ କିମ୍ଵା କ୍ଷତିକାରକ ଵ୍ୟଵହାରକୁ ଉତ୍ସାହିତ କରିପାରେ। ଉଦାହରଣସ୍ୱରୂପ, କେତେକ ଯୁଵକ କେଵଳ ପ୍ରତିଘାତର କାରଣରୁ ଵିପଜ୍ଜନକ କାର୍ଯ୍ୟକଳାପରେ ଜଡ଼ିତ ହୋଇପାରନ୍ତି। ମାଦକ ଦ୍ରଵ୍ୟ ସେଵନ, ଅତ୍ୟଧିକ ଦ୍ରୁତଗତିରେ ଗାଡ଼ି ଚଳାଇଵା କିମ୍ଵା ଅନ୍ୟାନ୍ୟ ଵିପଦପୂର୍ଣ୍ଣ ଵ୍ୟଵହାର ପ୍ରାୟତଃ ନିଷେଧର ପ୍ରତିକ୍ରିୟାରେ ଆରମ୍ଭ ହୋଇଥାଏ। ପାରିଵାରିକ ସମ୍ପର୍କରେ ମଧ୍ୟ ଅତ୍ୟଧିକ ପ୍ରତିଘାତ ସମସ୍ୟା ସୃଷ୍ଟି କରିପାରେ। ଯେତେବେଳେ ପିତାମାତା ଏଵଂ ସନ୍ତାନ ମଧ୍ୟରେ କେଵଳ ନିୟନ୍ତ୍ରଣ ଏଵଂ ପ୍ରତିରୋଧର ଚକ୍ର ଚାଲୁଥାଏ ସେତେବେଳେ ସମ୍ପର୍କ ଖରାପ ହୋଇଯାଏ ଏଵଂ ସମ୍ପ୍ରେଷଣ ଵିଚ୍ଛିନ୍ନ ହୋଇଯାଏ। ସାମାଜିକ ଏଵଂ ରାଜନୈତିକ କ୍ଷେତ୍ରରେ, ପ୍ରତିଘାତ ପ୍ରାୟତଃ ଲୋକଙ୍କୁ ନିଜର ଦୀର୍ଘକାଳୀନ ସ୍ୱାର୍ଥ ଵିରୁଦ୍ଧରେ ମତଦାନ କିମ୍ଵା କାର୍ଯ୍ୟ କରିଵାକୁ ପ୍ରେରିତ କରିପାରେ। ଯଦି ସେମାନେ ଅନୁଭଵ କରନ୍ତି ଯେ କେହି ସେମାନଙ୍କୁ ନିର୍ଦ୍ଦିଷ୍ଟ ଦିଗରେ ନିଷ୍ପତ୍ତି ନେଵାକୁ ଵାଧ୍ୟ କରୁଛନ୍ତି ତେବେ ସେମାନେ ଵିପରୀତ ଦିଗରେ ଯାଇପାରନ୍ତି ମାତ୍ର ଏହା ସେମାନଙ୍କ ପାଇଁ ଉପକାରୀ ହୋଇନଥାଏ ।
ଏହି ମନୋଵୈଜ୍ଞାନିକ ପ୍ରତିଘାତକୁ ସାମ୍ନା କରିଵାର ଅନେକ ଉପାୟ ରହିଛି । ମନୋଵୈଜ୍ଞାନିକ ପ୍ରତିଘାତକୁ ବୁଝିଵା ଏଵଂ ସେହି ଅନୁଯାୟୀ କାର୍ଯ୍ୟ କରିଵା ଵିଭିନ୍ନ କ୍ଷେତ୍ରରେ ଉପକାରୀ ହୋଇପାରେ। ପ୍ରଭାଵଶାଳୀ ସମ୍ପ୍ରେଷଣ ଏଵଂ ମନୋଭାଵର ମାଧ୍ୟମରେ ପ୍ରତିଘାତକୁ ହ୍ରାସକରିଵା ସମ୍ଭଵ।
ପସନ୍ଦର ସ୍ୱାଧୀନତା ପ୍ରଦାନ କରିଵା ଅତ୍ୟନ୍ତ ଆଵଶ୍ୟକ। ଆଦେଶ ଦେଵା ପରିଵର୍ତ୍ତେ ଵିକଳ୍ପ ପ୍ରଦାନ କରିଵା ପ୍ରତିଘାତ କମାଇଥାଏ। ଉଦାହରଣସ୍ୱରୂପ, ପିତାମାତା ଶିଶୁକୁ ଡରାଇ ଧମକାଇ ଆଦେଶ ଦେଵା ଶୈଳୀରେ କହିଵା ପରିଵର୍ତ୍ତେ ତାକୁ ବୁଝାଇ ଠିକ୍ ବାଟ ଦେଖାଇ ପାରନ୍ତି । ଧରନ୍ତୁ ଜଣେ ଝିଅ ଲଵ୍ ଜିହାଦ୍ କଵଳରେ ପଡ଼ିଯାଇଛି ତେବେ ତାକୁ ବାଡ଼େଇ ପିଟି ସାବାଡ଼ କଲେ ସିଏ କୌଣସି ଭୁଲ୍ ନିଷ୍ପତ୍ତି ନେଇଯାଇପାରେ । ତେଣୁ ତାକୁ ଯଦି ଲଵ୍ ଜିହାଦ୍ର ଭୟାଵହତା ଏଵଂ ତଥାକଥିତ ଶାନ୍ତିପ୍ରିୟ ସମ୍ପ୍ରଦାୟର ସମାଜ ମଧ୍ୟରେ ଥିଵା ତିନ୍ ତଲାକ୍ ଓ ହଲାଲା ଭଳି ଵିସଙ୍ଗତି ତଥା ସମାଜ ପ୍ରତି କରାଯାଇଥିଵା ଆତଙ୍କଵାଦୀ କାର୍ଯ୍ୟକଳାପ ସମ୍ବନ୍ଧରେ ବୁଝାଇ ଦେଖାଇ ଜଣାଇ ଦିଆଯାଏ ତେବେ ହୁଏତ ତାହାର ଆଖି ଖୋଲିଯିଵ ।
ତେଣୁ କାରଣ ଵ୍ୟାଖ୍ୟା କରିଵା ମହତ୍ତ୍ୱପୂର୍ଣ୍ଣ। ଯେତେବେଳେ ଲୋକେ ବୁଝନ୍ତି କାହିଁକି କୌଣସି ନିୟମ କିମ୍ଵା ସୀମା ଆଵଶ୍ୟକ, ସେମାନେ ଏହାକୁ ଅଧିକ ଗ୍ରହଣ କରନ୍ତି। କେଵଳ "କାରଣ ମୁଁ କହୁଛି ତେଣୁ ତୁ ଵା ତମେ ମାନିଵାକୁ ଵାଧ୍ୟ" କହିଵା ଦ୍ଵାରା ପ୍ରତିଘାତ ଵଢ଼ିଥାଏ। ପୁଣି ସହଯୋଗୀ ମନୋଭାଵ ଗ୍ରହଣ କରିଵା ସହାୟକ ହୋଇଥାଏ। ସମାନ ଭାବେ କଥାଵାର୍ତ୍ତା କରିଵା ଏଵଂ ଅନ୍ୟର ମତାମତକୁ ସମ୍ମାନ ଦେଵା ପ୍ରତିଘାତକୁ ହ୍ରାସ କରେ। ଏ କ୍ଷେତ୍ରରେ ଧୀରେ ଧୀରେ ପରିଵର୍ତ୍ତନ ଆଣିଵା ଉଚିତ୍। ହଠାତ୍ ଏଵଂ କଠୋର ସୀମାଵଦ୍ଧତା ଅପେକ୍ଷା ଧୀରେ ଧୀରେ ସ୍ୱାଧୀନତା ହ୍ରାସ କରିଵା କମ୍ ପ୍ରତିଘାତ ସୃଷ୍ଟି କରେ। ସକାରାତ୍ମକ ଭାବେ ସମ୍ପ୍ରେଷଣ କରିଵା ଗୁରୁତ୍ୱପୂର୍ଣ୍ଣ। "କର ନାହିଁ" କହିଵା ପରିଵର୍ତ୍ତେ "ଏହା କରିଵା ଉତ୍ତମ" କହିଵା ଅଧିକ ପ୍ରଭାଵଶାଳୀ ହୋଇଥାଏ।
ଆଜିର ଡିଜିଟାଲ୍ ଯୁଗରେ ମନୋଵୈଜ୍ଞାନିକ ପ୍ରତିଘାତର ନୂତନ ରୂପ ଦେଖାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଯେତେବେଳେ ଵିଷୟଵସ୍ତୁକୁ ନିୟନ୍ତ୍ରଣ କିମ୍ଵା ସେନସର୍ କରିଵାକୁ ଚେଷ୍ଟା କରନ୍ତି, ଉପଭୋକ୍ତାମାନେ ପ୍ରାୟତଃ ଵିରୋଧ କରନ୍ତି ଏଵଂ ସେହି ଵିଷୟଵସ୍ତୁକୁ ଅଧିକ ଭାଇରାଲ୍ କରିଦିଅନ୍ତି। ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ସରକାର ବ୍ୟାନ୍ କଲାପରେ ଅନେକ ଭାରତୀୟ VPN ଲଗେଇ ଦେଖିଥିଲେ ଏଵଂ ଏବେବି ଦେଖୁଛନ୍ତି। କିଛି ଦିନ ତଳେ ପାକିସ୍ତାନରେ ଧୂରନ୍ଧର ଚଳଚ୍ଚିତ୍ର ଉପରେ ବ୍ୟାନ୍ ଲାଗିଥିଲା । ଏହାର ଫଳାଫଳ ହାସ୍ୟାସ୍ପଦ ଥିଲା କାରଣ ପାକିସ୍ତାନୀ ଜନତା ଲକ୍ଷାଧିକ ସଂଖ୍ୟାରେ ଧୂରନ୍ଧରର ପାଇରେଟେଟ୍ କପିକୁ ଇଣ୍ଟରନେଟରୁ ଡାଉନଲୋଡ କରି ଦେଖିଥିଲେ ।
ସେହିପରି ଅନଲାଇନ୍ ଗୋପନୀୟତା ଏଵଂ ତଥ୍ୟ ସୁରକ୍ଷା ସମ୍ଵନ୍ଧରେ ଵର୍ତ୍ତମାନ ଅନେକ ଆଲୋଚନା ହେଉଛି। ଯେତେବେଳେ କମ୍ପାନୀଗୁଡ଼ିକ ଅତ୍ୟଧିକ ତଥ୍ୟ ସଂଗ୍ରହ କରନ୍ତି କିମ୍ଵା ଉପଭୋକ୍ତାଙ୍କର ଅନଲାଇନ୍ ସ୍ୱାଧୀନତାକୁ ସୀମିତ କରନ୍ତି, ଲୋକେ ପ୍ରତିରୋଧ କରନ୍ତି। କୋଵିଡ୍-୧୯ ମହାମାରୀ ସମୟରେ ଵିଭିନ୍ନ ଦେଶରେ ଲଗାଯାଇଥିଵା ଲକଡାଉନ୍ ଏଵଂ ପ୍ରତିଵନ୍ଧକ ପ୍ରତି କେତେକ ଲୋକଙ୍କର ପ୍ରତିଘାତ ମଧ୍ୟ ଦେଖାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଵଶ୍ୟକ ଥିଲା କିନ୍ତୁ କେତେକ ଲୋକେ ଏହାକୁ ନିଜର ସ୍ୱାଧୀନତା ଉପରେ ଆକ୍ରମଣ ଭାବରେ ଦେଖି ଵିରୋଧ କରିଥିଲେ। Evangeline Lilly ଭଳି ହଲିଉଡ୍ ଅଭିନେତ୍ରୀ କୋଵିଡ୍ ଟୀକାର ଵିରୋଧ କରିଥିଲେ ।³
ଏହା ମଧ୍ୟ ଧ୍ୟାନ ଦେଵା ଆଵଶ୍ୟକ ଯେ ମନୋଵୈଜ୍ଞାନିକ ପ୍ରତିଘାତର ତୀଵ୍ରତା ଏଵଂ ଅଭିଵ୍ୟକ୍ତି ଵିଭିନ୍ନ ସଂସ୍କୃତିରେ ଭିନ୍ନ ହୋଇପାରେ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଵ୍ୟକ୍ତିଵାଦୀ ସଂସ୍କୃତି , ଵ୍ୟକ୍ତିଗତ ସ୍ୱାଧୀନତା ଏଵଂ ଅଧିକାରକୁ ଅଧିକ ମହତ୍ତ୍ୱ ଦିଆଯାଏ ତେଣୁ ସେଠାରେ ପ୍ରତିଘାତ ଅଧିକ ତୀଵ୍ର ହୋଇପାରେ। କିନ୍ତୁ ଅନେକ ପୂର୍ଵୀୟ ସଂସ୍କୃତି ମୁଖ୍ୟତଃ ସମୂହଵାଦୀ ସଂସ୍କୃତି ହୋଇଥିଵାରୁ ସାମାଜିକ ସଦ୍ଭାଵନା ଏଵଂ ସମୂହର ସ୍ୱାର୍ଥକୁ ଅଧିକ ମହତ୍ତ୍ୱ ଦିଆଯାଏ ତେଣୁ ପ୍ରତିଘାତ କମ୍ ତୀଵ୍ର ହୋଇପାରେ। ତଥାପି, ଏହା ସବୁବେଳେ ଓ ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବରେ ଦେଖାଯାଏ ନାହିଁ ଏଵଂ ପ୍ରତ୍ୟେକ ଵ୍ୟକ୍ତିର ପ୍ରତିକ୍ରିୟା ଵିଭିନ୍ନ କାରକ ଉପରେ ନିର୍ଭର କରେ।
ମନୋଵୈଜ୍ଞାନିକ ପ୍ରତିଘାତ ମାନଵ ମନୋଵିଜ୍ଞାନର ଏକ ମୌଳିକ ଏଵଂ ସର୍ଵଵ୍ୟାପୀ ଦିଗ। ଏହା କେଵଳ ଏକ ମାନସିକ ଵିଶେଷତ୍ୱ ନୁହେଁ, ଵରଂ ମାନଵ ଵିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ଆମକୁ ସ୍ୱାଧୀନତା ଏଵଂ ଆତ୍ମନିର୍ଣ୍ଣୟର ଅଧିକାର ରକ୍ଷା କରିଵାରେ ସହାୟତା କରେ। ଏହି ପ୍ରଵୃତ୍ତିର ଗଭୀର ବୋଧଗମ୍ୟ ଵିଭିନ୍ନ କ୍ଷେତ୍ରରେ ଉପକାରୀ ହୋଇପାରେ। ପିତାମାତା ଏହାକୁ ବୁଝିଵା ଦ୍ୱାରା ନିଜ ସନ୍ତାନଙ୍କୁ ଅଧିକ ପ୍ରଭାଵଶାଳୀ ଭାବରେ ମାର୍ଗଦର୍ଶନ କରିପାରିବେ। ଶିକ୍ଷକମାନେ ଏହାକୁ ଵ୍ୟଵହାର କରି ଛାତ୍ରଛାତ୍ରୀମାନଙ୍କର ପ୍ରେରଣା ବଢ଼ାଇପାରିବେ। ନେତାମାନେ ଏହାକୁ ବୁଝିଵା ଦ୍ୱାରା ଅଧିକ ଗ୍ରହଣଯୋଗ୍ୟ ନୀତି ନିର୍ଦ୍ଧାରଣ କରିପାରିବେ।
ତଥାପି,ମନୋଵୈଜ୍ଞାନିକ ପ୍ରତିଘାତ ଵା psychological reactanceକୁ କେଵଳ ଏକ ସମସ୍ୟା ଭାବରେ ଵିଵେଚିତ କରିଵା ଠିକ୍ ନୁହେଁ। ମନୋଵୈଜ୍ଞାନିକ ପ୍ରତିଘାତ ହେଉଛି ମାନଵ ସ୍ୱାଧୀନତାର ଏକ ସ୍ୱାଭାଵିକ ପ୍ରହରୀ। ଏହା ଆମକୁ ଅନ୍ୟାୟ ନିୟନ୍ତ୍ରଣ, ଶୋଷଣ ଏଵଂ କ୍ଷମତାର ଦୁରୁପୟୋଗରୁ ରକ୍ଷା କରେ। ଏହା ଵ୍ୟକ୍ତିଗତ ସ୍ୱାଧୀନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନଵ ଅଧିକାର ରକ୍ଷା କରିଵାର ଏକ ପ୍ରାକୃତିକ ଯନ୍ତ୍ର ଅଟେ। ଜ୍ୟାକ୍ ବ୍ରେହମ୍ଙ୍କର ଏହି ସିଦ୍ଧାନ୍ତ ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ, ଯଦିଓ ତାଙ୍କ ସମୟଠାରୁ ଆଜିର ସମାଜ ଏଵଂ ପ୍ରଯୁକ୍ତିଵିଦ୍ୟାରେ ଵିରାଟ ପରିଵର୍ତ୍ତନ ଆସିଛି। ଆଜିର ଆଧୁନିକ ଯୁଗରେ ଯେହେତୁ ସୂଚନା, ଗୋପନୀୟତା ଏଵଂ ଵ୍ୟକ୍ତିଗତ ସ୍ୱାଧୀନତା ଉପରେ ନୂତନ ଚ୍ୟାଲେଞ୍ଜ ଦେଖାଦେଇଛି ତେଣୁ ମନୋଵୈଜ୍ଞାନିକ ପ୍ରତିଘାତକୁ ବୁଝିଵା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ମନୋଵୈଜ୍ଞାନିକ ପ୍ରତିଘାତ ମାନଵୀୟ ସ୍ୱାଧୀନତା ପ୍ରେମର ଏକ ଗଭୀର ଏଵଂ ସ୍ୱାଭାଵିକ ଅଭିଵ୍ୟକ୍ତି । ଏହା ଆମକୁ ମନେ ପକାଇଦିଏ ଯେ ମଣିଷ କେଵଳ ନିଷ୍ପତ୍ତି ନେଵାର ଯନ୍ତ୍ର ନୁହେଁ, ଵରଂ ସେ ଏକ ସ୍ୱାଧୀନ ଇଚ୍ଛାଶକ୍ତି ସମ୍ପନ୍ନ ପ୍ରାଣୀ ଅଟେ। ନିଜର ଜୀଵନ, ପସନ୍ଦ ଏଵଂ ଭଵିଷ୍ୟତ ଉପରେ ନିୟନ୍ତ୍ରଣ ରଖିଵାର ଇଚ୍ଛା ମାନଵୀୟ ଅସ୍ତିତ୍ଵର ଏକ ମୌଳିକ ଅଂଶ ଏଵଂ ମନୋଵୈଜ୍ଞାନିକ ପ୍ରତିଘାତ ଏହି ମୌଳିକ ଅଧିକାରର ସୁରକ୍ଷାକଵଚ ପରି କାର୍ଯ୍ୟ କରିଥାଏ ।
••••••••••••••••••••••••••••••••••••••
ସୂଚନା:
¹(ମଧ୍ୟଯୁଗରେ ଏହି ସର୍ପକୁ ସଇତାନ୍ ଵା ଲୁସିଫର୍ ସହିତ ଯୋଡ଼ାଯାଇଥିଲା କିନ୍ତୁ ମୂଳ ବାଇବେଲରେ କେଵଳ ସର୍ପ ଉଲ୍ଲେଖ ଅଛି)
²(ବାଇବେଲରେ ଥିଵା Genesisର ଅଧ୍ୟାୟ ୨ରୁ ଅଧ୍ୟାୟ ୩ ପର୍ଯ୍ୟନ୍ତ Adam ଓ Eveଙ୍କ କାହାଣୀ ରହିଛି।)
³(Ant-Man and the Wasp ଚଳଚ୍ଚିତ୍ରରେ ଅଭିନୟ କରିଥିଵା Evangeline Lilly ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ୨୦୨୨ ମସିହାରେ Washington, D.C.ରେ ଆୟୋଜିତ “Defeat the Mandate” ନାମକ ଏକ ରାଲିରେ ଯୋଗ ଦେଇଥିଲେ ଏଵଂ Instagramରେ ପୋଷ୍ଟ କରି କହିଥିଲେ ଯେ କାହାକୁ ଜବରଦସ୍ତି ଶରୀରରେ କିଛି ଇଞ୍ଜେକ୍ଟ କରାଯିଵା ଉଚିତ୍ ନୁହେଁ।)
⁴("ରୋମିଓ ଓ ଜୁଲିଏଟ୍ ପ୍ରଭାବ" ମନୋଵିଜ୍ଞାନ କ୍ଷେତ୍ରରେ ଏକ ଵିଶେଷ ଧାରଣା ଭାବରେ ପରିଚିତ, ଯାହା ପ୍ରଥମେ ଏକ ପ୍ରସିଦ୍ଧ ଅଧ୍ୟୟନରେ ପ୍ରସ୍ତାଵିତ ହୋଇଥିଲା । ଏହି ପ୍ରଭାଵ ଅନୁସାରେ ଯେତେବେଳେ କୌଣସି ପ୍ରେମ ସମ୍ପର୍କରେ ଵାହ୍ୟ ଵିରୋଧ ଵା ବାଧା ଆସେ, ଵିଶେଷକରି ପିତାମାତାଙ୍କ ପକ୍ଷରୁ ଵିରୋଧ କିମ୍ବା ହସ୍ତକ୍ଷେପ ହୁଏ, ସେତେବେଳେ ସେହି ଦମ୍ପତିଙ୍କ ମଧ୍ୟରେ ପ୍ରେମର ତୀଵ୍ରତା ଓ ଆକର୍ଷଣ ଵୃଦ୍ଧି ପାଇଥାଏ। ଏହାକୁ ପ୍ରଥମେ ବ୍ରିଟିଶ୍ ଅଭିନେତା ଓ ନିର୍ଦ୍ଦେଶକ Richard Driscollଙ୍କ ଦ୍ୱାରା ନାମକରଣ କରାଯାଇଥିଲା ଯିଏ William Shakespeareଙ୍କ ନାଟକ Romeo and Julietର ପ୍ରଧାନ ଚରିତ୍ରଙ୍କ ନାମରେ ଏହି ଧାରଣାକୁ ଵ୍ୟାଖ୍ୟା କରିଥିଲେ। ଏହି ନାଟକରେ ଦୁଇ ପ୍ରେମିକଙ୍କ ପରିଵାରର ଶତ୍ରୁତା ଯୋଗୁଁ ସେମାନଙ୍କ ପ୍ରେମ ଆହୁରି ତୀଵ୍ର ହୋଇଥିଲା, ଯାହା ଏହି ମନୋଵିଜ୍ଞାନୀୟ ପ୍ରଭାଵର ଏକ ସାହିତ୍ୟିକ ଉଦାହରଣ ଅଟେ। ଏହି ଧାରଣାର ମୂଳ ଅଧ୍ୟୟନ ୧୯୭୨ ମସିହାରେ ହୋଇଥିଲା, ଯେଉଁଥିରେ Richard Driscoll, Keith Davis ଓ Milton Lipetz ଆଦି ଗଵେଷକମାନେ ୧୪୦ ଯୋଡ଼ି ପ୍ରେମିକ-ପ୍ରେମିକାଙ୍କୁ ଅଧ୍ୟୟନ କରିଥିଲେ। ସେମାନେ ଦେଖିଲେ ଯେ ପିତାମାତାଙ୍କ ହସ୍ତକ୍ଷେପ ଵା ଵିରୋଧ ଯେତେ ବଢ଼ିଥାଏ ତତୋଽଧିକ ଦମ୍ପତିଙ୍କ ମଧ୍ୟରେ ପ୍ରେମର ମାତ୍ରା ବୃଦ୍ଧି ପାଇଥାଏ ଏଵଂ ଵିଵାହର ଇଚ୍ଛା ମଧ୍ୟ ଅଧିକ ହୁଏ। ଏହି ଫଳାଫଳ ଅନୁସାରେ ପରିଵାରର ଵିରୋଧ ପ୍ରେମକୁ ଆହୁରି ଗଭୀର କରିଥାଏ ଏଵଂ ଏହାକୁ ଏକ ସ୍ଥାୟୀ ପ୍ରଭାଵ ଭାବରେ ଵର୍ଣ୍ଣନା କରାଯାଇଥିଲା। ଏହି ପ୍ରଭାବର ମୂଳ କାରଣ ଭାବରେ ଗଵେଷକମାନେ reactance theoryକୁ ଉଲ୍ଲେଖ କରିଥିଲେ । କିନ୍ତୁ ଏହି ଧାରଣାର ସ୍ଥାୟୀତ୍ୱ ଓ ଵ୍ୟାପକତା ଉପରେ ପରଵର୍ତ୍ତୀ ଗଵେଷଣାରେ ପ୍ରଶ୍ନ ଉଠିଛି। ଅନେକ ପରଵର୍ତ୍ତୀ ଅଧ୍ୟୟନରେ ଏହି ପ୍ରଭାଵର ପୁନରାଵୃତ୍ତି ହୋଇନାହିଁ ଵରଂ ଵିପରୀତ ଫଳାଫଳ ମଧ୍ୟ ଦେଖାଯାଇଛି। ଉଦାହରଣ ସ୍ୱରୂପ, ୨୦୧୪ ମସିହାରେ ଏକ ଵିସ୍ତୃତ ପୁନରାବୃତ୍ତି ଅଧ୍ୟୟନରେ Colleen Sinclair ଓ ତାଙ୍କ ସହଯୋଗୀମାନେ ଦେଖିଲେ ଯେ ପରିଵାର ଓ ବନ୍ଧୁମାନଙ୍କର ଵିରୋଧ ପ୍ରେମ, ଵିଶ୍ୱାସ, ପ୍ରତିଵଦ୍ଧତା ଆଦିକୁ ହ୍ରାସ କରିଥାଏ ଏଵଂ ସମ୍ପର୍କର ଗୁଣଵତ୍ତା ଖରାପ ହୁଏ। ଏହି ଅଧ୍ୟୟନରେ ମୂଳ ଅଧ୍ୟୟନର ସ୍କେଲ୍ ଵ୍ୟଵହାର କରି ମଧ୍ୟ କୌଣସି Romeo and Juliet effect ଦେଖାଯାଇନଥିଲା। ଏହି ଅଧ୍ୟୟନ ଵରଂ social network effectକୁ ସମର୍ଥନ କରୁଥିଲା, ଯେଉଁଥିରେ ପରିଵାର ଓ ସାମାଜିକ ସମର୍ଥନ ସମ୍ପର୍କକୁ ଶକ୍ତିଶାଳୀ କରେ ଏଵଂ ବିରୋଧ ଏହାକୁ ଦୁର୍ଵଳ କରେ।)
ଏ ଵିଷୟରେ ଅଧିକ ଜାଣିଵା ପାଇଁ ନିମ୍ନୋକ୍ତ ବହିଗୁଡି଼କୁ ପଢ଼ନ୍ତୁ:
1.A Theory of Psychological Reactance - Jack W. Brehm
2.Psychological Reactance: A Theory of Freedom and Control - Sharon S. Brehm ଏବଂ Jack W. Brehm
3.Freedom and Reactance - Robert A. Wicklund
4.The Role of Psychological Reactance in Human-Computer Interaction - Patrick Ehrenbrink
•••••••••••••••••••••••••••••••••••••
No comments:
Post a Comment