Garcinia xanthochymus ଗଛକୁ ଓଡ଼ିଶାରେ ସତ୍ୟଆମ୍ଵ କୁହାଯାଏ। ଏହା ଏକ ଚିରହରିତ ଉଷ୍ଣମଣ୍ଡଳୀୟ ଗଛ ଏଵଂ Clusiaceae ଉଦ୍ଭିଦ କୁଳ ଅନ୍ତର୍ଗତ। ଏହା ଦକ୍ଷିଣ ଏସିଆର ଭାରତ, ଶ୍ରୀଲଙ୍କା, ମାଲେସିଆ, ମିଆଁମାର, ଥାଇଲ୍ୟାଣ୍ଡ, ଓ ଭିଏତନାମ ଆଦି ଦେଶରେ ଦେଖାଯାଏ। ଭାରତରେ ଏହା ଓଡ଼ିଶା, ଆସାମ, ଚଟ୍ଟଗ୍ରାମ, ପଶ୍ଚିମଵଙ୍ଗ, ଓ ଦକ୍ଷିଣାତ୍ୟ ରାଜ୍ୟଗୁଡ଼ିକରେ ମିଳିଥାଏ। ଏହାର ଫଳ ଅମ୍ଳଯୁକ୍ତ, ସ୍ୱାଦିଷ୍ଟ, ଓ ଔଷଧୀୟ ଗୁଣଯୁକ୍ତ, ଯାହା ଏହାକୁ ଖାଦ୍ୟ ଓ ଔଷଧ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ କରିଛି।
ଏହାର ସାଧାରଣ ଇଂରାଜୀ ନାମ ମଧ୍ୟରେ false mangosteen, gamboge, yellow mangosteen, Himalayan Garcinia ଓ sour mangosteen ଅନ୍ୟତମ। ଭାରତରେ ଏହା ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଵଙ୍ଗାଳୀରେ ଏହାକୁ ଡେଫଳ କୁହାଯାଏ ଏଵଂ ସମ୍ଭଵତଃ ଏହା ଦେଫଳ ଵା ଦେଵଫଳର ପରିଵର୍ତ୍ତିତ ରୂପ ହୋଇଥାଇପାରେ। ଆସାମୀୟାରେ ଏହାର ନାମ ଟେପର ଟେଙା, ମଣିପୁରୀରେ heirangoi, ତାମିଳରେ பசும்பிடி (ପଚୁମ୍ପିଟି), ତୁଲୁରେ ಜಾರಿಗೆ ಪುಳಿ (ଜାରିଗେ ପୁଳି) ଓ ମଳୟାଳମ ଭାଷାରେ പിണമ്പുളി (ପିଣମ୍ପୁଳି) କୁହାଯାଏ ।
ତେବେ Garcinia xanthochymus ଗଛଟି ଓଡ଼ିଶାରେ ସାଧାରଣତଃ ସତ୍ୟଆମ୍ଵ ଵା ସତ୍ୟାମ୍ଵ ନାମରେ ପରିଚିତ। ଵିଶେଷତଃ ଓଡ଼ିଶାର ଗଡ଼ଜାତ ଅଞ୍ଚଳ, ଉତ୍ତରାଞ୍ଚଳ, ଓ ଜଙ୍ଗଲମୟ ଅଞ୍ଚଳରେ ସତ୍ୟଆମ୍ଵ ଗଛ ଦେଖାଯାଏ। ଏହାର ଫଳ ଦରିଦ୍ରଜନଙ୍କ ଦ୍ୱାରା ଖାଦ୍ୟ ଓ ଆଚାର ତିଆରିରେ ଵ୍ୟଵହୃତ ହୁଏ ଏଵଂ ଏହାର ଔଷଧୀୟ ଗୁଣ ଆୟୁର୍ଵେଦ ଓ ଲୋକଔଷଧ ଭାବେ ଵ୍ୟଵହୃତ ହୋଇଥାଏ ।
Garcinia xanthochymus ମୂଳତଃ Clusiaceae ନାମକ ଏକ ପୁରୁଣା ଉଦ୍ଭିଦ କୁଳର ଵଡ଼ ଗଛ ଅଟେ। ଏହି ଗଛ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଆଦ୍ର ଉଷ୍ଣ ଵନରେ ଵଢ଼ିଥାଏ ।Clusiaceae ଉଦ୍ଭିଦ କୁଳର ଗଛମାନେ ବହୁତ ପୁରୁଣା । ଆଜକୁ ପ୍ରାୟ ୫୦-୬୦ ନିୟୁତ ଵର୍ଷ ଆଗରୁ ଅର୍ଥାତ୍ Cretaceous ଓ Paleogene ଯୁଗରେ Clusiaceae କୁଳର ଵିଵର୍ତ୍ତନ ଇତିହାସ ଆରମ୍ଭ ହୋଇଥିଲା। ଏହି କୁଳରେ ଫଳ ଦେଉଥିଵା, ଫୁଲ ଦେଉଥିଵା ଓ ଔଷଧୀୟ ଗୁଣ ଥିଵା ଅନେକ ଜାତୀୟ ଗଛ ରହିଛି। ଆମେରିକାର New Jerseyରୁ ମିଳିଥିଵା Clusiaceae କୁଳ ସମ୍ଵନ୍ଧୀୟ ଏକ ପ୍ରାଚୀନ ଗଛର ଜୀଵାଶ୍ମରୁ ଜଣାପଡ଼ିଛି ଯେ ପ୍ରାରମ୍ଭିକ କାଳରେ ହିଁ ଏହି କୁଳର ଗଛମାନେ ମହୁମାଛି ଓ ଅନ୍ୟ କୀଟଙ୍କ ସାହାଯ୍ୟରେ ଫୁଲରୁ ପରାଗ ଵିସ୍ତାର କରୁଥିଲେ। ଵର୍ତ୍ତମାନ Clusiaceae କୁଳରେ ପ୍ରାୟ ୧୩ଟି ଵଂଶ ଓ ୭୫୦ରୁ ଅଧିକ ଜାତି ଅଛି ଏଵଂ Clusiaceae କୁଳର ଅଧିକାଂଶ ଗଛ ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆର ଉଷ୍ଣ ଓ ଆଦ୍ର ଅଞ୍ଚଳରେ ମିଳେ।
ପ୍ରାୟ ୬୬ ନିୟୁତ ଵର୍ଷ ପୂର୍ବେ ଏକ ବଡ଼ ଗ୍ରହାଣୁ ପୃଥିଵୀକୁ ଧକ୍କା ଦେଇଥିଲା, ଯାହା ଅନେକ ପ୍ରାଣୀ ଓ ଗଛକୁ ନଷ୍ଟ କରିଦେଇଥିଲା। ଏହା ପରେ, Clusiaceae କୁଳର ଗଛମାନେ ନୂଆ ନୂଆ ଜାଗାରେ ବଢ଼ିଵାକୁ ଲାଗିଲେ। ଉଷ୍ଣ ଓ ଆଦ୍ର ଜଙ୍ଗଲରେ ଏମାନେ ଅନେକ ପ୍ରକାରର ଫୁଲ ଓ ଫଳ ଦେଵା ଆରମ୍ଭ କଲେ। ଏହାର ଫୁଲରେ ମଧୁ ଥାଏ, ଯାହା ପକ୍ଷୀ ଓ କୀଟଙ୍କୁ ଆକର୍ଷିତ କରେ। ଏହି ପରାଗଣ ପ୍ରକ୍ରିୟା ଏମାନଙ୍କୁ ଵିଭିନ୍ନ ଜାଗାରେ ଵିସ୍ତାର କରିଵାରେ ସାହାଯ୍ୟ କଲା।
Garcinia xanthochymus ଏହି Clusiaceae କୁଳର Garcinia ଉଦ୍ଭିଦଵଂଶର ଏକ ଵିଶିଷ୍ଟ ଉଦ୍ଭିଦ ଜାତି ଅଟେ। ଗଵେଷକମାନେ କୁହନ୍ତି ଯେ ଏହାର ଉତ୍ପତ୍ତି ହିମାଳୟ ଓ ଦକ୍ଷିଣ-ପୂର୍ଵ ଏସିଆର ଜଙ୍ଗଲରେ ହୋଇଥିଲା। Garcinia xanthochymus ସାଧାରଣତଃ ସମୁଦ୍ର ପତ୍ତନରୁ ୧୪୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଵଢ଼େ। ଏହାର ଫଳ ଅମ୍ଳଯୁକ୍ତ ଓ ମିଠା, ଯାହା ପଶୁ ଓ ପକ୍ଷୀଙ୍କୁ ଆକର୍ଷିତ କରେ। ଏହାର ଵୀଜ ପହର୍ନବିଲ୍ ଓ ବୁଲବୁଲ୍ ଭଳି ପକ୍ଷୀ ତଥା ହାତୀ, ହରିଣ, ଵାନର ଆଦି ପଶୁମାନେ ଖାଇ ଦୂର ଦୂର ଜାଗାକୁ ନେଇଯାଆନ୍ତି। ଏହି ପ୍ରକ୍ରିୟା ଦ୍ୱାରା Garcinia xanthochymusର ଵୀଜ ଅନେକ ଜାଗାରେ ଵିସ୍ତାର ହୁଏ, ଯାହା ଏହାର ଵଂଶ ଵଢ଼ିଵାରେ ସାହାଯ୍ୟ କରେ। ସେହିପରି ଚୀନର Xishuangbanna ଜଙ୍ଗଲରେ ଏକ ଜାତୀୟ ସ୍ଥାନୀୟ ମୂଷା ଏହାର ଵୀଜ ଖାଇ ଜମା କରେ, ଯାହା ନୂଆ ଗଛ ହେଵାରେ ସହାୟକ ହୁଏ।
Garcinia xanthochymus ର ଫଳ, ଛାଲ, ପତ୍ର ଓ ଵୀଜରେ ଔଷଧୀୟ ଗୁଣ ଅଛି। ଏହି ଗଛରେ xanthones ନାମକ ରାସାୟନିକ ପଦାର୍ଥ ମିଳେ ଯାହା ଜୀଵାଣୁ ନାଶକ, ମ୍ୟାଲେରିଆ ରୋଧକ ଓ ମସ୍ତିଷ୍କରେ ନୂଆ କୋଷ ତିଆରି କରିଵାରେ ସାହାଯ୍ୟ କରେ। ଏହାର ଫଳରେ phenolic acids ଓ flavonoids ଅଛି, ଯାହା ଶରୀରରେ ରୋଗ ସହ ଲଢ଼ିଵା କ୍ଷେତ୍ରରେ ଶକ୍ତି ବଢ଼ାଏ, ସୁଗାର ରୋଗ ଓ କର୍କଟ ରୋଗକୁ ରୋକିଵାରେ ସାହାଯ୍ୟ କରେ।
ଜାନ୍ଥୋନ୍ (xanthones) ଵ୍ୟତୀତ Garcinia xanthochymus ଗଛରେ ଫ୍ଲାଵୋନଏଡ୍ (flavonoids), ବେଞ୍ଜୋଫେନୋନ୍ (benzophenones) ଭଳି ଫାଇଟୋକେମିକାଲ୍ ଥାଏ ଯାହା ଏହାକୁ ଶକ୍ତିଶାଳୀ ଔଷଧୀୟ ଗୁଣ ପ୍ରଦାନ କରେ । ଏହାର ମୁଖ୍ୟ ଔଷଧୀୟ ଗୁଣଗୁଡ଼ିକ ହେଉଛି ଆଣ୍ଟିଅକ୍ସିଡାଣ୍ଟ (antioxidant) ଗୁଣ ଯାହା ଶରୀରରେ ମୁକ୍ତ ରାଡିକାଲ୍କୁ ନିୟନ୍ତ୍ରଣ କରି ଅକ୍ସିଡେଟିଵ୍ ଷ୍ଟ୍ରେସ୍ କମାଏ । ଏହା ଡାଏବେଟିସ୍ (antidiabetic) ନିୟନ୍ତ୍ରଣରେ ସାହାଯ୍ୟ କରେ ତଥା Nerve Growth Factor ବଢ଼ାଇଵାରେ ସହାୟକ ହୁଏ । ଏହାର ପତ୍ର ଓ ଫଳରେ anti-inflammatory ଗୁଣ ଅଛି ଯାହା ଯାହା ପ୍ରଦାହ କମାଇଵାରେ ଉପକାରୀ ଅଟେ। ପାରମ୍ପରିକ ଭାବେ ଏହାକୁ diarrhea,dysentery,ଵାନ୍ତି, ଉଦ୍ଗାର ଓ ପେଟ ରୋଗରେ ଵ୍ୟଵହାର କରାଯାଏ । ଏହା ଆଣ୍ଟିମାଇକ୍ରୋବାଇଆଲ୍ (antimicrobial) ଗୁଣ ଯୋଗୁଁ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ଵିରୋଧରେ କାମ କରେ । କିଛି ଅଧ୍ୟୟନରେ ଏହାର ଆଣ୍ଟିକ୍ୟାନ୍ସର୍ (anticancer) ସମ୍ଭାଵନା ଦେଖାଯାଇଛି ଯେଉଁଥିରେ ବିଭିନ୍ନ କ୍ୟାନ୍ସର ସେଲ୍ ଲାଇନ୍ ଉପରେ ଏହାର ପ୍ରଭାଵ ପରୀକ୍ଷା କରାଯାଇଛି । ଏହାର ଛାଲ ଓ ଫଳ elastase inhibitor ଭାବେ କାମ କରି ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ଉପକାରୀ ହୋଇପାରେ । ପାରମ୍ପରିକ ଚୀନ ଦେଶୀୟ ଔଷଧରେ ଏହାକୁ କୃମି ନିଵାରଣ, ଖାଦ୍ୟ ଵିଷ ହଟାଇଵା ଓ ଅନ୍ୟାନ୍ୟ ରୋଗରେ ଵ୍ୟଵହାର କରାଯାଏ । ଏହାର ଫଳ ଆୟୁର୍ଵେଦ ଅନୁସାରେ ପାଚନ ଶକ୍ତି ବଢ଼ାଇଵା, ଲିଭର୍ ସଫା କରିଵା ଓ ରୋଗ ପ୍ରତିରୋଧ କ୍ଷମତା ବଢ଼ାଇଵାରେ ଉପଯୋଗୀ । ଏହି ଗୁଣଗୁଡ଼ିକ ଏହାର ଵିଵର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରିଥିଲା। Garcinia xanthochymusର ଛାଲରୁ ନିର୍ଗତ ହେଉଥିଵା ହଳଦିଆ ରସକୁ "ଗାମ୍ବୋଜ୍" କୁହାଯାଏ ଏଵଂ ଏ ରସ ପୁରୁଣା କାଳରେ ରଙ୍ଗ ଓ ଔଷଧ ରୂପେ ଵ୍ୟଵହାର ହେଉଥିଲା।
Garcinia xanthochymusର ଏହି ସବୁ ଗୁଣ ମଣିଷଙ୍କୁ ଆକର୍ଷିତ କରି ଏହାର ଵିସ୍ତାରରେ ସାହାଯ୍ୟ କରିଛି। ପୂର୍ଵେ ମଣିଷମାନେ ଏହାର ଫଳକୁ ଖାଦ୍ୟ ଓ ଔଷଧ ରୂପେ ଵ୍ୟଵହାର କରୁଥିଲେ, ଯାହା ଏହାର ଵଂଶ ଵଢ଼ାଇଵାରେ ମଧ୍ୟ ସହାୟକ ହୋଇଛି। ମଣିଷମାନେ Garcinia xanthochymusକୁ ଅନେକ ଜାଗାରେ ଚାଷ କରିଛନ୍ତି। ଉଦାହରଣ ସ୍ୱରୂପ, ୧୯୦୦ ମସିହାରେ ଏହାକୁ Hawaiiରେ ଲଗାଯାଇଥିଲା। ମଣିଷମାନଙ୍କ ଦ୍ଵାରା ଏ ଗଛ ଏସିଆରୁ ଯାଇ ଉତ୍ତର ପୂର୍ଵ ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକା ମହାଦେଶର ଦକ୍ଷିଣାଞ୍ଚଳରେ ଲଗାଯାଇଛି । ଭାରତ, ଥାଇଲ୍ୟାଣ୍ଡ ଓ ଚୀନରେ Garcinia xanthochymusର ଫଳକୁ ଜାମ୍, ଅମ୍ଳ କିମ୍ଵା ଖାଦ୍ୟରେ ଵ୍ୟଵହାର କରାଯାଏ। କିନ୍ତୁ ଜଙ୍ଗଲ କଟା ଓ ଜଳଵାୟୁ ପରିଵର୍ତ୍ତନ ହେତୁ ଏ ଗଛ ଧିରେ ଧିରେ ଜଙ୍ଗଲରୁ ଅଦୃଶ୍ୟ ହୋଇ ଯାଉଅଛି।
Garcinia xanthochymus ଏକ ମଧ୍ୟମ ଆକାରର ଚିରହରିତ ଗଛ, ଯାହା 10-20 ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ। ଏହାର ସ୍କନ୍ଧ ଵା ଗଣ୍ଡି ସ୍ଥୂଳ ଓ ଡାଳଗୁଡ଼ିକ ଘନ ହୋଇଥାଏ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, ଏହି ଗଛ ତମାଳ ଗଛ ପରି ଚିରଶ୍ୟାମଳ ଓ ଘନସନ୍ନଦ୍ଧ। ଏହାର ପତ୍ରଗୁଡ଼ିକ ଆମ୍ଵଗଛର ପତ୍ରଠାରୁ ବଡ଼, ମୋଟା, ଓ ଚିକ୍କଣ। ପତ୍ରଗୁଡ଼ିକ ଲମ୍ଵା, ଅଣ୍ଡାକାର, ଓ ଚମକଦାର ଯାହା ଗଛକୁ ଏକ ଆକର୍ଷଣୀୟ ରୂପ ଦିଏ। ଏହାର ଘନ ପତ୍ରସମୂହ ଜଙ୍ଗଲରେ ଛାୟା ପ୍ରଦାନ କରେ। ଏହାର ଫୁଲ ଧଳା ଓ ସୁଗନ୍ଧଯୁକ୍ତ ଏଵଂ ଵସନ୍ତ ଋତୁରେ ଫୁଟେ। ଫୁଲଗୁଡ଼ିକ ଛୋଟ ଓ ସରଳ କିନ୍ତୁ ସୁନ୍ଦର ଓ ଆକର୍ଷଣୀୟ। ଏହାର ଫଳ ଗୋଲାକାର, ନେଙ୍ଗଡ଼ା ଆମ୍ଵ, କିମ୍ଵା କେନ୍ଦୁ ଫଳ ପରି ଦେଖାଯାଏ। କଞ୍ଚା ଫଳ ଖଟା, କିନ୍ତୁ ପାଚିଲେ ଈଷତ୍ ମିଠା ଓ ଖଟା ସ୍ୱାଦ ଧାରଣ କରେ। ପାଚିଲା ଫଳ ହଳଦିଆ ଵା ନାରଙ୍ଗୀ ରଙ୍ଗର ହୁଏ, ଯାହା ପାଚିଲା ଆମ୍ଵର କିମ୍ବା ହଳଦିଆ ପାଚିଲା ପିଜୁଳି ରଙ୍ଗ ସହ ସାମଞ୍ଜସ୍ୟ ରଖେ। ଫଳର ଭିତରେ ଏକ ଖୋସା ଵା ଚିରୁଡ଼ା ଥାଏ ଏଵଂ ବଉଳ ମଞ୍ଜିଠାରୁ ବଡ଼ ଓ କଳା ରଙ୍ଗର ଅନେକ ଲମ୍ଵା ମଞ୍ଜି ରହିଥାଏ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏସିଆର ଵିଭିନ୍ନ ଅଞ୍ଚଳରେ Garcinia xanthochymus ଗଛର ଫଳ ଵର୍ଷା ଓ ଶରତ ଋତୁରେ ପାଚେ। ପାଚିଲା ଫଳ ଗରିଵ ଲୋକେ ଖାଆନ୍ତି ଓ ଆମ୍ଵିଳ ତରକାରୀ ତିଆରି କରନ୍ତି। କଞ୍ଚା ଫଳକୁ କାଟି ଆଚାର ତିଆରି କରାଯାଏ। ଏହାର ଵୀଜରୁ ତୈଳ ନିଷ୍କାସିତ ହୁଏ, ଯାହା ତିକ୍ତ, ଅମ୍ଳମଧୁର, ପାଚକ, ରୁଚିକାରକ, ଵଳକର, ଓ ସାରକ। ଏହା କୃମି, କୁଷ୍ଠ, ଓ ଵ୍ରଣ ରୋଗରେ ଔଷଧୀୟ ଭାବେ ଉପକାରୀ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, Garcinia xanthochymus ର ଅପକ୍ୱ ଫଳ ଅମ୍ଳ, ଧାରକ, ଵାୟୁନାଶକ, ଉଷ୍ଣଵୀର୍ଯ୍ୟ, ଗୁରୁ, ଓ ପିତ୍ତଵର୍ଦ୍ଧକ। ପକ୍ୱ ଫଳ ଦୀପକ, ରୁଚିଜନକ, ଲଘୁ, ଉଷ୍ଣଵୀର୍ଯ୍ୟ, ଓ କଫ ଓ ଵାୟୁନାଶକ। ଏହାର ଵିଜରୁ ନିଷ୍କାସିତ ତୈଳ ଔଷଧୀୟ ଦୃଷ୍ଟିରୁ ଅତ୍ୟନ୍ତ ମୂଲ୍ୟଵାନ।
ଆମେ ଜାଣନ୍ତି ଯେ Garcinia xanthochymusକୁ ଓଡ଼ିଶାରେ ସତ୍ୟଆମ୍ବ କୁହାଯାଏ । ତେବେ ସାରଳା ଦାସ ଵିରଚିତ ସାରଳା ମହାଭାରତରେ ମଧ୍ୟ ସତ୍ୟଆମ୍ଵ ନାମରେ ଏକ ଗଛର ଉଲ୍ଲେଖ ଅଛି। ଉକ୍ତ ସତ୍ୟଆମ୍ବ ଗଛର ଉତ୍ପତ୍ତି ଓ ଫଳ ସମ୍ଵନ୍ଧୀୟ ଏକ ଆକର୍ଷଣୀୟ କାହାଣୀ ସାରଳା ଦାସ ତାଙ୍କ ମହାଭାରତରେ ଵର୍ଣ୍ଣନା କରିଛନ୍ତି। ଏହି କଥା ପାଣ୍ଡଵମାନଙ୍କର ଅଜ୍ଞାତଵାସ ସମୟରେ ଘଟିଥିଵା ଏକ ଘଟଣା ସହ ଜଡ଼ିତ।
ପାଣ୍ଡଵମାନଙ୍କର ଅଜ୍ଞାତ ଵନଵାସ ସ୍ଥାନର ପରିଚୟ ପାଇଵା ସକାଶେ ଦିନେ ଦୁର୍ଯୋଧନ ମାମୁ ଶକୁନିଙ୍କ ସହିତ ମନ୍ତ୍ରଣା କଲେ ଏଵଂ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ତାକୁ ପାଣ୍ଡଵମାନଙ୍କର ଅନୁସନ୍ଧାନ ନିମିତ୍ତ ପଠାଇଦେଲେ।
“ପୁରଞ୍ଜନ ପଣ୍ଡାର ପୁତ୍ର ଗୋଉରମୁଖ ବୋଲି ।
ତାହାକୁ ପଠିଆଅ ମୋହୋର ଵିଚାରେ କହିଲି ॥
ଶକୁନି ଵଚନ ଶୁଣିକରି ରାଜା ଦ୍ରିଯୋଧନ ।
ସନ୍ନିଧକୁ ହକାରିଲେ ପୁରଞ୍ଜନର ନନ୍ଦନ ॥”
ଗୌରମୁଖକୁ ଦୁର୍ଯୋଧନ ଆଦେଶ ଦେଇଥାନ୍ତି ଯେ ଯେଉଁମାନେ ଆଶ୍ୱିନ ମାସରେ ଆମ୍ଵଫଳ ଦେଇ ପାରିବେ, ସେମାନେ ପାଣ୍ଡଵ ବୋଲି ଚିହ୍ନି ଆମ୍ଭକୁ ଆସି ଜଣାଅ।
“ଦ୍ରିଯୋଧନ ବୋଇଲା ତୁହି ଖୋଜିବୁ ତାହାଙ୍କୁ ।
ସେହି ନ ଚିହ୍ନିଲେ ଭଲ ହୋଇଵ ଆମ୍ଭକୁ ॥
ଯହିଁ ରହିଅଛନ୍ତି ପାଣ୍ଡଵ ପଞ୍ଚ ଵୀରେ ।
ଅନେକ ଋଷି ତପୋଧନେ ଥିବେ ସଙ୍ଗତରେ ॥
ସରୂପ ଜାଣିବୁ ତୁ ଵିଚାରି ପରିମଳ ।
ଆଶ୍ୱିନ ମାସରେ ତୁ ମାଗିବୁ ପକ୍ଵଚୂତ ଫଳ ॥
ଖୋଜିଣ ସେ ଵନେ ଯଦି ଆମ୍ଵ ନ ପାଇବେ ।
ସତ୍ୟଆମ୍ଵ ହୋଇଵଟି ବୋଇଲେ ପାଣ୍ଡବେ ॥”
ଚାରିମାସ ପର୍ଯ୍ୟନ୍ତ ପାଣ୍ଡଵଙ୍କୁ ଉଣ୍ଡିଵା ପରେ ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ ଅସ୍କନ୍ଦ ଵନରେ ଠାଵ କରି ତାଙ୍କର ଅତିଥି ହେଲେ।
“ଗଉରମୁଖ ବୋଲି ସେ ପୁରଞ୍ଜନ ପଣ୍ଡାର ଵଳା ।
ଚାରିମାସେ ଯାଇ ସେ ପାଣ୍ଡେଵନ୍ତ ଠାଵକଲା ॥
ପାଣ୍ଡଵ ରହିଛନ୍ତି ଅସ୍କନ୍ଦ ନାମେ ଵନେ ।
ମୁକତ ଗଙ୍ଗା ଵହଇ ଯେ ଉତ୍ତର ଵାହାନେ ॥
ସେ ଉତ୍ତରାଂକୁରେ ଅଛି ରାମଘାଟ ତୀର୍ଥ ।
ତହିଁ ସେ ପାଣ୍ଡଵ ରହିଛନ୍ତି ପଞ୍ଚୁ ଭ୍ରାତ ॥”
ଏଠାରେ ଜାଣିରଖିଵା ଉଚିତ୍ ଯେ ମୂଳ ମହାଭାରତରେ ପାଣ୍ଡଵମାନେ "କାମ୍ୟକ ଵନ ଓ ଦୈତଵନ" ଏହା ଦୁଇଟି ଵନରେ ବାରମାସ ଵନଵାସ କାଳଯାପନ କରିଥିଲେ । କାମ୍ୟକଵନ ହରିୟଣାରେ ପ୍ରଵାହିତ ସରସ୍ଵତୀ ନଦୀ କୂଳରେ ଥିଲା ଏଵଂ ଏହାର ଦକ୍ଷିଣ ଭାଗରେ ଦୈତଵନ ଅଵସ୍ଥିତ ଥିଲା । ଏହି ଵନର ନାମକରଣ ମତ୍ସ୍ୟ ରାଜ୍ୟର ରାଜା ଧ୍ୱସନ ଦ୍ୱୈତଵନଙ୍କ ନାମାନୁସାରେ ନାମିତ ହୋଇଥିଲା ବୋଲି ମହାଭାରତରେ ଉଲ୍ଲେଖ ଅଛି । ଏହି ରାଜା ଅଶ୍ୱମେଧ ଯଜ୍ଞ କରି ଇନ୍ଦ୍ରଙ୍କୁ ୧୪ଟି ଘୋଡ଼ା ଦାନ କରିଥିଲେ। ପ୍ରୋକ୍ତ ରାଜାଙ୍କ କୀର୍ତ୍ତି ଯୋଗୁଁ ପରେ ସେହି ଯଜ୍ଞ ସ୍ଥଳ ନିକଟରେ ଥିଵା ଏକ ପଵିତ୍ର ହ୍ରଦ (ଦ୍ୱୈତ ହ୍ରଦ) ଓ ଆଖପାଖର ଵନକୁ ତାଙ୍କ ନାମରେ "ଦ୍ୱୈତଵନ" କୁହାଗଲା। ଦୈତଵନ ହ୍ରଦ ଓ ଦୈତଵନ ଜଙ୍ଗଲ ଅତି ସୁନ୍ଦର, ପକ୍ଷୀମାନଙ୍କରେ ପରିପୂର୍ଣ୍ଣ, ଫୁଲ-ଫଳରେ ଭରା ଏଵଂ ଋଷି-ମୁନିମାନଙ୍କର ଵାସସ୍ଥାନ ଥିଲା। ଅର୍ଜୁନ ଏହି କାରଣରୁ ଏଠାକୁ ଵନଵାସ ପାଇଁ ପ୍ରସ୍ତାଵ ଦେଇଥିଲେ। ଏହା କୁରୁ ରାଜ୍ୟର ଦକ୍ଷିଣ-ପଶ୍ଚିମ ସୀମାନ୍ତରେ ଥିଲା । ଆଜିର ଆଧୁନିକ ଭାରତରେ ଏହା ଥାର ମରୁଭୂମିର ଉତ୍ତର ଵିସ୍ତାର ନିକଟରେ ଥିଵାରୁ ଏହା ହରିୟାଣାର ଦକ୍ଷିଣ-ପଶ୍ଚିମ ଭାଗ ଅର୍ଥାତ୍ ସିରସା, ଫତେହାଵାଦ, ହିସାର ଜିଲ୍ଲା ଆଦିର ଆଖପାଖ ଅଞ୍ଚଳ ସହ ଜଡ଼ିତ ବୋଲି ଅନେକ ଵିଦ୍ୱାନ ମତ ଦିଅନ୍ତି। କେତେକ ମତରେ ଏହା ଉତ୍ତର ପ୍ରଦେଶର ସହାରନପୁର ଵା ଦେଵବନ୍ଦ ଅଞ୍ଚଳ ସହ ମଧ୍ୟ ଜଡ଼ିତ ହୋଇପାରେ, କାରଣ ପ୍ରାଚୀନ ସରସ୍ୱତୀ ନଦୀର ପ୍ରଵାହ ସେଠାରେ ଥିଵା ଅନୁମାନ କରାଯାଏ। କିନ୍ତୁ ଅଧିକାଂଶ ସ୍ଥାନରେ ହରିୟାଣାର ଦକ୍ଷିଣ-ପଶ୍ଚିମ ଅଞ୍ଚଳକୁ ଅଧିକ ସମର୍ଥନ ମିଳେ। ଅଵଶ୍ୟ ପ୍ରାଚୀନ କାଳରେ ଯେଉଁ ଘନ ଵନ, ହ୍ରଦ,ଫୁଲ-ଫଳ, ପକ୍ଷୀ ଓ ହରିଣରେ ଭରା ଦ୍ୱୈତଵନ ଥିଲା, ତାହା ଏବେ ସମ୍ପୂର୍ଣ୍ଣ ରୂପେ ଵନ ଭାବରେ ଅଵଶିଷ୍ଟ ନାହିଁ। ସରସ୍ୱତୀ ନଦୀ ଶୁଖିଵା, କୃଷି, ନଗରୀକରଣ ଓ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ସେହି ଅଞ୍ଚଳ ଏବେ ଅଧିକାଂଶ କୃଷିଭୂମି, ଗାଁ ଓ ଅର୍ଦ୍ଧଶୁଷ୍କ ହୋଇଯାଇଛି। କିଛି ଛୋଟ ଛୋଟ ଜଙ୍ଗଲ ଵା ସଂରକ୍ଷିତ ଅଞ୍ଚଳ ଥାଇପାରେ, କିନ୍ତୁ ମହାଭାରତ କାଳର ଵିଶାଳ ଵନ ଏବେ ଆଉ ନାହିଁ । ସାରଳା ମହାଭାରତରେ ସମ୍ଭଵତଃ ଏହି ଦୈତଵନକୁ ଅସ୍କନ୍ଦ ଵନ କୁହାଯାଇଛି । ଅଖଞ୍ଜିଆ ଅସୁଵିଧାଜନକ ସ୍ଥାନକୁ ଓଡ଼ିଆ ଭାଷାରେ ଅସ୍କନ୍ଦ କୁହାଯାଏ ।ଯେଉଁ ସ୍ଥାନକୁ ସହଜେ କେହି ଯାଇ ପାରେ ନାହିଁ ସେଭଳି ଘଞ୍ଚ ଅସ୍କନ୍ଦ ଜଙ୍ଗଲରେ ପାଣ୍ଡଵମାନେ ଦୂର୍ଯ୍ୟୋଧନର ଗୁପ୍ତଚରଙ୍କଠାରୁ ଗୋପନରେ ରହୁଥିଲେ । ତେବେ
ପୁରଞ୍ଜନ ପଣ୍ଡାର ପୁଅ ଗଉରମୁଖ ବହୁ କଷ୍ଟ ସ୍ଵୀକାର କରି ପାଣ୍ଡଵଙ୍କ ଠାଵ ଯେତେବେଳେ ପାଇଲା ସେ ଗୋପ୍ୟାନ ରୂପ ଧରି ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ଵ ଖାଇଵା ପାଇଁ ମାଗିଲା। ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡ଼ିଲେ। ଅସମୟରେ ଆମ୍ଵ ମିଳିଵନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ଵ ଆଣିଵାକୁ ପଠାଇଦେଲେ କିନ୍ତୁ ସମସ୍ତେ ନିରାଶ ହୋଇ ଫେରିଲେ। ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ ଓ ତାଙ୍କୁ ପାଣ୍ଡଵମାନେ ସତକଥା କହିଲେ।
ସତ୍ୟଆମ୍ଵ କେମନ୍ତ ଯୁଝେଷ୍ଠି ପଚାରିଲେ
ଗୋଵିନ୍ଦେ ବୋଇଲେ,
ଆମ୍ବେକ ଫଳିଵ ଦେଵ ସତ୍ୟ ଵଚନ କହିଲେ।
ତୁମ୍ଭେ ପାଞ୍ଚଜଣ ସଙ୍ଗେ ଅଛନ୍ତି ଦ୍ରୋପତୀ,
ନିରୁତାନ୍ତ ସତ୍ୟ କହିଵ ଛାଡ଼ିଵ ଯେ ମିଥ୍ୟା ପ୍ରକୃତି।
ସତ୍ୟ କହିଲେ ଆମ୍ଵ ଫଳିଵ ଵିଦ୍ୟମାନ
ଵ୍ୟାସଂକ ମୁଖ ଚାହିଁ କହନ୍ତି ଜନାର୍ଦ୍ଦନ।
ଆମ୍ଵ ମଞ୍ଜି ଗୋଟିୟେ ପ୍ରସନ୍ନେ ଦିଲେ ତପୋଧନ,
ଛାମୁରେ ଥୋଇ ଯେ ରୁନ୍ଧିଲେ ପଞ୍ଚୁମନ।
ସେ ଚୂତମଞ୍ଜିକି ଯୁଝେଷ୍ଠି ଚାହିଁଲେ ପ୍ରଥମେ
ସତ୍ୟଵାକ୍ୟହିଁ ଉଚ୍ଚାରନ୍ତି ଦେଵ ଧର୍ମେ।
ଶ୍ରୀହରି ବୋଇଲେ କିଞ୍ଚିତ ମିଥ୍ୟା କହିଲେ ନୁହଇ ଚୂତପଂକୁ,
ହୃଦଗତେ ତତ୍ତୁକର ହୋ ସମସ୍ତ ଆତ୍ମାକୁ।
ପାଞ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ଵ ଟାକୁଆରୁ ଗଜା ହୋଇ ଗଛ ହେଲା, ଫୁଲ ଫୁଟିଲା, କଷି ଧରିଲା।
ପାଞ୍ଚ ପାଣ୍ଡଵ ନିଜ ନିଜର ଗୋଚର ଅଗୋଚର ସତ୍ୟ କହିଵାପରେ ଦ୍ରୌପଦୀଙ୍କ ପାଳି ପଡ଼ିଲା। ସେ ସତ୍ୟ କରି କହିଲେ:
ଯୁଗତେ ଏ ମୋହୋର ଅଟନ୍ତି ପଞ୍ଚୁପତି,
ଏକାମାତ୍ର ଅର୍ଜୁନରେ ମୋହୋର ଅଧିକ ପୀରତି।
ମୋତେ ଯେ କଉରବେ ସଭାତଳେ କଲେ ଅପମାନ,
କେଶଧରି କୋପେଣ ମୋତେ ଆଣିଲା ଧୁଶାସନ।
ଆଣନ୍ତେ ଚରଣ ମୋର ନ ପଡ଼ଇ ତଳ,
ଆକ୍ରେଷି ଝିଙ୍କନ୍ତେ ସେ ଫିଟିଲାକ ମୋହୋର ଵାଳ।
ସେହିଦିନୁ କେଶ ମୋହୋର ନ କଲି ଵନ୍ଧନ,
ସେ ଧୁଶାସନର ଭୁଜ ଉପାଡ଼ିବେ ଭୀମସେନ।
ତାହାର ରୁଧିରେ ମୋର କେଶ ପଖାଳିଵି,
ତେବେ ସେ କେଶ ହରି ମୋହୋର ଵନ୍ଧନ କରିଵି।
ମୋହରେଣ ନାଶ ଯିବେ ଧୃତିରାଷ୍ଟ ଶତେପୁତ୍ର,
ତେବେ ସେ ପାଣ୍ଡବେ ଭ୍ରଥା ମୋର କହିଲି ସତ୍ୟ ସତ୍ୟ।
ଏ ମୋହୋର ଆତ୍ମାର ଵିଚାର ଵାସୁଦେଵ
ସତ୍ୟ ସତ୍ୟ କହିଲି ମୁ ମିଥ୍ୟା ନୁହଇ ଦେଵ।
ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ଵଟି ପାଚି ହଳଦିଆ ପଡ଼ିଗଲା। ଯୁଧିଷ୍ଠିର ଉଷତ ହୋଇ ଵ୍ରାହ୍ମଣଙ୍କୁ ସେ ଅଦିନିଆ ଆମ୍ଵଟି ପ୍ରଦାନ କଲେ। ଏକଥାକୁ ସାରଳା ଦାସ ଏମନ୍ତ ଲେଖିଲେ:
“ପଞ୍ଚୁପାଣ୍ଡଵ ଦ୍ରୋପତୀଙ୍କ ସତ୍ୟ ଵଚନେ ।
ପାଚିଲା ଚୂତଫଳ ହୋଇଲା କୁଙ୍କୁମ ଵର୍ଣ୍ଣେ ॥
ସତ୍ୟଆମ୍ଵ ପକ ଦେଖିଣ ସାନନ୍ଦ ଵନମାଳୀ ।
ଆପଣେ ନାରାୟେଣ ସତ୍ୟଵାକ୍ୟେଣ ଆମ୍ଵତୋଳି ॥
ଆପଣେ ଗୋଟିୟେକ ଘେନିଲେ ଦେଵହରି ।
ଦୁଇ ଆମ୍ଵଗୋଟିକୁ ଵାସେଵି କର ଯେ ପ୍ରସାରି ॥
ତିଜଗୋଟି ନେଇ ଦିଲେ ତପୋଧନକୁ ।
ଚଉଠେ ଚାରିଗୋଟି ଦିଲେ ପାଣ୍ଡେଵଙ୍କୁ ॥
ସତ୍ୟଆମ୍ଵ କରେ ଘେନିଲେ ତପୋଧନି ।
ଯୁଝେଷ୍ଠୀଙ୍କି ପ୍ରଶଂସନ୍ତି ଜୀଵନ ତୋର ଧନି ଧନି ॥
ସତ୍ୟ ଭାଦ୍ରମାସେ ଫଳିଲା ଚୂତଫଳ ।
ଏସନେକ ଦୁରାପଦ ମହିମାଁ ନାହିଁନା ରଵିତଳ ॥”
ସତ୍ୟଆମ୍ଵ ଗଛରେ ଫଳ ଫଳି ପାଚିଵାରୁ ନିଜେ ଶ୍ରୀକୃଷ୍ଣ ସତ୍ୟ କରି ଗୋଟିଏ ଆମ୍ଵ ନେଲେ। ପାଣ୍ଡଵମାନେ ଵି ଆମ୍ଵ ରଖିଲେ ଓ ଗୋଟିଏ ସତ୍ୟ ଆମ୍ଵ କପଟୀ ଵ୍ରାହ୍ମଣବେଶୀ ପୁରଞ୍ଜନ ପୁତ୍ର ଗଉରମୁଖକୁ ଦେଲେ। ଛଦ୍ମଵ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ସତ୍ୟଆମ୍ଵଟି ନେଇ ସେଠାରୁ ପଳାଇଗଲେ। ତହୁଁ ଶ୍ରୀକୃଷ୍ଣ ସହଦେଵଙ୍କୁ ସେ ଵ୍ରାହ୍ମଣଙ୍କ ଭେଦ ପଚାରନ୍ତେ ସେ କହିଲେ:
“ସହଦେଵ ବୋଇଲା ସେ ଯେ ପୁରଞ୍ଜନ ଵ୍ରାହ୍ମଣ ।
ଜଉ ସଜଳସ ଘର ଯେ କପଟେ କଲା ନିରିଵାଣ ॥
ଜଉର ଘରେ କପଟେ ଆମ୍ଭନ୍ତ କଲାକ ଦହନ।
କଉରଵ ଵଂଶକୁ ସେ ଅଟଇ ଧାରଣ॥
ତାହାର ପୁତ୍ର ଏ ଗଉରମୁଖ ପଣ୍ଡା ।
ଏହାକୁ ରାଇଣ ପେଷିଲା କୁରୁଷଣ୍ଢା ॥
ଛଦ୍ରମେ ଅଇଲା ଆମ୍ଭନ୍ତ ଖୋଜିଵା ନିମନ୍ତେ ।
ଆମ୍ଵ ନ ପାଇଲେ ଶାପ ଦେଇଯାନ୍ତା ଆତଂକୁଇଁ ଏଥେ ॥
ଯେବେ ସତ୍ୟଆମ୍ଵ ପ୍ରିଯୋଧନ ଛାମୁରେ ନେଇଣ ଦେଵ ।
ଦେଖିଣ କୁରୁପତି ଚାର ଯେ ଵରଗିଵ ।
ଏସନେକ ମାୟାରେ ଦେଵ ଯେ ଆସିଥିଲେ ସେହି ।
ମୋତେ ନ ପଚାରିଲ ଭେଦ ନ ଜାଣିଲ କେହି ॥”
ଏହା ଶୁଣି ଯୁଧିଷ୍ଠିରଙ୍କୁ ଚକ୍ରପାଣି କହିଲେ ଭୀମକୁ ପଠାଇ ସତ୍ୟଆମ୍ଵକୁ ଵାହୁଡ଼େଇ ଆଣିଵା! କିନ୍ତୁ ଧର୍ମ ଅଵତାର ଯୁଧିଷ୍ଠିର ମନା କରି ଉତ୍ତର ଦେଲେ:
“ଯୁଝେଷ୍ଠି ଦେବେ ବୋଇଲେ ହରି ମୁଁ ସତ୍ୟେଣ ଦିଲି ଯାହା ।
ଧର୍ମ ନାଶଯିଵ କେମନ୍ତେ ହରିଵଇଁ ତାହା ॥”
ତହୁଁ ପାଣ୍ଡଵମାନଙ୍କଠାରୁ ଵିଦାୟ ନେଇ ଶ୍ରୀକୃଷ୍ଣ ଗରୁଡ଼ଙ୍କ ସହିତ ଦ୍ୱାରିକା ନଗରକୁ ଵାହୁଡ଼ିଲେ। ଵାଟରେ ଦେଖିଲେ କପଟ ଵ୍ରାହ୍ମଣ ଗଉରମୁଖ ଗନ୍ଧର୍ଵ ନଦୀ କୂଳେ କୂଳେ ହସ୍ତିନାକୁ ଫେରୁଛି। ପ୍ରଭୁ ମାୟା ଯୋଗୁଁ ତାହାର ନଦୀରେ ସ୍ନାହାନ କରିଵାର ଇଚ୍ଛା ଜାଗ୍ରତ ହେଲା। ଶ୍ରୀକୃଷ୍ଣ ମଧ୍ୟ ମାୟାରୂପ ଧରି କପଟୀ ଗଉରମୁଖକୁ ନଦୀ ତଟରେ ଭେଟିଲେ। ଏତିକିବେଳେ ନଦୀକୁ ଗାଧୋଇଵାକୁ ଯାଉଥିଵାବେଳେ ଗଉରମୁଖ ଅଣ୍ଟିରେ ସତ୍ୟଆମ୍ଵ ଦେଖି ସନ୍ୟାସୀ ରୂପୀ ଶ୍ରୀକୃଷ୍ଣ ତାହା କ'ଣ ବୋଲି ପୁଚ୍ଛାକଲେ। ଗଉରମୁଖ ସତ୍ୟଆମ୍ଵର ପୂର୍ଵ ଘଟଣାମାନ କହିଲା। ଛଦ୍ମରୂପୀ ଶ୍ରୀକୃଷ୍ଣ କହିଲେ ଏହା କେମିତି ସମ୍ଭଵ? ଭାଦ୍ରଵ ମାସରେ ପୁଣି ଚୂତଫଳ ଵା ଆମ୍ଵ କାହୁଁ ଫଳିଵ? ଗଉରମୁଖ କହିଲା ପାଣ୍ଡଵମାନେ ସତ୍ୟ କରିଲାରୁ ଏ ଫଳ ଫଳିଲା। ଛନ୍ଦ୍ମବେଶୀ ଶ୍ରୀକୃଷ୍ଣ କିନ୍ତୁ ସହଜେ ଛାଡ଼ିଵା ଲୋକ ନୁହେଁ। ସେ କହିଲେ ନା ମ ସତ୍ୟ କରି ପୁଣି ଆମ୍ଵ ଟାକୁଆରୁ ଗଛ ହୋଇ କ୍ଷଣକେ ଫଳ ହେଵ? କାଇଁ ମୁଁ ଵି ଵଡ଼ ତପସ୍ଵୀ ପରମଧାର୍ମିକ ସତ୍ୟ କରିବି ଦେଖିଆ କେମିତି ଏ ଫଳରୁ ପୁଣି ଗୋଟିଏ ଗଛ ଉତ୍ତୁରିଯିଵ? ସେଇଠୁ ଶ୍ରୀକୃଷ୍ଣ ଗଉରମୁଖଠାରୁ ସତ୍ୟଆମ୍ଵଟି ନେଇ ସତ୍ୟ କରି କହିଲେ:
ଆହେ ପଣ୍ଡାଏ ଆମ୍ଭେ ଦେଖିଲୁଁ ଜଳେ ପଥର ଉପୁଚିଆଇ,
ସୋଲଭେଳା ଗୋଟାଏ ଯେ ଜଳରେ ବୁଡ଼ଇ।
ପୁରୁଷକୁ ବଳେ ଜିଣିଲା ସ୍ତିରୀମାତ୍ର ହୋଇ,
ସ୍ତିରୀବନ୍ଧ୍ୟା ହୋଇଲା ପୁରୁଷ ପ୍ରସଵଇ।
ଵୃଷ ଦିଅଇ କ୍ଷୀର ଗାଵ ଷଣ୍ଢ ହୋଇ
ଗିରି ଶିଖରେ ଦେଖିଲୁ ପଦ୍ମ ଫୁଟିଣ ଅଛଇ।
ପଦ୍ମର ବାସନା ନାହିଁ ନାହିଁ ପୁଷ୍ୟ ତେଜ,
କାଇଁଶ ପୁଷ୍ୟକୁ ଚୁମ୍ବୁଅଛି ଶୃଙ୍ଗରାଜ।
ଆଦିତ୍ୟ ଦେଵତା ଉଦେ ହୋଇଲେ ପଛିମେ,
ପୂର୍ଵେ ଅସ୍ତଗଲେ କାଳ ଅନୁକ୍ରମେ।
ଅନ୍ଧ ଧାମଇଁ ଯେ ଲଉଡ଼ି ବୁଲାଇ,
ଚକ୍ଷୁଥିଲା ପ୍ରାଣୀ ବୁଲଇ ବାଟବଣା ହୋଇ।
ନିଶାଏ ଉଦଏ ହୋଇଲେକ କରତାର
ଦିଵସେ ଉଦେ ହୋଇଲେ ଶଶଧର।
ସେ ଦେଵ ମାୟାଧର ଚକ୍ରକୂଟ ବୁଦ୍ଧି ଲଗାଇ ଅନେକ
ମିଥ୍ୟାଵାକ୍ୟକୁ ସତ୍ୟଵାକ୍ୟ ବୋଲିଵାରୁ କ'ଣ ହେଲା ନା
“ସତ୍ୟେଣ ସତ୍ୟଆମ୍ଵ ଉତପତ୍ତି ହୋଇଥିଲା ।
ମିଥ୍ୟା କହିଲାରୁ ସେହିଠାରେ ଭସ୍ମଗଲା ॥”
ତେଣୁ ଏହିପରି ଭାବେ ପୁରଞ୍ଜନ ପଣ୍ଡା ପୁତ୍ର ଗଉରପଣ୍ଡାର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ଣ ଉକ୍ତ ସତ୍ୟଆମ୍ଵଟିକୁ କୌଶଳ କ୍ରମେ ହରଣ କରି ନେଲେ ଓ ଦୁର୍ଯୋଧନ ଆଉ ପାଣ୍ଡଵମାନଙ୍କ ସମ୍ଵନ୍ଧରେ ପ୍ରମାଣ ପାଇ ପାରିଲେ ନାହିଁ।
ଏହି କାହାଣୀ ସତ୍ୟର ଶକ୍ତି ଓ ଶ୍ରୀକୃଷ୍ଣଙ୍କ ଦିଵ୍ୟ ମାୟାକୁ ପ୍ରତିଫଳିତ କରେ । ତେବେ ମୂଳ ମହାଭାରତରେ ୟେ କାହାଣୀ ନାହିଁ ଏଵଂ ଏହା ସାରଳା ଦାସଙ୍କ ମୌଳିକ ସୃଷ୍ଟି। ହୁଏତ ସାରଳା ଦାସଙ୍କ ସମୟରେ ୟେ କାହାଣୀ ଲୋକ ସମାଜରେ ଏକ ନିର୍ଦ୍ଦିଷ୍ଟ ଵୃକ୍ଷ ସମ୍ବନ୍ଧରେ କଥିତ ହେଉଥିଲା ଯାହା ସାରଳା ଦାସ ଶୁଣି ଆପଣା ସାରଳା ମହାଭାରତରେ ଯୋଡ଼ିଛନ୍ତି। ତେବେ ସେଇ ଗଛଟି କେଉଁ ଗଛ ହୋଇଥାଇପାରେ ?
ବହୁତ ସମ୍ଭଵ ସାରଳା ମହାଭାରତରେ ଯେଉଁ ସତ୍ୟଆମ୍ବ ଫଳ କଥା କୁହାଯାଇଛି ତାହା
Garcinia xanthochymus ଗଛର ଫଳ ହୋଇଥାଇପାରେ । Garcinia xanthochymusର ପତ୍ର ଦେଖିଵାକୁ ଆମ୍ବ ପତ୍ର ପରି ହୋଇଥାଏ । ଏହାର ଫଳର ଆକାର ଓ ପାଚିଲା ବେଳର ରଙ୍ଗ ଦେଖିଵାକୁ ଆମ୍ବ ଭଳି ପୁଣି ସ୍ଵାଦ ମଧ୍ୟ ଖଟାଳିଆ । ଏହି ସମାନତା ଦେଖି ହୁଏତ ସାରଳା ମହାଭାରତର ଲେଖାଯିଵା ପୂର୍ଵରୁ Garcinia xanthochymusଗଛର ଫଳକୁ ନେଇ ଓଡ଼ିଶାରେ ଏ ଲୋକଗାଥା ଚଳୁଥିଵ ଏଵଂ ତତ୍ ଆଧାରରେ ଓଡ଼ିଆ ଲୋକେ ଏହାର ଫଳକୁ ସତ୍ୟଆମ୍ବ କହୁଥିବେ । ସେହି ଲୋକକଥାକୁ ସାରଳା ମହାଭାରତରେ ସାରଳା ଦାସ ଯୋଡ଼ି ଦେଇ ଏହାକୁ ରାଜ୍ୟଵ୍ୟାପୀ ଓ ଦେଶଵ୍ୟାପୀ ପରିଚିତ କରାଇଥିଲେ ।
କିନ୍ତୁ ସାରଳା ମହାଭାରତରେ ସାରଳା ଦାସ ଲେଖିଛନ୍ତି ଯେ ଭାଦ୍ରଵମାସରେ ପାଣ୍ଡଵମାନେ ସତ୍ୟ କଲାରୁ ସତ୍ୟଆମ୍ବ ଫଳିଥିଲା । ତାହେଲେ କ’ଣ ଭାଦ୍ରଵମାସରେ Garcinia xanthochymusଗଛର ଫଳ ପାଚେ କି ? ପୁଣି ଏ ଫଳ ଓଡ଼ିଶାରେ ବି ଏହି ସମୟରେ ପାଚିଥାଏ କି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନୁଯାୟୀ, Garcinia xanthochymus (ସତ୍ୟଆମ୍ବ) ଫଳ ଵର୍ଷା ଓ ଶର ତ ଋତୁରେ ପାଚେ ଏଵଂ ଭାରତରେ ଭାଦ୍ରଵ ଓ ଆଶ୍ଵିନ ମାସରେ ଶରତ ଋତୁ ହୋଇଥାଏ । ସାରଳା ଦାସଙ୍କ ମହାଭାରତର ଉଲ୍ଲେଖ ଅନୁଯାୟୀ, ପାଣ୍ଡବମାନେ ଅଜ୍ଞାତଵାସ ପୂର୍ଵରୁ ଅସ୍କନ୍ଦଵନ (ଦୈତଵନ)ରେ ଥିଵାବେଳେ, ଆଶ୍ଵିନ ମାସରେ ଦୂର୍ଯ୍ୟୋଧନର ଗୁପ୍ତଚର ଗୌରମୁଖ (ପୁରଞ୍ଜନ ପଣ୍ଡାର ପୁଅ) ଗୋପ୍ୟାନ ଵେଶ ଧରି ପାଣ୍ଡଵଙ୍କୁ "ଅଦିନିଆ ଆମ୍ବ" ମାଗେ। ପାଣ୍ଡଵମାନଙ୍କ ସତ୍ୟଵାଦ ଦ୍ୱାରା ଫଳ ପାକେ, ଏବଂ ଏହାକୁ "ସତ୍ୟଆମ୍ବ" ନାମ ଦିଆଯାଏ। ଏହାର ପରେ ଗୁପ୍ତଚର କେମିତି ଫଳ ହରାଇଥାଏ ତହିଁର କାହାଣୀ ରହିଛି।
ସାରଳା ମହାଭାରତରେ ଉଲ୍ଲେଖିତ "ଅଦିନିଆ ଆମ୍ବ" କୁ ଅନେକ ପାରମ୍ପରିକ ଵିଦ୍ୱାନ ଓ ଗଵେଷକ Garcinia xanthochymus ସହିତ ଯୋଡ଼ିଥାଆନ୍ତି, କାରଣ ଏହାର ଫଳ ଆମ୍ବ ପରି (ମଧୁର-ଅମ୍ଳ) ସ୍ୱାଦ ଥାଏ ଏଵଂ ପାରମ୍ପରିକ ଭାବେ ଓଡ଼ିଶାରେ ଏହାକୁ "ସତ୍ୟଆମ୍ବ" କୁହାଯାଏ। ଆଶ୍ଵିନ ମାସରେ ଫଳ ମାଗିଵାର ଉଲ୍ଲେଖ ଏହାର ପକ୍ଵକାଳ ସହିତ ମେଳ ଖାଏ, କାରଣ ଏହି Garcinia xanthochymus ଗଛର ଫଳ ଵର୍ଷା-ଶରତ ଋତୁରେ (ଜୁନ୍-ଅକ୍ଟୋବର୍) ପାଚିଥାଏ। ଵାସ୍ତଵରେ Garcinia xanthochymus ଫଳର ପକ୍ଵକାଳ ସ୍ଥାନୀୟ ଜଳଵାୟୁ ଉପରେ ନିର୍ଭର କରେ।
ଭାରତରେ Garcinia xanthochymus ଫଳର ପାକସମୟ ସାଧାରଣତଃ ଗ୍ରୀଷ୍ମ-ବର୍ଷା ଋତୁରେ ଵା ଜୁନ୍-ଅଗଷ୍ଟ ମଧ୍ୟରେ ହୁଏ, କିନ୍ତୁ ଉଚ୍ଚତା,ଵର୍ଷାପାତ ଓ ସ୍ଥାନୀୟ ପରିଵେଶ ଯୋଗୁଁ ଏହା ଭାରତର କେତେକ ଅଞ୍ଚଳରେ ସେପ୍ଟେମ୍ବର୍-ଅକ୍ଟୋବର୍ (ଆଶ୍ଵିନ)ରେ ମଧ୍ୟ ପାଚିଥାଏ ପାରେ । ଵିଶେଷକରି ଯେଉଁଠାରେ ଵର୍ଷା ଦୀର୍ଘଦିନ ଧରି ହୋଇଥାଏ କିମ୍ବା ପ୍ରାୟ ୭୦୦-୧୫୦୦ ମିଟର ଅଧିକ ଉଚ୍ଚତା ଵିଶିଷ୍ଟ ସ୍ଥାନ ହୋଇଥାଏ ସେଠାରେ Garcinia xanthochymus ଗଛର ଫଳ ଆଶ୍ଵିନ ମାସରେ ପାଚିଥାଏ । Garcinia xanthochymusର ଫୁଲ ଫେବ୍ରୁଆରି-ଏପ୍ରିଲରେ ଧରେ, ଏବଂ ଫଳ ୬-୮ ମାସ ପରେ ପାଚେ। କେରଳ, କର୍ଣ୍ଣାଟକ, ତାମିଳନାଡୁରେ Garcinia xanthochymusର ଫଳ ପ୍ରଧାନତଃ ଜୁନ୍-ଅଗଷ୍ଟରେ ପାଚେ, କିନ୍ତୁ ନେସର ଵନ୍ୟାପ୍ରାନ୍ତ (କେରଳ) ଭଳି ଉଚ୍ଚ ଵର୍ଷାପାତ ଅଞ୍ଚଳରେ ସେପ୍ଟେମ୍ବର୍-ଅକ୍ଟୋବର୍ (ଆଶ୍ଵିନ)ରେ ମଧ୍ୟ ପାଚେ।
ଆସାମ, ଆରୁଣାଚଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଜୁଲାଇ-ଅଗଷ୍ଟରେ ଆରମ୍ଭ ହୋଇ ସେପ୍ଟେମ୍ବର୍-ନଭେମ୍ବର୍ (ଆଶ୍ଵିନ-କାର୍ତ୍ତିକ)ରେ Garcinia xanthochymusର ଫଳ ପାଚିଥାଏ। ଆସାମର ଉତ୍ତର ପୂର୍ଵରେ ଆଶ୍ଵିନରେ ପାଚିଲା ଫଳ ସହଜରେ ମିଳେ, ଯାହା ସାରଳାଙ୍କ ସତ୍ୟଆମ୍ବ କାହାଣୀର ସମୟ ସହିତ ମେଳ ଖାଏ।
ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଝାଡ଼ଖଣ୍ଡର ପୂର୍ଵ ଘାଟ୍ ଅଞ୍ଚଳରେ ଜୁନ୍-ସେପ୍ଟେମ୍ବରରେ ପାଚେ ଏଵଂ ଆଶ୍ଵିନରେ (ସେପ୍ଟେମ୍ବର୍ ଅନ୍ତରୁ ଅକ୍ଟୋବର୍) ଉଚ୍ଚତାଯୁକ୍ତ ଅଞ୍ଚଳରେ ପାଚେ। ଏଠାରେ ମୌସୁମୀ ଵିଳମ୍ବରେ ହେଲେ ଆଶ୍ଵିନରେ ଫଳ ପାଚିଥାଏ।
ସିକ୍କିମ ଓ ନେପାଳ ସୀମାନ୍ତର ଉତ୍ତର-ପୂର୍ବ ହିମାଳୟ ଅଞ୍ଚଳରେ ଅକ୍ଟୋବର୍-ନଭେମ୍ବର୍ (ଆଶ୍ଵିନ-କାର୍ତ୍ତିକ)ରେ Garcinia xanthochymusର ଫଳ ପାଚିଥାଏ । ଶୀତଳ ଜଳଵାୟୁ ଯୋଗୁଁ ଏ ଅଞ୍ଚଳରେ ଵିଳମ୍ବରେ ୟେ ଫଳ ପକ୍ଵ ହୁଏ। ତେଣୁ ଭାରତରେ ଅନେକ ଅଞ୍ଚଳରେ ଭାଦ୍ରଵ ଆଶ୍ଵିନ ଓ କାର୍ତ୍ତିକ ମାସରେ Garcinia xanthochymusର ଫଳ ପାଚିଥାଏ ।
କିନ୍ତୁ ସାରଳା ଦାସ ତାଙ୍କ ସାରଳା ମହାଭାରତରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ମହାଭାରତର କାହାଣୀ ଲେଖିଛନ୍ତି । ତେଣୁ ସେ ନିଶ୍ଚୟ ଓଡ଼ିଶାରେ ସତ୍ୟଆମ୍ବ ଵା Garcinia xanthochymusର ଫଳ ପାଚିଵାର ସମୟ ଆଧାରରେ ସତ୍ୟଆମ୍ବର କାହାଣୀ ଲେଖିଥିବେ କିମ୍ବା ତାହା ପୂର୍ଵରୁ ଲୋକ ସମାଜରେ ପ୍ରଚଳିତ ଥିଲା ଯାହା ସାରଳା ମହାଭାରତରେ ସାରଳା ଦାସ ଯୋଡ଼ି ଅଛନ୍ତି । ହୁଏତ ଲୋକମାନେ ଓଡ଼ିଶାରେ ଭାଦ୍ରଵ ଓ ଆଶ୍ଵିନ ମାସରେ Garcinia xanthochymusର ଫଳ ପାଚୁଥିଵାରୁ ଏଵଂ ତହିଁର ଆମ୍ବ ସହିତ ସାଦୃଶ୍ୟ ଥିଵାରୁ ମହାଭାରତର କାହାଣୀ ସହିତ ଏହାର କାହାଣୀ ଯୋଡ଼ି ସତ୍ୟଆମ୍ଵ ନାଆଁ ଦେଇଥିବେ ।
ତେବେ ଓଡ଼ିଶାରେ କ’ଣ ପ୍ରକୃତରେ ଭାଦ୍ରଵ କିମ୍ବା ଆଶ୍ଵିନ ମାସରେ ସତ୍ୟଆମ୍ବ ଵା Garcinia xanthochymusର ଫଳ ପାଚେ କି ?
ତଥ୍ୟ କହେ ଉତ୍ତର ଓଡ଼ିଶା (କେନ୍ଦୁଝର, ମୟୂରଭଞ୍ଜ)ରେ ଫୁଲ ଏପ୍ରିଲ୍-ମେରେ ହୁଏ ଏଵଂ ଫଳ ଜୁନ୍-ଜୁଲାଇରେ ଆରମ୍ଭ ହୋଇ ଅଗଷ୍ଟ-ସେପ୍ଟେମ୍ବର୍ (ଭାଦ୍ରଵ-ଆଶ୍ଵିନ)ରେ ପାଚିଥାଏ। ଏଠାକାର ଉଚ୍ଚତା ୮୦୦-୧୨୦୦ ମିଟର ଯୋଗୁଁ ଆଶ୍ଵିନରେ (ସେପ୍ଟେମ୍ବର୍ ଅନ୍ତରୁ ଅକ୍ଟୋବର୍ ଆରମ୍ଭ) ପାଚିଲା ଫଳ ମିଳେ। ସିମିଳିପାଳ ଅଞ୍ଚଳରେ ଏହା ପ୍ରାକୃତିକ ରୂପେ ଅଧିକ ଏଵଂ ସ୍ଥାନୀୟ ଲୋକମାନେ ଆଶ୍ଵିନରେ ଏହାକୁ ସଂଗ୍ରହ କରନ୍ତି।
ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ାରେ ଜୁନ୍-ଅଗଷ୍ଟରେ ପାଚେ, କିନ୍ତୁ ଅଧିକ ଵର୍ଷାପାତ ଯୋଗୁଁ ସେପ୍ଟେମ୍ବର୍-ଅକ୍ଟୋବର୍ (ଆଶ୍ଵିନ)ରେ ମଧ୍ୟ କେତେକ ଅଞ୍ଚଳରେ ପାଚିଥାଏ। ମୋଟ ଉପରେ କହିଵାକୁ ଗଲେ ଉତ୍ତର ଓଡ଼ିଶାରେ ଆଶ୍ଵିନ ମାସରେ Garcinia xanthochymusର ଫଳ ପାଚିଥାଏ ଏଵଂ ବହୁତ ସମ୍ଭଵ ସାରଳା ମହାଭାରତରେ ଥିଵା ସତ୍ୟଆମ୍ବର କାହାଣୀ ଏହି ଅଞ୍ଚଳରେ ସୃଷ୍ଟି ହୋଇଥିଵାର ସମ୍ଭାଵନା ଅଧିକ । ଏହାର ଏକ ବଡ଼ ପ୍ରମାଣ ହେଲା ସତ୍ୟଆମ୍ବ ଶବ୍ଦର ପିଜୁଳିର ଶବ୍ଦର ପ୍ରତିଶବ୍ଦ ରୂପେ ଉତ୍ତର ଓଡ଼ିଶା ତଥା ଉତ୍ତର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରେ ପରିଵୃତ୍ତ ହୋଇ ପ୍ରଚଳନ ।
ଓଡ଼ିଶାର ଉତ୍ତରାଞ୍ଚଳ ଓ ଵିଚ୍ଛିନ୍ନାଞ୍ଚଳ ଯଥା ସିଂହଭୂମି ଓ ଷଡ଼ୈକଳା ଖରସୁଆଁରେ, ପିଜୁଳି (Psidium guajava) ଫଳକୁ ସଇତାମ୍ଵ, ସୈତାମ୍ଵ, ସଇତମ୍ଵା, ଓ ସୋଇତାମ୍ଵ ଆଦି ନାମରେ ଡ଼କାଯାଏ। ଏହି ନାମକରଣ ସାରଳା ମହାଭାରତର ସତ୍ୟଆମ୍ଵ କଥା ସହିତ ଜଡ଼ିତ ବୋଲି ଅନୁମାନ କରାଯାଏ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, ଓଡ଼ିଆ ଭାଷାରେ ସତ୍ୟ ଶବ୍ଦଟି ସଇତ, ସଇତା, ସଇତୀ, ସଇତୁ, ସତେଈ, ସଇତିଆ, ଓ ସଇତୁଆ ଆଦି ରୂପରେ ପ୍ରଚଳିତ। ଏହି ଶବ୍ଦଗୁ ସହିତ ଆମ୍ଵ ଶବ୍ଦ ଯୋଗ ହୋଇ ସତ୍ୟଆମ୍ଵ ଶବ୍ଦ ସୃଷ୍ଟି ହୋଇଥିଲା, ଯାହା ପରେ ସଇତାମ୍ଵ, ସୈତାମ୍ଵ, ଓ ସୋଇତାମ୍ଵ ରୂପେ ପରିଣତ ହେଲା।
ସତ୍ୟଆମ୍ବ (Garcinia xanthochymus) ଓ ପିଜୁଳି (Psidium guajava) ଗଛ ମଧ୍ୟରେ ଅନେକ ସମାନତା ରହିଛି । ପ୍ରଥମତଃ ଗଛର ଆକାର ଦୃଷ୍ଟିରୁ ଉଭୟ ମଧ୍ୟମ ଆକାରର ଚିରସବୁଜ ଵୃକ୍ଷ ଅଟନ୍ତି । ସତ୍ୟଆମ୍ବ ଗଛ ସାଧାରଣତଃ ଆଠରୁ ପନ୍ଦର ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ ଏଵଂ ପିଜୁଳି ଗଛ ତିନିରୁ ଦଶ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଉଭୟ ଗଛର ମୁଖ୍ୟ ଡାଳଗୁଡ଼ିକ ଅଧିକାଂଶ ସମୟରେ ସମାନ୍ତରାଳ ଵା ଵ୍ୟାପ୍ତ ହୋଇଥାଏ । ଉଭୟ ଗଛରେ ଛାଲର ଗଠନରେ ମଧ୍ୟ କିଛି ସାମ୍ୟତା ଦେଖାଯାଏ । ସତ୍ୟଆମ୍ବର ଛାଲ ଧୂସର-ବାଦାମୀ ରଙ୍ଗର ହୋଇଥାଏ ଏଵଂ ପିଜୁଳିର ଛାଲ ମୋଟା ହରିତ-ବାଦାମୀ ରଙ୍ଗର ହୋଇ ପତଳା ପତଳା ଫ୍ଲେକ୍ ଆକାରରେ ଖସିପଡ଼ିଥାଏ । ତେଣୁ ଉଭୟ ଗଛର ଛାଲର ମୋଟାପଣ ଓ ରଙ୍ଗରେ ଆଂଶିକ ସମାନତା ଦେଖାଯାଏ । ଉଭୟ ଗଛର ପତ୍ର ସରଳ ଓ ଵିପରୀତ ଭାବରେ ସଜେଇ ହୋଇ ରହିଥାଏ । ସତ୍ୟଆମ୍ବର ପତ୍ର ଲମ୍ବାଳିଆ ଵା ଭାଲାକାର (oblong to lanceolate) ହୋଇଥାଏ ଏଵଂ ତହିଁର ଲମ୍ବ ପନ୍ଦରରୁ ତିରିଶ ସେଣ୍ଟିମିଟର୍ ତଥା ଚଉଡ଼ା ଛଅରୁ ବାର ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇଥାଏ । ସତ୍ୟଆମ୍ବର ପତ୍ର ଚର୍ମଯୁକ୍ତ ମୋଟା ହୋଇଥାଏ ଆଉ ପିଜୁଳିର ପତ୍ର ଅଣ୍ଡାକାର ଵା ଲମ୍ବାଳିଆ (elliptic to oblong) ହୋଇଥାଏ ଯାହାର ଲମ୍ବ ପାଞ୍ଚରୁ ପନ୍ଦର ସେଣ୍ଟିମିଟର୍ ଏଵଂ ଚଉଡ଼ା ତିନିରୁ ସାତ ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇଥାଏ ।
ପିଜୁଳି ଗଛର ପତ୍ରର ନିମ୍ନଭାଗ ସୂକ୍ଷ୍ମ ଲୋମଯୁକ୍ତ ହୋଇଥାଏ ଯାହା ଉଭୟରେ ପତ୍ରର ସରଳତା ଓ ଵିପରୀତ ଵ୍ୟଵସ୍ଥାରେ ସମାନତା ରକ୍ଷା କରିଥାଏ । ଫୁଲ ଦୃଷ୍ଟିରୁ ଦେଖିଲେ ଉଭୟ ଗଛର ଫୁଲରେ ଅନେକ ପୁଂକେସର (stamens) ରହିଥାଏ ଯାହା ପରାଗଣ ପ୍ରକ୍ରିୟାରେ ସହାୟକ ହୋଇଥାଏ । ସତ୍ୟଆମ୍ବର ଫୁଲ ହରିତ-ଧଳା ରଙ୍ଗର ହୋଇ ଘନ ଗୁଚ୍ଛରେ ଥାଏ ଯାହାର ଵ୍ୟାସ ପ୍ରାୟ ଏକ ଦଶମିକ ତିନି ସେଣ୍ଟିମିଟର୍ ହୋଇଥାଏ । ପିଜୁଳିର ଫୁଲ ଧଳା ରଙ୍ଗର ହୋଇ ଏକା ଵା ଦୁଇ-ତିନିର ଗୁଚ୍ଛରେ ଥାଏ ଯାହାର ଵ୍ୟାସ ପ୍ରାୟ ଦୁଇରୁ ତିନି ସେଣ୍ଟିମିଟର୍ ହୋଇଥାଏ । ଫୁଲରେ ଏହି ଅନେକ ପୁଂକେସର ଥିଵା ଗୁଣ ଉଭୟଙ୍କୁ ସମାନ କରିଥାଏ । ଫଳ କ୍ଷେତ୍ରରେ ଉଭୟ ଗଛର ଫଳ ବେରୀ (berry) ପ୍ରକାରର ହୋଇଥାଏ ଯାହା ପାଚିଲା ବେଳେ ହଳଦିଆ ରଙ୍ଗର ହୋଇଥାଏ ଏଵଂ ଖାଦ୍ୟଯୋଗ୍ୟ ମାଂସଳ ଅଂଶ ରହିଥାଏ । ତେବେ ସତ୍ୟଆମ୍ବର ଫଳ ଗୋଲାକାର ଵା ଅଣ୍ଡାକାର ହୋଇ ପାଞ୍ଚରୁ ନଅ ସେଣ୍ଟିମିଟର୍ ଵ୍ୟାସର ହୋଇଥାଏ ଏଵଂ ହଳଦିଆ ମାଂସ ସହ ପ୍ରାୟ ପାଞ୍ଚଟି ଵୀଜ ରହିଥାଏ । ପିଜୁଳିର ଫଳ ଗୋଲାକାର ଵା ନାଶପାତି ଆକୃତିର ହୋଇ ଚାରିରୁ ବାର ସେଣ୍ଟିମିଟର୍ ଵ୍ୟାସର ହୋଇଥାଏ ଏଵଂ ଧଳା ଵା ଗୋଲାପୀ ମାଂସ ସହ ଅନେକ ଛୋଟ ଵୀଜ ରହିଥାଏ ଯାହା ଉଭୟରେ ଫଳର ରଙ୍ଗ ଏବଂ ଖାଦ୍ୟଗୁଣରେ ସମାନତା ଦର୍ଶାଏ । ଅନ୍ୟାନ୍ୟ ଗୁଣରେ ଉଭୟ ଗଛ ଆର୍ଦ୍ର ଉଷ୍ଣମଣ୍ଡଳୀୟ ପରିଵେଶରେ ବଢ଼ିଥାନ୍ତି ଏଵଂ ଫଳ ଔଷଧୀୟ ଓ ପୋଷଣୀୟ ଗୁଣରେ ଭରପୂର ହୋଇଥାଏ । ଉଭୟର ଫଳ ଆଣ୍ଟିଅକ୍ସିଡାଣ୍ଟ୍ ଓ ଆଣ୍ଟିଡାଇବେଟିକ୍ ଗୁଣ ଅଛି ଏଵଂ ପାରମ୍ପରିକ ଔଷଧରେ ଵ୍ୟଵହୃତ ହୋଇଥାଏ ଯାହା ସେମାନଙ୍କର ସାଧାରଣ ଉପଯୋଗିତାକୁ ଦର୍ଶାଏ । ଏହି ସମାନତାଗୁଡ଼ିକ ଉଭୟ ଗଛଙ୍କୁ ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ସମାନ ଭୂମିକା ଦେଇଥାଏ ।
ଉଦ୍ଭିଦକୁଳର ଭିନ୍ନ ହେଵା ସତ୍ତ୍ୱେ ଏହି ସାଧାରଣ ଲକ୍ଷଣଗୁଡ଼ିକ ସେମାନଙ୍କୁ ପରସ୍ପର ସହ ସାମଞ୍ଜସ୍ୟପୂର୍ଣ୍ଣ କରିଥାଏ ।
ତେଣୁ ସମ୍ଭଵତଃ ପ୍ରକୃତ ସତ୍ୟଆମ୍ବ - Garcinia xanthochymus ସହିତ ପିଜୁଳି ଵା Psidium guajavaର ଏହିସବୁ ସାମଞ୍ଜସ୍ୟ ଯୋଗୁଁ ଓଡ଼ିଶାର ଉତ୍ତରାଞ୍ଚଳରେ ଲୋକେ ପିଜୁଳିକୁ ପ୍ରଥମେ ଦେଖି ସତ୍ୟଆମ୍ଵ ନାମ ଦେଇଥିଲେ ଏଵଂ କାଳକ୍ରମେ ତାହା ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ରୂପେ ପରିଵୃତ୍ତ ହୋଇଅଛି।
ସବୁଠାରୁ ବଡ଼ କଥା ହେଲା ପିଜୁଳି ଫଳର ତଳେ ଥିଵା persistent calyx ସତ୍ୟଆମ୍ବର ଭ୍ରମ ସୃଷ୍ଟି କରେ । ସତ୍ୟଆମ୍ବ ତଳ ଗୋଜିଆ ଭାଗ ଭଳି ଏହା ଦେଖାଯାଉଥିଵାରୁ ଦୂରରୁ ଦେଖିଲେ ଏହି ଭ୍ରମ ସୃଷ୍ଟି ହୁଏ । ହୁଏତ ଉତ୍ତର ଓଡ଼ିଶାରେ ଦୂରରୁ ଲୋକମାନେ ପିଜୁଳି ଫଳକୁ ଦେଖି ଭୁଲ୍ କ୍ରମେ ସତ୍ୟଆମ୍ବ ଭାବିଥିବେ ଏଵଂ ଏହି ନାମଟି ପିଜୁଳି ପାଇଁ ଚଳିଵାକୁ ଲାଗିଲା । ସାରଳା ମହାଭାରତରେ ଵର୍ଣ୍ଣିତ ସତ୍ୟଆମ୍ଵ କଥା ଏହି ନାମକରଣରେ ପ୍ରେରଣା ଯୋଗାଇଥାଇପାରେ। ଏହା ଵ୍ୟତୀତ, ଉତ୍ତର ଭାରତରେ ପିଜୁଳିକୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଫଳ ବୋଲି ମନେ କରାଯାଏ, ଯାହା ସତ୍ୟଆମ୍ଵ କଥାର ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରେ। ଏହି ଲୋକଵିଶ୍ୱାସ ଯୋଗୁଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପିଜୁଳି ଅର୍ପଣ କରାଯାଏ। ତେବେ, ସାରଳା ମହାଭାରତରେ ପିଜୁଳି ନୁହେଁ ଵରଂ Garcinia xanthochymus ଫଳକୁ ସତ୍ୟଆମ୍ଵ ବୋଲାଯାଇଛି । ପିଜୁଳିର ଆଗମନ ସାରଳା ମହାଭାରତ ଲେଖାଯିଵାର ଶହେ ଵର୍ଷ ପରେ ହୋଇଥିଲା। ତେଣୁ ସମ୍ଭଵତଃ ପିଜୁଳି ଓଡ଼ିଶାକୁ ଆସିଵା ପରେ, ଏହାର ସାମଞ୍ଜସ୍ୟ ଓ ସାରଳା ମହାଭାରତର ଲୋକପ୍ରିୟତା ଯୋଗୁଁ ଏହାକୁ ସତ୍ୟଆମ୍ଵ ନାମ ଦିଆଗଲା। ଏହା ପରେ ସଇତାମ୍ଵ, ସୈତାମ୍ଵ, ଓ ସୋଇତାମ୍ଵ ଆଦି ରୂପ ପାଇଛି।
ସତ୍ୟଆମ୍ବ(Garcinia xanthochymus) କେଵଳ ଏକ ଉଦ୍ଭିଦ ନୁହେଁ, ଏହା ପ୍ରକୃତିର ଔଷଧାଳୟ, ଲୋକଜୀଵନର ସହଚର ଏଵଂ ଓଡ଼ିଆ ସାହିତ୍ୟର ଏକ ଅମର ପ୍ରତୀକ । ଏହାର ଖଟା-ମିଠା ଫଳ ଶରୀରକୁ ସୁସ୍ଥ ରଖେ ପୁଣି ସତ୍ୟଆମ୍ବ ଵା Garcinia xanthochymus ସମ୍ବନ୍ଧୀୟ ମହାଭାରତ ସହିତ ଯୋଡ଼ା ଯାଇଥିଵା କାହାଣୀ ଜାଣିଲେ ମନକୁ ସତ୍ୟର ପଥରେ ଚାଲିଵାକୁ ପ୍ରେରଣା ମିଳିଥାଏ । ଆଜିର ଦ୍ରୁତ ପରିଵର୍ତ୍ତନଶୀଳ ଵିଶ୍ୱରେ ଏହି ପୁରାତନ ଗଛଟି ଆମକୁ ସ୍ମରଣ କରାଇଵାକୁ ଚାହୁଁଛି ଯେ ପ୍ରକୃତିର ସମ୍ପଦ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିଵା ଆମର ପରମ ଦାୟିତ୍ୱ ଅଟଇ। ଏହି ଦେଶୀ ଗଛର ଵଂଶ ରକ୍ଷା କରିଵା ଦ୍ୱାରା ଆମେ କେଵଳ ଜୈଵ ଵିଵିଧତା ନୁହେଁ ଵରଂ ନିଜ ପରିଚୟର ଏକ ଅଂଶକୁ ମଧ୍ୟ ବଞ୍ଚାଇ ରଖିପାରିଵା । ଯଦି ଆମେ ତାହାକୁ ସମ୍ମାନ ଦେଵା ଓ ସଂରକ୍ଷଣ କରିଵା ତେବେ ସତ୍ୟଆମ୍ବ ଆମ ଜଙ୍ଗଲ, ଆମ ଔଷଧ ଓ ଆମ ସାହିତ୍ୟରେ ଚିରକାଳ ବଞ୍ଚି ରହିଵ ।
•••••••••••••••••••••••••••••••••••••••
ତଥ୍ୟ ଉତ୍ସ :
୧. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ – ପୂର୍ଣ୍ଣଚନ୍ଦ୍ର ଦାସ ।
୨. ସାରଳା ମହାଭାରତ – ସାରଳା ଦାସ ।
୩. The Flora of British India, Vol. 1 – J.D. Hooker ।
୪. Indian Medicinal Plants, Vol. 3 – K.R. Kirtikar and B.D. Basu ।
୫. Flora of Orissa, Vol. 1 – H.O. Saxena and M. Brahmam ।
୬. Medicinal Plants of India – R.N. Chopra, S.L. Nayar and I.C. Chopra ।
୭. Phytochemistry and Pharmacology of Garcinia species – (Journal of Ethnopharmacology) ।
୮. Clusiaceae Family: Systematics and Evolution – P.F. Stevens (Angiosperm Phylogeny Website) ।
୯. Antioxidant and Anticancer Properties of Xanthones from Garcinia – Research articles in Food Chemistry ।
୧୦. Traditional Uses of Garcinia xanthochymus in Ayurveda and Folk Medicine – Journal of Medicinal Plants Research ।
୧୧. Biodiversity of Eastern Ghats – Odisha Forest Department publications ।
୧୨. Similipal Biosphere Reserve: Flora and Fauna – Wildlife Institute of India reports ।
୧୩. Pharmacognosy of Garcinia Fruits – Indian Journal of Pharmaceutical Sciences ।
୧୪. Ethnobotany of Odisha – S.K. Jain and ଅନ୍ୟାନ୍ୟ ।
୧୫. The Genus Garcinia in Asia – A Taxonomic Revision – Botanical Journal of the Linnean Society ।
•••••••••••••••••••••••••••••••••••••
No comments:
Post a Comment