ଓଡ଼ିଶାରେ ଅନେକ ଲୋକକଥା ଓ ଲୋକଗଳ୍ପ ରହିଛି ତେବେ ଯଦି ତନ୍ମଧ୍ୟରୁ ସବୁଠାରୁ ଜଣାଶୁଣା କିନ୍ତୁ ଵିରଳ ଲୋକଗଳ୍ପ "କଲୁରିବେଣ୍ଟ କଥା" ଅଟେ । ଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ଉତ୍କଳ କାହାଣୀ ପ୍ରଥମ ଭାଗ(୧୯୦୧)ରେ ଏହି ଲୋକଗଳ୍ପକୁ ସ୍ଥାନ ଦେଇଛନ୍ତି । ପ୍ରହରାଜଙ୍କ ଲିଖିତ ପ୍ରୋକ୍ତ ଲୋକଗଳ୍ପଟି ନିମ୍ନରେ ପ୍ରଦତ୍ତ ହେଲା।
କଲୁରିବେଣ୍ଟ କଥା(ଗୋପାଳ ଚନ୍ଦ୍ର ପ୍ରହରାଜ)
ଏକ ଗାଁରେ ଗୋଟିଏ ରାଣ୍ଡୀପୁଅ ଅନନ୍ତା ଥାଏ, ତା ମା’ ଦିନଯାକ ୟା ଦୁଆର ତା ଦୁଆର ବୁଲି କେଉଁଠୁ ଧାନ କୁଟି ଚାଉଳ ସେରେ – କେଉଁଠୁ ଧାନ ଉଷେଇଁ ଚାଉଳ ପାଏ, କାହା ଘରେ ହଳଦି ବାଟି ଲୁଣ ପୋଷେ, ଏପରି ଆଣେ। ଏଣେ ରାଣ୍ଡୀପୁଅ
ପେଟେ ଗିଳି ଦିନଯାକ ୟାକୁ ମାର, ତାକୁ ଧର, ଏହିପରି କରି ବୁଲୁଥାଏ । କୁଟା ଖଣ୍ଡିକ ଦି ଖଣ୍ଡ କରେ ନାହିଁ । ଖାଇଲା ବେଳକୁ ଆଜି ତିଅଣ’ ହେଲା ନାହିଁ, ଆଜି ଭଜା ହେଲା ନାହିଁ, ଏହିପରି ନାନାଦି ପର୍ବ ଲଗାଏ, ମା’ କୁ ମାରେ, ହାଣ୍ଡିକୁଣ୍ଢେଇ ବାଡ଼େଇ ଦିଏ । ଦିନେ ମା କେତେଆଡ଼ୁ ମାଗିଯାଚି ସାତ ତୁଅଣ ଆଠ ଭଜା କରି ଅନନ୍ତାକୁ ଖାଇଵାକୁ ଦେଲା । ଅନନ୍ତା ଆଜି ଖାଇପିଇ ସାରି ଭାରି ଖୁସି । ଖାଇ ସାରିଲାରୁ ମା ଅନନ୍ତାକୁ ଫୁସୁଲେଇ କରି କହିଲା - ଆରେ ପୁତା, ଏ ଗାଁର ଲୋକେ ପରିବାରେ ଭାସୁଛନ୍ତି । ଆମର ଏତେ ବାଡ଼ି ପଡ଼ିଆ ପଡ଼ିଛି, ବୁଦାଏ ଖଣ୍ଡେ ପନିପରିବା ଲାଗିଲେ, ଆମେ ଆଉ କୁଆଡ଼େ ଖୋଜିଵାକୁ ଯାଆନ୍ତେ ନାହିଁ । ଅନନ୍ତା ତହିଁ ଆରଦିନ ସକାଳୁ ଉଠି ମାଆକୁ ପରିବା ମଞ୍ଜି ମାଗିଲା । ମାଆ ଗୋଟାଏ କଲରା ମଞ୍ଜି ଠଣା"ରେ ଗୋଵର ଭିତରେ
ରଖିଥିଲା, ବାହାର କରିଦେଲା । ଅନନ୍ତା ଖଣନ୍ତି ନେଇ ସେ ମଞ୍ଜିଟି ପୋତି ଆସିଲା । ସନ୍ଧ୍ୟାବେଳକୁ ଟୋପିଏ ପାଣି ଦେଇ ମଞ୍ଜିକି କହିଲା - ଯେବେ କାଲିକି ଗଜା ହୋଇ ନ ଥିବୁ, ତେବେ ମାମୁଘର କଟୁରି ଆଣି ସାତ ଖଣ୍ଡ କରି କାଟିବି । ରାଣ୍ଡୀପୁଅ ଅନନ୍ତା ବଡ଼ ଦୁଷ୍ଟ, ତାକୁ ନ ଡରେ କିଏ ? ତହିଁ ଆର ଦିନକୁ କଲରା ଗଜା ବାହାରିଲା । ଫେରେ ଆରବେଳକୁ ଗଛରେ ପାଣି ଦେଲାବେଳେ ଅନନ୍ତା କହିଲା- ଯେବେ କାଲିକି ଦି’ପତ୍ର ନ ହୋଇଥିବୁ, ତେବେ ମାମୁଘର କଟୁରି ଆଣି ସାତ ଖଣ୍ଡ କରିବି । ସତକୁ ସତ ତହିଁ ଆର ଦିନ ଗଜାରୁ ଦି’ ପତ୍ର ହୋଇଛି । ଏହିପରି ନିତି ପାଣି ଦେଲାବେଳେ କଲରା ଲତାକୁ ଡରାଏ । ଚାହୁଁ ଚାହୁଁ ଦିନକୁ ଦିନ ଚାରିପତ୍ର ହେଲା, ଲଟା ମାଡ଼ିଲା, କଲରା କଷିଟିଏ
ହେଲା । ପଛକୁ କଲରାଟି ପାଚିଲା । ଅନନ୍ତାର ଆଜି ଆନନ୍ଦର ସୀମା ନାହିଁ । ଯେ ଦାଣ୍ଡରେ ଯାଏ, ତାକୁ ନେଇ କଲରାଟି ଦେଖାଏ । ଆଜି ଅନନ୍ତା ଗୋଡ଼ ତଳେ ଲାଗିଵାକୁ ନାହିଁ ।
ପାଚିଲା କଲରାକୁ କୁଆ ବାଇ । ଡାମରା କାଉଟାଏ କଲରା ଦେଖିଲା । କଲରାକୁ କହିଲା – ‘‘ହେ କଲରା- ମୁଁ ତତେ ଖାଆନ୍ତି ।’’
କଲରା କହିଲା – ‘‘ଯା’ ମାମୁଘର କୂଅରେ ଥଣ୍ଟ ଧୋଇଆସିବୁ, ତେବେ ମତେ ଖାଇବୁ ।”
କୁଆ ଯାଇ ମାମୁଘର କୂଅ ପାଖରେ ପହଞ୍ଚି କୂଅକୁ କହିଲା - ‘‘ଦେ କୂଅ, ଦେ ପାଣି, ଧୁଏ ଥଣ୍ଟ, ଧାଇଁ ଯାଇଁ ଖାଏ କଲୁରିବେଣ୍ଟ ।’’
କୂଅ କହିଲା - ‘‘ଯା, କୁମ୍ଭାର ଘରୁ କଳସଟିଏ ଆଣିବୁ । ପାଣି କାଢ଼ି ଖାଇବୁ ।’’
କୁଆ କୁମ୍ଭାର ଘରକୁ ଯାଇ କହିଲା – ‘‘ଦେ କୁମ୍ଭାର କଳସ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।’’
କୁମ୍ଭାର କହିଲା - ‘‘ଯା, ବିଲରୁ ମାଟି ଆଣିବୁ, ମୁଁ କଳସ ଦେବି ।’’
କୁଆ ଯାଇଁ ବିଲରେ ପହଞ୍ଚିଲା । କହିଲା - ‘‘ଦେ ବିଲ, ଦେ ମାଟି, ଗଢ଼ୁ କୁମ୍ଭାର କଳସ ଗୋଟି, କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।’’
ବିଲ କହିଲା - ‘‘ଯା ମିରିଗ ପାଖରୁ ଶିଙ୍ଗ ଆଣ । ମାଟି ଖୋଳିବୁ, ନେବୁ ।’’
କୁଆ ଯାଇଁ ମିରିଗ ପାଖରେ କହିଲା- ‘‘ଦେ ମିରିଗ ଦେ ଶିଙ୍ଗ, ଖୋଳେ ମାଟି, ଗଢ଼ୁ କୁମ୍ଭାର କଳସ ଗୋଟି । କାଢ଼େ ପାଣି ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।’’
ମିରିଗ କହିଲା – ‘‘ଯା କାଳୀଗାଈଠାରୁ ଦୁଧ ଆଣି ଦେ, ମୁଁ ପିଇଲେ ଶିଙ୍ଗ ଦେବି ।’’
କୁଆ ଗଲା, କାଳୀ ଗାଈକି କହିଲା - ‘‘ଦେ କାଳୀ ଗାଈ, ଦେ ଦୁଧ, ପିଉ ମିରିଗ, ଦଉ ଶିଙ୍ଗ, ଖୋଳେ ମାଟି, ଗଢ଼ୁ କୁମ୍ଭାର କଳସ ଗୋଟି । କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।’’
କାଳୀ ଗାଈ କହିଲା – ‘‘ମତେ ହିଡ଼ରୁ ଘାସ ଆଣି ଦେ । ମୁଁ ଦୁଧ ଦେବି ।’’
କୁଆ ହିଡ଼ ପାଖରେ ପହଞ୍ଚି କହିଲା- ‘‘ଦେ ହିଡ଼, ଦେ ଘାସ, ଖାଉ କାଳୀ ଗାଈ ଦଉ ଦୁଧ, ପିଉ ମିରିଗ ଦଉ ଶିଙ୍ଗ, ଖୋଳେ ମାଟି, ଗଢ଼ୁ କୁମ୍ଭାର କଳସ ଗୋଟି । କାଢ଼େ ପାଣି, ଧୁଏ ଧଣ୍ଟ, ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।’’
ହିଡ଼ କହିଲା – ‘‘ଯା କମାର ଘରୁ ଦା’ ଆଣ, ଘାସ କାଟିବୁ, ନେଇକରି ଯିବୁ ।’’
କୁଆ ଯାଇ କମାରଶାଳରେ ପହଞ୍ଚିଲା । କମାରକୁ କହିଲା - ‘‘ଦେ କମାର ଦେ ଦା, କାଟେ ଘାସ ଖାଉ କାଳୀଗାଈ ଦଉ ଦୁଧ, ପିଉ ମିରିଗ ଦଉ ଶିଙ୍ଗ, ଖୋଳେ ମାଟି, କୁମ୍ଭାର ଗଢ଼ୁ କଳସ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।’’
କମାର ମନେ ମନେ କହିଲା, ‘‘କୁଆଟାଏ, ତାର ଏତେ ଫିକର । ରହ ଦଉଛି ଚେଂଖେ ? କୁଆକୁ କହିଲା - ‘‘ତୋର ତ ହାତ ନାହିଁ, କୋଉଥରେ ଦା ନବୁ ।’’ କୁଆ କହିଲା - ‘‘ମୋ ଥଣ୍ଟ ଭିତରେ ଥୋଇ ଦେ, ନେବି । କମାର ଦା ଖଣ୍ଡକ ଆଚ୍ଛାକରି ନିଆଁରେ ତତେଇ କରି କୁଆ ଥଣ୍ଟରେ ରଖି ଦେଲା । କୁଆଟି ଛଟ୍ଛଟ୍ ହୋଇ ମରି ଗଲା । ତହିଁ ଆର ଦିନ ରାଣ୍ଡୀପୁଅ ଅନନ୍ତା ପାଚିଲା କଲରାଟି ଭାରି ସୁଖରେ ଖାଇଲା । ମୋ ପାଇଁ ଖଣ୍ଡେ ରଖିଲା ନାହିଁ । ମୋ କଥାଟି ସଇଲା, ଫୁଲ ଗଛଟି ମଲା ।
ପିଲାଯାକ କାହାଣୀଟି ଶୁଣି ବଡ଼ ଖୁସି ହେଲୁ । ଘଡ଼ିକ ଭିତରେ ଦେ ମିରିଗ ଦେ ଶିଙ୍ଗ, ଖାଉ କାଳୀ ଗାଈ, ଦଉ ଦୁଧ, ୟାକୁ ଘୋଷି ଘୋଷି ପାଣି କରି ଦେଲୁ । ଆମ ପିଇସୀପୁଅ ଭାଇ ନାରଣ କଟକ ସ୍କୁଲରେ ପଢ଼େ । ଖରା ଛୁଟିରେ ଆମ ଗାଁକୁ ବୁଲି ଆସିଛି । ତାକୁ ଏ କାହାଣୀ ଭଲ ଲାଗିଲା ନାହିଁ । ବୁଢ଼ୀମା ଏକଥା ଶୁଣି କହିଲେ, କଳିକାଳ ପିଲାଙ୍କୁ କିଛି ଭଲଲାଗେ ନାହିଁ, କୁଳକ୍ଷୟ ବେଳକୁ ଘୋଡ଼ାମୁହାଁ ପୁଅ ଜାତ, ଇଙ୍ଗିର୍ଜି ପଢ଼ିଲେଣି, ଏଣିକି ତାଙ୍କୁ ଆମ ଆଡ଼ ପାଠ ଗନ୍ଧେଇବ । ୟା କହି ବୁଢ଼ୀ ଉଠିଗଲେ । ଆମେ ସବୁ ମେଳି ଭାଙ୍ଗି ଏ କାହାଣୀର ରୀତିକୁ ଘୋଷି ଘୋଷି ଯେଝା ଘରକୁ ଗଲୁ ।
× ×× ×× ×× ×× ×× ×× ×× ×× ×× ×× ×× ×
“କଲୁରିବେଣ୍ଟ କଥା” ନାମକ ଏହି ପ୍ରାଚୀନ ଓଡ଼ିଆ ଲୋକକଥାଟି ଓଡ଼ିଆ ଲୋକସାହିତ୍ୟର ଏକ ଅମୂଲ୍ୟ ଅଂଶ ଅଟେ ଯାହା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ସଂଗ୍ରହିତ ହୋଇ ଉତ୍କଳ କାହାଣୀ ପ୍ରଥମ ଭାଗରେ ୧୯୦୧ ମସିହାରେ ପ୍ରକାଶିତ ହୋଇଥିଲା । କିନ୍ତୁ ଏହାର ମୂଳ ରଚୟିତା ଗୋପାଳ ଚନ୍ଦ୍ର ପ୍ରହରାଜ ନୁହନ୍ତି। ବହୁକାଳରୁ ଏହି ଗପଟି ଓଡ଼ିଆ ସମାଜରେ ବଞ୍ଚି ରହିଥିଲା ଯାହାକୁ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପରି ଅନେକ ଲେଖକ ଲୋକମୁଖରୁ ସଂଗୃହୀତ କରି ସଂକଳିତ କରିଥିଲେ । ଓଡ଼ିଆ ଲୋକକଥାରେ ଏ ଶିଶୁ ଲୋକଗଳ୍ପର ଏକ ଵିଶେଷ ସାଂସ୍କୃତିକ ମହତ୍ତ୍ୱ ରହିଛି । ଏହା ଓଡ଼ିଆ ଗ୍ରାମ୍ୟ ଜୀଵନର ସରଳତା ହାସ୍ୟରସ ଏଵଂ ସାମାଜିକ ମୂଲ୍ୟଵୋଧକୁ ଅତି ସୁନ୍ଦର ଭାବେ ପ୍ରତିଫଳିତ କରିଥାଏ ।
କଲରା ଵା Momordica charantiaର ଓଡ଼ିଶାରେ ଅନେକ ସ୍ନେହସୂଚକ ନାମ ପ୍ରୟୋଗ ରହିଛି। କାହାଣୀରେ କଲରା ଫୁଲକୁ କଲରେଇ ଫୁଲ ଏଵଂ କଲରାଫଳକୁ କଲୁରିବେଣ୍ଟ ନାମିତ କରାଯାଇଛି। କଲରାଗଛକୁ ମଧ୍ୟ ଆଦରରେ ଲୋକେ କଲୁ୍ରି ଗଛ ଵା କଲୁରି ଗଛି ନାମ ଦେଉଥିଲେ । ପ୍ରାଚୀନ ଢଗରେ ଲୋକଗଳ୍ପ ଓ ଲୋକଗୀତରେ ଏସବୁ ଶବ୍ଦ ପ୍ରୟୋଗ ହୋଇଛି ।
“ବଞ୍ଚିଥାଉ ମୋ କଲୁରିଗଛି, କଲୁରି ଥିଲେ ମୋ ତିଅଣ ଅଛି ।”
ଫଳର, ଫୁଲର ଓ ପତ୍ରର ଡେମ୍ଫକୁ ଵୃନ୍ତ କୁହାଯାଏ ଏଵଂ ବେଣ୍ଟ ଶବ୍ଦଟି ଏହି ଵୃନ୍ତ ଶବ୍ଦ ସହିତ ସମୋଦ୍ଧୃତ । ଏ ଦୃଷ୍ଟିରୁ ଦେଖିଲେ କଲୁରିବେଣ୍ଟର ଅର୍ଥ କଲରାଫଳ ଵିଶେଷତଃ ଗଛରେ ଝୁଲୁଥିଵା ଏଵଂ ତୋଳାଯାଇନଥିଵା କଲରାଫଳ ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସେଥିପାଇଁ କଲୁରିବେଣ୍ଟର ଦୁଇଗୋଟି ଅର୍ଥ କଲରା ଫଳ ଓ କଲରା ଫଳର ଡେମ୍ଫ ଉଲ୍ଲେଖ ଅଛି । କାହାଣୀର କଥାନକରୁ ସ୍ପଷ୍ଟ ହୋଇଯାଏ ଯେ ତୋଳାଯାଇନଥିଵା ଏଵଂ ଲତିକାରେ ଵୃନ୍ତଯୁକ୍ତ କଲରାଫଳକୁ ହିଁ କଲୁରିବେଣ୍ଟ ସମ୍ବୋଧନ କରାଯାଇଛି ଅର୍ଥାତ୍ ତୋଳା ସରିଥିଵା କଲରା ଫଳକୁ କଲୁରିବେଣ୍ଟ କୁହାଯାଇଥାଏ । ଏହା ଓଡ଼ିଆ ସମାଜର ଏକ ଵୈଶିଷ୍ଟ୍ୟ, ମନୁଷ୍ୟ ତ ମନୁଷ୍ୟ ସବୁ ଜୀଵିତ ପ୍ରାଣୀଙ୍କ ପାଇଁ 'ମାନେ' ଶବ୍ଦ ପ୍ରୟୋଗ ହୋଇଥାଏ ଓଡ଼ିଆ ଭାଷାରେ ଯାହା ଵିଶ୍ଵର ଏକ ଵିରଳ ଉଦାହରଣ । ସେହିପରି କଲରାଗଛକୁ, କଲରାଫୁଲକୁ ଏବଂ କଲରାଫଳକୁ ପାଇଁ ଵ୍ୟଵହୃତ ସ୍ନେହସମ୍ବୋଧନ ଓଡ଼ିଆ ଜାତିର ଏକ ଅତି ସୁନ୍ଦର ଵୈଶିଷ୍ଟ୍ୟ ଅଟେ । ଏଥିରୁ ହୃଦୟଙ୍ଗମ ହୁଏ ଯେ ଓଡ଼ିଆ ଲୋକେ ପ୍ରକୃତି ସହିତ କେତେ ଗଭୀର ଭାବରେ ଜଡ଼ିତ ଅଛନ୍ତି ଏଵଂ ସାଧାରଣ ଉଦ୍ଭିଦକୁ ମଧ୍ୟ ପରିଵାରର ସଦସ୍ୟ ଭଳି ଆଦର ଓ ସ୍ନେହ ଦେଇ ଡାକନ୍ତି ।
ଓଡ଼ିଆ ଶିଶୁ ଲୋକଗଳ୍ପ କଲୁରିବେଣ୍ଟ କଥା ପ୍ରକୃତରେ ଏକ ଵିରଳ ପ୍ରକାରର ଲୋକଗଳ୍ପ ଯାହାକୁ ଵୈଜ୍ଞାନିକ ଭାଷାରେ Cumulative Chain Tale କୁହାଯାଏ । ଵିଶ୍ୱରେ ଏ ଧରଣର ଲୋକକଥା ଓ ଲୋକଗୀତ ଭିନ୍ନ ଭିନ୍ନ ମାନଵଜାତି ମଧ୍ୟରେ ପ୍ରଚଳିତ ଥିଲେ ମଧ୍ୟ ଅନ୍ୟାନ୍ୟ ଗଳ୍ପ ପ୍ରକାର ପରି ସବୁ ଭାଷାରେ ଓ ସଂସ୍କୃତିରେ ଏ ଜାତୀୟ ଲୋକଗଳ୍ପ ଓ ଲୋକଗୀତ ଦେଖାଯାଏ ନାହିଁ । Cumulative Chain Tale ଏକ ଵିଶେଷ ପ୍ରକାରର ଲୋକକଥା ଯହିଁରେ କାହାଣୀ ଏକ ଶୃଙ୍ଖଳାବଦ୍ଧ କ୍ରମରେ ଵଢ଼ିଥାଏ ଏଵଂ ପ୍ରତ୍ୟେକ ନୂଆ ଅଂଶ ପୂର୍ଵ ଅଂଶକୁ ପୁନରାଵୃତ୍ତି କରି ଯୋଡ଼ି ହୋଇ ରହିଥାଏ ଯାହା ହାସ୍ୟ ଏଵଂ ତାଳ ସୃଷ୍ଟି କରିଥାଏ । ଏହି ପ୍ରକାରର ଲୋକଗଳ୍ପ ଵିଶ୍ୱର ଅନ୍ୟ ସଂସ୍କୃତିରେ ମଧ୍ୟ ରହିଛି ଯେମିତି ଇଂରେଜିରେ “The House That Jack Built” କିମ୍ଵା ଅନ୍ୟ ଭାଷାରେ ସମତୁଲ୍ୟ କାହାଣୀ କିନ୍ତୁ ଓଡ଼ିଆ କଲୁରୀବେଣ୍ଟ ଲୋକଗଳ୍ପରେ ଏହା ସ୍ଥାନୀୟ ରଙ୍ଗ ଏଵଂ ଗ୍ରାମ୍ୟ ଜୀଵନର ଵାସ୍ତଵତା ସହିତ ମିଶି ଏକ ଅନନ୍ୟ ରୂପ ନେଇଛି । କାହାଣୀରେ ଅନନ୍ତା ନାମକ ଦୁଷ୍ଟ ବାଳକ ଧମକ ଦେଇ କଲରା ଗଛକୁ ଵଢ଼ାଇଥାଏ ଏଵଂ ପାଚିଲା କଲରାକୁ ଖାଇଵାକୁ ଆସି ଡାମରା କଲୁରିବେଣ୍ଟ ଏକ ଅନନ୍ତ ଶୃଙ୍ଖଳାରେ ପଡ଼ି କମାରଙ୍କ ହାତରେ ମରିଯାଏ । ଏହି ଶୃଙ୍ଖଳାରେ କୂଅ କଳସ ମାଟି ଶିଙ୍ଗ ଦୁଧ ଘାସ ଦା ଆଦି ଵସ୍ତୁ ଏଵଂ କୁମ୍ଭାର କମାର ମିରିଗ ଗାଈ ହିଡ଼ ଆଦି ଚରିତ୍ର ସ୍ଥାନ ପାଇଛନ୍ତି ଯାହା ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଏଵଂ ଵୃତ୍ତିଗତ ଵିଭିନ୍ନତାକୁ ଦର୍ଶାଇଥାଏ । ଏହା ସମାଜର ପରସ୍ପର ନିର୍ଭରଶୀଳତାକୁ ପ୍ରକାଶ କରିଥାଏ ଫଳତଃ ଛୋଟବେଳୁ ହିଁ ଶିଶୁଟି ଜାଣିପାରେ ଯେ କୌଣସି ଏକ ଵୃତ୍ତି ଅନ୍ୟ ଵୃତ୍ତି ଉପରେ ନିର୍ଭର କରି ଚାଲିଥାଏ ଏଵଂ ଏହି ସମ୍ମିଳନ ହିଁ ଗ୍ରାମୀଣ ସମାଜର ମୂଳ ଶକ୍ତି । କଲରା ଯାହା ଓଡ଼ିଆ ରୋଷେଇରେ ଏକ ସାଧାରଣ ପରିଵା ଏହି କାହାଣୀର କେନ୍ଦ୍ରରେ ରହି ଓଡ଼ିଆ ଭୋଜନ ସଂସ୍କୃତିକୁ ପ୍ରତିନିଧିତ୍ୱ କରିଥାଏ ।
ଏହି ଗପଟିର ହାସ୍ୟରସ ଏଵଂ ତାଳଵଦ୍ଧ ପୁନରାଵୃତ୍ତି ଶିଶୁମାନଙ୍କୁ ଆକୃଷ୍ଟ କରିଥାଏ ଏଵଂ ସେମାନେ ଘୋଷି ଘୋଷି ଏହାକୁ କହି ଭାଷା ଦକ୍ଷତା ଏଵଂ ସ୍ମୃତିଶକ୍ତି ଵଢ଼ାଇ ପାରନ୍ତି । ଏହି ପ୍ରକାରର କାହାଣୀ ଵିଶ୍ୱର ଅନ୍ୟ ଅନେକ ସଂସ୍କୃତିରେ ମଧ୍ୟ ଦେଖାଯାଏ । ଇଂରେଜି ଲୋକକଥାରେ ପ୍ରସିଦ୍ଧ “This Is the House That Jack Built” ଏକ କ୍ଲାସିକ Cumulative Chain Tale ସମ୍ବନ୍ଧୀୟ ଲୋକଗୀତ ଯାହାର କାହାଣୀ ଏକ ଘରରୁ ଆରମ୍ଭ ହୋଇ malt(ଶସ୍ୟ), ମୂଷା, ବିଲେଇ, କୁକୁର ଗାଈ ଆଦି ଯୋଡ଼ି ଯୋଡ଼ି ବଢ଼ିଥାଏ ଏଵଂ ଶେଷରେ ଏକ କୃଷକ ସହିତ ଯୋଡ଼ି ହୋଇ ଗ୍ରାମୀଣ ଜୀଵନର ପରସ୍ପର ନିର୍ଭରଶୀଳତାକୁ ଦର୍ଶାଇଥାଏ । ଏହାର ଶୃଙ୍ଖଳା କଲୁରିବେଣ୍ଟ କଥା ଭଳି ପୁନରାଵୃତ୍ତି ଉପରେ ନିର୍ଭର କରିଥାଏ କିନ୍ତୁ ଏଥିରେ ହାସ୍ୟ ଅଵାସ୍ତଵିକତାରୁ ଅଧିକ ଆସିଥାଏ ଏଵଂ କୌଣସି ମୃତ୍ୟୁ କିମ୍ଵା ନକରାତ୍ମକ ପରିଣାମ ନାହିଁ । ଏହା ମୁଖ୍ୟତଃ ସ୍ମୃତିଶକ୍ତି ଵଢ଼ାଇଵା ଏଵଂ ତାଳଵଦ୍ଧ ଗାଇଵା ପାଇଁ ରଚିତ ଏଵଂ ଏହାର ଉତ୍ପତ୍ତି ଇଂଲଣ୍ଡରେ ୧୭୫୫ ମସିହାରେ ଦେଖାଯାଏ ଯାହା ପରେ ଵିଶ୍ୱର ଅନେକ ଭାଷାରେ ଅନୁଵାଦିତ ହୋଇଛି । କଲୁରିବେଣ୍ଟ କଥା ସହିତ ତୁଳନା କଲେ ଏହା ଅଧିକ ସରଳ ଏଵଂ ନିରୀହ କିନ୍ତୁ ଉଭୟରେ ଗ୍ରାମୀଣ ଜୀଵନର ଉପାଦାନ ଯେମିତି ପଶୁ ଵୃତ୍ତି ଆଦି ସ୍ଥାନ ପାଇଛି ।
ଅନ୍ୟ ଏକ ପ୍ରସିଦ୍ଧ Cumulative Chain Tale ହେଉଛି “There Was an Old Lady Who Swallowed a Fly” ଯାହା ଆମେରିକା ଏଵଂ ଇଂଲଣ୍ଡରେ ଅତି ଲୋକପ୍ରିୟ ଏଵଂ ଏହାର କାହାଣୀରେ ଜଣେ ବୁଢ଼ୀ ମହିଳା ମାଛିକୁ ଗିଳି ତାକୁ ଧରିଵାକୁ ମାଙ୍କଡ଼ ଗିଳନ୍ତି ତାପରେ ଚଢ଼େଇ ବିଲେଇ କୁକୁର ଛେଳି ଗାଈ ଏଵଂ ଶେଷରେ ଘୋଡ଼ା ଗିଳି ମରିଯାନ୍ତି । ଏହାର ଶୃଙ୍ଖଳା କଲୁରିବେଣ୍ଟ କଥା ସହିତ ଅତି ସମାନ କାରଣ ଉଭୟରେ ଏକ ପ୍ରାଣୀ ଅନ୍ୟ ପ୍ରାଣୀକୁ ଖାଇଵାକୁ ଚାହିଁ ଵଢ଼ୁଥିଵା ଶୃଙ୍ଖଳା ରହିଛି ଏଵଂ ଶେଷରେ ମୃତ୍ୟୁ ଘଟିଥାଏ । ଏହାର ଉତ୍ପତ୍ତି ୧୯୪୦ ଦଶକରେ ଦେଖାଯାଏ ଏଵଂ ଏହା ଅଵାସ୍ତଵିକ ହାସ୍ୟ ସହିତ ଲୋଭ କିମ୍ଵା ଅଧୈର୍ଯ୍ୟର ପରିଣାମ ଦର୍ଶାଇଥାଏ ଯାହା କଲୁରିବେଣ୍ଟର ଲୋଭ ସହିତ ମିଶିଯାଏ । କିନ୍ତୁ କଲୁରିବେଣ୍ଟ କଥାରେ ଶୃଙ୍ଖଳା ଅଧିକ ସାମାଜିକ ଏଵଂ ଵୃତ୍ତିଗତ ଯେମିତି କୁମ୍ଭାର କମାର ଆଦି ସହିତ ଯୋଡ଼ା ଯାହା ଓଡ଼ିଆ ଗ୍ରାମୀଣ ଅର୍ଥନୀତିକୁ ପ୍ରତିଫଳିତ କରିଥାଏ ମାତ୍ର ପ୍ରୋକ୍ତ ଇଂରେଜି ଲୋକଗୀତର କଥାନକଟି କେଵଳ ପଶୁପକ୍ଷୀ ଉପରେ କେନ୍ଦ୍ରିତ । ଏହା ଅନେକ ଭାଷାରେ ଅନୁଵାଦିତ ହୋଇଛି ଏଵଂ ଶିଶୁମାନଙ୍କ ପାଇଁ ଗାଇଵା ଯୋଗ୍ୟ ଲୋକଗୀତ ଅଟେ ।
ଏହା ଵ୍ୟତୀତ ଈହୁଦୀ ପରମ୍ପରାରେ ପ୍ରସିଦ୍ଧ “Chad Gadya” ନାମକ ଗୀତ ଏକ ପ୍ରାଚୀନ Cumulative Chain Tale ଯାହା ପାସୋଵର୍ ସମୟରେ ଗାୟନ କରାଯାଏ ଏଵଂ ଏଥିରେ ଛେଳିକୁ ବିଲେଇ ଖାଏ ବିଲେଇକୁ କୁକୁର କୁକୁରକୁ ଲାଠି ଆଦି ଏକ ଶୃଙ୍ଖଳାରେ ବଢ଼ି ଈଶ୍ୱରଙ୍କ ହସ୍ତକ୍ଷେପ ସହିତ ଶେଷ ହୋଇଥାଏ । ଏହାର ଉତ୍ପତ୍ତି ୧୫୯୦ ମସିହାରେ ଦେଖାଯାଏ ଏଵଂ ଏହା ଧାର୍ମିକ ଏଵଂ ଐତିହାସିକ ପ୍ରତୀକାତ୍ମକତା ଧାରଣ କରିଥାଏ ଯାହା କଲୁରିବେଣ୍ଟ କଥାର ହାସ୍ୟପୂର୍ଣ୍ଣ ନୈତିକ ଶିକ୍ଷାଠାରୁ ଭିନ୍ନ ଅଟେ । କିନ୍ତୁ ଶୃଙ୍ଖଳାର ପୁନରାଵୃତ୍ତି ଏଵଂ ଅଵାସ୍ତଵିକ ଘଟଣା ଉଭୟରେ ସମାନ । ଏହା “This Is the House That Jack Built” ର ଉତ୍ପତ୍ତିରେ ପ୍ରଭାଵ ପକାଇଥିଲା ଵୋଲି ଅନୁମାନ କରାଯାଏ ।
ଅନ୍ୟ ଏକ ଉଦାହରଣ ହେଉଛି “The Twelve Days of Christmas” ଯାହା ଏକ କ୍ରିସମାସ୍ ଗୀତ ଏଵଂ Cumulative Chain Tale ଯହିଁରେ ପ୍ରତିଦିନ ନୂଆ ଉପହାର ଯୋଡ଼ା ଯାଇ ପୁନରାଵୃତ୍ତି ହୋଇଥାଏ । ଏଥିରେ କୌଣସି ନକରାତ୍ମକ ପରିଣାମ ନାହିଁ ଵରଂ ଆନନ୍ଦ ଏଵଂ ଉତ୍ସଵର ଭାଵ ରହିଛି ଯାହା କଲୁରିବେଣ୍ଟ କଥାର ହାସ୍ୟପୂର୍ଣ୍ଣ କିନ୍ତୁ ନୈତିକ ସମାପ୍ତିଠାରୁ ଭିନ୍ନ ଅଟେ । ଏହା ସ୍ମୃତିଶକ୍ତି ଵଢ଼ାଇଵା ପାଇଁ ଵ୍ୟଵହୃତ ହୋଇଥାଏ । ଭାରତର ଅନ୍ୟ ଅଞ୍ଚଳରେ ଏପରି ସ୍ପଷ୍ଟ Cumulative Chain Tale କମ୍ ଦେଖାଯାଏ କାରଣ ପଞ୍ଚତନ୍ତ୍ର କିମ୍ଵା ଜାତକ କାହାଣୀଗୁଡ଼ିକ ଅଧିକ ନୈତିକ ଏଵଂ ଫ୍ରେମ୍ଡ ଷ୍ଟୋରି ଶୈଳୀରେ ରହିଛି କିନ୍ତୁ କେତେକ ଲୋକକଥାରେ ପୁନରାଵୃତ୍ତି ଦେଖାଯାଏ । ଉଦାହରଣ ସ୍ୱରୂପ ଦକ୍ଷିଣ ଭାରତର କେତେକ କାହାଣୀରେ ଶୃଙ୍ଖଳାଵଦ୍ଧ ଘଟଣା ରହିଛି କିନ୍ତୁ କଲୁରିବେଣ୍ଟ କଥା ଭଳି ସ୍ପଷ୍ଟ ନୁହେଁ । ଏହି ସବୁ ତୁଳନାରୁ ଦେଖାଯାଏ ଯେ Cumulative Chain Tale ଵିଶ୍ୱର ଅନେକ ସଂସ୍କୃତିରେ ରହିଛି କିନ୍ତୁ ଏ ଶୈଳୀର ଲୋକଗୀତ ଵା ଲୋକଗଳ୍ପ ଅତି ସାଧାରଣ ନୁହେଁ ।
ତେବେ ଏହି “କଲୁରିବେଣ୍ଟ କଥା” ନାମକ ପ୍ରାଚୀନ ଓଡ଼ିଆ ଶିଶୁ ଲୋକଗଳ୍ପଟି କେଵଳ ହାସ୍ୟରସପୂର୍ଣ୍ଣ ମନୋରଞ୍ଜନ ନୁହେଁ ଵରଂ ଅନେକ ଗଭୀର ନୈତିକ ଶିକ୍ଷା ମଧ୍ୟ ଧାରଣ କରିଛି ଯାହା ଶିଶୁମାନଙ୍କଠାରୁ ଆରମ୍ଭ କରି ଵଡ଼ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜୀଵନର ମୌଳିକ ସତ୍ୟ ବୁଝାଇଥାଏ । କାହାଣୀରେ ଦୁଇଟି ମୁଖ୍ୟ ଅଂଶ ରହିଛି ଯଥା ରାଣ୍ଡୀପୁଅ ଅନନ୍ତାର କଲରା ଲଗାଇଵା ଏଵଂ ତାର ବଢ଼ିବାର ପ୍ରକ୍ରିୟା ଏଵଂ ଦ୍ୱିତୀୟତଃ ଡାମରା କଲୁରିବେଣ୍ଟର ଅନନ୍ତ ଶୃଙ୍ଖଳାରେ ପଡ଼ି ମୃତ୍ୟୁ ଘଟିଵା । ଏହି ଦୁଇ ଅଂଶରୁ ଅନେକ ନୈତିକ ଶିକ୍ଷା ଵାହାରିଥାଏ ଯାହାକୁ ଵିସ୍ତୃତ ଭାବେ ଆଲୋଚନା କଲେ କାହାଣୀର ଗଭୀରତା ପ୍ରକାଶ ପାଏ ।
ପ୍ରଥମ ନୈତିକ ଶିକ୍ଷା ହେଉଛି ଧମକ ଏଵଂ ଭୟ ଦେଖାଇ କିଛି ପାଇଵାର ଅସ୍ଥାୟୀ ଏଵଂ ଅସ୍ଥିର ପ୍ରକୃତି । ଅନନ୍ତା କଲରା ମଞ୍ଜିକୁ ପୋତି ପ୍ରତିଦିନ ପାଣି ଦେଇ ଧମକ ଦେଇଥାଏ ଯେ ଯଦି ଗଜା ନ ହେଲା କିମ୍ଵା ପତ୍ର ନ ହେଲା ତାହେଲେ ମାମୁଘର କଟୁରି ଆଣି କାଟି ଦେଵି । ଏହି ଧମକରେ କଲରା ଗଛ ଭୟରେ ଗଜା ହୋଇ ପତ୍ର ହୋଇ ଲତା ମାଡ଼ି ଅଵଶେଷରେ କଷି ଏଵଂ ପାଚିଯାଏ । ଅନନ୍ତା ଏହା ଦେଖି ଅପାର ଆନନ୍ଦ ପାଏ ଏଵଂ ଗାଁରେ ସମସ୍ତଙ୍କୁ ଦେଖାଇ ବୁଲେ । କିନ୍ତୁ ଏହି ସଫଳତା ଧମକ ଉପରେ ନିର୍ଭର କରିଥିଵାରୁ ଏହା ଅସ୍ଥାୟୀ ଏଵଂ ଅପ୍ରାକୃତିକ । ପ୍ରକୃତରେ ଗଛ ବଢ଼ିବାକୁ ହେଲେ ନିୟମିତ ପରିଚର୍ଯ୍ୟା ଉପଯୁକ୍ତ ପରିଵେଶ ଏଵଂ ପ୍ରେମପୂର୍ଣ୍ଣ ଯତ୍ନ ଲୋଡ଼ା ହୋଇଥାଏ। ଧମକ ଦ୍ୱାରା ପ୍ରାପ୍ତ ଫଳ ଶୀଘ୍ର ନଷ୍ଟ ହୋଇଯାଏ କିମ୍ଵା ଅପ୍ରତ୍ୟାଶିତ ଵିପଦ ଆଣି ଦେଇଥାଏ ଯାହା କାହାଣୀର ଦ୍ୱିତୀୟ ଅଂଶରେ ଦେଖାଯାଏ । ଏହି ଶିକ୍ଷା ଜୀଵନରେ ମଧ୍ୟ ପ୍ରଯୁଜ୍ୟ ଯେ ଭୟ ଦେଖାଇ କିଛି ଲାଭ କରିଵା ଅସ୍ଥାୟୀ ହୋଇଥାଏ ଏଵଂ ପରିଶ୍ରମ ଏଵଂ ସଦ୍ଭାଵନା ଦ୍ୱାରା ପ୍ରାପ୍ତ ଫଳ ହିଁ ସ୍ଥାୟୀ ଏଵଂ ସନ୍ତୋଷଜନକ ହୋଇଥାଏ । ଅନନ୍ତା ଯଦି ଧମକ ନ ଦେଇ କେଵଳ ନିୟମିତ ପାଣି ଦେଇ ଯତ୍ନ ନେଇଥାନ୍ତା ତେଵେ ତାର ଆନନ୍ଦ ଅଧିକ ଗଭୀର ହୋଇଥାନ୍ତା ଏଵଂ କଲରା ମଧ୍ୟ ଅଧିକ ସୁସ୍ଥ ହୋଇଥାନ୍ତା । ଏହା ଶିଶୁମାନଙ୍କୁ ଶିଖାଇଥାଏ ଯେ ଦୁଷ୍ଟାମି ଏଵଂ ଧମକ ଦ୍ୱାରା କିଛି ପାଇଲେ ମଧ୍ୟ ତାହାର ସତ୍ୟ ଆନନ୍ଦ ମିଳେ ନାହିଁ ।
ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ନୈତିକ ଶିକ୍ଷା ହେଉଛି ଲୋଭ ଏଵଂ ଅଧୈର୍ଯ୍ୟର ଭୟଙ୍କର ପରିଣାମ । ପାଚିଲା କଲରାକୁ ଦେଖି ଡାମରାଟା କଲୁରିବେଣ୍ଟ ଲୋଭରେ ପଡ଼ି ତାକୁ ଖାଇଵାକୁ ଚାହେଁ । କଲରା ଚତୁରତାର ସହିତ କହେ ଯେ ମାମୁଘର କୂଅରେ ଥଣ୍ଟ ଧୋଇ ଆସିଲେ ଖାଇପାରିଵ । କଲୁରିବେଣ୍ଟ ଅଧୈର୍ଯ୍ୟ ହୋଇ ଧାଇଁ ଧାଇଁ କୂଅ ପାଖରେ ଯାଇ ପାଣି ମାଗେ ଏଵଂ ଏହି ଶୃଙ୍ଖଳା ଚାଲିଥାଏ । କୂଅ କଳସ ମାଗେ କୁମ୍ଭାର ମାଟି ମାଗେ ବିଲ ଶିଙ୍ଗ ମାଗେ ମିରିଗ ଦୁଧ ମାଗେ ଗାଈ ଘାସ ମାଗେ ହିଡ଼ ଦା’ ମାଗେ ଏଵଂ ଅଵଶେଷରେ କମାର ପାଖରେ ପହଞ୍ଚି ଦା ମାଗେ । କମାର ଚତୁର ହୋଇ ତାର ଅଧୈର୍ଯ୍ୟ ଭାଵକୁ ବୁଝି ତତଲା ଦା’ ତାର ଥଣ୍ଟରେ ରଖି ଦେଇ ତାକୁ ମାରି ଦେଇଥାଏ । ଲୋଭରେ ଅନ୍ଧ ହୋଇ ଅଧୈର୍ଯ୍ୟ ମନରେ ଧାଇଁ ଯିଵା ମୃତ୍ୟୁ ପର୍ଯ୍ୟନ୍ତ ଵିପଦ ଆଣି ଦେଇପାରେ । ଯଦି ଡାମରଟା ଧୈର୍ଯ୍ୟ ଧରି ଚିନ୍ତା କରି କଲରାକୁ ଖାଇଵାକୁ ଚେଷ୍ଟା କରିଥାନ୍ତା ତେବେ ସେ ଵଞ୍ଚି ରହିଥାନ୍ତା । କିନ୍ତୁ ଲୋଭ ଓ ଅଧୈର୍ଯ୍ୟ ଭାଵ ତାର ବୁଦ୍ଧିକୁ ଢାଙ୍କି ଦେଇଥିଲା । ଏହି ଶିକ୍ଷା ଜୀଵନରେ ଅତି ମହତ୍ତ୍ୱପୂର୍ଣ୍ଣ ଯେ କୌଣସି ଲୋଭନୀୟ ଵସ୍ତୁ ପାଇଁ ଅଧୈର୍ଯ୍ୟ ହୋଇ ଅଵିଵେଚନାରେ କାର୍ଯ୍ୟ କରିଵା ଦ୍ଵାରା ନିଜର ହିଁ କ୍ଷତି ହୋଇଥାଏ । ଧୈର୍ଯ୍ୟ ଏଵଂ ଵିଵେକ ଦ୍ୱାରା କାର୍ଯ୍ୟ କଲେ ଵିପଦରୁ ରକ୍ଷା ମିଳିଯାଏ ।
ତୃତୀୟ ନୈତିକ ଶିକ୍ଷା ହେଉଛି ଚତୁରତା ଏଵଂ ବୁଦ୍ଧିର ମହତ୍ତ୍ୱ । କମାର, ଡାମରାର ଅଧୈର୍ଯ୍ୟ ଏଵଂ ଲୋଭକୁ ବୁଝି ଚତୁର ଉତ୍ତର ଦେଇ ତାର ହାତ ନ ଥିଵା କଥା କହି ଥଣ୍ଟ ଭିତରେ ଦା’ ରଖିଵାକୁ କହି ତାକୁ ମାରି ଦେଇଥାଏ । ଵିପତ୍ତି ସମୟରେ ଚତୁରତା ଏଵଂ ଶାନ୍ତ ମନଦ୍ୱାରା ସମସ୍ୟାର ସମାଧାନ ହୋଇପାରେ । କଲରା ମଧ୍ୟ ଚତୁର ହୋଇ ଡାମରାକୁ କୂଅ ପାଖକୁ ପଠାଇ ନିଜକୁ ରକ୍ଷା କରିଥାଏ । ବଳ ନୁହେଁ ବୁଦ୍ଧି ହିଁ ପ୍ରକୃତ ଶକ୍ତି । ଜୀଵନରେ ଅନେକ ସମୟରେ ବଳପ୍ରୟୋଗ ନ କରି ଚତୁରତାର ସହିତ ସମସ୍ୟାର ସମାଧାନ କରିଵା ଉଚିତ । ଏହା ଶିଶୁମାନଙ୍କୁ ବୁଦ୍ଧିମାନ ହେଵାକୁ ଏଵଂ ଚିନ୍ତା କରି କାର୍ଯ୍ୟ କରିଵାକୁ ପ୍ରେରଣା ଦେଇଥାଏ ।
ଚତୁର୍ଥ ଶିକ୍ଷା ହେଉଛି ପରସ୍ପର ନିର୍ଭରଶୀଳତାର ଧାରଣା । କାହାଣୀର ଶୃଙ୍ଖଳାରେ ଦେଖାଯାଏ ଯେ କୂଅକୁ କଳସ ଦରକାର, କଳସ ପାଇଁ ମାଟି, ମାଟି ପାଇଁ ଶିଙ୍ଗ,ଶିଙ୍ଗ ପାଇଁ ଦୁଧ, ଦୁଧ ପାଇଁ ଘାସ,ଘାସ ପାଇଁ ଦା ଏହିପରି ସମାଜର ଵିଭିନ୍ନ ଅଂଶ ପରସ୍ପର ଉପରେ ନିର୍ଭର କରି ରହିଛନ୍ତି । କୁମ୍ଭାର କମାର କୃଷକ ପଶୁପାଳକ ଆଦି ସମସ୍ତେ ଏକାଠି ମିଶି ସମାଜ ଗଢ଼ିଥାନ୍ତି । ଅତଏଵ ସମାଜରେ କେହି ଏକାକୀ ସବୁ କିଛି କରିପାରେ ନାହିଁ ଏଵଂ ପରସ୍ପର ସହଯୋଗ ଵିନା ଜୀଵନ ଚାଲିପାରେ ନାହିଁ । ଏହାକୁ ବୁଝି ପ୍ରାଚୀନ ଓଡ଼ିଆମାନେ କଲୁରିବେଣ୍ଟର କାହାଣୀ ମାଧ୍ୟମରେ ସମାଜିକ ସହଯୋଗ ଏଵଂ ସମ୍ମାନର ମହତ୍ତ୍ୱ ଶିଖାଇଥିଲେ ।
ଏତଦ୍ଵ୍ୟତୀତ କଲୁରିବେଣ୍ଟ ଲୋକକଥା ମାଧ୍ୟମରେ ଶିଶୁମାନଙ୍କୁ ଵୃକ୍ଷରୋପଣ କରିଵାକୁ ମଧ୍ୟ ପ୍ରେରିତ କରାଯାଇଛି । ଯେକୌଣସି ଗଛଟିଏ ଲଗାଇଲେ ତହିଁରୁ କିଛି ନା କିଛି ଲାଭ ମିଳେ ସେହିପରି ପରିଶ୍ରମ କଲେ ଫଳ ନିଶ୍ଚୟ ମିଳେ । ଅନନ୍ତା ଗୋଟିଏ କଲରା ଗଛ ଲଗାଇଵାରୁ ସେ ଗଛରୁ ଫଳ ପାଇଥିଲା ।
ଵୃକ୍ଷରୋପଣର ମହତ୍ତ୍ୱ କଲୁରିବେଣ୍ଟ ଲୋକଗଳ୍ପ ଦ୍ଵାରା ଶିଶୁମାନଙ୍କ ମନକୁ ପ୍ରଭାଵିତ କରେ ଫଳତଃ ସେମାନେ ମଧ୍ୟ ଗଛ ଲଗାଇଥାଆନ୍ତି ।
ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ଵାରା ସଂକଳିତ କଲୁରିବେଣ୍ଟ କଥାରେ ଲେଖକ ଯେଉଁ ଅତିରିକ୍ତ କିଛି ପଦ ବୃଦ୍ଧାଙ୍କ ମୁଖରେ କୁହାଇଛନ୍ତି ତାହା ପରମ୍ପରା ଓ ଲୋକକଥାର ମୂଲ୍ୟ ଏଵଂ ଆଧୁନିକତାର ସଂଘର୍ଷକୁ ପ୍ରକାଶ କରିଥାଏ। ପ୍ରହରାଜଙ୍କ ସଂକଳିତ କାହାଣୀ ଶେଷରେ ବୁଢ଼ୀ କହନ୍ତି ଯେ କଳିକାଳର ପିଲାମାନେ ଏପରି ପୁରୁଣା କାହାଣୀ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ଇଂରାଜି ପଢ଼ି ଆଧୁନିକ ହୋଇଯାଇଛନ୍ତି । ଏଠାରେ ଏକ ଵ୍ୟଙ୍ଗ ଭାବେ କୁହାଯାଇଛି ଯେ ପୁରୁଣା ପରମ୍ପରା ଏଵଂ ଲୋକକଥାରେ ଥିଵା ନୈତିକ ଶିକ୍ଷାକୁ ଅଣଦେଖା କରିଵା ଦ୍ଵାରା ସମାଜର କ୍ଷତି ହୋଇଥାଏ । ଆଧୁନିକତା ଗ୍ରହଣ କରିଵା ସହିତ ନିଜର ସାଂସ୍କୃତିକ ଧନକୁ ସମ୍ମାନ ଦେଵା ଉଚିତ । କଲୁରିବେଣ୍ଟ କଥା ଏକ ଵିରଳ ଲୋକଗଳ୍ପ ଯେହେତୁ ଏହା Cumulative Chain Tale ଶ୍ରେଣୀର ଲୋକଗଳ୍ପ ଏଵଂ କେତେକ ସମୃଦ୍ଧ ଭାଷାରେ ଏଭଳି ଗଳ୍ପ ଦେଖାଯାଏ । କଲୁରିବେଣ୍ଟ ଲୋକକଥା ଵୈଜ୍ଞାନିକ ଯେହେତୁ ଏହାଦ୍ଵାରା ପିଲାମାନଙ୍କର ଶବ୍ଦ ଉଚ୍ଚାରଣ କ୍ଷମତା ବୃଦ୍ଧି ପାଇଥାଏ । କଲୁରିବେଣ୍ଟ ଲୋକଗଳ୍ପ ଶିକ୍ଷଣୀୟ ମଧ୍ୟ ଯେହେତୁ ଏଥିରେ ଏକାଧିକ ନୀତିଶିକ୍ଷା ରହିଛି । କଲୁରିବେଣ୍ଟ ଲୋକଗଳ୍ପ ହିଁ ପ୍ରମାଣ କରିଦିଏ ଯେ ଆମ ପୂର୍ଵଜ ଵିଦ୍ଵାନ ଥିଲେ ଏଵଂ ତାଙ୍କ ସମୟରେ ମଧ୍ୟ ଆମ ଭାଷା ସମୃଦ୍ଧ ଥିଲା ।
ଏହିପରି ପ୍ରାଚୀନ ଲୋକଗଳ୍ପଗୁଡ଼ିକ ଆମ ସଂସ୍କୃତିର ଅମୂଲ୍ୟ ସମ୍ପଦ ଏଵଂ ସେଗୁଡ଼ିକୁ ସଂରକ୍ଷଣ କରି ଆଗାମୀ ପିଢ଼ିକୁ ହସ୍ତାନ୍ତର କରିବା ଆମର କର୍ତ୍ତଵ୍ୟ ଅଟେ । କଲୁରିବେଣ୍ଟ କଥା ଭଳି ଗଳ୍ପ ଆଜି ମଧ୍ୟ ଶିଶୁମାନଙ୍କୁ ହସାଇ ହସାଇ ଜୀଵନର ଗଭୀର ସତ୍ୟ ଶିଖାଇ ପାରିଵ । ତେଣୁ ଏଭଳି ଲୋକଗଳ୍ପଗୁଡ଼ିକୁ ଆମେ ସବୁ ମିଶି ସଂରକ୍ଷଣ କରି ନିଜ ସଂସ୍କୃତିର ମୂଳକୁ ଅକ୍ଷୁଣ୍ଣ ରଖିଵା ଉଚିତ । ଏହା ଦ୍ୱାରା ଆମର ପରମ୍ପରା ଚିରକାଳ ବଞ୍ଚି ରହିଵ ଏଵଂ ନୂଆ ପିଢ଼ି ମଧ୍ୟ ଏହାର ମହତ୍ତ୍ୱ ବୁଝି ଗର୍ଵ ଅନୁଭଵ କରିଵ ।
No comments:
Post a Comment