Tuesday, February 10, 2026

ବରଫର ଦେଶରୁ ସ୍ୱାଧୀନତାର ଯାତ୍ରା: Vladimir Tchernavinଙ୍କ ଅସମ୍ଭଵ ପଳାୟନର କାହାଣୀ

ପ୍ରଥମ ଅଧ୍ୟାୟ: ଵିଜ୍ଞାନୀରୁ ବନ୍ଦୀ

୧୯୩୦ ମସିହାର ଶୀତଦିନ। Murmanskର ବରଫାଚ୍ଛାଦିତ ବନ୍ଦରରେ ଥଣ୍ଡା ପଵନ ବହୁଥିଲା। Vladimir Tchernavin, ଜଣେ ପ୍ରଖ୍ୟାତ ମତ୍ସ୍ୟ ଵିଜ୍ଞାନୀ, ନିଜର ଲାବୋରେଟରୀରେ କାମ କରୁଥିଲେ। ଆର୍କଟିକ ମହାସାଗରର ମାଛ ଜନସଂଖ୍ୟା ଉପରେ ତାଙ୍କର ଗଵେଷଣା ସୋଭିଏତ ମତ୍ସ୍ୟ ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ସେହି ସମୟରେ ସୋଭିଏତ ୟୁନିୟନରେ ଏକ ଭୟଙ୍କର ଅଧ୍ୟାୟ ଚାଲିଥିଲା ଏବଂ ତାହା ଥିଲା "ଷ୍ଟାଲିନଙ୍କ ମହାନ ଶୁଦ୍ଧିକରଣ" ନୀତି ।
ସେହି ଦିନଟି Vladimirଙ୍କ ଜୀଵନରେ ସବୁକିଛି ବଦଳାଇ ଦେଇଥିଲା। ସୋଭିଏତ ଗୁପ୍ତ ପୋଲିସ OGPUର ଅଫିସରମାନେ ତାଙ୍କ ଲାବୋରେଟରୀରେ ପ୍ରଵେଶ କରିଥିଲେ। ଅଭିଯୋଗ ଥିଲା vreditel'stvo(wrecking)ର ଏଵଂ ତାଙ୍କ ଉପରେ ଏକ ଟିନ୍ ମାଛ କାରଖାନାରେ ଉତ୍ପାଦନ ହ୍ରାସ କରିଵା ପାଇଁ ଷଡ଼ଯନ୍ତ୍ରର ଅଭିଯୋଗ ଲାଗିଥିଲା। ତେବେ ଏହା ସଂପୂର୍ଣ୍ଣ ଅଯଥାର୍ଥ ଥିଲା। କାରଖାନାର ସମସ୍ୟା ଖରାପ ପରିଚାଳନା ଓ ପୁରୁଣା ଯନ୍ତ୍ରପାତିର ଥିଲା, କିନ୍ତୁ ସୋଭିଏତ ଶାସନ ତହିଁର ଦୋଷ Vladimirଙ୍କ ଉପରେ ଲଦି ଦେଲା।

Vladimirଙ୍କୁ ଗିରଫ କରାଯାଇ ଜେରା ଆରମ୍ଭ ହେଲା। ରାତି ପରେ ରାତି, ପ୍ରଶ୍ନ ପରେ ପ୍ରଶ୍ନ । ସେମାନେ ଚାହୁଁଥିଲେ Vladimir ସ୍ୱୀକାର କରନ୍ତୁ ଯେ ସେ ଜଣେ vrag naroda(ଜନଶତ୍ରୁ) ଏଵଂ ସେ ସୋଭିଏତ ରାଷ୍ଟ୍ରର ଵିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ Vladimir କ’ଣ ସ୍ୱୀକାର କରିଵେ? କୌଣସି ଅପରାଧ ହିଁ ହୋଇନଥିଲା। ତଥାପି ଦଣ୍ଡ ଘୋଷିତ ହେଲା: ପାଞ୍ଚ ଵର୍ଷ ଶ୍ରମ ଶିଵିରରେ କାଟିଵାକୁ ହିଁ ହେଵ ।

Vladimirଙ୍କର ପତ୍ନୀ Tatiana ଓ ପୁଅ Andreiଙ୍କ ଜୀଵନ ମଧ୍ୟ ଧ୍ୱଂସ ହୋଇଗଲା। ସେମାନଙ୍କୁ ମଧ୍ୟ ଜେରା କରାଗଲା, ତାଙ୍କ ଘର ତଳାସୀ କରାଗଲା, ସମସ୍ତ ସମ୍ପତ୍ତି ଜଵତ କରାଗଲା। ଯଦିଓ ସେମାନଙ୍କୁ ଛାଡ଼ିଦିଆଗଲା, କିନ୍ତୁ ଏକ ଜାତୀୟଶତ୍ରୁର ପରିଵାର ଭାଵରେ ସେମାନଙ୍କର ସାମାଜିକ ଜୀଵନ ସମାପ୍ତ ହୋଇଯାଇଥିଲା। କେହି ସେମାନଙ୍କୁ ଚାକିରି ଦେଲେ ନାହିଁ, କେହି ସେମାନଙ୍କ ସହିତ କଥା ହେଲେ ନାହିଁ। Vladimirଙ୍କ ପରିଵାରକୁ ସାମାଜିକ ବାସନ୍ଦ କରିଦିଆଗଲା । 

 ଦ୍ୱିତୀୟ ଅଧ୍ୟାୟ: Solovetsky - ମୃତ୍ୟୁର ଦ୍ୱୀପ
Vladimirଙ୍କୁ ପ୍ରଥମେ Solovetsky ଦ୍ୱୀପରେ ଥିଵା ଗୁଲାଗ୍ ଶିଵିରକୁ ପଠାଯାଇଥିଲା। White Seaରେ ଥିଵା ଏହି ଦ୍ୱୀପ ସୋଭିଏତ Gulag ଵ୍ୟଵସ୍ଥାର ପ୍ରଥମ ଓ କୁଖ୍ୟାତ ଶିଵିର ଥିଲା। ଏକଦା ଧାର୍ମିକ ମଠ ଭାଵରେ ପରିଚିତ ଏହି ସ୍ଥାନ ଵର୍ତ୍ତମାନ ନର୍କରେ ପରିଣତ ହୋଇଥିଲା।

ଶୀତରେ ତାପମାତ୍ରା ମାଇନସ୍ ୩୦-୪୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଖସିଯାଉଥିଲା। ଵନ୍ଦୀମାନଙ୍କୁ ପତଳା ପୋଷାକରେ ଜଙ୍ଗଲ କାଟିଵା, ରାସ୍ତା ନିର୍ମାଣ, ଭାରି ପଥର ଉଠାଇଵା ଭଳି କଠିନ ଶ୍ରମ କରିଵାକୁ ଵାଧ୍ୟ କରାଯାଉଥିଲା। ଖାଦ୍ୟ ଅତ୍ୟଳ୍ପ ଥିଲା - ଦିନକୁ କେଵଳ କିଛି ଖଣ୍ଡ କଳା ରୁଟି ଓ ପତଳା ସୁପ୍। ଅନେକ ଵନ୍ଦୀ ଭୋକ, ରୋଗ ଓ ଥକାପଣରେ ମୃତ୍ୟୁଵରଣ କରୁଥିଲେ।

କିନ୍ତୁ Vladimir ଜଣେ ଵିଜ୍ଞାନୀ ଥିଲେ, ଏଵଂ ସୋଭିଏତ କର୍ତ୍ତୃପକ୍ଷ ଜାଣିଥିଲେ ଯେ ତାଙ୍କର ଜ୍ଞାନ ମୂଲ୍ୟଵାନ। କିଛି ମାସ ପରେ ତାଙ୍କୁ କାଣ୍ଡାଲାକ୍ଷା ଅଞ୍ଚଳକୁ ସ୍ଥାନାନ୍ତରିତ କରାଗଲା, ଯେଉଁଠି ଏକ ମତ୍ସ୍ୟ ଅନୁସନ୍ଧାନ ଷ୍ଟେସନ୍ ଥିଲା। ସେଠାରେ ତାଙ୍କୁ କିଛି ଵୈଜ୍ଞାନିକ କାର୍ଯ୍ୟ କରିଵାକୁ ଅନୁମତି ଦିଆଗଲା, ଯଦିଓ ସେ ତଥାପି ଵନ୍ଦୀ ଥିଲେ ଓ ନିୟମିତ କଠିନ ଶ୍ରମ ମଧ୍ୟ କରିଵାକୁ ପଡୁଥିଲା।

କାଣ୍ଡାଲାକ୍ଷା କୋଲା ଉପଦ୍ୱୀପରେ, ଆର୍କଟିକ ସର୍କଲର ଉତ୍ତରରେ ଥିଲା। ଏହା ଫିନଲ୍ୟାଣ୍ଡ ସୀମା ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିଲା - ଏକ ଵିଶାଳ, ଅସମ୍ଭଵ ଦୂରତା, କିନ୍ତୁ ସ୍ୱାଧୀନତାର ଏକମାତ୍ର ରାସ୍ତା।

 ତୃତୀୟ ଅଧ୍ୟାୟ: ପଳାୟନ ଯୋଜନା

୧୯୩୧ ନଭେମ୍ଵରରେ Tatiana ଓ Andreiଙ୍କୁ ଜେଲ ମଧ୍ୟରେ Vladimirଙ୍କୁ ଦେଖିଵାକୁ ଅନୁମତି ମିଳିଲା। ଏହା ଏକ ସଂକ୍ଷିପ୍ତ ସାକ୍ଷାତ ଥିଲା ଏଵଂ ପ୍ରହରୀମାନଙ୍କ ତତ୍ତ୍ୱାଵଧାନରେ ହୋଇଥିଲା। କିନ୍ତୁ ସେହି କିଛି ମିନିଟ୍‌ରେ, ସେମାନେ ଆଖିରେ ଆଖି କଥା ହୋଇଗଲେ ଏଵଂ ପରସ୍ପର ମଧ୍ୟରେ ଏକ ମୌନ ବୁଝାମଣା ହୋଇଗଲା। ସେମାନଙ୍କୁ ଏ ସ୍ଥାନରୁ ପଳାୟନ କରିଵାକୁ ହିଁ ହେଵ। ଏହା କେଵଳ Vladimirଙ୍କୁ ମୁକ୍ତ କରିଵା ପାଇଁ ହିଁ ନୁହେଁ ଵରଂ ଏକ ପରିଵାର ଭାବରେ ସେମାନଙ୍କର ଅସ୍ତିତ୍ୱ ଵଞ୍ଚାଇ ରଖିଵାର ଵିଷୟ ଥିଲା।

Tatiana ମସ୍କୋ ଫେରିଗଲେ। ପରଵର୍ତ୍ତୀ ମାସଗୁଡ଼ିକରେ ସେ ଅତ୍ୟନ୍ତ ସତର୍କତାର ସହିତ ଯୋଜନା କରିଵାକୁ ଲାଗିଲେ। ସେ ଜାଣିଥିଲେ ଯେ OGPU ସବୁବେଳେ ସେମାନଙ୍କ ଗତିଵିଧି ଉପରେ ନଜର ରଖୁଛି। ସେମାନଙ୍କର ପ୍ରତ୍ୟେକ ପଦକ୍ଷେପ ସନ୍ଦେହମୁକ୍ତ ଓ ସାଧାରଣ ଦେଖାଯିଵା ଆଵଶ୍ୟକ ଥିଲା। ସେ କିଛି ମୂଲ୍ୟଵାନ ଜିନିଷ ଲୁଚାଇ ରଖିଵାକୁ ଲାଗିଲେ - ଛୋଟ ଅଳଙ୍କାର ଯାହା ଵିକ୍ରି ହୋଇପାରିଵ, କିଛି ଗରମ କପଡ଼ା, ଛୁରୀ ଓ କମ୍ପାସ୍ ଇତ୍ୟାଦି ।

ଏଣେ Vladimir କାଣ୍ଡାଲାକ୍ଷାର ଭୂଗୋଳ ଅଧ୍ୟୟନ କରିଵାକୁ ଲାଗିଲେ। ମତ୍ସ୍ୟ ଅନୁସନ୍ଧାନର କାମ ହେତୁ ତାଙ୍କୁ "Kola Bay" ଅଞ୍ଚଳରେ ଯିଵାକୁ ପଡୁଥିଲା। ସେ ପ୍ରତ୍ୟେକ ନଦୀ, ପାହାଡ଼, ଜଙ୍ଗଲର ରାସ୍ତା ମନେ ରଖିଵାକୁ ଲାଗିଲେ। Vladimir ଜଣେ ଵୃଦ୍ଧ ମାଝୀଙ୍କ ନିକଟରୁ ଏହା କହି ଏକ ପୁରୁଣା ଡଙ୍ଗା କିଣିଲେ ଯେ ସେ ନମୁନା ସଂଗ୍ରହ ପାଇଁ ତାହା ଵ୍ୟଵହାର କରିଵେ। ସେ ଧୀରେ ଧୀରେ ଡଙ୍ଗାକୁ ମରାମତି କରି ଏକ ନିର୍ଜନ ସ୍ଥାନରେ ଲୁଚାଇ ରଖିଲେ।

ମାତ୍ର ସବୁଠାରୁ କଷ୍ଟକର ଅଂଶ ଥିଲା ଧୈର୍ଯ୍ୟ ରଖିଵା। ଅନେକ ମାସ କଳ୍ପନା କଲେ ଯେ ସେମାନଙ୍କ ଯୋଜନା ଧରା ପଡ଼ିଯିଵ,କେହି ନା କେହି ଵିଶ୍ୱାସଘାତକତା କରିଵ। କିନ୍ତୁ କିଛି ହେଲା ନାହିଁ। ସେମାନେ ଅପେକ୍ଷା କରିରହିଲେ,ପଳାୟନର ନିର୍ଦ୍ଧିଷ୍ଟ ଦିନକୁ ।

ଚତୁର୍ଥ ଅଧ୍ୟାୟ: ଅଗଷ୍ଟ ୧୯୩୨ - ସ୍ୱାଧୀନତାର ଆହ୍ଵାନ 

ଅଗଷ୍ଟ ୧୯୩୨। ସଂକ୍ଷିପ୍ତ ଆର୍କଟିକ ଗ୍ରୀଷ୍ମକାଳ ଥିଲା । ଦିନଗୁଡ଼ିକ ଲମ୍ଵା ଥିଲା, ରାତି ପ୍ରାୟ ଅସ୍ତିତ୍ୱହୀନ। Tatiana ଓ Andrei ପୁଣି କାଣ୍ଡାଲାକ୍ଷା ଆସିଲେ। ଏଥର ଏକ ଵିଜିଟ୍ ଭାଵରେ - ସରକାରୀ ଅନୁମତି ସହିତ ଆସିଥିଲେ। କର୍ତ୍ତୃପକ୍ଷ ସନ୍ଦେହ କଲେ ନାହିଁ; ଅନେକ ବନ୍ଦୀଙ୍କ ପରିଵାର ଗ୍ରୀଷ୍ମକାଳରେ ସେମାନଙ୍କୁ ଦେଖିଵାକୁ ଆସୁଥିଲେ।

ସେମାନେ ଏକ ଛୋଟ କୋଠରୀ ଭଡ଼ାରେ ନେଇଥିଲେ। କିଛି ସପ୍ତାହ ସେମାନେ ସାଧାରଣ ଜୀଵନଯାପନ କରୁଥିଵା ପରି ଅଭିନୟ କଲେ। Vladimir ଦିନେ କାମକୁ ଯାଉଥିଲେ, ସନ୍ଧ୍ୟାରେ ଫେରିଆସୁଥିଲେ। Andrei ବାହାରେ ଖେଳୁଥିଲା। କିନ୍ତୁ ପ୍ରତ୍ୟେକ ରାତିରେ, କବାଟ ବନ୍ଦ କରି ସେମାନେ ପଳାୟନର ଶେଷ ଵିସ୍ତୃତ ଯୋଜନା କରୁଥିଲେ। ସେମାନେ ନିର୍ଣ୍ଣୟ କଲେ ଯେ ସେମାନେ ଅଗଷ୍ଟ ୧୫ ତାରିଖ ସକାଳୁ ସେ ସ୍ଥାନ ଛାଡ଼ି ପଳାଇବେ। ଏହା ଏକ ରଵିଵାର ଥିଲା, ଯେତେଵେଳେ Vladimirଙ୍କୁ କାମରୁ ଛୁଟି ମିଳୁଥିଲା। ସେମାନେ କହିଵବେ ଯେ ସେମାନେ ଏକ ପିକନିକ୍‌ ପାଇଁ ଯାଉଛନ୍ତି - ଆର୍କଟିକ ଗ୍ରୀଷ୍ମରେ ଏହା ଏକ ସାଧାରଣ କାର୍ଯ୍ୟକଳାପ ଥିଲା।

ସେମାନେ ସେମାନଙ୍କର ସାମଗ୍ରୀ ଅତ୍ୟନ୍ତ ସାଵଧାନତାର ସହିତ ପ୍ୟାକ୍ କଲେ। ଅଧିକ ସାମଗ୍ରୀ ନେଲେ ସନ୍ଦେହ ସୃଷ୍ଟି ହୋଇପାରେ, କମ୍ ନେଲେ ସେମାନେ ବଞ୍ଚିପାରିବେ ନାହିଁ। ଗଲାବେଳେ ଶେଷରେ ସେମାନେ ନେଇ ଯାଇଥିଲେ: କିଛି ରୁଟି,ଶୁଖୁଆ ମାଛ, ଚା, ଚିନି, ଦୁଇଟି କମ୍ଵଳ, ଏକ ଛୋଟ ଛୁରୀ,କମ୍ପାସ୍, କିଛି ଡିଆସିଲି ଏଵଂ ସେମାନଙ୍କ ପାଖରେ ଥିଵା ସମସ୍ତ ଗରମ କପଡ଼ା ।

 ପଞ୍ଚମ ଅଧ୍ୟାୟ: ପ୍ରଥମ ପାଦ - ଜଳ ଯାତ୍ରା

ଅଗଷ୍ଟ ୧୫, ୧୯୩୨, ସକାଳ ୫ଟା। ଆକାଶ ନିର୍ମଳ ଥିଲା। ଚେର୍ନାଵିନ୍ ପରିଵାର ସେମାନଙ୍କ କୋଠରୀରୁ ବାହାରିଲେ। ସେମାନେ ଏମିତି ଦେଖେଇଲେ ଯେମିତି ସେମାନେ ପିକନିକ୍‌କୁ ଯାଉଛନ୍ତି। Andrei ଏକ ପେଣ୍ଡୁ ଧରିଥିଲା। Tatiana ଖାଦ୍ୟର ଝୁଡ଼ି ଧରିଥିଲେ। Vladimir ଏକ ମାଛଧରା ଦଣ୍ଡ ଵହନ କରିଥିଲେ।

ସେମାନେ ଚାଲି ଚାଲି ଯେଉଁଠି ଡଙ୍ଗା ଲୁଚାଇ ରଖାଯାଇଥିଲା ସେହି ସ୍ଥାନକୁ ଗଲେ। ସେମାନଙ୍କର ହୃଦୟ ଦ୍ରୁତଗତିରେ ଧକ୍ ଧକ୍ ହେଉଥିଲା। ପ୍ରତ୍ୟେକ ପାଦଚିହ୍ନ ଭାରି ଲାଗୁଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ସେମାନେ ଭାବୁଥିଲେ କେହି ସେମାନଙ୍କର ବାଟ ଓଗାଳିଵ, ପ୍ରଶ୍ନ କରିଵ, ସନ୍ଦେହ କରିଵ ଏଵଂ ଧରେଇ ଦେଵ ।

କିନ୍ତୁ କେହି ଅଟକେଇଲ ନାହିଁ,କେହି ପ୍ରଶ୍ନ କଲେ ନାହିଁ । ସେମାନେ ଡଙ୍ଗା ପାଖରେ ପହଞ୍ଚିଗଲେ। ଏହା ଦୁଇଟି ଆହୁଲାଯୁକ୍ତ ପ୍ରାୟ ୪ ମିଟର ଲମ୍ଵର ଏକ ସାଧାରଣ କାଠ ଡଙ୍ଗା ଥିଲା ।‌ ସେମାନେ ଶୀଘ୍ର ସାମଗ୍ରୀମାନ ଡଙ୍ଗାରେ ଭରି ଡଙ୍ଗାକୁ ପାଣିରେ ଠେଲିଦେଲେ।

ପ୍ରଥମ କିଛି ଘଣ୍ଟା ସେମାନେ Kola Bay ଉପକୂଳ ଅନୁସରଣ କଲେ ଏଵଂ ପଶ୍ଚିମ ଦିଗକୁ ଯାଉଥିଲେ। ସମୁଦ୍ର ଶାନ୍ତ ଥିଲା, କିନ୍ତୁ ଜଳ ବରଫ ପରି ଥଣ୍ଡା ଥିଲା। ଯଦି ଡଙ୍ଗା ଓଲଟିଯାଏ, ସେମାନେ ମିନିଟିକ ମଧ୍ୟରେ ମରିଯିବେ। Vladimir ଓ Tatiana ଆହୁଲା ବାହୁଁଥିଲେ କିନ୍ତୁ ଏଥିରେ ଅଭ୍ୟସ୍ତ ନଥିଵାରୁ ସେମାନଙ୍କର ହାତ ଶୀଘ୍ର ଖଣ୍ଡିଆଖାବରା ହୋଇଗଲା ତେବେ ସେମାନେ ଅଟକିଲେ ନାହିଁ।

ସେମାନଙ୍କର ଯୋଜନା ଥିଲା Kola Bayକୁ ପାର ହୋଇ ପଶ୍ଚିମ ତୀରକୁ ପହଞ୍ଚିଵା, ଯେଉଁଠାରୁ ସେମାନେ ପାଦରେ ଫିନଲ୍ୟାଣ୍ଡ ଆଡ଼କୁ ଯାତ୍ରା ଆରମ୍ଭ କରିଵେ। ସନ୍ଧ୍ୟା ସୁଦ୍ଧା ସେମାନେ ପହଞ୍ଚିଗଲେ। ସେମାନେ ଡଙ୍ଗାକୁ ବୁଡ଼ାଇ ଦେଲେ ଯାହାଫଳରେ କେହି ଏହାକୁ ଖୋଜି ପାଇବେ ନାହିଁ। ସେମାନଙ୍କର ପଳାୟନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ଏଵଂ ଏହି ପର୍ଯ୍ୟାୟ ସବୁଠାରୁ କଷ୍ଟକର ପର୍ଯ୍ୟାୟ ଥିଲା ।

 ଷଷ୍ଠ ଅଧ୍ୟାୟ: ପଳାୟନର ପ୍ରଥମ ସପ୍ତାହ
ସେତେବେଳେ ଆର୍କଟିକର ଜଙ୍ଗଲ ଗଛବୃଚ୍ଛ,ଘନ ବୁଦା,ପଥର, ଜଳାଶୟ, ନଦୀ ଓ ପାହାଡ଼ର ଅସୀମ ଜଟିଳ ଜାଲ ଥିଲା । ଦିନରେ ମଶା ଓ ଅନ୍ୟାନ୍ୟ କୀଟପତଙ୍ଗ ଅସହ୍ୟ ଭାବରେ ଆକ୍ରମଣ କରନ୍ତି। ରାତିରେ ଥଣ୍ଡା ଅସହନୀୟ ହୋଇଯାଏ। ଏଵଂ ସବୁଠାରୁ ଭୟଙ୍କର ଥିଲା ଦିଗ ହଜାଇଵାର ସମ୍ଭାଵନା।

ଚେର୍ନାଵିନ୍ ପରିଵାର ପାଖରେ କମ୍ପାସ୍ ଥିଲା, କିନ୍ତୁ କୌଣସି ମ୍ୟାପ୍ ନଥିଲା। Vladimir ତାରା ଓ ସୂର୍ଯ୍ୟଙ୍କ ସ୍ଥିତି ଦେଖି ଦିଗ ନିର୍ଣ୍ଣୟ କରୁଥିଲେ। ସେମାନେ ଜାଣିଥିଲେ ଯେ ସେମାନଙ୍କୁ ଦକ୍ଷିଣ-ପଶ୍ଚିମ ଦିଗକୁ ଯିଵାକୁ ହେଵ। ସେମାନଙ୍କୁ ପ୍ରତିଦିନ ଅତି କମ୍‌ରେ ୧୦-୧୫ କିଲୋମିଟର ଚାଲିଵାକୁ ପଡ଼ୁଥିଲା, ନଚେତ୍ ସେମାନଙ୍କର ଖାଦ୍ୟ ସମାପ୍ତ ହେଵା ପୂର୍ଵରୁ ସେମାନେ ସୀମାରେ ପହଞ୍ଚି ପାରିଵେ ନାହିଁ।

ପ୍ରଥମ ଦିନ ସେମାନେ ପ୍ରାୟ ୧୨ କିଲୋମିଟର ଚାଲିଲେ। ସେମାନଙ୍କର ପାଦ ଯନ୍ତ୍ରଣା କରୁଥିଲା, କିନ୍ତୁ ସେମାନେ ଉତ୍ସାହିତ ଥିଲେ। ସନ୍ଧ୍ୟାରେ ସେମାନେ ଏକ ଛୋଟ ନଦୀ ନିକଟରେ ଵିଶ୍ରାମ କଲେ। ସେମାନେ ଏକ ଛୋଟ ଅଗ୍ନି ପ୍ରଜ୍ୱଳିତ କରି ଚା ପ୍ରସ୍ତୁତ କଲେ ଓ ରୁଟି ଖାଇଲେ। Andrei ଥକି ପଡ଼ିଥିଲେ କିନ୍ତୁ ଅଭିଯୋଗ କଲେ ନାହିଁ।

ଦ୍ୱିତୀୟ ଦିନ ଵର୍ଷା ଆରମ୍ଭ ହେଲା। ଶୀଘ୍ର ସେମାନଙ୍କର ସମସ୍ତ କପଡ଼ା ଓ ସାମଗ୍ରୀ ଓଦା ହୋଇଗଲା। ଚାଲିଵା ଅଧିକ କଷ୍ଟସାଧ୍ୟ ହୋଇଗଲା - ମାଟି ପିଚ୍ଛଳ ଥିଲା, ସ୍ଥାନେ ସ୍ଥାନେ ପାଦ ଖସୁଥିଲା। କିନ୍ତୁ ସେମାନେ ଜାଣିଥିଲେ ଯେ କୋଉଠି ରହିଯିଵାର ଅର୍ଥ ମୃତ୍ୟୁ। ସେମାନେ ଅନୁଭଵ ଓ ଅନୁମାନ କରୁଥିଲେ ଯେ ପ୍ରତ୍ୟେକ ଦିନ ନିଶ୍ଚୟ ସୋଭିଏତ ପୋଲିସ୍ ସେମାନଙ୍କର ପତ୍ତା ଲଗାଇଵାକୁ ସନ୍ଧାନ ଦଳ ପଠାଉଥିଵେ ଏଵଂ ଥରେ ଦି ଥର ସେମାନେ ଏହାର ଆଭାସ ବି ପାଇଥିଲେ ।

ତୃତୀୟ ଦିନ ଚେର୍ନାଵିନ୍ ପରିଵାର ଏକ ଵିରାଟ ଜଳାଶୟର ସମ୍ମୁଖୀନ ହେଲା। ସେମାନେ ଚାରିପଟେ ବୁଲି ଦେଖିଲେ କିନ୍ତୁ ଏହାକୁ ଅତିକ୍ରମ କରିଵାର କୌଣସି ରାସ୍ତା ମିଳୁନଥିଲା। ସେମାନଙ୍କୁ ଏହା ମଧ୍ୟଦେଇ ଅତିକ୍ରମ କରିଵାକୁ ହିଁ ପଡ଼ିଲା। ଜଳ ବେକେ ପର୍ଯ୍ୟନ୍ତ ଥିଲା ଏଵଂ ଜଳସ୍ରୋତ ସେମାନଙ୍କୁ ଟାଣି ନେଉଥିଲା। Vladimir Andreiଙ୍କୁ ନିଜ କାନ୍ଧରେ ଵହନ କଲେ। Tatiana ସାମଗ୍ରୀ ଉଚ୍ଚରେ ଧରି ଚାଲିଲେ। ଦୁଇ ଘଣ୍ଟା ପରେ ସେମାନେ ଅନ୍ୟ ପାର୍ଶ୍ୱରେ ପହଞ୍ଚିଲେ, ସଂପୂର୍ଣ୍ଣ ଥକି ପଡ଼ିଥିଲେ ଏଵଂ ଶୀତରେ କମ୍ପୁଥିଲେ।

 ସପ୍ତମ ଅଧ୍ୟାୟ: ଭୋକ ଓ ହତାଶା

ପଞ୍ଚମ ଦିନ ସୁଦ୍ଧା ସେମାନଙ୍କର ଅଧିକାଂଶ ଖାଦ୍ୟ ସମାପ୍ତ ହୋଇଯାଇଥିଲା। ସେମାନେ ଭାବିଥିଲେ ଯେ କୌଣସି ମତେ ଜଙ୍ଗଲରେ ଖାଦ୍ୟ ସଂଗ୍ରହ କରିପାରିବେ - ବେରୀ, ମୂଷା, ମାଛ ଇତ୍ୟାଦି ଖାଦ୍ୟ ଜଙ୍ଗଲରୁ ମିଳି ହିଁ ଯାଏ । କିନ୍ତୁ ସେଠାରେ ପ୍ରକୃତ ସ୍ଥିତି ଭିନ୍ନ ଥିଲା। ବେରୀ ଅତ୍ୟଳ୍ପ ଥିଲା, ମାଛ ଧରିଵା ପାଇଁ ସମୟ ନଥିଲା, ମୂଷା ଖୋଜିଵା ଅସମ୍ଭଵ ଥିଲା।

ସେମାନେ ନିଜର ଖାଦ୍ୟ ରାସନ ଦେଖି ଚାହିଁ ଜଗି ରଖି ଵ୍ୟଵହାର କଲେ। ପ୍ରତିଦିନ ପ୍ରତ୍ୟେକ ଵ୍ୟକ୍ତି କେଵଳ ଏକ ଖଣ୍ଡ ରୁଟି ଓ କିଛି ଶୁଖିଲା ମାଛ ଖାଉଥିଲେ। Andreiଙ୍କୁ ଅଧିକ ଦିଆଯାଉଥିଲା କାରଣ ସେ ବଢନ୍ତା ଵାଳକ ଥିଲେ। Vladimir ଓ Tatiana ନିଜେ ଅନାହାରରେ ରହୁଥିଲେ।

ଭୋକ ସହ୍ୟ କରିଵା କଷ୍ଟସାଧ୍ୟ, କିନ୍ତୁ ଆହୁରି କଷ୍ଟକର ଥିଲା ଦୁର୍ଵଳତା ଯାହା ଏହି କଠୋର ପଳାୟନ ସୃଷ୍ଟି କରିଥିଲା। ସେମାନଙ୍କ ପାଦ ଭାରି ଲାଗୁଥିଲା, ସେମାନଙ୍କ ମସ୍ତିଷ୍କ ଧୀର ହୋଇ ଯାଉଥିଲା। ପ୍ରତ୍ୟେକ ପାହାଡ଼ ଆରୋହଣ ଏକ ମହାନ ଯୁଦ୍ଧ ଭଳି ପ୍ରତିଭାତ ହେଉଥିଲା।

ସପ୍ତମ ଦିନ Tatiana ଜ୍ୱରରେ ପଡ଼ିଲେ। ସେ କମ୍ପୁଥିଲେ ଏଵଂ ତାଙ୍କ ମତି ଵିଭ୍ରାନ୍ତ ଘଟିଲା। ସେମାନେ ଦିନଟିଏ ଵିଶ୍ରାମ ନେଲେ। ଏହା ଏକ ଵିପଜ୍ଜନକ ନିଷ୍ପତ୍ତି ଥିଲା - ପ୍ରତ୍ୟେକ ଵିଶ୍ରାମର ଦିନ ସେମାନଙ୍କୁ ମୃତ୍ୟୁର ନିକଟତର କରୁଥିଲା। କିନ୍ତୁ Tatiana ବିନା ସେମାନେ ଆଗକୁ ଯାଇପାରିଵେ ନାହିଁ।

Vladimir ତାଙ୍କୁ ନିକଟସ୍ଥ ନଦୀରୁ ଥଣ୍ଡା ଜଳ ଆଣି ପାନ କରାଉଥିଲେ। ସେ ତାଙ୍କର ଶେଷ ରାସନ ଚିନି Tatianaଙ୍କୁ ଦେଲେ ଯାହାଫଳରେ ସେ ଶକ୍ତି ପାଇବେ। Andrei ମୌନରେ ବସି ନିଜ ମା'ଙ୍କର ହାତ ଧରିଥିଲେ। ସେହି ରାତି ସବୁଠାରୁ ଲମ୍ଵା ଥିଲା।

କିନ୍ତୁ Tatiana ଜଣେ ଶକ୍ତିଶାଳୀ ମହିଳା ଥିଲେ। ପରଦିନ ସକାଳ ସୁଦ୍ଧା ତାଙ୍କର ଜ୍ୱର କମିଗଲା। ସେ ସ୍ଥିର କଲେ ଯେ ସେ ଏବେ ଚାଲିପାରିବେ। ତହୁଁ ଚେର୍ନାଵିନ୍ ପରିଵାର ପୁଣି ଯାତ୍ରା ଆରମ୍ଭ କଲା।

 ଅଷ୍ଟମ ଅଧ୍ୟାୟ: ଭାଙ୍ଗିପଡ଼ିଵାର ମୁହୂର୍ତ୍ତ

ଦଶମ ଦିନ ପରେ ସେମାନଙ୍କର ଜୋତା ସଂପୂର୍ଣ୍ଣ ନଷ୍ଟ ହୋଇଗଲା। ସେ ଜୋତାଗୁଡ଼ିକ ଆରମ୍ଭରୁ ମଧ୍ୟ ଭଲ ନଥିଲା କାରଣ ସୋଭିଏତ ତିଆରି ଖରାପ ଚମଡ଼ା ଜୋତା ଥିଲା। ଵର୍ତ୍ତମାନ ସେ ଜୋତାଗୁଡ଼ିକର ତଳଭାଗ ଖସିପଡ଼ିଯାଇଥିଲା, ପାର୍ଶ୍ୱଗୁଡ଼ିକ ଫାଟିଯାଇଥିଲା। ସେମାନଙ୍କୁ ପାଦରେ କପଡ଼ା ଓ ଗଛ ଛାଲ ଵାନ୍ଧି ଚାଲିଵାକୁ ପଡ଼ୁଥିଲା। ପ୍ରତ୍ୟେକ ପାଦ ଯନ୍ତ୍ରଣାଦାୟକ ଥିଲା।

ତେରତମ ଦିନ ସେମାନେ ଏକ ନଦୀ ପାର ହେଵାକୁ ଚେଷ୍ଟା କରୁଥିଵାଵେଳେ ସେମାନଙ୍କର ଶେଷ କମ୍ଵଳ ଜଳରେ ବୁଡ଼ିଯାଇଥିଲା ଏଵଂ ଜଳସ୍ରୋତ ମଧ୍ୟରେ କୁଆଡ଼େ ଭାସି ଯାଇଥିଲା। ସେହି ରାତି ସେମାନେ କମ୍ପି କମ୍ପି ଏକତ୍ର ବସିଥିଲେ ଏଵଂ ତିନିହେଁ ଗୋଟିଏ ପତଳା କମ୍ଵଳରେ ଢାକି ହୋଇଥିଲେ।

ପନ୍ଦରତମ ଦିନ ସେମାନଙ୍କର ଖାଦ୍ୟ ସମ୍ପୂର୍ଣ୍ଣ ସମାପ୍ତ ହୋଇଗଲା। ଏହା ପରଠାରୁ ସେମାନେ କେଵଳ ବେରୀ ଏଵଂ ମଲାଘାସର ଚେର ଖାଉଥିଲେ, ଯାହା ସେମାନେ ଖୋଜି ପାଉଥିଲେ। Andrei କାନ୍ଦିଵା ବନ୍ଦ କରିଦେଇଥିଲେ - ତାଙ୍କ ପାଖରେ ଶକ୍ତି ନଥିଲା। ସେ କେଵଳ ଯାନ୍ତ୍ରଵତ୍ ଚାଲୁଥିଲେ, ତାଙ୍କର ଆଖିକୁ ଦୁର୍ଵଳତା ଯୋଗୁଁ ଭଲ ଭାବରେ କିଛି ଦେଖାଯାଉନଥିଲା।

ସେହି ରାତିରେ Vladimir ଓ Tatiana ଏ ଵିଷୟରେ କଥା ହେଉଥିଲେ। ସେମାନେ ହୁଏତ ମରିଯାଇପାରନ୍ତି। ଏହା ଵର୍ତ୍ତମାନ ଏକ ଵାସ୍ତଵ ସମ୍ଭାଵନା ଥିଲା। କିନ୍ତୁ ସେମାନେ ନିଷ୍ପତ୍ତି ନେଲେ ଯେ ସେମାନେ ଆତ୍ମସମର୍ପଣ କରିବେ ନାହିଁ। ଯଦି ମରିଵା ହିଁ ତାଙ୍କ ଭାଗ୍ୟରେ ଥାଏ, ତେବେ ଏଠାରେ, ସ୍ୱାଧୀନ ଭାବରେ ଜଙ୍ଗଲରେ ମରିଵା ଭଲ, ଗୁଲାଗର ତାରବାଡ଼ ମଧ୍ୟରେ ଜଣେ ଜଣେ ବନ୍ଦୀ ଭଳି ମରିଵା ସେମାନଙ୍କୁ ସ୍ଵୀକାର ନଥିଲା ।

 ନଵମ ଅଧ୍ୟାୟ: ଆଶାର ଝଲକ

ଅଠରତମ ଦିନ ସେମାନେ ଏକ ପୁରୁଣା ପାଦଚଲା ବାଟ ଖୋଜି ପାଇଲେ। ଏହା ଏକ ଭଲ ଚିହ୍ନ ଥିଲା - ଏହାର ଅର୍ଥ ସେମାନେ ମାନଵ ଵସତି ନିକଟରେ ଥିଲେ। କିନ୍ତୁ ଏହା ମଧ୍ୟ ଵିପଜ୍ଜନକ ଥିଲା କାରଣ ଯଦି ତାହା ସୋଭିଏତ ଅଞ୍ଚଳ ହୋଇଥାଏ, ତେଵେ ସେମାନେ ଧରାପଡ଼ିଯିଵେ।

ଚେର୍ନାଵିନ୍ ପରିଵାର ସତର୍କତାର ସହିତ ଆଗକୁ ଵଢ଼ିଲା। Vladimir ଆଗରେ ଯାଉଥିଲେ, ସବୁକିଛି ଭଲ ଭାଵରେ ଶୁଣୁଥିଲେ ଓ ଦେଖୁଥିଲେ। ହଠାତ୍‌ ସେ ଗୋଟିଏ ଗଛରେ ଏକ ଚିହ୍ନ ଦେଖିଲେ। ଏହା ଏକ ସୀମା ମାର୍କର୍ ଥିଲା!

କିନ୍ତୁ କେଉଁ ପାର୍ଶ୍ୱର? ଫିନ୍ନିସ ନା ସୋଭିଏତ? ସେମାନଙ୍କର ହୃଦୟ ଦ୍ରୁତଗତିରେ ଧକ୍ ଧକ୍ କରୁଥାଏ । Vladimir ନିକଟରୁ ପରୀକ୍ଷା କରିଦେଖିଲେ। ଚିହ୍ନଟି ପୁରୁଣା ଥିଲା ଏଵଂ କ୍ଷୟପ୍ରାପ୍ତ ହୋଇଯାଇଥିଲା , କିନ୍ତୁ ସେ କିଛି ଅକ୍ଷର ପଢ଼ିପାରିଲେ: RAJA - ଏକ ଫିନ୍ନିସ୍ ଶବ୍ଦ ଯାହାର ଅର୍ଥ ସୀମା ଥିଲା । ସେମାନେ ଜାଣି ଉଷତ ହେଲେ ଯେ ସେମାନେ ସୀମା ପାଖରେ ପହଞ୍ଚି ସାରିଥିଲେ! ସେମାନେ ଏବେ ଫିନଲ୍ୟାଣ୍ଡରେ ଥିଲେ !

କିନ୍ତୁ ସେମାନଙ୍କର ଉତ୍ସାହ ଅଳ୍ପ ସମୟ ପାଇଁ ଥିଲା। ସେମାନେ ଜାଣିଥିଲେ ଯେ ସୋଭିଏତ ସୀମା ରକ୍ଷୀମାନେ ବେଳେବେଳେ ଫିନ୍ନିସ ଅଞ୍ଚଳରେ ଅନୁପ୍ରଵେଶ କରନ୍ତି। ସେମାନଙ୍କୁ ଫିନଲ୍ୟାଣ୍ଡ ଦେଶର ଆହୁରି ଗଭୀର ଭିତରକୁ ଯିଵାକୁ ହେଵ।

 ଦଶମ ଅଧ୍ୟାୟ: ଶେଷ ପରୀକ୍ଷା

ଵିଂଶତମ ଦିନ ସେମାନେ ଏକ ଫିନ୍ନିସ୍ କୁଟୀର ଦେଖିଲେ। ଏହା ଏକ ନିର୍ଜନ ଶିକାରୀ କୁଟୀର ଭଳି ଦେଖାଯାଉଥିଲା। ସେମାନେ ନିକଟକୁ ଗଲେ, କିନ୍ତୁ ସେଠାରେ କେହି ନଥିଲା। କିନ୍ତୁ ଭିତରେ ସେମାନେ କିଛି ଖାଦ୍ୟ ପାଇଲେ - କିଛି ରୁଟି,ଲୁଣ, କିଛି ଶୁଖିଲା ମାଂସ ସେଠାରେ ଥିଲା । ଆନନ୍ଦ ଯୋଗୁଁ ସେମାନଙ୍କ ଆଖିରେ ଲୁହ ଆସିଗଲା ।

ସେମାନେ ସେଠାରେ ଏକ ରାତି ରହିଲେ। ପ୍ରଥମ ଥର ପାଇଁ ୨୦ ଦିନରେ ସେମାନେ ଏକ ଛାତ ତଳେ ଶୋଇଲେ। ସେମାନେ ଖାଦ୍ୟ ଖାଇଲେ କିନ୍ତୁ ଧୀରେ ଧୀରେ, କାରଣ ସେମାନଙ୍କର ପେଟ ଏତେ ଲମ୍ଵା ସମୟ ଅନାହାରରେ ରହିଵା ପରେ ଅଧିକ ଖାଦ୍ୟ ସହ୍ୟ କରିପାରୁ ନଥିଲା।

ପରଦିନ ସେମାନେ ପୁଣି ଚାଲିଲେ। ସେମାନଙ୍କୁ ଏବେ ଏକ ଗାଁ ଖୋଜିଵାକୁ ପଡ଼ିଵ, ଫିନ୍ନିସ୍ କର୍ତ୍ତୃପକ୍ଷଙ୍କ ନିକଟକୁ ଯିଵାକୁ ହେଵ ଏଵଂ ଆଶ୍ରୟ ମାଗିଵାକୁ ପଡ଼ିଵ।

ଵାଇଶତମ ଦିନର ସନ୍ଧ୍ୟାରେ ସେମାନେ ଏକ ଧୂଆଁ ଦେଖିଲେ। ସେମାନେ ସେହି ଦିଗକୁ ଗଲେ ଏଵଂ ଏକ ଛୋଟ ଫିନ୍ନିସ୍ ଗାଁ ପାଇଲେ। ଗ୍ରାମଵାସୀମାନେ ପ୍ରଥମେ ଭୟଭୀତ ହୋଇଥିଲେ - ଏହି ତିନି ଜଣ ଅଜଣା ଵ୍ୟକ୍ତି, ଘୋର କଙ୍କାଳ ପରି ଦେଖାଯାଉଥିଲେ, ସେମାନଙ୍କର କପଡ଼ା ଛିଣ୍ଡିଯାଇଥିଲା, ସେମାନଙ୍କର ପାଦ ରକ୍ତାକ୍ତ ଥିଲା।

କିନ୍ତୁ ଫିନ୍ନିସ୍ ଲୋକମାନେ ଦୟାଳୁ ଥିଲେ। ସେମାନେ ଚେର୍ନାଭିନ ପରିଵାରକୁ ଭିତରକୁ ନେଇଗଲେ, ସେମାନଙ୍କୁ ଖାଦ୍ୟ ଓ ଉଷୁମ କପଡ଼ା ଦେଲେ। ସେମାନେ ଗାଆଁର ସର୍ଦ୍ଦାରଙ୍କୁ ଡାକିଲେ ଏଵଂ ସିଏପୋଲିସକୁ ସୂଚନା ଦେଲେ।

 ଏକାଦଶ ଅଧ୍ୟାୟ: ସ୍ୱାଧୀନତା

ପରଵର୍ତ୍ତୀ କିଛି ସପ୍ତାହ ଅସ୍ପଷ୍ଟ ଥିଲା। ଫିନ୍ନିସ୍ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ନେଵାକୁ ପଡ଼ିଲା - କ’ଣ ଏହି ସୋଭିଏତ ଶରଣାର୍ଥୀମାନଙ୍କୁ ଫେରାଇ ଦେବେ ନା ଆଶ୍ରୟ ଦେବେ ? ସୋଭିଏତ ୟୁନିୟନ ଚାପ ପ୍ରୟୋଗ କରୁଥିଲା - ଋଷିଆର ଅଧିକାରୀଙ୍କ ଦୃଷ୍ଟିରେ Vladimir ଜଣେ ଅପରାଧୀ ଥିଲେ, ସେ ସରକାରୀ ସମ୍ପତ୍ତି (ଡଙ୍ଗା) ଚୋରି କରିଥିଲେ, ସେ ନିଜର ଦଣ୍ଡରୁ ପଳାଇଥିଲେ।

କିନ୍ତୁ ଫିନଲ୍ୟାଣ୍ଡ ଏକ ସ୍ୱାଧୀନ ଦେଶ ଥିଲା ଏଵଂ ସୋଭିଏତ ଶାସନ ପ୍ରତି ସନ୍ଦେହ କରୁଥିଲା। Vladimirଙ୍କର କାହାଣୀ ଵିଶ୍ୱାସଯୋଗ୍ୟ ଥିଲା, ଏଵଂ ତାଙ୍କର ଵୈଜ୍ଞାନିକ ସାଖ୍ୟପତ୍ର ସତ୍ୟାପିତ ହୋଇପାରିଥିଲା। ଶେଷରେ ଫିନଲ୍ୟାଣ୍ଡ ସେମାନଙ୍କୁ ରାଜନୈତିକ ଆଶ୍ରୟ ପ୍ରଦାନ କଲା।

କିନ୍ତୁ ସେମାନେ ଫିନଲ୍ୟାଣ୍ଡରେ ରହିପାରିଲେ ନାହିଁ - ଏହା ସୋଭିଏତ ସୀମାଠାରୁ ଅତ୍ୟନ୍ତ ନିକଟ ଥିଲା। ସେମାନଙ୍କୁ ଆହୁରି ପଶ୍ଚିମକୁ ଯିଵାକୁ ହେଵ। ୧୯୩୩ ମସିହାରେ ସେମାନେ ଇଂଲଣ୍ଡକୁ ପ୍ରଵାସ କରିଲେ।

ଲଣ୍ଡନରେ ସେମାନେ ଏକ ନୂଆ ଜୀଵନ ଆରମ୍ଭ କଲେ। Vladimir ନିଜର ଵୈଜ୍ଞାନିକ କାର୍ଯ୍ୟ ଜାରି ରଖିପାରିଲେ, କିନ୍ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ, ସେ ନିଷ୍ପତ୍ତି ନେଲେ ଯେ ସେ ଵିଶ୍ୱକୁ ଜଣାଇଵା ଉଚିତ୍ ଯେ ସୋଭିଏତ ୟୁନିୟନରେ କଣ ସବୁ ଅନ୍ୟାୟ ଘଟୁଛି।

 ଦ୍ୱାଦଶ ଅଧ୍ୟାୟ: ମୌନ ଭାଙ୍ଗ
୧୯୩୩ ମସିହାରେ Tatiana Tchernavin ତାଙ୍କର ପୁସ୍ତକ Escape from the Soviets ପ୍ରକାଶିତ କଲେ। ଏହା ତତ୍‌କ୍ଷଣାତ୍‌ ସେନ୍ସେସନ୍ ସୃଷ୍ଟି କଲା। ପାଶ୍ଚାତ୍ୟରେ ଅନେକେ ସୋଭିଏତ ୟୁନିୟନକୁ ଏକ ପ୍ରଗତିଶୀଳ ସମାଜଵାଦୀ ରାଜ୍ୟ ଭାବରେ ଦେଖୁଥିଲେ। Tatianaଙ୍କ ପୁସ୍ତକ ପ୍ରଥମ ଵ୍ୟକ୍ତିଗତ ଵିଵରଣୀଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ଯାହା ତତ୍କାଳୀନ ଋଷୀୟ ଶାସନ ଵ୍ୟଵସ୍ଥାର ଵାସ୍ତଵତା ପ୍ରକାଶ କରିଥିଲା । ଵିଶ୍ଵ ଜାଣିପାରିଲା ଯେ ଅତ୍ୟାଚାର, ଗିରଫ, ଅନ୍ୟାୟ ଦଣ୍ଡାଦେଶ, ଗୁଲାଗ ଇତ୍ୟାଦି ମଧ୍ୟରେ ଫସି ଋଷୀୟ ଲୋକେ ବଡ଼ ଦୁଃଖରେ କାଳାତିପାତ କରୁଥିଲେ ।

ତାଙ୍କ ଲେଖା ଅସାଧାରଣ ଥିଲା। ଏହା କେଵଳ ରାଜନୀତିକ ଵିଶ୍ଳେଷଣ ନୁହେଁ ଵରଂ ଏକ ମାନଵୀୟ କାହାଣୀ ଥିଲା। ସେ ଲେଖିଥିଲେ ଯେ କିପରି ଜଣେ ସାଧାରଣ ପରିଵାର ଅତ୍ୟାଚାରର ଶିକାର ହୋଇଥିଲା, କିପରି ସେମାନେ ସବୁକିଛି ହରାଇଥିଲେ, କିପରି ସେମାନେ ଲଢ଼ିଥିଲେ ଓ ବଞ୍ଚି ରହିଥିଲେ। Tatiana ୨୨ ଦିନର ପଳାୟନର ପ୍ରତ୍ୟେକ ଦିନକୁ ଵିସ୍ତୃତ ଭାଵରେ ଵର୍ଣ୍ଣନା କରିଥିଲେ ।

Vladimir ମଧ୍ୟ ତାଙ୍କର ନିଜର ପୁସ୍ତକ "I Speak for the Silent: Prisoners of the Soviets (୧୯୩୫)" ଲେଖିଲେ I Tatianaଙ୍କ ପୁସ୍ତକ ଵ୍ୟକ୍ତିଗତ ଥିଲାବେଳେ Vladimirଙ୍କ ପୁସ୍ତକ ଵ୍ୟାପକ ଥିଲା। ସେ କେଵଳ ନିଜର କାହାଣୀ ନୁହେଁ, ଵରଂ ତାଙ୍କ ସହିତ ଥିଵା ଅନ୍ୟ ବନ୍ଦୀମାନଙ୍କର କାହାଣୀ ମଧ୍ୟ କହିଥିଲେ - ଇଞ୍ଜିନିୟର, ଵୈଜ୍ଞାନିକ, ଶିକ୍ଷକ, ଯେଉଁମାନେ ସମସ୍ତେ ଶତ୍ରୁ ବୋଲି ଅଭିହିତ ହୋଇ ସୋଭିଏତ୍ ଗୁଲାଗକୁ ପଠାଯାଇଥିଲେ।

Vladimirଙ୍କର ପୁସ୍ତକର ଶୀର୍ଷକ ଵହୁତ ମହତ୍ତ୍ୱପୂର୍ଣ୍ଣ ଥିଲା: I Speak for the Silent - ଅର୍ଥାତ୍ ମୁଁ ମୌନମାନଙ୍କ ପାଇଁ କହୁଛି। ସେ ଜାଣିଥିଲେ ଯେ ଗୁଲାଗରେ ଲକ୍ଷ ଲକ୍ଷ ଲୋକ ଥିଲେ ଯେଉଁମାନେ ନିଜ ଦୁଃଖ କଷ୍ଟ ଅତ୍ୟାଚାରର କଥା ପାରୁ ନଥିଲେ। ସେମାନଙ୍କର ସ୍ୱର ସବୁଦିନ ପାଇଁ ବରଫ,କାର୍ଯ୍ୟ ଓ ମୃତ୍ୟୁ ମଧ୍ୟରେ ହଜିଯାଇଥିଲା। Vladimir ସେମାନଙ୍କ ପାଇଁ ସତ୍ୟ କହିଵା ଉଚିତ୍ ଅନୁଭଵ କରିଥିଲେ।

 Vladimir ଓ Tatiana ଚେର୍ନାଵିନଙ୍କର ସୋଭିଏତ ଗୁଲାଗରୁ ଏହି ସଫଳ ପଳାୟନ କାହାଣୀ କେଵଳ ଏକ ସାହସିକ ପଳାୟନ କାହାଣୀ ନୁହେଁ। ଏହା ଵିଂଶ ଶତାବ୍ଦୀର ସବୁଠାରୁ ଅନ୍ଧକାରମୟ ଅଧ୍ୟାୟଗୁଡ଼ିକ ମଧ୍ୟରୁ ଗୋଟିଏର ସାକ୍ଷୀ ଅଟେ। ଷ୍ଟାଲିନଙ୍କ ଗୁଲାଗ ଵ୍ୟଵସ୍ଥାରେ ଲକ୍ଷ ଲକ୍ଷ ଲୋକ କଷ୍ଟ ଭୋଗିଥିଲେ ଏଵଂ ମୃତ୍ୟମୁଖରେ ପଡ଼ିଥିଲେ। ଅଧିକାଂଶ କେବେ ମୁକ୍ତ ହୋଇପାରିଲେ ନାହିଁ। କିନ୍ତୁ ଚେର୍ନାଵିନ ପରିଵାର ଵିରଳ ଅପଵାଦ ଥିଲେ - ସେମାନେ ପଳାଇଗଲେ, ବଞ୍ଚିଗଲେ ଏଵଂ ଦୁନିଆକୁ ସତ କହିଵାକୁ ବଞ୍ଚିଗଲେ।

ସେମାନଙ୍କର ପୁସ୍ତକ ପାଶ୍ଚାତ୍ୟରେ ସୋଭିଏତ ୟୁନିୟନ ଵିଷୟରେ ଥିଵା ଵିଚାର ଓ ଵିଶ୍ଵାସକୁ ପରିଵର୍ତ୍ତନ କରିଵାରେ ସାହାଯ୍ୟ କଲା। ୧୯୩୦ ଦଶକରେ ଅନେକ ପାଶ୍ଚାତ୍ୟ ବୁଦ୍ଧିଜୀଵୀମାନେ କମ୍ୟୁନିଜମ୍ ପ୍ରତି ସହାନୁଭୂତିଶୀଳ ଥିଲେ, ଯାହାକୁ ସେମାନେ ଫାସିଜିମ୍‌ର ଵିକଳ୍ପ ଭାଵରେ ଦେଖୁଥିଲେ। ଚେର୍ନାଵିନଙ୍କ ପୁସ୍ତକ ସେମାନଙ୍କ ଆଖି ଖୋଲିଦେଲା ଏଵଂ ସେତେବେଳେ ସେମାନେ ଜାଣିପାରିଲେ ଯେ ସେମାନଙ୍କର କଳ୍ପନା ଓ ଶୁଣାକଥାଠାରୁ ସୋଭିଏତ ଵାସ୍ତଵତା କେତେ ଭିନ୍ନ ଥିଲା।

Andrei ଚେର୍ନାଵିନ ପଳାୟନ ସମୟରେ ଜଣେ ଯୁଵକ ଥିଲେ, ଇଂଲଣ୍ଡରେ ବଡ଼ ହୋଇଥିଲେ। ପରଵର୍ତ୍ତୀ ସମୟରେ ସେ ଆମେରିକାକୁ ଚାଲିଗଲେ ଏଵଂ ସେଠାରେ ସେ ଜଣେ ସଫଳ ଵ୍ୟଵସାୟୀ ହୋଇଥିଲେ। ୨୦୦୦ ମସିହାରେ, ସୋଭିଏତ ୟୁନିୟନର ପତନ ପରେ, ସେ ରୁଷିଆ ଫେରିଗଲେ ଏଵଂ Gulag ନାମକ ଏକ ଡକ୍ୟୁମେଣ୍ଟାରୀରେ ଅଂଶଗ୍ରହଣ କଲେ। ସେ ସେହି ସ୍ଥାନଗୁଡ଼ିକୁ ପୁନର୍ଵାର ପରିଦର୍ଶନ କଲେ ଯେଉଁ ଯେଉଁ ସ୍ଥାନଗୁଡ଼ିକୁ ପଳାୟନ ସମୟରେ ତାଙ୍କ ପରିଵାର ଯାଇଥିଲା - ୭୦ ଵର୍ଷ ପରେ, ସେହି ଯାତ୍ରାର ସ୍ମୃତି ମନେ ପକାଉଥିଲେ ଯାହା ତାଙ୍କ ଜୀଵନକୁ ପରିଭାଷିତ କରିଥିଲା।

ଚେର୍ନାଵିନଙ୍କ କାହାଣୀ ଆମକୁ କିଛି ମୂଳମନ୍ତ୍ର ଶିଖାଏ। ଏହା ଦେଖାଏ ଯେ ସ୍ୱାଧୀନତା ପାଇଁ ମାନଵର ଇଚ୍ଛା କେତେ ଶକ୍ତିଶାଳୀ। ଏହା ଦେଖାଏ ଯେ ପରିଵାରର ଏକତା କିପରି ଅସମ୍ଭଵକୁ ସମ୍ଭଵ କରିପାରେ। ଏଵଂ ଏହା ଦେଖାଏ ଯେ ଅତ୍ୟାଚାର ଵିରୁଦ୍ଧରେ ସାକ୍ଷ୍ୟ ଦେଵା କେତେ ଗୁରୁତ୍ୱପୂର୍ଣ୍ଣ - ଯେତେ ଵିପଜ୍ଜନକ ହେଉନା କାହିଁକି।

ଆଜି, ଚେର୍ନାଵିନଙ୍କ ପୁସ୍ତକଗୁଡ଼ିକ ଗୁଲାଗ ଇତିହାସର ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଅଟେ। ସେମାନେ ଅଲେକ୍ସଜାଣ୍ଡର ସୋଲଜେନିଟସିନଙ୍କ Gulag Archipelago କିମ୍ଵା ଭର୍ଲାମ ଶଲାମୋଭଙ୍କ Kolyma Tales ଭଳି ପ୍ରସିଦ୍ଧ ନୁହଁନ୍ତି, କିନ୍ତୁ ସେମାନେ ସମାନ ଭାଵରେ ମୂଲ୍ୟଵାନ। 
ସେମାନଙ୍କର ପଳାୟନ ମାନଵୀୟ ଚେତନାର ଏକ ସ୍ମାରକ ଅଟେ - ନିରାଶା, ଭୋକ, ଭୟ, ଏଵଂ ପ୍ରାୟ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେଲେ ବି, ଏକ ପରିଵାର ଏକତ୍ର ରହି ପ୍ରତି ପଦକ୍ଷେପରେ ସ୍ୱାଧୀନତା ଆଡ଼କୁ ଆଗକୁ ଆଗକୁ ମାଡ଼ିଯାଇଥିଲା ବଢ଼ିଯାଇଥିଲା । ଏଵଂ ସେମାନେ କେଵଳ ଭୌତିକ ମୁକ୍ତି ପାଇନଥିଲେ - ସେମାନେ ନୈତିକ ମୁକ୍ତି ମଧ୍ୟ ପାଇଥିଲେ, ସତ୍ୟ କହିଵାର ସ୍ୱାଧୀନତା, ମୌନମାନଙ୍କ ପାଇଁ ମୌନମାନଙ୍କର ଅକୁହାକଥା କହିଵାର ସ୍ୱାଧୀନତା ପାଇଥିଲେ ।

No comments:

Post a Comment

ବରଫର ଦେଶରୁ ସ୍ୱାଧୀନତାର ଯାତ୍ରା: Vladimir Tchernavinଙ୍କ ଅସମ୍ଭଵ ପଳାୟନର କାହାଣୀ

ପ୍ରଥମ ଅଧ୍ୟାୟ: ଵିଜ୍ଞାନୀରୁ ବନ୍ଦୀ ୧୯୩୦ ମସିହାର ଶୀତଦିନ। Murmanskର ବରଫାଚ୍ଛାଦିତ ବନ୍ଦରରେ ଥଣ୍ଡା ପଵନ ବହୁଥିଲା। Vladimir Tchernavin, ଜଣେ ପ୍ରଖ୍ୟାତ ମତ୍ସ୍ୟ...