ପୃଥିଵୀ ସୃଷ୍ଟିର ପ୍ରଥମ ୫୦ କୋଟି ଵର୍ଷକୁ (୪୫୦ କୋଟିରୁ ୪୦୦ କୋଟି ଵର୍ଷ) ଭୂ-ଵୈଜ୍ଞାନିକ ଭାଷାରେ Hadean Eon କୁହାଯାଏ। ଏହି ସମୟରେ ପୃଥିଵୀ ପୃଷ୍ଠରେ କେଵଳ ଲାଭାର ସମୁଦ୍ର ଥିଲା। ଧୀରେ ଧୀରେ ଵାହ୍ୟ ଆସ୍ତରଣ ଶୀତଳ ହେଵା ଫଳରେ ଏକ ପତଳା ବାସାଲ୍ଟ୍ ଆସ୍ତରଣ ଵା ପ୍ରାଥମିକ ଭୂତ୍ୱକ ସୃଷ୍ଟି ହେଲା । କିନ୍ତୁ ଏହି ଭୂତ୍ୱକ ଅତି ଗରମ ଓ ଭାରୀ ଥିଵାରୁ ପୃଥିଵୀର ଅଭ୍ୟନ୍ତରକୁ ବାରମ୍ବାର ବୁଡ଼ି ଯାଉଥିଲା।
ପ୍ରାୟ ୪୦୦ କୋଟି ଵର୍ଷ ପୂର୍ଵେ Archean Eonର ପ୍ରାରମ୍ଭରେ, ପୃଥିଵୀର ଭିତର ଭାଗରୁ ହାଲୁକା ସିଲିକା-ସମୃଦ୍ଧ ଗ୍ରାନାଇଟ୍ ଜାତୀୟ ମ୍ୟାଗ୍ମା ଉପରକୁ ଉଠି ଆସି ପ୍ରଥମ ସ୍ଥିର ସ୍ଥଳଭାଗ ସୃଷ୍ଟି କଲା, ଯାହାକୁ ଭୂ-ଵିଜ୍ଞାନରେ Cratons (କ୍ରାଟନ୍) କୁହାଯାଏ। ଏହି କ୍ରାଟନ୍ଗୁଡ଼ିକ ଆଜିର ମହାଦେଶଗୁଡ଼ିକର "ପ୍ରାଚୀନ ଭୂ-ତାତ୍ତ୍ଵିକ ମଞ୍ଜି" ଵା ମୂଳଦୁଆ ଥିଲା। ଏହି କ୍ରାଟନ୍ଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆର Pilbara, ଦକ୍ଷିଣ ଆଫ୍ରିକାର Kaapvaal ଏଵଂ ଭାରତର Singhbhum କ୍ରାଟନ୍ ଅନ୍ୟତମ। ସେହି ସମୟରେ ପୃଥିଵୀ ମୁଖ୍ୟତଃ ଏକ ଜଳମୟ ସଂସାର ଥିଲା ଏଵଂ ପ୍ରାଚୀନ ସମୁଦ୍ର ଭିତରୁ ଛୋଟ ଛୋଟ ଗ୍ରାନାଇଟ୍ ଦ୍ୱୀପ ଭଳି ଏହି କ୍ରାଟନ୍ଗୁଡ଼ିକ ଉପରକୁ ମୁଣ୍ଡ ଟେକିଥିଲେ।
ସ୍ଥଳଭାଗର ପ୍ରଥମ ଏକତ୍ରୀକରଣ ପ୍ରାୟ ୩୬୦ କୋଟି ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଲା। ଭୂ-ଵୈଜ୍ଞାନିକ ପ୍ରମାଣ ଅନୁସାରେ ପୃଥିଵୀର ସର୍ଵପ୍ରଥମ ପ୍ରାଥମିକ ସୁପରକଣ୍ଟିନେଣ୍ଟ Vaalbara ଥିଲା। ଏହି ଵାଲବାରା ନାମଟି ଦକ୍ଷିଣ ଆଫ୍ରିକାର 'କାପ୍ଵାଲ୍' ଏଵଂ ପଶ୍ଚିମ ଅଷ୍ଟ୍ରେଲିଆର 'ପିଲ୍ବାରା' କ୍ରାଟନ୍କୁ ନେଇ ଗଠିତ (Vaal+Bara)। ଵୈଜ୍ଞାନିକ ଗଵେଷଣାରୁ ଜଣାପଡ଼ିଛି ଯେ ଏହି ଦୁଇ ଦୂରଵର୍ତ୍ତୀ ଅଞ୍ଚଳରେ ଥିଵା ପ୍ରାଚୀନ ଶିଳାଗୁଡ଼ିକର ଵୟସ ଏବଂ ସେଗୁଡ଼ିକର ଚୁମ୍ବକୀୟ ଗୁଣ (Paleomagnetism) ସମ୍ପୂର୍ଣ୍ଣ ସମାନ, ଯାହା ପ୍ରମାଣ କରେ ଯେ ପୂର୍ଵେ ଏହି ଦୂଇ ଭୂଭାଗ ଏକାଠି ଜଡ଼ିତ ଥିଲେ।
ଵାଲବାରା ପରେ ପୃଥିଵୀ ପୃଷ୍ଠରେ ଆତ୍ମପ୍ରକାଶ କଲା 'Ur' (ଉର୍) ମହାଦେଶ। ଜର୍ମାନ ଭାଷାରେ 'ଉର୍'ର ଅର୍ଥ "ଆଦିମ" ଅଟେ। ଏହା ଆକାରରେ ଵର୍ତ୍ତମାନର ଅଷ୍ଟ୍ରେଲିଆ ମହାଦେଶଠାରୁ ମଧ୍ୟ ସାନ ଥିଲା, କିନ୍ତୁ ସେତେବେଳ ପାଇଁ ଏହା ପୃଥିଵୀର ଏକମାତ୍ର ବଡ଼ ସ୍ଥଳଭାଗ ଥିଲା। ଏହି 'ଉର୍' ମହାଦେଶ ମଧ୍ୟରେ ଆଜିର ଭାରତର ଦକ୍ଷିଣ ଓ ପୂର୍ଵ ଭାଗ, ପଶ୍ଚିମ ଅଷ୍ଟ୍ରେଲିଆ ଓ ମାଡାଗାସ୍କାରର କ୍ରାଟନ୍ଗୁଡ଼ିକ ଏକତ୍ର ସଂଲଗ୍ନ ଥିଲେ।
ଆର୍କିଆନ୍ ଯୁଗର ଶେଷ ଆଡ଼କୁ ଏଵଂ Proterozoic Eonର ପ୍ରାରମ୍ଭରେ, ପୃଥିଵୀର Plate Tectonics ପ୍ରକ୍ରିୟା ଅଧିକ ସକ୍ରିୟ ହେଵାକୁ ଲାଗିଲା। ଏହାର ପରିଣାମ ସ୍ୱରୂପ ପ୍ରାୟ ୨୭୦ କୋଟି ଵର୍ଷ ପୂର୍ଵେ Kenorland ନାମକ ଏକ ପ୍ରକୃତ ସୁପରକଣ୍ଟିନେଣ୍ଟ ଗଠିତ ହେଲା।କେନୋରଲ୍ୟାଣ୍ଡ ମୁଖ୍ୟତଃ ପୃଥିଵୀର ଵିଷୁଵରେଖା ନିକଟରେ ଗଠିତ ହୋଇଥିଲା। ଏଥିରେ ଆଜିର ଉତ୍ତର ଆମେରିକାର ଏକ ବଡ଼ ପ୍ରାଚୀନ ଅଂଶ "Laurentia", ଗ୍ରୀନଲ୍ୟାଣ୍ଡ, ସ୍କାଣ୍ଡିନେଵିୟା (Baltica) ଓ କାଲାହାରୀର କେତେକ ଭୂଭାଗ ଏକାଠି ଯୋଡ଼ି ହୋଇ ରହିଥିଲେ।
ପ୍ରାୟ ୨୪୦ କୋଟି ଵର୍ଷ ପୂର୍ଵେ କେନୋରଲ୍ୟାଣ୍ଡ ସମ୍ପୂର୍ଣ୍ଣ ଭାବେ ଵିଖଣ୍ଡିତ ହୋଇଗଲା। ଏହି ଵିଖଣ୍ଡନ ସମୟରେ ବହୁ ସଂଖ୍ୟାରେ ଜ୍ୱାଳାମୁଖୀ ଵିସ୍ଫୋରଣ ହୋଇ ଵାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ର ମାତ୍ରା ବଦଳିଵା ଏଵଂ ସମୁଦ୍ରରେ ସ୍ୟାନୋବ୍ୟାକ୍ଟେରିଆ ଦ୍ୱାରା ପ୍ରଚୁର ଅମ୍ଳଜାନ ସୃଷ୍ଟି ହେଵା ଫଳରେ ପୃଥିଵୀରେ "ହୁରୋନିଆନ୍ ବରଫ ଯୁଗ" (Huronian Glaciation) ଦେଖା ଦେଇଥିଲା, ଯାହା ପୃଥିଵୀକୁ ଦୀର୍ଘ ଵର୍ଷ ଧରି ବରଫାବୃତ୍ତ କରି ରଖିଥିଲା।
ତେବେ ଏହି ବରଫ ଯୁଗ ସମୟରେ କେନୋରଲ୍ୟାଣ୍ଡର ଵିଖଣ୍ଡନ ପରେ, ପୃଥିଵୀର ଖଣ୍ଡ ବିଖଣ୍ଡିତ ଭୂଭାଗଗୁଡ଼ିକ ପ୍ରାୟ ୩୦ କୋଟି ଵର୍ଷ ଧରି ମହାସାଗରରେ ପୃଥକ ଭାବେ ଗତି କଲେ। ଏହାପରେ Plate Tectonicsର ସଂଵହନ ସ୍ରୋତ ସେଗୁଡ଼ିକୁ ପୁଣି ଏକାଠି ଆଣିଲା, ଯାହା ଫଳରେ ଗଠିତ ହେଲା Columbia (କୋଲମ୍ବିଆ) ସୁପରକଣ୍ଟିନେଣ୍ଟ, ଯାହାକୁ ଆନ୍ତର୍ଜାତୀୟ ସ୍ତରରେ Nuna (ନୁନା) ମଧ୍ୟ କୁହାଯାଏ।
କୋଲମ୍ବିଆ ପୃଥିଵୀ ଇତିହାସର ପ୍ରଥମ ଵିଶ୍ୱଵ୍ୟାପୀ ଵୃହତ ସ୍ତରର ସୁପରକଣ୍ଟିନେଣ୍ଟ ଥିଲା। ଏହି ସୁପରକଣ୍ଟିନେଣ୍ଟରେ ସେତେବେଳର ପ୍ରାୟ ୯୦% ସ୍ଥଳଭାଗ ଏକାଠି ଯୋଡ଼ି ହୋଇ ଏକ ଵିଶାଳ ଭୂଖଣ୍ଡ ଗଠିତ ହୋଇଥିଲା। ଏହାର ସର୍ଵାଧିକ ଲମ୍ବ ପ୍ରାୟ ୧୨,୯୦୦ କିଲୋମିଟର ଥିଲା। ଏହି କୋଲମ୍ବିଆ ଵା ନୁନା ସୁପରକଣ୍ଟିନେଣ୍ଟର କେନ୍ଦ୍ରରେ ଉତ୍ତର ଆମେରିକା ଓ ଗ୍ରୀନଲ୍ୟାଣ୍ଡ ଥିଲା। ଏହାର ଉତ୍ତର ପାର୍ଶ୍ୱରେ ସାଇବେରିଆ ଓ ବାଲ୍ଟିକା ଯୋଡ଼ି ହୋଇଥିଵା ବେଳେ, ପଶ୍ଚିମ ଉପକୂଳ ସହ ପ୍ରାଚୀନ ଭାରତୀୟ ଉପଦ୍ୱୀପ ଓ ଅଷ୍ଟ୍ରେଲିଆର କ୍ରାଟନ୍ଗୁଡ଼ିକ ସଂଲଗ୍ନ ଥିଲେ। କିନ୍ତୁ ଏହି ସମୟରେ ମଧ୍ୟ ପୃଥିଵୀର ସ୍ଥଳଭାଗରେ କୌଣସି ଜୀଵନ ନଥିଲା। ଏହା କେଵଳ ନାଲି ଓ କଳା ରଙ୍ଗର ପଥର ଓ ମାଟିର ଏକ ଶୁଷ୍କ ମରୁଭୂମି ଥିଲା। ପ୍ରାୟ ୧୫୦ କୋଟି ଵର୍ଷ ପୂର୍ଵେ ଏହି ମହାଦେଶରେ ମଧ୍ୟ ଫାଟ ସୃଷ୍ଟି ହେଲା ଏଵଂ ଏହା ଭାଙ୍ଗିଗଲା।
କୋଲମ୍ବିଆ ଭାଙ୍ଗିଵା ପରେ ପୃଥିଵୀରେ ପୁଣି ଏକ ନୂଆ ଚକ୍ର ଆରମ୍ଭ ହେଲା। ପ୍ରାୟ ୧୧୦ କୋଟି ଵର୍ଷ ପୂର୍ଵେ ପୃଥିଵୀର ପ୍ରାୟ ସମସ୍ତ ଭୂଭାଗ ଦକ୍ଷିଣ ମେରୁ ଓ ବିଷୁବରେଖା ମଧ୍ୟରେ ଏକାଠି ହେଲେ ଏଵଂ ତାକୁ Rodinia ସୁପରକଣ୍ଟିନେଣ୍ଟ ନାମ ଦିଆଯାଇଛି । ରୋଡିନିଆ ଚାରିପାଖରେ ଏକ ଵିଶାଳ ମହାସାଗର ଥିଲା, ଯାହାକୁ Mirovia ନାମ ଦିଆଯାଇଛି। ରୋଡିନିଆର ଗଠନ ଏଭଳି ଥିଲା ଯେ ଉତ୍ତର ଆମେରିକା ମଝିରେ ଥିଲା ଏଵଂ ଭାରତ ଓ ଅଷ୍ଟ୍ରେଲିଆ ତା'ର ପାର୍ଶ୍ୱରେ ଯୋଡ଼ି ହୋଇ ଦକ୍ଷିଣ ମେରୁ ଆଡ଼କୁ ମୁହାଁଇଥିଲେ।
ମାତ୍ର ଆଜକୁ ପ୍ରାୟ ୭୫ କୋଟି ଵର୍ଷ ପୂର୍ଵେ ରୋଡିନିଆ ଭାଙ୍ଗିଵା ଆରମ୍ଭ କଲା। ଭୂଖଣ୍ଡଗୁଡ଼ିକ ପରସ୍ପରଠାରୁ ଅଲଗା ହେଵା ଫଳରେ ସମୁଦ୍ର ଉପକୂଳର ପଥରଗୁଡ଼ିକର ଅଧିକ କ୍ଷୟ ହେଲା, ଫଳତଃ ଵାୟୁମଣ୍ଡଳରୁ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ଶୋଷଣ ହୋଇଗଲା। ଏଥିଯୋଗୁଁ ଗ୍ରୀନ୍ ହାଉସ୍ ପ୍ରଭାବ କମିଗଲା ଏଵଂ ପୃଥିଵୀର ଇତିହାସରେ ସବୁଠାରୁ ଭୟଙ୍କର ବରଫ ଯୁଗ "Cryogenian Period" ଆସିଲା, ଯେଉଁଥିରେ ଵିଷୁଵରେଖା ପର୍ଯ୍ୟନ୍ତ ସମଗ୍ର ପୃଥିଵୀ ବରଫ ଚାଦରରେ ଢାଙ୍କି ହୋଇଗଲା ଯାହାକୁ 'Snowball Earth' କୁହାଯାଏ ।
ରୋଡିନିଆର ଭାଙ୍ଗିଵା ଓ ପୁନର୍ଗଠନ ମଧ୍ୟରେ ଅତି ସ୍ୱଳ୍ପ ସମୟ ପାଇଁ ଅର୍ଥାତ୍ ପ୍ରାୟ ୬୦ କୋଟିରୁ ୫୫ କୋଟି ଵର୍ଷ ପୂର୍ଵେ ଦକ୍ଷିଣ ମେରୁ ନିକଟରେ ସମସ୍ତ ଭୂଖଣ୍ଡ ପୁଣି ଏକାଠି ହୋଇ Pannotia ସୁପରକଣ୍ଟିନେଣ୍ଟ ଗଠନ କରିଥିଲେ। କିନ୍ତୁ ଏହା ଅତି ଦ୍ରୁତ ଗତିରେ ଭାଙ୍ଗିଯାଇ ଗଣ୍ଡଓ୍ବାନା, ଲରେନ୍ସିଆ, ବାଲ୍ଟିକା ଓ ସାଇବେରିଆ ଇତ୍ୟାଦି ଚାରୋଟି ବଡ଼ ସ୍ୱତନ୍ତ୍ର ମହାଦେଶ ସୃଷ୍ଟି ହେଲା।
ପାନୋଟିଆ ଭାଙ୍ଗିଯିଵା ପରେ କାମ୍ବ୍ରିଆନ୍ ଯୁଗରେ ପୃଥିଵୀର ଜଳଵାୟୁ ଗରମ ହେଲା ଏଵଂ ସମୁଦ୍ରରେ ଜୀଵନର ଦ୍ରୁତ ଵିକାଶ ହେଲା, ଯାହାକୁ 'Cambrian Explosion' କୁହାଯାଏ। ଏହି ସମୟରେ ପୃଥିଵୀରେ ବାଲ୍ଟିକା, ଲରେନ୍ସିଆ ଓ ସାଇବେରିଆ ଉତ୍ତର ଆଡ଼େ ଥିଵା ବେଳେ ଏକ ଵିଶାଳ ଭୂଖଣ୍ଡ Gondwana ଦକ୍ଷିଣରେ ରହିଥିଲା।
ପ୍ରାୟ ୩୫ କୋଟି ଵର୍ଷ ପୂର୍ଵେ କାର୍ବୋନିଫେରସ୍ ଯୁଗରେ ଏହି ସମସ୍ତ ମହାଦେଶ ପୁଣି ପରସ୍ପର ଆଡ଼କୁ ଆକର୍ଷିତ ହେଲେ। ଲରେନ୍ସିଆ ଓ ବାଲ୍ଟିକା ମିଶି ପ୍ରଥମେ 'ୟୁରାମେରିକା' ଗଠନ କଲେ ଏଵଂ ପରେ ଏହା ଵିଶାଳ ଗଣ୍ଡଓ୍ବାନା ସହ ଧକ୍କା ହେଲା। ଏହି ମହା-ସଂଘର୍ଷରୁ ପ୍ରାୟ ୩୦ କୋଟି ବର୍ଷ ପୂର୍ଵେ ଜନ୍ମ ନେଲା ପୃଥିଵୀ ଇତିହାସର ସବୁଠାରୁ ପ୍ରସିଦ୍ଧ ସୁପରକଣ୍ଟିନେଣ୍ଟ Pangea ।
ଗ୍ରୀକ୍ ଭାଷାରେ Pan ଶବ୍ଦର ଅର୍ଥ "ସମଗ୍ର" କିମ୍ବା "ସବୁଯାକ" ଅଟେ। ସେହିପରି Gaia ଵା Gaeaର ଅର୍ଥ "ଧରିତ୍ରୀ" କିମ୍ବା "ଭୂମି" ଅଟେ। ଏହି ଦୁଇଟି ଶବ୍ଦ ମିଶି ହେଲା "Pangea", ଯାହାର ସରଳ ଵୈଜ୍ଞାନିକ ଅର୍ଥ ହେଉଛି "ସମଗ୍ର ପୃଥିଵୀ" କିମ୍ବା "ଅଖଣ୍ଡ ସ୍ଥଳଭାଗ"। ସେହିପରି ଏହାକୁ ଘେରି ରହିଥିଵା ଵିଶାଳ ମହାସାଗରକୁ Panthalassa ନାମ ଦିଆଯାଇଥିଲା, ଯାହାର ଅର୍ଥ "ସମଗ୍ର ସମୁଦ୍ର" ଅଟେ।
୧୯୧୨ ମସିହାରେ ଆଲଫ୍ରେଡ୍ ୱେଗ୍ନେର ପ୍ରଥମ କରି ଦୁନିଆ ସାମ୍ନାକୁ ତାଙ୍କର ପ୍ରସିଦ୍ଧ ସିଦ୍ଧାନ୍ତ "ମହାଦେଶୀୟ ସଂଚଳନଵାଦ" ଵା "Continental Drift Theory" ଆଣିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ ଅତୀତରେ ସବୁ ଦେଶ ଏକାଠି ଯୋଡ଼ି ହୋଇ ରହିଥିଲେ। ତେବେ ସେହି ସମୟରେ ସେ ତାଙ୍କ ଜର୍ମାନ ଭାଷାର ଲେଖାରେ ଏହାକୁ "Urkontinent" ଵା ଆଦିମ ମହାଦେଶ ବୋଲି ଲେଖିଥିଲେ। ୧୯୧୫ ମସିହାରେ ଯେତେବେଳେ ୱେଗ୍ନର୍ ତାଙ୍କର ସେହି ଯୁଗାନ୍ତକାରୀ ବହି "The Origin of Continents and Oceans" ପ୍ରକାଶ କଲେ, ସେଥିରେ ସେ ପ୍ରଥମ କରି ଏହି ଵିଶାଳ ଅଖଣ୍ଡ ଭୂଖଣ୍ଡ ପାଇଁ "Pangea" ଶବ୍ଦର ଵ୍ୟଵହାର କରିଥିଲେ।
ୱେଗ୍ନେର ଯେତେବେଳେ ପ୍ରଥମ କରି 'ପାଞ୍ଜିଆ' ଏଵଂ ମହାଦେଶୀୟ ସଂଚଳନର ଧାରଣା ଦେଲେ, ସେତେବେଳର ପ୍ରତିଷ୍ଠିତ ଭୂ-ଵିଜ୍ଞାନୀମାନେ ତାଙ୍କୁ ତୀଵ୍ର ସମାଲୋଚନା ଓ ପରିହାସ କରିଥିଲେ। କାରଣ ୱେଗ୍ନେର ମୂଳତଃ ଜଣେ ପାଣିପାଗ ଵିଜ୍ଞାନୀ ଵା Meteorologist ଥିଲେ, ତେଣୁ ସେହି ସମୟର ରକ୍ଷଣଶୀଳ ଭୂ-ଵିଜ୍ଞାନୀମାନେ କହିଲେ, "ଜଣେ ପାଣିପାଗବାଲା ଆମକୁ ଭୂଗୋଳ କିମ୍ବା ଭୂ-ଵିଜ୍ଞାନ ଶିଖାଇ ପାରିଵ ନାହିଁ।" ସେମାନେ ୱେଗ୍ନେରଙ୍କ ପ୍ରସ୍ତାଵିତ 'ପାଞ୍ଜିଆ' ନାମକୁ ମଧ୍ୟ ସହଜରେ ଗ୍ରହଣ କରିଵାକୁ ମନା କରିଦେଇଥିଲେ।
ଦୁର୍ଭାଗ୍ୟଵଶତଃ, ୧୯୩୦ ମସିହାରେ ଗ୍ରୀନଲ୍ୟାଣ୍ଡରେ ଏକ ଵୈଜ୍ଞାନିକ ଅଭିଯାନ ସମୟରେ ଅତ୍ୟଧିକ ଶୀତ ଓ ପ୍ରତିକୂଳ ପାଣିପାଗ ଯୋଗୁଁ ମାତ୍ର ୫୦ ଵର୍ଷ ଵୟସରେ ୱେଗ୍ନେରଙ୍କ ଅକାଳ ମୃତ୍ୟୁ ହୋଇଗଲା। ଫଳତଃ ୱେଗ୍ନର୍ ନିଜ ଜୀଵଦ୍ଦଶାରେ ତାଙ୍କର ଏହି କାଳଜୟୀ ସିଦ୍ଧାନ୍ତ ଓ 'ପାଞ୍ଜିଆ' ନାମକରଣକୁ ଵିଶ୍ୱସ୍ତରୀୟ ସ୍ୱୀକୃତି ମିଳିବା ଦେଖିପାରି ନଥିଲେ। କିନ୍ତୁ ପରଵର୍ତ୍ତୀ ସମୟରେ, ଵିଶେଷତଃ ୧୯୫୦ ଓ ୧୯୬୦ ଦଶକରେ ଯେତେବେଳେ ସମୁଦ୍ର ଶଯ୍ୟାର ପ୍ରସାରଣ ସମ୍ପର୍କରେ ଗଵେଷଣା ହେଲା ଏଵଂ ଆଧୁନିକ Plate Tectonicsର ଅକାଟ୍ୟ ଵୈଜ୍ଞାନିକ ପ୍ରମାଣ ମିଳିଲା, ସେତେବେଳେ ସାରା ଵିଶ୍ୱ ସ୍ୱୀକାର କଲା ଯେ ୱେଗ୍ନେରଙ୍କ ପରିକଳ୍ପନା ସମ୍ପୂର୍ଣ୍ଣ ଠିକ୍ ଥିଲା। ମୃତ୍ୟୁର ବହୁ ଵର୍ଷ ପରେ ଆଲଫ୍ରେଡ୍ ୱେଗ୍ନେରଙ୍କୁ ତାଙ୍କର ସେହି ଅଦ୍ଭୁତପୂର୍ଵ ଆଵିଷ୍କାର ପାଇଁ ଉପଯୁକ୍ତ ସମ୍ମାନ ମିଳିଲା ଏଵଂ ତାଙ୍କ ଦ୍ୱାରା ଦିଆଯାଇଥିଵା ଗ୍ରୀକ୍ ଶବ୍ଦ 'ପାଞ୍ଜିଆ'କୁ ସମଗ୍ର ଵିଶ୍ୱ ଆଦରର ସହ ଗ୍ରହଣ କଲା।
ପାଞ୍ଜିଆ ଦେଖିବାକୁ ଏକ ଵିଶାଳ ଅର୍ଦ୍ଧଚନ୍ଦ୍ରାକାର ଵା କେଶର ପିନ୍ ଆକାରର ଥିଲା। ଏହାର ଉତ୍ତର ଭାଗକୁ ଲରେସିଆ ଏଵଂ ଦକ୍ଷିଣ ଭାଗକୁ ଗଣ୍ଡଓ୍ବାନାଲ୍ୟାଣ୍ଡ କୁହାଯାଉଥିଲା। ଏହି ଦୁଇ ଭୂଖଣ୍ଡର ମଝିରେ ଥିଵା ସମୁଦ୍ରକୁ ଟେଥିସ୍ ଦେଵୀଙ୍କ ନାମରେ ଟେଥିସ୍ ସାଗର କୁହାଯାଉଥିଲା।
ପାଞ୍ଜିଆ ସମୟରେ ସ୍ଥଳଭାଗରେ ପ୍ରଥମ କରି ବଡ଼ ବଡ଼ ଜଙ୍ଗଲ, ସରୀସୃପ ଏଵଂ ପରଵର୍ତ୍ତୀ ସମୟରେ ଡାଇନୋସରମାନଙ୍କର ରାଜତ୍ୱ ଆରମ୍ଭ ହୋଇଥିଲା। ସମଗ୍ର ପୃଥିଵୀର ସ୍ଥଳଭାଗ ଯୋଡ଼ି ହୋଇଥିଵାରୁ ଜୀଵଜନ୍ତୁମାନେ ବିନା ବାଧାରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଇପାରୁଥିଲେ।
ତେବେ ଆଜକୁ ପ୍ରାୟ ୨୦ କୋଟି ଵର୍ଷ ପୂର୍ଵେ ଟ୍ରାୟାସିକ୍ ଯୁଗର ଶେଷ ଆଡ଼କୁ ପୃଥିଵୀର ଅଭ୍ୟନ୍ତରରୁ ପ୍ରଵଳ ଗରମ ମ୍ୟାଗ୍ମାର ସ୍ରୋତ ଉପରକୁ ଉଠି ପାଞ୍ଜିଆର ମଝି ଭାଗରେ ଫାଟ ସୃଷ୍ଟି କଲା। ଏହା ହିଁ ଥିଲା ଆଜିର ଆଧୁନିକ ମାନଚିତ୍ର ଗଠନର ପ୍ରାରମ୍ଭ। ପାଞ୍ଜିଆ ପ୍ରଥମେ ଦୁଇ ଭାଗରେ ଵିଭକ୍ତ ହେଲା। ଟେଥିସ୍ ସାଗର ପଶ୍ଚିମ ଆଡ଼କୁ ପ୍ରସାରିତ ହୋଇ ଲରେସିଆକୁ ଗଣ୍ଡଓ୍ବାନାରୁ ଅଲଗା କଲା। ଏହି ସମୟରେ ଉତ୍ତର ଆଟଲାଣ୍ଟିକ ମହାସାଗରର ସୃଷ୍ଟି ହେଲା।
ଦକ୍ଷିଣରେ ଥିଵା ଗଣ୍ଡଓ୍ବାନାଲ୍ୟାଣ୍ଡ ମଧ୍ୟ ସ୍ଥିର ରହିଲା ନାହିଁ। ଏହା ଭିତରେ ଫାଟ ସୃଷ୍ଟି ହେଵା ଫଳରେ ଦକ୍ଷିଣ ଆମେରିକା ଓ ଆଫ୍ରିକା ପରସ୍ପରଠାରୁ ଦୂରେଇ ଗଲେ, ଯାହା ଦ୍ୱାରା ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଜନ୍ମ ନେଲା। ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ଦକ୍ଷିଣ ଆଡ଼କୁ ଗତି କଲେ। ଭାରତୀୟ ସ୍ଥଳଭାଗ ଓ ମାଡାଗାସ୍କାର ଆଫ୍ରିକାରୁ ଅଲଗା ହୋଇ ପୂର୍ଵ ଆଡ଼କୁ ଚାଲିଗଲେ।
ପ୍ରାୟ ୯ କୋଟି ଵର୍ଷ ପୂର୍ଵେ ଭାରତୀୟ ଭୂଖଣ୍ଡ ମାଡାଗାସ୍କାରଠାରୁ ମଧ୍ୟ ଅଲଗା ହୋଇଗଲା ଏଵଂ ବାର୍ଷିକ ପ୍ରାୟ ୧୫ରୁ ୨୦ ସେଣ୍ଟିମିଟରର ଅଦ୍ଭୁତ ଦ୍ରୁତ ଗତିରେ ଉତ୍ତର ଆଡ଼କୁ ଅର୍ଥାତ୍ ଏସିଆ ଆଡ଼କୁ ଗତି କରିଵାକୁ ଲାଗିଲା। ଏହା ଭୂ-ଵିଜ୍ଞାନ ଇତିହାସରେ ସବୁଠାରୁ ଦ୍ରୁତ ମହାଦେଶୀୟ ସଂଚଳନ ଥିଲା।
ଆଜକୁ ପ୍ରାୟ ୫ କୋଟି ଵର୍ଷ ପୂର୍ଵେ, ଭାରତୀୟ ଭୂଭାଗ ଯାଇ ଵିଶାଳ ୟୁରେସୀୟ ଭୂଭାଗ ସହ ସରଳ ରେଖାରେ ପ୍ରଚଣ୍ଡ ଧକ୍କା ହେଲା। ୟୁରେସିଆ ଓ ଭାରତୀୟ ସ୍ଥଳଭାଗର ମଧ୍ୟରେ ଥିଵା ଟେଥିସ୍ ସାଗରର ସମସ୍ତ ପଟୁମାଟି ଓ ଶିଳାସ୍ତର ଏହି ପ୍ରବଳ ଚାପ ଯୋଗୁଁ ଭାଙ୍ଗି ହୋଇ ଉପରକୁ ଉଠିଵାକୁ ଲାଗିଲା। ଏହି ପ୍ରକ୍ରିୟାରେ ପୃଥିଵୀର ସବୁଠାରୁ ଉଚ୍ଚ ଏକ ତରୁଣ ଭଙ୍ଗିଳ ପର୍ଵତମାଳା - "ହିମାଳୟ ପର୍ଵତମାଳା" ଜନ୍ମ ନେଲା।
ଉତ୍ତରରେ ଲରେସିଆ ମଧ୍ୟ ଭାଙ୍ଗିଯାଇ ଉତ୍ତର ଆମେରିକା ଓ ଇଉରୋପକୁ ପରସ୍ପରଠାରୁ ଅଲଗା କଲା, ଯାହା ଦ୍ୱାରା ଗ୍ରୀନଲ୍ୟାଣ୍ଡ ଏକ ସ୍ୱତନ୍ତ୍ର ଦ୍ୱୀପ ଭାବେ ରହିଗଲା। ଅଷ୍ଟ୍ରେଲିଆ ଆଣ୍ଟାର୍କଟିକାଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ଉତ୍ତର ଆଡ଼କୁ ଗତି କଲା ଏଵଂ ଆଣ୍ଟାର୍କଟିକା ସମ୍ପୂର୍ଣ୍ଣ ଦକ୍ଷିଣ ମେରୁରେ ସ୍ଥିର ହୋଇ ବରଫାଵୃତ୍ତ ହୋଇଗଲା।
ଆଜିର ସାତଟି ମହାଦେଶର ସ୍ୱରୂପ
ଏହି କୋଟି କୋଟି ଵର୍ଷର ଭଙ୍ଗାଗଢ଼ା ଖେଳ ପରେ ଆଜି ଆମେ ଯେଉଁ ପୃଥିଵୀକୁ ଦେଖୁଛୁ, ତାହା ସାତଟି ମହାଦେଶରେ ସୁସଜ୍ଜିତ ହୋଇଛି ।
ଏସିଆ ମହାଦେଶ ପୃଥିଵୀର ସବୁଠାରୁ ବଡ଼ ମହାଦେଶ, ଯାହାର ଦକ୍ଷିଣ ଭାଗ (ଭାରତ) ଗଣ୍ଡଓ୍ବାନାରୁ ଏଵଂ ଉତ୍ତର ଭାଗ ଲରେସିଆରୁ ଆସିଛି। ଆଫ୍ରିକା ମହାଦେଶ ଗଣ୍ଡଓ୍ବାନାଲ୍ୟାଣ୍ଡର ସେହି କେନ୍ଦ୍ରୀୟ ଅଂଶ, ଯାହା ନିଜ ସ୍ଥାନରେ ପ୍ରାୟ ସ୍ଥିର ରହିଛି।
ଉତ୍ତର ଆମେରିକା ମହାଦେଶ ପ୍ରାଚୀନ ଲରେନ୍ସିଆର ମୁଖ୍ୟ ଅଂଶ, ଯାହା ଆଜି ପଶ୍ଚିମ ଗୋଲାର୍ଦ୍ଧରେ ଅଛି। ଦକ୍ଷିଣ ଆମେରିକା ମହାଦେଶ ଗଣ୍ଡଓ୍ବାନାରୁ ଅଲଗା ହୋଇ ପଶ୍ଚିମକୁ ଗତି କରିଥିଵା ଭୂଖଣ୍ଡ। ଆଣ୍ଟାର୍କଟିକା ମହାଦେଶ ପୃଥିଵୀର ଦକ୍ଷିଣ ମେରୁର ବରଫାବୃତ୍ତ ନିର୍ଜନ ମହାଦେଶ।
ଅଷ୍ଟ୍ରେଲିଆ ମହାଦେଶ ଗଣ୍ଡଓ୍ବାନାରୁ ବାହାରି ସବୁଠାରୁ ଦୂରରେ ସ୍ୱତନ୍ତ୍ର ଭାବେ ରହିଥିଵା ଦ୍ୱୀପ ମହାଦେଶ। ଇଉରୋପ ମହାଦେଶ ଲରେସିଆର ପଶ୍ଚିମ ଭାଗ, ଯାହା ଆଜି ଏସିଆ ସହ ସଂଯୁକ୍ତ ହୋଇ ରହିଛି।
କିନ୍ତୁ ପୃଥିଵୀର ଏହି ଭଙ୍ଗାଗଢ଼ା ଇତିହାସ ଆଜି ମଧ୍ୟ ବନ୍ଦ ହୋଇନାହିଁ। ଆମେ ଜାଣିପାରୁ ନାହୁଁ, କିନ୍ତୁ ଆଜି ମଧ୍ୟ ମହାଦେଶଗୁଡ଼ିକ ପ୍ରତିଵର୍ଷ କିଛି ସେଣ୍ଟିମିଟର ଲେଖାଏଁ ଗତି କରୁଛନ୍ତି, ଯେମିତି ଆମ ହାତରେ ନଖ ବଢ଼ିଥାଏ। ପ୍ରଶାନ୍ତ ମହାସାଗର ଧୀରେ ଧୀରେ ସଙ୍କୁଚିତ ହେଉଛି ଏଵଂ ଆଟଲାଣ୍ଟିକ ମହାସାଗର ପ୍ରସାରିତ ହେଉଛି। ଭାରତୀୟ ପ୍ଲେଟ୍ ଆଜି ମଧ୍ୟ ଏସିଆକୁ ଧକ୍କା ଦେଉଛି, ଯାହା ଯୋଗୁଁ ହିମାଳୟର ଉଚ୍ଚତା ପ୍ରତିଵର୍ଷ କିଛି ମିଲିମିଟର ବଢ଼ୁଛି।
ଭୂ-ଵିଜ୍ଞାନୀମାନଙ୍କ ମତରେ, ଆଜିଠାରୁ ପ୍ରାୟ ୨୫ କୋଟି ଵର୍ଷ ପରେ ପୃଥିଵୀର ସମସ୍ତ ମହାଦେଶ ପୁଣି ଏକାଠି ହୋଇଯିବେ ଏଵଂ ଏକ ନୂତନ ସୁପରକଣ୍ଟିନେଣ୍ଟ ଗଠନ କରିବେ, ଯାହାର ନାମ ଦିଆଯାଇଛି Pangea Ultima (ପାଞ୍ଜିଆ ଅଲ୍ଟିମା) କିମ୍ବା Amasia (ଆମାସିଆ)। ପୃଥିଵୀର ଏହି ଅନନ୍ତ ଚକ୍ର ଏମିତି ହିଁ ଚାଲିରହିଵ।
ପୃଥିଵୀର ଏହି ୪୫୦ କୋଟି ଵର୍ଷର ସୁଦୀର୍ଘ ଇତିହାସ ଆଗରେ ମାନଵ ସଭ୍ୟତାର ଆୟୁଷ ମାତ୍ର କେଇ ସେକେଣ୍ଡର ପଲକ ସଦୃଶ।ଆଶ୍ଚର୍ଯ୍ୟ ଲାଗେ, ମାଂସପେଶୀ ଓ ଶାରୀରିକ ଶକ୍ତି ଦୃଷ୍ଟିରୁ ଏହି ଗ୍ରହର ଏକ ଅତି ଦୁର୍ଵଳ ଜୀଵ ହୋଇ ମଧ୍ୟ, ମାନଵ ଜାତି କେଵଳ ନିଜ କୌତୁହଳ ଓ ପ୍ରଜ୍ଞା ବଳରେ ପୃଥିଵୀର ପ୍ରାଚୀନ ଗର୍ଭର ଗୁପ୍ତ କାହାଣୀକୁ ଖୋଜି ବାହାର କରିପାରିଛି। ଆମେ କେଵଳ ଅତୀତର 'ଵାଲବାରା' କିମ୍ବା 'ପାଞ୍ଜିଆ'କୁ ଚିହ୍ନିନାହୁଁ ଵରଂ ନିଜ ଆଖି ଆଗରେ କୋଟି କୋଟି ଵର୍ଷର ଭୂ-ତାତ୍ତ୍ଵିକ ନୃତ୍ୟକୁ ଅନୁଭଵ ମଧ୍ୟ କରିଛନ୍ତି। କିନ୍ତୁ ଏହି ଜ୍ଞାନ ସହ ଏକ ଵିରାଟ ପ୍ରଶ୍ନଵାଚୀ ମଧ୍ୟ ସୃଷ୍ଟି ହୁଏ । ଆଜି ଆମେ ଵୈଜ୍ଞାନିକ ସୂତ୍ର ଆଧାରରେ ୨୫ କୋଟି ଵର୍ଷ ପରେ ଗଠିତ ହେଵାକୁ ଥିଵା ସୁପରକଣ୍ଟିନେଣ୍ଟର ନାମକରଣ ଏବେଠାରୁ 'ପାଞ୍ଜିଆ ଅଲ୍ଟିମା' ବୋଲି କରି ଦେଇଛନ୍ତି ସତ, ହେଲେ ସେତେବେଳେ ଏହି ନାମ ଡାକିଵା ପାଇଁ କ'ଣ ମାନଵ ଜାତି ନିଜେ ଥିଵ? ଯେଉଁ ପ୍ରକୃତିର ନିୟମ ସାମ୍ନାରେ ଵିଶାଳକାୟ ଡାଇନୋସର ଏଵଂ କେତେ କେତେ ସାମ୍ରାଜ୍ୟ ଧୂଳିସାତ୍ ହୋଇଗଲେ ସେଠାରେ ପ୍ରକୃତିର ଏହି ଆଗାମୀ ମହା-ମିଳନକୁ ଦେଖିଵା ପାଇଁ ମାନଵ ସଭ୍ୟତା ବଞ୍ଚି ରହିଥିଵ ତ?
ହୁଏତ ମହାଦେଶଗୁଡ଼ିକର ଏହି ପୁନର୍ଗଠନ ଚକ୍ରରେ ପଥର ଓ ମାଟି ପୁଣି ଏକାଠି ଯୋଡ଼ି ହୋଇଯିଵେ, କିନ୍ତୁ ଆମେ ଛାଡ଼ି ଯାଇଥିଵା କୋଠାବାଡ଼ି, ସହର ଏଵଂ ଅହଂକାରର ଚିହ୍ନ ଵର୍ଣ୍ଣ ବି ନଥିଵ। ସେତେବେଳେ ମାନଵ ଇତିହାସ ହୁଏତ ଅନ୍ୟ କୌଣସି ନୂତନ ଜୀଵ ପାଇଁ କ୍ରାଟନ୍ ଭିତରେ ଲୁଚି ରହିଥିଵା ଏକ ପତଳା ଜୀଵାଶ୍ମର ସ୍ତର ପାଲଟି ସାରିଥିଵ। ଏହି ଅନନ୍ତ କାଳଚକ୍ର ଆମକୁ ଏହା ହିଁ ଶିଖାଏ ଯେ "ମହାଦେଶ ଭାଙ୍ଗିଵା ଓ ଗଢ଼ିଵା ପ୍ରକୃତିର ଏକ ଚିରନ୍ତନ ନିୟମ, ଆଉ ଆମେ ଏହି ଵିଶାଳ ରଙ୍ଗମଞ୍ଚରେ କେଵଳ କିଛି ମୁହୂର୍ତ୍ତର ଅତିଥି ମାତ୍ର।"
No comments:
Post a Comment