ଖ୍ରୀଷ୍ଟପୂର୍ଵ ୫ମ ଶତାବ୍ଦୀର କଥା। ସେତେବେଳେ ପୃଥିଵୀର ମାନଚିତ୍ର ଆଜି ଭଳି ସ୍ପଷ୍ଟ ନଥିଲା। ସମୁଦ୍ରର ଅସୀମ ଜଳରାଶି ପଛରେ କେଉଁ ଦୁନିଆ ଲୁଚି ରହିଛି, ତାହା ଜାଣିଵା ପାଇଁ ମଣିଷ ମନରେ ଥିଲା ଅଦମ୍ୟ କୌତୂହଳ। ସେହି ସମୟର ଶକ୍ତିଶାଳୀ ନୌ-ଵାଣିଜ୍ୟ କେନ୍ଦ୍ର 'କାର୍ଥେଜ୍'(ଆଜିର ଟ୍ୟୁନିସିଆ)ର ଜଣେ ସାହସୀ ନାଵିକ ଥିଲେ ହାନୋ ଦି ନେଵିଗେଟର। କାର୍ଥେଜ୍ର ଶାସକମାନେ ତାଙ୍କୁ ଆଫ୍ରିକାର ପଶ୍ଚିମ ଉପକୂଳ ଅତିକ୍ରମ କରି ନୂଆ ଉପନିବେଶ ସ୍ଥାପନ କରିଵା ଏଵଂ ଅଜ୍ଞାତ ଭୂଖଣ୍ଡର ସନ୍ଧାନ କରିଵାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ହାନୋଙ୍କ ଏହି ଅଭିଯାନ ସାଧାରଣ ନଥିଲା। ସେ ପ୍ରାୟ ୬୦ଟି ଵିଶାଳକାୟ ବୋଇତ ଏଵଂ ପ୍ରାୟ ୩୦,୦୦୦ ପୁରୁଷ ଓ ମହିଳାଙ୍କୁ ନେଇ ସମୁଦ୍ରଯାତ୍ରା କରିଥିଲେ। ଜିବ୍ରାଲ୍ଟର୍ ପ୍ରଣାଳୀ ଅତିକ୍ରମ କରି ସେମାନେ ଯେତେବେଳେ ଆଟଲାଣ୍ଟିକ୍ ମହାସାଗରର ଅଜ୍ଞାତ ଜଳରାଶିରେ ପାଦ ଦେଲେ, ସେତେବେଳେ ପ୍ରତିଟି ମୁହୂର୍ତ୍ତ ଥିଲା ଵିପଦପୂର୍ଣ୍ଣ। ସେ ସମୟରେ ନାଵିକମାନେ ଵିଶ୍ୱାସ କରୁଥିଲେ ଯେ ସମୁଦ୍ରର ଶେଷ ପ୍ରାନ୍ତରେ ଭୟଙ୍କର ସାମୁଦ୍ରିକ ରାକ୍ଷସମାନେ ଵାସ କରନ୍ତି। କିନ୍ତୁ ହାନୋଙ୍କ ସାହସ ଆଗରେ ସବୁ ଭୟ ପରାଜିତ ହୋଇଥିଲା।
ଯାତ୍ରା ଆରମ୍ଭର ଅନେକ ଦିନ ପରେ, ହାନୋଙ୍କ ଵାହିନୀ ଆଫ୍ରିକାର ଗଭୀର ଦକ୍ଷିଣକୁ ଅଗ୍ରସର ହେଲେ। ସେଠାରେ ସେମାନେ ପ୍ରକୃତିର ଏକ ଭିନ୍ନ ରୂପ ଦେଖିଵାକୁ ପାଇଲେ। କେଉଁଠି ଆକାଶଛୁଆଁ ଜ୍ୱାଳାମୁଖୀରୁ ନିଆଁ ଵାହାରୁଥିଲାବେଳେ କେଉଁଠି ଘଞ୍ଚ ସବୁଜ ଜଙ୍ଗଲରୁ ଅଦ୍ଭୁତ ଜନ୍ତୁଙ୍କ ଗର୍ଜନ ଶୁଭୁଥିଲା। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ ସେମାନେ ଏକ ଵିଶାଳ ଉପସାଗର ମଧ୍ୟରେ ଥିଵା ଏକ ଦ୍ୱୀପରେ ପହଞ୍ଚିଲେ। ସେହି ଦ୍ୱୀପର ନାମ ହାନୋ ନିଜ ଵୃତ୍ତାନ୍ତରେ 'ଦକ୍ଷିଣର ଶୃଙ୍ଗ' (Horn of the South) ବୋଲି ଉଲ୍ଲେଖ କରିଛନ୍ତି।
ଅଧିକାଂଶ ଵିଶେଷଜ୍ଞଙ୍କ ମତରେ ହାନୋଙ୍କ 'ଦକ୍ଷିଣର ଶୃଙ୍ଗ' (Horn of the South) ହେଉଛି ଵର୍ତ୍ତମାନର ଗାବନ୍ ଦେଶର ଉପକୂଳ। ଏଠାରେ ଥିଵା କ୍ରିଷ୍ଟାଲ୍ ପର୍ଵତମାଳା ଏଵଂ ଏହାର ଆଖପାଖ ଦ୍ୱୀପଗୁଡ଼ିକ ହାନୋଙ୍କ ଵର୍ଣ୍ଣନା ସହିତ ସାମ୍ୟ ରଖେ ।
ତେବେ ସେହି "ଦକ୍ଷିଣର ଶୃଙ୍ଗ" ଦ୍ୱୀପରେ ପାଦ ଦେଵା ମାତ୍ରେ ହାନୋ ଏଵଂ ତାଙ୍କ ସହକର୍ମୀମାନେ ସ୍ତମ୍ଭୀଭୂତ ହୋଇଗଲେ। ସେମାନେ ଦେଖିଲେ ଯେ ସେଠାରେ ଏମିତି କିଛି ଜୀଵ ଵାସ କରୁଛନ୍ତି, ଯାହାଙ୍କୁ ସେମାନେ ପୂର୍ଵରୁ କେବେ ଦେଖିନଥିଲେ। ସେମାନେ ଥିଲେ ଵିଶାଳକାୟ, ସେମାନଙ୍କ ଶରୀର କଳା ଲୋମରେ ଆଚ୍ଛାଦିତ ଏଵଂ ସେମାନଙ୍କ ଶରୀରର ଗଠନ ପ୍ରାୟ ମଣିଷ ଭଳି ଥିଲା। ସେମାନଙ୍କର ଶକ୍ତିଶାଳୀ ଵାହୁ ଏଵଂ କ୍ରୋଧପୂର୍ଣ୍ଣ ଚାହାଣି ନାଵିକମାନଙ୍କ ମନରେ ଛନକା ଜାତ କରି ଦେଇଥିଲା।
ହାନୋଙ୍କ ସହିତ ଥିଵା ସ୍ଥାନୀୟ ଦୋଭାଷୀମାନେ, ଯେଉଁମାନେ ଆଫ୍ରିକାର ଵିଭିନ୍ନ ଗୋଷ୍ଠୀଙ୍କ ଭାଷା ଜାଣିଥିଲେ, ସେମାନେ ସେହି ଜୀଵମାନଙ୍କୁ 'Gorillai' ବୋଲି ସମ୍ବୋଧନ କଲେ। ସେମାନଙ୍କ ଭାଷାରେ ଏହାର ଅର୍ଥ ଥିଲା "ଲୋମଶ ସ୍ତ୍ରୀ ଲୋକ"। ନାଵିକମାନେ ଭାବିଥିଲେ ସେମାନେ ହୁଏତ କୌଣସି ଜଙ୍ଗଲୀ ମଣିଷ ଜାତି, ଯେଉଁମାନେ କଥା କହିପାରନ୍ତି ନାହିଁ।
ହାନୋ ସେହି ଜୀଵମାନଙ୍କ ମଧ୍ୟରୁ କିଛିଙ୍କୁ ଜୀଵନ୍ତ ଧରି କାର୍ଥେଜ୍ ନେଇଯିଵାକୁ ଚାହୁଁଥିଲେ, ଯଦ୍ୱାରା ସେ ନିଜର ସଫଳତାର ପ୍ରମାଣ ଦେଇପାରିବେ। କିନ୍ତୁ ଏହା ସହଜ ନଥିଲା। ସେ ଯେତେବେଳେ ସେହି ଜୀଵମାନଙ୍କୁ ଘେରିଵାକୁ ଚେଷ୍ଟା କଲେ, ସେମାନେ ଅତ୍ୟନ୍ତ ଫୁର୍ତ୍ତିର ସହ ପାହାଡ଼ ଉପରକୁ ଚଢ଼ିଗଲେ। ସେମାନେ କେଵଳ ଦୌଡ଼ିଲେ ନାହିଁ, ଵରଂ ନାଵିକମାନଙ୍କ ଉପରକୁ ଵିଶାଳ ପଥର ଫିଙ୍ଗି ନିଜକୁ ରକ୍ଷା କଲେ। ହାନୋଙ୍କ ଶକ୍ତିଶାଳୀ ସୈନ୍ୟମାନେ ମଧ୍ୟ ସେହି ଵନ୍ୟ ପ୍ରାଣୀଙ୍କ ଶକ୍ତି ଆଗରେ ହାରିଗଲେ।
ଅନେକ ଚେଷ୍ଟା ପରେ ହାନୋଙ୍କ ଵାହିନୀ ତିନୋଟି ମାଈ 'ଗୋରିଲାଇ'ଙ୍କୁ ଧରିଵାରେ ସଫଳ ହେଲେ। କିନ୍ତୁ ସେମାନେ ଏତେ ହିଂସ୍ର ଭାବେ କାମୁଡ଼ିଲେ ଏଵଂ ନଖରେ ଆମ୍ପୁଡ଼ିଲେ ଯେ ସେମାନଙ୍କୁ କାବୁ କରିଵା ଅସମ୍ଭଵ ହୋଇପଡ଼ିଲା। ଶେଷରେ ଵାଧ୍ୟ ହୋଇ ହାନୋଙ୍କୁ ସେମାନଙ୍କୁ ହତ୍ୟା କରିଵାକୁ ପଡ଼ିଲା। ହାନୋ ସେମାନଙ୍କର ଲୋମଶ ଚମଡ଼ାକୁ ସାଙ୍ଗରେ ନେଇ କାର୍ଥେଜ୍ ଫେରିଲେ।
କାର୍ଥେଜ୍ ଫେରିଵା ପରେ ହାନୋ ନିଜ ଯାତ୍ରାର ସମସ୍ତ ଵିଵରଣୀ ସେଠାକାର "Baal" ମନ୍ଦିରର କାନ୍ଥରେ ଖୋଦିତ କଲେ। ସେହି ଚମଡ଼ାଗୁଡ଼ିକୁ ମଧ୍ୟ ମନ୍ଦିରରେ ପ୍ରଦର୍ଶନୀ ପାଇଁ ରଖାଗଲା, ଯାହାକୁ ଅନେକ ଵର୍ଷ ପରେ ରୋମାନ୍ ସୈନ୍ୟମାନେ ମଧ୍ୟ ଦେଖିଥିଵା କୁହାଯାଏ। ହାନୋଙ୍କ ଏହି ଵୃତ୍ତାନ୍ତ ଯେତେବେଳେ ଗ୍ରୀକ୍ ଭାଷାକୁ ଅନୁଵାଦ ହେଲା, ସେତେବେଳେ ସେହି 'Gorillai' ଶବ୍ଦଟି ଵିଶ୍ୱର ଵିଭିନ୍ନ ଭାଷାରେ ପ୍ରଚଳିତ ହେଵାକୁ ଲାଗିଲା। ପ୍ରାୟ ୨୩୦୦ ଵର୍ଷ ପର୍ଯ୍ୟନ୍ତ ଏହା କେଵଳ ଏକ କିମ୍ଵଦନ୍ତୀ ହୋଇ ରହିଥିଲା। କିନ୍ତୁ ୧୯ଶ ଶତାବ୍ଦୀରେ ଯେତେବେଳେ ଆଧୁନିକ ଵିଜ୍ଞାନ ଏହି ପ୍ରାଣୀକୁ ଆଫ୍ରିକାର ଜଙ୍ଗଲରେ ପୁଣି ଠାଵ କଲା, ସେତେବେଳେ ହାନୋଙ୍କ ଦ୍ୱାରା ଦିଆଯାଇଥିଵା ସେହି ପୁରୁଣା ଶବ୍ଦଟିକୁ ହିଁ ଏହାର ଵୈଜ୍ଞାନିକ ପରିଚୟ ଭାବେ ଗ୍ରହଣ କରାଗଲା।
ମଣିଷର ଅଜ୍ଞାତକୁ ଜାଣିଵାର ଇଚ୍ଛା ହିଁ ନୂତନ ଆଵିଷ୍କାରର ଜନନୀ। ଯଦି ସେଦିନ ହାନୋ ସେହି ଵିପଦପୂର୍ଣ୍ଣ ସମୁଦ୍ର ଯାତ୍ରାରେ ବାହାରି ନଥାନ୍ତେ, ତେବେ ହୁଏତ ଦୁନିଆ ଆଜି ଗରିଲାଙ୍କୁ ଅନ୍ୟ କୌଣସି ନାମରେ ଜାଣିଥାନ୍ତା। ତାଙ୍କର ସେହି ସାହସିକ ଯାତ୍ରା ହିଁ ମଣିଷ ଓ ଗରିଲାଙ୍କ ମଧ୍ୟରେ ଥିଵା ସମ୍ପର୍କର ପ୍ରଥମ ସେତୁ ଥିଲା।
ହାନୋ ଦି ନେଵିଗେଟରଙ୍କ ସେହି ରୋମାଞ୍ଚକର ଯାତ୍ରା ଏଵଂ କାର୍ଥେଜ୍ର ମନ୍ଦିରରେ ସଂରକ୍ଷିତ ସେହି ଲୋମଶ ଚମଡ଼ାଗୁଡ଼ିକ ଏକ ସମୟରେ ସାରା ଵିଶ୍ୱରେ ଚହଳ ସୃଷ୍ଟି କରିଥିଲା। କିନ୍ତୁ କାଳକ୍ରମେ କାର୍ଥେଜ୍ ସାମ୍ରାଜ୍ୟର ପତନ ଘଟିଲା ଏଵଂ ରୋମାନ୍ମାନଙ୍କ ଆଧିପତ୍ୟ ବଢ଼ିଲା। ଏହି ସମୟ ମଧ୍ୟରେ ହାନୋଙ୍କ ଦ୍ୱାରା ଆଵିଷ୍କୃତ ସେହି ଅଦ୍ଭୁତ 'ଗୋରିଲାଇ'ମାନଙ୍କ କାହାଣୀ ଧୀରେ ଧୀରେ ଧୂଳିସାତ୍ ହେଵାକୁ ଲାଗିଲା। ଫଳସ୍ୱରୂପ, ଖ୍ରୀଷ୍ଟପୂର୍ଵ ୫ମ ଶତାବ୍ଦୀଠାରୁ ଆରମ୍ଭ କରି ପ୍ରାୟ ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ, ଅର୍ଥାତ୍ ଦୀର୍ଘ ୨୦୦୦ ଵର୍ଷ ଧରି, ଵିଶ୍ୱ ଇତିହାସରେ ଗରିଲାମାନଙ୍କ ଵିଷୟରେ ଏକ ପ୍ରକାରର "ମହା-ନୀରଵତା" ଦେଖିଵାକୁ ମିଳିଥିଲା।
ଏହି ଦୀର୍ଘ ସମୟ ମଧ୍ୟରେ ୟୁରୋପୀୟ ଵା ଏସୀୟ ସଭ୍ୟତା ପାଇଁ ଆଫ୍ରିକାର ଆଭ୍ୟନ୍ତର ଭାଗ ଏକ "ଅନ୍ଧକାରମୟ ମହାଦେଶ" ହୋଇ ରହିଥିଲା। ସାହାରା ମରୁଭୂମିର ଵିଶାଳତା ଏଵଂ ସମୁଦ୍ରର ଵିପଦପୂର୍ଣ୍ଣ ସ୍ରୋତ କାରଣରୁ କେହି ହାନୋଙ୍କ ପରି ସାହସ ଦେଖାଇ ଦକ୍ଷିଣକୁ ଯିଵାକୁ ଚେଷ୍ଟା କଲେ ନାହିଁ। ଯେଉଁ ଅଳ୍ପ କିଛି ତଥ୍ୟ ସାମ୍ନାକୁ ଆସୁଥିଲା, ତାହା କେଵଳ ପାଣି ପିଇଵା ବେଳେ ଵଣିକମାନେ କହୁଥିଵା ରସାଣିତ ଗଳ୍ପ ଥିଲା। ଲୋକମାନେ ଵିଶ୍ୱାସ କରିଵାକୁ ଲାଗିଲେ ଯେ ହାନୋ ହୁଏତ କୌଣସି ରାକ୍ଷସ ଵା ଭୂତଙ୍କୁ ଦେଖିଥିଲେ, ଯେଉଁମାନଙ୍କର ଅସ୍ତିତ୍ୱ ପ୍ରକୃତରେ ନାହିଁ। ଗରିଲାମାନେ ଵିଜ୍ଞାନର ପୃଷ୍ଠାରୁ ହଜିଯାଇ କେଵଳ ଗଳ୍ପ ଓ କିମ୍ଵଦନ୍ତୀର ପାତ୍ର ହୋଇ ରହିଗଲେ।
ମଧ୍ୟଯୁଗରେ (ପ୍ରାୟ ୮ମ ରୁ ୧୪ଶ ଶତାବ୍ଦୀ) ଆରବ ଵଣିକମାନେ ପୂର୍ଵ ଓ ପଶ୍ଚିମ ଆଫ୍ରିକାର ଉପକୂଳଵର୍ତ୍ତୀ ଅଞ୍ଚଳରେ ଵାଣିଜ୍ୟ କରୁଥିଲେ। ସେମାନେ ସ୍ଥାନୀୟ ଆଫ୍ରିକୀୟ ଗୋଷ୍ଠୀଙ୍କ ସହ ସମ୍ପର୍କ ସ୍ଥାପନ କରିଵା ସମୟରେ ଜଙ୍ଗଲର ଗଭୀରରେ ରହୁଥିଵା କିଛି "ଶକ୍ତିଶାଳୀ ଜଙ୍ଗଲୀ ମଣିଷ"ଙ୍କ ଵିଷୟରେ ଶୁଣିଵାକୁ ପାଇଲେ।
ଆରବ ଭ୍ରମଣକାରୀମାନେ ନିଜର ଵୃତ୍ତାନ୍ତରେ ଲେଖିଥିଲେ ଯେ, ଆଫ୍ରିକାର ଘଞ୍ଚ ଜଙ୍ଗଲରେ ଏମିତି କିଛି Nasnas ଵା ମଣିଷ ଭଳି ଦେଖାଯାଉଥିଵା ପ୍ରାଣୀ ଅଛନ୍ତି ଯେଉଁମାନେ ଗଛ ଚଢ଼ିଵାରେ ଦକ୍ଷ ଏଵଂ ଶିକାରୀଙ୍କୁ ଧରିଲେ ଚିରି ପକାନ୍ତି। କିନ୍ତୁ ସେମାନଙ୍କ ପାଖରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନଥିଲା। ସେମାନଙ୍କ ଵର୍ଣ୍ଣନାରେ ଅତିରଞ୍ଜିତ ତଥ୍ୟ ଥିଲା । ଆରବୀ ଵଣିକମାନଙ୍କ ଵର୍ଣ୍ଣନାରେ ଏହି ଜୀଵମାନେ ଅଦୃଶ୍ୟ ହୋଇପାରନ୍ତି କିମ୍ଵା ସେମାନେ ମଣିଷଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ଵିଵାହ କରନ୍ତି ଇତ୍ୟାଦି ଅତିରଞ୍ଜିତ କଥା ରହିଛି । ଏହି କାହାଣୀଗୁଡ଼ିକ ଵିଜ୍ଞାନଠାରୁ ବହୁ ଦୂରରେ ଥିଲା, କିନ୍ତୁ ଏଥିରେ ଏତିକି ସୂଚନା ମିଳୁଥିଲା ଯେ ଜଙ୍ଗଲ ଭିତରେ କିଛି ଵିଶାଳକାୟ ଜୀଵ ଅଛନ୍ତି ଏଵଂ ସେମାନଙ୍କୁ ସାମ୍ନା କରିଵାକୁ ମଣିଷ ଭୟ କରେ।
୧୫ଶ ଶତାବ୍ଦୀରେ ଯେତେବେଳେ ୟୁରୋପୀୟ ଅନ୍ୱେଷଣକାରୀମାନେ ପୁଣି ଥରେ ଆଫ୍ରିକା ଉପକୂଳକୁ ଫେରିଲେ, ସେମାନେ ହାନୋଙ୍କ ସେହି ପୁରୁଣା 'ଗୋରିଲାଇ' ଶବ୍ଦକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ପର୍ତ୍ତୁଗାଲୀ ନାଵିକମାନେ ଜଙ୍ଗଲୀ ଅଞ୍ଚଳରୁ ଭୟଙ୍କର ଚିତ୍କାର ଶୁଣିଵାକୁ ପାଉଥିଲେ ଏଵଂ ସେମାନେ ଭାବୁଥିଲେ ଯେ ସେଠାରେ "Satyr" ଭଳି ଅଦ୍ଭୁତ ଅସୁରମାନେ ରହୁଛନ୍ତି।
ସେ ସମୟର ନାଵିକମାନଙ୍କ ମନରେ ଏହି ଧାରଣା ଥିଲା ଯେ ଗରିଲାମାନେ ହେଉଛନ୍ତି ପତିତ ମଣିଷ ଯେଉଁମାନେ ପାପ କାରଣରୁ ପଶୁ ପାଲଟି ଯାଇଛନ୍ତି। ସେମାନେ ଏତେ ଶକ୍ତିଶାଳୀ ଯେ ହାତରେ ହାତୀର ଶୁଣ୍ଢକୁ ମୋଡ଼ି ଦେଇପାରନ୍ତି।
ସେମାନେ ଗାଁ ଭିତରକୁ ଆସି ଶିଶୁମାନଙ୍କୁ ଚୋରାଇ ନିଅନ୍ତି। ଏହି ସମୟର କୌଣସି ଲେଖାରେ 'ଗରିଲା' ନାମର ଉଲ୍ଲେଖ ନଥିଲା। ସେମାନଙ୍କୁ କେଵଳ 'ଜଙ୍ଗଲୀ ମଣିଷ' ଵା 'ଵନ୍ୟ ରାକ୍ଷସ' ଭାବେ ଚିହ୍ନିତ କରାଯାଉଥିଲା। ଫଳରେ, ଵିଵର୍ତ୍ତନଵାଦ ଵା ପ୍ରାଣୀଵିଜ୍ଞାନ ଦୃଷ୍ଟିରୁ ଏହି ଜୀଵମାନଙ୍କ ସହିତ ଆମର ପରିଚୟ ବହୁତ ପଛରେ ପଡ଼ିଗଲା।
ଇତିହାସର ସେହି ଦୀର୍ଘ ନୀରଵତା ପରେ, ଯେତେବେଳେ ୟୁରୋପୀୟମାନେ ପୁଣିଥରେ ଆଫ୍ରିକାର ଗଭୀରତାକୁ ମାପିଵାକୁ ଚେଷ୍ଟା କଲେ, ସେତେବେଳେ ଜଣେ ଵ୍ୟକ୍ତିଙ୍କ ଅନୁଭୂତି ସାରା ଵିଶ୍ୱକୁ ଚକିତ କରିଦେଲା। ସେ ଥିଲେ ଇଂରେଜ ନାଵିକ Andrew Battel । ୧୫୮୯ ମସିହାରେ Andrew Battel ଏକ ସାମୁଦ୍ରିକ ଅଭିଯାନରେ ବାହାରିଥିଲେ, କିନ୍ତୁ ଭାଗ୍ୟର ଵିଡ଼ମ୍ଵନା ଯୋଗୁଁ ସେ ପର୍ତ୍ତୁଗାଲୀମାନଙ୍କ ଦ୍ୱାରା ବନ୍ଦୀ ହୋଇ ପ୍ରାୟ ୧୮ ଵର୍ଷ କାଳ ପଶ୍ଚିମ ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ରହିଵାକୁ ବାଧ୍ୟ ହୋଇଥିଲେ। ସେହି ବନ୍ଦୀ ଜୀଵନ ହିଁ ଗରିଲା ଓ ମଣିଷର ସମ୍ପର୍କର ତୃତୀୟ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସାଜିଲା।
ବ୍ୟାଟେଲ୍ଙ୍କ ଅନୁଭୂତି କେଵଳ ଶୁଣାକଥା ନଥିଲା। ବ୍ୟାଟେଲ୍ ନିଜେ ସେହି ଘଞ୍ଚ ଜଙ୍ଗଲରେ ରହିଵା ସମୟରେ ଏମିତି କିଛି ଦେଖିଲେ, ଯାହା ସେ ପର୍ଯ୍ୟନ୍ତ କୌଣସି ୟୁରୋପୀୟ ବହିରେ ଲେଖାଯାଇ ନଥିଲା। ଯେତେବେଳେ ସେ ସ୍ୱଦେଶକୁ ଫେରିଲେ, ତାଙ୍କର କାହାଣୀ ପ୍ରସିଦ୍ଧ ଭ୍ରମଣ ଲେଖକ ସାମୁଏଲ୍ ପର୍ଚାସ୍ଙ୍କ ଦ୍ୱାରା ଲୋକଲୋଚନକୁ ଆସିଲା। ବ୍ୟାଟେଲ୍ ପଶ୍ଚିମ ଆଫ୍ରିକାରେ ଦୁଇ ପ୍ରକାରର ଵିଶାଳକାୟ 'ଜଙ୍ଗଲୀ ମଣିଷ'(Great Apes)ଙ୍କ ଵିଷୟରେ କହିଥିଲେ, ଯାହାଙ୍କୁ ସ୍ଥାନୀୟ ଲୋକେ 'ପୋଙ୍ଗୋ' (Pongo) ଏଵଂ 'ଏଞ୍ଜେକୋ' (Engeco) ବୋଲି କହୁଥିଲେ। ଆଧୁନିକ ଵିଜ୍ଞାନୀମାନେ ଏହାକୁ ଵିଶ୍ଳେଷଣ କରି ଜାଣିଵାକୁ ପାଇଲେ ଯେ ଏଞ୍ଜେକୋ (Engeco) ପ୍ରକୃତରେ ସିମ୍ପାଞ୍ଜି' (Chimpanzee) ଏଵଂ ପୋଙ୍ଗୋ (Pongo) ହିଁ ଥିଲା ସେହି ରହସ୍ୟମୟ 'ଗରିଲା', ଯାହାର ସନ୍ଧାନ ହାନୋ ଖ୍ରୀଷ୍ଟପୂର୍ଵ ୫ମ ଶତାବ୍ଦୀରେ କରିଥିଲେ।
'ପୋଙ୍ଗୋ'ର ଶାରୀରିକ ଵର୍ଣ୍ଣନା ଓ ବଳ ଵିଷୟରେ
ବ୍ୟାଟେଲ୍ ଲେଖିଛନ୍ତି ଯେ 'ପୋଙ୍ଗୋ'ମାନେ ପ୍ରକୃତରେ ଵିଶାଳକାୟ ଥିଲେ। ସେମାନଙ୍କର ଶରୀର ମଣିଷଠାରୁ ଅଧିକ ଚଉଡ଼ା ଓ ମାଂସଳ ଥିଲା। ପୋଙ୍ଗୋମାନେ ଏତେ ଶକ୍ତିଶାଳୀ ଥିଲେ ଯେ ଜଣେ ସାଧାରଣ ମଣିଷ ସେମାନଙ୍କ ସହ କେବେ ହେଲେ ବି ସମାନ ହୋଇପାରିଵ ନାହିଁ। ବ୍ୟାଟେଲ୍ଙ୍କ ଏହି ତଥ୍ୟ ଯୋଗୁଁ "ଗରିଲାମାନେ ପୃଥିଵୀର ସବୁଠାରୁ ଶକ୍ତିଶାଳୀ ପ୍ରାଇମେଟ୍" ବୋଲି ୟୁରୋପୀୟମାନେ ଜାଣିପାରିଲେ ।
ପୁଣି ବ୍ୟାଟେଲ୍ ଏକ ଆଶ୍ଚର୍ଯ୍ୟଜନକ କଥା ଉଲ୍ଲେଖ କରିଥିଲେ— "ଯେତେବେଳେ ଜଙ୍ଗଲୀ ଅଞ୍ଚଳରେ ଶିକାରୀ କିମ୍ଵା ଵଣିକମାନେ ନିଆଁ ଜାଳି ଛାଡ଼ି ଯାଆନ୍ତି, ସେହି 'ପୋଙ୍ଗୋ'ମାନେ ନିଆଁ ପାଖକୁ ଚାଲି ଆସନ୍ତି। ସେମାନେ ନିଆଁର ଉତ୍ତାପକୁ ଉପଭୋଗ କରନ୍ତି ଏଵଂ ନିଜ ଶରୀରକୁ ଗରମ ରଖନ୍ତି। କିନ୍ତୁ ସେମାନଙ୍କ ପାଖରେ ନିଆଁକୁ ଜଳାଇ ରଖିଵା ପାଇଁ ବୁଦ୍ଧି ନଥାଏ, ଅର୍ଥାତ୍ ସେମାନେ ସେଥିରେ କାଠ ପକାଇଵା ଜାଣିନାହାନ୍ତି।" ଏହି ଗୋଟିଏ ଧାଡ଼ି ଵିଜ୍ଞାନ ଜଗତରେ ଏକ ବଡ଼ ଚର୍ଚ୍ଚାର ଵିଷୟ ପାଲଟିଲା, କାରଣ ଏହା ମଣିଷ ଏଵଂ ଗରିଲା ମଧ୍ୟରେ ଥିଵା ସେହି ମହତ୍ତ୍ୱପୂର୍ଣ୍ଣ ପ୍ରଭେଦକୁ ଦର୍ଶାଉଥିଲା।
ବ୍ୟାଟେଲ୍ କେଵଳ ଶାରୀରିକ ଗଠନ ନୁହେଁ ଵରଂ ଗରିଲାଙ୍କ ସ୍ୱଭାଵ ଵିଷୟରେ ମଧ୍ୟ କିଛି ରୋମାଞ୍ଚକର ତଥ୍ୟ ଦେଇଥିଲେ। ସେ ଦେଖିଥିଲେ ଯେ ପୋଙ୍ଗୋମାନେ ଦଳଗତ ଭାବେ ରହନ୍ତି। ଯେତେବେଳେ ଜଙ୍ଗଲରେ ହାତୀମାନେ ବୁଲନ୍ତି, ଗରିଲାମାନେ ସେମାନଙ୍କୁ ନିଜ ଅଞ୍ଚଳରୁ ଘଉଡ଼ାଇ ଦିଅନ୍ତି। ସେମାନେ ନିଜ ହାତରେ ଖପୁରୀ ପିଟି ଗର୍ଜନ କରନ୍ତି, ଯାହା ଶୁଣି ବଡ଼ ବଡ଼ ଜନ୍ତୁ ମଧ୍ୟ ଭୟଭୀତ ହୋଇଯାନ୍ତି।
ତାଙ୍କ ଵର୍ଣ୍ଣନାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଯେ, ଗରିଲାମାନେ ସହଜରେ କାହା ଉପରକୁ ଆକ୍ରମଣ କରନ୍ତି ନାହିଁ, ଯେପର୍ଯ୍ୟନ୍ତ କେହି ସେମାନଙ୍କ ପରିଵାରକୁ କିମ୍ଵା ଶିଶୁମାନଙ୍କୁ ହଇରାଣ ନକରିଛି। ଯଦିଓ ବ୍ୟାଟେଲ୍ ଜଣେ ଵୈଜ୍ଞାନିକ ନଥିଲେ, ତଥାପି ତାଙ୍କର ପର୍ଯ୍ୟଵେକ୍ଷଣ ଏତେ ଯଥାର୍ଥ ଥିଲା ଯେ ପରଵର୍ତ୍ତୀ ସମୟରେ ଏହାକୁ ଭିତ୍ତି କରି ଅନେକ ଗଵେଷଣା କରାଗଲା।
ବ୍ୟାଟେଲ୍ଙ୍କ ଏହି ଵୃତ୍ତାନ୍ତ ଲଣ୍ଡନରେ ପ୍ରକାଶ ପାଇଲାରୁ ଅନେକ ଵିଦ୍ୱାନ ଏହାକୁ ଵିଶ୍ୱାସ କଲେ ନାହିଁ। ଜଣେ ମଣିଷ ଭଳି ଦେଖାଯାଉଥିଵା ପଶୁ ହାତୀକୁ ଡରାଇଵା କିମ୍ଵା ନିଆଁ ପାଖରେ ବସିଵା ଅସମ୍ଭଵ ବୋଲି ସେମାନେ ଵିଚାର କଲେ । କିନ୍ତୁ ଏହି "ପୋଙ୍ଗୋ" ନାମଟି ୟୁରୋପୀୟ ଶବ୍ଦକୋଷରେ ସ୍ଥାନ ପାଇଗଲା। ପଶ୍ଚିମ ଆଫ୍ରିକାର କଙ୍ଗୋ ଅଞ୍ଚଳରେ ବୋଲାଯାଉଥିବା 'କିକଙ୍ଗୋ' ଭାଷାରେ ଏକ ଶବ୍ଦ ଅଛି—'ମ୍ପୁଙ୍ଗୁ' (Mpungu), ଯାହାର ଅର୍ଥ "ଵିଶାଳ କାୟ ଵନ୍ୟ ପ୍ରାଣୀ" ଵା ବଡ଼ ଵାନର ଅଟେ । ଆଣ୍ଡ୍ରୁ ବ୍ୟାଟେଲ୍ ଏହି 'ମ୍ପୁଙ୍ଗୁ' ଶବ୍ଦକୁ ୟୁରୋପୀୟ ଉଚ୍ଚାରଣରେ 'Pongo' ବୋଲି ଲେଖିଥିଲେ।
ଯେତେବେଳେ ପ୍ରସିଦ୍ଧ ଜୀଵଵିଜ୍ଞାନୀ Carl Linnaeus ଜୀଵମାନଙ୍କ ଶ୍ରେଣୀଵିଭାଗ କଲେ, ସେତେବେଳେ ସେ ଏହି 'ପୋଙ୍ଗୋ' ଶବ୍ଦରୁ ପ୍ରଭାଵିତ ହୋଇଥିଲେ। ସେତେବେଳେ ସେ Orangutanମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଵା ପାଇଁ ନାଆଁଟିଏ ଖୋଜୁଥିଲେ । ନିଜେ ଲିନିଅସ୍ ଏହି ବଡ଼ ବାନରମାନଙ୍କ ପାଇଁ ଆଫ୍ରିକୀୟ 'ପୋଙ୍ଗୋ' ଶବ୍ଦରୁ ପ୍ରଭାଵିତ ହୋଇ ଏହାର ନାମ Simia pygmaeus କଲେ, ଯାହା ପରେ ସମ୍ପୂର୍ଣ୍ଣ ଭାବେ ଓରାଙ୍ଗୁଟାନ ଜାତି ପାଇଁ Pongo Genus ଭାବେ ସ୍ଥାୟୀ ରୂପ ନେଲା। ତେଣୁ ଆଫ୍ରିକାରେ ଗରିଲାର ସ୍ଥାନୀୟ ନାମ ରୂପେ ପ୍ରଚଳିତ ମ୍ପୁଙ୍ଗୁ ଶବ୍ଦଟି ୟୁରୋପ ଯାଇ Pongi ହେଲା ଏଵଂ ଶେଷରେ ପୃଥିଵୀର ସବୁଠାରୁ ବୁଦ୍ଧିମାନ ମହାଵାନର 'ଓରାଙ୍ଗୋଟାଙ୍ଗ୍' ଵଂଶର ଵୈଜ୍ଞାନିକ ନାମ ରୂପେ ପ୍ରଚଳିତ ହେଲା ।
ତେବେ ଆଣ୍ଡ୍ରୁ ବ୍ୟାଟେଲ୍ଙ୍କ ଗରିଲା ସମ୍ବନ୍ଧୀୟ ଵିଵରଣୀ ହିଁ ପ୍ରମାଣ କଲା ଯେ ହାନୋ ଦି ନେଵିଗେଟର ଯାହା ଦେଖିଥିଲେ, ତାହା କୌଣସି କାଳ୍ପନିକ କଥା ନଥିଲା। ଏହି ଇଂରେଜ ନାଵିକଙ୍କ ମାଧ୍ୟମରେ ୨୦୦୦ ଵର୍ଷର ନୀରଵତାର ଅନ୍ତ ଘଟିଲା ଏଵଂ ପାଶ୍ଚାତ୍ୟ ଜଗତ ଆଉଥରେ ଆଫ୍ରିକାର ସେହି ଵିଶାଳକାୟ 'ଵନ୍ୟ ପ୍ରାଣୀ'ଙ୍କୁ ଖୋଜିଵା ପାଇଁ ଉତ୍ସାହିତ ହେଲା। ଏହା ହିଁ ଥିଲା ଗରିଲା ଇତିହାସର ସେହି ଗୁରୁତ୍ୱପୂର୍ଣ୍ଣ ମୋଡ଼, ଯେଉଁଠୁ ଗଳ୍ପ,କାହାଣୀ ଓ କିମ୍ବଦନ୍ତୀ ପଛରେ ରହିଗଲା ଏଵଂ ଵାସ୍ତଵିକ ଅନୁସନ୍ଧାନର ପଥ ପ୍ରଶସ୍ତ ହେଲା।
ଆଣ୍ଡ୍ରୁ ବ୍ୟାଟେଲ୍ଙ୍କ ସେହି ରୋମାଞ୍ଚକର ଵର୍ଣ୍ଣନା ପରେ ପାଶ୍ଚାତ୍ୟ ଜଗତରେ 'ପୋଙ୍ଗୋ' ଵା 'ଵନ୍ୟ ମଣିଷ'ଙ୍କୁ ନେଇ ଚର୍ଚ୍ଚା ହେଉଥିଲା , କିନ୍ତୁ ଵିଜ୍ଞାନ ପାଖରେ ସେତେବେଳେ କୌଣସି ଉପଯୁକ୍ତ ପ୍ରମାଣ ନଥିଲା। ସମସ୍ତେ ତଥାପି ଭାବୁଥିଲେ ଯେ ଏହା ହୁଏତ ଏକ କାଳ୍ପନିକ ଗଳ୍ପ। କିନ୍ତୁ ଊନଵିଂଶ ଶତାବ୍ଦୀର ମଧ୍ୟଭାଗରେ ଘଟିଥିଵା ଏକ ଘଟଣା ଇତିହାସର ଗତିପଥକୁ ସମ୍ପୂର୍ଣ୍ଣ ଵଦଳାଇ ଦେଲା। ଏହି ସମୟରେ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକ ଵା ମିଶନାରୀମାନେ ଆଫ୍ରିକାର ଅଜ୍ଞାତ ଅଞ୍ଚଳକୁ ପ୍ରଵେଶ କରିଵା ଆରମ୍ଭ କରିଥିଲେ। ସେହିମାନଙ୍କ ମଧ୍ୟରୁ ଜଣେ ଥିଲେ ଆମେରିକୀୟ ମିଶନାରୀ Thomas Savage ଯିଏ ପେଶାରେ ଜଣେ ଚିକିତ୍ସକ ମଧ୍ୟ ଥିଲେ।
୧୮୪୭ ମସିହାର କଥା। ଡାକ୍ତର ସାଵେଜ୍ ଲାଇବେରିଆରୁ ଗାବନ୍ ଅଭିମୁଖେ ଯାତ୍ରା କରୁଥିଲେ। ସେହି ସମୟରେ ସେ ଗାବନ୍ ନଦୀ କୂଳରେ ଅଟକିଥିଵା ବେଳେ ସ୍ଥାନୀୟ ଲୋକଙ୍କ ପାଖରେ କିଛି ଅଦ୍ଭୁତ ଧରଣର ଵିଶାଳକାୟ ହାଡ଼ ଏଵଂ ଖପୁରୀ ଦେଖିଵାକୁ ପାଇଲେ। ଜଣେ ଚିକିତ୍ସକ ଏଵଂ ପ୍ରାକୃତିକ ଵିଜ୍ଞାନ ପ୍ରତି ଆଗ୍ରହୀ ଵ୍ୟକ୍ତି ଥିଵାରୁ ସାଵେଜ୍ ସହଜରେ ବୁଝିପାରିଲେ ଯେ, ଏହା କୌଣସି ସାଧାରଣ ଵାନର କିମ୍ବା ମଣିଷର ଖପୁରୀ ନୁହେଁ। ସେ ସ୍ଥାନୀୟ ଲୋକଙ୍କୁ ପଚାରିଵାରୁ ଜାଣିଵାକୁ ପାଇଲେ ଯେ, ଏହା ଜଙ୍ଗଲରେ ଵାସ କରୁଥିଵା ଏକ ଵିଶାଳକାୟ ପ୍ରାଣୀର, ଯାହାକୁ ସେମାନେ Mpongwe କିମ୍ବା Mpungu ଭଳି କିଛି ନାମରେ ଡାକୁଥିଲେ।
ସାଵେଜ୍ ସେଠାରୁ କିଛି ଖପୁରୀ ଓ ହାଡ଼ ସଂଗ୍ରହ କଲେ। ସେ ଜାଣିଥିଲେ ଯେ ଏହି ଆଵିଷ୍କାର ସାରା ଵିଶ୍ୱର ପ୍ରାଣୀ ଵିଜ୍ଞାନକୁ ଦୋହଲାଇ ଦେଵ। କିନ୍ତୁ ସେ ଜଣେ ଵିଶ୍ଳେଷକ ନଥିଲେ, ତେଣୁ ସେ ଏହି ସମସ୍ତ ଅସ୍ଥି ଅଵଶେଷକୁ ଆମେରିକାର ପ୍ରସିଦ୍ଧ ଶରୀରତତ୍ତ୍ୱଵିତ୍ ଓ ପ୍ରାଣୀଵିଜ୍ଞାନୀ ଜେଫ୍ରିସ୍ ୱାଇମ୍ୟାନ୍ଙ୍କ ପାଖକୁ ହାଵାର୍ଡ ପଠାଇଲେ। ସାଵେଜ୍ ଓ ୱାଇମ୍ୟାନ୍ଙ୍କ ମଧ୍ୟରେ ଚିଠିପତ୍ର ଆଦାନପ୍ରଦାନ ହେଲା। ସେମାନେ ମିଶି ସେହି ହାଡ଼ଗୁଡ଼ିକର ପୁଙ୍ଖାନୁପୁଙ୍ଖ ପରୀକ୍ଷା କଲେ। ୱାଇମ୍ୟାନ୍ ଦେଖିଲେ ଯେ, ଏହି ପ୍ରାଣୀଟି ସିମ୍ପାଞ୍ଜି ଅପେକ୍ଷା ଯଥେଷ୍ଟ ବଡ଼ ଏଵଂ ଏହାର ଦାନ୍ତର ଗଠନ ସମ୍ପୂର୍ଣ୍ଣ ଭିନ୍ନ। ଏହାର ଅସ୍ଥିଗୁଡ଼ିକ ମଣିଷର ଅସ୍ଥି ସଂରଚନା ସହ ଆଶ୍ଚର୍ଯ୍ୟଜନକ ଭାବେ ମେଳ ଖାଉଥିଲା, କିନ୍ତୁ ଏହାର ଶକ୍ତି ଏଵଂ ଆକାର ଥିଲା ଅନେକ ଗୁଣ ଅଧିକ।
ଏହି ସମୟରେ ସେମାନଙ୍କ ମନକୁ ଆସିଲା ସେହି ପ୍ରାଚୀନ ଇତିହାସ। ସେମାନେ ହାନୋ ଦି ନେଵିଗେଟରଙ୍କ ଵୃତ୍ତାନ୍ତ ଵିଷୟରେ ପଢ଼ିଥିଲେ ଏଵଂ ହାନୋ 'Gorillai' ଶବ୍ଦ ଵ୍ୟଵହାର କରିଥିଲେ ବୋଲି ଜାଣିଥିଲେ । ସେମାନେ ଅନୁଭଵ କଲେ ଯେ, ହାନୋ ଯାହା ଦେଖିଥିଲେ, ଏହା ହିଁ ସେହି ପ୍ରାଣୀ। ଇତିହାସ ପ୍ରତି ସମ୍ମାନ ଜଣାଇ ଏଵଂ ଏକ ନୂତନ ଵୈଜ୍ଞାନିକ ପରିଚୟ ଦେଵା ପାଇଁ, ସେମାନେ ଏହି ପ୍ରାଣୀର ଵୈଜ୍ଞାନିକ ନାମକରଣ କଲେ— Troglodytes gorilla ଏଵଂ ପରଵର୍ତ୍ତୀ ସମୟରେ ଗରିଲାର ଵୈଜ୍ଞାନିକ ନାମ କେଵଳ Gorilla gorilla ହେଲା । ୧୮୪୭ ମସିହା ଅଗଷ୍ଟ ମାସରେ 'ବୋଷ୍ଟନ ସୋସାଇଟି ଅଫ୍ ନାଚୁରାଲ ହିଷ୍ଟ୍ରି'ରେ ସେମାନଙ୍କର ଏହି ଗଵେଷଣା ପତ୍ର ପ୍ରକାଶ ପାଇଲା। ଏହା ଥିଲା ଆଧୁନିକ ଵିଜ୍ଞାନ ଇତିହାସରେ ଗରିଲାଙ୍କର "ଜନ୍ମ ପ୍ରମାଣପତ୍ର"। ଏହା ପୂର୍ଵରୁ ଗରିଲାମାନେ କେଵଳ କାହାଣୀରେ ହିଁ ଥିଲେ, କିନ୍ତୁ ସାଵେଜ୍ ଓ ୱାଇମ୍ୟାନ୍ ସେମାନଙ୍କୁ ଵାସ୍ତଵିକତାର ରୂପ ଦେଲେ।
ଏହି ଆଵିଷ୍କାର ନୂଆ ଜୀଵର ସନ୍ଧାନ ସହିତ ମଣିଷର ଉତ୍ପତ୍ତି ଏଵଂ ପ୍ରକୃତି ସହ ଗରିଲାର ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କଲା। ସାଵେଜ୍ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିଥିଵା ତଥ୍ୟକୁ ଆଧାର କରି ଲେଖିଥିଲେ ଯେ, ଏହି ପ୍ରାଣୀମାନେ ଅତ୍ୟନ୍ତ ବୁଦ୍ଧିମାନ ଏଵଂ ସେମାନେ ନିଜର ଵାସସ୍ଥାନ ତିଆରି କରିଵା ପାଇଁ ଗଛର ଡାଳ ପତ୍ର ଵ୍ୟଵହାର କରନ୍ତି। ସେମାନେ ହିଂସ୍ର ନୁହଁନ୍ତି, କିନ୍ତୁ ନିଜ ପରିଵାରକୁ ରକ୍ଷା କରିଵା ପାଇଁ କୌଣସି ବି ଵିପଦର ସାମ୍ନା କରିପାରନ୍ତି। ସାଵେଜ୍ ତାଙ୍କ ଵିଵରଣୀରେ ଏକ ମୁଖ୍ୟ କଥା ଉଲ୍ଲେଖ କରିଥିଲେ ଯାହା ସାରା ୟୁରୋପକୁ ଆଶ୍ଚର୍ଯ୍ୟ କରିଥିଲା। ସେ ଲେଖିଥିଲେ ଯେ, ଗରିଲାମାନେ କେବେ ବି ପ୍ରଥମେ ଆକ୍ରମଣ କରନ୍ତି ନାହିଁ। ଯଦି କେହି ସେମାନଙ୍କ ଅଞ୍ଚଳକୁ ଆସେ, ତେବେ ପରିଵାରର ମୁଖିଆ ଵା ସିଲଵରବ୍ୟାକ୍ ଆଗକୁ ଆସି ଏକ ପ୍ରକାରର ଭୟାନକ ଶବ୍ଦ କରେ ଏଵଂ ନିଜ ଛାତିକୁ ପିଟେ।
ସାଵେଜ୍ଙ୍କ ଏହି ଛାତି ପିଟିଵାର ଵର୍ଣ୍ଣନା ହିଁ ଗରିଲାଙ୍କର ସବୁଠାରୁ ବଡ଼ ସଙ୍କେତ ଭାବେ ପରିଚିତ ହେଲା। ଏହି ଆଵିଷ୍କାର ଫଳରେ ୟୁରୋପ ଓ ଆମେରିକାର ସଂଗ୍ରହାଳୟଗୁଡ଼ିକ ଗରିଲାଙ୍କ ଅଵଶେଷ ପାଇଵା ପାଇଁ ପାଗଳ ହୋଇଉଠିଲେ। ଥୋମାସ୍ ସାଵେଜ୍ଙ୍କ ଏହି ସାହସିକ ପଦକ୍ଷେପ ଏଵଂ ୱାଇମ୍ୟାନ୍ଙ୍କ ଵୈଜ୍ଞାନିକ ଵିଶ୍ଳେଷଣ ହିଁ ପ୍ରମାଣ କଲା ଯେ, ହାନୋଙ୍କ 'Gorillai' ଏକ ରୂପକଥା ନଥିଲା ଵରଂ ଏହା ଥିଲା ପ୍ରକୃତିର ଏକ ଅଦ୍ଭୁତ କୃତି ଯାହା ହଜାର ହଜାର ଵର୍ଷ ଧରି ମଣିଷ ଆଖିରୁ ଲୁଚି ରହିଥିଲା। ଏହିଠାରୁ ହିଁ ଆରମ୍ଭ ହେଲା ଗରିଲାଙ୍କୁ ନେଇ ଆଧୁନିକ ଅନ୍ୱେଷଣର ଏକ ନୂଆ ଯୁଗ ।
ଥୋମାସ୍ ସାଵେଜ୍ ଓ ଜେଫ୍ରିସ୍ ୱାଇମ୍ୟାନ୍ଙ୍କ ଵୈଜ୍ଞାନିକ ଘୋଷଣା ପରେ ଗରିଲା ଶବ୍ଦଟି ଵିଜ୍ଞାନ ପୁସ୍ତକରେ ସିନା ସ୍ଥାନ ପାଇଗଲା କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଏହା ଏବେ ମଧ୍ୟ ଏକ ରହସ୍ୟମୟ କାହାଣୀ ହୋଇ ରହିଥିଲା। କେହି ଜଣେ ହେଲେ ବି ଶ୍ୱେତକାୟ ଵ୍ୟକ୍ତି ଜୀଵନ୍ତ ଗରିଲାକୁ ଜଙ୍ଗଲରେ ଦେଖିନଥିଲେ କିମ୍ଵା ତାର ସ୍ୱଭାଵ ଵିଷୟରେ ଵାସ୍ତଵିକ ତଥ୍ୟ ଦେଇପାରୁନଥିଲେ। ଏହି ଶୂନ୍ୟସ୍ଥାନକୁ ପୂରଣ କରିଵା ପାଇଁ ଇତିହାସର ରଙ୍ଗମଞ୍ଚରେ ଜଣେ ସାହସୀ ଏଵଂ ଵିଵାଦୀୟ ଚରିତ୍ରଙ୍କ ପ୍ରବେଶ ଘଟିଲା ଏଵଂ ସିଏ ଫରାସୀ-ଆମେରିକୀୟ ଅନ୍ୱେଷଣକାରୀ Paul Du Chaillu ଅଟନ୍ତି।
୧୮୫୦ ଦଶକର କଥା। ପଲ୍ ଡୁ ଚାଇଲୁ ନିଜର ଏକ ସ୍ୱପ୍ନକୁ ପିଛା କରି ଆଫ୍ରିକାର ପଶ୍ଚିମ ଉପକୂଳରେ ପହଞ୍ଚିଲେ। ସେତେବେଳେ ଆଫ୍ରିକାର ଆଭ୍ୟନ୍ତର ଭାଗ ଏତେ ଘଞ୍ଚ ଏଵଂ ଵିପଦପୂର୍ଣ୍ଣ ଥିଲା ଯେ, ବଡ଼ ବଡ଼ ସୈନ୍ୟଵାହିନୀ ମଧ୍ୟ ସେଠାକୁ ଯିଵାକୁ ଡରୁଥିଲେ। କିନ୍ତୁ ଡୁ ଚାଇଲୁ ଜଣେ ଜିଦ୍ଖୋର ଵ୍ୟକ୍ତି ଥିଲେ। ସେ ୧୮୫୬ ମସିହାରୁ ୧୮୫୯ ମସିହା ମଧ୍ୟରେ କେଵଳ ସ୍ଥାନୀୟ ଗୋଷ୍ଠୀଙ୍କ ସାହାଯ୍ୟରେ ଗାବନ୍ ଓ ଇକ୍ୱେଟୋରିଆଲ୍ ଗୁଏନିଆର ସେହି ଦୁର୍ଗମ ଅଞ୍ଚଳରେ ପ୍ରାୟ ୮,୦୦୦ ମାଇଲ୍ ପଦଯାତ୍ରା କରିଥିଲେ।
ସେ ଥିଲେ ପ୍ରଥମ ୟୁରୋପୀୟ, ଯିଏ ଗରିଲାମାନଙ୍କୁ ସେମାନଙ୍କର ପ୍ରାକୃତିକ ପରିଵେଶରେ ଜୀଵନ୍ତ ଅଵସ୍ଥାରେ ଦେଖିଵାର ସୁଯୋଗ ପାଇଥିଲେ। ସେ ଯେତେବେଳେ ପ୍ରଥମ ଥର ଗୋଟିଏ ଵିଶାଳକାୟ ଗରିଲାକୁ ସାମ୍ନାସାମ୍ନି ଦେଖିଲେ, ତାଙ୍କର ହୃଦସ୍ପନ୍ଦନ ବଢ଼ିଯାଇଥିଲା। ପଲ୍ ଡୁ ଚାଇଲୁ ତାଙ୍କ ଡାଏରୀରେ ଲେଖିଥିଲେ ଯେ, ସେ ପ୍ରକୃତରେ ଜଣେ "କିମ୍ଵଦନ୍ତୀର ଦୈତ୍ୟ" ଵା 'ନର୍କର ପଶୁ'କୁ ଦେଖୁଛନ୍ତି। ତାଙ୍କ ଵର୍ଣ୍ଣନାରେ ଗରିଲାମାନେ ଥିଲେ ଅତ୍ୟନ୍ତ ଭୟଙ୍କର ଏଵଂ ଶକ୍ତିଶାଳୀ। ପଲ୍ ଡୁ ଚାଇଲୁଙ୍କ ଲେଖାଗୁଡ଼ିକ ଅତ୍ୟନ୍ତ ନାଟକୀୟ ଏଵଂ ରୋମାଞ୍ଚକର ଥିଲା । ସେ ଵର୍ଣ୍ଣନା କରିଥିଲେ ଯେ, ଯେତେବେଳେ ଜଣେ ଶିକାରୀ ଜଙ୍ଗଲ ଭିତରକୁ ପ୍ରଵେଶ କରେ, ଗରିଲାମାନେ ହଠାତ୍ ଅଦୃଶ୍ୟ ହୋଇଯାନ୍ତି ନାହିଁ। ଦଳର ନେତା,ସବୁଠାରୁ ବଡ଼ ସିଲଵରବ୍ୟାକ୍ ଗରିଲା ସେନାପତି ପରି ସାମ୍ନାକୁ ଆସି ଛିଡ଼ା ହୋଇଯାଏ। ପଲ୍ ଡୁ ଚାଇଲୁ ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ଵିଶ୍ୱକୁ ଜଣାଇଲେ ଯେ, ଗରିଲାମାନେ କ୍ରୋଧିତ ହେଲେ କିମ୍ଵା ନିଜର ପ୍ରଭୁତ୍ୱ ଦେଖାଇଲେ ଦୁଇ ଗୋଡ଼ରେ ଛିଡ଼ା ହୋଇଯାନ୍ତି ଏଵଂ ନିଜର ଶକ୍ତିଶାଳୀ ହାତରେ ଛାତିକୁ ପିଟି ଏକ ଭୟଙ୍କର ଗର୍ଜନ କରନ୍ତି।
ପଲ୍ ଡୁ ଚାଇଲୁ ଲେଖିଥିଲେ, "ସେହି ଛାତି ପିଟିଵାର ଶବ୍ଦ କୌଣସି ଯୁଦ୍ଧ ବାଜାଠାରୁ କମ୍ ନୁହେଁ। ତାହା ଶୁଣିଲେ ମନେହୁଏ ଯେମିତି କେହି ଜଣେ ଵିଶାଳକାୟ ଢୋଲ ବଜାଉଛି।" ପଲ୍ ଡୁ ଚାଇଲୁଙ୍କର ଏହି ଗୋଟିଏ ଵର୍ଣ୍ଣନା ସାରା ଵିଶ୍ୱରେ ଗରିଲାଙ୍କ ପ୍ରତି ଥିଵା ଦୃଷ୍ଟିକୋଣକୁ ଭୟ ଓ କୌତୂହଳରେ ଭରିଦେଲା। ଲୋକମାନେ ଗରିଲାକୁ ଏକ ଶାନ୍ତ ପଶୁ ଭାବେ ନୁହେଁ ଵରଂ ଜଙ୍ଗଲର 'ଅପରାଜେୟ ଯୋଦ୍ଧା' ଭାବେ ମନେ କରିଵାକୁ ଲାଗିଲେ।
୧୮୬୧ ମସିହାରେ ଯେତେବେଳେ ଡୁ ଚାଇଲୁ ଆଫ୍ରିକାରୁ ଫେରିଲେ ସେତେବେଳେ ସେ ନିଜ ସାଙ୍ଗରେ କିଛି ମୃତ ଗରିଲାଙ୍କ ସଂରକ୍ଷିତ ଶରୀର ଓ ଖପୁରୀ ନେଇ ଆସିଥିଲେ। ସେ ଲଣ୍ଡନରେ ଏକ ଵିଶାଳ ପ୍ରଦର୍ଶନୀର ଆୟୋଜନ କଲେ। ହଜାର ହଜାର ଲୋକ ଏହି ଅଦ୍ଭୁତ 'ଵନ୍ୟ ମଣିଷ'କୁ ଦେଖିଵା ପାଇଁ ଭିଡ଼ ଜମାଇଲେ। ସେହି ସମୟର ପ୍ରଖ୍ୟାତ ଵୈଜ୍ଞାନିକମାନେ ମଧ୍ୟ ପଲ୍ ଡୁ ଚାଇଲୁଙ୍କ ତଥ୍ୟକୁ ନେଇ ଦୁଇ ଭାଗରେ ଵିଭକ୍ତ ହୋଇଗଲେ।
କିଛି ଲୋକ ଭାବୁଥିଲେ ପଲ୍ ଡୁ ଚାଇଲୁ ଜଣେ ମିଛୁଆ ଏଵଂ ସେ ନିଜର ବହି ବିକ୍ରି କରିଵା ପାଇଁ ଗରିଲାଙ୍କୁ ଅତିରଞ୍ଜିତ ଭାବେ ରାକ୍ଷସ ପରି ଵର୍ଣ୍ଣନା କରୁଛନ୍ତି। ଵିଶେଷ କରି ତତ୍କାଳୀନ ଵିଜ୍ଞାନୀ ରିଚାର୍ଡ ଓୱେନ୍ ତଥା ଥୋମାସ୍ ହକ୍ସଲେଙ୍କ ମଧ୍ୟରେ ଗରିଲା ଓ ମଣିଷର ମସ୍ତିଷ୍କର ସମାନତାକୁ ନେଇ ଏକ ବଡ଼ ଵିତର୍କ ଆରମ୍ଭ ହେଲା। କିନ୍ତୁ ପଲ୍ ଡୁ ଚାଇଲୁଙ୍କ ପୁସ୍ତକ 'Explorations and Adventures in Equatorial Africa' ସେତେବେଳର ସବୁଠାରୁ ବଡ଼ 'bestseller' ପାଲଟିଗଲା।
ଗୁମ୍ଫାରେ ରହୁଥିଵା ଦୈତ୍ୟ, ଛାତି ପିଟିଵା ଏଵଂ ଅତ୍ୟଧିକ ବଳ ଇତ୍ୟାଦି ପଲ୍ ଡୁ ଚାଇଲୁଙ୍କର ଗରିଲା ସମ୍ବନ୍ଧୀୟ ଭୟଙ୍କର ଵର୍ଣ୍ଣନାମାନ ପରଵର୍ତ୍ତୀ ସମୟରେ ପାଶ୍ଚାତ୍ୟ ପପୁଲାର୍ କଲ୍ଚର୍କୁ ବହୁତ ପ୍ରଭାଵିତ କଲା। ୧୯୩୩ ମସିହାରେ ଯେତେବେଳେ ପ୍ରସିଦ୍ଧ ଚଳଚ୍ଚିତ୍ର King Kong ନିର୍ମାଣ ହେଲା ସେତେବେଳେ ସେଥିରେ ଥିଵା ଗରିଲା ଚରିତ୍ରଟି ସମ୍ପୂର୍ଣ୍ଣ ଭାବେ ଡୁ ଚାଇଲୁଙ୍କ ଵର୍ଣ୍ଣନା ଉପରେ ଆଧାରିତ ଥିଲା। ଏକ ଭୟଙ୍କର, ନିୟନ୍ତ୍ରଣହୀନ ଓ ପରାକ୍ରମୀ ଗରିଲା, ଯିଏ ନିଜର ଶକ୍ତି ବଳରେ ସହରକୁ ଥରାଇ ଦିଏ।
ଯଦ୍ୟପି ପଲ୍ ଡୁ ଚାଇଲୁ ଗରିଲାଙ୍କୁ ଏକ 'ହିଂସ୍ର ପ୍ରାଣୀ' ଭାବେ ଚିତ୍ରଣ କରିଥିଲେ, ତଥାପି ତାଙ୍କର ଅଵଦାନକୁ ଅସ୍ୱୀକାର କରାଯାଇପାରିଵ ନାହିଁ। ସେ ହିଁ ପ୍ରଥମ ଵ୍ୟକ୍ତି ଥିଲେ ଯିଏ ପୃଥିଵୀକୁ ଜଣାଇଲେ ଯେ, ଗରିଲାମାନେ କୌଣସି କାହାଣୀ ଵର୍ଣ୍ଣିତ କାଳ୍ପନିକ ଜୀଵ ନୁହେଁ ଵରଂ ସେମାନେ ରକ୍ତ ମାଂସରେ ଗଢ଼ା ଵାସ୍ତଵିକ ଜୀଵ। ଗରିଲାମାନଙ୍କୁ ଦେଖିଵା ପାଇଁ ଏଵଂ ସେମାନଙ୍କ ସହ ସମୟ ଵିତାଇଵା ପାଇଁ ପଲ୍ ଡୁ ଚାଇଲୁ ଯେଉଁ ସାହସ ଦେଖାଇଲେ ତାହା ହିଁ ଭଵିଷ୍ୟତର Field Biology ପାଇଁ ନୂତନ ଦିଗନ୍ତ ଖୋଲିଦେଲା। ତାଙ୍କ ପରେ ହିଁ ମଣିଷ ଗରିଲାଙ୍କ ସମ୍ପର୍କରେ ଆହୁରି ଗଭୀରକୁ ଯିଵାକୁ ଚେଷ୍ଟା କଲା ଏଵଂ ଜାଣିଵାକୁ ପାଇଲା ଯେ, ବାହାରକୁ ଦୈତ୍ୟ ପରି ଦେଖାଯାଉଥିଵା ଏହି ଜୀଵଟି ପ୍ରକୃତରେ ଭିତରୁ କେତେ କୋମଳ ଓ ଶାନ୍ତ ଅଟେ।
ପଲ୍ ଡୁ ଚାଇଲୁଙ୍କ ସେହି ରୋମାଞ୍ଚକର ଏଵଂ କିଛି ମାତ୍ରାରେ ଭୟଙ୍କର ଵର୍ଣ୍ଣନା ପରେ, ଵିଶ୍ୱଵାସୀ ଭାବିଥିଲେ ଯେ ସେମାନେ ଗରିଲାଙ୍କ ଵିଷୟରେ ସବୁକିଛି ଜାଣିସାରିଛନ୍ତି। ୧୯ଶ ଶତାବ୍ଦୀର ଶେଷ ସୁଦ୍ଧା ପଶ୍ଚିମ ଆଫ୍ରିକାର ନିମ୍ନ ସମତଳ ଅଞ୍ଚଳରେ ରହୁଥିଵା "Western Lowland Gorilla" ଵୈଜ୍ଞାନିକ ମାନଚିତ୍ରରେ ନିଜର ସ୍ଥାନ ପକ୍କା କରିସାରିଥିଲେ। କିନ୍ତୁ ପ୍ରକୃତିର ଗର୍ଭରେ ଆଉ ଏକ ବଡ଼ ରହସ୍ୟ ଲୁଚି ରହିଥିଲା, ଯାହା ଵିଷୟରେ କୌଣସି ୟୁରୋପୀୟ ଅନ୍ୱେଷଣକାରୀ କଳ୍ପନା ସୁଦ୍ଧା କରିନଥିଲେ। ଏହି ରହସ୍ୟ ଥିଲା ଆଫ୍ରିକାର ପୂର୍ଵ ଭାଗରେ, ବାଦଲଘେରା ଉଚ୍ଚ ପର୍ଵତମାଳାର ଶିଖରରେ ଵାସ କରୁଥିଵା ଏକ ସମ୍ପୂର୍ଣ୍ଣ ଭିନ୍ନ ଜାତିର ଗରିଲା। ଏହି ନୂତନ ଅଧ୍ୟାୟର ଆରମ୍ଭ ହେଲା ୨୦ଶ ଶତାବ୍ଦୀର ପ୍ରାରମ୍ଭରେ, ଯେତେବେଳେ ଜଣେ ଜର୍ମାନ ଅଫିସରଙ୍କ ସାହସିକ ଯାତ୍ରା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ିଲା।
୧୯୦୨ ମସିହାର କଥା। ସେତେବେଳେ ପୂର୍ଵ ଆଫ୍ରିକାର କିଛି ଅଞ୍ଚଳ ଜର୍ମାନୀର ଉପନିଵେଶ ଥିଲା। ଜର୍ମାନ ସେନାଵାହିନୀର ଜଣେ ଦକ୍ଷ ଅଫିସର କ୍ୟାପଟେନ Robert von Beringe ରୁଆଣ୍ଡା ଓ କଙ୍ଗୋ ସୀମାରେ ଥିଵା ଭିରୁଙ୍ଗା ପର୍ଵତମାଳାର ସୀମା ନିର୍ଦ୍ଧାରଣ ଏଵଂ ଅନୁସନ୍ଧାନ ପାଇଁ ଏକ ଅଭିଯାନରେ ଵାହାରିଥିଲେ। ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ପ୍ରାୟ ୧୦,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଥିଲା ଏଵଂ ପ୍ରାୟ ସବୁ ସମୟରେ ଘଞ୍ଚ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହୁଥିଲା।
ଅକ୍ଟୋବର ୧୭ ତାରିଖରେ ବେରିଞ୍ଜେ ଏଵଂ ତାଙ୍କର ସହଯୋଗୀମାନେ Mount Sabinyo ଆରୋହଣ କରୁଥିଲେ। ସେମାନେ ନିଜର ଶିବିର ସ୍ଥାପନ କରିଵା ପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଵା ବେଳେ ହଠାତ୍ ସେମାନଙ୍କର ସାମ୍ନା ହେଲା କିଛି ଅଦ୍ଭୁତ ଜୀଵଙ୍କ ସହ। ସେମାନେ ଥିଲେ ଵିଶାଳକାୟ, ସର୍ଵଶରୀର କଳା ଏଵଂ ଲମ୍ଵା ଲୋମରେ ଆଚ୍ଛାଦିତ। ଏହି ଜୀଵମାନେ ପଶ୍ଚିମ ଆଫ୍ରିକାରେ ଦେଖାଯାଉଥିଵା ଗରିଲାଙ୍କ ଅପେକ୍ଷା ଆକାରରେ ବଡ଼ ଏଵଂ ସେମାନଙ୍କ ଶରୀରରେ ଥିଵା କଳା ଲୋମ ଅଧିକ ଘଞ୍ଚ ଥିଲା।
ବେରିଞ୍ଜେ ପ୍ରଥମେ ଭାବିଥିଲେ ସେଗୁଡ଼ିକ କୌଣସି ଵନ୍ୟ ମଣିଷ ଵା ଅସୁର। କିନ୍ତୁ ସେମାନଙ୍କ ଗତିଵିଧି ଦେଖି ସେ ବୁଝିପାରିଲେ ଯେ ସେମାନେ ଗରିଲା ଜାତିର। ତଥାପି ଏକ ବଡ଼ ପ୍ରଶ୍ନ ଜାତ ହେଲା— ଏତେ ଉଚ୍ଚତାରେ ଏଵଂ ଅତ୍ୟଧିକ ଶୀତ ମଧ୍ୟରେ ଗରିଲାମାନେ କିପରି ବଞ୍ଚିଛନ୍ତି? ବେରିଞ୍ଜେ ସେହି ଦଳ ମଧ୍ୟରୁ ଦୁଇଟି ଵିଶାଳକାୟ ପ୍ରାଣୀଙ୍କୁ ଶିକାର କଲେ ଏଵଂ ସେମାନଙ୍କର ଶରୀରକୁ ପରୀକ୍ଷା ପାଇଁ ବର୍ଲିନ୍ ପଠାଇଲେ।
ଯେତେବେଳେ ଵର୍ଲିନ୍ର ପ୍ରାଣୀଵିଜ୍ଞାନୀମାନେ ଏହି ଅଵଶେଷଗୁଡ଼ିକ ପାଇଲେ, ସେମାନେ ସ୍ତମ୍ଭୀଭୂତ ହୋଇଗଲେ। ଏହି ନୂତନ ପ୍ରାଣୀର ଖପୁରୀ, ଦାନ୍ତ ଓ ଶରୀରର ଲୋମ ପୂର୍ଵରୁ ଜଣାଥିଵା ଗରିଲାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ୧୯୦୩ ମସିହାରେ ଵୈଜ୍ଞାନିକ Paul Matschie ଏହି ନୂତନ ଗରିଲା ଜାତିର ଆନୁଷ୍ଠାନିକ ନାମକରଣ କଲେ। ଏହାର ଆଵିଷ୍କାରକଙ୍କ ସମ୍ମାନାର୍ଥେ ଏହାର ଵୈଜ୍ଞାନିକ ନାମ ରଖାଗଲା— Gorilla beringei beringei। ଏହି ଆଵିଷ୍କାର ପରେ ଦୁନିଆ ଜାଣିଵାକୁ ପାଇଲା ଯେ ଗରିଲାମାନେ କେଵଳ କ୍ରାନ୍ତିଵୃତ୍ତରେ ଥିଵା ଜଙ୍ଗଲରେ ନୁହେଁ ଵରଂ ବରଫ ପଡ଼ୁଥିଵା ଶୀତଳ ପାହାଡ଼ ଉପରେ ମଧ୍ୟ ଵାସ କରି ପାରନ୍ତି।
୧୬୦୦ ଶତାବ୍ଦୀରୁ ୧୯୦୦ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ, ଗରିଲାଙ୍କ ପ୍ରତି ମାନଵଜାତିର ଦୃଷ୍ଟିକୋଣ କେଵଳ ଦୁଇଟି ଦିଗରେ ସୀମିତ ଥିଲା— ପ୍ରଥମଟି ଥିଲା "ଭୟ" ଏଵଂ ଦ୍ୱିତୀୟଟି "ଶିକାର"। ପଲ୍ ଡୁ ଚାଇଲୁଙ୍କ ପରି ଅନ୍ୱେଷଣକାରୀମାନେ ସେମାନଙ୍କୁ ନରହନ୍ତା ରାକ୍ଷସ ଭାବେ ଚିତ୍ରଣ କରିଥିଵା ବେଳେ, ଵିଶ୍ୱର ବଡ଼ ବଡ଼ ସଂଗ୍ରହାଳୟଗୁଡ଼ିକ କେଵଳ ସେମାନଙ୍କର ଖପୁରୀ ଏଵଂ ଚମଡ଼ା ସଂଗ୍ରହ କରିଵାରେ ଵ୍ୟସ୍ତ ଥିଲେ। କିନ୍ତୁ ୧୯୫୦ ଦଶକର ଶେଷ ଭାଗରେ ଜଣେ ଯୁଵକଙ୍କ ପ୍ରଵେଶ ଘଟିଲା, ଯିଏ ଵନ୍ଧୁକ ବଦଳରେ ଦୂରଵୀକ୍ଷଣ ଯନ୍ତ୍ର ଏଵଂ ନୋଟ୍ବୁକ୍ ଧରି ଜଙ୍ଗଲକୁ ଗଲେ। ସେ ହେଉଛନ୍ତି ଵିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଵନ୍ୟପ୍ରାଣୀ ଜୀଵଵିଜ୍ଞାନୀ George Schaller।
୧୯୫୯ ମସିହା। ସେତେବେଳେ ଵୈଜ୍ଞାନିକମାନେ ଲ୍ୟାବ୍ ଭିତରେ ବସି ପରୀକ୍ଷା କରିଵାକୁ ଅଧିକ ପସନ୍ଦ କରୁଥିଲେ। କିନ୍ତୁ ଜର୍ଜ ଶାଲର୍ଙ୍କ ଚିନ୍ତାଧାରା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ସେ ଅନୁଭଵ କଲେ ଯେ, ଯଦି ଆମକୁ ଏହି ପ୍ରାଣୀଙ୍କ ଵିଷୟରେ ଜାଣିଵାକୁ ହେଵ, ତେବେ ସେମାନଙ୍କୁ ମାରିଵା ବଦଳରେ ସେମାନଙ୍କ ସହ ସମୟ ବିତାଇଵାକୁ ପଡ଼ିଵ। ସେ ମାତ୍ର ୨୬ ଵର୍ଷ ଵୟସରେ ନିଜ ପତ୍ନୀ 'Kay'ଙ୍କ ସହ ଆଫ୍ରିକାର କଙ୍ଗୋ ଏଵଂ ରୁଆଣ୍ଡାର ସେହି ଦୁର୍ଗମ ପର୍ଵତ ଶିଖରରେ ପହଞ୍ଚିଲେ ଯେଉଁଠାରେ ବେରିଞ୍ଜେ ପ୍ରଥମେ ପାର୍ଵତ୍ୟ ଗରିଲାଙ୍କୁ ଦେଖିଥିଲେ।
ଶାଲର୍ ପ୍ରାୟ ଦୁଇ ଵର୍ଷ କାଳ ସେହି ବାଦଲଘେରା ଜଙ୍ଗଲରେ ଗରିଲାଙ୍କ ସହ ରହିଲେ। ସେ ହେଉଛନ୍ତି ପ୍ରଥମ ଵ୍ୟକ୍ତି, ଯିଏ କୌଣସି ଅସ୍ତ୍ରଶସ୍ତ୍ର ନନେଇ ସେମାନଙ୍କ ଅତି ନିକଟକୁ ଯିଵାର ସାହସ କରିଥିଲେ। ତାଙ୍କର ଧୈର୍ଯ୍ୟ ଏତେ ଥିଲା ଯେ, ସେ ଘଣ୍ଟା ଘଣ୍ଟା ଧରି ଗୋଟିଏ ଗଛ ମୂଳେ ବସି ରହୁଥିଲେ ଯେପର୍ଯ୍ୟନ୍ତ ଗରିଲାମାନେ ତାଙ୍କୁ ସେମାନଙ୍କର ଏକ ଅଂଶ ଭାବେ ଗ୍ରହଣ ନକରିଛନ୍ତି।
ଜର୍ଜ ଶାଲର୍ଙ୍କ ଗଵେଷଣା ହିଁ ସେହି ମିଥ୍ୟା କାହାଣୀର ଅନ୍ତ ଘଟାଇଲା, ଯାହା ଗରିଲାଙ୍କୁ "ହିଂସ୍ର ନରଭକ୍ଷୀ" ବୋଲି କହୁଥିଲା। ସେ ନିଜର ପର୍ଯ୍ୟଵେକ୍ଷଣରୁ ଦର୍ଶାଇଲେ ଯେ ଗରିଲାମାନେ ଶାକାହାରୀ ଅର୍ଥାତ୍ ସେମାନେ ମାଂସ ଖାଆନ୍ତି ନାହିଁ। ଵରଂ ଗରିଲାମାନେ ବାଉଁଶ ଗଜା, ଜଙ୍ଗଲୀ ଫଳ ଏଵଂ ସେଲାରି ଖାଇ ବଞ୍ଚନ୍ତି। ସେମାନେ ଅତ୍ୟନ୍ତ ସନ୍ତୁଳିତ ଏଵଂ ଶାନ୍ତ ଜୀଵନ ବିତାନ୍ତି। ଆଜି ଆମେ ଜାଣନ୍ତି ଯେ ଗରିଲା ଜୀଵିତ ମହାଵାନରମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଉଦ୍ଭିଦନିର୍ଭର ଖାଦ୍ୟାଭ୍ୟାସ ଥିଵା ଏକ ପ୍ରାଇମେଟ୍ ଜାତି । ପୁଣି ଶାଲର୍ ଦେଖିଲେ ଯେ, ଗରିଲାମାନେ ଅକାରଣରେ କାହାକୁ ଆକ୍ରମଣ କରନ୍ତି ନାହିଁ। ଯଦିଓ ସେମାନଙ୍କ ପାଖରେ ଅପାର ଶକ୍ତି ରହିଛି, ତଥାପି ସେମାନେ ସେହି ଶକ୍ତିର ଵ୍ୟଵହାର କେଵଳ ଆତ୍ମରକ୍ଷା ପାଇଁ କରନ୍ତି। ସେ ଗରିଲାଙ୍କ ମଧ୍ୟରେ ଥିଵା ସାମାଜିକ ସମ୍ପର୍କକୁ ଅତି ସୂକ୍ଷ୍ମ ଭାବେ ଵର୍ଣ୍ଣନା କଲେ। ସେ ଦେଖିଲେ କିପରି ଏକ ଶକ୍ତିଶାଳୀ 'ସିଲଭରବ୍ୟାକ୍' ଛୋଟ ପିଲାଙ୍କ ସହ ଖେଳୁଛି ଏଵଂ ସେମାନଙ୍କୁ ସୁରକ୍ଷା ଦେଉଛି।
୧୯୬୩ ମସିହାରେ ଜର୍ଜ ଶାଲର୍ ତାଙ୍କର ପ୍ରସିଦ୍ଧ ପୁସ୍ତକ 'The Mountain Gorilla: Ecology and Behavior' ପ୍ରକାଶ କଲେ। ଏହି ବହିଟି ଵିଶ୍ୱର ଵୈଜ୍ଞାନିକ ସମ୍ପ୍ରଦାୟକୁ ଚମକାଇ ଦେଲା। ସେ ପ୍ରଥମ ଥର ପାଇଁ 'ଫେସିଆଲ୍ ମାର୍କିଂ' ଵା ଗରିଲାଙ୍କ ନାକର ଗଠନ (Nose prints) ମାଧ୍ୟମରେ ସେମାନଙ୍କୁ ଚିହ୍ନିଵାର ପ୍ରକ୍ରିୟା ଆରମ୍ଭ କରିଥିଲେ। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ହିଁ ମଣିଷ ବୁଝିପାରିଲା ଯେ, ଗରିଲାମାନେ ହେଉଛନ୍ତି ଆମର ସବୁଠାରୁ ନିକଟତର ଜୈଵିକ ସମ୍ପର୍କୀୟ, ଯେଉଁମାନେ ଆମ ପରି ଭାଵନା ଓ ପ୍ରେମ ବୁଝିପାରନ୍ତି।
ଜର୍ଜ ଶାଲର୍ କେଵଳ ଜଣେ ଵୈଜ୍ଞାନିକ ନଥିଲେ, ସେ ଥିଲେ ଜଣେ ମାନଵଵାଦୀ ପରିଵେଶଵିତ୍। ସେ ଚେତାଵନୀ ଦେଇଥିଲେ, ଯଦି ଗରିଲାମାନଙ୍କ ଵାସସ୍ଥାନକୁ ସୁରକ୍ଷା ଦିଆନଯାଏ, ତେବେ ଖୁବ୍ ଶୀଘ୍ର ପୃଥିଵୀରୁ ଏହି ପ୍ରାଣୀ ଲୋପ ପାଇଯିବେ।
କିନ୍ତୁ ଗରିଲାଙ୍କ ପ୍ରତି ମଣିଷର ଦୃଷ୍ଟିକୋଣ ବଦଳାଇଵାରେ ଆଉ ଜଣେ ମହୀୟସୀ ମହିଳାଙ୍କ ଅଵଦାନ ମଧ୍ୟ ଅତୁଳନୀୟ, ସେ ହେଉଛନ୍ତି Dian Fossey । Dianଙ୍କ ଜୀଵନର କାହାଣୀ କୌଣସି ରୋମାଞ୍ଚକର ଉପନ୍ୟାସଠାରୁ କମ୍ ନୁହେଁ। ଏହା ଏକ ଏମିତି ନାରୀର କାହାଣୀ, ଯିଏ ସଭ୍ୟ ସମାଜର କୋଳାହଳ ଛାଡ଼ି ଆଫ୍ରିକାର ଘଞ୍ଚ କୁହୁଡ଼ିଘେରା ପର୍ଵତମାଳାକୁ ନିଜର ଆସ୍ଥାନ କରିଥିଲେ।
୧୯୩୨ ମସିହାରେ ଆମେରିକାରେ ଜନ୍ମିତ Dian ପେଶାରେ ଜଣେ ଅକ୍ୟୁପେସନାଲ୍ ଥେରାପିଷ୍ଟ ଥିଲେ। କିନ୍ତୁ ତାଙ୍କ ମନ ସବୁବେଳେ ପ୍ରକୃତି ଓ ଵନ୍ୟଜନ୍ତୁଙ୍କ ପାଇଁ ଵ୍ୟାକୁଳ ହେଉଥିଲା। ୧୯୬୩ ମସିହାରେ ସେ ନିଜର ସମସ୍ତ ସଞ୍ଚିତ ପୁଞ୍ଜି ଲଗାଇ ଏକ ଶିକ୍ଷାଗତ ଭ୍ରମଣରେ ଆଫ୍ରିକା ଯାଇଥିଲେ। ସେଠାରେ ତାଙ୍କର ଭେଟ ହୋଇଥିଲା ପ୍ରଖ୍ୟାତ ମାନଵତତ୍ତ୍ୱଵିତ୍ ଲୁଇସ୍ ଲିକିଙ୍କ ସହ। ଲୁଇସ୍ ଚାହୁଁଥିଲେ ଜଣେ ଏମିତି ଵ୍ୟକ୍ତିଙ୍କୁ ଯିଏ ଦୀର୍ଘ ସମୟ ଧରି ଜଙ୍ଗଲରେ ରହି ଗରିଲାଙ୍କ ଉପରେ ଗଵେଷଣା କରିପାରିବେ। ଡାଏନ୍ଙ୍କ ଭିତରେ ଥିଵା ସେହି ଦୃଢ଼ ଇଚ୍ଛାଶକ୍ତି ଦେଖି ଲୁଇସ୍ ତାଙ୍କୁ ଏହି କାମ ପାଇଁ ବାଛିଲେ।
୧୯୬୬ ମସିହାରେ ଡାଏନ୍ ଆଫ୍ରିକାର କଙ୍ଗୋ ଏଵଂ ପରେ ରୁଆଣ୍ଡାର ଭିରୁଙ୍ଗା ପର୍ଵତମାଳାରେ ପହଞ୍ଚିଲେ। ସେଠାରେ ପ୍ରାୟ ୧୦,୦୦୦ ଫୁଟ ଉଚ୍ଚତାରେ ସେ ନିଜର କ୍ୟାମ୍ପ୍ 'Karisoke' ସ୍ଥାପନ କଲେ। ସେହି ସମୟରେ ଗରିଲାମାନଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ଜୀଵ ଭାବେ ଗଣନା କରାଯାଉଥିଲା। ଶିକାରୀମାନେ ସେମାନଙ୍କୁ ଦେଖିଲେ ଗୁଳି ଚଳାଉଥିଲେ ଏଵଂ ଗରିଲାମାନେ ମଧ୍ୟ ଭୟରେ ମଣିଷଙ୍କୁ ଆକ୍ରମଣ କରୁଥିଲେ।
ଡାଏନ୍ ଅନୁଭଵ କଲେ ଯେ ଯଦି ସେ ଏହି ପ୍ରାଣୀଙ୍କ ଵିଶ୍ୱାସ ଜିତିଵାକୁ ଚାହାଁନ୍ତି, ତେବେ ତାଙ୍କୁ ସେମାନଙ୍କ ପରି ହେଵାକୁ ପଡ଼ିଵ। ସେ ଗରିଲାଙ୍କ ଭଳି ଘାସ ଚୋବାଇଵା, ସେମାନଙ୍କ ଭଳି ଶବ୍ଦ କରିଵା ଏଵଂ ନଇଁ ନଇଁ ଚାଲିଵା ଆରମ୍ଭ କଲେ। ଧୀରେ ଧୀରେ ସେହି ଵିଶାଳକାୟ ଜୀଵମାନେ ବୁଝିପାରିଲେ ଯେ ଏହି ମଣିଷ ଜଣକ ସେମାନଙ୍କର ଶତ୍ରୁ ନୁହେଁ।
ଡାଏନ୍ଙ୍କର ପ୍ରିୟ ଗରିଲା ଥିଲା 'Digit'। ତାଙ୍କ ହାତର ଏକ ଆଙ୍ଗୁଠି କଟା ଥିଵାରୁ ସେ ତାକୁ ଏହି ନାମ ଦେଇଥିଲେ। ଡିଜିଟ୍ ଓ ଡାଏନ୍ଙ୍କ ମଧ୍ୟରେ ଥିଵା ସମ୍ପର୍କ ଦେଖିଲେ ଲାଗୁଥିଲା ଯେମିତି ଦୁଇଟି ଭିନ୍ନ ଜାତିର ଜୀଵ ପରସ୍ପରର ଭାଷା ବୁଝିପାରୁଛନ୍ତି।
କିନ୍ତୁ ୧୯୭୭ ମସିହାରେ ଏକ ବଡ଼ ଦୁର୍ଘଟଣା ଘଟିଲା। ଶିକାରୀମାନେ ନିଜର ସ୍ୱାର୍ଥ ପାଇଁ ଡିଜିଟ୍କୁ ହତ୍ୟା କଲେ। ଏହି ଘଟଣା ଡାଏନ୍ଙ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା। ସେ ସେହିଦିନଠାରୁ କେଵଳ ଗଵେଷକ ନୁହେଁ, ଵରଂ ଜଣେ 'ସଂରକ୍ଷଣ ଯୋଦ୍ଧା' ଭାବେ ଉଭା ହେଲେ। ସେ ଶିକାରୀଙ୍କ ଵିରୋଧରେ ଯୁଦ୍ଧ ଘୋଷଣା କଲେ ଏଵଂ ସାରା ଵିଶ୍ୱର ଦୃଷ୍ଟି ଆକର୍ଷଣ କଲେ।
୧୯୮୩ ମସିହାରେ ସେ ନିଜର ଅନୁଭୂତିକୁ ନେଇ ପୁସ୍ତକ "Gorillas in the Mist" ଲେଖିଲେ। ଏହି ବହିଟି ପଢ଼ିଵା ପରେ ଲୋକଙ୍କ ଭିତରେ ଥିଵା 'କିଙ୍ଗ କଙ୍ଗ'ର ଭୟ ଦୂର ହେଲା। ସେ ଦୁନିଆକୁ ବୁଝାଇଲେ ଯେ ଗରିଲାମାନେ ନିଜର ଶକ୍ତି ଵ୍ୟଵହାର କେଵଳ ପରିଵାରକୁ ସୁରକ୍ଷା ଦେଵା ପାଇଁ କରନ୍ତି। ସେମାନେ ଶାକାହାରୀ ଏଵଂ ଶାନ୍ତିପ୍ରିୟ। ପରିଵାରର ମୁଖିଆ 'ସିଲଵରବ୍ୟାକ୍' ନିଜ ପିଲାମାନଙ୍କ ଯତ୍ନ କିପରି ଜଣେ ମଣିଷ ପରି ନିଅନ୍ତି।
କିନ୍ତୁ ୨୭ ଡିସେମ୍ଵର ୧୯୮୫ରେ ଡାଏନ୍ଙ୍କର ରହସ୍ୟମୟ ଭାଵେ ହତ୍ୟା କରାଗଲା। ତାଙ୍କ କ୍ୟାମ୍ପ୍ ଭିତରେ ହିଁ କେହି ଆତତାୟୀ ତାଙ୍କୁ ମାରି ଦେଇଥିଲା। ଅନେକଙ୍କ ଵିଶ୍ୱାସ ଯେ ଶିକାରୀ କିମ୍ଵା ଵନ୍ୟଜନ୍ତୁ ଚୋରା ଚାଲାଣକାରୀମାନେ ତାଙ୍କୁ ନିଜ ପଥରୁ ହଟାଇଵା ପାଇଁ ଏହି କାମ କରିଥିଲେ। ତାଙ୍କୁ ତାଙ୍କର ପ୍ରିୟ 'ଡିଜିଟ୍' ଏଵଂ ଅନ୍ୟ ଗରିଲାମାନଙ୍କ ସମାଧି ପାଖରେ ହିଁ କବର ଦିଆଗଲା। ଡାଏନ୍ ଫୋସି ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ସେ ପର୍ଵତ ଗରିଲାମାନଙ୍କୁ ଵିଲୁପ୍ତ ହେଵାରୁ ରକ୍ଷା କରିଥିଲେ। ସେ ଶିଖାଇଥିଲେ ଯେ ଯେତେବେଳେ ଆମେ ପ୍ରକୃତିର ନିକଟତର ହେଉ, ସେତେବେଳେ ଭୟ ଶେଷ ହୁଏ ଏଵଂ ଭଲପାଇଵା ଜନ୍ମ ନିଏ। ଆଜି ଆଫ୍ରିକାର ପର୍ଵତମାଳାରେ ଯେତେବେଳେ ଗୋଟିଏ ସିଲଵରବ୍ୟାକ୍ ନିଜ ପରିଵାର ସହ ଶାନ୍ତିରେ ଵସିଥାଏ, ସେଠାରେ ଡାଏନ୍ଙ୍କ ସଂଘର୍ଷର ଵିଜୟ ଦେଖିଵାକୁ ମିଳେ।
ଡାଏନ୍ ଫୋସିଙ୍କ ନିର୍ମମ ହତ୍ୟା ସାରା ଵିଶ୍ୱକୁ ସ୍ତଵ୍ଧ କରିଦେଵା ସହ ଆଫ୍ରିକାର ସୀମା ଡେଇଁ ପରିଵେଶ ସଂରକ୍ଷଣର ଏକ ନୂଆ ଵିପ୍ଳଵ ସୃଷ୍ଟି କଲା। ତାଙ୍କ ଦ୍ୱାରା ପ୍ରତିଷ୍ଠିତ 'ଡିଜିଟ୍ ଫଣ୍ଡ' ପରଵର୍ତ୍ତୀ ସମୟରେ 'ଡାଏନ୍ ଫୋସି ଗରିଲା ଫଣ୍ଡ'ରେ ରୂପାନ୍ତରିତ ହୋଇ ପାର୍ତ୍ୟଵ ଗରିଲାଙ୍କ ସୁରକ୍ଷାର ମୁଖ୍ୟ ଆଧାର ସାଜିଲା।
ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ ନକରି ଏଵଂ ନିଜ ସହିତ ନଯୋଡ଼ି ଗରିଲାମାନଙ୍କର ସଂରକ୍ଷଣ ଅସମ୍ଭଵ ବୋଲି ଅନୁଭଵ କରିଵା ପରେ, ପୂର୍ତଵନ ଶିକାରୀମାନଙ୍କୁ ପର୍ଯ୍ୟଟନ ମାର୍ଗଦର୍ଶକ ଵା ଜଙ୍ଗଲ ଗାଇଡ୍ ଓ ପାଟ୍ରୋଲିଂ ଗାର୍ଡ ଭାବେ ନିଯୁକ୍ତି ଦିଆଗଲା।
ଗରିଲା ଦର୍ଶନ ପାଇଁ ସୀମିତ ଓ ନିୟନ୍ତ୍ରିତ ଇକୋ-ଟୁରିଜମ୍ ଚାଲୁ କରାଗଲା। ଏଥିରୁ ମିଳୁଥିଵା ରାଜସ୍ୱର ଏକ ବଡ଼ ଅଂଶ ଆଖପାଖ ଗ୍ରାମଗୁଡ଼ିକର ଵିକାଶ, ସ୍କୁଲ ଓ ଡାକ୍ତରଖାନା ନିର୍ମାଣରେ ଵିନିଯୋଗ ହେଲା। ରୁଆଣ୍ଡା, ଉଗାଣ୍ଡା ଓ କଙ୍ଗୋ (ଡିଆରସି) ମଧ୍ୟରେ ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଭିରୁଙ୍ଗା ଓ ବ୍ୱିଣ୍ଡି ଜଙ୍ଗଲରେ ସାମୂହିକ ଶିକାର-ଵିରୋଧୀ ପାଟ୍ରୋଲିଂ କଡ଼ାକଡ଼ି କରାଗଲା।
ଦୀର୍ଘ ଦଶନ୍ଧିର ସଂଗ୍ରାମ ପରେ ଆଜି ଗରିଲାଙ୍କ ଜନସଂଖ୍ୟାରେ କିଛିଟା ସୁଧାର ଦେଖିଵାକୁ ମିଳିଛି, କିନ୍ତୁ ସଙ୍କଟ ସମ୍ପୂର୍ଣ୍ଣ ଟଳିନାହିଁ।
ଵିଲୁପ୍ତିର ଦ୍ୱାରଦେଶରେ ପହଞ୍ଚିଥିଵା ପାର୍ତ୍ୟଵ ଗରିଲାଙ୍କ ସଂଖ୍ୟା କଠୋର ସୁରକ୍ଷା ବଳରେ ୧,୦୦୦ରୁ ଅଧିକ ହୋଇପାରିଛି। IUCN ସେମାନଙ୍କ ସ୍ଥିତିକୁ 'ଅତିସଂକଟାପନ୍ନ' ଵା Critically Endangered ଶ୍ରେଣୀରୁ ହଟାଇ 'ସଂକଟାପନ୍ନ' ଵା Endangered ଶ୍ରେଣୀକୁ ଉନ୍ନୀତ କରିଛି।
ପଶ୍ଚିମ ଓ ପୂର୍ଵ ନିମ୍ନଭୂମି ଗରିଲା ଵା Lowland Gorillas ଏବେ ବି ଗମ୍ଭୀର ସଙ୍କଟ ଦେଇ ଗତିକରୁଛନ୍ତି। ବେଆଇନ ଖନନ (ଵିଶେଷ କରି ସ୍ମାର୍ଟଫୋନ୍ ନିର୍ମାଣରେ ଵ୍ୟଵହୃତ କୋଲଟାନ୍ ଖଣି), ଜଙ୍ଗଲ କ୍ଷୟ, ଇବୋଲା ଭୂତାଣୁ ଏଵଂ ମାଂସ ପାଇଁ ଶିକାର ସେମାନଙ୍କ ଅସ୍ତିତ୍ୱ ପ୍ରତି ବଡ଼ ଆହ୍ୱାନ ହୋଇରହିଛି।
ଲକ୍ଷ ଲକ୍ଷ ଵର୍ଷ ପୂର୍ଵେ, ଆଫ୍ରିକାର ଘଞ୍ଚ ଜଙ୍ଗଲରେ ଆମର ଓ ଗରିଲାଙ୍କ ପୂର୍ଵପୁରୁଷମାନେ ଗୋଟିଏ ଵୃକ୍ଷର ଛାୟାରେ ସହାଵସ୍ଥାନ କରୁଥିଲେ। ଵିଵର୍ତ୍ତନର ଚକ୍ରରେ ମଣିଷ କଳ୍ପନା, ଭାଷା, ଉପକରଣ ଓ ପ୍ରଯୁକ୍ତିର ସାହାରା ନେଇ ଵିଶ୍ୱର ସମସ୍ତ ଜୀଵଙ୍କ ଉପରେ କ୍ଷମତା ଜାହିର କଲା; ଅନ୍ୟପଟେ ଗରିଲାମାନେ ନିଜର ପ୍ରାକୃତିକ ସରଳତା ଧରି ଜଙ୍ଗଲର ଶାନ୍ତ କୋଳରେ ରହିଗଲେ।
ଆଜି ମଣିଷ ଆସାଧାରଣ ପ୍ରଜ୍ଞା ଓ କୃତ୍ରିମ ବୁଦ୍ଧିମତ୍ତା ବଳରେ ନୂତନ ଗ୍ରହ ନକ୍ଷତ୍ର ଜୟ କରିଵାର ସ୍ୱପ୍ନ ଦେଖୁଛି, କିନ୍ତୁ ଆମର ସବୁଠାରୁ ନିକଟତର ଜୈଵିକ ଭାଇ ଗରିଲାଙ୍କ ଆୟୁଷ ଓ ଅସ୍ତିତ୍ୱ ଆଜି ସମ୍ପୂର୍ଣ୍ଣ ଭାବେ ଆମରି ହାତର ନିଷ୍ପତ୍ତି ଉପରେ ନିର୍ଭର କରେ। ଗରିଲାଙ୍କ କାହାଣୀ କେଵଳ ଏକ ଵନ୍ୟପ୍ରାଣୀର କାହାଣୀ ନୁହେଁ—ଏହା ମାନଵଜାତିର ନୈତିକତା, ଅପାର କ୍ଷମତା ଏଵଂ ପ୍ରକୃତି ସହ ଆମ ସମ୍ପର୍କର ଏକ ପ୍ରକୃତ ପ୍ରତିଫଳନ। ଯଦି ଆମେ ନିଜ ସାମ୍ରାଜ୍ୟର ଵିସ୍ତାର ଭିତରେ ସେହି ଶାନ୍ତ ଜଙ୍ଗଲୀ ଜୀଵଙ୍କୁ ରକ୍ଷା କରିଵାରେ ଵିଫଳ ହେଵା, ତେବେ ତାହା କେଵଳ ଏକ ଜୀଵଜାତିର ଵିଲୁପ୍ତି ହେଵ ନାହିଁ,ଵରଂ ନିଜର ଵିଵେକ ଏଵଂ ଅତୀତ ସହ ମାନଵସଭ୍ୟତାର ଏକ ଅପୂରଣୀୟ ଵିଚ୍ଛେଦ ହେଵ।
No comments:
Post a Comment