ଇଂଲଣ୍ଡର ରାଣୀ ଏଲିଜାବେଥ୍ ପ୍ରଥମଙ୍କ ଦ୍ୱାରା ୩୧ ଡିସେମ୍ଵର ୧୬୦୦ ରେ ରୟାଲ୍ ଚାର୍ଟର୍ ମାଧ୍ୟମରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଏହି ଚାର୍ଟର୍ କମ୍ପାନୀକୁ ପୂର୍ଵ ଦିଗରେ ଵାଣିଜ୍ୟ କରିଵାର ଏକଚାଟିଆ ଅଧିକାର ପ୍ରଦାନ କରିଥିଲା। ପ୍ରାରମ୍ଭରେ ଏହା ଏସିଆ ସହିତ ମସଲା ଵାଣିଜ୍ୟ ପାଇଁ ଗଠିତ ହୋଇଥିଲା । କିନ୍ତୁ ଅନୁମତି ମିଳିଗଲା ମାତ୍ରେ ଇଂରେଜମାନେ ଭାରତ ଚାଲି ଆସିନଥିଲେ । ସେତେବେଳେ ଭାରତକୁ ଆସିଵା ସୁରକ୍ଷା ଦୃଷ୍ଟିରୁ ସେତେ ସହଜ ନଥିଲା ।
୧୬୦୧ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ପ୍ରଥମ ମହତ୍ୱପୂର୍ଣ୍ଣ ଭ୍ରମଣ ଆରମ୍ଭ ହୋଇଥିଲା ଏଵଂ ତାହାର ନେତୃତ୍ୱ ଜେମ୍ସ୍ ଲାଙ୍କାଷ୍ଟର୍ଙ୍କ ଦ୍ୱାରା କରାଯାଇଥିଲା ଯିଏ ପରେ ସାର୍ ଉପାଧି ପାଇଥିଲେ। ଏହି ଭ୍ରମଣରେ ରେଡ୍ ଡ୍ରାଗନ୍ ନାମକ ଜାହାଜଟି ପ୍ରଧାନ ଥିଲା ପୁଣି ଏହା ଚାରିଟି ଜାହାଜର ଏକ ସମୂହର ଅଂଶ ଥିଲା ଏଵଂ ଅନ୍ୟ ତିନୋଟି ଜାହାଜ ଥିଲା ହେକ୍ଟର୍, ଆସେନ୍ସନ୍ ଓ ସୁଜାନ୍। ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଷ୍ଟ୍ ଇଣ୍ଡିଜ୍ ଅର୍ଥାତ୍ ଆଧୁନିକ ଇଣ୍ଡୋନେସିଆର ମସଲା ମିଳୁଥିଵା ଦ୍ୱୀପଗୁଡ଼ିକୁ ଯାତ୍ରା କରି ମସଲା ଵାଣିଜ୍ୟ କୋଠି ସ୍ଥାପନ କରିଵା। ଏହି ସମୟରେ ପର୍ତ୍ତୁଗୀଜମାନେ ଭାରତୀୟ ମହାସାଗରରେ ପ୍ରଵଳ ସକ୍ରିୟ ଥିଵାରୁ ଇଂରେଜମାନେ ସେମାନଙ୍କ ସହ ସିଧାସଳଖ ପ୍ରତିଯୋଗିତାରୁ ଦୂରରେ ରହିଵାକୁ ଚାହିଁ ଭାରତକୁ ଆସିପାରି ନଥିଲେ। ଇଂରେଜମାନଙ୍କର ଏହି ପ୍ରଥମ ଜାହାଜ ସମୂହ ତେଣୁ ଆଫ୍ରିକାର ଦକ୍ଷିଣସ୍ଥ ଭାଗରେ ଥିଵା ଉତ୍ତମାଶା ଅନ୍ତରୀପ(Cape of Good hope)ପାର୍ଶ୍ୱରୁ ଯାଇ ନିକୋବର୍ ଦ୍ୱୀପପୁଞ୍ଜ, ସୁମାତ୍ରାର ଆଚେହ୍ ଏଵଂ Javaର ବାଣ୍ଟମ୍ରେ ପହଞ୍ଚିଥିଲା ତଥା ସେଠାରେ ପ୍ରଥମ ଇଂରେଜ ଵାଣିଜ୍ୟ କେନ୍ଦ୍ର ସ୍ଥାପନ କରାଯାଇଥିଲା । ପରେ ମୋଲୁକ୍କାସରେ ମଧ୍ୟ ଵାଣିଜ୍ୟ ଚେଷ୍ଟା କରାଯାଇଥିଲା। ଇଂରେଜମାନଙ୍କର ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆକୁ ଏହି ପ୍ରଥମ ଯାତ୍ରା ସଫଳ ହୋଇଥିଲା ଏଵଂ ୧୬୦୩ରେ ଉକ୍ତ ଜାହାଜ ସମୂହ ଇଂଲଣ୍ଡକୁ ଫେରିଥିଲା ।
ଦ୍ୱିତୀୟ ଯାତ୍ରା ୧୬୦୪ରେ ହେନ୍ରୀ ମିଡଲଟନ୍ଙ୍କ ନେତୃତ୍ୱରେ ଏଵଂ ତୃତୀୟ ଯାତ୍ରା ୧୬୦୭ରୁ ୧୬୧୦ ପର୍ଯ୍ୟନ୍ତ ଉଇଲିୟମ୍ କିଲିଙ୍ଗ୍ଙ୍କ ନେତୃତ୍ୱରେ ହୋଇଥିଲା ଏଵଂ ଏସବୁ ଯାତ୍ରା ମୁଖ୍ୟତଃ ଇଷ୍ଟ୍ ଇଣ୍ଡିଜ୍ ଵା ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜର ମସଲା ଵାଣିଜ୍ୟ ଉପରେ କେନ୍ଦ୍ରୀଭୂତ ରହିଥିଲା। ଏହି ସମୟରେ ୧୬୦୨ରେ ଗଠିତ ହୋଇଥିଵା ଡଚ୍ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ମସଲା ଵାଣିଜ୍ୟରେ ପ୍ରବଳ ହେଵାକୁ ଲାଗିଥିଲା ଏବଂ ଡଚ୍ମାନେ ସାମରିକ ଶକ୍ତି ଵ୍ୟଵହାର କରି ଇଂରେଜମାନଙ୍କୁ ଅନେକ ସ୍ଥାନରୁ ଵିତାଡ଼ିତ କରିଥିଲେ ଯାହା ଫଳରେ ଇଂରେଜୀ କମ୍ପାନୀର ଲାଭ ହ୍ରାସ ପାଇଥିଲା। ଏହି ପ୍ରତିଯୋଗିତା ଏଵଂ ପର୍ତ୍ତୁଗୀଜଙ୍କ ସହ ସଂଘର୍ଷ ଯୋଗୁଁ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ରଣନୀତି ପରିଵର୍ତ୍ତନ କରି ମସଲା ଵାଣିଜ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଛାଡ଼ିଦେଲା ।
ନୂଆ ରଣନୀତି ରୂପେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତୀୟ ଉପମହାଦେଶରୁ କପଡ଼ା ଆଦି ଅନ୍ୟାନ୍ୟ ପଦାର୍ଥ ଆଣି ମସଲା ଉତ୍ପାଦକମାନଙ୍କୁ ବିକ୍ରି କରି ପରୋକ୍ଷ ଲାଭ କରିଵାକୁ ନିଷ୍ପତ୍ତି ନେଇଥିଲା। ଭାରତ ମୋଗଲ୍ ସାମ୍ରାଜ୍ୟର ନିୟନ୍ତ୍ରଣରେ ଥିଵାରୁ ସେଠାରେ ଵାଣିଜ୍ୟ ଅପେକ୍ଷାକୃତ ସୁରକ୍ଷିତ ଥିଲା।
ଏହି ପରିପ୍ରେକ୍ଷୀରେ ତୃତୀୟ ଯାତ୍ରାର ଅଂଶ ଭାବେ ୧୬୦୭ରେ ଆରମ୍ଭ ହୋଇଥିବା ଯାତ୍ରାରେ ହେକ୍ଟର୍ ନାମକ ଜାହାଜଟି ଉଇଲିୟମ୍ ହକିନ୍ସଙ୍କ ନେତୃତ୍ୱରେ ଗୁଜରାଟର ସୁରତ ବନ୍ଦରରେ ୧୬୦୮ ଅଗଷ୍ଟ ୨୪ ତାରିଖରେ ପହଞ୍ଚିଥିଲା । ତାହା ଭାରତୀୟ ଉପମହାଦେଶରେ ଇଂରାଜଙ୍କର ପ୍ରଥମ ପଦଚିହ୍ନ ଥିଲା। ହକିନ୍ସ୍ ରାଜା ଜେମ୍ସ୍ ପ୍ରଥମଙ୍କର ଏକ ପତ୍ର ନେଇ ମୋଗଲ୍ ସମ୍ରାଟ ଜହାଙ୍ଗିରଙ୍କ ଦରବାରକୁ ଆଗରା ଯାଇ ଵାଣିଜ୍ୟ ଅନୁମତି ଚାହିଁଥିଲେ କିନ୍ତୁ ପର୍ତ୍ତୁଗୀଜମାନଙ୍କ ଵିରୋଧ ଯୋଗୁଁ ସ୍ଥାୟୀ ଅନୁମତି ପାଇନଥିଲେ। ଏହି ଭ୍ରମଣ ପ୍ରାରମ୍ଭରେ ଦକ୍ଷିଣ ପୂର୍ଵ ଏସିଆର ମସଲା ଉତ୍ପାଦନକାରୀ ଦ୍ୱୀପପୁଞ୍ଜଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଥିଲା କିନ୍ତୁ ପରେ ଡଚ୍ ପ୍ରତିଯୋଗିତା ଯୋଗୁଁ ଭାରତ ପ୍ରତି ଧ୍ୟାନ ଦିଆଗଲା।
ଇଂରେଜମାନେ ଦେଖିଲେ ଭାରତୀୟମାନେ ସ୍ଵଭାଵତଃ କର୍ମଠ,ସାଧୁ ଓ ସରଳ ଵିଶ୍ଵାସୀ ତେଣୁ ସେମାନେ ଭାରତରେ ଵ୍ୟାପାର କରିଵାର ସୁନ୍ଦର ପରିଵେଶ ଦେଖିପାରିଲେ ।
ଭାରତର ପଶ୍ଚିମ ଉପକୂଳରେ ଗୁଜରାଟର କପଡ଼ା ମିଳୁଥିଲା କିନ୍ତୁ ପୂର୍ଵ ଉପକୂଳ;କୋରୋମଣ୍ଡଳ କୋଷ୍ଟରେ ଅର୍ଥାତ୍ ଆନ୍ଧ୍ର ଓ ତାମିଳ ଅଞ୍ଚଳରେ ଅଧିକ ଉନ୍ନତ ଓ ରଙ୍ଗିନ କ୍ୟାଲିକୋ ତଥା ମସଲିନ କପଡ଼ା ଉତ୍ପାଦନ ହେଉଥିଲା ଯାହାର ଇଉରୋପରେ ଅଧିକ ଚାହିଦା ଥିଲା । ଏହା ଛଡ଼ା ଦକ୍ଷିଣରେ ମୋଗଲ ଶାସନର ପ୍ରଭାଵ କମ୍ ଥିଲା ଏଵଂ ସ୍ଥାନୀୟ ଶାସକମାନେ ଇଂରେଜମାନଙ୍କୁ କେତେକ ସୁଵିଧା ପ୍ରଦାନ କରିଥିଲେ। ମୋଗଲମାନଙ୍କ କଡ଼ା ନିୟନ୍ତ୍ରଣ ନଥିଵାରୁ ଦକ୍ଷିଣରେ ଇଂରେଜମାନେ ନିଜର ଦୁର୍ଗ ନିର୍ମାଣ କରି ସ୍ୱାଧୀନ ଭାବେ ଵ୍ୟଵସାୟ କରିପାରିଥିଲେ । ତେଣୁ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ୧୬୧୧ ମସିହାରେ ମସୁଲିପଟ୍ଟନମରେ ଫ୍ୟାକ୍ଟରୀ ଖୋଲିଥିଲା କିନ୍ତୁ ଏହା ସ୍ଥାୟୀ ହୋଇପାରିନଥିଲା କାରଣ ସେଠାରେ ଡଚ୍ ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ସମସ୍ୟା ଥିଲା । ତେଣୁ ୧୬୩୯ ମସିହାରେ କମ୍ପାନୀର ଏଜେଣ୍ଟ ଫ୍ରାନ୍ସିସ ଡେ ଏକ ଛୋଟ ମାଛଧରା ଗାଁ ମାଡ୍ରାସପଟ୍ଟନମକୁ ଚିହ୍ନିତ କରିଥିଲେ । ଏହି ଗାଁ କୋରୋମଣ୍ଡଳ ଉପକୂଳରେ ଅଵସ୍ଥିତ ଥିଲା ଏଵଂ ନିକଟରେ ଥିଵା ଚନ୍ଦ୍ରଗିରିର ନାୟକ ରାଜା ଦମର୍ଲା ବେଙ୍କଟାଦ୍ରିଙ୍କଠାରୁ ଡେ ଏକ ଜମି କିଣିଥିଲେ । ଏହି ଜମିରେ କମ୍ପାନୀ ଏକ ଦୁର୍ଗ ନିର୍ମାଣ କରିଵାକୁ ଅନୁମତି ପାଇଥିଲା ଯାହାକୁ ଫର୍ଟ ସେଣ୍ଟ ଜର୍ଜ ନାମ ଦିଆଗଲା । ଏହା ଭାରତରେ ଇଂରେଜମାନଙ୍କର ପ୍ରଥମ ଦୁର୍ଗ ଥିଲା ଏଵଂ ୧୬୪୦ ମସିହାରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । ଫର୍ଟ ସେଣ୍ଟ ଜର୍ଜ ଚାରିପାଖରେ ଧୀରେ ଧୀରେ ଏକ ଜନଵସତି ଗଢ଼ି ଉଠିଲା ଯାହାକୁ White Town କୁହାଯାଉଥିଲା ଯେଉଁଠାରେ ଇଂରେଜ ଏବଂ ଅନ୍ୟ ଇଉରୋପୀୟମାନେ ରହୁଥିଲେ । ଏହାର ଉତ୍ତରରେ Black Town ନାମକ ଅଞ୍ଚଳ ଗଢ଼ି ଉଠିଲା ଯେଉଁଠାରେ ସ୍ଥାନୀୟ ଭାରତୀୟମାନେ ରହୁଥିଲେ । ଏହି ଦୁଇ ଅଞ୍ଚଳ ମିଶି ମାଡ୍ରାସ ସହରର ମୂଳ ରୂପ ନେଇଥିଲା । ସହରର ନାମ ମାଡ୍ରାସ କାହିଁକି ହେଲା ତାହା ଵିଵାଦାସ୍ପଦ କିନ୍ତୁ ଅନେକ ଇତିହାସକାର ମତରେ ଏହା ନିକଟରେ ଥିଵା ମାଦ୍ରାସପଟ୍ଟନମ ଗାଁରୁ ପ୍ରେରିତ ହୋଇ ରଖାଯାଇଥିଲା କିମ୍ବା ପର୍ତ୍ତୁଗୀଜମାନଙ୍କ ଦ୍ୱାରା ପ୍ରଚଳିତ ମାଦ୍ରେ ଦେ ଦେଉସ ନାମରୁ ଉତ୍ପନ୍ନ ହୋଇଥିଲା ।
ଫର୍ଟ ସେଣ୍ଟ ଜର୍ଜର ନିର୍ମାଣ ପରେ ମାଡ୍ରାସ ଦ୍ରୁତ ଗତିରେ ବଢ଼ିଵାକୁ ଲାଗିଲା । ଏହାର ପ୍ରାକୃତିକ ବନ୍ଦର ଏଵଂ ନିକଟରେ ଉତ୍ପାଦିତ କ୍ୟାଲିକୋ ଓ ମସଲିନ ଆଦି ଉତ୍ତମ କପଡ଼ା କାରଣରୁ ଇଂରେଜମାନେ ଏଠାରେ ଵ୍ୟଵସାୟ କେନ୍ଦ୍ର ସ୍ଥାପନ କରିଥିଲେ । ୧୬୮୮ ମସିହା ସୁଦ୍ଧା ମାଡ୍ରାସ ନଗର ମାଡ୍ରାସ ପ୍ରେସିଡେନ୍ସିର ରାଜଧାନୀ ହୋଇଗଲା । ଏହି ସମୟରେ ସହରରେ ଅନେକ ଇଂରେଜ ଅଧିକାରୀ ଵ୍ୟଵସାୟୀ ଓ ସୈନିକ ଆସି ଵାସ କରିଥିଲେ । ସ୍ଥାନୀୟ ତାମିଳ ଲୋକମାନେ ମଧ୍ୟ ସହରରେ କାମ କରିଵାକୁ ଆସିଥିଲେ ଏଵଂ ଧୀରେ ଧୀରେ ଏକ ମିଶ୍ରିତ ସଂସ୍କୃତି ଗଢ଼ି ଉଠିଲା ।
୧୬୧୧ରେ ଇଂରେଜମାନେ ଦକ୍ଷିଣ ଭାରତରେ ଵାଣିଜ୍ୟ କରିଵାକୁ ଚେଷ୍ଟା କରି ଵିଫଳ ହେଲେ ତେଣୁ ସେମାନେ ପଶ୍ଚିମ ଭାରତ ଵିଶେଷ କରି ସୁରତ ଅଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କଲେ । ୧୬୧୨ ମସିହାରେ ସ୍ୱାଲ୍ଲୀ ଯୁଦ୍ଧରେ ଇଂରେଜ୍ ନୌସେନା ପର୍ତ୍ତୁଗୀଜମାନଙ୍କୁ ପରାସ୍ତ କରିଵା ପରେ ଜାହାଙ୍ଗୀର ଫରମାନ୍ ଜାରି କରି ସୁରତରେ ଫ୍ୟାକ୍ଟରୀ ସ୍ଥାପନ କରିଵାର ଅନୁମତି ଇଂରେଜମାନଙ୍କୁ ଦେଇଥିଲେ। ଏହି ଫ୍ୟାକ୍ଟରୀ ୧୬୧୩ ମସିହାରେ ସ୍ଥାୟୀ ରୂପ ନେଇଥିଲା ଏଵଂ ଏହା ଇଂରେଜମାନଙ୍କର ଭାରତରେ ପ୍ରଥମ ସ୍ଥାୟୀ ଵାଣିଜ୍ୟ କେନ୍ଦ୍ର ହୋଇଥିଲା। ସୁରତକୁ ବାଛିଵାର ମୁଖ୍ୟ କାରଣ ଥିଲା ତଦାନୀନ୍ତନ ସୁରତର ଅପାର ଵାଣିଜ୍ୟିକ ମହତ୍ତ୍ୱ ଏଵଂ ଏହାର ଭୌଗୋଳିକ ଅଵସ୍ଥିତି।
ସୁରତ ସେତେବେଳେ ମୋଗଲ ସାମ୍ରାଜ୍ୟର ପଶ୍ଚିମ ଉପକୂଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଥିଲା ଏଵଂ ଏହାକୁ ବନ୍ଦର ମୁବାରକ୍ ଵା ମକ୍କାର ଦ୍ୱାର କୁହାଯାଉଥିଲା କାରଣ ଏଠାରୁ ଵର୍ଷକୁ ହଜ୍ ଯାତ୍ରୀମାନଙ୍କର ଅନେକ ଜାହାଜ ଯାତ୍ରା କରୁଥିଲା। ସୁରତ ନଗ୍ର ତାପି ନଦୀ ଵା ତାପ୍ତୀ ନଦୀ ମୁହାଣରେ ଅଵସ୍ଥିତ ଥିଵାରୁ ଏହାର ବନ୍ଦର ଗଭୀର ଏଵଂ ନିରାପଦ ଥିଲା ତେଣୁ ବଡ଼ ବଡ଼ ଜାହାଜଗୁଡ଼ିକ ପାଇଁ ଉପଯୁକ୍ତ ଥିଲା। ପୂର୍ଵରୁ କାମ୍ଵେ ଵା ଖମ୍ଵାତ୍ ଗୁଜରାଟର ପ୍ରମୁଖ ବନ୍ଦର ଥିଲା କିନ୍ତୁ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଏହାର ଗୁରୁତ୍ୱ ହ୍ରାସ ପାଇଵା ପରେ ସୁରତ ତାହାର ସ୍ଥାନ ନେଇଥିଲା। ଗୋଆ ପର୍ତ୍ତୁଗୀଜମାନଙ୍କ ନିୟନ୍ତ୍ରଣରେ ଥିଵାରୁ ଇଂରେଜମାନେ ସେଠାରେ ଫ୍ୟାକ୍ଟରୀ ସ୍ଥାପନ କରିଵାକୁ ଚାହୁଁନଥିଲେ ଵରଂ ମୋଗଲ ଅଧିକାରରେ ଥିଵା ସୁରତକୁ ପସନ୍ଦ କରିଥିଲେ।
ସେତେବେଳେ ସୁରତରେ ଅପାର ଵାଣିଜ୍ୟ ଚାଲୁଥିଲା ଏଵଂ ଏହା ଭାରତର ପଶ୍ଚିମ ଉପକୂଳର ସବୁଠାରୁ ଧନୀ ଏଵଂ ଵ୍ୟସ୍ତତମ ବନ୍ଦର ଥିଲା। ଏଠାରୁ ମୁଖ୍ୟତଃ ସୂତା କପଡ଼ା ଓ ରେଶମ କପଡ଼ା ରପ୍ତାନୀ ହେଉଥିଲା ଏଵଂ ତହିଁର ୟୁରୋପ ,ମଧ୍ୟ ଏସିଆ ଓ ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକରେ ଅତ୍ୟନ୍ତ ଚାହିଦା ଥିଲା। ଆହମ୍ମଦାଵାଦ,ଭରୁଚ ଏଵଂ କାମ୍ଵେ ଆଦି ଗୁଜରାଟର କପା ଉତ୍ପାଦନ କ୍ଷେତ୍ର ସହିତ ସୁରତର ସିଧାସଳଖ ଯୋଗାଯୋଗ ଥିଲା ଯାହା କପଡ଼ା ସଂଗ୍ରହ କରିଵାକୁ ସହଜ କରୁଥିଲା। ଏହା ଵ୍ୟତୀତ ମସଲା ଯେମିତି ଲବଙ୍ଗ,ଦାରୁଚିନି, ଗୋଲମରିଚ, ନୀଳ ରଙ୍ଗ ଏଵଂ ଅନ୍ୟାନ୍ୟ ମୂଲ୍ୟଵାନ୍ ଦ୍ରଵ୍ୟ ମଧ୍ୟ ଏଠାରୁ ଅନ୍ୟ ଦେଶକୁ ଵାଣିଜ୍ୟ ହେଉଥିଲା। ସୁରତ ନଗ୍ର ଆରବଦେଶ, ପାରସ୍ୟ, ଲାଲସାଗର ଏଵଂ ଦୂର ପୂର୍ଵାଞ୍ଚଳ ସହିତ ଵାଣିଜ୍ୟ ପଥରେ ଥିଵାରୁ ଆରବ,ଆର୍ମେନୀୟ,ପର୍ତ୍ତୁଗୀଜ୍,ଡଚ୍ ଏଵଂ ଅନ୍ୟାନ୍ୟ ଦେଶୀୟ ଵ୍ୟଵସାୟୀମାନେ ଏଠାରେ ସକ୍ରିୟ ଥିଲେ। ମୋଗଲ ସମ୍ରାଟମାନଙ୍କ ପୃଷ୍ଠପୋଷକତାରେ ସୁରତର ଵାଣିଜ୍ୟ ଅଭୂତପୂର୍ଵ ଵୃଦ୍ଧି ପାଇଥିଲା ଏଵଂ ଏହା ଏକ Cosmopolitical ସହର ପାଲଟିଥିଲା ଯେଉଁଠାରେ ଵିଭିନ୍ନ ଧର୍ମ ଏଵଂ ସଂସ୍କୃତିର ଲୋକେ ମିଶି ରହୁଥିଲେ। ଇଂରେଜମାନେ ସୁରତ ନଗ୍ରକୁ ବାଛିଵା ଦ୍ୱାରା ମୋଗଲ ସାମ୍ରାଜ୍ୟର ଅର୍ଥନୈତିକ କେନ୍ଦ୍ରରେ ପ୍ରଵେଶ କରିପାରିଥିଲେ ଏଵଂ ଏହା ସେମାନଙ୍କର ଭାରତରେ ଵାଣିଜ୍ୟ ତଥା ପରଵର୍ତ୍ତୀ ରାଜନୈତିକ ପ୍ରଭାଵ ବଢ଼ାଇଵାର ପ୍ରଥମ ପାଦ ହୋଇଥିଲା।
ସୁରତ ନଗ୍ର ଷୋଡ଼ଶ ଏଵଂ ସପ୍ତଦଶ ଶତାବ୍ଦୀରେ ଭାରତର ପଶ୍ଚିମ ଉପକୂଳର ସବୁଠାରୁ ଧନୀ ଏଵଂ ଵ୍ୟସ୍ତତମ ବନ୍ଦର ଥିଲା କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ଏହାର ଗୌରଵ ଧୀରେ ଧୀରେ ହ୍ରାସ ପାଇଵାକୁ ଲାଗିଲା ଏଵଂ ଇଷ୍ଟ ଇଣ୍ଡିଆ କମ୍ପାନୀର ଵାଣିଜ୍ୟ ଓ ରାଜନୈତିକ କେନ୍ଦ୍ର ପୂର୍ଵ ଦିଗକୁ ସ୍ଥାନାନ୍ତରିତ ହେଲା ଯାହାର ମୁଖ୍ୟ କାରଣ ଥିଲା ରାଜନୈତିକ ଅସ୍ଥିରତା, ମରାଠା ଆକ୍ରମଣ ତଥା ଅନ୍ୟାନ୍ୟ ଇଉରୋପୀୟ ଶକ୍ତିମାନଙ୍କ ସହିତ ପ୍ରତିଯୋଗିତା। ସୁରତର ଅଧଃପତନର ଏକ ଵଡ଼ କାରଣ ଥିଲା ମୋଗଲ ସାମ୍ରାଜ୍ୟର ଦୁର୍ଵଳତା ଯାହା ଅଠର ଶତାବ୍ଦୀର ପ୍ରଥମ ଭାଗରେ ସ୍ପଷ୍ଟ ହୋଇଉଠିଥିଲା ଏଵଂ ସ୍ଥାନୀୟ ଶାସକମାନେ କମ୍ପାନୀ ଉପରେ ଅଧିକ କର ଲଗାଇଵା ଆରମ୍ଭ କରିଥିଲେ ଯାହା ଵାଣିଜ୍ୟକୁ ଅସୁଵିଧାଜନକ କରିଥିଲା। ଏହା ସହିତ ମରାଠାମାନେ ଗୁଜରାଟ ଅଞ୍ଚଳରେ ଵାରମ୍ଵାର ଆକ୍ରମଣ କରି ସୁରତକୁ ଲୁଟ୍ କରିଥିଲେ ।
ପ୍ରଥମେ, ୧୬୬୪ ମସିହାର ଜାନୁଆରୀ ମାସରେ ମରାଠା ଶାସକ ଶିଵାଜୀ ମହାରାଜ ସୁରତ ନଗର ଉପରେ ଆକ୍ରମଣ କରିଥିଲେ। ସେ ସମୟରେ ସୁରତ ମୋଗଲ ସାମ୍ରାଜ୍ୟର ଏକ ପ୍ରମୁଖ ଵାଣିଜ୍ୟ କେନ୍ଦ୍ର ଥିଲା। ଶିଵାଜୀ ମହାରାଜ କିଛି ହଜାର ଅଶ୍ୱାରୋହୀ ସୈନ୍ୟ ସହିତ ଆକସ୍ମିକ ଭାବରେ ସୁରତରେ ପହଞ୍ଚିଥିଲେ। ମୋଗଲ ଗଭର୍ଣ୍ଣର ଇନାୟତ ଖାନଙ୍କ ପ୍ରତିରୋଧ ଦୁର୍ଵଳ ଥିଵାରୁ ସହର ଶୀଘ୍ର ମରାଠାମାନଙ୍କ ଅଧିନକୁ ଚାଲି ଯାଇଲା।
ଏହି ଆକ୍ରମଣ ଅତ୍ୟନ୍ତ ଆକସ୍ମିକ ଥିଵାରୁ ସହରଵାସୀମାନେ ପ୍ରସ୍ତୁତ ହେଵାକୁ ସମୟ ପାଇନଥିଲେ। କିଛି ଦିନ ଧରି ମରାଠା ସୈନ୍ୟମାନେ ସହରର ଧନୀ ଵ୍ୟଵସାୟୀମାନଙ୍କ ଘର ଓ ଗୋଦାମଗୁଡ଼ିକୁ ଲୁଣ୍ଠନ କରିଥିଲେ। ଏଥିରୁ ବହୁ ପରିମାଣର ଧନ-ସମ୍ପତ୍ତି ହସ୍ତଗତ ହୋଇଥିଲା, ଯାହା ଶିଵାଜୀଙ୍କ ରାଜ୍ୟକୁ ସୁଦୃଢ଼ କରିଵାରେ ସାହାଯ୍ୟ କରିଥିଲା। ଇଂରେଜ ଓ ଡଚ୍ ଵ୍ୟଵସାୟ କାରଖାନାଗୁଡ଼ିକ ନିଜ ଦୁର୍ଗୀକୃତ ଅଞ୍ଚଳରେ ରହିଥିଵାରୁ ବଞ୍ଚିଯାଇଥିଲେ, କିନ୍ତୁ ସହରର ଅନେକ ଅଂଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣ ମୋଗଲମାନଙ୍କର ଅର୍ଥନୈତିକ ଶକ୍ତିକୁ ଗୁରୁତର ଆଘାତ ଦେଇଥିଲା।
ଦ୍ୱିତୀୟଥର ପାଇଁ, ୧୬୭୦ ମସିହାର ଅକ୍ଟୋବର ମାସରେ ଶିଵାଜୀ ମହାରାଜ ପୁନର୍ଵାର ସୁରତ ଉପରେ ଆକ୍ରମଣ କରିଥିଲେ। ପ୍ରଥମ ଆକ୍ରମଣ ପରେ ସୁରତ ଧୀରେଧୀରେ ପୁନଃ ସମୃଦ୍ଧି ଲାଭ କରିଥିଲା। ଏହି ସମୟରେ ମୋଇଲମାନଙ୍କ ସହିତ ମରାଠାମାନଙ୍କ ଯୁଦ୍ଧ ଚାଲିଥିବାରୁ ରାଜ୍ୟ ପାଇଁ ଧନର ଆବଶ୍ୟକତା ବଢ଼ିଥିଲା। ଶିଵାଜୀ କିଛି ହଜାର ସୈନ୍ୟ ସହିତ ସୁରତରେ ପହଞ୍ଚି ୩ ଓ ୪ ଅକ୍ଟୋବର ତାରିଖରେ ସହରକୁ ଲୁଣ୍ଠନ କରିଥିଲେ।
ଏଥର ମଧ୍ୟ ଇଂରେଜ ଓ ଡଚ୍ କାରଖାନାଗୁଡ଼ିକ ରକ୍ଷିତ ରହିଥିଲେ, କିନ୍ତୁ ସହରରୁ ବହୁ ପରିମାଣର ଧନ ସଂଗ୍ରହ କରାଯାଇଥିଲା। ଫେରିଵା ସମୟରେ ମୋଗଲ ସୈନ୍ୟ ଦାଉଦ ଖାନଙ୍କ ନେତୃତ୍ୱରେ ମରାଠାମାନଙ୍କୁ ଅଟକାଇଵାକୁ ଚେଷ୍ଟା କରିଥିଲେ, କିନ୍ତୁ ବାନି–ଦିନ୍ଦୋରି ଯୁଦ୍ଧରେ ମରାଠା ସୈନ୍ୟଦଳ ଵିଜୟ ଲାଭ କରିଥିଲା। ଏହି ଦୁଇଟି ଆକ୍ରମଣ ଶିଵାଜୀ ମହାରାଜଙ୍କ ସାହସ, ରଣନୀତି ଓ ସୁଯୋଗଵାଦୀ ନୀତିର ସ୍ପଷ୍ଟ ପ୍ରମାଣ ଦେଇଥିଲା ଏଵଂ ମୋଗଲ ସାମ୍ରାଜ୍ୟ ପାଇଁ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।
୧୬୬୪ ଓ ୧୬୭୦ ମସିହାରେ ହୋଇଥିଵା ମରାଠା ଆକ୍ରମଣଗୁଡ଼ିକ ଯୋଗୁଁ ସୁରତ ସହରର ଅର୍ଥନୀତି ଭୁଶୁଡ଼ି ଯାଇଥିଲା। ଫଳରେ ଅନେକ ଵ୍ୟଵସାୟୀ ସୁରତ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ ଏଵଂ କମ୍ପାନୀ ମଧ୍ୟ ନିଜର ମୁଖ୍ୟ କାର୍ଯ୍ୟାଳୟକୁ ୧୬୮୭ରେ ବମ୍ବେକୁ ସ୍ଥାନାନ୍ତର କରିଥିଲା । ବମ୍ବେ ସେତେବେଳେ ଏକ ଗଭୀର ପ୍ରାକୃତିକ ବନ୍ଦର ଥିଲା ଏଵଂ ରକ୍ଷଣାତ୍ମକ ଦୃଷ୍ଟିରୁ ଅଧିକ ନିରାପଦ ଥିଲା।
ବମ୍ବେର ଦ୍ୱୀପପୁଞ୍ଜର ପୂର୍ଵ ଇତିହାସ ଆରବ ସାଗରର ପଶ୍ଚିମ ଉପକୂଳରେ ଅଵସ୍ଥିତ ସାତୋଟି ଛୋଟ ଦ୍ୱୀପରେ ଆରମ୍ଭ ହୁଏ, ଯାହାକୁ ସ୍ଥାନୀୟ କୋଳି ମତ୍ସ୍ୟଜୀଵୀମାନେ ନିୟନ୍ତ୍ରଣ କରୁଥିଲେ। ଏହି ଦ୍ୱୀପଗୁଡ଼ିକର ନାମ ଥିଲା Bombay, Colaba, Old Woman's Island, Mahim, Mazagaon, Parel ଓ Worli। ଏହି ଅଞ୍ଚଳ ଗୁଜରାଟର ସୁଲତାନ ବାହାଦୁର ଶାହଙ୍କର ଅଧୀନରେ ଥିଲା ଏଵଂ ୧୫୩୪ରେ Treaty of Bassein ଦ୍ୱାରା ପର୍ତ୍ତୁଗୀଜମାନେ ଏହାକୁ ଅଧିଗ୍ରହଣ କଲେ। ପର୍ତ୍ତୁଗୀଜମାନେ ଏହାକୁ ଏକ ଵାଣିଜ୍ୟ କେନ୍ଦ୍ର ଭାବରେ ଵ୍ୟଵହାର କଲେ, କିନ୍ତୁ ଏହାକୁ ପୂର୍ଣ୍ଣ ଭାବେ ଉପଯୋଗ କରିପାରିଲେ ନାହିଁ। ସେମାନେ ଏଠାରେ କେତେକ କିଲ୍ଲା ଓ ଚର୍ଚ୍ଚ ନିର୍ମାଣ କଲେ, କିନ୍ତୁ ଅଞ୍ଚଳଟି ସେତେବେଳେ ମୂଳତଃ ଜଳମୟ ଏଵଂ ମେଲେରିଆ ପ୍ରଵଣ ଥିଲା।
ଇଂରେଜମାନେ ବମ୍ବେକୁ ଏକ ରାଜନୈତିକ ଵିଵାହ ମାଧ୍ୟମରେ ପାଇଥିଲେ। ୧୬୬୧ରେ, ପର୍ତ୍ତୁଗାଲର ରାଜା John IV ତାଙ୍କ ଝିଅ Catherine of Braganzaକୁ ଇଂଲଣ୍ଡର ରାଜା Charles II ସହ ଵିଵାହ କରାଇଲେ। ଏହି ଵିଵାହର ଯୌତୁକ ଭାବରେ ବମ୍ବେର ଦ୍ୱୀପଗୁଡ଼ିକ ସହ ଅନ୍ୟାନ୍ୟ ସମ୍ପତ୍ତି ଯେପରିକି Tangier, ବ୍ରାଜିଲ୍ ତଥା ପର୍ତ୍ତୁଗୀଜ ଇଷ୍ଟ ଇଣ୍ଡିଜରେ ଇଂରେଜମାନଙ୍କୁ ଵାଣିଜ୍ୟ ଅଧିକାର ମିଳିଥିଲା। ଏହି ଚୁକ୍ତି ପର୍ତ୍ତୁଗାଲ ଓ ଇଂଲଣ୍ଡ ମଧ୍ୟରେ ସହଯୋଗକୁ ସଶକ୍ତ କରିଵା ପାଇଁ ଥିଲା ଏଵଂ ସ୍ପେନ୍ ଓ ଡଚ୍ଚଙ୍କ ଵିରୋଧରେ ଉଦ୍ଦିଷ୍ଟ ଥିଲା। କିନ୍ତୁ ପର୍ତ୍ତୁଗୀଜ ଭାରତରେ ଥିଵା ଅଧିକାରୀମାନେ ଏହି ଚୁକ୍ତିକୁ ସହଜରେ ସ୍ୱୀକାର କରିନଥିଲେ ଏଵଂ ପ୍ରାରମ୍ଭରେ କେଵଳ ମୂଳ ଦ୍ୱୀପଗୁଡ଼ିକର କିଛି ଅଂଶ ହସ୍ତାନ୍ତର କରାଗଲା। ୧୬୬୫ରେ, Humphrey Cooke ଭାରତରେ ଇଂରେଜଙ୍କ ପ୍ରତିନିଧି ଭାବରେ ଅଵଶିଷ୍ଟ ଅଞ୍ଚଳ ଯେପରିକି Mahim, Sion, Dharavi ଓ Wadalaକୁ ଅଧିଗ୍ରହଣ କଲେ। ଏହି ଯୌତୁକର ମୂଲ୍ୟ ଥିଲା ପ୍ରାୟ ୨ ମିଲିୟନ୍ ପର୍ତ୍ତୁଗୀଜ କ୍ରାଉନ୍, ଯାହା ତତ୍କାଳୀନ ସମୟରେ ପ୍ରାୟ £300,000 ସହିତ ସମାନ ଥିଲା। ଏହି ଅଧିଗ୍ରହଣ ଇଂରେଜଙ୍କୁ ଭାରତର ପଶ୍ଚିମ ଉପକୂଳରେ ଏକ ଶକ୍ତିଶାଳୀ ଆଧାର ପ୍ରଦାନ କଲା ଏଵଂ ଏହା ସେମାନଙ୍କର ଵାଣିଜ୍ୟିକ ସାମ୍ରାଜ୍ୟକୁ ବୃଦ୍ଧି କରିଵାରେ ସାହାଯ୍ୟ କଲା।
ଇଂରେଜମାନେ ବମ୍ବେକୁ ପାଇଵା ପରେ, ରାଜା Charles II ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଭଡ଼ାକୁ ଦେଲେ। ୧୬୬୮ରେ ହୋଇଥିଵା ଏହି ଚୁକ୍ତିରେ କମ୍ପାନୀ ଵାର୍ଷିକ £10 ଭଡ଼ା ଦେଵାକୁ ସହମତ ହେଲା। ରାଜା Charles IIଙ୍କ ପାଖରେ ପରିଚାଳନା ପାଇଁ ଧନ ନଥିଲା । ବମ୍ବେକୁ ସିଧାସଳଖ ଚଳାଇବା ମହଙ୍ଗା ଥିଲା। East India Company ଏକମାତ୍ର ସମର୍ଥ ସଂସ୍ଥା ଥିଲା । ସେମାନଙ୍କ ପାଖରେ ସେନା, ଜାହାଜ, ପୁଞ୍ଜି ଥିଲା।
ଲାଭ ଠାରୁ ଦାୟିତ୍ୱ ମୁଖ୍ୟ ଥିଲା । କମ୍ପାନୀ ସମସ୍ତ ପ୍ରଶାସନିକ ଓ ସେନା ଖର୍ଚ୍ଚ ବୋହିଥିଲା। ତେଣୁ ରାଜା
Charles II ଅଳ୍ପ ମୂଲ୍ୟର ଭଡ଼ାରେ ବମ୍ବେକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଦେଇଦେଇଥିଲେ ।
ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଵାଣିଜ୍ୟ କରିଵା ପାଇଁ ରାଜକୀୟ ଚାର୍ଟର୍ ପାଇଥିଲା ଏଵଂ ବମ୍ବେକୁ ଏକ ବାଣିଜ୍ୟ ହବ୍ ଭାବରେ ଵିକଶିତ କରିଵାରେ ଆଗ୍ରହୀ ଥିଲା। ପ୍ରଥମ ଗଭର୍ଣ୍ଣର Sir George Oxenden ଏହାକୁ କମ୍ପାନୀ ଅଧୀନକୁ ଆଣିଲେ, କିନ୍ତୁ ପ୍ରକୃତ ଵିକାଶ ଆରମ୍ଭ ହେଲା Gerald Aungierର ନେତୃତ୍ୱରେ, ଯିଏ ୧୬୬୯ରେ ଗଭର୍ଣ୍ଣର ହୋଇଥିଲେ। Aungier ବମ୍ବେକୁ ଏକ ସ୍ୱାଧୀନ ଵାଣିଜ୍ୟ କେନ୍ଦ୍ର ଭାବରେ ଗଢ଼ିଵା ପାଇଁ ଯୋଜନା କଲେ। ସେ ଏକ ମିଣ୍ଟ ଏବଂ ପ୍ରିଣ୍ଟିଙ୍ଗ ପ୍ରେସ୍ ସ୍ଥାପନ କଲେ ଏଵଂ ଗୁଜରାତୀ, ପାର୍ସି, Dawoodi Bohra ଓ ଈହୁଦୀ ଵ୍ୟଵସାୟୀଙ୍କୁ ଆକର୍ଷିତ କରିଵା ପାଇଁ ଟ୍ୟାକ୍ସ ଛାଡ଼ ତଥା ଧାର୍ମିକ ସ୍ୱାଧୀନତା ପ୍ରଦାନ କଲେ। ଏହି ନୀତି ବମ୍ବେର ଜନସଂଖ୍ୟା ଓ ଅର୍ଥନୈତିକୁ ବଢ଼ାଇଲା ଏବଂ ଏହା ସୁରତର ଵିକଳ୍ପ ଭାବରେ ଉଭା ହେଲା। ଏହି ସମୟରେ ବମ୍ବେର ଜନସଂଖ୍ୟା ୧୦,୦୦୦ରୁ ବଢ଼ି ୬୦,୦୦୦ ହୋଇଯାଇଥିଲା ଏଵଂ ପରଵର୍ତ୍ତୀ କାଳରେ ଏହା ଏକ ବହୁସାଂସ୍କୃତିକ ନଗରର ରୂପ ନେଲା।
ଇଂରେଜ ଅମଳରେ ବମ୍ବେର ଵିକାଶ ପ୍ରକ୍ରିୟା ଜଟିଳ ହୋଇଯାଇଥିଲା। ପ୍ରାରମ୍ଭରେ ଏହା ଡଚ୍ଚ ଓ ମୋଗଲମାନଙ୍କ ଆକ୍ରମଣର ସମ୍ମୁଖୀନ ହେଲା। ୧୬୭୩ରେ Rijckloff van Goens ନେତୃତ୍ୱରେ ଡଚ୍ଚମାନେ ଆକ୍ରମଣ କଲେ, କିନ୍ତୁ Aungierଙ୍କର ନେତୃତ୍ୱରେ ଇଂରେଜମାନେ ଏହାକୁ ପ୍ରତିହତ କଲେ। ୧୬୮୯ରେ Siddi admiral Yakut Khan ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦେଶରେ ଅଞ୍ଚଳଟିକୁ ଅଧିକାର କଲେ, କିନ୍ତୁ ୧୬୯୦ରେ ପୈସା ଦେଇ ଇଂରେଜମାନେ ଏହାକୁ ପୁନରୁଦ୍ଧାର କଲେ। ଏହି ଘଟଣାଗୁଡ଼ିକ ବମ୍ବେକୁ ଫର୍ଟିଫାଏ କରିଵାର ଆଵଶ୍ୟକତା ସୃଷ୍ଟି କଲା। ୧୭୧୫ରେ Bombay Castle ନିର୍ମାଣ ସମାପ୍ତ ହେଲା ଏଵଂ ୧୬୮୨ରେ Middle Ground Coastal Battery ସ୍ଥାପିତ ହେଲା। ଏହି କିଲ୍ଲାଗୁଡ଼ିକ ବମ୍ବେକୁ ସୁରକ୍ଷିତ କଲା ଏଵଂ ଏହାର ଵାଣିଜ୍ୟକୁ ତ୍ଵରାନିତ କଲା। ୧୭୧୮ରେ Charles Boone ପ୍ରଥମ ଆଙ୍ଗ୍ଲିକାନ ଚର୍ଚ୍ଚ St. Thomas Cathedral ନିର୍ମାଣ କଲେ, ଯାହା ନଗରର ଧାର୍ମିକ ଓ ସାମାଜିକ ଜୀଵନରେ ଗୁରୁତ୍ୱପୂର୍ଣ୍ଣ ହେଲା।
ବମ୍ବେ ନଗର ଗଢ଼ା ହେଵା ପ୍ରକ୍ରିୟାରେ ପ୍ରମୁଖ ପଦକ୍ଷେପ ଥିଲା ସାତୋଟି ଦ୍ୱୀପକୁ ଯୋଡ଼ିଵା। ଏହି ଦ୍ୱୀପଗୁଡ଼ିକ ଜଳମୟ ଥିଲା ଏଵଂ ଉଚ୍ଚ ଜଳପ୍ରଵାହରେ ବାଡ଼େଇ ହେଉଥିଲା। ୧୭୮୪ରେ Governor William Hornby, ହର୍ନବୀ ଵେଲାର୍ଡ୍ ପ୍ରୋଜେକ୍ଟ ଆରମ୍ଭ କଲେ, ଯାହା ଦ୍ୱୀପଗୁଡ଼ିକ ମଧ୍ୟରେ ଵ୍ୟଵଧାନକୁ ବନ୍ଦ କରି ଭୂମି ସୃଷ୍ଟି କଲା। ଏହି ପ୍ରୋଜେକ୍ଟ କମ୍ପାନୀର ଅନୁମୋଦନ ଵିନା ଆରମ୍ଭ ହୋଇଥିଲା, କିନ୍ତୁ ପରେ ଏହାକୁ ସ୍ୱୀକୃତି ମିଳିଲା। ୧୮୦୩ରେ Sion Causeway ନିର୍ମାଣ ହେଲା, ଯାହା Sionକୁ ଯୋଡ଼ିଲା। ୧୮୩୮ରେ Colaba Causeway ନିର୍ମାଣ ହେଲା, ଯାହା Colabaକୁ ଯୋଡ଼ିଲା। ୧୮୪୫ରେ Mahim Causeway ସମାପ୍ତ ହେଲା, ଯାହା Mahimକୁ Bandra ସହ ଯୋଡ଼ିଲା। ଏହି Causeway ଓ ଵେଲାର୍ଡ୍ ପ୍ରୋଜେକ୍ଟଗୁଡ଼ିକ ସାତୋଟି ଦ୍ୱୀପକୁ ଏକ ଏକକ ଭୂଭାଗରେ ପରିଣତ କଲା, ଯାହାର କ୍ଷେତ୍ରଫଳ ଥିଲା ପ୍ରାୟ ୪୩୫ ଵର୍ଗ କିଲୋମିଟର। ଏହି ଭୂମି ରେକ୍ଲାମେସନ୍ ପ୍ରକ୍ରିୟା ବମ୍ବେକୁ ଏକ ଆଧୁନିକ ନଗରର ରୂପ ଦେଲା ଏଵଂ ଏହାର ଵାଣିଜ୍ୟ ଓ ଶିଳ୍ପର ଵିକାଶରେ ସାହାଯ୍ୟ କଲା।
ବମ୍ବେକୁ ପାଇଗଲାପରେ ଏଣେ ଇଷ୍ଟ ଇଣ୍ଡିଆ କମ୍ପାନୀ ପୂର୍ବ ଉପକୂଳରେ ନିଜର ଉପସ୍ଥିତି ବଢ଼ାଇଵାକୁ ଚେଷ୍ଟା ଆରମ୍ଭ କରିଦେଇଥିଲା ଯାହାର ମୁଖ୍ୟ କାରଣ ଥିଲା ବଙ୍ଗୋପସାଗରରେ ଵାଣିଜ୍ୟିକ ସମ୍ଭାଵନା ଏଵଂ ରାଜନୈତିକ ଅଧିକାର ପ୍ରାପ୍ତି।
ଇଂରେଜମାନେ ଓଡ଼ିଶାରେ ପ୍ରଥମ ଵାଣିଜ୍ୟ କେନ୍ଦ୍ର ଗଢ଼ିଵାକୁ ୧୬୩୩ ମସିହାରେ ଚେଷ୍ଟା କରିଥିଲେ। ସେହି ଵର୍ଷ ସେମାନେ ହରିହରପୁର ଓ ବାଲେଶ୍ୱର ଅଞ୍ଚଳରେ କାରଖାନା ସ୍ଥାପନ କରିଥିଲେ। ଏହା ପୂର୍ବ ଭାରତରେ ଇଂରେଜମାନଙ୍କର ପ୍ରଥମ କାରଖାନା ଥିଲା, ଯାହା ମୋଗଲ ଶାସନକାଳରେ ଓଡ଼ିଶାର ମୋଗଲ ଗଭର୍ଣ୍ଣରଙ୍କ ଅନୁମତିରେ ସ୍ଥାପିତ ହୋଇଥିଲା। ହରିହରପୁର ସୁବର୍ଣ୍ଣରେଖା ନଦୀ ନିକଟରେ ଅଵସ୍ଥିତ ଥିଲା ଏଵଂ ସେଠାରେ ଇଂରେଜମାନେ ଵାଣିଜ୍ୟ ଆରମ୍ଭ କରିଵାକୁ ଚେଷ୍ଟା କରିଥିଲେ। କିନ୍ତୁ ନଦୀ ପଙ୍କ ବଢ଼ିଵାରୁ ଓ ନୌକା ଚଳାଚଳର ସମସ୍ୟା ହେତୁ ସେଠାରେ ଵାଣିଜ୍ୟ ସଫଳ ହୋଇପାରିଲା ନାହିଁ। ଏହି କାରଣରୁ ପରେ ଇଂରେଜମାନେ ବାଲେଶ୍ୱରକୁ ତାଙ୍କର ପ୍ରମୁଖ ଵାଣିଜ୍ୟ କେନ୍ଦ୍ର ଭାବେ ସ୍ଥାନାନ୍ତର କରିଥିଲେ। ଏହି ପ୍ରୟାସ ସଫଳ ହୋଇଥିଲା ଏଵଂ ଏହାପରେ ଓଡ଼ିଶାରେ ଇଂରେଜମାନଙ୍କର ଵାଣିଜ୍ୟ କାରବାର ଆରମ୍ଭ ହୋଇଥିଲା। ୧୬୩୩ ରୁ ୧୬୯୦ ମସିହା ପର୍ଯ୍ୟନ୍ତ ଇଂରେଜମାନେ ଭାରତର ପୂର୍ଵ ଉପକୂଳରେ ଧୀରେ ଧୀରେ ଵାଣିଜ୍ୟ ଓ ରାଜନୈତିକ ପ୍ରଭାଵ ବଢ଼ାଇଥିଲେ ।
୧୬୯୦ ମସିହାରେ ଜୋବ୍ ଚାର୍ନକ୍ ନାମକ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ଅଧିକାରୀ ହୁଗଳୀ ନଦୀ କୂଳରେ ସୁତାନୁଟି,କଲିକତା ଓ ଗୋଵିନ୍ଦପୁର ନାମକ ତିନୋଟି ଗାଁରେ ଏକ ବନ୍ଦୋବସ୍ତ ସ୍ଥାପନ କରିଥିଲେ ଯାହା ପରଵର୍ତ୍ତୀ କାଳରେ କଲିକତା ସହରର ଆଧାର ହୋଇଥିଲା। ଏହି ସ୍ଥାନକୁ ବାଛିଵାର କାରଣ ଥିଲା ହୁଗଳୀ ନଦୀର ଗଭୀରତା ଯାହା ଵଡ଼ ଜାହାଜଗୁଡ଼ିକ ପାଇଁ ଉପଯୁକ୍ତ ଥିଲା ଏଵଂ ଏହା ବଙ୍ଗର ଧନୀ ଅଞ୍ଚଳ ସହିତ ସିଧା ଯୋଗାଯୋଗ ରଖୁଥିଲା ଯେଉଁଠାରୁ ଲୁଣ,ନୀଳ, କପା ଓ ଅନ୍ୟାନ୍ୟ ଦ୍ରଵ୍ୟ ସହଜରେ ସଂଗ୍ରହ କରାଯାଇପାରୁଥିଲା। ୧୬୯୮ ମସିହାରେ କମ୍ପାନୀ ମୋଗଲ ସୁବେଦାରଙ୍କଠାରୁ ଏହି ତିନି ଗାଁର ଜମିଦାରୀ ଅଧିକାର କିଣିଥିଲା ଯାହା ସେମାନଙ୍କୁ ସ୍ୱାଧୀନ ଭାବେ ଦୁର୍ଗ ନିର୍ମାଣ ଏଵଂ ଵନ୍ଦୋବସ୍ତ ଵିସ୍ତାର କରିଵାର ସୁଯୋଗ ଦେଇଥିଲା। ୧୭୦୦ ମସିହାରେ ଫୋର୍ଟ ଉଇଲିୟମ୍ ନିର୍ମାଣ ଆରମ୍ଭ ହେଲା ଏଵଂ ତାହା କମ୍ପାନୀର ପୂର୍ଵ ଭାରତରେ ରକ୍ଷଣାତ୍ମକ ଏଵଂ ଵାଣିଜ୍ୟିକ କେନ୍ଦ୍ର ହୋଇଉଠିଥିଲା। କଲିକତା ଏକ ନୂଆ ସହର ଭାବେ ଗଢ଼ାହେଲା କାରଣ ଏଠାରେ କମ୍ପାନୀର ପୂର୍ଣ୍ଣ ନିୟନ୍ତ୍ରଣ ଥିଲା ଏଵଂ ଏହା ଯୋଜନାଵଦ୍ଧ ଭାବେ ଵିକଶିତ ହେଵାର ସୁଯୋଗ ଥିଲା ଯାହା ସୁରତ ଭଳି ପୁରୁଣା ସହରରେ ସମ୍ଭଵ ନଥିଲା। ଏଥିଯୋଗୁଁ ସୁରତ କେବେ ବି ବ୍ରିଟିଶ ଇଣ୍ଡିଆର ରାଜଧାନୀ ହୋଇପାରିନଥିଲା ।
ସମୟ ସହିତ କଲିକତାର ଵିକାଶ ତୀବ୍ର ହେଲା ଫଳତଃ କମ୍ପାନୀ ବଙ୍ଗରେ ରାଜନୈତିକ ପ୍ରଭାଵ ବଢ଼ାଇଲା। ୧୭୫୬ ମସିହାରେ ବଙ୍ଗର ନବାବ ସିରାଜ୍ ଉଦ୍ଦୌଲା କଲିକତା ଉପରେ ଆକ୍ରମଣ କରି ଏହାକୁ ଅଳ୍ପ ସମୟ ପାଇଁ ଅଧିକାର କରିନେଇଥିଲେ ଯାହାକୁ Black hole of Kolkata ଘଟଣା ଭାବେ ଜଣାଯାଏ କିନ୍ତୁ ୧୭୫୭ ମସିହାରେ ପଲାଶୀ ଯୁଦ୍ଧରେ ରବର୍ଟ କ୍ଲାଇଵ୍ଙ୍କ ନେତୃତ୍ୱରେ କମ୍ପାନୀ ନୱାବକୁ ପରାସ୍ତ କରି ବଙ୍ଗ,ବିହାର ଓ ଓଡ଼ିଶାର ଦିୱାନୀ ଅଧିକାର ୧୭୬୫ ମସିହାରେ ପ୍ରାପ୍ତ କରିଥିଲା । ଏହି ଦିୱାନୀ ଅଧିକାର ଦ୍ୱାରା କମ୍ପାନୀ ବଙ୍ଗ,ବିହାର ଓ ଓଡ଼ିଶାର ରାଜସ୍ୱ ସଂଗ୍ରହ କରିଵାର ଅଧିକାର ପାଇଥିଲା ଯାହା ସେମାନଙ୍କର ଅର୍ଥନୈତିକ ଶକ୍ତିକୁ ଅପାର ପରିମାଣରେ ବଢ଼ାଇଦେଲା ଏଵଂ କଲିକତା ଏହି ନୂଆ ଧନର କେନ୍ଦ୍ର ହୋଇଉଠିଲା।
ପଲାଶୀ ଯୁଦ୍ଧ ପରେ କଲିକତା ଦ୍ରୁତ ଗତିରେ ଵଢ଼ିଚାଲିଲା ଏଵଂ ଏହା କମ୍ପାନୀର ପ୍ରେସିଡେନ୍ସି ସହର ହେଲା ପୁଣି ବଙ୍ଗ ପ୍ରେସିଡେନ୍ସିର ରାଜଧାନୀ ମଧ୍ୟ ହେଲା। ସୁରତ ଓ ବମ୍ବେ ତୁଳନାରେ କଲିକତାର ଭୌଗୋଳିକ ଅଵସ୍ଥାନ ଅଧିକ କେନ୍ଦ୍ରୀୟ ଥିଲା କାରଣ ଏହା ଉତ୍ତର ଭାରତର ଗଙ୍ଗା ଉପତ୍ୟକା ସହିତ ସିଧା ଯୋଗାଯୋଗ ରଖୁଥିଲା ଯେଉଁଠାରୁ ଅଧିକାଂଶ ଵାଣିଜ୍ୟ ଦ୍ରଵ୍ୟ ଆସୁଥିଲା।
୧୭୭୨ ମସିହାରେ ଓ୍ୱାରେନ୍ ହେଷ୍ଟିଙ୍ଗ୍ସ୍ କଲିକତାକୁ ବଙ୍ଗ ପ୍ରେସିଡେନ୍ସିର ରାଜଧାନୀ ଘୋଷଣା କରିଥିଲେ ଏଵଂ ଏହା କମ୍ପାନୀର ଭାରତୀୟ କାର୍ଯ୍ୟକଳାପର ପ୍ରଶାସନିକ କେନ୍ଦ୍ର ହୋଇଉଠିଥିଲା। ଯେତେବେଳେ କମ୍ପାନୀର ପ୍ରଭାଵ ସାରା ଭାରତରେ ଵ୍ୟାପିଲା ଏଵଂ ବ୍ରିଟିଶ ସରକାର କମ୍ପାନୀର ଉପରେ ଅଧିକ ନିୟନ୍ତ୍ରଣ ଆରମ୍ଭ କଲା ସେତେବେଳେ କଲିକତାର ମହତ୍ତ୍ୱ ଆହୁରି ବଢ଼ିଲା। ସୁରତ ଵା ବମ୍ବେକୁ ରାଜଧାନୀ ନକରି କଲିକତାକୁ ଵାଛିଵାର କାରଣ ଥିଲା ଏହାର ଅର୍ଥନୈତିକ ଏଵଂ ରାଜନୈତିକ ପ୍ରାଧାନ୍ୟ। ବଙ୍ଗ ଥିଲା ଭାରତର ସବୁଠାରୁ ଧନୀ ପ୍ରଦେଶ ଏଵଂ କଲିକତା ଏହାର ପ୍ରଵେଶ ଦ୍ୱାର ଥିଲା। ଏହା ଵ୍ୟତୀତ କଲିକତା ଏକ ବ୍ରିଟିଶ୍ ନିର୍ମିତ ସହର ଥିଲା ଯେଉଁଠି ଇଂରେଜ ଶୈଳୀର ଭଵନ,ରାସ୍ତା ତଥା ପ୍ରଶାସନିକ ଵ୍ୟଵସ୍ଥା ଥିଲା ଯାହା ବ୍ରିଟିଶ ଅଧିକାରୀମାନଙ୍କ ପାଇଁ ଅଧିକ ଉପଯୁକ୍ତ ଥିଲା। ସେତେବେଳେ ବମ୍ବେ ଏକ ଉତ୍ତମ ବନ୍ଦର ଥିଲା ସତ କିନ୍ତୁ ଏହାର ରାଜନୈତିକ ଓ ଅର୍ଥନୈତିକ ପ୍ରଭାଵ ବଙ୍ଗ ତୁଳନାରେ କମ୍ ଥିଲା ଏଵଂ ସୁରତ ସେତେବେଳେ ପୂରାପୂରି ଅଧଃପତନର ଶିକାର ହୋଇସାରିଥିଲା। ୧୮୫୮ ମସିହାରେ କମ୍ପାନୀ ଶାସନ ଶେଷ ହେଵା ପରେ ବ୍ରିଟିଶ କ୍ରାଉନ୍ ସିଧା ଶାସନ ଆରମ୍ଭ କଲା ଏଵଂ କଲିକତା ବ୍ରିଟିଶ ଭାରତର ୧୯୧୧ ମସିହା ପର୍ଯ୍ୟନ୍ତ ରାଜଧାନୀ ହୋଇ ରହିଲା । ବ୍ରିଟିଶ ଭାରତରେ କଲିକତା ଏକ ପ୍ରମୁଖ ସହର ଭାବେ ଉଭା ହୋଇଥିଲା ବୋଲି ପାଖାପାଖି ୧୦୦୦ ଵର୍ଷ ଧରି ପଠାଣଙ୍କ ଦ୍ୱାରା ପରାଧୀନ ଥିଵା ବଙ୍ଗାଳୀମାନଙ୍କ ମଧ୍ୟରେ ପୁନଃ ଜାଗରଣ ଦେଖାଦେଲା । ବଙ୍ଗାଳୀ ବାବୁ ତାପରେ ସମସ୍ତ ପୂର୍ଵ ଭାରତକୁ ବଙ୍ଗମୟ ଓ ବଙ୍ଗାଳୀମୟ କରିଦେଵାର ସ୍ୱପ୍ନ ଦେଖିଵାକୁ ଲାଗିଲେ ଯାହା ୧୯୧୧ ମସିହାରେ ଦିଲ୍ଲୀ ରାଜଧାନୀ ହେଵାପରେ ସ୍ୱପ୍ନରେ ହିଁ ରହିଗଲା । କଲିକତାକୁ କେନ୍ଦ୍ର କରି ଇଂରେଜମାନେ ଭାରତକୁ ୧୭୭୨ରୁ ୧୯୧୧ ଯାଏଁ ପ୍ରାୟ ୧୩୯ ଵର୍ଷ ଶାସନ କରିଥିଲେ । କିନ୍ତୁ କାଳକ୍ରମେ କଲିକତା ସହରରେ ଅନେକ ସମସ୍ୟା ଦେଖାଦେଲା ।
ଇଂରେଜମାନଙ୍କ ପାଇଁ କଲିକତାର ଭୌଗୋଳିକ ଅଵସ୍ଥାନ ଏକ ବଡ଼ ସମସ୍ୟାରେ ପରିଣତ ହୋଇଥିଲା। ଭାରତ ଏକ ଵିଶାଳ ଉପମହାଦେଶ, ଯାହାର ଉତ୍ତର-ପଶ୍ଚିମ ସୀମାନ୍ତରୁ ପୂର୍ଵ ଉପକୂଳ ପର୍ଯ୍ୟନ୍ତ ଅନେକ ହଜାର ମାଇଲ୍ ଦୂରଵର୍ତ୍ତୀ। କଲିକତା ଵଙ୍ଗୋପସାଗରର କୂଳରେ ଅଵସ୍ଥିତ ଥିଵାରୁ ଏହା ବ୍ରିଟିଶ୍ ସୈନ୍ୟଵାହିନୀର ପ୍ରଧାନ ଅଂଶ ଏଵଂ ରାଜନୈତିକ କାର୍ଯ୍ୟାଳୟ ଅଵସ୍ଥିତ ଥିଵା ଉତ୍ତର-ପଶ୍ଚିମ ପ୍ରଦେଶଗୁଡ଼ିକରୁ ଅତ୍ୟନ୍ତ ଦୂରଵର୍ତ୍ତୀ ଥିଲା । ପଞ୍ଜାବ, ରାଜପୁତାନା ଏଵଂ ଉତ୍ତର-ପଶ୍ଚିମ ଫ୍ରଣ୍ଟିୟର୍ ପ୍ରଦେଶ ଅଞ୍ଚଳଗୁଡ଼ିକରୁ ଶାସନ ପାଇଁ କଲିକତାକୁ ଯାତ୍ରା କରିଵା ଦ୍ୱାରା ଅତ୍ୟନ୍ତ ସମୟ ଓ ଧନ ଵ୍ୟୟ ହେଉଥିଲା। ରେଳପଥ ଵିକାଶ ସତ୍ତ୍ୱେ ମଧ୍ୟ ଏହି ଦୂରତ୍ୱ ଏକ ବଡ଼ ଅସୁଵିଧା ସୃଷ୍ଟି କରୁଥିଲା। ଊନଵିଂଶ ଶତାବ୍ଦୀର ଆରମ୍ଭରେ ବ୍ରିଟିଶ୍ ଅଧିକାରୀମାନେ ଏକ କେନ୍ଦ୍ରୀୟ ସ୍ଥାନର ଆଵଶ୍ୟକତା ଅନୁଭଵ କରୁଥିଲେ ଯେଉଁଠାରୁ ସମଗ୍ର ଉପମହାଦେଶକୁ ସମାନରୂପେ ନିୟନ୍ତ୍ରଣ କରିପାରିଵ । ରାଜନୈତିକ ଅସ୍ଥିରତା ଏଵଂ ଜାତୀୟତାଵାଦୀ ଆନ୍ଦୋଳନର ଉତ୍ଥାନ କାରଣରୁ ବି କଲିକତା ସହର ଇଂରେଜମାନଙ୍କ ପାଇଁ ଅସୁଵିଧାଜନକ କରିଦେଇଥିଲା। ୧୯୦୫ ମସିହାରେ Lord Curzonଙ୍କ ଦ୍ୱାରା ବଙ୍ଗର ଵିଭାଜନ ହେଲା। ଏହି ଵିଭାଜନ ହିନ୍ଦୁ-ମୁସଲମାନ୍ ସମ୍ପ୍ରଦାୟଗତ ଵିଭାଜନ ଉଦ୍ଦେଶ୍ୟରେ କରାଯାଇଥିଲା ଏଵଂ ଏହା ଭାରତୀୟ ଜାତୀୟତାଵାଦୀମାନଙ୍କୁ ଉତ୍ତେଜିତ କରିଥିଲା।
ସ୍ୱଦେଶୀ ଆନ୍ଦୋଳନ ସମୟରେ କଲିକତାର ଅନେକ ଲୋକେ ସକ୍ରିୟ ଥିଲେ । କଲିକତା ଏହି ଆନ୍ଦୋଳନର କେନ୍ଦ୍ରଭୂମି ଥିଲା ଏଵଂ ଵୈପ୍ଳଵିକ କାର୍ଯ୍ୟକଳାପରେ ଏ ଅଞ୍ଚଳରେ ଅନେକ ଘଟଣା ଦୁର୍ଘଟଣା ଘଟୁଥିଲା। କଲିକତାରେ ବାରମ୍ବାର ବୋମା ବିସ୍ଫୋରଣ,Boycott, ଆନ୍ଦୋଳନ ଆଦି ଘଟଣାଗୁଡ଼ିକ ବ୍ରିଟିଶ୍ ଅଧିକାରୀମାନଙ୍କୁ ଚିନ୍ତିତ୍ କରିଥିଲା। ଏହି ଅସ୍ଥିରତା କଲିକତାକୁ ରାଜଧାନୀ ଭାବେ ଅନିରାପଦ କରିଦେଇଥିଲା ଏଵଂ ବ୍ରିଟିଶ୍ ସରକାର ଏକ ନୂତନ ସ୍ଥାନର ଆଵଶ୍ୟକତା ଅନୁଭଵ କରିଥିଲେ । ଏପଟେ ବ୍ରିଟିଶ୍ ସାମ୍ରାଜ୍ୟର Russia ଓ Germany ଆଦି ମୁଖ୍ୟ ପ୍ରଧାନ ଵିରୋଧୀ ରାଷ୍ଟ୍ରଗୁଡ଼ିକ ଉତ୍ତର-ପଶ୍ଚିମ ସୀମାନ୍ତରୁ ଆକ୍ରମଣର ଵିପଦ ସୃଷ୍ଟି କରୁଥିଲେ। "ଗ୍ରେଟ୍ ଗେମ୍" ନାମକ ରାଜନୈତିକ ଖେଳରେ ରୁଷିଆର କାର୍ଯ୍ୟ Afghanistan ଓ NWFP ଅଞ୍ଚଳରେ ଵଡ଼ ଵିପଦ ସୃଷ୍ଟି କରୁଥିଲା। କଲିକତାରୁ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିଵା ଅସମ୍ଭଵ ପ୍ରାୟ ଥିଲା, ଯାହା ବ୍ରିଟିଶ୍ ସାମ୍ରାଜ୍ୟର ସୁରକ୍ଷାକୁ ଦୁର୍ଵଳ କରୁଥିଲା।
ପ୍ରଶାସନିକ ଏଵଂ ସାମାଜିକ କାରଣଗୁଡ଼ିକ ଯୋଗୁଁ ମଧ୍ୟ କଲିକତାରୁ ବ୍ରିଟିଶ ଭାରତର ରାଜଧାନୀ ହଟାଇଵାକୁ ଇଂରେଜମାନେ ବାଧ୍ୟ ହୋଇଥିଲେ। କଲିକତାର ଜନସଂଖ୍ୟା ଵୃଦ୍ଧି, ବାରମ୍ବାର ଦୁର୍ଭିକ୍ଷ ଏଵଂ ମାଲେରିଆ ଓ ପ୍ଲେଗ୍ ରୋଗର ମହାମାରୀ ଆଦି ମଧ୍ୟ ଏହାକୁ ଏକ ରାଜଧାନୀ ରୂପେ ଅନୁପଯୁକ୍ତ କରିଦେଇଥିଲା।
ବ୍ରିଟିଶ୍ ଭାରତର ରାଜଧାନୀକୁ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଵାର ନିଷ୍ପତ୍ତି ଏକ ଅତ୍ୟନ୍ତ ଗୋପନୀୟ ପ୍ରକ୍ରିୟା ଥିଲା ଯାହା କେଵଳ ଉଚ୍ଚସ୍ତରୀୟ ବ୍ରିଟିଶ୍ ଅଧିକାରୀମାନଙ୍କ ମଧ୍ୟରେ ସୀମିତ ରହିଥିଲା ଏଵଂ ଏହାର ଘୋଷଣା ସମୟରେ ଅଧିକାଂଶ ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ଚର୍ଯ୍ୟର ଵିଷୟ ହୋଇଯାଇଥିଲା ।
୧୯୧୧ ମସିହାର ପ୍ରାରମ୍ଭରେ ଭାଇସରଏ ଲର୍ଡ୍ ହାର୍ଡିଙ୍ଗ୍ଙ୍କ ଅଧୀନରେ ଏକ ଆଠଜଣିଆ କମିଟି ଗଠନ ହୋଇଥିଲା ଏଵଂ ଏହି କମିଟି କଲିକତାକୁ ରାଜଧାନୀ ରୂପେ ରଖିଵାର ସମ୍ଭାଵନା ଯାଞ୍ଚ କରିଥିଲା । ବହୁ ଵିଚାର ଆଲୋଚନା ପରେ କମିଟି ଶେଷରେ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତର କରିଵାର ପ୍ରସ୍ତାବ ଦେଇଥିଲା। ଅଗଷ୍ଟ ୨୫ ତାରିଖରେ ଲର୍ଡ୍ ହାର୍ଡିଙ୍ଗ୍ ସିମଳାରୁ ଲଣ୍ଡନକୁ ଇଣ୍ଡିଆର ସେକ୍ରେଟାରି ଅଫ୍ ଷ୍ଟେଟ୍ ଅର୍ଲ୍ ଅଫ୍ କ୍ରିଉକୁ ଏକ ଗୋପନ ଚିଠି ଲେଖି ଦିଲ୍ଲୀକୁ ରାଜଧାନୀ କରିଵାର ପ୍ରସ୍ତାବ ଦେଇଥିଲେ ଏଵଂ ତତ୍ ସହିତ ବଙ୍ଗଭଙ୍ଗ ରଦ୍ଦ କରିଵାର ଯୋଜନା ମଧ୍ୟ ଥିଲା । ଏହା ଜାତୀୟତାଵାଦୀଙ୍କୁ ଶାନ୍ତ କରିଵାର ଏକ ରାଜନୈତିକ କୌଶଳ ଥିଲା। ଏହି ପ୍ରସ୍ତାବ ଲଣ୍ଡନରେ ଶୀଘ୍ର ଅନୁମୋଦିତ ହେଲା ଏଵଂ ବ୍ରିଟେନର ରାଜା ଜର୍ଜ୍ ପଞ୍ଚମଙ୍କ ସହିତ ଆଲୋଚନା ପରେ ଏହାକୁ ତାଙ୍କ ଭାରତ ଆଗମନ ସମୟରେ ଘୋଷଣା କରିଵାର ନିଷ୍ପତ୍ତି ହେଲା। ଏହି ସମଗ୍ର ପ୍ରକ୍ରିୟାରେ ଗୋପନୀୟତା ଏତେ କଡ଼ା ଥିଲା ଯେ ପୂର୍ଵତନ ଭାଇସରଏମାନେ ବଙ୍ଗର ଲେଫ୍ଟନାଣ୍ଟ ଜେନେରାଲ୍ ଆଦି ଉଚ୍ଚ ଅଧିକାରୀ କେହି ଏ ଵିଷୟରେ ଜାଣି ନଥିଲେ ଏଵଂ କେଵଳ ଦଶରୁ କମ୍ ଲୋକ ଏହା ଵିଷୟରେ ଅବଗତ ଥିଲେ। ଚିଠିପତ୍ର ଓ ଆଲୋଚନାକୁ "ମୋଷ୍ଟ ସିକ୍ରେଟ୍" ଚିହ୍ନିତ କରାଯାଇଥିଲା ଏଵଂ ବ୍ରିଟେନର ରାଜା ନିଜେ ସେପ୍ଟେମ୍ବରରେ ଲର୍ଡ୍ ହାର୍ଡିଙ୍ଗଙ୍କୁ ଲେଖିଥିଲେ ଯେ ଏହା କେଵଳ ତାଙ୍କ ଓ ତାଙ୍କର ଦୁଇଜଣ ନିକଟତମ ସହଯୋଗୀଙ୍କୁ ଜଣା ଅଛି। ଇଂରେଜମାନଙ୍କ ମନରେ ଭୟ ଥିଲା ଯେ ଯଦି ଏହା ପୂର୍ଵରୁ ଜଣାପଡ଼େ ତେବେ କଲିକତାରେ କିମ୍ବା ଅନ୍ୟତ୍ର ଵିରୋଧ ଉଠିପାରେ ଏବଂ ବଙ୍ଗଭଙ୍ଗ ରଦ୍ଦର ପ୍ରଭାଵ କମିଯାଇପାରେ। ଫଳରେ ଡିସେମ୍ବର ୧୨ ତାରିଖରେ କରୋନେସନ୍ ପାର୍କରେ ହୋଇଥିଵା ଦିଲ୍ଲୀ ଦରବାରରେ ଲକ୍ଷାଧିକ ଲୋକଙ୍କ ସମ୍ମୁଖରେ ରାଜା ଜର୍ଜ୍ ପଞ୍ଚମ ଓ ରାଣୀ ମେରି ଉପସ୍ଥିତ ରହି ଏହି ଘୋଷଣା କଲେ ଯାହା ଅଧିକାଂଶଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା ଏଵଂ ଘୋଷଣା ସମୟରେ ରାଜାଙ୍କ ଶୁଷ୍କ ଓ କଠୋର ସ୍ୱରରେ କୁହାଯାଇଥିଵାରୁ ଦୂରରେ ଠିଆ ହୋଇଥିଵା ଲୋକମାନେ ପ୍ରଥମେ ବୁଝି ପାରିନଥିଲେ। କୌଣସି ବ୍ରିଟିଶ୍ ରାଜା ଭାରତରେ ନିଜେ ଉପସ୍ଥିତ ରହି ଦରବାର କରି ଏପରି ବଡ଼ ରାଜନୈତିକ ଘୋଷଣା କଲେ ଯାହା ଇତିହାସରେ ପ୍ରଥମ ଥର ଘଟିଥିଲା ।
ରାଜା ଜର୍ଜ୍ ପଞ୍ଚମଙ୍କ ଦ୍ୱାରା ରାଜଧାନୀକୁ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଵାର ଘୋଷଣା କରାଯିଵା ପରେ କଲିକତାରେ କୌଣସି ବଡ଼ ଧରଣର ଵିରୋଧ ଵା ଆନ୍ଦୋଳନ ହୋଇନଥିଲା। ଏହି ଘୋଷଣା ସହିତ ବଙ୍ଗଭଙ୍ଗ ରଦ୍ଦ ହେଵାର ଖବର ମଧ୍ୟ ଥିଲା ଏଵଂ ତାହା ବଙ୍ଗର ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଏକ ବଡ଼ ଵିଜୟ ଥିଲା କାରଣ ସେମାନେ ଦୀର୍ଘ ଦିନରୁ ବଙ୍ଗଭଙ୍ଗ ବିରୁଦ୍ଧରେ ସ୍ୱଦେଶୀ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରତିଵାଦ କରି ଆସୁଥିଲେ। ଫଳରେ ରାଜଧାନୀ ହରାଇଵାର ଦୁଃଖ ସତ୍ତ୍ୱେ ମଧ୍ୟ ବଙ୍ଗୀୟ ହିନ୍ଦୁମାନେ ଏହି ଦୁଇଟି ଘୋଷଣାକୁ ଏକ ମିଶ୍ରିତ ଅନୁଭଵ ଭାବେ ଗ୍ରହଣ କରିଥିଲେ ଏଵଂ ଏଥିରେ ବଙ୍ଗଭଙ୍ଗ ରଦ୍ଦର ଆନନ୍ଦ ଅଧିକ ଥିଲା। କଲିକତାର ବଙ୍ଗୀୟ ବୁଦ୍ଧିଜୀଵୀମାନେ କଲିକତାର ରାଜଧାନୀ ଉଠିଯିଵା ଜାଣି ନିରାଶ ହୋଇଥିଲେ ଏଵଂ ଏହାକୁ ବଙ୍ଗର ପ୍ରତିପତ୍ତି ଉପରେ ଏକ ଆଘାତ ଭାବେ ଦେଖିଥିଲେ କାରଣ କଲିକତା ବ୍ରିଟିଶ୍ ଭାରତର ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ କେନ୍ଦ୍ର ଥିଲା। ହିନ୍ଦୁ ପେଟ୍ରିଅଟ୍ ଭଳି କେତେକ ସମକାଳୀନ ଖବରକାଗଜ ଏହାକୁ ବଙ୍ଗର ପ୍ରତିପତ୍ତି ପ୍ରତି ଏକ ଗମ୍ଭୀର ଆଘାତ ବୋଲି ଲେଖିଥିଲେ ଏଵଂ କଲିକତାର ଭଵିଷ୍ୟତ ସମ୍ବନ୍ଧରେ ଚିନ୍ତା ପ୍ରକାଶ କରିଥିଲେ। କିନ୍ତୁ ଏହି ନିରାଶା ରାସ୍ତାକୁ ଓହ୍ଲାଇ ବଡ଼ ଧରଣର ବିକ୍ଷୋଭ ବା ଦଙ୍ଗା ରୂପ ନେଇନଥିଲା। ଘୋଷଣା ପରେ ରାଜା ଜର୍ଜ୍ ପଞ୍ଚମ ଡିସେମ୍ବର ଶେଷରେ କଲିକତା ଆସି ଏକ ସପ୍ତାହ ରହିଥିଲେ । ଭିକ୍ଟୋରିଆ ମେମୋରିଆଲ୍ ଭଳି ସ୍ଥାନ ପରିଦର୍ଶନ କରିଥିଲେ । ପୋଲୋ ମ୍ୟାଚ୍ ଦେଖିଥିଲେ ଏଵଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କିନ୍ତୁ ସେଠାରେ କୌଣସି ଵିରୋଧ ଵା ଆନ୍ଦୋଳନର ଚିହ୍ନ ଦେଖାଯାଇନଥିଲା। ବଙ୍ଗଭଙ୍ଗ ରଦ୍ଦର ଆନନ୍ଦ ରାଜଧାନୀ ସ୍ଥାନାନ୍ତରର ଦୁଃଖକୁ ଢାଙ୍କି ଦେଇଥିଲା। ଅନ୍ୟପକ୍ଷରେ ମୁସଲମାନ ସମ୍ପ୍ରଦାୟ ବଙ୍ଗଭଙ୍ଗ ରଦ୍ଦରେ ଅଧିକ ନିରାଶ ହୋଇଥିଲେ ।
ରାଜଧାନୀ ସ୍ଥାନାନ୍ତରଣର ଘୋଷଣା ପରେ ନୂଆ ରାଜଧାନୀ ନିର୍ମାଣର ଯୋଜନା ଆରମ୍ଭ ହେଲା କିନ୍ତୁ ପୁରୁଣା ଦିଲ୍ଲୀ ନୁହେଁ ଵରଂ ରାଇସିନା ପାହାଡ଼ ନିକଟରେ ଏକ ସମ୍ପୂର୍ଣ୍ଣ ନୂଆ ସହର ରୂପେ ଡିଜାଇନ୍ କରାଗଲା। ୧୯୧୨ରେ ଦିଲ୍ଲୀ ଟାଉନ୍ ପ୍ଲାନିଙ୍ଗ୍ କମିଟି ଗଠନ ହେଲା ଏଵଂ ପ୍ରସିଦ୍ଧ ବ୍ରିଟିଶ୍ ସ୍ଥାପତ୍ୟକାର ସର୍ ଏଡ଼ୱିନ୍ ଲୁଟିଏନ୍ସ୍ ଓ ସର୍ ହର୍ବର୍ଟ୍ ବେକର୍ଙ୍କୁ ଏହାର ଦାୟିତ୍ୱ ଦିଆଗଲା। ଲୁଟିଏନ୍ସ୍ ସମଗ୍ର ଲେଆଉଟ୍ ଯୋଜନା କରି ଭାଇସରଏଙ୍କ ପ୍ୟାଲେସ୍ ଡିଜାଇନ୍ କରିଥିଲେ ଏଵଂ ବେକର୍ ସେକ୍ରେଟାରିଏଟ୍ ବିଲ୍ଡିଙ୍ଗ୍ ଉତ୍ତର ଓ ଦକ୍ଷିଣ ବ୍ଲକ୍ ସଂସଦ ଭଵନ ଆଦି ନିର୍ମାଣ କରିଥିଲେ। ଏହି ସ୍ଥାପତ୍ୟରେ ପାଶ୍ଚାତ୍ୟ ଶାସ୍ତ୍ରୀୟ ଶୈଳୀ ସହିତ ଛତ୍ର ଓ ଜାଲି ଆଦି ଭାରତୀୟ ଉପାଦାନ ଯେମିତି ମିଶ୍ରିତ ହୋଇଥିଲା ଯାହାକୁ ଇଣ୍ଡୋ ସାରାସେନିକ୍ ଵା ଦିଲ୍ଲୀ ଅର୍ଡର୍ କୁହାଯାଏ। ରାଜପଥ ଓ ଇଣ୍ଡିଆ ଗେଟ୍ ଆଦି ଏହି ଯୋଜନାର ମୁଖ୍ୟ ଅଂଶ ଥିଲା ଏଵଂ ତାହା ସାମ୍ରାଜ୍ୟଵାଦୀ ଗରିମା ପ୍ରକାଶ କରୁଥିଲା। ତେବେ ନୂତନ ରାଜଧାନୀର ନିର୍ମାଣ କାର୍ଯ୍ୟ ପ୍ରଥମ ଵିଶ୍ୱଯୁଦ୍ଧ ଯୋଗୁଁ ଵିଳମ୍ବିତ ହେଲା ଏଵଂ ଖର୍ଚ୍ଚ ଅନୁମାନରୁ ଅଧିକ ହେଲା । ସେତେବେଳେ ଏଥିପାଇଁ ପ୍ରାୟ ଚାରି ମିଲିୟନ୍ ପାଉଣ୍ଡ୍ ଷ୍ଟର୍ଲିଙ୍ଗ୍ ଵ୍ୟୟ ହୋଇଥିଲା। ଶେଷରେ ୧୯୩୧ ମସିହା ଫେବୃଆରି ୧୩ ତାରିଖରେ ଭାଇସରଏ ଲର୍ଡ୍ ଇର୍ୱିନ୍ ନୂଆ ଦିଲ୍ଲୀକୁ ଆନୁଷ୍ଠାନିକ ଭାବେ ରାଜଧାନୀ ରୂପେ ଉଦ୍ଘାଟନ କଲେ ଏଵଂ ଏହା ବ୍ରିଟିଶ୍ ସାମ୍ରାଜ୍ୟଵାଦର ଅନ୍ତିମ ବଡ଼ ନିର୍ମାଣ ପ୍ରକଳ୍ପ ଥିଲା ।
ମହାଭାରତ କାଳରୁ ଅର୍ଥାତ୍ ଆଜକୁ ପ୍ରାୟ ୫୦୦୦ ଵର୍ଷରୁ ଦିଲ୍ଲୀ ଭାରତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇ ରହିଛି ଏଵଂ ଏହାର ଐତିହାସିକ ପୃଷ୍ଠଭୂମି ଅତ୍ୟନ୍ତ ସମୃଦ୍ଧ ଅଟେ। କିନ୍ତୁ କୁହାଯାଏ ଆଜିଯାଏଁ ଯିଏ ବି ଆକ୍ରମଣକାରୀ ଵିଦେଶୀ ଶକ୍ତି ଦିଲ୍ଲୀକୁ ରାଜଧାନୀ କରିଛି ତାହାର ପତ୍ତନ ହୋଇଯାଇଛି ।
ଦିଲ୍ଲୀର ଦୀର୍ଘ ଐତିହାସିକ ଯାତ୍ରାରେ ବାରମ୍ବାର ଉତ୍ଥାନ ପତନ ଏବଂ ସାମ୍ରାଜ୍ୟଗୁଡ଼ିକର ଧ୍ୱଂସ ହୋଇଛି । ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦିଲ୍ଲୀ ଅନେକ ସାମ୍ରାଜ୍ୟର ରାଜଧାନୀ ହୋଇଥିଵାରୁ ଏହାକୁ ସାତ କିମ୍ବା ଆଠ ନଗରର ନଗର ବୋଲି କୁହାଯାଏ। ପ୍ରତ୍ୟେକ ନୂଆ ଶାସକ ଦିଲ୍ଲୀରେ ନିଜର ନଗର ଗଢ଼ିଥିଲେ ଏଵଂ ପୁରୁଣା ନଗରଗୁଡ଼ିକୁ ଧ୍ୱଂସ କରିଥିଲେ କିମ୍ବା ଅଵହେଳା କରିଥିଲେ। ଏହି କାରଣରୁ ଦିଲ୍ଲୀକୁ ଅନେକ ସାମ୍ରାଜ୍ୟର କବରସ୍ଥାନ ବୋଲି ମଧ୍ୟ କୁହାଯାଏ। ଯେଉଁ ଶାସକମାନେ ଏଠାକୁ ରାଜଧାନୀ କଲେ ସେମାନଙ୍କ ସାମ୍ରାଜ୍ୟ ଅଧିକ ଦିନ ତିଷ୍ଠିପାରିଲା ନାହିଁ ଏଵଂ ଆକ୍ରମଣକାରୀମାନେ ଏହାକୁ ଲୁଟ କରି ଧ୍ୱଂସ କରିଦେଇଥିଲେ।
ଦିଲ୍ଲୀର ଇତିହାସ ମହାଭାରତ କାଳରୁ ଆରମ୍ଭ ହୋଇଥାଏ। ମହାଭାରତରେ ଏହାକୁ ଇନ୍ଦ୍ରପ୍ରସ୍ଥ ନାମରେ ଉଲ୍ଲେଖ କରାଯାଇଛି ଏଵଂ ସେତେବେଳେ ଏହା ପାଣ୍ଡଵମାନଙ୍କ ରାଜଧାନୀ ଥିଲା। ପୌରାଣିକ କାହାଣୀ ଅନୁସାରେ ଇନ୍ଦ୍ରପ୍ରସ୍ଥ ନିର୍ମାଣ ପୂର୍ଵରୁ ଖାଣ୍ଡବ ଵନକୁ ଜାଳି ଦିଆଯାଇଥିଲା ଯାହା ନାଗମାନଙ୍କ ବାସସ୍ଥାନ ଥିଲା। ଏହାକୁ କେତେକ ଅଶୁଭର କାରଣ ବୋଲି ଵିଶ୍ୱାସ କରନ୍ତି। ଇନ୍ଦ୍ରପ୍ରସ୍ଥ ନିର୍ମାଣର କେତେକ ଵର୍ଷ ପରେ ପାଣ୍ଡଵମାନେ ନିଜ ରାଜ୍ୟ ହରାଇ ବାରଵର୍ଷ ଵନଵାସ ଏଵଂ ଏକ ଵର୍ଷ ଅଜ୍ଞାତଵାସ କରିଵାକୁ ଏକପ୍ରକାରେ ଵାଧ୍ୟ ହୋଇଥିଲେ ।
ଦିଲ୍ଲୀ ଅନେକ ଥର ଵିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଲୁଣ୍ଠିତ ହୋଇଛି ଏଵଂ ଏହି ଆକ୍ରମଣକାରୀମାନେ ପ୍ରଚୁର ଧନରତ୍ନ ନେଇ ଫେରିଯାଇଛନ୍ତି କିନ୍ତୁ ତନ୍ମଧ୍ୟରୁ ଅଧିକାଂଶ ଏଠାରେ ସ୍ଥାୟୀ ଶାସକ ହୋଇ ରାଜଧାନୀ ଗଢ଼ି ଶାସନ କରିନଥିଲେ । ତେବେ ଯିଏ ବି ଦିଲ୍ଲୀକୁ ଲୁଣ୍ଠନ କଲା ତାହାର ମୃତ୍ୟୁ ଭୟଙ୍କର ହୋଇଥିଲା । ମହମୁଦ ଗଜନଵୀ ମାଲେରିଆ ଏଵଂ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିଲା । ଦିଲ୍ଲୀକୁ ଲୁଟିଵା ପରେ ଭାରତରୁ ଘଜନି ଫେରୁଥିଵା ସମୟରେ ମହମ୍ମଦ ଘୋରୀ ପଞ୍ଜାଵର ଧାମିଆକ ନାମକ ସ୍ଥାନରେ ନିଜର ଶିବିର ପକାଇଥିଲା । ଏହି ଆକ୍ରମଣକାରୀମାନେ ଘୋରୀକୁ ଛୁରୀ ଵା ଅନ୍ୟ ଧାରୁଆ ଅସ୍ତ୍ରରେ ଆଘାତ କରି ହତ୍ୟା କରିଥିଲେ ଏଵଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ତିମୁର ଦିଲ୍ଲୀ ଲୁଣ୍ଠନ କରି ନିଜ ଦେଶ ସମରକନ୍ଦ ଫେରିଯାଇଥିଲା କିନ୍ତୁ ସେ ମଧ୍ୟ ବେଶି ଦିନ ବଞ୍ଚି ପାରିନଥିଲା ଏଵଂ ଵିଭିନ୍ନ ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ମରିଯାଇଥିଲା ।
ବାବର ପାନିପଥର ପ୍ରଥମ ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କୁ ପରାଜିତ କରି ଦିଲ୍ଲୀ ଏଵଂ ଆଗ୍ରା ଅଧିକାର କରି ହିନ୍ଦୁସ୍ତାନର ସମ୍ରାଟ ଘୋଷିତ ହୋଇଥିଲା। କିନ୍ତୁ ସେ ବେଶି ଦିନ ବଞ୍ଚି ପାରିନଥିଲା ଏଵଂ ଏହାର ଚାରି ଵର୍ଷ ପରେ ମରିଯାଇଥିଲା । ତାର ପୁଅ ହୁମାୟୁନ ମଧ୍ୟ ନିର୍ଵାସନ ଭୋଗିଥିଲା ଏଵଂ ଦିଲ୍ଲୀରେ ମାତ୍ର ଦଶ ଵର୍ଷ ପ୍ରକୃତ ଶାସକ ହୋଇ ପାରିଥିଲା ।
ନାଦିର ଶାହ ଦିଲ୍ଲୀରେ ହଜାର ହଜାର ଲୋକଙ୍କର ହତ୍ୟା କରାଇଥିଲା ଏଵଂ କୋହିନୂର ହୀରା ଓ ମୟୂର ସିଂହାସନ ଲୁଣ୍ଠନ କରିଥିଲା। ନାଦିର ଶାହ ଏହି ଲୁଣ୍ଠନ ପରେ ପର୍ସିଆ ଫେରିଯାଇଥିଲା କିନ୍ତୁ ଏହାର ଆଠ ଵର୍ଷପରେ ତାହାର ନିଜ ସୈନିକମାନେ ହିଁ ତାକୁ ନିର୍ମମ ଭାବେ ହତ୍ୟା କରିଥିଲେ । ଅହମଦ ଶାହ ଅବଦାଲି ଏକାଧିକ ଥର ଦିଲ୍ଲୀ ଆକ୍ରମଣ କରି ଲୁଣ୍ଠନ କରିଥିଲା ଏଵଂ ଏହାର ଫଳସ୍ଵରୂପ କର୍କଟ ରୋଗରେ ଭୟଙ୍କର କଷ୍ଟ ଭୋଗି ମୃତ୍ୟୁ ଵରଣ କରିଥିଲା ।
ଯୋଉମାନେ ଦିଲ୍ଲୀରେ ନିଜର ନଗର ଗଢ଼ିଲେ ସେମାନଙ୍କର ସେ ନଗର ବି ବେଶି ଦିନ ତିଷ୍ଠି ପାରିଲା ନାହିଁ । ତୋମର ଓ ଚୌହାନ ରାଜପୁତମାନେ ଲାଲକୋଟ ଵା କିଲ୍ଲା ରାୟ ପିଥୋରା ଗଢ଼ାଇଥିଲେ । ସିରିନଗର ଖିଲଜି ବଂଶ ଗଢ଼ାଇଥିଲା। ତୁଘଲକାବାଦ ତୁଘଲକ ବଂଶର ଗିୟାସୁଦ୍ଦିନ ତୁଘଲକ ଗଢ଼ାଇଥିଲା ଏଵଂ ଏହାକୁ ନିଜାମୁଦ୍ଦିନ ଅଉଲିଆଙ୍କ ଅଭିଶାପ ଲାଗିଥିଵା କିମ୍ବଦନ୍ତୀ ରହିଛି। ଜହାନପନାହ, ମହମ୍ମଦ ବିନ ତୁଘଲକ ଗଢ଼ାଇଥିଲା। ଫିରୋଜାବାଦ, ଫିରୋଜ ଶାହ ତୁଘଲକ ଗଢ଼ାଇଥିଲା। ଦିନପନାହ ଵା ପୁରାନା କିଲା ହୁମାୟୁନ ଏଵଂ ଶେର ଶା ସୂରୀଙ୍କ ସମୟରେ ଗଢ଼ାଯାଇଥିଲା । ଶାହଜାହାନାବାଦ ଶାହଜାହାନ ଗଢ଼ାଇଥିଲା । ଶେଷରେ ଅଷ୍ଟମ ନଗର ନୂଆଦିଲ୍ଲୀ ବ୍ରିଟିଶମାନେ ଗଢ଼ାଇଥିଲେ।
ଅଧିକାଂଶ ନଗର ଗଢ଼ାଯିଵା ପରେ ଅଳ୍ପ କାଳ ମଧ୍ୟରେ ଧ୍ୱଂସ ହୋଇଯାଇଥିଲା। ତୁଘଲକାବାଦକୁ ସୁଫି ସନ୍ଥ ନିଜାମୁଦ୍ଦିନ ଅଉଲିଆଙ୍କ ଅଭିଶାପ ଲାଗିଥିଵା କୁହାଯାଏ କାରଣ ଗିୟାସୁଦ୍ଦିନ ତୁଘଲକ ତାଙ୍କ ସହ ଵିଵାଦ କରିଥିଲେ ଏଵଂ ନଗର ନିର୍ମାଣ ପାଇଁ ଲୋକମାନଙ୍କୁ ବାଧ୍ୟ କରିଥିଲେ। ସନ୍ଥ କହିଥିଲେ ଦିଲ୍ଲୀ ଏବେ ବହୁତ ଦୂରରେ ଅଛି ଅର୍ଥାତ୍ ଏହି ନଗର ଶୀଘ୍ର ଶୂନ୍ୟ ହୋଇଯିଵ। ଏହି ଅଭିଶାପ ପରେ ତୁଘଲକାବାଦ ଅଳ୍ପ କାଳ ମଧ୍ୟରେ ପରିତ୍ୟକ୍ତ ହୋଇଗଲା। ସେହିଭଳି ଅନ୍ୟ ନଗରଗୁଡ଼ିକ ମଧ୍ୟ ଆକ୍ରମଣକାରୀମାନଙ୍କ ଦ୍ୱାରା ଧ୍ୱଂସ ହୋଇଥିଲା। ମଙ୍ଗୋଲ ଆକ୍ରମଣଠାରୁ ଆରମ୍ଭ କରି ନାଦିର ଶାହ ଏଵଂ ଆହମଦ ଶାହ ଅବଦାଲିଙ୍କ ଆକ୍ରମଣ ପର୍ଯ୍ୟନ୍ତ ଦିଲ୍ଲୀ ବାରମ୍ବାର ଲୁଟ ହୋଇଛି। ମୋଗଲ ସାମ୍ରାଜ୍ୟ ମଧ୍ୟ ଦିଲ୍ଲୀରୁ ଶାସନ କରିଥିଲା କିନ୍ତୁ ଅନ୍ତିମ କାଳରେ ଦୁର୍ଵଳ ହୋଇ ବ୍ରିଟିଶମାନଙ୍କ ହାତରେ ପଡ଼ିଥିଲା। ବ୍ରିଟିଶମାନେ ବି କଲିକତାଠାରୁ ରାଜଧାନୀ ନୂଆଦିଲ୍ଲୀକୁ ସ୍ଥାନାନ୍ତର କଲେ କିନ୍ତୁ ସେମାନଙ୍କ ଶାସନ ମଧ୍ୟ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏଵଂ ୧୯୪୭ରେ ଭାରତ ସ୍ୱାଧୀନ ହେଲା।
ଦିଲ୍ଲୀର ଏହି ବାରମ୍ବାର ଧ୍ୱଂସ ଏଵଂ ପତନର କାରଣ ଏହାର ଭୌଗୋଳିକ ଅଵସ୍ଥିତି ଅଟେ । ଏହା ଉତ୍ତର ଭାରତର ମଧ୍ୟଭାଗରେ ଅଵସ୍ଥିତ ଏଵଂ ହିମାଳୟ ପାଦଦେଶରୁ ଆସୁଥିଵା ଆକ୍ରମଣକାରୀମାନଙ୍କ ପାଇଁ ଦିଲ୍ଲୀ ସବୁବେଳେ ପ୍ରଥମ ଲକ୍ଷ୍ୟ ହେଉଥିଲା। ଯେଉଁମାନେ ଭାରତ ଆକ୍ରମଣ କଲେ ସେମାନେ ପ୍ରଥମେ ଦିଲ୍ଲୀକୁ ଟାର୍ଗେଟ କଲେ କାରଣ ଏଠାରୁ ଗଙ୍ଗା ଉପତ୍ୟକା ନିୟନ୍ତ୍ରଣ କରାଯାଇପାରୁଥିଲା। ଏହି ରଣନୈତିକ ଗୁରୁତ୍ୱ ଦିଲ୍ଲୀକୁ ଶକ୍ତିଶାଳୀ କଲା କିନ୍ତୁ ଏହାକୁ ଅଶୁଭ ମଧ୍ୟ କଲା କାରଣ ଶାସକମାନେ ଅଧିକ ଦିନ ଶାନ୍ତିରେ ରାଜତ୍ୱ କରିପାରିଲେ ନାହିଁ। ଭାରତରେ କେବେ ସୂର୍ଯ୍ୟାସ୍ତ ହେଉନଥିଵା ବ୍ରିଟିଶ ସାମ୍ରାଜ୍ୟର ଇତିହାସ ସୁରତ ନଗରରୁ ଆରମ୍ଭ ହେଲା । ବମ୍ବେ, ମାଡ୍ରାସ ଓ କଲିକତାରୁ ଇଂରେଜମାନେ ଭାରତକୁ ନିୟନ୍ତ୍ରଣ କରି ରଖିଲେ । ପରେ କଲିକତାକୁ କେନ୍ଦ୍ର କରି ସମ୍ପୂର୍ଣ୍ଣ ଭାରତକୁ ଶାସନ କଲେ କିନ୍ତୁ ତାଙ୍କ ଶାସନର ପତନ ନୂଆଦିଲ୍ଲୀକୁ ରାଜଧାନୀ କରିଵା ପରଠାରୁ ହିଁ ଆରମ୍ଭ ହୋଇଯାଇଥିଲା ।
ତଥ୍ୟ ଉତ୍ସ:
୧. "The Voyages of Sir James Lancaster to the East Indies" ବହିର ଲେଖକ Sir William Foster (Hakluyt Society)।
୨. "British Beginnings in Western India" ବହିର ଲେଖକ H.G. Rawlinson।
୩. "The History of the Indian Navy" ବହିର ଲେଖକ Charles Rathbone Low।
୪. "Bombay: The Cities Within" ବହିର ଲେଖକ Sharada Dwivedi ଓ Rahul Mehrotra।
୫. "Shivaji and His Times" ବହିର ଲେଖକ Jadunath Sarkar
୬. "The Cambridge History of India, Vol. III: Turks and Afghans" ବହିର ଲେଖକ Sir Wolseley Haig।
୭. "History of Medieval India" ବହିର ଲେଖକ Satish Chandra।
୮. "A History of British India" ବହିର ଲେଖକ William Dalrymple।
୯. "New Delhi: The Last Imperial City" ବହିର ଲେଖକ David Johnson ଓ Richard Watson।
୧୦. "Delhi: A Thousand Years of Building" ବହିର ଲେଖକ R.E. Frykenberg।
No comments:
Post a Comment