ଉତ୍କଳେ ଜନମ ଉତ୍କଳେ ମରଣ;
ଉତ୍କଳ ଅନ୍ନରେ ଜୀଵନଧାରଣ ।
ପରାପର ଭାଵ ପୋଷିବୁଁ କିପାଁଇ,
ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ ।
ଭିନ୍ନାଭିନ୍ନ ଭାବ ବହିବାର ଜନ-
ମୋ କ୍ଷୁଦ୍ରବୁଦ୍ଧିରେ ସେ ତ ଅକିଞ୍ଚନ ।
କର ଯୋଡି଼ ତାକୁ ବୋଲୁଅଛି ଭାଇ !
ଏକ କୁ ଅରେକ ଦ୍ଵନ୍ଦ ଭୂଲିଯାଇ;
ଆସ କରୁଁ ମାତୃଦେଶର ଉନ୍ନତି,
ଫେଡୁ଼ ଜନ୍ମଭୂମି ଦୁର୍ଦ୍ଦଶା ଦୁର୍ଗତି ।
ଯେତେଦିନ ଭାଇ ନହେବ ମିଳିତ,
ନ ମେଣ୍ଟିବ ଦେଶ ଦୁର୍ଦ୍ଦଶା କିଞ୍ଚିତ ।
ହିନ୍ଦୁ ମୁସଲମାନ ଖ୍ରୀଷ୍ଟାନ ଜଇନ―
କେଵଳ ଧର୍ମରେ ସିନା ଭିନ୍ନାଭିନ୍ନ ।
ଧର୍ମ ଜାଣ ଭାଇ ପରକାଳ ପାଇଁ,
ପୃଥ୍ଵୀର ସନ୍ତାନ ଏହା ଭୂଲ ନାହିଁ ।
ଯା ପୂର୍ଵ ପୁରୁଷ ଵିଦେଶୀ ନିଶ୍ଚୟ,
ଧ ଭୂଲ ସେ ଲୋକ ଉତ୍କଳ ତନୟ ।
ହୁଅନ୍ତୁ ବଙ୍ଗଳୀ ତେଲଙ୍ଗା ମରାଟୀ―
ତୁମ୍ଭ ଦେହ ଗଢା଼ ଉତ୍କଳର ମାଟି
ଦୁଇ ଦିନ ପାଇଁ ନାହଁ ତ ଏ ଦେଶେ,
ବଂଶ ଅନୁକ୍ରମେ ରହିବ ଵିଶେଷେ ।
ଦୁର୍ଭିକ୍ଷ ଦୁର୍ଦ୍ଦଶା ପଡି଼ଲେ ଉତ୍କଳେ,
ମିଳିମିଶି ଭାଇ ଭୁଞ୍ଜିବୁ ସକଳେ ।
“ଭାଇ ଭାଇ ମଧ୍ୟ ନଲଗାଅ କଳି,
ପରିଚୟ ଦିଅ ନିଜକୁ ଉତ୍କଳୀ" !
ସାକସନ୍ ଜର୍ମାନ ଗ୍ରୀକ୍ ଓନ୍ଦଲାଜ୍,
ଇଂଲଣ୍ଡର ଵାସୀ ସମସ୍ତେ ଇଂରାଜ ।
ଉତ୍କଳେ ଜନମି ବୋଲ ଅନ୍ୟ ଜାତି,
ହାମବଡା଼ ଏଟା ନିଶ୍ଚୟ ଅଖ୍ୟାତି ।
ହିଂସା ଦ୍ଵେଷ ବହି ଦ୍ଵନ୍ଦ ପରସ୍ପର
କଲେ ନିଶ୍ଚେଁ ହେବ ଦୁର୍ଦ୍ଦଶା ତୁମ୍ଭର ।
ହେଉ ପଛେ ତୁମ୍ଭେ ଥିଲା ବଡ଼ଜାତି,
ଏବେ ତ ଉତ୍କଳ ଦେଶ ପୁଅ ନାତି ।
ଜନ୍ମଭୂମି ଆଉ ଜନନୀ ଏମାନେ
ଶାସ୍ତ୍ରରେ କଥିତ ସ୍ଵରଗ ସମାନେ ।
ଯେ ବୋଲେ ନିଜକୁ ଵିଦେଶୀୟ ଲୋକ―
ନିଶ୍ଚେ ସେହି ମାତୃଭୂମିର ନିନ୍ଦୁକ ।
ଆସ ଭାଇ ମାନେ କରୁଛି ଜୁହାର,
ମିଳିମିଶି କରୁଁ ଦେଶ ଉପକାର ।
@ଫକୀର ମୋହନ ସେନାପତି
No comments:
Post a Comment