୧୮୭୮ ମସିହା ଯାଏଁ ରମାଶଙ୍କର ରାୟଙ୍କ ସୌଦାମିନୀ ର ପ୍ରକାଶ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଆଧୁନିକ ଅର୍ଥରେ ଜନ୍ମଲାଭ କରିନଥିଲା । ତେବେ ଉତ୍କଳ ମଧୁପର ପୃଷ୍ଠା ଅତିକ୍ରମ କରି ସୌଦାମିନୀ କେବେ ବି ପୁସ୍ତକାକାରରେ ପ୍ରକାଶିତ ହୋଇପାରିନଥିଲା ଏବଂ ପରେ ଏହି ସମ୍ବାଦପତ୍ରର ପ୍ରକାଶନ ବନ୍ଦ ହୋଇଯିବା ହେତୁରୁ ଏହି ଉପନ୍ୟାସ ଟି ସବୁଦିନ ପାଇଁ ଅପୂର୍ଣ୍ଣ ରହିଯାଇଥିଲା ।
ଖ୍ରୀ ୧୮୭୮ରୁ ୧୮୮୯ ଯାଏଁ ଵିଭିନ୍ନ ପତ୍ରପତ୍ରିକାରେ ଏଭଳି ପାଞ୍ଚଥର ଅସଫଳ ପ୍ରୟାସ ହୋଇଥିଲା ହେଲେ ୧୮୮୯ ମସିହା ଓଡ଼ିଆ ଭାଷା ପାଇଁ ଆଶା ଓ ଭଵିଷ୍ୟତ ର ସନ୍ଧାନ ଘେନି ଆସିଥିଲା । ଏହି ଵର୍ଷ ଓଡ଼ିଆ ଭାଷାର ପ୍ରଥମ ସ୍ଵୟଂ ସଂପୂର୍ଣ୍ଣ ଉପନ୍ୟାସ “ପଦ୍ମମାଳୀ” ଜନ୍ମଲାଭ କରିଥିଲା ଯାହାକୁ ଲେଖିଥିଲେ ଜନୈକ ବଙ୍ଗାଳୀ ବଂଶୋଭବ ଓଡ଼ିଆ ଉମେଶ ଚନ୍ଦ୍ର ସରକାର.....
ଏହି ସମୟକାଳକୁ ଓଡ଼ିଆ ଉପନ୍ୟାସ ଯୁଗର ଆଦିକାଳ କହିଲେ ମଧ୍ଯ ଅତିଶୟୋକ୍ତି ହେବନାହିଁ । ଗୋପାଳଚନ୍ଦ୍ଳ ଦାସଙ୍କର “ଭୀମାଭୂୟାଁ” ଓ ଫକୀର ମୋହନ ସେନାପତିଙ୍କର “ଛ ମାଣ ଆଠଗୁଣ୍ଠ” ପରି ଉପନ୍ୟାସ ତତ୍କାଳୀନ ସମାଜର ପ୍ରତିଲିପିର ପ୍ରତିଫଳନ କରିବାରେ ସଫଳ ହୋଇଥିଲା । ପରଵର୍ତ୍ତୀ କାଳରେ କାଳନ୍ଦୀଚରଣ,କାହ୍ନୁଚରଣ,ଗୋପୀନାଥ,ନିତ୍ୟାନନ୍ଦ ଓ ଶାନ୍ତନୁ ଆଚାର୍ଯ୍ୟ ଆଦି ଔପନ୍ୟାସିକ ମାନେ ଅନେକ ଵାସ୍ତଵଵାଦୀ ଉପନ୍ୟାସ ସୃଷ୍ଟି କରିଥିଲେ । ଏ ଯୁଗରେ ‛ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ’ ପାଞ୍ଚ ପାଞ୍ଚ ଟି ଉପନ୍ୟାସ ଲେଖିଯାଇଅଛନ୍ତି ଏବଂ ତନ୍ମଧ୍ୟରୁ ତାଙ୍କର “ଗଡ଼ଜାତ କୃଷକ” ଓ “ଶିଶୁ” ଖୁବ୍ ଜଣାଶୁଣା ।
କାଳନ୍ଦୀଚରଣଙ୍କ ‛ମାଟି ର ମଣିଷ’ ହେଉ କି କାହ୍ନୁଚରଣଙ୍କର ‛ହା ଅନ୍ନ’ ଓ ‛ଶାସ୍ତି’ ହେଉ,
ଗୋପୀନାଥ ମହାନ୍ତିଙ୍କ ମାଟିମଟାଳ,ପରଜା ହେଉ କିମ୍ବା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଶକୁନ୍ତଳା ହେଉ ଉପନ୍ୟାସ ଲେଖନର ସେହି ଆଦିଯୁଗରେ ପ୍ରତ୍ୟେକ ଟି ଉପନ୍ୟାସରେ ଭରି ରହିଥିଲା ସାମାଜିକ ସମସ୍ୟା ଓ ଵିପ୍ଲଵର ସ୍ଵର....
ଧୀରେ ଧୀରେ ଓଡ଼ିଆ ଉପନ୍ୟାସ ଉନ୍ନତି ଆଡ଼କୁ ଗତି କରିବାକୁ ଲାଗିଲା ଏବଂ ଅନ୍ୟ ଭାରତୀୟ ଭାଷା ଗୁଡିକ ସହିତ ତାଳ ଦେଇ ଉପନ୍ୟାସ ରଚନା ହେବାକୁ ଲାଗିଲା....
ପ୍ରକୃତରେ ୧୮୦୩ ରୁ ୧୯୮୦ ମଧ୍ୟବର୍ତ୍ତୀ ସମୟକାଳ ଓଡ଼ିଆ ଉପନ୍ୟାସ ସାହିତ୍ୟ ପାଇଁ ଏକ ଵିସ୍ତୃତ ପୃଷ୍ଠଭୂମି, ଏକ କୌତୁହଳପ୍ରଦ ସମୟକାଳ ଥିଲା କହିଲେ ଭୂଲ ହେବ ନାହିଁ ।
ସ୍ଵାଧୀନତା ପରଵର୍ତ୍ତୀ କାଳରେ କିନ୍ତୁ ଓଡ଼ିଆ ଉପନ୍ୟାସ ର ଵିକାଶଧାରାରେ କେତେକ ପ୍ରମୁଖ ପରିଵର୍ତ୍ତନ ଦେଖାଦେଇଥିଲା ।
ପୂର୍ଵେ ଓଡ଼ିଆ ଭାଷାର ଉପନ୍ୟାସ ଗୁଡିକ ସାମାଜିକ ସମସ୍ୟା ତଥା ଵିପ୍ଳବର କଥା କହୁଥିଲା ଵେଳେ ସ୍ଵାଧୀନତା ପରଵର୍ତ୍ତୀ ଉପନ୍ୟାସ ମାନ ମାନଵର ଦୈନନ୍ଦିନ ଜୀଵନ ଵିଷୟ ଆଧାରିତ ହେବାକୁ ଲାଗିଲା ।
ଉପନ୍ୟାସ ସାହିତ୍ୟରେ ଏଭଳି ପରଵର୍ତ୍ତନ ସପକ୍ଷରେ ଭଵିଷ୍ୟତଵାଣୀ ସମ
ଏ.ଏ. ମେଣ୍ଡିଲୋ ଙ୍କ ପରି ଚିନ୍ତାନାୟକ କୁହନ୍ତି
“ମାନବର ଦୈନନ୍ଦିନ ଜୀବନର ଵିଷୟକୁ ନେଇ
ଉପନ୍ୟାସ ର କଳେଵର ଗଢିଉଠିବ । ମାନଵର ରୀତି,ନୀତି ଉପନ୍ୟାସ ରେ ପ୍ରକଟିତ ହେବ”
।
ସ୍ଵାଧୀନତା ପରଵର୍ତ୍ତୀ କାଳରେ ସ୍ଵାଧୀନ ଚେତ୍ତା ଭାରତୀୟଙ୍କ ପ୍ରଚେଷ୍ଟାରୁ ଭାରତରେ ଯାନ୍ତ୍ରିକ ଉନ୍ନତି ତ୍ଵରାନ୍ଵିତ ହୋଇଥିଲା । ସେ ସମୟରେ।ସରକାରଙ୍କ କଳ୍ପିତ ଯୋଜନା ଓ ଯନ୍ତ୍ର ସଭ୍ୟତା ବହୁ ଓଡ଼ିଆ ଔପନ୍ୟାସିକଙ୍କ ଲେଖନୀ କୁ ଗତିଶୀଳ କରିଛି । କାହ୍ନୁଚରଣ ମହାନ୍ତିଙ୍କର
ବଜ୍ରବାହୁ ଓ ଵିଭୁତି ପଟ୍ଟନାୟକଙ୍କର ଏଇ ଗାଆଁ ଏଇ ମାଟି ପଞ୍ଚଵାର୍ଷିକ ଯୋଜନାର ପରିକଳ୍ପନା କୁ କେତେକାଂଶରେ ପ୍ରଚାର କରିଛି ।
ବଜ୍ରବାହୁ ରେ କାହ୍ନୁଚରଣ ଆର୍ଥିକ ଓ ଆଧୁନିକ ଵିକାଶ ବଳରେ କେମିତି ସାମାଜିକ କୁସଂସ୍କାର ଦୂରୀକରଣ ଓ ନୈତିକ ଵିକାଶ ସମ୍ଭବ ହୋଇପାରିବ ତାହା ରତ୍ନପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମର ଆଖ୍ୟା ଦେବା ଛଳରେ ଅଵତାରଣା କରିଅଛନ୍ତି । ଏଇ ଗାଆଁ ଏଇ ମାଟିରେ ଆମେ ଦେଖୁ ପଞ୍ଚାୟତିରାଜ ଵ୍ୟଵସ୍ଥା ଓ ତହିଁର ଗ୍ରାମାଞ୍ଚଳରେ ପ୍ରଭାବର ସାର୍ଥକ ଚିତ୍ର !
ବିଭୁତି ପଟ୍ଟନାୟକ ଏହି ଉପନ୍ୟାସରେ ପଞ୍ଚଵାର୍ଷିକ ଯୋଜନା ଦ୍ଵାରା ପ୍ରଭାବିତ ପଲ୍ଲୀ ଓ ତହିଁର ଅଧିବାସୀଙ୍କର ତତ୍ ପ୍ରତି ଉତ୍ତେଜନା ର ସୁନ୍ଦର ଵର୍ଣ୍ଣନା କରି ଶେଷ ପର୍ଯ୍ୟାୟରେ ଯନ୍ତ୍ର ସଭ୍ୟତା ମାନବର କିଭଳି ଅତୃପ୍ତି ଓ ଵ୍ୟର୍ଥତାର କାରଣ ହୋଇଛି ତାହାର ଏ ସୁନ୍ଦର ଆଲେଖ୍ୟ ପ୍ରଦାନ କରିଅଛନ୍ତି ।
ଭାରତରେ ଇଂରେଜ ଯୁଗ ସମୟରେ ଗ୍ରାମାଞ୍ଚଳର ଶାସନ ମୁଖ୍ୟତଃ ସାମନ୍ତଵାଦୀ ଥିଲା କିନ୍ତୁ ୧୯୫୧ରେ ଜମିଦାରୀ ଉଚ୍ଛେଦ ପରେ ପରେ ସବୁକିଛି ବଦଳିଗଲା । ସ୍ଵାଧୀନତା ପରଵର୍ତ୍ତୀ ପ୍ରାରମ୍ଭିକ ଵର୍ଷ ଗୁଡି଼କରେ ଏଇଥିଯୋଗୁଁ ଜମିଦାର ଙ୍କ ପ୍ରଭାବ ଓ ସାମନ୍ତଵାଦର ଶୋଷଣ ଵିଷୟକୁ ନେଇ ଅନେକ ଉପନ୍ୟାସ ଲେଖାଯାଇଛି । ବଜ୍ରବାହୁ ରେରଣଗଡ଼ର ଜମିଦାର ରଣସିଂହ,ମାଟି ମଟାଳର ବଟ ମହାନ୍ତି,ବଳରାମ ପଟ୍ଟନାୟକ ଙ୍କ ତିନି ଅଧ୍ଯାୟର ବଳିୟାର ସିଂହ ପରି ଜମିଦାର ଙ୍କର ଚରିତ୍ର ଵର୍ଣ୍ଣନା ଛଳରେ ତତ୍କାଳୀନ ସାମନ୍ତଵାଦର ଚିତ୍ର ପ୍ରଦାନ କରାଯାଇଛି ।
ସ୍ଵାଧୀନତା ପ୍ରାପ୍ତି ପରେ ସରକାର ନିଶା ନିବାରଣ ହେତୁରୁ ଅନେକ ଗୁଡିଏ ପ୍ରୟାସ କରିଥିଲେ । ତଥାପି ଏସବୁ ଯୋଜନା ସରକାରୀ କାଗଜପତ୍ର ଠୁଁ ଭିନ୍ନ ସେତେଟା ସଫଳ ହୋଇପାରିନାହିଁ । ଉପନ୍ୟାସକାର କମଳକାନ୍ତ ଙ୍କର ମଦଭାଟି ଉପନ୍ୟାସ ତତ୍କାଳୀନ ନିଶାନିଵାରଣ ନୀତି ସଂପର୍କରେ ସଂପୂର୍ଣ୍ଣ ଚିତ୍ର ପ୍ରଦାନ କରିଅଛନ୍ତି ।
ଏହି ସମୟରେ ଗାନ୍ଧୀଙ୍କ ଅହିଂସା ନୀତି କୁ ନେଇ ଅନେକ ଉପନ୍ୟାସ ଲେଖାହୋଇଥିଲା ତନ୍ମଧ୍ୟରେ ଗୋପୀନାଥ ମହାନ୍ତିଙ୍କ ରାହୁର ଛାୟା ଓ ଔପନ୍ୟାସିକ ଦଶରଥ ସାମଲଙ୍କ ସ୍ଥିର ତରଙ୍ଗ ଗାନ୍ଧୀଙ୍କ ଅହିଂସା ନୀତି ଓ ସ୍ଵରାଜ୍ୟ ଚେତନା ଉପରେ ସାର୍ଥକ ସୃଷ୍ଟି ଅଟେ ।
ସ୍ଵାଧୀନତା ପରଵର୍ତ୍ତୀ ସାହିତ୍ୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ,ଜାତି ଵା ସମ୍ପ୍ରଦାୟ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଏକ ମାନଵଵାଦୀ ଦୃଷ୍ଟିଭଙ୍ଗୀ ନେଇ ଏ ସାହିତ୍ୟ ତାହାର ଆଦର୍ଶ କୁ ଉପସ୍ଥାପିତ କରିପାରିଛି । ଗୋପୀନାଥ ମହାନ୍ତିଙ୍କ ହରିଜନ,ଅମୃତ ର ସନ୍ତାନ,ଶିବ ଭାଇ ଆଦି ଉପନ୍ୟାସ ଗୁଡିକ ଵର୍ଣ୍ଣ ଵୈଷାମ୍ୟ ଆଦି କୁସଂସ୍କାର କୁ କେନ୍ଦ୍ର କରି ରଚିତ ହୋଇଅଛି । ଏତଦ୍ବ୍ୟତୀତ କମଳାକାନ୍ତଙ୍କ ସଦର ମଫସଲ ଓ ମଣିଷର ଦାବୀ ତଥା ଓ ନରସିଂହ ସାହୁଙ୍କ ତଳମାଳ ଡାକେ କେତେକାଂଶରେ ଏହି ଵିଷୟ ଉପରେ ପର୍ଯ୍ୟଵେଶିତ ହୋଇଅଛି । ସେହିପରି
ନାରୀ ଜାଗରଣର କଥା ଓଡ଼ିଆ ଭାଷାର ବହୁ ଉପନ୍ୟାସ ରେ କୁହାଯାଇଛି । ସ୍ଵାଧୀନତା ପୂର୍ବରୁ ଏ ଵିଷୟ ଆଧାରରେ କୁନ୍ତଳା କୁମାରୀ ସାବତ ଅନେକ ଉପନ୍ୟାସ ଲେଖିଥିଲେ । ସ୍ଵାଧୀନତା ପରଵର୍ତ୍ତୀ ସୃଷ୍ଟି ମାନଙ୍କ ମଧ୍ୟରେ କାହ୍ନୁଚରଣ ମହାନ୍ତିଙ୍କର ମିଳନର ଛନ୍ଦ,ଝଞ୍ଜା,ଗୋପୀନାଥ ମହାନ୍ତିଙ୍କ ମାଟି ଓ ମଟାଳ,ସୀତାଦେବୀ ଖାଡାଙ୍ଗାଙ୍କ ଅଗ୍ରଜ,ବିଭୁତି ପଟ୍ଟନାୟକଙ୍କ ଉଜାଣି ଯମୁନା ଓ ବଧୂ ନିରୁପମାରେ ନାରୀ ଜାଗରଣର ପରିଚୟ ମିଳେ ।
No comments:
Post a Comment