Sunday, October 8, 2023

ତଅପୋଇର କାହାଣୀ

ଖୁଦୁରୁକୁଣୀ ଓଷାର ମୁଖ୍ୟ ନାୟିକା ତଅପୋଇ ସହିତ ସାରା ଓଡ଼ିଶାର ଲୋକ ପରିଚିତ ଥିବେ । ଏହି ଲୋକକଥାଟି କଳିଙ୍ଗର ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ବଞ୍ଚିଯାଇଥିଵା କିଛି ସାଂସ୍କୃତିକ ପ୍ରମାଣ ମଧ୍ୟରେ ଅନ୍ୟତମ । ଆଜକୁ ସହସ୍ରାଧିକ ଵର୍ଷ ତଳେ ଓଡ଼ିଆ ସାଧଵମାନେ ଜଳପଥରେ ଵିଦେଶକୁ ଵାଣିଜ୍ୟ କରିଵା ନିମନ୍ତେ ଯାଉଥିଲେ ଏଵଂ ତଅପୋଇର କାହାଣୀ ସେହି ସମୟର କଥା । ସାତଜଣ ସାଧଵ ଭାଇ ଦୂରଦେଶକୁ ଵାଣିଜ୍ୟ କରିଵାକୁ ଯାଇଥିଲା ବେଳେ ଘରେ ତାଙ୍କର ସାତଜଣ ପତ୍ନୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଯାଇଥିଲା । କେଵଳ ସାନ ଭାଉଜଙ୍କୁ ଛାଡ଼ି ବୁଢ଼ୀ ବ୍ରାହ୍ମଣୀର କଥାରେ ପଥଭ୍ରଷ୍ଟ ହୋଇ ତଅପୋଇର ଅନ୍ୟ ସବୁ ଭାଉଜ ତା’ ଉପରେ ଅତ୍ୟାଚାର କରୁଥିଲେ । ଅଲିଅଳରେ ବଢ଼ିଥିଵା ତଅପୋଇକୁ ଘରକାମରେ ଲଗାଉଥିଲେ ଏମନ୍ତକି କାଠ ଗୋଟାଇଵା ତଥା ଛେଳି ଚରେଇଵା ପାଇଁ ଜଙ୍ଗଲକୁ ପଠାଉଥିଲେ । ଭାଇମାନେ ଦୂରରେ ଥିଵାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ପରିଵର୍ତ୍ତେ ଭାଉଜମାନେ ତଅପୋଇକୁ ବ୍ରାହ୍ମଣୀ କଥାରେ ପଡ଼ି ଖୁଦ ଖାଇଵାକୁ ଦେଉଥିଲେ । କେଵଳ ତଅପୋଇର ସାନଭାଉଜ ତାକୁ ଲୁଚାଇ ଲୁଚାଇ ଖାଇଵାକୁ ଦେଉଥିଲେ ଓ ସ୍ନେହ କରୁଥିଲେ । ଅନେକ ଦିନ ପରେ ବି ଭାଇମାନେ ଵିଦେଶରୁ ନଫେରିଵାରୁ ତଅପୋଇ ଵ୍ୟସ୍ତ ହୋଇ ପଡ଼ିଲା । ସେ ଯୁଗରେ କଳିଙ୍ଗୀମାନେ ଶୁଭଯାତ୍ରା ପାଇଁ କଳିଙ୍ଗର ଅଧିଷ୍ଠାତ୍ରୀ ଦେଵୀ ମଙ୍ଗଳାଙ୍କର ଆରାଧନା କରୁଥିଲେ । ତଅପୋଇ ଜଣେ ଵୃଦ୍ଧାଙ୍କଠାରୁ ଦେଵୀ ମଙ୍ଗଳାଙ୍କର ଓଷା ସମ୍ବନ୍ଧରେ ସବୁ ଵିଧି ବୁଝି ନଦୀ ବାଲି ଉପରେ ମାଟିର ମୂର୍ତ୍ତି ଗଢ଼ି ଖୁଦୁରୁକୁଣି ଓଷା କଲା । 


ଭାଇମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିଵା ନିମନ୍ତେ ମଙ୍ଗଳା ଠାକୁରାଣୀଙ୍କ ପାଖରେ ତାକୁ ମିଳିଥିଵା ଖୁଦ ଭୋଗ ଭାଵରେ ଦେଇ ପ୍ରାର୍ଥନା କରିଥିଲା । ତା’ର ଡାକ ଶୁଣିପାରି ମା ମଙ୍ଗଳା (ଖୁଦୁରୁକୁଣି ଵା ଖୁଦରଙ୍କୁଣୀ) ଭାଇମାନଙ୍କୁ ଘରକୁ ଲେଉଟାଇଵା ପାଇଁ ପଵନର ଗତି ବଦଳାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିଵା ନିମନ୍ତେ ସବୁ ଭାଉଜ ଯାଇଥିଵା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ (ତଅପୋଇ ଚଳଚ୍ଚିତ୍ରରେ ସାଧଵଭାଇମାନେ ଓଡ଼ିଶାକୁ ଫେରି ଜଙ୍ଗଲରୁ ତଅପୋଇକୁ ପାଇଥିଲେ) । ତେବେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ୍ ଧରି ବସିଵାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ୱରୁପ କେଵଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧଵ ବାକି ସମସ୍ତଙ୍କର ନାକ କଟାଇ ଥିଲେ । ମତାନ୍ତରେ ମଙ୍ଗଳା ଠାକୁରାଣୀ ଛଅ ଜଣ ବଡ଼ ଭାଉଜଙ୍କୁ ନାକ କାଟି ଦଣ୍ଡିତ କରିଥିଲେ ‌‌। ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭାଦ୍ରଵ ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣି ଓଷା କରିଥାନ୍ତି । 

ମଙ୍ଗଳାଙ୍କର ନାମ ଖୁଦରଙ୍କୁଣୀ ଏଵଂ ଏହାଙ୍କ ଓଷାର ନାମ ପରେ ଖୁଦୁରୁକୁଣୀ ହୋଇଅଛି ।
ପୁଣି କେହି କେହି କୁହନ୍ତି ଆଜିକାଲି ସିନା ମଙ୍ଗଳାଙ୍କର ମୂର୍ତ୍ତି ପ୍ରତିଷ୍ଠା କରି ଖୁଦୁରୁକୁଣୀ ଓଷା କରାଯାଉଛି କିନ୍ତୁ ଆଗେ ଦେଵୀ ମଙ୍ଗଳାଙ୍କର ଭାଲ ଵା ମସ୍ତକର ସମ୍ମୁଖସ୍ଥ ଉପରିଭାଗକୁ କୁଣ୍ଢି ଵା କଣ୍ଢେଇ ରୂପେ ମାଟିରେ ନିର୍ମିତ କରି ଏହି ଓଷା କରାଯାଉଥିଲା ବୋଲି ଏହାର ନାମ ଭାଲକୁଣୀ ଓଷା ହୋଇଥିଲା ‌ । 

କିନ୍ତୁ ଖୁଦୁରୁକୁଣୀ ଓଷା କଥାର ମୁଖ୍ୟ ନାୟିକା 'ତଅପୋଇ'ର ନାମ ପଛର ଵ୍ୟୁତ୍ପତ୍ତି ମୂଳ କେହି ପାଇନଥିଲେ ‌। ସେଥିପାଇଁ କେଉଁଠି ବି "ତଅପୋଇ" ନାମ ଵା ଶବ୍ଦର ମୂଳ ଉଲ୍ଲେଖ ଥିଵା ଦେଖାଯାଏ ନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ନାମ ଵା ଶବ୍ଦର ମୂଳ ଵିଷୟରେ ସେଥିପାଇଁ କୌଣସି ତଥ୍ୟ ଦିଆଯାଇନାହିଁ । ସେଠାରେ ତଅପୋଇକୁ ଏକ ନାମଵାଚକ ଶବ୍ଦ ତଥା "ଖୁଦୁରୁକୁଣି ଓଷା କଥାରେ ଵର୍ଣ୍ଣିତ ମହାଜନ ଝିଅର ନାମ" ତଅପୋଇ ଥିଵା ଉଲ୍ଲେଖ କରାଯାଇଛି ।

ଖୁଦୁରୁକୁଣୀ ଓଷା କଥା ଅନୁସାରେ ବୁଢ଼ା ସାଧଵଙ୍କର ସାତଜଣ ପୁଅ ଥିଲେ ଓ ତହିଁ ଉତ୍ତାରୁ ଯେଉଁ କନ୍ୟା ଜନ୍ମ ହେଲା ତାକୁ ତଅପୋଇ ନାମ ଦିଆଗଲା । କଵି ଦୁଷ୍କର ନାୟକ କୃତ ତଅପୋଇ ଗୀତରେ ବୁଢ଼ା ସାଧଵଙ୍କ ନାମ ତନୟାଵନ୍ତ କୁହାଯାଇଛି । 

"ତନୟା ବନ୍ତ ବୋଲିଣ ସାଧଵର ଘର,
ଭାରତ ମଣ୍ଡଳେ ଥିଲା ବଡ଼ ତତପର ।
ଘର ଖମ୍ବମାନ ତାର ସ୍ପଟିକ ପଥର,
ହସ୍ତୀଦନ୍ତ ରୁଅସୁନା ହୋଇଛି ଛପର ।"

ତେବେ କଵି ଗୋପୀନାଥ ଦାସଙ୍କ "ତଅପୋଇ ଓଷା ଗୀତ"ରେ ବୁଢ଼ା ସାଧଵଙ୍କ ନାମ ତନୟଵନ୍ତ ଉଲ୍ଲେଖ କରାଯାଇଛି । ଏ ଗୀତରେ ବଡ଼ ସାଧଵ ଭାଇଙ୍କ ନାମ ମଧ୍ୟ ଆରମ୍ଭରେ କହିଦିଆଯାଇଛି । 

"ତ‌ହିଁରେ ଏକ ସାଧୁ ଘର । 
ତନ‌ୟ ଵନ୍ତ ନାମ ତାର ।।
ପତ୍ନୀର ନାମ ଶକୁନ୍ତଳା । 
ଜନ୍ମ ସେ କଲା ସପ୍ତବାଳା ।।
ଝିଅର ନାମ ତଅପୋଈ । 
ସବୁହୁ ଦୁଲ୍ଲଣା ଅଟଇ ।।
ସାଧବ ବଡ଼ ଧନେଶ୍ୱର । 
ବୋଇତ ସାତ ଖଣ୍ତ‌ତାର ।।
ସାତ ପୁଅରେ ସାତ ଵୋହୂ । 
ସମସ୍ତେ ସୁନ୍ଦରୀ ସବୁହୁଁ ।।
ଚାଲନ୍ତି ସୁନାରେ ରୂପାରେ । 
ଶୁଅନ୍ତି ଖଟ ପଲଙ୍କରେ ।।"

ତେବେ ପ୍ରଶ୍ନ ଆସେ ତଅପୋଇ ଶବ୍ଦର କିଛି ଅର୍ଥ ଅଛି କି କାରଣ ଆମ ଓଡ଼ିଶାରେ ଶୁଭନାମ ହେଉ ଵା ଡାକନାମ ସେସବୁ ନାମ ମଧ୍ୟରେ ଅଧିକାଂଶର କୌଣସି ନା କୌଣସି ଅର୍ଥ ନିଶ୍ଚୟ ଥାଏ ଏଵଂ ସେ ନାମମାନ କୌଣସି ଉଦ୍ଦେଶ୍ୟ ଵା କାରଣରୁ ଦିଆଯାଇଥାଏ ‌। ଉଦାହରଣ ସ୍ୱରୂପ କେହି ପିଲା ଛୋଟବେଳେ ପତଳା ଥିଲେ ତାକୁ "କାଠି" ନାଆଁ ଦିଆଯାଏ ,କେହି ପିଲା ନିଜ ଘରର ବଡ଼ ପୁଅ ହୋଇଥିଲେ ତାକୁ "ଢମା" ନାମ ଦିଆଯାଏ । କେହି ପିଲା ମୋଟା ସୋଟା ହୋଇ ଜନମିଥିଲେ ତାହାର ଫାଫୁଲୁ ଵା ଫାଫୁଲି ନାଆଁ ଦିଅନ୍ତି । କୌଣସି କନ୍ୟା ଜନ୍ମ ସମୟରେ କସରା ଵା କହଁରା ବାଳଯୁକ୍ତ ହୋଇ ଜନ୍ମିଥିଲେ ଏଵଂ ଗୌରଵର୍ଣ୍ଣା ହୋଇଥିଲେ ତାକୁ କଇରୀ ନାମ ଦିଆଯାଏ । ତେବେ ଏସବୁ ସାଧାରଣତଃ ଡାକନାମ । ସେହିପରି ତଅପୋଇ ବି ଗୋଟିଏ ଡାକନାମ ହୋଇଥିଵା ସମ୍ଭଵ । କିନ୍ତୁ "ତଅପୋଇ" ଶବ୍ଦର କିଛି ତ ଅର୍ଥ ଥିଵ ,ଵିନା ଅର୍ଥ ଘେନି କୌଣସି ନାମଵାଚକ ଶବ୍ଦ ଵ୍ୟଵହାର ପ୍ରାୟତଃ କମ୍ । 

ତେବେ ତଅପୋଇ ନାମଵାଚକ ଶବ୍ଦର ଗୋଟିଏ ସମ୍ଭାଵିତ ନିରୁକ୍ତି ନିଶ୍ଚୟ ରହିଛି । ଏ ନାମଟି "ତଅପୋଇ"ର ଜନ୍ମ ସହିତ ସମ୍ପୃକ୍ତ । କିନ୍ତୁ କେମିତି ?

ପ୍ରଥମତଃ...
ଆମେ ସମସ୍ତେ ଜାଣନ୍ତି ଯେ ତଅପୋଇ ତନୟାଵନ୍ତ ସାଧଵଙ୍କର ସବା ଶେଷ ସବୁଠାରୁ ସାନ ସନ୍ତାନ । ପ୍ରଥମେ ତାଙ୍କର ସାତଜଣ ପୁତ୍ର ଜାତ ହୋଇଥିଲେ ଏଵଂ ଶେଷରେ ତଅପୋଇର ଜନ୍ମ ହୋଇଅଛି ।

ଦୁଇରେ 
ତଅପୋଇ ଶବ୍ଦକୁ ଯଦି ସମାନ ଭାଵରେ ଭଙ୍ଗାଯାଏ ତେବେ ଆମେ ଦୁଇଗୋଟି ଶବ୍ଦ ପାଇଥାଉ ...

ତଅ ଓ ପୋଇ...

ଓଡ଼ିଆ ଭାଷାରେ ତଅ ଶବ୍ଦଟି ତୋ ଵା ତୋର
,ତହ(କାଗଜ ବା ଲୁଗାର ଭାଙ୍ଗ ଵା ଚଉତ,ପ୍ରସ୍ତ,ପରସ୍ତ ସ୍ତର) ଓ ଧପାଙ୍ଗୀ(ଛଳନାପୂର୍ଵକ ସମୟ ନେଵା, ଭଣ୍ଡାଇଵା,ଠକିଵା) ଅର୍ଥରେ ପ୍ରୟୋଗ କରାଯାଏ । 

ସେହିପରି ପୋଇ ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ଅମରପୋଇ,ପୋଇଶାଗ,ଛୋଟପୁଅ( ପିଲା, ଶିଶୁ ବାଳକ,ପୁଅ),ଛୋଟ କନ୍ୟା, ଛୋଟ ଚିଙ୍ଗୁଡ଼ି ମାଛ(ଚିଙ୍ଗୁଡ଼ି ପୋଇ), ଧାନ ଛଡ଼ା ଅନ୍ୟ ଶସ୍ଯକୁ(ଯଥା—ମୁଗ, ବିରି, କୋଳଥ, ମାଣ୍ଡିଆ ଆଦିକୁ) ଦେଢ଼ି ଵା ପାଞ୍ଚପାହି ସୁଧ କରାରରେ ଦାଦନ ଲଗାଇଵା ରୀତି,ପୋଇ ନାମକ ରାଗ ଵିଶେଷ,ପଚା; ସଢ଼ା, ରେଳପଥ ଓ ମାଈକୁକୁଡ଼ା ଆଦି ଅର୍ଥରେ ଵ୍ୟଵହାର କରାଯାଇଥାଏ । 

ତେବେ ତଅପୋଇ କ୍ଷେତ୍ରରେ ତଅ ଶବ୍ଦଟି ସପ୍ତ ଶବ୍ଦର ପରିଵୃତ୍ତ ରୂପ ଏଵଂ ପୋଇ ଶବ୍ଦଟି ପୁତ୍ର ଵା ପୁତ୍ରକ ଶବ୍ଦର ପରିଵୃତ୍ତ ରୂପ ଅଟଇ ।‌

ସମ୍ଭଵତଃ ଆଗେ ସପ୍ତ ପୁଅ ପରେ ଯୋଉ ଝିଅ ଜନ୍ମୁଥିଲା ତାକୁ ସପତପୋଇ ନାଆଁ ଦେଉଥିଲେ ଯାହା ପରେ ତଅପୋଇ ରୂପେ ପରିଵୃତ୍ତ ହୋଇ ଚଳିଵାକୁ ଲାଗିଲା । ଖୁଦୁରୁକୁଣୀ କାହାଣୀରେ ମଧ୍ୟ ସାତଜଣ ଭାଇଙ୍କ ପରେ ସାନ ଭଉଣୀ ତଅପୋଇର ଜନ୍ମ ହୋଇଥିଲା । 

ତଅପୋଇ କାହାଣୀ ଓଡ଼ିଶାର ନୌଵାଣିଜ୍ୟ ପରମ୍ପରାର କାହାଣୀ ଏଵଂ ଭାରତରେ ଓଡ଼ିଶା ଵ୍ୟତୀତ ନୌଵାଣିଜ୍ୟ ସମ୍ବନ୍ଧୀୟ ଖୁଦୁରୁକୁଣୀ ଓଷା ଭଳି କୌଣସି ଓଷା କିମ୍ବା ପର୍ଵ ଅନ୍ୟତ୍ର ପ୍ରଚଳିତ ଥିଵା ଜଣାଯାଏ ନାହିଁ । ଖୁଦୁରୁକୁଣୀ, ଭାଲକୁଣୀ ଓ ତଅପୋଇ ଯେମିତି ମୌଳିକ କଳିଙ୍ଗୀ କଥା ଓ ନାମ ଠିକ୍ ସେହିପରି ଏହି କଳିଙ୍ଗୀ ପରମ୍ପରା ମଧ୍ୟ ଆମ ମାଟିର ନିଜସ୍ଵ !!!

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...