ତେବେ ସେଦିନ ଆଉ ଗୋଟିଏ ଘଟଣା ଘଟିଲା । ସରପଞ୍ଚ ଓ ଗାଆଁର ମୁଖ୍ୟ ମୁଖ୍ୟ ଲୋକେ ଵିଚାର ଆଲୋଚନା କରି କନ୍ତିଓ କଟା ପାଖ ଆମ୍ବତୋଟାର ଦକ୍ଷିଣକୁ ଗୋଟିଏ ବଡ଼ ଖାତ ଖୋଳି ମରି ଯାଇଥିଵା କୁକୁରଙ୍କୁ ପୋତିଵାର ଵ୍ୟଵସ୍ଥା କଲେ । ସେତେବେଳେ ଗାଆଁର ଲୋକେ ସହରଵାସୀଙ୍କ ପରି ହୁଏତ ସେତେ ଶିକ୍ଷିତ ନଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ବୁଦ୍ଧି ଵିଚାରର ଅଭାଵ ନଥିଲା । ସେମାନେ ଵିଷଖାଇ କିମ୍ବା ସଂକ୍ରମଣ କାରଣରୁ ମରିଥିଵା କୁକୁରଙ୍କ ଶଵକୁ କାଉ,ଶାଗୁଣା,ଚିଲ ଓ ଗୃଧ୍ର ଵା ଗିର୍ଧ ଖାଇ ନମରନ୍ତୁ ସେଥିପାଇଁ ତାହାକୁ ପୋତି ଦେଇଥିଲେ ।
କିନ୍ତୁ ଏହାର ପରେ ପରେ ଏମିତି ଏକ ଵିଷ ଗାଆଁ ଗଣ୍ଡାରେ ଵ୍ୟାପିଗଲା ଯୋଉଥିପାଇଁ ଗୃଧ୍ରମାନଙ୍କ ସଂଖ୍ୟା ସାରା ଭାରତରୁ ଲୋପ ପାଇଵାକୁ ବସିଥିଲା । ଗାଆଁରେ ସିନା ଲୋକେ ଅନେକ କୁକୁରଙ୍କ ଶଵ ଦେଖି ହଠାତ୍ ଏହାର ପ୍ରତିକାର କରିଦେଲେ ହେଲେ ମନୁଷ୍ୟ ଗୃହଠାରୁ ଦୂରରେ ରହୁଥିଵା ଓ ମଲା ଜୀଵର ମାଂସ ଖାଇ ବଞ୍ଚୁଥିଵା ଗୃଧ୍ରମାନଙ୍କର ସାମୁହିକ ମୃତ୍ୟୁ ଵିଷୟରେ ସେମାନଙ୍କୁ ଵିଶେଷ କିଛି ଜଣାନଥିଲା । ଗାଆଁ ଲୋକେ ଅଜାଣତରେ ଗୃଧ୍ରମାନଙ୍କର ବଂଶ ନାଶ କରୁଥିଲେ ବି ତାହା ଜାଣିପାରୁନଥିଲେ।
ଭାରତରେ ଗୃଧ୍ରସଂଖ୍ୟାର ହ୍ରାସ ୧୯୯୦ ଦଶକରେ ଆରମ୍ଭ ହୋଇଥିଲା। ଏହି ସମୟରେ, ଭାରତ, ପାକିସ୍ତାନ ଓ ନେପାଳରେ ଗୃଧ୍ରର ସଂଖ୍ୟା ୯୦%ରୁ ଅଧିକ ହ୍ରାସ ପାଇଥିଲା। ଭାରତରେ ମୁଖ୍ୟତଃ ନଅ ଜାତିର ଗୃଧ୍ରଙ୍କ ମଧ୍ୟରେ ତିନି ଜାତିର ଗୃଧ୍ର—Gyps bengalensis,Gyps tenuirostris ଓ Gyps indicus ଗମ୍ଭୀର ଭାବେ ପ୍ରଭାଵିତ ହୋଇଥିଲେ। ୧୯୮୦ ଦଶକରେ ଭାରତରେ ଲକ୍ଷ ଲକ୍ଷ ଗୃଧ୍ର ଥିଵା ବେଳେ, ୨୦୦୦ ଦଶକ ଆରମ୍ଭ ସୁଦ୍ଧା ଏମାନଙ୍କର ସଂଖ୍ୟା କିଛି ହଜାରକୁ ଖସି ଆସିଥିଲା। ଏହି ହ୍ରାସ ଏତେ ଦ୍ରୁତ ଏଵଂ ଵିପଜ୍ଜନକ ଥିଲା ଯେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (IUCN) ଏହି ପକ୍ଷୀଜାତିଗୁଡିକୁ "ଗମ୍ଭୀର ଵିପଦଗ୍ରସ୍ତ" (Critically Endangered) ଶ୍ରେଣୀରେ ରଖିଥିଲା ।
ଦକ୍ଷିଣ ଏସିଆରେ ଗୃଧ୍ର ଲୋପର ମୁଖ୍ୟ କାରଣ ଥିଲା ଡାଇକ୍ଲୋଫେନାକ ନାମକ ଏକ ଅଣ-ଷ୍ଟେରଏଡ଼ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ (NSAID) ଯାହା ଗାଈ ଓ ଅନ୍ୟ ପଶୁମାନଙ୍କୁ ଯନ୍ତ୍ରଣା ଓ ପ୍ରଦାହ ଚିକିତ୍ସା ପାଇଁ ଦିଆଯାଉଥିଲା। ୧୯୯୦ ଦଶକରେ, ଡାଇକ୍ଲୋଫେନାକ୍ ଭାରତରେ ପଶୁମାନଙ୍କ ପାଇଁ ଏକ ଜନପ୍ରିୟ ଔଷଧ ହୋଇଥିଲା କାରଣ ଏହା ଶସ୍ତା ଓ ଅତ୍ୟନ୍ତ ପ୍ରଭାଵଶାଳୀ ଥିଲା। କିନ୍ତୁ, ଏହାର ପ୍ରଭାଵ ଗୃଧ୍ରମାନଙ୍କ ପାଇଁ ମାରାତ୍ମକ ପ୍ରମାଣିତ ହୋଇଥିଲା।
ଅନେକ ସମୟରେ ଡାଇକ୍ଲୋଫେନାକ ଦିଆଯାଇଥିଵା ପଶୁ ଵିଶେଷତଃ ଗାଈ ମରି ଯାଉଥିଲେ । ଲୋକେ ସେ ରୋଗଗ୍ରସ୍ତ ଗାଈକୁ ମରାଖଣ୍ଡିରେ ପକେଇ ଦେଉଥିଲେ । ଗୃଧ୍ରମାନେ ସେହି ଗାଈର ମାଂସ ଖାଇଵା ଯୋଗୁଁ ସେମାନଙ୍କ ଶରୀରରେ ଏହି ଔଷଧର ଅଵଶେଷ ପ୍ରବେଶ କଲା। ଗଵେଷଣାରୁ ଜଣାପଡି଼ଛି ଯେ ଡାଇକ୍ଲୋଫେନାକ ଗୃଧ୍ରମାନଙ୍କର ବୃକକ (Kidney) ଉପରେ ମାରାତ୍ମକ ପ୍ରଭାବ ପକାଇଥାଏ, ଯାହା ବୃକକ ଵିଫଳତା ଵା Renal Failure ଓ ମୃତ୍ୟୁର କାରଣ ହୋଇଥାଏ। ଏକ ଗଵେଷଣା ଅନୁସାରେ, ମାତ୍ର ୦.୧-୦.୮% ମୃତ ପଶୁମାନଙ୍କ ଶରୀରରେ ଡାଇକ୍ଲୋଫେନାକର ଉପସ୍ଥିତି ଗୃଧ୍ରସଂଖ୍ୟା ଏତେ ବଡ଼ ହ୍ରାସ ପାଇଁ ଯଥେଷ୍ଟ ଥିଲା।
ସହରୀକରଣ, ଜଙ୍ଗଲ ନିର୍ମୂଳନ ଏଵଂ କୃଷି ବ
ଵିସ୍ତାର ଯୋଗୁଁ ମଧ୍ୟ ଗୃଧ୍ରମାନଙ୍କର ଆଵାସ ସ୍ଥଳ ନଷ୍ଟ ହୋଇଛି। ଏମାନଙ୍କର ବସା ବାନ୍ଧିଵା ଓ ଖାଦ୍ୟ ଖୋଜିଵା ପାଇଁ ଉପଯୁକ୍ତ ସ୍ଥାନ କମିଯାଇଛି। ଆଧୁନିକ ପଶୁପାଳନ ପଦ୍ଧତି ଓ ମୃତ ପଶୁମାନଙ୍କୁ ଦାହ କିମ୍ବା ପୋତି ଦେଵାର ପ୍ରଚଳନ ଯୋଗୁଁ ଗୃଧ୍ରମାନଙ୍କ ପାଇଁ ଖାଦ୍ୟର ଉପଲବ୍ଧତା ହ୍ରାସ ପାଇଛି।ଡାଇକ୍ଲୋଫେନାକ ଵ୍ୟତୀତ ଅନ୍ୟ କୀଟନାଶକ ଓ ରାସାୟନିକ ପଦାର୍ଥ ମଧ୍ୟ ଗୃଧ୍ରମାନଙ୍କ ଉପରେ ପ୍ରଭାବ ପକାଇଛି। କୃଷି କ୍ଷେତ୍ରରେ ଵ୍ୟଵହୃତ କୀଟନାଶକ ଖାଦ୍ୟ ଶୃଙ୍ଖଳା ମାଧ୍ୟମରେ ଗୃଧ୍ରମାନଙ୍କ ଶରୀରରେ ପ୍ରଵେଶ କରେ। ଗୃଧ୍ରମାନଙ୍କର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଏହି ସମସ୍ୟାକୁ ବଢ଼ାଇଛି।
ଗୃଧ୍ର ଲୋପର ଗମ୍ଭୀରତାକୁ ଦେଖି ଭାରତ ସରକାର ଏବଂ ଵିଭିନ୍ନ ସଂଗଠନ ଏହାର ସଂରକ୍ଷଣ ପାଇଁ ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୦୬ ମସିହାରେ, ଭାରତ ସରକାର ପଶୁମାନଙ୍କ ପାଇଁ ଡାଇକ୍ଲୋଫେନାକର ଵ୍ୟଵହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ବଦଳରେ, ମେଲୋକ୍ସିକାମ (Meloxicam) ନାମକ ଏକ ଵିକଳ୍ପ ଔଷଧକୁ ପ୍ରୋତ୍ସାହନ ଦିଆଯାଇଥିଲା, ଯାହା ଗୃଧ୍ରମାନଙ୍କ ପାଇଁ ନିରାପଦ ବୋଲି ପ୍ରମାଣିତ ହୋଇଥିଲା।
ଏହା ସହିତ, ଗୃଧ୍ର ସଂରକ୍ଷଣ ପାଇଁ ଵିଭିନ୍ନ ପ୍ରଜନନ କେନ୍ଦ୍ର (Vulture Breeding Centers) ସ୍ଥାପନ କରାଯାଇଛି। ହରିୟାଣା, ପଶ୍ଚିମବଙ୍ଗ, ଓ ଅସମରେ ଏଭଳି କେନ୍ଦ୍ରଗୁଡିକ ଗୃଧମାନଙ୍କୁ ପ୍ରଜନନ କରାଇ ପୁନଃ ପ୍ରକୃତିକୁ ଛାଡ଼ିଵାର କାର୍ଯ୍ୟ କରୁଛନ୍ତି। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି (BNHS) ଏଵଂ ଅନ୍ୟାନ୍ୟ ସଂଗଠନ ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଵା ପାଇଁ ମଧ୍ୟ ଵିଭିନ୍ନ ଅଭିଯାନ ଚାଲିଛି। ଗୃଧ୍ରମାନଙ୍କର ଗୁରୁତ୍ୱ ଓ ଏମାନଙ୍କ ସଂରକ୍ଷଣ ଆଵଶ୍ୟକତା ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରାଯାଉଛି।
୧୯୮୦ ଦଶକରେ ଭାରତରେ ଗୃଧ୍ର ସଂଖ୍ୟା ୪୦ ନିୟୁତରୁ ଅଧିକ ଥିଲା । ୧୯୯୦ ବେଳକୁ ଏହି ସଂଖ୍ୟା ଦୃତ ଵାସ୍ତୁଵାଦୀ ଵିକାଶ ଯୋଗୁଁ ହ୍ରାସ ପାଇଲା । ଏହାପରେ ଡାଇକ୍ଲୋଫେନାକ୍ ଔଷଧ ଯୋଗୁଁ ୧୯୮୦ ତୁଳନାରେ ଗୃଧ୍ରସଂଖ୍ୟା ୯୦% ହ୍ରାସ ପାଇଥିଲା । ୨୦୦୬ ରେ ଡାଇକ୍ଲୋଫେନାକ ଉପରେ ପ୍ରତିବନ୍ଧକ ପରେ ଗୃଧ୍ରସଂଖ୍ୟା ହ୍ରାସକୁ କିଛି ପରିମାଣରେ ନିୟନ୍ତ୍ରଣ କରାଯାଇଛି । ସାମ୍ପ୍ରତିକ ଆକଳନ ଅନୁସାରେ - Gyps bengalensis ପ୍ରାୟ ୬,୦୦୦,Gyps indicus ପ୍ରାୟ ୧୩,୦୦୦ ଓ Gyps tenuirostris ପ୍ରାୟ ୧,୦୦୦ ଭାରତରେ ଅଛନ୍ତି । ମୋଟ ଉପରେ କହିଵାକୁ ଗଲେ ପ୍ରାୟ ୨୦,୦୦୦ ଗୃଧ୍ର ଭାରତରେ ବଞ୍ଚି ଯାଇଛନ୍ତି ।
ନବେ ଦଶକରେ ମୁଁ ଯେତେବେଳେ କନ୍ତିଓ ନୂଆସାହି ପ୍ରାଥମିକ ଵିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ ଆମ ଵିଦ୍ୟାଳୟ ପଛପଟେ ଥିଵା ମରାଖଣ୍ଡିରେ ଆମେ ସବୁବେଳେ ଗୃଧ୍ର ଦେଖୁଥିଲୁ । ବେଳେବେଳେ ସେମାନେ ଵିଦ୍ୟାଳୟ ହତା ଭିତରକୁ ବି ଚାଲି ଆସୁଥିଲେ । ପିଲାଏ ସେମାନଙ୍କୁ ଘଉଡ଼ାଇଵାକୁ ବଡ଼ ମଜା ପାଉଥିଲେ । କିଛି ପିଲା ଏ ବଡ଼ ପକ୍ଷୀଙ୍କୁ ଡରି ଦୂରେଇ ରହୁଥିଲେ । ତଳେ ଶୋଇ ଶୋଇ ଆମେ ପିଲାବେଳେ ଦୂର ଆକାଶରେ ସେମାନଙ୍କୁ ଉଡ଼ୁଥିଵାର ଦେଖି ମନରେ କେତେ କ'ଣ କଳ୍ପନା କରୁଥିଲୁ । କିନ୍ତୁ ହଠାତ୍ କିଛି ଵର୍ଷ ମଧ୍ୟରେ ଆଉ ଗୃଧ୍ର ଦେଖାଗଲେ ନାହିଁ । ମୁଁ ସେତେବେଳେ ଅନେକ ଲୋକଙ୍କୁ ଏହାର କାରଣ ପଚାରିଥିଲି । ବହୁତ ଵର୍ଷ ପରେ Earth Matter ନାମକ ଏକ ଦୂରଦର୍ଶନର ଧାରାଵାହିକରେ ଏହାର ପ୍ରକୃତ ଉତ୍ତର ମୋତେ ମିଳିଥିଲା ।
No comments:
Post a Comment