ଅନେକଙ୍କ ପାଇଁ 12 ସେପ୍ଟେମ୍ବର, 1940 ଏକ ସାଧାରଣ ଦିନ ହୋଇଥାଇପାରେ କିନ୍ତୁ ଯେଉଁମାନେ ଏହି ଦିନଟିର ଇତିହାସ ଜାଣନ୍ତି ସେମାନେ ଏହି ଦିନଟି ମାନଵ ଇତିହାସରେ ଏକ ଅଵିସ୍ମରଣୀୟ ଦିଵସ ରୂପେ ଅଭିହିତ କରନ୍ତି ।
1940 ମସିହା ସେପ୍ଟେମ୍ବର ବାର ତାରିଖ ଦିନ ଫ୍ରାନ୍ସର Dordogne ଅଞ୍ଚଳରେ Marcel Ravidat ନାମକ ଜଣେ କିଶୋର ତାଙ୍କ ପାଳିତ କୁକୁର 'Robot' ସହିତ ବୁଲୁଥାଏ। ହଠାତ୍ ତାଙ୍କ କୁକୁର ଭୂମିରେ ଥିଵା ଏକ ଗର୍ତ୍ତ ମଧ୍ୟରେ ପଡ଼ିଗଲା। ଗର୍ତ୍ତ ସମ୍ବନ୍ଧରେ ଅନୁସନ୍ଧାନ କରି Marcel ଜାଣିପାରିଲେ ଯେ ଏହା ଏକ ଵିଶାଳ ଗୁମ୍ଫାର ପ୍ରଵେଶପଥ ଅଟଇ। ନିଜର ତିନି ସାଙ୍ଗ Jacques Marsal, Georges Agnel ଓ Simon Coencasଙ୍କ ସହିତ Marcel Ravidat ପୁନର୍ଵାର ଏହି ଗୁମ୍ଫାକୁ ଅନୁସନ୍ଧାନ କଲେ। ସେମାନେ ଯାହା ଦେଖିଲେ ତାହା ଅଦ୍ଭୁତ ଓ ମନ୍ତ୍ରମୁଗ୍ଧକାରୀ ଥିଲା । ଗୁମ୍ଫାର କାନ୍ଥରେ ପ୍ରାୟ 17,000 ରୁ 20,000 ଵର୍ଷ ପୁରୁଣା ଶହ ଶହ ଚିତ୍ର ଥିଲା । ସେହି ଗୁମ୍ଫାଚିତ୍ରଗୁଡ଼ିକ ପ୍ରାଗୈତିହାସିକ ମଣିଷର ଜୀଵନ, ସଂସ୍କୃତି ଓ ସୃଜନଶୀଳତାର ଏକ ଅମର ସାକ୍ଷ୍ୟ ଥିଲା। ସେହି ଗୁମ୍ଫା ପରେ Lascaux Caves ନାମରେ ପରିଚିତ ହେଲା ।
ଏହିପରି ଭାବେ ଚାରିଜଣ କିଶୋର ଲେସ୍କୋ ଗୁମ୍ଫାକୁ ଆଵିଷ୍କାର କଲେ ଯାହା ପ୍ରାୟ 20 ହଜାର ଵର୍ଷ ପୂର୍ଵେ ଆମ ପୂର୍ଵପୁରୁଷମାନଙ୍କର ଆଶ୍ରୟସ୍ଥଳୀ ଥିଲା। ଏବେ ଆଗକୁ ବଢ଼ିଵା ପୂର୍ଵରୁ ପୃଥିଵୀରେ ଜୀଵନର ଏକ ସଂକ୍ଷିପ୍ତ ଇତିହାସ ପୁନରାଲୋଚନା କରାଯାଉ ।
ଜୀଵାଶ୍ମ ରେକର୍ଡ ଅନୁସାରେ, ପୃଥିଵୀରେ ଜୀଵନର ଆରମ୍ଭ ପ୍ରାୟ 4 ବିଲିୟନ ଵର୍ଷ ପୂର୍ବେ RNA ରୂପରେ ହୋଇଥିଲା। ଏକକୋଷୀ ଜୀଵଙ୍କଠାରୁ ବହୁକୋଷୀ ଜୀଵୀ ହେଵା ପର୍ଯ୍ୟନ୍ତ ଏହି ଵିଵର୍ତ୍ତନଯାତ୍ରା ଅତ୍ୟନ୍ତ ଧୀର ଥିଲା। ପରେ ଆଉ 50 କୋଟି ଵର୍ଷ ପର୍ଯ୍ୟନ୍ତ ଜୀଵନର ଅଗ୍ରଗତି ନିରୁତ୍ସାହଜନକ ଭାବେ ଧୀର ରହିଲା। ତେବେ ଆଜକୁ ମାତ୍ର 60 ଲକ୍ଷ ଵର୍ଷ ପୂର୍ଵେ Hominid ଶାଖାରୁ ଉତ୍ପନ୍ନ Homo sapiens ନାମକ ଏକ ପ୍ରଜାତି ମାତ୍ର 50 ହଜାର ଵର୍ଷରେ ଏହି ଗ୍ରହ ଉପରେ ଆଧିପତ୍ୟ ଵିସ୍ତାର କରି ଅନ୍ୟ ଗ୍ରହକୁ ମହାକାଶଯାନ ପଠାଇଵା ଯୋଗ୍ୟତା ଅର୍ଜନ କରିପାରିଛନ୍ତି। ଏହି ଅଭୂତପୂର୍ଵ ଅଗ୍ରଗତିର ରହସ୍ୟ କ’ଣ?
ଉତ୍ତର ହେଉଛି ଜ୍ଞାନର ସାତତ୍ୟ ଵା Persistence of Knowledge !
ଜୀଵନର ଗତି ସ୍ମୃତି ଉପରେ ନିର୍ଭର କରେ। DNA ଓ କୋଷ ସ୍ମୃତି ସଂରକ୍ଷଣ କରିପାରେ, କିନ୍ତୁ ତାହାର ପରିମାଣ ସୀମିତ। DNA ରେ ପରିଵର୍ତ୍ତନ (Mutation) ହାର ଅତ୍ୟନ୍ତ ଧୀମର ଯାହା ଜୈଵିକ ଵିକାଶକୁ ଅତି ଦୀର୍ଘ ପ୍ରକ୍ରିୟା କରିଥାଏ। ପ୍ରାୟ 60 କୋଟି ଵର୍ଷ ପୂର୍ଵେ ଜୀଵ ଶରୀରରେ ମସ୍ତିଷ୍କର ଅସ୍ତିତ୍ବ ପ୍ରକଟିତ ହେଲା ଯାହା ପରିବେଶରୁ ଶିଖିଵା ଓ ସ୍ମୃତି ସଂରକ୍ଷଣରେ ଅନେକ ଗୁଣ ଅଧିକ ଦକ୍ଷ ଥିଲା। କିନ୍ତୁ ଏଥିରେ ମଧ୍ୟ ଏକ ସମସ୍ୟା ଥିଲା। ଜୀଵଟିଏ ଯାହା ଶିଖେ, ତାହା ତା’ର Germ Cellsରେ ପ୍ରତିଫଳିତ ହୁଏ ନାହିଁ। Germ Cellsର ଗଠନ ଭ୍ରୁଣ ଅଵସ୍ଥାରେ ହିଁ ନିର୍ଦ୍ଧାରିତ ହୋଇଯାଏ। ଅର୍ଥାତ୍, ମସ୍ତିଷ୍କରେ ସଂରକ୍ଷିତ ଜ୍ଞାନମାଳ ଭାବୀ ପିଢ଼ିକୁ ହସ୍ତାନ୍ତର କରିଵାର କୌଣସି ଜୈଵିକ ପ୍ରଣାଳୀ ପ୍ରକୃତି ସୃଷ୍ଟି କରି ନଥିଲା।
ଏହି ସମସ୍ୟାର ସେତେବେଳେ ସମାଧାନ ହେଲା ଯେତେବେଳେ ମଣିଷ ଅଜୈଵିକ ଉପାୟରେ ଜ୍ଞାନ ହସ୍ତାନ୍ତର କରିଵା ଆରମ୍ଭ କଲେ। Lascaux Caves ପରି ଗୁମ୍ଫାଗୁଡ଼ିକରେ ଅଙ୍କିତ ଚିତ୍ର ଏହି ଯାତ୍ରାର ପ୍ରଥମ ପଦକ୍ଷେପ ମଧ୍ୟରେ ଅନ୍ୟତମ । ଏହି ଚିତ୍ରଗୁଡ଼ିକ DNA, Genes କିମ୍ବା Brain ଵା ମସ୍ତିଷ୍କ ଉପରେ ନିର୍ଭର ନ କରି ଏକ ସ୍ଥାୟୀ ମାଧ୍ୟମରେ ଜ୍ଞାନକୁ ସଂରକ୍ଷଣ ଓ ହସ୍ତାନ୍ତର କରିଥିଲା। ଏହା ଥିଲା ମାନଵ ସଭ୍ୟତାର ଏକ କ୍ରାନ୍ତିକାରୀ ମୁହୂର୍ତ୍ତ।
Lascaux Caves ଫ୍ରାନ୍ସର Dordogne ଅଞ୍ଚଳରେ ଅଵସ୍ଥିତ ଏଵଂ Upper Paleolithic ଯୁଗର Magdalenian ସଂସ୍କୃତିର ଏକ ଅମର ନିଦର୍ଶନ। ଏହି ଗୁମ୍ଫାରେ ପ୍ରାୟ 600ଟି ଚିତ୍ର ଓ 1,500ଟି ଖୋଦନ ରହିଛି । ଏହି ଗୁମ୍ଫାଚିତ୍ର ମଧ୍ୟରେ ଅଶ୍ଵ ,ମହିଷ(ଲୁପ୍ତ Aurochs),ହରିଣ, ବାଇସନ୍(Bison) ଓ ଜଙ୍ଗଲୀ ଛାଗଳ(Ibex) ଆଦି ଵିଭିନ୍ନ ପଶୁଙ୍କ ଚିତ୍ର ରହିଛି। ଗୁମ୍ଫାର ଚିତ୍ରଗୁଡ଼ିକ ଅତ୍ୟନ୍ତ ଜଟିଳ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଏଵଂ ଏ ଚିତ୍ରମାନ ପ୍ରାଗୈତିହାସିକ ମଣିଷର ସୃଜନଶୀଳତା ଓ କୌଶଳକୁ ପ୍ରଦର୍ଶନ କରେ। ଏହି ଚିତ୍ରଗୁଡ଼ିକ ଶିକାର ସମ୍ବନ୍ଧୀୟ ସୂଚନା ସହିତ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଅଭିଵ୍ୟକ୍ତିର ମଧ୍ୟ ସୂକ୍ଷ୍ମ ପ୍ରମାଣ ରହିଛି। Lascaux ଗୁମ୍ଫାର Hall of the Bulls ଓ Great Black Bull ପରି ଚିତ୍ରଗୁଡ଼ିକ ଅତ୍ୟନ୍ତ ଜୀଵନ୍ତ ଓ ଗତିଶୀଳ ଯାହା ସେତେବେଳେର ମଣିଷର ପରିବେଶ ଓ ପଶୁଙ୍କ ସହ ସମ୍ପର୍କକୁ ପ୍ରତିଫଳିତ କରେ। ଏହି ଚିତ୍ରଗୁଡ଼ିକ ନିର୍ମାଣରେ ପ୍ରାଗୈତିହାସିକ ମଣିଷ ପ୍ରାକୃତିକ Pigments ଯଥା Ochre, Charcoal ଓ Hematite ଵ୍ୟଵହାର କରିଥିଲେ ବୋଲି ଗଵେଷଣାରୁ ଜଣାଯାଏ । ସେମାନେ Brushes, Stencils ଓ ଏପରିକି ତାଙ୍କ ହାତକୁ ମଧ୍ୟ ଵ୍ୟଵହାର କରୁଥିଲେ। ଅନେକ ଚିତ୍ରରେ Handprints ଦେଖାଯାଏ, ଯାହାର କେତେକରେ ଆଙ୍ଗୁଳି ଅନୁପସ୍ଥିତ। ଏହା ଶୀତଦଂଶ (Frostbite) ଵା ଧାର୍ମିକ ରୀତିନୀତିର ଫଳ ହୋଇପାରେ, ଯାହା ସେତେବେଳେର ଜୀଵନର କଠିନତାକୁ ସୂଚିତ କରେ।
Lascaux Caves ରେ ଅଙ୍କିତ ଚିତ୍ରଗୁଡ଼ିକ କେଵଳ କଳାକୃତି ନୁହେଁ ଵରଂ ଜ୍ଞାନର ସାତତ୍ୟର ପ୍ରଥମ ପଦକ୍ଷେପ। ଏହି ଚିତ୍ରଗୁଡ଼ିକ ମାଧ୍ୟମରେ ପ୍ରାଗୈତିହାସିକ ମଣିଷ ତାଙ୍କର ଅଭିଜ୍ଞତା, ଶିକାର କୌଶଳ, ପରିଵେଶ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଭାବୀ ପିଢ଼ିକୁ ହସ୍ତାନ୍ତର କରିଥିଲେ। ଏହା DNA ଵା ମସ୍ତିଷ୍କ ଉପରେ ନିର୍ଭର ନ କରି ଏକ ଅଜୈଵିକ ମାଧ୍ୟମ—ପଥରର କାନ୍ଥ—ମାଧ୍ୟମରେ ସମ୍ଭଵ ହୋଇଥିଲା। ଏହା ଥିଲା ମାନଵ ସଭ୍ୟତାର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ, ଯେଉଁଠାରୁ ଜ୍ଞାନର ହସ୍ତାନ୍ତର ପଥର, ଚର୍ମ, ବଳ୍କଳ, Papyrus, କାଗଜ(Paper) ଏଵଂ ଆଜି ଅନ୍ତର୍ଜାଲ(Internet) ପର୍ଯ୍ୟନ୍ତ ଵିକଶିତ ହେଲା।
ଅଵଶ୍ୟ Lascaux Caves ଭଳି ଗୁମ୍ଫା ଚିତ୍ର ପୂର୍ଵରୁ ମୌଖିକ ପ୍ରଣାଳୀରେ ଜ୍ଞାନ ଆଦାନ-ପ୍ରଦାନ ହେଉଥିବାର ସମ୍ଭାଵନା ମଧ୍ୟ ଅତ୍ୟନ୍ତ ସମ୍ଭବ। ମାନଵେତ୍ତର ପ୍ରାଣୀ ଯଥା Langur ଓ Gorilla ମଧ୍ୟ ଧ୍ୱନି ମାଧ୍ୟମରେ ଭାଵନା ପ୍ରକାଶ କରୁଛନ୍ତି । ମୌଖିକ ଅଭିଵ୍ୟକ୍ତି ପାଇଁ ଆଵଶ୍ୟକ Vocal Apparatus ଓ Brain ର ବୌଦ୍ଧିକ ସାମର୍ଥ୍ୟ ପ୍ରାଗୈତିହାସିକ Homo sapiensଙ୍କ ପାଖରେ ଥିଲା। ମୌଖିକ ପ୍ରଣାଳୀ ଜ୍ଞାନ ହସ୍ତାନ୍ତରର ଏକ ସ୍ୱାଭାଵିକ ଓ କ୍ଷୀପ୍ର ଉପାୟ ଥିଲା, ଯାହା Hunting Strategies, Social Norms ଓ Stories ପରି ସୂଚନା ପରଵର୍ତ୍ତୀ ପିଢ଼ିକୁ ଦେଇଥାଇପାରେ। କିନ୍ତୁ ମୌଖିକ ଜ୍ଞାନ ଅସ୍ଥାୟୀ ଓ Memory ଉପରେ ନିର୍ଭରଶୀଳ, ଯାହା ସମୟ ସହିତ ହଜିଯାଇପାରେ। ଅପରପକ୍ଷେ, Lascaux Caves ର Cave Paintings ଜ୍ଞାନକୁ ଅଜୈଵିକ ମାଧ୍ୟମରେ ସ୍ଥାୟୀ କରିଥିଲା, ଯାହା ପାଇଁ Tools ଓ Artistic Skills ଆଵଶ୍ୟକ ଥିଲା। ଆଜି ମଧ୍ୟ ମାନଵ ଶିଶୁ ପ୍ରଥମେ ମୌଖିକ ଅଭିଵ୍ୟକ୍ତି ଶିଖେ, ତା’ପରେ Writing ଓ Drawing ଶିଖିଥାଏ । ତେଣୁ, Lascaux Caves ପୂର୍ଵରୁ ମୌଖିକ ପ୍ରଣାଳୀ ଜ୍ଞାନ ଆଦାନ-ପ୍ରଦାନର ପ୍ରାଥମିକ ଉପାୟ ଥିଲା, କିନ୍ତୁ Cave Paintings ଏହାକୁ ସ୍ଥାୟୀ ଓ ଦୃଶ୍ୟମାନ କରି ମାନଵ ସଭ୍ୟତାରେ ଏକ କ୍ରାନ୍ତି ଆଣିଥିଲା।
ଏହି ଜ୍ଞାନର ସାତତ୍ୟ ହିଁ ମଣିଷକୁ ଅନ୍ୟ ପ୍ରଜାତିଠାରୁ ପୃଥକ କରିଛି। Dinosaurs ପାଖରେ ମଧ୍ୟ ମସ୍ତିଷ୍କ ଥିଲା କିନ୍ତୁ ଗ୍ରହାଣୁ ସଂଘର୍ଷରୁ ରକ୍ଷା ପାଇଵାର ଉପାୟ ସେମାନେ ଖୋଜି ପାରି ନଥିଲେ, କାରଣ ସେମାନଙ୍କ ପାଖରେ ଜ୍ଞାନର ସାତତ୍ୟ ନଥିଲା। କିନ୍ତୁ Homo sapiens ଏହି ଅଭାଵକୁ ଦୂର କରି ପାରିଲେ। Homo sapiensମାନେ ଶିଖିଥିଵା ଜ୍ଞାନକୁ ସଂରକ୍ଷଣ କରି ପରଵର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କଲେ, ଯାହା ପ୍ରତ୍ୟେକ ପିଢ଼ିକୁ ପୂର୍ଵଵର୍ତ୍ତୀ ପିଢ଼ିର ଜ୍ଞାନ ଉପରେ ନିର୍ମାଣ କରିଵାର ସୁଯୋଗ ଦେଲା। ଏହା ହିଁ ମଣିଷକୁ କୃଷି,ପଶୁପାଳନ,ଲିଖନ,ଵିଜ୍ଞାନ,ଵୈଷୟିକ ଜ୍ଞାନ ଓ ଅନ୍ତରୀକ୍ଷ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି।
ଭାରତରେ ମଧ୍ୟ ଏଭଳି ଅନେକ ଗୁମ୍ଫା ଚିତ୍ରକଳା ମିଳିଛି ଯାହା Lascaux Caves ସହ ସାମଞ୍ଜସ୍ୟ ରଖେ। ଭୀମବେଟକା ଗୁମ୍ଫାରେ ଥିଵା ଚିତ୍ରଗୁଡ଼ିକ 30,000 ଵର୍ଷରୁ ଅଧିକ ପୁରୁଣା, ଯାହା Paleolithic, Mesolithic ଓ Neolithic ସମୟର ବୋଲି ଜଣାପଡ଼ିଛି ପ୍ର। ଏହି ଚିତ୍ରଗୁଡ଼ିକରେ ଶିକାର,ନୃତ୍ୟ,ଯୁଦ୍ଧ ଓ ସାମାଜିକ ଜୀବନଯାପନର ଦୃଶ୍ୟ ଅଙ୍କିତ, ଯାହା ପ୍ରାଗୈତିହାସିକ ଭାରତୀୟ ମଣିଷର ଜୀଵନଶୈଳୀ ଓ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ । ଓଡ଼ିଶାରେ ଗୁଡ଼ହାଣ୍ଡି ଓ ଵିକ୍ରମଖୋଲ ପରି ସ୍ଥାନରେ ମଧ୍ୟ ପ୍ରାଗୈତିହାସିକ ଚିତ୍ରକଳା ମିଳିଛି। ଗୁଡ଼ହାଣ୍ଡିରେ ଥିଵା ଚିତ୍ରଗୁଡ଼ିକରେ ପଶୁ,ମାନଵ ଓ ଜ୍ୟାମିତିକ ଆକୃତି ଅଙ୍କିତ ହୋଇଛି ଯାହା ସେତେବେଳେର ମଣିଷଙ୍କ ଜୀଵନଶୈଳୀ ଓ ଧାର୍ମିକ ଵିଶ୍ୱାସକୁ ସୂଚିତ କରିଥାଏ । ଵିକ୍ରମଖୋଲରେ ମିଳିଥିଵା ଲେଖା ଓ ଚିତ୍ର ମଧ୍ୟ ପ୍ରାଚୀନ ଭାରତୀୟ ସଂସ୍କୃତିର ସ୍ଵରୂପ ପ୍ରକାଶ କରିଥାଏ । ଏହି ଚିତ୍ରଗୁଡ଼ିକ ପ୍ରମାଣ କରେ ଯେ ଜ୍ଞାନର ସାତତ୍ୟ କେଵଳ Europe ରେ ନୁହେଁ ଵରଂ ଭାରତରେ ମଧ୍ୟ ସମାନାନ୍ତର ଭାବେ ଵିକଶିତ ହୋଇଥିଲା।
ତେବେ Lascaux ଗୁମ୍ଫାର ଆଵିଷ୍କାର ଦ୍ଵିତୀୟ ଵିଶ୍ଵଯୁଦ୍ଧ ସମୟରେ ହୋଇଥିଲା । ସେତେବେଳେ ଵିଶ୍ୱ ଧ୍ୱଂସ ହେଵାକୁ ବସିଥିଲା । Marcel Ravidat ଓ ତାଙ୍କ ସାଙ୍ଗମାନେ Lascaux ଗୁମ୍ଫାର ମୂଲ୍ୟ ବୁଝିଥିଲେ ଏଵଂ ଏହାକୁ ସୁରକ୍ଷା ଦେଵା ପାଇଁ ପ୍ରୟାସ କରିଥିଲେ। ସେମାନେ ଏକ ଵର୍ଷ ଧରି ଗୁମ୍ଫା ଆଗରେ ପହାରା ଦେଇଥିଲେ, ଯାହା ଏକ ଅଜ୍ଞାତ କିଶୋରର ଦାୟିତ୍ୱବୋଧକୁ ପ୍ରଦର୍ଶନ କରେ। 1948 ମସିହାରେ Lascaux Caves ସାଧାରଣ ଜନତା ପାଇଁ ଖୋଲା ହେଲା, କିନ୍ତୁ ଅତ୍ୟଧିକ ପର୍ଯ୍ୟଟକ ଓ ପରିଵେଶ ପରିଵର୍ତ୍ତଳ ହେତୁ ଚିତ୍ରଗୁଡ଼ିକ ଫଙ୍ଗସ୍ ଓ ଭଙ୍ଗାରୁଜାର ଶିକାର ହେଲା। 1963 ମସିହାରେ ଏହା ବନ୍ଦ କରାଗଲା, ଓ 1983 ମସିହାରେ Lascaux II ନାମକ ଏକ Replica Cave ନିର୍ମାଣ କରାଗଲା, ଯାହା ଆଜି ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। 1979 ମସିହାରେ Lascaux Caves UNESCO ଵିଶ୍ଵ ଐତିହ୍ୟ ସ୍ଥଳ ଭାବେ ଘୋଷିତ ହେଲା।
ଜ୍ଞାନର ସାତତ୍ୟ ଆଜି ଅନ୍ତର୍ଜାଲ(Internet) ଓ ଅଙ୍କୀୟ ପ୍ରଯୁକ୍ତିଵିଦ୍ୟା(Digital Technology) ରୂପେ ଵିକଶିତ ହୋଇଛି। ଗୁମ୍ଫାଚିତ୍ରରୁ ଆରମ୍ଭ ହୋଇ ଲିଖନ ପ୍ରଣାଳୀ, ଛାପାଖାନା,ପାଠାଗାର,ତଥ୍ୟାଗାର(Databases) ଓ Cloud Storage ପର୍ଯ୍ୟନ୍ତ, ମଣିଷ ଜ୍ଞାନକୁ ସଂରକ୍ଷଣ ଓ ହସ୍ତାନ୍ତର କରିଵାର ନୂଆ ନୂଆ ଉପାୟ ଉଦ୍ଭାବନ କରିଛି। Internet ଏକ ଵୈଶ୍ଵିକ ଜ୍ଞାନ ଭଣ୍ଡାର(Global Knowledge Repository) ସୃଷ୍ଟି କରିଛି । ଫଳତଃ ମାନଵ ସଭ୍ୟତା କୃତ୍ରିମ ବୁଦ୍ଧିମତା(Artificial Intelligence), ମହାକାଶ ଅନୁସନ୍ଧାନ(Space Exploration) ଓ ଆନୁଵଂଶିକ ଅଭିଯାନ୍ତ୍ରିକୀ(Genetic Engineering) ଆଦି କ୍ଷେତ୍ରରେ ଵିଶେଷ ଅଗ୍ରଗତି ଲଭିଛି । କିନ୍ତୁ ଏହି ସାତତ୍ୟ ଅତ୍ୟନ୍ତ କ୍ଷଣଭଙ୍ଗୁର(Fragile)। ଯଦି ପିଢ଼ି ପିଢ଼ି ଧରି ଚାଲି ଆସିଥିଵା ଏହି "ଜ୍ଞାନ-ଶୃଙ୍ଖଳା" କୌଣସି କାରଣରୁ ଵିଚ୍ଛିନ୍ନ ହୋଇଯାଏ ତେବେ ମାତ୍ର ଗୋଟିଏ ପିଢ଼ିରେ ମଣିଷ ଆଧୁନିକ ସଭ୍ୟତାରୁ ପ୍ରସ୍ତର ଯୁଗରେ ପହଞ୍ଚିପାରେ । ସଂସାରକୁ ନଷ୍ଟ କରିଵାକୁ ଚାହିଁଲେ ଅନେକ କାରଣ ମିଳିଯିଵ। ରକ୍ଷା କରିଵା ପାଇଁ କେଵଳ ଏତିକି ଜାଣିଵା ଯଥେଷ୍ଟ - ଆମେ କିଏ, କେଉଁଠୁ ଆସିଛୁ ଓ ଏଠାକୁ ପହଞ୍ଚିଵା ପାଇଁ ଆମେ କେତେ ସଂଘର୍ଷ କରିଛୁ। Lascaux ଓ ଭୀମବେଟକା ପରି ଗୁମ୍ଫାଗୁଡ଼ିକ ଆମକୁ ଆମ ପୂର୍ଵଜଙ୍କର ସଂଘର୍ଷ ଓ ଵିକାଶ ଯାତ୍ରା କେମିତି ଥିଲା ତାହା ଜଣାଇ ଦିଏ । ତେଣୁ Marcel Ravidat ଓ ତାଙ୍କ ସାଙ୍ଗମାନେ ଯେପରି Lascaux ଗୁମ୍ଫାର ସୁରକ୍ଷା ପାଇଁ ପ୍ରୟାସ କରିଥିଲେ ଠିକ୍ ସେହିପରି ପିଢ଼ି ପିଢ଼ି ଧରି ସଂଗୃହୀତ ହୋଇଥିଵା ଜ୍ଞାନ ଓ ସଂସ୍କୃତିକୁ ସଂରକ୍ଷଣ କରିଵା ଆମ୍ଭମାନଙ୍କର ଦାୟିତ୍ୱ ହେଵା ଆଵଶ୍ୟକ।
No comments:
Post a Comment