Monday, October 31, 2022

ଅତରପିତର କରିଵା : ଏକ ସାଂସ୍କୃତିକ ଓଡ଼ିଆ ଶବ୍ଦ

ପୂର୍ଵ କାଳରେ ଓଡ଼ିଶାର ଲୋକେ ଵେଦ ଓ ସଂସ୍କୃତ ଭାଷାର ଜ୍ଞାତା ଥିଲେ ସେଥିପାଇଁ ସାରା ଭାରତରେ ମିଳୁନଥିଵା ଅଥର୍ଵଵେଦ ଆମ ଓଡ଼ିଶାରୁ ହିଁ ମିଳିଥିଲା । 

ଓଡ଼ିଆ ଭାଷା ସର୍ଵାଧିକ ସଂସ୍କୃତନିଷ୍ଠ ତଥା କଦଳୀ,ପଣସ, ସୂର୍ଯ୍ୟ,ଜଳ ଆଦି ସଂସ୍କୃତ ଶବ୍ଦର ଠିକ୍ ଉଚ୍ଚାରଣ ଅଧୁନା କେଵଳ ଓଡ଼ିଆ ଭାଷାରେ ହିଁ ଦୃଶ୍ୟ ହୋଇଥାଏ ‌ ।

ଓଡ଼ିଆ ଭାଷାରେ ଅନେକ ଶବ୍ଦ ରହିଛି ଯାହା ଆମକୁ ସନାତନୀ ସଂସ୍କୃତି ସହିତ ପ୍ରତ୍ୟକ୍ଷ ଭାବେ ପରିଚିତ କରାଇଥାଏ । 

ସେହିପରି ଏକ ଓଡ଼ିଆ କ୍ରିୟା ଶବ୍ଦ “ଅତରପିତର କରିଵା” ଅଟେ । 

ସାଧାରଣତଃ “ବହୁ ଵସ୍ତୁକୁ ଏକତ୍ର କରିଵା ,ମିଳାଇ ଦେଵା ଵା ମିଶ୍ରଣ କରିଵାକୁ ଓଡ଼ିଆ ଭାଷାରେ ଅତରପିତର କରିଵା କୁହାଯାଏ । 

ଯଥା— “ମୁଁ ସବୁ ଦରଵକୁ ଭିନେ କରି ରଖିଥିଲି, ସେ ପହଞ୍ଚି ତାକୁ ଅତରପିତର କରି ଦେଲା।”

କିନ୍ତୁ ବହୁତ ଓଡ଼ିଆ ଲୋକେ ଜାଣିନଥିବେ ଯେ ଏହି "ଅତରପିତର କରିଵା" ଶବ୍ଦଟି ଏକ ସାଂସ୍କୃତିକ ଶବ୍ଦ ଏଵଂ ଏହା ଭାରତୀୟ ସନାତନୀ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡ଼ିତ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵେଦୋକ୍ତ "ଅତ୍ର ପିତରୋ ମାଦୟଧ୍ୱଂ" ଇତ୍ୟାଦି ମନ୍ତ୍ରପାଠ ପୂର୍ଵକ ଶ୍ରାଦ୍ଧ ପତ୍ରରେ ପିଣ୍ଡାଵଶିଷ୍ଟ ଅନ୍ନ ଵ୍ୟଞ୍ଜନାଦିକୁ ଠୁଳ କରି ଶ୍ରାଦ୍ଧକର୍ତ୍ତା ପିତୃଲୋକଙ୍କୁ ଉତ୍ସର୍ଗ କରନ୍ତି। 

 ଉକ୍ତ ମନ୍ତ୍ରର ପ୍ରଥମ ଓ ଦ୍ୱିତୀୟ ଶବ୍ଦ ଦ୍ୱୟ ଯଥା “ଅତ୍ର ଓ ପିତରୋ”ର ପରିଵର୍ତ୍ତନ ଯୋଗୁଁ ଏହି "ଅତର ପିତର କରିଵା" କ୍ରିୟାଟି ସୃଷ୍ଟି ହୋଇଅଛି । 
 
ଯେହେତୁ ଶ୍ରାଦ୍ଧକର୍ତ୍ତା ପିଣ୍ଡଦାନ କରାଯାଇଥିଵା ଅନ୍ନାଦିକୁ ଠୁଳ କଲାବେଳେ ଏହି ମନ୍ତ୍ର ପାଠ କରୁଥିଲେ ତେଣୁ ସେହି ଵିଧି କ୍ରମେ ଅତ୍ର ପିତରୋ ବୋଲାଇ ଶେଷରେ ଅତରପିତର କରିଵା ହୋଇଅଛି । 

ପ୍ରତ୍ୟେକ ଭାଷା ଏକ ଵା ଏକାଧିକ ସଂସ୍କୃତି ସହିତ ଜଡ଼ିତ ହୋଇଥାଏ । ସଂସ୍କୃତିକୁ ନେଇ ଭାଷା ସମୃଦ୍ଧ ଓ ଶ୍ରେଷ୍ଠ ହୋଇଥାଏ । ଭାରତୀୟ ସଂସ୍କୃତି ଆଧାରରେ ସଂସ୍କୃତ, ଓଡ଼ିଆ,ତାମିଳ, ମୁଣ୍ଡାରୀ ଆଦି ଭାଷା ସୃଷ୍ଟି ହୋଇଛି । ୟୁରୋପୀୟ ଜର୍ମାନିକ୍ ସଂସ୍କୃତି ଘେନି ଇଂରାଜୀ ଭାଷାର ଜନ୍ମ ସେହିପରି ଆରବୀୟ ସଂସ୍କୃତିକୁ ନେଇ ଆରବୀ ଭାଷାର ସୃଷ୍ଟି ହୋଇଅଛି । 

ପ୍ରତ୍ୟେକ ଭାଷାର ଆତ୍ମା ତାହାର ମୌଳିକ ଧ୍ଵନ୍ୟାନୁକରଣ ଵିଶେଷ୍ୟ- ଵିଶେଷଣ ଶବ୍ଦ, ସାଂସ୍କୃତିକ ଵିଶେଷ୍ୟ- ଵିଶେଷଣ ଶବ୍ଦ ଓ ଅଵ୍ୟୟ,ପ୍ରତ୍ୟୟ,ସର୍ଵନାମ, କ୍ରିୟା, କ୍ରିୟା ଵିଶେଷଣ ମଧ୍ୟରେ ଥାଏ । 

ସଂସ୍କୃତି ପରିଵର୍ତ୍ତନ ଯୋଗୁଁ ଭାଷାରେ ମଧ୍ୟ ଭୀଷଣ ପରିଵର୍ତ୍ତନ ଦେଖାଦିଏ । ଆଗେ ପାରସ୍ୟର ଲୋକେ ଅଗ୍ନି ଉପାସକ ଥିଵା ବେଳେ ଵୈଦିକ ଯୁଗର ଅନେକ ଭାରତୀୟ ଶବ୍ଦ ଵ୍ୟଵହାର କରୁଥିଲେ କିନ୍ତୁ ସେମାନଙ୍କର ଧର୍ମ ଓ ସଂସ୍କୃତିରେ ପରିଵର୍ତ୍ତନ ହେଵାରୁ ସେମାନେ ଅନେକ ଆରବୀୟ ଓ ତୁର୍କ ଶବ୍ଦକୁ ଗ୍ରହଣ କରିନେଇ 
ମଧ୍ୟ ଯୁଗରେ ପାର୍ସୀ ଭାଷାକୁ ଅଶାସ୍ତ୍ରୀୟ କରିଦେଲେ । 

ଇଂରେଜମାନଙ୍କ ସହିତ ମଧ୍ୟ ସେଇଆ ହିଁ ହେଲା । ଇଂରେଜମାନେ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହେଵା ପରେ ଅନେକ ଲାଟିନ ଓ ପରେ ଫ୍ରେଞ୍ଚ୍ ଶବ୍ଦ ଗ୍ରହଣ କଲେ ଫଳରେ ଜର୍ମାନିକ ଭାଷା ମୂଳର ହୋଇ ବି ଇଂରାଜୀ ଭାଷାରେ ଫ୍ରେଞ୍ଚ ଓ ଲାଟିନ୍ ମୂଳର ଶବ୍ଦାଧିକ୍ୟ ହୋଇଗଲା । ଭିଏତନାମ ଦେଶର କଥିତ ଭାଷା ଭିଏତନାମୀ ସେହିପରି ଗୋଟିଏ ଆଷ୍ଟ୍ରୋଏସୀୟ ଭାଷା ହୋଇ ସୁଦ୍ଧା ଚୀନୀ ମାଣ୍ଡାରିନ ଦ୍ଵାରା ବହୁ ପରିମାଣରେ ପ୍ରଭାଵିତ ତେଣୁ ତାହାର ମୂଳ ସ୍ଵରୂପ ହରାଇ ଏକ ମିଶ୍ରିତ ଭାଷା ରୂପେ ଚଳୁଅଛି । 

ତେଣୁ ଵୈଦେଶିକ ଶବ୍ଦଗୁଡ଼ିକୁ ଭାବିଚିନ୍ତି ପ୍ରୟୋଗ କରାଯିଵା ଵିଧେୟ । ଆମ ପାଖରେ ଲକ୍ଷ ଲକ୍ଷ ଶବ୍ଦ ଅଛି ତଥାପି ଆମେ "and ,but ,ଫିର୍ ଭି,ଲେକିନ୍,କାସ୍,ଥୋଡ଼ା ,ଦିଲ୍,ଦିୱାନା,ଆଶିକି” କହିଵା କ'ଣ ଆଵଶ୍ୟକ ? 

ମନେ ରଖନ୍ତୁ 
ନିଜ ଭାଷାରେ ଆପଣ ଯେତିକି ଯେତିକି ଵୈଦେଶିକ ଶବ୍ଦ "ଅତରପିତର କରିବେ" ଆପଣଙ୍କ ଭାଷା ସେତିକି ସେତିକି ଆପଣା ସ୍ଵରୂପ ହରାଇ ହରାଇ ଯିଵ ଏଵଂ ଶେଷରେ ଶାସ୍ତ୍ରୀୟତା ଓ ମୌଳିକତା ହରାଇ ଗୁରୁତ୍ଵହୀନ ହୋଇଯିଵ । ଉଦାହରଣ ସ୍ୱରୂପ ଭଵିଷ୍ଯତରେ ଯଦି ଓଡ଼ିଆ ଭାଷାରେ ଲୋକେ ଯହ "ଖୁରାଣ୍ଟି ଚାଳାଇଲେ" ଅର୍ଥାତ୍ ଅତି ମାତ୍ରାରେ ହିନ୍ଦୀ ଭାଷା ଦ୍ଵାରା ପ୍ରଭାଵିତ ହୋଇ ତହିଁର କାସ୍ ,କମ୍ ସେ କମ୍, ଇସ୍କ୍,ଦିଲ୍,ଦିମାଗ୍ ଆଦି ଶବ୍ଦ ମିଶାଇ ତାକୁ ଦୂଷିତ କରିଦେଲେ ତେବେ ଓଡ଼ିଆ ଭାଷା ଆଉ ଶାସ୍ତ୍ରୀୟ ଭାଷା ହୋଇ ରହିଵ ନାହିଁ ଵରଂ ହିନ୍ଦୀ ଭାଷାର ଏକ ଉପଭାଷା ବୋଲାଇଵ । 

ତେଣୁ ହେ ମୋର ଓଡ଼ିଆ ଭାଇ ଭଉଣୀ ଦାଦା ନାନୀମାନେ ସାଵଧାନ !!! ଆମ ଭାଷା ସଂସ୍କୃତିର ଭଵିଷ୍ୟତ ଆମ ହାତରେ ଆମେ ହିଁ ତାକୁ ବଞ୍ଚେଇ ପାରିଵା ଆଉ କେହି ନୁହେଁ ...!!!

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...